ଗତ ୩ ବର୍ଷ ଧରି ଭାରତ ରୁଷିଆ ନିକଟରୁ ବିପୁଳ ପରିମାଣରେ ଅଶୋଧିତ ତେଲ ଆମଦାନୀ କରୁଛି। ହେଲେ ରୁଷିଆ ଉପରେ ଆମେରିକା ଓ ୟୁରୋପୀୟ ୟୁନିଅନ ଦେଶସମୂହର କଟକଣା ଥିଲାବେଳେ ଭାରତ ରୁଷିଆ ନିକଟରୁ ତେଲ କିଣି ତାକୁ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ କରିବାକୁ ସେହି ଦେଶଗୁଡ଼ିକ ସହଜରେ ଗ୍ରହଣ କରିପାରୁନାହାନ୍ତି। ପ୍ରତିକ୍ରିୟା ସ୍ୱରୂପ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ରୁଷିଆକୁ ଚେତାବନୀ ଦେଇଛନ୍ତି ଯେ ଆଗାମୀ ୫୦ ଦିନ ମଧ୍ୟରେ ରୁଷିଆ ଯଦି ୟୁକ୍ରେନ ଯୁଦ୍ଧ ବନ୍ଦ ନ କରେ ତେବେ ତା’ ନିକଟରୁ ତେଲ ସମେତ ବିଭିନ୍ନ ସାମଗ୍ରୀ ଆମଦାନୀ କରୁଥିବା ଦେଶଗୁଡ଼ିକ ଉପରେ ଆମେରିକା ଅତିରିକ୍ତ ୧୦୦ ପ୍ରତିଶତ ଶୁଳ୍କ ଲଗାଇବାକୁ ବାଧ୍ୟ ହେବ। ପରୋକ୍ଷରେ ଭାରତକୁ ରୁଷିଆ ନିକଟରୁ ତେଲ କିଣିବାରୁ କ୍ଷାନ୍ତ ରହିବା ଲାଗି ଚେତେଇ ଦିଆଯାଇଛି। ଅଧିକନ୍ତୁ ୟୁରୋପୀୟ ୟୁନିଅନ ଦେଶଗୁଡ଼ିକ ତରଫରୁ ନୂଆ କଟକଣା ଜାରି କରି ସୂଚାଇ ଦିଆଯାଇଛି ଯେ ରୁଷିଆର ଅଶୋଧିତ ତେଲ କୌଣସି ତୃତୀୟ ଦେଶରେ ବିଶୋଧିତ ହୋଇଥିଲେ ତାହା ଆମଦାନୀ କରାଯାଇପାରିବ ନାହିଁ। ଫଳରେ ଭାରତରୁ ଯୁରୋପୀୟ ଦେଶଗୁଡ଼ିକୁ ରପ୍ତାନୀ ହେଉଥିବା ପ୍ରାୟ ୧୫୦୦ କୋଟି ଡଲାର ମୂଲ୍ୟର ପେଟ୍ରୋଲିଅମ ଜାତ ପଦାର୍ଥର ରପ୍ତାନୀ ବାଧିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ରୁଷିଆରୁ ତେଲ ଆମଦାନୀ ବନ୍ଦ ହେଲେ ତା’ର ଭାରତ ଉପରେ ସମ୍ଭାବ୍ୟ ପ୍ରତିକୂଳ ପ୍ରଭାବ ସମ୍ପର୍କରେ ଆଲୋଚନା କରାଯାଉ।
୨୦୨୨ ମସିହା ଫେବୃଆରୀ ମାସ ରୁଷିଆ ୟୁକ୍ରେନକୁ ଆକ୍ରମଣ କରିବା ପରେ ଆମେରିକା ଏବଂ ୟୁରୋପୀୟ ୟୁନିଅନର ଦେଶସମୂହ ରୁଷିଆକୁ ଆର୍ଥିକ ଦୃଷ୍ଟିରୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ତା’ ଉପରେ ବିଭିନ୍ନ ପ୍ରକାର କଟକଣା ଲଗାଇଥିଲେ। ତନ୍ମଧ୍ୟରୁ ରୁଷିଆରୁ ତେଲ ଓ ଗ୍ୟାସ ଆମଦାନୀ ଉପରେ କଟକଣା ଥିଲା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ରୁଷିଆ ହେଉଛି ଆମେରିକା ଓ ସାଉଦି ଆରବ ପଛକୁ ବିଶ୍ୱର ତୃତୀୟ ସର୍ବ ବୃହତ୍ ତୈଳ ଓ ଗ୍ୟାସ ଉତ୍ପାଦନକାରୀ ଦେଶ। ଏଠାରେ ଦୈନିକ ପ୍ରାୟ ୧ କୋଟି ବ୍ୟାରେଲ ତେଲ ଉତ୍ପାଦିତ ହୋଇଥାଏ ଯାହା ବିଶ୍ୱର ଦୈନିକ ତୈଳ ଉତ୍ପାଦନର ପ୍ରାୟ ୧୨ ପ୍ରତିଶତ। ଏହା ବିଶ୍ୱର ଅନ୍ୟତମ ବୃହତ୍ ତୈଳ ରପ୍ତାନୀକାରୀ ଦେଶ ଅଟେ। ରୁଷିଆ-ୟୁକ୍ରେନ ଯୁଦ୍ଧ ପୂର୍ବରୁ ରୁଷିଆ ଉତ୍ପାଦିତ ତେଲର ୬୦ ପ୍ରତିଶତ ୟୁରୋପୀୟ ଦେଶଗୁଡ଼ିକୁ ଓ ୨୦ ପ୍ରତିଶତ ଚୀନକୁ ରପ୍ତାନୀ ହେଉଥିଲା। ଆମେରିକା ମଧ୍ୟ ରୁଷିଆରୁ କିଛି ପରିମାଣରେ ଅଶୋଧିତ ତେଲ ଆମଦାନୀ କରୁଥିଲା। ତେଲ ରପ୍ତାନୀରୁ ରୁଷିଆ ବାର୍ଷିକ ପ୍ରାୟ ୧୬୦୦୦ କୋଟି ଡଲାର ରୋଜଗାର କରିଥାଏ। ରାଷ୍ଟ୍ରପତି ପୁଟିନ ତେଲରୁ ମିଳୁଥିବା ବିପୁଳ ପରିମାଣର ଅର୍ଥକୁ ଯୁଦ୍ଧରେ ବିନିଯୋଗ କରୁଥିବାର ଆଶଙ୍କା ହିଁ ରୁଷିଆ ଉପରେ କଟକଣା ଲଗାଯିବାର କାରଣ।
ଅନ୍ୟ ପକ୍ଷରେ ଭାରତ ହେଉଛି ବିଶ୍ୱର ତୃତୀୟ ସର୍ବବୃହତ୍ ତୈଳ ଆମଦାନୀକାରୀ ଦେଶ। ଏହା ବିଶ୍ୱ ବଜାରରୁ ଦୈନିକ ପ୍ରାୟ ୫୦ ଲକ୍ଷ ବ୍ୟାରେଲ ଅଶୋଧିତ ତେଲ ଆମଦାନୀ କରିଥାଏ, ଯାହା ଏଠାକାର ତୈଳ ବିଶୋଧନାଗାରଗୁଡ଼ିକରେ ବିଶୋଧିତ ହୋଇ ବଜାରରେ ବିକ୍ରି ପାଇଁ ଉପଲବ୍ଧ ହେବା ସହ ରପ୍ତାନୀ ମଧ୍ୟ କରାଯାଇଥାଏ। ପାରମ୍ପରିକ ଭାବେ ତେଲ ଆମଦାନୀ ପାଇଁ ଭାରତ ମୁଖ୍ୟତଃ ମଧ୍ୟ-ପ୍ରାଚ୍ୟର ଦେଶଗୁଡ଼ିକ ଉପରେ ନିର୍ଭର କରୁଥିଲା। ତେବେ ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଲାଗିବା ପରେ ରପ୍ତାନୀ କଟକଣା ଯୋଗୁଁ ରୁଷିଆ ତା’ର ଉଦବୃତ୍ତ ଅଶୋଧିତ ତେଲକୁ ବିକ୍ରି କରିବା ପାଇଁ ନୂତନ ବଜାରର ସନ୍ଧାନରେ ଥିଲା। ଆର୍ଥିକ ଦୃଷ୍ଟିରୁ ରୁଷିଆକୁ କ୍ଷତି ପହଞ୍ଚାଇବା ଲାଗି କଟକଣାର ଅନ୍ୟ ଏକ ସର୍ତ୍ତ ଥିଲା ଯେ ରୁଷିଆର ତେଲ ବିଶ୍ୱବଜାରରେ ବ୍ୟାରେଲ ପିଛା ୬୦ ଡଲାରରୁ ଅଧିକ ଦରରେ ବିକ୍ରି କରିପାରିବ ନାହିଁ। ତେଣୁ ତେଲ ଉପରେ ଛାଡ଼ ପ୍ରଦାନ କରି ରୁଷିଆ ଅନ୍ତର୍ଜାତୀୟ ଦରଠାରୁ କମ ଦରରେ ଭାରତକୁ ଯୋଗାଇବାକୁ ପ୍ରସ୍ତୁତ ହେଲା। ରୁଷିଆର ତେଲ ବ୍ୟାରେଲ୍ ପିଛା ପ୍ରାୟ ୧୦ରୁ ୧୫ ଡଲାର ଶସ୍ତାରେ ମିଳୁଥିବାରୁ ରୁଷିଆରୁ ତେଲ ଆମଦାନୀ କରିବା ମଧ୍ୟ ଭାରତ ପାଇଁ ବିଭିନ୍ନ ଦିଗରୁ ଆକର୍ଷଣୀୟ ଥିଲା।
ଭାରତର ସମୁଦାୟ ରପ୍ତାନୀର ପ୍ରାୟ ପାଞ୍ଚ ଭାଗରୁ ଭାଗେ ବିଶୋଧିତ ପେଟ୍ରୋଲଜାତ ଦ୍ରବ୍ୟ ରପ୍ତାନୀରୁ ମିଳିଥାଏ। ଦେଶରେ ଥିବା ୨୨ଟି ତୈଳ ବିଶୋଧନାଗାର ମଧ୍ୟରୁ ୧୮ଟି ସରକାରୀ ନିୟନ୍ତ୍ରଣରେ ଅଛି। ମାତ୍ର ରୁଷିଆରୁ ଆସୁଥିବା ଅଶୋଧିତ ତେଲରେ ପ୍ରାୟତଃ ସଲଫରର ପରିମାଣ ଅଧିକ। ଏହାର ସିଂହଭାଗ ଗୁଜରାଟସ୍ଥିତ ମୁକେଶ ଆମ୍ୱାନୀଙ୍କ ‘ରିଲାଏନ୍ସ ଇଣ୍ଡଷ୍ଟ୍ରିଜ’ର ଜାମନଗର ବିଶୋଧନାଗାର ଓ ‘ନାୟରା ଏନର୍ଜି’ କମ୍ପାନୀର ବଡ଼ିନାର ବିଶୋଧନାଗାରରେ ବିଶୋଧିତ ହୋଇଥାଏ। କେବଳ ତାହା ନୁହେଁ, ସେହି ତେଲ ସେଠାରେ ବିଶୋଧିତ ହେଲା ପରେ ସେଠାରୁ ପେଟ୍ରୋଲ, ଡିଜେଲ, ଓ ଅନ୍ୟାନ୍ୟ ପେଟ୍ରୋଲିଅମଜାତ ପଦାର୍ଥ ୟୁରୋପୀୟ ଦେଶଗୁଡ଼ିକ ସମେତ ବିଭିନ୍ନ ଦେଶକୁ ରପ୍ତାନୀ କରାଯାଉଛି। ଏହାଦ୍ୱାରା ‘ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍’ ଓ ‘ନାୟରା ଏନର୍ଜି’ କମ୍ପାନୀ ଦୁଇଟି ଯଥେଷ୍ଟ ଲାଭବାନ ହେଉଛନ୍ତି। ‘ନାୟରା ଏନର୍ଜି’ର ମାଲିକାନାରେ ରୁଷିଆର ‘ରସନେଫ୍ଟ’ କମ୍ପାନୀର ସମ୍ପୃକ୍ତି ରହିଥିବାର ଅଭିଯୋଗ ହୁଏ। ସେହିପରି ‘ରସନେଫ୍ଟ’ ଓ ‘ରିଲାଏନ୍ସ ଇଣ୍ଡଷ୍ଟିଜ୍’ ମଧ୍ୟରେ ଅଶୋଧିତ ତେଲ ଯୋଗାଣ ଓ ବିଶୋଧନର ଏକ ୧୦ ବର୍ଷିଆ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଅର୍ଥାତ୍ ପଶ୍ଚିମା ଦେଶଙ୍କ କଟକଣା ସତ୍ତ୍ୱେ ରୁଷିଆର ତେଲ ପରୋକ୍ଷରେ ରିଲାଏନ୍ସ ଓ ନାୟରା କମ୍ପାନୀଙ୍କ ଜରିଆରେ ୟୁରୋପରେ ପହଞ୍ଚୁଛି, ଯାହାକୁ ଆମେରିକା ଓ ନାଟୋ କର୍ତ୍ତୃପକ୍ଷ ସହଜରେ ଗ୍ରହଣ କରିପାରୁନାହାନ୍ତି। କିଭ୍ ସ୍କୁଲ୍ ଅଫ୍ ଇକୋନୋମିକ୍ସର ଆକଳନ ଅନୁଯାୟୀ କେବଳ ଭାରତକୁ ହେଉଥିବା ତୈଳ ରପ୍ତାନୀରୁ ରୁଷିଆ ପ୍ରତି ମାସ ପ୍ରାୟ ୧୦୦ କୋଟି ଡଲାର ରୋଜଗାର କରୁଛି, ଯାହା ମୋଟାମୋଟି ରୁଷିଆର ୟୁକ୍ରେନ ଯୁଦ୍ଧର ମାସିକ ଖର୍ଚ୍ଚ। ଅର୍ଥାତ୍ ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ଭାରତ ନିରପେକ୍ଷ ବୋଲି କହୁଥିଲେ ବି ରୁଷିଆ ନିକଟରୁ ତେଲ କିଣି ଭାରତ ରୁଷିଆକୁ ଯୁଦ୍ଧ ଜାରି ରଖିବାରେ ଆର୍ଥିକ ଦୃଷ୍ଟିରୁ ସିଧାସଳଖ ସହାୟତା ପ୍ରଦାନ କରୁଛି ବୋଲି ସେମାନଙ୍କ ଅଭିଯୋଗ।
ଭାରତ ତା’ର ତୈଳ ଆବଶ୍ୟକତାର ପ୍ରାୟ ୮୮ ପ୍ରତିଶତ ବିଦେଶରୁ ଆମଦାନୀ କରୁଛି ଓ ଏ ବାବଦରେ ବାର୍ଷିକ ପ୍ରାୟ ୧୪୩୦୦ କୋଟି ଡଲାର ବ୍ୟୟ କରିବାକୁ ପଡ଼ୁଛି। ସେଥିରୁ ପ୍ରାୟ ଏକ-ତୃୟୀୟାଂଶରୁ ଅଧିକ ରୁଷିଆରୁ ତୈଳ ଆମଦାନୀ ଲାଗି ବ୍ୟୟ ହେଉଛି। ତେଣୁ ରୁଷିଆରୁ ତୈଳ ଆମଦାନୀ ହଠାତ୍ ବନ୍ଦ ହୋଇଗଲେ ତା’ର କୁପ୍ରଭାବ ଭିନ୍ନ ଭିନ୍ନ ଭାବେ ପରିଲକ୍ଷିତ ହୋଇପାରେ। ପ୍ରଥମତଃ, ବର୍ତ୍ତମାନ ଦେଶର ତୈଳ ଆବଶ୍ୟକତାର ପ୍ରାୟ ୪୦ ପ୍ରତିଶତ ରୁଷିଆରୁ ଆମଦାନୀ ହେଉଥିବାରୁ ଅନ୍ୟ କେଉଁ ଦେଶ ନିକଟରୁ ଏତେ ପରିମାଣର ତେଲ ହଠାତ୍ ଯୋଗାଡ଼ କରିବା ଏକ ବଡ଼ ଆହ୍ୱାନ ହୋଇପାରେ। ଉଲ୍ଲେଖଯୋଗ୍ୟ ଯେ ଆମେରିକାର କଟକଣା ଯୋଗୁଁ ଭାରତ ଇରାନରୁ ତେଲ ଆମଦାନୀ କରିବା ଏକପ୍ରକାର ବନ୍ଦ କରିଦେଇଛି। ଏପରି ସ୍ଥଳେ ଦେଶରେ ତେଲ ଯୋଗାଣରେ ବାଧା ଉତ୍ପନ୍ନ ହୋଇ ତୈଳ ସଙ୍କଟ ଦେଖାଦେଇପାରେ। କୌଣସି ପ୍ରକାର ଯୋଗାଣ ଜନିତ ତୈଳ ସଙ୍କଟର ମୁକାବିଲା କରିବା ପାଇଁ ଦେଶରେ ସର୍ବାଧିକ ୧୨୦ ଦିନର ରିଜର୍ଭ କ୍ଷମତା ଉପଲବ୍ଧ, ଯାହା ଯଥେଷ୍ଟ ନୁହେଁ।
ବର୍ତ୍ତମାନ ଭାରତ ପ୍ରାୟ ୪୦ଟି ଦେଶରୁ ଅଶୋଧିତ ତେଲ ଆମଦାନୀ କରୁଛି। ତେବେ ରୁଷିଆ, ଇରାକ, ସାଉଦି ଆରବ, ଆମେରିକା, ୟୁଏଇ, କୁଏତ୍, ନାଇଜେରିଆ ଭଳି ୭ଟି ଦେଶ ନିକଟରୁ ଭାରତ ତା’ର ତୈଳ ଆବଶ୍ୟକତାର ପ୍ରାୟ ୮୮ ପ୍ରତିଶତ ଆମଦାନୀ କରିଥାଏ। ତନ୍ଣଧ୍ୟରୁ ଏବେ ସର୍ବାଧିକ ତେଲ ରୁଷିଆରୁ ହିଁ ଆମଦାନୀ କରାଯାଉଛି। ୨୦୨୪-୨୫ ଆର୍ଥିକ ବର୍ଷରେ ସମୁଦାୟ ତେଲ ଆମଦାନୀର ଏକ ତୃତୀୟାଂଶରୁ ଅଧିକ ରୁଷିଆରୁ ଆସିଥିଲା। ଆଗରୁ ମଧ୍ୟ ଭାରତ ରୁଷିଆରୁ ତେଲ ଆମଦାନୀ କରୁଥିଲା। ତେବେ ୨୦୨୧-୨୨ ବର୍ଷରେ ଏହା ମାତ୍ର ୨.୨ ପ୍ରତିଶତ ଥିବା ବେଳେ, ୨୦୨୨-୨୩, ୨୦୨୩-୨୪ ଓ ୨୦୨୪-୨୫ ମସିହାରେ ଏହା ହଠାତ୍ ଯଥାକ୍ରମେ ୧୯.୧୦, ୩୩.୪୦ ଓ ୩୫.୩୦ ପ୍ରତିଶତକୁ ବୃଦ୍ଧି ପାଇଲା। ଅର୍ଥାତ୍ ରୁଷିଆ-ୟୁକ୍ରେନ ଯୁଦ୍ଧ ଲାଗିବା ପରଠାରୁ ରୁଷିଆରୁ ଭାରତର ତୈଳ ଆମଦାନୀ ବୃଦ୍ଧିପାଇଛି। ଇରାନ-ଇସ୍ରାଏଲ ମଧ୍ୟରେ ବିବାଦ ଲାଗି ରହି ମଧ୍ୟ-ପ୍ରାଚ୍ୟ ଅଶାନ୍ତ ହେବା ପରେ ଭାରତ ରୁଷିଆରୁ ତେଲ ଆମଦାନୀର ପରିମାଣ ଆହୁରି ବଢ଼ିଛି। ଭାରତକୁ ଦୈନିକ ଆସୁଥିବା ପ୍ରାୟ ୫୦ ଲକ୍ଷ ବ୍ୟାରେଲ୍ ଅଶୋଧିତ ତେଲ ମଧ୍ୟରୁ ରୁଷିଆରୁ ୨୦-୨୨ ଲକ୍ଷ ବ୍ୟାରେଲ ବା ୪୦ରୁ ୪୪ ପ୍ରତିଶତ ତେଲ ଆସୁଛି। ଏହି ବିପୁଳ ପରିମାଣର ଶସ୍ତା ତେଲର ଉପଲବ୍ଧତା କାରଣରୁ ଭାରତ ପାଇଁ ହାରାହାରି ଦୈନିକ ଅଶୋଧିତ ତେଲର ଦର ବ୍ୟାରେଲ ପିଛା ୭୦.୭୭ ଡଲାରରେ (ଜୁଲାଇ ୨୨, ୨୦୨୫ର ତଥ୍ୟ ଅନୁସାରେ) ସୀମିତ ରହିଛି। ରୁଷିଆରୁ ଆମଦାନୀ ବନ୍ଦ ହେଲେ ଭାରତ ପାଇଁ ତେଲର ଦର ହୁଏତ ହାରାହାରି ୮୦-୯୦ ଡଲାର ଛୁଇଁପାରେ। ସମାନ ପରିମାଣର ତେଲ ଆମଦାନୀ କରିବାକୁ ଆମକୁ ଅଧିକ ଅର୍ଥ ବ୍ୟୟ କରିବାକୁ ହେବ, ଯଦ୍ଦ୍ୱାରା ଦେଶର ଚଳନ୍ତି ଖାତା ନିଅଣ୍ଟ (କରେଣ୍ଟ ଆକାଉଣ୍ଟ ଡେଫିସିଟ) ବୃଦ୍ଧି ପାଇବ। ଏକ ଆକଳନ ଅନୁସାରେ ତେଲର ମୂଲ୍ୟ ବ୍ୟାରେଲ୍ ପିଛା ୧୦ ଡଲାର ବୃଦ୍ଧି ପାଇଲେ ଦେଶରେ ଖାଉଟି ମୁଦ୍ରାସ୍ଫୀତି ହାର ୦.୫ ପ୍ରତିଶତ ବୃଦ୍ଧି ପାଇଥାଏ ଏବଂ ତାହା ୦.୩ ପ୍ରତିଶତ ଜିଡିପି ହ୍ରାସର କାରଣ ହୋଇଥାଏ।
ରୁଷିଆଠାରୁ ତେଲ କିଣିବାରେ ଭାରତର ଅନ୍ୟ ଏକ ଲାଭ ହେଉଛି କଟକଣା ଯୋଗୁଁ ରୁଷିଆ ଆମେରିକୀୟ ଡଲାରରେ କାରବାର କରିପାରୁ ନାହିଁ। ପ୍ରାଥମିକ ପର୍ଯ୍ୟାୟରେ ଭାରତୀୟ ଟଙ୍କା ବଦଳରେ ରୁଷିଆରୁ ତେଲ କିଣି ହେଉଥିଲା। କିନ୍ତୁ ଆମଦାନୀ ତୁଳନାରେ ରୁଷିଆରୁ ଭାରତକୁ ଅଧିକ ରପ୍ତାନୀ ହେଉଥିବାରୁ ରୁଷିଆ ଭାରତୀୟ ଟଙ୍କା ଗ୍ରହଣ କରିବାକୁ ଅମଙ୍ଗ ହୋଇ ଚୀନ ଦେଶର ମୁଦ୍ରା ୟୁଆନରେ ପଇଠ କରିବାକୁ ଭାରତକୁ ବାଧ୍ୟ କରିଆସୁଛି। ସେ କ୍ଷେତ୍ରରେ ଭାରତକୁ ପ୍ରଥମେ ଟଙ୍କା ଦେଇ ହଂକଂ ଡଲାର କିଣି ତାକୁ ପୁଣି ୟୁଆନରେ ପରିବର୍ତ୍ତନ କରିବାକୁ ହେଉଛି। ଏ ବାବଦରେ ଭାରତକୁ ଅଯଥାରେ ୨ରୁ ୩ ପ୍ରତିଶତ ଅଧିକ ଖର୍ଚ୍ଚ ବହନ କରିବାକୁ ପଡ଼ୁଛି। ଏହା ସତ୍ତ୍ୱେ ରୁଷିଆରୁ ତେଲ କିଣିବାରେ ମୂଲ୍ୟବାନ ଆମେରିକୀୟ ଡଲାର ବ୍ୟୟ କରିବାକୁ ନ ପଡ଼ିବା ଭାରତ ପାଇଁ ବରଦାନ ସଦୃଶ । ରୁଷିଆରୁ ତେଲ ଆମଦାନୀ ବନ୍ଦ ହୋଇ ଅନ୍ୟ ଦେଶରୁ ତେଲ ଆମଦାନୀ କରିବାକୁ ହେଲେ ଭାରତକୁ ଡଲାର ବ୍ୟୟ କରିବାକୁ ହେବ। ତଦ୍ଦ୍ୱାରା ଆମ ବିଦେଶୀ ମୁଦ୍ରା ଭଣ୍ଡାର ଚାପଗ୍ରସ୍ତ ହେବାର ଆଶଙ୍କା ଦେଖାଦେବ।
ଏ କଥା ସତ ଯେ ରୁଷିଆରୁ ଶସ୍ତା ଦରରେ ତେଲ ମିଳୁଥିଲେ ବି ଚୀନ ପରି ଭାରତରେ ପେଟ୍ରୋଲ ବା ଡିଜେଲ ଦରରେ ଖାଉଟିଙ୍କୁ କୌଣସି ରିହାତି ଦିଆଯାଇନାହିଁ। ତେଣୁ ଏହାର ଲାଭ ସିଧାସଳଖ ଭାବେ ଦେଶବାସୀଙ୍କୁ ମିଳିନାହିଁ। ଅନ୍ୟପକ୍ଷରେ ରୁଷିଆର ଶସ୍ତା ତେଲରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ନାୟରା ଏନର୍ଜି ଭଳି ଘରୋଇ କମ୍ପାନୀଗୁଡ଼ିକ ଓ ସରକାରୀ ନିୟନ୍ତ୍ରଣରେ ଥିବା ଇଣ୍ଡିଆନ୍ ଅଏଲ, ଭାରତ ପେଟ୍ରୋଲିଅମ, ହିନ୍ଦୁସ୍ତାନ ପେଟ୍ରୋଲିଅମ୍ ବିପୁଳ ପରିମାଣରେ ଲାଭବାନ ହୋଇଛନ୍ତି। ସରକାରଙ୍କୁ ମଧ୍ୟ ଟିକସ ଆକାରରେ ଅନେକ ପରିମାଣର ଅର୍ଥ ମିଳିଛି। ଶସ୍ତାରେ ତେଲ କିଣିଲା ବେଳେ ତ ଖାଉଟିଙ୍କୁ ରିହାତି ଦିଆଯାଇ ନ ଥିଲା। କିନ୍ତୁ ଏବେ ମହଙ୍ଗା ଦରରେ ତେଲ କିଣିବାକୁ ହେଲେ ତା’ର ବୋଝ ଖାଉଟି ଉପରେ ଲଦିଦିଆଯିବାର ଆଶଙ୍କା ସୃଷ୍ଟି ହୋଇଛି।
ଭାରତ ଏକ ସାର୍ବଭୌମ ରାଷ୍ଟ୍ର ହୋଇଥିବାରୁ ଦେଶର ସ୍ୱାର୍ଥକୁ ଦୃଷ୍ଟିରେ ରଖି କେଉଁ ଦେଶରୁ କେତେ ପରିମାଣର ତେଲ କିଣାଯିବ, ସେ ନିଷ୍ପତ୍ତି ନେବାକୁ ଭାରତ ସ୍ୱାଧୀନ ଓ ସମର୍ଥ। କଥା କେବଳ ତେଲ କିଣାବିକା ଭିତରେ ସୀମିତ ନୁହେଁ। ଭାରତ ଉପରେ ପ୍ରତିକୂଳ ଆମେରିକୀୟ ଶୁଳ୍କ ଲାଗୁ ହେଲେ ତା’ର ସିଧାସଳଖ ପ୍ରଭାବ ଭାରତର ବୈଦେଶିକ ବାଣିଜ୍ୟ ଉପରେ ପଡ଼ିବ। ଏଥି ସହିତ ଗଢ଼ି ଉଠୁଥିବା ଭୂ-ରାଜନୈତିକ ଚାପର ଭାରତ ସଫଳତାର ସହ ମୁକାବିଲା କରିପାରିବ ତ? ଆମେରିକା ଓ ୟୁରୋପୀୟ ୟୁନିଅନର ଦେଶସମୂହଙ୍କ ଅନୁସାରେ ରୁଷିଆକୁ ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ବାଧ୍ୟ କରିବାକୁ ହେଲେ ତାକୁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ କରିବାକୁ ହେବ। ଭାରତ ରୁଷିଆରୁ ତେଲ କିଣି ଚାଲିଥିଲେ ରୁଷିଆକୁ ଯୁଦ୍ଧ ଜାରି ରଖିବା ଲାଗି ଆବଶ୍ୟକ ଅର୍ଥ ମିଳିଯାଉଥିବ। ତେଣୁ ଭାରତକୁ ରୁଷିଆରୁ ତେଲ କିଣିବାରୁ କ୍ଷାନ୍ତ କରିବା ଲାଗି ଉପରୋକ୍ତ ଦେଶଗୁଡ଼ିକର ଚାପ ପଡ଼ିବା ସ୍ୱାଭାବିକ। ସେହି ଚାପକୁ ଅଣଦେଖା କଲେ ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକଙ୍କ ସହ ମୁକାବିଲା ପରିସ୍ଥିତି ସୃଷ୍ଟି ହୋଇପାରେ। ଏଣେ ରୁଷିଆରୁ ତେଲ ଆମଦାନୀ ବନ୍ଦ ହେଲେ ରୁଷିଆ ସହ ଭାରତର ପାରମ୍ପରିକ ବନ୍ଧୁତାରେ ଫାଟ ଦେଖା ଦେଇ ରୁଷିଆ ଚୀନ ଆଡ଼କୁ ଅଧିକ ଢଳିବାର ଆଶଙ୍କା ସୃଷ୍ଟି ହୋଇପାରେ। ଦେଶର ପ୍ରତିରକ୍ଷା ଦୃଷ୍ଟିରୁ ମଧ୍ୟ ଏହା ହୁଏତ ଆତ୍ମଘାତୀ ହୋଇପାରେ। ତେଣୁ ଆଗାମୀ ଦିନରେ ଭାରତକୁ ତା’ର ତୈଳ ଆବଶ୍ୟକତାର ଅର୍ଥନୈତିକ ବାସ୍ତବତା ଓ ଭୂ-ରାଜନୈତିକ ଚାପ ମଧ୍ୟରେ ସନ୍ତୁଳନ ରକ୍ଷା କରି ଖଣ୍ଡାଧାରରେ ଚାଲି ଦେଶ ହିତରେ ଉଚିତ ନିର୍ଣ୍ଣୟ ନେବାକୁ ପଡ଼ିବ। ରୁଷିଆ-ୟୁକ୍ରେନ ଯୁଦ୍ଧର ଅବସାନ ହୁଏତ ଏହି ମୁକାବିଲା ସ୍ଥିତିକୁ ଏଡ଼ାଇବାରେ ଈଶ୍ୱର-ପ୍ରେରିତ ହୋଇପାରେ।
Published in the inaugural issue of weekly magazine Aama Odisha on July 25, 2025
Comments
Post a Comment