Skip to main content

ଡାକ୍ତରଙ୍କ ଚିଠାରେ ହୋରସଙ୍କ ଆଖି

ଥରେ ମୁନାର ଦେହ ଖରାପ ହୋଇଥାଏ । ବାପା ତାକୁ ସାଙ୍ଗରେ ନେଇ ଡାକ୍ତରଙ୍କ ପାଖକୁ ଗଲେ । ମୁହଁଟି ତାର ଶୁଖିଲା ଦିଶୁଥାଏ । ଡାକ୍ତରବାବୁ ମୁନାର ଦେହ ପରୀକ୍ଷା କଲା ପରେ କାଗଜରେ ଔଷଧ ଲେଖିବା ଆରମ୍ଭ କରିବା ପୂର୍ବରୁ ପ୍ରଥମେ ସେଥିରେ ଗୋଟିଏ ସଙ୍କେତ ଲେଖିଲେ ଯେଉଁଟି ଇଂରାଜୀ ଅକ୍ଷର ‘ଆର’ ଓ ‘ଏକ୍ସ’ ସହ ସାଦୃଶ୍ୟ ଥିଲା । କୌତୂହଳବଶତଃ ମୁନା ଡାକ୍ତରବାବୁଙ୍କ ନିକଟରୁ ଚିହ୍ନଟି ସମ୍ପର୍କରେ ଜାଣିବାକୁ ଚାହିଁବାରୁ ଡାକ୍ତରବାବୁ କହିଲେ ଯେ ଏହି ଚିହ୍ନଟି ସୁରକ୍ଷା ବା ଆରୋଗ୍ୟର ପ୍ରତୀକ ହୋଇଥିବାରୁ ପ୍ରତ୍ୟେକ ଡାକ୍ତର ଔଷଧ ଲେଖିବା ପୂର୍ବରୁ ଏହି ସଙ୍କେତଟିକୁ ଲେଖିଥାଆନ୍ତି । ଏହା ଏକ ଲାଟିନ ଶବ୍ଦରୁ ଆସିଛି ଯାହାର ଅର୍ଥ ‘ନିଅ’ । ସଙ୍କେତଟି ସମ୍ପର୍କରେ ମୁନାର ଅଧିକ ଜାଣିବାର ଆଗ୍ରହ ଦେଖି ଡାକ୍ତରବାବୁ ସେହି ସଙ୍କେତଟି ପଛରେ ଥିବା ମିଶରୀୟ ପୁରାଣର ଏକ ମଜାଦାର ଗପ ଶୁଣାଇଲେ ।

