Skip to main content

ଅବିବାହିତାଙ୍କର ଗର୍ଭପାତ ଅଧିକାର

ସାରା ବିଶ୍ୱରେ ସେପ୍ଟେମ୍ୱର ୨୮ ଦିନଟିକୁ ‘ଅନ୍ତର୍ଜାତୀୟ ସୁରକ୍ଷିତ ଗର୍ଭପାତ ଦିବସ’ ରୂପେ ପାଳନ କରାଯାଇଥାଏ । ସେହି ଦୃଷ୍ଟିରୁ ସେପ୍ଟେମ୍ୱର ୨୯, ୨୦୨୨ରେ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟଙ୍କ ଏକ ତିନି ଜଣିଆ ଖଣ୍ଡପୀଠ ଅବିବାହିତା ମହିଳାଙ୍କ ସୁରକ୍ଷିତ ଗର୍ଭପାତ ଅଧିକାର ସମ୍ପର୍କରେ ଦେଇଥିବା ରାୟଟି ହୁଏତ କାକତାଳୀୟ ମନେ ହୋଇପାରେ, ତେବେ ଏହା ଏକ ଯୁଗାନ୍ତକାରୀ ତଥା ଦୂରଦର୍ଶୀ ରାୟ ରୂପେ ବିଭିନ୍ନ ମହଲରେ ପ୍ରଶଂସିତ ହେଉଛି ।

ସବୁ ସମୟରେ ଗର୍ଭପାତ ଏକ ବିବାଦୀୟ ବିଷୟ ହୋଇ ରହିଆସିଛି । ଏହା ଏକ ବ୍ୟକ୍ତିଗତ ପ୍ରସଙ୍ଗ ହୋଇଥିଲେ ବି ଗର୍ଭପାତକୁ ନେଇ ସାଧାରଣ ଲୋକଙ୍କ ମନୋଭାବ ନୈତିକ, ଆବେଗିକ, ଧାର୍ମିକ, ରାଜନୈତିକ ବିଶ୍ୱାସ ଉପରେ ପର୍ଯ୍ୟବସିତ ହୋଇଥାଏ । ଗର୍ଭପାତରେ ମାଆର ସ୍ୱାସ୍ଥ୍ୟ ସୁରକ୍ଷାର ଅଧିକାର ଓ ଅଜାତ ଶିଶୁର ଜୀବନ ଜୀଇଁବାର ଅଧିକାର ଭଳି ଦୁଇଟି ଅବିଚ୍ଛେଦ୍ୟ ଅଧିକାର ପରସ୍ପରର ମୁହାଁମୁହିଁ ହୋଇଥାଆନ୍ତି, ଯେଉଁଥିପାଇଁ ଗର୍ଭପାତକୁ ନେଇ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପ୍ରକାର ଆଇନ ରହିଛି । ଏବେ ମଧ୍ୟ ବିଶ୍ୱର ୨୪ଟି ଦେଶରେ ଗର୍ଭପାତ ସମ୍ପୂର୍ଣ୍ଣ ରୂପେ ବେଆଇନ ହୋଇଥିବା ବେଳେ ଯେଉଁ ସବୁ ଦେଶରେ ଏହା ବୈଧ ସେଠାରେ ମଧ୍ୟ ଗର୍ଭଧାରଣର ୨୪ ସପ୍ତାହ ପରେ ଗର୍ଭପାତ ଲାଗି ଅନୁମତି ମିଳି ନ ଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ ଗର୍ଭପାତ ଅବୈଧ ଥିବା ଦେଶମାନଙ୍କରେ ମଧ୍ୟ ମହିଳାମାନେ ନିଜ ଆବଶ୍ୟକତାନୁସାରେ ବେଆଇନ ଭାବେ ଗର୍ଭପାତ କରାଇଥାଆନ୍ତି, ଯାହା ଅଧିକ ଅସୁରକ୍ଷିତ ଓ ବିପଦପୂର୍ଣ୍ଣ ହୋଇଥାଏ । ଗର୍ଭପାତ ସଂକ୍ରାନ୍ତୀୟ କୋହଳ ଆଇନ ଥିବା ଦେଶଗୁଡିକରେ ମାତୃ ମୃତ୍ୟୁହାର ପ୍ରତି ଲକ୍ଷେ ଶିଶୁ ଜନ୍ମରେ ୭୭ ହୋଇଥିବା ବେଳେ ଗର୍ଭପାତ ବେଆଇନ ଘୋଷିତ ଦେଶଗୁଡିକରେ ତାହା ୨୨୩ ବା ପ୍ରାୟ ୩ ଗୁଣ ଅଧିକ । ଭାରତରେ ଗର୍ଭପାତ ବୈଧ ଅଟେ ଓ ଏହା ମେଡିକାଲ ଟର୍ମିନେନ୍ସି ଅଫ ପ୍ରେଗନାନ୍ସି ଆକ୍ଟ (ଏମଟିପି), ୧୯୭୧ ଓ ଏହାର ନିୟମାବଳୀ ଦ୍ୱାରା ନିୟନ୍ତ୍ରିତ । ଏଥିରେ ୨୦ ସପ୍ତାହ ପରେ ଅବିବାହିତାଙ୍କ ଗର୍ଭପାତକୁ ଅନୁମତି ଦିଆଯାଉ ନଥିବାରୁ ତାକୁ ବିରୋଧ କରି ରୁଜୁ ହୋଇଥିବା ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ପ୍ରଦତ୍ତ ରାୟ ବେଶ ଗୁରୁତ୍ୱପୂର୍ଣ୍ଣ ।             

ନିଜ ପୁରୁଷ ସାଥୀ ବିବାହ କରିବାକୁ ମନା କରିଦେବା ପରେ ଜଣେ ୨୫ ବର୍ଷୀୟା ଅବିବାହିତା ମହିଳା ସମ୍ମତିମୂଳକ ଯୌନସମ୍ପର୍କରୁ ସଞ୍ଚାର ହୋଇଥିବା ଗର୍ଭକୁ ନଷ୍ଟ କରିବାର ଅନୁମତି ପାଇବା ଲାଗି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେତେବେଳକୁ ମହିଳାଙ୍କର ଗର୍ଭ ୨୨ ସପ୍ତାହର ହୋଇସାରିଥିଲା । ୨୦୨୧ରେ ସଂଶୋଧିତ ହୋଇଥିବା ଏମଟିପି ଆଇନ ଓ ଏହାର ନିୟମାବଳୀ  ଅନୁଯାୟୀ ଗର୍ଭପାତର ଅନୁମୋଦନଯୋଗ୍ୟ ସର୍ବୋଚ୍ଚ ସମୟ ସୀମାକୁ ୨୦ ସପ୍ତାହରୁ ବଢାଇ ୨୪ ସପ୍ତାହ କରାଯାଇଛି । ଜଣେ ଡାକ୍ତରଙ୍କ ମତରେ ଗର୍ଭଧାରଣ ଯଦି ଜଣେ ମହିଳାଙ୍କ ଜୀବନ ପ୍ରତି ଅଥବା ତାଙ୍କ ମାନସିକ ବା ଶାରୀରିକ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଥାଏ ବା ଶିଶୁଟିର ଅସ୍ୱାଭାବିକତା ସହ ଜନ୍ମ ହେବାର ଆଶଙ୍କା ଥାଏ, ତେବେ ୨୦ ସପ୍ତାହ ମଧ୍ୟରେ ଗର୍ଭପାତ କରାଯାଇପାରିବ । ସଂଶୋଧିତ ଆଇନ ଅନୁଯାୟୀ ଏହି ସମୟସୀମା ମଧ୍ୟରେ ‘ଗର୍ଭନିରୋଧକର ବିଫଳତା’ର କାରଣ ଦର୍ଶାଇ ଜଣେ ଅବିବାହିତା ମହିଳା, ଉଭୟ ନାବାଳିକା ଓ ପ୍ରାପ୍ତବୟସ୍କାଙ୍କର, ବୈଧ ଭାବେ ଗର୍ଭପାତ କରାଯାଇପାରୁଥିଲା । ପ୍ରାପ୍ତବୟସ୍କା ଅବିବାହିତା ନିଜ ଇଚ୍ଛାରେ ଗର୍ଭପାତ କରାଇପାରୁଥିଲା ବେଳେ ନାବାଳିକାଙ୍କର ଗର୍ଭପାତ ପାଇଁ ତାଙ୍କ ଅଭିଭାବକଙ୍କ ସମ୍ମତି ଆବଶ୍ୟକ ହୋଇଥାଏ । ଗର୍ଭଧାରଣର ସମୟ ୨୦ରୁ ୨୪ ସପ୍ତାହ ମଧ୍ୟରେ ହୋଇଥିଲେ ଏଥିପାଇଁ ୨ ଜଣ ଡାକ୍ତରଙ୍କ ମତ ଆବଶ୍ୟକ ହୋଇଥାଏ ।  ହେଲେ ଏମଟିପି ନିୟମ, ୨୦୦୩ ଅନୁଯାୟୀ କେବଳ ଦୁଷ୍କର୍ମ ପୀଡିତା, ନାବାଳିକା, ଶାରୀରିକ ଅକ୍ଷମତା ଓ ମାନସିକ ଅନଗ୍ରସରତା ଥିବା ମହିଳା, ଗର୍ଭଧାରଣ କାଳରେ ବିଧବା ହୋଇଥିବା ବା ବିବାହ ବିଚ୍ଛେଦ ହୋଇଥିବା ମହିଳା ଓ ବିପର୍ୟ୍ୟୟ ବା ଆକସ୍ମିକତାର ଶିକାର ମହିଳାମାନଙ୍କୁ ଏଥିପାଇଁ ଅନୁମତି ପ୍ରଦାନ କରାଯାଇଥାଏ । ଅବିବାହିତା ମହିଳାମାନଙ୍କୁ ଏହି ନିୟମର ପରିସରଭୁକ୍ତ କରାଯାଇ ନ ଥିବାରୁ ଦିଲ୍ଲୀ ହାଇକୋର୍ଟ ଆବେଦନକାରୀଙ୍କୁ ଜୁଲାଇ ୧୫, ୨୦୨୨ରେ ଗର୍ଭପାତ ପାଇଁ ଅନୁମତି ଦେଇ ନଥିଲେ । ଫଳରେ ତାଙ୍କୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପଡିଥିଲା ।

ଏହି ମାମଲାରେ ଆଇନର ବିସ୍ତୃତ ତର୍ଜମାର ଆବଶ୍ୟକତା ଥିବାରୁ ଘଟଣାର ତାତ୍କାଳିକତା ଓ ଗାମ୍ଭୀର୍ଯ୍ୟକୁ ଧ୍ୟାନରେ ରଖି ସୁପ୍ରିମକୋର୍ଟ ପ୍ରଥମେ ସମ୍ପୃକ୍ତ ମହିଳାଙ୍କୁ ଆଇନ ଅନୁଯାୟୀ ଆବଶ୍ୟକ ଡାକ୍ତରୀ ଅନୁମତି ପ୍ରାପ୍ତ କରି ଗର୍ଭପାତ କରାଇବା ପାଇଁ ଜୁଲାଇ ୨୧, ୨୦୨୨ରେ ଅନ୍ତରୀଣ ଆଦେଶ ପ୍ରଦାନ କଲେ । ସୁପ୍ରିମକୋର୍ଟଙ୍କ ସମ୍ମୁଖରେ ମୁଖ୍ୟ ପ୍ରଶ୍ନ ଥିଲା ସମ୍ମତିମୂଳକ ସମ୍ପର୍କରୁ ଜଣେ ଅବିବାହିତା ମହିଳାର ସଞ୍ଚାର ହୋଇଥିବା ଗର୍ଭକୁ ଏମଟିପି ନିୟମର ନିୟମ ୩ବିରୁ ବାଦ ଦେବା ବୈଧ କି ? ନିୟମ ୩ବିରେ ୨୦-୨୪ ସପ୍ତାହର ଗର୍ଭବତୀ ମହିଳାଙ୍କ ଗର୍ଭପାତ ବିଷୟରେ ଉଲ୍ଲେଖ ରହିଛି । ଗର୍ଭପାତ ଆଇନରେ ବିବାହିତା ଓ ଅବିବାହିତା ମହିଳାଙ୍କ ମଧ୍ୟରେ ହେଉଥିବା ପକ୍ଷପାତିତା ଯୁକ୍ତିଯୁକ୍ତ କି ? ଭ୍ରୁଣ ସମ୍ପୂର୍ଣ୍ଣ ରୂପେ ମହିଳାର ଶରୀର ଉପରେ ତିଷ୍ଠି ରହିଥାଏ । ତେଣୁ ଗର୍ଭପାତର ନିଷ୍ପତ୍ତି ମହିଳାଙ୍କ ଶରୀରର ସ୍ୱାୟତ୍ତତାର ଅଧିକାର ଉପରେ ପର୍ଯ୍ୟବସିତ । ଯଦି ରାଷ୍ଟ୍ର ଜଣେ ମହିଳାକୁ ତା’ର ଅବାଞ୍ଛିତ ଗର୍ଭକୁ ଶେଷ ପର୍ଯ୍ୟନ୍ତ ଧାରଣ କରିବାକୁ ବାଧ୍ୟ କରେ ତେବେ ତାହା ତା’ର ମର୍ୟ୍ୟାଦା ଉପରେ ଆକ୍ରମଣ ହୋଇଥାଏ । ଜଣେ ମହିଳାର ପାରିପାର୍ଶ୍ୱିକ ଅବସ୍ଥାରେ ସଂଘଟିତ ପରିବର୍ତ୍ତନ ଓ ତଦଜନିତ ପ୍ରଭାବ ହୁଏତ ତା’ର ବିଳମ୍ୱରେ ଗର୍ଭପାତ ପାଇଁ ନିଷ୍ପତ୍ତି ନେବାର ଅନ୍ୟତମ କାରଣ ହୋଇପାରେ । ତା’ଛଡା ଚାକିରୀ ହରାଇବା, ଘରୋଇ ହିଂସାର ଶିକାର ହେବା ଆଦିର ଭୟ ଭଳି କାରଣଗୁଡିକ ମଧ୍ୟ ଜଣେ ମହିଳାକୁ ଗର୍ଭପାତ ନିଷ୍ପତ୍ତି ନେବାକୁ ବାଧ୍ୟ କରିପାରେ । ତେଣୁ ଜଣେ ଏକୁଟିଆ ରହୁଥିବା ମହିଳା ବା ଅବିବାହିତା ମହିଳା, କେବଳ ସେ ବିବାହ କରିନାହାନ୍ତି ବୋଲି, ତାଙ୍କୁ ସେହି ସୁବିଧା ପ୍ରଦାନରୁ ବଞ୍ଚିତ କରିବା ଅର୍ଥ ସମ୍ୱିଧାନର ଅନୁଚ୍ଛେଦ ୧୪ରେ ପ୍ରଦାନ କରାଯାଇଥିବା ସମାନତାର ଅଧିକାରରୁ ବଞ୍ଚିତ କରି ତାଙ୍କ ପ୍ରତି ପକ୍ଷପାତିତା କରିବା । ୨୦୨୧ରେ ଗର୍ଭପାତ ଆଇନରେ ହୋଇଥିବା ସଂଶୋଧନର ନଥିପତ୍ରରୁ ପ୍ରତୀତ ହୁଏ ଯେ ସଂସଦ ବିବାହିତା ଓ ଅବିବାହିତା ମହିଳାଙ୍କ ମଧ୍ୟରେ ବାଛବିଚାର କରିବା ସପକ୍ଷରେ ଆଦୌ ନ ଥିଲା ବୋଲି କୋର୍ଟଙ୍କ ଧାରଣା । କୋର୍ଟଙ୍କ ମତରେ “ଅନୁଚ୍ଛେଦ ୨୧ (ଜୀବନ ଧାରଣର ଅଧିକାର)ରେ ଥିବା ପ୍ରଜନନ ସ୍ୱାୟତ୍ତତା, ମର୍ଯ୍ୟାଦା ଓ ଗୋପନୀୟତାର ଅଧିକାର ଜଣେ ବିବାହିତା ମହିଳାକୁ ସନ୍ତାନ ଧାରଣ କରିବା ବା ନ କରିବାର ନିର୍ଣ୍ଣୟ ନେବା ଲାଗି ଯେତିକି ଅଧିକାର ଦେଉଛି ଜଣେ ଅବିବାହିତା ମହିଳାକୁ ମଧ୍ୟ ଠିକ୍ ସେତିକି ଅଧିକାର ଦେଉଛି । ” ତେଣୁ ବିବାହିତା ଓ ଅବିବାହିତା ମହିଳାଙ୍କ ମଧ୍ୟରେ ‘କୃତ୍ରିମ ପାର୍ଥକ୍ୟ’ ଆଦୌ ଗ୍ରହଣୀୟ ହୋଇ ନ ପାରେ । ଅଧିକନ୍ତୁ ମହିଳାର ସଂଜ୍ଞାକୁ ବିସ୍ତାର କରି ସେଥିରେ ଜନ୍ମରୁ ଝିଅ ହୋଇ ନ ଥିବା ଟ୍ରାନ୍ସଜେଣ୍ଡରମାନଙ୍କୁ ସାମିଲ କରି ଅଦାଲତ ସେମାନଙ୍କ ଗର୍ଭପାତର ଅଧିକାରକୁ ମଧ୍ୟ ସ୍ୱୀକୃତି ପ୍ରଦାନ କରିଛନ୍ତି ।

ସୁପ୍ରିମକୋର୍ଟ ତାଙ୍କ ସୁଦୀର୍ଘ ରାୟରେ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋକପାତ କରିଛନ୍ତି । ୧୯୭୧ରେ ଏମଟିପି ଆଇନ ପ୍ରଣୟନ ବେଳେ ଏହା କେବଳ ବିବାହିତା ମହିଳାଙ୍କୁ ଆଖି ଆଗରେ ରଖି କରାଯାଇଥିଲା । ସେତେବେଳେ ସାମାଜିକ ମାନଦଣ୍ଡ ଓ ଆଚାରବିଚାର ଯାହା ଥିଲା ଏଇ ପଚାଶ ବର୍ଷ ଭିତରେ ସେଥିରେ ଯଥେଷ୍ଟ ପରିବର୍ତ୍ତନ ହୋଇସାରିଲାଣି । ସେତେବେଳେ ବୈବାହିକ ସମ୍ପର୍କ ବାହାରେ ଯୌନସମ୍ପର୍କକୁ ସାମାଜିକ ମାନ୍ୟତା ମିଳୁ ନ ଥିଲା । ଏବେ ପୁରଷ ଓ ମହିଳାମାନେ ବିବାହ ବନ୍ଧନରେ ଆବଦ୍ଧ ନ ହୋଇ ଲିଭ-ଇନ ରିଲେସନରେ ରହିବା କ୍ରମଶଃ ଏକ ସାଧାରଣ ଘଟଣାରେ ପରିଣତ ହେଲାଣି । ତେଣୁ ସଙ୍କୁଚିତ ପୁରୁଷତାନ୍ତ୍ରିକ ନିୟମାନୁସାରେ ‘ଅନୁମୋଦିତ ଯୌନସମ୍ପର୍କ’ର ସଂଜ୍ଞା ନିରୂପିତ ହୋଇ ଆଇନରେ ପରିଣତ  ହୋଇପାରିବ ନାହିଁ । ଆଇନର ତର୍ଜମା କଲା ବେଳେ ସାମାଜିକ ମାନଦଣ୍ଡରେ ପରିବର୍ତ୍ତନକୁ ଧ୍ୟାନରେ ରଖାଯିବା ଦରକାର ବୋଲି କୋର୍ଟଙ୍କ ମତ । ବୈବାହିକ ଦୁଷ୍କର୍ମ (ମେରିଟାଲ ରେପ୍)ର ବାସ୍ତବତାକୁ ଗ୍ରହଣ କରି କୋର୍ଟ ରାୟ ଦେଇଛନ୍ତି ଯେ ସ୍ୱାମୀ ବଳପ୍ରୟୋଗ କରି ଯୌନସମ୍ପର୍କ ସ୍ଥାପନ କଲେ ବିବାହିତା ମହିଳାଙ୍କର ଗର୍ଭପାତର ଅଧିକାର ରହିବ । ଏହି ରାୟରେ ମହିଳାଙ୍କ ନିଜସ୍ୱ ନିର୍ଣ୍ଣୟକୁ ସର୍ବାଧିକ ଗୁରତ୍ୱ ଦିଆଯାଉଥିବାରୁ  ପ୍ରଜନନ ଅଧିକାରରେ ଗର୍ଭନିରୋଧ ଓ ଯୌନ ସ୍ୱାସ୍ଥ୍ୟ ସଂକ୍ରାନ୍ତୀୟ ଶିକ୍ଷା ଓ ତଥ୍ୟ ହାସଲର ଅଧିକାରକୁ ବି ରେଖାଙ୍କିତ କରାଯାଇଛି । ଦୁଷ୍କର୍ମ ଜନିତ ଗର୍ଭପାତ ପାଇଁ ମହିଳାଙ୍କୁ ତାଙ୍କ ପ୍ରତି ଯୌନ ଆକ୍ରମଣ, ଦୁଷ୍କର୍ମ ବା ବ୍ୟଭିଚାର ହୋଇଛି ବୋଲି ପ୍ରମାଣିତ କରିବାକୁ ପଡିବନାହିଁ । ଜନସାଧାରଣଙ୍କୁ ସୁରକ୍ଷିତ ଯୌନାଚାର ସମ୍ପର୍କରେ ଶିକ୍ଷିତ କରିବାର ଦାୟିତ୍ୱ ମଧ୍ୟ ସରକାରଙ୍କର ବୋଲି କୋର୍ଟ ମତ ଦେଇଛନ୍ତି ।  

ଆମେରିକା ଭଳି ଏକ ବିକଶିତ ଦେଶରେ ସେଠାକାର ସୁପ୍ରିମକୋର୍ଟ ମାତ୍ର ୩ ମାସ ତଳେ ଜୁନ ୨୦୨୨ରେ ମହିଳାଙ୍କ ଗର୍ଭପାତ ଅଧିକାରକୁ ଅଗ୍ରାହ୍ୟ କରି ଏକ ପଶ୍ଚାତମୁଖୀ ରାୟ ପ୍ରଦାନ କରିଛନ୍ତି । ଅନ୍ୟ ପକ୍ଷରେ ଭାରତ ଭଳି ଏକ ରୁଢିବାଦୀ ସମାଜରେ ସୁପ୍ରିମକୋର୍ଟଙ୍କ ଏହି ଉଦାରବାଦୀ ରାୟଟି ବିଭିନ୍ନ ଦୃଷ୍ଟିରୁ ବିଶ୍ୱର ଅନେକ ଦେଶଙ୍କ ପାଇଁ  ପଥ ପ୍ରଦର୍ଶକ ସାବ୍ୟସ୍ତ ହୋଇପାରେ । ଏ ସଂକ୍ରାନ୍ତୀୟ ଆମେରିକାର ସୁପ୍ରିମକୋର୍ଟଙ୍କ ରାୟ ସମ୍ପର୍କରେ ଜାଣିବା ପୂର୍ବରୁ ସେଠାରେ ମହିଳାଙ୍କ ଗର୍ଭପାତ ଅଧିକାରର ଐତିହାସିକ ପୃଷ୍ଠଭୂମି ଥିବା ‘ରୋ ବନାମ ୱେଡ’ ମାମଲାର ଅବତାରଣା ଆବଶ୍ୟକ । ୧୯୬୯ରେ ଆମେରିକାର ଟେକ୍ସାସ ରାଜ୍ୟର ୨୧ ବର୍ଷୀୟା ଯୁବତୀ ଜେନ ରୋ ତାଙ୍କର ଅବାଞ୍ଛିତ ଗର୍ଭ ନଷ୍ଟ କରିବାକୁ ଚାହିଁଲେ । ସେତେବେଳେ ଟେକ୍ସାସ ସମେତ ଆମେରିକାର ଅଧିକାଂଶ ରାଜ୍ୟରେ ଗର୍ଭପାତ ଅବୈଧ ଥିଲା । ଟେକ୍ସାସ ଆଇନ ଅନୁସାରେ କେବଳ ମହିଳାଙ୍କ ଜୀବନ ରକ୍ଷା ଉଦ୍ଦେଶ୍ୟରେ ଗର୍ଭପାତ ବୈଧ ଥିଲା । ରୋଙ୍କ କ୍ଷେତ୍ରରେ ତାହା ପ୍ରଯୁଜ୍ୟ ହେଉ ନଥିବାରୁ ସେ ବେଆଇନ ଭାବେ ଗର୍ଭପାତ କରିବାର ଅସଫଳ ପ୍ରୟାସ କଲେ । ଫଳରେ ତାଙ୍କୁ ଯେଉଁ ଦୁଇଜଣ ଆଟୋର୍ନିଙ୍କ ସାମନା କରିବାକୁ ପଡିଲା ସେମାନଙ୍କ ମଧ୍ୟରେ ଜଣେ ଥିଲେ ଡିଷ୍ଟ୍ରିକ ଆଟୋର୍ନି ହେନରି ୱେଡ, ଯେ ଟେକ୍ସାସର ଗର୍ଭପାତ ଆଇନକୁ କାର୍ଯ୍ୟକାରୀ କରି ରୋଙ୍କୁ ଦଣ୍ଡିତ କଲେ । ମାମଲାଟି ସୁପ୍ରିମକୋର୍ଟରେ ପହଞ୍ଚିଲା । ଶେଷରେ ଆମେରିକା ସୁପ୍ରିମକୋର୍ଟ ଜାନୁଆରୀ ୨୨, ୧୯୭୩ରେ ଟେକ୍ସାସ ଆଇନକୁ ବାତିଲ କରି ଗର୍ଭପାତକୁ ବୈଧ ବୋଲି ଘୋଷଣା କଲେ । କୋର୍ଟଙ୍କ ଅନୁସାରେ ସମ୍ୱିଧାନର ଚତୁର୍ଦ୍ଦଶ ସଂଶୋଧନ ଅନୁଯାୟୀ ଜଣେ ମହିଳାଙ୍କ ଗୋପନୀୟତାର ଅଧିକାର ରାଜ୍ୟର ଗର୍ଭପାତକୁ ନିଷେଧ କରିବାର ଅଧିକାରକୁ ଅତିକ୍ରମଣ କରିଥାଏ । ୧୯୯୨ରେ ‘ପ୍ଲାନଡ୍ ପ୍ୟାରେଣ୍ଟହୁଡ ବନାମ କ୍ୟାସି’ ମାମଲାରେ ମଧ୍ୟ କୋର୍ଟ ଗର୍ଭପାତ ଅଧିକାର ସପକ୍ଷରେ ରାୟ ଦେଇଥିଲେ । ହେଲେ ଜୁନ ୨୦୨୨ରେ ସୁପ୍ରିମକୋର୍ଟ ଉପରୋକ୍ତ ମାମଲା ଦୁଇଟିର ରାୟକୁ ସମ୍ପୂର୍ଣ୍ଣ ବଦଳାଇ ଦେଇ ମହିଳାଙ୍କ ଅଧିକାରକୁ ଯଥେଷ୍ଟ କାଣ୍ଟଛାଣ୍ଟ କରିଛନ୍ତି । ଏଣିକି ଗର୍ଭପାତ ମହିଳାଙ୍କ ପାଇଁ ଆଉ ଏକ ମୌଳିକ ଅଧିକାର ହୋଇ ରହି ନଥିବାରୁ ଆମେରିକାର ରାଜ୍ୟଗୁଡିକ ଗର୍ଭପାତ ସଂକ୍ରାନ୍ତୀୟ ନିଜ ନିଜ ଆଇନ ପ୍ରଣୟନ କରିବାକୁ ସ୍ୱାଧୀନ । ଗତ ପ୍ରାୟ ଅର୍ଦ୍ଧ ଶତାବ୍ଦୀ ଧରି ଆମେରିକାରେ ମହିଳାମାନେ ଉପଭୋଗ କରିଆସୁଥିବା ଗର୍ଭପାତ ଅଧିକାର ହଠାତ୍ ସେମାନଙ୍କ ନିକଟରୁ ଛଡାଇ ନିଆଯାଇଥିବାରୁ ସେଠାରେ ମହିଳାମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି । ଏପରିକି ଆମେରିକାର ରାଷ୍ଟ୍ରପତି ବାଇଡେନଙ୍କଠାରୁ ଆରମ୍ଭ କରି ଅନେକ ବୁଦ୍ଧିଜୀବୀ ମଧ୍ୟ ସେଠାକାର ସୁପ୍ରିମକୋର୍ଟଙ୍କ ରାୟର କଡା ନିନ୍ଦା କରୁଛନ୍ତି । ପ୍ରାୟ ଏକା ସମୟରେ ଆମେରିକୀୟ ମହିଳାମାନେ ଗର୍ଭପାତର ଅଧିକାର ଭଳି ଏକ ମୌଳିକ ଅଧିକାରକୁ ହରାଇ ବସିଥିବା ବେଳେ ଭାରତୀୟ ମହିଳାମାନଙ୍କ ଏ ସଂକ୍ରାନ୍ତୀୟ ଅଧିକାର ଏଠାକାର ସୁପ୍ରିମକୋର୍ଟଙ୍କ ରାୟ ଯୋଗୁଁ ଆହୁରି ସଶକ୍ତ ହୋଇଛି । ଏଥିରୁ ସ୍ପଷ୍ଟ ଯେ ଭାରତୀୟ ସୁପ୍ରିମକୋର୍ଟ ଗର୍ଭପାତ ଭଳି ଏକ ସମ୍ୱେଦନଶୀଳ ମାମଲାରେ ଏକ ପରିପକ୍ୱ ଦୃଷ୍ଟିକୋଣ ପ୍ରଦର୍ଶନ କରିଛନ୍ତି ।   

ସୁପ୍ରିମକୋର୍ଟଙ୍କ ଏହି ରାୟ ଯୋଗୁଁ, ମହିଳାମାନଙ୍କ ବୈବାହିକ ସ୍ଥିତି ଯାହା ହୋଇଥାଉ ନା କାହିଁକି, ଉଭୟ ବିବାହିତା ଓ ଅବିବାହିତା ମହିଳାମାନେ ସୁରକ୍ଷିତ ଓ ବୈଧ ଗର୍ଭପାତର ଅଧିକାର ପାଇପାରିଲେ । ଉଦବେଗର ବିଷୟ ଯେ ଅସୁରକ୍ଷିତ ଗର୍ଭପାତ ପାଇଁ ପ୍ରତିଦିନ ପ୍ରାୟ ୧୦ ଜଣ ମହିଳାଙ୍କର ଜୀବନ ହାନି ହେଉଛି । ଏକ ଆକଳନ ଅନୁସାରେ ପ୍ରତି ବର୍ଷ ସାରା ବିଶ୍ୱରେ ପ୍ରାୟ ୫.୬ କୋଟି ଗର୍ଭପାତ ହେଉଥିବା ବେଳେ ତନ୍ମଧ୍ୟରୁ କେବଳ ଭାରତରେ ୧.୫୬ କୋଟି ବା ୨୫ ପ୍ରତିଶତରୁ ଅଧିକ ଗର୍ଭପାତ ହେଉଛି । ତେଣୁ ଭାରତରେ ସୁରକ୍ଷିତ ଗର୍ଭପାତର ଆବଶ୍ୟକତା ଯେ କେତେ ବେଶି ତାହା ସହଜରେ ଅନୁମେୟ । ଏହି ରାୟ ପରେ  ଦେଶରେ ଅସୁରକ୍ଷିତ ଗର୍ଭପାତ ଉପରେ ନିୟନ୍ତ୍ରଣ ଲାଗିବାର ସମ୍ଭାବନା ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟକର୍ମୀ ଓ ଆଶା ଦିଦିମାନେ ମହିଳାମାନଙ୍କ ନିକଟରେ ଗର୍ଭପାତର ବୈଧତା ସମ୍ପର୍କିତ ସୂଚନାକୁ ପହଞ୍ଚାଇ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ । ତଦ୍ଦ୍ୱାରା ସେମାନେ ସରକାରୀ ଅନୁମୋଦିତ କେନ୍ଦ୍ରଗୁଡିକରେ ସୁରକ୍ଷିତ ଭାବେ ଗର୍ଭପାତ କରାଇପାରିବେ ଓ ଅବୈଧ ଭାବେ ଚାଲିଥିବା ଅସୁରକ୍ଷିତ ଗର୍ଭପାତ ଉପରେ ରୋକ ଲାଗିପାରିବ । ସୁପ୍ରିମକୋର୍ଟଙ୍କ ରାୟରୁ ଗୋଟିଏ କଥା ସ୍ପଷ୍ଟ ଯେ ଜଣେ ମହିଳାର ଶରୀର ଉପରେ ଏକମାତ୍ର ତା’ର ଅଧିକାର ଥାଏ । ଗର୍ଭପାତ ତା’ ପାଇଁ ଏକ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବା ହୋଇଥିବାରୁ ସେହି ନିଷ୍ପତ୍ତି ନେବା ବା ନ ନେବାର ସ୍ୱାଧୀନତା ବି କେବଳ ତା’ର ହେବା ବାଞ୍ଛନୀୟ ।


Published in Sambad on October 3, 2022

 

Comments

  1. Nice presentation. Very educative.

    ReplyDelete
  2. ମୂଳ ଭୁଲ୍ ରହିଛି ଅବିବାହିତ ସହବାସ ଓ ଗର୍ଭଧାରଣ ପାଇଁ ନିୟମରେ। ଏସବୁ ଆଲୋଚନା ବେଳେ ପ୍ରାୟତଃ ବିଦେଶୀ ସମାଜ ଓ ନ୍ୟାୟିକ ନିଷ୍ପତ୍ତି ଗୁଡିକ ଆଲୋଚନା ହୋଇଥାଏ।ଉଦ୍ଦେଶ୍ୟ ହେଲା ଭାରତକୁ ବିଦେଶ କରିବା। ଅଳ୍ପ ଦିନ ବ୍ୟବଧାନରେ କୋର୍ଟ ପୁଣି କହିଲେ ସ୍ତ୍ରୀ ସ୍ଵାମୀ ର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ,ସେ ଚାହିଁଲେ ଅନ୍ୟ ପୁରୁଷଙ୍କୁ ସହ ସମ୍ପର୍କ ରଖି ପାରିବ।। ଏପଟେ ବୈବାହିକ ରେପ୍ ଶବ୍ଦଟି ଆବିଷ୍କାର କରି ପୁରୁଷର ଅଧିକାର ଆହୁରି ସଂକୁଚିତ କରା ଯାଇଛି । ଏଣୁ ସେ ବର୍ତ୍ତମାନ ସବୁ କଥାରେ may I madam କହିବ। ପୁଣି ଆଇନ ଅଛି ସ୍ୱାମୀର ସବୁ ସମ୍ପତ୍ତିରେ ସ୍ତ୍ରୀର ହିଁ ଅଧିକାର। ପୁରୁଷ ବିବାହ କଲା ମାତ୍ରେ ତାର ପୂର୍ବ ରକ୍ତ ସମ୍ପର୍କ ଗୁଡିକ ଗୈ।ଣ ହୋଇ ଯାଉଛନ୍ତି। ଏ ସବୁ ମିଶି ନାରୀ ପୁରୁଷଙ୍କୁ ସମାନ କରା ଯାଉଛି,ନାଁ ଆଉ କିଛି ମହତ ଉଦ୍ଦେଶ୍ୟ ଅଛି?
    ବିବାହ ପରେ ସ୍ତ୍ରୀର ସମସ୍ତ ଦାୟିତ୍ବ ସ୍ଵାମୀ ର, ଯଦିଓ ସେ ଜାଣୁଥିବ ଯେ ତା ସ୍ତ୍ରୀର ଭିନ୍ନ ପୁରୁଷଙ୍କ ସହ ସମ୍ପର୍କ ଅଛି। ସେମାନେ ସ୍ତ୍ରୀକୁ ସବୁ କିଛି ସ୍ଵାମୀ ଭଳି ଦେବେ ନାହିଁ।
    ସୁନ୍ଦର ଆଲୋଚନା କରିଛ। କିନ୍ତୁ ସବୁ ପ୍ରାସଙ୍ଗିକ କଥା ଉପରେ ଦୃଷ୍ଟି ନାହିଁ।

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ମତୁଆଙ୍କୁ ସାମାଜିକ ବାସନ୍ଦ - ଧର୍ମ ବିଶ୍ୱାସ ପାଇଁ ଉତ୍ପୀଡନ

ନିକଟରେ ମାଲକାନଗିରି ଜିଲ୍ଲାରେ କିଛି ଲୋକଙ୍କ ଭିନ୍ନ ଧର୍ମ ବିଶ୍ୱାସ ପାଇଁ ସେହି ଧର୍ମର କିଛି ଉଚ୍ଚ ଜାତିର ଲୋକଙ୍କ ଦ୍ୱାରା ସେମାନେ ଯେଉଁ ଭଳି ଉତ୍ପୀଡନର ଶିକାର ହେଲେ, ତାହା ମୁଖ୍ୟଧାରାର ଗଣମାଧ୍ୟମ ପାଇଁ ଏକ ଉଲ୍ଲେଖଯୋଗ୍ୟ ବା ଦର୍ଶନଯୋଗ୍ୟ ଖବର ହୋଇ ନ ଥିଲେ ବି ଲୋକଙ୍କ ଧର୍ମ ବିଶ୍ୱାସ ଉପରେ ବିଭିନ୍ନ ସମୟରେ ହେଉଥିବା ଆକ୍ରମଣ କେତେ ଦୂର ଗ୍ରହଣୀୟ ସେ ନେଇ ଏକ ମୌଳିକ ପ୍ରଶ୍ନ ଉତ୍ଥାପନ କରୁଛି । ଏହି ଘଟଣା ଏକ ଉପାନ୍ତ ଅଞ୍ଚଳରେ ସଂଘଟିତ ହୋଇ ସେଥିରେ ମୁଷ୍ଟିମେୟ ଲୋକ ପ୍ରଭାବିତ ହୋଇଥିଲେ ବି ତାହା ଏକ ବୃହତ୍ତର ପ୍ରସଙ୍ଗକୁ ମଝି ମଞ୍ଚରେ ଆଣି ଥୋଇ ଦେଇଛି । ପ୍ରସଙ୍ଗଟିର ଉଚିତ ଅନୁଶୀଳନ ଲାଗି ଘଟଣା ସମ୍ପର୍କରେ ମାଲକାନଗିରିର ଆଦିବାସୀ ସଂଘ ଓ ହେତୁବାଦୀ ଓ ମାନବବାଦୀ ସଙ୍ଗଠନ ଦ୍ୱାରା ନିୟୋଜିତ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ପ୍ରଦାନ କରିଥିବା ବିବରଣୀ ପ୍ରଣିଧାନ ଯୋଗ୍ୟ । ବିବରଣୀ ଅନୁସାରେ ମାଲକାନଗିରିର ଦଣ୍ଡକାରଣ୍ୟ ପ୍ରକଳ୍ପ ଅଧୀନସ୍ଥ ଏମ.ଭି.୭୬ ଗାଁରେ କିଛି ମତୁଆ ସମ୍ପ୍ରଦାୟର ଦଳିତ ପରିବାର ବସବାସ କରି ଆସୁଛନ୍ତି । ଏମାନେ ହିନ୍ଦୁ ଧର୍ମାବଲମ୍ୱୀ ହୋଇଥିଲେ ବି ଏମାନଙ୍କ ଧର୍ମ ବିଶ୍ୱାସ, ପୂଜା ପଦ୍ଧତି, ରୀତିନୀତି ହିନ୍ଦୁ ଧର୍ମର ମୁଖ୍ୟଧାରାର ବ୍ରାହ୍ମଣବାଦୀ ଧର୍ମ ବିଶ୍ୱାସ, ପୂଜା ପଦ୍ଧତି ଇତ୍ୟାଦିଠାରୁ ସମ୍ପୂର୍ଣ୍ଣ ଭିନ୍ନ । ମତୁଆ ସମ୍ପ୍ରଦାୟର ଧର୍ମ ବିଶ୍ୱାସକୁ ଖାରଜ କରି ସେଠାକାର ଉଚ୍ଚ ଜାତିର ଲୋ