ଇଣ୍ଟରନ୍ୟାସନାଲ କନସୋର୍ଟିଅମ ଅଫ ଇନଭେଷ୍ଟିଗେଟିଭ ଜର୍ଣ୍ଣାଲିଷ୍ଟସ (ଆଇସିଆଇଜେ) ଦ୍ୱାରା ଅକ୍ଟୋବର ୩, ୨୦୨୧ ରେ ‘ପାଣ୍ଡୋରା ପେପରସ’ ତଥ୍ୟ ପ୍ରଘଟ ହେବା ପରେ ସାରା ବିଶ୍ୱରେ ତାହା ଚର୍ଚ୍ଚିତ ହୋଇଥିଲେ ବି ଏ ଧରଣର ପ୍ରଘଟ କିଛି ନୂଆ ଘଟଣା ନୁହେଁ । ଏଥି ପୂର୍ବରୁ ୨୦୧୪ରେ ‘ଲକ୍ସଲିକସ୍’, ୨୦୧୬ରେ ‘ପାନାମା ପେପରସ୍’, ୨୦୧୭ରେ ‘ପାରାଡାଇଜ୍ ପେପରସ୍ ଲିକସ’ ଓ ୨୦୨୦ରେ ‘ଫିନସେନ ଫାଇଲସ ଲିକ୍’ ଆଦି ହୋଇସାରିଛି । ତେବେ ପାଣ୍ଡୋରା ପେପରସ୍ ମାମଲାରେ ସାରା ବିଶ୍ୱର ୩୩୬ ଜଣ ରାଜନେତା, ୧୩୦ ଜଣ ଫୋର୍ବସ ବିଲିଅନେୟାରଙ୍କ ସମେତ ଅନେକ ସେଲିବ୍ରିଟି, ରାଜ ପରିବାର, ଠକ, ନିଶା ବେପାରୀ, ଧାର୍ମିକ ସଙ୍ଗଠନର ନେତାଙ୍କ ନାମ ପ୍ରକାଶ ପାଇବା ଅନେକଙ୍କୁ ବିସ୍ମିତ କରିଛି ।
ପାଣ୍ଡୋରା ପେପରସ ଅନୁସନ୍ଧାନ ହେଉଛି ଏ ଯାବତ୍ ସର୍ବବୃହତ୍ ସାମ୍ୱାଦିକ ସହଯୋଗିତା ଆଧାରିତ ଏକ ଅନୁସନ୍ଧାନ ଯେଉଁଥିରେ ବିଶ୍ୱର ୧୧୭ଟି ଦେଶର ୧୫୦ଟି ମିଡିଆ ସଂସ୍ଥାର ୬୦୦ରୁ ଊର୍ଦ୍ଧ୍ୱ ସାମ୍ୱାଦିକ ଅଂଶଗ୍ରହଣ କରିଥିଲେ । ବିଶ୍ୱର ୧୪ଟି ସମୁଦ୍ରତଟାତିକ୍ରାନ୍ତ ସେବା ପ୍ରଦାନକାରୀ (ଅଫସୋର ସର୍ଭିସ ପ୍ରୋଭାଇଡର) କମ୍ପାନୀଙ୍କ ପ୍ରଘଟ ହୋଇଥିବା ଗୋପନୀୟ ତଥ୍ୟ ଭିତ୍ତିରେ ଏହି ପାଣ୍ଡୋରା ପେପରସ ପ୍ରସ୍ତୁତ ହୋଇଛି । ସଂଗୃହୀତ ତଥ୍ୟଗୁଡିକ ପ୍ରାୟତଃ ୧୯୯୬ରୁ ୨୦୨୦ ସମୟ ସୀମା ମଧ୍ୟର ଓ ୧.୧୯ କୋଟି ବିଭିନ୍ନ ପ୍ରକାର ଦସ୍ତାବିଜରୁ ସଂଗୃହୀତ ଏହି ତଥ୍ୟର ଆକାର ୨.୯୪ ଟେଟ୍ରାବାଇଟ । ଏଥିରେ ୨୭୦୦୦ରୁ ଊର୍ଦ୍ଧ୍ୱ କମ୍ପାନି ଓ ପ୍ରାୟ ୨୯୦୦୦ ଚୂଡାନ୍ତ ଲାଭକାରୀ ମାଲିକାନା (ଅଲଟିମେଟ ବେନିଫିସିଆଲ ଓନରସିପ) ସମ୍ପର୍କରେ ତଥ୍ୟ ରହିଛି । ଏଥିରେ ଶେଲ କମ୍ପାନି, ଟ୍ରଷ୍ଟ, ଫାଉଣ୍ଡେସନ ଆଦି ତିଆରିଠାରୁ ଆରମ୍ଭକରି, ରିଅଲ ଇଷ୍ଟେଟ, ଜେଟ, ଜୀବନବୀମା ଆଦିରେ ପୁଞ୍ଜିନିବେଶ, ବ୍ୟାଙ୍କ ଦେଣନେଣ, ଟିକସ ଫାଙ୍କି ଆଦି ଅନେକ ଗୋପନୀୟ ତଥ୍ୟ ସନ୍ନିବେଶିତ । ଏହି ସେବା ପ୍ରଦାନକାରୀ କମ୍ପାନିଗୁଡିକ ମୁଖ୍ୟତଃ ବିଭିନ୍ନ ଦେଶର ବିତ୍ତଶାଳୀ ବ୍ୟକ୍ତିବିଶେଷ ଓ କମ୍ପାନିଗୁଡିକୁ କମ ଟିକସ ଲାଗୁଥିବା ବା ଆଦୌ ଟିକସ ଲାଗୁ ନ ଥିବା ଦେଶଗୁଡିକରେ ନୂଆ ଶେଲ କମ୍ପାନି, ଟ୍ରଷ୍ଟ, ଫାଉଣ୍ଡେସନ ଓ ଅନ୍ୟାନ୍ୟ ସଂସ୍ଥା ଖୋଲିବାରେ ପେସାଦାର ସହାୟତା ପ୍ରଦାନ କରିଥାଆନ୍ତି । ଜନସାଧାରଣଙ୍କଠାରୁ ଓ ସ୍ଥଳ ବିଶେଷରେ ନିୟନ୍ତ୍ରକଙ୍କଠାରୁ ସମ୍ପୃକ୍ତ ବ୍ୟକ୍ତି ଓ କମ୍ପାନିଙ୍କ ପରିଚୟ ଲୁଚାଇବାରେ ଏମାନେ ସାହାଯ୍ୟ କରିଥାଆନ୍ତି । ଅନେକ ସମୟରେ ସର୍ବନିମ୍ନ ଆର୍ଥିକ ନିୟନ୍ତ୍ରଣ ଓ କଟକଣା ଥିବା ଦେଶମାନଙ୍କରେ ହିଁ ସେମାନେ ବ୍ୟାଙ୍କ ଆକାଉଣ୍ଟ ଖୋଲାଇଥାଆନ୍ତି । ଏହି ସେବା ପ୍ରଦାନକାରୀ କମ୍ପାନିଗୁଡିକ ଆଦୌ ନାମୀ କମ୍ପାନି ନୁହନ୍ତି ଓ ନ ହେବା ବି ସ୍ୱାଭାବିକ । ଏମାନଙ୍କ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନଟି ହେଉଛି ପାନାମାର ପ୍ରାକ୍ତନ ରାଷ୍ଟ୍ରଦୂତ ଜେମ ଆଲେମାନଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଆଲକୋଗାଲ’ ଯିଏ ବିଶ୍ୱର ହଜାର ହଜାର ଅସାଧୁ ବିତ୍ତଶାଳୀଙ୍କୁ ଟିକସ ଫାଙ୍କିବାରେ ସାହାଯ୍ୟ କରିଛି । ଏହି ସମସ୍ତ କମ୍ପାନି ବେଲିଜ, ବ୍ରିଟିଶ ଭର୍ଜିନ ଆଇଲାଣ୍ଡସ, ସାଇପ୍ରସ, ହଂକଂ, ପାନାମା, ସେସେଲଜ, ସ୍ୱିଜରଲାଣ୍ଡ ଓ ୟୁଏଇ ଭଳି ଛୋଟ ଛୋଟ ଓ ଟିକସ ସ୍ୱର୍ଗ କୁହା ଯାଉଥିବା ଦେଶମାନଙ୍କରୁ କାର୍ଯ୍ୟ କରୁଛନ୍ତି । ବିଭିନ୍ନ ଦେଶରେ ଏହିପରି ଶହ ଶହ କମ୍ପାନି ଅସାଧୁ ବିତ୍ତଶାଳୀ ବ୍ୟକ୍ତି ଓ କମ୍ପାନିଙ୍କ ଟିକସ ଫାଙ୍କିର ଅର୍ଥ ହେଉ ଅବା ବେଆଇନ ଭାବେ ରୋଜଗାର କରିଥିବା ଅର୍ଥକୁ ଅନ୍ୟ ଦେଶରେ ଲୁଚାଇବା ଦିଗରେ ସାହାଯ୍ୟ କରିଥାଆନ୍ତି । ‘ବେକର ମାକେଞ୍ଜି’ ନାମକ ଏକ ଆମେରିକୀୟ ଆଇନ ପ୍ରତିଷ୍ଠାନ ଏହି ଅଫସୋର କମ୍ପାନିଗୁଡିକର ଏକ ପ୍ରମୁଖ ଗ୍ରାହକ ବୋଲି ଜଣାପଡିଛି, ଯାହା ମାଧ୍ୟମରେ ପାଣ୍ଡୋରା ପେପରସରେ ନାମିତ କମ୍ପାନିଙ୍କ ଭିତରୁ ପ୍ରାୟ ୪୪୦ଟି କମ୍ପାନି ସ୍ଥାପିତ ହୋଇଥିଲା । ବ୍ୟାଙ୍କ ଓ ଆଇନ ପ୍ରତିଷ୍ଠାନଗୁଡିକ କିପରି ଏହି ଅଫସୋର ସେବା ପ୍ରଦାନକାରୀଙ୍କ ସହ ମିଶି ଗ୍ରାହକଙ୍କ ପାଇଁ ଅତି ଜଟିଳ କର୍ପୋରେଟ ଢାଞ୍ଚା ପ୍ରସ୍ତୁତ କରି ସରକାରଙ୍କୁ ଠକିବାର ଗଳା ବାଟ ଫିଟାଉଥିଲେ, ତାହା ଏହି ଅନୁସନ୍ଧାନରୁ ଜଣାପଡିଛି ।
ଜଣେ ଯେତେବେଳେ ଅତି ମାତ୍ରାରେ ଧନୀ ହୋଇଯାଏ ଆଉ ସେହି ଧନକୁ ଅନ୍ୟମାନଙ୍କ ଆଖିରେ ନ ପଡିଲା ଭଳି ନୂଆ ଢଙ୍ଗରେ ଲୁଚାଇବାକୁ ଚାହେଁ, ସେତେବେଳେ ସେ ଏହି କାର୍ଯ୍ୟଟିକୁ ଏକୁଟିଆ କରି ପାରି ନ ଥାଏ । ତାକୁ ଏହି କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ପେସାଦାର ଦକ୍ଷତାସମ୍ପନ୍ନ କିଛି ବ୍ୟକ୍ତିଙ୍କର ଆବଶ୍ୟକତା ଉପୁଜିଥାଏ । ଆଉ ଏହି ଲୋକମାନଙ୍କ ଉପରେ ହିଁ ପ୍ରକୃତରେ ଆର୍ଥିକ ବ୍ୟବସ୍ଥାକୁ ସୁରକ୍ଷିତ ରଖିବା ଦାୟିତ୍ୱ ନ୍ୟସ୍ତ ଥିଲେ ବି ଏମାନଙ୍କ ମଧ୍ୟରୁ କିଛି ପେସାଦାର ପରାମର୍ଶଦାତା ଅସାଧୁ ବିତ୍ତଶାଳୀମାନଙ୍କୁ ଧନ ଲୁଚାଇବାର ଗଳା ବାଟଟିକୁ ବତାଇଥାଆନ୍ତି । ବ୍ରିଟିସ ଭର୍ଜିନ ଆଇଲାଣ୍ଡସଠାରୁ ସେସେଲଜ ଯାଏଁ ବିଭିନ୍ନ ଛୋଟ ଛୋଟ ଦେଶରେ, ଯେଉଁଠି ଟିକସ ଦର ଅତି କମ ବା ଶୂନ ଏବଂ ଯେଉଁଠି ମାଲିକାନାକୁ ଆଇନତଃ ଲୁଚାଇ ରଖି ହେବ, ସେମାନେ ସେହିଠାରେ ହିଁ ଏହିପରି ସେବା ପ୍ରଦାନକାରୀ କମ୍ପାନି ଖୋଲିଥାଆନ୍ତି । ଏପରିକି ଏହି ସବୁ କମ୍ପାନିଙ୍କ କୌଣସି କାର୍ଯ୍ୟାଳୟ ଓ କର୍ମଚାରୀ ପର୍ଯ୍ୟନ୍ତ ନ ଥାଆନ୍ତି । କେବଳ ଗୋଟିଏ ନିର୍ଦ୍ଦେଶକ ମଣ୍ଡଳୀ (ବୋର୍ଡ ଅଫ ଡିରେକ୍ଟର୍ସ) ଥାଆନ୍ତି ଯେଉଁମାନେ ସାଧାରଣତଃ ଅଫସୋର ଉପଦେଷ୍ଟାଙ୍କ ନିଜ କର୍ମଚାରୀ ହୋଇଥାଆନ୍ତି । ବସ୍ତୁତଃ ଏହି କମ୍ପାନିଗୁଡିକ କେବଳ କାଗଜ କଲମରେ ତିଷ୍ଠି ରହିଥାଆନ୍ତି ଓ ଏଗୁଡିକର ପ୍ରକୃତ ମାଲିକାନା ବି କାଗଜ କଲମରେ ତିଷ୍ଠି ରହିଥିବା ଅନ୍ୟ କମ୍ପାନିଙ୍କଠାରେ ଥିବାରୁ ସେଗୁଡିକୁ ଖୋଜି ବାହାର କରିବା କଠିନ ହୋଇଯାଏ ।
ପାଣ୍ଡୋରା ପେପରସରେ ନାମ ପ୍ରକାଶ ପାଇଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ପ୍ରମୁଖ ରାଜନେତା ହେଉଛନ୍ତି ଚେକ୍ ରିପବ୍ଲିକର ପ୍ରଧାନମନ୍ତ୍ରୀ ଆନ୍ଦ୍ରେ ବାବିସ । ତାଙ୍କ ବିରୁଦ୍ଧରେ ଉପଲବ୍ଧ ତଥ୍ୟ ଅନୁଯାୟୀ ସେ ଏକାଧିକ ଅଫସୋର କମ୍ପାନୀଙ୍କ ମାଧ୍ୟମରେ ଦୁଇ କୋଟି ୟୁରୋ ପ୍ରେରଣ କରି ଦକ୍ଷିଣ ଫ୍ରାନସରେ ଏକ ଦୁର୍ଗ ( କ୍ୟାସଲସ) କିଣିଥିଲେ । ସେ କୌଣସି ବେଆଇନ କାର୍ଯ୍ୟ କରି ନାହାନ୍ତି ବୋଲି ସଫେଇ ଦେଲେ ବି ପାଣ୍ଡୋରା ପେପରସରେ ତାଙ୍କ ନାମ ପ୍ରକାଶିତ ହେବା ପରେ ତାଙ୍କର ପ୍ରଧାନମନ୍ତ୍ରୀ ଭାବେ ପୁନଃ ନିର୍ବାଚିତ ହେବାର ସମସ୍ତ ସମ୍ଭାବନା ମଉଳିଗଲା । ସେହିପରି କେନିଆର ରାଷ୍ଟ୍ରପତି ଉହୁରୁ କେନ୍ୟାଟା ଓ ତାଙ୍କ ପରିବାର ଜମି କାରବାର ଓ ଅନ୍ୟାନ୍ୟ ବ୍ୟବସାୟ ମାଧ୍ୟମରେ ରୋଜଗାର କରିଥିବା ୩ କୋଟି ଡଲାର ପାନାମା ଓ ବ୍ରିଟିସ ଭର୍ଜିନ ଆଇଲାଣ୍ଡସରେ ରଖିଥିବାର ଜଣାପଡେ ।
ପାଣ୍ଡୋରା ପେପରସରେ ୩୮୦ ଜଣ ଭାରତୀୟଙ୍କ ନାମ ଥିବାର ଜଣାପଡିଛି । ସେମାନଙ୍କ ଭିତରୁ ଇତିମଧ୍ୟରେ ୬୦ ଜଣ ବ୍ୟକ୍ତି ଓ କମ୍ପାନିଙ୍କ ଦସ୍ତାବିଜ ଯାଞ୍ଚ ହୋଇସାରିଛି । ଯେଉଁ ପ୍ରମୁଖ ଭାରତୀୟଙ୍କ ନାମ ଏହି ପାଣ୍ଡୋରା ପେପରସର ଗୁପ୍ତ ତଥ୍ୟରୁ ଜଣା ପଡିଛି ସେମାନଙ୍କ ମଧ୍ୟରେ ଅଛନ୍ତି, ସଚିନ ତେନ୍ଦୁଲକର, ଅନୀଲ ଆମ୍ୱାନୀ, ଜାକି ସ୍ରୋଫ, କିରଣ ସ ମଜୁମଦାରଙ୍କ ସ୍ୱାମୀ ଜନ ସ ଇତ୍ୟାଦି । ବ୍ରିଟିସ ଭର୍ଜିନ ଆଇଲାଣ୍ଡସରେ ‘ସାସ ଇଣ୍ଟରନ୍ୟାସନାଲ ଲିମିଟେଡ’ କମ୍ପାନୀର ମାଲିକାନା ସଚିନ ତେନ୍ଦୁଲକର, ତାଙ୍କ ପତ୍ନୀ ଅଞ୍ଜଳି ତେନ୍ଦୁଲକର ଓ ତାଙ୍କ ଶ୍ୱଶୁର ଆନନ୍ଦ ମେହେଟ୍ଟାଙ୍କ ନିକଟରେ ଥିଲା ବୋଲି ଜଣା ପଡିଛି । ତେବେ ୨୦୧୬ରେ ପାନାମା ପେପରସ ଲିକ ମାମଲା ଜଣା ପଡିବା ପରେ ସେହି କମ୍ପାନିଟିକୁ ବନ୍ଦ କରି ଦିଆଯାଇଥିଲା ବୋଲି ସୂଚନା ମିଳେ । ସେତେବେଳେ ତେନ୍ଦୁଲକର ରାଜ୍ୟସଭାର ମନୋନୀତ ସାଂସଦ ଥିଲେ । ସେହିପରି ଜର୍ସି, ବ୍ରିଟିସ ଭର୍ଜିନ ଆଇଲାଣ୍ଡସ, ସାଇପ୍ରସ ଆଦି ସ୍ଥାନମାନଙ୍କରେ ଅନୀଲ ଆମ୍ୱାନୀ ଓ ତାଙ୍କ ସହଯୋଗୀମାନେ ପ୍ରାୟ ୧୮ଟି କମ୍ପାନି ଖୋଲିଥିଲେ । ଗତ ତିନି ବର୍ଷ ମଧ୍ୟରେ ସେଗୁଡିକ ମାଧ୍ୟମରେ ପ୍ରାୟ ୧୩୦ କୋଟି ଡଲାର ଋଣ ନିଆଯାଇ ବିଭିନ୍ନ ସ୍ଥାନରେ ନିବେଶ ହୋଇଥିବାର ଜଣାପଡିଛି । ଅଭିନେତା ଜାକି ସ୍ରୋଫଙ୍କ ଶାଶୁ କଡିଆ ଦତ୍ତଙ୍କ ଦ୍ୱାରା ନିଉଜିଲାଣ୍ଡରେ ପ୍ରତିଷ୍ଠିତ ଏକ ମିଡିଆ ଟ୍ରଷ୍ଟରେ ଜାକି ସ୍ରୋଫଙ୍କ ନିବେଶ ଥିବାର ସୂଚନା ନିଳେ । ଦେଶ ଛାଡି ପଳାତକ ସାଜିଥିବା ନୀରବ ମୋଦିଙ୍କ ଭଉଣୀ ପୂର୍ବୀ ମୋଦି, କୁଖ୍ୟାତ କର୍ପୋରେଟ ଲବିଷ୍ଟ ନୀରା ରାଡିଆ, ଗୌତମ ଆଦାନୀଙ୍କ ଭାଇ ବିନୋଦ ଆଦାନୀ, ଶିଳ୍ପପତି କିରଣ ସ’ ମଜୁମଦାରଙ୍କ ସ୍ୱାମୀ ଜନ ସ’, କୁଖ୍ୟାତ ଅପରାଧୀ ଇକବାଲ ମିର୍ଚିର ଶାଳକ ଆକବର ଆସିଫ, ଆଦି ଅନେକଙ୍କ ନାମ ଏହି ତାଲିକାରେ ପ୍ରକାଶ ପାଇଛି । ଏହି ବ୍ୟକ୍ତି ଓ ସେମାନଙ୍କ ଦ୍ୱାରା ସ୍ଥାପିତ କମ୍ପାନିଗୁଡିକର ନାମ ପ୍ରକାଶ ପାଇବାର ଅର୍ଥ ନୁହେଁ ଯେ ସବୁ କମ୍ପାନି ମନ୍ଦ ଉଦ୍ଦେଶ୍ୟ ରଖି ସ୍ଥାପିତ ହୋଇଥିଲା । ଏଥି ମଧ୍ୟରୁ କିଛି କମ୍ପାନି ହୁଏତ ନିୟମିତ ବ୍ୟବସାୟ ଉଦ୍ଦେଶ୍ୟରେ ପ୍ରତିଷ୍ଠା ହୋଇ ଥାଇପାରେ ଓ ତନ୍ମଧ୍ୟରୁ କିଛି କମ୍ପାନିଙ୍କ ସମ୍ପର୍କରେ ହୁଏତ ସରକାରୀ ନିୟନ୍ତ୍ରକଙ୍କ ନିକଟରେ ପୂର୍ବରୁ ତଥ୍ୟ ଉପଲବ୍ଧ ଥାଇପାରେ । ପ୍ରକୃତ ପକ୍ଷେ ପାଣ୍ଡୋରା ପେପରସ ତଥ୍ୟ ପ୍ରଘଟ ହେବା ପରେ ସରକାରଙ୍କ ନିକଟରେ ପୂର୍ବରୁ କିଛି ମାମଲାର ତଥ୍ୟ ଥିଲା ବୋଲି ଜଣାପଡିଛି । ତେଣୁ ସତ୍ୟର ନିକଟବର୍ତ୍ତୀ ହେବା ପାଇଁ ସରକାରୀ ତଦନ୍ତକାରୀ ସଂସ୍ଥାଙ୍କ ଦ୍ୱାରା ପାଣ୍ଡୋରା ପେପରସରେ ନାମିତ ପ୍ରତ୍ୟେକଙ୍କର ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ ହେବା ନିହାତି ଆବଶ୍ୟକ ।
ପାଣ୍ଡୋରା ପେପରସ ତଥ୍ୟ ପ୍ରଘଟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି ଏହା ବେଆଇନ ହୋଇ ନ ଥିବାରୁ ଅଧିକାଂଶ ଗ୍ରାହକଙ୍କୁ ଏଥିରୁ ନିବୃତ୍ତ କରା ଯାଇ ପାରିବନାହିଁ । କାରଣ ବୈଧତା ହିଁ ଏ ପ୍ରକାର ଗତିବିଧିର ଏକମାତ୍ର ଆଧାର । କିଛି ଦେଶ ନିବେଶ ଆକୃଷ୍ଟ କରିବାକୁ ଏ ପ୍ରକାର ଗତିବିଧିକୁ ପ୍ରଶ୍ରୟ ଦେଇ ସ୍ଥଳ ବିଶେଷରେ ଆଇନକୁ ଇଚ୍ଛାକୃତ ଭାବେ କୋହଳ କରୁଥିବା ବେଳେ ପେସାଦାର ପରାମର୍ଶଦାତାମାନେ ଆଇନକୁ ମାନିବା ଅପେକ୍ଷା ଆଇନର ଗଳା ବାଟ ଖୋଜି କିପରି ଗ୍ରାହକମାନଙ୍କୁ ଲାଭ ପହଞ୍ଚାଇ ହେବ ସେହି ପରାମର୍ଶ ଦେଉଛନ୍ତି । ଫଳରେ ଏ ଧରଣର ଗତିବିଧି ଉପରେ ରୋକ ଲଗାଇବା କଠିନ ହୋଇ ପଡୁଛି । ତଥାପି ଏହା ବିରୁଦ୍ଧରେ ନିରନ୍ତର ସରକାରୀ କାର୍ଯ୍ୟାନୁଷ୍ଠାନ ଜାରି ରହିଲେ ତଦ୍ଦ୍ୱାରା ଦୀର୍ଘମିଆଦି ସୁଫଳ ମିଳିପାରନ୍ତା ।
ଏଥି ପୂର୍ବରୁ ୨୦୧୬ରେ ପାନାମା ପେପରସ ଲିକ ମାମଲାରେ ମଧ୍ୟ ପ୍ରାୟ ୫୦୦ ଭାରତୀୟଙ୍କ ନାମ ଶୁଣିବାକୁ ମିଳିଥିଲା । ସେମାନଙ୍କ ମଧ୍ୟରେ ଥିଲେ ଅମିତାଭ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ, ଅଜୟ ଦେବଗନ, ଶିଶିର କୁମାର ବାଜୋରିଆ, ଡିଏଲଏଫ କମ୍ପାନୀର କେ ପି ସିଂହ, ବିଜେପିର ପୂର୍ବତନ ରାଜ୍ୟସଭା ସାଂସଦ ରବୀନ୍ଦ୍ର କୁମାର ସିନହା, ଅନୁରାଗ କେଜରିୱାଲ ପ୍ରମୁଖ । ସେହି ପ୍ରଘଟ ପରେ ତା’ର ତଦନ୍ତ ଭାର କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଏକ ମଲଟି ଏଜେନସି ଗ୍ରୁପ ଉପରେ ନ୍ୟସ୍ତ ହୋଇଥିଲା । ପାନାମା ପେପରସ ଲିକ ମାମଲାରେ ପ୍ରାୟ ୨୦,୦୭୮ କୋଟି ଟଙ୍କାର ଅଘୋଷିତ ଆୟ ଠାବ ହୋଇଛି ବୋଲି ପ୍ରାୟ ୫ ବର୍ଷ ପରେ ଜୁଲାଇ ୨୬, ୨୦୨୧ରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ସଂସଦକୁ ଜଣାଇଥିଲେ । ତେବେ ପାନାମା ପେପରସ ଲିକ ମାମଲାରେ ଯେପରି ଆଇସଲାଣ୍ଡର ପ୍ରଧାନମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ପଡିଥିଲା ଓ ପାକିସ୍ତାନରେ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ କ୍ଷମତା ହରାଇବାକୁ ପଡିଥିଲା, କାହିଁ ସେପରି ଆଖିଦୃଶିଆ ଦଣ୍ଡବିଧାନ ତ ଭାରତରେ ହେବାର ଦେଖାଗଲା ନାହିଁ । ଫଳରେ ଜନସାଧାରଣ ବି କ୍ରମଶଃ ସେ ସମ୍ପର୍କରେ ଭୁଲି ଯିବାକୁ ବସିଲେଣି । ପାଣ୍ଡୋରା ପେପରସ ପ୍ରଘଟ ହେବା ପରେ ଦେଶରେ ସେ ନେଇ ଯେପରି ପ୍ରତିକ୍ରିୟା ପ୍ରକାଶ ପାଇବା କଥା ଓ ଗଣମାଧ୍ୟମରେ ସେହି ପ୍ରସଙ୍ଗକୁ ଗୁରୁତ୍ୱ ଦେଇ ଯେଉଁ ଭଳି ଆଲୋଚନା ହେବା କଥା, ତାହା ଦେଖିବାକୁ ମିଳିଲା ନାହିଁ । ଏଥିରେ ପ୍ରଭାବଶାଳୀ ଲୋକଙ୍କ ସମ୍ପୃକ୍ତିର କଥା ସାମନାକୁ ଆସୁଥିବାରୁ ତାହାକୁ ପାନାମା ପେପରସ ମାମଲା ପରି ଚପାଇ ଦେବାର ଉଦ୍ୟମ ହୋଇପାରେ ବୋଲି ଜନସାଧାରଣଙ୍କ ମନରେ ସନ୍ଦେହ ସୃଷ୍ଟି ହେବା ଅସ୍ୱାଭାବିକ ନୁହେଁ । ଏହି ଧରଣର ଅଫସୋର କମ୍ପାନୀ ସମ୍ପୃକ୍ତି ଥାଇ ହେଉଥିବା କାରବାରରେ ଦେଶକୁ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ହରାଇବାକୁ ହୋଇଥାଏ । ତେଣୁ ଦେଶସ୍ୱାର୍ଥକୁ ଆଗରେ ରଖି ପାଣ୍ଡୋରା ପେପରସରେ ନାମିତ ବ୍ୟକ୍ତିଙ୍କ ମଧ୍ୟରୁ ଆର୍ଥିକ ଅପରାଧୀମାନଙ୍କୁ ଚିହ୍ନଟ କରି ସମୟବଦ୍ଧ ଭାବେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯାଇ ପାରିଲେ ସେହି ଧରଣର ଅସାଧୁ ବ୍ୟକ୍ତିଙ୍କ ମଧ୍ୟରେ ଭୀତି ସଞ୍ଚାର ହେବା ସହ ଜନସାଧାରଣଙ୍କର ତଦନ୍ତ ପ୍ରକ୍ରିୟା ଓ ଆଇନ ବ୍ୟବସ୍ଥା ଉପରେ ଆସ୍ଥା ସୁଦୃଢ ହୋଇପାରନ୍ତା ।
(Published in Odisha Reporter on October 22, 2021)
ତଥ୍ଯ ଆଧାରିତ ଲେଖା ପାଇଁ ଅଜସ୍ର ଧନ୍ୟବାଦ
ReplyDeleteଧନ୍ୟବାଦ ।
Delete