‘ଆମେରିକାକୁ ପୁଣିଥରେ ମହାନ କର’ ( ମେକ୍ ଆମେରିକା ଗ୍ରେଟ୍ ଏଗେନ୍ ବା ମାଗା) ଭଳି ସ୍ଳୋଗାନ ସହ ଟ୍ରମ୍ପ ଦ୍ୱିତୀୟ ଦଫା ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ସ୍ପଷ୍ଟ କରିଥିଲେ ଯେ ବର୍ଦ୍ଧିତ ଟାରିଫ୍ ଲଗାଇ ସେ ବିଭିନ୍ନ ଦେଶ ସହ ଥିବା ବାଣିଜ୍ୟିକ ଅସନ୍ତୁଳନକୁ ଦୂର କରିବେ। ଏଥିଲାଗି ତୁରନ୍ତ ଆମେରିକା ସହ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିବାକୁ ସେ ବିଭିନ୍ନ ଦେଶକୁ ଆହ୍ୱାନ ଜଣାଇଥିଲେ। ସେହି କ୍ରମରେ ଗତ ଏପ୍ରିଲ ମାସରୁ ସେ ଦେଶଗୁଡ଼ିକ ଉପରେ ବର୍ଦ୍ଧିତ ଟାରିଫ୍ ଲଗାଇବା ଆରମ୍ଭ କରିଥିଲେ ବି ଅଗଷ୍ଟ ପହିଲା ଯାଏଁ ମହଲତ ଦେଇଥିଲେ। ଇତିମଧ୍ୟରେ ଭାରତର ବାଣିଜ୍ୟ ମନ୍ତ୍ରାଳୟର ପ୍ରତିନିଧିମଣ୍ଡଳ ଆମେରିକା ସହ ବାର୍ତ୍ତାଳାପ ଜାରି ରଖିଥିଲେ। ଆଶା କରାଯାଉଥିଲା ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଟ୍ରମ୍ପଙ୍କ ସହ ବ୍ୟକ୍ତିଗତ ସୁସମ୍ପର୍କ ଥିବାରୁ ହୁଏତ ଭାରତ ଉପରେ ଆମେରିକାର ଟାରିଫ୍ ହାର ଅପେକ୍ଷାକୃତ କମ ହେବ। କିନ୍ତୁ ବାଣିଜ୍ୟ ଚୁକ୍ତିକୁ ଅପେକ୍ଷା ନ କରି ଟ୍ରମ୍ପ୍ ଭାରତ ଉପରେ ଅଗଷ୍ଟ ପହିଲାରୁ ୨୫ ପ୍ରତିଶତ ଟାରିଫ୍ ଲାଗିବ ବୋଲି ଘୋଷଣା କରିବାର ୭ ଦିନ ମଧ୍ୟରେ ଭାରତ ରୁଷିଆଠାରୁ ତେଲ କିଣୁଥିବାରୁ ଜୋରିମାନା ସ୍ୱରୂପ ଅତିରିକ୍ତ ୨୫ ପ୍ରତିଶତ ଟାରିଫ୍ କଷିବା କଥା ଘୋଷଣା କଲେ। ଏହା ୨୭ ଅଗଷ୍ଟରୁ କାର୍ଯ୍ୟକାରୀ ହେବ। ଅର୍ଥାତ୍ ଭାରତ ଉପରେ ସର୍ବାଧିକ ୫୦ ପ୍ରତିଶତ ଆମଦାନି ଶୁଳ୍କ ଲାଗିଛି।, ଭାରତ ଛଡ଼ା ଆଉ କେବଳ ବ୍ରାଜିଲ ଉପରେ ୫୦ ପ୍ରତିଶତ ଟାରିଫ ଲାଗିଛି। ଏଥିରୁ ତାଙ୍କର ଭାରତ ପ୍ରତି ଥିବା ଦ୍ୱେଷର ଆଭାସ ମିଳୁଥିଲେ ବି ତା’ର କାରଣ ଓ ଏହା ଦ୍ୱାରା ଭାରତ ଉପରେ ପଡ଼ିବାକୁ ଯାଉଥିବା ପ୍ରଭାବ ସମ୍ପର୍କରେ ଆଲୋଚନା କରାଯାଉ।
ବାଣିଜ୍ୟ ଦୃଷ୍ଟିରୁ ଭାରତ ଏକ ଅତ୍ୟଧିକ ସଂରକ୍ଷଣବାଦୀ ଦେଶ ବୋଲି ଟ୍ରମ୍ପ ବରାବର କହି ଆସିଛନ୍ତି। ଅନେକ ବାଣିଜ୍ୟ ଓ ଅଣ-ବାଣିଜ୍ୟ ଅବରୋଧ ଜରିଆରେ ଭାରତ ବଜାରରେ ଆମେରିକାର ପ୍ରବେଶକୁ ବାଧା ଦିଆଯାଉଛି ବୋଲି ତାଙ୍କ ଧାରଣା। ଏହି କାରଣରୁ ଭାରତ ଆମେରିକାକୁ ଅଧିକ ରପ୍ତାନି କରୁଛି, ଅଥଚ ଆମେରିକୀୟ ସାମଗ୍ରୀ କମ ଆମଦାନି କରୁଛି। ତେଣୁ ଆମେରିକା ସହ ବାଣିଜ୍ୟରେ ଭାରତ ଏକ ବଳକା ଦେଶରେ ପରିଣତ ହେଉଛି। ଟ୍ରମ୍ପଙ୍କ ବିଚାରରେ ଭାରତ ଉପରେ ବର୍ଦ୍ଧିତ ଟାରିଫ ଲାଗିଲେ ଭାରତରୁ ରପ୍ତାନୀ ହ୍ରାସ ପାଇବ। ଫଳରେ ଆମେରିକାର ବାଣିଜ୍ୟ ନିଅଣ୍ଟ କମିବ। ତାଙ୍କର ଦ୍ୱିତୀୟ ଅଭିଯୋଗ, ଭାରତ ଦ୍ୱାରା ରୁଷିଆରୁ ବିପୁଳ ପରିମାଣରେ ଅଶୋଧିତ ତେଲ ଖର୍ଦ୍ଦି। କ୍ଷମତାକୁ ଆସିବା ପରେ ସେ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ବନ୍ଦ କରିଦେବେ ବୋଲି ଟ୍ରମ୍ପ ବାରମ୍ୱାର କହି ଆସୁଥିଲେ। କିନ୍ତୁ, ସେଥିରେ ସଫଳତା ହାସଲ କରିପାରିନାହାନ୍ତି। ଏହା ତାଙ୍କ ହତାଶାର ଏକ କାରଣ। ଆମେରିକାର ଧାରଣା ହେଲା ରୁଷିଆ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ନ ହେବା ପର୍ୟ୍ୟନ୍ତ ୟୁକ୍ରେନ ଯୁଦ୍ଧ ସମାପ୍ତ ହେବନାହିଁ। ‘କିଭ୍ ସ୍କୁଲ୍ ଅଫ ଇକୋନୋମିକସ’ର ଆକଳନ ଅନୁଯାୟୀ ଭାରତ ରୁଷିଆରୁ ମାସିକ ପ୍ରାୟ ୧୦୦ କୋଟି ଡଲାର ମୂଲ୍ୟର ତେଲ କିଣୁଛି। ୟୁକ୍ରେନ ଯୁଦ୍ଧରେ ରୁଷିଆ ସମ ପରିମାଣର ଅର୍ଥ ବ୍ୟୟ କରୁଛି। ତେଣୁ ରୁଷିଆକୁ ଯୁଦ୍ଧ ଚାଲୁ ରଖିବା ଲାଗି ଭାରତ ପରୋକ୍ଷ ରୂପେ ଆର୍ଥିକ ସାହାଯ୍ୟ କରୁଛି ବୋଲି ଟ୍ରମ୍ପଙ୍କ ଅଭିଯୋଗ। ତୃତୀୟ କାରଣଟି ହେଉଛି ବ୍ରିକ୍ସ ଗୋଷ୍ଠୀରେ ଭାରତର ପ୍ରମୁଖ ଭୂମିକା। ବ୍ରାଜିଲ୍, ରୁଷିଆ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା ଭଳି ପ୍ରତିଷ୍ଠାତା ରାଷ୍ଟ୍ରଗୁଡ଼ିକୁ ନେଇ ଗଠିତ ବ୍ରିକ୍ସର ଶିଖର ସମ୍ମିଳନୀ ନିକଟରେ ବ୍ରାଜିଲରେ ଅନୁଷ୍ଠିତ ହୋଇଯାଇଛି। ଏହି ସମୟରେ ଟ୍ରମ୍ପ ଖୋଲାଖୋଲି କହିଥିଲେ ଯେ ବ୍ରିକ୍ସ ତରଫରୁ ଆମେରିକା ସ୍ୱାର୍ଥ ବିରୋଧୀ କୌଣସି ପଦକ୍ଷେପ ନିଆଗଲେ ସେ ପ୍ରତିଶୋଧମୂଳକ ପଦକ୍ଷେପ ନେବେ। ବ୍ରିକ୍ସ ତରଫରୁ ଏକ ସାଧାରଣ ବିନିମୟ ମୁଦ୍ରାର ପ୍ରଚଳନ ଲାଗି ଆଗ୍ରହର ଉଦ୍ଦେଶ୍ୟ ଆମେରିକୀୟ ଡଲାରକୁ ଦୁର୍ବଳ କରିବା ବୋଲି ସେ କହନ୍ତି, ଯାହା ତାଙ୍କ ଲାଗି ଅସହ୍ୟ। ଇତିମଧ୍ୟରେ ବ୍ରାଜିଲ ଓ ଭାରତ ଉପରେ ସର୍ବାଧିକ ୫୦ ପ୍ରତିଶତ, ଚୀନ ଓ ଦକ୍ଷିଣ ଆଫ୍ରିକା ଉପରେ ୩୦ ପ୍ରତିଶତ ଲେଖାଏଁ ଟାରିଫ ଲଗା ଯାଇସାରିଛି। ୟୁକ୍ରେନ ଯୁଦ୍ଧ ପରେ ବ୍ୟାପକ ବାସନ୍ଦର ଶିକାର ରୁଷିଆ ଉପରେ ୧୦୦ ପ୍ରତିଶତ ଟାରିଫର ଖଣ୍ଡା ଝୁଲୁଛି। କେବଳ ସେତିକି ନୁହେଁ ରୁଷିଆକୁ ଦଣ୍ଡିତ କରିବା ଲାଗି ରୁଷିଆ ସହ ବାଣିଜ୍ୟରେ ଲିପ୍ତ ଦେଶଗୁଡ଼ିକ ଉପରେ ଆହୁରି ଅତିରିକ୍ତ ୧୦୦ ପ୍ରତିଶତ ଟାରିଫ୍ ଲଗାଯିବ ବୋଲି ସେ ଧମକ ଦେଇଛନ୍ତି। ଭାରତ ରୁଷିଆରୁ ତେଲ କିଣା ବନ୍ଦ ନ କଲେ ତା ଉପରେ ମଧ୍ୟ ୧୫୦ ପ୍ରତିଶତ ଟାରିଫ୍ ଲାଗୁ ହେବାର ଭୟ ରହିଛି। କେତେକ ବିଶ୍ଳେଷକଙ୍କ ମତରେ ଅତ୍ୟଧିକ ଟାରିଫ ଲାଗୁ କରି ଆମେରିକାକୁ ସୁହାଇଲା ଭଳି ବାଣିଜ୍ୟ ଚୁକ୍ତି ପାଇଁ ଭାରତ ଉପରେ ଚାପ ପକାଇବାକୁ ଏହା ଏକ କୌଶଳ ହୋଇପାରେ।
ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି ପାଉଥିଲା ଓ ୨୦୩୦ ମସିହା ସୁଦ୍ଧା ଏହାକୁ ୫୦୦୦୦ କୋଟି ଡଲାରରେ ପହଞ୍ଚାଇବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ୨୦୨୪ ଆର୍ଥିକ ବର୍ଷରେ ବିଭିନ୍ନ ଦେଶକୁ ଭାରତରୁ ୪୩୭୧୦ କୋଟି ଡଲାର ମୂଲ୍ୟର ପଣ୍ୟ ରପ୍ତାନି ହୋଇଥିଲା। ତନ୍ମଧ୍ୟରୁ ସର୍ବାଧିକ ୮୭୩୦ କୋଟି ଡଲାର ମୂଲ୍ୟର ପଣ୍ୟ ବା ପ୍ରାୟ ୨୦ ପ୍ରତିଶତ ଆମେରିକାକୁ ରପ୍ତାନି ହୋଇଥିଲା। ଅନ୍ୟ ପକ୍ଷରେ ଭାରତ ଆମେରିକାରୁ ୪୧୬୦ କୋଟି ଡଲାର ମୂଲ୍ୟର ପଣ୍ୟ ଆମଦାନି କରିଥିଲା। ତେଣୁ ଭାରତ ସହ ଆମେରିକାର ବାଣିଜ୍ୟ ନିଅଣ୍ଟର ମୂଲ୍ୟ ଥିଲା ୪୫୭୦ କୋଟି ଡଲାର। ଭାରତରୁ ଆମେରିକାକୁ ରପ୍ତାନୀ ହେଉଥିବା ସାମଗ୍ରୀଗୁଡ଼ିକ ମଧ୍ୟରେ ସର୍ବାଧିକ ହେଉଛି ୮୧୦ କୋଟି ଡଲାର ମୂଲ୍ୟର ଔଷଧ, ୬୫୦ କୋଟି ଡଲାରର ଟେଲିକମ ଉପକରଣ ଓ ୫୩୦ କୋଟି ଡଲାର ମୂଲ୍ୟର ରତ୍ନ ପଥର। ବର୍ଦ୍ଧିତ ଶୁଳ୍କ ଯୋଗୁଁ ସବୁଠାରୁ କ୍ଷତିଗ୍ରସ୍ତ ହେବାକୁ ଯାଉଥିବା କ୍ଷେତ୍ରଗୁଡ଼ିକ ହେଲା ରତ୍ନ ପଥର ଓ ଗହଣା, ଲୁଗା ଓ ପୋଷାକପତ୍ର, ଚମଡ଼ା ସାମଗ୍ରୀ, ରାସାୟନିକ ପଦାର୍ଥ, ଯାନବାହନ ଓ ଯନ୍ତ୍ରାଂଶ, ସମୁଦ୍ରଜାତ ଖାଦ୍ୟପଦାର୍ଥ, କୃଷିଜାତ ଦ୍ରବ୍ୟ, ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ, ଲୁହା, ଆଲୁମିନିଅମ ଇତ୍ୟାଦି । କିନ୍ତୁ ଔଷଧ, ଇଲେକ୍ଟ୍ରୋନିକସ ଓ ସେମିକଣ୍ଡକ୍ଟର, ତେଲ ଓ ଅତ୍ୟାବଶ୍ୟକ ଖଣିଜ ପଦାର୍ଥର ରପ୍ତାନି ଉପରେ କୌଣସି ଶୁଳ୍କ ନ ଥିବାରୁ ଏଗୁଡ଼ିକର ରପ୍ତାନି ପ୍ରଭାବିତ ହେବନାହିଁ। ଅନ୍ୟ ପକ୍ଷରେ ଆମେରିକା ବାଣିଜ୍ୟ ନିଅଣ୍ଟ ହ୍ରାସ କରିବା ଲାଗି କୃଷିଜାତ, ଦୁଗ୍ଧତାତ ଦ୍ରବ୍ୟଗୁଡ଼ିକୁ ଏକରକମ ଜିଦ୍ ଧରି ବସିଛି। କିନ୍ତୁ ଏହାଦ୍ୱାରା କୋଟି କୋଟି ଭାରତୀୟ ଚାଷୀଙ୍କ ସ୍ୱାର୍ଥହାନିର ଆଶଙ୍କା ଥିବାରୁ ଭାରତ ଏ ନେଇ ଅରାଜି, ଯେଉଁ କାରଣରୁ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହୋଇପାରୁନାହିଁ।
ଅତ୍ୟଧିକ ଟାରିଫ ଲଗାଯିବା ପରେ ଭାରତୀୟ ଟଙ୍କାର ମୂଲ୍ୟ ଦ୍ରୁତ ହ୍ରାସ ପାଇଚାଲିଛି। ୧୦ ଜୁଲାଇ ଦିନ ଗୋଟିଏ ଡଲାର ପାଇବାକୁ ୮୫.୨୦ ଟଙ୍କା ଦେବାକୁ ପଡ଼ୁଥିବା ବେଳେ ମାତ୍ର ମାସକ ମଧ୍ୟରେ ଟଙ୍କାର ମୂଲ୍ୟ ୨.୩୮ ଟଙ୍କା ହ୍ରାସ ପାଇ ୧୦ ଅଗଷ୍ଟରେ ୮୭.୫୮ ଟଙ୍କା ଦେବାକୁ ପଡ଼ୁଛି। ଫଳରେ ବିଭିନ୍ନ ଦେଶରୁ ହେଉଥିବା ଆମଦାନି ପାଇଁ ଆମକୁ ଅଧିକ ଡଲାର ବ୍ୟୟ କରିବାକୁ ହେବ ଯାହା ପରୋକ୍ଷରେ ମୁଦ୍ରାସ୍ଫୀତି ବୃଦ୍ଧିର କାରଣ ହୋଇପାରେ। ଏହାଦ୍ୱାରା ଆମ ବିଦେଶୀ ମୁଦ୍ରା ଭଣ୍ଡାର ମଧ୍ୟ ଚାପଗ୍ରସ୍ତ ହେବ। ବିଦେଶୀ ଋଣ ନେଇଥିବା ଭାରତୀୟ କମ୍ପାନୀଗୁଡ଼ିକ ଲାଗି ଋଣ ମହଙ୍ଗା ହେବ, ଯାହା ସେମାନଙ୍କ କ୍ଷତିର କାରଣ ହୋଇପାରେ। ଗତ ମାସକ ମଧ୍ୟରେ ପୁଞ୍ଜିବଜାରରେ ସେନସେକ୍ସ ପ୍ରାୟ ୪୦୦୦ ଅଙ୍କ ହ୍ରାସ ପାଇ ୭୯୮୫୭ରେ ପହଞ୍ଚି ଅନିଶ୍ଚିତତା ସୃଷ୍ଟି କଲାଣି। ମୁଡ଼ି, ଗୋଲଡମ୍ୟାନ୍ ସାକ୍ସ ପରି ରେଟିଂ ସଂସ୍ଥାଗୁଡ଼ିକର ଆକଳନ ଅନୁଯାୟୀ ଏହି ଟାରିଫ୍ ବୃଦ୍ଧି ଯୋଗୁଁ ଭାରତର ଜିଡିପିର ବୃଦ୍ଧି ହାର ୦.୨ରୁ ୦.୫ ପ୍ରତିଶତ ହ୍ରାସ ପାଇପାରେ। ତେଣୁ ୨୦୨୬ ଆର୍ଥିକ ବର୍ଷ ଲାଗି ଜିଡିପି ବୃଦ୍ଧି ହାରର ଅନୁମାନକୁ ୬.୫ ପ୍ରତିଶତରୁ କମାଇ ୬ ପ୍ରତିଶତ କରାଗଲାଣି। ଭାରତରୁ ରପ୍ତାନି ମହଙ୍ଗା ହୋଇ ଅନିଶ୍ଚିତତା ଲାଗି ରହିଲେ ଭାରତରେ ପୁଞ୍ଜି ନିବେଶ କରିବା ଲାଗି ବିଦେଶୀ କମ୍ପାନୀଗୁଡ଼ିକ ପଛଘୁଞ୍ଚା ଦେବେ। ଏ ସବୁର ପ୍ରଭାବ ନିଯୁକ୍ତି ଓ କର୍ମସଂସ୍ଥାନ ଉପରେ ପଡ଼ିବ। ଏକ ଆକଳନ ଅନୁସାରେ ହାରାହାରି ୧୦୦ କୋଟି ଡଲାରର ରପ୍ତାନି ହ୍ରାସ ପାଇଲେ ପ୍ରାୟ ଏକ ଲକ୍ଷ ନିଯୁକ୍ତି ସୁଯୋଗ ହ୍ରାସ ପାଇଥାଏ।
ଟାରିଫ୍ ବୃଦ୍ଧିର ବଡ଼ ଧରଣର ପ୍ରଭାବ ଓଡ଼ିଶାରୁ ଆମେରିକାକୁ ହେଉଥିବା ରପ୍ତାନୀ ଉପରେ ମଧ୍ୟ ପଡ଼ିବ ବୋଲି ଆଶଙ୍କା କରାଯାଉଛି। ଓଡ଼ିଶାରୁ ପ୍ରଚୁର ପରିମାଣରେ ଚିଙ୍ଗୁଡ଼ି ଓ ଅନ୍ୟ ସମୁଦ୍ରଜାତ ଖାଦ୍ୟ ଆମେରିକାକୁ ରପ୍ତାନୀ ହୋଇଥାଏ। ଶୁଳ୍କ ବୃଦ୍ଧି କାରଣରୁ ଓଡ଼ିଶାରୁ ଚିଙ୍ଗୁଡ଼ି ରପ୍ତାନୀ ଏକପ୍ରକାର ବନ୍ଦ ହୋଇସାରିଲାଣି। ଏହା ଫଳରେ ଓଡ଼ିଶାର ଚିଙ୍ଗୁଡ଼ି ଚାଷୀ ପ୍ରଭାବିତ ହେବା ସୁନିଶ୍ଚିତ। ଏଥି ସହ ଚିଙ୍ଗୁଡ଼ି ପ୍ରକ୍ରିୟାକରଣ ଶିଳ୍ପରେ ନିଯୁକ୍ତ ହଜାର ହଜାର ଶ୍ରମିକ ରୋଜଗାର ହରାଇବାର ଆଶଙ୍କା ସୃଷ୍ଟି ହେବ। ସେହିପରି ଓଡ଼ିଶାରୁ ହେଉଥିବା ହସ୍ତତନ୍ତ ଲୁଗା ଓ ଅନ୍ୟାନ୍ୟ ସାମଗ୍ରୀର ରପ୍ତାନୀ ମଧ୍ୟ ହ୍ରାସ ପାଇପାରେ।
ଆମେରିକାର ଏହି ଅତ୍ୟଧିକ ଟାରିଫ ବିଶ୍ୱ ବାଣିଜ୍ୟ ବ୍ୟବସ୍ଥାକୁ ଅନିଶ୍ଚିତତା ଭିତରକୁ ଠେଲି ଦେଇଛି। ଇତିମଧ୍ୟରେ ଅଧିକାଂଶ ଦେଶ ଆମେରିକା ସହ ବାଣିଜ୍ୟ ଚୁକ୍ତି କରିସାରିଲେଣି ଓ ସଂଖ୍ୟାଧିକ ଦେଶ ଉପରେ ୧୫ରୁ ୨୦ ପ୍ରତିଶତ ଟାରିଫ ଲଗାଯାଇଛି। ଯଦି ଆମେରିକା ୫୦ ପ୍ରତିଶତ ଶୁଳ୍କ ଲଗାଉଛି ତେବେ ଭାରତ ମଧ୍ୟ ଚୀନ, ବ୍ରାଜିଲ, ଭଳି ଆମେରିକା ଉପରେ ପ୍ରତିଶୋଧମୂଳକ ଶୁଳ୍କ ଲଗାଇବା ଉଚିତ ବୋଲି କେହି କେହି ମତ ବ୍ୟକ୍ତ କରୁଛନ୍ତି। କିନ୍ତୁ ସେ କ୍ଷେତ୍ରରେ ତା’ ଉପରେ ଅଧିକ ଟାରିଫ୍ ଲଗାଯିବ ବୋଲି ଆମେରିକା ସ୍ପଷ୍ଟ କରିସାରିଥିବାରୁ ସେଭଳି ପଦକ୍ଷେପ ଭାରତ ହିତରେ ହେବନାହିଁ। ଆମାଜନ ଊଳି କମ୍ପାନୀଗୁଡ଼ିକ ଉପରେ ‘ଡିଜିଟାଲ ଟିକସ’, ଜେନେରିକ୍ ଔଷଧର ରପ୍ତାନୀ ଉପରେ କଟକଣା ଭଳି ପ୍ରତିଶୋଧମୂଳକ ପଦକ୍ଷେପ ନେବାକୁ ମଧ୍ୟ ପ୍ରସ୍ତାବମାନ ଦିଆଯାଉଛି। ମାତ୍ର, ଆବେଗର ବଶବର୍ତ୍ତୀ ହୋଇ କୌଣସି ନିଷ୍ପତ୍ତି ନେବା ସମୀଚୀନ ନୁହେଁ। ଆମେରିକା ସହ ଉପଯୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହେବା ଉପରେ ଧ୍ୟାନ କେନ୍ଦ୍ରିତ କରାଯିବା ଆବଶ୍ୟକ। କାରଣ କୌଣସି ପ୍ରକାର ମୁକାବିଲାକୁ ଟ୍ରମ୍ପ ବ୍ୟକ୍ତିଗତ ସ୍ତରରେ ନେଉଥିବାରୁ ତଦ୍ଦ୍ୱାରା ଭାରତ-ଆମେରିକା ସମ୍ପର୍କ ଅଧିକ ତିକ୍ତ ହୋଇପାରେ। ସେତେବେଳେ ମାମଲା ଆଉ କେବଳ ଟାରିଫ୍ ଭିତରେ ସୀମିତ ରହିବ ନାହିଁ। ପ୍ରସଙ୍ଗତଃ ପ୍ରକାଶ ଥାଉ କି, ଭାରତୀୟଙ୍କ ବଦଳରେ ଆମେରିକୀୟଙ୍କୁ ଅଧିକ ନିଯୁକ୍ତି ଦେବା ଲାଗି ସେ ଗୁଗଲ, ମାଇକ୍ରୋସଫ୍ଟ, ଆପଲ୍ ଭଳି ଆଇଟି କମ୍ପାନୀଗୁଡ଼ିକୁ ପରାମର୍ଶ ଦେଇସାରିଲେଣି।
ରୁଷିଆରୁ ଆସୁଥିବା ଶସ୍ତା ତେଲ ଏବେ ଆଉ ସେତେ ଶସ୍ତା ହୋଇ ରହିନାହିଁ। ପ୍ରାରମ୍ଭିକ ଅବସ୍ଥାରେ ବ୍ୟାରେଲ ପିଛା ଏହା ୨୦-୩୦ ଡଲାର ଯାଏଁ ଶସ୍ତା ଥିବା ବେଳେ ବର୍ତ୍ତମାନ ଏହା ୫ ଡଲାରରୁ ଅଧିକ ଶସ୍ତା ନୁହେଁ। ଅର୍ଥାତ୍, ରୁଷିଆରୁ ତେଲ କିଣିବା ଜାରି ରଖିଲେ ଭାରତ ବାର୍ଷିକ ଅତି ବେଶିରେ ୨୦୦ କୋଟି ଡଲାର ସଞ୍ଚୟ କରିପାରେ। ତେବେ ରୁଷିଆରୁ ତେଲ ଆମଦାନି କରିବ ନା ନାହିଁ ସେ ନିଷ୍ପତ୍ତି ଭାରତ ହିଁ ନେବ। ଆମେରିକା ସେ ନେଇ କୌଣି ସର୍ତ୍ତ ଆରୋପ କରିପାରିବ ନାହିଁ। ଅବଶ୍ୟ ଭୂ-ରାଜନୈତିକ ସ୍ଥିତିର ଉପଯୁକ୍ତ ଆକଳନ କରି ଜାତୀୟ ସ୍ୱାର୍ଥ ଓ ସାର୍ବଭୌମତ୍ୱର ସୁରକ୍ଷା ପ୍ରତି ଧ୍ୟାନ ଦେଇ ସରକାର ଉଚିତ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା। ଟ୍ରମ୍ପ ପ୍ରକରଣରୁ ଗୋଟିଏ ଶିକ୍ଷା ମିଳିଲା ଯେ ନେତାଙ୍କ ସମ୍ପର୍କର ନିକଟତାକୁ ଦର୍ଶାଉଥିବା ଆଲିଙ୍ଗନକୁ ଦେଖି କିଛି ଲୋକ ଉତଫୁଲ୍ଲିତ ହେବାର କାରଣ ନାହିଁ। କାରଣ ଦେଶ ଦେଶ ମଧ୍ୟରେ ସମ୍ପର୍କ ନିର୍ଦ୍ଧାରଣ କରେ ରାଜନୀତି, ରଣନୀତି, କୂଟନୀତି ଓ ବାଣିଜ୍ୟ ନୀତି।
Published in Sambad on August 12, 2025
Comments
Post a Comment