‘ହୋରସଙ୍କ ଆଖି’ରୁ ଏହି ସଙ୍କେତଟିର ସୃଷ୍ଟି । ପ୍ରାଚୀନ ମିଶରରେ ଆକାଶର ଦେବତା ଥିଲେ ହୋରସ । ସେ ବିଭିନ୍ନ ରୂପରେ ପୂଜା ପାଉଥିଲେ ବି ତାଙ୍କୁ ସାଧାରଣତଃ ବାଜ ପକ୍ଷୀ ଭାବେ ଦର୍ଶା ଯାଉଥିଲା । ଅନ୍ୟ ଏକ ରୂପରେ ତାଙ୍କର ଶରୀର ମଣିଷ ଭଳି ହୋଇଥିଲା ବେଳେ ମୁଣ୍ଡଟି ବାଜ ପକ୍ଷୀ ପରି ଥିଲା । ତାଙ୍କ ଡାହାଣ ଆଖିଟି ସୂର୍ଯ୍ୟ ହୋଇଥିବା ବେଳେ ବାମ ଆଖିଟି ଚନ୍ଦ୍ର ବୋଲି ବିଚାର କରା ଯାଇଥାଏ । ଏହି ଦେବତାଙ୍କ ମୁଣ୍ଡଟିର ଆକାର ଅନେକଟା ଇଂରାଜୀ ଅକ୍ଷର ‘ଆର’ ଭଳି । ପ୍ରକୃତରେ ଏହି ‘ଆର’ ଏକ ଭାବଲିପି ଯାହାକୁ ମିଶରୀୟ ହାଇରୋଗ୍ଲିଫ କୁହାଯାଏ । ଏଥିରେ ଏକ ଛବି ବା ସଙ୍କେତ ଜରିଆରେ ଭାବକୁ ପ୍ରକାଶ କରାଯାଇଥାଏ । ହୋରସଙ୍କ ମାଆଙ୍କ ନାମ ଆଇସିସ, ଯାହାଙ୍କୁ ଉର୍ବରତାର ଦେବୀ ବୋଲି ଗ୍ରହଣ କରାଯାଏ । ଆଉ ତାଙ୍କ ବାପା ଓସାଇରିସ ଥିଲେ ଶସ୍ୟର ଦେବତା । ମିଶରର ରାଜା ଭାବେ ଓସାଇରିସ ଶାସନ କଲା ବେଳେ ସେଠାରେ ଶାନ୍ତି ବିରାଜମାନ କରୁଥିଲା । ଅନ୍ୟ ପକ୍ଷରେ ଓସାଇରିସଙ୍କ ଭାଇ ସେଟ୍ ଥିଲେ ଖଳ ପ୍ରକୃତିର ଓ ତାଙ୍କୁ ଝଡ ଓ ମରୁଭୂମିର ଦେବତା କୁହା ଯାଉଥିଲା । ସେ ହିଂସା ଓ ଅଶାନ୍ତିର ପ୍ରତୀକ ଥିଲେ । କୁହାଯାଏ ଅତୀତରେ ସେଟଙ୍କ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିଶୋଧ ନେବା ପାଇଁ ସେ ଓସାଇରିସଙ୍କ ବିରୁଦ୍ଧରେ ମଉକା ଖୋଜୁଥିଲେ । ଉଭୟଙ୍କ ମଧ୍ୟରେ ଶତ୍ରୁତା ବଢିବାକୁ ଲାଗିଲା । ମାତୃଗର୍ଭରେ ଥିବା ହୋରସ ଭବିଷ୍ୟତରେ ସେଟଙ୍କ ପ୍ରତି ବିପଦର କାରଣ ହେବେ ବୋଲି ସେଟଙ୍କର ଆଶଙ୍କା ଥିଲା । ଏ କଥା ମାଆ ଆଇସିସ ଜାଣିଥିବାରୁ ସେ ନିଜକୁ ସେଟଙ୍କଠାରୁ ଲୁଚାଇ ରଖି ଏକ ନିର୍ଜନ ସ୍ଥାନରେ ହୋରସଙ୍କୁ ଜନ୍ମ ଦେଲେ । ମଉକା ପାଇ ସେଟ୍ ବଡ ଭାଇ ଓସାଇରିସଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲେ । ତାଙ୍କ ମୃତ ଦେହକୁ ଖଣ୍ଡ ଖଣ୍ଡ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଫୋପାଡି ଦେଲେ । ଏଥିରେ ଆଇସିସ ମ୍ରିୟମାଣ ହୋଇ ପଡିଲେ । ଏହା ପରେ ସେଟ୍ ମିଶରର ସିଂହାସନ ଆରୋହଣ କଲେ । ହୋରସଙ୍କ ପିଲା ଦିନରେ ବିଛା, ସାପ ଆଦିଙ୍କ ଜରିଆରେ ସେଟ୍ ତାଙ୍କୁ ମାରିବା ପାଇଁ ଉଦ୍ୟମ କରିଥିଲେ । ପ୍ରତି ଥର ମାଆ ଆଇସିସ ନିଜ ଦୈବୀ ଶକ୍ତିର ପ୍ରୟୋଗ କରି ତାଙ୍କୁ ବଞ୍ଚାଉଥିଲେ । ବେଳେ ବେଳେ ଅନ୍ୟ ଦେବଦେବୀଙ୍କୁ ଗୁହାରି କରି ପୁଅର ଜୀବନ ରକ୍ଷା କରୁଥିଲେ । ଏମିତି ଭାବେ ହୋରସ ବଡ ହେବାକୁ ଲାଗିଲେ । ଇଆଡେ ସେଟଙ୍କ ଶାସନରେ ରାଜ୍ୟସାରା ଅଶାନ୍ତି ଲାଗି ରହିଥିଲା ଓ ରାଜ୍ୟବାସୀ ଅତିଷ୍ଠ ହୋଇ ପଡିଲେ । ବାପାଙ୍କ ହତ୍ୟାର ପ୍ରତିଶୋଧ ନେଇ ମିଶରବାସୀଙ୍କୁ ସୁରକ୍ଷା ପ୍ରଦାନ ସହ ରାଜ୍ୟରେ ଶାନ୍ତି ଫେରାଇ ଆଣିବା ଲାଗି ଆଇସିସ ପୁଅ ହୋରସକୁ ଆହ୍ୱାନ ଜଣାଇଲେ । ହୋରସ ଯୁବକ ହେବା ପରେ ମିଶରର ସିଂହାସନକୁ ଦଖଲ କରିବା ପାଇଁ ସେଟଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ । ଏହି ଯୁଦ୍ଧ ଦୀର୍ଘ ଦିନ ଧରି ଲାଗି ରହିଲା । ଯୁଦ୍ଧ ଚାଲିଥିଲା ବେଳେ ଥରେ ସେଟ୍ ନିଜ ରୂପ ବଦଳାଇ ଏକ କଳା ବାରହା ବେଶରେ ଆସି ହୋରସଙ୍କୁ ଆକ୍ରମଣ କଲେ । ତାଙ୍କର ଗୋଟିଏ ଆଖି ତାଡି ନେଇ ତାକୁ ଟିକି ଟିକି କରି ଦେଲେ । ହୋରସଙ୍କ ନଷ୍ଟ ହୋଇଥିବା ଆଖିଟି ଚନ୍ଦ୍ର ଥିଲେ । ଆଖିଟିକୁ ହରାଇ ହୋରସ ଆଉ ଯୁଦ୍ଧ ଲଢିବାକୁ ଅସମର୍ଥ ଥିବାରୁ ତାହା ଫେରି ପାଇବା ତାଙ୍କ ଲାଗି ଜରୁରୀ ଥିଲା । ଏ କ୍ଷେତ୍ରରେ ତାଙ୍କୁ ସାହାଯ୍ୟ କଲେ ସର୍ବ ବିଦ୍ୟାର ଦେବତା ଥୋଥ୍ । ଥୋଥ୍ ସେଟଙ୍କୁ ବୁଝାଇ ହୋରସଙ୍କ ଆଖି ଖଣ୍ଡଗୁଡିକୁ ସଂଗ୍ରହ କରି ସେଗୁଡିକୁ ଯୋଡିବାରେ ସଫଳ ହେଲେ । ତା’ପରେ ଥୋଥ୍ ଅନ୍ୟ ଚଉଦ ଜଣ ଦେବତାଙ୍କ ସହ ମିଶି ହୋରସଙ୍କ ଆଖି କୋରଡରେ ଚିକିତ୍ସା କଲେ । ପ୍ରତି ଦିନ ଅଳ୍ପ ଅଳ୍ପ ଭଲ ହୋଇ ପନ୍ଦର ଦିନ ପରେ ଆଖିଟି ପୂରା ଭଲ ହୋଇଗଲା । ପୂର୍ଣ୍ଣିମା ଦିନ ଜହ୍ନ ଯେଉଁ ପୂର୍ଣ୍ଣ ଉଜ୍ଜ୍ୱଳତା ଫେରି ପାଇଥାଏ, ତାକୁ ହୋରସଙ୍କ ଆଖି ଆରୋଗ୍ୟ ଲାଭ ସହ ତୁଳନା କରା ଯାଇଥାଏ । ଏହା ପରେ ହୋରସଙ୍କ ଆଖିଟି କ୍ରମଶଃ ଆରୋଗ୍ୟର ପ୍ରତୀକ ହୋଇଗଲା । ଶେଷରେ ହୋରସ ଯୁଦ୍ଧରେ ବିଜୟୀ ହୋଇ ମିଶରର ସିଂହାସନ ଆରୋହଣ କଲେ ।

ଗ୍ରୀକ ଚିକିତ୍ସାବିଜ୍ଞାନୀ କ୍ଲଡିଅସ ଗ୍ୟାଲେନ ଏହି ସଙ୍କେତଟିକୁ ଔଷଧ ଚିଠା ଲେଖାରେ ପ୍ରଥମେ ବ୍ୟବହାର କରିଥିଲେ । ଗ୍ୟାଲେନ ପ୍ରାଚୀନ ରୋମ ସାମ୍ରାଜ୍ୟର ଜଣେ ପ୍ରସିଦ୍ଧ ଚିକିତ୍ସାବିଜ୍ଞାନୀ ଓ ଦାର୍ଶନିକ ଥିଲେ । ସେ 129 ଖ୍ରୀଷ୍ଟାବ୍ଦରେ ଜନ୍ମ ଗ୍ରହଣ କରି 200 ଖ୍ରୀଷ୍ଟାବ୍ଦରେ ମୃତ୍ୟୁବରଣ କରିଥିଲେ । ସେ ଯେତେବେଳେ ଆଧୁନିକ ଚିକିତ୍ସା ପଦ୍ଧତି ଅନୁସାରେ ଚିକିତ୍ସା କରିବା ଆରମ୍ଭ କଲେ, ସେତେବେଳେ ଲୋକଙ୍କର ତା’ ଉପରେ ଆଦୌ ଭରସା ନ ଥିଲା । କାରଣ ସେତେବେଳେ ଝଡାଫୁଙ୍କା, ଗୁଣିଗାରେଡି ମାଧ୍ୟମରେ ହିଁ ରୋଗର ଚିକିତ୍ସା ହେଉଥିଲା । ଏପରିକି ଲୋକମାନେ ଗୁଣିଆଙ୍କ ଦିଆ ଭିନ୍ନ ଭିନ୍ନ ସଙ୍କେତ ବହନ କରୁଥିବା ପଥରମାନ ପିନ୍ଧିବାକୁ ଆଗ୍ରହ ପ୍ରକାଶ କରୁଥିଲେ । ଲୋକଙ୍କର ସଙ୍କେତ ପ୍ରତି ଥିବା ଆକର୍ଷଣକୁ ଦେଖି ଗ୍ୟାଲେନ ‘ହୋରସଙ୍କ ଆଖି’ ଚିହ୍ନଟିକୁ ତାଙ୍କ ଔଷଧ ଚିଠାରେ ଲେଖିବା ଆରମ୍ଭ କଲେ । ଔଷଧ ଚିଠାରେ ହୋରସଙ୍କ ଆଖି ସଙ୍କେତଟି ଥିବାରୁ କ୍ରମେ ଲୋକେ ତାଙ୍କ ନିକଟକୁ ଚିକିତ୍ସା ପାଇଁ ଆସିଲେ ଓ ଆରୋଗ୍ୟ ଲାଭ କଲେ । ଲୋକଙ୍କର ବିଶ୍ୱାସ ଜନ୍ମିଲା ଯେ ହୋରସଙ୍କ ଆଖି ଆରୋଗ୍ୟର ପ୍ରତୀକ ହୋଇଥିବାରୁ ଔଷଧ ଚିଠାରେ ଥିବା ହୋରସଙ୍କ ଆଖି ସେମାନଙ୍କୁ ଭଲ କରି ଦେଉଛି । ଲୋକଙ୍କ ଏହି ବିଶ୍ୱାସକୁ ସମ୍ମାନ ଜଣାଇ ଗ୍ୟାଲେନ ମଧ୍ୟ ତାଙ୍କ ଔଷଧ ଚିଠା ଲେଖାରେ ହୋରସଙ୍କ ଆଖିର ସଙ୍କେତଟିକୁ ନିୟମିତ ଭାବେ ଲେଖିବା ଜାରି ରଖିଲେ । କାଳକ୍ରମେ ତାହା ଅନ୍ୟ ଡାକ୍ତରଙ୍କ ଦ୍ୱାରା ଗ୍ରହଣୀୟ ହୋଇ ଆଧୁନିକ ଚିକିତ୍ସା ପଦ୍ଧତିର ଔଷଧ ଚିଠା ଲେଖାର ଏକ ଅଂଶ ବିଶେଷ ହୋଇଗଲା ।

କ୍ଲଡିଅସ ଗ୍ୟାଲେନ ପ୍ରାୟ 500ଟି ବୈଜ୍ଞାନିକ ସନ୍ଦର୍ଭର ରଚନା କରିଥିଲେ, ଯାହା ତାଙ୍କର ଚିକିତ୍ସା ବିଜ୍ଞାନ ପ୍ରତି ଅବିସ୍ମରଣୀୟ ଅବଦାନ । ଚିକିତ୍ସା ବିଜ୍ଞାନର ଇତିହାସରେ ହେପୋକ୍ରିଟସଙ୍କ ସହ ତାଙ୍କ ନାମ ମଧ୍ୟ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି ।

ଡାକ୍ତରବାବୁଙ୍କ ଗପଟି ସରିଲା ମାତ୍ରେ ମୁନା ଖୁସିରେ ତାଳି ମାରି ବସିଥିବା ଜାଗାରୁ ଉଠି ପଡିଲା ଓ ଡିଆଁଟାଏ ମାରି କବାଟ ଆଡକୁ ଯିବାକୁ ଲାଗିବାରୁ ଡାକ୍ତରବାବୁ ପଛରୁ ଡାକଟାଏ ପକାଇଲେ, “ମୁନା, ଚିଠାଟି ତ ନେଇ କରି ଯାଅ ।“ ପାଖରେ ବସିଥିବା ମୁନାର ବାପା ଡାକ୍ତରବାବୁଙ୍କୁ କହିଲେ, “ବୋଧେ ଆପଣଙ୍କ ଗପ ଶୁଣି ତା’ ଦେହରେ ବାଜ ପକ୍ଷୀର ଫୁର୍ତ୍ତି ଆସି ଗଲାଣି ଆଉ ଦେହ ଅଧା ଭଲ ହୋଇଗଲାଣି !”

ଉଭୟେ ଜୋରରେ ହସି ଉଠିଲେ । 


(Published in September 2022 issue of Kunikatha )

Comments

  1. ସୁନ୍ଦର ଲୋକ କଥା ସହ ବାର୍ତ୍ତା ଭରା ଗଳ୍ପ ଟିଏ ବହୁତ ଭଲ ଲାଗିଲା
    ପୁଅ ବି ପଢି ସଙ୍କେତ ପଥର କାହାଣୀ ଜାଣି ଖୁସି ହେଲା
    ଆନ୍ତରିକ ଧନ୍ୟବାଦ ଓ ଶୁଭେଚ୍ଛା ସାର୍ 🙏

    ReplyDelete
    Replies
    1. ଅନେକ ଧନ୍ୟବାଦ । ପୁଅକୁ ଆଶୀର୍ବାଦ ।

      Delete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

2024ର ଭଲ ଗପ

  2024 ମସିହାର ଭଲ ଗପ ଏ ପର୍ଯ୍ୟନ୍ତ ପାଠକ ଓ ଲେଖକଙ୍କଠାରୁ ମିଳିଥିବା 2024 ମସିହାରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ପାଠକାଦୃତ ଗପର ସୂଚନା ଦିଆଯାଇଛି । ଗପଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କରିବେ । ଯେ କୌଣସି ପାଠକ, ସମ୍ପାଦକ ବା ଲେଖକ ତାଙ୍କୁ ଭଲ ଲାଗିଥିବା ଯେ କୌଣସି ଗପର ସୂଚନା ପ୍ରଦାନ କରିପାରିବେ । ଗପଗୁଡ଼ିକ ହସ୍ତଗତ ହେଲେ ସେଗୁଡ଼ିକ ମଧ୍ୟ ଏହି ତାଲିକା ଅନ୍ତର୍ଭୁକ୍ତ କରାଯିବ । ଲେଖକମାନେ ଚାହିଁଲେ ସେମାନଙ୍କ ଗପଟିକୁ ବଦଳାଇପାରିବେ । ଯୁବ କଥାକାରମାନେ ସେମାନଙ୍କ ଜନ୍ମ ତାରିଖ ଜଣାଇଲେ ସେମାନଙ୍କ ଗପକୁ ନିର୍ଦ୍ଦିଷ୍ଟ ବର୍ଗରେ ରଖାଯାଇପାରିବ । ଭୁଲ ବର୍ଗରେ ଥିଲେ ଜଣାଇବାକୁ ଅନୁରୋଧ । ଲେଖକଙ୍କ ନାମର ଆଦ୍ୟ ଅକ୍ଷର କ୍ରମରେ ଗପଗୁଡ଼ିକ ସଜ୍ଜିତ ହୋଇଛି । ସରଳ କୁମାର ଦାସ ୯୪୩୭୦ ୩୮୦୧୫ saral_das@yahoo.co.in (କ) ଜାନୁଆରୀ ୧ , ୧ ୯ ୮୦ ପରେ ଜନ୍ମ ଗ୍ରହଣ କରିଥିବା ଯୁବ କଥାକାରଙ୍କ ଗଳ୍ପ କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଞ୍ଜଳି ସାହୁ ଆଖି ସେପଟର ଛବି କଥା କଥା କବିତା କବିତା ପୂଜା ସଂଖ୍ୟା 2 ଆନନ୍ଦ କୁମାର ମାଇତି ଦାମ୍ପତ୍ୟ ଝଙ୍କାର ସେପ୍ଟେମ୍ୱର 3 ଗିରିଜା ଶଙ୍କର ମିଶ୍ର ପ୍ୟାଟରସନରେ ସନ୍ଧ୍ୟା କଥା ଡିସେମ୍ୱର 4 ଘନଶ୍ୟାମ ପଲେଇ ସମ୍ୱର୍ଦ୍ଧନା ପ୍ରଗତିବାଦୀ-ସୃଜନୀ 19 ମେ 5 ଚିନ୍ମୟୀ ଏସ ଦେବପ୍ରିୟା ଆଣ୍ଡ୍ରୟୁଙ୍କ ଡାଏରୀ ପ୍ରଜନ୍...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି...