ଅବୈଧ ନିର୍ମାଣକୁ ଭାଙ୍ଗିବା ପାଇଁ ବର୍ଷ ବର୍ଷ ଧରି ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ୱାରା ନିୟମିତ ଭାବେ ବୁଲଡୋଜର ବ୍ୟବହୃତ ହୋଇଆସୁଛି । ତେବେ ଗତ କିଛି ବର୍ଷ ଧରି ଏହା ହଠାତ୍ ନ୍ୟାୟ ପ୍ରଦାନର ଏକ ମାଧ୍ୟମ ରୂପେ ଉଭା ହେବାକୁ ଲାଗିଲା । ବିଭିନ୍ନ କାରଣରୁ ନ୍ୟାୟ ମିଳିବାରେ ଅନେକ ବିଳମ୍ୱ ହେଉଥିବାରୁ ଓ ସ୍ଥଳ ବିଶେଷରେ ଅପରାଧୀଟିଏ ଦଣ୍ଡିତ ହେଉ ନଥିବାରୁ ନ୍ୟାୟ ବ୍ୟବସ୍ଥାର ଉପଯୋଗିତା ଉପରେ ପ୍ରଶ୍ନ ଉଠି ତାତ୍କାଳିକ ଦଣ୍ଡବିଧାନ ବ୍ୟବସ୍ଥା ପ୍ରତି ସାଧାରଣ ଜନତା ଆକୃଷ୍ଟ ହେବା ସ୍ୱାଭାବିକ । ତେଣୁ ‘ବୁଲଡୋଜର ନ୍ୟାୟ’ ପ୍ରଦାନ ବ୍ୟବସ୍ଥାଟି କ୍ରମଶଃ ଜନ ସମର୍ଥନ ହାସଲ କରିବାକୁ ଲାଗିଥିଲା ଏବଂ ଏଭଳି ଦଣ୍ଡ ବିଧାନ କରିପାରୁଥିବା ଶାସକ ଓ ପ୍ରଶାସକମାନେ କ୍ରମେ ମହିମାମଣ୍ଡିତ ହେବାକୁ ଲାଗିଥିଲେ । ତେବେ ଏହି ବିଚାର ବହିର୍ଭୁତ ତାତ୍କାଳିକ ନ୍ୟାୟ ପ୍ରଦାନ ପ୍ରକ୍ରିୟା ପ୍ରତି ଅସହମତି ପ୍ରକାଶ କରି ସୁପ୍ରିମକୋର୍ଟ ଏହାର ଯଥେଚ୍ଛା ପ୍ରୟୋଗ ଉପରେ କଟକଣା ଲଗାଇଛନ୍ତି ଏବଂ ନିକଟରେ ଏ ସଂକ୍ରାନ୍ତରେ ଏକ ମାର୍ଗଦର୍ଶିକା ମଧ୍ୟ ଜାରି କରିଛନ୍ତି ।
ଉତ୍ତର ପ୍ରଦେଶରେ ଗୁଣ୍ଡା, ବଦମାସ ଓ ଗାଙ୍ଗଷ୍ଟରମାନେ ନିଜ ନିଜର ଅପରାଧ ସାମ୍ରାଜ୍ୟ ବିସ୍ତାର କରି ଆସୁଥିଲେ ହେଁ ସେମାନଙ୍କୁ ଦଣ୍ଡିତ କରାଯାଇ ପାରୁ ନ ଥିବାରୁ ସେମାନେ ନିର୍ଭୟରେ ସେମାନଙ୍କ କାର୍ଯ୍ୟ କରିଚାଲିଥିଲେ । ଏହା ସାଧାରଣରେ ଭୟ ଓ କ୍ଷୋଭ ଜାତର କାରଣ ହୋଇଥିଲା । ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଯୋଗୀ ଆଦିତ୍ୟନାଥ ସେପ୍ଟେମ୍ୱର ୨୦୧୭ରେ ପ୍ରଥମ ଥର ଲାଗି ସତର୍କ କରାଇ ଦେଲେ ଯେ ମହିଳା ତଥା ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କ ଉପରେ ଅତ୍ୟାଚାର କରୁଥିବା ବା ସଙ୍ଗିନ ଅପରାଧରେ ସମ୍ପୃକ୍ତ ଲୋକଙ୍କ ଘରକୁ ବୁଲଡୋଜର ଲଗାଇ ଧୂଳିସାତ କରିଦିଆଯିବ । ଚାହାକୁ ଲୋକେ ସ୍ୱାଗତ କଲେ । ଅବଲୀଳା କ୍ରମେ ଗାଙ୍ଗଷ୍ଟର ବିକାଶ ଦୁବେ, ମୁଖତାର ଆନସାରୀ, ଅତିକ ଅହମ୍ମଦଙ୍କ ସମେତ ଅନେକ ବାହୁବଳୀଙ୍କ ଅପରାଧର ସାମ୍ରାଜ୍ୟ ବିଧ୍ୱସ୍ତ ହେବା ସହ ସେମାନଙ୍କ ଅଚଳାଚଳ ସମ୍ପତ୍ତି ବୁଲଡୋଜର ଦ୍ୱାରା ମାଟିରେ ମିଶି ଯାଇଥିଲା । ନ୍ୟାୟପାଳିକା ନୁହେଁ ବରଂ କାର୍ୟ୍ୟପାଳିକା ଦ୍ୱାରା ହେଉଥିବା ତତକ୍ଷଣାତ୍ ଦଣ୍ଡବିଧାନ ନ୍ୟାୟର ପ୍ରତ୍ୟାଶା ରଖୁଥିବା ଜନସାଧାରଣଙ୍କ ଲାଗି ଉଲ୍ଲାସର କାରଣ ହେଲା । ଅପରାଧ ପାଇଁ ଫାଶୀ, କାରାଦଣ୍ଡ, ଅର୍ଥ ଦଣ୍ଡ ପରି ବୁଲଡୋଜର ଦ୍ୱାରା ଘରଭଙ୍ଗା ଯିବା ଦଣ୍ତର ସଦ୍ୟତମ ରୂପ ଭାବେ ପରିଗଣିତ ହେବାକୁ ଲାଗିଲା, ଯାହା ନ୍ୟାୟପାଳିକା ନୁହେଁ ବରଂ କାର୍ଯ୍ୟାପାଳିକା ଦ୍ୱାରା ଦିଆଯିବାକୁ ଲାଗିଲା । ଯୋଗୀ ଆଦିତ୍ୟନାଥଙ୍କୁ ‘ବୁଲଡୋଜର ବାବା’ ବୋଲି ସମ୍ୱୋଧନ କରାଗଲା । ତାପରେ ବୁଲଡୋଜର ନ୍ୟାୟକୁ ନିର୍ବାଚନ ପ୍ରଚାରରେ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ଉପଯୋଗ କରାଗଲା । ତୁରନ୍ତ ନ୍ୟାୟ ପ୍ରଦାନ ଓ ଅପରାଧୀଙ୍କ ମନରେ ଭୟ ଜାତ କରାଇ ପାରୁଥିବା ଏହି ମାର୍ଗଟି ଜନ ସମର୍ଥନ ଲାଭ କରୁଥିବାରୁ କ୍ରମେ ମଧ୍ୟ ପ୍ରଦେଶ, ଗୁଜରାଟ, ରାଜସ୍ଥାନ, ଉତ୍ତରାଖଣ୍ଡ, କର୍ଣ୍ଣାଟକ, ଦିଲ୍ଲୀ, ମହାରାଷ୍ଟ୍ର, ଆସାମ ଭଳି କେତେକ ରାଜ୍ୟରେ ଶାଏହାର ବ୍ୟବହାର ହେବାକୁ ଲାଗିଲା । ତେବେ କୌଣସି ଅଭିଯୁକ୍ତର ଘରଟିକୁ ବୁଲଡୋଜରରେ ଧରାଶାୟୀ କରାଯିବା ପୂର୍ବରୁ ଏକ ନିର୍ଦ୍ଧାରିତ ନମୁନା ପ୍ରକ୍ରିୟା ଅନୁସୃତ ହେଲା, ଯହିଁରେ ପ୍ରଥମେ ଜବରଦଖଲ କରିଥିବାର ବା ବେଆଇନ ନିର୍ମାଣ କରିଥିବାର ନୋଟିସଟିଏ ତାକୁ ଧରାଇ ଦିଆଯାଏ । ଏପରିକି ସେ ଅଦାଲତର ଦ୍ୱାରସ୍ଥ ହୋଇ ତାକୁ ପ୍ରତିବାଦ କରିବା ପୂର୍ବରୁ ତା ଘରଟି ମାଟିରେ ମିଶି ସାରିଥାଏ । ଛୋଟ ଘରଟିଏ ହେଲେ ବି ତାହା ବୁଲଡୋଜରରେ ଭଙ୍ଗା ଗଲେ ତାର ଦୃଶ୍ୟମାନତା ଅଧିକ ହୋଇଥାଏ । ତା ମାଧ୍ୟମରେ ଶକ୍ତିଶାଳୀ ରାଜନୈତିକ ବାର୍ତ୍ତାଟିଏ ମଧ୍ୟ ପ୍ରଭାବୀ ଢଙ୍ଗରେ ପ୍ରଦାନ କରାଯାଇ ପାରିଲା ।
ଅନ୍ତର୍ଜାତୀୟ ମାନବାଧିକାର ସଂଗଠନ ‘ଆମନେଷ୍ଟି ଇଣ୍ଟରନ୍ୟାସନାଲ’ ପକ୍ଷରୁ ବୁଲଡୋଜର ନ୍ୟାୟ ନାମରେ ବେଆଇନ ଭାବେ ଘର ଭଙ୍ଗା ଯାଇ ସାଧାରଣ ଜନତାଙ୍କୁ ବାସଚ୍ୟୁତ କରାଯାଉଥିବାର ଏଭଳି ଘଟଣାମାନ ସମ୍ପର୍କରେ ଫେବୃଆରୀ ୨୦୨୪ରେ ଏକ ରିପୋର୍ଟ ଜାରି କରାଗଲା । ତୁରନ୍ତ ତାହା ବନ୍ଦ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏଥି ସହ ଘରଭଙ୍ଗାରେ ପ୍ରଭାବିତ ପ୍ରତ୍ୟେକଙ୍କୁ କ୍ଷତିପୂରଣ ଦେବା ସହ ଆଇନ ଉଲ୍ଲଂଘନ କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଥିଲା ।
ମନେ ରଖିବା ଉଚିତ ଯେ ‘ଆଶ୍ରୟର ଅଧିକାର’ ସମ୍ୱିଧାନର ଅନୁଚ୍ଛେଦ ୨୧ରେ ଥିବା ‘ଜୀବନ ଓ ବ୍ୟକ୍ତିଗତ ସ୍ୱାଧୀନତାର ଅଧିକାର’ର ଅଂଶବିଶେଷ । ଏପରି ସ୍ଥଳେ ‘ବୁଲଡୋଜର ନ୍ୟାୟ’ ନାମରେ ବେଆଇନ ଭାବେ କାହାରି ଘର ଭାଙ୍ଗିବା ତା’ର ସେହି ମୌଳିକ ଅଧିକାରର ହନନ ସହିତ ସମାନ । ଏକ ଆକଳନ ଅନୁସାରେ କେବଳ ୨୦୨୨ ଓ ୨୦୨୩ ମସିହାରେ ବିଭିନ୍ନ ରାଜ୍ୟରେ ପ୍ରାୟ ଦେଢ଼ ଲକ୍ଷ ଘର ଭଙ୍ଗାଯାଇଛି, ଯେଉଁଥିରେ ୭.୩୮ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବାସଚ୍ୟୁତ ହୋଇଛନ୍ତି । ଜାତିସଂଘ ମଧ୍ୟ ବାସଗୃହକୁ ମାନବାଧିକାରର ଅଂଶବିଶେଷ ଭାବେ ଗ୍ରହଣ କରୁଥିବାରୁ ଅବୈଧ ଭାବେ ଅଚାନକ କାହାର ଘର ଭାଙ୍ଗି ତାକୁ ବାସଚ୍ୟୁତ କରିବାକୁ ମାନବାଧିକାରର ହନନ ବୋଲି କୁହାଯିବ । ପ୍ରକାଶ ଥାଉ କି ବୁଲଡୋଜର ନ୍ୟାୟ ମାମଲାରେ ‘ପର୍ଯ୍ୟାପ୍ତ ବାସସ୍ଥାନ’ ଉଦ୍ଦେଶ୍ୟରେ ଭାରତରେ ଅବସ୍ଥାପିତ ଜାତିସଂଘର ବିଶେଷ ଦୂତ ବାଧ୍ୟ ହୋଇ ଅନ୍ତର୍ଜାତୀୟ ମାନବାଧିକାର ଦୃଷ୍ଟିକୋଣକୁ ସ୍ପଷ୍ଟ କଲେ, ଯାହା ଅନୁସାରେ କୌଣସି ଯୁକ୍ତିଯୁକ୍ତ ଆଇନଗତ ଅନୁମତି ନ ଥାଇ ବୁଲଡୋଜର ମାଧ୍ୟମରେ ଘର ଭାଙ୍ଗିବା ବା ଧୂଳିସାତ୍ କରିବା ଅନ୍ତର୍ଜାତୀୟ ମାନବାଧିକାରର ଉଲ୍ଲଂଘନ । ଏହା ଆଶ୍ରୟସ୍ଥଳୀ ଅଧିକାରର ବିରୋଧାଚରଣ କରୁଛି । କାହାକୁ ଦଣ୍ଡିତ କରିବା ଉଦ୍ଦେଶ୍ୟରେ ମନ ଇଚ୍ଛା ଢଙ୍ଗରେ ଘର ଭଙ୍ଗାଯିବା ମାନବାଧିକାର ଉଲ୍ଲଂଘନର ଏକ କୁତ୍ସିତ ରୂପ । ପୁଣି ଯେତେବେଳେ ଧାରଣା ସୃଷ୍ଟି ହୁଏ ଯେ ସଂଖ୍ୟାଲଘୁଙ୍କୁ ଏହି ଦଣ୍ଡବିଧାନର ଶିକାର କରାଯାଉଛି ବା ସଂଖ୍ୟାଲଘୁମାନେ ଏକତରଫା ଭାବେ ପୀଡ଼ିତ ହେଉଛନ୍ତି, ଏହା ଅଧିକ ଚିନ୍ତାର କାରଣ ହୋଇପଡ଼େ । ବାସହୀନତାର ସ୍ଥିତିକୁ ବ୍ୟାପକ କରେ ।
ସତକୁ ସତ କ୍ରମେ ବୁଲଡୋଜର ନ୍ୟାୟର କୁତ୍ସିତ ରୂପମାନ ଦୃଷ୍ଟିଗୋଚର ହେବାକୁ ଲାଗିଲା । ରାଜସ୍ଥାନର ଉଦୟପୁରଠାରେ ଭଡ଼ାରେ ରହୁଥିବା ଜଣେ ଅଭିଯୁକ୍ତକୁ ଦଣ୍ଡିତ କରିବାକୁ ଯାଇ ସେ ରହୁଥିବା ସମ୍ପୂର୍ଣ୍ଣ ଘରଟିକୁ ଧୂଳିସାତ କରିଦିଆଯାଇଥିଲା । ଘରମାଲିକଙ୍କ କାକୁତିମିନତି ସତ୍ତ୍ୱେ ଘର ଭଙ୍ଗାଯିବାର ଘଣ୍ଟା କେଇଟା ପୂର୍ବରୁ ଘରଟି ସଂରକ୍ଷିତ ଜଙ୍ଗଲ ଜମିକୁ ଅତିକ୍ରମଣ କରି ତିଆରି ହୋଇଛି ବୋଲି ତାଙ୍କୁ ନୋଟିସଟିଏ ଧରାଇ ଦିଆଯାଇଥିଲା । ଏଭଳି ଅନେକ ଉଦାହରଣ ସମ୍ନାକୁ ଆସିଲା । ତେବେ ୨୦୨୨ ମସିହାରେ ଏକ ସାମ୍ପ୍ରଦାୟିକ ହିଂସାକୁ ଆଳ କରି ଉତ୍ତର ପ୍ରଦେଶର ଜାହାଙ୍ଗିରପୁରିଠାରେ ହୋଇଥିବା ଘରଭଙ୍ଗାକୁ ବିରୋଧ କରି ‘ଜମିଆତ ଉଲେମା-ଏ- ହିନ୍ଦ’ ନାମକ ଏକ ସଂସ୍ଥା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା । ଏହାପରେ ବୁଲଡୋଜର ନ୍ୟାୟକୁ ବିରୋଧ କରି ସୁପ୍ରିମକୋର୍ଟରେ ଏକାଧିକ ମାମଲା ରୁଜୁ କରାଗଲା । ସେ ସବୁର ଶୁଣାଣି କରି ସୁପ୍ରିମକୋର୍ଟ ନଭେମ୍ୱର ୧୩, ୨୦୨୪ରେ ପ୍ରଦତ୍ତ ରାୟରେ ସ୍ପଷ୍ଟ କଲେ ଯେ କୌଣସି ଅପରାଧରେ ସମ୍ପୃକ୍ତି ଅଭିଯୋଗ ପରିପ୍ରେକ୍ଷୀରେ ‘ଆଇନର ଉଚିତ ପ୍ରକ୍ରିୟା’ର ଅନୁସରଣ ନ କରି କାହାର ଘର ଭଙ୍ଗାଯିବା ଅସାମ୍ୱିଧାନିକ ଅଟେ । ଅଭିଯୁକ୍ତକୁ ଏଭଳି ଦଣ୍ତ ପ୍ରଦାନ କରି କାର୍ୟ୍ୟପାଳିକା ପ୍ରକାରାନ୍ତରେ ନ୍ୟାୟପାଳିକାର ନ୍ୟାୟ ପ୍ରଦାନ ଅଧିକାର କ୍ଷେତ୍ରକୁ ଅତିକ୍ରମଣ କରିଥାଏ । ଏହା ‘କ୍ଷମତା ପୃଥକୀକରଣ’ ସିଦ୍ଧାନ୍ତର ମଧ୍ୟ ବିରୋଧାଚରଣ କରିଥାଏ । ଘର ଭାଙ୍ଗିଦେବା ଦ୍ୱାରା କେବଳ ଯେ ଅଭିଯୁକ୍ତର ଆଶ୍ରୟର ଅଧିକାରକୁ ଉଲ୍ଲଂଘନ କରାଯାଏ ତାହା ନୁହେଁ, ତଦ୍ଦ୍ୱାରା ଅଭିଯୁକ୍ତର ସମଗ୍ର ପରିବାର ବିନା ଦୋଷରେ ସାମୂହିକ ଭାବେ ଦଣ୍ଡିତ ହୁଅନ୍ତି । ଏଭଳି ପ୍ରକରଣରେ ଅଧିକାରୀମାନେ କ୍ଷମତାର ଅପବ୍ୟବହାର କରିବାର ଆଶଙ୍କା ଥାଏ । ତେଣୁ ନାଗରିକଙ୍କ ମନରେ ତଦଜନିତ ଉଦ୍ରେକ ହେଉଥିବା ଭୟକୁ ପ୍ରଶମିତ କରିବା ଲାଗି ସମ୍ୱିଧାନର ଅନୁଚ୍ଛେଦ ୧୪୨ରେ ପ୍ରଦତ୍ତ କ୍ଷମତାନୁସାରେ ସୁପ୍ରିମକୋର୍ଟ ନାଗରିକଙ୍କ ଘରଭଙ୍ଗାକୁ ନେଇ ଏକ ମାର୍ଗଦର୍ଶିକା ଜାରି କରିଛନ୍ତି । ଏହା ସାରା ଭାରତରେ ଲାଗୁ ହେବ । ଏହା ଅନୁସାରେ ଘର ମାଲିକଙ୍କୁ ଅନ୍ତତଃ ପକ୍ଷେ ୧୫ ଦିନର ନୋଟିସ ଦେବାକୁ ପଡ଼ିବ, ଯେଉଁଥିରେ ଘରର ନିର୍ଦ୍ଦିଷ୍ଟ କେଉଁ ଅଂଶ ଓ କେଉଁ କାରଣରୁ ଭଙ୍ଗା ହେବ, ତାହା ଉଲ୍ଲେଖ ରହିବ । ଘରଭଙ୍ଗାକୁ ପ୍ରତିବାଦ କରିବା ଲାଗି ବା ତାଙ୍କ ପକ୍ଷ ରଖିବା ଲାଗି ଘରମାଲିକଙ୍କୁ ଏକ ନିର୍ଦ୍ଧାରିତ ଦିବସରେ ଶୁଣାଣିର