ଦ୍ୱିତୀୟ ବାର ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ଅଧିଷ୍ଠିତ ହେବା ପରେ ଏପରି କିଛି ପଦକ୍ଷେପ ଗ୍ରହଣ କରିଚାଲିଛନ୍ତି ଯାହା ଭାରତ ଓ ଭାରତୀୟଙ୍କ ସ୍ୱାର୍ଥ ବିରୋଧୀ ହେଉଛି। ଆମେରିକାରେ ରହୁଥିବା ଅବୈଧ ପ୍ରବାସୀ ଭାରତୀୟଙ୍କ ହାତରେ କଡ଼ି ଗୋଡ଼ରେ ବେଡ଼ି ପିନ୍ଧାଇ ଅତି ଅମାନୁଷିକ ଭାବେ ସେମାନଙ୍କୁ ବିତାଡ଼ିତ କରିବାରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଭାରତୀୟ ରପ୍ତାନୀ ସାମଗ୍ରୀ ଉପରେ ସର୍ବାଧିକ ୫୦ ପ୍ରତିଶତ ଟାରିଫ୍ ଆକ୍ରମଣ ସହିତ ପାଦେ ଆଗକୁ ଯାଇଥିଲା । ଇରାନର ଚବାହାର ବନ୍ଦର ଦେଇ କାରବାର ଉପରେ ଆମେରିକା ପୁନଃ କଟକଣା ଲଗାଇଲାଣି ଯଦ୍ଦ୍ୱାରା ଆଫଗାନିସ୍ତାନ ଓ ମଧ୍ୟ ଏସୀୟ ଦେଶଗୁଡ଼ିକ ସହ ଭାରତର ବାଣିଜ୍ୟ ଅତ୍ୟଧିକ ବାଧାପ୍ରାପ୍ତ ହେବ। ତାପରେ ଆସିଛି ନୂଆ ଏଚ୍-ୱ୍ୱାନ ବି ଭିସାର ନିୟମ, ଯହିଁରେ ଏଭଳି ଭିସାର ନୂତନ ଆବେଦନକାରୀଙ୍କ ଲାଗି ଲକ୍ଷେ ଡଲାର ଦେୟ ଦାଖଲ କରିବାକୁ ପଡ଼ିବ। ଫଳରେ ଆମେରିକାରେ ଚାକିରି କରିବାର ଭାରତୀୟଙ୍କ ସ୍ୱପ୍ନକୁ ଏକପ୍ରକାର ଧୂଳିସାତ୍ ହୋଇଛି। ଏହାର ସୁଦୂର ପ୍ରସାରୀ ପ୍ରଭାବ ଭାରତର ଅର୍ଥନୀତି ଉପରେ ପଡ଼ିବାର ଭୟ ମଧ୍ୟ ସୃଷ୍ଟି ହୋଇଛି।
ଜର୍ଜ ବୁଶ୍ ଆମେରିକାର ରାଷ୍ଟ୍ରପତି ଥିବା ବେଳେ ଇମିଗ୍ରେସନ୍ (ବହିରାଗତଙ୍କ ଦେଶ ପ୍ରବେଶ) ଆଇନ, ୧୯୯୦ ଜରିଆରେ ‘ଏଚ-ୱାନ୍ ବି’ ଭିସାର ପ୍ରଚଳନ କରାଯାଇଥିଲା। ଆମେରିକା ଶ୍ରମବଳରେ ବୈଷୟିକ, ଇଞ୍ଜିନିଅରିଂ ଓ ମେଡିକାଲ କ୍ଷେତ୍ରରେ ଥିବା ବିଶେଷ ଦକ୍ଷତାର ଅଭାବକୁ ଦୂର କରିବା ଉଦ୍ଦେଶ୍ୟରେ ଆମେରିକୀୟ କମ୍ପାନୀଗୁଡ଼ିକ ଯେପରି ସାମୟିକ ଭାବେ ବିଦେଶୀ ଶ୍ରମବଳକୁ ନିଯୁକ୍ତ କରିପାରିବେ, ତାହା ହିଁ ଥିଲା ଏହି ଭିସାର ମୁଖ୍ୟ ଉଦ୍ଦେଶ୍ୟ। ଏହାଦ୍ୱାରା ନବସୃଜନ (ଇନୋଭେସନ୍) ସମ୍ଭବ ହେବା ସହ ଅର୍ଥନୈତିକ ବିକାଶ ତ୍ୱରାନ୍ୱିତ ହେଲା । ଦୀର୍ଘ ୩୫ ବର୍ଷ ଧରି ଏହା ସଫଳତାର ସହ କାର୍ୟ୍ୟ କରିଆସୁଛି । ‘ଏଚ-ୱାନ୍ ବି’ ଭିସାଧାରୀଙ୍କୁ ପ୍ରଥମେ ୩ ବର୍ଷ ଲାଗି ଭିସା ପ୍ରଦାନ କରାଯାଇଥାଏ, ଯାହାର ଅବଧି ସର୍ବାଧିକ ୬ ବର୍ଷ ଯାଏଁ ବଢ଼ିପାରେ। ପ୍ରତିବର୍ଷ କେତେ ସଂଖ୍ୟକ ଲୋକଙ୍କୁ ଏହା ଦିଆଯିବ, ତାହା ଆମେରିକୀୟ ସଂସଦ ନିର୍ଦ୍ଧାରଣ କରିଥାଏ। ୨୦୨୫ ଆର୍ଥିକ ବର୍ଷରେ ତାହା ୮୫ ହଜାର ଥିଲା। ଏହି ସଂଖ୍ୟାଠାରୁ ଅଧିକ ଆବେଦନ ଆସିଲେ ଲଟେରି କରି ଭିସା ଦିଆଯାଏ। ଏହି ୮୫୦୦୦ କର୍ମୀଙ୍କ ସୀମା ବାହାରେ ଅନ୍ୟ କେତେକଙ୍କୁ ମଧ୍ୟ ‘ଏଚ-ୱାନ୍ ବି’ ଭିସା ପ୍ରଦାନ କରାଯାଇଥାଏ ଯେଉଁମାନେ ସୀମା ବହିର୍ଭୁତ (କ୍ୟାପ୍-ଏକଜେମ୍ପଟ) ‘ଏଟ-ୱାନ୍ ବି’ ଭିସା କର୍ମୀ ଭାବେ ପରିଗଣିତ ହୁଅନ୍ତି। ପ୍ରତିବର୍ଷ ପୁରୁଣା ‘ଏଚ-ୱାନ ବି’ ଭିସାର ନବୀକରଣ ମଧ୍ୟ ହେଉଥାଏ। ଏମାନଙ୍କ ସଂଖ୍ୟା ବି ଲକ୍ଷାଧିକ ହୋଇଥାଏ। ‘ଏଚ-ୱାନ୍ ବି’ ଭିସା ପ୍ରଦାନ ପ୍ରକ୍ରିୟାଟି ଆମେରିକୀୟ ନାଗରିକତା ଓ ଇମିଗ୍ରେସନ ସେବା (ୟୁ.ଏସ.ସି.ଆଇ.ଏସ୍.) ଦ୍ୱାରା ପରିଚାଳିତ। ନିଯୁକ୍ତି ପ୍ରଦାନକାରୀ କମ୍ପାନୀଗୁଡ଼ିକୁ ଏଥିପାଇଁ ଫି’ ଦାଖଲ କରି ପଞ୍ଜିକରଣ କରିବାକୁ ହୋଇଥାଏ। ସର୍ବାଧିକ ୬୪ ପ୍ରତିଶତ ‘ଏଚ-ୱାନ୍ ବି’ ଭିସାଧାରୀ ଆଇ.ଟି. କ୍ଷେତ୍ରର ହୋଇଥିଲା ବେଳେ ଶିକ୍ଷା, ସ୍ୱାସ୍ଥ୍ୟସେବା, ଆକାଉଣ୍ଟିଙ୍ଗ, ସାମ୍ୱାଦିକତା ଆଦି କ୍ଷେତ୍ରରୁ ମଧ୍ୟ ବ୍ୟକ୍ତିଙ୍କୁ ଏହି ଭିସା ପ୍ରଦାନ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ଭାରତୀୟମାନେ ହେଉଛନ୍ତି ‘ଏଚ-ୱାନ୍ ବି’ ଭିସାର ସର୍ବାଧିକ ସଂଖ୍ୟକ ହିତାଧିକାରୀ। ୨୦୨୪ ମସିହାରେ ୨.୮୩ ଲକ୍ଷ ଭାରତୀୟଙ୍କୁ ଏହି ଭିସା ମିଳିଥିଲା। ପ୍ରତିବର୍ଷ ହାରାହାରି ୭୦ ପ୍ରତିଶତ ଭିସା କେବଳ ଭାରତୀୟଙ୍କୁ ହିଁ ମିଳିଆସୁଛି। ଏହା ସତ୍ତ୍ୱେ ଅନେକ ଭାରତୀୟ ଆବେଦନକାରୀ ଏହା ପାଇ ନ ଥାଆନ୍ତି। ତେଣୁ ‘ଏଚ-ୱାନ୍ ବି’ ଭିସା ନୀତିରେ ପରିବର୍ତ୍ତନରେ ଭାରତୀୟମାନେ ସର୍ବାଧିକ କ୍ଷତିଗ୍ରସ୍ତ ହେବେ।
ଟ୍ରମ୍ପ ପ୍ରଶାସନ ଦ୍ୱାରା ଘୋଷିତ ନୂତନ ‘ଏଚ-ୱାନ୍ ବି’ ଭିସା ନୀତି ଅନୁଯାୟୀ ନୂଆ ଆବେଦନକାରୀଙ୍କ ଲାଗି ନିଯୁକ୍ତିଦାତା କମ୍ପାନୀଙ୍କୁ ଏକ ଲକ୍ଷ ଡଲାର ଲେଖାଏଁ ଦେୟ ଦାଖଲ କରିବାକୁ ହେବ, ଯାହା ବର୍ତ୍ତମାନ ମାତ୍ର ୩ରୁ ୫ ହଜାର ଡଲାର ଅଛି । ନିଯୁକ୍ତି କ୍ଷେତ୍ରରେ ଆମେରିକୀୟ ଦକ୍ଷ କର୍ମୀଙ୍କୁ ପ୍ରାଧାନ୍ୟ ଦେବା ଲାଗି ଏହି ନୀତି ଉଦ୍ଦିଷ୍ଟ ବୋଲି କୁହାଯାଉଛି। ଏତେ ଅଧିକ ଦେୟ ଦେବାକୁ ପଡ଼ୁଥିବାରୁ ଆମେରିକୀୟ କମ୍ପାନୀଗୁଡ଼ିକ ସ୍ୱଳ୍ପ ସଂଖ୍ୟକ ଅତି ଦକ୍ଷ ଓ ଅପରିହାର୍ୟ୍ୟ କର୍ମୀଙ୍କୁ ରଖିବେ, ଅନ୍ୟ ବିଦେଶୀ କୁଶଳୀ କର୍ମୀଙ୍କୁ ନିଯୁକ୍ତି ଦେବାକୁ କୁଣ୍ଠିତ ହେବେ। ଏହାର ସିଧାସଳଖ ପ୍ରଭାବ ଭାରତୀୟ ଆଇ.ଟି. କ୍ଷେତ୍ରର କର୍ମୀଙ୍କ ଉପରେ ପଡ଼ିବ। କେବଳ ସେତିକି ନୁହେଁ, ଆମେରିକାର ଷ୍ଟାର୍ଟ ଅପ୍ ଓ ଛୋଟ କମ୍ପାନୀଗୁଡ଼ିକ ଏତେ ପରିମାଣର ଦେୟ ଦେଇ ପାରିବେ ନାହିଁ, ଯଦ୍ଦ୍ୱାରା ସେଠାକାର ନବସୃଜନରେ ସ୍ଥାଣୁତା ଦେଖା ଦେଇପାରେ। ଆମେରିକାରେ ଉଚ୍ଚଶିକ୍ଷା ଲାଭ କରୁଥିବା ବିଦେଶୀ ଛାତ୍ରଛାତ୍ରୀମାନଙ୍କ ଲାଗି ସେଠାରେ ନିଯୁକ୍ତି ସୁଯୋଗ ହ୍ରାସ ପାଇବ। ଫଳରେ ସେମାନେ ଆମେରିକା ଛାଡ଼ି ଅନ୍ୟତ୍ର ଯିବାକୁ ବାଧ୍ୟ ହେବେ, ଯଦ୍ଦ୍ୱାରା ପରୋକ୍ଷରେ ଆମେରିକାର ହିଁ କ୍ଷତି ହେବ। ଆମେରିକାସ୍ଥିତ ବଡ଼ ବଡ଼ ଆଇ.ଟି. କମ୍ପାନୀ ବିଦେଶୀ ଦକ୍ଷ କର୍ମୀଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳ ହୋଇଥିବାରୁ ସେମାନେ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହେବେ। ଏହି ପରିସ୍ଥିତିର ମୁକାବିଲା ପାଇଁ ମାଇକ୍ରୋସଫ୍ଟ, ଗୁଗଲ୍, ଆପଲ୍ ପରି କେତେକ କମ୍ପାନୀ ଭାରତରେ ସେମାନଙ୍କର ‘ଗ୍ଲୋବାଲ୍ କେପାବିଲିଟି ସେଣ୍ଟର’ (ଜିସିସି) ପ୍ରତିଷ୍ଠା କରିବା ଦିଗରେ ଅଗ୍ରସର ହେଲେଣି। ଏହାଦ୍ୱାରା ଭାରତୀୟ ଦକ୍ଷ କର୍ମୀଗଣ ଆମେରିକା ନ ଯାଇ ଏଠାରେ ଚାକିରି ପାଇବେ ଓ କମ୍ପାନୀକୁ କ୍ଷତି ସହିବାକୁ ହେବନାହିଁ।
କେତେକ ଅର୍ଥନୀତିଜ୍ଞଙ୍କ ମତରେ ଆମେରିକାରେ ପ୍ରବାସୀଙ୍କ ଉପସ୍ଥିତି ଯୋଗୁଁ ସ୍ଥାନୀୟ ଅଧିବାସୀଙ୍କ ଲାଗି ଭିନ୍ନ ଭିନ୍ନ ଢଙ୍ଗରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି। ଉଭୟଙ୍କ ଦକ୍ଷତା ଭିନ୍ନ ଭିନ୍ନ ଶ୍ରେଣୀର ହୋଇଥିବାରୁ ସେମାନେ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ନ ହୋଇ ପରିପୂରକ ଭାବେ କାର୍ଯ୍ୟ କରିଥା'ନ୍ତି। ତଥ୍ୟ ଅନୁଯାୟୀ ଯେଉଁ କ୍ଷେତ୍ରଗୁଡ଼ିକରେ ‘ଏଚ-ୱାନ୍ ବି’ ଭିସାରେ ପ୍ରବାସୀମାନେ ନିଯୁକ୍ତ ହୋଇଛନ୍ତି, ସେହି କ୍ଷେତ୍ରଗୁଡ଼ିକରେ ସ୍ଥାନୀୟ ଅଧିବାସୀଙ୍କ ବେକାରୀ ହାର ଅପେକ୍ଷାକୃତ କମ୍। ଅଧିକନ୍ତୁ, ପ୍ରବାସୀ ଦକ୍ଷ କର୍ମୀଙ୍କ ହାରାହାରି ପାରିଶ୍ରମିକ ୧.୦୮ ଲକ୍ଷ ଡଲାର ହୋଇଥିବାରୁ ତାହା କୌଣସି ପ୍ରକାରେ ସ୍ଥାନୀୟ ଅଧିବାସୀଙ୍କ ପାରିଶ୍ରମିକ ହ୍ରାସର କାରଣ ହୋଇନଥାଏ।
ଆମେରିକାର ପରିବର୍ତ୍ତିତ ‘ଏଚ-ୱାନ୍ ବି’ ଭିସା ନୀତି ଭାରତର ଆଇ.ଟି କ୍ଷେତ୍ର ଲାଗି ବରଦାନ ସଦୃଶ ହୋଇପାରେ ବୋଲି ମନେ କରାଯାଉଛି। କାରଣ ଆନ୍ତର୍ଜାତିକ ଅନୁଭୂତି ସମ୍ପନ୍ନ ଦକ୍ଷ କର୍ମୀମାନେ ଭାରତକୁ ପ୍ରତ୍ୟାବର୍ତ୍ତନ କଲେ ଏଠାକାର ଆଇଟି କ୍ଷେତ୍ର ସମୃଦ୍ଧ ହେବ। ତେବେ ସେଠାରେ ଉଚ୍ଚ ସ୍ତରରେ କାର୍ଯ୍ୟରତ ଦକ୍ଷ କର୍ମୀଙ୍କୁ ଧରି ରଖିବା ଲାଗି କମ୍ପାନୀଗୁଡ଼ିକ ପ୍ରୟାସ କରିବେ। କେବଳ ମଧ୍ୟ ଓ ନିମ୍ନ ସ୍ତରରେ ଥିବା କର୍ମୀମାନେ ଫେରିପାରନ୍ତି। ଏତେ ସଂଖ୍ୟକ କୁଶଳୀ କର୍ମୀ ଦେଶକୁ ଫେରିଲେ ସେମାନଙ୍କୁ ଉଚିତ ଢଙ୍ଗରେ ଥଇଥାନ କରିବା ଏକ ବଡ଼ ଆହ୍ୱାନ ହୋଇପାରେ। ତଦ୍ଦ୍ୱାରା ସ୍ଥାନୀୟ ନିଯୁକ୍ତି କିପରି ପ୍ରଭାବିତ ହେବ ତାହା ମଧ୍ୟ ଅନୁଧ୍ୟାନର ବିଷୟ। ଆମେରିକାରେ ଇମିଗ୍ରେସନ୍ ଆଇନ କଡ଼ାକଡ଼ି ହେବାକୁ ଲାଗିଲେ ସେମାନଙ୍କ ମଧ୍ୟରୁ କେହି କେହି ଭାରତକୁ ନ ଫେରି କାନାଡ଼ା, ଜର୍ମାନୀ, ବ୍ରିଟେନ ଆଦି ଦେଶକୁ ସ୍ଥାନାନ୍ତରିତ ହେବାକୁ ଅଧିକ ପସନ୍ଦ କରିପାରନ୍ତି। ଟ୍ରମ୍ପଙ୍କ ‘ଏଚ-ୱାନ୍ ବି’ ଭିସା ଆବେଦନ ଲାଗି ବର୍ଦ୍ଧିତ ଫି’’ର ଘୋଷଣା ପରେ ବିଜ୍ଞାନ ଓ ବୈଷୟିକ କ୍ଷେତ୍ରରେ ବିଦେଶୀ ଯୁବ ପ୍ରତିଭାଙ୍କୁ ଆକୃଷ୍ଟ କରିବା ଲାଗି ଇତିମଧ୍ୟରେ ଚୀନ ମଧ୍ୟ ‘କେ ଭିସା’ ପ୍ରଚଳନର ଘୋଷଣା କରିଛି। ତେବେ ଭାରତୀୟଙ୍କ ଲାଗି ଆମେରିକାରେ କ୍ୟାରିଅର ଗଠନ ପ୍ରଥମ ପସନ୍ଦ ହୋଇଥିବାରୁ ଭାରତୀୟ ଯୁବ ପ୍ରତିଭାଙ୍କୁ ଆକୃଷ୍ଟ କରିବାରେ ଚୀନ କେତେ ଦୂର ସଫଳ ହେବ, ତାହା ଦେଖିବାକୁ ହେଲେ କିଛି ବର୍ଷ ଅପେକ୍ଷା କରିବାକୁ ହେବ।
‘ଏଚ-ୱାନ୍ ବି’ ଭିସା ସଂକ୍ରାନ୍ତ ଆମେରିକାର ନୂଆ ନୀତିର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ କିଭଳି ପଡ଼ିବ, ତା’ର ଆକଳନ ଏ ଯାବତ୍ ହୋଇନାହିଁ । ତେବେ ଆମେରିକା ଦ୍ୱାରା ଭାରତ ଉପରେ ୫୦ ପ୍ରତିଶତ ହାରରେ ବର୍ଦ୍ଧିତ ଟାରିଫ୍ ଲାଗୁ ହେବା ଫଳରେ ଭାରତରୁ ଦ୍ରବ୍ୟ ରପ୍ତାନୀ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଥିବା ବେଳେ ‘ଏଚ-ୱ୍ମାନ ବି’ ଭିସା ନିୟମ ସେବା କ୍ଷେତ୍ରରେ ରପ୍ତାନୀକୁ ଅନେକାଂଶରେ ପ୍ରଭାବିତ କରିବ। ଫଳସ୍ୱରୂପ ଘରୋଇ ନିଯୁକ୍ତି,ଓ ରୋଜଗାର କ୍ଷେତ୍ର ଭାରାକ୍ରାନ୍ତ ହେବ।
୨୦୨୫ ଆର୍ଥିକ ବର୍ଷରେ ବିଦେଶରେ ରହୁଥିବା ଭାରତୀୟମାନେ ଭାରତକୁ ୧୩୫୪୬ କୋଟି ଡଲାର ପ୍ରେରଣ (ରେମିଟାନ୍ସ) କରିଥିଲେ। ଉଲ୍ଲେଖଯୋଗ୍ୟ ଯେ 'ରେମିଟାନ୍ସ' ଆକାରରେ ଭାରତକୁ ଆସୁଥିବା ଅର୍ଥର ପରିମାଣ ଭାରତକୁ ଆସୁଥିବା ମୋଟ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶର ପରିମାଣଠାରୁ ମଧ୍ୟ ଅଧିକ। ଭାରତୀୟ ଅର୍ଥନୀତିର ବିକାଶରେ ‘ରେମିଟାନ୍ସ’ ଅର୍ଥର ଯଥେଷ୍ଟ ଗୁରୁତ୍ୱ ରହିଛି। ଭାରତର ବାଣିଜ୍ୟ ନିଅଣ୍ଟକୁ ଭରଣା କରିବାରେ ଏହି ‘ରେମିଟାନ୍ସ’ ଏକ ବଡ଼ ଭାଗ ଭରଣା କରିଥାଏ। ଉଦାହରଣ ସ୍ୱରୂପ ୨୦୨୫ ଆର୍ଥିକ ବର୍ଷରେ ଦେଶର ବାଣିଜ୍ୟ ନିଅଣ୍ଟ ଥିଲା ପ୍ରାୟ ୨୮୭୦୦ କୋଟି ଡଲାର। 'ରେମିଟାନ୍ସ' ଆକାରରେ ମିଳିଥିବା ରାଶି ଏହାର ପ୍ରାୟ ୪୭ ପ୍ରତିଶତ ଭରଣା କରିଥିଲା। ପ୍ରକାଶ ଥାଉ କି ଏହି ‘ରେମିଟାନ୍ସ’ରୁ ସର୍ବାଧିକ ପରିମାଣ ବା ପ୍ରାୟ ଏକ-ଚତୁର୍ଥାଂଶରୁ ଅଧିକ ଆମେରିକାରୁ ଆସିଥାଏ; ଅର୍ଥାତ୍ ‘ଏଚ-ୱାନ୍ ବି’ ଭିସା ନେଇ ଯେତେ ଅଧିକ ଭାରତୀୟ ଆମେରିକାକୁ ଯାଆନ୍ତି ‘ରେମିଟାନ୍ସ’ ଆକାରରେ ସେତେ ଅଧିକ ବିଦେଶୀ ମୁଦ୍ରା ଭାରତକୁ ଆସିଥାଏ ଓ ଦେଶର ବିଦେଶୀ ମୁଦ୍ରାଭଣ୍ଡାର ସେତେ ସମୃଦ୍ଧ ହୋଇଥାଏ।
ପ୍ରବାସୀ ଭାରତୀୟମାନେ ଟ୍ରମ୍ପ ପ୍ରଶାସନ ଦ୍ୱାରା ଏତେ ଅପମାନିତ ହେବା ସତ୍ତ୍ୱେ ସେଠାରେ କାହିଁକି ପଡ଼ିରହିଛନ୍ତି ବୋଲି କେହି କେହି ପ୍ରଶ୍ନ କରୁଛନ୍ତି। ମନେ ରଖିବାକୁ ହେବ ଯେ ଭାରତ ସେମାନଙ୍କ ଜନ୍ମଭୂମି ହେଲେ ଆମେରିକା ସେମାନଙ୍କ ଲାଗି କର୍ମଭୂମି। ଉଭୟ ଦେଶ ପ୍ରତି ସେମାନଙ୍କ ଆନୁଗତ୍ୟ ରହିବା ସ୍ୱାଭାବିକ। ହଠାତ୍ ସେମାନେ ସେମାନଙ୍କ ଚାକିରି, ିଲାମାନଙ୍କ ଶିକ୍ଷା ଓ ଅନ୍ୟାନ୍ୟ ପାରିବାରିକ ବାଧ୍ୟବାଧକତାକୁ ଛାଡ଼ୁ ଏଠାକୁ ପଳାଇ ଆସିବା ସହଜ କଥା ନୁହେଁ। ଦ୍ୱିତୀୟରେ, ଅତୀତରେ ଦେଶକୁ ପ୍ରତ୍ୟାବର୍ତ୍ତନ କରିଥିବା ପ୍ରବାସୀ ଭାରତୀୟଙ୍କ ମଧ୍ୟରୁ କେତେକ ଏଠାରେ ସେମାନଙ୍କ ତିକ୍ତ ଅନୁଭୂତି କାରଣରୁ ପୁନଶ୍ଚ ବିଦେଶକୁ ଫେରିଯାଇଛନ୍ତି। ତା’ଛଡ଼ା ବିଦେଶରୁ ପ୍ରତ୍ୟାବର୍ତ୍ତନ କରି ଏଠାକାର ବ୍ୟବସାୟ ପରିମଣ୍ଡଳ ସହ ଖାପଖୁଆଇ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପ୍ରବାସୀ ଭାରତୀୟଙ୍କ ଉଦାହରଣ ନଗଣ୍ୟ। ଫେରିବା ଲାଗି ବାଧ୍ୟ ହେଲେ ଅଲଗା କଥା, ଅନ୍ୟଥା ଭାରତରେ ନିଯୁକ୍ତି କ୍ଷେତ୍ରୀୟ ପରିମଣ୍ଡଳ ଓ କର୍ମସଂସ୍କୃତି ସେମାନଙ୍କୁ ଫେରିବା ଲାଗି ଆକର୍ଷିତ କରୁନାହିଁ। ଏଥି ସତ୍ତ୍ୱେ ଆମେରିକାରେ ଜଟିଳ ଭିସା ନିୟମ, କ୍ରମ ବର୍ଦ୍ଧିଷ୍ଣୁ ବର୍ଣ୍ଣବୈଷମ୍ୟ ସମସ୍ୟାରେ କେହି କେହି ଭାରତୀୟ ବ୍ୟତିବ୍ୟସ୍ତ ହୋଇ ଆମେରିକା ଛାଡ଼ୁଛନ୍ତି। ହେଲେ ଆମେରିକାରୁ ଫେରିଆସୁଥିବା ପ୍ରବାସୀ ଭାରତୀୟଙ୍କ ମଧ୍ୟରୁ କେତେକଙ୍କ ପକ୍ଷରେ ବିଭିନ୍ନ କାରଣରୁ ଭାରତରେ ରହିବା ଦୁର୍ବିସହ ହୋଇପଡ଼ୁଛି। ଟ୍ରାଫିକ୍ ଜାମ୍ ଠାରୁ ଆରମ୍ଭ କରି ବାୟୁ ପ୍ରଦୂଷଣ ପର୍ଯ୍ୟନ୍ତ ଅନେକ ସମସ୍ୟା ସେମାନଙ୍କ ଲାଗି ନାପସନ୍ଦଯୋଗ୍ୟ ହେଉଛି। ଆମେରିକାର ଉନ୍ନତ ଜୀବନଶୈଳୀରେ ଅଭ୍ୟସ୍ତ ସେମାନଙ୍କ ପାଇଁ ଫେରିଆସିବା ହୁଏତ ସହଜ ହେବନାହିଁ। ଫଳରେ କେତେକ ନିଉଜିଲାଣ୍ଡ, ଦୁବାଇ ବା ସିଙ୍ଗାପୁର ଭଳି ଏକ ତୃତୀୟ ଦେଶକୁ ପୁନର୍ବାର ସ୍ଥାନାନ୍ତରିତ ହେଉଥିବାର ଦେଖାଯାଉଛି। ଅବଶ୍ୟ ଏକ ଅଧ୍ୟୟନ ଅନୁଯାୟୀ ଅବସର ପରେ ପ୍ରାୟ ୭୦ ପ୍ରତିଶତ ପ୍ରବାସୀ ଭାରତୀୟ ଭାରତକୁ ଫେରି ଆସି ସେମାନଙ୍କ ଅବଶିଷ୍ଟ ଜୀବନ ଏଠାରେ କଟାଇବାକୁ ଅଧିକ ପସନ୍ଦ କରୁଛନ୍ତି। ଆମେରିକାର ଭିସା ନୀତିରେ ପରିବର୍ତ୍ତନକୁ ଭାରତ ଏକ ସୁଯୋଗ ବୋଲି ବିଚାର କରି ଭାରତରେ ଦୁର୍ବଳ ଭିତ୍ତିଭୂମିକୁ ସଜାଡ଼ି ଏକ ଉଚ୍ଚକୋଟୀର କର୍ମସଂସ୍କୃତି ଓ ନିଯୁକ୍ତି ପରିମଣ୍ଡଳ ସୃଷ୍ଟି କରାଯିବା ଆବଶ୍ୟକ। ଅଧିକ ସଂଖ୍ୟାରେ ପ୍ରବାସୀ ଭାରତୀୟ ଭାରତ ପ୍ରତ୍ୟାବର୍ତ୍ତନ କଲେ ଓ ସେମାନଙ୍କ ଅନୁଭୂତିର ପୁଞ୍ଜିକୁ ଉଚିତ ଭାବେ କାମରେ ଲଗାଯାଇ ପାରିଲେ ଆମ ଅର୍ଥନୀତି ଅଧିକ ସମୃଦ୍ଧ ହେବ।
Published in Sambad on September 30, 2025
Comments
Post a Comment