Skip to main content

ସଙ୍କୁଚିତ ଜିଡିପି, ମୁମୂର୍ଷୁ ଅର୍ଥନୀତି

ଜୁନ ୨୦୧୯ରେ ସମାପ୍ତ ତ୍ରୈମାସ ତୁଳନାରେ ଜୁନ ୨୦୨୦ରେ ସମାପ୍ତ ତ୍ରୈମାସରେ ସର୍ବମୋଟ ଘରୋଇ ଉତ୍ପାଦ (ଜିଡିପି) ୨୩.୯  ପ୍ରତିଶତ ସଙ୍କୁଚିତ ହୋଇଥିବାର ତଥ୍ୟ କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ମନ୍ତ୍ରାଳୟ ଦ୍ୱାରା ଜାରି ହେବା ପରେ ଦେଶରେ ଅର୍ଥନୀତିର ଦୟନୀୟ ସ୍ଥିତି ନେଇ ଗଭୀର ଚିନ୍ତା ପ୍ରକାଶ ପାଇବାକୁ ଲାଗିଛି । ଅଣସଙ୍ଗଠିତ କ୍ଷେତ୍ରରୁ ତଥ୍ୟ ସଂଗୃହୀତ ହୋଇ ପାରି ନ ଥିବାରୁ ଏହି ତଥ୍ୟରେ ସଂଶୋଧନ ହେବ ବୋଲି ସୂଚୀତ କରାଯାଇଛି । ତାହାହେଲେ ଜିଡିପି ସଙ୍କୁଚନର ପ୍ରତିଶତ ଆହୁରି ଅଧିକ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ୧୯୯୬ ମସିହାରୁ ତ୍ରୈମାସ ଭିତ୍ତିରେ ଏହି ତଥ୍ୟ ସାର୍ବଜନୀନ କରିବା ପ୍ରକ୍ରିୟା ଆରମ୍ଭ ହେବା ଦିନଠାରୁ କୌଣସି ତ୍ରୈମାସରେ ଜିଡିପି ସଙ୍କୁଚିତ ହୋଇ ନଥିଲା । କେବଳ ସେତିକି ନୁହେଁ, କରୋନା ଜନିତ ସ୍ଥିତି ଯୋଗୁ  ପ୍ରାୟ ଅଧିକାଂଶ ଦେଶର ଜିଡିପି ଏହି ସମୟରେ ସଙ୍କୁଚିତ ହୋଇଥିଲେ ବି ଭାରତର ଜିଡିପି ସଙ୍କୁଚନ ଅନ୍ୟ ଦେଶଗୁଡିକ ତୁଳନାରେ ସର୍ବାଧିକ ହେବା ବାସ୍ତବିକ ଉଦବେଗଜନକ । ଉଦାହରଣ ସ୍ୱରୂପ, ବୃହତ୍ ଅର୍ଥନୀତି ସମ୍ପନ୍ନ ଦେଶଗୁଡିକ ମଧ୍ୟରେ ଜିଡିପି ସଙ୍କୁଚନ ପ୍ରତିଶତ ଦୃଷ୍ଟିରୁ ଭାରତ ପଛକୁ ବ୍ରିଟେନ (୨୦.୪), ସ୍ପେନ (୧୮.୫), ମେକ୍ସିକୋ (୧୭.୧), ଫ୍ରାନ୍ସ (୧୩.୮), ଇଟାଲି (୧୨.୮) ରହିଛନ୍ତି । ହେଲେ ବୃହତ୍ ଅର୍ଥନୀତି ସମ୍ପନ୍ନ ଦେଶଗୁଡିକ ମଧ୍ୟରେ ଚୀନ ହେଉଛି ଏକମାତ୍ର ଦେଶ ଯାହାର ଜିଡିପି ସଙ୍କୁଚିତ ନ ହୋଇ ୩ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । ଭାରତର ଜିଡିପିର ଏହି ବିଶାଳ ସଙ୍କୁଚନର କାରଣକୁ ଖୋଜି ସେଥିରୁ ମୁକୁଳିବାର ଉଚିତ ଉପାୟ ଯେତେ ଶୀଘ୍ର ବାହାରି ପାରିବ ସେତେ ଶୀଘ୍ର ଅର୍ଥନୀତି ଦୁଃସ୍ଥିତିରୁ ଉଦ୍ଧାର ପାଇ ବିକାଶ ହାର ଦ୍ରୁତତର ହୋଇପାରିବ ।   

ସାଧାରଣରେ ଏକ ଧାରଣା ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି ଯେ କରୋନା ପାଇଁ ଭାରତର ଅର୍ଥନୀତି ବିଗିଡି ଗଲା । ବାସ୍ତବତା ହେଉଛି କରୋନାର ଯଥେଷ୍ଟ ପୂର୍ବରୁ ଜୁନ ୨୦୧୮ (ପ୍ରଥମ ତ୍ରୈମାସ)ରେ ଜିଡିପି ବିକାଶ ହାର ୮.୨ ପ୍ରତିଶତ ହେବା ପରେ କ୍ରମାଗତ ଭାବେ ୭ଟି ତ୍ରୈମାସରେ ଏହା ହ୍ରାସ ପାଇ ମାର୍ଚ୍ଚ ୨୦୨୦ ତ୍ରୈମାସରେ ୩.୧ ପ୍ରତିଶତରେ ପହଞ୍ଚି ସାରିଥିଲା । ବେକାରୀ ହାର ଗତ ୪୫ ବର୍ଷର ସର୍ବନିମ୍ନ ସ୍ତରରେ ଥିଲା । ବିମୁଦ୍ରାକରଣ ଅଣସଂଗଠିତ କ୍ଷେତ୍ରର ପ୍ରଭୁତ କ୍ଷତି ସାଧନ କରିଥିବା ବେଳେ ସୁଚିନ୍ତିତ ଭାବେ କାର୍ଯ୍ୟକାରୀ କରା ଯାଇ ନ ଥିବା ଜିଏସଟି ଯୋଗୁ ବ୍ୟବସାୟ ବାଣିଜ୍ୟ ଅତ୍ୟଧିକ କ୍ଷତିଗ୍ରସ୍ତ ହୋଇ ସାରିଥିଲା । ବିଭିନ୍ନ ସାମଗ୍ରୀ ଓ ସେବାର ଚାହିଦା ହ୍ରାସ ପାଇ ସେଗୁଡିକର ଉତ୍ପାଦନ କମିବାକୁ ଲାଗିଥିଲା । ଠିକ ଏତିକି ବେଳେ ନିଆଁରେ ଘିଅ ଢାଳିଲା ଭଳି କରୋନା ପରବର୍ତ୍ତୀ ଲକଡାଉନ ଓ ବିଭିନ୍ନ ପ୍ରକାର କଟକଣା ମନ୍ଥର ଗତିରେ ଚାଲୁଥିବା ଅର୍ଥନୀତିକୁ ବିପରୀତ ଦିଗରେ ଚାଲିବା ପାଇଁ ବାଧ୍ୟ କଲା ।

ଜିଡିପି ସଙ୍କୁଚନ ୨୪ ପ୍ରତିଶତ ହେବା ଯେତିକି ଚିନ୍ତାଜନକ ତା’ଠାରୁ ଅଧିକ ଉଦବେଗଜନକ ଏହି ସମୟରେ ଅର୍ଥନୀତିର ପ୍ରାୟ ପ୍ରତିଟି କ୍ଷେତ୍ର ସଙ୍କୁଚିତ ହେବା । କାରଖାନା ଉତ୍ପାଦନ (ମାନୁଫ୍ୟାକଚରିଂ) କ୍ଷେତ୍ରରେ ସଙ୍କୁଚନ ୩୯ ପ୍ରତିଶତ ହୋଇଥିବା ବେଳେ ନିର୍ମାଣ (କନଷ୍ଟ୍ରକସନ) କ୍ଷେତ୍ରରେ ଏହା ୫୦ ପ୍ରତିଶତ ହୋଇଛି । ସେହିପରି ବ୍ୟବସାୟ, ହୋଟେଲ, ଯାନବାହାନ ଚଳାଚଳ, ଯୋଗାଯୋଗ କ୍ଷେତ୍ର, ମାଇନିଂ କ୍ଷେତ୍ର, ବିଦ୍ୟୁତ ଓ ଗ୍ୟାସ କ୍ଷେତ୍ରରେ ଯଥାକ୍ରମେ ୪୭, ୨୩ ଓ ୭ ପ୍ରତିଶତ ସଙ୍କୁଚନ ହୋଇଛି । ବ୍ୟାଙ୍କ, ଇନସୁରାନ୍ସ ଭଳି ଆର୍ଥିକ କ୍ଷେତ୍ରରେ ସଙ୍କୁଚନ ସର୍ବନିମ୍ନ ୫ ପ୍ରତିଶତ ହୋଇଛି । ଏ ସବୁ ଭିତରେ କେବଳ ଏକମାତ୍ର ଉତ୍ସାହଜନକ ପ୍ରଦର୍ଶନ କୃଷି କ୍ଷେତ୍ରରେ ଦେଖିବାକୁ ମିଳିଛି, ଯେଉଁଠି ସଙ୍କୁଚନ ନ ହୋଇ ବରଂ ବିକାଶ ହାର ୩.୪ ପ୍ରତିଶତ ବୃଦ୍ଧି ପାଇଛି ।   

୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ହୋଇଥିବା ଜିଡିପିର ଏହି ସଙ୍କୁଚନ କେବଳ ଏହି ଗୋଟିଏ ତ୍ରୈମାସ ମଧ୍ୟରେ ସୀମିତ ରହିବ ନାହିଁ । ଏଥି ପୂର୍ବରୁ ରିଜର୍ଭ ବ୍ୟାଙ୍କ, ନିର୍ଦ୍ଦିଷ୍ଟ ଭାବେ କେତେ ପ୍ରତିଶତ କହି ନ ଥିଲେ ବି, ଏ ବର୍ଷ ଶେଷ ସୁଦ୍ଧା ଦେଶର ଜିଡିପି ବୃଦ୍ଧି ନ ପାଇ ସଙ୍କୁଚିତ ହେବ ବୋଲି ପୂର୍ବାନୁମାନ କରି ସାରିଛନ୍ତି । ବିଭିନ୍ନ ଦେଶୀ ଓ ବିଦେଶୀ ରେଟିଂ ସଂସ୍ଥା ଏ ବର୍ଷ ଭାରତର ଜିଡିପି ୫ରୁ ୭ ପ୍ରତିଶତ ସଙ୍କୁଚିତ ହେବ ବୋଲି ପୂର୍ବାନୁମାନ କରିଛନ୍ତି । ତେବେ ପ୍ରଥମ ତୈମାସରେ ଜିଡିପି ୨୪ ପ୍ରତିଶତ ସଙ୍କୁଚିତ ହୋଇ ସାରିଥିବାରୁ ଏ ବର୍ଷ ଶେଷ ସୁଦ୍ଧା ଜିଡିପି ସଙ୍କୁଚନ ଅନ୍ତତଃ ପକ୍ଷେ ୧୦ ପ୍ରତିଶତ ହେବ ବୋଲି କେତେକ ଅର୍ଥନୀତି ବିଶାରଦ ମତ ଦେଲେଣି, ଯାହା ନିଶ୍ଚିତ ଭାବେ ଚିନ୍ତାଜନକ । ୨୦୧୯ରେ ୨.୯ ଟ୍ରିଲିଅନ (ଲକ୍ଷ କୋଟି) ଡଲାର ଜିଡିପି ସହ ଆମେରିକା, ଚୀନ, ଜାପାନ, ଜର୍ମାନୀ ପଛରେ ପଞ୍ଚମ ବୃହତ୍ ଅର୍ଥନୀତିର ମର୍ଯ୍ୟାଦା ପାଉଥିବା ଭାରତର ଜିଡିପି ପ୍ରାୟ ୨.୬ ଟ୍ରିଲିଅନ ଡଲାରକୁ ଖସି ଆସିବ । ଅର୍ଥାତ୍, ବିକାଶ ଦର ବୃଦ୍ଧି ପାଇ ଦେଶର ଅର୍ଥନୀତି ପୂର୍ବାବସ୍ଥାକୁ ଫେରିବା ପାଇଁ ଆହୁରି ବର୍ଷଟିଏ ଲାଗି ଯାଇପାରେ, ଯଦ୍ଦ୍ୱାରା ଦେଶର ପ୍ରଗତି ଅନ୍ତତଃ ପକ୍ଷେ ୨ ବର୍ଷ ପଛାଇଯିବ ।

ଦେଶ ସ୍ୱାଧୀନତା ପରେ ଏ ଯାବତ୍ ସମୁଦାୟ ଚାରି ବର୍ଷ ଜିଡିପି ସଙ୍କୁଚିତ ହୋଇଛି । ସେଥି ମଧ୍ୟରୁ ଦୁଇ ଥର ଦୁର୍ବଳ ମୌସୁମୀ କାରଣରୁ ହୋଇଥିବା ବେଳେ ଆଉ ଦୁଇ ଥର ତୈଳ ଦର ବୃଦ୍ଧି କାରଣରୁ ହୋଇଥିଲା । ୧୯୫୭-୫୮ ଆର୍ଥିକ ବର୍ଷରେ ପ୍ରଥମ ଥର ପାଇଁ ଜିଡିପି ୧.୨ ପ୍ରତିଶତ ସଙ୍କୁଚିତ ହୋଇଥିଲା । ସେହି ବର୍ଷ ଦେଶର ବିଭିନ୍ନ ସ୍ଥାନରେ ମରୁଡି ଯୋଗୁ କୃଷି ଉତ୍ପାଦନ ଯଥେଷ୍ଟ ହ୍ରାସ ପାଇ ଖାଦ୍ୟପଦାର୍ଥର ଦରଦାମ ଆକାଶଛୁଆଁ ହେବାକୁ ଲାଗିଲା । ଫଳରେ ବିଦେଶରୁ ପ୍ରାୟ ୪୦ ଲକ୍ଷ ଟନ ଖାଦ୍ୟଦ୍ରବ୍ୟ ଆମଦାନୀ କରିବାକୁ ପଡିଥିଲା । ଏହାଦ୍ୱାରା ଆମଦାନୀ ବାବଦ ବ୍ୟୟ ଆଶାତୀତ ଭାବେ ବୃଦ୍ଧି ପାଇଥିଲା, ଯାହାର ଦେଶର ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପଡିଥିଲା । ଠିକ ସେହିପରି ୧୯୬୫-୬୬ ଆର୍ଥିକ ବର୍ଷରେ ଦେଶର ଜିଡିପି ଦ୍ୱିତୀୟ ଥର ଲାଗି ସଙ୍କୁଚିତ ହୋଇଥିଲା ଓ ଏଥର ସଙ୍କୁଚନର ପ୍ରତିଶତ ଥିଲା ୩.୬୬ । ଏଥି ପୂର୍ବରୁ ଚୀନ (୧୯୬୨) ଓ ପାକିସ୍ତାନ (୧୯୬୫) ସହ ଦୁଇ ଦୁଇଟି ଯୁଦ୍ଧ ଲଢି ସାରିଥିବା ଭାରତ ନିଜ ଅର୍ଥନୀତିକୁ ସଜାଡିବାକୁ ଉଦ୍ୟମ କରୁଥିବା ବେଳେ ଦେଶକୁ ଏକ ଭୟଙ୍କର ମରୁଡିର ମୁକାବିଲା କରିବାକୁ ପଡିଲା । ଦେଶରେ ଖାଦ୍ୟଶସ୍ୟ ଉତ୍ପାଦନ ପ୍ରାୟ ୨୦ ପ୍ରତିଶତ ହ୍ରାସ ପାଇଲା ଓ ଦରଦାମ ହୁ ହୁ ହୋଇ ବଢି ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହେବାକୁ ଲାଗିଲା । ପରବର୍ତ୍ତୀ ସଙ୍କୁଚନ ହୋଇଥିଲା ୧୯୭୨-୭୩ ଆର୍ଥିକ ବର୍ଷରେ ଯେତେବେଳେ ଜିଡିପି ମାମୁଲି ୦.୩୨ ପ୍ରତିଶତ ସଙ୍କୁଚିତ ହୋଇଥିଲା । ଏହାର ପୂର୍ବ ବର୍ଷ ୧୯୭୧ରେ ଭାରତ ପାକିସ୍ତାନ ସହ ଯୁଦ୍ଧ ଲଢି ବଙ୍ଗଳାଦେଶକୁ ସ୍ୱାଧୀନତା ପ୍ରଦାନ କରିଥାଏ । ଯୁଦ୍ଧଜନିତ ବ୍ୟୟ ଓ ଲକ୍ଷ ଲକ୍ଷ ସଂଖ୍ୟାରେ ବଙ୍ଗଳାଦେଶୀ ଶରଣାର୍ଥୀଙ୍କୁ ଭାରତରେ ଆଶ୍ରୟ ପ୍ରଦାନ କରି ଭାରତର ଅର୍ଥନୀତି ଏମିତିରେ ଦୁର୍ବଳ ସ୍ଥିତିରେ ଥାଏ । ଠିକ ଏତିକି ବେଳେ ତୈଳ ରପ୍ତାନୀକାରୀ ଓପେକ ଦେଶଗୁଡିକ ତୈଳ ରପ୍ତାନୀ ଉପରେ କଟକଣା ଲଗାଇବାରୁ ଅନ୍ତର୍ଜାତିକ ବଜାରରେ ତୈଳ ଦର ୩ ଡଲାରରୁ ବଢି ହଠାତ୍ ୧୨ ଡଲାର ପ୍ରତି ବ୍ୟାରେଲ ହୋଇଗଲା । ଅଧିକ ଦରରେ ତେଲ ଆମଦାନୀ କରିବା ଦ୍ୱାରା ଦେଶର ଆମଦାନୀ ବାବଦ ବ୍ୟୟ ଦୁଇ ଗୁଣରୁ ଅଧିକ ହୋଇଗଲା ଓ ତାହାର ପ୍ରତିକୂଳ ପ୍ରଭାବ ଅର୍ଥନୀତି ଉପରେ ପଡିଥିଲା । ଦେଶରେ ଶେଷ ଥର ଜିଡିପି ସଙ୍କୁଚନ ହୋଇଥିଲା ୧୯୭୯-୮୦ ଆର୍ଥିକ ବର୍ଷରେ ଯେଉଁ ବର୍ଷ ଏହା ସର୍ବାଧିକ ୫.୨ ପ୍ରତିଶତ ହୋଇଥିଲା । ସେହି ବର୍ଷ ଇରାନ-ଇରାକ ମଧ୍ୟରେ ହୋଇଥିବା ଯୁଦ୍ଧ ଯୋଗୁ ସାରା ବିଶ୍ୱରେ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇ ତୈଳ ଦର ଅନେକ ବଢିଥିଲା । ଭାରତର ତୈଳ ଆମଦାନୀ ବାବଦ ବ୍ୟୟରେ ଆଶାତୀତ ବୃଦ୍ଧି ହୋଇଥିଲା ଯାହାର ପ୍ରଭାବରେ ଅର୍ଥନୀତି ଅତ୍ୟଧିକ କ୍ଷତିଗ୍ରସ୍ତ ହୋଇଥିଲା । ୧୯୮୦ ପରେ ବି ଦେଶର ଅର୍ଥନୀତି ବିଭିନ୍ନ ସମୟରେ ବିକଟ ପରିସ୍ଥିତି ଦେଇ ଗତି କରିଛି, ଦେଶର ଗଚ୍ଛିତ ସୁନାକୁ ବିଦେଶରେ ବନ୍ଧକ ରଖିବାକୁ ପଡିଛି, ଦେଶର ସର୍ବନିମ୍ନ ଆବଶ୍ୟକତା ମେଣ୍ଟାଇବାକୁ ପାଖରେ ବିଦେଶୀ ମୁଦ୍ରାର ଅଭାବ ଦେଖା ଦେଇଛି । ହେଲେ ଦେଶର ଜିଡିପି କେବେ କିନ୍ତୁ ସଙ୍କୁଚିତ ହୋଇ ନ ଥିଲା । ୪୦ ବର୍ଷ ପରେ ଜିଡିପିରେ ହେଉଥିବା ସଙ୍କୁଚନର କାରଣ ପୂର୍ବୋକ୍ତ ବର୍ଷଗୁଡିକର କାରଣଠାରୁ ଭିନ୍ନ । ପୂର୍ବୋକ୍ତ ଚାରି ବର୍ଷରେ କୌଣସି ଗୋଟିଏ କାରଣରୁ ଅର୍ଥନୀତି ଅତିଶୟ ପ୍ରଭାବିତ ହୋଇ ଜିଡିପି ସଙ୍କୁଚିତ ହୋଇଥିଲା । ଫଳରେ ଅର୍ଥନୀତିକୁ ବାଟକୁ ଆଣିବା ପାଇଁ ବେଶି ସମୟ ଲାଗି ନ ଥିଲା । ହେଲେ ଏ ଥର ଅର୍ଥନୀତିର ପ୍ରାୟ ପ୍ରତିଟି କ୍ଷେତ୍ର (ସେକ୍ଟର) ଜିଡିପିର ସଙ୍କୁଚନ ଯୋଗୁ ଊଣା ଅଧିକେ ପ୍ରଭାବିତ । ତେଣୁ ଅର୍ଥନୀତିକୁ ସେଥିରୁ ମୁକୁଳିବାକୁ ଏକାଧିକ ବର୍ଷ ସମୟ ଲାଗିଯିବ । ଜିଡିପି ତଥ୍ୟ ପ୍ରକାଶ ପାଇବା ପରେ କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କ୍ରିଷ୍ଣମୂର୍ତ୍ତି ସୁବ୍ରମଣ୍ୟନ, “ଏବେ ଅର୍ଥନୀତି ‘ଭି’ (V) ଆକାର ପୁନରୁଦ୍ଧାର ପଥରେ ଅଛି” ବୋଲି ମତ ଦେଇଥିଲେ ମଧ୍ୟ ତାହା ଏତେ ଶୀଘ୍ର ଓ ଏତେ ସହଜରେ ଗ୍ରହଣ କରି ହେବ ନାହିଁ । ପ୍ରଥମ ତ୍ରୈମାସରେ କଡାକଡି ଭାବେ ଲକଡାଉନ ଲାଗୁ ହେବା ପରେ ଅର୍ଥନୈତିକ ଗତିବିଧିକୁ ଗତି ଦେବା ପାଇଁ ସେଗୁଡିକୁ ଯଥେଷ୍ଟ କୋହଳ କରାଯାଇଛି । ତେବେ ସମସ୍ୟା ହେଉଛି ଏବେ ସାରା ବିଶ୍ୱରେ ଭାରତ କରୋନାର ନାଭିକେନ୍ଦ୍ର ପାଲଟି ପ୍ରତ୍ୟହ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ବାହାରୁ ଥିବାରୁ ସାମାଜିକ ଦୂରତାକୁ ରକ୍ଷା କରି ସବୁ ପ୍ରକାର ଅର୍ଥନୈତିକ ଗତିବିଧିକୁ ପୂର୍ଣ୍ଣ ଭାବେ କ୍ରିୟାଶୀଳ କରିବା ସମ୍ଭବ ନୁହେଁ । ତେଣୁ ସ୍ଥିତି ସ୍ୱାଭାବିକ ନ ହେଲା ଯାଏଁ କାରଖାନାଗୁଡିକୁ ଖୋଲି ଦିଆଯିବ, ହେଲେ ଉଭୟ କମ ଶ୍ରମିକ ଓ ଖାଉଟିଙ୍କ ଚାହିଦା ହ୍ରାସ କାରଣରୁ ସେଗୁଡିକରେ ପୂର୍ଣ୍ଣ କ୍ଷମତାରେ ଉତ୍ପାଦନ ହୋଇ ପାରିବ ନାହିଁ, ଯାହା ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇବ । ଦେଶ ଭିତରେ ଘରୋଇ ଚାହିଦା, କୃଷି ଓ ରପ୍ତାନୀ ବୃଦ୍ଧି ପାଇ ଅର୍ଥନୀତି ଦ୍ରୁତ ଗତିରେ ପୂର୍ବାବସ୍ଥାକୁ ଫେରି ଆସିବ ବୋଲି ଆଶା ବ୍ୟକ୍ତ କରାଯାଉଛି । ତେବେ ଭାରତର ଅର୍ଥନୀତି ଖାଉଟି-ନିର୍ଭର ଅର୍ଥନୀତି ହୋଇଥିବାରୁ ସାଧାରଣ ଲୋକଙ୍କ ହାତରେ ଖର୍ଚ୍ଚ କରିବା ପାଇଁ ଟଙ୍କା ନ ଆସିବା ଯାଏଁ ବଜାର ଓ ଅର୍ଥନୀତି ଚଳଚଞ୍ଚଳ ହେବ ନାହିଁ । ପୁନଶ୍ଚ, ଅଣସଂଗଠିତ କ୍ଷେତ୍ରରୁ କୋଟି କୋଟି ଶ୍ରମିକ ଜୀବିକା ହରାଇ ଥିବାରୁ ସେମାନଙ୍କ ନିକଟରେ ଆୟର କୌଣସି ପନ୍ଥା ନାହିଁ । ସିଏମଆଇଇର ତଥ୍ୟ ଅନୁଯାୟୀ ଅଗଷ୍ଟ ୨୦୨୦ ସୁଦ୍ଧା ଦେଶରେ ବେକାରୀ ହାର ଅତ୍ୟଧିକ ବୃଦ୍ଧି ପାଇ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଯଥାକ୍ରମେ ୯.୮୩ ଓ ୭.୬୫ ପ୍ରତିଶତରେ ପହଞ୍ଚିଛି । ସହରାଞ୍ଚଳରେ ଚାକିରୀରୁ ଛଟେଇ ହେବା ବା ଦରମା କଟିବାର ଖବରମାନ ପ୍ରତ୍ୟହ ଶୁଣିବାକୁ ମିଳୁଛି । ଏ ଭଳି ସ୍ଥିତିରେ ଅଧିକାଂଶ ପରିବାର ସେମାନଙ୍କ ବ୍ୟୟକୁ ଯଥାସମ୍ଭବ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ ମଧ୍ୟରେ ସୀମିତ ରଖିବାକୁ ଚେଷ୍ଟା କରୁଛନ୍ତି । ଯେ ପର୍ଯ୍ୟନ୍ତ ରୋଜଗାର ଓ ଆୟରେ ସ୍ଥିରତା ନ ଆସିଛି, ଖାଉଟି ମନୋଭାବରେ ପରିବର୍ତ୍ତନ ହୋଇ ପ୍ରକୃତ ଚାହିଦା ବୃଦ୍ଧି ପାଇବା ଲାଗି ସମୟ ଲାଗିବା ସ୍ୱାଭାବିକ । ଅନ୍ୟ ପକ୍ଷରେ କୃଷି କ୍ଷେତ୍ରରେ ବିକାଶ ହାର ଅନ୍ୟ କ୍ଷେତ୍ର ତୁଳନାରେ ଅଧିକ ହୋଇଥିଲେ ବି ସହରଗୁଡିକରୁ ଜୀବିକା ହରାଇ ଗାଁକୁ ଫେରି ଆସିଥିବା ଶ୍ରମିକମାନେ ସେହି କୃଷି ଉପରେ ନିର୍ଭରଶୀଳ ହେବେ । ପୂର୍ବରୁ ସେମାନେ ପଠାଉଥିବା ଟଙ୍କା (ରେମିଟାନ୍ସ) ତ ଗାଁକୁ ଆସିବା ବନ୍ଦ ହୋଇସାରିଛି । ତେଣୁ ଗ୍ରାମ୍ୟ ଅର୍ଥନୀତିରେ ଉଦବୃତ୍ତ ଅର୍ଥର ଅଭାବରେ ଉପଲବ୍ଧ ରାଶି କେବଳ ଅତ୍ୟାବଶ୍ୟକ ଦ୍ରବ୍ୟ କ୍ରୟରେ ବିନିଯୋଗ ହେବ, ଅନ୍ୟତ୍ର ନୁହେଁ । ଫଳରେ ତୁରନ୍ତ ଘରୋଇ ଚାହିଦା ବୃଦ୍ଧି ଓ କୃଷି କ୍ଷେତ୍ରରୁ ଆୟ ବୃଦ୍ଧି ହୋଇ ଗ୍ରାମ୍ୟ ଅର୍ଥନୀତି ଚଳଚଞ୍ଚଳ ହେବା ସମ୍ଭାବନା କ୍ଷୀଣ ।

ଭାରତ ବିଶ୍ୱର ୫ମ ସର୍ବବୃହତ୍ ଅର୍ଥନୀତି ହୋଇଥିଲେ ବି ମୁଣ୍ଡପିଛା ଆୟ ଦୃଷ୍ଟିରୁ ୨୦ଟି ବୃହତ୍ ଅର୍ଥନୀତି ସମ୍ପନ୍ନ ଦେଶଙ୍କ ମଧ୍ୟରେ ଏହାର ସ୍ଥାନ ସବୁଠାରୁ ତଳେ । ବସ୍ତୁତଃ ଭାରତର ମୁଣ୍ଡପିଛା ଆୟ ମାତ୍ର ୨୧୭୦ ଡଲାର ହୋଇଥିବା ବେଳେ ଜାପାନ (୪୦,୮୫୦ ଡଲାର), ଜର୍ମାନୀ (୪୬,୫୬୦ ଡଲାର), ଦକ୍ଷିଣ କୋରିଆ (୩୧,୩୪୫ ଡଲାର) ଭଳି ଅଧିକାଂଶ ବୃହତ୍ ଅର୍ଥନୀତି ସମ୍ପନ୍ନ ଦେଶଙ୍କ ମୁଣ୍ଡ ପିଛା ଆୟ ହାରାହାରି ୩୦ ହଜାର ଡଲାରରୁ ଅଧିକ । ଏପରିକି ବିଶ୍ୱର ସର୍ବାଧିକ ଜନବହୁଳ ଦେଶ ଚୀନ ଓ ଚତୁର୍ଥ ଜନବହୁଳ ଦେଶ ଇଣ୍ଡୋନେସିଆର ମୁଣ୍ଡ ପିଛା ଆୟ ମଧ୍ୟ ଯଥାକ୍ରମେ ୧୦,୧୦୦ ଓ ୩୮୭୧ ଡଲାର, ଯାହା ଭାରତଠାରୁ ଯଥେଷ୍ଟ ଅଧିକ । ଏହି କରୋନା ବିପତ୍ତି ସମୟରେ ଏହା ହିଁ ଭାରତ ପାଇଁ ସବୁଠାରୁ ବେଶି ଚିନ୍ତାର ବିଷୟ । ଯେଉଁ ସବୁ ଦେଶରେ ମୁଣ୍ଡ ପିଛା ଆୟ ଯେତେ ଅଧିକ, ସେଠାରେ ଲୋକଙ୍କ ହାତରେ ଅର୍ଥ ଥିବାରୁ ସେମାନେ ସରକାରୀ ସହାୟତାକୁ ଅପେକ୍ଷା ନ କରି ବି ଚଳି ଯାଇ ପାରିବେ । ହେଲେ ଭାରତର ଗରିବ ଶ୍ରେଣୀର ଲୋକଙ୍କ ହାତରେ ଏମିତିରେ ଅର୍ଥର ଅଭାବ, ଯାହା ଆଗାମୀ ଦିନରେ ଅଧିକ ଉତ୍କଟ ହେବାକୁ ଯାଉଥିବାରୁ, ସରକାର ସେମାନଙ୍କଠାରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ତୁରନ୍ତ ଅର୍ଥ ଉପଲବ୍ଧ ନ କରାଇଲେ ସ୍ଥିତି ଯେ ଆହୁରି ଜଟିଳ ହେବ, ଏଥିରେ ସନ୍ଦେହ ନାହିଁ । ଗତ ମେ ମାସରେ ଅର୍ଥନୀତିକୁ ଗତି ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାର ୨୦ ଲକ୍ଷ କୋଟି ଟଙ୍କାରୁ ଅଧିକ ପରିମାଣର ପ୍ୟାକେଜ ଘୋଷଣା କରିଥିଲେ ବି ତା’ର କୌଣସି ସକାରାତ୍ମକ ପ୍ରଭାବ ଏ ଯାଏଁ ଅନୁଭୂତ ହୋଇ ନାହିଁ । ତା’ର ଏକ ବଡ କାରଣ ହେଲା ଘୋଷିତ ପ୍ୟାକେଜର ଅଧିକ ରାଶି ଦୀର୍ଘ ମିଆଦି । କିନ୍ତୁ ଏବର ଆବଶ୍ୟକତା ହେଉଛି କେନ୍ଦ୍ର ସରକାରଙ୍କ ଦ୍ୱାରା ତାତକାଳିକ ଭାବେ ବିଭିନ୍ନ ଯୋଜନାରେ ବ୍ୟୟ ବୃଦ୍ଧି କରି ଲୋକଙ୍କ ହାତରେ ଟଙ୍କା ପହଞ୍ଚାଇବା । କିନ୍ତୁ ରାଜସ୍ୱ ଆଦାୟ ହ୍ରାସ ପାଇଥିବାରୁ ଓ ସରକାରଙ୍କ ବିତ୍ତୀୟ ନିଅଣ୍ଟ ପ୍ରତିଶତ ଅଧିକ ହୋଇ ସାରିଥିବାରୁ ସରକାର ବଡ ଧରଣର ବ୍ୟୟ କରିବା ଲାଗି ସମର୍ଥ ହୋଇ ନ ପାରନ୍ତି । ସରକାର ଘରୋଇ ପୁଞ୍ଜି ନିବେଶକୁ ପ୍ରୋତ୍ସାହିତ କରିବା ପାଇଁ କିଛି ବଡ ଧରଣର ନୀତିଗତ ନିଷ୍ପତ୍ତି ଗ୍ରହଣ କରିପାରନ୍ତି । ତେବେ ନିକଟ ଅତୀତରେ କର୍ପୋରେଟ ଟିକସ ରିହାତି ଭଳି ସହାୟତା ପ୍ରଦାନ ମାଧ୍ୟମରେ ବଡ ବଡ କମ୍ପାନୀଙ୍କ ହାତକୁ ଲକ୍ଷାଧିକ କୋଟି ଟଙ୍କା ଯାଇଥିଲେ ବି ସେହି ଟଙ୍କା ସେମାନେ ଅର୍ଥନୀତିରେ ପୁନଃନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଥିବାର ନଜିର ବିରଳ । ଏପରି ସ୍ଥିତିରେ ସରକାରଙ୍କ ସମ୍ମୁଖରେ ଆଗାମୀ ନୀତିଗତ ନିଷ୍ପତ୍ତିଗୁଡିକ ଖାଉଟି ଅଥବା କମ୍ପାନୀ କାହା ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ଗ୍ରହଣ କରିବାକୁ ହେବ, ସେ ନେଇ ଦ୍ୱନ୍ଦ୍ୱ ରହିବ । ଏହି କରୋନା କାଳରେ ଦେଶ ଯେଉଁ ବିଷମ ଆର୍ଥକ ଅବସ୍ଥା ମଧ୍ୟ ଦେଇ ଗତି କରୁଛି ସେଥିରୁ ଉଦ୍ଧାର ପାଇବାକୁ ହେଲେ ସରକାରଙ୍କୁ ଅତି ସନ୍ତର୍ପଣ ଓ କୌଶଳ ସହକାରେ ଅର୍ଥନୀତିର ପରିଚାଳନା କରିବାକୁ ହେବ । ଅର୍ଥନୀତିର ଗତିଶୀଳତା ନେଇ ଦେଶବାସୀ ଆଶ୍ୱସ୍ତ ହେଲେ ଯାଇ ଉଭୟ ଚାହିଦା ଓ ଉତ୍ପାଦନ ବୃଦ୍ଧି ପାଇ ଜିଡିପି ପୁଣି ବୃଦ୍ଧି ପାଇବାକୁ ଲାଗିବ ।


