କୃଷି ଭିତ୍ତିଭୂମି ବିକାଶରେ ଘରୋଇ କ୍ଷେତ୍ରର ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ୧ ଲକ୍ଷ କୋଟି ଟଙ୍କାର ‘କୃଷି ଭିତ୍ତିଭୂମି ପାଣ୍ଠି’ ଘୋଷଣା ହେବା ପରେ ଚାଷୀମାନଙ୍କର ଆୟ ବୃଦ୍ଧି ପାଇବ ବୋଲି କୁହାଯାଉଛି । ଏତେ ପରିମାଣର ପୁଞ୍ଜି ନିବେଶ ନିଶ୍ଚିତ ଭାବେ ଉତ୍ସାହଜନକ ମନେ ହେଉଥିଲେ ବି ଏହି ପାଣ୍ଠିରୁ ଓଡିଶା ଭଳି ରାଜ୍ୟର ଚାଷୀମାନେ ଉପକୃତ ହେବାର ସମ୍ଭାବନା କେତେ, ତାହା ଆଲୋଚନାର ବିଷୟ ।
ଏହି ଯୋଜନା ଚଳିତ ଆର୍ଥିକ ବର୍ଷ, ଅର୍ଥାତ୍ ୨୦୨୦-୨୧ରୁ ଆରମ୍ଭ ହୋଇ ୧୦ ବର୍ଷ ଯାଏଁ ଅର୍ଥାତ୍ ୨୦୨୯-୩୦ ପର୍ଯ୍ୟନ୍ତ ଚାଲିବ । ଯୋଜନା ମୁତାବକ ଆଗାମୀ ଚାରି ବର୍ଷ ମଧ୍ୟରେ କୃଷି ଭିତ୍ତିଭୂମିର ବିକାଶ ଲାଗି ବ୍ୟାଙ୍କ ଓ ବିତ୍ତୀୟ ଅନୁଷ୍ଠାନମାନଙ୍କ ମାଧ୍ୟମରେ ୧ ଲକ୍ଷ କୋଟି ଟଙ୍କାର ମଧ୍ୟମ ଓ ଦୀର୍ଘ ମିଆଦି ଋଣ ଯୋଗାଇ ଦିଆଯିବ । ଏହି ଋଣକୁ ପ୍ରାଥମିକ କୃଷି ସମବାୟ ସମିତି, ବାଣିଜ୍ୟ ସମବାୟ ସମିତି, କୃଷକ ଉତ୍ପାଦ ସଂଘ (ଏଫପିଓ), ସ୍ୱୟଂ ସହାୟକ ଗୋଷ୍ଠୀ, ଚାଷୀ, ଯୌଥ ଦାୟ ଗୋଷ୍ଠୀ (ଜେଏଲଜି), ବହୁମୁଖୀ ସମବାୟ ସମିତି, କୃଷି ଉଦ୍ୟୋଗୀ, ଷ୍ଟାର୍ଟଅପସ, ଏକତ୍ରିକରଣ ଭିତ୍ତିଭୂମି ପ୍ରଦାନକାରୀ (ଆଗ୍ରିଗେଟିଂ ଇନଫ୍ରାଷ୍ଟ୍ରକଚର ପ୍ରୋଭାଇଡର) ଏବଂ ସରକାରୀ-ଘରୋଇ ଭାଗିଦାରୀ (ପିପିପି)ଗୁଡିକୁ ଯୋଗାଇ ଦିଆଯିବ । ଏଥିରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ଶତକଡା ୩ ଭାଗ ସୁଧ ରିହାତି (ଇଣ୍ଟରେଷ୍ଟ ସବଭେନସନ) ମିଳିବାର ସୁବିଧା ରହିଛି । ପ୍ରତିଟି ଋଣ ପାଇଁ ସିଜିଟିଏମଏସଇ ଦ୍ୱାରା ବ୍ୟାଙ୍କମାନଙ୍କୁ ଋଣ ଗ୍ୟାରେଣ୍ଟି ପ୍ରଦାନ କରାଯିବ, ଯଦ୍ଦ୍ୱାରା ବ୍ୟାଙ୍କମାନେ ବନ୍ଧକ ପାଇଁ ଆଉ ଋଣଗ୍ରହୀତାଙ୍କ ଉପରେ ଚାପ ପକାଇବେ ନାହିଁ । ଋଣପ୍ରଦାନକାରୀ ବାଣିଜ୍ୟିକ ବ୍ୟାଙ୍କ, ସମବାୟ ବ୍ୟାଙ୍କ, ଗ୍ରାମ୍ୟ ବ୍ୟାଙ୍କ, ସ୍ମଲ ଫାଇନାନ୍ସ ବ୍ୟାଙ୍କ, ଏନବିଏଫସି, ଏନସିଡିସି ଏଥିପାଇଁ ସର୍ବୋଚ୍ଚ କେତେ ହାରରେ ସୁଧ ଆଦାୟ କରିବେ, ତାହା ପୂର୍ବରୁ ସ୍ଥିର ହେବ । ନାବାର୍ଡ ତରଫରୁ ବ୍ୟାଙ୍କଗୁଡିକୁ ପୁନର୍ବିତ୍ତ ସହାୟତା ଯୋଗାଇ ଦିଆଯିବ । ସୁଧ ରିହାତି, ଗ୍ୟାରେଣ୍ଟି ଫି ଓ ଅନ୍ୟାନ୍ୟ ବ୍ୟୟ ବାବଦକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ୧୦ ବର୍ଷରେ ମାତ୍ର ୧୦୭୩୬ କୋଟି ଟଙ୍କାର ବହନ ହେଉଥିବାରୁ ଏହା ଅନଗ୍ରସର ରାଜ୍ୟଗୁଡିକରେ କୃଷି ଭିତ୍ତିଭୂମି ବିକାଶକୁ ପ୍ରୋତ୍ସାହିତ କରିବା ଲାଗି ଯଥେଷ୍ଟ ହୋଇ ନ ପାରେ । ତେଣୁ ସେହି ରାଜ୍ୟଗୁଡିକୁ ସେଥିପାଇଁ ଅଲଗା ଭାବେ ପଦକ୍ଷେପ ଗ୍ରହଣ କରିବାକୁ ପଡିବ ।
ଏହି ଯୋଜନାରେ ଘୋଷିତ ୧ ଲକ୍ଷ କୋଟି ଟଙ୍କାରୁ ୧୨୭୩୬ କୋଟି ଟଙ୍କା କେବଳ ଉତ୍ତର ପ୍ରଦେଶ ପାଇଁ ଓ ୫୦ ପ୍ରତିଶତରୁ ଅଧିକ ରାଶି କେବଳ ଉତ୍ତର ପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ଗୁଜରାଟ, ପଶ୍ଚିମ ବଙ୍ଗ ଭଳି 6ଟି ରାଜ୍ୟ ପାଇଁ ଧାର୍ଯ୍ୟ ହୋଇଛି । ପରିତାପର ବିଷୟ ଓଡିଶା ପାଇଁ ମାତ୍ର ୨୫୦୦ କୋଟି ଟଙ୍କା ଧାର୍ଯ୍ୟ ହୋଇଛି, ଯାହା ପ୍ରାୟ ସବୁ ପ୍ରମୁଖ ରାଜ୍ୟ ତୁଳନାରେ ଯଥେଷ୍ଟ କମ । ବିଗତ ବର୍ଷମାନଙ୍କରେ ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ବ୍ୟାଙ୍କଗୁଡିକ ଦ୍ୱାରା କୃଷି ଭିତ୍ତିଭୂମି ପାଇଁ ଋଣ ପ୍ରଦାନ କରିବାରେ ସେ ଭଳି ଆଗ୍ରହ ପ୍ରକାଶ ପାଇ ନାହିଁ । ଉଦାହରଣ ସ୍ୱରୂପ, ୨୦୧୯-୨୦ ଆର୍ଥିକ ବର୍ଷରେ ଏଥିପାଇଁ ୧୭୧୬ କୋଟି ଟଙ୍କାର ଋଣ ପ୍ରଦାନ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ମାତ୍ର ୫୧୮ କୋଟି ଟଙ୍କା ଋଣ ପ୍ରଦାନ କରା ଯାଇଥିଲା, ଅର୍ଥାତ୍ ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୩୦ ପ୍ରତିଶତ ହାସଲ ହୋଇ ପାରିଥିଲା । ତେଣୁ ଯେ ପର୍ଯ୍ୟନ୍ତ ଓଡିଶାରେ କୃଷି ଭିତ୍ତିଭୂମି