କୁରୁସଭାରେ ଦ୍ରୌପଦୀଙ୍କ ବସ୍ତ୍ରହରଣର କରୁଣ ଦୃଶ୍ୟ ସଂଘଟିତ ହେଉଥିଲା ବେଳେ ସେଠାରେ ଉପସ୍ଥିତ ପିତାମହ ଭୀଷ୍ମ, ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟଙ୍କ ପରି ଜ୍ଞାନୀ, ଗୁଣୀ, ମହାବୀରମାନେ ବ୍ୟକ୍ତିଗତ ସ୍ୱାର୍ଥର ଊର୍ଦ୍ଧ୍ୱକୁ ଉଠି ସେହି ଅନ୍ୟାୟର ପ୍ରତିବାଦ କରିବାକୁ ଅସମର୍ଥ ହୋଇ ନୀରବ ରହିଥିଲେ, ଯେଉଁଥିପାଇଁ ସେମାନେ ଆଜି ବି ନିନ୍ଦିତ । ୟୁକ୍ରେନ ଯୁଦ୍ଧର ବିଭୀଷିକା ଲାଗି ରହି ଲକ୍ଷ ଲକ୍ଷ ଲୋକ ଅନ୍ୟ ଦେଶରେ ଶରଣାର୍ଥୀ ହେବା, ହଜାର ହଜାର ଶିଶୁ ଅନାଥ ହେବା, ଶହ ଶହ କୋଠାବାଡି ଧ୍ୱଂସ ହୋଇ ମାନବତାର ବସ୍ତ୍ରହରଣର କରୁଣ ଦୃଶ୍ୟକୁ ବିଶ୍ୱବାସୀ ଟିଭି ପରଦାରେ ପ୍ରତ୍ୟକ୍ଷ କରୁଥିଲେ ବି ଯୁଦ୍ଧ ବନ୍ଦ କରିବା ଲାଗି ରାଷ୍ଟ୍ରନାୟକମାନେ ନିଜ ନିଜ ଦେଶର ସ୍ୱାର୍ଥରକ୍ଷା ଲାଗି ସତେ ଯେମିତି ନୀରବ । ମିଳିତ ଜାତିସଂଘର ସାଧାରଣ ଅଧିବେଶନରେ ୧୪୧ଟି ଦେଶ ରୁଷିଆର ୟୁକ୍ରେନ ଆକ୍ରମଣକୁ ତୀବ୍ର ନିନ୍ଦା କରିଥିବା ବେଳେ ଯେଉଁ କେତୋଟି ଦେଶ ଭୋଟଦାନରୁ ବିରତ ରହି ରୁଷିଆକୁ ପରୋକ୍ଷରେ ସମର୍ଥନ ଜଣାଇଲେ ସେମାନଙ୍କ ମଧ୍ୟରେ ଥିଲା ଭାରତ । ଏଥି ପୂର୍ବରୁ ଜାତିସଂଘ ସୁରକ୍ଷା ପରିଷଦରେ ଅନୁଷ୍ଠିତ ଭୋଟଦାନରେ ମଧ୍ୟ ଭାରତ ଅନୁରୂପ ଆଚରଣ କରିଥିଲା । ଗଣତନ୍ତ୍ର ଓ ସାର୍ବଭୌମତ୍ୱର ସୁରକ୍ଷା ଉପରେ ଗୁରୁତ୍ୱ ଦେଉଥିବା ଭାରତ ୟୁକ୍ରେନ ଭଳି ଏକ ସାର୍ବଭୌମ ଗଣତାନ୍ତ୍ରିକ ଦେଶର ଆକ୍ରମଣ ପରେ ନୀରବ ରହିବା ଅନେକଙ୍କୁ ବ୍ୟଥିତ କଲା । ଅବଶ୍ୟ ରୁଷିଆ ସହ ଭାରତର ଦୀର୍ଘ ଦିନର ଐତିହାସିକ ବନ୍ଧୁତ୍ୱ ଦୃଷ୍ଟିରୁ ଭାରତର ଏ ଭଳି ଆଚରଣ କିଛି ଅପ୍ରତ୍ୟାଶିତ ନୁହେଁ । ଭାରତର ନିର୍ଣ୍ଣୟକୁ ‘ସ୍ୱାଧୀନ ଓ ସନ୍ତୁଳିତ’ କହି ରୁଷିଆ ପ୍ରଶଂସା କରିଥିଲା ବେଳେ ଭାରତର ନୀରବତା ନିରପେକ୍ଷତା ନୁହେଁ ବୋଲି ପଶ୍ଚିମା ଦେଶଗୁଡିକ ମଣୁଛନ୍ତି । ଭାରତର ଏ ଭଳି ଆଭିମୁଖ୍ୟ କୂଟନୈତିକ ଦୃଷ୍ଟିରୁ ତାକୁ ବିଶ୍ୱପଟଳରେ ଏକ ଘରିକିଆ କରି ଦେବନାହିଁ ତ ?
