ମାଟିଆ ରଙ୍ଗର ବୁଲା କୁକୁରଟିଏ l ନାଁ ତାର
‘କାନେଲୋସ’ l ତାର ଛବି ପ୍ରଥମ ଥର ପାଇଁ ଗ୍ରୀସର ଏଥେନ୍ସସ୍ଥିତ ନ୍ୟାସନାଲ ଟେକନିକାଲ ୟୁନିଭର୍ସିଟିର
ଛାତ୍ର ସଂସଦ ସାଧାରଣ ଅଧିବେଶନର ଏକ ଫଟୋରେ ଦେଖିବାକୁ ମିଳିଥିଲା l ୨୦୦୮ ମସିହାରେ ହୋଇଥିବା ଗ୍ରୀକ
ଦଙ୍ଗା ସମୟରେ ଚିତ୍ରୋତ୍ତୋଳକମାନେ ଉଠାଇଥିବା ଅନେକ ଫଟୋ ଓ ଫୁଟେଜରେ କାନେଲୋସର ଉପସ୍ଥିତି ସାମ୍ଵାଦିକଙ୍କ
ଦୃଷ୍ଟି ଆକର୍ଷଣ କରିଥିଲା ଓ ହଠାତ୍ ସେ ବିଖ୍ୟାତ ହୋଇଗଲା l ତା ପରଠାରୁ ଦୁଇ ବର୍ଷ ଯାଏଁ ଏଥେନ୍ସ
ସହରରେ ହୋଇଥିବା ପ୍ରାୟ ପ୍ରତିଟି ବିକ୍ଷୋଭ ଓ ପ୍ରଦର୍ଶନ ସମୟରେ କାନେଲୋସକୁ ବିକ୍ଷୋଭକାରୀଙ୍କ ପାଖେପାଖେ
ଚାଲୁଥିବା ଲକ୍ଷ୍ୟ କରା ଯାଇଥିଲା l ଏହି ଧରଣର କୁକୁରଙ୍କ ପାଇଁ ଇଂରାଜୀ ମିଡିଆରେ ନୂଆ ଶବ୍ଦର ପ୍ରଚଳନ
ହେଲା ‘ରାୟଟ ଡଗ’ ବା ‘ଦଙ୍ଗା କୁକୁର’ l କେବଳ କାନେଲୋସ ନୁହେଁ, ବରଂ ଦଙ୍ଗା କୁକୁରଙ୍କ ମଧ୍ୟରେ
ଚର୍ଚ୍ଚିତ ଅନ୍ୟ ବୁଲା କୁକୁରମାନେ ହେଲେ ଗ୍ରୀସର ‘ଥଡୋରିସ’, ‘ଲୁକାନିକୋସ’ ଓ ଚିଲିର ‘ନିଗ୍ରୋ ମାଟାପାକୋ’
l ଆଇଏମଏଫର ମିତବ୍ୟୟିତା ପରାମର୍ଶ ବିରୁଦ୍ଧରେ ଗ୍ରୀସରେ ହୋଇଥିବା ପ୍ରଦର୍ଶନର ପ୍ରତୀକ ରୂପେ ଲୁକାନିକୋସକୁ
ଗ୍ରହଣ କରାଗଲା l ୨୦୧୧ ମସିହା ସେପ୍ଟେମ୍ଵର ମାସରେ ସେଠାରେ ପୋଲିସ ୟୁନିଅନର ଆହ୍ଵାନ କ୍ରମେ କିଛି
ପୋଲିସ ଆନ୍ଦୋଳନ ପାଇଁ ରାସ୍ତାକୁ ଓହ୍ଲାଇଥିବା ବେଳେ ଦଙ୍ଗା ନିୟନ୍ତ୍ରଣକାରୀ ପୋଲିସ ସେମାନଙ୍କ ଉପରେ
ଆକ୍ରମଣ କଲେ l ଉଭୟେ ସମାନ ୟୁନିଫର୍ମ ପିନ୍ଧିଥିବାରୁ କିଛି ସମୟ ପାଇଁ ଲୁକାନିକୋସ ଭ୍ରମିତ ହୋଇ
ଯାଇଥିଲେ ମଧ୍ୟ ଶେଷରେ ଆନ୍ଦୋଳନରତ ପୋଲିସଙ୍କ ପାଖରେ ଠିଆ ହୋଇଥିଲା l ବିକ୍ଷୋଭ ସମୟରେ ପୋଲିସ ପ୍ରୟୋଗ
କରୁଥିବା ଟିୟର ଗ୍ୟାସକୁ ଆଘ୍ରାଣ କରି ଲୁକାନିକୋସ ଅସୁସ୍ଥ ହୋଇ ପଡୁଥିଲେ ମଧ୍ୟ ପ୍ରଦର୍ଶନରେ ଭାଗ
ନେବାରୁ ବିରତ ହେଉ ନଥିଲା l ଆଶ୍ଚର୍ଯ୍ୟର କଥା, କୁକୁର ହେଲେ ମଧ୍ୟ ସେମାନେ ଅନ୍ୟାୟ ଓ ଅତ୍ୟାଚାରକୁ
ବୁଝି ପାରନ୍ତି ଓ ଅତ୍ୟାଚାରିତ ଲୋକଙ୍କ ପାଖରେ ଠିଆ ହେବାକୁ କୁଣ୍ଠା ପ୍ରକାଶ କରନ୍ତି ନାହିଁ l
ମଣିଷ ଓ କୁକୁରଙ୍କ ସମ୍ପର୍କର ଭିନ୍ନ ଏକ ଉଦାହରଣ
ହେଉଛି ବୁଲା କୁକୁରଙ୍କ ସୁରକ୍ଷା ପାଇଁ ମୁମ୍ଵାଇ ସହରରେ ହୋଇଥିବା ଦଙ୍ଗା l ଏହା ଅବିଶ୍ଵାସ୍ୟ ହେଲେ
ମଧ୍ୟ ସତ ଯେ କୁକୁର ସୁରକ୍ଷା ପାଇଁ ହୋଇଥିବା ଏହି ଦଙ୍ଗାଟି ଥିଲା ଏବେକା ମୁମ୍ଵାଇ ତତକାଳୀନ ବମ୍ଵେ
ସହରର ପ୍ରଥମ ଦଙ୍ଗା l ଊନବିଂଶ ଶତାବ୍ଦୀର ଆରମ୍ଭ ବେଳକୁ ବମ୍ଵେ ବ୍ରିଟିଶ ଶାସନାଧୀନ ଭାରତର ପଶ୍ଚିମ
ଉପକୂଳର ଏକ ପ୍ରମୁଖ ବନ୍ଦର ସହର ଭାବେ ଖ୍ୟାତି ଲାଭ କରି ବ୍ୟବସାୟ ବାଣିଜ୍ୟ ଦୃଷ୍ଟିରୁ ବେଶ ଚଳଚଞ୍ଚଳ
ହୋଇସାରିଥାଏ l ସହରରେ ଜନ ସାଧାରଣଙ୍କ ନିରାପତ୍ତା ଦୃଷ୍ଟିରୁ ବୁଲା କୁକୁରଙ୍କ ଉପଦ୍ରବକୁ ନିୟନ୍ତ୍ରଣ
କରିବା ପାଇଁ ୧୮୧୩ ମସିହାରେ ଏକ ବିନିୟମ (ରେଗୁଲେସନ) ପ୍ରଣୟନ ହେଲା ଯଦନୁସାରେ ବନ୍ଦର ସହରର ସମସ୍ତ
ସରକାରୀ କୋଠାବାଡି ଓ ହତାମାନଙ୍କରେ ବିଚରଣ କରୁଥିବା ମାଲିକ ନଥିବା ବୁଲା କୁକୁରମାନଙ୍କୁ ପ୍ରତିବର୍ଷ
୧୫ ଅପ୍ରେଲରୁ ୧୫ ମଇ ପୁନଶ୍ଚ ୧୫ ସେପ୍ଟେମ୍ଵରରୁ ୧୫ ଅକ୍ଟୋବର ମଧ୍ୟରେ ଧରି ମାରିବାର ଅନୁମତି ଦିଆଗଲା
l ଦୀର୍ଘ ବର୍ଷ ଧରି ଏହି ପ୍ରକ୍ରିୟା ନିର୍ବିଘ୍ନରେ ଚାଲିଥିବା ବେଳେ କୁକୁରମରା ଅଭିଯାନକୁ ଅଧିକ
ଜୋରଦାର କରିବା ପାଇଁ ହଠାତ ୧୮୩୨ ମସିହାରେ ତତ୍କାଳୀନ ପୋଲିସ ମାଜିଷ୍ଟ୍ରେଟ ଏହି ବିନିୟମରେ ପରିବର୍ତ୍ତନ
କରି କୁକୁର ମାରିବାର ସମୟକୁ ୧୫ ମଇରୁ ବଢାଇ ୧୫ ଜୁନ ପର୍ଯ୍ୟନ୍ତ କରି ଦେଲେ l କେବଳ ସେତିକି ନୁହେଁ,
ସେଥିପାଇଁ ବିଶେଷ କୁକୁର-ଶିକାରୀ ନିଯୁକ୍ତ ହେଲେ ଯେଉଁମାନଙ୍କୁ ପ୍ରତିଟି ବୁଲା କୁକୁର ମାରିବା ପାଇଁ
ଆଠ ଅଣା ଲେଖାଏଁ ମିଳୁଥିଲା l ପ୍ରାୟ ଦୁଇ ଶହ ବର୍ଷ ତଳେ ଆଠ ଅଣାର ମୂଲ୍ୟ ଯଥେଷ୍ଟ ଅଧିକ ଥିଲା l
ଫଳ ଏଇୟା ହେଲା, କୁକୁର ଶିକାରୀମାନେ ବୁଲା କୁକୁର ମାରିଲେ ତ ମାରିଲେ, ଅତି ଉତ୍ସାହିତ ଓ ଲୋଭର ବଶବର୍ତ୍ତୀ
ହୋଇ ବାହାରେ ବୁଲୁ ନଥିବା ପୋଷା କୁକୁରମାନଙ୍କୁ ମଧ୍ୟ ଧରିବା ଆରମ୍ଭ କଲେ l ଏହା ପ୍ରବଳ ଉତ୍ତେଜନା
ସୃଷ୍ଟି କଲା ଓ ସରକାରଙ୍କ କୁକୁର-ମାରଣ ନୀତି ବିରୁଦ୍ଧରେ ଜନ ଅସନ୍ତୋଷ ତୀବ୍ର ହେବାକୁ ଲାଗିଲା
l ବିଶେଷ କରି ପାର୍ସୀ ସମାଜର ଲୋକେ ସରକାରଙ୍କ କୁକୁର ମରା ଅଭିଯାନ ଯୋଗୁ ଆହତ ଓ ଅପମାନିତ ହେଲେ
l
ସେ ସମୟରେ ବମ୍ଵେ ସହରରେ ଉଭୟ ସଂଖ୍ୟା ଓ ଗୁରୁତ୍ଵ
ଦୃଷ୍ଟିରୁ ପାର୍ସୀମାନେ ବେଶ ସମ୍ମାନଜନକ ସ୍ଥିତିରେ ଥିଲେ l ସେମାନେ ଅନୁସରଣ କରୁଥିବା ଜୋରାଷ୍ଟ୍ରୀୟ
ଧର୍ମଗ୍ରନ୍ଥ ଅନୁଯାୟୀ କୁକୁରକୁ ଭକ୍ତି ଓ ସମ୍ମାନ ପ୍ରଦର୍ଶନ କରାଯାଇଥାଏ l କୁହାଯାଏ କୁକୁର ହେଉଛି
ସ୍ଵର୍ଗର ଦ୍ଵାରପାଳ ଓ କୁକୁରକୁ ଦେଖିବା ମାତ୍ରେ ସମସ୍ତ ମନ୍ଦ ପ୍ରଭାବ ଅପସରି ଯାଇଥାଏ l ସେମାନଙ୍କ
ଧର୍ମଗ୍ରନ୍ଥ ଅଭେସ୍ତାରେ କୁକୁରଙ୍କ ସଦଗୁଣ ଓ ସେମାନଙ୍କର କିପରି ଯତ୍ନ ନେବାକୁ ହେବ ସେ ସମ୍ପର୍କରେ
ବର୍ଣ୍ଣିତ ହୋଇଛି l ସେହି ବର୍ଷ ଜୁନ ୬ ତାରିଖରେ ପାର୍ସୀଙ୍କ ପର୍ବ ‘ମୈଦେୟୀ-ସେମା-ଗାହାମ୍ଵର’ ପଡିଥାଏ
ଓ ଠିକ ସେତିକି ବେଳେ କୁକୁର ମରା ଅଭିଯାନ ଥାଏ ତାର ଚରମରେ l ସେହି ଦିନ ପାର୍ସୀଙ୍କ ଚେତାବନୀ ସତ୍ତ୍ଵେ
ବମ୍ଵେର ଫୋର୍ଟ ଅଞ୍ଚଳରେ ପୋଲିସଙ୍କ କୁକୁର ଧରା ଅଭିଯାନ ଜାରି ରହିବା ଦ୍ଵାରା ପାର୍ସୀମାନେ ଉତକ୍ଷିପ୍ତ
ହୋଇ ରହିଥାନ୍ତି l ଅପରାହ୍ଣରେ ପାଖାପାଖି ୨୦୦ ପାର୍ସୀ ଏହାର ପ୍ରତିବାଦ ଜଣାଇ ଫୋର୍ଟ ଅଞ୍ଚଳରେ ରାସ୍ତାକୁ
ଓହ୍ଲାଇଲେ ଓ ଦୁଇଜଣ କନେଷ୍ଟବଳ ସେମାନଙ୍କ ଆକ୍ରମଣର ଶିକାର ହେଲେ l ସ୍ଥିତିର ମୁକବିଲା କରିବା ପାଇଁ
ସଙ୍ଗେସଙ୍ଗେ ଅଧିକ ସଂଖ୍ୟାରେ ପୋଲିସ ସେଠାରେ ମୁତୟନ ହେଲେ l ନିମିଷକେ ସବୁ ଦୋକାନ ବଜାର ଓ ବ୍ୟବସାୟ
ପ୍ରତିଷ୍ଠାନ ବନ୍ଦ ହେବା ସହ ବନ୍ଦର କାର୍ଯ୍ୟ ସମ୍ପୂର୍ଣ୍ଣ ଠପ ହୋଇଗଲା l ତା ପର ଦିନ ଏକ ବଡ ଧରଣର
ଆନ୍ଦୋଳନ କରିବାକୁ ଯାଇ ପାର୍ସୀମାନେ ସେମାନଙ୍କ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିଲେ l ସେଠାରେ କାର୍ଯ୍ୟରତ
ନିମ୍ନ ବର୍ଗର ପାର୍ସୀ, ହିନ୍ଦୁ, ଜୈନ ଓ ମୁସଲମାନମାନେ ମଧ୍ୟ ଆନ୍ଦୋଳନରେ ଯୋଗ ଦେବାରୁ ଆନ୍ଦୋଳନକାରୀଙ୍କ
ସଂଖ୍ୟା ପାଞ୍ଚ ଶହରୁ ଅଧିକ ହେଲା, ଯଦ୍ଦ୍ଵାରା କେବଳ ଅର୍ଥନୈତିକ ଗତିବିଧି ନୁହେଁ ବରଂ ସହରର ସମସ୍ତ
ଦୈନନ୍ଦିନ ଗତିବିଧି ବାଧାପ୍ରାପ୍ତ ହେଲା l ଆନ୍ଦୋଳନକାରୀମାନେ ସବାରୀରେ ଯାତାୟାତ କରୁଥିବା ଇଂରେଜମାନଙ୍କ
ଉପରକୁ ଟେକା ପଥର ଫୋପାଡିବାର ଖବରମାନ ଆସିଲା l ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଇଂରେଜମାନେ ସେନାଛାଉଣିରୁ
ସୈନିକମାନଙ୍କୁ ଆଣି ମୁତୟନ କରିବାକୁ ସ୍ଥିର କଲେ l ସୈନ୍ୟବାହିନୀଙ୍କ ନିକଟରେ ଯେପରି ଖାଦ୍ୟ ଓ ପାନୀୟ
ଜଳ ପହଞ୍ଚି ନ ପାରେ ସେଥିପାଇଁ ଆନ୍ଦୋଳନକାରୀମାନେ ଭିଡ ସହାୟତାରେ କୁଲି ମଜୁରିଆଙ୍କୁ ଅଟକାଇ ଦେଲେ
l ସନ୍ଧ୍ୟା ସୁଦ୍ଧା ଫୋର୍ଟ ଅଞ୍ଚଳରେ ସୈନ୍ୟ ମୁତୟନ ହେବା ସହ ସେଠାରେ ଦଙ୍ଗା ଆଇନ ଜାରି ହେବା ଘୋଷଣା
ହେବାରୁ କ୍ରମଶଃ ଭିଡ କମିବାକୁ ଲାଗିଲା l ନେତୃତ୍ଵ ନେଉଥିବା କିଛି ନେତାଙ୍କୁ ଗିରଫ କରାଗଲା l ଦଙ୍ଗାରେ
କେହି ମୃତ ହୋଇ ନଥିଲେ ମଧ୍ୟ ଅତ୍ୟଧିକ ଗରମ ଯୋଗୁ ଦୁଇ ଜଣ ଇଂରେଜଙ୍କର ପ୍ରଣହାନି ହୋଇଥିଲା l ଏହି
ସମଗ୍ର ଘଟଣାରେ ଇଂରେଜମାନେ ଲଜ୍ଜିତ ହେବା ସହ ଉପରୋକ୍ତ କୁକୁର ମରା ବିନିୟମକୁ ପ୍ରତ୍ୟାହାର କଲେ
ଓ ଶେଷରେ ବୁଲା କୁକୁରମାନଙ୍କୁ ଦେଖିବା ମାତ୍ରେ ମାରିବାର ନିୟମକୁ ରଦ୍ଦ କରାଗଲା l ସହରରେ ପୁଣି
ସ୍ଵାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ଇଂରେଜ ପ୍ରଶାସନ ପାର୍ସୀ ସମାଜର ନେତୃସ୍ଥାନୀୟ ଲୋକଙ୍କ
ସହ କଥାବାର୍ତ୍ତା ଆରମ୍ଭ କଲେ l ସାର ଜାମସେଦଜୀ ଜିଜିଭୟଙ୍କ ନେତୃତ୍ଵରେ ଏକ ପ୍ରତିନିଧି ମଣ୍ଡଳୀ
ବୁଲା କୁକୁରଙ୍କୁ ନ ମାରି ସ୍ଥାନାନ୍ତର କରିବା ପାଇଁ ଦାବି ଉପସ୍ଥାପନ କଲେ, ଯାହା ଗୃହୀତ ହେଲା
l
ତା ପରଠାରୁ ବମ୍ଵେ ସହରର ବୁଲା କୁକୁରମାନଙ୍କୁ
ନ ମାରି ସେମାନଙ୍କୁ ସ୍ଥାନାନ୍ତରିତ କରାଗଲା l ଏହି ଦଙ୍ଗା ପରେ ସେଠାରେ ପାର୍ସୀମାନଙ୍କ ପ୍ରାଧାନ୍ୟ
ଅଧିକ ବଢିଥିଲେ ମଧ୍ୟ ଇଂରେଜ ପ୍ରଶାସନ ସେମାନଙ୍କୁ ଦଙ୍ଗାର ଷଡଯନ୍ତ୍ରକାରୀ ବୋଲି ମନେ କରି ଭବିଷ୍ୟତରେ
ଏହି ଧରଣର ଦଙ୍ଗାର ଆଶଙ୍କାକୁ ଏଡାଇବା ପାଇଁ ବମ୍ଵେ ସହରରେ ଅନ୍ୟାନ୍ୟ ସମାଜ ଓ ସମ୍ପ୍ରଦାୟର ଲୋକଙ୍କୁ
ମଧ୍ୟ ବ୍ୟବସାୟ ବାଣିଜ୍ୟ କରିବାକୁ ପ୍ରୋତ୍ସାହିତ କଲେ l ବମ୍ଵେ ସହର କ୍ରମଶଃ ସବୁ ଧର୍ମ, ସମ୍ପ୍ରଦାୟ,
ଭାଷାଭାଷୀଙ୍କର ଏକ ମହାନଗରରେ ପରିଣତ ହେଲା ଓ ଆନୁପାତିକ ଭାବେ ପାର୍ସୀଙ୍କ ସଂଖ୍ୟା ହ୍ରାସ ପାଇଲା
l
ଆଜି ମଧ୍ୟ ବିଭିନ୍ନ ଅଞ୍ଚଳରେ ବୁଲା କୁକୁର ସମସ୍ୟା ରହିଛି
l କେତେକ ଅଞ୍ଚଳରେ ସେମାନେ ହିଂସ୍ର ହୋଇ ଲୋକଙ୍କୁ ଆକ୍ରମଣ କରିବାର ଖବରମାନ ଶୁଣିବାକୁ ମିଳୁଛି ତ
ଆଉ କେଉଁଠି ଲୋକେ ସେମାନଙ୍କ ପ୍ରତି ଅସହିଷ୍ଣୁ ହୋଇ ଅମାନବୀୟ ଆଚରଣ କରିବାକୁ ପଛାଉ ନାହାନ୍ତି l
ଅବ୍ୟବସ୍ଥିତ ସହର ଯୋଜନା ଓ ଅତ୍ୟଧିକ ଜନସଂଖ୍ୟା ହିଁ ବୁଲା କୁକୁର ସମସ୍ୟାର ପ୍ରମୁଖ କାରଣ ହୋଇଥିବାରୁ
ଏହି ସମସ୍ୟା଼ଟିର ସମାଧାନ ପାଇଁ ମାନବୀୟ ଦିଗ ପ୍ରତି ଅଧିକ ଗୁରୁତ୍ଵ ଦେବାର ଆବଶ୍ୟକତା ରହିଛି, କାରଣ
ବୁଲା କୁକୁର ଜନିତ ଅନ୍ୟାନ୍ୟ ସମସ୍ୟା ସତ୍ତ୍ଵେ ସେମାନେ ଅଇଁଠା ଓ ଅନ୍ୟାନ୍ୟ ଫୋପଡା ହୋଇଥିବା ଖାଦ୍ୟ
ସାମଗ୍ରୀକୁ ଖାଇ ପରିବେଶକୁ ପରିଷ୍କାର ରଖିବା ସହ ରୋଗ ସଂକ୍ରମଣକୁ ପ୍ରତିହତ କରିଥାନ୍ତି l ତାଛଡା
ମଣିଷ ଓ କୁକୁରର ସମ୍ପର୍କ ଅତି ନିବିଡ, କେଉଁ ବିକ୍ଷୋଭ ବେଳେ ଜୀବନକୁ ବାଜି ଲଗାଇ କୁକୁର ମଣିଷ ପାଖରେ
ଠିଆ ହେଇଛି ତ ପୁଣି କେତେବେଳେ କୁକୁରକୁ ସୁରକ୍ଷା ଦେବା ପାଇଁ ମଣିଷ ତା ଜୀବନକୁ ବାଜିରେ ଲଗାଇ ଦେଇଛି
l
Published in Odia Magazine 'Paurusha' in its February 2019 issue.
Comments
Post a Comment