Skip to main content

ବୁଲା କୁକୁର ସମସ୍ୟା ଓ ମୁକାବିଲା

ଏକ ଇଂରାଜୀ ଦୈନିକରେ ପ୍ରକାଶିତ ଗୋଟିଏ ଖବରର ସ୍ୱତଃ ସଂଜ୍ଞାନ ନେଇ ଅଗଷ୍ଟ ୧୧ ତାରିଖ ଦିନ ସୁପ୍ରିମକୋର୍ଟର ଦୁଇଜଣିଆ ନ୍ୟାୟାଧୀଶଙ୍କ ଏକ ଖଣ୍ଡପୀଠ ଦିଲ୍ଲୀରେ ଥିବା ବୁଲା କୁକୁରଙ୍କ ସମ୍ପର୍କରେ ଏପରି ଏକ ଆଦେଶ ପ୍ରଦାନ କଲେ, ଯାହା ଦେଶବ୍ୟାପୀ ତୀବ୍ର ଜନ ଅସନ୍ତୋଷ ସୃଷ୍ଟି କଲା। କୁକୁର ଆତଙ୍କକୁ ଏଡ଼ାଇ ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ଲାଗି ୮ ସପ୍ତାହ ମଧ୍ୟରେ ଦିଲ୍ଲୀ ଓ ତା’ର ଆଖପାଖ ଅଞ୍ଚଳରେ ଥିବା ସବୁ ବୁଲା କୁକୁରଙ୍କୁ ଧରି କୁକୁର ଆଶ୍ରୟସ୍ଥଳୀରେ ଭର୍ତ୍ତି କରିବାକୁ ହେବ ବୋଲି ସମ୍ପୃକ୍ତ ପୌର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଗଲା। କୌଣସି ବ୍ୟକ୍ତି ଓ ସଙ୍ଗଠନଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାରେ ବାଧା ଉତ୍ପନ୍ନ କଲେ କୋର୍ଟ ଅବମାନନା ବୋଲି ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଦେଶର ବିରୋଧ କରି ଦେଶବ୍ୟାପୀ ପ୍ରତିବାଦମାନ ଆୟୋଜିତ ହେଲା। ଆଉ କିଛି ଲୋକ ଆଦେଶ ସପକ୍ଷରେ ବାହାରିଲେ ଓ ଏହି ପ୍ରସଙ୍ଗରେ ଜନମତ ବିଭାଜିତ ହୋଇଗଲା। ମାତ୍ର ୧୧ ଦିନ ମଧ୍ୟରେ ସୁପ୍ରିମ କୋର୍ଟଙ୍କ ଦ୍ୱାରା ନିଜ ଆଦେଶକୁ ପରିବର୍ତ୍ତନ କରାଯାଇ ସଂଶୋଧିତ ଆଦେଶ ପ୍ରଦାନ କରାଗଲା।

ସହରଗୁଡ଼ିକରେ ବୁଲା କୁକୁରଙ୍କ ସଂଖ୍ୟା ଏତେ ବଢ଼ିଗଲାଣି ଯେ ଦିନକୁ ଦିନ କୁକୁଡ଼ା କାମୁଡ଼ାର ଶିକାର ହେଉଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଶିଶୁ ଓ ବୟସ୍କ। କୁକୁରମାନେ ଦୁଇଚକିଆ ଯାନକୁ ଗୋଡ଼ାଇ ଆକ୍ରମଣ କରିବା ଯୋଗୁଁ ସଡ଼କ ଦୁର୍ଘଟଣା ଘଟି ଲୋକେ ମୃତାହତ ହେଉଛନ୍ତି। ଜନଜୀବନକୁ କୁକୁର ଆତଙ୍କରୁ ସୁରକ୍ଷିତ ରଖିବା ଲାଗି ସର୍ବୋଚ୍ଚ ଅଦାଲତଙ୍କ ଆଦେଶ ସ୍ୱାଗତଯୋଗ୍ୟ। ତେବେ ଆଦେଶକୁ କାର୍ଯ୍ୟକାରୀ କରିବା ଲାଗି ପୌର କର୍ତ୍ତୃପକ୍ଷ କାଳବିଳମ୍ୱ ନ କରି କୁକୁରମାନଙ୍କୁ ଧରିବା ଆରମ୍ଭ କରିଦେଲେ। ହେଲେ ଯଥେଷ୍ଟ ସଂଖ୍ୟାରେ ଆଶ୍ରୟସ୍ଥଳୀ ନଥିବାରୁ ସେମାନଙ୍କୁ ଦୂର ସ୍ଥାନମାନଙ୍କରେ ଛାଡ଼ି ଦିଆଯାଉଥିବାର ବା ମାରି ଦିଆଯାଉଥିବାର ଅଭିଯୋଗମାନ ଆସିବାକୁ ଲାଗିଲା। ଦିଲ୍ଲୀରେ ଥିବା ଅଳ୍ପ ସଂଖ୍ୟକ କୁକୁର ଆଶ୍ରୟସ୍ଥଳୀର ରକ୍ଷଣାବେକ୍ଷଣର ଦୁର୍ଦ୍ଦଶା ମଧ୍ୟ ଜଣାପଡ଼ିଲା। ଏତେ କମ ଦିନ ମଧ୍ୟରେ ଏତେ ସଂଖ୍ୟାରେ କୁକୁରଙ୍କୁ ଧରିବା ଓ ସେମାନଙ୍କୁ ଆଶ୍ରୟସ୍ଥଳୀରେ ରଖିବା ଲାଗି ଆବଶ୍ୟକ ମାନବସମ୍ୱଳ ଓ ଭିତ୍ତିଭୂମିର ଅଭାବ ଥିବା ଲୋକଲୋଚନକୁ ଆସିଲା। ଆଦେଶକୁ ଠିକ୍ ଢଙ୍ଗରେ କାର୍ଯ୍ୟକାରୀ କରିବା ଲାଗି ହଜାର ହଜାର କୋଟି ଟଙ୍କାର ପାଣ୍ଠି ଆବଶ୍ୟକ ବୋଲି ଜଣାପଡ଼ିଲା। ଅଧିକନ୍ତୁ, ଆନିମଲ ବାର୍ଥ କଣ୍ଟ୍ରୋଲ (ଏବିସି) ନିୟମ, ୨୦୨୩ର ପ୍ରାବଧାନର ଉଲ୍ଲଂଘନ କରୁଥିବା ଦର୍ଶାଇ ସଂଖ୍ୟାଧିକ ବ୍ୟକ୍ତିବିଶେଷ ଓ ସଂଗଠନ ଏହି ଆଦେଶ ଉପରେ ରୋକ ଲଗାଇବାକୁ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହେଲେ। ମାମଲାର ବିଚାର କରି ଏକ ତିନି ଜଣିଆ ନ୍ୟାୟଧୀଶଙ୍କ ଖଣ୍ଡପୀଠ ପୂର୍ବ ଆଦେଶକୁ ବଦଳାଇବା ସହ କେତେକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଛନ୍ତି। ଧରାଯାଇଥିବା କୁକୁରମାନଙ୍କୁ ସ୍ଥାୟୀ ଭାବେ ଆଶ୍ରୟସ୍ଥଳୀରେ ରଖିବା କଥା ପୂର୍ବ ଆଦେଶରେ ଉଲ୍ଲିଖିତ ହୋଇଥିଲା, ଯାହା ଏବିସି ନିୟମର ଧାରା ୧୧(୧୯)ର ବିରୋଧାଚରଣ କରୁଛି। ଏହା ଦ୍ୱାରା ଆଶ୍ରୟସ୍ଥଳୀଗୁଡ଼ିକରେ ଗହଳି ହେବାର ଆଶଙ୍କା ଥବାରୁ ସେମାନଙ୍କର ଟୀକାକରଣ ଓ ବନ୍ଧ୍ୟାକରଣ ପରେ ସେମାନଙ୍କୁ ପୂର୍ବ ସ୍ଥାନରେ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅବଶ୍ୟ କୌଣସି କୁକୁର ଜଳାତଙ୍କଗ୍ରସ୍ତ ହୋଇଥିବାର ସନ୍ଦେହ ଉପୁଜିଲେ ବା ଉଗ୍ର ଆଚରଣ ପ୍ରଦର୍ଶନ କରୁଥିଲେ ତାକୁ ନ ଛାଡ଼ି ଆଶ୍ରୟସ୍ଥଳୀରେ ରଖିବାକୁ ହେବ। ବନ୍ଧ୍ୟାକରଣ କାର‌୍ୟ୍ୟକ୍ରମକୁ ଠିକ୍ ରୂପେ କାର‌୍ୟ୍ୟକାରୀ କରିବା ଉପରେ ସର୍ବୋଚ୍ଚ ଅଦାଲତ ଗୁରୁତ୍ୱ ଦେଇଛନ୍ତି। ବୁଲା କୁକୁରଙ୍କୁ ଖୁଆଇବାକୁ ବ୍ୟବସ୍ଥିତ କରିବା ପାଇଁ ପୌର କର୍ତ୍ତୃପକ୍ଷଙ୍କୁ ସହରର ବିଭିନ୍ନ ସ୍ଥାନରେ ‘ନିର୍ଦ୍ଧାରିତ ଭୋଜନ କ୍ଷେତ୍ର’ ପ୍ରତିଷ୍ଠା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କୁକୁର ପ୍ରେମୀମାନେ ସେହିଠାରେ ଖୁଆଉଛନ୍ତି କି ନାହିଁ ତାହା ସୁନିଶ୍ଚିତ କରିବା ସହ ଏହାର ଉଲ୍ଲଂଘନ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିପାରିବେ। ବୁଲା କୁକୁରମାନଙ୍କୁ ‘ପୋଷ୍ୟ କୁକୁର’ ଭାବେ ଗ୍ରହଣ କରିବା ଲାଗି ଜନସାଧାରଣଙ୍କୁ ପ୍ରୋତ୍ସାହିତ କରିବା ଉପରେ ସୁପ୍ରିମ କୋର୍ଟ ଗୁରୁତ୍ୱ ଦେଇଛନ୍ତି।            

ନେସନାଲ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ (ଏନସିଡିସି)ର ତଥ୍ୟ ଅନୁଯାୟୀ ୨୦୨୪ ମସିହାରେ ୩୭ ଲକ୍ଷରୁ ଅଧିକ ଲୋକ କୁକୁର କାମୁଡ଼ାର ଶିକାର ହୋଇଛନ୍ତି। ୨୦୧୮ ମସିହାରେ ଏହି ସଂଖ୍ୟା ୭୫ ଲକ୍ଷରୁ ଅଧିକ ଥିବା ବେଳେ ୨୦୨୧ ମସିହାରେ କୋଭିଡର ପ୍ରାରମ୍ଭିକ ବର୍ଷରେ ଏହି ସଂଖ୍ୟା ହଠାତ୍ ୧୭ ଲକ୍ଷକୁ କମି ଆସିଥିଲା। ଗତ ୩ ବର୍ଷ ଧରି ପ୍ରତି ବର୍ଷ ପୁଣି ଏହି ସଂଖ୍ୟାରେ ବୃଦ୍ଧି ଘଟିବା ଚିନ୍ତାର ବିଷୟ। ତେବେ କେବଳ ବୁଲା କୁକୁର ନୁହେଁ, ବହୁ ସଂଖ୍ୟାରେ ଲୋକ ମଧ୍ୟ ପୋଷା କୁକୁର କାମୁଡ଼ାର ଶିକାର ହୋଇଥାନ୍ତି। ଭାରତ ସରକାର ୨୦୨୩ ମସିହାରୁ ୨୩ଟି ବିଦେଶୀ ପ୍ରଜାତିର କୁକୁରଙ୍କୁ ‘ଭୟଙ୍କର’ ବୋଲି ଘୋଷଣା କରି ଏଗୁଡ଼ିକର ଆମଦାନୀ, ବିକ୍ରି ଓ ପ୍ରଜନନ ଉପରେ ପ୍ରତିବନ୍ଧ ଲଗାଇଛନ୍ତି। ଏହା ସତ୍ତ୍ୱେ ବେଆଇନ ଭାବେ ଏବେ ମଧ୍ୟ ଏଗୁଡ଼ିକର ଆମଦାନୀ, ବିକ୍ରି ଓ ପ୍ରଜନନ ଚାଲିଛି। ଏହି ଧରଣର କୁକୁରଗୁଡ଼ିକ କାମୁଡ଼ିଲେ କେବଳ ଜଳାତଙ୍କ ନୁହେଁ, ରୋଗୀ ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଥାଏ। ତଥାପି ବୁଲା କୁକୁରଙ୍କ ପ୍ରତି କିଛି ଲୋକଙ୍କର ଆକ୍ରୋଶ ଯେଉଁଉଳି ପରିଲକ୍ଷିତ ହୁଏ, ବିଦେଶୀ ପ୍ରଜାତିର କୁକୁର କାମୁଡ଼ା ପ୍ରତି ଅନୁରୂପ ଭାବେ ଦେଖା ଯାଇ ନଥାଏ, ଯାହା କ୍ଷୋଭର ବିଷୟ। ବନ୍ଧ୍ୟାକରଣ କାର‌୍ୟ୍ୟକ୍ରମ ବିଫଳ ହେବା ବୁଲା କୁକୁରଙ୍କ ସଂଖ୍ୟାରେ ବୃଦ୍ଧିର ପ୍ରମୁଖ କାରଣ ହୋଇଥିଲେ ହେଁ ଦ୍ରୁତ ସହରୀକରଣ ଯୋଗୁଁ ମଣିଷ-କୁକୁରଙ୍କ ମଧ୍ୟରେ ନିକଟତା ବୃଦ୍ଧି, ପ୍ରଦୂଷଣ ଓ ଉତ୍ତାପ ବୃଦ୍ଧି ହେତୁ କୁକୁରମାନେ ଅଧିକ ଉଗ୍ର ହେବା ମଧ୍ୟ କୁକୁର ଆକ୍ରମଣର କାରଣ ବୋଲି କୁହାଯାଉଛି।  ୨୦୧୯ ମସିହାରେ ହୋଇଥିବା ପଶୁ ଗଣନା ଅନୁଯାୟୀ ଦେଶରେ ପ୍ରାୟ ୧.୫୩ କୋଟି ବୁଲା କୁକୁର ଅଛନ୍ତି।  ତନ୍ମଧ୍ୟରୁ ୧୭.୩ ଲକ୍ଷ ଓଡ଼ିଶାରେ ଅଛନ୍ତି । ସଂଖ୍ୟା ଦୃଷ୍ଟିରୁ ଓଡ଼ିଶାରେ ଦ୍ୱିତୀୟ ସର୍ବାଧିକ ବୁଲା କୁକୁର ରହୁଛନ୍ତି ଓ ବାର୍ଷିକ ପ୍ରାୟ ୩ ଲକ୍ଷ ଲୋକ କୁକୁର କାମୁଡ଼ାର ଶିକାର ହେଉଛନ୍ତି।

ପ୍ରାୟ ୯୬ ପ୍ରତିଶତ ଜଳାତଙ୍କ ରୋଗୀ କୁକୁର କାମୁଡ଼ାର ଶିକାର ବୋଲି ଜଣାପଡ଼େ। ଜଳାତଙ୍କର ଲକ୍ଷଣ ଦେଖାଗଲେ ମୃତ୍ୟୁ ପ୍ରାୟ ନିଶ୍ଚିତ ହୋଇଥିବାରୁ ଏହାକୁ ନିରୋଧ କରିବା ଲାଗି ସରକାରୀ ସ୍ତରରେ ପ୍ରୟାସ ଜାରି ରହିଛି। ଫଳରେ ୨୦୨୪ ମସିହାରେ ସାରା ଦେଶରେ ମାତ୍ର ୫୪ ଜଣ ଲୋକ ଜଳାତଙ୍କ ରୋଗରେ ମୃତ୍ୟୁବରଣ କରିଥିଲେ, ଯାହା ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଯଥେଷ୍ଟ କମ୍। ତେବେ ଏବିସି ନିୟମର ଅନୁସରଣ କରି ଅଧିକ ସଂଖ୍ୟାରେ ବନ୍ଧ୍ୟାକରଣ କରାଯାଇ ପାରିଲେ ଯାଇ ୨୦୩୦ ମସିହା ସୁଦ୍ଧା ଦେଶରୁ ଜଳାତଙ୍କ ରୋଗ ଉନ୍ମୁଳନର ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିହେବ।

ଯେତେ ଚାହିଁଲେ ବି ବୁଲା କୁକୁରଙ୍କୁ ନିପାତ କରିହେବ ନାହିଁ ବା କରିବା ଉଚିତ ନୁହେଁ ମଧ୍ୟ। କୁକୁର ସମେତ ଅନ୍ୟ ଜୀବଜନ୍ତୁଙ୍କ ସହିତ ସହାବସ୍ଥାନର ବାସ୍ତବତାକୁ ଗ୍ରହଣ କରିବା ସହିତ ସେମାନଙ୍କ ଆଡ଼ୁ  ଥିବା ବିପଦର ମୁକାବିଲା ଉପରେ ଧ୍ୟାନ ଦେବାକୁ ହେବ। ତେଣୁ ବୁଲା କୁକୁରଙ୍କ ସଂଖ୍ୟାକୁ ନିୟନ୍ତ୍ରଣ ମଧ୍ୟରେ ରଖିବାକୁ ହେବ। ଅତୀତରେ ଆମ ଦେଶରେ ଓ ବିଦେଶରେ ବୁଲା କୁକୁରଙ୍କୁ ଦମନ ବା ନିପାତ କରିବାର  ଅନେକ ଅସଫଳ ଉଦ୍ୟମ ହୋଇଛି ଓ ତାହାର କୁପରିଣାମ ମଧ୍ୟ ଦେଖିବାକୁ ମିଳିଛି। ୧୮୩୨ ମସିହାରେ ବମ୍ୱେ ସହରରେ ହୋଇଥିବା ପ୍ରଥମ ଦଙ୍ଗାଟି ବୁଲା କୁକୁରଙ୍କୁ ଦମନ ଲାଗି ହୋଇଥିବା ମାତ୍ରାଧିକ କାର‌୍ୟ୍ୟାନୁଷ୍ଠାନ ଯୋଗୁଁ ବୋଲି ଜଣାପଡ଼େ। ୧୮୮୦ ମସିହାରେ ଫ୍ରାନ୍ସର ପାରିସ ସହରକୁ ବୁଲା କୁକୁରଙ୍କ ଦାଉରୁ ରକ୍ଷା କରିବା ସହିତ ଏହାକୁ ଏକ ସ୍ୱଚ୍ଛ, ସୁରକ୍ଷିତ ତଥା ଆଧୁନିକ ସହର ରୂପେ ଗଢ଼ି ତୋଳିବା ଲାଗି ହଜାର ହଜାର ସଂଖ୍ୟାରେ ବୁଲା କୁକୁରଙ୍କୁ ହତ୍ୟା କରାଗଲା। ପରିଣାମ ଏଇୟା ହେଲା ଯେ କୁକୁରଙ୍କ ସଂଖ୍ୟା ହ୍ରାସ ପାଇବା ସହିତ ସେଠାରେ ମୂଷାଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଲା ଓ ତଦଜନିତ ସମସ୍ୟା ଅନିୟନ୍ତ୍ରିତ ହୋଇଗଲା। ୧୯୯୪ ମସିହାରେ ସୁରାଟ ସହରରେ ଏକ ପୌର ଆଦେଶ ବଳରେ ହଜାର ହଜାର ସଂଖ୍ୟାରେ ବୁଲା କୁକୁରଙ୍କୁ ବହିଷ୍କାର ବା ହତ୍ୟା କରାଗଲା। ଫଳସ୍ୱରୂପ ସେଠାରେ ମୂଷାଙ୍କ ସଂଖ୍ୟା ବୃଦ୍ଧି ହୋଇ ପ୍ଲେଗ୍ ମହାମାରୀ ଦେଖାଦେଇଥିବାର ଜଣାପଡ଼େ। ଏହାକୁ ‘ମୋସୋପ୍ରିଡେଟର ରିଲିଜ’ ପ୍ରଭାବ ବୋଲି କୁହାଯାଏ ଯେଉଁଥିରେ ଶିକାରୀର ଅନୁପସ୍ଥିତିରେ ଶିକାରର ସଂଖ୍ୟା ଅହେତୁକ ବୃଦ୍ଧି ହୋଇ ପରିବେଶଗତ ଓ ସ୍ୱାସ୍ଥ୍ୟଗତ ସମସ୍ୟାର କାରଣ ହୁଏ। ରାସ୍ତାରେ କୁକୁର ନ ରହିଲେ ମାଙ୍କଡ଼ମାନେ ରାସ୍ତାକୁ ଓହ୍ଲାଇ ଆସି ଆକ୍ରମଣାତ୍ମକ ହେବାର ଆଶଙ୍କା ମଧ୍ୟ ରହିଛି।

ଅନ୍ୟ ପକ୍ଷରେ ବୁଲା କୁକୁର ସମସ୍ୟାକୁ ହ୍ରାସ କରିବା ପାଇଁ ନେଦରଲାଣ୍ଡସ୍, ପର୍ତ୍ତୁଗାଲ, ଇଟାଲି, ତୁର୍କୀ, ଜର୍ମାନୀ, ଥାଇଲାଣ୍ଡ ଭଲି କିଛି ଦେଶ ଅନୁକରଣୀୟ ହୋଇଛନ୍ତି। ନେଦରଲାଣ୍ଡସରେ ବ୍ୟାପକ ବନ୍ଧ୍ୟାକରଣ, ବାଧ୍ୟତାମୂଳକ ‘ମାଇକ୍ରୋଚିପିଂ’, କଠୋର ପ୍ରଜନନ ନିୟମ ଏବଂ ପାଳିତ କୁକୁର ପରିତ୍ୟାଗ ପାଇଁ ଅତ୍ୟଧିକ ଜରିମାନା ଆଦି ଭଳି ପଦକ୍ଷେପ ଜରିଆରେ ବୁଲା କୁକୁରଙ୍କ ସଂଖ୍ୟାକୁ ହ୍ରାସ କରାଯାଇପାରିଛି। ପର୍ତ୍ତୁଗାଲରେ ବୁଲା କୁକୁରଙ୍କୁ ପୋଷ୍ୟ କୁକୁର ଭାବେ ଗ୍ରହଣ କରିବା ଲାଗି ପ୍ରୋତ୍ସାହନ ଦିଆଯାଉଛି। ତୁର୍କୀରେ ମୋବାଇଲ ପଶୁଚିକିତ୍ସା ଭ୍ୟାନ୍ ଜରିଆରେ ସ୍ଥାନୀୟ ଅଞ୍ଚଳକୁ ଯାଇ କୁକୁରଙ୍କ ବନ୍ଧ୍ୟାକରଣ କରାଯାଉଛି। ଏପରିକି ଗତ କିଛି ବର୍ଷ ଧରି ଏବିସି ନିୟମ ଆଧାରରେ ବ୍ୟାପକ ଟୀକାକରଣ ଓ ବନ୍ଧ୍ୟାକରଣ କରି ଡେରାଡୁନ ଓ ଲକ୍ଷ୍ନୌ ସହରରେ ବୁଲା କୁକୁରଙ୍କ ସଂଖ୍ୟା ନିୟନ୍ତ୍ରଣ କରାଯାଇପାରିଛି।

ଏବିସି ନିୟମ ଅନୁଯାୟୀ ବୁଲା କୁକୁରଙ୍କ ସଂଖ୍ୟା ନିୟନ୍ତ୍ରଣ ଓ ସେମାନଙ୍କ ପାଇଁ ଅନ୍ୟାନ୍ୟ କଲ୍ୟାଣକାରୀ କାର‌୍ୟ୍ୟକ୍ରମ କାର୍ଯ୍ୟକାରୀ କରାଇବାର ମୁଖ୍ୟ ଦାୟିତ୍ୱ ପୌର ପରିଷଦଗୁଡ଼ିକ ଉପରେ ନ୍ୟସ୍ତ ଥିଲେ ସୁଦ୍ଧା ସେମାନଙ୍କ ନିକଟରେ ଆବଶ୍ୟକ ଭିତ୍ତିଭୂମି, ମାନବ ସମ୍ୱଳ ଓ ପାଣ୍ଠିର ଘୋର ଅଭାବ ରହିଛି।  ଏପରିକି ସେଥିପାଇଁ ଉଚିତ ପରିମାଣର ବଜେଟୀୟ ପ୍ରାବଧାନ ହେଉ ନାହିଁ। ଉଦାହରଣ ସ୍ୱରୂପ, ୨୦୨୫-୨୬ ଆର୍ଥିକ ବର୍ଷରେ ଭୁବନେଶ୍ୱର ପୌର କର୍ପୋରେସନର ବଜେଟ ରାଶି ପ୍ରାୟ ୧୦୦୦ କୋଟି ଟଙ୍କା ହୋଇଥିଲେ ବି ସେଥିରୁ ମାତ୍ର ୨୫ ଲକ୍ଷ ଟଙ୍କା ପଶୁ କଲ୍ୟାଣ ପାଇଁ ସ୍ଥିରୀକୃତ ହୋଇଛି। ତେଣୁ ସେହି ପରିମାଣ ରାଶିରେ ଏବିସି ନିୟମକୁ ଉଚିତ ଢଙ୍ଗରେ କାର‌୍ୟ୍ୟକାରୀ କରିବା ସମ୍ଭବ ନୁହେଁ। ଉଲ୍ଲେଖଯୋଗ୍ୟ ଯେ, ସୁପ୍ରିମ କୋର୍ଟଙ୍କ ଆଦେଶ କେବଳ ଦିଲ୍ଲୀ ନୁହେଁ ବରଂ ସାରା ଦେଶରେ ଲାଗୁ ହେଉଥିବାରୁ ବୁଲା କୁକୁରଙ୍କ ଆଶ୍ରୟସ୍ଥଳୀ ନିର୍ମାଣ, କୁକୁରଙ୍କ ଟୀକାକରଣ, ବନ୍ଧ୍ୟାକରଣ କରିବା ଆଦି ଭଳି କାର୍ଯ୍ୟ ପାଇଁ ଆବଶ୍ୟକ ମାନବ ସମ୍ୱଳ ଉପଲବ୍ଧ କରାଇବା ଓ ଭିତ୍ତିଭୂମି ବିକାଶ ସୁନିଶ୍ଚିତ କରିବା ଦାୟିତ୍ୱ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ ହେବ।  

ବୁଲା କୁକୁର ସମସ୍ୟାର ଦୁଇଟି ଦିଗ ଅଛି- ଗୋଟିଏ ମାନବୀୟ ଦିଗ, ଯେଉଁଥିରେ ଲୋକଙ୍କ ସୁରକ୍ଷା ସନ୍ନିହିତ, ଆରଟି କୁକୁରଙ୍କ ବଞ୍ଚିବାର ଅଧିକାର। ଦୁଇଟି ମଧ୍ୟରେ ସନ୍ତୁଳନ ରକ୍ଷା କରାଯିବା ଆବଶ୍ୟକ। କୁକୁର କାମୁଡା ଜନିତ ସମସ୍ୟାରେ ଅତିଷ୍ଠ ସମାଜର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ମତ ଦେଲେ ଯେ ନାଗରିକମାନେ ଟିକସ ଦେଉଥିବାରୁ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବା ସରକାରଙ୍କ ପ୍ରାଥମିକ କର୍ତ୍ତବ୍ୟ ହେବା ଉଚିତ। ତେବେ ଆମ ସହ ଏକା ଭୂଖଣ୍ଡରେ ବସବାସ କରୁଥିବା କୁକୁର ଓ ଅନ୍ୟ ନିରୀହ ପ୍ରାଣୀମାନେ ଟିକସ ଦିଅନ୍ତି ନାହିଁ ସତ, ହେଲେ ଆମ ଅଜାଣତରେ ସେମାନେ ମାନବ ସମାଜର ଅଶେଷ ଉପକାର କରନ୍ତି। ଏ କଥା ହୃଦୟଙ୍ଗମ କରିବା ଉଚିତ। ମଣିଷ ସହ ସହସ୍ରାଧିକ ବର୍ଷ ଧରି ବିଶ୍ୱସ୍ତ ବନ୍ଧୁ ଭାବେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ କରିଆସିଥିବା ଳୁକୁରଟି ଆଜି ହଠାତ୍ ଉଗ୍ର ହୋଇଉଠିବାର କାରଣ ଆମକୁ ଖୋଜିବାକୁ ହେବ। ତା'ର ନିରାକରଣର ମାର୍ଗ  ଆମକୁ ହିଁ ବାହାର କରିବାକୁ ହେବ, ଅବଶ୍ୟ ସେମାନଙ୍କ ପ୍ରତି ହିଂସା ଆଚରଣ ନ କରି ଓ ମନରୁ ସମସ୍ତ ଘୃଣା ଓ ଦ୍ୱେଷକୁ ପୋଛି ଦେଇ।    


Published in Sambad on August 26, 2025             


Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

2024ର ଭଲ ଗପ

  2024 ମସିହାର ଭଲ ଗପ ଏ ପର୍ଯ୍ୟନ୍ତ ପାଠକ ଓ ଲେଖକଙ୍କଠାରୁ ମିଳିଥିବା 2024 ମସିହାରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ପାଠକାଦୃତ ଗପର ସୂଚନା ଦିଆଯାଇଛି । ଗପଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କରିବେ । ମୁଁ କେବଳ ଗପଗୁଡ଼ିକ ସମ୍ପର୍କରେ ସୂଚନା ପ୍ରସ୍ତୁତ କରିବି । ଗପଗୁଡ଼ିକ ସମ୍ପର୍କରେ ମୋର କୌଣସି ବ୍ୟକ୍ତିଗତ ମତ ସ୍ଥାନିତ ହେବନାହିଁ । ପଢ଼ିଥିଲେ ଗପ ସମ୍ପର୍କରେ ଆପଣମାନଙ୍କ ମୂଲ୍ୟବାନ ମତାମତ ଜଣାଇବାକୁ ଅନୁରୋଧ । ଯେ କୌଣସି ପାଠକ, ସମ୍ପାଦକ ବା ଲେଖକ ତାଙ୍କୁ ଭଲ ଲାଗିଥିବା ଯେ କୌଣସି ଗପର ସୂଚନା ପ୍ରଦାନ କରିପାରିବେ । ଗପଗୁଡ଼ିକ ହସ୍ତଗତ ହେଲେ ସେଗୁଡ଼ିକ ମଧ୍ୟ ଏହି ତାଲିକା ଅନ୍ତର୍ଭୁକ୍ତ କରାଯିବ । ଲେଖକମାନେ ଚାହିଁଲେ ସେମାନଙ୍କ ଗପଟିକୁ ବଦଳାଇପାରିବେ । ଯୁବ କଥାକାରମାନେ ସେମାନଙ୍କ ଜନ୍ମ ତାରିଖ ଜଣାଇଲେ ସେମାନଙ୍କ ଗପକୁ ନିର୍ଦ୍ଦିଷ୍ଟ ବର୍ଗରେ ରଖାଯାଇପାରିବ । ଭୁଲ ବର୍ଗରେ ଥିଲେ ଜଣାଇବାକୁ ଅନୁରୋଧ । ଲେଖକଙ୍କ ନାମର ଆଦ୍ୟ ଅକ୍ଷର କ୍ରମରେ ଗପଗୁଡ଼ିକ ସଜ୍ଜିତ ହୋଇଛି । ସରଳ କୁମାର ଦାସ ୯୪୩୭୦ ୩୮୦୧୫ saral_das@yahoo.co.in (କ) ଜାନୁଆରୀ ୧ , ୧ ୯ ୮୦ ପରେ ଜନ୍ମ ଗ୍ରହଣ କରିଥିବା ଯୁବ କଥାକାରଙ୍କ ଗଳ୍ପ କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଆନନ୍ଦ କୁମାର ମାଇତି ଦାମ୍ପତ୍ୟ ଝଙ୍କାର ସେପ୍ଟେମ୍ୱର 2 ଗିରିଜା ଶଙ୍କର ମିଶ୍ର ପ୍ୟାଟରସନରେ ସ...

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର...