ମହିଳା ସଶକ୍ତିକରଣ କହିଲେ ସାଧାରଣତଃ ସାମାଜିକ, ଅର୍ଥନୈତିକ, ରାଜନୈତିକ ତଥା ଅନ୍ୟାନ୍ୟ ପ୍ରତିଟି କ୍ଷେତ୍ରରେ ମହିଳାମାନଙ୍କ ବର୍ଦ୍ଧିତ ଅଂଶଗ୍ରହଣକୁ ହିଁ ବୁଝାଇଥାଏ । ତେବେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ପ୍ରସ୍ତୁତ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ (ଏନଏଫଏଚଏସ)ରେ ମହିଳା ସଶକ୍ତିକରଣକୁ ମାପିବା ପାଇଁ ଏକ ଭିନ୍ନ ମାପକାଠିର ପ୍ରୟୋଗ ହୋଇଥାଏ । ଏହାର ୫ମ ପର୍ୟ୍ୟାୟ (୨୦୨୦-୨୧) ରିପୋର୍ଟରେ ସାରା ଦେଶ ଓ ବିଭିନ୍ନ ରାଜ୍ୟରେ ୧୫ରୁ ୪୯ ବର୍ଷର ମହିଳାମାନଙ୍କର ସଶକ୍ତିକରଣର ସ୍ଥିତି ପ୍ରକାଶ ପାଇଛି । ଏହି ସର୍ଭେରେ ମହିଳା ସଶକ୍ତିକରଣର ସ୍ଥିତି ଜାଣିବା ପାଇଁ ଯେଉଁ ୬ଟି ପରିମାପକର ସାହାଯ୍ୟ ନିଆଯାଇଛି ସେଗୁଡିକୁ ପର୍ୟ୍ୟାଲୋଚନା କରାଯାଉ ।
ମହିଳା ସଶକ୍ତିକରଣର ପ୍ରଥମ ପରିମାପକ ରୂପେ ଜଣେ ବିବାହିତା ମହିଳା ପରିବାରର ତିନିଟି ମୁଖ୍ୟ ପ୍ରସଙ୍ଗରେ ନିଷ୍ପତ୍ତି ଗ୍ରହଣ କରିବା ପାଇଁ କେତେ ଦୂର ସମର୍ଥ, ତାହା ବିବେଚନା କରାଯାଇଥାଏ । ସେହି ପ୍ରସଙ୍ଗ ତିନିଟି ହେଲା ମହିଳା ଜଣକ ନିଜ ସ୍ୱାସ୍ଥ୍ୟର ଯତ୍ନ ପାଇଁ ନିଜେ ନିର୍ଣ୍ଣୟ ନେବା, ପରିବାର ପାଇଁ ବଡ ବଡ ଜିନିଷର କ୍ରୟ ନିଷ୍ପତ୍ତିରେ ଅଂଶଗ୍ରହଣ କରିବା ଓ ନିଜ ପରିବାର ବା ସମ୍ପର୍କୀୟଙ୍କ ନିକଟକୁ ବୁଲିଯିବାର ନିଷ୍ପତ୍ତି ନିଜେ ନେବା । ଓଡିଶାରେ ୯୦.୨ ପ୍ରତିଶତ ମହିଳା ଏହି ତିନିଟି ପ୍ରସଙ୍ଗରେ ନିଷ୍ପତ୍ତି ନେବାରେ ଅଂଶଗ୍ରହଣ କରି ପାରୁଛନ୍ତି, ଯାହା ପ୍ରଶଂସନୀୟ । ୨୦୧୫-୧୬ରେ ହୋଇଥିବା ସର୍ଭେରେ ୮୧.୮ ପ୍ରତିଶତ ମହିଳା ଏହି ତିନିଟି ପ୍ରସଙ୍ଗରେ ନିର୍ଣ୍ଣୟ ନେବାରେ ଅଂଶଗ୍ରହଣ କରିପାରୁଥିଲେ । ଅର୍ଥାତ୍ ଏବେ ୮.୪ ପ୍ରତିଶତ ଅଧିକ ମହିଳା ନିଷ୍ପତ୍ତି ନେବାରେ ଅଂଶଗ୍ରହଣ କରିପାରୁଛନ୍ତି । ସର୍ବ ଭାରତୀୟ ସ୍ତରରେ ଏହି ପ୍ରତିଶତ ୮୮.୭ ରହିଥିବାରୁ ଓଡିଶାର ୧.୫ ପ୍ରତିଶତ ଅଧିକ ମହିଳା ଏହି ନିର୍ଣ୍ଣୟରେ ଅଂଶଗ୍ରହଣ କରିପାରୁଥିବାର ଜଣାପଡୁଛି । ଓଡିଶାର ଗ୍ରାମାଞ୍ଚଳରେ ଥିବା ମହିଳାମାନେ (୯୦.୩ ପ୍ରତିଶତ) ସହରାଞ୍ଚଳର ମହିଳାମାନଙ୍କ ( ୮୯.୯ ପ୍ରତିଶତ) ତୁଳନାରେ ନିଷ୍ପତ୍ତି ନେବାରେ ସାମାନ୍ୟ ଅଧିକ ସକ୍ରିୟ । ସାରା ଦେଶର ଗ୍ରାମାଞ୍ଚଳର ମହିଳାମାନଙ୍କ (୮୭.୭ ପ୍ରତିଶତ) ତୁଳନାରେ ଓଡିଶାର ଗ୍ରାମାଞ୍ଚଳର ମହିଳାମାନେ ଏହି ନିଷ୍ପତ୍ତି ନେବାରେ ଅଧିକ ଅଂଶଗ୍ରହଣ କରୁଥିବା ବେଳେ ଓଡିଶାର ସହରାଞ୍ଚଳର ମହିଳାମାନେ ଦେଶର ସହରାଞ୍ଚଳର ମହିଳାମାନଙ୍କ (୯୧ ପ୍ରତିଶତ) ତୁଳନାରେ ସାମାନ୍ୟ ପଛରେ ଅଛନ୍ତି । ତେବେ ନାଗାଲାଣ୍ଡ ଓ ମିଜୋରାମ ଭଳି ରାଜ୍ୟରେ ପ୍ରାୟ ୯୯ ପ୍ରତିଶତ ମହିଳା ଏହି ଧରଣର ନିର୍ଣ୍ଣୟ ନେବାକୁ ସମର୍ଥ ହୋଇଛନ୍ତି ।
ଦ୍ୱିତୀୟ ପରିମାପକ ରୂପେ ଗତ ୧୨ ମାସ ମଧ୍ୟରେ କେତେ ପ୍ରତିଶତ ମହିଳା ନିଜେ କାମ କରି ଅର୍ଥ ଉପାର୍ଜନ କରିଛନ୍ତି ତାହା ବିବେଚନାକୁ ନିଆଯାଇଛି । ଓଡିଶାରେ ୨୫.୭ ପ୍ରତିଶତ ମହିଳା କାମ କରି ଅର୍ଥ ଉପାର୍ଜନ କରିବାକୁ ସକ୍ଷମ ହୋଇଛନ୍ତି । ୨୦୧୫-୧୬ ସର୍ଭେରେ ଏହା ୨୨.୫ ପ୍ରତିଶତ ଥିଲା, ଅର୍ଥାତ୍ ଗତ ୫ ବର୍ଷ ମଧ୍ୟରେ ୩.୨ ପ୍ରତିଶତ ଅଧକ ମହିଳା କାମ କରି ଉପାର୍ଜନ କରିପାରିଛନ୍ତି । ସାରା ଦେଶରେ ୨୫.୪ ପ୍ରତିଶତ ମହିଳା କାମ କରି ଅର୍ଥ ଉପାର୍ଜନ କରିଥିବାରୁ ଓଡିଶାର ମହିଳାମାନେ ମଧ୍ୟ ସେମାନଙ୍କ ସହ ତାଳ ଦେଇ ଗତି କରିଥିବାର ଜଣାପଡେ । ଓଡିଶାର ଗ୍ରାମାଞ୍ଚଳରେ ୨୫.୬ ପ୍ରତିଶତ ମହିଳା କାମ କରି ଅର୍ଥ ଉପାର୍ଜନ କରି ପାରିଥିବା ବେଳେ ସହରାଞ୍ଚଳରେ ସାମାନ୍ୟ ଅଧିକ ୨୬.