ବିକାଶ ପାଇଁ ବ୍ୟାଙ୍କ ଋଣ ପ୍ରଦାନ ନ ବଢିଛି ରାଜ୍ୟ ପାଇଁ ଧାର୍ଯ୍ୟ ହୋଇଥିବା ୨୫୦୦ କୋଟି ଟଙ୍କାର ଲକ୍ଷ୍ୟ ଯଥେଷ୍ଟ କମ ହୋଇଥିଲେ ବି ତାହା ମଧ୍ୟ ହାସଲ ହେବା ସହଜ ହୋଇ ନ ପାରେ । ରାଜ୍ୟରେ ଏହି ଯୋଜନାର ସଫଳ ରୂପାୟନ ପାଇଁ ତୁରନ୍ତ ଏକ ଉଚ୍ଚ ସ୍ତରୀୟ କମିଟି ମାଧ୍ୟମରେ ନିମ୍ନ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ଲାଗି ଏକ ଖସଡା ପ୍ରସ୍ତୁତ କରି ମିଶନ ମୋଡରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ।
ଏହି ଯୋଜନା ସମ୍ପର୍କରେ ଚାଷୀମାନଙ୍କ ଭିତରେ ବ୍ୟାପକ ସଚେତନତା ସୃଷ୍ଟି ହେବା ପ୍ରଥମ ଆବଶ୍ୟକତା । ଏଥିରେ କେବଳ ଅମଳ ପରବର୍ତ୍ତୀ ପରିଚାଳନା ପ୍ରକଳ୍ପ ଓ କୃଷିକାର୍ଯ୍ୟ ପାଇଁ ଗୋଷ୍ଠୀସ୍ତରୀୟ ସମ୍ପତ୍ତି ନିର୍ମାଣ ପ୍ରକଳ୍ପ ଭଳି ଦୁଇଟି ଉଦ୍ଦେଶ୍ୟରେ ଋଣ ପ୍ରଦାନର ପ୍ରାବଧାନ ଥିଲେ ବି ପ୍ରତି ବ୍ଲକରେ ଆବଶ୍ୟକତାକୁ ଅନୁଧ୍ୟାନ କରି ନିର୍ଦ୍ଦିଷ୍ଟ କେଉଁ କେଉଁ କାର୍ଯ୍ୟ (ଆକ୍ଟିଭିଟି)କୁ ଅଗ୍ରାଧିକାର ଦିଆଯିବ, ତାହା ପ୍ରଥମେ ସ୍ଥିର ହେଉ । ରାଜ୍ୟରେ ସରକାରୀ ନିୟନ୍ତ୍ରଣାଧୀନ ଯୋଗ୍ୟ ସମବାୟ ସମିତିଗୁଡିକୁ ଅନ୍ତତଃ ୫୦୦ କୋଟି ଟଙ୍କା ଓ ଅନ୍ୟ ଘରୋଇ ଋଣଗ୍ରହୀତାଙ୍କୁ ୨୦୦୦ କୋଟି ଟଙ୍କା ଋଣ ପ୍ରଦାନର ଲକ୍ଷ୍ୟ ରଖାଯାଉ । ସାଧାରଣତଃ, ଭିତ୍ତିଭୂମି ବିକାଶ ପ୍ରକଳ୍ପଗୁଡିକ ବ୍ୟୟବହୁଳ ତଥା ମଧ୍ୟମ ବା ଦୀର୍ଘ ମିଆଦି ହୋଇଥିବାରୁ ଓ ଏଗୁଡିକର ସୁପରିଚାଳନା ପାଇଁ ପୁଞ୍ଜି, ଶିକ୍ଷାଗତ ଓ ବୈଷୟିକ ଦକ୍ଷତାର ଆବଶ୍ୟକତା ଥିବାରୁ ଏସଏଚଜି, ଜେଏଲଜି ଓ ସାଧାରଣ ଚାଷୀଟିଏ ଏଥିରେ ଅଂଶଗ୍ରହଣ କରିବା ସହଜ ହେବ ନାହିଁ । ତେଣୁ ଏମାନଙ୍କ ପାଇଁ ୫-୨୦ ଲକ୍ଷ ଟଙ୍କା ଭିତରେ ହୋଇ ପାରୁଥିବା ପ୍ରକଳ୍ପଗୁଡିକୁ ଚିହ୍ନଟ କରି ସେଗୁଡିକର ମଡେଲ ସ୍କିମ ତିଆରି କରି ମିଶନ ଶକ୍ତି ଓ ଓଏଲଆରଏମ ଆଦି ଜରିଆରେ ବ୍ୟାପକ ପ୍ରସାର କରାଗଲେ ରାଜ୍ୟରେ ଯୋଗ୍ୟ ଏସଏଚଜି ଓ ଜେଏଲଜିଙ୍କ ଜରିଆରେ ୨୫୦ କୋଟି ଟଙ୍କାର ପୁଞ୍ଜି ନିବେଶ କଷ୍ଟସାଧ୍ୟ ହୋଇ ନ ପାରେ । ଯୋଜନାର ପ୍ରକୃତ ସୁଫଳ ପାଇବାକୁ ହେଲେ ସାଧାରଣ ଚାଷୀମାନଙ୍କୁ ଏଫପିଓ ମାଧ୍ୟମରେ ସଂଘବଦ୍ଧ ହୋଇ ଆଗେଇ ଆସିବାକୁ ହେବ । ବିଶେଷ କରି ଏଫପିଓ ମାଧ୍ୟମରେ କୃଷି ଯାନ୍ତ୍ରିକୀକରଣକୁ ଗୁରୁତ୍ୱ ଦିଆଯାଇ ଚାଷୀମାନଙ୍କୁ ବିଭିନ୍ନ କୃଷି କାର୍ଯ୍ୟ ପାଇଁ ‘କଷ୍ଟମ ହାୟାରିଂ କେନ୍ଦ୍ର’ ଜରିଆରେ ଉନ୍ନତ କୃଷି ଯନ୍ତ୍ରପାତି ଯୋଗାଇ ଦେବାର କାର୍ଯ୍ୟ ଆରମ୍ଭ କରା ଯାଇପାରେ । ଏଫପିଓଗୁଡିକର ପରିଚାଳନାଗତ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦେବା ସହ ସେଗୁଡିକୁ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ କରି ଏହି ଯୋଜନାରେ ଅଂଶଗ୍ରହଣ କରିବା ପାଇଁ ପ୍ରୋତ୍ସାହିତ କରିବା କଥା ବିବେଚନା କରା ଯାଇପାରେ । ତେବେ ଓଡିଶାର ଅଧିକାଂଶ ଏଫପିଓଙ୍କ ନିକଟରେ ଭିତ୍ତିଭୂମି ପ୍ରକଳ୍ପଟିଏ ପାଇଁ ଆବଶ୍ୟକ ହେଉଥିବା ଲକ୍ଷାଧିକ ଟଙ୍କାର ମାର୍ଜିନ ରାଶି ଦେବାର ସାମର୍ଥ୍ୟ ନ ଥିବାରୁ ସେହି ମାର୍ଜିନ ରାଶି ରାଜ୍ୟ ସରକାରଙ୍କ ତରଫରୁ ସଫ୍ଟ ଲୋନ ଆକାରରେ ମିଳି ପାରିଲେ ହୁଏତ ରାଜ୍ୟର ପ୍ରାୟ ୫୦୦ ଏଫପିଓ ଜରିଆରେ ୨୫୦ କୋଟି ଟଙ୍କାର ପୁଞ୍ଜି ଲଗାଣ ହୋଇ ପାରନ୍ତା । ଏହି ପାଣ୍ଠିର ସିଂହଭାଗ କୋଟି କୋଟି ଟଙ୍କାର ପୁଞ୍ଜି ଆବଶ୍ୟକ ହେଉଥିବା ଶୀତଳ ଭଣ୍ଡାର, ଗୋଦାମ ଘର, କୃଷି ପ୍ରକ୍ରିୟାକରଣ ଓ କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ତଥା ଉନ୍ନତ ମାନର କୃଷି ଯନ୍ତ୍ରପାତି ଆହରଣରେ ବିନିଯୋଗ ହେବ ଓ ଏଥିପାଇଁ ଅଧିକ ସଂଖ୍ୟାରେ କୃଷି ଉଦ୍ୟୋଗୀ ବା ଷ୍ଟାର୍ଟଅପ ଆଗକୁ ଆସିବା ଆବଶ୍ୟକ । ବର୍ତ୍ତମାନ ରାଜ୍ୟରେ ପ୍ରବାସରୁ ଫେରି ଅନେକ ଶିକ୍ଷିତ ଯୁବକଯୁବତୀ କିଛି ବଡ ଧରଣର କାମ କରିବାକୁ ଆଗ୍ରହୀ ଥିବାରୁ ଏହାକୁ ଏକ ସୁଯୋଗ ଭାବେ ଗ୍ରହଣ କରା ଯାଇପାରେ । ପ୍ରତି ବ୍ଲକରୁ ୫ ଜଣ ଲେଖାଏଁ ଏହିପରି ୧୫୦୦ ଶିକ୍ଷିତ ତଥା ବୈଷୟିକ ଜ୍ଞାନସମ୍ପନ୍ନ ଯୁବକ-ଯୁବତୀଙ୍କୁ କୃଷି କ୍ଷେତ୍ରକୁ ଆକୃଷ୍ଟ କରି ଉଦ୍ୟୋଗ ଓ ଷ୍ଟାର୍ଟଅପ ପ୍ରତିଷ୍ଠା କରିବା ପାଇଁ ବିଶେଷ ପ୍ରୋତ୍ସାହନ ଓ ହାତଧରା (ହ୍ୟାଣ୍ଡ ହୋଲଡିଂ) ଉଦ୍ୟମ କରାଯିବା ସହ ସେମାନଙ୍କୁ ବିଭିନ୍ନ ଜିଲ୍ଲାରେ ଥିବା ବ୍ୟାଙ୍କ ପରିଚାଳିତ ଆରସେଟିଗୁଡିକରେ ତାଲିମ ପ୍ରଦାନ କରାଯାଇ ପ୍ରୋତ୍ସାହିତ କରି ହେବ, ଯଦ୍ଦ୍ୱାରା ସେମାନଙ୍କ ଜରିଆରେ ଅନ୍ତତଃ ୧୫୦୦ କୋଟି ଟଙ୍କାର ଋଣ ଲାଗିପାରିବ । ଯୋଜନା ଅନ୍ତର୍ଗତ କାର୍ଯ୍ୟଗୁଡିକୁ ସରକାରଙ୍କ କୃଷି ସବସିଡି ନୀତି ଅନ୍ତର୍ଭୁକ୍ତ କରିବା ଲାଗି ଏହାର ପୁନର୍ବିନ୍ୟାସ କରିବାର ଆବଶ୍ୟକତା ଉପୁଜିପାରେ ।
ଓଡିଶାରେ ଏହି ଯୋଜନାର ସଫଳ ରୂପାୟନ ପାଇଁ ଏଠାକାର ପ୍ରାଥମିକ କୃଷି ସମବାୟ ସମିତି ଓ ଯୋଗ୍ୟ ବାଣିଜ୍ୟ ସମବାୟ ସମିତିଗୁଡିକ ମାଧ୍ୟମରେ ଆଗାମୀ ୪ ବର୍ଷ ମଧ୍ୟରେ ଅନ୍ତତଃ ୫୦୦ କୋଟି ଟଙ୍କାର ଋଣ ଲଗାଣର ଖସଡା ପ୍ରସ୍ତୁତ ହେବା ଉଚିତ । ରାଜ୍ୟରେ ୨୭୦୯ (ଲ୍ୟାମ୍ପ ଓ ଏଫଏସଏସକୁ ମିଶାଇ)ଟି ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟ କରୁଥିଲେ ବି ଏହି ଯୋଜନା ଲାଗି କେବଳ ୧୦୦ଟି ପ୍ରାଥମିକ କୃଷି ସମବାୟ ସମିତିକୁ ଚିହ୍ନଟ କରାଯାଇ ମାତ୍ର ୨୪ କୋଟି ଟଙ୍କାର ଋଣ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି, ଯାହା ପ୍ରତୀକାତ୍ମକ ଭଳି ମନେ ହୁଏ । ଏ କଥା ଠିକ ଯେ ଏହି ଧରଣର କାର୍ଯ୍ୟ ପରିଚାଳନା କରିବା ପାଇଁ ଅଧିକାଂଶ ସମିତି ସମ୍ପାଦକ ଓ କର୍ମଚାରୀଙ୍କର ଶିକ୍ଷାଗତ ଓ ପରିଚାଳନାଗତ ଦକ୍ଷତା ନାହିଁ । ପ୍ରକଳ୍ପ ସୁପରିଚାଳନା ପାଇଁ ସେମାନଙ୍କ ପରିଚାଳନାଗତ ଦକ୍ଷତା ବୃଦ୍ଧି ଉପରେ ବିଶେଷ ଧ୍ୟାନ ଦିଆଯାଇପାରେ । ତେବେ ଏହି ପ୍ରକଳ୍ପଗୁଡିକୁ ହାତଧରା ସହାୟତା ପ୍ରଦାନ କରିବା ପାଇଁ କେନ୍ଦ୍ର ସମବାୟ ବ୍ୟାଙ୍କ ସ୍ତରରେ ସ୍ୱତନ୍ତ୍ର ଭାବେ ପ୍ରକଳ୍ପ ପରିଚାଳନା ଓ ନିରୀକ୍ଷଣ ଏକକମାନ ପ୍ରତିଷ୍ଠା କରି ବୈଷୟିକ ଯୋଗ୍ୟତା ଓ ଦକ୍ଷତା ସମ୍ପନ୍ନ ବ୍ୟକ୍ତି ବିଶେଷଙ୍କୁ ଅବସ୍ଥାପିତ କରିବା କଥା ଚିନ୍ତା କରା ଯାଇପାରେ । ତା’ ଛ଼ଡା ସ୍ଥଳ ବିଶେଷରେ ଭିତ୍ତିଭୂମି ବିକାଶ ପାଇଁ ଦରକାର ହେଉଥିବା ଜମି ମଧ୍ୟ ସମିତି ନିକଟରେ ଉପଲବ୍ଧ ନୁହେଁ । ଭିତ୍ତିଭୂମିର ବିକାଶ ସହ ଚାଷୀଙ୍କର ସାମୂହିକ ସ୍ୱାର୍ଥ ଜଡିତ ଥିବାରୁ ସରକାର ସମିତିଗୁଡିକୁ ଆବଶ୍ୟକ ହେଉଥିବା ଜମି ଯୋଗାଇ ଦେବା କଥା ଚିନ୍ତା କରି ପାରନ୍ତି ବା ସେଗୁଡିକୁ ଜମି କିଣିବାକୁ ଅନୁମତି ଦିଆଯାଇପାରେ ।
ଏହା ଏକ ବ୍ୟାଙ୍କ ଋଣ-ନିର୍ଭର ଯୋଜନା ହୋଇଥିବାରୁ ଏଥିପାଇଁ ଋଣ ପ୍ରଦାନ କରିବା ଲାଗି ବ୍ୟାଙ୍କମାନଙ୍କଠାରେ ଉଭୟ ସାମର୍ଥ୍ୟ ଓ ମନୋବୃତ୍ତି ସମାନ ଭାବେ ଆବଶ୍ୟକ । ଓଡିଶାରେ ବ୍ୟାଙ୍କ ବ୍ୟବସ୍ଥାକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ଏଠାରେ କାର୍ଯ୍ୟରତ ଦୁଇଟି ଯାକ ଗ୍ରାମ୍ୟ ବ୍ୟାଙ୍କର ଦୁର୍ବଳ ଆର୍ଥିକ ସ୍ଥିତି ଯୋଗୁ ସେମାନେ ଏହି ଯୋଜନାରେ ସକ୍ରିୟ ଅଂଶ ଗ୍ରହଣ କରିବା ଆଶା କ୍ଷୀଣ, କାରଣ ୨୦୧୯-୨୦ ଆର୍ଥିକ ବର୍ଷରେ ସେମାନେ କୃଷି ଭିତ୍ତିଭୂମି ବାବଦକୁ ମାତ୍ର ୬ କୋଟି ଟଙ୍କା ଋଣ ଦେଇ ପାରିଥିଲେ । ଓଡିଶାରେ ସ୍ମଲ ଫାଇନାନ୍ସ ବ୍ୟାଙ୍କର ଉପସ୍ଥିତି ନାମକୁ ମାତ୍ର ହୋଇଥିବାରୁ ସେମାନେ ମଧ୍ୟ ଏହି ପାଣ୍ଠିରେ ବଡ ଧରଣର ପୁଞ୍ଜି ନିବେଶ କରିବାକୁ ସମର୍ଥ ହେବେ ନାହିଁ । ଅଣ-ବ୍ୟାଙ୍କିଙ୍ଗ ବିତ୍ତୀୟ କମ୍ପାନୀ (ଏନବିଏଫସି)ଗୁଡିକ ଟ୍ରାକ୍ଟର ଭଳି ଉପକରଣ ପାଇଁ ଋଣ ପ୍ରଦାନ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିଲେ ବି ଅନ୍ୟ କ଼ୃଷି ଭିତ୍ତିଭୂମି ପାଇଁ ଋଣ ପ୍ରଦାନରେ ସେମାନଙ୍କର ସେପରି ଅଭିଜ୍ଞତା ନାହିଁ । ଅଧିକନ୍ତୁ, ଏହି ସଂସ୍ଥାଗୁଡିକ ଅପେକ୍ଷାକୃତ ଅଧିକ ସୁଧ ଆଦାୟ କରୁଥିବାରୁ ଋଣ ଗ୍ରହୀତାମାନେ ମଧ୍ୟମ ଓ ଦୀର୍ଘ ମିଆଦି ଋଣ ପାଇଁ ସେମାନଙ୍କ ଉପରେ ନିର୍ଭର କରିବାକୁ ପସନ୍ଦ କରି ନ ପାରନ୍ତି । ଏନସିଡିସି କେବଳ ସମବାୟ ସମିତିଗୁଡିକୁ ଅଳ୍ପ କେତେକ କାର୍ଯ୍ୟ ପାଇଁ ଋଣ ଯୋଗାଇ ଦେବେ, ଯାହା ପରିମାଣ ଦୃଷ୍ଟିରୁ ସୀମିତ ହେବା ସ୍ୱାଭାବିକ । ଏ ପରିପ୍ରେକ୍ଷୀରେ ସମବାୟ ବ୍ୟାଙ୍କଗୁଡିକର ପହଞ୍ଚ ଓ ସଦସ୍ୟ ସଂଖ୍ୟା ଅନ୍ୟ ବ୍ୟାଙ୍କ ତୁଳନାରେ ସର୍ବାଧିକ ହୋଇଥିବାରୁ ସେମାନେ ଏହି ଯୋଜନାରେ ସକ୍ରିୟ ଅଂଶ ଗ୍ରହଣ କରି ସର୍ବାଧିକ ଋଣ ପ୍ରଦାନ କରି ପାରନ୍ତେ । ହେଲେ ମଧ୍ୟମ ଓ ଦୀର୍ଘ ମିଆଦି କୃଷି ଋଣ ପ୍ରଦାନରେ ଏହି ବ୍ୟାଙ୍କ ମାନସିକ ସ୍ତରରେ ଓ ଦକ୍ଷତା ଦୃଷ୍ଟିରୁ ସେପରି ପ୍ରସ୍ତୁତ ନ ଥିବାରୁ କୃଷି ଭିତ୍ତିଭୂମି ଲାଗି ଋଣ ପ୍ରଦାନ କରିବାକୁ ସେମାନେ ଏ ଯାବତ୍ ସେ ଭଳି ଆଗ୍ରହ ଦେଖାଇ ନାହାନ୍ତି । ଉଦାହରଣ ସ୍ୱରୂପ, ଗତ ବର୍ଷ ରାଜ୍ୟରେ ସମବାୟ ବ୍ୟାଙ୍କ ମାଧ୍ୟମରେ କୃଷି ଭିତ୍ତିଭୂମି ପାଇଁ ମାତ୍ର ୨୬ କୋଟି ଟଙ୍କାର ଋଣ ପ୍ରଦାନ କରା ଯାଇଥିଲା । ଏହି ସ୍ଥିତିରେ ରାଜ୍ୟରେ ଏହି ଯୋଜନାର ସଫଳ କ୍ରିୟାନ୍ୱୟନ କେବଳ ବାଣିଜ୍ୟିକ ବ୍ୟାଙ୍କ, ଉଭୟ ସରକାରୀ ଓ ଘରୋଇ ବ୍ୟାଙ୍କ, ଗୁଡିକର ଆନ୍ତରିକତା ଉପରେ ନିର୍ଭର କରିବ । ଗତ ବର୍ଷ ମାତ୍ର ୪-୫ଟି ବାଣିଜ୍ୟିକ ବ୍ୟାଙ୍କ ଏ ଦିଗରେ ଆଗ୍ରହ ପ୍ରକାଶ କରିଥିଲେ । କୃଷି ଭିତ୍ତିଭୂମି ବିକାଶ ପାଇଁ ମଧ୍ୟମ ଓ ଦୀର୍ଘ ମିଆଦି ଋଣ ପ୍ରଦାନରେ ଭୂ-ଉନ୍ନୟନ ବ୍ୟାଙ୍କ ଏକ ବଡ ଭୂମିକା ନିର୍ବାହ କରିଥାଏ । ଏବେ ଓଡିଶାରେ କାର୍ଡ ବ୍ୟାଙ୍କଗୁଡିକ ନିଷ୍କ୍ରିୟ ହୋଇ ପଡିଥିବାରୁ କୃଷି କ୍ଷେତ୍ରକୁ ମିଆଦି ଋଣ ପ୍ରଦାନ ସାଂଘାତିକ ଭାବେ ବାଧାପ୍ରାପ୍ତ ହୋଇଛି । ତେଣୁ ସରକାର ଓସକାର୍ଡ ବ୍ୟାଙ୍କକୁ ପୁନରୁଦ୍ଧାର କରିବା ପାଇଁ ତୁରନ୍ତ ପଦକ୍ଷେପ ନେଲେ କେବଳ କୃଷି ଭିତ୍ତିଭୂମି ପାଣ୍ଠିରେ ନୁହେଁ, ବରଂ ଅନ୍ୟାନ୍ୟ କୃଷି ମିଆଦି ଋଣ ପ୍ରଦାନରେ ମଧ୍ୟ ଗତି ମିଳି ପାରନ୍ତା । ଅନ୍ୟଥା ଉପଯୁକ୍ତ ବ୍ୟାଙ୍କ ବ୍ୟବସ୍ଥାର ଅଭାବରେ ଓଡିଶାରେ ଏହି ଯୋଜନାଟିର ଆଶାନୁରୂପ ଅଗ୍ରଗତି ନେଇ ସନ୍ଦେହ ପ୍ରକାଶ ପାଇବା ସ୍ୱାଭାବିକ ।
କୃଷି ଭିତ୍ତିଭୂମିର ବିକାଶ ଯେତିକି ଗୁରୁତ୍ୱପୂର୍ଣ୍ଣ ତା’ଠାରୁ ବେଶି ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧ ଭିତ୍ତିଭୂମିରୁ ଚାଷୀମାନେ କେତେ ଅଧିକ ଉପକୃତ ହେଉଛନ୍ତି, ତାହା ସୁନିଶ୍ଚିତ କରିବା । ଏଥିପାଇଁ ଜିଲ୍ଲା ସ୍ତରରେ ଉପଲବ୍ଧ କୃଷି ଭିତ୍ତିଭୂମିର ତାଲିକା ପ୍ରସ୍ତୁତ କରି ତା’ର ସମୀକ୍ଷା ହେବା ଆବଶ୍ୟକ, ଯଦ୍ଦ୍ୱାରା ଭିତ୍ତିଭୂମି ଶୂନ୍ୟତା (ଗ୍ୟାପ)ର ନିୟମିତ ଆକଳନ ହୋଇ ଉଚିତ ପଦକ୍ଷେପ ନିଆ ଯାଇପାରିବ । ‘କୃଷି ଭିତ୍ତିଭୂମି ପାଣ୍ଠି’ରେ ଓଡିଶା ଲାଗି ଧାର୍ଯ୍ୟ ଋଣ ଲକ୍ଷ୍ୟ ଅଧିକ ନ ଥିଲେ ବି ରାଜ୍ୟ ସରକାରଙ୍କ ଦ୍ୱାରା ତୁରନ୍ତ ଉପରୋକ୍ତ ପଦକ୍ଷେପଗୁଡିକୁ କାର୍ଯ୍ୟକାରୀ କରାଗଲେ ଯୋଜନାର ସୁଫଳ, ମୁଷ୍ଟିମେୟ ବିତ୍ତଶାଳୀ ଲୋକଙ୍କ ମଧ୍ୟରେ ସୀମିତ ନ ରହି, ସାରା ରାଜ୍ୟରେ ସାଧାରଣ ଚାଷୀ ଓ କୃଷି ଉଦ୍ୟୋଗୀଙ୍କ ନିକଟରେ ପହଞ୍ଚି ପାରନ୍ତା ଓ କୃଷି ଭିତ୍ତିଭୂମିର ବିକାଶ ହୋଇ ଉଭୟ କୃଷି ଓ କୃଷକର ଉନ୍ନତିରେ ସହାୟକ ହୋଇପାରନ୍ତା ।
Published in Odia daily Sambad on September 03, 2020
Good suggestive measures for Odisha. Hope Govt has concrete plan for AIF. After the reverse migration , Govt need to step in quickly for handholding. Liasoning with APEDA and export council may help. Poly houses in upland ecosystem may help the entrepreneurs.
ReplyDeleteThanks for the article.
Thanks Niranjan.
DeleteGood analysis
ReplyDeleteThanks
Delete