Skip to main content

‘ସରପଞ୍ଚ ପତି’ ପ୍ରଥାର ଅନ୍ତ କେବେ ?

ଜାତୀୟ ପଞ୍ଚାୟତି ରାଜ ଦିବସ ଅବସରରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଯୋଗ ଦେଇ ୨୦୧୫ରେ ପ୍ରଧାନମନ୍ତ୍ରୀ ମୋଦି ଜଣେ ରାଜନୈତିକ କର୍ମୀ ତାଙ୍କ ସହ ସାକ୍ଷାତରେ ନିଜକୁ କିପରି ‘ଏସପି’ ବା ‘ସରପଞ୍ଚ ପତି’ ଭାବେ ପରିଚିତ କରାଇଥିଲେ ତା’ର ଏକ ରୋଚକ ଉଦାହରଣ ଦେବା ସହ ସରପଞ୍ଚ ପତିମାନେ ନିର୍ବାଚିତ ମହିଳା ସରପଞ୍ଚଙ୍କ କାର୍ୟ୍ୟ କ୍ଷେତ୍ରରେ ଦଖଲ ଦେଇ ଅବାଞ୍ଛିତ ପ୍ରଭାବ ବିସ୍ତାର କରୁଥିବାରୁ ତୁରନ୍ତ ଏହି ପ୍ରଥାର ଅନ୍ତ ହେବା ଆବଶ୍ୟକ ବୋଲି ଆହ୍ୱାନ ଜଣାଇଥିଲେ । ଇତିମଧ୍ୟରେ ୭ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ବି ଏହି ପ୍ରଥାର ପରିସମାପ୍ତି ହେବା ତ ଦୂରର କଥା ବରଂ ଏହି ନିନ୍ଦିତ ପ୍ରଥାଟିର ଭିନ୍ନ ଭିନ୍ନ କୁତ୍ସିତ ରୂପ ଦେଖିବାକୁ ମିଳୁଛି  । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ସ୍ୱାଧୀନତା ଓ ଗଣତନ୍ତ୍ରର ଉତ୍ସବ ହର୍ଷୋଲ୍ଲାସରେ ପାଳିତ ହେଉଥିବାବେଳେ ବିଜେପି ଶାସିତ ମଧ୍ୟ ପ୍ରଦେଶର ସାଗର, ପନ୍ନା, ଧାର, ରେୱା ଆଦି ଜିଲ୍ଲାମାନଙ୍କରେ ନବଗଠିତ ପଞ୍ଚାୟତ ପାଇଁ ନିର୍ବାଚିତ ମହିଳା ସରପଞ୍ଚମାନଙ୍କ ମଧ୍ୟରୁ ଅନେକେ ନିଜେ ଶପଥ ଗ୍ରହଣ ନ କରି ସେମାନଙ୍କ ବାପା, ଭିଣୋଇ, ସ୍ୱାମୀ, ଶ୍ୱଶୁର ଆଦି ପୁରୁଷ ପ୍ରତିନିଧିମାନେ ଶପଥ ଗ୍ରହଣ କରୁଥିବାର ଚିତ୍ରମାନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଗଣତନ୍ତ୍ରର ଏହି ବିକୃତ ରୂପ ଅନେକଙ୍କୁ ଲଜ୍ଜିତ କରିଛି । ଏହି ପ୍ରଥାଟି ମହିଳାମାନଙ୍କ ରାଜନୈତିକ ସଶକ୍ତିକରଣର ବାଟ ଓଗାଳୁଥିବାରୁ ସେ ନେଇ ବିଭିନ୍ନ ସ୍ତରରେ ଗମ୍ଭୀର ଚିନ୍ତନର ଆବଶ୍ୟକତା ଅନୁଭୂତ ହେଉଛି ।