୩ ପ୍ରତିଶତ ମହିଳା କାମ କରି ଉପାର୍ଜନ କରିଛନ୍ତି । ସାରା ଦେଶର ସହରାଞ୍ଚଳର ମହିଳାମାନଙ୍କ ମଧ୍ୟରୁ ୨୫ ପ୍ରତିଶତ କାମ କରି ଅର୍ଥ ଉପାର୍ଜନ କରିଥିବାରୁ ସେମାନଙ୍କ ତୁଳନାରେ ଓଡିଶାର ସହରାଞ୍ଚଳର ମହିଳାମାନେ ସାମାନ୍ୟ ଆଗରେ ଥିବା ପରି ଜଣାପଡୁଛି । ତେବେ ତେଲେଙ୍ଗାନା (୪୫ ପ୍ରତିଶତ), ଆନ୍ଧ୍ର ପ୍ରଦେଶ (୪୨ ପ୍ରତିଶତ), ମଣିପୁର (୪୨ ପ୍ରତିଶତ)ର ମହିଳାମାନେ ଏ କ୍ଷେତ୍ରରେ ଯଥେଷ୍ଟ ଆଗରେ ଥିବାରୁ ଓଡିଶାର ମହିଳାମାନଙ୍କୁ ସେମାନଙ୍କ ସମକକ୍ଷ ହେବାକୁ ଅଧିକ ପ୍ରୟାସ କରିବାକୁ ହେବ ।
‘କେତେ ପ୍ରତିଶତ ମହିଳାଙ୍କ ନିଜ ନାମରେ ବା ଅନ୍ୟ କାହା ସହ ମିଶି ଘରଟିଏ ବା ଜମି ଖଣ୍ଡିଏ ଅଛି’ ତାକୁ ତୃତୀୟ ପରିମାପକ ଭାବେ ନିଆଯାଇଛି । ଓଡିଶାର ୪୩.୫ ପ୍ରତିଶତ ମହିଳାଙ୍କ ନିଜ ନାମରେ ଏକୁଟିଆ ହେଉ ବା ଅନ୍ୟ କାହା ସହ ମିଶି ହେଉ ଘରଟିଏ ଓ/ବା ଜମି ଖଣ୍ଡିଏ ଅଛି । ୨୦୧୫-୧୬ ସର୍ଭେରେ ଏହା ୬୩.୫ ପ୍ରତିଶତ ଥିଲା । ଗତ ୫ ବର୍ଷ ମଧ୍ୟରେ ମହିଳାଙ୍କ ମାଲିକାନା ୨୦ ପ୍ରତିଶତ ହ୍ରାସ ପାଇବା ଉଦବେଗଜନକ । ଅବଶ୍ୟ ଦେଶର ଅଧିକାଂଶ ରାଜ୍ୟରେ ମହିଳାଙ୍କ ମାଲିକାନାରେ ହ୍ରାସ ପାଇଥିବା ବେଳେ ତ୍ରିପୁରାରେ ସର୍ବାଧିକ ୪୦ ପ୍ରତିଶତ ହ୍ରାସ ପାଇଛି । ସାରା ଦେଶରେ ୪୩.୩ ପ୍ରତିଶତ ମହିଳାଙ୍କ ନିଜ ନାମରେ ବା ଅନ୍ୟ କାହା ସହ ମିଶି ଘର ବା ଜମି ଖଣ୍ଡିଏ ଅଛି, ଅର୍ଥାତ୍ ଦେଶର ମହିଳାଙ୍କ ସ୍ଥିତି ସହ ଓଡିଶା ସମକକ୍ଷ । ଓଡିଶାର ଗ୍ରାମାଞ୍ଚଳରେ ୪୫.୫ ପ୍ରତିଶତ ମହିଳାଙ୍କ ନିକଟରେ ଜମିବାଡିର ମାଲିକାନା ଥିଲା ବେଳେ ସହରାଞ୍ଚଳର ୩୫.୪ ପ୍ରତିଶତ ମହିଳାଙ୍କ ନିକଟରେ ମାଲିକାନା ରହିଥିବାରୁ ଜଣା ପଡୁଛି ଯେ ଗ୍ରାମାଞ୍ଚଳର ମହିଳାମାନେ ଏ କ୍ଷେତ୍ରରେ ଯଥେଷ୍ଟ ଆଗରେ । ତେବେ ସାରା ଦେଶର ସହରାଞ୍ଚଳର ମହିଳାମାନଙ୍କ ମଧ୍ୟରୁ ୩୮.