ଭାରତୀୟ ଲୋକପାଳର ଅଧ୍ୟକ୍ଷ ଓ ଅନ୍ୟ ୬ ଜଣ ସଦସ୍ୟଙ୍କ ଲାଗି ୭ଟି ‘ବିଏମଡବଲ୍ୟୁ ୩ ସିରିଜ ୩୩୦ ଏଲଆଇ’ ବିଳାସପୂର୍ଣ୍ଣ କାର୍ କିଣିବା ଲାଗି ଦିଆଯାଇଥିବା ଏକ ବିଜ୍ଞାପନ ଏବେ ବିବାଦର ବିଷୟ ହୋଇଛି। ସ୍ୱଦେଶୀ ଜିନିଷ କିଣିବା ଲାଗି ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଉଥିବା ବେଳେ ଲୋକପାଳ ସଦସ୍ୟମାନଙ୍କ ଲାଗି ଜର୍ମାନୀ ତିଆରି ଏହି ସୌଖୀନ କାର କିଣାଯିବା ପ୍ରସଙ୍ଗ ଭ୍ରୁକୁଞ୍ଚନ ସୃଷ୍ଟି କରିବା ସହ ଅନେକ ପ୍ରଶ୍ନ ଉତ୍ଥାପନ କରିଛି। ଉଲ୍ଲେଖଯୋଗ୍ୟ ଯେ ଏଭଳି ପ୍ରତିଟି କାରର ମୂଲ୍ୟ ପ୍ରାୟ ୭୦ ଲକ୍ଷ ଟଙ୍କା। ଟିକସଦାତାଙ୍କ ଅର୍ଥର ଏଭଳି ଅପଚୟ ଅନ୍ତତଃ ଉଚ୍ଚ ପଦ ପଦବୀରେ ଅଧିଷ୍ଠିତ ବ୍ୟକ୍ତିଙ୍କ ନିକଟରୁ ଆଶା କରାଯାଏ ନାହିଁ। ଦେଶରେ ଲୋକପାଳ ବ୍ୟବସ୍ଥା କାର୍ଯ୍ୟ କରୁଛି କି ନାହିଁ; ସେ ନେଇ ଅନେକଙ୍କର ସନ୍ଦେହ ଥିଲା। ଏହି କାର କିଣା ବିବାଦ ପରେ ଲୋକପାଳର କାର୍ୟ୍ୟଶୈଳୀ ଓ କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠିଲା ଏବଂ ସାଧାରଣରେ ଆଲୋଚିତ ହେଲା। ଲୋକେ ପ୍ରଶ୍ନ କରୁଛନ୍ତି ଯେ ଯେଉଁ ମହାନ୍ ଉଦ୍ଦେଶ୍ୟରେ ଏହି ଅନୁଷ୍ଠାନ ଗଠିତ ହୋଇଥିଲା, ସେ ଉଦ୍ଦେଶ୍ୟ କ’ଣ ସାଧିତ ହୋଇଛି?
କହିବା ଅନାବଶ୍ୟକ ଯେ ଭାରତର ପ୍ରଗତିରେ ଯଦି କେଉଁ ଗୋଟିଏ କଥା ସର୍ବାଧିକ ବାଧକ ସାଜିଥାଏ, ତାହା ଦୁର୍ନୀତି ବା ଭ୍ରଷ୍ଟାଚାର। ଏହାର କୁପ୍ରଭାବ ସର୍ବବ୍ୟାପୀ ହୋଇ ବ୍ୟକ୍ତି, ସମାଜ ଓ ଦେଶକୁ ଗଭୀର ଭାବେ ଆକ୍ରାନ୍ତ କରୁଛି। ଆବଶ୍ୟକତାନୁସାରେ ଏହା ବିବିଧ ରୂପ ଧାରଣ କରିଥାଏ; ଛୋଟକାଟର ଲାଞ୍ଚ, ଯେଉଁଥିରେ ସୀମିତ ସଂଖ୍ୟକ ଲୋକ ପ୍ରଭାବିତ ହୁଅନ୍ତି, ବା ଅତି ବିଶାଳକାୟ ଭ୍ରଷ୍ଟାଚାର ଯାହାର ପ୍ରଭାବ ସରକାର ଓ ଶାସନ ବ୍ୟବସ୍ଥା ଉପରେ ପଡ଼ିଥାଏ। ଜନସାଧାରଣ ସେତେବେଳେ ଅତିଷ୍ଠ ହୋଇଉଠନ୍ତି, ଯେତେବେଳେ ସରକାରୀ ତହବିଲର ସୁରକ୍ଷା ଦାୟିତ୍ୱରେ ଥିବା ଉଚ୍ଚ ପଦସ୍ଥ ମନ୍ତ୍ରୀ, ଯନ୍ତ୍ରୀ ଓ ଅଧିକାରୀମାନେ ସ୍ୱୟଂ ଗଭୀର ଦୁର୍ନୀତିରେ ବୁଡ଼ି ରହିଥିବାର ଅଭିଯୋଗ ଶୁଣିବାକୁ ମିଳେ। ତା ବିରୋଧରେ ପ୍ରତିବାଦ କରି ସେମାନେ ବେଳେ ବେଳେ ରାଜରାସ୍ତାକୁ ଓହ୍ଲାଇ ଥାଆନ୍ତି, ଯେମିତି ଘଟିଥିଲା ୨୦୧୧ ମସିହାରେ। ଆନ୍ନା ହଜାରେଙ୍କ ନେତୃତ୍ୱରେ ପରିଚାଳିତ ‘ଇଣ୍ଡିଆ ଏଗେନଷ୍ଟ କରପସନ୍’ ଆନ୍ଦୋଳନ ସମଗ୍ର ଦେଶକୁ ଜାଗ୍ରତ କରି ପକାଇଥିଲା। ଦେଶରେ ଉଚ୍ଚ ସ୍ତରରେ ଘଟୁଥିବା ଦୁର୍ନୀତି ଉପରେ ଅଙ୍କୁଶ ଲଗାଇବା ପାଇଁ ଏକ ସ୍ୱତନ୍ତ୍ର ଲୋକପାଳର ଗଠନ ଥିଲା ଆନ୍ଦୋଳନର ମୁଖ୍ୟ ଦାବି। ଶେଷରେ କେନ୍ଦ୍ର ସରକାର ସେହି ଦାବି ଗ୍ରହଣ କରି ଲୋକପାଳ ଓ ଲୋକାୟୁକ୍ତ ଆଇନ, ୨୦୧୩ ପ୍ରଣୟନ କଲେ, ଯାହା ରାଷ୍ଟ୍ରପତିଙ୍କ ସମ୍ମତି ପରେ ୨୦୧୪ ଜାନୁଆରୀ ମାସରୁ ଆଇନରେ ପରିଣତ ହେଲା। ଅବଶ୍ୟ ଏହା ପୂର୍ବରୁ ୨୦୦୫ ମସିହାରେ ଦ୍ୱିତୀୟ ପ୍ରାଶାସନିକ ସଂସ୍କାର କମିସନଙ୍କ ଦ୍ୱାରା ଲୋକପାଳ ଓ ଲୋକାୟୁକ୍ତ ଗଠନ ଲାଗି ସୁପାରିସ କରାଯାଇଥିଲା। ଏତଦବ୍ୟତୀତ ‘ଜାତିସଂଘର ଦୁର୍ନୀତି ବିରୋଧୀ ସମ୍ମିଳନୀ’ (ୟୁଏନସିଏସି)ରେ ଗୃହୀତ ଚୁକ୍ତିକୁ ୨୦୧୧ ମସିହା ମେ ୯ ତାରିଖରେ ଅନୁମୋଦନ କରି ଭାରତ ଦୁର୍ନୀତି ବିରୋଧରେ ଲଢ଼ିବାର ପ୍ରତିବଦ୍ଧତା ପ୍ରଦର୍ଶନ କରିସାରିଥିଲା। ସେହି ପ୍ରତିବଦ୍ଧତାକୁ ଆଇନର ଜାମା ପିନ୍ଧାଇବା ଲାଗି ଲୋକପାଳ ଓ ଲୋକାୟୁକ୍ତ ଆଇନ ପ୍ରଣୟନ ମଧ୍ୟ ଜରୁରୀ ଥିଲା। ତେବେ ଲୋକପାଳ ଅନୁଷ୍ଠାନଟି ବସ୍ତୁତଃ ଏକମାତ୍ର ଭାରତୀୟ ଅନୁଷ୍ଠାନ ଯାହା ଏକ ଜନ ଆନ୍ଦୋଳନ ପ୍ରସୂତ।
ପ୍ରାବଧାନ ଅନୁଯାୟୀ ଲୋକପାଳରେ ଅଧ୍ୟକ୍ଷଙ୍କ ଅତିରିକ୍ତ ୮ ଜଣ ସଦସ୍ୟଙ୍କ ମଧ୍ୟରୁ ୪ ଜଣ ବିଚାର ବିଭାଗୀୟ ସଦସ୍ୟ ଥିବା ବେଳେ ଆଉ ୪ ଜଣ ଅଣ-ବିଚାର ବିଭାଗୀୟ ସଦସ୍ୟ ଅଟନ୍ତି। ପ୍ରଧାନମନ୍ତ୍ରୀ, ଲୋକସଭାର ବାଚସ୍ପତି, ବିରୋଧୀ ଦଳ ନେତା, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ବା ଅନ୍ୟ ଜଣେ ବିଚାରପତି ଓ ଚୟନ ସମିତି ଦ୍ୱାରା ମନୋନୀତ ଜଣେ ପ୍ରତିଷ୍ଠିତ ନ୍ୟାୟ ବିଶାରଦଙ୍କୁ ନେଇ ଗଠିତ ଚୟନ ସମିତି ଲୋକପାଳର ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟମାନଙ୍କୁ ବଛାଯାଏ। ଲୋକପାଳ ଆଇନ ୨୦୧୪ ମସିହା ଜାନୁଆରୀ ୧୬ ତାରିଖରୁ କାର୍ଯ୍ୟକାରୀ ହୋଇଥିଲେ ବି ପରବର୍ତ୍ତୀ ୫ ବର୍ଷ ଯାଏଁ ଏହା ଗଠିତ ହୋଇ ନଥିଲା। ଏହାର ପ୍ରଥମ ଅଧ୍ୟକ୍ଷ ରୂପେ ଜଷ୍ଟିସ ପିନାକି ଚନ୍ଦ୍ର ଘୋଷଙ୍କୁ ୨୦୧୯ ମସିହା ମାର୍ଚ୍ଚ ୨୩ ତାରିଖ ଦିନ ଶପଥ ନେଇଥିଲେ। ତାଙ୍କ କାର୍ଯ୍ୟକାଳ ୨୦୨୨ ମସିହା ମେ ୨୨ ତାରିଖରେ ସମାପ୍ତ ହୋଇଥିଲା। ତା ପରେ ଅଧ୍ୟକ୍ଷ ପଦ ପ୍ରାୟ ୨ ବର୍ଷ ଖାଲି ରହିଥିଲା। ଦ୍ୱିତୀୟ ଅଧ୍ୟକ୍ଷ ଭାବେ ଜଷ୍ଟିସ ଅଜୟ ମାନିକରାଓ ଖାନୱିଲକର ୨୦୨୪ ମସିହା ମାର୍ଚ୍ଚ ୧୦ ତାରିଖରେ କାର୍ଯ୍ୟଭାର ଗ୍ରହଣ କଲେ। ଅବଶ୍ୟ ମଧ୍ୟବର୍ତ୍ତୀ ସମୟରେ ଜଷ୍ଟିସ ପ୍ରଦୀପ କୁମାର ମହାନ୍ତି କାର୍ଯ୍ୟକାରୀ ଅଧ୍ୟକ୍ଷ ରୂପେ ଦାୟିତ୍ୱ ତୁଲାଇଥିଲେ। ତେବେ ଦୀର୍ଘ କାଳ ଧରି ଲୋକପାଳ ଗଠିତ ନ ହେବା ଓ ଗଠନ ପରେ ସୁଦ୍ଧା ଅଧ୍ୟକ୍ଷ ପଦ ଦୀର୍ଘ କାଳ ଧରି ଖାଲି ପଡ଼ି ରହିବାରୁ ଧାରଣା ଜାତ ହୁଏ ଯେ ସରକାରଙ୍କ ଦୃଷ୍ଟିରେ ଏହା ସେତେଟା ଗୁରୁତ୍ୱପୂର୍ଣ୍ଣ ନୁହେଁ।
ସିବିଆଇ, କେନ୍ଦ୍ରୀୟ ଭିଜିଲାନ୍ସ କମିସନ ପରି ସଂସ୍ଥାଗୁଡ଼ିକ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବାରୁ ଉଚ୍ଚ ପଦବୀରେ ଅଧିଷ୍ଠିତ ବ୍ୟକ୍ତିଙ୍କ ଦୁର୍ନୀତିକୁ ଉନ୍ମୋଚନ କରିବାକୁ ସେଗୁଡ଼ିକ ଅସମର୍ଥ। ଏହା ହିଁ ଲୋକପାଳ ଗଠନରେ ନିହିତ ମୂଳ କାରଣ। ଲୋକପାଳଙ୍କ ଅଧିକାର କ୍ଷେତ୍ର ଏତେ ବ୍ୟାପକ ଯେ ଜାତୀୟ ନିରାପତ୍ତା ଭଳି କେତେକ ସମ୍ୱେଦନଶୀଳ ପ୍ରସଙ୍ଗକୁ ବାଦ ଦେଇ ପ୍ରଧାନମନ୍ତ୍ରୀ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମଧ୍ୟ କୌଣସି ଦୁର୍ନୀତି ଅଭିଯୋଗ ଏଠାରେ ଆଗତ କରାଯାଇପାରିବ। କେନ୍ଦ୍ର ମନ୍ତ୍ରୀ, ସାଂସଦ, ସରକାରୀ ଅଧିକାରୀ ଓ କର୍ମଚାରୀ, କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଓ ନିୟନ୍ତ୍ରଣାଧୀନ ସଂସ୍ଥାଗୁଡ଼ିକର ଉଚ୍ଚ ପଦାଧିକାରୀ, କେତେକ ଅଣସରକାରୀ ସଂଗଠନର ଅଧିକାରୀଙ୍କ ବିରୋଧରେ ଥିବା ଦୁର୍ନୀତି ଅଭିଯୋଗ ମଧ୍ୟ ଏହାର ଅଧିକାର କ୍ଷେତ୍ର ଅନ୍ତର୍ଭୁକ୍ତ। ଏହା ସତ୍ତ୍ୱେ ଏ ପର୍ଯ୍ୟନ୍ତ ଲୋକପାଳ ଦ୍ୱାରା ସେପରି କୌଣସି ବଡ଼ ଦୁର୍ନୀତି ଉନ୍ମୋଚିତ ହୋଇନାହିଁ କି ଉଚ୍ଚ ପଦବୀରେ ଅଧିଷ୍ଠିତ କେହି ଦଣ୍ଡିତ ହୋଇନାହାନ୍ତି। ଉପଲବ୍ଧ ତଥ୍ୟ ଅନୁଯାୟୀ ଲୋକପାଳ ଗଠନ ହେବାପରଠାରୁ ଆସିଥିବା ୬୯୫୫ଟି ଅଭିଯୋଗ ମଧ୍ୟରୁ ୯୦ ପ୍ରତିଶତ ପ୍ରଥମ ୪ ବର୍ଷରେ ଆସିଥିଲା। ଗତ ୩ ବର୍ଷ ମଧ୍ୟରେ ଏହି ସଂଖ୍ୟା ସାଂଘାତିକ ଭାବେ ହ୍ରାସ ପାଇ ମାତ୍ର ୬୨୪ରେ ପହଞ୍ଚିଛି। ଏହାର ଏକ ବଡ଼ କାରଣ ହେଉଛି ଫ୍ରୋଫର୍ମାରେ ଅଭିଯୋଗ ଦାଖଲ ହୋଇ ନଥିଲେ ତାହା ଖାରଜ ହୋଇଯାଉଛି। ତେଣୁ ମାତ୍ର ୨୮୯ଟି ମାମଲାରେ ପ୍ରାରମ୍ଭିକ ଅନୁସନ୍ଧାନ ପାଇଁ ସିଭିସି, ସିବିଆଇ ଭଳି ସଂସ୍ଥାଙ୍କୁ ଆଦେଶ ଦିଆଯାଇଛି। କେବଳ ମାତ୍ର ୭ଟି ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁମତି ପ୍ରଦାନ କରାଯାଇଛି। ୨୦୨୪-୨୫ ବର୍ଷରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମିଳିଥିବା ୫ଟି ଦୁର୍ନୀତି ଅଭିଯୋଗ ମଧ୍ୟରୁ ଗୋଟିଏ ଖାରଜ ହୋଇଥିଲା। ଅନ୍ୟ ୪ଟିର ସ୍ଥିତି କ’ଣ, ତାହା ସ୍ପଷ୍ଟ କରାଯାଉନାହିଁ। ଉଲ୍ଲେଖଯୋଗ୍ୟ ଯେ ୨୦୨୧-୨୨ ପରଠାରୁ ସଂସ୍ଥାର ବାର୍ଷିକ ବିବରଣୀ ଆଉ ସର୍ବସାଧାରଣଙ୍କ ଗୋଚରାର୍ଥେ ପ୍ରକାଶିତ ହୋଇନାହିଁ, ଯଦ୍ଦ୍ୱାରା ଏହାର ସ୍ୱଚ୍ଛତା ପ୍ରଶ୍ନର ପାତ୍ର ହେଉଛି।
ଲୋକପାଳ ଗଠନ ପରେ ଉଚ୍ଚ ପଦାସୀନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇ ଉପର ସ୍ତରୀୟ ଦୁର୍ନୀତି ଉପରେ ଅଙ୍କୁଶ ଲାଗିବ ବୋଲି କରାଯାଉଥିବା ଆଶା ଏଯାଏଁ ସଫଳ ହୋଇନାହିଁ। ଏକ ଧାରଣା ସୃଷ୍ଟି ହେଉଛି ଯେ ଲୋକପାଳ ଅଧ୍ୟକ୍ଷ ଓ ସଦସ୍ୟଙ୍କ ନିଯୁକ୍ତିରେ ରାଜନୈତିକ ନେତାଙ୍କ ସମ୍ପୃକ୍ତି ଯୋଗୁଁ ଲୋକପାଳ ଉଭୟ ସ୍ୱାୟତ୍ତତା ଓ ଲୋକଙ୍କ ବିଶ୍ୱାସ ହରାଉଛି। ଯଦିଓ ଏଇ ଜୁନ ମାସ ଲୋକପାଳଙ୍କ ନିଜସ୍ୱ ଅନୁସନ୍ଧାନ ଓ ନ୍ୟାୟିକ କାର୍ଯ୍ୟାନୁଷ୍ଠାନ (ପ୍ରସିକ୍ୟୁସନ) ଶାଖା ସ୍ଥାପିତ ହୋଇଛି, ତା ପୂର୍ବରୁ ଏହା ଅନୁସନ୍ଧାନ ପାଇଁ ସରକାରୀ ନିୟନ୍ତ୍ରଣରେ ଥିବା ସିବିଆଇ, ସିଭିସି ଭଳି ସଂସ୍ଥାଗୁଡ଼ିକ ଉପରେ ନିର୍ଭରଶୀଳ ଥିଲା। । ଅଧିକନ୍ତୁ, ଅଭିଯୋଗ ନ ପାଇଲେ ଲୋକପାଳ ନିଜ ଆଡ଼ୁ ତଦନ୍ତ ଆରମ୍ଭ କରିପାରୁ ନଥିବାରୁ ଏହା ପ୍ରଭାବଶାଳୀ ହୋଇପାରୁନାହିଁ। ଲୋକପାଳଙ୍କ ନିକଟକୁ ଆସୁଥିବା ପ୍ରାୟ ୯୦ ପ୍ରତିଶତ ଅଭିଯୋଗ କେବଳ ଏଥିଲାଗି ନାକଚ ହୋଇଯାଉଛି ଯେ ଆବେଦନ କରିବାର ଫର୍ମାଟ ଠିକ୍ ନାହିଁ। କିନ୍ତୁ, ସାଧାରଣ ଜ୍ଞାନ କହିଥାଏ ଦୁର୍ନୀତି ଭଳି ଅଭିଯୋଗର ବିଷୟବସ୍ତୁ ହିଁ ଗୁରୁତ୍ୱପୂର୍ଣ୍ଣ, ଫର୍ମାଟ ନୁହେଁ। ଏବେ ସୁଦ୍ଧା ଅସଂଖ୍ୟ ଲୋକ ଲୋକପାଳଙ୍କ ବିଷୟରେ ଜାଣନ୍ତି ନାହିଁ, ଯେଉଁମାନେ ଜାଣନ୍ତି, ସେମାନଙ୍କ ମତରେ ଏହା ଏକ ଦନ୍ତହୀନ ଅନୁଷ୍ଠାନ। ଏପରି ସ୍ଥଳେ ଲୋକପାଳଙ୍କ ଦ୍ୱାରା କିଛି ବଡ଼ ଧରଣର ଦୁର୍ନୀତିର ଉନ୍ମୋଚନ ହୋଇ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଏହାର ବିଶ୍ୱସନୀୟତା ବଢ଼ିବା ସହ ବିଶ୍ୱାସ ସଙ୍କଟ ଦୂରୀଭୁତ ହୁଅନ୍ତା।
ଲୋକାୟୁକ୍ତମାନେ ହେଉଛନ୍ତି ରାଜ୍ୟସ୍ତରୀୟ। ଅଧିକାର କ୍ଷେତ୍ର, କ୍ଷମତା ଓ ସ୍ୱାୟତ୍ତତାରେ ଭିନ୍ନତା କାରଣରୁ ଭାରତର ବିଭିନ୍ନ ରାଜ୍ୟରେ ଲୋକାୟୁକ୍ତମାନଙ୍କ ପ୍ରଦର୍ଶନରେ ଭିନ୍ନତା ଦେଖାଯାଇଥାଏ। କେତେକ ସ୍ଥାନରେ ଲୋକାୟୁକ୍ତମାନେ ସକ୍ରିୟ ଅଛନ୍ତି। ଅନେକ ବଡ଼ ବଡ଼ ମାମଲାର ପରିଚାଳନା କରିଥିବା କର୍ଣ୍ଣାଟକ ଲୋକାୟୁକ୍ତଙ୍କ ପ୍ରଦର୍ଶନକୁ ଉଦାହରଣ ରୂପେ ଗ୍ରହଣ କରାଯାଇଥାଏ। ଓଡ଼ିଶାରେ ୨୦୧୪ ମସିହାରେ ଲୋକାୟୁକ୍ତ ଆଇନ ପ୍ରଣୟନ ପରେ ୨୦୧୯ ମସିହା ଫେବୃଆରୀ ୨୮ ତାରିଖ ଦିନ ଏହା ଗଠିତ ହୋଇଥିଲା। ତା’ ପରଠାରୁ ଏହା ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିଆସୁଥିଲା। ତେବେ ଗତ ପ୍ରାୟ ବର୍ଷାଧିକ କାଳ ହେବ ଏହାର ଅଧ୍ୟକ୍ଷ ଓ ୨ ଜଣ ସଦସ୍ୟ ସେବାନିବୃତ୍ତ ହେବା ପରଠାରୁ ନୂତନ ଅଧ୍ୟକ୍ଷ ଓ ସଦସ୍ୟ ନିଯୁକ୍ତ ହୋଇ ନ ଥିବାରୁ ଏହା ଏବେ କେବଳ କାଗଜ କଲମରେ ଅଛି ବୋଲି କହିଲେ ଅତିରଂଜନ ହେବନାହିଁ।
ଲୋକପାଳ ଓ ଲୋକାୟୁକ୍ତ ଆଇନର ଧାରା ୭ ଅନୁଯାୟୀ ଲୋକପାଳର ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟମାନଙ୍କୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଓ ଅନ୍ୟ ବିଚାରପତିଙ୍କୁ ମିଳୁଥିବା ଦରମା, ଭତ୍ତା, ପେନସନ୍ ଓ ଅନ୍ୟାନ୍ୟ ସୁବିଧା ସମାନ ଭାବେ ମିଳିଥାଏ। ସେହି ଦୃଷ୍ଟିରୁ ଲୋକପାଳର ସଦସ୍ୟମାନଙ୍କ ଲାଗି ବିଦେଶୀ ସୌଖୀନ କାରର ଟେଣ୍ଡର ଜାରି କରିବାରେ ସେମାନଙ୍କ ନ୍ୟାଯ୍ୟ ଅଧିକାରର ସୀମା ହୁଏତ ଉଲ୍ଲଂଘନ କରାଯାଇନାହିଁ; କାରଣ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି କୋର୍ଟ ଦ୍ୱାରା ପ୍ରଦତ୍ତ ମର୍ସିଡିଜ୍ ବେଞ୍ଜ କାର ବ୍ୟବହାର କରୁଥିବା ବେଳେ ଅନ୍ୟ ବିଚାରପତିଙ୍କ ଲାଗି ବିଏମଡବଲ୍ୟୁ-୩ ସିରିଜ କାର ଦିଆଯାଇଥାଏ। ତେବେ ବିତର୍କର ମଞ୍ଜିଟି ରହିଛି ନୈତିକତାର ପ୍ରଶ୍ନରେ। ଦୁର୍ନୀତି ଉପରେ ଅଙ୍କୁଶ ଲଗାଇବାକୁ ଉଦ୍ଦିଷ୍ଟ ଏକ ସଂସ୍ଥାର ସଦସ୍ୟଙ୍କଠାରୁ କ’ଣ ବିଳାସିତା ଆଶା କରାଯାଇପାରେ? ଏହା ଫଳରେ ଲୋକପାଳ ଭଳି ଏକ କ୍ଷମତାସମ୍ପନ୍ନ, ସ୍ୱାୟତ୍ତ ଅନୁଷ୍ଠାନର ବିଶ୍ୱସନୀୟତା ସନ୍ଦିଗ୍ଧ ହୋଇପଡ଼ିଛି।
ପ୍ରକାଶ ଥାଉ କି ନିକଟରେ ଲୋକପାଳଙ୍କ ପ୍ରଦତ୍ତ କିଛି ଆଦେଶ ବିବାଦିତ ହୋଇଛି। ଭାରତୀୟ ପ୍ରତିଭୁତି ବିନିମୟ ବୋର୍ଡ (ସେବି)ର ପୂର୍ବତନ ଅଧ୍ୟକ୍ଷ ମାଧବୀ ପୁରୀ ବୁଚଙ୍କ ବିରୋଧରେ ଥିବା ଅଭିଯୋଗର ଅଧିକ ତଦନ୍ତ ପାଇଁ ଆଦେଶ ନ ଦେଇ ତାଙ୍କୁ ନିର୍ଦ୍ଦୋଷ ଘୋଷଣା କରିବା ଅନେକଙ୍କୁ ବିସ୍ମିତ କରିଛି। କାର୍ଯ୍ୟରତ ହାଇକୋର୍ଟର ବିଚାରପତିମାନଙ୍କୁ ଲୋକପାଳର ଅଧିକାର କ୍ଷେତ୍ର ଭିତରକୁ ଆଣିବା ଲାଗି ଲୋକପାଳଙ୍କ ପୂର୍ଣ୍ଣ ବେଞ୍ଚ ପ୍ରଦତ୍ତ ଆଦେଶକୁ ‘ନ୍ୟାୟିକ ଅତିକ୍ରମଣ’ (ଜୁଡିସିଆଲ୍ ଓଭରରିଚ୍) କହି ସୁପ୍ରିମକୋର୍ଟ ତା’ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ତେବେ ସେ ଯାହା ହେଉ, ଏହା ସମସ୍ତେ ସ୍ୱୀକାର କରିବେ ଯେ ଲୋକପାଳ ଓ ଲୋକାୟୁକ୍ତ ସଂଦର୍ଭରେ ଥିବା ଦୋଷ ଦୁର୍ବଳତାକୁ ଦୂର କରି ଅନୁଷ୍ଠାନକୁ ସଶକ୍ତ କରାଯିବା ଆବଶ୍ୟକ। ଆମ ଦେଶରେ କାୟା ବିସ୍ତାର କରି ଚାଲିଥିବା ଦୁର୍ନୀତିକୁ ରୋକିବା ଲାଗି ଏକ ପାରଙ୍ଗମ, ପାରଦର୍ଶୀ ଓ ବିଶ୍ୱସନୀୟ ଲୋକପାଳଙ୍କ ଆବଶ୍ୟକତା ଅପରିହାର୍ଯ୍ୟ, ଯାହାର ନଖ ଓ ଦନ୍ତ ଥିବା ଆବଶ୍ୟକ ଏବଂ ତାହା ଅଯଥା ବିବାଦରୁ ଊର୍ଦ୍ଧ୍ୱରେ ରହୁଥିବା ଜରୁରି।
Published in Sambad on November 04, 2025
Comments
Post a Comment