ଭାରତୀୟ ଲୋକପାଳର ଅଧ୍ୟକ୍ଷ ଓ ଅନ୍ୟ ୬ ଜଣ ସଦସ୍ୟଙ୍କ ଲାଗି ୭ଟି ‘ବିଏମଡବଲ୍ୟୁ ୩ ସିରିଜ ୩୩୦ ଏଲଆଇ’ ବିଳାସପୂର୍ଣ୍ଣ କାର୍ କିଣିବା ଲାଗି ଦିଆଯାଇଥିବା ଏକ ବିଜ୍ଞାପନ ଏବେ ବିବାଦର ବିଷୟ ହୋଇଛି। ସ୍ୱଦେଶୀ ଜିନିଷ କିଣିବା ଲାଗି ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଉଥିବା ବେଳେ ଲୋକପାଳ ସଦସ୍ୟମାନଙ୍କ ଲାଗି ଜର୍ମାନୀ ତିଆରି ଏହି ସୌଖୀନ କାର କିଣାଯିବା ପ୍ରସଙ୍ଗ ଭ୍ରୁକୁଞ୍ଚନ ସୃଷ୍ଟି କରିବା ସହ ଅନେକ ପ୍ରଶ୍ନ ଉତ୍ଥାପନ କରିଛି। ଉଲ୍ଲେଖଯୋଗ୍ୟ ଯେ ଏଭଳି ପ୍ରତିଟି କାରର ମୂଲ୍ୟ ପ୍ରାୟ ୭୦ ଲକ୍ଷ ଟଙ୍କା। ଟିକସଦାତାଙ୍କ ଅର୍ଥର ଏଭଳି ଅପଚୟ ଅନ୍ତତଃ ଉଚ୍ଚ ପଦ ପଦବୀରେ ଅଧିଷ୍ଠିତ ବ୍ୟକ୍ତିଙ୍କ ନିକଟରୁ ଆଶା କରାଯାଏ ନାହିଁ। ଦେଶରେ ଲୋକପାଳ ବ୍ୟବସ୍ଥା କାର୍ଯ୍ୟ କରୁଛି କି ନାହିଁ; ସେ ନେଇ ଅନେକଙ୍କର ସନ୍ଦେହ ଥିଲା। ଏହି କାର କିଣା ବିବାଦ ପରେ ଲୋକପାଳର କାର୍ୟ୍ୟଶୈଳୀ ଓ କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠିଲା ଏବଂ ସାଧାରଣରେ ଆଲୋଚିତ ହେଲା। ଲୋକେ ପ୍ରଶ୍ନ କରୁଛନ୍ତି ଯେ ଯେଉଁ ମହାନ୍ ଉଦ୍ଦେଶ୍ୟରେ ଏହି ଅନୁଷ୍ଠାନ ଗଠିତ ହୋଇଥିଲା, ସେ ଉଦ୍ଦେଶ୍ୟ କ’ଣ ସାଧିତ ହୋଇଛି? କହିବା ଅନାବଶ୍ୟକ ଯେ ଭାରତର ପ୍ରଗତିରେ ଯଦି କେଉଁ ଗୋଟିଏ କଥା ସର୍ବାଧିକ ବାଧକ ସାଜିଥାଏ, ତାହା ଦୁର୍ନୀତି ବା ଭ୍ରଷ୍ଟାଚାର। ଏହାର କୁପ୍ରଭାବ ସର୍ବବ୍ୟାପୀ ହୋଇ ବ୍ୟକ୍ତି, ସମାଜ ଓ ଦେଶକୁ ଗଭୀର ଭାବେ ଆକ୍ରାନ୍ତ କରୁଛି। ଆବଶ୍ୟକତାନୁସାରେ ଏହା ବିବିଧ ରୂପ ...