Skip to main content

ଭାରତ-ଚୀନ ସମ୍ପର୍କର ସାପ ଶିଡ଼ି ଖେଳ

ଗତ କିଛି ବର୍ଷ ଧରି ଦୀପାବଳି ଆସିଲେ ଦେଶବାସୀଙ୍କୁ ଚୀନରୁ ଆସୁଥିବା ବାଣ, ଆଲୁଅ ଆଦି କିଣିବାକୁ ବାରଣ କରୁଥିବା ହ୍ୱାଟସଆପ୍ ମ୍ୟାସେଜର ବନ୍ୟା ଛୁଟେ। କାରଣ ହେଲା, ଚୀନ ଆମ ଶତୃଦେଶ; ତେଣୁ ଆମେ କିଣୁଥିବା ପ୍ରତିଟି ଚୀନ ପ୍ରସ୍ତୁତ ସାମଗ୍ରୀ ଦ୍ୱାରା ଲାଭ ଚୀନକୁ ଯାଏ। ପୁଣି ତାହା କୁଆଡ଼େ ସେଠାକାର ସୈନ୍ୟବାହିନୀକୁ ଶକ୍ତିଶାଳୀ କରି ପରୋକ୍ଷରେ ଆମ ଅହିତ ସାଧନର କାରଣ ହୋଇଥାଏ। ପ୍ରକାରାନ୍ତରେ ଆମ ଭିତରେ ସୁପ୍ତ ଜାତୀୟତାକୁ ଜାଗ୍ରତ କରିବାର ଏହା ଏକ ସାମୟିକ ପ୍ରୟାସ ଭଳି ଲାଗିଥାଏ। ତା’ପରେ ପୁଣି ସବୁ କିଛି ଗତାନୁଗତିକ ହୋଇଯାଏ। ଚୀନରୁ ଅବିର, ରଙ୍ଗ, ରାକ୍ଷୀ, ଠାକୁର ଠାକୁରାଣୀଙ୍କ ମୂର୍ତ୍ତି, କଣ୍ଢେଇ ଓ ବାଣ ଇତ୍ୟାଦି ଆସେ। ଘରକରଣା ଜିନିଷଠୁ ନେଇ ମୋବାଇଲ ଫୋନ ଓ ଯାନବାହନ ପର୍ଯ୍ୟନ୍ତ ସବୁ କିଛି ଆସେ। ବରଂ ପଚରାଯିବା ଉଚିତ କ'ଣ ନ ଆସେ? ସେହି କାରଣରୁ ଗଲା ୧୧ ବର୍ଷ ଭିତରେ ଚୀନରୁ ଭାରତକୁ ଆମଦାନୀ ଦୁଇଗୁଣରୁ ଅଧିକ ହୋଇଛି।

୨୦୧୪ ଆର୍ଥିକ ବର୍ଷରେ ଚୀନରୁ ଭାରତକୁ ଆମଦାନୀର ପରିମାଣ ଥିଲା ମାତ୍ର ୫୧୦୩ କୋଟି ଡଲାର. ଯାହା ୨୦୨୫ ଆର୍ଥିକ ବର୍ଷରେ ହେଲାଣି ୧୧୩୪୦ କୋଟି ଡଲାର। ଅପର ପକ୍ଷରେ ୨୦୧୪ ଆର୍ଥିକ ବର୍ଷରେ ଭାରତରୁ ଚୀନକୁ ହୋଇଥିବା ୧୭୦୩ କୋଟି ଡଲାରର ରପ୍ତାନୀ ୨୦୨୫ ବେଳକୁ ଓଲଟି ହ୍ରାସ ପାଇ ପହଞ୍ଚିଛି ୧୪୧୩ କୋଟି ଡଲାରରେ, ଅର୍ଥାତ୍ ରପ୍ତାନୀ ପ୍ରାୟ ୧୭ ପ୍ରତିଶତ ହ୍ରାସ ପାଇଥିବା ବେଳେ ଚୀନରୁ ହେଉଥିବା ଆମଦାନୀରେ ୧୨୨ ପ୍ରତିଶତ ବୃଦ୍ଧି ଘଟିଛି। ସୁତରାଂ, ବାଣିଜ୍ୟ ନିଅଣ୍ଟ, ଯାହା ୨୦୧୪ ବିତ୍ତ ବର୍ଷରେ ମାତ୍ର ୩୪୦୦ କୋଟି ଡଲାର ଥିଲା, ତାହା ୨୦୨୫ ବେଳକୁ ପ୍ରାୟ ୧୦୦୦୦ କୋଟି ଡଲାରରେ ପହଞ୍ଚିଲାଣି। ୨୦୨୫ ଆର୍ଥିକ ବର୍ଷରେ ଭାରତର ସମୁଦାୟ ଆମଦାନୀ ପରିମାଣ ଥିଲା ୯୧୫୯୦ କୋଟି ଡଲାର, ଯହିଁରୁ ୧୨ ପ୍ରତିଶତରୁ ଅଧିକ ଚୀନରୁ ଆମଦାନୀ ହୋଇଛି। ଏହା ସହିତ ଭାରତ ସର୍ବାଧିକ ଆମଦାନୀ କରୁଥିବା ଦେଶଗୁଡ଼ିକର ତାଲିକାରେ ଚୀନ କ୍ରମାଗତ ଭାବେ ପ୍ରଥମ ସ୍ଥାନରେ ରହିଆସିଛି। ତେଣୁ ଚୀନରୁ ଆସୁଥିବା ବାଣ ଆମ ଦେଶର ବାଣ ବଜାରର ୪୦ ପ୍ରତିଶତ ଦଖଲ କରିଛି ବୋଲି ତଥ୍ୟ ବିସ୍ମୟର କାରଣ ହେବା କଥା ନୁହେଁ। ବର୍ତ୍ତମାନ ଚୀନରୁ ଆମଦାନୀ ହେଉଥିବା ବାଣର ମୂଲ୍ୟ ବାର୍ଷିକ ୧୫୦୦ କୋଟି ଟଙ୍କା ବା ୧୮ କୋଟି ଡଲାର, କିନ୍ତୁ ଏହା ସମୁଦାୟ ଆମଦାନୀର ୬୦୦ ଭାଗରୁ ଭାଗେ ମଧ୍ୟ ନୁହେଁ। ସୁତରାଂ ଏତିକି ସ୍ପଷ୍ଟ ଯେ ଅନ୍ତତଃ ଆମ ବାଣ କିଣା ଚୀନା ସୈନ୍ୟବାହିନୀକୁ ଶକ୍ତିଶାଳୀ କରିବାକୁ ପର୍ଯ୍ୟାପ୍ତ ନୁହେଁ। 

ଆମଦାନୀ କ୍ଷେତ୍ରରେ ଚୀନ ଉପରେ ଭାରତର ନିର୍ଭରଶୀଳତା ବୃଦ୍ଧିର କାରଣ ବୁଝିବାକୁ ହେଲେ ଭାରତ ଚୀନରୁ ମୁଖ୍ୟତଃ ଯେଉଁ ୮ ପ୍ରକାର ସାମଗ୍ରୀ ଆମଦାନୀ କରୁଛି ସେ ସମ୍ୱନ୍ଧରେ ଜାଣିବା ଆବଶ୍ୟକ। ୨୦୨୩ ଆର୍ଥିକ ବର୍ଷରେ ଭାରତ ସର୍ବାଧିକ ୪୪୧୫ କୋଟି ଡଲାର ମୂଲ୍ୟର ବୈଦ୍ୟୁତିକ ଓ ଇଲେକ୍ଟ୍ରୋନିକସ ଉପକରଣ ଆମଦାନୀ କରିଥିଲା। ତା ପଛକୁ ଥିଲା ଯନ୍ତ୍ରପାତି, ରାସାୟନିକ ପଦାର୍ଥ, ପ୍ଲାଷ୍ଟିକ୍, ମେଡିକାଲ ଉପକରଣ, ଷ୍ଟିଲ ଓ ଷ୍ଟିଲରେ ତିଆରି ସାମଗ୍ରୀ, ସାର ଓ ଯାନବାହନ।

ବର୍ତ୍ତମାନ ଭାରତ ବିଶ୍ୱର ତୃତୀୟ ସର୍ବବୃହତ୍ ଔଷଧ ଉତ୍ପାଦନକାରୀ ଓ ସର୍ବବୃହତ୍ ଜେନେରିକ୍ ଔଷଧ ପ୍ରସ୍ତୁତକାରୀ ଦେଶ। ତେବେ ଔଷଧ ଉତ୍ପାଦନ ଲାଗି କଞ୍ଚାମାଲ ରୂପେ ବ୍ୟବହାର ହେଉଥିବା ‘ମୂଳ ପ୍ରାରମ୍ଭିକ ଉପାଦାନ’ ବା ‘କି ଷ୍ଟାର୍ଟିଂ ମ୍ୟାଟେରିଆଲ’ (କେଏସଏମ) ଓ ‘ସକ୍ରିୟ ଫାର୍ମାସିଉଟିକାଲ ଉପାଦାନ’ ବା ‘ଆକ୍ଟିଭ୍ ଫାର୍ମାସିଉଟିକାଲ ଇନଗ୍ରେଡିଏଣ୍ଟ’ (ଏପିଆଇତ୍କ ବହୁଳ ଭାବେ ଚୀନରୁ ଆମଦାନୀ କରାଯାଇଥାଏ। ଭାରତରେ ପ୍ରାୟ ୫୦୦ ପ୍ରକାର ଏପିଆଇ ଉତ୍ପାଦନ ହେଉଥିଲେ ହେଁ ଚୀନରୁ ତାହା ଶସ୍ତାରେ ମିଳୁଥିବାରୁ ସେ ସବୁର ଆମଦାନୀ କରାଯାଏ। ବିଶେଷ କରି ୪୫ ପ୍ରକାର ଏପିଆଇ ଲାଗି ଭାରତ ଚୀନ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ବସ୍ତୁତଃ ୨୦୨୪ ଆର୍ଥିକ ବର୍ଷରେ ଭାରତ ଆମଦାନୀ କରିଥିବା ସର୍ବମୋଟ ୪୫୦ କୋଟି ଡଲାର ମୂଲ୍ୟର ଏପିଆଇ ଓ  ବଲ୍କ ଡ୍ରଗ୍ସ ମଧ୍ୟରୁ ୩୨୦ କୋଟି ଡଲାର ମୂଲ୍ୟର ସାମଗ୍ରୀ ବା ପ୍ରାୟ ୭୧ ପ୍ରତିଶତ ଚୀନରୁ ଆସିଥିଲା। ତେଣୁ ଚୀନରୁ ଏହି ଉପାଦାନ ନ ମିଳିଲେ ଭାରତର ଘରୋଇ ଔଷଧ ଉତ୍ପାଦନ ବାଧାପ୍ରାପ୍ତ ହେବା ସହ ବିଦେଶକୁ ହେଉଥିବା ବିପୁଳ ପରିମାଣର ରପ୍ତାନୀ ମଧ୍ୟ ବାଧିତ ହେବ।

ସେହିପରି ଦେଶରେ ସୌର ଶକ୍ତି ବିକାଶର ବିଶାଳ ଲକ୍ଷ୍ୟ ଧାର୍ଯ୍ୟ ହୋଇ ଘରୋଇ ସୌରଶକ୍ତି ଯନ୍ତ୍ରାଂଶ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଉଥିଲେ ହେଁ ଏବେ ବି ୫୬ ପ୍ରତିଶତ ସୌର ସେଲ୍ ଓ ୬୫ ପ୍ରତିଶତ ସୌର ମଡ୍ୟୁଲ ଚୀନରୁ ଆମଦାନୀ ହେଉଛି। ବର୍ତ୍ତମାନ ସେମିକଣ୍ଡକ୍ଟର ଶିଳ୍ପକୁ ସୂର‌୍ୟ୍ୟୋଦୟ ଶିଳ୍ପ ରୂପେ ବିବେଚନା କରାଯାଉଛି। ସେମିକଣ୍ଡକ୍ଟର ଉତ୍ପାଦନ ପାଇଁ ଆବଶ୍ୟକ ଗ୍ୟାଲିଅମ୍, ଜର୍ମାନିଅମ୍, ସିଲିକନ ଓ ଅନ୍ୟ କେତେକ ବିରଳ ମୃତ୍ତିକା ଭଳି କଞ୍ଚାମାଲର ଯୋଗାଣ ଉପରେ ଚୀନର ଏକପ୍ରକାର ଏକଚାଟିଆ ନିୟନ୍ତ୍ରଣ ରହିଛି। ବସ୍ତୁତଃ ସାରା ପୃଥିବୀର ୯୪ ପ୍ରତିଶତ ଗ୍ୟାଲିଅମ ଓ ୮୩ ପ୍ରତିଶତ ଜର୍ମାନିଅମ୍ ଚୀନ ନିକଟରେ ଗଚ୍ଛିତ ଅଛି। ସେହିପରି ପ୍ରକ୍ରିୟାକୃତ ଔଦ୍ୟୋଗିକ ସିଲିକନର ଚୀନ ଅନ୍ୟତମ ମୁଖ୍ୟ ପ୍ରସ୍ତୁତକର୍ତ୍ତା। ତେଣୁ ଚୀନ ହିଁ ବିଶ୍ୱର ସେମିକଣ୍ଡକ୍ଟର ଶିଳ୍ପକୁ ନିଜ ହାତମୁଠାରେ ରଖିଛି କହିଲେ ଅତ୍ୟୁକ୍ତି ହେବନାହିଁ। ସେମିକଣ୍ଡକ୍ଟର ଶିଳ୍ପରେ ଉତ୍ପାଦନ ବାଧିତ ହେଲେ ତା’ର କୁପ୍ରଭାବ ସିଧାସଳଖ ବିଦ୍ୟୁତ ଯାନ, ଆର୍ଟିଫିଆଲ୍ ଇଣ୍ଟେଲିଜେନ୍ସ, ପ୍ରତିରକ୍ଷା ଓ ଉଚ୍ଚ ବେଗସମ୍ପନ୍ନ ଚିପ୍ସର ଆବଶ୍ୟକତା ଥିବା କେତେକ ଶିଳ୍ପ ଉପରେ ପଡ଼ିଥାଏ। ତେଣୁ ଏଥିରେ ସନ୍ଦେହ ନାହିଁ ଯେ ଭାରତର ସେମିକଣ୍ଡକ୍ଟର ଶିଳ୍ପର ଅଗ୍ରଗତି ମଧ୍ୟ ଚୀନର ସହଯୋଗ ଉପରେ ନିର୍ଭରଶୀଳ।

ଭାରତକୁ ଏକ ବିକଶିତ ଦେଶରେ ପରିଣତ କରିବାକୁ ହେଲେ ଏହାର ନିର୍ମାଣ  ବା ମାନୁଫେକଚରିଂ କ୍ଷେତ୍ରକୁ ସମୃଦ୍ଧ କରିବାକୁ ହେବ। କିନ୍ତୁ ଏହି କ୍ଷେତ୍ରରେ ଭାରତର ଯୋଗଦାନ ମାତ୍ର ୩ ପ୍ରତିଶତ, ଯେତେବେଳେ କି ଚୀନର ଅଂଶ ୩୦ ପ୍ରତିଶତ। ଏଣେ ମାନୁଫେକଚରିଂ କ୍ଷେତ୍ରର ବିକାଶ ଚୀନର ଯନ୍ତ୍ରପାତି ଓ କଞ୍ଚାମାଲ ବିନା ସମ୍ଭବ ନୁହେଁ। 'ମେକ୍-ଇନ ଇଣ୍ଡିଆ' କାର୍ଯ୍ୟକ୍ରମରେ ପ୍ରସ୍ତୁତ ଅନେକ ଦ୍ରବ୍ୟରେ ଚୀନରୁ ଆସୁଥିବା କଞ୍ଚାମାଲ ବା ଯନ୍ତ୍ରାଂଶ ବ୍ୟବହୃତ ହୋଇଥାଏ।        

୨୦୧୪ ମସିହାରେ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତକୁ ଆସି ସାବରମତୀ କୂଳରେ ଝୁଲଣାରେ ଝୁଲିଥିଲେ। ୨୦୧୯ ମସିହାରେ ଚୀନ ଓ ଭାରତର ୨୦୦୦ ବର୍ଷର ସମ୍ପର୍କକୁ ସ୍ମରଣ କରି ମହାବଳୀପୁରମଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବାର୍ତ୍ତା ବିନିମୟ ହୋଇଥିଲା। ତାହା ଥିଲା ଭାରତ-ଚୀନ ସମ୍ପର୍କର ଲୁଡ଼ୋ ପାଲିରେ ଶିଡ଼ି ଚଢ଼ା କାଳ। ତେବେ ଉଭୟ ଦେଶର ସୈନ୍ୟଙ୍କ ମଧ୍ୟରେ  ୨୦୧୭ ମସିହାରେ ଡୋକଲାମଠାରେ ସଂଘର୍ଷ, ୨୦୨୦ ମସିହାରେ ଗଲୱାନ ଉପତ୍ୟକା ଓ ପେଙ୍ଗଙ୍ଗ ହ୍ରଦରେ ସଂଘର୍ଷ, ୨୦୨୨ ମସିହାରେ ଅରୁଣାଚଳ ପ୍ରଦେଶର ତାୱଙ୍ଗ କ୍ଷେତ୍ରରେ ଭାରତ ଭିତରକୁ ଚୀନ ସୈନ୍ୟଙ୍କ ଅନୁପ୍ରବେଶ ଓ ଦଖଲ ଭଳି ଘଟଣାରେ ଉତ୍ତେଜନା ବୃଦ୍ଧି ପାଇ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା। ଶେଷରେ ପୁଣି ‘ଅପରେସନ ସିନ୍ଦୂର’ ସମୟରେ ଚୀନ, ପ୍ରତ୍ୟକ୍ଷ ଭାବେ ନ ହେଲେ ବି ପରୋକ୍ଷ ଭାବେ, ପାକିସ୍ତାନକୁ ସମର୍ଥନ କରିବା ଯୋଗୁଁ ଭାରତ-ଚୀନ ସମ୍ପର୍କ ଏବେ ସାପ ପାଟିରେ ପଡ଼ି ତଳକୁ ଖସି ଆସିଲା ଭଳି ହୋଇଗଲା। ମନେ ହେଉଥିଲା ଯେ ସମ୍ପର୍କ ସୁଧୁରିବାର ସମ୍ଭାବନା ନାହିଁ। କିନ୍ତୁ 'ଅପରେସନ ସିନ୍ଦୂର'କୁ ଦୁଇ ମାସ ନ ପୂରୁଣୁ ଏମିତି କିଛି ଘଟଣାକ୍ରମ ସଂଘଟିତ ହେଲାଣି ଯେଉଁଥିରୁ ପ୍ରତୀତ ହେଉଛି ଯେ ସମ୍ପର୍କକୁ ସୁଧାରିବା ଲାଗି ଉଭୟ ଦେଶ ପୁଣି ଇଚ୍ଛୁକ।

ପ୍ରକାଶ ଥାଉ କି ପଦାତିକ ବାହିନୀର ଉପ ସେନାଧ୍ୟକ୍ଷ ଲେଫ୍ଟନାଣ୍ଟ ଜେନେରାଲ ରାହୁଲ ସିଂହ କହିଥିଲେ ଯେ ‘ଅପରେସନ୍ ସିନ୍ଦୂର’ରେ ଭାରତ ଏକା ସାଙ୍ଗରେ ପାକିସ୍ତାନ, ଚୀନ ଓ ତୁର୍କୀ ସହ ଲଢ଼ୁଥିଲା। ଚୀନ ପାକିସ୍ତାନକୁ କେବଳ ୮୧ ପ୍ରତିଶତ ଅସ୍ତ୍ରଶସ୍ତ୍ର ଦେଇ ନ ଥିଲା, ବରଂ ଯୋଗାଇଥିବା ଯୁଦ୍ଧାସ୍ତ୍ରକୁ ପରୀକ୍ଷା କରିବା ଲାଗି ଭାରତ-ପାକିସ୍ତାନର ଯୁଦ୍ଧକ୍ଷେତ୍ରକୁ ପ୍ରୟୋଗଶାଳା ରୂପେ ବ୍ୟବହାର କରିଥିଲା। ଏଥି ସହ ଲଢ଼େଇ ସମୟରେ ପାକିସ୍ତାନକୁ ଅନବରତ ଗୁରୁତ୍ୱପୂର୍ଣ୍ଣ ସାମରିକ ସୂଚନାମାନ ମଧ୍ୟ ଦେଇ ଚାଲିଥିଲା। ଅର୍ଥାତ୍, ଭାରତର ସାମରିକ ନେତୃବର୍ଗ ସାମରିକ ଦୃଷ୍ଟିରୁ ଚୀନକୁ ଏକ ଶତୃପକ୍ଷ ଦେଶ ରୂପେ ବିବେଚନା କରନ୍ତି। ଏଭଳି ମନ୍ତବ୍ୟରୁ ଉଦବେଗ ଜାତ ହେଉଥିବା ବେଳେ ବିଦେଶ ମନ୍ତ୍ରୀ ଜୟଶଙ୍କରଙ୍କର ଏସସିଓ (ସାଙ୍ଘାଇ କୋଅପରେସନ ଅର୍ଗାଇନେଜସନ)ର ସମାବେଶରେ ଯୋଗଦେବା ପାଇଁ ଚୀନ ଗସ୍ତ କରିବା ଓ ସେଠାରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ସାକ୍ଷାତ କରିବା ଭ୍ରୁକୁଞ୍ଚନ ସୃଷ୍ଟି କରୁଥିଲେ ହେଁ କୂଟନୈତିକ ଦୃଷ୍ଟିରୁ ଉଚିତ ବୋଲି ମତ ପ୍ରକାଶ ପାଏ। ଏହା ପଛରେ ଥିବା ଅନୁମାନସାପେକ୍ଷ କାରଣଗୁଡ଼ିକ ହେଲେ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ବାରମ୍ୱାର ଟାରିଫ୍ ଧମକ, ଭାରତ ପ୍ରତି ଚାଙ୍କର ଅପମାନଜନକ ଆଚରଣ ଓ ଉଚ୍ଚାରଣ ଓ ନିକଟରେ ବ୍ରାଜିଲରେ ଅନୁଷ୍ଠିତ ବ୍ରିକସ୍ ସମ୍ମିଳନୀରେ ଦୁଇ ଦେଶ ନିକଟତର ହେବାର ସୁଯୋଗ। ତେଣୁ କୂଟନୈତିକ ଆବଶ୍ୟକତା ଓ ଭୂ-ରାଜନୈତିକ ବାଧ୍ୟବାଧକତା ଉଭୟ ଦେଶଙ୍କୁ ପାଖାପାଖି ହେବାକୁ ବାଧ୍ୟ କରିଥାଇପାରେ।  ପ୍ରକାଶ ଥାଉ କି ଦୀର୍ଘ ୫ ବର୍ଷର ବ୍ୟବଧାନ ପରେ ଭାରତ ଚୀନ ଅଧିବାସୀମାନଙ୍କୁ ଜୁଲାଇ ୨୪, ୨୦୨୫ରୁ ଭିସା ଦେବା ଲାଗି ଘୋଷଣା କରିଛି। ଉଲ୍ଲେଖଯୋଗ୍ୟ ଯେ ୨୦୨୨ ମସିହାରୁ ଚୀନ ଭାରତୀୟଙ୍କୁ ଭିସା ଦେବା ଆରମ୍ଭ କରିସାରିଥିଲା। ୨୦୨୫ ମସିହା ପ୍ରଥମ ଚାରି ମାସ ମଧ୍ୟରେ ଚୀନ ପ୍ରଦତ୍ତ ଭିସାରେ ୮୫୦୦୦ ଭାରତୀୟ ଚୀନକୁ ଯାଇଛନ୍ତି।  ଭିସା ପ୍ରଦାନ ସେବା ସ୍ୱାଭାବିକ ହେବା ପରେ ଉଭୟ ଦେଶ ମଧ୍ୟରେ ପର‌୍ୟ୍ୟଟନ ଓ ବାଣିଜ୍ୟିକ ସମ୍ପର୍କ ଯେ ବୃଦ୍ଧି ପାଇବ, ଏଥିରେ ସନ୍ଦେହ ନାହିଁ। ତେବେ ‘ଅପରେସନ୍ ସିନ୍ଦୂର’ ସମୟରେ ତୁର୍କୀ ପାକିସ୍ତାନକୁ ସାହାଯ୍ୟ କରିଥିବାରୁ ଦେଶ ଭିତରେ ଆକ୍ରୋଶ ଦେଖା ଦେଇ ଯେଉଁଭଳି ଭାବେ ‘ବୟକଟ୍ ତୁର୍କୀ’ ଅଭିଯାନ ଆରମ୍ଭ ହୋଇଥିଲା, ଚୀନ ପାକିସ୍ତାନକୁ ଅପେକ୍ଷାକୃତ ଅଧିକ ସାହାଯ୍ୟ କରିଥିଲେ ବି ଚୀନ ବିରୁଦ୍ଧରେ ଅନୁରୂପ ଆକ୍ରୋଶ ପ୍ରକାଶ ନ ପାଇବା କେତେ ଦୂର ଗ୍ରହଣୀୟ? ଏହି ଚୟନାତ୍ମକ ଆକ୍ରୋଶ ଦୋହରା ମାପଦଣ୍ଡର ନିଦର୍ଶନ ହୋଇଥିବାରୁ ତାହା ଆମ ଜାତୀୟତା ବିକାଶରେ ସହାୟକ ହୋଇ ନ ପାରେ। ‘ଅପରେସନ୍ ସିନ୍ଦୂର’ ହେବାର ଦୁଇ ମାସ ଭିତରେ ଭାରତ ଓ ଚୀନ ମଧ୍ୟରେ ସମ୍ପର୍କ ସ୍ୱାଭାବିକ ହେବାକୁ ଲାଗିବା ଅନ୍ତତଃ ଗୋଟିଏ କଥାକୁ ଇଙ୍ଗିତ କରୁଛି ଯେ ପୁଞ୍ଜିପତି, ଶିଳ୍ପପତିଙ୍କ ‘ଲବି’ ଅତ୍ୟଧିକ ଶକ୍ତିଶାଳୀ ହୋଇଥିବାରୁ ଅନ୍ତତଃ ସେମାନଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ଲାଗି ଦେଶର ଅର୍ଥନୈତିକ ସ୍ୱାର୍ଥକୁ ସର୍ବାଗ୍ରେ ରଖାଯିବ। ସ୍ଥଳ ବିଶେଷରେ ସାମରିକ ସ୍ୱାର୍ଥ ମଧ୍ୟ ଗୌଣ ହୋଇଯାଇପାରେ। ଭୁଲିଗଲେ ହେବ ନାହିଁ ଯେ ୨୦୨୧ ମସିହାରେ ଗଲୱାନ ସଙ୍କଟ କାରଣରୁ ଭାରତ ଓ ଚୀନ ମଧ୍ୟରେ ତିକ୍ତତା ଅତି ତୀବ୍ର ହୋଇଥିବା ସମୟରେ ମଧ୍ୟ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ପୂର୍ବବତ୍ ଜାରି ରହିଥିଲା। ଏବେ ଯେତେବେଳେ ଚୀନ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବାକୁ ସରକାର ବ୍ୟଗ୍ର, ଦେଶବାସୀ ଆଉ ଚୀନକୁ ଶତୃ ଦେଶ ବୋଲି ବିବେଚନା କରିବା ସମୀଚୀନ କି? ଚୀନରୁ ଆମଦାନୀ ବୃଦ୍ଧି ଯଦି ସରକାରୀ ସ୍ତରରେ ଏକ ବାସ୍ତବତା ରୂପେ ଗ୍ରହଣୀୟ ହୋଇସାରିଛି ତେବେ ଲୋକଙ୍କୁ ଆଉ ଚୀନର ବାଣ, କଣ୍ଢେଇ କିଣିବାରୁ ନିବୃତ୍ତ କରିବାର ଆବଶ୍ୟକତା ଅନୁଭୂତ ହେଉନାହିଁ। ସାମରିକ ଦୃଷ୍ଟିରେ ଶତୃ ଓ ମିତ୍ର ଦେଶର ଅବଧାରଣା ଥାଏ।  କୂଟନୈତିକ ଦୃଷ୍ଟିରେ ମଧ୍ୟ ଦୁଇ ଶ୍ରେଣୀର ଦେଶ ଥାଆନ୍ତି- ବନ୍ଧୁ ରାଷ୍ଟ୍ର ଓ ସମ୍ଭାବ୍ୟ ବନ୍ଧୁ ରାଷ୍ଟ୍ର। ଅର୍ଥାତ୍ କୂଟନୀତିରେ ଶତୃ ରାଷ୍ଟ୍ରର ଅବଧାରଣା ନ ଥାଏ। ସମ୍ଭବତଃ ଭାରତ-ଚୀନ ସମ୍ପର୍କ ଶିଡ଼ି ଚଢ଼ିବା ସ୍ଥିତିକୁ ଆସିବାର ଅର୍ଥ କୂଟନୈତିକ ଦୃଷ୍ଟିରୁ ଚୀନ ଭାରତର ସମ୍ଭାବ୍ୟ ବନ୍ଧୁ ରାଷ୍ଟ୍ରରେ ପରିଣତ ହୋଇଛି!


Published in Sambad on July 29, 2025 


Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

2024ର ଭଲ ଗପ

  2024 ମସିହାର ଭଲ ଗପ ଏ ପର୍ଯ୍ୟନ୍ତ ପାଠକ ଓ ଲେଖକଙ୍କଠାରୁ ମିଳିଥିବା 2024 ମସିହାରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ପାଠକାଦୃତ ଗପର ସୂଚନା ଦିଆଯାଇଛି । ଗପଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କରିବେ । ମୁଁ କେବଳ ଗପଗୁଡ଼ିକ ସମ୍ପର୍କରେ ସୂଚନା ପ୍ରସ୍ତୁତ କରିବି । ଗପଗୁଡ଼ିକ ସମ୍ପର୍କରେ ମୋର କୌଣସି ବ୍ୟକ୍ତିଗତ ମତ ସ୍ଥାନିତ ହେବନାହିଁ । ପଢ଼ିଥିଲେ ଗପ ସମ୍ପର୍କରେ ଆପଣମାନଙ୍କ ମୂଲ୍ୟବାନ ମତାମତ ଜଣାଇବାକୁ ଅନୁରୋଧ । ଯେ କୌଣସି ପାଠକ, ସମ୍ପାଦକ ବା ଲେଖକ ତାଙ୍କୁ ଭଲ ଲାଗିଥିବା ଯେ କୌଣସି ଗପର ସୂଚନା ପ୍ରଦାନ କରିପାରିବେ । ଗପଗୁଡ଼ିକ ହସ୍ତଗତ ହେଲେ ସେଗୁଡ଼ିକ ମଧ୍ୟ ଏହି ତାଲିକା ଅନ୍ତର୍ଭୁକ୍ତ କରାଯିବ । ଲେଖକମାନେ ଚାହିଁଲେ ସେମାନଙ୍କ ଗପଟିକୁ ବଦଳାଇପାରିବେ । ଯୁବ କଥାକାରମାନେ ସେମାନଙ୍କ ଜନ୍ମ ତାରିଖ ଜଣାଇଲେ ସେମାନଙ୍କ ଗପକୁ ନିର୍ଦ୍ଦିଷ୍ଟ ବର୍ଗରେ ରଖାଯାଇପାରିବ । ଭୁଲ ବର୍ଗରେ ଥିଲେ ଜଣାଇବାକୁ ଅନୁରୋଧ । ଲେଖକଙ୍କ ନାମର ଆଦ୍ୟ ଅକ୍ଷର କ୍ରମରେ ଗପଗୁଡ଼ିକ ସଜ୍ଜିତ ହୋଇଛି । ସରଳ କୁମାର ଦାସ ୯୪୩୭୦ ୩୮୦୧୫ saral_das@yahoo.co.in (କ) ଜାନୁଆରୀ ୧ , ୧ ୯ ୮୦ ପରେ ଜନ୍ମ ଗ୍ରହଣ କରିଥିବା ଯୁବ କଥାକାରଙ୍କ ଗଳ୍ପ କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଆନନ୍ଦ କୁମାର ମାଇତି ଦାମ୍ପତ୍ୟ ଝଙ୍କାର ସେପ୍ଟେମ୍ୱର 2 ଗିରିଜା ଶଙ୍କର ମିଶ୍ର ପ୍ୟାଟରସନରେ ସ...

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର...