ବିଗତ ବର୍ଷମାନଙ୍କରେ ଘରୋଇ କ୍ଷେତ୍ର ଦ୍ୱାରା କୃଷି କ୍ଷେତ୍ରରେ ପୁଞ୍ଜିନିବେଶ ସ୍ଥିର ରହିଛି, ଏପରିକି ସ୍ଥଳ ବିଶେଷରେ ହ୍ରାସ ପାଇଛି । ୨୦୧୪-୧୫ ଆର୍ଥକ ବର୍ଷରେ ଘରୋଇ ପୁଞ୍ଜିନିବେଶ ୨.୫ ଲକ୍ଷ କୋଟି ଟଙ୍କା ହୋଇ କୃଷି କ୍ଷେତ୍ରରେ ସମଗ୍ର ପୁଞ୍ଜି ନିବେଶର ୮୮ ପ୍ରତିଶତ ଥିବା ବେଳେ ୨୦୧୭-୧୮ ଆର୍ଥିକ ବର୍ଷରେ ତାହା ହ୍ରାସ ପାଇ ୨.୧୯ ଲକ୍ଷ କୋଟି ଟଙ୍କା ବା ୮୩ ପ୍ରତିଶତରେ ପହଞ୍ଚିଛି, ଯାହା ଉଦବେଗଜନକ । କୃଷି ଉତ୍ପାଦନ ଓ ଉତ୍ପାଦିକା ବୃଦ୍ଧି ପାଇଁ କୃଷି ଭିତ୍ତିଭୂମି ବିକାଶ ହେବା ଆବଶ୍ୟକ । ସେହିପରି ଚାଷୀମାନେ ଉପଯୁକ୍ତ ବଜାର ବ୍ୟବସ୍ଥା ସହ ଉଚିତ ମୂଲ୍ୟରେ ଉତ୍ପାଦିତ ଖାଦ୍ୟଦ୍ରବ୍ୟ ବିକ୍ରି କରି ପାରୁ ନଥିବାରୁ ପ୍ରାୟ ୧୫-୨୦ ପ୍ରତିଶତ ଖାଦ୍ୟଶସ୍ୟ ନଷ୍ଟ ହୋଇଯାଉଛି, ଯଦ୍ଦ୍ୱାରା ସେମାନେ ଅନେକ କ୍ଷତିଗ୍ରସ୍ତ ହେଉଛନ୍ତି । ବିକଶିତ ଦେଶମାନଙ୍କରେ ଏହି କ୍ଷତିର ହାର ମାତ୍ର ୫ରୁ ୧୫ ପ୍ରତିଶତ । ତେଣୁ କୃଷି ଭିତ୍ତିଭୂମି ବିକାଶରେ ଯଥେଷ୍ଟ ପୁଞ୍ଜିନିବେଶର ଆବଶ୍ୟକତା ରହିଛି ଓ ଏ ନେଇ ଘରୋଇ କ୍ଷେତ୍ରର ଏକ ବଡ ଭୂମିକା ଥିବା ସତ୍ତ୍ୱେ ବିଭିନ୍ନ କାରଣରୁ ସେମାନେ ଏଥି ପ୍ରତି ବୀତସ୍ପୃହ ହେବା କୃଷି ପାଇଁ ନିଶ୍ଚିତ ଭାବେ ଏକ ଶୁଭ ସୂଚନା ନୁହେଁ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ଦ୍ୱାରା ନିକଟରେ ୧ ଲକ୍ଷ କୋଟି ଟଙ୍କାର ଏକ ‘କୃଷି ଭିତ୍ତିଭୂମି ପାଣ୍ଠି’ (ଆଗ୍ରିକଲଚର ଇନଫ୍ରାଷ୍ଟ୍ରକଚର ଫଣ୍ଡ)ର ଘୋଷଣା ହେଲା । ଏହି ଯୋଜନା ମାଧ୍ୟମରେ କୃଷି କ୍ଷେତ୍ରରେ ବିଶେଷ କରି ଅମଳ ପରବର୍ତ୍ତୀ ପରିଚାଳନା ପାଇଁ ଆବଶ୍ୟକ ଭିତ୍ତିଭୂମି ଓ ଗୋଷ୍ଠୀ କୃଷି ସମ୍ପତ୍ତି ନିର୍ମାଣ ଉଦ୍ଦେଶ୍ୟରେ ମଧ୍ୟମ ତଥା ଦୀର୍ଘ ମିଆଦି ଋଣ ଯୋଗାଇ ଦିଆଯିବ, ଯେଉଁଥିରେ ସୁଧ ରିହାତି ଓ ଅନ୍ୟ ସହାୟତାର ପ୍ରାବଧାନ ରହିବ । କୃଷି କ୍ଷେତ୍ରରେ ଏତେ ପରିମାଣର ପୁଞ୍ଜି ନିବେଶର ଘୋଷଣା ସ୍ୱାଗତଯୋଗ୍ୟ ପରି ମନେ ହେଉଥିଲେ ବି ଅନଗ୍ରସର ରାଜ୍ୟଗୁଡିକରେ କୃଷି ଭିତ୍ତିଭୂମି ବିକାଶରେ ଏହି ପାଣ୍ଠି କେତେ ଦୂର ସହାୟକ ହେବ, ତାହା ତର୍ଜମାର ବିଷୟ ।
ଏହି ଯୋଜନା ଚଳିତ ଆର୍ଥିକ ବର୍ଷ, ଅର୍ଥାତ୍ ୨୦୨୦-୨୧ରୁ ଆରମ୍ଭ ହୋଇ ୧୦ ବର୍ଷ ଯାଏଁ ଅର୍ଥାତ୍ ୨୦୨୯-୩୦ ପର୍ଯ୍ୟନ୍ତ ଚାଲିବ । ଯୋଜନା ମୁତାବକ ଆଗାମୀ ଚାରି ବର୍ଷ ମଧ୍ୟରେ ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନମାନଙ୍କ ମାଧ୍ୟମରେ ୧ ଲକ୍ଷ କୋଟି ଟଙ୍କାର ଋଣ ଯୋଗାଇ ଦିଆଯିବ, ଯେଉଁଥିରୁ ୧୦ ହଜାର କୋଟି ଟଙ୍କା ଚଳିତ ବର୍ଷ ଦିଆଯିବାକୁ ଥିଲା ବେଳେ ବାକି ତିନି ବର୍ଷ ବାର୍ଷିକ ୩୦ ହଜାର କୋଟି ଟଙ୍କା ଲେଖାଏଁ ଦିଆଯିବା ପାଇଁ ସ୍ଥିର ହୋଇଛି । ଏହି ପାଣ୍ଠିରୁ ୨୪ ପ୍ରତିଶତ ଅନୁସୂଚୀତ ଜାତି ଓ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ । ଏହି ଋଣକୁ ପ୍ରାଥମିକ କୃଷି ସମବାୟ ସମିତି, ବାଣିଜ୍ୟ ସମବାୟ ସମିତି, କୃଷକ ଉତ୍ପାଦ ସଂଘ (ଏଫପିଓ), ସ୍ୱୟଂ ସହାୟକ ଗୋଷ୍ଠୀ, ଚାଷୀ, ସଂଯୁକ୍ତ ଦାୟ ଗୋଷ୍ଠୀ (ଜେଏଲଜି), ବହୁମୁଖୀ ସମବାୟ ସମିତି, କୃଷି ଉଦ୍ୟୋଗୀ, ଷ୍ଟାର୍ଟଅପସ, ଏକତ୍ରିକରଣ ଭିତ୍ତିଭୂମି ପ୍ରଦାନକାରୀ (ଆଗ୍ରିଗେଟିଂ ଇନଫ୍ରାଷ୍ଟ୍ରକଚର ପ୍ରୋଭାଇଡର) ଏବଂ କେନ୍ଦ୍ର/ରାଜ୍ୟ ସଂସ୍ଥା ବା ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା ପ୍ରାୟୋଜିତ ସରକାରୀ-ଘରୋଇ ଭାଗିଦାରୀ (ପିପିପି)ଗୁଡିକୁ ଯୋଗାଇ ଦିଆଯିବ । ଏଥିରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ଶତକଡା ୩ ଭାଗ ସୁଧ ରିହାତି (ଇଣ୍ଟରେଷ୍ଟ ସବଭେନସନ) ମିଳିବାର ସୁବିଧା ରହିଛି । ଋଣର ପରିମାଣ ତା’ଠାରୁ ଅଧିକ ହେଲେ ୨ କୋଟି ଟଙ୍କା ଯାଏଁ ଏହି ସୁଧ ରିହାତି ମିଳିବ । ଏହି ସୁଧ ରିହାତି ସର୍ବାଧିକ ୭ ବର୍ଷ ଯାଏଁ ମିଳିବ । ଏତଦବ୍ୟତୀତ ଏହି ଯୋଜନାରେ ପ୍ରତିଟି ଋଣ ପାଇଁ ସିଜିଟିଏମଏସଇ ଦ୍ୱାରା ବ୍ୟାଙ୍କମାନଙ୍କୁ ଋଣ ଗ୍ୟାରେଣ୍ଟି ପ୍ରଦାନ କରାଯିବ, ଯଦ୍ଦ୍ୱାରା ବ୍ୟାଙ୍କମାନେ ବନ୍ଧକ ପାଇଁ ଆଉ ଋଣଗ୍ରହୀତାଙ୍କ ଉପରେ ଚାପ ପକାଇବେ ନାହିଁ । ଏଫପିଓଗୁଡିକ ପାଇଁ ଏହା ଡିଏସିଏଫଡବଲ୍ୟୁର ଏଫପିଓ ପ୍ରୋତ୍ସାହନ ଯୋଜନାରୁ ଯୋଗାଇ ଦିଆଯିବ । ଏହି ଗ୍ୟାରେଣ୍ଟି ପ୍ରଦାନ ପାଇଁ ଆବଶ୍ୟକ ହେଉଥିବା ‘ଫି’ କେନ୍ଦ୍ର ସରକାର ବହନ କରିବେ । ଏହି ଯୋଜନାରେ ସୁଧ ରିହାତି, ଗ୍ୟାରେଣ୍ଟି ଫି’ଠାରୁ ଆରମ୍ଭ କରି ଅନ୍ୟାନ୍ୟ ପ୍ରଶାସନିକ ବ୍ୟୟ ବାବଦକୁ କେନ୍ଦ୍ର ସରକାର ୧୦ ବର୍ଷରେ ମାତ୍ର ୧୦,୭୩୬ ହଜାର କୋଟି ଟଙ୍କା ବହନ କରିବେ । ଏହି ଯୋଜନାରେ ବାଣିଜ୍ୟିକ ବ୍ୟାଙ୍କ, ସମବାୟ ବ୍ୟାଙ୍କ, ଗ୍ରାମ୍ୟ ବ୍ୟାଙ୍କ, ସ୍ମଲ ଫାଇନାନ୍ସ ବ୍ୟାଙ୍କ, ଏନବିଏଫସି, ଏନସିଡିସି ଭଳି ବିତ୍ତୀୟ ଅନୁଷ୍ଠାନମାନେ ଅଂଶଗ୍ରହଣ କରି ଋଣ ପ୍ରଦାନ କରି ପାରିବେ । ସେମାନେ ସର୍ବୋଚ୍ଚ କେତେ ହାରରେ ସୁଧ ଆଦାୟ କରିବେ ତାହା ପୂର୍ବରୁ ସ୍ଥିର ହେବ । ଏଥିପାଇଁ ଆଗ୍ରହୀ ବିତ୍ତୀୟ ଅନୁଷ୍ଠାନଗୁଡିକୁ କୃଷି ମନ୍ତ୍ରାଳୟ, ନାବାର୍ଡ/ ଡିଏସିଏଫଡବଲ୍ୟୁ ସହ ଏମଓୟୁ ସ୍ୱାକ୍ଷର କରିବାକୁ ହେବ । ପୁନର୍ବିତ୍ତ ସହାୟତା ଆବଶ୍ୟକ କରୁଥିବା ବିତ୍ତୀୟ ଅନୁଷ୍ଠାନଗୁଡିକୁ ନାବାର୍ଡ ତରଫରୁ ତାହା ଯୋଗାଇ ଦିଆଯିବ ।
ଏହି ଯୋଜନାରେ ମୁଖ୍ୟତଃ ଦୁଇ ପ୍ରକାର ପ୍ରକଳ୍ପକୁ ଋଣ ଓ ଆର୍ଥିକ ସହାୟତା ମିଳି ପାରିବ । ପ୍ରଥମ, ଅମଳ ପରବର୍ତ୍ତୀ ପରିଚାଳନା ପ୍ରକଳ୍ପ, ଯେଉଁଥିରେ (୧) ଇ-ମାର୍କେଟିଂ ମଞ୍ଚ ଭଳି ଆପୂର୍ତ୍ତି ଶୃଙ୍ଖଳ ସେବା (ସପ୍ଲାଏ ଚେନ ସର୍ଭିସେସ), (୨) ଗୋଦାମ ଘର, (୩) ଭୂମିଗତ କକ୍ଷ (ସାଇଲୋ), (୪) ପ୍ୟାକ ହାଉସ, (୫) ମାନ ପରଖିବା ଏକକ (ଆସେଇଙ୍ଗ ୟୁନିଟ), (୬) ବାଛିବା ଓ ଗ୍ରେଡିଂ କରିବା ଏକକ, (୭) ଶୀତଳ ଶୃଙ୍ଖଳ (ଶୀତଳ ଭଣ୍ଡାର, ରିଫର ଭ୍ୟାନ ଇତ୍ୟାଦି), (୮) ସରବରାହ (ଲଜିଷ୍ଟିକ) ସୁବିଧା, (୯) ପ୍ରାଥମିକ ପ୍ରକ୍ରିୟାକରଣ କେନ୍ଦ୍ର, (୧୦) ଫଳ ପାଚିବା କକ୍ଷ (ରାଇପନିଂ ଚ୍ୟାମ୍ୱର) ରହିଛି । ଦ୍ୱିତୀୟ, କୃଷିକାର୍ଯ୍ୟ ପାଇଁ ଗୋଷ୍ଠୀ ସ୍ତରୀୟ ସମ୍ପତ୍ତି ନିର୍ମାଣ ପ୍ରକଳ୍ପ, ଯେଉଁଥିରେ (୧) ଜୈବିକ ଉପାଦାନ ପ୍ରସ୍ତୁତି, (୨) ବାଇଓ-ଷ୍ଟିମ୍ୟୁଲାଣ୍ଟ ଉତ୍ପାଦନ, (୩) ସ୍ମାର୍ଟ ଓ ପ୍ରେସିସନ କୃଷି ପାଇଁ ଭିତ୍ତିଭୂମି, (୪) କ୍ଲଷ୍ଟର ଭିତ୍ତିରେ ବିଶେଷ କରି ରପ୍ତାନୀ ଭିତ୍ତିକ କେତେକ ଶସ୍ୟ ପାଇଁ ଆପୂର୍ତ୍ତି ଶୃଙ୍ଖଳ ଭିତ୍ତିଭୂମି (ସପ୍ଲାଏ ଚେନ ଇନଫ୍ରାଷ୍ଟ୍ରକଚର), (୫) କେନ୍ଦ୍ର/ରାଜ୍ୟ/ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା ଅଧୀନରେ ସରକାରୀ ଘରୋଇ ଭାଗିଦାରୀ (ପିପିପି) ମାଧ୍ୟମରେ କୃଷିକାର୍ଯ୍ୟ ପାଇଁ ଗୋଷ୍ଠୀସ୍ତରୀୟ ସମ୍ପତ୍ତି ବା ଅମଳ ପରବର୍ତ୍ତୀ ପରିଚାଳନା ପାଇଁ ପ୍ରସ୍ତୁତ ପ୍ରକଳ୍ପଗୁଡିକ ରହିଛି । ଏତେଗୁଡିଏ କାର୍ଯ୍ୟ ପାଇଁ ଏହି ପାଣ୍ଠିରୁ ଋଣ ଉପଲବ୍ଧ ହେବାର ଥିଲେ ମଧ୍ୟ ମୁଖ୍ୟତଃ ଶୀତଳ ଭଣ୍ଡାର, ଗୋଦାମ ଘର, କୃଷି ପ୍ରକ୍ରିୟାକରଣ ଓ କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ତଥା ଉନ୍ନତ ମାନର କୃଷି ଯନ୍ତ୍ରପାତି ଆହରଣ ପାଇଁ ଏହି ପାଣ୍ଠି ବ୍ୟବହୃତ ହେବ । ତେଣୁ ଏହି ଯୋଜନା ଅନ୍ତର୍ଗତ ପ୍ରକଳ୍ପଗୁଡିକର ପ୍ରତିଷ୍ଠା ଓ ପରିଚାଳନା ପାଇଁ ଉଭୟ ଅର୍ଥ ଓ ଶିକ୍ଷାଗତ ଆବଶ୍ୟକତା ଯଥେଷ୍ଟ ଅଧିକ ହୋଇଥିବାରୁ ସାଧାରଣ ଚାଷୀଟିଏ ଏ ନେଇ ଆଗଭର ନ ହୋଇ ଏହାର ସିଧାସଳଖ ଲାଭ ପାଇ ପାରିବ ନାହିଁ । ଏହାର କିଛିଟା ଲାଭ ପାଇବାକୁ ହେଲେ ସେମାନଙ୍କୁ ଏଫପିଓ ମାଧ୍ୟମରେ ସଂଘବଦ୍ଧ ହୋଇ ସାମୂହିକ ଭାବେ ଦକ୍ଷତାକୁ ବୃଦ୍ଧି କରି ଆଗେଇ ଆସିବାକୁ ହେବ । ବିଶେଷ କରି ଏଫପିଓ ମାଧ୍ୟମରେ କୃଷି ଯାନ୍ତ୍ରିକୀକରଣକୁ ଗୁରୁତ୍ୱ ଦିଆଯାଇ ଅଗ୍ରାଧିକାର ଭିତ୍ତିରେ ଚାଷୀମାନଙ୍କୁ ବିଭିନ୍ନ କୃଷି କାର୍ଯ୍ୟ ପାଇଁ କଷ୍ଟମ ହାୟାରିଂ କେନ୍ଦ୍ର ଜରିଆରେ ଉନ୍ନତ କୃଷି ଯନ୍ତ୍ରପାତି ଯୋଗାଇ ଦେବାର କାର୍ଯ୍ୟ ଆରମ୍ଭ କରା ଯାଇପାରେ ।
ଏହି ଯୋଜନାରେ ଆଗାମୀ ୪ ବର୍ଷ ଭିତରେ କୃଷି ଭିତ୍ତିଭୂମି ଲାଗି ଯେଉଁ ୧ ଲକ୍ଷ ଟଙ୍କାର କୃଷି ଋଣ ଯୋଗାଇ ଦେବା କଥା କୁହା ଯାଇଛି, ସେଥିରୁ ସର୍ବାଧିକ ୧୨୮୩୧ କୋଟି ଟଙ୍କା ଉତ୍ତର ପ୍ରଦେଶ ପାଇଁ ଧାର୍ଯ୍ୟ ହୋଇଥିଲା ବେଳେ ତା’ ପଛକୁ ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ଗୁଜରାଟ, ପଶ୍ଚିମ ବଙ୍ଗ ରାଜ୍ୟଗୁଡିକ ପାଇଁ ଯଥାକ୍ରମେ ୯୦୧୫, ୮୪୬୦, ୭୪୪୦, ୭୨୮୨ ଓ ୭୨୬୦ କୋଟି ଟଙ୍କା ଧାର୍ଯ୍ୟ ହୋଇଥିଲା ବେଳେ କେବଳ ଏହି ୬ଟି ରାଜ୍ୟ ପାଇଁ ଏହି ପାଣ୍ଠିର ୫୦ ପ୍ରତିଶତରୁ ଅଧିକ ରାଶି ଧାର୍ଯ୍ୟ ହୋଇଛି । ଆପାତତଃ ରାଜ୍ୟଓ୍ୱାରୀ ଧାର୍ଯ୍ୟ ହୋଇଥିବା ଋଣ ଲକ୍ଷ୍ୟ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରୁ ଉତ୍ପାଦିତ ସାମଗ୍ରୀର ମୂଲ୍ୟର ଅନୁପାତ ଆଧାରରେ ନିର୍ଦ୍ଧାରିତ ହୋଇଥିବା ଉଲ୍ଲେଖ ହୋଇଥିଲେ ମଧ୍ୟ, ତାହା ସମ୍ପୃକ୍ତ ରାଜ୍ୟର ଆବଶ୍ୟକତା ଅନୁସାରେ ସ୍ଥିର ନ ହୋଇ ଋଣ ଗ୍ରହଣ କ୍ଷମତା (କ୍ରେଡିଟ ଆବଜରପସନ କାପାସିଟି) ଆଧାରରେ ହୋଇଥିଲା ପରି ମନେ ହୁଏ, ଯଦ୍ଦ୍ୱାରା ଓଡିଶା ପରି କେତେକ ରାଜ୍ୟ ବିଶେଷ ଲାଭାନ୍ୱିତ ହେବାର ସମ୍ଭାବନା ଉଜ୍ଜ୍ୱଳ ଥିଲା ପରି ଜଣା ପଡୁ ନାହିଁ । କାରଣ ଅପେକ୍ଷାକୃତ ଉନ୍ନତ ଭିତ୍ତିଭୂମି ଥିବା ରାଜ୍ୟଗୁଡିକରୁ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରୁ ଉତ୍ପାଦନ ଅଧିକ ହେବା ସ୍ୱାଭାବିକ । ଫଳସ୍ୱରୂପ, ଅପେକ୍ଷାକୃତ ଉନ୍ନତ ଭିତ୍ତିଭୂମି ଥିବା ରାଜ୍ୟଗୁଡିକରେ ଅଧିକ ପୁଞ୍ଜି ବିନିଯୋଗ ହୋଇ ସେଠାରେ ଅଧିକ ଭିତ୍ତିଭୂମି ସୃଷ୍ଟି ହେବ, ଯଦ୍ଦ୍ୱାରା ଅନ୍ୟ ପଛୁଆ ରାଜ୍ୟଗୁଡିକ ଆହୁରି ପଛାଇ ଯିବେ ଓ ଏହା ଆଞ୍ଚଳିକ ବୈଷମ୍ୟ ବୃଦ୍ଧିରେ ପରୋକ୍ଷରେ ସହାୟକ ହେବ । ତେଣୁ ଯେଉଁ ସବୁ ରାଜ୍ୟରେ ବ୍ୟାଙ୍କ ଋଣ ମାଧ୍ୟମରେ ଘରୋଇ ପ୍ରୟାସରେ କୃଷି ଭିତ୍ତିଭୂମିର ବିକାଶ ସମ୍ଭାବନା କମ, ସେଠାରେ ସେହି ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାରଙ୍କୁ ତାଙ୍କ ନିୟନ୍ତ୍ରଣରେ ଥିବା ପ୍ରାଥମିକ ସମବାୟ ସମିତି ଓ ବାଣିଜ୍ୟ ସମବାୟ ସମିତିଗୁଡିକ ଜରିଆରେ ସିଧାସଳଖ ଅଂଶଗ୍ରହଣ କରିବାକୁ ପଡିପାରେ । ଏଠାରେ ଥାଇଲାଣ୍ଡର ‘ବ୍ୟାଙ୍କ ଅଫ ଆଗ୍ରିକଲଚର ଆଣ୍ଡ ଆଗ୍ରିକଲଚରାଲ କୋଅପରେଟିଭସ’ (ବାକ)ର ଉଦାହରଣକୁ ନିଆ ଯାଇପାରେ । ସେଠାରେ ଶସ୍ୟ ସଂରକ୍ଷଣ ପାଇଁ ଆବଶ୍ୟକ ହେଉଥିବା ଗୋଦାମ ଘର ଘରୋଇ ପୁଞ୍ଜିନିବେଶରେ ତିଆରି ନ ହୋଇ ବ୍ୟାଙ୍କ ଦ୍ୱାରା ତିଆରି ହୋଇଥାଏ ଓ ଚାଷୀମାନଙ୍କୁ ଶସ୍ୟ ସଂରକ୍ଷଣ ପାଇଁ ତାହା ସୁଲଭ ମୂଲ୍ୟରେ ଯୋଗାଇ ଦିଆ ଯାଇଥାଏ । ସରକାରୀ ସଂସ୍ଥାଙ୍କ ଅଂଶଗ୍ରହଣ ପାଇଁ ‘କୃଷି ଭିତ୍ତିଭୂମି ପାଣ୍ଠି’ରେ ସ୍ୱତନ୍ତ୍ର ପ୍ରାବଧାନ ଥିଲେ ଭଲ ହୋଇ ଥାଆନ୍ତା । ଅବଶ୍ୟ ନାବାର୍ଡ ଦ୍ୱାରା ପରିଚାଳିତ ‘ଗ୍ରାମ୍ୟ ଭିତ୍ତିଭୂମି ବିକାଶ ପାଣ୍ଠି’ (ଆରଆଇଡିଏଫ)ରେ କୃଷି ଭିତ୍ତିଭୂମି ବିକାଶ ପାଇଁ ସରକାର ଋଣ ନେବାର ବ୍ୟବସ୍ଥା ଥିଲେ ମଧ୍ୟ ସେଥିରେ ତିଆରି ହୋଇଥିବା ଭିତ୍ତିଭୂମି ଚାଷୀଙ୍କ କାମରେ କେତେ ଲାଗୁଛି ତାହା ସମୀକ୍ଷା ହେବା ଆବଶ୍ୟକ । ଉଦାହରଣ ସ୍ୱରୂପ, ଓଡିଶାରେ ରାଜ୍ୟ ସରକାରଙ୍କ ଦ୍ୱାରା ଆରଆଇଡିଏଫରେ ଋଣ ନେଇ ପ୍ରାଥମିକ କୃଷି ସମବାୟ ସମିତିଗୁଡିକରେ ନିର୍ମାଣ ହୋଇଥିବା ଗୋଦାମ ଘରଗୁଡିକରୁ ଅଧିକାଂଶ ଚାଷୀଙ୍କ ଶସ୍ୟ ସଂରକ୍ଷଣରେ ବ୍ୟବହାର ନ ହୋଇ ଅନ୍ୟ ଭାବେ ବ୍ୟବହୃତ ହେଉଥିବାରୁ ଗ୍ରାମ୍ୟ ଗୋଦାମ ଘର ନିର୍ମାଣର ମୂଳ ଲକ୍ଷ୍ୟ ପୂରଣ ହୋଇ ପାରୁନାହିଁ ।
କୃଷି ଭିତ୍ତିଭୂମି ପାଣ୍ଠି ଯୋଜନାଟି ଏକ ବ୍ୟାଙ୍କ ଋଣ ନିର୍ଭର କାର୍ଯ୍ୟକ୍ରମ ହୋଇଥିବାରୁ ବ୍ୟାଙ୍କମାନେ ଏଥିପାଇଁ ଋଣ ପ୍ରଦାନ କରିବାକୁ ଆଗଭର ନ ହେଲେ ଉପର ସ୍ତରରେ କେବଳ ଅଧିକ ଋଣ ରାଶିର ଲକ୍ଷ୍ୟ ଧାର୍ଯ୍ୟ କରି ଦେଲେ ତାହା ହାସଲ କରିବା ସମ୍ଭବ ହେବନାହିଁ । ଏହି ଯୋଜନାରେ ଥିବା ସୁଧ ରିହାତି, ଋଣ ଗ୍ୟାରେଣ୍ଟି ଆଦି ଅଧିକ ପ୍ରକଳ୍ପକୁ ଋଣ ପ୍ରଦାନ କରିବାକୁ ହୁଏତ ବ୍ୟାଙ୍କଗୁଡିକୁ ପ୍ରୋତ୍ସାହିତ କରିପାରେ, ତେବେ ଓଡିଶା ଭଳି ରାଜ୍ୟର କୃଷି ନୀତିରେ ବିଭିନ୍ନ କୃଷି ଓ କୃଷି ପ୍ରକ୍ରିୟାକରଣ ପାଇଁ ଯଥେଷ୍ଟ ସବସିଡିର ପ୍ରାବଧାନ ଥିଲେ ମଧ୍ୟ କୃଷି ମିଆଦୀ ଋଣ ପରିମାଣରେ ଉଲ୍ଲେଖନୀୟ ବୃଦ୍ଧି ପରିଲକ୍ଷିତ ହୋଇନାହିଁ । ତେଣୁ ବ୍ୟାଙ୍କମାନେ ସରକାରୀ ପ୍ରୋତ୍ସାହନରେ ଉତ୍ସାହିତ ହୋଇ ଅଧିକ ଋଣ ପ୍ରଦାନ କରିବା ପାଇଁ ଆଗ୍ରହ ପ୍ରକାଶ କରିବାର କୌଣସି ପ୍ରମାଣ ମିଳେ ନାହିଁ । ତା’ ଛଡା କୃଷି କ୍ଷେତ୍ରରେ ଭିତ୍ତିଭୂମି ପାଇଁ ମଧ୍ୟମ ଓ ଦୀର୍ଘ ମିଆଦି ଋଣ ପ୍ରଦାନ ଲାଗି ବ୍ୟାଙ୍କ ନିକଟରେ ଉଭୟ ସାମର୍ଥ୍ୟ ଓ ମନୋବୃତ୍ତି ଥିବା ଆବଶ୍ୟକ । କେତେକ ରାଜ୍ୟରେ ଉପଲବ୍ଧ ବ୍ୟାଙ୍କ ବ୍ୟବସ୍ଥା ଏଥିପାଇଁ ଅନୁକୂଳ ନ ଥିବାରୁ ସେହି ରାଜ୍ୟଗୁଡିକରେ ଏହି ଧରଣର ଋଣ ଲଗାଣ ବାଧାପ୍ରାପ୍ତ ହୋଇଥାଏ । ଉଦାହରଣ ସ୍ୱରୂପ, କୃଷି କ୍ଷେତ୍ରରେ ମଧ୍ୟମ ଓ ଦୀର୍ଘ ମିଆଦି ଋଣ ପ୍ରଦାନରେ ଭୂ-ଉନ୍ନୟନ ବ୍ୟାଙ୍କଗୁଡିକ ଅଗ୍ରଣୀ ଭୂମିକା ନିର୍ବାହ କରିଥାଆନ୍ତି । ଓଡିଶାରେ ଓସକାର୍ଡ ଓ କାର୍ଡ ବ୍ୟାଙ୍କଗୁଡିକ ଦୀର୍ଘ ଦିନ ଧରି ନିଷ୍କ୍ରିୟ ହୋଇ ରହିଥିବାରୁ ଏଠାରେ ମିଆଦି କୃଷି ଋଣ ପ୍ରଦାନ ଅତି ମାତ୍ରାରେ ବାଧାପ୍ରାପ୍ତ ହୋଇଛି । ଏଠାରେ ଆପାତତଃ ମଧ୍ୟମ ଓ ଦୀର୍ଘ ମିଆଦି କୃଷି ଋଣ ପ୍ରଦାନ ଲାଗି ଉପଯୁକ୍ତ ବ୍ୟାଙ୍କ ବାତାବରଣର ଅଭାବ ରହିଛି ବୋଲି କହିଲେ ଭୁଲ ହେବ ନାହିଁ । ଏ ଭଳି ମଧ୍ୟମ ଓ ଦୀର୍ଘ ମିଆଦି କୃଷି ଋଣ ପ୍ରଦାନ ଲାଗି ଅନୁକୂଳ ବ୍ୟାଙ୍କ ବ୍ୟବସ୍ଥା ନ ଥିବା ରାଜ୍ୟଗୁଡିକରେ ନାବାର୍ଡ ସିଧାସଳଖ ହସ୍ତକ୍ଷେପ କରିବାର ଆବଶ୍ୟକତା ଅନୁଭୂତ ହେଉଛି । କେବଳ ପୁନର୍ବିତ୍ତ ସହାୟତା ଭିତରେ ନିଜ ଭୂମିକାକୁ ସୀମିତ ନ ରଖି କୃଷି ଭିତ୍ତିଭୂମିର ବିକାଶ ଲାଗି ନାବାର୍ଡ ତୁରନ୍ତ ଏକ ସବସିଡିଆରି କୃଷି ଭିତ୍ତିଭୂମି ବିକାଶ ବ୍ୟାଙ୍କ ପ୍ରତିଷ୍ଠା କରି ଆବଶ୍ୟକ ସ୍ଥଳେ ସିଧାସଳଖ ଋଣ ପ୍ରଦାନ କରିବା ଲାଗି ପ୍ରୟାସ କରିପାରେ । ତାହାହେଲେ ହୁଏତ କୃଷି ଭିତ୍ତିଭୂମି ବିକାଶ ପାଇଁ ଏକ ଉତ୍ସର୍ଗୀକୃତ ବ୍ୟାଙ୍କ ଉପଲବ୍ଧ ହୋଇ ଦେଶରେ କୃଷି ଭିତ୍ତିଭୂମି ବିକାଶ ଲାଗି ଉଚିତ ଦିଗ ଓ ବେଗ ମିଳି ପାରନ୍ତା ।
କୃଷି ଭିତ୍ତିଭୂମି ପାଣ୍ଠି ପାଇଁ ଏକ ଲକ୍ଷ କୋଟି ଟଙ୍କାର ଘୋଷଣା ଶୁଣି ତତକ୍ଷଣାତ ଯେ କେହି ମନେ କରିବ ବୋଧହୁଏ ଚାଷୀଙ୍କ ପାଇଁ କିଛି ନୂଆ ଯୋଜନା ତିଆରି ହେଲା ଓ ସେଥିପାଇଁ ସରକାର ବଜେଟରେ ଏହି ବିପୁଳ ରାଶିର ପ୍ରାବଧାନ କରିଛନ୍ତି ବୋଲି । କିନ୍ତୁ ଟିକେ ନିରିଖେଇ ଦେଖିଲେ ଜଣା ପଡିବ ଯେ ଘୋଷିତ ପାଣ୍ଠିଟି ସରକାରଙ୍କ ବଜେଟୀୟ ପାଣ୍ଠିରେ ନୁହେଁ ବରଂ ବ୍ୟାଙ୍କ ଋଣ ପ୍ରଦାନ ଉପରେ ନିର୍ଭର କରିବ । ବ୍ୟାଙ୍କଗୁଡିକ ଋଣ ପ୍ରଦାନ କଲେ ଯାଇ ଘୋଷିତ ପାଣ୍ଠିର ମାତ୍ର ୧୦ ପ୍ରତିଶତ ରାଶି ସରକାର ପ୍ରୋତ୍ସାହନ ଆକାରରେ ୧୦ ବର୍ଷରେ ଯୋଗାଇ ଦେବେ, ଅନ୍ୟଥା ତାହା ମଧ୍ୟ ଦେବାକୁ ହେବ ନାହିଁ । ତା’ ଛଡା କୃଷି ଭିତ୍ତିଭୂମି ପାଇଁ ଋଣ ଦେବା ବ୍ୟାଙ୍କ ପକ୍ଷରେ କିଛି ନୂଆ କଥା ନୁହେଁ । ଏବେ ବି ଶୀତଳ ଭଣ୍ଡାର, ଗୋଦାମ ଘର, କୃଷି-ଭିତ୍ତିକ ଶିଳ୍ପ ଆଦି ପାଇଁ ବ୍ୟାଙ୍କଗୁଡିକ ବର୍ଷକୁ ପ୍ରାୟ ୧୫-୨୦ ହଜାର କୋଟି ଟଙ୍କା ଋଣ ପ୍ରଦାନ କରୁଛନ୍ତି । ତେଣୁ ଆଗାମୀ ଚାରି ବର୍ଷରେ କୃଷି ଭିତ୍ତିଭୂମି ପାଇଁ ଋଣର ସମୁଦାୟ ପରିମାଣ ଆପେ ଆପେ ୧ ଲକ୍ଷ କୋଟି ଟଙ୍କା ବା ତା’ ପାଖାପାଖି ପହଞ୍ଚିବା କିଛି ବିଚିତ୍ର ନୁହେଁ ଏବଂ ସେଥିପାଇଁ କୌଣସି ବିଶେଷ ପାଣ୍ଠିର ଆବଶ୍ୟକତା ନାହିଁ । ତେବେ ଏହି ଯୋଜନାରେ ବ୍ୟାଙ୍କଗୁଡିକ ଭାଗ ନେବା ଲାଗି କେତେ ଆନ୍ତରିକତା ପ୍ରଦର୍ଶନ କରିବେ ଓ ଉଦ୍ୟୋଗୀଟିଏ ସର୍ବନିମ୍ନ ଝଞ୍ଜଟରେ କେତେ ଶୀଘ୍ର ଋଣଟିଏ ପାଇ ପାରିବ ତା’ ଉପରେ ଯୋଜନାର ସଫଳତା ନିର୍ଭର କରୁଥିବାରୁ ସରକାର ତାହା ସୁନିଶ୍ଚିତ କରିବା ଉପରେ ବେଶି ଧ୍ୟାନ ଦେବା ଆବଶ୍ୟକ । ଅନ୍ୟଥା ଏହା ଅତୀତରେ ଘୋଷିତ ଅନ୍ୟ ଅନେକ ଅସଫଳ ବ୍ୟାଙ୍କ ଋଣ-ନିର୍ଭର ଯୋଜନା ତାଲିକାରେ ଆଉ ଗୋଟିଏ ଯୋଜନା ଭାବେ ଯୋଡା ହୋଇ ଧୂଆଁବାଣରେ ପରିଣତ ହେବା କିଛି ବିଚିତ୍ର ନୁହେଁ ।
Published in 01-15 September 2020 issue of Odia magazine Samadrushti
A full fledged and complete analysis factorig all the dimensions of the AIF
ReplyDeleteThanks.
DeleteGood Analysis Sir.
ReplyDeleteThanks
Delete