ମହାନଗରଠାରୁ ଆରମ୍ଭ କରି ଛୋଟ ଛୋଟ ସହର ପର୍ୟ୍ୟନ୍ତ ଏଣିକି ଆଖି ଝଲସା ବଡ଼ ବଡ଼ ମଲ୍ ଯେପରି କାୟା ବିସ୍ତାର କରି ଗ୍ରାହକମାନଙ୍କୁ ଯେପରି ଆକର୍ଷିତ କରି ଚାଲିଛନ୍ତି, ମନେ ହେଉଛି ସତେ ଯେମିତି ଏହା ହିଁ ବିକାଶର ନୂତନ ସୂଚକ । ସେମିତି ‘ଜମାଟୋ’ ବା ‘ସ୍ୱିଗି’ ବ୍ୟାଗଧାରୀ ତରୁଣର ବାଇକ୍ ଯେଉଁ ସହରର ରାସ୍ତାରେ ଗଡ଼ୁନାହିଁ, ସେ ସହର ସତେ ଯେମିତି ସଭ୍ୟତା ଓ ବିକାଶଠାରୁ ବହୁ ଦୂରରେ ବୋଲି ମନେ ହେଉଛି । ହେଲେ ଏଗୁଡ଼ିକ ଯେ ବିକାଶର ପରିପନ୍ଥୀ ହୋଇପାରନ୍ତି, ତାହା ସ୍ପଷ୍ଟ ହୋଇଛି ବିଶ୍ୱର ସର୍ବବୃହତ୍ ଖୁଚୁରା ସୁପର ଷ୍ଟୋର ’ ୱାଲମାର୍ଟ’ ଉପରେ ନିକଟରେ ପ୍ରକାଶିତ ଦୁଇଟି ସନ୍ଦର୍ଭରୁ । ତହିଁରେ କୁହାଯାଇଛି ଯେ ୱାଲମାର୍ଟ ଭଳି ‘କ୍ରେତା ଏକାଧିପତ୍ୟବାଦୀ’ କମ୍ପାନୀଗୁଡ଼ିକ ଦ୍ୱାରା ସ୍ଥାନୀୟ ଅର୍ଥନୀତି କ୍ଷତିଗ୍ରସ୍ତ ଓ ଦୁର୍ବଳ ହୋଇଛି, ଯାହାକୁ ‘ୱାଲମାର୍ଟ’ ପ୍ରଭାବ କୁହାଯାଉଛି । ଗତ କିଛି ବର୍ଷ ଧରି ‘ୱାଲମାର୍ଟ’ ଢାଞ୍ଚାରେ ଭାରତରେ କାୟା ବିସ୍ତାର କରିଥିବା ସଂଗଠିତ ଖୁଚୁରା ବ୍ୟବସାୟ, ମଲ୍ ଓ ଅନ୍ୟ କେତେକ ବ୍ୟବସାୟ ଆଡୁ ସ୍ଥାନୀୟ ଅର୍ଥନୀତି ପ୍ରତି ଅନୁରୂପ ବିପଦର ଆଶଙ୍କା ଦେଖା ଦେଇଥିବାରୁ ‘କ୍ରେତା ଏକାଧିପତ୍ୟ’ର ଅବଗୁଣଗୁଡ଼ିକ ପ୍ରତି ସତର୍କତା ଅବଲମ୍ୱନ କରି ସ୍ଥାନୀୟ ଅର୍ଥନୀତିକୁ ‘ୱାଲମାର୍ଟ’ ପ୍ରଭାବ ମୁକ୍ତ କରିବାର ଆବଶ୍ୟକତା ରହିଛି ।
କୌଣସି ବିକ୍ରେତାଙ୍କର ବଜାର ଉପରେ ଏକଚାଟିଆ ଅଧିକାର ଥିଲେ ତାକୁ ‘ମନୋପୋଲି’ କୁହାଯାଇଥାଏ । ଏଭଳି ପରିବେଶରେ ନ୍ୟାୟୋଚିତ ପ୍ରତିଯୋଗିତା ଲାଗି ଅବକାଶ ନ ଥାଏ । ‘ମନୋପୋଲି’ର ଅଧିକାରୀ ବିକ୍ରେତା ହିଁ ବିକ୍ରୟ ମୂଲ୍ୟ ଓ ସର୍ତ୍ତ ନିରୂପଣ କରିବାକୁ ସମର୍ଥ ହୁଅନ୍ତି, ଯାହା ସାଧାରଣତଃ ଖାଉଟି ସ୍ୱାର୍ଥ ବିରୋଧୀ ହୋଇଥାଏ । ଏହାର ବିପରୀତଟି ହେଲା 'କ୍ରେତା ଆଧିପତ୍ୟ' ବା 'ମନୋପସୋନି', ଯହିଁରେ, କଞ୍ଚାମାଲ ଯୋଗାଣକାରୀ ଅଥବା ଉତ୍ପାଦକଙ୍କଠାରୁ ଦ୍ରବ୍ୟ କ୍ରୟ କରିବା ଲାଗି ଜଣେ ବା ଅଳ୍ପ କିଛି କ୍ରେତା ଉପଲବ୍ଧ ଥାଆନ୍ତି, ଯେଉଁମାନେ କେଉଁ ଦରରେ ବା କିଭଳି ସର୍ତ୍ତରେ ଦ୍ରବ୍ୟ କିଣିବେ ତାହା ନିର୍ଦ୍ଧାରଣ କରନ୍ତି । ଏଥିରେ ମଧ୍ୟ ନ୍ୟାୟୋଚିତ ପ୍ରତିଯୋଗିତା ହୋଇପାରେ ନାହିଁ । ଫଳରେ ଉତ୍ପାଦକ ଓ କଞ୍ଚାମାଲ ଯୋଗାଣକାରୀ କ୍ଷତି ଓ ଶୋଷଣର ଶିକାର ହୁଅନ୍ତି । ଏହାର ପ୍ରଭାବ ଶ୍ରମ ବଜାର ଉପରେ ଣଧ୍ୟ ପଡ଼େ ଏବଂ କର୍ମଚାରୀଙ୍କ ଦରମା ଓ ପାରିଶ୍ରମିକର ପରିମାଣଠାରୁ ଆରମ୍ଭ କରି ସେମାନଙ୍କ କାମ କରିବାର ସମୟ ପର୍ଯ୍ୟନ୍ତ ଅବଲୀଳାକ୍ରମେ ସେହି କ୍ରେତାଙ୍କ ନିୟନ୍ତ୍ରଣାଧୀନ ହୋଇଯାଏ । ଏକାଧିପତ୍ୟର ଏଭଳି ବାତାବରଣରେ ବିକଳ୍ପର ଅଭାବରେ ଶ୍ରମିକ ଓ କର୍ମଚାରୀମାନେ ଶୋଷଣର ଶିକାର ହେଉଥିଲେ ମଧ୍ୟ ତାହା ସହିବାକୁ ବାଧ୍ୟ ହୁଅନ୍ତି ।
ଏବେ ‘ୱାଲମାର୍ଟ’ ସଂଦର୍ଭକୁ ଯିବା । ‘ୱାଲମାର୍ଟ’ ହେଉଛି ବଡ ବଡ ସୁପର ଷ୍ଟୋର ଜରିଆରେ ଖୁଚୁରା ବ୍ୟବସାୟ କରୁଥିବା ବିଶ୍ୱର ସର୍ବବହତ୍ କମ୍ପାନୀ । ୧୯୬୨ ମସିହାରେ ଆମେରିକାର ଆରକାନସସ୍ ରାଜ୍ୟର ରୋଜର୍ସଠାରେ ବ୍ୟବସାୟ ଆରମ୍ଭ କରିଥିବା ‘ୱାଲମାର୍ଟ’ କମ୍ପାନୀ ଗତ ଶତାବ୍ଦୀର ଶେଷ ଦଶକ ସୁଦ୍ଧା ଏକ ‘ଗ୍ଲୋବାଲ୍’ କମ୍ପାନୀରେ ପରିଣତ ହୋଇସାରିଥିଲା । ବର୍ତ୍ତମାନ ବିଶ୍ୱର ୨୮ଟି ଦେଶରେ ଏହାର ୧୧୫୨୩ଟି ସୁପର ଷ୍ଟୋର ରହିଛି ଯେଉଁଠାରୁ ପ୍ରତି ସପ୍ତାହରେ ପ୍ରାୟ ୨୬ କୋଟି ଲୋକ କମ ଦରରେ ସେମାନଙ୍କ ଆବଶ୍ୟକ ଦ୍ରବ୍ୟ କ୍ରୟ କରିଥାଆନ୍ତି । ଏହି ଷ୍ଟୋରଗୁଡ଼ିକରେ ବିକ୍ରୀ ଲାଗି ବିପୁଳ ପରିମାଣରେ ଦ୍ରବ୍ୟ ଆବଶ୍ୟକ ହୋଇଥାଏ, ଯାହା କମ୍ପାନୀର କ୍ରେତା ଏକାଧିପତ୍ୟ ସୃଷ୍ଟି ହେବାର ପ୍ରମୁଖ କାରଣ । ଏହା ଆମେରିକାର ଘରୋଇ କ୍ଷେତ୍ରରେ ସର୍ବବହତ୍ ନିଯୁକ୍ତିଦାତା ହୋଇଥିଲେ ବି କର୍ମଚାରୀଙ୍କୁ କମ ଦରମା ଦେବାର କୁଖ୍ୟାତି ଏହାର ରହିଛି । ଖାଉଟି-ଅନୁକୂଳ ‘ୱାଲମାର୍ଟ’ କମ୍ପାନୀର ସ୍ଳୋଗାନ ହେଉଛି ‘ପଇସା ବଞ୍ଚାନ୍ତୁ, ଭଲରେ ଚଳନ୍ତୁ’ । ସୁତରାଂ ଲାଗିବ ଯେ, ଗରିବ ଲୋକଙ୍କ ପାଇଁ ଏହା ଏକ ବରଦାନ ସଦୃଶ । କାରଣ, ସେଠାରୁ ଶସ୍ତାରେ ଜିନିଷ କିଣି ଗ୍ରାହକମାନେ ପ୍ରତି ବର୍ଷ ହଜାର ହଜାର ଡଲାର ସଞ୍ଚୟ କରିଥାନ୍ତି । ତେବେ ନିକଟରେ ପ୍ରକାଶିତ ଦୁଇଟି ସନ୍ଦର୍ଭରେ (ସମାଜ ବିଜ୍ଞାନୀ ଲୁକାସ ଲେନର, ପାରୋଲିନ୍ ଇତ୍ୟାଦି ଓ ଅର୍ଥନୀତିଜ୍ଞ ଜଷ୍ଟିନ ୱିଲଟସାୟାରଙ୍କ ଦ୍ୱାରା) ଏହି ଅବଧାରଣାଟି ଭୁଲ ବୋଲି ପ୍ରମାଣିତ ହୋଇଛି । ସେମାନଙ୍କ ମତରେ ଯେଉଁଠାରେ ‘ୱାଲମାର୍ଟ’ର ସୁପର ଷ୍ଟୋର ଖୋଲିଛି, ସେଠାକାର ସ୍ଥାନୀୟ ଅର୍ଥନୀତି ପୂର୍ବାପେକ୍ଷା ଦୁର୍ବଳ ହୋଇଛି । ସେଠାରେ ଲୋକଙ୍କର ହାରାହାରି ଆୟ ପ୍ରାୟ ୬ ପ୍ରତିଶତ କମିଛି ଓ ବେକାରଙ୍କ ସଂଖ୍ୟାରେ ୩ ପ୍ରତିଶତ ବୃଦ୍ଧି ଘଟିଛି । ଫଳରେ ଶସ୍ତା ସାମଗ୍ରୀ କିଣୁଥିବାରୁ ପରିବାର ପିଛା ହାରାହାରି ପ୍ରାୟ ୩୧୦୦ ଡଲାର ସଞ୍ଚୟ ହୋଇପାରୁଛି ସତ, କିନ୍ତୁ ସେମାନଙ୍କର ରୋଜଗାର ହ୍ରାସ ଜନିତ କ୍ଷତିର ପରିମାଣ ହାରାହାରି ୫୦୦୦ ଡଲାର ହୋଇଛି । ସୁପର ଷ୍ଟୋର ପ୍ରତିଷ୍ଠା ଯୋଗୁଁ ଖାଉଟିମାନଙ୍କ କିଣିବା ଅଭ୍ୟାସରେ ପରିବର୍ତ୍ତନ ଘଟିଛି, ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ବ୍ୟବସାୟ କୌଶଳରେ ପରିବର୍ତ୍ତନ ଆଣିବାକୁ ହୋଇଛି, ଉତ୍ପାଦକ ଓ ଯୋଗାଣକାରୀଙ୍କୁ ସେମାନଙ୍କ ଉତ୍ପାଦନ ପରିମାଣକୁ କମ ବେଶି କରିବାକୁ ହେଉଛି । କେଉଁଠାରୁ, କାହାଠାରୁ, କେତେ ପରିମାଣର ସାମଗ୍ରୀ କ୍ରୟ କରାଯିବା ନିଷ୍ପତ୍ତି କମ୍ପାନୀ ହାତରେ ଥିବାରୁ ତାହାର ପ୍ରଭାବ ସ୍ଥାନୀୟ ଉତ୍ପାଦନ ଉପରେ ପଡ଼ିଛି, ଯଦ୍ଦ୍ୱାରା ଉଭୟ ଉତ୍ପାଦକ ଓ ଯୋଗାଣକାରୀମାନେ ପ୍ରଭାବିତ ହୋଇଛନ୍ତି । ଏହା ଫଳରେ ଶ୍ରମିକ, କର୍ମଚାରୀଙ୍କ ନିଯୁକ୍ତି ସୁଯୋଗ ଓ ପାରିଶ୍ରମିକ ମଧ୍ୟ ହ୍ରାସ ପାଇଛି । ମୋଟାମୋଟି ଭାବେ କହିବାକୁ ଗଲେ ‘ୱାଲମାର୍ଟ’ ପ୍ରଭାବ ଯୋଗୁଁ ସ୍ଥାନୀୟ ଅର୍ଥନୀତିରେ ଏକପ୍ରକାର ଅସ୍ଥିରତା ସୃଷ୍ଟି ହୋଇଛି । କହିବା ବାହୁଲ୍ୟ ଯେ ‘ୱାଲମାର୍ଟ’କୁ ଅନୁସରଣ କରି ଭାରତ ସମେତ ବିଭିନ୍ନ ଦେଶରେ ଗଢ଼ି ଉଠିଥିବା ସୁପର ଷ୍ଟୋର ଓ ମଲଗୁଡ଼ିକ ଯୋଗୁଁ ସ୍ଥାନୀୟ ଅର୍ଥନୀତି ମଧ୍ୟ ଅନୁରୂପ କ୍ଷତି ଓ ଅସ୍ଥିରତାର ସମ୍ମୁଖୀନ ହେଉଥାଇପାରେ, ଯାହା ଅଧ୍ୟୟନର ବିଷୟ ।
ଭାରତରେ ଯଦିଓ ‘କ୍ରେତା ଏକାଧିପତ୍ୟ’ ବ୍ୟାପକ ସ୍ତରରେ ନାହିଁ, ତଥାପି ପ୍ରତିରକ୍ଷା, ଭିତ୍ତିଭୂମି ବିକାଶ ଓ ସାର୍ବଜନିକ ସେବା ପ୍ରଦାନ ଭଳି କେତେକ ସରକାରୀ କ୍ଷେତ୍ରରେ ଏହା ମୂଳରୁ ରହିଆସିଛି । ସେହିପରି କୃଷି, ଖୁଚୁରା ବଜାର ଓ ଖାଦ୍ୟ ବିତରଣ ଭଳି ଘରୋଇ କ୍ଷେତ୍ରଗୁଡ଼ିକରେ କ୍ରମେ ତାହା ଚିନ୍ତାଜନକ ସ୍ତରକୁ ଆସି ଯାଉଥିବା ଲକ୍ଷ୍ୟ କରାଯାଉଛି । କୃଷିଜାତ ଦ୍ରବ୍ୟର ବିକ୍ରିବଟାରେ ଚାଷୀମାନଙ୍କ ଆଗରେ ଅଧିକ ବିକଳ୍ପ ନ ଥିବାରୁ ଦଲାଲ, ମଧ୍ୟସ୍ଥି ଓ ବଡ଼ ବଡ଼ କମ୍ପାନୀମାନେ କୃଷି କ୍ଷେତ୍ରରେ ‘କ୍ରେତା ଏକାଧିପତ୍ୟ’ ପରିବେଶ ସୃଷ୍ଟି କରୁଛନ୍ତି । ପ୍ରଥମେ ଏମାନେ ପୁରୁଣା କ୍ରେତା ଯେମିତି କି ସମବାୟ ସଂସ୍ଥା ଓ ମଣ୍ଡିଗୁଡ଼ିକ ତୁଳନାରେ ଅଧିକ ଦାମ ଓ ଅନ୍ୟାନ୍ୟ ସୁବିଧା ଦେଇ ଚାଷୀମାନଙ୍କୁ ଆକର୍ଷିତ କରନ୍ତି । ଏହା ଦ୍ୱାରା ଚାଷୀଙ୍କ ପରିଚାଳନାଧୀନ ସମବାୟ ସଂସ୍ଥା ଓ ମଣ୍ଡିଗୁଡ଼ିକ କ୍ରମାଗତ କ୍ଷତିର ସମ୍ମୁଖୀନ ହୋଇ ରୁଗ୍ଣ ବା ବନ୍ଦ ହୋଇଯିବା ପରେ ସେମାନେ ଅଗତ୍ୟା ନିଜ ଇଚ୍ଛା ମୁତାବକ ଓ ନିଜକୁ ସୁହାଇଲା ଭଳି ସର୍ତ୍ତ ନିର୍ଦ୍ଧାରଣ କରନ୍ତି । ସେତେବେଳକୁ ଉତ୍ପାଦିତ ସାମଗ୍ରୀ ବିକ୍ରି କରିବାର ଅନ୍ୟ କୌଣସି ବିକଳ୍ପ ଚାଷୀ ପାଖରେ ରହି ନଥାଏ । ସେଇଠାରୁ ଚାଷୀର ଶୋଷଣ ଆରମ୍ଭ ହୋଇଯାଏ । ପୂର୍ବର କୃଷକ ଆନ୍ଦୋଳନ ସମୟରେ ପ୍ରଶ୍ନ ଉଠିଥିଲା ଯେ ପଞ୍ଜାବ ଓ ହରିଆଣାର ଅଧିକ ସଂଖ୍ୟକ ଚାଷୀ କାହିଁକି ଏଥିରେ ଭାଗ ନେଉଛନ୍ତି ? ତାହାର ଅନ୍ୟତମ କାରଣ ହେଲା ପ୍ରତ୍ୟାହୃତ କୃଷି ଆଇନରେ କୃଷିଜ କ୍ରୟ କ୍ଷେତ୍ରକୁ ଘରୋଇ କମ୍ପାନୀଙ୍କ ପ୍ରବେଶ ପଥକୁ ସୁଗମ କରି ଦିଆଯାଇଥିଲା ଏବଂ ଆଇନ ପାରିତ ହେବା ପୂର୍ବରୁ ସେହି ଦୁଇ ରାଜ୍ୟରେ କେତେକ ଘରୋଇ କମ୍ପାନୀ ଅନେକ ସଂଖ୍ୟାରେ ବିଶାଳ ‘ସାଇଲୋ’ ବା ଖାଦ୍ୟାନ୍ନ ଭଣ୍ଡାର ନିର୍ମାଣ କରି ସାରିଥିଲେ । ତେଣୁ ଚାଷୀମାନେ ସନ୍ଦେହ କରିଥିଲେ ଯେ ମଣ୍ଡି ବ୍ୟବସ୍ଥାକୁ କ୍ଷତି ପହଞ୍ଚାଇବା ଲାଗି ଏହା ଉଦ୍ଦିଷ୍ଟ । ବସ୍ତୁତଃ ଚାଷୀ ଆନ୍ଦୋଳନର ଅନ୍ୟତମ ଲକ୍ଷ୍ୟ ଥିଲା କୃଷି କ୍ଷେତ୍ରରେ ବୃହଦ୍ କମ୍ପାନୀଗୁଡ଼ିକର କ୍ରମ ବର୍ଦ୍ଧିଷ୍ଣୁ ‘କ୍ରେତା ଏକାଧିପତ୍ୟ’କୁ ପ୍ରତିହତ କରି ଚାଷୀଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ।
ଖୁଚୁରା ବ୍ୟବସାୟ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ବିଦେଶୀ କମ୍ପାନୀଗୁଡ଼ିକର ଭାରତ ପ୍ରବେଶକୁ ନିରୁତ୍ସାହିତ କରିବା ଲାଗି ଦୀର୍ଘ ଦିନ ଧରି ଖୁଚୁରା ବ୍ୟବସାୟ କ୍ଷେତ୍ରରେ ବିଦେଶୀ ପୁଞ୍ଜି ନିବେଶ ଉପରେ କଟକଣା ରହିଥିଲା । ଇତିମଧ୍ୟରେ ସେହି କଟକଣାକୁ ଲାଘବ କରି ବିଦେଶୀ ପୁଞ୍ଜି ନିବେଶକୁ ୫୧ ପ୍ରତିଶତ ଯାଏଁ ବଢ଼ାଇ ଦିଆଯିବା ପରେ ସେମାନଙ୍କ ପ୍ରବେଶ ପଥ ସୁଗମ ହୋଇଛି । କିନ୍ତୁ ଖୁଚୁରା ବ୍ୟବସାୟରେ ବଡ଼ ବଡ଼ ଦେଶୀ କମ୍ପାନୀଙ୍କ ପ୍ରବେଶ ମଧ୍ୟ ସ୍ଥାନୀୟ ଖୁଚୁରା ବ୍ୟବସାୟୀଙ୍କ ଲାଗି କିଛି କମ କ୍ଷତିକାରକ ନୁହେଁ । କାରଣ ଦେଶୀ ହେଉ ବା ବିଦେଶୀ ସୁପର ଷ୍ଟୋର ବା ମଲର କାରବାର ଶୈଳୀ ସମାନ ଧରଣର, ଯହିଁରେ ‘କ୍ରେତା ଏକାଧିପତ୍ୟ’ର ବାତାବରଣ ଗଢ଼ି ଉଠେ । ସାରା ଦେଶରେ ଅସଂଗଠିତ କ୍ଷେତ୍ରରେ ଛୋଟ ଛୋଟ ଖୁଚୁରା ଦୋକାନର ସଂଖ୍ୟା ପ୍ରାୟ ଦେଢ଼ କୋଟି ହୋଇଥିବା ବେଳେ ଏମାନଙ୍କର ଅବଦାନ ଦେଶର ସର୍ବମୋଟ ଘରୋଇ ଉତ୍ପାଦ ବା ଜି.ଡି.ପି.ର ପ୍ରାୟ ୧୦ ପ୍ରତିଶତ ଓ ନିଯୁକ୍ତିର ପ୍ରାୟ ୬-୭ ପ୍ରତିଶତ । ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ପରିବାର ସଦସ୍ୟଙ୍କ ଦ୍ୱାରା ପରିଚାଳିତ । ଏମାନେ ଅଧିକ ଭଡ଼ା ଦେଇ ମଲମାନଙ୍କରେ ଦୋକାନ ଖୋଲିପାରନ୍ତି ନାହିଁ । ସମ୍ୱଳ ଓ ବଜାର ଶକ୍ତି ଅଭାବରୁ ବଡ଼ ବଡ଼ କମ୍ପାନୀଙ୍କ ସହ ପ୍ରତିଯୋଗିତାରେ ତିଷ୍ଠି ରହିବା ଏମାନଙ୍କ ଶକ୍ତି ବହିର୍ଭୁତ । ଫଳରେ ଏଭଳି ଖୁଚୁରୀ ବ୍ୟବସାୟୀମାନଙ୍କ ବ୍ୟବସାୟ ଗଭୀର ଭାବରେ ଆକ୍ରାନ୍ତ ହେଉଛି । ଏହାର ଲାଭ ସିଧାସଳଖ ଖୁଚୁରା ବେପାରର ସଂଗଠିତ କ୍ଷେତ୍ର, ସୁପର ଷ୍ଟୋର ବା ମଲର ମାଲିକମାନଙ୍କ ପାଖକୁ ଯାଉଛି । ଅଧିକନ୍ତୁ ଭାରତରେ ମଲଗୁଡ଼ିକରେ କାମ କରୁଥିବା କର୍ମଚାରୀଙ୍କର ହାରାହାରି ମାସିକ ଆୟ ମାତ୍ର ୧୬ ହଜାର ଟଙ୍କା, ଯାହା ଅନ୍ୟାନ୍ୟ ଅନେକ କ୍ଷେତ୍ର ତୁଳନାରେ ଯଥେଷ୍ଟ କମ । ମଲର ଅବସ୍ଥିତି ଓ କର୍ମଚାରୀଙ୍କ ଦାୟିତ୍ୱକୁ ନେଇ ଏହା କମ ବେଶି ହୋଇପାରେ । ଫଳରେ କର୍ମଚାରୀମାନେ କମ ଦରମାରେ ଅଧିକ ସମୟ କାର୍ଯ୍ୟ କରି ଶୋଷଣର ଶିକାର ହେଉଥିବାର ଅଭିଯୋଗ ଆସିଥାଏ । ଖାଉଟିମାନେ ଶସ୍ତାରେ ଜିନିଷ କିଣି କିଛିଟା ଲାଭବାନ ହେଉଥିଲେ ବି ଖୁଚୁରା କ୍ଷେତ୍ରରେ ନିୟୋଜିତ ଅନେକ ସେମାନଙ୍କ ରୋଜଗାର ହରାଉଛନ୍ତି ଓ କର୍ମଚାରୀମାନେ ଆୟ ସଂକୋଚନର କଷଣ ଭୋଗୁଛନ୍ତି ।
ଭାରତରେ ‘ଜମାଟୋ’, ‘ସ୍ୱିଗି’ ପରି ଅନଲାଇନ୍ ଖାଦ୍ୟ ବିତରଣରେ ନିୟୋଜିତ କମ୍ପାନୀଗୁଡ଼ିକ ନୂତନ ‘ମନୋପସୋନୀ’ କମ୍ପାନୀ ରୂପେ ଉଭା ହେଲେଣି । ଏହି କମ୍ପାନୀଗୁଡ଼ିକ ଲାଗି କାର୍ଯ୍ୟ କରି ଘର ଘର ବୁଲି ଖାଦ୍ୟ ପହଞ୍ଚାଉଥିବା ଲୋକମାନେ କମ୍ପାନୀର କର୍ମଚାରୀ ନୁହନ୍ତି । ସେମାନଙ୍କୁ ‘ଡେଲିଭେରି ପାର୍ଟନର’ ବୋଲି କୁହାଯାଇଥାଏ । ତେଣୁ ଆଇନ ଅନୁସାରେ ସେମାନଙ୍କ ପ୍ରତି ସର୍ବନିମ୍ନ ମଜୁରି ଆଇନ ମଧ୍ୟ ଲାଗୁ ହୋଇ ନଥାଏ । ସେମାନଙ୍କର କାମ କରିବାର ସମୟ ନିର୍ଦ୍ଦିଷ୍ଟ ନ ଥାଏ । ସେମାନେ କମ୍ପାନୀର କର୍ମଚାରୀ ହୋଇ ନଥିବାରୁ ସେମାନଙ୍କ ପକ୍ଷେ ସଂଘ ଗଠନ କରିବା ମଧ୍ୟ ସମ୍ଭବ ହୋଇ ନଥାଏ ।
‘ମନୋପୋଲି’ର କୁପ୍ରଭାବକୁ ପ୍ରତିହତ କରିବା ଲାଗି ଦେଶରେ ୧୯୬୯ ମସିହାରୁ ‘ମନୋପୋଲି ରେଷ୍ଟ୍ରିକ୍ଟିଭ ଟ୍ରେଡ ପ୍ରାକ୍ଟିସେସ ଆକ୍ଟ’ର ପ୍ରଚଳନ ଥିଲା । ତେବେ ତା’ ସ୍ଥାନରେ ୨୦୦୨ ମସିହାରେ ଏକ ‘କମ୍ପିଟିସନ ଆକ୍ଟ’ର ପ୍ରଚଳନ ହେଲା, ଯହିଁରେ ‘ମନୋପୋଲି’ ସହିତ ‘ମନୋପସୋନି’ଜନିତ କୁପ୍ରଭାବକୁ ଏଡ଼ାଇବାର ପ୍ରାବଧାନ ରହିଲା । ଏହି ଆଇନରେ ଏକ ‘କମ୍ପିଟିସନ କମିସନ’ର ପ୍ରତିଷ୍ଠା କରାଗଲା ଯିଏ ବଜାରରେ ପ୍ରତିଦ୍ୱନ୍ଦ୍ୱିତାମୂଳକ ବାତାବରଣକୁ ସୁନିଶ୍ଚିତ କରିବେ । ତେବେ ଦେଶରେ ‘ମନୋପସୋନି’କୁ ବଳ ଦେଉଥିବା କମ୍ପାନୀଗୁଡ଼ିକ କାୟା ବିସ୍ତାର କରିଥିବାରୁ ‘କମ୍ପିଟିସନ କମିସନ’ର ଉପଯୋଗିତା ପ୍ରଶ୍ନାକୁଳ ହୋଇ ପଡ଼ିଛି । କମ୍ପିଟିସନ ଆଇନର ଉଦ୍ଦେଶ୍ୟ ଥିଲା ମୂଳତଃ ଖାଉଟି ସ୍ୱାର୍ଥକୁ ସୁରକ୍ଷା ପ୍ରଦାନ କରିବା । ତେବେ ଖାଉଟିଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବାକୁ ଯାଇ ଉତ୍ପାଦକ ଓ କର୍ମଚାରୀଙ୍କ ସ୍ୱାର୍ଥ ବଳି ପଡ଼ୁଥିଲେ ତାହା ଅର୍ଥନୀତି ପାଇଁ ଶୁଭଙ୍କର ହୋଇ ନ ପାରେ । ତେଣୁ ‘କମ୍ପିଟିସନ ଆଇନ’ର ପରିମାର୍ଜନ ଆବଶ୍ୟକ । ଏଥି ସହ କୃଷକ ସମବାୟ ସମିତିଗୁଡ଼ିକୁ ପ୍ରାଣବନ୍ତ କରି ସେମାନଙ୍କ ସାମୂହିକ ସମ୍ୱଳ ଓ ମୂଲଚାଲ କ୍ଷମତା ମାଧ୍ୟମରେ ବଡ଼ ବଡ଼ କମ୍ପାନୀଙ୍କ ‘କ୍ରେତା ଆଧିପତ୍ୟ’କୁ ପ୍ରତିହତ କରାଯିବା ମଧ୍ୟ ଜରୁରି ।
Comments
Post a Comment