ସାରା ବିଶ୍ୱରେ ସେପ୍ଟେମ୍ୱର ୨୮ ଦିନଟିକୁ ‘ଅନ୍ତର୍ଜାତୀୟ ସୁରକ୍ଷିତ ଗର୍ଭପାତ ଦିବସ’ ରୂପେ ପାଳନ କରାଯାଇଥାଏ । ସେହି ଦୃଷ୍ଟିରୁ ସେପ୍ଟେମ୍ୱର ୨୯, ୨୦୨୨ରେ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟଙ୍କ ଏକ ତିନି ଜଣିଆ ଖଣ୍ଡପୀଠ ଅବିବାହିତା ମହିଳାଙ୍କ ସୁରକ୍ଷିତ ଗର୍ଭପାତ ଅଧିକାର ସମ୍ପର୍କରେ ଦେଇଥିବା ରାୟଟି ହୁଏତ କାକତାଳୀୟ ମନେ ହୋଇପାରେ, ତେବେ ଏହା ଏକ ଯୁଗାନ୍ତକାରୀ ତଥା ଦୂରଦର୍ଶୀ ରାୟ ରୂପେ ବିଭିନ୍ନ ମହଲରେ ପ୍ରଶଂସିତ ହେଉଛି । ସବୁ ସମୟରେ ଗର୍ଭପାତ ଏକ ବିବାଦୀୟ ବିଷୟ ହୋଇ ରହିଆସିଛି । ଏହା ଏକ ବ୍ୟକ୍ତିଗତ ପ୍ରସଙ୍ଗ ହୋଇଥିଲେ ବି ଗର୍ଭପାତକୁ ନେଇ ସାଧାରଣ ଲୋକଙ୍କ ମନୋଭାବ ନୈତିକ, ଆବେଗିକ, ଧାର୍ମିକ, ରାଜନୈତିକ ବିଶ୍ୱାସ ଉପରେ ପର୍ଯ୍ୟବସିତ ହୋଇଥାଏ । ଗର୍ଭପାତରେ ମାଆର ସ୍ୱାସ୍ଥ୍ୟ ସୁରକ୍ଷାର ଅଧିକାର ଓ ଅଜାତ ଶିଶୁର ଜୀବନ ଜୀଇଁବାର ଅଧିକାର ଭଳି ଦୁଇଟି ଅବିଚ୍ଛେଦ୍ୟ ଅଧିକାର ପରସ୍ପରର ମୁହାଁମୁହିଁ ହୋଇଥାଆନ୍ତି, ଯେଉଁଥିପାଇଁ ଗର୍ଭପାତକୁ ନେଇ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପ୍ରକାର ଆଇନ ରହିଛି । ଏବେ ମଧ୍ୟ ବିଶ୍ୱର ୨୪ଟି ଦେଶରେ ଗର୍ଭପାତ ସମ୍ପୂର୍ଣ୍ଣ ରୂପେ ବେଆଇନ ହୋଇଥିବା ବେଳେ ଯେଉଁ ସବୁ ଦେଶରେ ଏହା ବୈଧ ସେଠାରେ ମଧ୍ୟ ଗର୍ଭଧାରଣର ୨୪ ସପ୍ତାହ ପରେ ଗର୍ଭପାତ ଲାଗି ଅନୁମତି ମିଳି ନ ଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ ଗର୍ଭପାତ ଅବୈଧ ଥିବା ଦେଶମାନଙ୍କରେ ମଧ୍ୟ ମହ...