୩ ପ୍ରତିଶତ ମହିଳାଙ୍କ ନାମରେ ଘର ବା ଜମି ଥିବାରୁ ଓଡିଶାର ସହରାଞ୍ଚଳର ମହିଳାମାନେ ଏ କ୍ଷେତ୍ରରେ ପ୍ରାୟ ୩ ପ୍ରତିଶତ ପଛରେ ଅଛନ୍ତି । କର୍ଣ୍ଣାଟକ (୬୭.୬ ପ୍ରତିଶତ) ଓ ତେଲେଙ୍ଗାନା (୬୬.୬ ପ୍ରତିଶତ)ର ସର୍ବାଧିକ ମହିଳାଙ୍କ ନିକଟରେ ଘର ଓ ଜମିର ମାଲିକାନା ଥିବାର ଜଣାପଡେ । ଆଇନ ଦୃଷ୍ଟିରୁ ପୈତୃକ ସମ୍ପତ୍ତିରେ ପୁରୁଷ ଓ ମହିଳାଙ୍କ ସମାନ ଅଧିକାର ଥିଲେ ମଧ୍ୟ ତାହା ଠିକ ରୂପେ କାର୍ୟ୍ୟକାରୀ ହେଉ ନ ଥିବାରୁ ମହିଳାଙ୍କ ଘର ଓ ଜମିର ମାଲିକାନାରେ ଆଶାନୁରୂପ ବୃଦ୍ଧି ହେଉନାହିଁ ।
ଚତୁର୍ଥ ପରିମାପକ ଅନୁସାରେ କେତେ ପ୍ରତିଶତ ମହିଳାଙ୍କ ନିକଟରେ ନିଜର ବ୍ୟାଙ୍କ ଆକାଉଣ୍ଟ ଅଛି ଯାହା ସେମାନେ ନିଜେ ବ୍ୟବହାର କରନ୍ତି । ଓଡିଶାରେ ୮୬.୫ ପ୍ରତିଶତ ମହିଳାଙ୍କ ନିଜର ବ୍ୟାଙ୍କ ଖାତା ଅଛି ଓ ତାହା ସେମାନେ ନିଜେ ବ୍ୟବହାର କରନ୍ତି । ୨୦୧୫-୧୬ର ସର୍ଭେ ଅନୁସାରେ ମାତ୍ର ୫୬.୨ ପ୍ରତିଶତ ମହିଳାଙ୍କ ନିକଟରେ ନିଜର ବ୍ୟାଙ୍କ ଆକାଉଣ୍ଟ ଥିଲା । ଅର୍ଥାତ୍ ଗତ ୫ ବର୍ଷ ଭିତରେ ପ୍ରାୟ ୩୦ ପ୍ରତିଶତ ଅଧିକ ମହିଳା ବ୍ୟାଙ୍କ ଖାତା ଖୋଲିବାକୁ ସମର୍ଥ ହୋଇ ସେଥିରେ ନିଜେ କାରବାର କରିପାରୁଛନ୍ତି । ସାରା ଦେଶରେ ୭୮.୬ ପ୍ରତିଶତ ମହିଳାଙ୍କ ନିକଟରେ ନିଜର ବ୍ୟାଙ୍କ ଆକାଉଣ୍ଟ ଥିବାରୁ ଓଡିଶାର ମହିଳାମାନେ ଏ କ୍ଷେତ୍ରରେ ପ୍ରାୟ ୮ ପ୍ରତିଶତ ଆଗରେ ଅଛନ୍ତି । ବ୍ୟାଙ୍କ ଖାତା ଖୋଲିବାରେ ଓଡିଶାର ଗ୍ରାମାଞ୍ଚଳର ମହିଳାମାନେ ସହରାଞ୍ଚଳର ମହିଳାମାନଙ୍କ ତୁଳନାରେ ଆଗରେ ଅଛନ୍ତି । ସହରାଞ୍ଚଳରେ ୮୨.୮ ପ୍ରତିଶତ ମହିଳାଙ୍କର ନିଜସ୍ୱ ବ୍ୟାଙ୍କ ଖାତା ଥିଲା ବେଳେ ଗ୍ରାମାଞ୍ଚଳରେ ୮୭.୪ ପ୍ରତିଶତ ଅର୍ଥାତ୍ ୪.