“କଫ ଔଷଧ ନାଁରେ ବିଷ ପିଆଇ ମୁଁ ମୋ ନିଜ ହାତରେ ମୋ ପୁଅକୁ ମାରିଦେଇଛି।“ ଏହା ଥିଲା ମଧ୍ୟପ୍ରଦେଶର ଛିନ୍ଦୱାଡାରେ ନିଜ ୪ ବର୍ଷର ଶିଶୁ ପୁତ୍ରକୁ ଚିର ଦିନ ଲାଗି ହରାଇଥିବା ଜଣେ ମାଆର କରୁଣ ବିଳାପ। ପୁଅକୁ ଜ୍ୱର ଓ କାଶ ଛାଡ଼ୁ ନଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ କଫ ଔଷଧ ଦିଆଯାଇଥିଲା। ସେହି ଔଷଧ ହିଁ ବିଷାକ୍ତ ଥିଲା। ତେଣୁ ବୃକକ୍ ଏଚଳ ହୋଇ ପରିସ୍ରା ବନ୍ଦ ହୋଇଯିବାରୁ ଶିଶୁଟିର ପ୍ରାଣବାୟୁ ଉଡ଼ିଯାଇଥିଲା। କେବଳ ଏହି ଗୋଟିଏ ଶିଶୁ ନୁହେଁ, ସେପ୍ଟେମ୍ୱର ମାସରେ ‘କୋଲଡରିଫ୍’ ନାମକ କଫ ଔଷଧ ସେବନ କରି ମଧ୍ୟପ୍ରଦେଶ ଓ ରାଜସ୍ଥାନର ୨୪ ଜଣ ଶିଶୁଙ୍କ ପ୍ରାଣହାନି ଘଟିଛି। ତେବେ ଏଭଳି ବିମର୍ଷକର ଘଟଣା ପରେ ଦେଶର ଔଷଧର ଗୁଣବତ୍ତା ନିରୀକ୍ଷଣ ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନ ଉଠିଛି।
ଭାରତୀୟ କମ୍ପାନୀଙ୍କ ଦ୍ୱାରା ପ୍ରସ୍ତୁତ କଫ ଔଷଧ ସେବନରୁ ଶିଶୁଙ୍କ ମୃତ୍ୟୁ ଘଟିବାର ଏହା ପ୍ରଥମ ଉଦାହରଣ ନୁହେଁ। ଏଥିପୂର୍ବରୁ ୨୦୧୯ ମସିହାରେ କଫ ଔଷଧ ସେବନ କରି ଜମ୍ମୁର ୧୨ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିଲା। ୨୦୨୨ ମସିହା ଜୁଲାଇରୁ ସେପ୍ଟେମ୍ୱର ମଧ୍ୟରେ ଆଫ୍ରିକାର ଗାମ୍ୱିୟାରେ ଭାରତୀୟ କମ୍ପାନୀ ପ୍ରସ୍ତୁତ କଫ୍ ସିରପ୍ ସେବନ କରି ୭୦ ଜଣ ଶିଶୁ ମୃତ୍ୟୁ ମୁଖରେ ପଡ଼ିଥିଲେ। ଏଥିରେ ମାତ୍ରାଧିକ ଡାଇ-ଇଥାଇଲ୍ ଗ୍ଲାଇକୋଲ (ଡିଇଜି) ଓ ଇଥାଇଲ୍ ଗ୍ଲାଇକୋଲ୍ (ଇଜି) ଥିବା କଥା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚାଇଥିଲେ। ୨୦୨୩ ମସିହାରେ ଆମେରିକାର ‘ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ୍’ ପ୍ରଦତ୍ତ ରିପୋର୍ଟରେ ଏହି ଦୁର୍ଘଟଣା ପାଇଁ ଉଭୟ ଭାରତ ଓ ଗାମ୍ୱିୟାର ଔଷଧ ନିୟନ୍ତ୍ରକଙ୍କ ଅସାବଧାନତାକୁ ଦାୟୀ କରାଯାଇଥିଲା। ଗାମ୍ୱିୟାର ପୀଡ଼ିତ ପରିବାରମାନେ ଭାରତୀୟ କମ୍ପାନୀଠାରୁ କ୍ଷଚିପୂରଣ ଦାବି କରି ସେଠାକାର ଅଦାଲତର ଆଶ୍ରୟ ନେଇଥିଲେ। ସେହିପରି ଭାରତୀୟ କମ୍ପାନୀ ‘ମେରିଅନ ବାଇଓଟେକ’ ଦ୍ୱାରା ପ୍ରସ୍ତୁତ କଫ୍ ସିରପ୍ ସେବନ କରି ୨୦୨୨ ଓ ୨୦୨୩ ମସିହାରେ ଉଜବେକିସ୍ତାନର ୬୮ ଜଣ ଶିଶୁ ପ୍ରାଣ ହରାଇଥିଲେ। ମାମଲାର ବିଚାର କରି ସେଠାକାର ସୁପ୍ରିମକୋର୍ଟ ୨୩ ଜଣଙ୍କୁ ଦଣ୍ଡିତ କରିବା ସହ ପ୍ରତି ପୀଡ଼ିତ ପରିବାରଙ୍କୁ ୮୦ ହଜାର ଡଲାର ଲେଖାଏଁ କ୍ଷତିପୂରଣ ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଜଣେ ଭାରତୀୟଙ୍କୁ ଏଥିପାଇଁ ୨୦ ବର୍ଷର ଜେଲ ଦଣ୍ଡ ଦିଆଯାଇଛି। ଏଭଳି ସ୍ଥିତିରେ ଭାରତରେ ଔଷଧ ନିୟନ୍ତ୍ରଣ ବ୍ୟବସ୍ଥାର ଦୁର୍ବଳତା ସ୍ପଷ୍ଟ ହେଉଛି।
କଫ୍ ସିରପରେ ଉଚ୍ଚ ମାନର ଡାଇ-ଇଥାଇଲ୍ ଗ୍ଲାଇକୋଲ (ଡିଇଜି) ଓ ଇଥାଇଲ୍ ଗ୍ଲାଇକୋଲ୍ (ଇଜି) ବ୍ୟବହାର ହେବା କଥା। କିନ୍ତୁ ଲୋଭର ବଶବର୍ତ୍ତୀ ହୋଇ କିଛି ଛୋଟ ଛୋଟ ଉତ୍ପାଦନକାରୀ ଶିଳ୍ପ କ୍ଷେତ୍ରରେ ବ୍ୟବହାର ହେଉଥିବା ନିମ୍ନ ମାନର ଡିଇଜି ଓ ଇଜି ବ୍ୟବହାର କରିଥା’ନ୍ତି। ଏହା ମାନବ ଶରୀର ପାଇଁ କ୍ଷତିକାରକ ଓ ଶିଶୁମାନଙ୍କ ଲାଗି ପ୍ରାଣଘାତକ ହୋଇଥାଏ। ଉଲ୍ଲେଖଯୋଗ୍ୟ ଯେ ୨୦୨୪ ମସିହାରେ କଫ୍ ସିରପର ବଜାର ଆକାର ପ୍ରାୟ ୨୬ କୋଟି ଡଲାର ଥିଲା ଯାହା ୨୦୩୫ ସୁଦ୍ଧା ପ୍ରାୟ ତିନି ଗୁଣ ବଢ଼ି ୭୪ କୋଟି ଡଲାର ଛୁଇଁବ ବୋଲି ଅନୁମାନ କରାଯାଉଛି। ପୁନଶ୍ଚ, ଏଣିକି କଫ୍ ସିରପ୍ ନିଶା ଦ୍ରବ୍ୟ ଭାବେ ବ୍ୟବହାର ହେଉଥିବାରୁ ତା’ର ଚାହିଦା ବଢ଼ିଚାଲିଛି, ଯେଉଁଥିପାଇଁ ଅନେକ ଛୋଟ ଛୋଟ କମ୍ପାନୀ ଏହା ପ୍ରସ୍ତୁତ କରିବାକୁ ଆଗେଇ ଆସୁଛନ୍ତି। କେତେକ କ୍ଷେତ୍ରରେ ଏହି ଧରଣର ଔଷଧ ପ୍ରସ୍ତୁତି ବେଳେ ଗୁଣବତ୍ତା ସୁନିଶ୍ଚିତ କରିବା ଲାଗି ଯେଉଁ ନିୟମମାନ ପାଳନ କରାଯିବା ଉଚିତ, ତାକୁ ଅଣଦେଖା କରାଯାଇ ଅସ୍ୱାସ୍ଥ୍ୟକର ପରିବେଶରେ ଏଭଳି ଔଷଧ ପ୍ରସ୍ତୁତ କରାଯାଉଛି। ‘କୋଲଡରିଫ୍’ କଫ୍ ସିରପର ପ୍ରସ୍ତୁତକର୍ତ୍ତା ୩୬୪ଟି ନିୟମ ଉଲ୍ଲଂଘନ କରିଥିଲେ ବୋଲି ତାମିଲନାଡୁର ଔଷଧ ନିୟନ୍ତ୍ରକଙ୍କ ରିପୋର୍ଟରୁ ଜଣାପଡ଼ିଛି। କର୍ମଚାରୀଙ୍କ ଦକ୍ଷତାର ଅଭାବ, ନିମ୍ନମାନର ଜଳ ଓ ଉପକରଣ ବ୍ୟବହାର, କୀଟପତଙ୍ଗ ନିୟନ୍ତ୍ରଣ ଲାଗି ଉପଯୁକ୍ତ ବ୍ୟବସ୍ଥାର ଅଭାବ, ପ୍ରସ୍ତୁତ ଉତ୍ପାଦକୁ ଅତି ଅସ୍ୱାସ୍ଥ୍ୟକର ପରିବେଶରେ ରଖାଯିବା, ବର୍ଜ୍ୟବସ୍ତୁର ପ୍ରକ୍ରିୟାକରଣ ନ କରିବା ଭଳି ଅନେକ ନିୟମ ଉଲ୍ଲଂଘନ ଔଷଧ ସଂକ୍ରମଣର କାରଣ ବୋଲି ଜଣାପଡ଼ିଛି। ତେବେ କେବଳ ‘ଶ୍ରେସାନ ଫାର୍ମାସିଉଟିକାଲସ୍’ ନୁହେଁ, ଅନେକ ଛୋଟ ଛୋଟ ଔଷଧ ପ୍ରସ୍ତୁତକାରୀ ଏହି ଭଳି ନିୟମ ଉଲ୍ଲଂଘନ କରୁଛନ୍ତି, ଯାହା ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ଲାଗି ଅହିତକର।
ଶିଶୁମାନଙ୍କୁ କାଶ ହେବାର ଏକ ବଡ଼ କାରଣ ହେଉଛି ବାୟୁ ପ୍ରଦୂଷଣ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନିର୍ଦ୍ଦେଶିକା ଅନୁଯାୟୀ କେତେକ ସତର୍କତା ଅବଲମ୍ୱନ କଲେ ଏହା ପ୍ରାକୃତିକ ଭାବେ କିଛି ଦିନ ଭିତରେ ପ୍ରଶମିତ ହୋଇଥାଏ ଏବଂ ସେଥିଲାଗି କଫ୍ ସିରପ୍ ସେବନ କରିବା ଦରକାର ପଡ଼ି ନଥାଏ। ଜଣାପଡ଼ିଛି ଯେ ପାଞ୍ଚ ବର୍ଷରୁ କମ୍ ବୟସର ଶିଶୁମାନେ ଅପମିଶ୍ରିତ କଫ୍ ସିରପ୍ ସେବନ କଲା ପରେ ପ୍ରଥମେ ସେମାନଙ୍କୁ ଜ୍ୱର ଓ ବାନ୍ତି ହୋଇଥାଏ। ତା’ପରେ ପରିସ୍ରାରେ ଅସୁବିଧା ହୁଏ। ଅଳ୍ପ ସମୟ ଭିତରେ ସେମାନଙ୍କ ଦୁଇଟି ଯାକ ବୃକକ୍ ବା କିଡନି ନଷ୍ଟ ହୋଇଯାଏ, ଯାହା ସେମାନଙ୍କ ମୃତ୍ୟୁର କାରଣ ହୋଇଥାଏ। ଛୋଟ ପିଲାଙ୍କୁ କାଶ ହେଲେ ଡାକ୍ତରଙ୍କ ପରାମର୍ଶ ନ ନେଇ ଅନେକେ ନିଜେ ନିଜେ ଚିକିତ୍ସା ଆରମ୍ଭ କରି ପିଲାଙ୍କୁ କଫ୍ ସିରପ୍ ପିଆଇ ଦିଅନ୍ତି, ଯାହା ସର୍ବଥା ବର୍ଜନୀୟ। ଇତିମଧ୍ୟରେ ଅନେକ ରାଜ୍ୟ ସଂକ୍ରମିତ କଫ ସିରପର ବ୍ୟବହାର ଉପରେ ପ୍ରତିବନ୍ଧ ଲଗାଇଛନ୍ତି। ଓଡ଼ିଶା ସରକାର ମଧ୍ୟ ଶିଶୁମାନଙ୍କୁ କଫ୍ ସିରପ ଦେବା ନେଇ ନିର୍ଦ୍ଦେଶିକା ଜାରି କରିଛନ୍ତି। ତଦନୁଯାୟୀ ଦୁଇ ବର୍ଷରୁ କମ୍ ବୟସର ଶିଶୁଙ୍କୁ କଫ୍ ସିରପ୍ ଦିଆଯିବା ସମ୍ପୂର୍ଣ୍ଣ ନିଷେଧ। ୨ରୁ ୫ ବର୍ଷ ପିଲାଙ୍କୁ ମଧ୍ୟ ସାଧରଣତଃ ଏହା ଦିଆଯିବା ଉଚିତ ନୁହେଁ। ତେବେ ଅନିବାର୍ଯ୍ୟ ହେଲେ ଯଥେଷ୍ଟ ସତର୍କତା ଅବଲମ୍ୱନ କରି ଉଚିତ ମାତ୍ରାରେ ଦିଆଯିବା ଆବଶ୍ୟକ। ପାଞ୍ଚ ବର୍ଷରୁ ଅଧିକ ବୟସର ପିଲାଙ୍କୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଏହା ଅଳ୍ପ ମାତ୍ରାରେ ଓ ଅଳ୍ପ ଅବଧି ପାଇଁ ଦିଆଯାଇପାରେ।
କେବଳ କଫ୍ ସିରପ୍ ନୁହେଁ, ଅଧିକ ଚାହିଦା ଥିବା ଅନେକ ଔଷଧର ନକଲି ବା ନିମ୍ନମାନର ଔଷଧ ବଜାରରେ ସୁଲଭ୍ୟ। ଏ ସବୁର ପ୍ରଚଳନକୁ ରୋକିବାର ଦାୟିତ୍ୱ ଔଷଧ ନିୟନ୍ତ୍ରକଙ୍କ ଉପରେ ନ୍ୟସ୍ତ। ତେବେ ଦୁର୍ବଳ ନିରୀକ୍ଷଣ ବ୍ୟବସ୍ଥା ଯୋଗୁଁ ଭାରତରେ ନକଲି ଓ ନିମ୍ନମାନର ଔଷଧ ପ୍ରସ୍ତୁତି ଓ ବିକ୍ରି ଉପରେ ଅଙ୍କୁଶ ଲାଗିପାରୁନାହିଁ। ନୂଆ ଔଷଧର ନିରୀକ୍ଷଣ, ଆମଦାନୀ, ଜାତୀୟ ମାନ ନିର୍ଦ୍ଧାରଣ କରିବା ଦାୟିତ୍ୱ ‘କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ’ (ସିଡିଏସସିଓ) ଉପରେ ନ୍ୟସ୍ତ। ତେବେ ଇଣ୍ଡିଆନ୍ ଡ୍ରଗ୍ ଆଣ୍ଡ କସମେଟିକ୍ସ ଆଇନ, ୧୯୪୦ ଅନୁଯାୟୀ ଅଧିକାଂଶ ଔଷଧର ପ୍ରସ୍ତୁତି, ବିକ୍ରି ଓ ବିତରଣର ନିୟନ୍ତ୍ରଣ ଲାଗି ନିୟମ ପ୍ରଣୟନର ଦାୟିତ୍ୱ ରାଜ୍ୟ ଔଷଧ ନିୟନ୍ତ୍ରକଙ୍କ ଉପରେ ନ୍ୟସ୍ତ। ଲାଇସେନ୍ସ ପ୍ରଦାନ, ନମୁନା ସଂଗ୍ରହ ଓ ବିକ୍ରି ଉପରେ ନିରୀକ୍ଷଣ ରଖିବା ଦାୟିତ୍ୱ ମଧ୍ୟ ରାଜ୍ୟ ନିୟନ୍ତ୍ରକଙ୍କର। ଔଷଧ ନିଯନ୍ତ୍ରଣ କ୍ଷେତ୍ରରେ ଏହି ଦ୍ୱୈତ ନିୟନ୍ତ୍ରଣ ବ୍ୟବସ୍ଥା ଓ ଉଭୟଙ୍କ ମଧ୍ୟରେ ଉଚିତ ସମନ୍ୱୟର ଅଭାବ ଯୋଗୁଁ ଉତ୍ତରଦାୟିତ୍ୱ ନିର୍ଦ୍ଧାରିତ ହୋଇପାରୁନାହିଁ। ଏହା ଅସାଧୁ ବ୍ୟବସାୟୀଙ୍କ ଲାଗି ସୁଯୋଗ ସୃଷ୍ଟି କରୁଛି। ଅନେକ କ୍ଷେତ୍ରରେ ରାଜ୍ୟ ନିୟନ୍ତ୍ରକଙ୍କ ନିକଟରେ ଆବଶ୍ୟକ ମାନବ ସମ୍ୱଳ, ଉଚ୍ଚମାନର ଉପକରଣ ଓ ଯନ୍ତ୍ରପାତିର ଅଭାବ ଥିବାରୁ ସଂଗୃହୀତ ନମୁନାର ଠିକ୍ ସମୟରେ ପରୀକ୍ଷା କରାଯାଇପାରୁନାହିଁ।
ଓଡ଼ିଶାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନସ୍ଥ ଡ୍ରଗ୍ସ କଣ୍ଟ୍ରୋଲ ନିର୍ଦ୍ଦେଶାଳୟ ଦ୍ୱାରା ଔଷଧର ଗୁଣବତ୍ତା ନିରୀକ୍ଷଣ କରାଯାଇଥାଏ। ଏହା ଅଧୀନରେ ଏକ ପ୍ରାଶାସନିକ ଶାଖା କାର୍ଯ୍ୟ କରୁଥିବା ବେଳେ ଔଷଧର ଗୁଣବତ୍ତା ପରୀକ୍ଷା କରିବା ଲାଗି ଭୁବନେଶ୍ୱରଠାରେ ଏକ ପରୀକ୍ଷାଗାର ରହିଛି। ପ୍ରାଶାସାନିକ ଶାଖାରେ କାର୍ଯ୍ୟରତ ୯୭ ଜଣଙ୍କ ମଧ୍ୟରୁ ୬୬ ଜଣ ହେଉଛନ୍ତି ଡ୍ରଗ ଇନ୍ସପେକ୍ଟର। ଉଲ୍ଲେଖଯୋଗ୍ୟ ଯେ ଏମାନଙ୍କ ମଧ୍ୟରୁ ୪୬ ଜଣଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଗତ ଜୁନ ମାସ ନିଯୁକ୍ତି ପ୍ରଦାନ କରାଯାଇଛି। ଅର୍ଥାତ୍ ଦୀର୍ଘ ଦିନ ଧରି ବିଭାଗରେ ଏତେ ସଂଖ୍ୟକ ପଦ ଖାଲି ପଡ଼ି ରହିଥିବାରୁ ନିରୀକ୍ଷଣ କାର୍ୟ୍ୟ ଭଲ ଭାବେ ହୋଇ ପାରୁ ନଥିବା ନିଶ୍ଚିତ। ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳଗୁଡ଼ିକରେ ନକଲି ଔଷଧର ବ୍ୟାପକ କାରବାର ହେଉଥିବାର ଅଭିଯୋଗ ହୁଏ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ହାଟମାନଙ୍କରେ ଏହି ଧରଣର ଔଷଧ ବିକ୍ରି ଏକ ସାଧାରଣ ଘଟଣା। ୨୦୧୦ ମସିହାରେ ପ୍ରସ୍ତୁତ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ନୀତି ସଂକ୍ରାନ୍ତୀୟ ଭିଜନ୍ ଡକୁମେଣ୍ଟ ଅନୁଯାୟୀ ରାଜ୍ୟରେ ବିକ୍ରି ହେଉଥିବା ୨୦ ପ୍ରତିଶତ ଔଷଧ ନକଲି ବା ନିମ୍ନ ମାନର। କେବଳ ଗତ ୩ ବର୍ଷ (୨୦୨୨ରୁ ୨୦୨୫) ମଧ୍ୟରେ ଏହିଭଳି ୧୦୩ଟି ନକଲି ଔଷଧ ବିକ୍ରି ଘଟଣା ଧରାପଡ଼ିଛି। ନକଲି ଔଷଧ ଶସ୍ତାରେ ମିଳୁଥିବାରୁ ଲୋକେ ତାହା କିଣନ୍ତି ଓ ସ୍ଥଳ ବିଶେଷରେ ବିପଦ ବରଣ କରନ୍ତି। କେବଳ ସେତିକି ନୁହେଁ, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ହିମାଚଳ ପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗରେ ତିଆରି ହେଉଥିବା ନକଲି ଔଷଧ ଓଡ଼ିଶା ଦେଇ ଅନ୍ୟ ରାଜ୍ୟକୁ ଚାଲାଣ ହେଉଥିବାର କେତେକ ଘଟଣା ଧରାପଡ଼ିଲାଣି। ତେଣୁ ନିରୀକ୍ଷଣ ବ୍ୟବସ୍ଥା କଡ଼ାକଡ଼ି ନହେଲେ ନକଲି ଔଷଧର ବଜାର ତା’ କାୟାବିସ୍ତାର କରିଚାଲିବ। ଏବେ ଆଶା କରିବା ଯେ ଏତେ ସଂଖ୍ୟକ ଡ୍ରଗ ଇନ୍ସପେକ୍ଟରଙ୍କ ନିଯୁକ୍ତି ପରେ ନିରୀକ୍ଷଣ କାର୍ୟ୍ୟ ଅଧିକ ବ୍ୟବସ୍ଥିତ ହେବ। ଏଥି ସହିତ ନକଲି ଔଷଧ ସମ୍ପର୍କରେ ଜନସଚେତନତା ବୃଦ୍ଧି ପାଇଁ ପ୍ରୟାସର ମଧ୍ୟ ଆବଶ୍ୟକତା ରହିଛି।
ଡ୍ରଗ୍ସ କଣ୍ଟ୍ରୋଲ ନିର୍ଦ୍ଦେଶାଳୟ ଅଧୀନରେ ଭୁବନେଶ୍ୱରଠାରେ ଥିବା ‘ରାଜ୍ୟ ଔଷଧ ପରୀକ୍ଷଣ ଓ ଗବେଷଣା ପରୀକ୍ଷାଗାର’ (ଏସଡିଟିଆରଏଲ)ରେ କାର୍ୟ୍ୟରତ ୪୩ ଜଣଙ୍କ ମଧ୍ୟରେ ୧୬ ଜଣ ବୈଜ୍ଞାନିକ ଥିବାବେଳେ ୨୭ ଜଣ ପରୀକ୍ଷାଗାର ସହାୟକ ଅଛନ୍ତି। ଏମାନଙ୍କ ପକ୍ଷରେ ଆବଶ୍ୟକ ସଂଖ୍ୟକ ନମୁନା ପରୀକ୍ଷା କରି ଠିକ୍ ସମୟରେ ଫଳାଫଳ ଜଣାଇବା ଏକ ବଡ଼ ଆହ୍ୱାନ। ଏଥି ସହିତ ଏହି ପରୀକ୍ଷାଗାରରେ ଉନ୍ନତ ଉପକରଣର ଅଭାବ ମଧ୍ୟ ରହିଛି। ତେଣୁ ଏଭଳି ସମସ୍ୟାର ସମାଧାନ ଲାଗି ଉଚିତ ପଦକ୍ଷେପ ନିଆଯିବା ଆବଶ୍ୟକ।
ପ୍ରକାଶ ଥାଉ କି ଭାରତରେ ପ୍ରସ୍ତୁତ ନିମ୍ନ ମାନର କଫ୍ ସିରପକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଗଭୀର ଉଦବେଗ ପ୍ରକାଶ ପାଇଛି। ଭାରତରୁ ବିପୁଳ ପରିମାଣରେ ଔଷଧ ରପ୍ତାନୀ ହେଉଥିବାରୁ ଏହି ଧରଣର ଔଷଧ ଅନିୟନ୍ତ୍ରିତ ଚ୍ୟାନେଲ ଜରିଆରେ ବିଦେଶକୁ ରପ୍ତାନୀ ହେବାର ମଧ୍ୟ ଆଶଙ୍କା ରହିଛି। ଇତିମଧ୍ୟରେ ‘କୋଲ୍ଡରିଫ୍’ ବ୍ୟତୀତ ଆଉ ଦୁଇଟି କମ୍ପାନୀର କଫ୍ ସିରପ୍ ମଧ୍ୟ ସଂକ୍ରମିତ ବୋଲି ଭାରତର ଔଷଧ ନିୟନ୍ତ୍ରକ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଜଣାଇବା ପରେ ସଂଗଠନ ତରଫରୁ ଏହି ତିନିଟି ସଂକ୍ରମିତ କଫ୍ ସିରପ୍ ସମ୍ପର୍କରେ ‘ବୈଶ୍ୱିକ ଭେଷଜ ଉତ୍ପାଦ ସତର୍କତା’ ଜାରି କରାଯାଇଛି, ଯେଉଁଥିରେ ଏହି ଔଷଧ କିଣିଲାବେଳେ ଯଥେଷ୍ଟ ସତର୍କତା ଅବଲମ୍ୱନ କରିବାକୁ ସବୁ ଦେଶର ଔଷଧ ନିୟନ୍ତ୍ରକମାନଙ୍କୁ ସୂଚାଇ ଦିଆଯାଇଛି। ଏହା ଭାରତର ଛବିକୁ ମଳିନ କରୁନାହିଁ କି?
ଅନେକ ନିମ୍ନ ଆୟ ବର୍ଗର ଦେଶଙ୍କୁ ସୁଲଭ ମୂଲ୍ୟରେ ଔଷଧ ଯୋଗାଇ ଭାରତ ସେମାନଙ୍କ ବିଶ୍ୱାସଭାଜନ ହେବା ସହ ଅନ୍ୟତମ ବୃହତ୍ ଔଷଧ ରପ୍ତାନୀକାରି ଦେଶରେ ପରିଣତ ହୋଇସାରିଛି। ଫଳରେ ଭାରତରେ ଔଷଧ ଉତ୍ପାଦନ ମଧ୍ୟ ଆଶାତୀତ ବୃଦ୍ଧି ପାଇଛି। ଏପରି ସ୍ଥଳେ ଭାରତରେ ଔଷଧ ନିୟନ୍ତ୍ରଣ ବ୍ୟବସ୍ଥାକୁ ପାରଦର୍ଶୀ କରି କଡ଼ାକଡ଼ି ଭାବେ ପାଳନ କରାଯିବା ଅତ୍ୟନ୍ତ ଜରୁରି। ତା' ନ ହେଲେ ଭାରତୀୟ ଔଷଧ ଉପରୁ ଆସ୍ଥା ଉଠିଯିବ, ଯାହା ଏଠାକାର ଔଷଧ ଶିଳ୍ପର କ୍ଷତି କରିବା ସହିତ ଭାରତର ଖ୍ୟାତିରେ ଆଞ୍ଚ ଆଣିବ। ନିଜ ଦେଶରେ ରୋଗୀଙ୍କ ସମ୍ମୁଖରେ ଔଷଧରୂପୀ ମୃତ୍ୟୁଦୂତମାନଙ୍କୁ ଦେଖିବାକୁ ମିଳିବ। ମୁଷ୍ଟିମେୟ ଅସାଧୁ ବ୍ୟବସାୟୀଙ୍କ ଅତ୍ୟଧିକ ଲୋଭକୁ ପ୍ରଶ୍ରୟ ଦେବାଲାଗି ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ଓ ଜୀବନ ସହିତ କୌଣସି ମତେ ସାଲିସ୍ କରାଯାଇ ନପାରେ। ତେଣୁ ସାରା ଦେଶରେ ଔଷଧର ଗୁଣବତ୍ତାକୁ ସୁନିଶ୍ଚିତ କରିବା ଲାଗି ନିୟନ୍ତ୍ରଣ ବ୍ୟବସ୍ଥାର ସମୀକ୍ଷା ହେବା ସହ ଦଣ୍ଡ ବିଧାନକୁ ଆର୍ଥିକ ଦଣ୍ତ ମଧ୍ୟରେ ସୀମିତ ନ ରଖି ଅଧିକ ଶକ୍ତ କରାଯିବାର ଆବଶ୍ୟକତା ଅନୁଭୂତ ହେଉଛି।
Published in Sambad on October 22, 2025
Comments
Post a Comment