କ୍ଷମତାକୁ ଆସିଲେ ରାଜ୍ୟରେ ‘ପେସା’ ଆଇନ ଲାଗୁ କରାଯିବ ବୋଲି ନିର୍ବାଚନ ପୂର୍ବରୁ ବିଜେପି ତରଫରୁ ଘୋଷଣା କରାଯାଇଥିଲା। ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଆଦିବାସୀ ସମ୍ପ୍ରଦାୟର ଜଣେ ନେତା ଦାୟିତ୍ୱ ଗ୍ରହଣ କରିବା ପରେ ଆଶା କରାଯାଉଥିଲା ଯେ ତୁରନ୍ତ ଏହି ଆଇନ ଲାଗୁ ହେବା ଲାଗି ବାଟ ଫିଟିବ। ଇତିମଧ୍ୟରେ ବର୍ଷେରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ବିଭିନ୍ନ କାରଣରୁ ତାହା ଏ ଯାଏଁ କାର୍ୟ୍ୟକାରୀ ହୋଇପାରିନାହିଁ। ଗତ ଜୁଲାଇ ୧୧ ତାରିଖରେ କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କ ଓଡ଼ିଶା ଗସ୍ତକାଳୀନ ଭାଷଣରେ କହିଛନ୍ତି ଯେ କଂଗ୍ରେସ କ୍ଷମତାକୁ ଆସିଲେ ‘ପେସା’ ଆଇନ ଲାଗୁ କରାଯିବ। କଂଗ୍ରେସର ପାରମ୍ପରିକ ଆଦିବାସୀ ଭୋଟବ୍ୟାଙ୍କକୁ ଦଳ ସପକ୍ଷରେ ପୁନଃସଂଗଠିତ କରିବା ଦିଗରେ ହୁଏତ ଏହା ଏକ ପ୍ରୟାସ ହୋଇଥାଇପାରେ। କିନ୍ତୁ ଏହା ମଧ୍ୟ ସତ ଯେ ‘ପେସା’ ଆଇନ ଲାଗୁ ହେବା ଉଚିତ ବୋଲି ଅନ୍ତତଃ ସବୁ ଦଳ ଅନୁଭବ କରୁଛନ୍ତି। କାରଣ ‘ପେସା’ ଆଇନ ଦ୍ୱାରା ରାଜ୍ୟର ପ୍ରାୟ ଏକ କୋଟି ଆଦିବାସୀଙ୍କ ମଧ୍ୟରୁ ତଫସିଲଭୁକ୍ତ ଅଞ୍ଚଳରେ ବସବାସ କରୁଥିବା ପ୍ରାୟ ୭୦ ଲକ୍ଷ ଆଦିବାସୀ ଉପକୃତ ହେବେ।
କେନ୍ଦ୍ର ସରକାରଙ୍କ ଦ୍ୱାରା ୧୯୯୬ରେ ‘ପ୍ରୋଭିଜନସ ଅଫ୍ ପଞ୍ଚାୟତ (ଏକ୍ସଟେନସନ ଟୁ ସିଡ୍ୟୁଲଡ ଏରିଆଜ୍) ଆକ୍ଟ’ ବା ‘ପେସା’ ଆଇନର ପ୍ରଣୟନ ହେବା ପରେ ଓଡ଼ିଶାର ଗ୍ରାମ ପଞ୍ଚାୟତ ଆଇନ୍, ୧୯୬୪, ପଞ୍ଚାୟତ ସମିତି ଆଇନ, ୧୯୫୯ ଓ ଜିଲ୍ଲା ପରିଷଦ ଆଇନ, ୧୯୯୧ରେ ପେସା ଆଇନର ପ୍ରାବଧାନଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ସମ୍ୱିଧାନର ପଞ୍ଚମ ତଫସିଲ ଅନ୍ତର୍ଗତ ୧୦ଟି ରାଜ୍ୟର ଆଦିବାସୀ ବହୁଳ ‘ତଫସିଲଭୁକ୍ତ ଅଞ୍ଚଳ’ରେ ଏହି ଆଇନ କାର୍ଯ୍ୟକାରୀ ହେଉଛି। ଓଡ଼ିଶାର ମୟୂରଭଞ୍ଜ, ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡ଼ା ଭଳି ୭ଟି ଜିଲ୍ଲା ସମ୍ପୂର୍ଣ୍ଣ ଭାବେ ଓ ବାଲେଶ୍ୱର, କେନ୍ଦୁଝର, ଗଞ୍ଜାମ, ସମ୍ୱଲପୁର ଓ କଳାହାଣ୍ଡି ଜିଲ୍ଲାର ନିର୍ଦ୍ଦିଷ୍ଟ କେତେକ ବ୍ଲକ ବା ତହସିଲକୁ ‘ତଫସିଲଭୁକ୍ତ ଅଞ୍ଚଳ’ ଭାବେ ଘୋଷଣା କରାଯାଇଛି। ରାଜ୍ୟର ସମୁଦାୟ ୩୧୪ଟି ବ୍ଲକ୍ ମଧ୍ୟରୁ ୧୧୮ଟି ବ୍ଲକ୍ ସମ୍ପୂର୍ଣ୍ଣ ଭାବେ ଓ ୩ଟି ବ୍ଲକ୍ ଆଂଶିକ ଭାବେ ତଫସିଲଭୁକ୍ତ ଅଞ୍ଚଳ ଅନ୍ତର୍ଗତ। ଅର୍ଥାତ୍ ଓଡ଼ିଶାର ମୋଟ ଭୌଗୋଳିକ କ୍ଷେତ୍ରର ପ୍ରାୟ ୪୫ ପ୍ରତିଶତ ତଫସିଲଭୁକ୍ତ ଅଞ୍ଚଳ ଅନ୍ତର୍ଭୁକ୍ତ ଯେଉଁଠାରେ ରାଜ୍ୟର ସମୁଦାୟ ଆଦିବାସୀ ଜନସଂଖ୍ୟାର ପ୍ରାୟ ୬୮ ପ୍ରତିଶତ ବସବାସ କରନ୍ତି। ଏହି ସମସ୍ତ ଅଞ୍ଚଳରେ ‘ପେସା’ ଆଇନ ଲାଗୁ ହେବା ସାମ୍ୱିଧାନିକ ଆବଶ୍ୟକତା ହୋଇଥିବାରୁ ଏହା ଶୀଘ୍ର କାର୍ଯ୍ୟକାରୀ ହେବା ଗୁରୁତ୍ୱପୂର୍ଣ୍ଣ। ଏହି ଆଇନ ଲାଗୁ ହେବା ପରେ ସେଠାକାର ଗ୍ରାମସଭା ଓ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକ ସଶକ୍ତ ହୋଇପାରିବେ। କିନ୍ତୁ ଏହି ଆଇନ ପ୍ରଣୟନ ହେବାର ୨୯ ବର୍ଷ ପୂରିବାକୁ ବସିଥିଲେ ହେଁ ଓଡ଼ିଶାରେ ଏହା ଏ ଯାବତ୍ ଉଚିତ ଢଙ୍ଗରେ କାର୍ଯ୍ୟକାରୀ ହୋଇ ପାରିନାହିଁ। ଏହା ପଛରେ ନିହିତ କାରଣ ମଧ୍ୟରୁ ପ୍ରମୁଖଟି ହେଲା ‘ପେସା’ ଆଇନର ରୂପାୟନ ପାଇଁ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ନିୟମ ତିଆରି କରିପାରିନାହାନ୍ତି। ଏଥିପାଇଁ ୨୦୨୩ ମସିହାରେ ଏକ ଚିଠା ନିୟମ ପ୍ରସ୍ତୁତ ହୋଇଥିଲା, କିନ୍ତୁ ତହିଁରେ ମୂଳ ‘ପେସା’ ଆଇନରେ ଥିବା ପ୍ରାବଧାନକୁ ହାଲୁକା କରିଦିଯାଇଥିବାର ଅଭିଯୋଗ ହେବା ସହିତ ତାକୁ ବାତିଲ କରିବାର ଦାବି ହୋଇଥିଲା। ୨୦୨୪ ମସିହା ଅଗଷ୍ଟ ମାସରେ ଆଦିବାସୀ ନେତା ଓ ବିଭିନ୍ନ ଅଂଶୀଦାରମାନଙ୍କର ଏକ ଜନ ଶୁଣାଣି କରାଯାଇଥିଲା। ତଦନୁଯାୟୀ ଆଉ ଥରେ ଚିଠା ନିୟମ ପ୍ରସ୍ତୁତ କରିବା ଲାଗି ଅଂଶୀଦାରମାନଙ୍କ ସହ ବ୍ୟାପକ ବିଚାର ବିମର୍ଶ କରାଯିବା ଲାଗି ସ୍ଥିର ହୋଇଥିଲା। କିନ୍ତୁ ପ୍ରାୟ ବର୍ଷେ ବିତିବାକୁ ବସିଥିଲେ ବି ସେ ଦିଗରେ ଅଧିକ ଅଗ୍ରଗତିର କୌଣସି ସୂଚନା ନାହିଁ, ଯାହା ନେଇ ରାଜ୍ୟପାଳ ମଧ୍ୟ ଉଦବେଗ ପ୍ରକାଶ କରିସାରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପଞ୍ଚମ ତଫସିଲ ଅନ୍ତର୍ଭୁକ୍ତ ଯେଉଁ ୧୦ଟି ରାଜ୍ୟରେ ‘ପେସା’ ଆଇନ ଲାଗୁ ହେଉଛି, ତନ୍ମଧ୍ୟରୁ କେବଳ ଓଡ଼ିଶା ଓ ଝାଡ଼ଖଣ୍ଡ ରାଜ୍ୟ ଦୁଇଟିକୁ ବାଦ୍ ଦେଲେ ଅନ୍ୟ ସବୁ ରାଜ୍ୟ ଆଇନକୁ କାର୍ଯ୍ୟକାରୀ କରିବା ଲାଗି ନିୟମ ତିଆରି କରିସାରିଛନ୍ତି। ରାଜନୈତିକ ଇଚ୍ଛାଶକ୍ତିର ଅଭାବ ସହିତ ପ୍ରଶାସନିକ ଅନାଗ୍ରହ ମଧ୍ୟ ନିୟମ ପ୍ରଣୟନରେ ବିଳମ୍ୱର କାରଣ। ବର୍ତ୍ତମାନ ଗ୍ରାମସଭାଗୁଡ଼ିକର ପରିଚାଳନାରେ ସମ୍ପୃକ୍ତ ଅଫିସରମାନଙ୍କର ଗୁରୁତ୍ୱ ଯଥେଷ୍ଟ ଅଧିକ ରହିଛି, ଯାହା ‘ପେସା’ ଆଇନ କାର୍ଯ୍ୟକାରୀ ହେଲେ ହ୍ରାସ ପାଇବ। ଜମି ଅଧିଗ୍ରହଣ କାର୍ଯ୍ୟ ଏବର ଭଳି ସହଜ ହେବ ନାହିଁ ଓ ଲଘୁ ଖଣିଜ ଦ୍ରବ୍ୟର ଲାଇସେନ୍ସ ପ୍ରଦାନ ଭଳି କ୍ଷମତା ହାତରୁ ଚାଲିଯିବ। ଏହି ଆଶଙ୍କା ହିଁ ‘ପେସା‘ ଆଇନର କାର୍ଯ୍ୟକାରିତାକୁ ବିଳମ୍ୱିତ କରୁଛି ବୋଲି ଏକ ଧାରଣା ସୃଷ୍ଟି ହୋଇଛି। ‘ପେସା’ ଆଇନ ସଂକ୍ରାନ୍ତ ଏକାଧିକ ମାମଲା ହାଇକୋର୍ଟଙ୍କ ବିଚାରାଧୀନ ରହିଛି। ନିୟମ ପ୍ରଣୟନରେ ବିଳମ୍ୱ ଯୋଗୁଁ ବିବଦମାନ ପରିସ୍ଥିତି ଉତ୍ପନ୍ନ ହୋଇ ସୁନ୍ଦରଗଡ଼ ଜିଲ୍ଲାରେ ‘ପଥଲଗଡ଼ି ଆନ୍ଦୋଳନ’ ମୁଣ୍ଡ ଟେକି ସମାନ୍ତରାଳ ଭାବେ ଶତାଧିକ ପେସା ଗ୍ରାମସଭା ଗଠିତ ହୋଇଛି। କିଛି ସ୍ଥାନରେ ଏହି ଗ୍ରାମସଭାଗୁଡ଼ିକ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛନ୍ତି।
ଏହା ସମସ୍ତେ ଜାଣନ୍ତି ଯେ ରାଜ୍ୟର ଶାସନ ଓ ପ୍ରଶାସନ ଉପରେ ଖଣି ଓ ଶିଳ୍ପ ‘ଲବି’ର ଅତ୍ୟଧିକ ପ୍ରଭାବ ରହିଛି। ଓଡ଼ିଶା ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଓ ଉଭୟ ରାଜସ୍ୱ ବୃଦ୍ଧି ଓ ଶିଳ୍ପ ଅଭିବୃଦ୍ଧିରେ ଏଠାକାର ଖଣିଜ ସମ୍ପଦର ଏକ ବଡ଼ ଭୂମିକା ରହିଛି। ରାଜ୍ୟକୁ ବାର୍ଷିକ ପ୍ରାୟ ୫୦ ହଜାର କୋଟି ଟଙ୍କାର ରାଜସ୍ୱ ଖଣିଜ ପଦାର୍ଥରୁ ମିଳୁଛି। ରାଜସ୍ୱ ବୃଦ୍ଧି ଲକ୍ଷ୍ୟରେ ରାଜ୍ୟ ସରକାର ସବୁବେଳେ ମାଇନିଂ କ୍ଷେତ୍ରରେ ବଡ଼ ଧରଣର ପୁଞ୍ଜି ବିନିଯୋଗ ଚାହାନ୍ତି, ଯେଉଁଥିପାଇଁ ବଡ଼ ବଡ଼ ପୁଞ୍ଜିପତିଙ୍କ ଉପରେ ନିର୍ଭର କରିବା ଅନିବାର୍ଯ୍ୟ ହୋଇପଡ଼େ। ଏତଦଭିନ୍ନ ଖଣିମାଲିକ ଓ ଶିଳ୍ପପତିମାନଙ୍କଠାରୁ ବିଭିନ୍ନ ରାଜନୈତିକ ଦଳକୁ ମୋଟା ଅଙ୍କର ଚାନ୍ଦା ମିଳୁଥିବାରୁ ସେମାନଙ୍କ ପ୍ରତି ସରକାରୀ ଭାବେ ନରମ ଆଭିମୁଖ୍ୟ ରହିବା ସ୍ୱାଭାବିକ। ଆଦିବାସୀଙ୍କ ଅଧିକାରର ସୁରକ୍ଷା ଓ ପରିବେଶ ଆଇନର ଅନୁପାଳନ ଉପରେ ‘ପେସା’ ଆଇନ ଗୁରୁତ୍ୱ ଦେଉଥିବାରୁ ଏବଂ ରାଜ୍ୟରେ ଅଧିକାଂଶ ଖଣି ତଫସିଲଭୁକ୍ତ ଅଞ୍ଚଳରେ ଥିବାରୁ ପ୍ରସ୍ତାବିତ ବଡ଼ ଧରଣର ଖନନ କାର୍ଯ୍ୟ ଉପରୋକ୍ତ ଆଇନ ଲାଗୁହେଲେ ପ୍ରଭାବିତ ହେବ। ଯେ ପର୍ୟ୍ୟନ୍ତ ପେସା ଆଇନ ଲାଗୁ ନ ହୋଇଛି ମାଇନିଂ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ଲାଗି ଗ୍ରାମସଭାର କ୍ଷମତାକୁ ଅଣଦେଖା କରାଯାଉଛି ବା ଗୁରୁତ୍ୱ ଦିଆଯାଉନାହିଁ, ଯଦ୍ଦ୍ୱାରା ବେଆଇନ ଭାବେ ଖଣି ଖନନ ମଧ୍ୟ ହେଉଛି।
ଓଡ଼ିଶାର ଆଦିବାସୀ ବହୁଳ କ୍ଷେତ୍ରରେ ଖଣି ଖନନ ହେତୁ ହେଉଥିବା ବିସ୍ଥାପନ ଏକ ମୁଖ୍ୟ ସମସ୍ୟା। ବିଭିନ୍ନ ସମୟରେ ଆଦିବାସୀ ସମାଜ ଆନ୍ଦୋଳନ ମାଧ୍ୟମରେ ଏହାର ବିରୋଧ କରିଆସିଛନ୍ତି। ତେବେ ଏସବୁ ଆନ୍ଦୋଳନର ନେତୃତ୍ୱ ନେଉଥିବା ଆଦିବାସୀ ନେତା ଓ ସଙ୍ଗଠନଗୁଡ଼ିକଙ୍କ ନିକଟରେ ସମ୍ୱଳ ତଥା ସାଙ୍ଗଠନିକ ଦକ୍ଷତାର ଅଭାବ ଥିବାରୁ ସେମାନେ ଶକ୍ତିଶାଳୀ ଖଣି ଓ ଶିଳ୍ପ ‘ଲବି’ର ଉଚିତ ମୁକାବିଲା କରିପାରୁ ନାହାନ୍ତି। ତେଣୁ ଏହିଭଳି ଆନ୍ଦୋଳନଗୁଡ଼ିକୁ ବାହାରର ବ୍ୟକ୍ତିବିଶେଷ ଓ ଅନୁଷ୍ଠାନଗୁଡ଼ିକ ନିକଟରୁ ସମର୍ଥନ ଓ ସହଯୋଗ ନେବା ଅପରିହାର୍ୟ୍ୟ ହୋଇପଡ଼େ। ଏପରି ସ୍ଥଳେ ସେମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଥିବା ବ୍ୟକ୍ତି ବିଶେଷଙ୍କୁ ସୁବ୍ୟବସ୍ଥିତ ଭାବେ ଚକ୍ରାନ୍ତର ଶିକାର ହେବାକୁ ପଡ଼ୁଛି। ତେବେ ଆଦିବାସୀମାନେ ସଙ୍ଗଠିତ ହେଲେ ଆନ୍ଦୋଳନ କେତେ ପ୍ରଭାବଶାଳୀ ଓ ଫଳପ୍ରଦ ହୋଇପାରେ, ତା’ର ନମୁନା ନିୟମଗିରି ଆନ୍ଦୋଳନରୁ ମିଳିସାରିଛି।
ଓଡ଼ିଶାରେ ‘ପେସା’ ଆଇନ ଉଚିତ ଢଙ୍ଗରେ କାର୍ଯ୍ୟ କଲେ ଏଠାକାର ଆଦିବାସୀମାନଙ୍କର ସ୍ୱାର୍ଥରକ୍ଷା ସହିତ ସେମାନଙ୍କ ନିରନ୍ତର ବିକାଶର ପଥ ସୁଗମ ହେବ। ଏହାଦ୍ୱାରା ତଫସିଲ ଅଞ୍ଚଳର ଗ୍ରାମସଭା ଓ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକ ସଶକ୍ତ ହୋଇ ସେମାନଙ୍କ ଜମି, ଜଳ. ଜଙ୍ଗଲ ତଥା ଅନ୍ୟାନ୍ୟ ସମ୍ୱଳ ସମ୍ପର୍କରେ ଶେଷ ନିଷ୍ପତ୍ତି ନେବାକୁ ସକ୍ଷମ ହେବେ। ତା’ ସହିତ ପାରମ୍ପରିକ ରୀତି ଓ ପ୍ରଥା ଅନୁଯାୟୀ ନିୟମ ତିଆରି କରିପାରିବେ, ଯାହା ଫଳରେ ସମ୍ୱଳର ନ୍ୟାୟସଙ୍ଗତ ବଣ୍ଟନ ସୁନିଶ୍ଚିତ ହେବ ଓ ସ୍ଥାନୀୟ ଅଧିବାସୀମାନେ ଉପକୃତ ହେବେ। ଆଦିବାସୀଙ୍କ ଜମି ଅଣ-ଆଦିବାସୀଙ୍କ ହାତକୁ ଚାଲିଯିବାକୁ ଗ୍ରାମସଭା ପ୍ରତିହତ କରିପାରିବେ, ଏପରିକି ଅବୈଧ ଭାବେ ଚାଲିଯାଇଥିବା ଜମିକୁ ଫେରାଇ ଆଣିପାରିବେ। ଲଘୁ ବନଜାତ ଦ୍ରବ୍ୟର ମାଲିକାନା, ସହିତ ସମ୍ପୃକ୍ତ ଅଞ୍ଚଳରେ ମାଇନିଂ ପାଇଁ ଲାଇସେନ୍ସ ପ୍ରଦାନଠାରୁ ଆରମ୍ଭ କରି ଖନନ ପର୍ୟ୍ୟନ୍ତ ବିଭିନ୍ନ ମାଇନିଂ ଗତିବିଧିକୁ ନିୟନ୍ତ୍ରଣ କରିପାରିବେ। ଏହାଦ୍ୱାରା ଆଦିବାସୀ ବିସ୍ଥାପନ ବନ୍ଦ ହେବା ସହ ସେମାନଙ୍କ ପାରମ୍ପରିକ ଜୀବିକା ସୁରକ୍ଷିତ ରହିପାରିବ। ଏହି ଆଇନ ଲାଗୁ ହେଲେ ସବୁ ବିକାଶମୂଳକ ଯୋଜନା ଗ୍ରାମସଭା ସ୍ତରରେ ଅନୁମୋଦନ ଲାଭ କରିବାକୁ ବାଧ୍ୟ ହେବେ। ସ୍ଥାନୀୟ ଲୋକଙ୍କ ଆବଶ୍ୟକତା ଭିତ୍ତିରେ ଗ୍ରାମସଭାରେ ପ୍ରକଳ୍ପଗୁଡ଼ିକ ପ୍ରାଧାନ୍ୟ ପାଇବେ। ସମ୍ୱଳର ନିୟନ୍ତ୍ରଣ ଓ ପାଣ୍ଠି ପରିଚାଳନା ମଧ୍ୟ ସେମାନଙ୍କ ଦ୍ୱାରା ହେବ। ଫଳରେ ପ୍ରକୃତ ଅର୍ଥରେ ଯୋଜନାର ବିକେନ୍ଦ୍ରୀକରଣ ହୋଇପାରିବ।
ବର୍ତ୍ତମାନ ଆଦିବାସୀମାନେ ମହାଜନ, ଖଣି ଉତ୍ତୋଳନକାରୀ ଓ ପ୍ରଭାବଶାଳୀ ଲାଭଖୋରମାନଙ୍କ ଶୋଷଣର ଶିକାର ହେଉଛନ୍ତି। ଖଣି ଓ ଅନ୍ୟାନ୍ୟ ପ୍ରକଳ୍ପର ଅନୁମୋଦନ ଗ୍ରାମସଭା ହାତରେ ରହିଲେ ଅଫିସର ଓ ଅନ୍ୟମାନେ ଗ୍ରାମସଭା ନିକଟରେ ଉତ୍ତରଦାୟୀ ରହିବେ ଓ ଶୋଷଣ ହ୍ରାସ ପାଇବ। ପ୍ରତିଟି ଆଦିବାସୀ ସମ୍ପ୍ରଦାୟର ନିଜସ୍ୱ ଜୀବନଧାରଣ ଶୈଳୀ ଓ ସାଂସ୍କୃତିକ ପରିଚୟ ରହିଛି ଯାହା ଅନେକ ସମୟରେ ବାହାରୁ ତିଆରି ହୋଇ ଆସୁଥିବା ବିକାଶ ଖସଡ଼ାରେ ବଳି ପଡ଼ିଯାଏ। ‘ପେସା’ ଆଇନ କାଗୁ ହେବା ପରେ ସେହି ଆଶଙ୍କାଟି ମଧ୍ୟ ଦୂର ହୋଇପାରିବ। ସମ୍ୱଳର ନିୟନ୍ତ୍ରଣ ଓ ପରିଚାଳନାରେ ଆଦିବାସୀ ଗୋଷ୍ଠୀ ମୁଖ୍ୟ ଭୂମିକା ନିର୍ବାହ କଲେ ସେମାନଙ୍କ ପାରମ୍ପରିକ ଜୀବିକା ସୁରକ୍ଷିତ ରହିବା ସହ ଦାରିଦ୍ର୍ୟ ହ୍ରାସପାଇବ। ନିଜ ଲାଗି ନିଜେ ନିଷ୍ପତ୍ତି ନେବାର ବିରଳ ଅଧିକାରଟି ସେମାନଙ୍କୁ ପ୍ରାପ୍ତ ହେବ।
ବର୍ତ୍ତମାନର ବିକାଶ ମଡେଲ ଅନୁସାରେ ପୁଞ୍ଜି ଯାହାର, କ୍ଷମତା ତା’ ହାତରେ। ଏହା ଦ୍ୱାରା ଜନ-କୈନ୍ଦ୍ରିକ ବିକାଶ ମଡେଲ ଗୁରୁତ୍ୱ ହରାଉଛି। ‘ପେସା’ ଆଇନ କାର୍ୟ୍ୟକାରୀ ହେବା ଓଡ଼ିଶାର ଆଦିବାସୀ ସମାଜର ସାମୂହିକ ହିତରେ। ଆମ ଭଳି ଏକ ଆଦିବାସୀ ବହୁଳ ରାଜ୍ୟରେ ଦଳ ମତ ନିର୍ବିଶେଷରେ ଏହାକୁ କାର୍ଯ୍ୟକାରୀ କରିବାର ଦୃଢ଼ ମନସ୍କତା ପ୍ରକାଶିତ ହେବା ଉଚିତ। ଆଦିବାସୀ ସମାଜ ସେହି ସୁଦିନକୁ ଅପେକ୍ଷା କରି ରହିଛନ୍ତି, ଜଣା ନାହିଁ ତା’ର ଅନ୍ତ କେବେ ହେବ?
Published in Sambad on July16, 2025
Comments
Post a Comment