ଭାରତରେ ରାଜଦ୍ରୋହକୁ ପ୍ରତିହତ କରିବା ପାଇଁ ବ୍ରିଟିଶ ସରକାରଙ୍କ ଦ୍ୱାରା ଗଠିତ ଏକ କମିଟିର ସୁପାରିଶ କ୍ରମେ ଇମ୍ପିରିଆଲ ଲେଜିସଲେଟିଭ କାଉନସିଲ ଦିଲ୍ଲୀଠାରେ ମାର୍ଚ୍ଚ ୧୮, ୧୯୧୯ରେ ‘ଦ ଆନାର୍କିକାଲ ଆଣ୍ଡ ରିଭଲ୍ୟୁସନାରୀ କ୍ରାଇମସ ଆକ୍ଟ, ୧୯୧୯’ ପ୍ରଣୟନ କଲେ, ଯାହା କମିଟିର ଅଧ୍ୟକ୍ଷ ସିଡନି ରାଓଲାଟଙ୍କ ନାମାନୁସାରେ ‘ରାଓଲାଟ ଆଇନ’ ଭାବେ ବିଦିତ ହେଲା । ଏହି ଆଇନର ମୂଳ ଉଦ୍ଦେଶ୍ୟ ଥିଲା, ଭାରତୀୟମାନେ ଯେପରି ଇଂରେଜ ଶାସକଙ୍କ ବିରୁଦ୍ଧରେ କୌଣସି ପ୍ରକାର ସ୍ୱର ଉତ୍ତୋଳନ କରିବାକୁ ସକ୍ଷମ ନ ହୁଅନ୍ତି, ତାହା ସୁନିଶ୍ଚିତ କରିବା । ସେଥିପାଇଁ ଜାତୀୟତାବାଦୀ ବିପ୍ଳବୀ ଗୋଷ୍ଠୀଗୁଡିକୁ ନିର୍ମମ ଭାବେ ଦମନ କରିବା ସହ ଭାରତୀୟଙ୍କ ବ୍ୟକ୍ତିଗତ ମତପ୍ରକାଶ ଓ ସ୍ୱାଧୀନତାର ଅଧିକାର ଉପରେ ଅଙ୍କୁଶ ଲଗାଇବାର ପ୍ରାବଧାନ କରାଗଲା । ଏହି ଆଇନ ଅନୁଯାୟୀ କାରଣ ନ ଦର୍ଶାଇ ପୁଲିସ ଯେ କୌଣସି ବ୍ୟକ୍ତିକୁ ଗିରଫ କରିବା ଓ ସରକାର ଆତଙ୍କବାଦୀ ସନ୍ଦେହରେ ଜଣକୁ ଦୁଇ ବର୍ଷ ଯାଏଁ ଜେଲରେ ଅଟକ ରଖିବାର ଅଧିକାର ପାଇଲେ । ସମ୍ୱାଦପତ୍ରଗୁଡିକର କଣ୍ଠରୋଧ ପାଇଁ ସେଗୁଡିକ ଉପରେ ମଧ୍ୟ କଡା ନିୟନ୍ତ୍ରଣର ବ୍ୟବସ୍ଥା ହେଲା । ଏହି ଆଇନ ବିଲ ଅବସ୍ଥାରେ ଥିଲା ବେଳେ ବିଚଳିତ ଗାନ୍ଧୀଜୀ ଏହାର ଦମନକାରୀ ଚରିତ୍ର ସମ୍ପର୍କରେ ତାଙ୍କର ଜଣେ ବନ୍ଧୁଙ୍କ ନିକଟକୁ ପତ୍ରରେ ଲେଖିଥିଲେ, “ରାଓଲାଟ ବିଲ ମୋତେ ଆନ୍ଦୋଳିତ କରିଛି । ମନେ ହେଉଛି, ମୋତେ ମୋ’ ଜୀବନର ଶ୍ରେଷ୍ଠ ଯୁଦ୍ଧ ଲଢିବାକୁ ହେବ ।“ ସେହି ବର୍ଷ ଫେବୃଆରୀ ୨୪ ତାରିଖରେ ଗାନ୍ଧୀଜୀ ସାବରମତୀ ଆଶ୍ରମରେ ଏକ ବୈଠକ ଡାକିଲେ, ଯେଉଁଥିରେ ସରୋଜିନୀ ନାଇଡୁ, ବଲ୍ଲଭଭାଇ ପଟେଲ, ଶଙ୍କରଲାଲ ବେଙ୍କରଙ୍କ ସମେତ ବାହାରୁ ପ୍ରାୟ ୨୦ ଜଣ ଦେଶପ୍ରେମୀ ଅଂଶଗ୍ରହଣ କରିଥିଲେ । ସେଠାରେ ରାଓଲାଟ ଆଇନକୁ ବିରୋଧ କରିବାର ନିଷ୍ପତ୍ତି ନିଆଗଲା ଓ ଏକ ‘ସତ୍ୟାଗ୍ରହ ଶପଥ’ ପତ୍ର ପ୍ରସ୍ତୁତ କରାଗଲା । ଏହି ଆଇନ ପ୍ରତ୍ୟାହାର ନ ହେଲେ ସ୍ୱାକ୍ଷରକାରୀମାନେ ଗିରଫଦାରୀ ଦେବେ ବୋଲି ଭାଇସରାୟ ଲର୍ଡ ଚେମସଫୋର୍ଡଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ଗାନ୍ଧୀଜୀ ଏକ ପତ୍ର ମାଧ୍ୟମରେ ଉଦ୍ୟମ କଲେ । ଏହି ‘ସତ୍ୟାଗ୍ରହ ଶପଥ’ ସହ ଏହା ସପକ୍ଷରେ ଜନ ସମର୍ଥନ ଯୋଗାଡ କରିବା ପାଇଁ ସେ ବିଭିନ୍ନ ଛୋଟ ବଡ ସହରକୁ ଯାତ୍ରା କଲେ ।
ଏତିକିବେଳେ ରାଓଲାଟ ଆଇନକୁ ବିରୋଧ କରି ଅହମଦାବାଦ ଜିଲ୍ଲା କୋର୍ଟରେ ଓକିଲାତି କରୁଥିବା କିଛି ବାରିଷ୍ଟର ଓ ଓକିଲ ‘ସତ୍ୟାଗ୍ରହ ସଭା’ରେ ଯୋଗ ଦେଲେ ଓ ‘ସତ୍ୟାଗ୍ରହ ଶପଥ’ ପତ୍ରରେ ସ୍ୱାକ୍ଷର କଲେ । ସେହି ଶପଥ ପତ୍ରରେ ଲେଖା ଥିଲା, “ସେମାନେ ଏହି ରାଓଲାଟ ଆଇନ ସହ ଏହିପରି ଅନ୍ୟ ସବୁ ଆଇନକୁ, ଯାହାକୁ ଏହା ପରେ ଗଠିତ ଏକ କମିଟି ସ୍ଥିର କରିବ, ସବିନୟ ଅମାନ୍ୟ କରିବେ ।“ ସ୍ୱାକ୍ଷରକାରୀଙ୍କ ମଧ୍ୟରେ ଥିଲେ ଦୁଇ ଜଣ ବାରିଷ୍ଟର, ଜୀବନଲାଲ ବରାଜରାୟ ଦେଶାଈ ଓ ବଲ୍ଲଭଭାଇ ଜାଭେରିଭାଇ ପଟେଲ ଏବଂ ଗୋପାଳରାଓ ରାମଚନ୍ଦ୍ର ଦାଭୋଲକର, କ୍ରିଷ୍ଣାଲାଲ ନର୍ସିଲାଲ ଦେଶାଈ, ମଣିଲାଲ ବଲ୍ଲଭରାମ କୋଠାରୀ, କାଳିଦାସ ଜସ୍କରଣ ଜାଭେରୀଙ୍କ ଭଳି କିଛି ଓକିଲ । ଏ କଥା ଅହମଦାବାଦ ଜିଲ୍ଲା ଜଜ ବି ସି କେନେଡି ଜାଣି ପାରିଲେ । ସେ ଅପ୍ରେଲ ୧୬ ତାରିଖ ଦିନ ସମ୍ପୃକ୍ତ ଓକିଲମାନଙ୍କ ସହ ଭେଟି ଓକିଲାତି ଶପଥ ନେଇ ସେମାନେ ଏ ଭଳି ଶପଥ ପତ୍ରରେ ସ୍ୱାକ୍ଷର କରିବାର ଔଚିତ୍ୟ ଓ ବୈଧତା ସମ୍ପର୍କରେ ସେମାନଙ୍କଠାରୁ ସ୍ପଷ୍ଟୀକରଣ ଲୋଡିଲେ । ସେମାନଙ୍କ ପ୍ରଦତ୍ତ ସ୍ପଷ୍ଟୀକରଣରେ ସନ୍ତୁଷ୍ଟ ହୋଇ ନ ପାରି କେନେଡି ସମ୍ପୃକ୍ତ ଓକିଲମାନଙ୍କ ବିରୁଦ୍ଧରେ ଉଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଅପ୍ରେଲ ୨୨ ତାରିଖରେ ଏକ ପତ୍ର ମାଧ୍ୟମରେ ବମ୍ୱେ ହାଇକୋର୍ଟଙ୍କୁ ଅବଗତ କଲେ । ଏହା ପରେ ହାଇକୋର୍ଟଙ୍କ ତରଫରୁ ଓକିଲମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇ ଜୁଲାଇ ୧୨ରେ ଏକ ନୋଟିସ ଜାରି ହେଲା । ଉଭୟ ପକ୍ଷଙ୍କୁ ଶୁଣିଲା ପରେ ମୁଖ୍ୟ ବିଚାରପତି ଜଷ୍ଟିସ ନର୍ମାନ ମ୍ୟାକଲିଅଡ, ଜଷ୍ଟିସ ହେଟନ ଓ ଜଷ୍ଟିସ କାଜିଜିଙ୍କ ଏକ ତିନିଜଣିଆ ଖଣ୍ଡପୀଠ ଅକ୍ଟୋବର ୧୫, ୧୯୧୯ରେ ରାୟ ଶୁଣାଇଥିଲେ । ରାୟରେ କୁହା ଯାଇଥିଲା ଯେ ଶପଥ ପତ୍ରରେ ସ୍ୱାକ୍ଷର କରି ସମ୍ପୃକ୍ତ ଓକିଲମାନେ ହାଇକୋର୍ଟର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ପରିସରଭୁକ୍ତ ହୋଇଥିଲେ ମଧ୍ୟ ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ସେମାନଙ୍କୁ କେବଳ ଚେତାବନୀ ଦେଇ ଛାଡି ଦିଆଯାଉଛି ।
ହାଇକୋର୍ଟ ତରଫରୁ ଉପରୋକ୍ତ ଆଇନଜୀବୀମାନଙ୍କୁ ଜୁଲାଇ ୧୨ ତାରିଖ ଦିନ ଦିଆ ଯାଇଥିବା ନୋଟିସ ସହ ଅହମଦାବାଦ ଜିଲ୍ଲା ଜଜ କେନେଡି ଲେଖିଥିବା ଚିଠିର ଗୋଟିଏ କପି ଜୀବନଲାଲ ଦେଶାଈଙ୍କୁ ଦିଆ ଯାଇଥିଲା । ତହିଁର ଗୋଟିଏ ନକଲ କାଳିଦାସ ଜାଭେରୀଙ୍କ ଜରିଆରେ ଗାନ୍ଧୀଜୀଙ୍କ ନିକଟରେ ପହଞ୍ଚିଥିଲା । କାଳବିଳମ୍ୱ ନ କରି ଗାନ୍ଧୀଜୀ ସେଇ ଚିଠିଟିକୁ ତାଙ୍କ ସମ୍ପାଦିତ ‘ୟଙ୍ଗ ଇଣ୍ଡିଆ’ ପତ୍ରିକାର ଅଗଷ୍ଟ ୬, ୧୯୧୯ ସଂଖ୍ୟାରେ ଛପାଇ ଦେଲେ । ପ୍ରଥମ ପୃଷ୍ଠାରେ ‘ଓ’ଡାୟାରିଜମ ଇନ ଅହମଦାବାଦ’ (ଅହମଦାବାଦରେ ଓ’ଡାୟାରବାଦ) ଶୀର୍ଷକ ଥାଇ ଜିଲ୍ଲା ଜଜ କେନେଡିଙ୍କ ହାଇକୋର୍ଟକୁ ଲେଖିଥିବା ଚିଠିଟି ଛପା ହୋଇଥିବା ବେଳେ ଦ୍ୱିତୀୟ ପୃଷ୍ଠାରେ ‘ସେକିଙ୍ଗ ସିଭିଲ ରେଜିଷ୍ଟର୍ସ’ (ଆଇନ ପ୍ରତିରୋଧକାରୀଙ୍କୁ ଦୋହଲାଇବାର ପ୍ରଚେଷ୍ଟା) ଶୀର୍ଷକ ଥାଇ ମୁଖ୍ୟ ପ୍ରବନ୍ଧଟି ଲେଖା ଯାଇଥିଲା । ଜାଲିଆଁଓ୍ୱାଲାବାଗ ନରସଂହାର ସମୟରେ ସାର ମାଇକେଲ ଫ୍ରାନସିସ ଓ’ଡାୟାର ପଞ୍ଜାବ ପ୍ରଦେଶର ଲେଫନାଣ୍ଟ ଗଭର୍ଣ୍ଣର ଥିଲେ । ସେ ପଞ୍ଜାବରେ ସାଧାରଣ ଲୋକ, ବିଶେଷ କରି ରାଓଲାଟ ଆଇନ ବିରୁଦ୍ଧରେ ସ୍ୱର ଉତ୍ତୋଳନକାରୀଙ୍କ ଉପରେ ଅକଥନୀୟ ଦମନଲୀଳା ଚଲାଇ ସେଠାକାର ଶାନ୍ତି ଭଙ୍ଗ କରିବାରେ ଏକ ବଡ ଭୂମିକା ନିର୍ବାହ କରିଥିଲେ । ସେହି ‘ଓ’ଡାୟାର ମନୋବୃତ୍ତି’ ପଞ୍ଜାବରୁ ଯାଇ ବର୍ମାରେ ପହଞ୍ଚି ସେଠାକାର ସ୍ଥାନୀୟ ସରକାରଙ୍କ କାର୍ଯ୍ୟରେ ପ୍ରତିଫଳିତ ହେଉଥିଲା ବୋଲି ପ୍ରବନ୍ଧରେ ଲେଖା ହୋଇଥିଲା । ଏବେ ସେହି ‘ଓ’ଡାୟାରବାଦ’ର ପଦଧ୍ୱନି ବମ୍ୱେ ନିକଟରେ ଶୁଣିବାକୁ ମିଳୁଛି କାରଣ ଅହମଦାବାଦ ଜିଲ୍ଲା ଜଜଙ୍କ ଚିଠିକୁ ଆଧାର କରି ବମ୍ୱେ ହାଇକୋର୍ଟ ଅହମଦାବାଦର କିଛି ଲୋକଙ୍କୁ ନୋଟିସ ଜାରି କରିଛନ୍ତି ବୋଲି ସମ୍ୱାଦପତ୍ରରେ ଉଲ୍ଲେଖ ହୋଇଥିଲା ।
ଓକିଲମାନଙ୍କ ଆଚରଣକୁ ନେଇ ମାମଲାର ରାୟ ପ୍ରକାଶ ପାଇଲା ପରେ ବମ୍ୱେ ହାଇକୋର୍ଟଙ୍କ ତରଫରୁ ‘ୟଙ୍ଗ ଇଣ୍ଡିଆ’ର ସମ୍ପାଦକ ଗାନ୍ଧୀଜୀଙ୍କୁ ତାଙ୍କ ପତ୍ରିକାରେ ପ୍ରକାଶିତ ଚିଠି ଓ ମତାମତ ଅଦାଲତ ଆବମାନନାର ପରିସରଭୁକ୍ତ ବୋଲି ମନେ କରି ତା’ ଉପରେ ନିଜର ସ୍ପଷ୍ଟୀକରଣ ଦେବା ପାଇଁ ଅକ୍ଟୋବର ୧୮, ୧୯୧୯ରେ ସୂଚୀତ କରାଗଲା । ଏହା ପରେ ଏ ସଂକ୍ରାନ୍ତରେ କୋର୍ଟର ରେଜିଷ୍ଟ୍ରାର ଓ ଗାନ୍ଧୀଜୀଙ୍କ ମଧ୍ୟରେ କିଛି ପତ୍ରାଚାର ହୋଇଥିଲା । ଅକ୍ଟୋବର ୨୨ରେ ଗାନ୍ଧୀଜୀ ତାଙ୍କ ଚିଠିରେ ଲେଖିଥିଲେ, “ମୋ’ ବିନୀତ ମତରେ ଜଣେ ସାମ୍ୱାଦିକ ଭାବେ ମୋର ସେହି ଚିଠିଟି ପ୍ରକାଶ କରିବା ଓ ତା’ ଉପରେ ନିଜ ମତ ରଖିବାର ଅଧିକାର ରହିଛି । ଜନତାଙ୍କ ସ୍ୱାର୍ଥ ଦୃଷ୍ଟିରୁ ଚିଠିଟି ଅତ୍ୟଧିକ ଗୁରୁତ୍ୱ ବହନ କରୁଥିବାରୁ ତାହା ସର୍ବସାଧାରଣରେ ଆଲୋଚନା ହେବାର ଆବଶ୍ୟକତା ରହିଛି ।“ ଏହି ସ୍ପଷ୍ଟୀକରଣ ସନ୍ତୋଷଜନକ ନୁହେଁ ଓ ସମ୍ଭବତଃ ସମ୍ପାଦକ ସାମ୍ୱାଦିକୀୟ ସ୍ୱାଧୀନତାକୁ ଅତିକ୍ରମ କରୁଛନ୍ତି ବୋଲି ଜାଣି ନ ପାରି ଏ ଭଳି କରିଛନ୍ତି ବୋଲି ମୁଖ୍ୟ ବିଚାରପତି ଧରି ନେବେ ଯଦି ସଂଲଗ୍ନ ନମୁନା କ୍ଷମା ଯାଚନା ଆଧାରରେ ‘ୟଙ୍ଗ ଇଣ୍ଡିଆ’ରେ ଏକ କ୍ଷମା ପ୍ରାର୍ଥନା ପ୍ରକାଶ ପାଏ ମର୍ମରେ ଅକ୍ଟୋବର ୩୧ ଦିନ ଗାନ୍ଧୀଜୀଙ୍କୁ ଜଣାଇ ଦିଆଗଲା । ପ୍ରତ୍ୟୁତ୍ତରରେ ଗାନ୍ଧୀଜୀ ଏ ସଂକ୍ରାନ୍ତରେ ଆଇନଗତ ପରାମର୍ଶ ନେଉଛନ୍ତି ବୋଲି ନଭେମ୍ୱର ୭ ତାରିଖରେ ଟେଲିଗ୍ରାମ ଯୋଗେ ଜଣାଇ ଦେଲେ । ଡିସେମ୍ୱର ୧୧ତାରିଖରେ ଗାନ୍ଧୀଜୀଙ୍କ ଲିଖିତ ଏକ ପତ୍ର କୋର୍ଟଙ୍କ ହସ୍ତଗତ ହେଲା, ଯେଉଁଥିରେ ସେ ପ୍ରସ୍ତାବିତ ଢଙ୍ଗରେ କ୍ଷମା ପ୍ରାର୍ଥନା କରି ପତ୍ରିକାରେ ଛାପିବା ଲାଗି ନିଜ ଅସମର୍ଥତା ବ୍ୟକ୍ତ କରିଥିଲେ । ଏଥି ସହ ଜିଲ୍ଲା ଜଜଙ୍କ ଚିଠିଟି ଛାପି ଓ ତା’ ଉପରେ ନିଜ ମତ ରଖି ସେ ଜନହିତରେ ଏକ ଉପାଦେୟ କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି ବୋଲି ଜଣାଇଲେ, କାରଣ ସେତେବେଳେ ସାଧାରଣରେ ଉତ୍ତେଜନା ଲାଗି ରହିଥିବା ସହ ନ୍ୟାୟିକ ବ୍ୟବସ୍ଥା ମଧ୍ୟ ପୂର୍ବାଗ୍ରହରେ ଗ୍ରସ୍ତ ଥିଲା ପରି ଏକ ଧାରଣା ସୃଷ୍ଟି ହେଉଥିଲା । ଅବଶ୍ୟ ଏ ନେଇ ସମ୍ମାନୀୟ ଜଜମାନେ ନିଷ୍ପତ୍ତି ଗ୍ରହଣ କରିବାକୁ ଥିବାରୁ ସେ ତାହା ପୂର୍ବାନୁମାନ କରିବା ସପକ୍ଷରେ ନୁହନ୍ତି ବୋଲି ମଧ୍ୟ ଲେଖିଥିଲେ । ଏହା ପରେ ସେ ସାମ୍ୱାଦିକତା ବୃତ୍ତିର ସମ୍ମାନ ଓ ବମ୍ୱେ ବାରରେ ତାଙ୍କ ସଦସ୍ୟତା ଓ ବାରର ପରମ୍ପରାର ଦ୍ୱାହି ଦେଇ ଜଣାଇଥିଲେ ଯେ ଅନ୍ୟ ଏକ ଅନୁରୂପ ପରିସ୍ଥିତିରେ ମଧ୍ୟ ସେ ଭିନ୍ନ ଆଚରଣ କରି ନ ଥାଆନ୍ତେ ଓ ସେ ନିଜ ବିବେକାନୁସାରେ କ୍ଷମା ପ୍ରାର୍ଥନା କରି ନ ଥାଆନ୍ତେ । ତାଙ୍କ ଦ୍ୱାରା ପ୍ରଦତ୍ତ ସ୍ପଷ୍ଟୀକରଣ ସନ୍ତୋଷଜନକ ବୋଲି ଗୃହୀତ ନ ହେଲେ, ସେ ସବିନୟ ଦଣ୍ଡ ସ୍ୱୀକାର କରିବାକୁ ପ୍ରସ୍ତୁତ ବୋଲି ଉଲ୍ଲେଖ କରିଥିଲେ । ଏହା ପରେ ଉଭୟ ପ୍ରତିବାଦୀ, ‘ୟଙ୍ଗ ଇଣ୍ଡିଆ’ର ସମ୍ପାଦକ ଗାନ୍ଧୀଜୀ ଓ ପ୍ରକାଶକ ମହାଦେବ ଦେଶାଈଙ୍କ, ବିରୁଦ୍ଧରେ ‘ନିସି’ ନିୟମ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିସେମ୍ୱର ୧୯ରେ ମଞ୍ଜୁରୀ ମିଳିଲା । ପ୍ରତିବାଦୀଙ୍କ ଅନୁରୋଧ କ୍ରମେ ପରବର୍ତ୍ତୀ ଶୁଣାଣିକୁ ଘୁଞ୍ଚାଇ ଦିଆଯାଇ ଫେବୃଆରୀ ୨୭, ୧୯୨୦ରେ କରିବା ପାଇଁ ଧାର୍ଯ୍ୟ ହେଲା ।
ନିର୍ଦ୍ଧାରିତ ଦିବସରେ ଉଭୟ ଗାନ୍ଧୀଜୀ ଓ ମହାଦେବ ଦେଶାଈ କୋର୍ଟରେ ଉପସ୍ଥିତ ରହି ନିଜ ନିଜ ବିବୃତି ପ୍ରଦାନ କରିଥିଲେ । ଗାନ୍ଧୀଜୀ କହିଥିଲେ, “ମାନ୍ୟବର ମୁଖ୍ୟ ବିଚାରପତି କ୍ଷମା ପ୍ରାର୍ଥନା କରିବା ଲାଗି ଦେଇଥିବା ଉପଦେଶକୁ ଗ୍ରହଣ କରିବାକୁ ଅସମର୍ଥ ହୋଇଥିବାରୁ ମୁଁ ଦୁଃଖିତ । ମୁଁ ସେହି ଉପଦେଶକୁ ଗ୍ରହଣ କରି ନ ପାରିବାର କାରଣ ଏହି ଯେ ମୁଁ ମି. କେନେଡିଙ୍କ ଚିଠିଟିକୁ ଛାପି ଓ ତା’ ଉପରେ ମନ୍ତବ୍ୟ ଦେଇ ଆଇନ ବା ନୈତିକତା ଦୃଷ୍ଟିରୁ କୌଣସି ଭୁଲ କରିଛି ବୋଲି ମନେ କରେ ନାହିଁ । ମୁଁ ନିଶ୍ଚିତ ଯେ ଏହି ସମ୍ମାନୀୟ କୋର୍ଟ ମଧ୍ୟ ଏ ପରି ଏକ କାର୍ଯ୍ୟ, ଯାହାକୁ ମୁଁ ସାମ୍ୱାଦିକର ସ୍ୱାଧିକାର ଓ କର୍ତ୍ତବ୍ୟ ବୋଲି ବିଶ୍ୱାସ କରେ, ସେଥିପାଇଁ ମୁଁ କ୍ଷମା ପ୍ରାର୍ଥନା କରେ ବୋଲି ଚାହିଁବ ନାହିଁ । ତେଣୁ ମାନ୍ୟବର କୋର୍ଟ ମୋ’ ପ୍ରତି ଯେଉଁ ଦଣ୍ଡ ବିଧାନ କରିବେ ଆଇନକୁ ସମ୍ମାନ ଜଣାଇ ତାକୁ ମୁଁ ସହର୍ଷ ଓ ସସମ୍ମାନ ସ୍ୱୀକାର କରିବି । ପ୍ରକାଶକ ମହାଦେବ ଦେଶାଈଙ୍କ ଉପରେ ଜାରି ହୋଇଥିବା ନୋଟିସ ସଂକ୍ରାନ୍ତରେ ମୁଁ ଏତିକି କହିବାକୁ ଚାହେଁ, ସେ କେବଳ ମୋ’ ଅନୁରୋଧ ଓ ଉପଦେଶ ଅନୁସାରେ କାର୍ଯ୍ୟ କରି ଲେଖାଟିକୁ ଛାପିଥିଲେ ।“
ଏହା ପରେ ମହାଦେବ ଦେଶାଈ ତାଙ୍କ ବିବୃତି ଉପସ୍ଥାପନ କଲେ । “ମୁଁ ‘ୟଙ୍ଗ ଇଣ୍ଡିଆ’ର ସମ୍ପାଦକଙ୍କ ବିବୃତିକୁ ପଢିଛି ଓ ସେ ତାଙ୍କ କୃତ୍ୟ ପାଇଁ ଦର୍ଶାଇଥିବା ସମସ୍ତ କାରଣ ଓ ଯୁକ୍ତି ସହ ମୁଁ ଏକମତ । ତେଣୁ ମାନ୍ୟବର କୋର୍ଟ ମୋ’ ପ୍ରତି ଯେଉଁ ଦଣ୍ଡ ବିଧାନ କରିବେ ତାକୁ ମୁଁ ସହର୍ଷ ଓ ସସମ୍ମାନ ଗ୍ରହଣ କରିବି ।“
ଶୁଣାଣି ଆରମ୍ଭ ହେବା ପରେ ଗାନ୍ଧୀଜୀ କହିଥିଲେ ଯେ ସେ ଅଦାଲତର ଅବମାନନା କରି ନାହାନ୍ତି ଓ ଏଥିପାଇଁ ତାଙ୍କ ପ୍ରଦତ୍ତ ବିବୃତି ଭିନ୍ନ ସେ ଅନ୍ୟ କୌଣସି ଯୁକ୍ତି ଉପସ୍ଥାପନ କରିବେ ନାହିଁ । ଏଥି ସହିତ ଉଭୟ ଗାନ୍ଧୀଜୀ ଓ ମହାଦେବ ଦେଶାଈ କ୍ଷମା ପ୍ରାର୍ଥନା କରିବାକୁ ମନା କରି ଦେବା ଓ ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ହୋଇଯିବା କାରଣରୁ ତାହା ବିଚାରପତିମାନଙ୍କୁ ଅସମଞ୍ଜସତାରେ ପକାଇ ଦେଇଥିଲା ଓ ସେମାନେ ଚାପଗ୍ରସ୍ତ ହୋଇଥିଲେ କହିଲେ ଅତ୍ୟୁକ୍ତି ହେବନାହିଁ । ଆଇନତଃ, କୌଣସି ମାମଲା ବିଚାରାଧୀନ ଥିବା ଅବସ୍ଥାରେ, କୋର୍ଟର ବିନାନୁମତିରେ, ସେ ସମ୍ପର୍କରେ ମନ୍ତବ୍ୟ ପ୍ରକାଶ କରିବା ଅପରାଧ ଶ୍ରେଣୀଭୁକ୍ତ । ମାମଲାର ବିଚାର କଲାବେଳେ ମାନ୍ୟବର କୋର୍ଟ ଅଦାଲତ ଅବମାନନା ସମ୍ପର୍କରେ ରେକ୍ସ ବନାମ ପାର୍କେ (୧୯୦୩), ରେକ୍ସ ବନାମ ଡାଭିସ୍ (୧୯୦୩), ହେଲମୋର୍ ବନାମ ସ୍ମିଥ (୧୮୮୬), ରେଗ୍ ବନାମ ଗ୍ରେ (୧୯୦୦), ହିଗିନସ୍ ବନାମ ରିଚାର୍ଡସ୍ (୧୯୧୩) ଆଦି ମାମଲାଗୁଡିକର ରାୟର ଅଂଶକୁ ଉଦ୍ଧାର କରିବା ସହ ଓସଓ୍ୱାଲ୍ଡଙ୍କ ‘ଅନ କଣ୍ଟେମ୍ପଟ” ଓ ହାଲସବରିଙ୍କ ‘ଲଜ ଅଫ ଇଂଲଣ୍ଡ’ ( ଭାଗ – ୮ ) ପୁସ୍ତକରୁ ଉଦାହରଣ ଦେଇ ଅଦାଲତ ଅବମାନନାର ବିଭିନ୍ନ ଦିଗ ଉପରେ ତର୍ଜମା କରିଥିଲେ । ଅଦାଲତଙ୍କ ମତରେ, “... ... କୌଣସି ମାମଲାରେ ଉଚିତ ନ୍ୟାୟ ପ୍ରଦାନ ପାଇଁ ଏକ ସ୍ୱତନ୍ତ୍ର ଓ ନିରପେକ୍ଷ ନ୍ୟାୟାଳୟ ଉଭୟ ପକ୍ଷଙ୍କୁ ଏକା ସମୟରେ ଓ ଉଭୟଙ୍କ ଉପସ୍ଥିତିରେ ଉଚିତ ପ୍ରମାଣ ଆଧାରରେ ଶୁଣିବା ଆବଶ୍ୟକ । ମାମଲା ବିଚାରାଧୀନ ଥିବା ବେଳେ ଅଦାଲତ ବିବରଣୀର କିୟଦଂଶ ଉପରେ ମତାମତ ଦେବା ପାଇଁ ସମ୍ୱାଦପତ୍ରଗୁଡିକର ସ୍ୱାଧୀନତା ରହିଲେ ସେହି ଉଦ୍ଦେଶ୍ୟ ପୂରଣ ହୋଇ ପାରି ନ ଥାଏ । ଏ କଥା ଗୁରୁତ୍ୱପୂର୍ଣ୍ଣ ନୁହେଁ ସେହି କିୟଦଂଶ କାହା ସପକ୍ଷରେ ଯାଉଛି, ମୁଦାଲା ନା ମୁଦେଇର, ବାଦୀ ନା ପ୍ରତିବାଦୀର । ବିଚାରାଧୀନ ମାମଲାର ରାୟ ଶୁଣାଇବା ଅଦାଲତର କାମ, ସେଥିରେ ଦଖଲ ଦେବା ସମ୍ୱାଦପତ୍ରର କାମ ହୋଇ ନ ଥିବାରୁ ତାହା ହିଁ ଅସଲ ଦୋଷ ।“
ଉପରୋକ୍ତ ମାମଲାଗୁଡିକରେ ଅଦାଲତ ଅବମାନନାକୁ ନେଇ ଆଇନର ଏହି ସିଦ୍ଧାନ୍ତ ପ୍ରତିପାଦିତ ହୋଇ ସେ ନେଇ କୌଣସି ଦ୍ୱନ୍ଦ୍ୱ ନ ଥିବାରୁ ଏହି ନିର୍ଦ୍ଦିଷ୍ଟ ମାମଲାରେ ତାହା କେତେ ଦୂର ପ୍ରଯୁଜ୍ୟ, ତାହା ନିର୍ଦ୍ଧାରଣ କରିବା ଥିଲା ଅଦାଲତଙ୍କ ଆଗରେ ଏକ ଆହ୍ୱାନ । ପ୍ରଥମତଃ, ଗାନ୍ଧୀଜୀ ତାଙ୍କ ପତ୍ରରେ ଉଲ୍ଲେଖ କରିଥିଲେ ଯେ କେନେଡି ଜିଲ୍ଲା ଜଜ ଭାବେ ନୁହେଁ ବରଂ ବ୍ୟକ୍ତିଗତ ଭାବେ ଚିଠିଟି ଲେଖିଥିଲେ, ଯାହା ଅଦାଲତଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇଥିଲା । ଏହା ବ୍ୟକ୍ତିଗତ ଭାବେ ଲେଖା ହୋଇ ନାହିଁ ଓ ବ୍ୟକ୍ତିଗତ ଭାବେ ଲେଖା ହୋଇଥିଲେ ବି ତାହା ବିଚାରାଧୀନ ମାମଲାର ଅଂଶ ବିଶେଷ ହୋଇଥିବାରୁ ତାହା ଛାପା ହେବା ହିଁ ଅଦାଲତର ଅବମାନନା ବୋଲି ଅଦାଲତ ଟିପ୍ପଣୀ ଦେଇଥିଲେ । ସେହିପରି ସମ୍ୱାଦପତ୍ରରେ ପ୍ରକାଶିତ ‘ଓ’ଡାୟାରିଜମ ଇନ ଅହମଦାବାଦ’ ଶୀର୍ଷକ ‘ଅସଂଯମୀ ଓ ନିନ୍ଦନୀୟ ମନ୍ତବ୍ୟ’ ହେବା ସହ ଜଣେ ‘ଜଜଙ୍କ ପ୍ରତି ଅମାର୍ଜିତ ଗାଳିଗୁଲଜ’ ହୋଇଥିବାରୁ ତାହା ମଧ୍ୟ ଅଦାଲତ ଅବମାନନା ପରିସରଭୁକ୍ତ ବୋଲି ଅଦାଲତ ମତ ଦେଲେ । ଅଦାଲତ ଉଭୟ ଗାନ୍ଧୀଜୀ ଓ ମହାଦେବ ଦେଶାଈଙ୍କୁ ଦୋଷୀ ସାବ୍ୟସ୍ତ କଲା ପରେ ସେମାନଙ୍କୁ କି ଦଣ୍ଡବିଧାନ କରାଯିବ ସେ ନେଇ ଦ୍ୱନ୍ଦ୍ୱରେ ପଡିଥିବା ତାଙ୍କ ରାୟରେ ପରିଲକ୍ଷିତ ହୁଏ । କାରଣ ଅଦାଲତ ଅବମାନନାର ସିଦ୍ଧାନ୍ତ ସମ୍ପର୍କରେ ଇଂଲଣ୍ଡର ଲୋକେ ଯେତେ ବେଶି ଅବଗତ, ସେତେବେଳେ ଭାରତର ଲୋକେ ସେପରି ଅବଗତ ନ ଥିଲେ ବୋଲି ଅଦାଲତ ଅନୁଭବ କରିଥିଲେ । ଜଷ୍ଟିସ ମାର୍ଟେନଙ୍କ ଅନୁଯାୟୀ, “ଏହି ମାମଲାରେ ଅଦାଲତ କି ଆଦେଶ ଦେବା ଉଚିତ, ସେ ନେଇ ମୁଁ ଅନେକ ଭାବିଛି । ଆମର ଅଖଣ୍ଡ କ୍ଷମତା ରହିଛି ଓ ଉପଯୁକ୍ତ ମାମଲାରେ ଅପରାଧୀଙ୍କୁ ଆମେ ଉଚିତ ମଣୁଥିବା ସମୟ ପର୍ଯ୍ୟନ୍ତ ଜେଲକୁ ପଠାଇ ଦେଇ ପାରିବୁ ଏବଂ ଆମେ ଠିକ ଭାବୁଥିବା ଜରିମାନା ଲଗାଇ ଦେଇ ପାରିବୁ । କିନ୍ତୁ ଯେମିତି ଆମର କ୍ଷମତା ଅଖଣ୍ଡ, ମୁଁ ମନେ କରେ, ତାକୁ ପ୍ରୟୋଗ କଲା ବେଳେ ବିବେକ ଓ ସଂଯମାନୁସାରେ କାର୍ଯ୍ୟ କରିବା ଆବଶ୍ୟକ ଓ ମନେ ରଖିବା ଦରକାର ଜନହିତରେ ନ୍ୟାୟପ୍ରଦାନ ପ୍ରକ୍ରିୟାକୁ ଉଚିତ ଢଙ୍ଗରେ କାର୍ଯ୍ୟକାରୀ କରିବା ହେଉଛି ଆମର ଏକମାତ୍ର ଉଦ୍ଦେଶ୍ୟ ।“ ଏହାକୁ ଆଖି ଆଗରେ ରଖି ଉଭୟ ଗାନ୍ଧୀଜୀ ଓ ମହାଦେବ ଦେଶାଈଙ୍କ ମଧ୍ୟରୁ ଅନ୍ତତଃ ଜଣକଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରିବା କଥା ଅଦାଲତ ପ୍ରଥମେ ଚିନ୍ତା କରୁଥିଲେ । କିନ୍ତୁ ଦଣ୍ଡବିଧାନ ଅପେକ୍ଷା ଏ ସମ୍ପର୍କରେ ଥିବା ଆଇନକୁ ଲୋକଙ୍କ ସମ୍ମୁଖରେ ଅଧିକ ସ୍ପଷ୍ଟ କରି ଭବିଷ୍ୟତରେ ଉପୁଜିବାକୁ ଥିବା ସନ୍ଦେହ ଉପରେ ଯବନିକା ପାତ କରିବା ଅଦାଲତଙ୍କ ଅସଲ ଉଦ୍ଦେଶ୍ୟ ହୋଇଥିବାରୁ ପ୍ରତିବାଦୀ ଦ୍ୱୟଙ୍କୁ କୌଣସି ଦଣ୍ଡ ନ ଦେଇ ବା ସେମାନଙ୍କଠାରୁ ଜରିମାନା ଆଦାୟ ନ କରି ସେମାନଙ୍କୁ କେବଳ କଡା ଶବ୍ଦରେ ଭର୍ତ୍ସନା କରିବାକୁ ଅଦାଲତ ସ୍ଥିର କଲେ ।
ଏହିପରି ଭାବେ ଜଷ୍ଟିସ ମାର୍ଟେନ ତାଙ୍କ ରାୟ ପ୍ରଦାନ କରିବା ପରେ ଉଭୟ ଜଷ୍ଟିସ ହେଓ୍ୱାର୍ଡ ଓ ଜଷ୍ଟିସ କାଜିଜି ସେଥି ସହ ସମ୍ମତି ଜଣାଇ ସେମାନଙ୍କ ରାୟ ଦେଇଥିଲେ । ଏହା ପରେ ଜଷ୍ଟିସ ମାର୍ଟେନ ଅଦାଲତର ଆଦେଶ ପଢି ଶୁଣାଇଥିଲେ, “ଅଭିଯୋଗ ପ୍ରମାଣିତ ହୋଇଛି ବୋଲି ଅଦାଲତ ଅନୁଭବ କରୁଛି, ଏହା ପ୍ରତିବାଦୀଙ୍କୁ କଠୋର ଶବ୍ଦରେ ଭର୍ତ୍ସନା କରିବା ସହ ସେମାନଙ୍କୁ ସେମାନଙ୍କ ଭବିଷ୍ୟତ ଆଚରଣରେ ଅଧିକ ସତର୍କ ରହିବାକୁ ଚେତାବନୀ ଦେଉଛି ।“
ଏହି ଆଦେଶ ପରେ ଉଭୟ ଗାନ୍ଧୀ ଓ ମହାଦେବ ଦେଶାଈଙ୍କୁ ଅନ୍ୟ କୌଣସି ଦଣ୍ଡ ବିଧାନ ହୋଇ ନ ଥିଲା କି ସେମାନଙ୍କୁ ଆଉ କ୍ଷମା ପ୍ରାର୍ଥନା କରିବାକୁ ପଡି ନ ଥିଲା । କହିବା ବାହୁଲ୍ୟ ଯେ ଭବିଷ୍ୟତ ଆଚରଣକୁ କୋର୍ଟ ଚାହୁଁଥିବା ମତେ ଅଧିକ ଶୃଙ୍ଖଳିତ କରିବା ଲାଗି କୋର୍ଟଙ୍କ ତାଗିଦ ସତ୍ତ୍ୱେ ପରବର୍ତ୍ତୀ ସମୟରେ ଗାନ୍ଧୀଜୀଙ୍କ ଉପରେ ତା’ର ସେ ଭଳି କୌଣସି ବିଶେଷ ପ୍ରଭାବ ପଡିଥିଲା ପରି ଉପଲବ୍ଧି କରି ହୋଇ ନ ଥିଲା । କାରଣ ତାହା ତାଙ୍କ ମନୋବଳକୁ ଦୋହଲାଇ ଦେଇ ପାରି ନ ଥିଲା । ଅନ୍ୟ ପକ୍ଷରେ ସେ ପରେ ପରେ ଉଭୟ ଲେଖା ଓ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ରିଟିଶ ଶାସକ ଓ ପ୍ରଶାସକଙ୍କ ବିରୁଦ୍ଧରେ ତାଙ୍କ ସମାଲୋଚନାକୁ ଅଧିକ ଶାଣିତ କରିବାକୁ ଲାଗିଲେ ଯେଉଁଥିପାଇଁ ତାଙ୍କୁ ଦେଶଦ୍ରୋହ ମାମଲାରେ ବି ଛନ୍ଦି ହେବାକୁ ପଡିଥିଲା । ନିଜେ ଜଣେ ଓକିଲ ହୋଇଥିବାରୁ ସେ ଆଇନ ଓ ଅଦାଲତକୁ ସମ୍ମାନ ଦେବା ବେଶ ଭଲ ଭାବେ ଜାଣିଥିଲେ । ତେବେ ଆଇନ ଅଦାଲତର ସମ୍ମାନ ଏବଂ ଦେଶ ଓ ଦେଶବାସୀଙ୍କ ସ୍ୱାର୍ଥରକ୍ଷା ମଧ୍ୟରେ ଦ୍ୱନ୍ଦ୍ୱ ଉପୁଜିଲେ ଦଣ୍ଡିତ ହେବାର ଭୟକୁ ବେଖାତିର କରି ସବୁବେଳେ ସେ ଦ୍ୱିତୀୟଟିକୁ ବାଛିବାକୁ ଶ୍ରେୟସ୍କର ମଣୁଥିଲେ । ଅଦାଲତ ଅବମାନନା ପାଇଁ ଦଣ୍ଡିତ ହେବାର ଆଶଙ୍କାରେ ଭୟଭୀତ ହୋଇ କ୍ଷମା ପ୍ରାର୍ଥନା କରିବା ବା ଭାରତର ଲୋକଙ୍କ ପ୍ରତି ଏକ ଉପନିବେଶୀୟ ଶକ୍ତି ଦ୍ୱାରା ହେଉଥିବା ଅନ୍ୟାୟକୁ ବରଦାସ୍ତ କରି ନୀରବି ଯିବାର ବ୍ୟକ୍ତିତ୍ୱ ନ ଥିଲେ ଗାନ୍ଧୀଜୀ ।
Published in Samadrushti on September 16, 2020.
Comments
Post a Comment