ଭାରତ କେବେ କାହାକୁ ଆକ୍ରମଣ କରିନାହିଁ ସତ, ହେଲେ ଅନେକ କ୍ଷେତ୍ରରେ ଆକ୍ରମଣକାରୀ ଦେଶମାନଙ୍କୁ କଡା ଶବ୍ଦରେ ନିନ୍ଦା ମଧ୍ୟ କରିନାହିଁ । ଅତୀତରେ ବିଭିନ୍ନ ଦେଶଙ୍କ ଦ୍ୱାରା ହୋଇଥିବା ଅନେକ ସାମରିକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ଭାରତ ଭିନ୍ନ ଭିନ୍ନ ଦୃଷ୍ଟିଭଙ୍ଗୀ ପୋଷଣ କରିଆସିଛି । କେତେବେଳେ ଉତ୍ତେଜନା ହ୍ରାସ ପାଇଁ ସକ୍ରିୟ ମଧ୍ୟସ୍ଥତା କରିଛି ତ କେତେବେଳେ ପୁଣି ନୀରବ ରହିବାକୁ ଉଚିତ ମଣିଛି । ଭାରତ ପାଇଁ ଏଇ ଧରଣର ପ୍ରଥମ ନିଷ୍ପତ୍ତି ସଙ୍କଟ ଦେଖା ଦେଇଥିଲା ୧୯୫୬ର ‘ସୁଏଜ କେନାଲ ସଙ୍କଟ’ ସମୟରେ ଯେତେବେଳେ ଇଜିପ୍ଟର ରାଷ୍ଟ୍ରପତି ନାସେରଙ୍କ ସୁଏଜ କେନାଲର ଜାତୀୟକରଣ ଘୋଷଣା ନିଷ୍ପତ୍ତିକୁ ବିରୋଧ କରି ଅକ୍ଟୋବର ୨୯, ୧୯୫୬ରେ ପ୍ରଥମେ ଇସ୍ରାଏଲ ଓ ପରେ ପରେ ବ୍ରିଟେନ ଓ ଫ୍ରାନ୍ସ ଇଜିପ୍ଟର ବିମାନଘାଟୀଗୁଡିକ ଉପରେ ଆକ୍ରମଣ କରିଥିଲେ । ଉଭୟ କୂଟନୈତିକ ଓ ଅର୍ଥନୈତିକ ଦୃଷ୍ଟିରୁ ଭାରତ ଉପରେ ଏହି ସଙ୍କଟର ଗଭୀର ପ୍ରଭାବ ପଡିବାର ଆଶଙ୍କା ଥିଲା । ନାସେରଙ୍କ ସହ ନେହରୁଙ୍କ ଘନିଷ୍ଠ ବନ୍ଧୁତା ସତ୍ତ୍ୱେ ସେ ନାସେରଙ୍କ ଏଭଳି ନିଷ୍ପତ୍ତିଠାରୁ ନିଜକୁ ଦୂରେଇ ରଖିବା ସଙ୍ଗେ ସଙ୍ଗେ ଇଜିପ୍ଟ ବିରୁଦ୍ଧରେ ହୋଇଥିବା ସାମରିକ କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ନିନ୍ଦା କରିବାକୁ ପଛାଇ ନ ଥିଲେ । ଏଥି ସହ ସେ ସକ୍ରିୟ ମଧ୍ୟସ୍ଥତା କରି ଆମେରିକା ରାଷ୍ଟ୍ରପତି ଆଇଜେନହାୱାରଙ୍କ ସହ ମିଶି କେତେଗୁଡିଏ ପଦକ୍ଷେପ ଗ୍ରହଣ କରିଥିଲେ, ଯାହା ଉତ୍ତେଜନା ହ୍ରାସରେ ସହାୟକ ହୋଇଥିଲା । ପରେ ଆମେରିକା ଦ୍ୱାରା ଭିଏତନାମ ଯୁଦ୍ଧ ଚାଲିଥିବା ସମୟରେ ତା’ର କଡା ନିନ୍ଦା କରିବାକୁ ଭାରତ ପଛାଇ ନଥିଲା । କିନ୍ତୁ ୧୯୫୬ରେ ସୋଭିଏତ ସଂଘ ଦ୍ୱାରା ହଙ୍ଗେରୀ ବିପ୍ଳବକୁ ଦମନ କରିବା ଲାଗି ଓ ୧୯୬୮ରେ ସୋଭିଏତ ସଂଘ ନେତୃତ୍ୱରେ ‘ୱାରସ ମେଣ୍ଟ’ ଦ୍ୱାରା ଚେକୋସ୍ଲୋଭାକିଆ ଉପରେ ହୋଇଥିବା ଆକ୍ରମଣକୁ ଭାରତ ନିନ୍ଦା କରି ନଥିଲା । ୧୯୭୯ରେ ଆଫଗାନିସ୍ତାନକୁ ସୋଭିଏତ ସଂଘ ନିଜ ଦଖଲକୁ ନେଇଥିଲା ଓ ୧୯୮୦ରେ ଇନ୍ଦିରା ଗାନ୍ଧୀ ସୋଭିଏତ ସଂଘର କାର୍ଯ୍ୟାନୁଷ୍ଠାନ ପ୍ରତି ସମର୍ଥନ ଜଣାଇଥିଲେ । ୧୯୭୧ରେ ବଙ୍ଗଳାଦେଶ ଯୁଦ୍ଧ ସମୟରେ ସୋଭିଏତ ସଂଘ ଭାରତକୁ ଦୃଢ ସମର୍ଥନ ଜଣାଇବା ସହ ସାମରିକ ସହାୟତା ପ୍ରଦାନ କରିଥିବାରୁ ଭାରତ ସେ ଭଳି ଜଣେ ବନ୍ଧୁକୁ ହରାଇବାକୁ ଚାହୁଁ ନ ଥିଲା । ଏହି କାଳଖଣ୍ଡରେ ଭାରତ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ନେତୃତ୍ୱ ନେଇ ଉଭୟ ମହାଶକ୍ତିଙ୍କ ନିକଟରୁ ଦୂରତା ରକ୍ଷା କରୁଥିଲେ ବି ସୋଭିଏତ ସଂଘ ପ୍ରତି ତାର ଦୁର୍ବଳତା ବାରି ହୋଇ ପଡୁଥିଲା । ୨୦୦୩ରେ ଆମେରିକା ଇରାକ ଆକ୍ରମଣ କଲା ପରେ ତତ୍କାଳୀନ ବାଜପେୟୀ ସରକାର ମୃଦୁ ଅସନ୍ତୋଷ ବ୍ୟକ୍ତ କରିଥିଲେ ବି ସୋଭିଏତ ସଂଘର ବିଘଟନ ପରେ ଆମେରିକା ହିଁ ଏକମାତ୍ର ମହାଶକ୍ତି ହୋଇଥିବାରୁ ତା’ ସହ ଗଢି ଉଠୁଥିବା ସୁସମ୍ପର୍କକୁ ତିକ୍ତ ନ କରିବା ପାଇଁ ନୀରବ ରହିବାକୁ ଜାତୀୟ ସ୍ୱାର୍ଥର ଅନୁକୂଳରେ ବୋଲି ମନେ କରିଥିଲେ । କୂଟନୈତିକ ଦୃଷ୍ଟିରୁ ଜାତୀୟ ସ୍ୱାର୍ଥକୁ ସୁରକ୍ଷିତ ରଖି ପଦକ୍ଷେପ ଗ୍ରହଣ କରିବା ସର୍ବୋପରି ହୋଇଥାଏ, ଯାହା ଏ ଯାଏଁ ଭାରତ କରିଆସିଛି । ସେଥିପାଇଁ ଅନେକ ସମୟରେ କୌଣସି ପ୍ରସଙ୍ଗରେ ନିରପେକ୍ଷତା ଆଚରଣ ବା ପ୍ରସଙ୍ଗକୁ ଏଡାଇ ଯିବାକୁ ଶ୍ରେୟସ୍କର ମଣିଥିଲେ ବି ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଭାରତର ନିରପେକ୍ଷ ନୀତି ଅବଲମ୍ୱନ ବିଶ୍ୱପଟଳରେ ତା’ର ଭାବମୂର୍ତ୍ତିକୁ ମଳିନ କରିବା ସହ ତାହା ଜାତୀୟ ସ୍ୱାର୍ଥରେ ହୋଇ ନ ପାରେ ବୋଲି ମତ ପ୍ରକାଶ ପାଉଛି ।
ଭାରତ ରୁଷିଆ ଆଡକୁ ଢଳିବା ଭଳି ପ୍ରତୀତ ହେବାର ଏକ ବଡ କାରଣ ହେଉଛି ସାମରିକ ଅସ୍ତ୍ରଶସ୍ତ୍ର ପାଇଁ ଭାରତର ରୁଷିଆ ଉପରେ ଅତ୍ୟଧିକ ନିର୍ଭରଶୀଳତା । ଅବଶ୍ୟ ଗତ କିଛି ବର୍ଷ ଧରି ଭାରତ ଅନ୍ୟ କିଛି ଦେଶରୁ ଅସ୍ତ୍ରଶସ୍ତ୍ର ଆମଦାନୀ କରି ଏହି ନିର୍ଭରଶୀଳତାକୁ ହ୍ରାସ କରିବାକୁ ସମର୍ଥ ହୋଇଥିଲେ ମଧ୍ୟ ଏବେ ବି ତା’ର ଅର୍ଦ୍ଧାଧିକ ଆବଶ୍ୟକତା ରୁଷିଆ ହିଁ ପୂରଣ କରୁଛି । ତେବେ ବିଭିନ୍ନ ପ୍ରସଙ୍ଗରେ ରୁଷିଆ ଏବେ ଉଭୟ ଚୀନ ଓ ପାକିସ୍ତାନର ନିକଟତର ହୋଇଥିବାରୁ ସୁରକ୍ଷା ଓ କୂଟନୈତିକ ସ୍ତରରେ ଆଗ ଭଳି ଆଉ ଭାରତ ପଛରେ ଠିଆ ହେଉଥିବା ଦେଖାଯାଉ ନାହିଁ । ଗତବର୍ଷ ଗଲୱାନ ଉପତ୍ୟକାରେ ଭାରତ ଚୀନର ସେନା ମୁହାଁମୁହିଁ ହେଉଥିବା ବେଳେ ରୁଷିଆ ନିରପେକ୍ଷତା ଅବଲମ୍ୱନ କରି ନୀରବ ରହିବା, ତାହାର ଏକ ଉଦାହରଣ ମାତ୍ର । ଅଧିକନ୍ତୁ, ୟୁକ୍ରେନ ପ୍ରସଙ୍ଗରେ ଚୀନର ରୁଷିଆ ପ୍ରତି ଆଭିମୁଖ୍ୟ ଭବିଷ୍ୟତରେ ରୁଷିଆକୁ ଚୀନର ଅଧିକ ନିକଟତର କରିବ । ଭାରତର ଶତୃ ଦେଶ ଉଭୟ ଚୀନ ଓ ପାକିସ୍ତାନ ରୁଷିଆର ନିକଟତର ହେବା ଭାରତ ପାଇଁ ଆଦୌ ଶୁଭଙ୍କର ନୁହେଁ । ଏହାଦ୍ୱାରା ଦେଶର କାଶ୍ମୀର ନୀତି ପ୍ରତି ବିପଦର ଆଶଙ୍କା ଥିବାରୁ, ଭାରତ ରୁଷିଆର ବନ୍ଧୁତାକୁ ହରାଇବାକୁ ଚାହିଁ ନ ପାରେ । ଗୋଟିଏ ପକ୍ଷରେ ଭବିଷ୍ୟତରେ ରୁଷିଆଠାରୁ ସମର୍ଥନ ମିଳିବା ନିଶ୍ଚିତ ହୋଇ ନ ଥିବା ବେଳେ ୟୁକ୍ରେନ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ଯୋଗୁଁ ଆମେରିକା ଓ ଅନ୍ୟ ପଶିମା ଦେଶମାନେ ଦରକାର ବେଳେ ଭାରତକୁ ସହାୟତା ପ୍ରଦାନ କରିବା ନେଇ ଶଙ୍କା ସୃଷ୍ଟି ହେବା ମଧ୍ୟ କିଛି ଅସ୍ୱାଭାବିକ ନୁହେଁ ।
ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଭାବେ ସ୍ଥାନ ପାଇବାକୁ ଭାରତ ଆଶା ବାନ୍ଧିଆସିଛି । ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଓ ସାରା ବିଶ୍ୱକୁ ଯୁଦ୍ଧର ବିଭୀଷିକାରୁ ସୁରକ୍ଷିତ ରଖିବା ପାଇଁ ଜାତିସଂଘର ସୁରକ୍ଷା ପରିଷଦର ସଦସ୍ୟମାନଙ୍କର ଏକ ବଡ ଭୂମିକା ରହିଛି । ୟୁକ୍ରେନ ଯୁଦ୍ଧ ସମୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ସମେତ ସୁରକ୍ଷା ପରିଷଦର ପ୍ରତିଟି ଦେଶ କିପରି ଆଚରଣ କରୁଛନ୍ତି ତା’ ଉପରେ ଅନ୍ୟ ଦେଶମାନଙ୍କ ତୀକ୍ଷ୍ଣ ନଜର ରହିଛି । ସ୍ଥାୟୀ ସଦସ୍ୟତା ପାଇବା ଲାଗି ଭାରତକୁ ଏପରି କିଛି କଠୋର ନିଷ୍ପତ୍ତି ନେବାକୁ ହେବ ଯଦ୍ଦ୍ୱାରା ଆବଶ୍ୟକ ସ୍ଥଳେ ମାନବତା ଓ ବିଶ୍ୱ ସ୍ୱାର୍ଥର ସୁରକ୍ଷା ପାଇଁ ଭାରତ ଯେ ନିଜ ସ୍ୱାର୍ଥର ଭର୍ଦ୍ଧ୍ୱକୁ ଉଠି କଠିନ ନିର୍ଣ୍ଣୟ ନେବାକୁ ସକ୍ଷମ ସେହି ପ୍ରତ୍ୟୟ ଅନ୍ୟ ଦେଶମାନଙ୍କ ମଧ୍ୟରେ ସୃଷ୍ଟି ହୋଇପାରିବ । ସେ କ୍ଷେତ୍ରରେ ଭାରତକୁ ହୁଏତ ବହୁ ମୂଲ୍ୟ ଦେବାକୁ ପଡିପାରେ, ଯାହା ବିଶ୍ୱ ନେତୃତ୍ୱ ପାଇଁ ଆଶାୟୀ ଯେ କୌଣସି ଦେଶକୁ ଦେବାକୁ ପଡିଥାଏ । ଭାରତ ଯେଉଁ ଗତାନୁଗତିକ ନୀତି ଅନୁସରଣ କରି ନିରପେକ୍ଷତା ଅବଲମ୍ୱନ କରିଆସୁଛି, ତାହା ବର୍ତ୍ତମାନ ପରିପ୍ରେକ୍ଷୀରେ ଭାରତର ଭାବମୂର୍ତ୍ତିକୁ କୌଣସି ମତେ ଉଜ୍ଜ୍ୱଳ କରୁନାହିଁ କି ତାହା ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ପାଇଁ ଭାରତର ଦାବି ସପକ୍ଷରେ ଯୁକ୍ତିକୁ ବଳିଷ୍ଠ କରୁନାହିଁ । ତେଣୁ ଭାରତକୁ ତାର କୂଟନୀତିର ସମୀକ୍ଷା କରି ସେଥିରେ ଜରୁରୀ ପରିବର୍ତ୍ତନ ଆଣିବାର ଆବଶ୍ୟକତା ଅନୁଭୂତ ହେଉଛି ।
ଉପରୋକ୍ତ ସ୍ଥିତିରେ ଭାରତର ରୁଷିଆ ନିକଟରୁ ଶସ୍ତାରେ ଅଶୋଧିତ ତେଲ କିଣିବାକୁ ବି ରୁଷିଆର ନିକଟତର ହେବାର ପ୍ରୟାସ ବୋଲି ଭିନ୍ନ ଦୃଷ୍ଟିରେ ଦେଖାଯାଉଛି, ଯାହା ବିପଦମୁକ୍ତ ନୁହେଁ । ଉପରନ୍ତୁ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନର ମୁକାବିଲା ପାଇଁ ଗଠିତ ‘କ୍ୱାଡ’ ସୁରକ୍ଷା ଗୋଷ୍ଠୀରେ ଥିବା ଭାରତ ଭିନ୍ନ ଆମେରିକା, ଅଷ୍ଟ୍ରେଲିଆ, ଜାପାନ ରୁଷିଆର ଆକ୍ରମଣକୁ ଖୋଲାଖୋଲି ନିନ୍ଦା କରି ତା’ ଉପରେ କଟକଣାମାନ ଲଗାଇ ସାରିଛନ୍ତି । ଏହା ପରେ ‘କ୍ୱାଡ’ ଗୋଷ୍ଠୀରେ ଭାରତର ଅବସ୍ଥିତି କେତେ ଅର୍ଥପୂର୍ଣ୍ଣ ହେବ ଏବଂ ଉଭୟ ରୁଷିଆ ଓ ଆମେରିକା ତାକୁ କିଭଳି ଗ୍ରହଣ କରିବେ, ତାହା ଭବିଷ୍ୟତର ଘଟଣାକ୍ରମ ନିର୍ଦ୍ଧାରଣ କରିବ । ଅଧିକାଂଶ ପଡୋଶୀ ଦେଶଙ୍କ ସହ ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇଥିବା ବେଳେ ଭାରତ ତା’ର ପାରମ୍ପରିକ ଶତୃ ଦେଶ ପାକିସ୍ତାନ ଓ ଚୀନ ବ୍ୟତୀତ ଅନ୍ୟ କୌଣସି ଦେଶ ସହ ନୂତନ ଭାବେ ଶତୃତା ଆଚରଣ କରିବାର ବିଳାସିତାକୁ ଭାବି ମଧ୍ୟ ପାରିବ ନାହିଁ, ରୁଷିଆ ଓ ଆମେରିକାଙ୍କ ସହ ତ ଆଦୌ ନୁହେଁ । କିନ୍ତୁ ଆନ୍ତର୍ଜାତିକ ଘଟଣାବଳୀ ଭାରତକୁ ବାରମ୍ୱାର ଏ ଭଳି ସ୍ଥିତିରେ ଆଣି ପହଞ୍ଚାଇବ ଯେ ତାକୁ ରୁଷିଆ ଓ ଆମେରିକା ମଧ୍ୟରୁ ଗୋଟିଏକୁ ବାଛିବାକୁ ପଡିପାରେ । ଏହି ବିକଳ୍ପ-ଚୟନ ଦ୍ୱନ୍ଦ୍ୱକୁ ଏଡାଇବା ପାଇଁ ଓ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ଭାରତ ପରି ଏକ ଆଧ୍ୟାତ୍ମିକ ଶକ୍ତି ସମ୍ପନ୍ନ ଦେଶକୁ ଉଭୟଙ୍କଠାରୁ ଦୂରତ୍ୱ ରକ୍ଷା କରି ନୈତିକତା ଆଧାରିତ କୂଟନୀତିକୁ ଅଗ୍ରାଧିକାର ଦେଇ ନେତୃତ୍ୱ ନେବାକୁ ଏକ ବିକଳ୍ପ ଭାବେ ଗ୍ରହଣ କରିବାକୁ ପଡିପାରେ । କୂଟନୀତିରେ ବ୍ୟାବହାରିକତାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଏହା ଅନେକଟା ତାତ୍ତ୍ୱିକ ପରି ମନେ ହେଉଥିଲେ ବି ଅତୀତରେ ବୌଦ୍ଧ ଧର୍ମର ବିସ୍ତାର ପରେ ଭାରତ ତା’ର ଏହି କୋମଳ ଶକ୍ତି (ସଫ୍ଟ ପାୱାର)ର ଉପଯୋଗ କରି ବିଶ୍ୱରେ ନିଜ ସ୍ଥିତି ସୁଦୃଢ କରିବାକୁ ସମର୍ଥ ହୋଇଥିଲା ।
ଗଣତାନ୍ତ୍ରିକ ମୂଲ୍ୟବୋଧର ସୁଦୃଢୀକରଣ ଲାଗି ଅନେକ ଦେଶ ଭାରତ ଭଳି ଏକ ସର୍ବବୃହତ୍ ଗଣତାନ୍ତ୍ରିକ ଦେଶ ଆଡକୁ ଅନାଇ ରହିଥିବା ବେଳେ ଜାତୀୟ ସ୍ୱାର୍ଥର ଆଳ ଦେଖାଇ ଭାରତ ସେହି ଗୁରୁ ଦାୟିତ୍ୱକୁ ଏଡାଇ ଯାଇପାରିବନି । ‘କ୍ୱାଡ’ ଭଳି ସୁରକ୍ଷା ଗୋଷ୍ଠୀର ଅଂଶ ବିଶେଷ ହେବାକୁ କୁଣ୍ଠା ପ୍ରକାଶ କରି ନ ଥିବା ଭାରତ ବିଶ୍ୱର ସପ୍ତମ ସର୍ବବୃହତ୍ ଅର୍ଥନୈତିକ ଶକ୍ତି ଓ ଚତୁର୍ଥ ସର୍ବବୃହତ୍ ସାମରିକ ଶକ୍ତି ଭାବେ ଉଭା ହୋଇସାରିଥିବାରୁ ସେହି ଗୁରୁ ଦାୟିତ୍ୱ ବହନ କରିବାକୁ ସକ୍ଷମ । ଏତଦବ୍ୟତୀତ ଦାର୍ଶନିକ ଓ ଆଧ୍ୟାତ୍ମିକ କ୍ଷେତ୍ରରେ ଭାରତର କୋମଳ ଶକ୍ତି ସର୍ବମାନ୍ୟ । ଭାରତୀୟ ନୀତିଶାସ୍ତ୍ରମାନଙ୍କରେ ନୀତି ନୈତିକତା ଆଧାରରେ ରାଷ୍ଟ୍ର ପରିଚାଳନା ଓ ଧର୍ମ ସଂସ୍ଥାପନାର ଉପଦେଶ ଦିଆ ହୋଇଛି । ଗୋଟିଏ ରାଷ୍ଟ୍ରର ଜୀବନରେ ବି ଏମିତି ଘଡିସନ୍ଧି ମୁହୂର୍ତ୍ତ ଆସେ ଯେତେବେଳେ ବିଶ୍ୱକଲ୍ୟାଣ ଓ ମାନବତାର ରକ୍ଷା ପାଇଁ ଜାତୀୟ ସ୍ୱାର୍ଥର ଊର୍ଦ୍ଧ୍ୱକୁ ଉଠି ନୈତିକତାକୁ ଅଗ୍ରାଧିକାର ଦେଇ ଧର୍ମ ସଂସ୍ଥାପନା କରିବାର ଆବଶ୍ୟକତା ଉପୁଜିଥାଏ । ଆଜି ବୋଧେ ଭାରତ ପାଇଁ ସେହି ମୁହୂର୍ତ୍ତ ଉପନୀତ । ଭାରତ ତା’ର ସେହି କୋମଳ ଶକ୍ତିକୁ ପୁଞ୍ଜି କରି ପ୍ରତିପକ୍ଷଙ୍କୁ ଯୁଦ୍ଧରୁ ନିବୃତ୍ତ ରହିବାକୁ ପ୍ରରୋଚିତ କରିପାରେ । ଏହାକୁ ସୁବର୍ଣ୍ଣ ସୁଯୋଗ ଭାବେ ଗ୍ରହଣ କରି ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ସକାରାତ୍ମକ ପ୍ରୟାସ କରାଗଲେ ହୁଏତ ଅନ୍ୟାନ୍ୟ ଦେଶମାନଙ୍କ ସମର୍ଥନରେ ଭାରତ ନିଜକୁ ବିଶ୍ୱଗୁରୁ ଭାବେ ଅଧିଷ୍ଠିତ କରାଇପାରିବ । ଅନ୍ୟଥା ଭାରତର ନିଷ୍କ୍ରିୟତା ଓ ନୀରବତା ଯୋଗୁଁ ତା’ର ବିଶ୍ୱଗୁରୁ ହେବାର ଆଶା ଆଶାରେ ରହି ଯାଇପାରେ ଓ ତାକୁ ପିତାମହ ଭୀଷ୍ମ, ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟଙ୍କ ପରି ଭବିଷ୍ୟତରେ ନିନ୍ଦିତ ହେବାକୁ ପଡିପାରେ ।
Published in Sambad on March 22, 2022
You may be okay with surrounded by your enemies and living powerless but a great leader and king always choose peace and power and for that peace and power they always do something that sometimes goes against humanity and Our India mythology also tells it .
ReplyDeleteWhen all others are being driven by their self interest, how could we be blind towards our own self interest. In the World of vultures, a single dove cannot tune to the melody of peace. T Maharana
ReplyDeleteThanks
Delete