ଏ ବର୍ଷ ଖରିଫ ଚାଷ ଲାଗି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆବଶ୍ୟକ ପରିମାଣରେ ୟୁରିଆ ସାର ସୁଲଭ ମୂଲ୍ୟରେ ମିଳୁ ନଥିବାରୁ ଚାଷୀମାନେ ହନ୍ତସନ୍ତ ହେଉଥିବାର ଖବରମାନ ନିତି ଶୁଣିବାକୁ ମିଳୁଛି। ଫଳରେ କଳାବଜାରୀ ବୃଦ୍ଧି ହେବା ସହ ଅସାଧୁ ବ୍ୟବସାୟୀମାନେ ଏହି ସୁଯୋଗର ଅପବ୍ୟବହାର କରି ଚାଷୀମାନଙ୍କୁ ଶୋଷଣ କରୁଛନ୍ତି। ସେଭଳି କରୁଥିବା ଅନେକ ବ୍ୟବସାୟୀଙ୍କ ଗୋଦାମକୁ ଇତିମଧ୍ୟରେ ସିଲ୍ କରି ସେମାନଙ୍କୁ ଦଣ୍ଡିତ ମଧ୍ୟ କରାଯାଇଛି। ସାର ସମସ୍ୟା ପ୍ରତି ତୁରନ୍ତ ଧ୍ୟାନ ନ ଦେଲେ ଚାଷକାମରେ ଗୁରୁତର ବିଭ୍ରାଟ ସୃଷ୍ଟି ହେବା ସହ ଏହାଦ୍ୱାରା ଉତ୍ପାଦନ ଓ ଚାଷୀଙ୍କ ଜୀବିକା ପ୍ରଭାବିତ ହେବ ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି। ସେ ଲେଖିଛନ୍ତି ଯେ ୨୦୧୮ ମସିହାରେ ତାଳଚେର ସାର କାରଖାନାର ଶିଳାନ୍ୟାସ ହେବାର ୭ ବର୍ଷ ପରେ ମଧ୍ୟ ସେଠାରୁ ଉତ୍ପାଦନ ହୋଇ ପାରିନାହିଁ, ଯାହା ପରିତାପର ବିଷୟ। ଏଣୁ ନିଃସନ୍ଦେହ କୁହାଯାଇପାରେ ଯେ ଏହା ପଛର କାରଣଗୁଡ଼ିକୁ ଅନୁଧ୍ୟାନ କରି ଦୀର୍ଘମିଆଦି ପଦକ୍ଷେପ ନିଆଯିବା ନିତାନ୍ତ ଆବଶ୍ୟକ।
କେବଳ ଓଡ଼ିଶା ନୁହେଁ ଏ ବର୍ଷ ପଞ୍ଜାବ, ଉତ୍ତର ପ୍ରଦେଶଠାରୁ ଆରମ୍ଭ କରି ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ ସମେତ ଭାରତର ପ୍ରାୟ ସବୁ ପ୍ରମୁଖ ଧାନ ଉତ୍ପାଦନକାରୀ ରାଜ୍ୟରେ ଖରିଫ ଋତୁରେ ୟୁରିଆର ଉତ୍କଟ ଅଭାବ ଦେଖାଦେଇଛି। ୨୦୨୪-୨୫ରେ ୟୁରିଆର ଚାହିଦା ପ୍ରାୟ ୩୮୫ ଲକ୍ଷ ଟନ୍ ଥିବାବେଳେ ବିଦେଶରୁ ପ୍ରାୟ ୫୫ ଲକ୍ଷ ଟନ୍ ଆମଦାନୀ ହୋଇଥିଲା। ଆମଦାନୀ ପରିମାଣ ପୂର୍ବ ବର୍ଷ ତୁଳନାରେ ପ୍ରାୟ ୧୨.୭ ପ୍ରତିଶତ ହ୍ରାସ ପାଇଥିଲା। ଭାରତ ମୁଖ୍ୟତଃ ଓମାନ, ଚୀନ, କାତାର, ରୁଷିଆ, ସାଉଦି ଆରବ ଓ ୟୁଏଇଠାରୁ ୟୁରିଆ ଆମଦାନୀ କରିଥାଏ। ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଓ ଇରାନ୍-ଇସ୍ରାଏଲ ଉତ୍ତେଜନା ଯୋଗୁଁ ଯୋଗାଣ ଶୃଙ୍ଖଳ ବ୍ୟାହତ ହୋଇ ୟୁରିଆ ଆମଦାନୀ ବାଧାପ୍ରାପ୍ତ ହୋଇଛି। ଅନ୍ୟ ପକ୍ଷରେ ୨୦୨୪ ମସିହା ଜୁନ୍ ମାସରୁ ଚୀନ ଭାରତକୁ ୟୁରିଆ ରପ୍ତାନୀ ଉପରେ କଟକଣା ଲଗାଇଛି। ଅବଶ୍ୟ ନିକଟରେ ଭାରତ ଚୀନ ମଧ୍ୟରେ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେଉଥିବାରୁ ଏହି କଟକଣା କୋହଳ ହୋଇ ଚୀନରୁ ପୁନର୍ବାର ଭାରତକୁ ୟୁରିଆ ରପ୍ତାନୀ ହେବାର ଆଶା ଉଜ୍ଜ୍ୱଳ ହୋଇଛି। ୨୦୨୬ ଆର୍ଥିକ ବର୍ଷରେ ସାର ପାଇଁ ସବସିଡିର ପରିମାଣ ପୂର୍ବ ବର୍ଷର ୧.୮୮ ଲକ୍ଷ କୋଟି ଟଙ୍କାରୁ ୧.୭୧ ଲକ୍ଷ କୋଟି ଟଙ୍କାକୁ ହ୍ରାସ କରାଯାଇଛି। ଏତିକିବେଳେ ଆନ୍ତର୍ଜାତୀୟ ବଜାରରେ ୟୁରିଆର ଦର ହୁ ହୁ ହୋଇ ବଢ଼ି ଚାଲିଛି। ୨୦୨୫ ମସିହା ଫେବୃଆରି ମାସ ଏହାର ଟନ୍ ପିଛା ଦର ୫୪୭ ଡଲାର ଥିବାବେଳେ ତାହା ଜୁଲାଇ ମାସରେ ୬୩୦ ଡଲାରକୁ ବଢ଼ିଯାଇଥିଲା। ବର୍ଷକ ମଧ୍ୟରେ ଆନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ପ୍ରାୟ ୩୦ ପ୍ରତିଶତ ବୃଦ୍ଧି ପାଇଛି। ତେଣୁ ବିଦେଶରୁ ଉଚ୍ଚା ଦରରେ ଅଧିକ ପରିମାଣରେ ୟୁରିଆ ଆମଦାନୀ ଏଡ଼ାଇବାକୁ ହେଉଛି। ଅନ୍ୟ ପକ୍ଷରେ ଦେଶରେ ୟୁରିଆ ଉତ୍ପାଦନ ପାଇଁ ଆବଶ୍ୟକ ହେଉଥିବା ପ୍ରାକୃତିକ ଗ୍ୟାସର ବହୁଳାଂଶ ବିଦେଶରୁ ଆମଦାନୀ ହୋଇଥାଏ ଓ ଏହାର ମୂଲ୍ୟ ବୃଦ୍ଧି କାରଣରୁ ଦେଶରେ ମଧ୍ୟ ୟୁରିଆ ଉତ୍ପାଦନ ଖର୍ଚ୍ଚ ଯଥେଷ୍ଟ ବୃଦ୍ଧି ପାଇଛି। ଫଳରେ ଭାରତୀୟ କମ୍ପାନିଗୁଡ଼ିକ ବି ଏହାର ଉତ୍ପାଦନ ହ୍ରାସ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଦେଶରେ ୟୁରିଆ ଉତ୍ପାଦନ ବୃଦ୍ଧି ପାଇଥିଲେ ବି ୨୦୨୫ ମସିହା ଏପ୍ରିଲରୁ ଜୁଲାଇ ୪ ମାସ ମଧ୍ୟରେ ଉତ୍ପାଦନ ପରିମାଣ ୯୩.୬ ଲକ୍ଷ ଟନ ଥିଲା, ଯାହା ପୂର୍ବ ବର୍ଷର ଏହି ସମୟର ଉତ୍ପାଦନ ତୁଳନାରେ ପ୍ରାୟ ୮.୫ ଲକ୍ଷ ଟନ କମ। ତେଣୁ ୟୁରିଆ ଉତ୍ପାଦନ କ୍ଷେତ୍ରରେ ୨୦୨୫-୨୬ ସୁଦ୍ଧା ଦେଶ ଆତ୍ମନିର୍ଭରଶୀଳ ହେବାର ଲକ୍ଷ୍ୟ ଧାର୍ୟ୍ୟ ହୋଇଥିଲେ ବି ତାହା ହାସଲ ହେବାର ସମ୍ଭାବନା କ୍ଷୀଣ। ତେଣୁ ଅଧିକ ମୂଲ୍ୟରେ ବିଦେଶରୁ ୟୁରିଆ ଆମଦାନୀ ଚାଲୁ ରହିବା ଅବଶ୍ୟମ୍ଭାବୀ। ଗତ ବର୍ଷ ଅଗଷ୍ଟ ୧ ତାରିଖରେ ଦେଶରେ ଗଚ୍ଛିତ ୟୁରିଆ ସାରର ପରିମାଣ ୮୬.୪୩ ଲକ୍ଷ ଟନ୍ ଥିଲା। ଚାହିଦାବୃଦ୍ଧି ସହିତ ଆମଦାନୀ ଓ ଉତ୍ପାଦନ ହ୍ରାସ ଯୋଗୁଁ ଏ ବର୍ଷ ଅଗଷ୍ଟ ୧ ତାରିଖରେ ତାହା ୩୭.୧୯ ଲକ୍ଷ ଟନକୁ ହ୍ରାସ ପାଇଛି, ଯାହା ଅଧାରୁ ଅଧିକ।
ଓଡ଼ିଶାରେ ଚଳନ୍ତି ୟୁରିଆ ସଙ୍କଟ କଥା ଆଲୋଚନା କରିବା ପୂର୍ବରୁ ଆସନ୍ତୁ ଚାଷୀଙ୍କ ଦୁର୍ଦ୍ଦଶାର କେତୋଟି ଚିତ୍ରର ଅବଲୋକନ କରିବା। ଅଧିକାଂଶ ସମିତିରେ ୟୁରିଆ ବସ୍ତା ପିଛା ଧାର୍ଯ୍ୟ ମୂଲ୍ୟ ୨୬୭ ଟଙ୍କା ସ୍ଥଳେ ଚାଷୀଟିଏ ୩୦୦ ଟଙ୍କା ଦେଇ କିଣୁଥିବାର ଅଭିଯୋଗ ହେଉଛି। ସମିତିରୁ ପର୍ଯ୍ୟାପ୍ତ ପରିମାଣରେ ୟୁରିଆ ମିଳୁ ନଥିବାରୁ ସେମାନେ ଘରୋଇ ସାର ବିକ୍ରେତାଙ୍କ ଦ୍ୱାରସ୍ଥ ହୋଇ ଅତିରିକ୍ତ କଳାବଜାରର ଶିକାର ହେଉଛନ୍ତି। ସ୍ଥଳ ବିଶେଷରେ ସେମାନେ ବସ୍ତା ପିଛା ୬୦୦ ଟଙ୍କା ବା ଅଧିକ ଦିଅନ୍ତି। କେହି କେହି ବିକ୍ରେତା ଅତ୍ୟଧିକ ଦର ନ ହାଙ୍କି ୟୁରିଆ ସହିତ ନାନୋ ୟୁରିଆ, ନାନୋ ଡିଏପି ସାର କିଣିବାକୁ ବାଧ୍ୟ କରନ୍ତି। ଫଳରେ ଚାଷୀମାନଙ୍କୁ ଅଯଥା ଓ ଅନିଚ୍ଛାକୃତ ତଣ୍ଡ ଗଣିବାକୁ ପଡ଼ୁଛି। ଏହାଦ୍ୱାରା ଅଧିକ ହଇରାଣ ହେଉଛନ୍ତି କିଛି ଭାଗଚାଷୀ।
ଧାନ, ମକା ଓ ଆଖୁ ଚାଷରେ ୟୁରିଆ ସାର ଅଧିକ ଆବଶ୍ୟକ। ଏ ବର୍ଷ ଭଲ ମୌସୁମୀ ବର୍ଷା କାରଣରୁ ଚାଷୀମାନେ ଧାନ ଓ ଆଖୁ ଚାଷ ପ୍ରତି ବିଶେଷ ଆଗ୍ରହ ଦେଖାଉଛନ୍ତି। କେବଳ ସେତିକି ନୁହେଁ ଅନ୍ୟ ଶସ୍ୟ ତୁଳନାରେ ଧାନର ବ୍ୟବସ୍ଥିତ ସଂଗ୍ରହ ଚାଷୀମାନଙ୍କୁ ଧାନଚାଷ ପ୍ରତି ଅଧିକ ଆକୃଷ୍ଟ କରିଥାଏ। ଏପରି ସ୍ଥଳେ ୟୁରିଆର ଆବଶ୍ୟକତା ଆଶାତୀତ ଭାବେ ବଢ଼ିଛି। ତେଣୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାରର ଉତ୍କଟ ସଙ୍କଟ ଦେଖାଦେଇଛି । ତଥାପି ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ସାର ମହଜୁଦ ଅଛି ବୋଲି ସରକାରଙ୍କ ତରଫରୁ ବାରମ୍ୱାର କୁହାଯାଉଛି ସିନା, ଚାଷୀଙ୍କୁ ଯଥେଷ୍ଟ ପରିମାଣର ସାର ଉପଲବ୍ଧ ହେଉନାହିଁ, ଯାହାର ଅର୍ଥ ବ୍ୟବସ୍ଥା ତ୍ରୁଟିପୂର୍ଣ୍ଣ, ଅପାରଗ ଓ ଦୁର୍ନୀତିଗ୍ରସ୍ତ ବୋଲି ଧାରଣା ହେଉଛି। ପ୍ରଶ୍ନ ଉଠୁଛି ଯେ ବେଳହୁଁ ଅବ୍ୟବସ୍ଥାକୁ ଚିହ୍ନଟ କରି ତାହା ଦୂର କରାଯାଇପାରିଲା ନାହିଁ କାହିଁକି? ଏବେ ‘ପର୍ଯ୍ୟାପ୍ତ’ର ଅର୍ଥ ତର୍ଜମା କରିବା। ସର୍ବଭାରତୀୟ ସ୍ତରରେ ଏକର ପିଛା ହାରାହାରି ୫୬ କିଲୋଗ୍ରାମ ରାସାୟନିକ ସାର ପ୍ରୟୋଗ ହେଉଥିଲା ବେଳେ ଓଡ଼ିଶାରେ ତାହା ମାତ୍ର ୨୩ କିଲୋଗ୍ରାମ, ବା ଅଧାରୁ କମ୍। ଏହି କାରଣରୁ ଓଡ଼ିଶାକୁ ଅନ୍ୟ ଅନେକ ରାଜ୍ୟ ତୁଳନାରେ ଯଥେଷ୍ଟ କମ୍ ପରିମାଣର ସାର ଆବଣ୍ଟିତ ହୋଇଥାଏ। ତଦନୁଯାୟୀ ଏ ବର୍ଷ ଓଡ଼ିଶାକୁ ୯.୫୫ ଲକ୍ଷ ଟନ୍ ସାର ଆବଣ୍ଟିତ ହୋଇଛି। ତେବେ ଇତିମଧ୍ୟରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳଗୁଡ଼ିକରେ ମଧ୍ୟ ରାସାୟନିକ ସାରର ପ୍ରୟୋଗ ବଢ଼ୁଥିବାରୁ ଓଡ଼ିଶାକୁ ହେଉଥିବା ସାର ଆବଣ୍ଟନ ପର୍ଯ୍ୟାପ୍ତ ବୋଲି ମନେ ହୁଏନାହିଁ। ତେଣୁ ବାସ୍ତବ ସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ଅଧିକ ସାର ଯୋଗାଣ ପାଇଁ କେନ୍ଦ୍ର ସରକାରଙ୍କୁ ଅବଗତ ଓ ଅନୁରୋଧ କରାଯିବା ଆବଶ୍ୟକ।
ଭାରତ ସରକାର ନାନୋ ୟୁରିଆ ଓ ନାନୋ ଡିଏପିର ବ୍ୟବହାର ବଢ଼ାଇବା ଉପରେ ଗୁରୁତ୍ୱ ଦେଉଛନ୍ତି। ୫୦୦ ମିଲିଲିଟର ବିଶିଷ୍ଟ ବୋତଲରେ ଥିବା ତରଳ ନାନୋ ୟୁରିଆକୁ ୧୨୫ ଲିଟର ପାଣି ମିଶାଇ ଗୋଟିଏ ଏକର ଜମିରେ ସିଞ୍ଚନ କରାଯାଇଥାଏ। ଗୋଟିଏ ୪୫ କେଜି ୟୁରିଆ ବସ୍ତା ସାରର କାମ ଯାହା ଗୋଟିଏ ନାନୋ ୟୁରିଆ ବୋତଲର କାମ ସେଇୟା ବୋଲି କୁହାଯାଉଛି। ତେଣୁ ନାନୋ ୟୁରିଆ ସାରର ବ୍ୟବହାର ବଢ଼ିଲେ ୟୁରିଆ ସାରର ଆବଶ୍ୟକତା ହ୍ରାସ ପାଇବ। ହେଲେ ଏହାର ଉପଯୁକ୍ତ ବ୍ୟବହାର ପାଇଁ ଚାଷୀଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରାଯାଇପାରିନାହିଁ। ଆଗରୁ କୁହାଯାଇଥିବା ଭଳି କେତେକ ଘରୋଇ ସାର ବିକ୍ରେତାଙ୍କଠାରୁ ଚାଷୀମାନେ ବାଧ୍ୟବାଧକତାରେ ନାନୋ ୟୁରିଆ ଆଣୁଥିବା ଏହାର ପ୍ରମାଣ। ଅନେକ ଚାଷୀଙ୍କୁ ଭିଟାମିନ୍ ବୋଲି କହି ନାନୋ ୟୁରିଆ ଦିଆଯାଉଛି। କେହି କେହି ସେହି ତରଳ ୟୁରିଆକୁ ବ୍ୟବହାର ନ କରି ବୋତଲଗୁଡ଼ିକୁ ସେହିପରି ରଖିଥିବା ବେଳେ ଆଉ କେହି କେହି ଔଷଧ ସିଞ୍ଚନ ବେଳେ ସେଥିରେ ମିଶାଉଥିବାର ଜଣାପଡ଼ୁଛି। ଏହି ତରଳ ୟୁରିଆକୁ ଡ୍ରୋନ୍ ଯୋଗେ ସିଞ୍ଚନ କରାଯାଇପାରିଲେ ବିସ୍ତୃତ ଅଞ୍ଚଳରେ ନାନୋ ୟୁରିଆର ବ୍ୟବହାର ବଢ଼ି ୟୁରିଆର ଚାହିଦା କମ ହୁଅନ୍ତା। ଏଥିପାଇଁ ୨୦୨୩-୨୪ରୁ ୨୦୨୫-୨୬ ମସିହା ୩ ବର୍ଷ ମଧ୍ୟରେ ଦେଶରେ 'ଡ୍ରୋନ୍ ଦିଦି' କାର୍ଯ୍ୟକ୍ରମ ମାଧ୍ୟମରେ ୧୫୦୦୦ ଡ୍ରୋନ ଦିଦି ସୃଷ୍ଟି କରିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ତହିଁରୁ ଓଡ଼ିଶା ପାଇଁ ୪୭୩ ଡ୍ରୋନ ଦିଦିଙ୍କ ଲକ୍ଷ୍ୟ ଥିଲେ ବି ଏ ଯାଏଁ ମାତ୍ର ୧୬ ଜଣ ଡ୍ରୋନ ଦିଦି କାର୍ଯ୍ୟ କରୁଥିବାର ସୂଚନା ମିଳେ।
ଧାନ ଚାଷର ଉତ୍ପାଦକତା ଉପରେ ନାନୋ ସାରର ପ୍ରଭାବକୁ ନେଇ ହୋଇଥିବା କେତେକ ଅଧ୍ୟୟନରୁ ଜଣାପଡ଼ୁଛି ଯେ ଏହା ମିଶ୍ରିତ ଫଳ ଦେଉଛି। ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟର ଅଧ୍ୟୟନରୁ ନାନୋ ୟୁରିଆ ସାରର ପ୍ରୟୋଗ ପରେ ଧାନ ଉତ୍ପାଦନ ହ୍ରାସ ପାଉଥିବା କଥା ଜଣାପଡ଼ୁଥିବା ବେଳେ ତାମିଲନାଡୁ କୃଷି ବିଶ୍ୱ ବିଦ୍ୟାଳୟର ଅଧ୍ୟୟନ ଏହାର ବିପରୀତ କଥାଟି କହିଛି। ପ୍ରୟୋଗ ବିଧି, ସାନ୍ଦ୍ରତା, ଜଳବାୟୁ, ମୃତ୍ତିକାରେ ଭିନ୍ନତା ଏହି ମିଶ୍ରିତ ଫଳାଫଳର କାରଣ ହୋଇପାରେ। ତେବେ, ବିଭିନ୍ନ ଅଞ୍ଚଳରେ ଅଧିକ ଅଧ୍ୟୟନ ନକରି ନାନୋ ୟୁରିଆର ବ୍ୟବହାରକୁ ଚାଷୀଙ୍କ ଉପରେ ଲଦିଦିଆଯିବା ମଧ୍ୟ ଅନୁଚିତ, ଯାହା ବିରୋଧରେ ଚାଷୀମାନେ ସ୍ୱର ଉତ୍ତୋଳନ କଲେଣି। ତେଣୁ ଆମ ରାଜ୍ୟର କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ସାରର ଫଳପ୍ରଦତା ନେଇ ଅଧ୍ୟୟନର ଆବଶ୍ୟକତା ରହିଛି। ଏଣେ ଏପରି ଏକ ଧାରଣା ମଧ୍ୟ ସୃଷ୍ଟି କରାଗଲାଣି ଯେ ନାନୋ ୟୁରିଆକୁ ପ୍ରୋତ୍ସାହିତ କରିବା ପାଇଁ ୟୁରିଆ ସାରର କୃତ୍ରିମ ଅଭାବ ସୃଷ୍ଟି କରାଯାଉଛି, ଯାହା ଠିକ୍ ହୋଇନପାରେ।
ସାର କମ୍ପାନିଗୁଡ଼ିକ ମାର୍କଫେଡକୁ ୫୦ ପ୍ରତିଶତ ୟୁରିଆ ସାର ଦେଉଥିବା ବେଳେ ଆଉ ୫୦ ପ୍ରତିଶତ ଘରୋଇ ବିକ୍ରେତାଙ୍କୁ ଦେଉଛନ୍ତି। ‘ମାର୍କଫେଡ’ ପକ୍ଷରୁ ସମିତିଗୁଡ଼ିକୁ ସାର ଯୋଗାଇ ଦିଆଯାଉଥିବାରୁ ଓ ଅଧିକ ଚାଷା ସାର ପାଇଁ ସମିତି ଉପରେ ନିର୍ଭରଶୀଳ ଥିବାରୁ କମ୍ପାନିଗୁଡ଼ିକ ମାର୍କଫେଡକୁ ଅଧିକ ପ୍ରତିଶତ ୟୁରିଆ ସାର ଯୋଗାଇ ଦେବା ନିଶ୍ଚିତ କରାଯିବା ଉଚିତ। ରାଜ୍ୟର ସମସ୍ତ ସାରଗୋଦାମରେ ସିସିଟିଭି ଯୋଗେ ନିରୀକ୍ଷଣର ବ୍ୟବସ୍ଥା ରହିବାକୁ ବାଧ୍ୟତାମୂଳକ କରାଯିବା ଆବଶ୍ୟକ। ଏଥିସହିତ ଗୋଦାମକୁ ଆସୁଥିବା ଓ ଯାଉଥିବା ଯାନବାହନଗୁଡ଼ିର ଜିପିଏସ ମାଧ୍ୟମରେ ନଜର ରଖାଯିବା ଆବଶ୍ୟକ। ଫଳରେ ସାରର କଳାବଜାର ଯଥେଷ୍ଟ ହ୍ରାସ ପାଇବ।
ଧାନ ସଂଗ୍ରହରେ ବିଭ୍ରାଟ ହେଉ ବା ସାର ମିଳିବାରେ ଅସୁବିଧା, କୃଷି କ୍ଷେତ୍ରରେ ଯେତେବେଳେ ସଙ୍କଟ ଦେଖାଦିଏ ସରକାର ପ୍ରଥମେ ତାକୁ ଅସ୍ୱୀକାର କରିବାର ପ୍ରଚେଷ୍ଟା କରନ୍ତି। ସମସ୍ୟା ଉତ୍କଟ ହୋଇ ଚାଷୀମାନେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଲେ ଯାଇ ସମସ୍ୟା ପ୍ରତି ସରକାରଙ୍କ ଦୃଷ୍ଟି ପଡ଼େ ଓ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକମାନ ଅନୁଷ୍ଠିତ ହୋଇଥାଏ। ତଦ୍ଦ୍ୱାରା ବେଳେବେଳେ ଚାଷୀମାନେ ଅତ୍ୟଧିକ କ୍ଷତିର ସମ୍ମୁଖୀନ ହୋଇଥା'ନ୍ତି। ଏ ସନ୍ଦର୍ଭରେ ଏକ ମତ ହେଲା ନିୟମିତ ଆଧାରରେ ଚାଷର ବାସ୍ତବ ସ୍ଥିତି, ଚାଷୀ ସମସ୍ୟା, ଚାଷୀମାନଙ୍କ ଷୋଷଣ ଆଦି ବିଷୟରେ ଜାଣିବା ନିମନ୍ତେ ଏକ କୃଷି ଗୁଇନ୍ଦା ସଂସ୍ଥାର ଗଠନ କଥା ରାଜ୍ୟ ସରକାର ବିଚାର କରିପାରନ୍ତି, ଯାହା କୃଷି ଓ ସମବାୟ ବିଭାଗ ଅଧୀନରେ ନ ରହି ସ୍ୱତନ୍ତ ଭାବେ କାର୍ୟ୍ୟ କରିବ। ଏହାର ଗୁପ୍ତ ରିପୋର୍ଟ ସରକାରଙ୍କୁ ଯେ କୌଣସି କୃଷିଭିତ୍ତିକ ସମସ୍ୟା ସମ୍ପର୍କରେ ପୂର୍ବରୁ ଅବହିତ କରାଇବ। ଯଦି ଏଭଳି ଏକ ସଂସ୍ଥା ଗଢ଼ାଯାଏ, ତେବେ ତାହା ଦେଶରେ ଏଭଳି ପ୍ରଥମ ସଂସ୍ଥା ରୂପେ ଦୃଷ୍ଟାନ୍ତ ସ୍ଥାପନକାରୀ ମଧ୍ୟ ହେବ।
Published in Sambad on September 9, 2025.
Comments
Post a Comment