Skip to main content

ଟ୍ରମ୍ପଙ୍କୁ ମାତ୍ ଦେବାକୁ ବ୍ରିକ୍ସ ଦେଶଙ୍କ ସଜବାଜ

ଅଗଷ୍ଟ ୭ ତାରିଖରେ ଆମେରିକା ଭାରତ ଉପରେ ଶୁଳ୍କକୁ ୫୦ ପ୍ରତିଶତ ଯାଏଁ ବଢ଼ାଇବ ବୋଲି ଘୋଷଣା ପରେ ବ୍ରିକସ ଦେଶଗୁଡ଼ିକରେ ଗତିବିଧି ବଢ଼ିଗଲା। ବ୍ରାଜିଲର ରାଷ୍ଟ୍ରପତି ତଥା ବ୍ରିକସ୍ ଗୋଷ୍ଠୀର ଅଧ୍ୟକ୍ଷ ଲୁଲା ଦା ସିଲଭା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଫୋନ ଯୋଗେ କଥା ହୋଇ ପରିସ୍ଥିତିର ମୁକାବିଲା କରିବା ପାଇଁ ବ୍ରିକସ ଦେଶଗୁଡ଼ିକ ମଧ୍ୟରେ ସହଯୋଗ ବୃଦ୍ଧି ଉପରେ ଗୁରୁତ୍ୱ ହେଲେ। ସେ ଚୀନର ରାଷ୍ଟ୍ରପତି ଓ ଅନ୍ୟ ରାଷ୍ଟ୍ରମୁଖ୍ୟମାନଙ୍କ ସହିତ ମଧ୍ୟ କଥାବାର୍ତ୍ତା ହେଲେ। ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ରାମାଫୋସା, ରୁଷିଆର ରାଷ୍ଟ୍ରପତି ପୁଟିନ ମଧ୍ୟ ମୋଦୀଙ୍କ ସହ ବାର୍ତ୍ତାଳାପ କଲେ। ଇତିମଧ୍ୟରେ ଭାରତର ବିଦେଶ ମନ୍ତ୍ରୀଙ୍କ ଚୀନ ଗସ୍ତ ଓ ଚୀନର ବିଦେଶ ମନ୍ତ୍ରୀଙ୍କ ଭାରତ ଗସ୍ତ, ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲଙ୍କ ମସ୍କୋ ଗସ୍ତ ଆଦି ସେହି ସହଯୋଗ ବୃଦ୍ଧି ପାଇଁ ରଣନୀତିର ଅଂଶ ବିଶେଷ। ଏ ଦୃଷ୍ଟିରୁ ଏଇ ମାସ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚୀନ ଗସ୍ତ ଓ ପରେ ପରେ ପୁଟିନଙ୍କ ଭାରତ ଗସ୍ତର ଯଥେଷ୍ଟ ଗୁରୁତ୍ୱ ରହିଛି। ବ୍ରିକସ ଗୋଷ୍ଠୀର ନେତାମାନଙ୍କ ସଜବାଜରୁ ମନେ ହେଉଛି ଯେମିତି ସେମାନେ ଟ୍ରମ୍ପଙ୍କ ବାଣିଜ୍ୟ ନୀତିର ମୁକାବିଲା କରିବା ପାଇଁ ସଙ୍କଳ୍ପବଦ୍ଧ।   

୨୦୦୧ ମସିହାରେ ‘ଗୋଲ୍ଡମ୍ୟାନ୍ ସାକସ୍’ ରେଟିଂ ସଂସ୍ଥାର ଅର୍ଥନୀତିଜ୍ଞ ଜିମ୍ ଓ ନିଲ୍ ବ୍ରାଜିଲ, ରୁଷିଆ, ଭାରତ ଓ ଚୀନ ଦେଶଗୁଡ଼ିକର ବୃହତ୍ ବୈଶ୍ୱିକ ଅର୍ଥନୈତିକ ଶକ୍ତି ହେବାର ସମ୍ଭାବନାକୁ ଦର୍ଶାଇ ସେହି ଦେଶଗୁଡ଼ିର ନାମର ଆଦ୍ୟ ଅକ୍ଷରକୁ ନେଇ ପ୍ରଥମେ ‘ବ୍ରିକ’ ଭଳି ଏକ ସଂକ୍ଷିପ୍ତ ଶବ୍ଦ (ଆକ୍ରୋନିମ୍)ର ଗଠନ କରିଥିଲେ। ତାଙ୍କ ଅନୁଯାୟୀ ଅର୍ଥନୈତିକ ଦୃଷ୍ଟିରୁ ଭବିଷ୍ୟତରେ ଏହି ଦେଶଗୁଡ଼ିକ ଏତେ ଶକ୍ତିଶାଳୀ ହେବେ ଯେ ସେମାନେ ଜି-୭ ଗୋଷ୍ଠୀର ଦେଶଗୁଡ଼ିକୁ ପଛରେ ପକାଇଦେବା କିଛି ବିଚିତ୍ର ନୁହେଁ। ଏହାର ୮ ବର୍ଷ ପରେ ୨୦୦୯ ମସିହାରେ ଉପରୋକ୍ତ ଚାରିଟି ଦେଶ ଏକତ୍ର ମିଶି ‘ବ୍ରିକ୍’ ଗୋଷ୍ଠୀ ଗଠନ କରିଥିଲେ ଓ ଏହାର ପ୍ରଥମ ଶିଖର ସମ୍ମିଳନୀ ସେହି ବର୍ଷ ଅନୁଷ୍ଠିତ ହୋଇଥିଲା। ଏହାର ଦୁଇ ବର୍ଷ ପରେ ସେଥିରେ ଦକ୍ଷିଣ ଆଫ୍ରିକା ଯୋଗଦେବା ପରେ ଏହାର ନାମ ଶେଷରେ ‘ଏସ’ ଅକ୍ଷରଟି ଯୋଡ଼ାଯାଇ ଏହା ‘ବ୍ରିକସ୍’ ଗୋଷ୍ଠୀ ଭାବେ ପରିଚିତ ହେବାକୁ ଲାଗିଲା। ଇତିମଧ୍ୟରେ ସାଉଦି ଆରବ, ମିଶର (ଇଜିପ୍ଟ), ଇଣ୍ଡୋନେସିଆ, ଇରାନ, ଇଥିଓପିଆ, ୟୁଏଇ ଭଳି ଅନ୍ୟ ୬ଟି ଦେଶ ଏଥିରେ ସାମିଲ ହୋଇଛନ୍ତି। ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଅର୍ଥନୈତିକ, ରାଜନୈତିକ ଓ ସାମାଜିକ ସହଯୋଗ ବୃଦ୍ଧି କରିବା ସହ ଅନ୍ତରାଷ୍ଟ୍ରୀୟ ଶାସନ କ୍ଷେତ୍ରରେ ଦକ୍ଷିଣ ବିଶ୍ୱ (ଗ୍ଲୋବାଲ ସାଉଥ୍) ଦେଶଗୁଡ଼ିକର ପ୍ରଭାବ ବୃଦ୍ଧି ପାଇଁ ପ୍ରୟାସ କରିବା ବ୍ରିକସ୍ ଗୋଷ୍ଠୀର ମୂଳ ଉଦ୍ଦେଶ୍ୟ। ଗୁରୁତ୍ୱପୂର୍ଣ୍ଣ ହେଉଛି ଯେ ବିଶ୍ୱ ଜନସଂଖ୍ୟାର ୪୬ ପ୍ରତିଶତ ଲୋକ ବ୍ରିକସ୍ ଦେଶଗୁଡ଼ିକରେ ବସବାସ କରୁଥିବା ବେଳେ ସମୁଦାୟ ବିଶ୍ୱ ଜିଡ଼ିପିର ପ୍ରାୟ ୩୬ ପ୍ରତିଶତ ଏହି ଦେଶଗୁଡ଼ିକ ନିକଟରେ ରହିଛି। ତେଣୁ ଟ୍ରମ୍ପଙ୍କ ମନୋମୁଖୀ ବାଣିଜ୍ୟ ଓ ଅର୍ଥନୈତିକ ନୀତି ଜନିତ ଚାପର କାଟ ଖୋଜିବାକୁ ବ୍ରିକସ୍ ଦେଶଗୁଡ଼ିକ ତତ୍ପର ହେବା ସ୍ୱାଭାବିକ।

ବ୍ରିକସର କାର୍ଯ୍ୟକ୍ରମ ଓ ଗତିବିଧି ଆମେରିକା ସ୍ୱାର୍ଥବିରୋଧୀ ବୋଲି ଟ୍ରମ୍ପ ମନେକରନ୍ତି। ବିଶେଷ କରି ଏହାଦ୍ୱାରା ଏକ ବିକଳ୍ପ ବିନିମୟ ମୁଦ୍ରାର ପ୍ରଚଳନ ହେଲେ ଆମେରିକୀୟ ଡଲାରର ଗୁରୁତ୍ୱ ଯଥେଷ୍ଟ ହ୍ରାସ ପାଇବାର ଆଶଙ୍କା ରହିଥିବାରୁ ସେ କ୍ଷୁବ୍ଧ। ତେବେ ଡଲାରର ଗୁରୁତ୍ୱକୁ ଅତୁଟ ରଖି ବ୍ରିକସ୍ ମୁଦ୍ରା ଆଡ଼ୁ ସମ୍ଭାବ୍ୟ ବିପଦର ଆଶଙ୍କାକୁ ଏଡ଼ାଇବା ଲାଗି ସେ ‘କ୍ରିପଟୋ କରେନ୍ସି’କୁ ଗୁରୁତ୍ୱ ଦେବା ସହ ଆମେରିକାକୁ ବିଶ୍ୱର କ୍ରିପଟୋ କରେନ୍ସିର ରାଜଧାନୀ ରୂପେ ଗଢ଼ି ତୋଳିବା ଲାଗି ପଦକ୍ଷେପ ଗ୍ରହଣ କରୁଛନ୍ତି। ନିକଟରେ ଏକ ଶାସକୀୟ ଆଦେଶ ବଳରେ ସେ ୪୦୧(କେ) ଅଧୀନସ୍ଥ ଅବସରକାଳୀନ ପାଣ୍ଠିଗୁଡ଼ିକୁ କ୍ରିପଟୋ କରେନ୍ସି, ଘରୋଇ ଅଂଶଧନ ଓ ରିଅଲ୍ ଇଷ୍ଟେଟ୍ ଭଳି ଅନ୍ୟାନ୍ୟ ବିକଳ୍ପ ସମ୍ପତ୍ତିରେ ବିନିଯୋଗ କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ବିଶ୍ୱର ଅନେକ ଦେଶ ଏବେ କ୍ରିପଟୋ କରେନ୍ସି ଭଳି ଡିଜିଟାଲ ମୁଦ୍ରା ପ୍ରତି ଆକର୍ଷିତ ହେଉଥିବାରୁ କ୍ରିପଟୋ କରେନ୍ସି ବଜାରକୁ ନିୟନ୍ତ୍ରଣ କରିବା ଆମେରିକାର ଏକ କୌଶଳଗତ ନିର୍ଣ୍ଣୟ ହୋଇପାରେ।

ଏତଦଭିନ୍ନ ବ୍ରିକସରେ ଥିବା ଅନେକ ଦେଶ ବା ଦେଶର ରାଷ୍ଟ୍ରମୁଖ୍ୟଙ୍କ ପ୍ରତି ଟ୍ରମ୍ପଙ୍କର ଥିବା ବ୍ୟକ୍ତିଗତ ଦ୍ୱେଷ ମଧ୍ୟ ଏହି ଦେଶଗୁଡ଼ିକ ପ୍ରତି ତାଙ୍କର ଆକ୍ରୋଶମୂଳକ ପଦକ୍ଷେପ ଗ୍ରହଣର କାରଣ ହୋଇଛି। ଉଦାହରଣ ସ୍ୱରୂପ ବ୍ରାଜିଲ ଉପରେ ସର୍ବାଧିକ ୫୦ ପ୍ରତିଶତ ଶୁଳ୍କ ଲଗାଯିବା ପଛର କାରଣ ବାଣିଜ୍ୟିକ ନୁହେଁ। କାରଣ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ମୋଟାମୋଟି ସନ୍ତୁଳିତ। ଏହା ସତ୍ତ୍ୱେ ବ୍ରାଜିଲ ଉପରେ ଅତ୍ୟଧିକ ଟାରିଫ୍ ଲଗାଯିବାକୁ ରାଜନୈତିକ ପ୍ରତିଶୋଧ ବୋଲି ବିବେଚନା କରାଯାଉଛି। ୨୦୨୨ ମସିହାରେ ବ୍ରାଜିଲରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ତତ୍କାଳୀନ ରାଷ୍ଠ୍ରପତି ବୋଲସୋନାରୋ ଏବର ରାଷ୍ଟ୍ରପତି ଲୁଲା ଦା ସିଲଭାଙ୍କ ନିକଟରୁ ପରାଜିତ ହେଲେ। ଏହା ପରେ ସେ ତାଙ୍କୁ ଗାଦିଚ୍ୟୁତ କରିବାର ଷଡ଼ଯନ୍ତ୍ର କରିଥିଲେ ବୋଲି ଅଭିଯୋଗ ହେଉଛି। ସେଠାକାର ସୁପ୍ରିମ କୋର୍ଟର ଜଣେ ବିଚାରପତିଙ୍କ ଦ୍ୱାରା ଏହାର ତଦନ୍ତ ହେଉଥିଲେ ବି ବୋଲସୋନାରୋ ଟ୍ରମ୍ପଙ୍କର ପ୍ରଶଂସକ ଓ ନିକଟତର ହୋଇଥିବାରୁ ବିଚାର ପ୍ରକ୍ରିୟାକୁ ପ୍ରଭାବିତ କରି ତାଙ୍କୁ ଦୋଷମୁକ୍ତ କରିବା ଲାଗି ଆମେରିକା ବ୍ରାଜିଲ ଉପରେ ଚାପ ପକାଇବା ଲାଗି ଉଚ୍ଚ ଶୁଳ୍କ ଲଗାଇଛି ବୋଲି କୁହାଯାଉଛି। ପ୍ରତିକ୍ରିୟା ସ୍ୱରୂପ ବ୍ରାଜିଲର ରାଷ୍ଟ୍ରପତି ଲୁଲା ମଧ୍ୟ ଆମେରିକା ସହ ବାଣିଜ୍ୟ ଚୁକ୍ତି ଲାଗି କୌଣସି ଆଗ୍ରହ ଦେଖାଉନାହାନ୍ତି କି ଟ୍ରମ୍ପଙ୍କ ସହ ଫୋନରେ ମଧ୍ୟ କଥାବାର୍ତ୍ତା ହେଉନାହାନ୍ତି। ଫଳରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ଅଧିକ ତିକ୍ତ ହୋଇଚାଲିଛି। ଦ୍ୱିତୀୟ ଦଫା ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଟ୍ରମ୍ପ ଏକ ଲାଲ ଟୋପି ପିନ୍ଧୁଛନ୍ତି ଯେଉଁଥିରେ ‘ପୁଣିଥରେ ଆମେରିକାକୁ ମହାନ କର’ ବୋଲି ଲେଖା ହୋଇଛି। ବ୍ରାଜିଲର ରାଷ୍ଟ୍ରପତି ଲୁଲା ମଧ୍ୟ ଠିକ୍ ଏକା ରକମର ନୀଳ ଟୋପିଟିଏ ପିନ୍ଧୁଛନ୍ତି ଯେଉଁଥିରେ ଲେଖା ହୋଇଛି, ‘ବ୍ରାଜିଲ କେବଳ ବ୍ରାଜିଲ ଅଧିବାସୀଙ୍କର’। ଏହା ନିଶ୍ଚିତ ରୂପେ କିଛି ବାର୍ତ୍ତା ଦେଉନାହିଁ କି?

କ୍ଷମତାକୁ ଆସିଲେ ତିନି ବର୍ଷ ଧରି ଲାଗି ରହିଥିବା ରୁଷିଆ-ୟୁକ୍ରେନ ଯୁଦ୍ଧକୁ ତୁରନ୍ତ ବନ୍ଦ କରିଦେବେ ବୋଲି ଟ୍ରମ୍ପ ଦାବୀ କରୁଥିଲେ। ଏହା ସତ୍ତ୍ୱେ ଯୁଦ୍ଧ ବନ୍ଦ ନ ହେବା ତାଙ୍କର ହତାଶାର କାରଣ ପାଲଟିବା ସହ ପୁଟିନଙ୍କ ସହ ତାଙ୍କର ସମ୍ପର୍କରେ ଦୂରତା ବୃଦ୍ଧି କଲା। ତେବେ ବିଭିନ୍ନ କଟକଣା ସତ୍ତ୍ୱେ ରୁଷିଆକୁ ଆର୍ଥିକ ଦୃଷ୍ଟିରୁ ଏଯାଏଁ ଦୁର୍ବଳ କରାଯାଇପାରି ନାହିଁ। ବର୍ତ୍ତମାନ ରୁଷିଆ ଉପରେ ମାତ୍ର ୧୦ ପ୍ରତିଶତ ଶୁଳ୍କ ଲାଗୁଛି। ଯୁଦ୍ଧ ବନ୍ଦ ନ ହେଲେ ଅଗଷ୍ଟ ୨୭ରୁ ୧୦୦ ପ୍ରତିଶତ ଲାଗିବ ବୋଲି ଟ୍ରମ୍ପ ଘୋଷଣା କରିଥିଲେ। ତେବେ ଅଗଷ୍ଟ ୧୫ ତାରିଖ ଦିନ ଟ୍ରମ୍ପ ଓ ପୁଟିନଙ୍କ ମଧ୍ୟରେ ଆଲାସ୍କାଠାରେ ହୋଇଥିବା ଶିଖର ବାର୍ତ୍ତାଳାପ ପରେ ଉଭୟ ନେତାଙ୍କ ମଧ୍ୟରେ ତିକ୍ତତା ହ୍ରାସ ପାଇବା ସହ ଯୁଦ୍ଧ ବନ୍ଦ ହେବା ନେଇ ଆଶା ଉଜ୍ଜୀବିତ ହୋଇଛି। ତାହା ହେଲେ ବିଶ୍ୱ ବାଣିଜ୍ୟରେ ସୃଷ୍ଟ ଅସ୍ଥିରତାର ଅବସାନ ଘଟିପାରେ।   

ଭାରତ ରୁଷିଆରୁ ତେଲ ଓ ଯୁଦ୍ଧ ଉପକରଣ କିଣିବା ଆମେରିକା ଦ୍ୱାରା ଗ୍ରହଣୀୟ ହେଉନାହିଁ। ଭାରତ ଉପରେ ଅଗଷ୍ଟ ୨୭ରୁ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ ହେବାକୁ ଥିଲା। ତେବେ ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ଆଲାସ୍କାଠାରେ ଶିଖର ବାର୍ତ୍ତାଳାପ ପରେ ଏହା ଲାଗି ନ ପାରେ ବୋଲି ସୂଚନା ମିଳୁଛି। କିନ୍ତୁ ବାଣିଜ୍ୟ ବାର୍ତ୍ତାଳାପ ଲାଗି ଭାରତକୁ ଆସିବାକୁ ଥିବା ଆମେରିକୀୟ ପ୍ରତିନିଧି ମଣ୍ଡଳର ଗସ୍ତ ବାତିଲ ହେବା ସେହି ଅତିରିକ୍ତ ଶୁଳ୍କ ଲାଗୁ ହେବାର ଅନିଶ୍ଚିତତାକୁ ବଢ଼ାଇ ଦେଇଛି। ଆମେରିକା ମନେ କରେ ଯେ ଭାରତ ଏକ କୌଶଳଗତ ସହଯୋଗୀ (ଷ୍ଟ୍ରାଟେଜିକ ପାର୍ଟନର) ଦେଶ ହୋଇଥିବାରୁ ଆମେରିକା ସ୍ୱାର୍ଥର ପରିପନ୍ଥୀ କୌଣସି କାର‌୍ୟ୍ୟ ବା ଆଚରଣ ତାଠାରୁ ଆଶା କରାଯାଏ ନାହିଁ।  

ବିଭିନ୍ନ ଭୂ-ରାଜନୈତିକ କାରଣ ଯୋଗୁଁ ଚୀନ ସହ ଆମେରିକାର ସମ୍ପର୍କ ଉତ୍ତମ ନୁହେଁ। ତଥାପି ଆମେରିକା ହେଉଛି ଚୀନର ସର୍ବବୃହତ୍ ବାଣିଜ୍ୟ ସହଯୋଗୀ ଦେଶ। ୨୦୨୪ ମସିହାରେ ଆମେରିକା ଚୀନରୁ ୪୩୮୭୦ କୋଟି ଡଲାର ମୂଲ୍ୟର ପଣ୍ୟ ଆମଦାନୀ କରିଥିବା ବେଳେ ମାତ୍ର ୧୪୪୯୦ କୋଟି ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନୀ କରିଥିଲା। ଆମେରିକାରେ ଚୀନ ସାମଗ୍ରୀର ପ୍ରବେଶ ଲାଗି ଅବରୋଧ ସୃଷ୍ଟି କରି ଆମେରିକାର ଉତ୍ପାଦନ (ମାନୁଫେକଚରିଂ) କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆମେରିକା ଚୀନ ଉପରେ ପ୍ରଥମେ ୧୪୫ ପ୍ରତିଶତର ଟାରିଫ ଲଗାଇଲା। ଚୀନ ମଧ୍ୟ ପ୍ରତିଶୋଧମୂଳକ ଭାବେ ୧୨୫ ପ୍ରତିଶତ ଟାରିଫ ଲଗାଇବାକୁ ଘୋଷଣା କଲା। ଏହାର କୁପ୍ରଭାବ ଆମେରିକୀୟ ଖାଉଟିଙ୍କ ଉପରେ ପଡ଼ିବାକୁ ଯାଉଥିବାରୁ ଏହି ଉଚ୍ଚ ଟାରିଫ ହାରକୁ ପ୍ରତ୍ୟାହାର କରାଗଲା। ବର୍ତ୍ତମାନ ଚୀନରୁ ଆମେରିକାକୁ ହେଉଥିବା ରପ୍ତାନୀ ଉପରେ ୩୦ ପ୍ରତିଶତ ଟାରିଫ ଲାଗୁଥିଲାବେଳେ ଆମେରିକାରୁ ହେଉଥିବା ରପ୍ତାନୀ ଉପରେ ଚୀନ  ୧୦ ପ୍ରତିଶତ ଶୁଳ୍କ ଲଗାଉଛି। ଆମେରିକା ସହ ଚୀନ ଟକ୍କର ଦେବାର ସ୍ଥିତିରେ ଆସିପାରିବାର କାରଣ ହେଉଛି ଏହାର ବଳିଷ୍ଠ ମାନୁଫେକଚରିଂ କ୍ଷେତ୍ର।   

ଦକ୍ଷିଣ ଆଫ୍ରିକା ଉପରେ ଆମେରିକା ୩୦ ପ୍ରତିଶତ ଟାରିଫ ଲଗାଇବା ପରେ ସେଠାରେ ପ୍ରାୟ ୩୦୦୦୦ ନିଯୁକ୍ତି ହ୍ରାସ ପାଇବାର ଅନୁମାନ କରାଯାଉଛି। ସେଠାରୁ ବିଭିନ୍ନ ଦେଶକୁ ହେଉଥିବା ରପ୍ତାନୀରେ ଆମେରିକାର ସ୍ଥାନ  ତୃତୀୟ ସର୍ବବୃହତ୍। ତେବେ ଉଭୟ ଦେଶ ମଧ୍ୟରେ ତିକ୍ତତାର ମୁଖ୍ୟ କାରଣ ବାଣିଜ୍ୟିକ ନୁହେଁ। ବର୍ଣ୍ଣ ବୈଷମ୍ୟ ପ୍ରଥା ଦୂର ହେବାର ୩୦ ବର୍ଷ ପରେ ମଧ୍ୟ ସେଠାରେ ଏପରି କିଛି ଆଇନ ପ୍ରଚଳିତ ଅଛି ଯଦ୍ଦ୍ୱାରା ସେଠାରେ ମୁକ୍ତ ବାଣିଜ୍ୟ ସମ୍ଭବ ହେଉନାହିଁ ବୋଲି ଆମେରିକାର ଅଭିଯୋଗ। ଦକ୍ଷିଣ ଆଫ୍ରିକାର ସରକାର ସେଠାକାର ଶ୍ୱେତାଙ୍ଗଙ୍କୁ ଜାଣିଶୁଣି ହଇରାଣ କରୁଛନ୍ତି। ଏପରିକି ଗାଜା ପ୍ରସଙ୍ଗରେ ଇସ୍ରାଏଲ ବିରୋଧରେ ଗଣ ସଂହାର ଅଭିଯୋଗ ଆଣି ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ ନ୍ୟାୟାଳୟ (ଆଇସିଜେ)ର ଦ୍ୱାରସ୍ଥ ହେବା ଓ ଇରାନ ସହ ସମ୍ପର୍କକୁ ଘନିଷ୍ଠ କରିବାକୁ ଆମେରିକା ସହଜରେ ଗ୍ରହଣ କରିପାରୁନାହିଁ। ରାଷ୍ଟ୍ରପତି ସିରିଲ୍ ରାମାଫୋସାଙ୍କ ସହ ସମ୍ପର୍କ ଏତେ ନିମ୍ନଗାମୀ ହେଲାଣି ଯେ ଦକ୍ଷିଣ ଆଫ୍ରିକାର ଅଧ୍ୟକ୍ଷତାରେ ହେଉଥିବା ଜି-୨୦ର ବିଭିନ୍ନ ବୈଠକରେ ଯୋଗ ଦେବାକୁ ମଧ୍ୟ ଆମେରିକା ବରିଷ୍ଠ ଅଧିକାରୀମାନଙ୍କୁ ପଠାଉନାହିଁ।       

ବ୍ରିକସର ଅନ୍ୟ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ଇଜିପ୍ଟ ଓ ସାଉଦି ଆରବ ଆମେରିକାର କୌଶଳଗତ ଅଂଶୀଦାର (ଷ୍ଟ୍ରାଟେଜିକ ପାର୍ଟନର) ହୋଇଥିଲେ ବି କିଛି ପ୍ରସଙ୍ଗରେ ସେମାନଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ମଧ୍ୟ ପ୍ରାଚ୍ୟରେ ସାଉଦି ଆରବ ହେଉଛି ଆମେରିକାର ସବୁଠୁ ବଡ଼ ସହଯୋଗୀ ଦେଶ। ଆମେରିକା ସହ ଏହାର ବାଣିଜ୍ୟ ମୋଟାମୋଟି ସନ୍ତୁଳିତ ଓ ଏହା ଅନେକ ବାଣିଜ୍ୟ ଓ ଅଣ-ବାଣିଜ୍ୟ ଚୁକ୍ତିରେ ଅନୁବନ୍ଧିତ। ମଧ୍ୟ-ପ୍ରାଚ୍ୟସ୍ଥିତ ୟୁଏଇ ମଧ୍ୟ ବାଣିଜ୍ୟିକ ଦୃଷ୍ଟିରୁ ଆମେରିକାର ଏକ ବଳିଷ୍ଠ ସହଯୋଗୀ ଦେଶ। ଏଥିସହ ଏହା ଆମେରିକାରେ ପ୍ରାୟ ଏକ ଲକ୍ଷ କୋଟି ଡଲାରର ବିନିବେଶ କରିଛି। ଆଫ୍ରିକାସ୍ଥିତ ଇଥିଓପିଆ ଆର୍ଥିକ ଦୃଷ୍ଟିରୁ ଏକ ଅତ୍ୟନ୍ତ ଅନଗ୍ରସର ଦେଶ ହୋଇଥିବାରୁ ‘ଆଫ୍ରିକାନ ଗ୍ରୋଥ ଆଣ୍ଡ ଅପରଚୁନିଟି ଆକ୍ଟ’ (ଆଗୋଆ) ଅଧୀନରେ ଇଥିଓପିଆରୁ ପ୍ରାୟ ୧୮୦୦ ପ୍ରକାର ସାମଗ୍ରୀ ନିଃଶୁଳ୍କ ଆମେରିକାକୁ ରପ୍ତାନୀ ଲାଗି ଅନୁମତି ଥିଲା। ୨୦୨୨ ମସିହାରେ ତାହା ପ୍ରତ୍ୟାହାର ହେବା ଯୋଗୁଁ ଇଥିଓପିଆର ବୟନ ଓ ଲୁଗାଶିଳ୍ପ ଏକପ୍ରକାର ବନ୍ଦ ହୋଇଗଲା। ଅନେକ ଶ୍ରମିକ ରୋଜଗାର ହରାଇବା ସହ ରପ୍ତାନୀ ହ୍ରାସ ପାଇଥିଲା। ଇରାନ ଯେ ଆମେରିକାର ଏକ ଶତ୍ରୁ ଦେଶ ଏହା ସର୍ବଜନବିଦିତ। ୧୯୭୯ ମସିହାର ଇରାନ ବିଦ୍ରୋହ ପରଠାରୁ ଆମେରିକା ଇରାନ ଉପରେ ବିଭିନ୍ନ ପ୍ରକାର କଟକଣା ଲଗାଇ ଆସିଛି। ତେଣୁ ଉଭୟ ଦେଶ ମଧ୍ୟରେ କୌଣସି ପ୍ରକାର ବାଣିଜ୍ୟିକ ସମ୍ପର୍କ ନାହିଁ କହିଲେ ଚଳେ। ଇଣ୍ଡୋନେସିଆ ଆମେରିକାର ଏକ ଘନିଷ୍ଠ ସହଯୋଗୀ ଦେଶ। କୌଶଳଗତ ଦୃଷ୍ଟିରୁ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଏହାର ଯଥେଷ୍ଟ ଗୁରୁତ୍ୱ ରହିଛି।

ବ୍ରିକସର ୫ଟି ପ୍ରତିଷ୍ଠାତା ସଦସ୍ୟ ଦେଶଙ୍କୁ ବାଦ ଦେଲେ ଆଉ ୫ଟି ଦେଶ ଉପରେ ଆମେରିକା ସର୍ବନିମ୍ନ ମାତ୍ର ୧୦ ପ୍ରତିଶତ ଟାରିଫ୍ ଲଗାଇଛି। କେବଳ ଇଣ୍ଡୋନେସିଆ ଉପରେ ୧୯ ପ୍ରତିଶତ ଟାରିଫ୍ ଲାଗିଛି। ଅର୍ଥାତ୍ ଆମେରିକାର ଟାରିଫକୁ ନେଇ ବ୍ରିକସର ଅନ୍ୟ ସଦସ୍ୟ ଦେଶଗୁଡ଼ିକ କ୍ଷୁବ୍ଧ ନୁହନ୍ତି। ଏହି ଦେଶଗୁଡ଼ିକ ମଧ୍ୟରୁ କେବଳ ଇରାନକୁ ବାଦ୍ ଦେଲେ ପ୍ରାୟ ଅନ୍ୟ ସବୁ ଦେଶଙ୍କର ଆମେରିକା ସହ ସୁସମ୍ପର୍କ ରହିଛି ଓ ସେହି ସମ୍ପର୍କକୁ ସେମାନେ ନିଜ ନିଜ ଦେଶର ସ୍ୱାର୍ଥ ଦୃଷ୍ଟିରୁ ତିକ୍ତ କରିବାକୁ ଚାହିଁବେ ନାହିଁ। ଅର୍ଥାତ୍ ଆମେରିକାର ବାଣିଜ୍ୟିକ ନିଷ୍ପତ୍ତି ବିପୁଦ୍ଧରେ ବ୍ରିକସର ସବୁ ସଦସ୍ୟ ଦେଶ ଏକଜୁଟ ହୋଇ ପଦକ୍ଷେପ ଗ୍ରହଣ କରିବାର ସମ୍ଭାବନା କ୍ଷୀଣ। ତେଣୁ ଯାହା କିଛି ସହଯୋଗ କେବଳ ୫ଟି ପ୍ରତିଷ୍ଠାତା ଦେଶଙ୍କ ମଧ୍ୟରେ ସୀମିତ ରହିପାରେ। ପୁଣି ସେମାନଙ୍କର ପରସ୍ପର ମଧ୍ୟରେ ସମ୍ପର୍କ ମଧ୍ୟ ବିଭିନ୍ନ କାରଣରୁ ସନ୍ଦେହର ଊର୍ଦ୍ଧ୍ୱରେ ନୁହେଁ। ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଚୀନର ପତିଆରାକୁ ପ୍ରତିହତ କରିବା ଲାଗି ଭାରତ ଆମେରିକା, ଅଷ୍ଟ୍ରେଲିଆ, ଜାପାନ ସହ ‘କ୍ୱାଡ’ ଗୋଷ୍ଠୀରେ ସାମିଲ ହୋଇଥିବା ବେଳେ ଭାରତ-ପାକିସ୍ତାନ ଯୁଦ୍ଧ ସ୍ଥିତିରେ ଚୀନ ପାକିସ୍ତାନକୁ ସାହାଯ୍ୟ କରିଆସୁଛି। ବ୍ରାଜିଲ ଓ ଭାରତ ପରସ୍ପର ମଧ୍ୟରେ ବାଣିଜ୍ୟ ବୃଦ୍ଧି ଉପରେ ଗୁରୁତ୍ୱ ଦେଉଥିବା ବେଳେ ବ୍ରାଜିଲ ଭାରତରୁ ‘ଆକାଶ’ ବାୟୁ ପ୍ରତିରକ୍ଷା ମିସାଇଲ ସିଷ୍ଟମ କିଣିବା ନେଇ ଚାଲିଥିବା ବାର୍ତ୍ତାଳାପକୁ ସ୍ଥଗିତ ରଖି ଇଟାଲିରୁ “ଇମାଡ’ ସିଷ୍ଟମ ଆହରଣ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରୁଛି। ଏଭଳି ସ୍ଥିତିରେ ଆମେରିକାର ମନୋମୁଖୀ ବାଣିଜ୍ୟିକ ନିଷ୍ପତ୍ତିର ମୁକାବିଲା କରିବା ପାଇଁ ବ୍ରିକସ ଦେଶଗୁଡ଼ିକ ନିକଟତର ହେଉଥିଲେ ମଧ୍ୟ ଏହାର ଉପଯୋଗିତା ଓ ସ୍ଥାୟୀତ୍ୱ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ତେବେ ଏହି ଦେଶଗୁଡ଼ିକ ପରସ୍ପର ମଧ୍ୟରେ ବାଣିଜ୍ୟ ବୃଦ୍ଧି କରିପାରିଲେ ତାହା ଏକ ବଡ଼ ଉପଲବ୍ଧି ହେବ। ଏ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଯୋଗଦାନ ଗୁରୁତ୍ୱ ବହନ କରୁଥିଲେ ବି ତଦ୍ଦ୍ୱାରା ଚୀନ-ଭାରତ ସମ୍ପର୍କରେ ଉନ୍ନତି ଘଟିବ ବୋଲି କହିହେବ ନାହିଁ।                                  

ହିନ୍ଦୀରେ କଥାଟିଏ ଅଛି- ‘ଇଟାର ଜବାବ ପଥର’ରେ ଦେବା। କିନ୍ତୁ ଏଠି ଆମେରିକାର ପଥରର ଜବାବକୁ ଇଟା (ବ୍ରିକସ୍) ଦ୍ୱାରା ଦିଆଯିବା ଲାଗି ମସୁଧା କୌତୂହଳୋଦ୍ଦୀପକ ହୋଇପାରେ। ବ୍ରିକସ୍ ଏକ ସାମରିକ ମେଣ୍ଟ ନୁହେଁ। ତେଣୁ ବ୍ରିକସ୍ ଗୋଷ୍ଠୀର ଦେଶଗୁଡ଼ିକ ମଧ୍ୟରେ ଥିବା ସ୍ୱାର୍ଥଦ୍ୱନ୍ଦ୍ୱକୁ ଏଡ଼ାଇ ଆମେରିକୀୟ ଟାରିଫ୍ ଓ ଅନ୍ୟ ବାଣିଜ୍ୟ କଟକଣାର ସଫଳତାର ସହ ମୁକାବିଲା କରିବା ଏକ ବଡ଼ ଆହ୍ୱାନ ହେବ।


Published in Ama Odisha on August  22, 2025

 

Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

2024ର ଭଲ ଗପ

  2024 ମସିହାର ଭଲ ଗପ ଏ ପର୍ଯ୍ୟନ୍ତ ପାଠକ ଓ ଲେଖକଙ୍କଠାରୁ ମିଳିଥିବା 2024 ମସିହାରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ପାଠକାଦୃତ ଗପର ସୂଚନା ଦିଆଯାଇଛି । ଗପଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କରିବେ । ମୁଁ କେବଳ ଗପଗୁଡ଼ିକ ସମ୍ପର୍କରେ ସୂଚନା ପ୍ରସ୍ତୁତ କରିବି । ଗପଗୁଡ଼ିକ ସମ୍ପର୍କରେ ମୋର କୌଣସି ବ୍ୟକ୍ତିଗତ ମତ ସ୍ଥାନିତ ହେବନାହିଁ । ପଢ଼ିଥିଲେ ଗପ ସମ୍ପର୍କରେ ଆପଣମାନଙ୍କ ମୂଲ୍ୟବାନ ମତାମତ ଜଣାଇବାକୁ ଅନୁରୋଧ । ଯେ କୌଣସି ପାଠକ, ସମ୍ପାଦକ ବା ଲେଖକ ତାଙ୍କୁ ଭଲ ଲାଗିଥିବା ଯେ କୌଣସି ଗପର ସୂଚନା ପ୍ରଦାନ କରିପାରିବେ । ଗପଗୁଡ଼ିକ ହସ୍ତଗତ ହେଲେ ସେଗୁଡ଼ିକ ମଧ୍ୟ ଏହି ତାଲିକା ଅନ୍ତର୍ଭୁକ୍ତ କରାଯିବ । ଲେଖକମାନେ ଚାହିଁଲେ ସେମାନଙ୍କ ଗପଟିକୁ ବଦଳାଇପାରିବେ । ଯୁବ କଥାକାରମାନେ ସେମାନଙ୍କ ଜନ୍ମ ତାରିଖ ଜଣାଇଲେ ସେମାନଙ୍କ ଗପକୁ ନିର୍ଦ୍ଦିଷ୍ଟ ବର୍ଗରେ ରଖାଯାଇପାରିବ । ଭୁଲ ବର୍ଗରେ ଥିଲେ ଜଣାଇବାକୁ ଅନୁରୋଧ । ଲେଖକଙ୍କ ନାମର ଆଦ୍ୟ ଅକ୍ଷର କ୍ରମରେ ଗପଗୁଡ଼ିକ ସଜ୍ଜିତ ହୋଇଛି । ସରଳ କୁମାର ଦାସ ୯୪୩୭୦ ୩୮୦୧୫ saral_das@yahoo.co.in (କ) ଜାନୁଆରୀ ୧ , ୧ ୯ ୮୦ ପରେ ଜନ୍ମ ଗ୍ରହଣ କରିଥିବା ଯୁବ କଥାକାରଙ୍କ ଗଳ୍ପ କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଆନନ୍ଦ କୁମାର ମାଇତି ଦାମ୍ପତ୍ୟ ଝଙ୍କାର ସେପ୍ଟେମ୍ୱର 2 ଗିରିଜା ଶଙ୍କର ମିଶ୍ର ପ୍ୟାଟରସନରେ ସ...

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର...