ଲୋକସଭାରେ କଂଗ୍ରେସ ଦଳର ନେତା ଥିବା ଅଧୀର ରଞ୍ଜନ ଚୌଧୁରୀଙ୍କ ଦ୍ୱାରା ଜୁଲାଇ ୨୮, ୨୦୨୨ରେ ସଂସଦ ବାହାରେ ରାଷ୍ଟ୍ରପତିଙ୍କୁ ‘ରାଷ୍ଟ୍ରପତ୍ନୀ’ ଭାବେ ସମ୍ୱୋଧନ କରିବାକୁ କେନ୍ଦ୍ର କରି ଉଭୟ ସଂସଦ ଭିତରେ ଓ ବାହାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ସେ ଜଣେ ବଙ୍ଗଳାଭାଷୀ ଓ କହୁ କହୁ ଏହା ତାଙ୍କ ପାଟିରୁ ଖସି ଯାଇଥିଲା ବୋଲି ସେ ଦେଇଥିବା ସଫେଇଟି ଗ୍ରହଣୀୟ ହୋଇ ନ ଥିଲା । ଏଥିଲାଗି ତାଙ୍କୁ ରାଷ୍ଟ୍ରପତିଙ୍କଠାରୁ ବ୍ୟକ୍ତିଗତ ଭାବେ କ୍ଷମା ଯାଚନା କରିବାକୁ ହୋଇଥିଲା । ‘ରାଷ୍ଟ୍ରପତ୍ନୀ’ ଶବ୍ଦଟି ଏକ ଅତିମାତ୍ରାରେ ଲିଙ୍ଗ-ପକ୍ଷପାତୀ (ସେକ୍ସିଷ୍ଟ) ମନ୍ତବ୍ୟ ଓ ଏହା ରାଷ୍ଟ୍ରପତିଙ୍କ ପ୍ରତି ଅସମ୍ମାନସୂଚକ ହେଉଥିବାରୁ ଏହାର ପ୍ରୟୋଗ ସର୍ବାଦୌ ନିନ୍ଦନୀୟ । ରାଷ୍ଟ୍ରପତି ପଦଟି ସର୍ବୋଚ୍ଚ ସାମ୍ୱିଧାନିକ ପଦ ହୋଇଥିବାରୁ ନାଗରିକଙ୍କ ଦ୍ୱାରା ସେଥିପ୍ରତି ଉପଯୁକ୍ତ ସମ୍ମାନ ପ୍ରଦର୍ଶନ ହେବା ଉଚିତ । ତେବେ ବିଭିନ୍ନ ସମୟରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହୋଇ ତାଙ୍କ ପ୍ରତି ଭିନ୍ନ ଭିନ୍ନ ଢଙ୍ଗରେ ଅସମ୍ମାନ ପ୍ରଦର୍ଶନ ହେଉଥିବାରୁ ରାଷ୍ଟ୍ରପତିଙ୍କ ଅସମ୍ମାନ ପ୍ରସଙ୍ଗଟି ବିସ୍ତୃତ ଆଲୋଚନାର ଅପେକ୍ଷା ରଖେ ।
ଅଧୀର ରଞ୍ଜନ ଚୌଧୁରୀଙ୍କ ଆପତ୍ତିଜନକ ମନ୍ତବ୍ୟର ଭର୍ତ୍ସନା କରି ମନ୍ତ୍ରୀ ସ୍ମୃତି ଇରାନୀ ଲୋକସଭାରେ ଯେଉଁ ବକ୍ତବ୍ୟଟି ଉପସ୍ଥାପନ କରିଥିଲେ ସେଥିରେ ମଧ୍ୟ ରାଷ୍ଟ୍ରପତିଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ ହୋଇଥିବା ପରିଲକ୍ଷିତ ହୋଇଥିଲା । ୪ ମିନିଟର ଏହି ବକ୍ତବ୍ୟରେ ସେ ରାଷ୍ଟ୍ରପତିଙ୍କୁ ଛଅ ଥର ନାମ ଧରି ‘ଦ୍ରୌପଦୀ ମୁର୍ମୁ’ ବା ‘ଦ୍ରୌପଦୀ’ କହି ସମ୍ୱୋଧନ କରିଥିଲେ । ତନ୍ମଧ୍ୟରୁ କେବଳ ଦୁଇ ଥର ନାମ ଶେଷରେ ‘ଜୀ’ ଯୋଡିଥିଲେ ବି ରାଷ୍ଟ୍ରପତିଙ୍କ ନାମ ପୂର୍ବରୁ ସମ୍ମାନସୂଚକ ‘ସମ୍ମାନୀୟା’, ‘ମହାମହିମ’, ‘ମାଡାମ’ ବା ‘ଶ୍ରୀମତୀ’ ଆଦି ପଦବୀ ଯୋଡି ସମ୍ୱୋଧନ କରିବାକୁ ଉଚିତ ମଣି ନ ଥିଲେ । ତା’ଛଡା ରାଷ୍ଟ୍ରପତିଙ୍କୁ ବାରମ୍ୱାର ‘ଗରିବ’, ‘ଆଦିବାସୀ’ ଓ ‘ମହିଳା’ ବୋଲି ଦର୍ଶାଇଥିଲେ । ରାଷ୍ଟ୍ରପତି ଯେତେ ବିନମ୍ର ପୃଷ୍ଠଭୂମିରୁ ଆସିଥିଲେ ବି ଥରେ ରାଷ୍ଟ୍ରପତି ହେଲା ପରେ ସେ ଜାତି, ସମ୍ପ୍ରଦାୟ, ଧର୍ମ, ଲିଙ୍ଗଗତ ବିବେଚନାର ଊର୍ଦ୍ଧ୍ୱକୁ ଚାଲିଯାଇଥାଆନ୍ତି । ତାଙ୍କର ବା ତାଙ୍କ ପରିବାରର ଆର୍ଥିକ ସ୍ଥିତିର ପର୍ଯ୍ୟାଲୋଚନା କରିବାର ଆଉ ଅବକାଶ ନ ଥାଏ । ପ୍ରତିପକ୍ଷକୁ ଆକ୍ରମଣ କରିବା ପାଇଁ ରାଷ୍ଟ୍ରପତିଙ୍କ ବିନମ୍ର ପୃଷ୍ଠଭୂମିକୁ ଆୟୁଧ ରୂପେ ବ୍ୟବହାର କରିବା ଆଦୌ ସ୍ପୃହଣୀୟ ନୁହେଁ । ‘ଗରିବ’, ‘ଆଦିବାସୀ’ ଓ ‘ମହିଳା’ ଭଳି ଶବ୍ଦଗୁଡିକର ବ୍ୟବହାର ଯେଉଁ ଢଙ୍ଗରେ କରାଯାଉଛି ତାହା ରାଷ୍ଟ୍ରପତିଙ୍କ ସମ୍ମାନ ବୃଦ୍ଧିରେ ସହାୟକ ନ ହୋଇ ତାଙ୍କୁ କେତେକାଂଶରେ ‘ବିଚରା’ ବା ‘ନ୍ୟୂନ’ ଭାବେ ଦର୍ଶାଉଥିବାରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସେହି ଶବ୍ଦଗୁଡିକର ପ୍ରୟୋଗ ଅବାଞ୍ଛନୀୟ । ତା’ଛଡା ଗୋଟିଏ ପୂର୍ଣ୍ଣକାଳ ରାଜ୍ୟପାଳ ଥିବା, ୪ ବର୍ଷ ମନ୍ତ୍ରୀ ପଦଭାର ସମ୍ଭାଳିଥିବା, ୨ ଦଫା ବିଧାୟକ ଥିବା ରାଷ୍ଟ୍ରପତିଙ୍କୁ ଓ ତାଙ୍କ ପରିବାରକୁ ଯଦି ‘ଗରିବ’ କୁହାଯାଏ, ତେବେ ଭାରତ ବର୍ଷରେ ‘ଗରିବ’ର ସଂଜ୍ଞାକୁ ହୁଏତ ପୁନଃନିର୍ଦ୍ଧାରଣ କରିବାର ଆବଶ୍ୟକତା ଉପୁଜିପାରେ ।
ରାଷ୍ଟ୍ରପତି ନା ରାଷ୍ଟ୍ରପତ୍ନୀ - ଜଣେ ମହିଳା ସେହି ପଦରେ ଆସୀନ ହେଲେ ତାଙ୍କୁ କିପରି ସମ୍ୱୋଧନ କରିବା ଉଚିତ ହେବ ସେ ନେଇ ସମ୍ୱିଧାନ ଚିଠା ପ୍ରସ୍ତୁତ ବେଳରୁ ବିବାଦ ରହିଆସିଛି । ଜୁଲାଇ ୪, ୧୯୪୭ରେ ଜବାହରଲାଲ ନେହରୁ ସମ୍ୱିଧାନ ପ୍ରଣୟନ ସଭା ସମ୍ମୁଖରେ ସମ୍ୱିଧାନର ମୂଳ ଚିଠା ପ୍ରସ୍ତୁତ କଲାବେଳେ ରାଷ୍ଟ୍ରପତି ଶବ୍ଦଟିକୁ ଉଲ୍ଲେଖ କରି ଲେଖିଥିଲେ, “The Head of the Federation shall be the President (Rashtrapati).” ଅର୍ଥାତ୍ ଗଣରାଜ୍ୟର ମୁଖ୍ୟ ପ୍ରେସିଡେଣ୍ଟ (ରାଷ୍ଟ୍ରପତି) ହେବେ । ତାକୁ ସଂଶୋଧନ କରାଯାଇ ତା' ସ୍ଥାନରେ, “There shall be a President of India” ବା ଭାରତର ଜଣେ ପ୍ରେସିଡେଣ୍ଚ ରହିବେ ବୋଲି ଲେଖାଗଲା । ଅର୍ଥାତ୍ ନେହରୁ ଲେଖିଥିବା ପ୍ରେସିଡେଣ୍ଟ ସହ ବନ୍ଧନୀ ମଧ୍ୟରେ ଥିବା ରାଷ୍ଟ୍ରପତି ଶବ୍ଦଟି ସଂଶୋଧନରେ ବାଦ ପଡିଯାଇଥିଲା । ଡିସେମ୍ୱର ୧୯୪୮ରେ ଏ ସଂକ୍ରାନ୍ତରେ ଆଲୋଚନା ପ୍ରସଙ୍ଗରେ ଏଚ ଭି କମଥ ଏହି ସଂଶୋଧନକୁ ବିରୋଧ କରି ଜାଣିବାକୁ ଚାହିଁଥିଲେ ଯେ ରାଷ୍ଟ୍ରପତି ଶବ୍ଦଟିକୁ କାହିଁକି କାଟି ଦିଆଗଲା । ନୂଆ ଫେସନର ଅଂଶବିଶେଷ ଭାବେ କେତେକ ଭାରତୀୟ ବା ହିନ୍ଦୀ ଶବ୍ଦ ପ୍ରତି ଆମର ଅସୂୟା ଭାବ ଯୋଗୁଁ ସମ୍ୱିଧାନର ଇଂରାଜୀ ଚିଠାରେ ଏହି ଶବ୍ଦଗୁଡିକୁ ଯଥାସମ୍ଭବ ବାଦ ଦିଆଯାଉଛି କି ବୋଲି ସେ ଅଭିଯୋଗ କରିଥିଲେ । ଉତ୍ତରରେ କୌଣସି ପୂର୍ବାଗ୍ରହର ବଶବର୍ତ୍ତୀ ହୋଇ ରାଷ୍ଟ୍ରପତି ଶବ୍ଦଟିକୁ ବାଦ ଦିଆଯାଇନାହିଁ ବୋଲି ଆମ୍ୱେଦକର କହିଥିଲେ । ସମ୍ୱିଧାନର ଇଂରାଜୀ ଚିଠା ପ୍ରସ୍ତୁତ କରୁଥିବା କମିଟି ଏହି ଶବ୍ଦର ଉଚିତ ପ୍ରତିଶବ୍ଦ କ'ଣ ହେବ ତାହା ହିନ୍ଦୀ ଏବଂ ହିନ୍ଦୁସ୍ତାନୀରେ ଚିଠା ପ୍ରସ୍ତୁତ କରୁଥିବା କମିଟି ଉପରେ ଛାଡି ଦେଇଛନ୍ତି ବୋଲି ସେ ଜଣାଇଥିଲେ । ମଜାର କଥା ହେଉଛି ହିନ୍ଦୁସ୍ତାନୀ ସଂସ୍କରଣରେ ‘ପ୍ରେସିଡେଣ୍ଟ’ ଶବ୍ଦର ବ୍ୟବହାର ହୋଇଥିଲା ବେଳେ ହିନ୍ଦୀ ସଂସ୍କରଣରେ ‘ପ୍ରଧାନ’ ଓ ଉର୍ଦ୍ଦୁ ସଂସ୍କରଣରେ ‘ସର୍ଦ୍ଦାର’ ଶବ୍ଦର ବ୍ୟବହାର କରାଯାଇଛି ବୋଲି ସେ କମଥଙ୍କୁ କହିଥିଲେ । ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ସମ୍ୱିଧାନର ଚିଠା କେବଳ ଇଂରାଜୀ ଭାଷାରେ ପ୍ରସ୍ତୁତ ହୋଇଥିଲା । ପରବର୍ତ୍ତୀ ସମୟରେ ହିନ୍ଦୀ ଓ ଅନ୍ୟାନ୍ୟ ଭାରତୀୟ ଭାଷାରେ ଏହାର ଅନୁବାଦ କରାଯାଇଥିଲା । ଶେଷରେ ଇଂରାଜୀରେ ଲିଖିତ ସମ୍ୱିଧାନର ଅନୁଚ୍ଛେଦ ୫୨ରେ କେବଳ “ଦେଆର ସାଲ ବି ଏ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ “ ବୋଲି ଉଲ୍ଲେଖ ରହିଲା, ‘ରାଷ୍ଟ୍ରପତି’ ଶବ୍ଦର କୌଣସି ଉଲ୍ଲେଖ ରହିଲା ନାହିଁ । ଅନ୍ୟ ପକ୍ଷରେ ସମ୍ୱିଧାନର ହିନ୍ଦୀ ସଂସ୍କରଣରେ “ଭାରତ କା ଏକ ରାଷ୍ଟ୍ରପତି ହୋଗା” ବୋଲି ଉଲ୍ଲେଖ ରହିଲା । ଉଲ୍ଲେଖଯୋଗ୍ୟ ଯେ ସମ୍ୱିଧାନ ପ୍ରଣୟନ ସଭାର ସଦସ୍ୟ କେ ଟି ସାହ, ଗୋକୁଳ ଭାଇ ଦତ୍ତ ପ୍ରମୁଖ ସଦସ୍ୟମାନେ ଜଣେ ମହିଳା ପ୍ରେସିଡେଣ୍ଟଙ୍କୁ ‘ନେତା’ ବା ‘କର୍ଣ୍ଣଧାର’ ରୂପେ ସମ୍ୱୋଧନ କରିବାକୁ ପ୍ରସ୍ତାବ ଦେଇଥିଲେ, ଯାହା ଗ୍ରହଣୀୟ ହୋଇ ନଥିଲା ।
ମହିଳା ରାଷ୍ଟ୍ରମୁଖ୍ୟଙ୍କ ପ୍ରତି ସାଧାରଣ ଭାବେ ପୁରୁଷଙ୍କ ମନୋଭାବକୁ ରେଖାଙ୍କିତ କରିବାକୁ ଯାଇ ମାଲାୱିର ପ୍ରଥମ ମହିଳା ପ୍ରେସିଡେଣ୍ଟ ଜଏସ ବନ୍ଦା ଏକ ମାଲାୱି ପ୍ରବାଦର ଅବତାରଣା କରି କହିଥିଲେ, “ଗାଈ ଶଗଡ ଟାଣେ ନାହିଁ, ଗାଈଠାରୁ କ୍ଷୀର ପାଇବା ପାଇଁ ତାକୁ ରଖାଯାଏ ।“ ସାରା ବିଶ୍ୱରେ ମହିଳା ରାଷ୍ଟ୍ରମୁଖ୍ୟଙ୍କ ସଂଖ୍ୟା ଏତେ ନଗଣ୍ୟ ଯେ ସେମାନଙ୍କୁ ସମ୍ୱୋଧନ କରିବାର ଅବକାଶ ନଥିବାରୁ ଦ୍ୱନ୍ଦ୍ୱ ପ୍ରାୟତଃ ଉପୁଜି ନଥାଏ । ତେଣୁ ପୁରୁଷତାନ୍ତ୍ରିକ ସମାଜରେ ଜଣେ ମହିଳାର ରାଷ୍ଟ୍ରମୁଖ୍ୟ ହେବାର ସମ୍ଭାବନାକୁ ବାଆଁରେଇ ଦେଇ ରାଷ୍ଟ୍ରମୁଖ୍ୟଙ୍କ ପାଇଁ ଶବ୍ଦଚୟନ ବେଳେ ପୁଂଲିଙ୍ଗ ବାଚକ ଶବ୍ଦ ଗ୍ରହଣ କରାଯିବା କିଛି ବିଚିତ୍ର ନୁହେଁ । ଭାରତର ପ୍ରଥମ ରାଷ୍ଟ୍ରପତି ଡଃ ରାଜେନ୍ଦ୍ର ପ୍ରସାଦ ୧୯୫୨ରେ ନିର୍ବାଚିତ ହେବା ପରଠାରୁ ୫୫ ବର୍ଷ ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କୁ ସମ୍ୱୋଧନ କରିବାକୁ ନେଇ କୌଣସି ବିବାଦ ଦେଖା ଦେଇ ନ ଥିଲା, କାରଣ ସେ ପର୍ଯ୍ୟନ୍ତ କୌଣସି ମହିଳା ଭାରତର ରାଷ୍ଟ୍ରପତି ଆସନ ଅଳଙ୍କୃତ କରି ନଥିଲେ । ୨୦୦୭ରେ ଦେଶର ପ୍ରଥମ ମହିଳା ଭାବେ ପ୍ରତିଭା ପାଟିଲ ରାଷ୍ଟ୍ରପତି ପଦରେ ଅଭିଷିକ୍ତ ହେବା ପରେ ତାଙ୍କୁ ସମ୍ୱୋଧନ କରିବାକୁ ନେଇ ହିନ୍ଦୀ ଗଣମାଧ୍ୟମରେ ପ୍ରଥମେ ଦ୍ୱନ୍ଦ୍ୱ ଉପୁଜିଥିଲା । ସେତେବେଳେ କିଛି ସମ୍ୱିଧାନ ବିଶେଷଜ୍ଞ ସ୍ପଷ୍ଟ କରିଥିଲେ ଯେ ରାଷ୍ଟ୍ରପତି ଶବ୍ଦଟି ଏକ ସାମ୍ୱିଧାନିକ ଶବ୍ଦ ହୋଇଥିବାରୁ ଏହା ଏକ ଲିଙ୍ଗ ନିରପେକ୍ଷ ଶବ୍ଦ । କିଛି ଭାଷାବିଦ୍ ମଧ୍ୟ ରାଧ୍ୟ ରାଷ୍ଟ୍ରପତି ସମ୍ୱୋଧନରେ କୌଣସି ତ୍ରୁଟି ନାହିଁ ବୋଲି ଦର୍ଶାଇଥିଲେ । ସେମାନଙ୍କ ମତରେ ହିନ୍ଦୀ ଶବ୍ଦକୋଷ ଅନୁଯାୟୀ ‘ପତି’ ଶବ୍ଦଟି କେବଳ ‘ସ୍ୱାମୀ’ ଅର୍ଥରେ ବ୍ୟବହୃତ ହୋଇ ନଥାଏ । ପତି ଶବ୍ଦଟିକୁ ‘ମାଲିକ’ ବା ‘ରକ୍ଷକ’ ଅର୍ଥରେ ମଧ୍ୟ ବ୍ୟବହାର କରାଯାଇଥାଏ, ଯେମିତି କରୋଡପତି, ଉଦ୍ୟୋଗପତି ଆଦି । ରାଷ୍ଟ୍ରପତି ଶବ୍ଦଟି ସେହି ଅର୍ଥରେ ବ୍ୟବହୃତ ହୋଇ ରାଷ୍ଟ୍ରର ମାଲିକକୁ ବୁଝାଇଥାଏ । ରାଷ୍ଟ୍ରପତି ଏକ ପୁଂଲିଙ୍ଗ ବାଚକ ଶବ୍ଦ ହୋଇ ନଥିବାରୁ ଏହାର କୌଣସି ସ୍ତ୍ରୀଲିଙ୍ଗ ବାଚକ ଶବ୍ଦ ଖୋଜିବା ଭ୍ରମାତ୍ମକ ହେବ । ବାସ୍ତବରେ ଏହା ଏକ ଲିଙ୍ଗ ନିରପେକ୍ଷ ଶବ୍ଦ । ତେବେ ମହିଳା ସାମାଜିକ କର୍ମୀମାନେ ଏହାକୁ ଗ୍ରହଣ କରିବାକୁ ରାଜି ହୋଇ ନ ଥିଲେ କାରଣ ସେମାନେ ଏହି ସାମ୍ୱିଧାନିକ ପଦଟିର ନାମକରଣରେ ‘ପୁରୁଷତାନ୍ତ୍ରିକ’ ଓ ‘ଲିଙ୍ଗ-ପକ୍ଷପାତ’ ମାନସିକତାର ଗନ୍ଧ ବାରିପାରୁଥିଲେ । ଆଜିକାଲି ଅନେକ ଲିଙ୍ଗ-ପକ୍ଷପାତି ଶବ୍ଦକୁ ବଦଳାଇ ତା’ ସ୍ଥାନରେ ଲିଙ୍ଗ-ନିରପେକ୍ଷ ଶବ୍ଦର ପ୍ରଚଳନ ହେଲାଣି, ଯେମିତି ଚେୟାରମ୍ୟାନ ବଦଳରେ ଚେୟାରପର୍ସନ । ତେଣୁ ରାଷ୍ଟ୍ରପତି ଶବ୍ଦଟି ଏକ ଲିଙ୍ଗ-ପକ୍ଷପାତି ଶବ୍ଦ ହୋଇଥିବାରୁ ତା’ ସ୍ଥାନରେ ‘ରାଷ୍ଟ୍ରପ୍ରଧାନ’ ବା ‘ରାଷ୍ଟ୍ରପ୍ରମୁଖ’ ଭଳି ଲିଙ୍ଗ-ନିରପେକ୍ଷ ଶବ୍ଦର ପ୍ରଚଳନ କଥା ଚିନ୍ତା କରାଯାଇପାରେ । ବିଶେଷ କରି ଜଣେ ମହିଳା ରାଷ୍ଟ୍ରପତିଙ୍କୁ କ’ଣ ସମ୍ୱୋଧନ କରାଯିବା ଉଚିତ ହେବ ସେଥି ନେଇ ରାଷ୍ଟ୍ର ସ୍ତରରେ ବ୍ୟାପକ ବିମର୍ଶ ହେବା ପ୍ରୟୋଜନ ବୋଲି ସେମାନେ ଦାବି କରିଥିଲେ । ଏହି ସମୟରେ ଶିବସେନାର ମୁଖପତ୍ର ‘ସାମନା’ରେ ପ୍ରକାଶିତ ବାଲ ଠାକରେଙ୍କ ଏକ ଆଲେଖ୍ୟ ବିବାଦକୁ ଆହୁରି ଇନ୍ଧନ ଯୋଗାଇଥିଲା । ତାଙ୍କ ମତରେ ରାଷ୍ଟ୍ରପତି ଶବ୍ଦ ବଦଳରେ ‘ରାଷ୍ଟ୍ର-ଅଧ୍ୟକ୍ଷ’ ଶବ୍ଦଟିକୁ ପ୍ରୟୋଗରେ ଅଣାଯିବା ଦରକାର, କାରଣ ତାହା ଏକ ଲିଙ୍ଗ-ନିରପେକ୍ଷ ଶବ୍ଦ । ଅଧିକନ୍ତୁ ଅଧିକାଂଶ ରାଜନୈତିକ ଦଳ ସେମାନଙ୍କ ଦଳର ପ୍ରେସିଡେଣ୍ଟଙ୍କୁ ଅଧ୍ୟକ୍ଷ ରୂପେ ସମ୍ୱୋଧନ କରିଥାଆନ୍ତି ।
ଜଣେ ରାଷ୍ଟ୍ରପତି ପଦ-ନିବୃତ୍ତ ହେବା ପରେ ତାଙ୍କ କାର୍ଯ୍ୟକାଳର ପ୍ରଦର୍ଶନକୁ ନେଇ ତାଙ୍କୁ ସମାଲୋଚନା କରାଯିବା କିଛି ଅସମୀଚୀନ ନୁହେଁ । ରାଷ୍ଟ୍ରପତି ଭାବେ ଅବସ୍ଥାନ କାଳରେ ଯଦି କେହି ତାଙ୍କ ଆଚରଣ ଯୋଗୁଁ ସେହି ପଦର ଗରିମାକୁ ଅକ୍ଷୁଣ୍ଣ ରଖିବାରେ ସମର୍ଥ ହୋଇ ନ ଥାଆନ୍ତି ତେବେ ସାଧାରଣରେ ତାଙ୍କର ସମାଲୋଚନା ହେବା ଆବଶ୍ୟକ ମଧ୍ୟ । ତାହା ଭବିଷ୍ୟତର ରାଷ୍ଟ୍ରପତିଙ୍କ ଲାଗି ଅଙ୍କୁଶ ସଦୃଶ କାର୍ୟ୍ୟ କରି ଗଣତନ୍ତ୍ରକୁ ସୁଦୃଢ କରିବାରେ ସହାୟକ ହୋଇଥାଏ । କୁହାଯାଏ ଭିକ୍ଷା କରି ସମ୍ମାନ ମିଳି ନଥାଏ ବରଂ ସମ୍ମାନ ଅର୍ଜନ କରିବାକୁ ହୋଇଥାଏ । ଉଚ୍ଚ ପଦରେ ଅଧିଷ୍ଠିତ ଯେ କୌଣସି ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ଅଧିକ ପ୍ରଯୁଜ୍ୟ । ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଟି ଏନ ଶେଷାନ ଏହାର ଏକ ବଳିଷ୍ଠ ଉଦାହରଣ । ତାଙ୍କ ପୂର୍ବରୁ ଓ ପରେ ସେହି ପଦରେ ଅନେକ ବ୍ୟକ୍ତି ଅଧିଷ୍ଠିତ ହୋଇଥିଲେ ମଧ୍ୟ ତାଙ୍କ କାର୍ଯ୍ୟକାଳକୁ ଦେଶବାସୀ ଏତେ ଦିନ ପରେ ବି ମନେ ରଖିଛନ୍ତି । ସେ ତାଙ୍କ ବଳିଷ୍ଠ ବ୍ୟକ୍ତିତ୍ୱ ଯୋଗୁଁ ନିଜ ପାଇଁ ସମ୍ମାନ ଅର୍ଜନ କରିବା ସହ ସେହି ପଦଟିକୁ ଗରିମାମୟ କରିପାରିଛନ୍ତି । ସେହିପରି ନିକଟ ଅତୀତରେ ରାଷ୍ଟ୍ରପତିମାନଙ୍କ ମଧ୍ୟରେ ଏ ପି ଜେ ଅବୁଲ କଲାମ ଆଜାଦ ଜଣେ ରାଜନୈତିକ ବ୍ୟକ୍ତିତ୍ୱ ନ ହୋଇ ବି ନିଜର ଏକ ସ୍ୱତନ୍ତ୍ର ଛାପ ଛାଡି ଜଣେ ଜନପ୍ରିୟ ରାଷ୍ଟ୍ରପତିର ସମ୍ମାନ ଅର୍ଜନ କରିବାକୁ ସମର୍ଥ ହୋଇଥିଲେ । ଅତୀତରେ କିଛି ଅସାଧାରଣ ବ୍ୟକ୍ତି ବିଶେଷ ରାଷ୍ଟ୍ରପତି ପଦ ଅଳଙ୍କୃତ କରିଥିବାରୁ ସେମାନଙ୍କ ପାଇଁ ଜନସାଧାରଣଙ୍କ ମଧ୍ୟରେ ଗ୍ରହଣୀୟ ହେବା କଷ୍ଟକର ହୋଇନଥିଲା । ତା’ର ଅଭାବରେ ଜଣେ ସାଧାରଣ ବ୍ୟକ୍ତିତ୍ୱର ଅଧିକାରୀଙ୍କୁ ସମ୍ମାନ ଅର୍ଜନ କରିବା ଲାଗି ବିଶେଷ ପ୍ରୟାସ ଓ ସତର୍କତା ଅବଲମ୍ୱନ କରିବାକୁ ପଡିପାରେ । ରାଷ୍ଟ୍ରପତି ହେବା ପୂର୍ବରୁ ପ୍ରାର୍ଥୀ ଭାବେ ଜଣେ ଦଳର ନେତାଙ୍କ ପ୍ରତି କୃତଜ୍ଞ ହେବା ସ୍ୱାଭାବିକ । କିନ୍ତୁ ରାଷ୍ଟ୍ରପତି ହେବା ପରେ ତାହା ସର୍ବୋଚ୍ଚ ସାମ୍ୱିଧାନିକ ପଦ ହୋଇଥିବାରୁ କୌଣସି ବ୍ୟକ୍ତିଙ୍କ ପ୍ରତି ସେହି କୃତଜ୍ଞତା ଭାବ ମନରେ ଥିଲେ ବି ତାହା ସର୍ବସମକ୍ଷରେ ଆଚରଣରେ ପ୍ରଦର୍ଶିତ ହେବା ବାଞ୍ଛନୀୟ ନୁହେଁ । କାରଣ ଏହି କୃତ କୃତ ଭାବ ତାଙ୍କ ଦୁର୍ବଳ ବ୍ୟକ୍ତିତ୍ୱକୁ ଇଙ୍ଗିତ କରିଥାଏ, ଯାହା ସମ୍ମାନ ଅର୍ଜନରେ ଅନ୍ତରାୟ ସୃଷ୍ଟି କରେ । ରାମନାଥ କୋବିନ୍ଦ ରାଷ୍ଟ୍ରପତି ହେଲା ପରେ ସେ ଦଳିତ ବର୍ଗର ପ୍ରତିନିଧିତ୍ୱ କରୁଛନ୍ତି ବୋଲି କୁହାଯାଉଥିଲା । ଦ୍ରୌପଦୀ ମୁର୍ମୁ ଆଦିବାସୀ ବର୍ଗର ପ୍ରତିନିଧିତ୍ୱ କରୁଥିବା କଥା ମଧ୍ୟ ଚର୍ଚ୍ଚିତ ହେଉଛି । ରାଷ୍ଟ୍ରପତି କୌଣସି ନିର୍ଦ୍ଦିଷ୍ଟ ବର୍ଗ ନୁହେଁ ବରଂ ସମସ୍ତଙ୍କ ପ୍ରତିନିଧିତ୍ୱ କରିଥାଆନ୍ତି ବୋଲି ଗ୍ରହଣ କରିବାକୁ ହେବ । ତେବେ ତାଙ୍କ ନିକଟରୁ ବର୍ଗର ପ୍ରତିନିଧିତ୍ୱ ଅପେକ୍ଷା ବର୍ଗ ସ୍ୱାର୍ଥର ସୁରକ୍ଷା ଅଧିକ ଆଶା କରାଯାଏ । ହାଥରସଠାରେ ଦଳିତ ଯୁବତୀର ନିର୍ମମ ହତ୍ୟା ପରେ ହେଉ ବା ତାଙ୍କ କାର୍ଯ୍ୟକାଳରେ ବୃଦ୍ଧି ପାଇଥିବା ଦଳିତ ଅତ୍ୟାଚାର ଲାଗି ହେଉ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରତିକ୍ରିୟାଶୂନ୍ୟ ରହିବା ଯୋଗୁଁ ବର୍ଗ ସ୍ୱାର୍ଥ ସୁରକ୍ଷା ପ୍ରତି ତାଙ୍କ ଉଦାସୀନତା ପରିଲକ୍ଷିତ ହୋଇଥିଲା । ସେହିପରି ବର୍ଷାଧିକ କାଳ ଧରି ଲାଗି ରହିଥିବା କୃଷକ ଆନ୍ଦୋଳନ ପରେ ତିନୋଟି କୃଷି ଆଇନକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲେ ସତ, କିନ୍ତୁ ରାଜ୍ୟସଭାରେ ମୌଖିକ ଭୋଟରେ ପାରିତ ହୋଇଥିବା ଏହି ବିବାଦୀୟ ବିଲଗୁଡିକୁ ପୁନର୍ବିବେଚନା ପାଇଁ ପଠାଇବା ତ ଦୂରର କଥା ସେଥିରେ ତୁରନ୍ତ ସ୍ୱାକ୍ଷର କରି ତାକୁ ଆଇନରେ ପରିଣତ କରିବାରେ ପୂର୍ବତନ ରାଷ୍ଟ୍ରପତି କୋବିନ୍ଦ ଯେଉଁ ତତ୍ପରତା ପ୍ରଦର୍ଶନ କରିଥିଲେ ତାହା ଅନେକଙ୍କୁ ବିସ୍ମିତ କରିଥିଲା । ତାଙ୍କର ସେହି ଅଦୂରଦର୍ଶୀ ଆଚରଣ ପାଇଁ ତାଙ୍କୁ ଏବେ ବି ସମାଲୋଚିତ ହେବାକୁ ହେଉଛି । ଏ ସବୁ ସତ୍ତ୍ୱେ ସେ ଏକ ପୂର୍ଣ୍ଣକାଳ ଦେଶର ରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଲାଇ ସାରିବା ପରେ ନିଜ ନେତାଙ୍କୁ ମହିମାମଣ୍ଡିତ କରିବା ପାଇଁ ଶାସକ ଦଳ ତରଫରୁ ତାଙ୍କୁ ଏବେ ବି ଦଳିତ ସମ୍ପ୍ରଦାୟର ବୋଲି ବାରମ୍ୱାର କହି ହେବା ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ବୋଲି କହି ହେବ କି ! ସର୍ବୋଚ୍ଚ ସାମ୍ୱିଧାନିକ ପଦରେ ଅଧିଷ୍ଠିତ ଜଣେ ବ୍ୟକ୍ତି ଯଦି ତା' ଉପରେ ଲାଗିଥିବା ଦଳିତ ଛାପରୁ ମୁକ୍ତି ପାଇ ପାରୁନାହିଁ ତେବେ ଅନ୍ୟମାନଙ୍କ କଥା ନ କହିଲେ ଭଲ । ତାହାହେଲେ ଦେଶରୁ ଘୃଣ୍ୟ ଜାତିପ୍ରଥାର ଅବସାନ ହେବ ବା କିପରି ?
ଦ୍ରୌପଦୀ ମୁର୍ମୁ ଝାଡଖଣ୍ଡର ରାଜ୍ୟପାଳ ଥିଲା ବେଳେ ନଭେମ୍ୱର ୨୦୧୬ରେ ବିଧାନସଭା ଦ୍ୱାରା ‘ଛୋଟନାଗପୁର ଟେନାନ୍ସି ଆକ୍ଟ’ ଓ ‘ସାନ୍ଥାଲ ପରଗନା ଟେନାନ୍ସି ଆକ୍ଟ’ରେ ସଂଶୋଧନ କରାଯାଇ ଅନୁମୋଦନ ନିମନ୍ତେ ତାଙ୍କ ନିକଟକୁ ଆସିଥିଲା । ଏହି ସଂଶୋଧିତ ଆଇନରେ ଜମିର ମାଲିକାନା ଅପରିବର୍ତ୍ତିତ ରଖି ଆଦିବାସୀମାନଙ୍କୁ ସେମାନଙ୍କ ଜମିର ବ୍ୟାବସାୟିକ ଉପଯୋଗ କରିବା ଲାଗି ଅନୁମତି ପ୍ରଦାନର ପ୍ରାବଧାନ ସହ ସରକାର କେଉଁ କେଉଁ ଉଦ୍ଦେଶ୍ୟରେ ଆଦିବାସୀଙ୍କ ଜମିକୁ ଲିଜ ଆକାରରେ ନେଇ ପାରିବେ ତାହା ମଧ୍ୟ ବର୍ଣ୍ଣିତ ଥିଲା । ଉଲ୍ଲେଖଯୋଗ୍ୟ ଯେ ସେତେବେଳେ ରାଜ୍ୟରେ ବିଜେପି ଶାସନାଧୀନ ସରକାର ଥିଲା ଓ ଏହି ସଂଶୋଧନକୁ ବିରୋଧୀ ଦଳ ଓ ଆଦିବାସୀ ସଂଗଠନଗୁଡିକ ତରଫରୁ ପ୍ରବଳ ବିରୋଧ କରାଯାଇଥିଲା । ଜନ ଭାବନାକୁ ସମ୍ମାନ ଜଣାଇ ସେ ତୁରନ୍ତ ସ୍ୱାକ୍ଷର ପ୍ରଦାନ ପୂର୍ବକ ବିଲ ଦୁଇଟିକୁ ଅନୁମୋଦନ କରି ନ ଥିଲେ । ପ୍ରାୟ ୩ ମାସ ପକାଇ ରଖିବା ପରେ ପ୍ରସ୍ତାବିତ ସଂଶୋଧନ ଦ୍ୱାରା ଆଦିବାସୀମାନେ କିପରି ଲାଭାନ୍ୱିତ ହେବେ ତା’ର ସ୍ପଷ୍ଟୀକରଣ ଚାହିଁ ରାଜ୍ୟପାଳ ମୁର୍ମୁ ବିଲ ଦୁଇଟିକୁ ପୁନର୍ବିବେଚନା ପାଇଁ ଫେରାଇ ଦେଇଥିଲେ । ତେଣୁ ଦରକାର ପଡିଲେ ସେ ଯେ କଠୋର ନିଷ୍ପତ୍ତି ନେବାକୁ ସମର୍ଥ, ଉପରୋକ୍ତ ପ୍ରସଙ୍ଗରୁ ତା’ର ଇଙ୍ଗିତ ମିଳେ । ତେବେ ରାଷ୍ଟ୍ରପତି ହେବା ପରେ ସେ ତାଙ୍କର ଏହି ଜନସ୍ୱାର୍ଥ ସୁରକ୍ଷାକାରୀ ମନୋଭାବକୁ କେତେ ଦୂର ଅକ୍ଷୁଣ୍ଣ ରଖି ପାରୁଛନ୍ତି ତାହା ତାଙ୍କ ଭବିଷ୍ୟତର ଆଚରଣରୁ ସ୍ପଷ୍ଟ ହେବ ।
ଘଟଣାଚକ୍ରରେ ଯେ କେହି ଯେ କୌଣସି ଉଚ୍ଚ ପଦ ଏପରିକି ସର୍ବୋଚ୍ଚ ସାମ୍ୱିଧାନିକ ପଦ ମଧ୍ୟ ଅଳଙ୍କୃତ କରିପାରନ୍ତି । ତେବେ ସେହି ପଦ ପାଇଁ ସେହି ବ୍ୟକ୍ତି ପ୍ରକୃତପକ୍ଷେ କେତେ ଯୋଗ୍ୟ ତାହା ତାଙ୍କ ପରବର୍ତ୍ତୀ ଆଚରଣ ଓ ଉଚ୍ଚାରଣ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ । ନିଜ ଆଚରଣ ଦ୍ୱାରା ରାଷ୍ଟ୍ରପତି ପଦର ମର୍ୟ୍ୟାଦା ରକ୍ଷା କରି ଦ୍ରୌପଦୀ ମୁର୍ମୁ ନିଜ ବ୍ୟକ୍ତିତ୍ୱକୁ ଆହୁରି ବଳିଷ୍ଠ କରିବେ ବୋଲି ଆଶା କରାଯାଏ । ତାଙ୍କ ପ୍ରତି ‘ବିଚରା’ ଅର୍ଥରେ ଏବେ ପ୍ରୟୋଗ ହେଉଥିବା ‘ଗରିବ’, ‘ଆଦିବାସୀ’, ‘ମହିଳା’ ଆଦି ବିଶେଷଣଗୁଡିକ ଅନ୍ତତଃ ପକ୍ଷେ ସେ ରାଷ୍ଟ୍ରପତି ପଦରୁ ନିବୃତ୍ତ ହେବା ପରେ ଆଉ ପ୍ରୟୋଗ ହେବାର ଅବକାଶ ସୃଷ୍ଟି ନ ହେଉ କି ସେ ଜଣେ ରବର ଷ୍ଟାମ୍ପ ରାଷ୍ଟ୍ରପତି ଥିଲେ ବୋଲି ସାଧାରଣରେ ପ୍ରତ୍ୟୟ ସୃଷ୍ଟି ନହେଉ । କାର୍ଯ୍ୟକାଳର ପରିସମାପ୍ତି ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଣେ ଆଦିବାସୀ ମହିଳା ରାଷ୍ଟ୍ରପତି ଭାବେ ପରିଚିତ ନ ହୋଇ ଜଣେ ସଫଳ ରାଷ୍ଟ୍ରପତି ଭାବେ ସୁଖ୍ୟାତି ଅର୍ଜନ କରନ୍ତୁ ।
Comments
Post a Comment