ଜାତିସଂଘ ଦ୍ୱାରା ପ୍ରଣୀତ ସତତ ବିକାଶ ଲକ୍ଷ୍ୟ (ଏସଡିଜି)ରେ ରାଜନୈତିକ ନୀତି ନିର୍ଦ୍ଧାରଣ ଓ ନିଷ୍ପତ୍ତି ଗ୍ରହଣରେ ମହିଳାଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇ ଯେଉଁ ଦୁଇଟି ସୂଚକକୁ ସ୍ଥାନିତ କରାଯାଇଛି ସେଗୁଡିକ ହେଲା ୫.୫.୧(କ) ସୂଚକରେ ଦେଶର ସଂସଦରେ ମହିଳାଙ୍କ ପ୍ରତିନିଧିତ୍ୱ ଓ ୫.୫.୧.(ଖ) ସୂଚକରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାରେ ମହିଳାଙ୍କ ପ୍ରତିନିଧିତ୍ୱ । ସାରା ବିଶ୍ୱରେ ସ୍ଥାନୀୟ ସ୍ୱାୟତ୍ତ ଶାସନରେ ମହିଳାଙ୍କ ପ୍ରତିନିଧିତ୍ୱର ସ୍ଥିତିକୁ ଦର୍ଶାଇ ଜାତିସଂଘର ‘ୟୁଏନ ୱିମେନ’ ଅନୁଷ୍ଠାନ ତରଫରୁ ଡିସେମ୍ୱର ୨୦୨୧ରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ବିଶ୍ୱର ଏହି ତଥ୍ୟ ଉପଲବ୍ଧ ୧୩୩ଟି ଦେଶରେ ଥିବା ପ୍ରାୟ ୬୦ ଲକ୍ଷ ନିର୍ବାଚିତ ସଦସ୍ୟଙ୍କ ମଧ୍ୟରୁ ୨୨ ଲକ୍ଷ ବା ପ୍ରାୟ ୩୬ ପ୍ରତିଶତ ମହିଳା ସଦସ୍ୟ ଅଟନ୍ତି । ଏହି ଦେଶଗୁଡିକ ମଧ୍ୟରୁ ୨୦ଟି ଦେଶରେ ମହିଳାଙ୍କ ପ୍ରତିନିଧିତ୍ୱ ୪୦ ପ୍ରତିଶତରୁ ଅଧିକ ହୋଇଛି । ୪୪ ପ୍ରତିଶତ ପ୍ରତିନିଧିତ୍ୱ ସହ ଭାରତ ସେହି ତାଲିକାର ଦ୍ୱାଦଶ ସ୍ଥାନରେ ରହିବା ଗର୍ବର ବିଷୟ କାରଣ ଏ କ୍ଷେତ୍ରରେ ଭାରତ ଅଧିକାଂଶ ବିକଶିତ ଦେଶଙ୍କଠାରୁ ଯଥେଷ୍ଟ ଆଗରେ ରହିଛି । ପ୍ରାୟ ୬୭ ପ୍ରତିଶତ ମହିଳା ପ୍ରତିନିଧିତ୍ୱ ସହ ଆଣ୍ଟିଗୁଆ ଓ ବାର୍ବୁଡା ସର୍ବୋଚ୍ଚ ସ୍ଥାନରେ ରହିଛି ।  ବିଭିନ୍ନ ଦେଶରେ ମହିଳାଙ୍କ ପ୍ରତିନିଧିତ୍ୱ କ୍ରମଶଃ ବୃଦ୍ଧି ପାଇବାରେ ଲାଗିବାର ପ୍ରମୁଖ ଦୁଇଟି କାରଣ ମଧ୍ୟରୁ କେତେକ ଦେଶରେ ଆଇନ ପ୍ରଣୟନ ମାଧ୍ୟମରେ ଓ ଅନ୍ୟ କେତେକ ଦେଶରେ ନିର୍ବାଚନୀ ପ୍ରକ୍ରିୟା ମାଧ୍ୟମରେ ମହିଳାଙ୍କ ପ୍ରତିନିଧିତ୍ୱକୁ ପୁରୁଷଙ୍କ ସମତୁଲ କରିବାକୁ ଚେଷ୍ଟା କରାଯାଉଛି ।

୧୯୯୨ରେ ହୋଇଥିବା ୭୩ତମ ସମ୍ୱିଧାନ ସଂଶୋଧନରେ ମହିଳାଙ୍କ ପାଇଁ ଏକ-ତୃତୀୟାଂଶ ଆସନ ସଂରକ୍ଷଣର ପ୍ରାବଧାନ ପରେ ଭାରତର ଗ୍ରାମାଞ୍ଚଳର ସ୍ୱାୟତ୍ତ ଶାସନ ଅନୁଷ୍ଠାନଗୁଡିକରେ ମହିଳାଙ୍କ ପ୍ରତିନିଧିତ୍ୱ ବୃଦ୍ଧି ପାଇବାକୁ ଲାଗିଲା । ୨୦୦୯ରେ ହୋଇଥିବା ୧୧୦ତମ ସମ୍ୱିଧାନ ସଂଶୋଧନରେ ଏହି ଆରକ୍ଷଣକୁ ୫୦ ପ୍ରତିଶତକୁ ବଢାଇଦିଆଯାଇଛି । ବର୍ତ୍ତମାନ ଓଡିଶା ସମେତ ଦେଶର ୨୦ଟି ରାଜ୍ୟରେ ମହିଳାମାନଙ୍କ ପାଇଁ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ୫୦ ପ୍ରତିଶତ ଆସନ ଆରକ୍ଷଣ ହୋଇ ରହିଛି । ୨୦୦୩ରେ ‘ମାସାଚୁସେଟ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି’ ଦ୍ୱାରା ହୋଇଥିବା ଏକ ଅଧ୍ୟୟନ ଅନୁସାରେ ପ୍ରାୟ ୪୩ ପ୍ରତିଶତ ନିର୍ବାଚିତ ମହିଳା ପ୍ରତିନିଧିଙ୍କୁ ସେମାନଙ୍କ ସ୍ୱାମୀ କାର୍ୟ୍ୟରେ ସହାୟତା କରୁଥିବାର ଜଣାପଡିଥିଲା । ପରିବାର ସଦସ୍ୟମାନେ କାର୍ୟ୍ୟରେ ସହଯୋଗ କରିବା ସ୍ୱାଗତଯୋଗ୍ୟ ହୋଇଥିଲେ ବି ନିଜେ କ୍ଷମତା ଉପଭୋଗ କରିବାର ଲାଳସା ରଖି ଏହା କରୁଥିଲେ ତାହା ଆଦୌ ଗ୍ରହଣୀୟ ନୁହେଁ । ଏମିତି ଅନେକ ଉଦାହରଣ ଦେଖିବାକୁ ମିଳୁଛି ଯେଉଁଠି ମହିଳାଙ୍କ ପାଇଁ ଆରକ୍ଷିତ ଆସନରେ ଲଢିବା ପାଇଁ ପରିବାରର ବୋହୂକୁ ତ ବାଧ୍ୟ କରାଯାଉଛି ହେଲେ ନିର୍ବାଚିତ ହେବା ପରେ କର୍ତ୍ତବ୍ୟ ନିର୍ବହଣ ଲାଗି ଆବଶ୍ୟକ ହେଉଥିବା ଲୋକଙ୍କ ସହିତ ବା ଅଧିକାରୀମାନଙ୍କ ସହ କଥାବାର୍ତ୍ତା କରିବାକୁ ବି ଅନୁମତି ଦିଆଯାଉନାହିଁ । ପୁରୁଷଙ୍କ ଦ୍ୱାରା ଏହି କ୍ଷମତା ଦଖଲର ଭିନ୍ନ ଭିନ୍ନ ସ୍ୱରୂପ ଦେଖିବାକୁ ମିଳୁଛି । ମଧ୍ୟପ୍ରଦେଶର ରତଲାମଠାରେ ଜଣେ ବ୍ୟକ୍ତି ଜଣେ ମହିଳାଙ୍କ ନିର୍ବାଚନର ସମସ୍ତ ଖର୍ଚ୍ଚ ବହନ କରିଥିବାରୁ ନିର୍ବାଚିତ ମହିଳାଙ୍କ କ୍ଷମତାକୁ ଉପଭୋଗ କରିବାକୁ ନିଜର ଅଧିକାର ବୋଲି ଧରି ନେଇଥିଲେ । ସେହିପରି ଛତିଶଗଡର ଦୁର୍ଗ ଜିଲ୍ଲାର ଜଣେ ମହିଳା ସରପଞ୍ଚ ଜୁଡିସିଆଲ ଷ୍ଟାମ୍ପ ପେପରରେ ‘ପାୱାର ଅଫ ଆଟୋର୍ନି’ ଜରିଆରେ ତାଙ୍କ କ୍ଷମତା ହସ୍ତାନ୍ତର କରିଥିବାର ଏକ ଘଟଣା ମଧ୍ୟ ସାମନାକୁ ଆସିଥିଲା । ତେବେ ଏହି ‘ସରପଞ୍ଚ-ପତି’ମାନେ ନିଜକୁ ‘ସମାଜସେବୀ’ ବୋଲି ପରିଚିତ  କରାଉଥିବା ଦେଖିବାକୁ ମିଳିଥାଏ ।    

ମହିଳା ସରପଞ୍ଚଙ୍କ ସ୍ଥାନରେ ତାଙ୍କ ବାପା, ଭାଇ, ସ୍ୱାମୀ, ଶ୍ୱଶୁର, ପୁଅ ଆଦି ପୁରୁଷ ସଦସ୍ୟମାନେ ପ୍ରତିନିଧି ରୂପେ ସରକାରୀ ମିଟିଂ ଓ କାର୍ୟ୍ୟକ୍ରମରେ ଯୋଗ ଦେବା ଏକ ସାଧାରଣ ଘଟଣା । ତେବେ ନିକଟରେ ପଞ୍ଜାବ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ କ୍ରମରେ ସରକାରୀ କାର୍ୟ୍ୟକ୍ରମଗୁଡିକରେ ପଞ୍ଚାୟତିରାଜ ଅନୁଷ୍ଠାନର ନିର୍ବାଚିତ ମହିଳା ପ୍ରତିନିଧିମାନଙ୍କ ଯୋଗଦାନକୁ ଯେ କେବଳ ଅନିବାର୍ୟ୍ୟ କରିଛନ୍ତି ତାହା ନୁହେଁ, ବରଂ ତାଙ୍କ ସ୍ଥାନରେ ତାଙ୍କର କୌଣସି ପୁରୁଷ ପ୍ରତିନିଧି ଅଂଶଗ୍ରହଣ କରିବାକୁ ଦଣ୍ଡନୀୟ କରାଯାଇଛି । ଅବଶ୍ୟ ଏଥି ପୂର୍ବରୁ ୨୦୨୦ରେ ରାଜସ୍ଥାନ ସରକାର ମଧ୍ୟ ଏକ ଅନୁରୂପ ଆଇନ ପ୍ରଣୟନ କରିଥିଲେ ।  ‘ଏନସିଏଇଆର’ ସଂସ୍ଥା ଦ୍ୱାରା ୨୦୧୦ରେ ଆୟୋଜିତ ଏକ ଅଧ୍ୟୟନରେ ମହିଳା ସରପଞ୍ଚ ଥିବା ପଞ୍ଚାୟତଗୁଡିକରେ ମହିଳାଙ୍କ ଭାଗିଦାରୀ ବୃଦ୍ଧି ପାଉଥିବା ଓ ମହିଳା ସମସ୍ୟା ସମ୍ପର୍କିତ ନୀତି ଅଧିକ ଧ୍ୟାନ ଆକର୍ଷଣ କରୁଥିବା ପରିଲକ୍ଷିତ ହୋଇଥିବା ବିଷୟରେ ଦର୍ଶାଯାଇଛି । ଅଧିକନ୍ତୁ, ଯେଉଁ ପଞ୍ଚାୟତଗୁଡିକରେ ମହିଳାମାନେ ସିଧାସଳଖ ଦାୟିତ୍ୱ ନିର୍ବାହ କରନ୍ତି ସେଠାରେ ସ୍କୁଲ ଶିକ୍ଷା, ସ୍ୱାସ୍ଥ୍ୟସେବା, ପରିମଳ, ପାନୀୟ ଜଳ ଯୋଗାଣ ଆଦି କ୍ଷେତ୍ରରେ ବିକାଶ ଗୁରୁତ୍ୱ ପାଉଥିବା ଦେଖାଯାଉଛି । ‘ଆପ୍’ ଦଳର ରାଜନୀତି ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଯୋଗାଣ ଆଦି ମୌଳିକ ସମସ୍ୟା ଉପରେ ଗୁରୁତ୍ୱ ଦେଉଥିବାରୁ ମହିଳାମାନଙ୍କୁ ପ୍ରକୃତ ଅର୍ଥରେ ପଞ୍ଚାୟତିରାଜ ବ୍ୟବସ୍ଥାରେ ସଶକ୍ତ କରିବା ଲାଗି ପଞ୍ଜାବ ସରକାରଙ୍କ ତତ୍ପରତା ପ୍ରକାଶ ପାଇବା ସ୍ୱାଭାବିକ ।

ମହିଳାଙ୍କ ପ୍ରତ୍ୟକ୍ଷ ଅଂଶଗ୍ରହଣ ସୁନିଶ୍ଚିତ କରିବା ପାଇଁ କେବଳ ଦଣ୍ଡର ପ୍ରାବଧାନ କରି ଆଇନ ପ୍ରଣୟନ କରିଦେଲେ ଯଥେଷ୍ଟ ହେବନାହିଁ । ପରିବାରର ପୁରୁଷ ସଦସ୍ୟଙ୍କ ହସ୍ତକ୍ଷେପ ନ ଥାଇ ମଧ୍ୟ କେତେକ କ୍ଷେତ୍ରରେ ମହିଳା ସରପଞ୍ଚମାନେ ପ୍ରଭାବୀ ହୋଇପାରି ନଥାଆନ୍ତି । ପଞ୍ଚାୟତର ନିୟମ ଓ କାର୍ୟ୍ୟଶୈଳୀ ସମ୍ପର୍କରେ ଜ୍ଞାନର ଅଭାବ, ପଞ୍ଚାୟତ ସମ୍ପାଦକଙ୍କ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ଅଯଥା ହସ୍ତକ୍ଷେପ ଆଦି ମଧ୍ୟ ସେମାନଙ୍କ କାର୍ୟ୍ୟ ସମ୍ପାଦନରେ ବାଧକ ସାଜିଥାଏ । ସେଥିପାଇଁ ସେମାନଙ୍କୁ ନିୟମିତ ଭାବେ ଉପଯୁକ୍ତ ତାଲିମ ପ୍ରଦାନ କରି ସେମାନଙ୍କୁ ସଚେତନ କରିବା ସହିତ ସେମାନଙ୍କ ଦକ୍ଷତା ବୃଦ୍ଧିର ଆବଶ୍ୟକତା ରହିଛି । ସ୍ଥଳ ବିଶେଷରେ ପ୍ରଥମ ଥର ନିର୍ବାଚିତ ହୋଇଥିବା ମହିଳା ସରପଞ୍ଚମାନେ କ୍ଷମତାର ଶୀର୍ଷରେ ଥାଇ ନିଜକୁ ଏକୁଟିଆ ଅନୁଭବ କରନ୍ତି । ଏ ଭଳି ସରପଞ୍ଚଙ୍କୁ ଉଚିତ ପରାମର୍ଶ ଦେଇ ଉତ୍ସାହିତ ଓ ସାହସ ପ୍ରଦାନ କରିବା ଲାଗି କିଛି ଅଭିଜ୍ଞତାସମ୍ପନ୍ନ ମହିଳା ରାଜନୀତିଜ୍ଞଙ୍କୁ ନେଇ ସହାୟତା ପ୍ରଦାନକାରୀ ସମୂହମାନ ଗଠନ କରାଯିବା ଆବଶ୍ୟକ । କାର୍ୟ୍ୟକ୍ଷେତ୍ରରେ ଦୁର୍ବଳ ମହିଳା ସରପଞ୍ଚମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ହାତ ଧରି ଆଗେଇ ନେବା (ହ୍ୟାଣ୍ଡହୋଲଡିଂ) ପାଇଁ କାର୍ୟ୍ୟକ୍ରମମାନ ପ୍ରସ୍ତୁତ ହେବା ଆବଶ୍ୟକ । ପଞ୍ଚାୟତକୁ ଯେଉଁ ବିପୁଳ ପରିମାଣର ଆର୍ଥିକ ସହାୟତା ମିଳୁଛି, ତା’ର ସୁପରିଚାଳନା ପାଇଁ ମହିଳା ସରପଞ୍ଚମାନଙ୍କ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ । ନ ହେଲେ ତାହା ବ୍ୟାପକ ଦୁର୍ନୀତିକୁ ପ୍ରଶ୍ରୟ ଦେବ ।     

ଗତ ୩୦ ବର୍ଷ ମଧ୍ୟରେ ମହିଳାଙ୍କ ସଶକ୍ତିକରଣ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଦେଖାଦେଇଛି; ହେଲେ ତାହା ମନ୍ଥର । କର୍ପୋରେଟ ଚାକିରୀ ଛାଡି ରାଜସ୍ଥାନର ସୋଦା ପଞ୍ଚାୟତର ସରପଞ୍ଚ ହୋଇଥିବା ଛବି ରଜାୱତ ହୁଅନ୍ତୁ ଅଥବା ହରିଆଣାର ସୁଷମା ଭୋଦୁ, ଗୁଜରାଟର ମୀନା ବେହନ, ମଧ୍ୟ ପ୍ରଦେଶର ବନ୍ଦନା ବାହାଦୁର ମୈଦା, ଓଡିଶାର ଧନୁକାପଡା ଗାଁର ଆରତୀ ଦେବୀ, ତେଲେଙ୍ଗାନାର ଅତରାମ ପଦ୍ମା ବାଈ, ମଧ୍ୟ ପ୍ରଦେଶର ଭକ୍ତି ଶର୍ମା, ରାଜସ୍ଥାନର ରାଧା ଦେବୀ, ଗୁଜରାଟର ହୀନା ପଟେଲ, ରାଜସ୍ଥାନର ନୌରତି ଦେବୀ ପ୍ରମୁଖ ହୁଅନ୍ତୁ, ଏମାନେ ସମସ୍ତେ ନିଜ ନିଜ ଅଞ୍ଚଳରେ ଦୃଷ୍ଟାନ୍ତମୂଳକ କାର୍ୟ୍ୟମାନ କରି ସରପଞ୍ଚ ଭାବେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ସମର୍ଥ ହୋଇଛନ୍ତି । ଅବଶ୍ୟ ଏମାନଙ୍କ ମଧ୍ୟରୁ ଅଧିକାଂଶ ଶିକ୍ଷିତ ବା ଉଚ୍ଚଶିକ୍ଷିତ । ତେବେ ସାଧାରଣ ପରିବାରର ମହିଳାମାନେ ବି ନିଜ ନିଜ କ୍ଷେତ୍ରରେ ଦୃଷ୍ଟାନ୍ତମୂଳକ କାର୍ୟ୍ୟ କରିଥିବା ଦେଖିବାକୁ ମିଳେ । ଏହିଭଳି ମହିଳା ସରପଞ୍ଚଙ୍କ ସଫଳତାର କାହାଣୀ ଯେତେ ଅଧିକ ହେବ ମହିଳାଙ୍କ ରାଜନୈତିକ ସଶକ୍ତିକରଣ ପ୍ରକ୍ରିୟା ସେତେ ତ୍ୱରାନ୍ୱିତ ହେବ ।   

‘ସରପଞ୍ଚ-ପତି’ ପ୍ରଥାଟି କେବଳ ଯେ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସୀମିତ, ତାହା ନୁହେଁ । ସହରାଞ୍ଚଳର ପୌରାନୁଷ୍ଠାନଗୁଡିକରେ ମଧ୍ୟ ଏହି ପ୍ରଥା ବ୍ୟାପକ ଭାବେ ଦୃଶ୍ୟମାନ । କର୍ପୋରେଟର, ୱାର୍ଡ ମେମ୍ୱରଙ୍କଠାରୁ ଆରମ୍ଭ କରି ଚେୟାରମ୍ୟାନଙ୍କ ପର୍ଯ୍ୟନ୍ତ ବିଭିନ୍ନ ପଦପଦବୀ ପାଇଁ ନିର୍ବାଚିତ ମହିଳାଙ୍କ ସ୍ଥାନରେ ତାଙ୍କ ପରିବାରର ପୁରୁଷ ସଦସ୍ୟ ପ୍ରତିନିଧିତ୍ୱ କରୁଥିବା ଦେଖାଯାଏ । ଏପରିକି ସ୍ଥଳ ବିଶେଷରେ ମହିଳା ଏମଏଲଏ ଓ ମନ୍ତ୍ରୀମାନେ ଡମି ଭାବେ ବ୍ୟବହୃତ ହେଉଥିବାର ଦୃଷ୍ଟାନ୍ତ ଦେଖିବାକୁ ମିଳୁଛି । ଅର୍ଥାତ୍ ଆମ ପିତୃତାନ୍ତ୍ରିକ ସମାଜ ବ୍ୟବସ୍ଥା ମହିଳାଙ୍କ ଶାସନ କ୍ଷମତା ଦଖଲକୁ ଗ୍ରହଣ କରି ନ ପାରି ଯେନତେନ ପ୍ରକାରେଣ ତାକୁ ଜାବୁଡି ଧରିବାର ଅପଚେଷ୍ଟା କରୁଛି । ଅନ୍ୟପକ୍ଷରେ ନିଜ ପାରିବାରିକ ଓ ସାମାଜିକ ମର୍ଯ୍ୟାଦାକୁ ଅତୁଟ ରଖିବା ଲାଗି ବା ଅନ୍ୟ କାରଣରୁ ହେଉ ମହିଳାମାନେ ମଧ୍ୟ ନିଜ ଅଧିକାରକୁ ସାବ୍ୟସ୍ତ କରିବା ପରିବର୍ତ୍ତେ ପ୍ରଦତ୍ତ କ୍ଷମତାକୁ ପରିବାରର ପୁରୁଷ ସଦସ୍ୟଙ୍କୁ ହସ୍ତାନ୍ତର କରିବାକୁ ଶ୍ରେୟସ୍କର ମଣୁଛନ୍ତି ।     

ମହିଳାମାନଙ୍କ ଏକ ତୃତୀୟାଂଶ ପ୍ରତିନିଧିତ୍ୱକୁ ସୁନିଶ୍ଚିତ କରି ୩୦ ବର୍ଷ ତଳେ ସମ୍ୱିଧାନ ସଂଶୋଧନ ହୋଇ ଆଇନ ପ୍ରଣୟନ ହୋଇଥିଲେ ମଧ୍ୟ ଆଜି ବି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଅସମର୍ଥ ଅସଂଖ୍ୟ ମହିଳା ସରପଞ୍ଚ ନାମହୀନ ଭାବେ କାହାର ସ୍ତ୍ରୀ ବା କାହାର ବୋହୂ ଭାବେ ପରିଚିତ ହେଉଛନ୍ତି ।  ସରକାରୀ ସ୍ତରରେ ‘ସରପଞ୍ଚ ପତି’ ପ୍ରଥାର ଉଚ୍ଛେଦ ଲାଗି ସେପରି କୌଣସି ଆନ୍ତରିକ ଉଦ୍ୟମ ହେଉ ନଥିବାରୁ ଜନସାଧାରଣ କ୍ରମଶଃ ଏହାକୁ ଏକ ବାସ୍ତବତା ରୂପେ ଗ୍ରହଣ କରିସାରିଲେଣି । ଏହାଦ୍ୱାରା କର୍ମୀମାନଙ୍କୁ ପରୋକ୍ଷରେ ସନ୍ତୁଷ୍ଟ କରି ହେଉଥିବାରୁ ରାଜନୈତିକ ଦଳଗୁଡିକ ଏହି ପ୍ରଥାର ପରିସମାପ୍ତି ପାଇଁ ମୁଖର ହେବେ ବୋଲି ଆଶା କରିବା ବୃଥା । ଫଳରେ ଭାରତୀୟ ଗଣତାନ୍ତ୍ରିକ ବିଧିବ୍ୟବସ୍ଥାରେ ଏହା ଏକ କଳଙ୍କ ସଦୃଶ କାୟାବିସ୍ତାର କରୁଛି । ଏ ଭଳି ‘ଅନୁପସ୍ଥିତ ପ୍ରତିନିଧିତ୍ୱ’ ଯୋଗୁଁ ବିଶ୍ୱ ଦରବାରରେ ଆମ ଗଣତାନ୍ତ୍ରିକ ବ୍ୟବସ୍ଥା ସନ୍ଦେହାସ୍ପଦ ହୋଇପଡୁଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଗୁଡିକ ଏଥିପାଇଁ କଡା ନିୟମ କରି ତାହାର ଅନୁପାଳନ ସୁନିଶ୍ଚିତ କରିବା ଜରୁରୀ । ମହିଳା ସଶକ୍ତିକରଣ ଉପରେ ଓଡିଶା ସରକାର ଗୁରୁତ୍ୱ ପ୍ରଦାନ କରୁଥିବାରୁ ରାଜ୍ୟ ସରକାର ମଧ୍ୟ ଏ ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ଉଚିତ । ଗଣତନ୍ତ୍ରର ଏହି ବିକୃତିକୁ ସ୍ୱାଭାବିକ ବୋଲି ଗ୍ରହଣ କରି ନ ନେଇ ସାମାଜିକ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଏହାର ଲଗାତାର ବିରୋଧ କଲେ ହୁଏତ ‘ସରପଞ୍ଚ-ପତି’ ଭଳି ଏକ କୁପ୍ରଥାର ଅନ୍ତ ହେବାର ବାଟ ଫିଟିବ ଓ ମହିଳାଙ୍କ ରାଜନୈତିକ ସଶକ୍ତିକରଣ ପ୍ରକ୍ରିୟା ତ୍ୱରାନ୍ୱିତ ହେବ । 