Published in Odisha Reporter on September 04, 2020                        

 

Comments

  1. ଖୁବ୍ ସୁନ୍ଦର ବିଶ୍ଳେଷଣ । ଦେଶର ଜିଡ଼ିପି ୨୪% ସଂକୁଚିତ ହୋଇଯିବା ଏକ ବିପଜ୍ଜନକ ସ୍ଥିତି । ଦେଶର ଆର୍ଥିକ ଅବସ୍ଥା ଯେ ଘୋର ସକଟ ମଧ୍ୟଦେଇ ଗତିକରୁଛି, ଏଥିରେ ଦ୍ୱିମତ ନାହିଁ। କରୋନା ଏବେ ଭୟଙ୍କର ସ୍ଥିତିରେ, ଲୋକଙ୍କ ହାତରେ ପଇସା ନାହିଁ, ଅର୍ଥନୀତିକୁ ଗତି ଦେବାପାଇଁ । ଏଭଳି ସ୍ଥିତିରେ ସରକାରଙ୍କୁ ଖୁବ୍ ଭାବିଚିନ୍ତି ପଦକ୍ଷେପ ନେବାକୁ ପଡ଼ିବ, କାରଣ ଗୋଟିଏ ବି ଭୁଲ୍ ନିଷ୍ପତ୍ତି ଦେଶକୁ ରସାତଳଗାମୀ କରିଦେବ । ଆମର ମୁଣ୍ଡପିଛା ଆୟ ବି ସନ୍ତୋଷଜନକ ନୁହେଁ । ଏଣେ ସୀମାରେ ଚୀନକୁ ନେଇ ନି ଜଟିଳତା ବଢ଼ି ବଢ଼ି ଚାଲିଛି। ଏଭଳି ସମୟରେ ସରକାରଙ୍କୁ ଯେ ଅତି ସନ୍ତର୍ପଣ ଓ କୌଶଳ ସହକାରେ ଅର୍ଥନୀତିର ପରିଚାଳନା କରିବାକୁ ହେବ... ଏଥିରେ ଦ୍ଵିମତ ନାହିଁ।

    ReplyDelete
    Replies
    1. ମତାମତ ପାଇଁ ଧନ୍ୟବାଦ ।

      Delete
  2. ଖୁବ୍ ସୁନ୍ଦର ବିଶ୍ଳେଷଣ । ଦେଶର ଜିଡ଼ିପି ୨୪% ସଂକୁଚିତ ହୋଇଯିବା ଏକ ବିପଜ୍ଜନକ ସ୍ଥିତି । ଦେଶର ଆର୍ଥିକ ଅବସ୍ଥା ଯେ ଘୋର ସକଟ ମଧ୍ୟଦେଇ ଗତିକରୁଛି, ଏଥିରେ ଦ୍ୱିମତ ନାହିଁ। କରୋନା ଏବେ ଭୟଙ୍କର ସ୍ଥିତିରେ, ଲୋକଙ୍କ ହାତରେ ପଇସା ନାହିଁ, ଅର୍ଥନୀତିକୁ ଗତି ଦେବାପାଇଁ । ଏଭଳି ସ୍ଥିତିରେ ସରକାରଙ୍କୁ ଖୁବ୍ ଭାବିଚିନ୍ତି ପଦକ୍ଷେପ ନେବାକୁ ପଡ଼ିବ, କାରଣ ଗୋଟିଏ ବି ଭୁଲ୍ ନିଷ୍ପତ୍ତି ଦେଶକୁ ରସାତଳଗାମୀ କରିଦେବ । ଆମର ମୁଣ୍ଡପିଛା ଆୟ ବି ସନ୍ତୋଷଜନକ ନୁହେଁ । ଏଣେ ସୀମାରେ ଚୀନକୁ ନେଇ ନି ଜଟିଳତା ବଢ଼ି ବଢ଼ି ଚାଲିଛି। ଏଭଳି ସମୟରେ ସରକାରଙ୍କୁ ଯେ ଅତି ସନ୍ତର୍ପଣ ଓ କୌଶଳ ସହକାରେ ଅର୍ଥନୀତିର ପରିଚାଳନା କରିବାକୁ ହେବ... ଏଥିରେ ଦ୍ଵିମତ ନାହିଁ।

    ReplyDelete

Post a Comment

Archive

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

2024ର ଭଲ ଗପ

  2024 ମସିହାର ଭଲ ଗପ ଏ ପର୍ଯ୍ୟନ୍ତ ପାଠକ ଓ ଲେଖକଙ୍କଠାରୁ ମିଳିଥିବା 2024 ମସିହାରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ପାଠକାଦୃତ ଗପର ସୂଚନା ଦିଆଯାଇଛି । ଗପଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କରିବେ । ଯେ କୌଣସି ପାଠକ, ସମ୍ପାଦକ ବା ଲେଖକ ତାଙ୍କୁ ଭଲ ଲାଗିଥିବା ଯେ କୌଣସି ଗପର ସୂଚନା ପ୍ରଦାନ କରିପାରିବେ । ଗପଗୁଡ଼ିକ ହସ୍ତଗତ ହେଲେ ସେଗୁଡ଼ିକ ମଧ୍ୟ ଏହି ତାଲିକା ଅନ୍ତର୍ଭୁକ୍ତ କରାଯିବ । ଲେଖକମାନେ ଚାହିଁଲେ ସେମାନଙ୍କ ଗପଟିକୁ ବଦଳାଇପାରିବେ । ଯୁବ କଥାକାରମାନେ ସେମାନଙ୍କ ଜନ୍ମ ତାରିଖ ଜଣାଇଲେ ସେମାନଙ୍କ ଗପକୁ ନିର୍ଦ୍ଦିଷ୍ଟ ବର୍ଗରେ ରଖାଯାଇପାରିବ । ଭୁଲ ବର୍ଗରେ ଥିଲେ ଜଣାଇବାକୁ ଅନୁରୋଧ । ଲେଖକଙ୍କ ନାମର ଆଦ୍ୟ ଅକ୍ଷର କ୍ରମରେ ଗପଗୁଡ଼ିକ ସଜ୍ଜିତ ହୋଇଛି । ସରଳ କୁମାର ଦାସ ୯୪୩୭୦ ୩୮୦୧୫ saral_das@yahoo.co.in (କ) ଜାନୁଆରୀ ୧ , ୧ ୯ ୮୦ ପରେ ଜନ୍ମ ଗ୍ରହଣ କରିଥିବା ଯୁବ କଥାକାରଙ୍କ ଗଳ୍ପ କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଞ୍ଜଳି ସାହୁ ଆଖି ସେପଟର ଛବି କଥା କଥା କବିତା କବିତା ପୂଜା ସଂଖ୍ୟା 2 ଆନନ୍ଦ କୁମାର ମାଇତି ଦାମ୍ପତ୍ୟ ଝଙ୍କାର ସେପ୍ଟେମ୍ୱର 3 ଗିରିଜା ଶଙ୍କର ମିଶ୍ର ପ୍ୟାଟରସନରେ ସନ୍ଧ୍ୟା କଥା ଡିସେମ୍ୱର 4 ଘନଶ୍ୟାମ ପଲେଇ ସମ୍ୱର୍ଦ୍ଧନା ପ୍ରଗତିବାଦୀ-ସୃଜନୀ 19 ମେ 5 ଚିନ୍ମୟୀ ଏସ ଦେବପ୍ରିୟା ଆଣ୍ଡ୍ରୟୁଙ୍କ ଡାଏରୀ ପ୍ରଜନ୍...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି...