Skip to main content

କରୋନା ପରେ ବାଳିକା ଶିକ୍ଷା ପ୍ରତି ଆହ୍ୱାନ

କୋଭିଡ ମହାମାରୀ ବ୍ୟାପିବା ପରେ ସଂକ୍ରମଣ ବୃଦ୍ଧି ଭୟରେ ସ୍କୁଲଗୁଡିକୁ ବନ୍ଦ କରି ଦିଆ ଯାଇଥିଲା । ଫଳରେ ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାର ଜୁଆଳିଆ ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ କୌଶଲ୍ୟା ଅନ୍ୟ ପିଲାମାନଙ୍କ ପରି ଘରେ ବସି ରହିଥିଲା । କୌଶଲ୍ୟାର ବାପା ଗଣେଶ୍ୱର ଜଣେ ଦିନ ମଜୁରିଆ । ସ୍କୁଲ ଦ୍ୱାରା ଅନଲାଇନରେ ପାଠ ପଢାଯିବା ନିଷ୍ପତ୍ତି ପରେ ତାଙ୍କ ମୁଣ୍ଡରେ ଚଡକ ପଡିଥିଲା । କରୋନା ସଂକ୍ରମଣ ବ୍ୟାପିବା ପରେ ସେ ବି ରୋଜଗାର ହରାଇଥିଲେ । ସ୍ମାର୍ଟ ଫୋନ କିଣିବା ପାଇଁ ଏତେ ଗୁଡାଏ ଟଙ୍କା ତାଙ୍କ ପାଖରେ ନ ଥିବାରୁ ସେ କ’ଣ କରିବେ କିଛି ଭାବି ପାରୁ ନ ଥିଲେ । ଇଆଡେ ଅନଲାଇନରେ ପାଠପଢା ଆରମ୍ଭ ହୋଇ ଯାଇଥିଲେ ବି ସେଥିରେ କୌଶଲ୍ୟା ଅଂଶ ଗ୍ରହଣ କରି ପାରୁ ନ ଥିଲା । ତଥାପି ସେ ପରିବାରର ଆର୍ଥିକ ସ୍ଥିତି ସମ୍ପର୍କରେ ଅବଗତ ଥିବାରୁ ବାପାଙ୍କୁ ଫୋନ କିଣି ଦେବା ଲାଗି ଜିଦ୍ କରି ପାରୁ ନ ଥିଲା । କୌଶଲ୍ୟା ପରି ଗୋଟିଏ ଭଲ ଛାତ୍ରୀ ପାଠ ପଢି ନ ପାରି ଘରେ ବସି ରହିଥିବା ଦେଖି ଗଣେଶ୍ୱର ଦୁଃଖିତ ଓ ବିଚଳିତ ହେଉଥିଲେ । ମାଆ ମଞ୍ଜୁଲତା ଘରେ ରଖିଥିବା ଗାଈଟିର ସେବାଯତ୍ନ କରି ତା’ କ୍ଷୀର ବିକି ଦୁଇ ପଇସା ରୋଜଗାର କରୁଥିଲେ । ଶେଷରେ ସେମାନଙ୍କର ଏକମାତ୍ର ମୂଲ୍ୟବାନ ସମ୍ପତ୍ତି ଗାଈଟିକୁ ବିକ୍ରି କରିବା ଲାଗି ସେମାନେ ସ୍ଥିର କଲେ । ଗାଈଟିକୁ ୬୫୦୦ ଟଙ୍କାରେ ବିକ୍ରି କଲା ପରେ ବି ଟଙ୍କା ନିଅଣ୍ଟ ହେବାରୁ ତାଙ୍କୁ ଜଣେ ସମ୍ପର୍କୀୟଙ୍କ ନିକଟରୁ ୨୦୦୦ ଟଙ୍କା ହାତ ଉଧାର ଆଣି ଝିଅ ଲାଗି ସ୍ମାର୍ଟ ଫୋନଟିଏ କିଣି ଦେବାକୁ ହୋଇଥିଲା । କୌଶଲ୍ୟା ଅନଲାଇନରେ ପଢିବାକୁ ସମର୍ଥ ହେଲା ସତ, ହେଲେ ଗାଈଟି ବିକ୍ରି ହେବା ପରେ ତା’ଠାରୁ ହେଉଥିବା ଆୟର ଉତ୍ସ ମଧ୍ୟ ଶୁଷ୍କ ହୋଇ ପରିବାର ଆର୍ଥିକ ଦୁଃସ୍ଥିତି ଭିତରକୁ ଅଧିକ ଠେଲି ହୋଇଗଲା । ଗଣେଶ୍ୱରଙ୍କ ପରି କେତେ ଯେ ଗରିବ ଅଭିଭାବକ ସ୍ମାର୍ଟ ଫୋନ କିଣିବା ପାଇଁ ଛେଳି ମେଣ୍ଢା ବିକ୍ରିଠାରୁ ଆରମ୍ଭ କରି ସୁନାଗହଣା ବନ୍ଧା ପକାଇବାକୁ ବାଧ୍ୟ ହୋଇଛନ୍ତି, ତା’ର ଠିକଣା ନାହିଁ । କୌଶଲ୍ୟା ପରି ସ୍ମାର୍ଟ ଫୋନ ପାଇ ପାରିଥିବା ସେହି ପିଲାମାନଙ୍କୁ ତଥାପି ଅପେକ୍ଷାକୃତ ଭାବେ ଭାଗ୍ୟବାନ ବୋଲି ମଣିବାକୁ ହେବ, କାରଣ ଖରାପ ଆର୍ଥିକ ସ୍ଥିତିରେ ଥିବା ଅନେକ ଅଭିଭାବକ ସେମାନଙ୍କ ପିଲାମାନଙ୍କ ପାଇଁ ସ୍ମାର୍ଟ ଫୋନଟିଏ କିଣି ଦେଇ ପାରିନାହାନ୍ତି ଓ ସେମାନଙ୍କ ପାଠ ପଢା ବାଧାପ୍ରାପ୍ତ ହୋଇଛି । ତା’ ଛଡା ଇଣ୍ଟରନେଟ ଯୋଗାଯୋଗର ସୁବିଧା ନ ଥିବା ରାଜ୍ୟର ଅନେକ ଆଦିବାସୀ ଅଧ୍ୟୁଷିତ ଓ ଉପାନ୍ତ ଅଞ୍ଚଳରେ ଅନଲାଇନ ଶିକ୍ଷାଦାନ ପ୍ରତି ଏକ ନୂତନ ଆହ୍ୱାନ ସୃଷ୍ଟି ହୋଇଥିଲା । ସେହି ଅଞ୍ଚଳଗୁଡିକର ପିଲାମାନେ ଉଚ୍ଚ ସ୍ଥାନରେ ସିଗନାଲ ଟିକେ ପାଇବା ପାଇଁ ପାହାଡ ଓ ବଡ ବଡ ଗଛମାନ ଚଢି ଯେପରି କସରତ କରି ନାନା ଦୁର୍ଘଟଣାର ଶିକାର ହେଉଥିଲେ, ସେ ସବୁ ଅବାଞ୍ଛିତ ଦୃଶ୍ୟ ଏ ଯାଏଁ ଅନେକଙ୍କର ବିସ୍ମରଣ ହୋଇ ନଥିବ । ସ୍କୁଲ ମାଟି ନ ମାଡି ପିଲାଙ୍କର ଏମିତି ପ୍ରାୟ ଦୁଇବର୍ଷ କଟିଯିବା ପରେ ସ୍କୁଲ ଖୋଲିବା ପରେ ଏବେ ସାରା ଦେଶରେ ବାଳିକା ଶିକ୍ଷା ଏକ ଭିନ୍ନ ଧରଣର ସମସ୍ୟାର ସମ୍ମୁଖୀନ ହେବାକୁ ବସିଛି । ବିଭିନ୍ନ କାରଣରୁ ଗାଁଗହଳିର ଗରିବ ବର୍ଗର ଅନେକ ବାଳିକା ଏବେ ଆଉ ସ୍କୁଲ ଯିବାକୁ ରାଜି ହେଉନାହାନ୍ତି । ସ୍କୁଲ ଖୋଲିବା ପରେ ମାଲକାନଗିରିର ଏକ ପରିବାରରେ ବାପାମାଆ ଝିଅକୁ ସ୍କୁଲ ଯିବାକୁ ବାଧ୍ୟ କରିବାରୁ ଫେବୃଆରୀ ୧୨, ୨୦୨୨ରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ନିଜ ଜୀବନ ହାରି ଦେଇଥିବାର ଦୁଃଖଦ ଖବର ଅନେକଙ୍କୁ ବିଚଳିତ କରିଛି । ଏହି ଘଟଣା ସମସ୍ୟାଟିର ବିଭିନ୍ନ ଦିଗକୁ ଗମ୍ଭୀରତାପୂର୍ବକ ଅନୁଧ୍ୟାନ କରିବାର ଅବକାଶ ସୃଷ୍ଟି କରିଛି ।    

କୋଭିଡ ମହାମାରୀ ସମୟରେ ସ୍କୁଲଗୁଡିକ ବନ୍ଦ ରହିବା ଯୋଗୁଁ ସାମଗ୍ରିକ ଭାବେ ପିଲାଙ୍କ ପାଠପଢା ପ୍ରଭାବିତ ହୋଇଥିଲେ ବି ଏହା ଫଳରେ ବାଳିକାଙ୍କ ପାଠପଢା ଅଧିକ ବାଧାପ୍ରାପ୍ତ ହୋଇଛି । ୟୁନେସ୍କୋର ତଥ୍ୟ ଅନୁଯାୟୀ ସାରା ବିଶ୍ୱରେ କୋଭିଡ ମହାମାରୀ ପୂର୍ବରୁ ପ୍ରାୟ ୧୩ କୋଟି ବାଳିକା ସ୍କୁଲ ବ୍ୟବସ୍ଥା ବାହାରେ ଥିଲେ । କୋଭିଡ ସମୟରେ ବନ୍ଦ ଥିବା ସ୍କୁଲଗୁଡିକ ଖୋଲିବା ପରେ ଆଉ ଅଧିକ ପ୍ରାୟ ୧.୧ କୋଟି ବାଳିକା ସ୍କୁଲକୁ ଫେରି ନ ପାରନ୍ତି ଓ ଚିରଦିନ ଲାଗି ସେମାନଙ୍କ ବହିବସ୍ତାନିରେ ଡୋରି ବନ୍ଧା ହୋଇଯାଇପାରେ ବୋଲି ଆଶଙ୍କା ବ୍ୟକ୍ତ ହେଉଛି । ଏକକାଳୀନ ଏତେ ସଂଖ୍ୟକ ବାଳିକା ସ୍କୁଲ ଆସିବା ବନ୍ଦ କରି ଦେଲେ ବାଳିକା ଶିକ୍ଷା କ୍ଷେତ୍ରରେ ଦୀର୍ଘ ବର୍ଷ ଧରି ହୋଇ ଆସୁଥିବା ଅଗ୍ରଗତି ପ୍ରତି ଏକ ବଡ ଧରଣର ଧକ୍କା ଲାଗି ସ୍ଥିତି ଉଦବେଗଜନକ ହୋଇପାରେ । ଭାରତରେ ଏହି ସମସ୍ୟା ଉତ୍କଟ ଆକାର ଧାରଣ କରିଛି ବୋଲି ମହିଳା ସଶକ୍ତିକରଣ ସଂସଦୀୟ କମିଟି ଡିସେମ୍ୱର ୨୦୨୧ରେ ସଂସଦରେ ଉପସ୍ଥାପନ କରିଥିବା ‘ବେଟି ବଚାଓ ବେଟି ପଢାଓ କାର୍ୟ୍ୟକ୍ରମ ପରିପ୍ରେକ୍ଷୀରେ ଶିକ୍ଷା ମାଧ୍ୟମରେ ମହିଳା ସଶକ୍ତିକରଣ ରିପୋର୍ଟ’ରେ ସ୍ପଷ୍ଟ ଉଲ୍ଲେଖ ରହିଛି । ଏଥିରେ ସନ୍ନିବେଶିତ ଶିକ୍ଷା ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ କୋଭିଡ କାଳରେ ସ୍କୁଲ ବନ୍ଦ ଯୋଗୁଁ ପ୍ରାୟ ୩୨ କୋଟି ଛାତ୍ରଛାତ୍ରୀ ପ୍ରଭାବିତ ହୋଇଥିବା ବେଳେ ତନ୍ମଧ୍ୟରୁ ୧୫.୮ କୋଟି ଛାତ୍ରୀ । ଏଥିରେ ଛାତ୍ରମାନଙ୍କ ତୁଳନାରେ ଛାତ୍ରୀମାନେ ଅତ୍ୟଧିକ ପ୍ରଭାବିତ ହୋଇଥିବା ବେଳେ କୋଭିଡ ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ ଅନେକ ଛାତ୍ରୀଙ୍କର ପାଠପଢା ଚିରଦିନ ଲାଗି ବନ୍ଦ ହୋଇଯିବାର ଆଶଙ୍କା ଦେଖା ଦେଇଛି । ଅନଲାଇନ ଶିକ୍ଷାଦାନ ବେଳେ ମୋବାଇଲ ଫୋନର ବ୍ୟବହାରରେ ଲିଙ୍ଗଗତ ଭେଦଭାବ ଦେଖାଯାଇଛି । ପୁଅ ଓ ଝିଅ ପଢୁଥିବା ଗୋଟିଏ ଗରିବ ପରିବାରରେ ଗୋଟିଏ ମୋବାଇଲ ଫୋନ ଥିଲେ, ସେଇଟିକୁ ବ୍ୟବହାର କରିବା ଲାଗି ପୁଅକୁ ଅଗ୍ରାଧିକାର ମିଳିଛି । ତଥ୍ୟ ଅଭାବରୁ ସ୍କୁଲ ଖୋଲିବା ପରେ ନିର୍ଦ୍ଦିଷ୍ଟ ଭାବେ କେତେ ସଂଖ୍ୟକ ଛାତ୍ରୀ ସ୍କୁଲକୁ ଆସୁ ନାହାନ୍ତି, ତାହା ଜୁନ ୨୦୨୨ ସୁଦ୍ଧା ନିର୍ଦ୍ଧାରଣ କରିବାକୁ ରାଜ୍ୟଗୁଡିକୁ ପରାମର୍ଶ ଦିଆଯାଇଛି । ସେ ପର୍ୟ୍ୟନ୍ତ ସେହି ପିଲାମାନେ ପାଠ ନ ପଢି ଘରେ ବସି ରହିଥିବେ, ଯଦ୍ଦ୍ୱାରା ସେମାନେ ପାଠପଢାରେ ପଛାଇଯିବେ । 

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଦ୍ୱାରା ପ୍ରସ୍ତୁତ ‘ଶିକ୍ଷା ଯୁକ୍ତ ଏକୀକୃତ ଜିଲ୍ଲା ସୂଚନା ବ୍ୟବସ୍ଥା’ (ୟୁଡିଆଇଏସଇ+) ରିପୋର୍ଟ ୨୦୧୯-୨୦ ଅନୁଯାୟୀ ସର୍ବ ଭାରତୀୟ ସ୍ତରରେ ପ୍ରାଥମିକ ସ୍କୁଲରେ ବାଳିକାମାନଙ୍କ ମୋଟ ନାମାଙ୍କନ ଅନୁପାତ (ଗ୍ରସ ଏନରୋଲମେଣ୍ଟ ରେସିଓ -ଜିଇଆର) ୧୦୩.୭ ଥିବା ବେଳେ ଉଚ୍ଚ ମାଧ୍ୟମିକ ସ୍ତର ବେଳକୁ ଏହା ପ୍ରାୟ ୫୦ ପ୍ରତିଶତ ହ୍ରାସ ପାଇ ୫୨.୪କୁ ଖସି ଆସୁଛି । ସର୍ବ ଭାରତୀୟ ସ୍ତର ଅପେକ୍ଷା ଓଡିଶାରେ ଏହି ଅନୁପାତ ଯଥେଷ୍ଟ କମ । ଏଠାରେ ପ୍ରାଥମିକ ସ୍କୁଲ ସ୍ତରରେ ବାଳିକାମାନଙ୍କ ଜିଇଆର ୯୬.୪ ଯାହା ଉଚ୍ଚ ମାଧ୍ୟମିକ ସ୍ତର ବେଳକୁ ହ୍ରାସ ପାଇ ୪୮.୪କୁ ଖସି ଆସୁଛି । ନିମ୍ନ ଆୟ ବର୍ଗରେ ଥିବା ଭାରତକୁ ଏକ ମଧ୍ୟମ ଆୟ ବର୍ଗର ଦେଶରେ ପରିଣତ କରିବାକୁ ହେଲେ ଏଠାରେ ପୁଅଝିଅମାନେ ଅଧିକ ଶିକ୍ଷିତ ଓ କୁଶଳୀ ହେବା ନିତାନ୍ତ ଆବଶ୍ୟକ । ଅଧିକ ସଂଖ୍ୟକ ପୁଅଝିଅ ମଝିରୁ ପାଠ ଛାଡିଲେ ସେହି ଲକ୍ଷ୍ୟ ହାସଲ କରିବା ଏକ ପ୍ରକାର ଅସମ୍ଭବ ହୋଇପଡିବ ।        

କୋଭିଡ ଯୋଗୁଁ ଅନେକ ପରିବାର ରୋଜଗାର ହରାଇ ଆର୍ଥିକ ଦୃଷ୍ଟିରୁ ଅଧିକ ଦୁର୍ବଳ ହୋଇପଡିଥିବାରୁ ଏହି ଛାତ୍ରୀମାନଙ୍କୁ ବିଭିନ୍ନ ଘରୋଇ କାର୍ୟ୍ୟରେ ଏବଂ ସାନ ଭାଇଭଉଣୀଙ୍କ ଯତ୍ନ ନେବା ଲାଗି ନିୟୋଜିତ କରାଯାଉଛି । କେତେକ କ୍ଷେତ୍ରରେ ବାପାମାଆଙ୍କ ମଧ୍ୟରୁ ଉଭୟ ବା ଜଣେ ରୋଜଗାର ହରାଇଥିବାରୁ ପରିବାରର ଆର୍ଥିକ ଅସ୍ୱଚ୍ଛଳତା ପୁଅଝିଅ ଉଭୟଙ୍କ ପଢା ବାବଦ ଆନୁଷଙ୍ଗିକ ଖର୍ଚ୍ଚ ବହନ କରିବାକୁ ସେମାନଙ୍କୁ ଅନୁମତି ଦେଉନାହିଁ । ସେ କ୍ଷେତ୍ରରେ ସେମାନେ ପୁଅର ପଢିବାକୁ ଅଗ୍ରାଧିକାର ଦେଇ ଝିଅର ପାଠପଢା ବନ୍ଦ ରଖିବାକୁ ଉଚିତ ମଣୁଛନ୍ତି । ଜଣେ ବାଳିକାର ଶିକ୍ଷା ମଝିରୁ ବନ୍ଦ ହୋଇଯିବା କେବଳ ଦୁର୍ଭାଗ୍ୟଜନକ ନୁହେଁ ବରଂ ଏହାର କୁପ୍ରଭାବ ପରିବାରର ଉତ୍ତର ପିଢିମାନଙ୍କଠାରେ ମଧ୍ୟ ଅନୁଭୂତ ହୋଇଥାଏ । ଏହା ବହୁ ସଂଖ୍ୟାରେ ହେଲେ ତା’ର କୁପ୍ରଭାବ ନିର୍ଦ୍ଦିଷ୍ଟ ଗୋଷ୍ଠୀ, ସମ୍ପ୍ରଦାୟ, ରାଜ୍ୟ ଓ ଦେଶର ଅନଗ୍ରସରତାରେ ପ୍ରତିଫଳିତ ହୋଇଥାଏ । ତେଣୁ ବାଳିକା ଶିକ୍ଷାରେ ହେଉଥିବା ବ୍ୟୟକୁ ବ୍ୟୟ ବୋଲି ମନେ ନ କରି ଏକ ଗୁରୁତ୍ୱପୂର୍ଣ୍ଣ ପୁଞ୍ଜି ବିନିଯୋଗ ରୂପେ ଗ୍ରହଣ କରାଯିବା ଆବଶ୍ୟକ, କାରଣ ଏହା ଆମ ସମସ୍ତଙ୍କ ସାମଗ୍ରିକ ଉନ୍ନତ ଭବିଷ୍ୟତକୁ ସୁନିଶ୍ଚିତ କରିବାରେ ସହାୟକ ହୋଇଥାଏ । ଜଣେ ବାଳିକା ବର୍ଷଟିଏ ଅଧିକ ଶିକ୍ଷା ଗ୍ରହଣ କରିଥିଲେ ସେ ପ୍ରାପ୍ତ ବୟସ୍କ ହେଲା ପରେ ତା’ର ରୋଜଗାର ପ୍ରାୟ ୨୦ ପ୍ରତିଶତ ବୃଦ୍ଧି ପାଇ ପାରିଥାଏ । ଏହା ଦ୍ୱାରା ଅର୍ଥନୀତି ସୁଦୃଢ ହେବା ସହ ନାରୀ-ପୁରୁଷଙ୍କ ମଧ୍ୟରେ ବୈଷମ୍ୟ ହ୍ରାସ ପାଇ ସମସ୍ତଙ୍କୁ ବିଭିନ୍ନ କ୍ଷେତ୍ରରେ ସମାନ ସୁଯୋଗ ମିଳି ପାରିଥାଏ । ସବ-ସାହାରା ଆଫ୍ରିକା ଓ ଭାରତ ସମେତ ଦକ୍ଷିଣ ଏସିଆ ଅଞ୍ଚଳର ଦେଶଗୁଡିକରେ କମ ବୟସର କିଶୋରୀମାନେ ଅଧିକ ସଂଖ୍ୟାରେ ଗର୍ଭବତୀ ହେବା ଏକ ବଡ ସମସ୍ୟା । ସେଠାରେ ସମସ୍ତ ବାଳିକା ଅନ୍ତତଃ ପ୍ରାଥମିକ ସ୍କୁଲ ଯାଏଁ ପଢି ପାରିଲେ ୧୭ ବର୍ଷରୁ କମ ବୟସର ଗର୍ଭବତୀଙ୍କ ସଂଖ୍ୟା ପ୍ରାୟ ୧୦ ପ୍ରତିଶତ ହ୍ରାସ ପାଇ ପାରିବ ବୋଲି ମନେ କରାଯାଏ । ଶିକ୍ଷାଦାନ କ୍ଷେତ୍ରରେ ବାଳକମାନଙ୍କ ତୁଳନାରେ ବାଳିକାମାନଙ୍କୁ ପାତରଅନ୍ତର କରାଯାଉଥିବା ଦେଶମାନଙ୍କର ଅର୍ଥନୀତିକୁ ବାର୍ଷିକ ହଜାର ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି ।

କିଶୋରୀମାନେ ସ୍କୁଲକୁ ନ ଆସି ଘରେ ବସି ରହିଲେ ଅନେକ ତାତ୍କାଳିକ ସାମାଜିକ ସମସ୍ୟା ଓ ଅପରାଧ ଦେଖା ଦେଇପାରେ । ସେମାନଙ୍କୁ ଶ୍ରମିକ ଭାବେ କାର୍ୟ୍ୟ କରିବାକୁ ବାଧ୍ୟ କରାଯାଇପାରେ, ଯଦ୍ଦ୍ୱାରା ଶିଶୁ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ହୋଇପାରେ । ଘରେ ବସି ରହିଲେ ସେମାନଙ୍କ ପ୍ରତି ଯୌନ ହିଂସା ବୃଦ୍ଧି ପାଇବାର ଆଶଙ୍କା ବେଶି । ଫଳରେ ଅଧିକ ସଂଖ୍ୟକ କିଶୋରୀ ଗର୍ଭବତୀ ହେବାର ଆଶଙ୍କା ଉପୁଜି କୁଆଁରୀ ମାତୃ ସମସ୍ୟା ଉତ୍କଟ ରୂପ ଧାରଣ କରିପାରେ । ସେମାନେ ମହିଳା ଚାଲାଣ ରାକେଟର ମଧ୍ୟ ଶିକାର ହୋଇପାରନ୍ତି । ଲୋକଲଜ୍ଜାରୁ ରକ୍ଷା ପାଇବା ପାଇଁ ଅଭିଭାବକମାନେ ସେମାନଙ୍କୁ କମ ବୟସରେ ବାହା କରାଇ ଦେବାକୁ ଉଦ୍ୟତ ହେବେ । ଝିଅମାନଙ୍କ ସର୍ବନିମ୍ନ ବିବାହ ବୟସ ୨୧କୁ ବୃଦ୍ଧି ପାଇଥିଲେ ବି ଆଇନ ଭଙ୍ଗ କରି ଏହି ଧରଣର ଅଧିକ ସଂଖ୍ୟକ ବିବାହ ଅନୁଷ୍ଠିତ ହେବ । ତଦ୍ଦ୍ୱାରା କନ୍ୟାମାନଙ୍କ ସର୍ବନିମ୍ନ ବିବାହ ବୟସ ବୃଦ୍ଧି ପଛରେ ଥିବା ସରକାରଙ୍କ ମୂଳ ଲକ୍ଷ୍ୟ ହାସଲ ହେବନାହିଁ ।     

ରାଜ୍ୟରେ ସ୍କୁଲ ଆସୁ ନଥିବା କିଶୋରୀମାନଙ୍କୁ ତୁରନ୍ତ ଚିହ୍ନଟ କରି ସେମାନଙ୍କୁ ଯଥାଶୀଘ୍ର ସ୍କୁଲକୁ ଫେରାଇ ଆଣିବା ପାଇଁ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ଓ ପରିଚାଳନା ସମିତିଙ୍କୁ ସବୁ ପ୍ରକାର ଉଦ୍ୟମ କରିବାକୁ ପଡିବ । ପଞ୍ଚାୟତିରାଜ ବ୍ୟବସ୍ଥାରେ ନୂତନ ଭାବେ ନିର୍ବାଚିତ ସଦସ୍ୟମାନେ ମଧ୍ୟ ଏ କ୍ଷେତ୍ରରେ ସହଯୋଗର ହାତ ବଢାଇବା ଆବଶ୍ୟକ । ବାଳିକାମାନଙ୍କୁ ସ୍କୁଲକୁ ଫେରାଇ ଆଣିବା ଲାଗି ‘ବ୍ରୁକିଙ୍ଗସ ବୁକ୍‘ ଦ୍ୱାରା ପ୍ରସ୍ତାବିତ ପଞ୍ଚସୂତ୍ରୀ କାର୍ୟ୍ୟକ୍ରମକୁ - ଅତ୍ୟଧିକ ଗରିବବର୍ଗର ଛାତ୍ରୀମାନଙ୍କୁ ନଗଦ ଟଙ୍କା ପ୍ରଦାନ (କ୍ୟାଶ ଟ୍ରାନ୍ସଫର), ସ୍କୁଲର ଅବସ୍ଥିତି କାରଣରୁ ସ୍କୁଲ ଆସୁ ନଥିବା କିଶୋରୀମାନଙ୍କ ପାଇଁ ଦୂରଶିକ୍ଷା ବ୍ୟବସ୍ଥାର ସୁଦୃଢୀକରଣ, ସ୍କୁଲ ଖୋଲିବା ପରେ ବାଳିକାଙ୍କ ଉପସ୍ଥିତିକୁ ସୁନିଶ୍ଚିତ କରିବା ପାଇଁ ଶିକ୍ଷକ ଓ ଅଭିଭାବକମାନଙ୍କର ସକ୍ରିୟ ଅଂଶଗ୍ରହଣ, ବାଳିକାମାନଙ୍କ ନିରାପତ୍ତା ଓ ସୁରକ୍ଷା ପାଇଁ ସରକାରଙ୍କ ଦ୍ୱାରା ଅଗ୍ରାଧିକାର ପ୍ରଦାନ, କିଶୋରୀଙ୍କ ସୃଜନଶୀଳତାକୁ ଦୃଷ୍ଟିରେ ରଖି ଶିକ୍ଷା ବ୍ୟବସ୍ଥାରେ ସେମାନଙ୍କ ଅର୍ଥପୂର୍ଣ୍ଣ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା - ମଧ୍ୟ ବିଚାରକୁ ନିଆଯାଇପାରେ । ଏଥିପାଇଁ ରାଜ୍ୟ ସରକାର ଶିକ୍ଷା ବଜେଟରେ ଆବଶ୍ୟକ ପ୍ରାବଧାନ କରିବା ଉଚିତ, ଯଦ୍ଦ୍ୱାରା ଜଣେ ବି ଛାତ୍ରୀ ଯେପରି ମଝିରୁ ପାଠ ଛାଡି ଘରେ ବସି ନ ରହେ । ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଏଭଳି ସ୍କୁଲ ଛାଡି ଘରେ ବସି ରହିବା ପାଇଁ ବାଧ୍ୟ ହେଉଥିବା ଝିଅମାନଙ୍କୁ ପୁଣି ଥରେ ସ୍କୁଲକୁ ଫେରାଇ ଆଣି ସେମାନଙ୍କୁ ଶିକ୍ଷିତ ହେବା ଲାଗି ପ୍ରୋତ୍ସାହିତ କରିବା ହିଁ ପ୍ରକୃତ ଅର୍ଥରେ ହେଉ ମହିଳା ସଶକ୍ତିକରଣର ପ୍ରଥମ ସୋପାନ । 


Published in Sambad on March 8, 2022

 

Comments

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ମତୁଆଙ୍କୁ ସାମାଜିକ ବାସନ୍ଦ - ଧର୍ମ ବିଶ୍ୱାସ ପାଇଁ ଉତ୍ପୀଡନ

ନିକଟରେ ମାଲକାନଗିରି ଜିଲ୍ଲାରେ କିଛି ଲୋକଙ୍କ ଭିନ୍ନ ଧର୍ମ ବିଶ୍ୱାସ ପାଇଁ ସେହି ଧର୍ମର କିଛି ଉଚ୍ଚ ଜାତିର ଲୋକଙ୍କ ଦ୍ୱାରା ସେମାନେ ଯେଉଁ ଭଳି ଉତ୍ପୀଡନର ଶିକାର ହେଲେ, ତାହା ମୁଖ୍ୟଧାରାର ଗଣମାଧ୍ୟମ ପାଇଁ ଏକ ଉଲ୍ଲେଖଯୋଗ୍ୟ ବା ଦର୍ଶନଯୋଗ୍ୟ ଖବର ହୋଇ ନ ଥିଲେ ବି ଲୋକଙ୍କ ଧର୍ମ ବିଶ୍ୱାସ ଉପରେ ବିଭିନ୍ନ ସମୟରେ ହେଉଥିବା ଆକ୍ରମଣ କେତେ ଦୂର ଗ୍ରହଣୀୟ ସେ ନେଇ ଏକ ମୌଳିକ ପ୍ରଶ୍ନ ଉତ୍ଥାପନ କରୁଛି । ଏହି ଘଟଣା ଏକ ଉପାନ୍ତ ଅଞ୍ଚଳରେ ସଂଘଟିତ ହୋଇ ସେଥିରେ ମୁଷ୍ଟିମେୟ ଲୋକ ପ୍ରଭାବିତ ହୋଇଥିଲେ ବି ତାହା ଏକ ବୃହତ୍ତର ପ୍ରସଙ୍ଗକୁ ମଝି ମଞ୍ଚରେ ଆଣି ଥୋଇ ଦେଇଛି । ପ୍ରସଙ୍ଗଟିର ଉଚିତ ଅନୁଶୀଳନ ଲାଗି ଘଟଣା ସମ୍ପର୍କରେ ମାଲକାନଗିରିର ଆଦିବାସୀ ସଂଘ ଓ ହେତୁବାଦୀ ଓ ମାନବବାଦୀ ସଙ୍ଗଠନ ଦ୍ୱାରା ନିୟୋଜିତ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ପ୍ରଦାନ କରିଥିବା ବିବରଣୀ ପ୍ରଣିଧାନ ଯୋଗ୍ୟ । ବିବରଣୀ ଅନୁସାରେ ମାଲକାନଗିରିର ଦଣ୍ଡକାରଣ୍ୟ ପ୍ରକଳ୍ପ ଅଧୀନସ୍ଥ ଏମ.ଭି.୭୬ ଗାଁରେ କିଛି ମତୁଆ ସମ୍ପ୍ରଦାୟର ଦଳିତ ପରିବାର ବସବାସ କରି ଆସୁଛନ୍ତି । ଏମାନେ ହିନ୍ଦୁ ଧର୍ମାବଲମ୍ୱୀ ହୋଇଥିଲେ ବି ଏମାନଙ୍କ ଧର୍ମ ବିଶ୍ୱାସ, ପୂଜା ପଦ୍ଧତି, ରୀତିନୀତି ହିନ୍ଦୁ ଧର୍ମର ମୁଖ୍ୟଧାରାର ବ୍ରାହ୍ମଣବାଦୀ ଧର୍ମ ବିଶ୍ୱାସ, ପୂଜା ପଦ୍ଧତି ଇତ୍ୟାଦିଠାରୁ ସମ୍ପୂର୍ଣ୍ଣ ଭିନ୍ନ । ମତୁଆ ସମ୍ପ୍ରଦାୟର ଧର୍ମ ବିଶ୍ୱାସକୁ ଖାରଜ କରି ସେଠାକାର ଉଚ୍ଚ ଜାତିର ଲୋ