Published in Sambad on September 06, 2022

 

Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ମତୁଆଙ୍କୁ ସାମାଜିକ ବାସନ୍ଦ - ଧର୍ମ ବିଶ୍ୱାସ ପାଇଁ ଉତ୍ପୀଡନ

ନିକଟରେ ମାଲକାନଗିରି ଜିଲ୍ଲାରେ କିଛି ଲୋକଙ୍କ ଭିନ୍ନ ଧର୍ମ ବିଶ୍ୱାସ ପାଇଁ ସେହି ଧର୍ମର କିଛି ଉଚ୍ଚ ଜାତିର ଲୋକଙ୍କ ଦ୍ୱାରା ସେମାନେ ଯେଉଁ ଭଳି ଉତ୍ପୀଡନର ଶିକାର ହେଲେ, ତାହା ମୁଖ୍ୟଧାରାର ଗଣମାଧ୍ୟମ ପାଇଁ ଏକ ଉଲ୍ଲେଖଯୋଗ୍ୟ ବା ଦର୍ଶନଯୋଗ୍ୟ ଖବର ହୋଇ ନ ଥିଲେ ବି ଲୋକଙ୍କ ଧର୍ମ ବିଶ୍ୱାସ ଉପରେ ବିଭିନ୍ନ ସମୟରେ ହେଉଥିବା ଆକ୍ରମଣ କେତେ ଦୂର ଗ୍ରହଣୀୟ ସେ ନେଇ ଏକ ମୌଳିକ ପ୍ରଶ୍ନ ଉତ୍ଥାପନ କରୁଛି । ଏହି ଘଟଣା ଏକ ଉପାନ୍ତ ଅଞ୍ଚଳରେ ସଂଘଟିତ ହୋଇ ସେଥିରେ ମୁଷ୍ଟିମେୟ ଲୋକ ପ୍ରଭାବିତ ହୋଇଥିଲେ ବି ତାହା ଏକ ବୃହତ୍ତର ପ୍ରସଙ୍ଗକୁ ମଝି ମଞ୍ଚରେ ଆଣି ଥୋଇ ଦେଇଛି । ପ୍ରସଙ୍ଗଟିର ଉଚିତ ଅନୁଶୀଳନ ଲାଗି ଘଟଣା ସମ୍ପର୍କରେ ମାଲକାନଗିରିର ଆଦିବାସୀ ସଂଘ ଓ ହେତୁବାଦୀ ଓ ମାନବବାଦୀ ସଙ୍ଗଠନ ଦ୍ୱାରା ନିୟୋଜିତ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ପ୍ରଦାନ କରିଥିବା ବିବରଣୀ ପ୍ରଣିଧାନ ଯୋଗ୍ୟ । ବିବରଣୀ ଅନୁସାରେ ମାଲକାନଗିରିର ଦଣ୍ଡକାରଣ୍ୟ ପ୍ରକଳ୍ପ ଅଧୀନସ୍ଥ ଏମ.ଭି.୭୬ ଗାଁରେ କିଛି ମତୁଆ ସମ୍ପ୍ରଦାୟର ଦଳିତ ପରିବାର ବସବାସ କରି ଆସୁଛନ୍ତି । ଏମାନେ ହିନ୍ଦୁ ଧର୍ମାବଲମ୍ୱୀ ହୋଇଥିଲେ ବି ଏମାନଙ୍କ ଧର୍ମ ବିଶ୍ୱାସ, ପୂଜା ପଦ୍ଧତି, ରୀତିନୀତି ହିନ୍ଦୁ ଧର୍ମର ମୁଖ୍ୟଧାରାର ବ୍ରାହ୍ମଣବାଦୀ ଧର୍ମ ବିଶ୍ୱାସ, ପୂଜା ପଦ୍ଧତି ଇତ୍ୟାଦିଠାରୁ ସମ୍ପୂର୍ଣ୍ଣ ଭିନ୍ନ । ମତୁଆ ସମ୍ପ୍ରଦାୟର ଧର୍ମ ବିଶ୍ୱାସକୁ ଖାରଜ କରି ସେଠାକାର ଉଚ୍ଚ ଜାତିର ଲୋ