୪ ପ୍ରତଶତ ଅଧିକ ମହିଳା ବ୍ୟାଙ୍କ ଖାତାର ଅଧିକାରୀ । ସାରା ଦେଶର ଗ୍ରାମାଞ୍ଚଳର ମହିଳାମାନଙ୍କ (୭୭.୪ ପ୍ରତିଶତ) ଅପେକ୍ଷା ଓଡିଶାର ଗ୍ରାମାଞ୍ଚଳର ୧୦ ପ୍ରତିଶତ ଅଧିକ ମହିଳା ବ୍ୟାଙ୍କ ଖାତା ଖୋଲି ପାରିଛନ୍ତି । ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ବ୍ୟାଙ୍କ ଖାତା ଖୋଲାଯିବା ଉପରେ ଗୁରୁତ୍ୱ ଦିଆଯାଇ ଅନେକ ମହିଳାଙ୍କ ବ୍ୟାଙ୍କ ଖାତା ଖୋଲା ଯାଇଛି । ତେବେ ସେହି ଖାତାଗୁଡିକରେ ସୁପରିଚାଳନା ହୋଇ ନିୟମିତ ଜମା ଓ ଉଠାଣ ହେବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସେଥି ପ୍ରତି ଧ୍ୟାନ ଦିଆଯିବା ଆବଶ୍ୟକ ।
‘କେତେ ପ୍ରତିଶତ ମହିଳାଙ୍କ ନିକଟରେ ମୋବାଇଲ ଫୋନ ଅଛି ଯାହା ସେମାନେ ନିଜେ ବ୍ୟବହାର କରୁଛନ୍ତି’କୁ ପଞ୍ଚମ ପରିମାପକ ଭାବେ ଗ୍ରହଣ କରାଯାଇଛି । ରିପୋର୍ଟ ଅନୁଯାୟୀ ଓଡିଶାର ୫୦.୧ ପ୍ରତିଶତ ମହିଳାଙ୍କ ନିକଟରେ ନିଜର ମୋବାଇଲ ଫୋନ ଅଛି ଓ ତାହା ସେମାନେ ନିଜେ ବ୍ୟବହାର କରୁଛନ୍ତି । ୨୦୧୫-୧୬ର ତଥ୍ୟ ଅନୁଯାୟୀ ଏହା ୩୯.୨ ପ୍ରତିଶତ ଥିଲା । ଅର୍ଥାତ୍, ଗତ ୫ ବର୍ଷ ଭିତରେ ମହିଳା ମୋବାଇଲ ଫୋନର ଅଧିକାରୀ ଓ ବ୍ୟବହାରକାରୀଙ୍କ ସଂଖ୍ୟାରେ ପ୍ରାୟ ୧୧ ପ୍ରତିଶତ ବୃଦ୍ଧିପାଇବା ଏକ ଭଲ ସୂଚନା । ସାରା ଦେଶରେ ୫୪ ପ୍ରତିଶତ ମହିଳାଙ୍କ ନିକଟରେ ନିଜସ୍ୱ ମୋବାଇଲ ଫୋନ ଥିବାରୁ ଏ କ୍ଷେତ୍ରରେ ଓଡିଶାର ମହିଳାମାନେ ପ୍ରାୟ ୪ ପ୍ରତିଶତ ପଛରେ ରହିଛନ୍ତି । ସହରାଞ୍ଚଳର ମହିଳାମାନଙ୍କ ମଧ୍ୟରେ ମୋବାଇଲ ବ୍ୟବହାର ଅଧିକ ହୋଇଥିଲେ ବି ଗ୍ରାମାଞ୍ଚଳର ମହିଳାମାନେ ଏ କ୍ଷେତ୍ରରେ ବେଶି ପଛରେ ନାହାନ୍ତି । ସହରାଞ୍ଚଳର ମହିଳାମାନଙ୍କ ମଧ୍ୟରୁ ୫୮.୮ ପ୍ରତିଶତ ମହିଳାଙ୍କ ନିକଟରେ ନିଜର ମୋବାଇଲ ଥାଇ ସେମାନେ ଏହାର ବ୍ୟବହାର ନିଜେ କରୁଥିବା ବେଳେ ଗ୍ରାମାଞ୍ଚଳର ୪୮ ପ୍ରତିଶତ ଅର୍ଥାତ୍ ୧୦.୮ ପ୍ରତିଶତ କମ ମହିଳାଙ୍କ ନିକଟରେ ନିଜର ମୋବାଇଲ ଫୋନ ଅଛି ଓ ସେମାନେ ତାହା ବ୍ୟବହାର କରୁଛନ୍ତି । ସାରା ଦେଶରେ ସହରାଞ୍ଚଳର ୬୯.୪ ପ୍ରତିଶତ ମହିଳାଙ୍କ ନିକଟରେ ମୋବାଇଲ ଫୋନ ଥିଲା ବେଳେ ଓଡିଶାର ସହରାଞ୍ଚଳରେ ଥିବା ପ୍ରାୟ ୧୦ ପ୍ରତିଶତ କମ ମହିଳାଙ୍କ ନିକଟରେ ମୋବାଇଲ ଫୋନ ଉପଲବ୍ଧ । ଗୋଆରେ ସର୍ବାଧିକ ୯୧ ପ୍ରତିଶତ ମହିଳାଙ୍କ ନିକଟରେ ମୋବାଇଲ ଫୋନ ଅଛି । ଆଶ୍ଚର୍ୟ୍ୟର କଥା ଗୁଜରାଟରେ ସର୍ବନିମ୍ନ ୪୮.୮ ପ୍ରତିଶତ ମହିଳା ମୋବାଇଲ ଫୋନର ଅଧିକାରୀ ।
ମହିଳାମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟଗତ ପରିଚ୍ଛନ୍ନତାର ଭାବକୁ ଅଧିକ ଗୁରୁତ୍ୱ ଦେଇ ମହିଳା ସଶକ୍ତିକରଣର ଷଷ୍ଠ ପରିମାପକଟି ନିର୍ଦ୍ଧାରଣ କରାଯାଇଛି, ଯେଉଁଥିରେ ଋତୁସ୍ରାବ ସମୟରେ ୧୫ରୁ ୨୪ ବର୍ଷର କେତେ ପ୍ରତିଶତ ଝିଅ ଓ ମହିଳା ନିଜ ସୁରକ୍ଷା ପାଇଁ ପରିଚ୍ଛନ୍ନ ଉପାୟ ଅବଲମ୍ୱନ କରୁଛନ୍ତି, ତାକୁ ଗ୍ରହଣ କରାଯାଇଛି । ଓଡିଶାରେ ଏହି ବର୍ଗର ୮୧.୫ ପ୍ରତିଶତ ମହିଳା ସ୍ୱାସ୍ଥ୍ୟଗତ ପରିଚ୍ଛନ୍ନ ଉପାୟ ଅବଲମ୍ୱନ କରୁଛନ୍ତି, ଯାହା ୨୦୧୫-୧୬ ସର୍ଭେରେ ମାତ୍ର ୪୭.୪ ପ୍ରତିଶତ ଥିଲା । ଅର୍ଥାତ୍ ମହିଳାମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟଗତ ପରିଚ୍ଛନ୍ନତା ନେଇ ସଚେତନତା ବୃଦ୍ଧି ପାଇଛି ଯଦ୍ଦ୍ୱାରା ପ୍ରାୟ ୩୪ ପ୍ରତିଶତ ଅଧିକ ମହିଳା ଏହାକୁ ଗ୍ରହଣ କରିଛନ୍ତି, ଯାହା ଉତ୍ସାହଜନକ । ସାରା ଦେଶରେ ୭୭.୩ ପ୍ରତିଶତ ମହିଳା ପରିଚ୍ଛନ୍ନ ଉପାୟ ଅବଲମ୍ୱନ କରୁଥିବାରୁ ଏ ଦିଗରେ ଓଡିଶାର ମହିଳାମାନେ ପ୍ରାୟ ୪ ପ୍ରତିଶତ ଆଗରେ ଥିବାର ଜଣାପଡେ । ଅବଶ୍ୟ ଓଡିଶାର ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ଏହାର ଗ୍ରହଣୀୟତା ଅଧିକ । ଗ୍ରାମାଞ୍ଚଳରେ ପ୍ରାୟ ୭୯.୫ ପ୍ରତିଶତ ଏହାର ଅବଲମ୍ୱନ କରୁଥିବା ବେଳ ସହରାଞ୍ଚଳରେ ୯୧.୫ ପ୍ରତିଶତ ବା ୧୨ ପ୍ରତିଶତ ଅଧିକ ମହିଳାଙ୍କ ମଧ୍ୟରେ ଏହାର ଗ୍ରହଣୀୟତା ରହିଛି । ସାରା ଦେଶର ଗ୍ରାମାଞ୍ଚଳରେ ୭୨.୩ ପ୍ରତିଶତ ମହିଳା ଏହାକୁ ଗ୍ରହଣ କରିଥିବା ବେଳେ ଓଡିଶାର ଗ୍ରାମାଞ୍ଚଳର ପ୍ରାୟ ୭ ପ୍ରତିଶତ ଅଧିକ ପରିଚ୍ଛନ୍ନ ଉପାୟକୁ ଆପଣେଇବା ବାସ୍ତବିକ ପ୍ରଶଂସନୀୟ ।
ମହିଳା ସଶକ୍ତିକରଣକୁ ତ୍ୱରାନ୍ୱିତ କରିବାକୁ ହେଲେ ସେମାନଙ୍କୁ ପ୍ରତିଟି କ୍ଷେତ୍ରରେ ସମାନ ଅବକାଶ ପ୍ରଦାନ କରିବାକୁ ହେବ । ଏନଏଫଏଚଏସ ରିପୋର୍ଟରେ ଯେଉଁ ୬ଟି ପରିମାପକରେ ସେମାନଙ୍କ ସଶକ୍ତିକରଣର ଅଗ୍ରଗତିକୁ ମାପିବାକୁ ଚେଷ୍ଟା କରାଯାଇଛି, ସେଥିରୁ ସେମାନଙ୍କୁ ସେହି ସମାନ ଅବକାଶ ମିଳୁଛି କି ନାହିଁ ତାହା ଜାଣିବାରେ ସାହାଯ୍ୟ ମିଳୁଛି । ତେବେ ସଶକ୍ତିକରଣର ଅଗ୍ରଗତିକୁ ଠିକ ରୂପେ ମାପିବା ପାଇଁ ଆହୁରି ଅନେକ ପରିମାପକର ଆବଶ୍ୟକତା ରହିଛି । ଏହି ରିପୋର୍ଟରେ ରାଜ୍ୟଗୁଡିକର ରାଙ୍କିଙ୍ଗ କରିବା ପାଇଁ କୌଣସି ପ୍ରଚେଷ୍ଟା ହୋଇ ନ ଥିଲେ ବି ଅଧିକାଂଶ ପରିମାପକରେ ଓଡିଶାର ମହିଳାମାନେ ଯେ ଅନ୍ୟ ଅନେକ ରାଜ୍ୟ ତୁଳନାରେ ଆଗରେ ରହି ମହିଳା ସଶକ୍ତିକରଣକୁ ଅଗ୍ରସର କରିବାରେ ସାହାଯ୍ୟ କରିଛନ୍ତି, ସେଥିରେ ସନ୍ଦେହ ନାହିଁ । ତେବେ ଓଡିଶାରେ ଅଧିକ ସଂଖ୍ୟକ ମହିଳାଙ୍କ ହାତକୁ କିପରି ଘର ଓ ଜମିର ମାଲିକାନା ଆସି ପାରିବ ସେ ଦିଗରେ ସମାଜ ଓ ସରକାର ଆନ୍ତରିକତା ପ୍ରଦର୍ଶନ ପୂର୍ବକ ଉଦ୍ୟମ କରିବା ଆବଶ୍ୟକ ।
Published in Odisha Reporter on September
ଦାସ ବାବୁ , ଆପଣଙ୍କ ଲେଖାଟି ଖୁବ ତଥ୍ୟପୂର୍ଣ୍ନ ଓ
ReplyDeleteଉପାଦେୟ ହୋଇ ପାରିଛି। ଧନ୍ୟବାଦ।
ଧନ୍ୟବାଦ ।
Delete