ସୁଯୋଗ ଦେବାକୁ ହେବ । ନୋଟିସ ପ୍ରଦାନରେ ପାରଦର୍ଶିତାକୁ ସୁନିଶ୍ଚିତ କରିବା ନିହାତି ଆବଶ୍ୟକ । କର୍ତ୍ତୃପକ୍ଷ ଯେପରି ନୋଟିସକୁ ପଛୁଆ ତାରିଖରେ ଜାରି କରି ନ ପାରନ୍ତି ସେଥିପାଇଁ ନୋଟିସ ଜାରି ହେବା ମାତ୍ରେ ତାହା ଇ-ମେଲ ଯୋଗେ ଜିଲ୍ଲାପାଳଙ୍କୁ ମଧ୍ୟ ସୂଚିତ କରାଯିବା ଦରକାର । ଶୁଣାଣି ପରେ ଚୂଡ଼ାନ୍ତ ଆଦେଶରେ ଘରମାଲିକଙ୍କ ତର୍କ, ଭାଙ୍ଗିବା ହିଁ ଏକମାତ୍ର ବିକଳ୍ପ ବୋଲି କର୍ତ୍ତୃପକ୍ଷଙ୍କ ଯୁକ୍ତି, ସମ୍ପୂର୍ଣ୍ଣ ବା ଆଂଶିକ ଉଚ୍ଛେଦ ଭଳି ବିଷୟ ଆଦି ନିଶ୍ଚିତ ଭାବେ ଉଲ୍ଲେଖ ରହିବ । ଉଚ୍ଛେଦ ପାଇଁ ଚୂଡ଼ାନ୍ତ ଆଦେଶ ଜାରି ହେବା ପରେ ମାଲିକଙ୍କୁ ୧୫ ଦିନର ସମୟ ଦିଆଯିବ, ଯେଉଁ ସମୟରେ ସେ ନିଜେ ତାହା ଉଚ୍ଛେଦ କାର୍ଯ୍ୟ କରିପାରିବେ । ନତୁବା ଆଦେଶ ବିରୋଧରେ ସେ ଅଦାଲତଙ୍କ ଦ୍ୱାରସ୍ଥ ହୋଇପାରନ୍ତି । ସମଗ୍ର ଉଚ୍ଛେଦ ପ୍ରକ୍ରିୟାର ଭିଡିଓ ରେକର୍ଡ କରିବାକୁ ହେବ । ଉଚ୍ଛେଦ ପୂର୍ବରୁ ‘ନିରୀକ୍ଷଣ ରିପୋର୍ଟ’ ଓ ଉଚ୍ଛେଦ ପରେ ଏକ ‘ଉଚ୍ଛେଦ ରିପୋର୍ଟ’ ପ୍ରସ୍ତୁତ କରିବାକୁ ହେବ, ଯେଉଁଥିରେ ସମ୍ପୃକ୍ତ କର୍ମଚାରୀଙ୍କ ନାମ ଉଲ୍ଲେଖ ରହିବ । ଯଦି ଅଭିଯୁକ୍ତ ରହୁଥିବା କୌଣସି ଘର ପୌର ନିୟମର ଉଲ୍ଲଂଘନ କରୁଥିବା ସତ୍ତ୍ୱେ ସେହି ଘରର କେବଳ ଅଭିଯୁକ୍ତ ରହୁଥିବା ଅଂଶଟିକୁ ଉଚ୍ଛେଦ କରାଯାଏ, ତେବେ ତାହାର ଉଦ୍ଦେଶ୍ୟ ବେଆଇନ ନିର୍ମାଣକୁ ହଟାଇବା ନୁହେଁ ବରଂ ଅଭିଯୁକ୍ତକୁ ଦଣ୍ଡିତ କରିବା ବୋଲି ବୁଝିବାକୁ ହେବ । ତେଣୁ ଏଣିକି ଆଉ ପ୍ରତିଶୋଧ ପରାୟଣ ହୋଇ ତରବରିଆ ଭାବେ ବୁଲଡୋଜର ଲଗାଇ ଘର ଭାଙ୍ଗିବା ସମ୍ଭବ ହେବନାହିଁ । ଅବଶ୍ୟ ରାସ୍ତାଘାଟ, ରେଳଧାରଣା କଡ଼, ନଦୀ, ଜଳାଶୟ ଆଦି ସର୍ବସାଧାରଣ ସ୍ଥାନକୁ ଜବରଦଖଲ କରି ତିଆରି ହୋଇଥିବା ଘରଗୁଡ଼ିକର ଉଚ୍ଛେଦ କ୍ଷେତ୍ରରେ ଏହି ମାର୍ଗଦର୍ଶିକା ଲାଗୁ ହେବନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ଅଦାଲତଙ୍କ ଦ୍ୱାରା କୌଣସି ଘରର ଉଚ୍ଛେଦ ପାଇଁ ଦିଆଯାଇଥିବା ଆଦେଶର ଅନୁପାଳନଜନିତ ଉଚ୍ଛେଦ ମଧ୍ୟ ମାର୍ଗଦର୍ଶିକା ପରିସରଭୁକ୍ତ ହେବନାହିଁ ।
ମାତ୍ର ୧୦୦ ବର୍ଷ ତଳେ ୧୯୨୩ ମସିହାରେ ଆମେରିକାର କାନସାସ ରାଜ୍ୟର ଚାଷୀ ଜେମସ୍ କମିଙ୍ଗସ୍, ଡ୍ରାଫ୍ଟମ୍ୟାନ ଅର୍ଲ ମ୍ୟାକଲିଅଡଙ୍କ ସହାୟତାରେ ପ୍ରଥମ ବୁଲଡୋଜର ତିଆରି କରିଥିଲେ। ସେତେବେଳେ ଏହାକୁ ଟ୍ରାକ୍ଟର ସହ ସଂଯୋଗ କରାଯାଉଥିଲା । ଟ୍ରାକ୍ଟର ସହ ଯୋଡ଼ା ହୋଇ କୃଷି କାର୍ୟ୍ୟରେ ବ୍ୟବହୃତ ହେବା ଲାଗି ଉଦ୍ଦିଷ୍ଟ ଯନ୍ତ୍ରାଂଶଟିଏ ପାଇଁ ବ୍ୟବହୃତ ଶବ୍ଦଟି ଯେ ଦିନେ ନ୍ୟାୟ ପ୍ରଦାନ ସହ ଏକ ଅସ୍ତ୍ର ଭାବେ ଯୋଡ଼ା ହେବ, ସେ କଥା ତାର ଉଦ୍ଭାବକ ମଧ୍ୟ କେବେ ହେଲେ ପରିକଳ୍ପନା କରି ନଥିବେ ! ‘ବୁଲଡୋଜର ନ୍ୟାୟ’ ‘ଆଇନର ଶାସନ’ର ପରିପନ୍ଥୀ । ଏଥିରେ ନ୍ୟାୟପାଳିକାର ନ୍ୟାୟ ପ୍ରଦାନ କ୍ଷମତାକୁ କାର୍ଯ୍ୟପାଳିକା ଦ୍ୱାରା ଆତ୍ମସାତ୍ କରିବାର ଅଭୀପ୍ସା ଲୁକ୍କାୟିତ ଥାଏ, ଯାହା ଗଣତନ୍ତ୍ରର ଆତ୍ମା କୁହାଯାଉଥିବା ‘ଆଇନର ଶାସନ’ ପାଇଁ ବିପଜ୍ଜନକ ।
ବିଡ଼ମ୍ୱନା ହେଲା ଏବେ ସୁଦ୍ଧା ବୁଲଡୋଜର ନ୍ୟାୟର ଦୃଷ୍ଟାନ୍ତମାନ ଦେଖିବାକୁ ମିଳୁଛି । ଏହାକ ଅର୍ଥ ହେଲା ସର୍ବୋଚ୍ଚ ଅଦାଲତଙ୍କ ଆଦେଶକୁ ମହତ୍ତ୍ୱ ନ ଦେଇ କାର୍ୟ୍ୟପାଳିକାର କିଛି ପ୍ରତିନିଧି କାର୍ୟ୍ୟ କରୁଛନ୍ତି । ତେଣୁ କାର୍ଯ୍ୟପାଳିକାର କ୍ଷମତା ଅତିକ୍ରମଣ ପ୍ରବୃତ୍ତି ଉପରେ ଅଙ୍କୁଶ ଲଗାଇବା ସହିତ ସୁପ୍ରିମକୋର୍ଟ ଏହାର ଉଲ୍ଲଂଘନ ଉପରେ ତୀକ୍ଷ୍ଣ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।
Published in Sambad on January 22, 2025
Comments
Post a Comment