ଥରେ ମୁନାର ଦେହ
ଖରାପ ହୋଇଥାଏ । ବାପା ତାକୁ ସାଙ୍ଗରେ ନେଇ ଡାକ୍ତରଙ୍କ ପାଖକୁ ଗଲେ । ମୁହଁଟି ତାର ଶୁଖିଲା
ଦିଶୁଥାଏ । ଡାକ୍ତରବାବୁ ମୁନାର ଦେହ ପରୀକ୍ଷା କଲା ପରେ କାଗଜରେ ଔଷଧ ଲେଖିବା ଆରମ୍ଭ କରିବା
ପୂର୍ବରୁ ପ୍ରଥମେ ସେଥିରେ ଗୋଟିଏ ସଙ୍କେତ ଲେଖିଲେ ଯେଉଁଟି ଇଂରାଜୀ ଅକ୍ଷର ‘ଆର’ ଓ ‘ଏକ୍ସ’ ସହ ସାଦୃଶ୍ୟ
ଥିଲା । କୌତୂହଳବଶତଃ ମୁନା ଡାକ୍ତରବାବୁଙ୍କ ନିକଟରୁ ଚିହ୍ନଟି ସମ୍ପର୍କରେ ଜାଣିବାକୁ
ଚାହିଁବାରୁ ଡାକ୍ତରବାବୁ କହିଲେ ଯେ ଏହି ଚିହ୍ନଟି ସୁରକ୍ଷା ବା ଆରୋଗ୍ୟର ପ୍ରତୀକ ହୋଇଥିବାରୁ ପ୍ରତ୍ୟେକ
ଡାକ୍ତର ଔଷଧ ଲେଖିବା ପୂର୍ବରୁ ଏହି ସଙ୍କେତଟିକୁ ଲେଖିଥାଆନ୍ତି । ଏହା ଏକ ଲାଟିନ ଶବ୍ଦରୁ
ଆସିଛି ଯାହାର ଅର୍ଥ ‘ନିଅ’ । ସଙ୍କେତଟି ସମ୍ପର୍କରେ ମୁନାର ଅଧିକ ଜାଣିବାର ଆଗ୍ରହ ଦେଖି ଡାକ୍ତରବାବୁ ସେହି ସଙ୍କେତଟି
ପଛରେ ଥିବା ମିଶରୀୟ ପୁରାଣର ଏକ ମଜାଦାର ଗପ ଶୁଣାଇଲେ ।
‘ହୋରସଙ୍କ ଆଖି’ରୁ ଏହି ସଙ୍କେତଟିର ସୃଷ୍ଟି । ପ୍ରାଚୀନ
ମିଶରରେ ଆକାଶର ଦେବତା ଥିଲେ ହୋରସ । ସେ ବିଭିନ୍ନ ରୂପରେ ପୂଜା ପାଉଥିଲେ ବି ତାଙ୍କୁ ସାଧାରଣତଃ
ବାଜ ପକ୍ଷୀ ଭାବେ ଦର୍ଶା ଯାଉଥିଲା । ଅନ୍ୟ ଏକ ରୂପରେ ତାଙ୍କର ଶରୀର ମଣିଷ ଭଳି ହୋଇଥିଲା ବେଳେ ମୁଣ୍ଡଟି
ବାଜ ପକ୍ଷୀ ପରି ଥିଲା । ତାଙ୍କ ଡାହାଣ ଆଖିଟି ସୂର୍ଯ୍ୟ ହୋଇଥିବା
ବେଳେ ବାମ ଆଖିଟି ଚନ୍ଦ୍ର ବୋଲି ବିଚାର କରା ଯାଇଥାଏ । ଏହି
ଦେବତାଙ୍କ ମୁଣ୍ଡଟିର ଆକାର ଅନେକଟା ଇଂରାଜୀ ଅକ୍ଷର ‘ଆର’ ଭଳି । ପ୍ରକୃତରେ
ଏହି ‘ଆର’ ଏକ ଭାବଲିପି
ଯାହାକୁ ମିଶରୀୟ ହାଇରୋଗ୍ଲିଫ କୁହାଯାଏ । ଏଥିରେ ଏକ ଛବି ବା ସଙ୍କେତ ଜରିଆରେ ଭାବକୁ ପ୍ରକାଶ କରାଯାଇଥାଏ । ହୋରସଙ୍କ
ମାଆଙ୍କ ନାମ ଆଇସିସ, ଯାହାଙ୍କୁ ଉର୍ବରତାର ଦେବୀ ବୋଲି ଗ୍ରହଣ କରାଯାଏ । ଆଉ ତାଙ୍କ ବାପା
ଓସାଇରିସ ଥିଲେ ଶସ୍ୟର ଦେବତା । ମିଶରର ରାଜା ଭାବେ ଓସାଇରିସ ଶାସନ କଲା ବେଳେ ସେଠାରେ ଶାନ୍ତି
ବିରାଜମାନ କରୁଥିଲା । ଅନ୍ୟ ପକ୍ଷରେ ଓସାଇରିସଙ୍କ ଭାଇ ସେଟ୍ ଥିଲେ ଖଳ ପ୍ରକୃତିର ଓ
ତାଙ୍କୁ ଝଡ ଓ ମରୁଭୂମିର ଦେବତା କୁହା ଯାଉଥିଲା । ସେ ହିଂସା ଓ ଅଶାନ୍ତିର ପ୍ରତୀକ ଥିଲେ । କୁହାଯାଏ ଅତୀତରେ ସେଟଙ୍କ ପ୍ରତି
ହୋଇଥିବା ଅନ୍ୟାୟର ପ୍ରତିଶୋଧ ନେବା ପାଇଁ ସେ ଓସାଇରିସଙ୍କ ବିରୁଦ୍ଧରେ ମଉକା ଖୋଜୁଥିଲେ । ଉଭୟଙ୍କ
ମଧ୍ୟରେ ଶତ୍ରୁତା ବଢିବାକୁ ଲାଗିଲା । ମାତୃଗର୍ଭରେ ଥିବା ହୋରସ ଭବିଷ୍ୟତରେ ସେଟଙ୍କ ପ୍ରତି ବିପଦର କାରଣ ହେବେ ବୋଲି ସେଟଙ୍କର
ଆଶଙ୍କା ଥିଲା । ଏ କଥା ମାଆ ଆଇସିସ ଜାଣିଥିବାରୁ ସେ ନିଜକୁ ସେଟଙ୍କଠାରୁ ଲୁଚାଇ ରଖି ଏକ
ନିର୍ଜନ ସ୍ଥାନରେ ହୋରସଙ୍କୁ ଜନ୍ମ ଦେଲେ । ମଉକା ପାଇ ସେଟ୍
ବଡ ଭାଇ ଓସାଇରିସଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲେ ।
ତାଙ୍କ ମୃତ ଦେହକୁ ଖଣ୍ଡ ଖଣ୍ଡ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଫୋପାଡି ଦେଲେ । ଏଥିରେ
ଆଇସିସ ମ୍ରିୟମାଣ ହୋଇ ପଡିଲେ । ଏହା ପରେ ସେଟ୍ ମିଶରର ସିଂହାସନ ଆରୋହଣ କଲେ । ହୋରସଙ୍କ
ପିଲା ଦିନରେ ବିଛା, ସାପ ଆଦିଙ୍କ ଜରିଆରେ ସେଟ୍ ତାଙ୍କୁ ମାରିବା ପାଇଁ ଉଦ୍ୟମ କରିଥିଲେ ।
ପ୍ରତି ଥର ମାଆ ଆଇସିସ ନିଜ ଦୈବୀ ଶକ୍ତିର ପ୍ରୟୋଗ କରି ତାଙ୍କୁ ବଞ୍ଚାଉଥିଲେ । ବେଳେ ବେଳେ
ଅନ୍ୟ ଦେବଦେବୀଙ୍କୁ ଗୁହାରି କରି ପୁଅର ଜୀବନ ରକ୍ଷା କରୁଥିଲେ । ଏମିତି ଭାବେ ହୋରସ ବଡ ହେବାକୁ
ଲାଗିଲେ । ଇଆଡେ ସେଟଙ୍କ ଶାସନରେ ରାଜ୍ୟସାରା ଅଶାନ୍ତି ଲାଗି ରହିଥିଲା ଓ ରାଜ୍ୟବାସୀ
ଅତିଷ୍ଠ ହୋଇ ପଡିଲେ । ବାପାଙ୍କ ହତ୍ୟାର ପ୍ରତିଶୋଧ ନେଇ ମିଶରବାସୀଙ୍କୁ ସୁରକ୍ଷା ପ୍ରଦାନ ସହ
ରାଜ୍ୟରେ ଶାନ୍ତି ଫେରାଇ ଆଣିବା ଲାଗି ଆଇସିସ ପୁଅ ହୋରସକୁ ଆହ୍ୱାନ ଜଣାଇଲେ । ହୋରସ
ଯୁବକ ହେବା ପରେ ମିଶରର ସିଂହାସନକୁ ଦଖଲ କରିବା ପାଇଁ ସେଟଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ ।
ଏହି ଯୁଦ୍ଧ ଦୀର୍ଘ ଦିନ ଧରି ଲାଗି ରହିଲା । ଯୁଦ୍ଧ ଚାଲିଥିଲା ବେଳେ ଥରେ ସେଟ୍ ନିଜ ରୂପ ବଦଳାଇ
ଏକ କଳା ବାରହା ବେଶରେ ଆସି ହୋରସଙ୍କୁ ଆକ୍ରମଣ କଲେ । ତାଙ୍କର ଗୋଟିଏ ଆଖି ତାଡି ନେଇ ତାକୁ ଟିକି
ଟିକି କରି ଦେଲେ । ହୋରସଙ୍କ ନଷ୍ଟ ହୋଇଥିବା ଆଖିଟି ଚନ୍ଦ୍ର ଥିଲେ । ଆଖିଟିକୁ ହରାଇ ହୋରସ ଆଉ
ଯୁଦ୍ଧ ଲଢିବାକୁ ଅସମର୍ଥ ଥିବାରୁ ତାହା ଫେରି ପାଇବା ତାଙ୍କ ଲାଗି ଜରୁରୀ ଥିଲା । ଏ କ୍ଷେତ୍ରରେ
ତାଙ୍କୁ ସାହାଯ୍ୟ କଲେ ସର୍ବ ବିଦ୍ୟାର ଦେବତା ଥୋଥ୍ । ଥୋଥ୍
ସେଟଙ୍କୁ ବୁଝାଇ ହୋରସଙ୍କ ଆଖି ଖଣ୍ଡଗୁଡିକୁ ସଂଗ୍ରହ କରି ସେଗୁଡିକୁ ଯୋଡିବାରେ ସଫଳ ହେଲେ । ତା’ପରେ ଥୋଥ୍ ଅନ୍ୟ ଚଉଦ
ଜଣ ଦେବତାଙ୍କ ସହ ମିଶି ହୋରସଙ୍କ ଆଖି କୋରଡରେ ଚିକିତ୍ସା କଲେ । ପ୍ରତି ଦିନ ଅଳ୍ପ ଅଳ୍ପ ଭଲ ହୋଇ ପନ୍ଦର ଦିନ ପରେ ଆଖିଟି ପୂରା ଭଲ ହୋଇଗଲା ।
ପୂର୍ଣ୍ଣିମା ଦିନ ଜହ୍ନ ଯେଉଁ ପୂର୍ଣ୍ଣ ଉଜ୍ଜ୍ୱଳତା ଫେରି ପାଇଥାଏ, ତାକୁ ହୋରସଙ୍କ ଆଖି ଆରୋଗ୍ୟ
ଲାଭ ସହ ତୁଳନା କରା ଯାଇଥାଏ । ଏହା ପରେ ହୋରସଙ୍କ ଆଖିଟି କ୍ରମଶଃ ଆରୋଗ୍ୟର ପ୍ରତୀକ ହୋଇଗଲା ।
ଶେଷରେ ହୋରସ ଯୁଦ୍ଧରେ ବିଜୟୀ ହୋଇ ମିଶରର ସିଂହାସନ ଆରୋହଣ କଲେ ।
ଗ୍ରୀକ ଚିକିତ୍ସାବିଜ୍ଞାନୀ କ୍ଲଡିଅସ ଗ୍ୟାଲେନ ଏହି ସଙ୍କେତଟିକୁ ଔଷଧ
ଚିଠା ଲେଖାରେ ପ୍ରଥମେ ବ୍ୟବହାର କରିଥିଲେ । ଗ୍ୟାଲେନ ପ୍ରାଚୀନ ରୋମ ସାମ୍ରାଜ୍ୟର ଜଣେ ପ୍ରସିଦ୍ଧ
ଚିକିତ୍ସାବିଜ୍ଞାନୀ ଓ ଦାର୍ଶନିକ ଥିଲେ । ସେ 129
ଖ୍ରୀଷ୍ଟାବ୍ଦରେ ଜନ୍ମ ଗ୍ରହଣ କରି 200 ଖ୍ରୀଷ୍ଟାବ୍ଦରେ ମୃତ୍ୟୁବରଣ କରିଥିଲେ । ସେ ଯେତେବେଳେ
ଆଧୁନିକ ଚିକିତ୍ସା ପଦ୍ଧତି ଅନୁସାରେ ଚିକିତ୍ସା କରିବା ଆରମ୍ଭ କଲେ, ସେତେବେଳେ ଲୋକଙ୍କର ତା’ ଉପରେ ଆଦୌ ଭରସା ନ ଥିଲା । କାରଣ ସେତେବେଳେ ଝଡାଫୁଙ୍କା,
ଗୁଣିଗାରେଡି ମାଧ୍ୟମରେ ହିଁ ରୋଗର ଚିକିତ୍ସା ହେଉଥିଲା । ଏପରିକି ଲୋକମାନେ ଗୁଣିଆଙ୍କ ଦିଆ ଭିନ୍ନ
ଭିନ୍ନ ସଙ୍କେତ ବହନ କରୁଥିବା ପଥରମାନ ପିନ୍ଧିବାକୁ ଆଗ୍ରହ ପ୍ରକାଶ କରୁଥିଲେ । ଲୋକଙ୍କର
ସଙ୍କେତ ପ୍ରତି ଥିବା ଆକର୍ଷଣକୁ ଦେଖି ଗ୍ୟାଲେନ ‘ହୋରସଙ୍କ ଆଖି’ ଚିହ୍ନଟିକୁ ତାଙ୍କ ଔଷଧ ଚିଠାରେ ଲେଖିବା ଆରମ୍ଭ କଲେ । ଔଷଧ ଚିଠାରେ
ହୋରସଙ୍କ ଆଖି ସଙ୍କେତଟି ଥିବାରୁ କ୍ରମେ ଲୋକେ ତାଙ୍କ ନିକଟକୁ ଚିକିତ୍ସା ପାଇଁ ଆସିଲେ ଓ
ଆରୋଗ୍ୟ ଲାଭ କଲେ । ଲୋକଙ୍କର ବିଶ୍ୱାସ ଜନ୍ମିଲା ଯେ ହୋରସଙ୍କ ଆଖି ଆରୋଗ୍ୟର ପ୍ରତୀକ
ହୋଇଥିବାରୁ ଔଷଧ ଚିଠାରେ ଥିବା ହୋରସଙ୍କ ଆଖି ସେମାନଙ୍କୁ ଭଲ କରି ଦେଉଛି । ଲୋକଙ୍କ ଏହି
ବିଶ୍ୱାସକୁ ସମ୍ମାନ ଜଣାଇ ଗ୍ୟାଲେନ ମଧ୍ୟ ତାଙ୍କ ଔଷଧ ଚିଠା ଲେଖାରେ ହୋରସଙ୍କ ଆଖିର
ସଙ୍କେତଟିକୁ ନିୟମିତ ଭାବେ ଲେଖିବା ଜାରି ରଖିଲେ । କାଳକ୍ରମେ ତାହା ଅନ୍ୟ ଡାକ୍ତରଙ୍କ ଦ୍ୱାରା
ଗ୍ରହଣୀୟ ହୋଇ ଆଧୁନିକ ଚିକିତ୍ସା ପଦ୍ଧତିର ଔଷଧ ଚିଠା ଲେଖାର ଏକ ଅଂଶ ବିଶେଷ ହୋଇଗଲା ।
କ୍ଲଡିଅସ ଗ୍ୟାଲେନ ପ୍ରାୟ 500ଟି ବୈଜ୍ଞାନିକ ସନ୍ଦର୍ଭର ରଚନା କରିଥିଲେ,
ଯାହା ତାଙ୍କର ଚିକିତ୍ସା ବିଜ୍ଞାନ ପ୍ରତି ଅବିସ୍ମରଣୀୟ ଅବଦାନ । ଚିକିତ୍ସା ବିଜ୍ଞାନର ଇତିହାସରେ
ହେପୋକ୍ରିଟସଙ୍କ ସହ ତାଙ୍କ ନାମ ମଧ୍ୟ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି ।
ଡାକ୍ତରବାବୁଙ୍କ ଗପଟି ସରିଲା ମାତ୍ରେ ମୁନା ଖୁସିରେ ତାଳି ମାରି
ବସିଥିବା ଜାଗାରୁ ଉଠି ପଡିଲା ଓ ଡିଆଁଟାଏ ମାରି କବାଟ ଆଡକୁ ଯିବାକୁ ଲାଗିବାରୁ ଡାକ୍ତରବାବୁ
ପଛରୁ ଡାକଟାଏ ପକାଇଲେ, “ମୁନା, ଚିଠାଟି ତ ନେଇ କରି ଯାଅ ।“ ପାଖରେ ବସିଥିବା ମୁନାର ବାପା ଡାକ୍ତରବାବୁଙ୍କୁ କହିଲେ, “ବୋଧେ ଆପଣଙ୍କ ଗପ
ଶୁଣି ତା’ ଦେହରେ ବାଜ ପକ୍ଷୀର ଫୁର୍ତ୍ତି ଆସି
ଗଲାଣି ଆଉ ଦେହ ଅଧା ଭଲ ହୋଇଗଲାଣି !”
ଉଭୟେ ଜୋରରେ ହସି ଉଠିଲେ ।
(Published in September 2022 issue of Kunikatha )
ସୁନ୍ଦର ଲୋକ କଥା ସହ ବାର୍ତ୍ତା ଭରା ଗଳ୍ପ ଟିଏ ବହୁତ ଭଲ ଲାଗିଲା
ReplyDeleteପୁଅ ବି ପଢି ସଙ୍କେତ ପଥର କାହାଣୀ ଜାଣି ଖୁସି ହେଲା
ଆନ୍ତରିକ ଧନ୍ୟବାଦ ଓ ଶୁଭେଚ୍ଛା ସାର୍ 🙏
ଅନେକ ଧନ୍ୟବାଦ । ପୁଅକୁ ଆଶୀର୍ବାଦ ।
Delete