‘ନୀତି’ ଆୟୋଗର ବିତ୍ତୀୟ ସ୍ୱାସ୍ଥ୍ୟ ସୂଚକାଙ୍କରେ ୬୭.୮ ଅଙ୍କ ସହ ଓଡ଼ିଶା ଶୀର୍ଷରେ ରହିବା ଗୌରବର ବିଷୟ ନିଶ୍ଚୟ । ୨୦୦୬ ଆର୍ଥିକ ବର୍ଷଠାରୁ ଓଡ଼ିଶା ନିରନ୍ତର ଭାବେ ବିତ୍ତୀୟ ଦାୟିତ୍ୱ ଓ ବଜେଟ ପରିଚାଳନା (ଏଫଆରବିଏମ୍) ଆଇନର ସମସ୍ତ ବିତ୍ତୀୟ ଅନୁଶାସନକୁ ମାନି ଆସିଥିବାରୁ ଏହା ସମ୍ଭବ ହୋଇଛି। ଏଫଆରବିଏମର ପ୍ରାବଧାନ ଅନୁଯାୟୀ ଓଡ଼ିଶା ବିତ୍ତୀୟ ନିଅଣ୍ଟକୁ ସର୍ବମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସଡିପି)ର ୩ ପ୍ରତିଶତ ଭିତରେ ରଖିବା, ଋଣ ଓ ଜିଏସଡିପିର ଅନୁପାତକୁ ୨୫ ପ୍ରତିଶତ ମଧ୍ୟରେ ରଖିବା ଓ ମୋଟ ସୁଧ ଦେୟକୁ ମୋଟ ରାଜସ୍ୱ ଆୟର ୧୫ ପ୍ରତିଶତ ମଧ୍ୟରେ ରଖିବାକୁ ସମର୍ଥ ହେବା ପ୍ରଶଂସନୀୟ। ତେବେ ବର୍ଷ ପରେ ବର୍ଷ ଓଡ଼ିଶା ବଜେଟର ଆକାର ବୃଦ୍ଧି ପାଇଚାଲିଥିଲେ ବି ଲଗାତାର ଭାବେ ବଜେଟ ରାଶିର ସମ୍ପୂର୍ଣ୍ଣ ଉପଯୋଗ ହୋଇ ନ ପାରିବା ଉଦବେଗର ବିଷୟ। ଏହା ପ୍ରଶାସନିକ ବିଭାଗଗୁଡ଼ିକର ଦୁର୍ବଳ ବିତ୍ତୀୟ ଅନୁଶାସନ ଓ ସୁଚିନ୍ତିତ ଯୋଜନାର ଅଭାବକୁ ଦର୍ଶାଉଛି ।
୨୦୨୫ ଆର୍ଥିକ ବର୍ଷରେ ଓଡ଼ିଶାର ବଜେଟର ଆକାର ୨.୬୫ ଲକ୍ଷ କୋଟି ଟଙ୍କା ଥିଲା। ହେଲେ ଉପଯୋଗ ହୋଇଥିଲା ମାତ୍ର ୮୧.୦୫ ପ୍ରତିଶତ । ଅର୍ଥାତ୍ ବଜେଟରେ ଆବଣ୍ଟିତ ପ୍ରାୟ ୫୦ ହଜାର କୋଟି ଟଙ୍କା ଉପଯୋଗ ହୋଇପାରି ନଥିଲା। ଉଲ୍ଲେଖଯୋଗ୍ୟ ଯେ ୨୦୨୩ ଓ ୨୦୨୪ ଆର୍ଥିକ ବର୍ଷରେ ଯଥାକ୍ରମେ ୮୨.୩୦ ଓ ୭୭.୬୩ ପ୍ରତିଶତ ବଜେଟ ଉପଯୋଗ ହୋଇପାରିଥିଲା। ଅର୍ଥାତ୍ ଗତ ୩ ବର୍ଷ ଧରି ପ୍ରତିବର୍ଷ ବଜେଟ ପରିମାଣର ହାରାହାରି ୨୦ ପ୍ରତିଶତ ଉପଯୋଗ ହୋଇପାରୁନାହିଁ। ତେଣୁ ବଜେଟର ଆକାର ବୃଦ୍ଧି ପାଇ ଶହେ ଭାଗ ଉପଯୋଗ ହୋଇ ନ ପାରିଲେ କିଛି ଲାଭ ନାହିଁ। ଆଗକୁ ବଜେଟର ଆକାର ଆହୁରି ବୃଦ୍ଧିପାଇବ। ତେଣୁ ତାର ସମ୍ପୂର୍ଣ୍ଣ ଉପଯୋଗକୁ ସୁନିଶ୍ଚିତ କରିବା ଲାଗି ପ୍ରଶାସନିକ ଦକ୍ଷତାର ବୃଦ୍ଧି ମଧ୍ୟ ଆବଶ୍ୟକ।
