Skip to main content

ୟୁକ୍ରେନ ଉପରେ ଆକ୍ରମଣ ଓ ଭାରତର ପକ୍ଷ

କୁରୁସଭାରେ ଦ୍ରୌପଦୀଙ୍କ ବସ୍ତ୍ରହରଣର କରୁଣ ଦୃଶ୍ୟ ସଂଘଟିତ ହେଉଥିଲା ବେଳେ ସେଠାରେ ଉପସ୍ଥିତ ପିତାମହ ଭୀଷ୍ମ, ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟଙ୍କ ପରି ଜ୍ଞାନୀ, ଗୁଣୀ, ମହାବୀରମାନେ ବ୍ୟକ୍ତିଗତ ସ୍ୱାର୍ଥର ଊର୍ଦ୍ଧ୍ୱକୁ ଉଠି ସେହି ଅନ୍ୟାୟର ପ୍ରତିବାଦ କରିବାକୁ ଅସମର୍ଥ ହୋଇ ନୀରବ ରହିଥିଲେ, ଯେଉଁଥିପାଇଁ ସେମାନେ ଆଜି ବି ନିନ୍ଦିତ । ୟୁକ୍ରେନ ଯୁଦ୍ଧର ବିଭୀଷିକା ଲାଗି ରହି ଲକ୍ଷ ଲକ୍ଷ ଲୋକ ଅନ୍ୟ ଦେଶରେ ଶରଣାର୍ଥୀ ହେବା, ହଜାର ହଜାର ଶିଶୁ ଅନାଥ ହେବା, ଶହ ଶହ କୋଠାବାଡି ଧ୍ୱଂସ ହୋଇ ମାନବତାର ବସ୍ତ୍ରହରଣର କରୁଣ ଦୃଶ୍ୟକୁ ବିଶ୍ୱବାସୀ ଟିଭି ପରଦାରେ ପ୍ରତ୍ୟକ୍ଷ କରୁଥିଲେ ବି ଯୁଦ୍ଧ ବନ୍ଦ କରିବା ଲାଗି ରାଷ୍ଟ୍ରନାୟକମାନେ ନିଜ ନିଜ ଦେଶର ସ୍ୱାର୍ଥରକ୍ଷା ଲାଗି ସତେ ଯେମିତି ନୀରବ । ମିଳିତ ଜାତିସଂଘର ସାଧାରଣ ଅଧିବେଶନରେ ୧୪୧ଟି ଦେଶ ରୁଷିଆର ୟୁକ୍ରେନ ଆକ୍ରମଣକୁ ତୀବ୍ର ନିନ୍ଦା କରିଥିବା ବେଳେ ଯେଉଁ କେତୋଟି ଦେଶ ଭୋଟଦାନରୁ ବିରତ ରହି ରୁଷିଆକୁ ପରୋକ୍ଷରେ ସମର୍ଥନ ଜଣାଇଲେ ସେମାନଙ୍କ ମଧ୍ୟରେ ଥିଲା ଭାରତ । ଏଥି ପୂର୍ବରୁ ଜାତିସଂଘ ସୁରକ୍ଷା ପରିଷଦରେ ଅନୁଷ୍ଠିତ ଭୋଟଦାନରେ ମଧ୍ୟ ଭାରତ ଅନୁରୂପ ଆଚରଣ କରିଥିଲା । ଗଣତନ୍ତ୍ର ଓ ସାର୍ବଭୌମତ୍ୱର ସୁରକ୍ଷା ଉପରେ ଗୁରୁତ୍ୱ ଦେଉଥିବା ଭାରତ ୟୁକ୍ରେନ ଭଳି ଏକ ସାର୍ବଭୌମ ଗଣତାନ୍ତ୍ରିକ ଦେଶର ଆକ୍ରମଣ ପରେ ନୀରବ ରହିବା ଅନେକଙ୍କୁ ବ୍ୟଥିତ କଲା । ଅବଶ୍ୟ ରୁଷିଆ ସହ ଭାରତର ଦୀର୍ଘ ଦିନର ଐତିହାସିକ ବନ୍ଧୁତ୍ୱ ଦୃଷ୍ଟିରୁ ଭାରତର ଏ ଭଳି ଆଚରଣ କିଛି ଅପ୍ରତ୍ୟାଶିତ ନୁହେଁ । ଭାରତର ନିର୍ଣ୍ଣୟକୁ ‘ସ୍ୱାଧୀନ ଓ ସନ୍ତୁଳିତ’ କହି ରୁଷିଆ ପ୍ରଶଂସା କରିଥିଲା ବେଳେ ଭାରତର ନୀରବତା ନିରପେକ୍ଷତା ନୁହେଁ ବୋଲି ପଶ୍ଚିମା ଦେଶଗୁଡିକ ମଣୁଛନ୍ତି । ଭାରତର ଏ ଭଳି ଆଭିମୁଖ୍ୟ କୂଟନୈତିକ ଦୃଷ୍ଟିରୁ ତାକୁ ବିଶ୍ୱପଟଳରେ ଏକ ଘରିକିଆ କରି ଦେବନାହିଁ ତ ?

ଭାରତ କେବେ କାହାକୁ ଆକ୍ରମଣ କରିନାହିଁ ସତ, ହେଲେ ଅନେକ କ୍ଷେତ୍ରରେ ଆକ୍ରମଣକାରୀ ଦେଶମାନଙ୍କୁ କଡା ଶବ୍ଦରେ ନିନ୍ଦା ମଧ୍ୟ କରିନାହିଁ । ଅତୀତରେ ବିଭିନ୍ନ ଦେଶଙ୍କ ଦ୍ୱାରା ହୋଇଥିବା ଅନେକ ସାମରିକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ଭାରତ ଭିନ୍ନ ଭିନ୍ନ ଦୃଷ୍ଟିଭଙ୍ଗୀ ପୋଷଣ କରିଆସିଛି । କେତେବେଳେ ଉତ୍ତେଜନା ହ୍ରାସ ପାଇଁ ସକ୍ରିୟ ମଧ୍ୟସ୍ଥତା କରିଛି ତ କେତେବେଳେ ପୁଣି ନୀରବ ରହିବାକୁ ଉଚିତ ମଣିଛି । ଭାରତ ପାଇଁ ଏଇ ଧରଣର ପ୍ରଥମ ନିଷ୍ପତ୍ତି ସଙ୍କଟ ଦେଖା ଦେଇଥିଲା ୧୯୫୬ର ‘ସୁଏଜ କେନାଲ ସଙ୍କଟ’ ସମୟରେ ଯେତେବେଳେ ଇଜିପ୍ଟର ରାଷ୍ଟ୍ରପତି ନାସେରଙ୍କ ସୁଏଜ କେନାଲର ଜାତୀୟକରଣ ଘୋଷଣା ନିଷ୍ପତ୍ତିକୁ ବିରୋଧ କରି ଅକ୍ଟୋବର ୨୯, ୧୯୫୬ରେ ପ୍ରଥମେ ଇସ୍ରାଏଲ ଓ ପରେ ପରେ ବ୍ରିଟେନ ଓ ଫ୍ରାନ୍ସ ଇଜିପ୍ଟର ବିମାନଘାଟୀଗୁଡିକ ଉପରେ ଆକ୍ରମଣ କରିଥିଲେ । ଉଭୟ କୂଟନୈତିକ ଓ ଅର୍ଥନୈତିକ ଦୃଷ୍ଟିରୁ ଭାରତ ଉପରେ ଏହି ସଙ୍କଟର ଗଭୀର ପ୍ରଭାବ ପଡିବାର ଆଶଙ୍କା ଥିଲା । ନାସେରଙ୍କ ସହ ନେହରୁଙ୍କ ଘନିଷ୍ଠ ବନ୍ଧୁତା ସତ୍ତ୍ୱେ ସେ ନାସେରଙ୍କ ଏଭଳି ନିଷ୍ପତ୍ତିଠାରୁ ନିଜକୁ ଦୂରେଇ ରଖିବା ସଙ୍ଗେ ସଙ୍ଗେ ଇଜିପ୍ଟ ବିରୁଦ୍ଧରେ ହୋଇଥିବା ସାମରିକ କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ନିନ୍ଦା କରିବାକୁ ପଛାଇ ନ ଥିଲେ । ଏଥି ସହ ସେ ସକ୍ରିୟ ମଧ୍ୟସ୍ଥତା କରି ଆମେରିକା ରାଷ୍ଟ୍ରପତି ଆଇଜେନହାୱାରଙ୍କ ସହ ମିଶି କେତେଗୁଡିଏ ପଦକ୍ଷେପ ଗ୍ରହଣ କରିଥିଲେ, ଯାହା ଉତ୍ତେଜନା ହ୍ରାସରେ ସହାୟକ ହୋଇଥିଲା । ପରେ ଆମେରିକା ଦ୍ୱାରା ଭିଏତନାମ ଯୁଦ୍ଧ ଚାଲିଥିବା ସମୟରେ ତା’ର କଡା ନିନ୍ଦା କରିବାକୁ ଭାରତ ପଛାଇ ନଥିଲା । କିନ୍ତୁ ୧୯୫୬ରେ ସୋଭିଏତ ସଂଘ ଦ୍ୱାରା ହଙ୍ଗେରୀ ବିପ୍ଳବକୁ ଦମନ କରିବା ଲାଗି ଓ ୧୯୬୮ରେ ସୋଭିଏତ ସଂଘ ନେତୃତ୍ୱରେ ‘ୱାରସ ମେଣ୍ଟ’ ଦ୍ୱାରା ଚେକୋସ୍ଲୋଭାକିଆ ଉପରେ ହୋଇଥିବା ଆକ୍ରମଣକୁ ଭାରତ ନିନ୍ଦା କରି ନଥିଲା । ୧୯୭୯ରେ ଆଫଗାନିସ୍ତାନକୁ ସୋଭିଏତ ସଂଘ ନିଜ ଦଖଲକୁ ନେଇଥିଲା ଓ ୧୯୮୦ରେ ଇନ୍ଦିରା ଗାନ୍ଧୀ ସୋଭିଏତ ସଂଘର କାର୍ଯ୍ୟାନୁଷ୍ଠାନ ପ୍ରତି ସମର୍ଥନ ଜଣାଇଥିଲେ । ୧୯୭୧ରେ ବଙ୍ଗଳାଦେଶ ଯୁଦ୍ଧ ସମୟରେ ସୋଭିଏତ ସଂଘ ଭାରତକୁ ଦୃଢ ସମର୍ଥନ ଜଣାଇବା ସହ ସାମରିକ ସହାୟତା ପ୍ରଦାନ କରିଥିବାରୁ ଭାରତ ସେ ଭଳି ଜଣେ ବନ୍ଧୁକୁ ହରାଇବାକୁ ଚାହୁଁ ନ ଥିଲା । ଏହି କାଳଖଣ୍ଡରେ ଭାରତ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ନେତୃତ୍ୱ ନେଇ ଉଭୟ ମହାଶକ୍ତିଙ୍କ ନିକଟରୁ ଦୂରତା ରକ୍ଷା କରୁଥିଲେ ବି ସୋଭିଏତ ସଂଘ ପ୍ରତି ତାର ଦୁର୍ବଳତା ବାରି ହୋଇ ପଡୁଥିଲା । ୨୦୦୩ରେ ଆମେରିକା ଇରାକ ଆକ୍ରମଣ କଲା ପରେ ତତ୍କାଳୀନ ବାଜପେୟୀ ସରକାର ମୃଦୁ ଅସନ୍ତୋଷ ବ୍ୟକ୍ତ କରିଥିଲେ ବି ସୋଭିଏତ ସଂଘର ବିଘଟନ ପରେ ଆମେରିକା ହିଁ ଏକମାତ୍ର ମହାଶକ୍ତି ହୋଇଥିବାରୁ ତା’ ସହ ଗଢି ଉଠୁଥିବା ସୁସମ୍ପର୍କକୁ ତିକ୍ତ ନ କରିବା ପାଇଁ ନୀରବ ରହିବାକୁ ଜାତୀୟ ସ୍ୱାର୍ଥର ଅନୁକୂଳରେ ବୋଲି ମନେ କରିଥିଲେ । କୂଟନୈତିକ ଦୃଷ୍ଟିରୁ ଜାତୀୟ ସ୍ୱାର୍ଥକୁ ସୁରକ୍ଷିତ ରଖି ପଦକ୍ଷେପ ଗ୍ରହଣ କରିବା ସର୍ବୋପରି ହୋଇଥାଏ,  ଯାହା ଏ ଯାଏଁ ଭାରତ କରିଆସିଛି । ସେଥିପାଇଁ ଅନେକ ସମୟରେ କୌଣସି ପ୍ରସଙ୍ଗରେ ନିରପେକ୍ଷତା ଆଚରଣ ବା ପ୍ରସଙ୍ଗକୁ ଏଡାଇ ଯିବାକୁ ଶ୍ରେୟସ୍କର ମଣିଥିଲେ ବି ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଭାରତର ନିରପେକ୍ଷ ନୀତି ଅବଲମ୍ୱନ ବିଶ୍ୱପଟଳରେ ତା’ର ଭାବମୂର୍ତ୍ତିକୁ ମଳିନ କରିବା ସହ ତାହା ଜାତୀୟ ସ୍ୱାର୍ଥରେ ହୋଇ ନ ପାରେ ବୋଲି ମତ ପ୍ରକାଶ ପାଉଛି ।

ଭାରତ ରୁଷିଆ ଆଡକୁ ଢଳିବା ଭଳି ପ୍ରତୀତ ହେବାର ଏକ ବଡ କାରଣ ହେଉଛି ସାମରିକ ଅସ୍ତ୍ରଶସ୍ତ୍ର ପାଇଁ ଭାରତର ରୁଷିଆ ଉପରେ ଅତ୍ୟଧିକ ନିର୍ଭରଶୀଳତା । ଅବଶ୍ୟ ଗତ କିଛି ବର୍ଷ ଧରି ଭାରତ ଅନ୍ୟ କିଛି ଦେଶରୁ ଅସ୍ତ୍ରଶସ୍ତ୍ର ଆମଦାନୀ କରି ଏହି ନିର୍ଭରଶୀଳତାକୁ ହ୍ରାସ କରିବାକୁ ସମର୍ଥ ହୋଇଥିଲେ ମଧ୍ୟ ଏବେ ବି ତା’ର ଅର୍ଦ୍ଧାଧିକ ଆବଶ୍ୟକତା ରୁଷିଆ ହିଁ ପୂରଣ କରୁଛି । ତେବେ ବିଭିନ୍ନ ପ୍ରସଙ୍ଗରେ ରୁଷିଆ ଏବେ ଉଭୟ ଚୀନ ଓ ପାକିସ୍ତାନର ନିକଟତର ହୋଇଥିବାରୁ ସୁରକ୍ଷା ଓ କୂଟନୈତିକ ସ୍ତରରେ ଆଗ ଭଳି ଆଉ ଭାରତ ପଛରେ ଠିଆ ହେଉଥିବା ଦେଖାଯାଉ ନାହିଁ । ଗତବର୍ଷ ଗଲୱାନ ଉପତ୍ୟକାରେ ଭାରତ ଚୀନର ସେନା ମୁହାଁମୁହିଁ ହେଉଥିବା ବେଳେ ରୁଷିଆ ନିରପେକ୍ଷତା ଅବଲମ୍ୱନ କରି ନୀରବ ରହିବା, ତାହାର ଏକ ଉଦାହରଣ ମାତ୍ର । ଅଧିକନ୍ତୁ, ୟୁକ୍ରେନ ପ୍ରସଙ୍ଗରେ ଚୀନର ରୁଷିଆ ପ୍ରତି ଆଭିମୁଖ୍ୟ ଭବିଷ୍ୟତରେ ରୁଷିଆକୁ ଚୀନର ଅଧିକ ନିକଟତର କରିବ । ଭାରତର ଶତୃ ଦେଶ ଉଭୟ ଚୀନ ଓ ପାକିସ୍ତାନ ରୁଷିଆର ନିକଟତର ହେବା ଭାରତ ପାଇଁ ଆଦୌ ଶୁଭଙ୍କର ନୁହେଁ । ଏହାଦ୍ୱାରା ଦେଶର କାଶ୍ମୀର ନୀତି ପ୍ରତି ବିପଦର ଆଶଙ୍କା ଥିବାରୁ, ଭାରତ ରୁଷିଆର ବନ୍ଧୁତାକୁ ହରାଇବାକୁ ଚାହିଁ ନ ପାରେ । ଗୋଟିଏ ପକ୍ଷରେ ଭବିଷ୍ୟତରେ ରୁଷିଆଠାରୁ ସମର୍ଥନ ମିଳିବା ନିଶ୍ଚିତ ହୋଇ ନ ଥିବା ବେଳେ ୟୁକ୍ରେନ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ଯୋଗୁଁ ଆମେରିକା ଓ ଅନ୍ୟ ପଶିମା ଦେଶମାନେ ଦରକାର ବେଳେ ଭାରତକୁ ସହାୟତା ପ୍ରଦାନ କରିବା ନେଇ ଶଙ୍କା ସୃଷ୍ଟି ହେବା ମଧ୍ୟ କିଛି ଅସ୍ୱାଭାବିକ ନୁହେଁ ।

ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଭାବେ ସ୍ଥାନ ପାଇବାକୁ ଭାରତ ଆଶା ବାନ୍ଧିଆସିଛି । ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଓ ସାରା ବିଶ୍ୱକୁ ଯୁଦ୍ଧର ବିଭୀଷିକାରୁ ସୁରକ୍ଷିତ ରଖିବା ପାଇଁ ଜାତିସଂଘର ସୁରକ୍ଷା ପରିଷଦର ସଦସ୍ୟମାନଙ୍କର ଏକ ବଡ ଭୂମିକା ରହିଛି । ୟୁକ୍ରେନ ଯୁଦ୍ଧ ସମୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ସମେତ ସୁରକ୍ଷା ପରିଷଦର ପ୍ରତିଟି ଦେଶ କିପରି ଆଚରଣ କରୁଛନ୍ତି ତା’ ଉପରେ ଅନ୍ୟ ଦେଶମାନଙ୍କ ତୀକ୍ଷ୍ଣ ନଜର ରହିଛି । ସ୍ଥାୟୀ ସଦସ୍ୟତା ପାଇବା ଲାଗି ଭାରତକୁ ଏପରି କିଛି କଠୋର ନିଷ୍ପତ୍ତି ନେବାକୁ ହେବ ଯଦ୍ଦ୍ୱାରା ଆବଶ୍ୟକ ସ୍ଥଳେ ମାନବତା ଓ ବିଶ୍ୱ ସ୍ୱାର୍ଥର ସୁରକ୍ଷା ପାଇଁ ଭାରତ ଯେ ନିଜ ସ୍ୱାର୍ଥର ଭର୍ଦ୍ଧ୍ୱକୁ ଉଠି କଠିନ ନିର୍ଣ୍ଣୟ ନେବାକୁ ସକ୍ଷମ ସେହି ପ୍ରତ୍ୟୟ ଅନ୍ୟ ଦେଶମାନଙ୍କ ମଧ୍ୟରେ ସୃଷ୍ଟି ହୋଇପାରିବ । ସେ କ୍ଷେତ୍ରରେ ଭାରତକୁ ହୁଏତ ବହୁ ମୂଲ୍ୟ ଦେବାକୁ ପଡିପାରେ, ଯାହା ବିଶ୍ୱ ନେତୃତ୍ୱ ପାଇଁ ଆଶାୟୀ ଯେ କୌଣସି ଦେଶକୁ ଦେବାକୁ ପଡିଥାଏ । ଭାରତ ଯେଉଁ ଗତାନୁଗତିକ ନୀତି ଅନୁସରଣ କରି ନିରପେକ୍ଷତା ଅବଲମ୍ୱନ କରିଆସୁଛି, ତାହା ବର୍ତ୍ତମାନ ପରିପ୍ରେକ୍ଷୀରେ ଭାରତର ଭାବମୂର୍ତ୍ତିକୁ କୌଣସି ମତେ ଉଜ୍ଜ୍ୱଳ କରୁନାହିଁ କି ତାହା ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ପାଇଁ ଭାରତର ଦାବି ସପକ୍ଷରେ ଯୁକ୍ତିକୁ ବଳିଷ୍ଠ କରୁନାହିଁ । ତେଣୁ ଭାରତକୁ ତାର କୂଟନୀତିର ସମୀକ୍ଷା କରି ସେଥିରେ ଜରୁରୀ ପରିବର୍ତ୍ତନ ଆଣିବାର ଆବଶ୍ୟକତା ଅନୁଭୂତ ହେଉଛି ।

ଉପରୋକ୍ତ ସ୍ଥିତିରେ ଭାରତର ରୁଷିଆ ନିକଟରୁ ଶସ୍ତାରେ ଅଶୋଧିତ ତେଲ କିଣିବାକୁ ବି ରୁଷିଆର ନିକଟତର ହେବାର ପ୍ରୟାସ ବୋଲି ଭିନ୍ନ ଦୃଷ୍ଟିରେ ଦେଖାଯାଉଛି, ଯାହା ବିପଦମୁକ୍ତ ନୁହେଁ । ଉପରନ୍ତୁ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନର ମୁକାବିଲା ପାଇଁ ଗଠିତ ‘କ୍ୱାଡ’ ସୁରକ୍ଷା ଗୋଷ୍ଠୀରେ ଥିବା ଭାରତ ଭିନ୍ନ ଆମେରିକା, ଅଷ୍ଟ୍ରେଲିଆ, ଜାପାନ ରୁଷିଆର ଆକ୍ରମଣକୁ ଖୋଲାଖୋଲି ନିନ୍ଦା କରି ତା’ ଉପରେ କଟକଣାମାନ ଲଗାଇ ସାରିଛନ୍ତି । ଏହା ପରେ ‘କ୍ୱାଡ’ ଗୋଷ୍ଠୀରେ ଭାରତର ଅବସ୍ଥିତି କେତେ ଅର୍ଥପୂର୍ଣ୍ଣ ହେବ ଏବଂ ଉଭୟ ରୁଷିଆ ଓ ଆମେରିକା ତାକୁ କିଭଳି ଗ୍ରହଣ କରିବେ, ତାହା ଭବିଷ୍ୟତର ଘଟଣାକ୍ରମ ନିର୍ଦ୍ଧାରଣ କରିବ । ଅଧିକାଂଶ ପଡୋଶୀ ଦେଶଙ୍କ ସହ ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇଥିବା ବେଳେ ଭାରତ ତା’ର ପାରମ୍ପରିକ ଶତୃ ଦେଶ ପାକିସ୍ତାନ ଓ ଚୀନ ବ୍ୟତୀତ ଅନ୍ୟ କୌଣସି ଦେଶ ସହ ନୂତନ ଭାବେ ଶତୃତା ଆଚରଣ କରିବାର ବିଳାସିତାକୁ ଭାବି ମଧ୍ୟ ପାରିବ ନାହିଁ, ରୁଷିଆ ଓ ଆମେରିକାଙ୍କ ସହ ତ ଆଦୌ ନୁହେଁ । କିନ୍ତୁ ଆନ୍ତର୍ଜାତିକ ଘଟଣାବଳୀ ଭାରତକୁ ବାରମ୍ୱାର ଏ ଭଳି ସ୍ଥିତିରେ ଆଣି ପହଞ୍ଚାଇବ ଯେ ତାକୁ ରୁଷିଆ ଓ ଆମେରିକା ମଧ୍ୟରୁ ଗୋଟିଏକୁ ବାଛିବାକୁ ପଡିପାରେ । ଏହି ବିକଳ୍ପ-ଚୟନ ଦ୍ୱନ୍ଦ୍ୱକୁ ଏଡାଇବା ପାଇଁ ଓ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ଭାରତ ପରି ଏକ ଆଧ୍ୟାତ୍ମିକ ଶକ୍ତି ସମ୍ପନ୍ନ ଦେଶକୁ ଉଭୟଙ୍କଠାରୁ ଦୂରତ୍ୱ ରକ୍ଷା କରି ନୈତିକତା ଆଧାରିତ କୂଟନୀତିକୁ ଅଗ୍ରାଧିକାର ଦେଇ ନେତୃତ୍ୱ ନେବାକୁ ଏକ ବିକଳ୍ପ ଭାବେ ଗ୍ରହଣ କରିବାକୁ ପଡିପାରେ । କୂଟନୀତିରେ ବ୍ୟାବହାରିକତାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଏହା ଅନେକଟା ତାତ୍ତ୍ୱିକ ପରି ମନେ ହେଉଥିଲେ ବି ଅତୀତରେ ବୌଦ୍ଧ ଧର୍ମର ବିସ୍ତାର ପରେ ଭାରତ ତା’ର ଏହି କୋମଳ ଶକ୍ତି (ସଫ୍ଟ ପାୱାର)ର ଉପଯୋଗ କରି ବିଶ୍ୱରେ ନିଜ ସ୍ଥିତି ସୁଦୃଢ କରିବାକୁ ସମର୍ଥ ହୋଇଥିଲା ।

ଗଣତାନ୍ତ୍ରିକ ମୂଲ୍ୟବୋଧର ସୁଦୃଢୀକରଣ ଲାଗି ଅନେକ ଦେଶ ଭାରତ ଭଳି ଏକ ସର୍ବବୃହତ୍ ଗଣତାନ୍ତ୍ରିକ ଦେଶ  ଆଡକୁ ଅନାଇ ରହିଥିବା ବେଳେ ଜାତୀୟ ସ୍ୱାର୍ଥର ଆଳ ଦେଖାଇ ଭାରତ ସେହି ଗୁରୁ ଦାୟିତ୍ୱକୁ ଏଡାଇ ଯାଇପାରିବନି । ‘କ୍ୱାଡ’ ଭଳି ସୁରକ୍ଷା ଗୋଷ୍ଠୀର ଅଂଶ ବିଶେଷ ହେବାକୁ କୁଣ୍ଠା ପ୍ରକାଶ କରି ନ ଥିବା ଭାରତ ବିଶ୍ୱର ସପ୍ତମ ସର୍ବବୃହତ୍ ଅର୍ଥନୈତିକ ଶକ୍ତି ଓ ଚତୁର୍ଥ ସର୍ବବୃହତ୍ ସାମରିକ ଶକ୍ତି ଭାବେ ଉଭା ହୋଇସାରିଥିବାରୁ ସେହି ଗୁରୁ ଦାୟିତ୍ୱ ବହନ କରିବାକୁ ସକ୍ଷମ । ଏତଦବ୍ୟତୀତ ଦାର୍ଶନିକ ଓ ଆଧ୍ୟାତ୍ମିକ କ୍ଷେତ୍ରରେ ଭାରତର କୋମଳ ଶକ୍ତି ସର୍ବମାନ୍ୟ । ଭାରତୀୟ ନୀତିଶାସ୍ତ୍ରମାନଙ୍କରେ ନୀତି ନୈତିକତା ଆଧାରରେ ରାଷ୍ଟ୍ର ପରିଚାଳନା ଓ ଧର୍ମ ସଂସ୍ଥାପନାର ଉପଦେଶ ଦିଆ ହୋଇଛି । ଗୋଟିଏ ରାଷ୍ଟ୍ରର ଜୀବନରେ ବି ଏମିତି ଘଡିସନ୍ଧି ମୁହୂର୍ତ୍ତ ଆସେ ଯେତେବେଳେ ବିଶ୍ୱକଲ୍ୟାଣ ଓ ମାନବତାର ରକ୍ଷା ପାଇଁ ଜାତୀୟ ସ୍ୱାର୍ଥର ଊର୍ଦ୍ଧ୍ୱକୁ ଉଠି ନୈତିକତାକୁ ଅଗ୍ରାଧିକାର ଦେଇ ଧର୍ମ ସଂସ୍ଥାପନା କରିବାର ଆବଶ୍ୟକତା ଉପୁଜିଥାଏ । ଆଜି ବୋଧେ ଭାରତ ପାଇଁ ସେହି ମୁହୂର୍ତ୍ତ ଉପନୀତ । ଭାରତ ତା’ର ସେହି କୋମଳ ଶକ୍ତିକୁ ପୁଞ୍ଜି କରି ପ୍ରତିପକ୍ଷଙ୍କୁ ଯୁଦ୍ଧରୁ ନିବୃତ୍ତ ରହିବାକୁ ପ୍ରରୋଚିତ କରିପାରେ । ଏହାକୁ ସୁବର୍ଣ୍ଣ ସୁଯୋଗ ଭାବେ ଗ୍ରହଣ କରି ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ସକାରାତ୍ମକ ପ୍ରୟାସ କରାଗଲେ ହୁଏତ ଅନ୍ୟାନ୍ୟ ଦେଶମାନଙ୍କ ସମର୍ଥନରେ ଭାରତ ନିଜକୁ ବିଶ୍ୱଗୁରୁ ଭାବେ ଅଧିଷ୍ଠିତ କରାଇପାରିବ । ଅନ୍ୟଥା ଭାରତର ନିଷ୍କ୍ରିୟତା ଓ ନୀରବତା ଯୋଗୁଁ ତା’ର ବିଶ୍ୱଗୁରୁ ହେବାର ଆଶା ଆଶାରେ ରହି ଯାଇପାରେ ଓ ତାକୁ ପିତାମହ ଭୀଷ୍ମ, ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟଙ୍କ ପରି ଭବିଷ୍ୟତରେ ନିନ୍ଦିତ ହେବାକୁ ପଡିପାରେ ।

Published in Sambad on March 22, 2022   

 

Comments

  1. You may be okay with surrounded by your enemies and living powerless but a great leader and king always choose peace and power and for that peace and power they always do something that sometimes goes against humanity and Our India mythology also tells it .

    ReplyDelete
  2. When all others are being driven by their self interest, how could we be blind towards our own self interest. In the World of vultures, a single dove cannot tune to the melody of peace. T Maharana

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