ଗତ ଆର୍ଥିକ ବର୍ଷର ଜାନୁଆରୀ ମାସ ଶେଷ ସୁଦ୍ଧା ୪୪ଟି ବିଭାଗ ମଧ୍ୟରୁ ୧୬ଟି ବିଭାଗ ସେମାନଙ୍କୁ ଆବଣ୍ଟିତ ବଜେଟ ରାଶିର ଅଧା ମଧ୍ୟ ବ୍ୟୟ କରିବାକୁ ସମର୍ଥ ହୋଇ ନଥିଲେ। ନିୟମାନୁଯାୟୀ ଡିସେମ୍ୱର ଶେଷ ସୁଦ୍ଧା ୬୦ ପ୍ରତିଶତ ବଜେଟ ରାଶି ଉପଯୋଗ ହୋଇସାରିଥିବା କଥା। ଶିକ୍ଷା, ସ୍ୱାସ୍ଥ୍ୟସେବା, ପୂର୍ତ୍ତ ବିଭାଗରେ ନିୟମିତ ବ୍ୟୟ ହେଉଥିବା ବେଳେ ପଞ୍ଚାୟତିରାଜ ଓ ପାନୀୟ ଜଳ, ଅନୁସୂଚିତ ଜାତି ଓ ଜନଜାତି, ଗୃହ ଏବଂ ନଗର ଉନ୍ନୟନ, କ୍ରୀଡ଼ା ଓ ଯୁବବ୍ୟାପାର, ଶକ୍ତି ବିଭାଗଗୁଡ଼ିକ ବଜେଟ ଉପଯୋଗରେ ପଛେଇ ଯାଇଥିଲେ। ସେତେବେଳେ ବଜେଟ ଉପଯୋଗ ଦୃଷ୍ଟିରୁ ସର୍ବନିମ୍ନ ସ୍ତରରେ ଥିବା ବିଭାଗଗୁଡ଼ିକ ହେଲେ ଦୁର୍ବିପାକ ପରିଚାଳନା, କ୍ରୀଡ଼ା ଓ ଯୁବ ବ୍ୟାପାର, ଖଣି ଓ ଇସ୍ପାତ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ପଞ୍ଚାୟତି ରାଜ ଓ ପର୍ଯ୍ୟଟନ। ୨୦୨୬ ଆର୍ଥିକ ବର୍ଷର ଅଧାଅଧି ସରିବାକୁ ବସିଲାଣି। ତେବେ ଏ ବର୍ଷ ମଧ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର, ଶକ୍ତି, ଗୃହ ଓ ନଗର ଉନ୍ନୟନ, ବାଣିଜ୍ୟ ଓ ପରିବହନ, ଅନୁସୂଚିତ ଜାତି ଓ ଜନଜାତି ବିଭାଗଗୁଡ଼ିକର ଖର୍ଚ୍ଚ ନୈରାଶ୍ୟଜନକ ରହିଥିବାର ସୂଚନା ମିଳେ। ଉଲ୍ଲେଖଯୋଗ୍ୟ ଯେ କ୍ରୀଡ଼ା ଭିତ୍ତିଭୂମି ବିକାଶ ଲାଗି ଏ ବର୍ଷ ବଜେଟରେ ଅତିରିକ୍ତ ୯୪୩ କୋଟି ଟଙ୍କାର ପ୍ରାବଧାନ ଥିଲେ ବି ତା’ର ଉପଯୋଗ ଲାଗି ଆଶାନୁରୂପ ତତ୍ପରତା ପରିଲକ୍ଷିତ ହେଉନାହିଁ। ବଜେଟର ଉପଯୋଗ କରିବା ଲାଗି ବିଭାଗୀୟ ଦକ୍ଷତା ବୃଦ୍ଧି ନକରି ବଜେଟରେ ଅଧିକ ଅର୍ଥ ଆବଣ୍ଟନ କରାଗଲେ ଏପରି ସ୍ଥିତି ଉପୁଜିଥାଏ। ଅନ୍ୟ ପକ୍ଷରେ ‘ସୁଭଦ୍ରା’ ଯୋଜନାରେ ମହିଳାଙ୍କ ଖାତାକୁ ସିଧାସଳଖ ଟଙ୍କା ପଠାଯାଉଥିବାରୁ ମହିଳା ଓ ଶିଶୁକଲ୍ୟାଣ ବିଭାଗର ପ୍ରଦର୍ଶନ ଅପେକ୍ଷାକୃତ ଭଲ ରହିଛି। ସାମାଜିକ କ୍ଷେତ୍ରରେ ଠିକ୍ ସମୟରେ ଅର୍ଥ ବ୍ୟୟ ହୋଇ ନ ପାରିଲେ ତାହା ସମାଜର ନିମ୍ନ ସ୍ତରରେ ଥିବା ଲୋକଙ୍କ ଜୀବନକୁ ପ୍ରଭାବିତ କରିଥାଏ। ସେ ଦୃଷ୍ଟିରୁ ବଜେଟ ଉପଯୋଗକୁ ନେଇ ଅନୁସୂଚିତ ଜାତି ଓ ଜନଜାତି ଓ ଅନ୍ୟ କେତେକ ବିଭାଗର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏକ ଅଧ୍ୟୟନ ଅନୁସାରେ ସାମାଜିକ କ୍ଷେତ୍ରରେ ବଜେଟ ଉପଯୋଗ କମ ହେବାର ଏକ ବଡ଼ କାରଣ ହେଉଛି ପାଣ୍ଠି ପ୍ରବାହରେ ଅହେତୁକ ବିଳମ୍ୱ। ଅନେକ ସମୟରେ କାର୍ଯ୍ୟକାରୀ ସଂସ୍ଥାଙ୍କ ନିକଟରେ ପ୍ରଥମ କିସ୍ତିର ଟଙ୍କା ପହଞ୍ଚିଲା ବେଳକୁ ପ୍ରଥମ ତ୍ରିମାସ ସରିଯାଇଥାଏ। ଫଳରେ ସେମାନେ ପ୍ରଥମ ତିନି ମାସ ଲାଗି ଉଦ୍ଦିଷ୍ଟ କାର୍ୟ୍ୟଗୁଡ଼ିକୁ ଠିକ୍ ସମୟରେ କରିପାରି ନଥା’ନ୍ତି। ସେହିପରି ବାର୍ଷିକ କାର୍ୟ୍ୟ ଯୋଜନା (ଏଏପି) ଓ ବଜେଟ ପ୍ରସ୍ତୁତିରେ ବିଳମ୍ୱ ଓ ତା’ର ଅନୁମୋଦନରେ ବିଳମ୍ୱ, ଯୋଜନାର ବିକେନ୍ଦ୍ରୀକରଣ ନ ହେବା, ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ଓ ସଂମିଳନ (କନଭର୍ଜେନ୍ସ)ର ଅଭାବ, ସୁବିସ୍ତୃତ ଓ ସୁବୋଧ ମାର୍ଗଦର୍ଶିକାର ଅଭାବ, ଅନମନୀୟ ଯୋଜନା ମାର୍ଗଦର୍ଶିକା, ଆବଶ୍ୟକ ସଂଖ୍ୟକ କର୍ମଚାରୀଙ୍କ ଅଭାବ, ଅପର୍ଯ୍ୟାପ୍ତ ଓ ଅବାସ୍ତବ ଏକକ ଲଗାଣ ( ୟୁନିଟ କଷ୍ଟ), ବିତ୍ତୀୟ ମଞ୍ଜୁରି କ୍ଷମତାର ଅଭାବ, ଦକ୍ଷତା ପ୍ରସଙ୍ଗ, ସ୍ଥାନୀୟ ଆହ୍ୱାନ ଓ ବର୍ଷା ଏବଂ ଅନ୍ୟ ଋତୁଜନିତ ସମସ୍ୟା ମଧ୍ୟ କମୟ ଉପଯୋଗର କାରଣ ହୋଇଥାଏ।
ଅବଶ୍ୟ ବଜେଟ ଉପଯୋଗକୁ ବଢ଼ାଇବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ କେତେଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇଛି। ଭିତ୍ତିଭୂମିର ବିକାଶ ଲାଗି ବଜେଟର ଏକ ବଡ଼ ଅଂଶ ପୁଞ୍ଜିଗତ ବ୍ୟୟ (କ୍ୟାପିଟାଲ ଏକ୍ସପେଣ୍ଡିଚର) ବାବଦକୁ ଆବଣ୍ଟିତ ହେଉଛି, ଯାହା ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ସର୍ବାଧିକ। କୃଷି, ସ୍ୱାସ୍ଥ୍ୟ, ଭିତ୍ତିଭୂମି ବିକାଶ ଭଳି କ୍ଷେତ୍ରରେ କୌଶଳଗତ ବିନିଯୋଗକୁ ଅଗ୍ରାଧିକାର ଦିଆଯାଉଛି। ଏଥିସହିତ ପ୍ରଶାସନିକ ଦକ୍ଷତା ଓ ସମନ୍ୱୟ ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଉଛି। ବଜେଟର ସମ୍ପୂର୍ଣ୍ଣ ଉପଯୋଗକୁ ସୁନିଶ୍ଚିତ କରିବା ଲାଗି ନିୟମିତ ଅନ୍ତରାଳରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକମାନ ଆୟୋଜିତ ହେଉଛି।
ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ତରଫରୁ ନଗଦ ପରିଚାଳନା ବ୍ୟବସ୍ଥା (କ୍ୟାସ୍ ମ୍ୟାନେଜମେଣ୍ଟ ସିଷ୍ଟମ୍) ମାଧ୍ୟମରେ ବଜେଟୀୟ ଅନୁଦାନର ସମୟାବଦ୍ଧ ବ୍ୟୟକୁ ସୁନିଶ୍ଚିତ କରିବା ଲାଗି ସୁବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି। ୨୦୧୧ ଆର୍ଥିକ ବର୍ଷରୁ ୧୦ଟି ବିଭାଗ ଲାଗି କାର୍ୟ୍ୟ କରିଆସୁଥିବା ଏହି ବ୍ୟବସ୍ଥା ୨୦୨୨ ଆର୍ଥିକ ବର୍ଷରୁ ମୋଟ ୨୦ଟି ବିଭାଗକୁ ସମ୍ପ୍ରସାରିତ ହୋଇସାରିଛି। ଏହି ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଭାଗ ପାଇଁ ଆବଣ୍ଟିତ ବଜେଟ ରାଶିକୁ ଆର୍ଥିକ ବର୍ଷସାରା ଆନୁପାତିକ ଭାବେ ବ୍ୟୟ କରିବା, ଯଦ୍ଦ୍ୱାରା ବର୍ଷର ଶେଷ ତିନିମାସରେ ବ୍ୟୟକୁ ତ୍ୱରାନ୍ୱିତ କରିବାର ପ୍ରବୃତ୍ତି ହ୍ରାସ ପାଇବ। ପ୍ରଥମ ତିନୋଟି ତ୍ରିମାସରେ ଅପେକ୍ଷାକୃତ ଅଧିକ ବ୍ୟୟ ହୋଇପାରିଲେ ଉପୁଜୁଥିବା ଭୁଲଭଟକାକୁ ସମୟ ଥାଉ ଥାଉ ସୁଧାରି ହେବ ଓ ବିତ୍ତୀୟ ଲକ୍ଷ୍ୟ ହାସଲ କରିବା ସହଜ ହେବ। ତଦନୁଯାୟୀ ପୂର୍ତ୍ତ, ଗୃହ ଓ ନଗର ଉନ୍ନୟନ, ଜଳ ସମ୍ୱଳ, ଗ୍ରାମ୍ୟୋନ୍ନୟନ, ଜଙ୍ଗଲ ଓ ପରିବେଶ ଓ କୃଷି ଏବଂ କୃଷକ ସଶକ୍ତିକରଣ ଭଳି ୬ଟି ବିଭାଗକୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ତ୍ରିମାସରେ ଆବଣ୍ଟିତ ରାଶିର ଯଥାକ୍ରମେ ୨୫, ୧୫ ଓ ୨୦ ପ୍ରତିଶତ ଅର୍ଥ ବ୍ୟୟ କରିବାକୁ ପ୍ରୟାସ କରିବାକୁ ହେବ। ଅନ୍ୟ ୧୪ଟି ବିଭାଗ ଆବଣ୍ଟିତ ରାଶିକୁ ତିନୋଟି ତ୍ରିମାସରେ ଯଥାକ୍ରମେ ୧୫, ୧୫ ଓ ୩୦ ପ୍ରତିଶତ ବ୍ୟୟ ହାସଲ କରିବାର ଲକ୍ଷ୍ୟ ରଖିବା ଆବଶ୍ୟକ । ଅର୍ଥାତ୍ ଡିସେମ୍ୱର ମାସ ସୁଦ୍ଧା ପ୍ରତ୍ୟେକ ବିଭାଗ ଆବଣ୍ଟିତ ରାଶିର ୬୦ ପ୍ରତିଶତ ବ୍ୟୟ କରି ସାରିଥିବା ଆବଶ୍ୟକ। ଏଥିପାଇଁ ଯୋଜନା ଖର୍ଚ୍ଚ ଓ ଅଣ-ଯୋଜନା ଖର୍ଚ୍ଚର ବିଭାଜନ ନ କରି ବଜେଟୀୟ ବ୍ୟୟକୁ ମୁଖ୍ୟତଃ ଚାରି ଶ୍ରେଣୀରେ ବିଭକ୍ତ କରାଯାଇଛି – ପ୍ରଶାସନିକ ବ୍ୟୟ, କାର୍ଯ୍ୟକ୍ରମ ବ୍ୟୟ, ବିପର୍ଯ୍ୟୟ ପ୍ରତିକ୍ରିୟା ପାଣ୍ଠି ଓ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱାୟତ୍ତ ଶାସନ ସଂସ୍ଥା ଆଦିଙ୍କୁ ହେଉଥିବା ପାଣ୍ଠି ହସ୍ତାନ୍ତର। ନିର୍ଦ୍ଧାରିତ ସମୟ ମଧ୍ୟରେ ଆବଶ୍ୟକ ବ୍ୟୟ ହେଉଛି କି ନାହିଁ ତାହାର ଅନଲାଇନ୍ ତଦାରଖ କରିବା ଲାଗି ବଜେଟ ସମ୍ପାଦନ କୌଶଳ ସ୍ୱଚାଳନ (ବଜେଟ ଏକଜିକ୍ୟୁସନ ଟେକନିକ୍ ଅଟୋମେସନ- ବିଟା) ବ୍ୟବସ୍ଥା ଅଧୀନରେ ତ୍ରୈମାସିକ ବ୍ୟୟ ଆବଣ୍ଟନ (କ୍ୟୁଇଏ) ଓ ମାସିକ ବ୍ୟୟ ଯୋଜନା (ଏମଇପି) ମଡ୍ୟୁଲ୍ ବିକଶିତ ହୋଇଛି। ପ୍ରଶ୍ନ ଉଠୁଛି ଏତେ ସୁବିସ୍ତୃତ ପ୍ରାବଧାନ ସତ୍ତ୍ୱେ ଆବଣ୍ଟିତ ବଜେଟ ରାଶି ବ୍ୟୟ ହୋଇପାରୁନାହିଁ କାହିଁକି?
୨୦୨୫ ଆର୍ଥିକ ବର୍ଷରେ ବଜେଟ ରାଶି ଉପଯୋଗ ହୋଇ ନ ପାରିବା ପଛରେ କିଛି କାରଣ ଦର୍ଶାଯାଇଛି। ୨୦୨୪ ମସିହାରେ ନିର୍ବାଚନ ଯୋଗୁଁ ଆଦର୍ଶ ଆଚରଣ ବିଧି ଲାଗୁ ରହିଥିବାରୁ ନୂଆ ପ୍ରକଳ୍ପ ଓ ସରକାରୀ ବ୍ୟୟ ବୃଦ୍ଧିର ଅବକାଶ କମ ହୋଇଥିଲା। ବନ୍ୟା, ବାତ୍ୟା, ମରୁଡ଼ି ପରି ପ୍ରାକୃତିକ ଦୁର୍ବିପାକ ଓ ଅନିୟମିତ ବର୍ଷା ମଧ୍ୟ ଲାଗି ରହିଲା, ଯଦ୍ଦ୍ୱାରା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରିବା ବିଳମ୍ୱିତ ହେଲା। ଜମି ଅଧିଗ୍ରହଣରେ ସମସ୍ୟା ଓ ବିବାଦ, ଜଙ୍ଗଲ ଓ ପରିବେଶ ସଂକ୍ରାନ୍ତୀୟ ମଞ୍ଜୁରି ପାଇବାରେ ବିଳମ୍ୱ ହେବା, ପ୍ରଶାସନିକ ମଞ୍ଜୁରି, ପ୍ରଲମ୍ୱିତ ଟେଣ୍ଡର ଓ ସଂଗ୍ରହ ପ୍ରକ୍ରିୟା ମଧ୍ୟ ସାମଗ୍ରିକ ଭାବେ ବଜେଟ ଉପଯୋଗ ହ୍ରାସର କାରଣ ହେଲା ବୋଲି କୁହାଯାଉଛି । କେବଳ ନିର୍ବାଚନକୁ ବାଦ୍ ଦେଲେ ଅନ୍ୟ କାରଣଗୁଡ଼ିକ ତ ସବୁ ବର୍ଷ ଲାଗି ରହିବ। ତେଣୁ ଏହି ଯୁକ୍ତି ସମ୍ପୂର୍ଣ୍ଣ ଭାବେ ଗ୍ରହଣୀୟ ହୋଇ ନ ପାରେ। କାରଣ ଆମ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ମଧ୍ୟ ଅନୁରୂପ ଅବସ୍ଥିତି ବିରାଜମାନ କରୁଥିଲେ ହେଁ ସେଠାରେ ୨୦୨୫ ଆର୍ଥିକ ବର୍ଷରେ ମାତ୍ର ୮ ପ୍ରତିଶତ ବଜେଟ ଉପଯୋଗ ହୋଇପାରି ନଥିଲା। ତା ପୂର୍ବ ବର୍ଷ ଏହା ଥିଲା ମାତ୍ର ୯ ପ୍ରତିଶତ। ଆନ୍ଧ୍ର ପ୍ରଦେଶ ନିରନ୍ତର ଭାବେ ସଫଳତାର ସହ ବଜେଟ ଉପଯୋଗ ଲକ୍ଷ୍ୟର ନିକଟତର ହୋଇପାରୁଥିବା ବେଳେ ଆମେ ତାହା କରି ନ ପାରିବା ଆମ ପ୍ରଶାସନିକ ଦକ୍ଷତାର ଦୁର୍ବଳତାକୁ ଇଙ୍ଗିତ କରୁନାହିଁ କି?
ଯେଉଁ ଉପାଦାନଗୁଡ଼ିକ ଭିତ୍ତିରେ ସର୍ବମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସଡିପି) ନିର୍ଦ୍ଧାରିତ ହୋଇଥାଏ ତନ୍ମଧ୍ୟରେ ସରକାରୀ ବ୍ୟୟ ପ୍ରମୁଖ। ବଜେଟ ଅର୍ଥ ଖର୍ଚ୍ଚ ହୋଇ ନ ପାରିଲେ ସରକାରୀ ବ୍ୟୟ ହ୍ରାସ ପାଏ, ଯଦ୍ଦ୍ୱାରା ଅର୍ଥ ସଞ୍ଚଳନ (ମନି ସର୍କୁଲେସନ) କମ୍ ହୋଇ ଜିଏସଡିପି ମଧ୍ୟ ହ୍ରାସ ପାଇଥାଏ। ଗତ କିଛି ବର୍ଷ ଧରି ଲଗାତାର ଭାବେ ବଜେଟ ଅର୍ଥ ସମ୍ପୂର୍ଣ୍ଣ ବ୍ୟୟ ହୋଇପାରୁ ନଥିବାରୁ ତାହା ଓଡ଼ିଶାର ଜିଏସଡିପି ବୃଦ୍ଧିରେ ବାଧକ ହେବାର ଅନ୍ୟତମ କାରଣ ପାଲଟିଛି କହିଲେ ଭୁଲ ହେବନାହିଁ। ବସ୍ତୁତଃ ଜିଏସଡିପି ଦୃଷ୍ଟିରୁ ଓଡ଼ିଶାର ସ୍ଥାନ ତ୍ରୟୋଦଶ। ବଜେଟ ଅର୍ଥ ଖର୍ଚ୍ଚ ହୋଇ ନ ପାରିଲେ ତାହା ବଳକା ବଜେଟ ରୂପେ ପରିଗଣିତ ହୁଏ। ତେବେ କେନ୍ଦ୍ର ପ୍ରାୟୋଜିତ କାର୍ୟ୍ୟକ୍ରମ ଲାଗି ଆସିଥିବା ପାଣ୍ଠି ବ୍ୟୟ ହୋଇ ନ ପାରିଲେ ତାହା ଫେରିଯାଇଥାଏ। ସିଏଜିଙ୍କ ରିପୋର୍ଟ ଅନୁସାରେ ୨୦୧୪ରୁ ୨୦୨୦ ମସିହା ମଧ୍ୟରେ ଜଳସେଚନ ପ୍ରକଳ୍ପ ପାଇଁ ମିଳିଥିବା କେନ୍ଦ୍ରୀୟ ପାଣ୍ଠି ମଧ୍ୟରୁ ୮୪୨ କୋଟି ଟଙ୍କା ଖର୍ଚ୍ଚ ହୋଇ ନ ପାରି ଫେରି ଯାଇଥିଲା । ଏହିପରି କେନ୍ଦ୍ରୀୟ ପାଣ୍ଠି ଫେରିବାର ଅନେକ ଉଦାହରଣ ରହିଛି। ଉନ୍ନତ ମାନର ବିସ୍ତାରିତ ପ୍ରକଳ୍ପ ରିପୋର୍ଟ (ଡିପିଆର୍) ପ୍ରସ୍ତୁତ କରି, ଲାଭ-କ୍ଷତିର ସଠିକ୍ ଆକଳନ କରି ପ୍ରକଳ୍ପ କାର୍ୟ୍ୟକାରୀ କରିବାରେ ହେଉଥିବା ବିଳମ୍ୱକୁ ଦୂର କରାଯାଇପାରନ୍ତା। ଉଚିତ ଯୋଜନା ଜରିଆରେ କେନ୍ଦ୍ରୀୟ ପ୍ରାୟୋଜିତ କାର୍ଯ୍ୟକ୍ରମଗୁଡ଼ିକ ପାଇଁ ମିଳୁଥିବା ପାଣ୍ଠିର ଠିକ୍ ସମୟରେ ସମ୍ପୂର୍ଣ୍ଣ ଉପଯୋଗ ଦିଗରେ ପ୍ରୟାସ କରାଯିବା ଉଚିତ । ବର୍ଷ ଶେଷରେ ଉପଯୋଗ ହୋଇ ନ ପାରିବା ଯୋଗୁଁ କେତେ କେନ୍ଦ୍ରୀୟ ପାଣ୍ଠି ଫେରିଗଲା, ତାହା ସର୍ବସାଧାରଣଙ୍କୁ ଅବଗତ କରାଇବା ସହ ସେଥିପାଇଁ ଉତ୍ତରଦାୟିତ୍ୱ ନିର୍ଦ୍ଧାରିତ ହେବା ଆବଶ୍ୟକ।
ବଜେଟ ଅର୍ଥ ବ୍ୟୟ କରି ନ ପାରିବା ଦୁର୍ବଳ ଯୋଜନା ଓ ଧାର୍ଯ୍ୟ ଲକ୍ଷ୍ୟରେ ବାସ୍ତବତାର ଅଭାବର ନିଦର୍ଶନ। ସମ୍ୱଳ ସୀମିତ ହୋଇଥିବାରୁ ସେହି ସମ୍ୱଳର ଉପଯୁକ୍ତ ବିନିଯୋଗ ହୋଇ ନ ପାରିବା ପରିତାପର ବିଷୟ । ତେଣୁ ବାସ୍ତବତାକୁ ଆଧାର କରି ଅଗ୍ରାଧିକାର ସ୍ଥିର ହୋଇ ବଜେଟ ଅର୍ଥ ଆବଣ୍ଟିତ ହେଲେ ବଜେଟ ଉପଯୋଗରେ ଉନ୍ନତି ପରିଲକ୍ଷିତ ହେବ। ବର୍ଷ ବର୍ଷ ଧରି ଯେଉଁ ବିଭାଗଗୁଡ଼ିକ ଆବଣ୍ଟିତ ବଜେଟ ଅର୍ଥ ବ୍ୟୟ କରିପାରୁ ନାହାନ୍ତି ସେଗୁଡ଼ିକର ବ୍ୟୟ କରିବାର ଦକ୍ଷତା ଉପରେ ପ୍ରଶ୍ନଚିହ୍ନ ଲାଗିବା ସ୍ୱାଭାବିକ। ବଜେଟ ଅର୍ଥ ଉପଯୋଗ କରି ନ ପାରିଲେ ପର ବର୍ଷ ସେହି ବିଭାଗଗୁଡ଼ିକର ଆବଣ୍ଟନକୁ କମ୍ କରାଯିବାର ଭୟ ରହିଲେ ବଜେଟର ଉପଯୋଗ ଲାଗି ହୁଏତ ସେମାନେ ଅଧିକ ଯତ୍ନବାନ ହୁଅନ୍ତେ। ଓଡ଼ିଶାର ଦ୍ରୁତ ବିକାଶ ଲାଗି ସରକାରୀ ବ୍ୟୟ ବୃଦ୍ଧିର ଯଥେଷ୍ଟ ଗୁରୁତ୍ୱ ରହିଛି। ତେଣୁ ବଜେଟ ଉପଯୋଗରେ ଶିଥିଳତା ପ୍ରଦର୍ଶନ ରାଜ୍ୟ ହିତରେ ହୋଇ ନ ଥିବାରୁ ତାହା କୌଣସି ମତେ ଗ୍ରହଣୀୟ ହୋଇନପାରେ।
Published in Sambad on October 04, 2025
Comments
Post a Comment