ଖାଲି ଦେହରେ ବୁଢା ଲୋକଟିଏ ବାଡି ଖଣ୍ଡିଏ ଧରି ଜୋରରେ ଚାଲୁଥିବାର ଦୃଶ୍ୟ ମନକୁ ଆସିଲେ ଯେ କୌଣସି ଭାରତୀୟ ମାନସ ପଟରେ ସଙ୍ଗେ ସଙ୍ଗେ ଗାନ୍ଧୀଜୀଙ୍କ ଛବିଟି ଆଙ୍କି ହୋଇଯାଏ । ସେଥିପାଇଁ ବୋଧେ ତାଙ୍କର ଅଧିକାଂଶ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ସେ ଧରିଥିବା ବାଡିଟି ଯେପରି ତାଙ୍କର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଯାଇଛି । ତାଙ୍କ ଜୀବନର ୫୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବାଡିଟି ଭିନ୍ନ ଭିନ୍ନ ଭାବେ ତାଙ୍କ ସହ ଯୋଡି ହୋଇ ରହିଥିଲା । ତେବେ ଆଶ୍ଟର୍ଯ୍ୟ ହେବାକୁ ହୁଏ ଅହିଂସାର ପୂଜାରୀ ଗାନ୍ଧୀଜୀ ଏମିତି ଏକ ବାଡିକୁ, ଯାହା ନିକଟରେ ହିଂସା ଆଚରଣ ବେଳେ ତୁରନ୍ତ ଅସ୍ତ୍ରରେ ପରିଣତ ହୋଇଯିବାର ସାମର୍ଥ୍ୟ ଥାଏ, ସହଚର କରିବାକୁ କାହିଁକି ପସନ୍ଦ କଲେ !
ସ୍କୁଲ ପଢିବା ଦିନୁ ଗାନ୍ଧୀଜୀ ଲମ୍ୱା ରାସ୍ତା ଚାଲି ଚାଲି ଯିବାକୁ ଭଲ ପାଉଥିଲେ । ଇଂଲଣ୍ଡରେ ପଢିଲା ବେଳେ ସେଠାରେ ସେ ଅର୍ଥ ସଞ୍ଚୟ କରିବା ପାଇଁ ଦୈନିକ ଆଠ ଦଶ ମାଇଲ ବାଟ ଚାଲି ଚାଲି ଯାଉଥିଲେ । ତାଙ୍କର ଏହି ଅଭ୍ୟାସ ତାଙ୍କୁ ସୁସ୍ଥ ଓ ଫିଟ ରଖିବାରେ ସାହାଯ୍ୟ କରିଥିଲା ଓ ପରବର୍ତ୍ତୀ ସମୟରେ ଲମ୍ୱା ବାଟ ଚାଲିବା ବେଳେ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ପ୍ରସ୍ତୁତ ହେବା ପାଇଁ ଶକ୍ତି ଓ ଆତ୍ମବିଶ୍ୱାସ ଯୋଗାଇଥିଲା । ୨୦୧୯ରେ ଇଣ୍ଡିଆନ ଜର୍ଣ୍ଣାଲ ଅଫ ମେଡିକାଲ ରିସର୍ଚ୍ଚରେ ଗାନ୍ଧୀଜୀଙ୍କ ସ୍ୱାସ୍ଥ୍ୟ ସଂକ୍ରାନ୍ତୀୟ ପ୍ରକାଶିତ ତଥ୍ୟ ଅନୁଯାୟୀ ୧୯୧୩ରୁ ୧୯୪୮ ମସିହା ମଧ୍ୟରେ ସେ ପ୍ରାୟ ୭୯୦୦୦ କିଲୋମିଟର ଚାଲିଥିଲେ, ଯାହା ପୃଥିବୀକୁ ଦୁଇ ଥର ପରିକ୍ରମା କରିବା ସହିତ ସମାନ । ସେ ଦୈନିକ ହାରାହାରି ୧୮ କିଲୋମିଟର ଚାଲୁଥିଲେ । ଲମ୍ୱା ବାଟ ଚାଲିଲା ବେଳେ ଭାରସାମ୍ୟ ରକ୍ଷା କରିବା ପାଇଁ ସେ ବାଡିଟିଏ ଧରିବାକୁ ପସନ୍ଦ କରୁଥିଲେ ।
ଉଚ୍ଚ ଶିକ୍ଷା ପାଇଁ ୧୮୮୮ ମସିହାରେ ଇଂଲଣ୍ଡରେ ପହଞ୍ଚିଲା ପରେ ଗାନ୍ଧୀଜୀ ପଶ୍ଚିମୀ ଚାଲିଚଳଣ ପ୍ରତି ଆକୃଷ୍ଟ ହୋଇ ନିଜକୁ ସେହି ଢାଞ୍ଚାରେ ଗଢିବା ପାଇଁ ଯଥାସମ୍ଭବ ଚେଷ୍ଟା କଲେ । ଏଥି ପାଇଁ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟରେ ସେ ଗୋଟିଏ ପ୍ୟାଟେଣ୍ଟ ଚମଡା ଜୋତା, ଚମଡା ଗ୍ଲୋବସ ଓ ରୂପା କାମ ହୋଇଥିବା ଗୋଟିଏ ଛଡି କିଣିଥିଲେ । ଏଥିରୁ ସେତେବେଳେ ଇଂରେଜ ଲୋକଙ୍କ ପରି ଲଣ୍ଡନ ରାସ୍ତାରେ ୱାକିଂ ଷ୍ଟିକ ହଲାଇ ଷ୍ଟାଇଲ କରିବାରେ ତାଙ୍କର କେତେ ସଉକ ଥିଲା, ତାହା ସହଜରେ ଅନୁମେୟ ।
ଦକ୍ଷିଣ ଆଫ୍ରିକାରେ ଥିବା ବେଳେ ଫେବୃଆରି ୧୦, ୧୯୦୮ରେ ତାଙ୍କ ଉପରେ ଲାଠି ଯୋଗେ ମରଣାନ୍ତକ ଆକ୍ରମଣ ହୋଇଥଲା ଓ ଆକ୍ରମଣକାରୀମାନେ ଥିଲେ ସାଥୀ ଭାରତୀୟ । ଭାରତୀୟମାନଙ୍କ ବାଧ୍ୟତାମୂଳକ ପଞ୍ଜିକରଣକୁ ନେଇ ୧୯୦୭ ମସିହାରେ ପ୍ରଣୀତ ହୋଇଥିବା କଳା ଆଇନକୁ ବିରୋଧ କରି ଗାନ୍ଧୀଜୀ ସତ୍ୟାଗ୍ରହ କରୁଥିଲେ । ତେବେ ସତ୍ୟାଗ୍ରହୀ ଓ ସରକାରଙ୍କ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ଭାରତୀୟମାନେ ଇଚ୍ଛାକୃତ ଭାବେ ନିଜ ଆଙ୍ଗୁଳି ଚିହ୍ନ ଦେଇପାରିବେ ବୋଲି ସ୍ଥିର ହେଲା । ଏହି ବ୍ୟବସ୍ଥା ଅପମାନଜନକ ଓ ଏଥିପାଇଁ ଗାନ୍ଧୀଜୀ ଦାୟୀ ବୋଲି ମୀର ଆଲମଙ୍କ ପରି ପଠାଣ ସମ୍ପ୍ରଦାୟର କିଛି ଲୋକ ମନେ କରି ତାଙ୍କୁ ବିରୋଧ କରୁଥିଲେ । ଘଟଣା ଦିନ ଗାନ୍ଧୀଜୀ ତାଙ୍କ ଅନ୍ୟ କେତେକ ବନ୍ଧୁଙ୍କ ସହ ପଞ୍ଜିକରଣ ପାଇଁ ଆଙ୍ଗୁଳି ଛାପ ଦେବାକୁ ଯିବା ବାଟରେ ମୀର ଆଲମ ଓ ଅନ୍ୟମାନଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିଲେ । ତାଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ଗାନ୍ଧୀଜୀ ‘ଇଣ୍ଡିଆନ ଓପିନିଅନ’ର ଫେବୃଆରୀ ୨୨, ୧୯୦୮ ସଂଖ୍ୟାରେ ବିସ୍ତୃତ ଭାବେ ବର୍ଣ୍ଣନା କରି ଲେଖିଥିଲେ, “... ... ମୋତେ କେମିତି ଆକ୍ରମଣ ହେଲା ତାହା ମୋର ମନେ ନାହିଁ, ତେବେ ଲୋକେ କହନ୍ତି ଗୋଟେ ଲାଠିର ପ୍ରଥମ ପ୍ରହାରରେ ହିଁ ମୁଁ ଅଚେତ ହୋଇ ତଳେ ପଡି ଯାଇଥିଲି । ତା’ପରେ ମୋ ଆକ୍ରମଣକାରୀମାନେ ମୋତେ ପାଇପ ଆଉ ଲାଠିରେ ମାରି ଚାଲିଲେ ଆଉ ମୋତେ ଗୋଇଠା ମଧ୍ୟ ମାରିଲେ । ମୋତେ ମୃତ ମନେ କରି ସେମାନେ ଛାଡି ଦେଇଥିଲେ । ମୋତେ ମାଡ ହେଉଥିଲା ବୋଲି ମୋର ଯାହା ମନେ ଅଛି । ମୋର ଧାରଣା ଯେ ମାଡ ହେବା ମାତ୍ରେ ମୁଁ ‘ହେ ରାମ’ ଉଚ୍ଚାରଣ କରିଥିଲି !” ଉଲ୍ଲେଖଯୋଗ୍ୟ ଯେ ଠିକ ୪୦ ବର୍ଷ ପରେ ହୋଇଥିବା ତାଙ୍କ ହତ୍ୟା ବେଳେ ବି ଗାନ୍ଧୀଜୀଙ୍କ ଶେଷ ଉଚ୍ଚାରଣ ଥିଲା ‘ହେ ରାମ’ । ଘଟଣାର ପାଞ୍ଚ ଦିନ ପରେ ଗାନ୍ଧୀଜୀ ତାଙ୍କ ବନ୍ଧୁମାନଙ୍କ ଉଦ୍ଦେଶ୍ୟରେ ଏକ ପତ୍ରରେ ଲେଖିଥିଲେ, “ଜଣେ ମୁସଲମାନ ବା ମୁସଲମାନମାନଙ୍କ ଦ୍ୱାରା ହୋଇଥିବା ଏହି ଆକ୍ରମଣକୁ ଦେଖି ହିନ୍ଦୁମାନେ ଆଘାତପ୍ରାପ୍ତ ହୋଇପାରନ୍ତି । ତାହାହେଲେ ସେମାନେ ଦୁନିଆ ଓ ସୃଷ୍ଟିକର୍ତ୍ତାଙ୍କ ସମ୍ମୁଖରେ ଭୁଲ କରିବେ । ବରଂ ଆଜି ଯେଉଁ ରକ୍ତ ଝରିଛି ତାହା ଦୁଇ ସମ୍ପ୍ରଦାୟଙ୍କୁ ସ୍ଥାୟୀ ଭାବେ ଯୋଡିବାରେ ସହାୟକ ହେଉ – ଏହା ହିଁ ମୋ ହୃଦୟରୁ ପ୍ରାର୍ଥନା । ଭଗବାନ ମୋ ଡାକ ଶୁଣନ୍ତୁ ।“ ଭାରତକୁ ଫେରିବା ପୂର୍ବରୁ ବି ସେ ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ସମ୍ପ୍ରୀତି ରକ୍ଷାକୁ କେତେ ଗୁରୁତ୍ୱ ଦେଉଥିଲେ ତାହା ଏହି ଘଟଣାରୁ ସୁସ୍ପଷ୍ଟ । ଲାଠି ଯୋଗେ ହୋଇଥିବା ଏହି ଆକ୍ରମଣରେ ଗାନ୍ଧୀଜୀ ତାଙ୍କ ଆଗ ଦାନ୍ତଗୁଡିକୁ ହରାଇଥିଲେ । ସେ ଆଉ କେବେ କୃତ୍ରିମ ଦାନ୍ତ ଲଗାଇବାକୁ ଚାହିଁ ନ ଥିଲେ । ତାଙ୍କ ପାକୁଆ ପାଟି ହିଁ ତାଙ୍କ ଚେହେରାର ଶୋଭାବର୍ଦ୍ଧନ କରୁଥିଲା । ଜୀବନ ଯାକ ହାତରେ ବାଡି ଧରିଥିବା ଲୋକଟିଏ ଉପରେ ବାଡିରେ ମରଣାନ୍ତକ ଆକ୍ରମଣ ହୋଇଛି ସିନା, ହେଲେ ସେ ସେହି ବାଡିଟିକୁ କେବେ କାହା ଉପରକୁ ଉଞ୍ଚାଇ ନାହାନ୍ତି ।
ଭାରତୀୟ ରାଜନୀତିରେ ଗାନ୍ଧୀଜୀଙ୍କ ଆବିର୍ଭାବର ଯଥେଷ୍ଟ ପୂର୍ବରୁ ଭାରତର ରାଜନେତାଙ୍କ ମଧ୍ୟରେ ବାଡି ଧରିବାର ପ୍ରଚଳନ ସାଧାରଣ ହୋଇ ସାରିଥିଲା, ଅବଶ୍ୟ ସେଗୁଡିକୁ ‘ବାଡି’ ନ କହି ‘ଛଡି’ କହିବା ଅଧିକ ସମୀଚୀନ ହେବ । କାରଣ ସେତେବେଳେ ନେତୃତ୍ୱ ନେଉଥିବା ଅଧିକାଂଶ ଥିଲେ ସମ୍ଭ୍ରାନ୍ତ ବର୍ଗର ଓ ଉନ୍ନତ କାରୁକାର୍ଯ୍ୟ ହୋଇଥିବା ଛଡିଗୁଡିକ ଥିଲା ସେମାନଙ୍କ ସମ୍ଭ୍ରାନ୍ତତାର ନିଦର୍ଶନ । ଏମାନଙ୍କ ମଧ୍ୟରେ ଚରମପନ୍ଥୀ ନେତା ଭାବେ ସ୍ୱୀକୃତ ଲାଲା ଲଜପତ ରାୟ, ଲୋକମାନ୍ୟ ବାଲ ଗଙ୍ଗାଧର ତିଲକ ଓ ବିପିନ ଚନ୍ଦ୍ର ପାଲ ପ୍ରମୁଖ ଯେଉଁ ବୟସରେ ବାଡି ଧରିବା ଆରମ୍ଭ କରିଥିଲେ ତାହା କୌଣସି ପ୍ରକାରେ ସାହାରା ପାଇଁ ବା ଶାରୀରିକ ଭାରସାମ୍ୟ ରକ୍ଷା କରିବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି କହି ହେବ ନାହିଁ । ବରଂ ତାହା ସେମାନଙ୍କ ଇଂରେଜ ଶାସନ ପ୍ରତି ‘ଅବଜ୍ଞା’ ଓ ‘ଆତ୍ମମର୍ଯ୍ୟାଦା’ ପରିପ୍ରକାଶର ଆୟୁଧ ଥିଲା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ଗାନ୍ଧୀଜୀ ଭାରତକୁ ଫେରି ସ୍ୱାଧୀନତା ଆନ୍ଦୋଳନର ନେତୃତ୍ୱ ନେଲା ବେଳକୁ ଏଥିରେ ଅଧିକ ସଂଖ୍ୟକ ସାଧାରଣ ଜନତା ସାମିଲ ହେବା ଉପରେ ସେ ଅଧିକ ଗୁରୁତ୍ୱ ଦେଉଥିଲେ । ଲୋକଙ୍କ ନିକଟତର ହେବା ପାଇଁ ସେ ତାଙ୍କ ପୋଷାକ ପରିଚ୍ଛଦରେ ବ୍ୟାପକ ପରିବର୍ତ୍ତନ ଆଣି ଅଧା ଲଙ୍ଗଳା ଫକିର ସାଜି ସାରିଥିଲେ । ସେହି ଫକିର ହାତରେ ଗାଁଗହଳିରେ ସାଧାରଣ ଲୋକଟିଏ ଧରୁଥିବା ବାଡି ପରି ବାଡିଟିଏ ନ ରହି ଛଡିଟିଏ ଥିଲେ କ’ଣ ଶୋଭା ପାଇଥାଆନ୍ତା ?
ଗାନ୍ଧୀଜୀ ତାଙ୍କ ଜୀବନରେ କୌଣସି ଏକ ନିର୍ଦ୍ଦିଷ୍ଟ ବାଡିକୁ ବ୍ୟବହାର କରୁ ନ ଥିଲେ । ସେ ବାଡି ଧରୁଥିବାରୁ ବିଭିନ୍ନ ସ୍ଥାନରେ ଲୋକେ ତାଙ୍କୁ ଭିନ୍ନ ଭିନ୍ନ ସମୟରେ ବାଡିମାନ ଉପହାର ସ୍ୱରୂପ ଦେଇଥିଲେ ଓ ସେଗୁଡିକୁ ସେ ବ୍ୟବହାର କରୁଥିଲେ ମଧ୍ୟ । ତେବେ ଲବଣ ସତ୍ୟାଗ୍ରହ ପାଇଁ ଦାଣ୍ଡି ଯାତ୍ରା ସମୟରେ ସେ ବ୍ୟବହାର କରିଥିବା ବାଡିଟି ସ୍ୱାଧୀନତା ସଂଗ୍ରାମର ଏକ ପ୍ରତୀକ ପାଲଟିବା ସହ ତାଙ୍କ ପରିଚୟର ଏକ ଅଭିନ୍ନ ଅଙ୍ଗ ହୋଇଯାଇଥିଲା । ଦାଣ୍ଡି ଯାତ୍ରା ଆରମ୍ଭ କଲା ବେଳକୁ ଗାନ୍ଧୀଜୀଙ୍କ ବୟସ ହୋଇଥିଲା ୬୧ ଓ ସେ ତାଙ୍କର ଅନ୍ୟ ୭୮ ଜଣ ସହଯାତ୍ରୀଙ୍କ ମଧ୍ୟରେ ଥିଲେ ବୟୋଜ୍ୟେଷ୍ଠ । ଏହି ବୟସରେ ପାଦରେ ଚାଲି ୨୪ ଦିନରେ ଦୀର୍ଘ ୨୪୦ ମାଇଲ ଯାତ୍ରା ପୂରା କରିବା ଏକ ବଡ ଆହ୍ୱାନ ଥିଲା । ତାଙ୍କର ଏହି ଦୀର୍ଘ ଯାତ୍ରା ସମୟରେ ତାଙ୍କୁ ସାହାରା ପ୍ରଦାନ କରିବା ପାଇଁ ଏକ ଶକ୍ତ ବାଡି ସହାୟକ ହୋଇପାରେ ବୋଲି ମନେ କରି ତାଙ୍କର ଘନିଷ୍ଠ ସହଯୋଗୀ କାକା କାଲେଲକର ମାର୍ଚ୍ଚ ୧୨, ୧୯୩୦ରେ ସେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ତାଙ୍କୁ ସାବରମତୀ ଅଶ୍ରମରେ ଏକ ବାଡି ପ୍ରଦାନ କରିଥିଲେ । ଗାନ୍ଧୀଜୀ ଏହି ବାଡିଖଣ୍ଡିକ ଧରି ତାଙ୍କ ସୁଦୀର୍ଘ ଯାତ୍ରାଟିକୁ ପୂରଣ କରିବାକୁ ସମର୍ଥ ହୋଇଥିଲେ ।
ଏହି ବାଡିଟି ଲବଣ ସତ୍ୟାଗ୍ରହରେ ଗାନ୍ଧୀଜୀଙ୍କ ସହ ସୁଦୀର୍ଘ ୨୪୦ ମାଇଲ ଯାତ୍ରା କରିବା ପୂର୍ବରୁ ବି ଏହାର ଏକ ସୁଦୀର୍ଘ ଇତିହାସ ଥିଲା । ଏହି ଚାରି ଫୁଟ ଛଅ ଇଞ୍ଚ ଲମ୍ୱର ବାଡିଟି ହାଲୁକା ହୋଇଥିଲେ ବି ବେଶ ଶକ୍ତ ଥିଲା । ବାଡିଟି ଉପକୂଳବର୍ତ୍ତୀ କର୍ଣ୍ଣାଟକର ମଲନାଡ ଅଞ୍ଚଳରେ ମିଳୁଥିବା ‘ନାଗ ବେତ’ ପ୍ରଜାତିର ଏକ ପ୍ରକାର ବେତରେ ତିଆରି ହୋଇଥିଲା । ଏହି ପ୍ରକାର ବେତର ପ୍ରତିଟି ଗଣ୍ଠିରେ ପ୍ରାକୃତିକ ଭାବେ କଳା ଦାଗଟିଏ ଥାଏ ।
କାକା କାଲେଲକର ଭାବେ ପରିଚିତ ଦତ୍ତାତ୍ରେୟ ବାଳକୃଷ୍ଣ କାଲେଲକର ଗାନ୍ଧୀଜୀଙ୍କୁ ଦେଇଥିବା ବାଡିଟି ବି ତାଙ୍କୁ ଉପହାର ଆକାରରେ ମିଳିଥିଲା ଏବଂ ଉପହାର ଦେଇଥିବା ବ୍ୟକ୍ତି ଜଣକ ଥିଲେ କନ୍ନଡ ସାହିତ୍ୟର ମହାକବି ଗୋବିନ୍ଦ ପାଇ । ୧୮୮୩ ମସିହାରେ ଉପକୂଳବର୍ତ୍ତୀ କର୍ଣ୍ଣାଟକର ମାଙ୍ଗାଲୋର ନିକଟସ୍ଥ ମଞ୍ଜେଶ୍ୱର ଗାଁରେ ଜନ୍ମ ଗ୍ରହଣ କରିଥିବା ଗୋବିନ୍ଦ ପାଇ ତାଙ୍କ ସମୟର ଜଣେ ପ୍ରଥିତ ଯଶା କବି, ଲେଖକ ଓ ଗବେଷକ ଥିଲେ । ବସ୍ତୁତଃ ଜଣେ ଅଦ୍ୱିତୀୟ କବି ଭାବେ ତାଙ୍କୁ କନ୍ନଡ ଭାଷାରେ ପ୍ରଥମ ରାଷ୍ଟ୍ରକବି ସମ୍ମାନ ପ୍ରଦାନ କରାଯାଇଥିଲା । ସେ କେବଳ ଜଣେ କବି ନ ଥିଲେ ବରଂ ଜଣେ ଜାତୀୟତାବାଦୀ ମଧ୍ୟ ଥିଲେ । ଗାନ୍ଧୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ମାତ୍ର ୩୦ ବର୍ଷ ବୟସରେ ଗୁଜରାଟର ନବସାରିସ୍ଥିତ ଗଙ୍ଗାନାଥ ସର୍ବ ବିଦ୍ୟାଳୟରେ ଜଣେ ଶିକ୍ଷକ ଭାବେ ଯୋଗ ଦେଇଥିଲେ । ଏହି ବିଦ୍ୟାଳୟଟିକୁ ଅରବିନ୍ଦ ଘୋଷଙ୍କ ପ୍ରେରଣାରେ କେଶବରାଓ ଦେଶପାଣ୍ଡେ ନାମକ ଜଣେ ଜାତୀୟତାବାଦୀ ପ୍ରତିଷ୍ଠା କରିଥିଲେ । ଏହିଠାରେ ହିଁ ଗୋବିନ୍ଦ ପାଇଙ୍କର କାକା କାଲେଲକରଙ୍କ ସହ ପ୍ରଥମ ସାକ୍ଷାତ ହୋଇଥିଲା । କାକା କାଲେଲକର ଏହି ବିଦ୍ୟାଳୟରେ ଅଧ୍ୟକ୍ଷ ରୂପେ କାର୍ଯ୍ୟ କରୁଥିଲେ । ପତ୍ନୀଙ୍କ ଅସୁସ୍ଥତା କାରଣରୁ ଗୋବିନ୍ଦ ପାଇ ଆଉ ବେଶି ଦିନ ସେହି ବିଦ୍ୟାଳୟରେ ଶିକ୍ଷକତା କରି ପାରି ନ ଥିଲେ ଓ ତାଙ୍କୁ ନିଜ ଗାଁକୁ ଫେରି ଆସିବାକୁ ପଡିଥିଲା । ହେଲେ କାଲେଲକର ଓ ପାଇଙ୍କ ମଧ୍ୟରେ ଗଢି ଉଠିଥିବା ବନ୍ଧୁତା ସାରା ଜୀବନ ଅତୁଟ ରହିଥିଲା । ଗାନ୍ଧୀଜୀଙ୍କ ଦ୍ୱାରା ସ୍ଥାପିତ ଗୁଜରାଟ ବିଦ୍ୟାପୀଠ ପ୍ରତିଷ୍ଠାରେ ମଧ୍ୟ କାଲେଲକରଙ୍କ ଅତୁଳନୀୟ ଅବଦାନ ଥିଲା । ସେ ଏହି ବିଦ୍ୟାଳୟର କୁଳପତି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ଗତ ଶତାବ୍ଦୀର ବିଂଶ ଦଶକରେ ଥରେ କାଲେଲକର ଗୋବିନ୍ଦ ପାଇଙ୍କୁ ଭେଟିବା ପାଇଁ ତାଙ୍କ ଗାଁ ମଞ୍ଜେଶ୍ୱରକୁ ଯାଇ ଦିନକ ପାଇଁ ତାଙ୍କ ସହ ସମୟ ଅତିବାହିତ କରିଥିଲେ । କାଲେଲକର ପ୍ରତ୍ୟାବର୍ତ୍ତନ କରିବାକୁ ଉଦ୍ୟତ ହୁଅନ୍ତେ ଗୋବିନ୍ଦ ପାଇ ତାଙ୍କ ଜେଜେ ବାପା ବ୍ୟବହାର କରୁଥିବା ଏଇ ବାଡି ଖଣ୍ଡିକ କାଢି ଆଣି ତାଙ୍କୁ ଉପହାର ସ୍ୱରୂପ ଦେଇଥିଲେ ।
ଜାନୁଆରୀ ୧୫, ୧୯୩୪ରେ ନେପାଳ ଓ ବିହାରରେ ୮.୧ ରିକ୍ଟରର ଏକ ଅତି ଭୟଙ୍କର ଭୂମିକମ୍ପ ହୋଇଥିଲା ଯେଉଁଥିରେ ସମଗ୍ର ଅଞ୍ଚଳରେ ପ୍ରଭୁତ କ୍ଷତିସାଧିତ ହୋଇଥିଲା । ଏହି ଭୂମିକମ୍ପରେ ମୁଙ୍ଗେର ଓ ମୁଜାଫରପୁର ସହର ଦୁଇଟି ସମ୍ପୂର୍ଣ୍ଣ ଧ୍ୱଂସ ହୋଇ ଯାଇଥିଲା । ସେହି ବର୍ଷ ଅପ୍ରେଲ ମାସ ଗାନ୍ଧୀଜୀ ଭୂମିକମ୍ପ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସାକ୍ଷାତ କରିବା ପାଇଁ ବିହାର ପରିଦର୍ଶନରେ ଯାଇଥିଲେ । ଏହି ସମୟରେ ସେ ମୁଙ୍ଗେରଠାରୁ ୨୫ କିଲୋମିଟର ଦୂରରେ ଅବସ୍ଥିତ ଏକ ଛୋଟ ଗାଁ ଘୋରଘାଟକୁ ଯାଇଥିଲେ ଓ ସେଠାକାର ଗ୍ରାମବାସୀମାନେ ତାଙ୍କୁ ଉପହାର ସ୍ୱରୂପ ଗୋଟିଏ ଲାଠି ପ୍ରଦାନ କରିବାକୁ ଆଗ୍ରହ ପ୍ରକାଶ କଲେ । ଉଲ୍ଲେଖଯୋଗ୍ୟ, ସେତେବେଳେ ଘୋରଘାଟଠାରେ ଏକ ବିଶେଷ ଧରଣର ବାଉଁଶ ଲାଠି ପ୍ରସ୍ତୁତ ହେଉଥିଲା, ଯାହା ଓଜନରେ ହାଲୁକା ହେଲେ ବି ଭାରି ଶକ୍ତ ଥିବାରୁ ସାରା ଭାରତରେ ବିଖ୍ୟାତ ଥିଲା । ବ୍ରିଟିଶ ପୁଲିସ ଦ୍ୱାରା ବ୍ୟବହାର ହେଉଥିବା ଲାଠି ଏହିଠାରୁ ଆମଦାନୀ ହେଉଥିଲା । ଗାନ୍ଧୀଜୀ ଗୋଟିଏ ସର୍ତ୍ତରେ ଉପହାର ଗ୍ରହଣ କରିବାକୁ ରାଜି ହେଲେ । ଘୋରଘାଟରୁ ଯାଉଥିବା ଲାଠିକୁ ବ୍ରିଟିଶ ପୁଲିସ ସ୍ୱାଧୀନତା ସଂଗ୍ରାମୀଙ୍କୁ ମାରିବା ଓ ଅତ୍ୟାଚାର କରିବା ଉଦ୍ଦେଶ୍ୟରେ ବ୍ୟବହାର କରୁଥିଲେ । ତେଣୁ ଗ୍ରାମବାସୀମାନେ ଯଦି ଏଣିକି ବ୍ରିଟିଶ ପୁଲିସକୁ ଲାଠି ନ ଦେବା ପାଇଁ ରାଜି ହେବେ ତେବେ ସେ ତାଙ୍କର ଉପହାର ଗ୍ରହଣ କରିବେ ବୋଲି ଜଣାଇଲେ । ତତକ୍ଷଣାତ୍ ସମବେତ ଜନତା ସମସ୍ୱରରେ ଗାନ୍ଧୀଜୀଙ୍କ ପ୍ରସ୍ତାବରେ ରାଜି ହୋଇଗଲେ ଓ ଗାନ୍ଧୀଜୀ ସେମାନଙ୍କଠାରୁ ସହର୍ଷ ଉପହାର ସ୍ୱରୂପ ଲାଠିଟିକୁ ଗ୍ରହଣ କରିଥିଲେ । ତାଙ୍କ ଅବଶିଷ୍ଟ ଜୀବନ ସେ ସେହି ଲାଠିଟିକୁ ବ୍ୟବହାର କରିଥିଲେ ବୋଲି ଅଞ୍ଚଳବାସୀଙ୍କ ବିଶ୍ୱାସ । ଏହା ପରେ ଘୋରଘାଟ ଗ୍ରାମବାସୀମାନେ ମଧ୍ୟ ଲାଠି ତିଆରି କରି ବ୍ରିଟିଶ ପୁଲିସକୁ ଦେବା ବନ୍ଦ କରି ଦେଲେ । ଫଳସ୍ୱରୂପ ବ୍ରିଟିଶ ପୁଲିସକୁ ଅନ୍ୟ ସ୍ଥାନରୁ ଲାଠି ସଂଗ୍ରହ କରିବାକୁ ପଡିଥିଲା । ସେହି ଗାଁର ଏକଦା ସମୃଦ୍ଧ ଲାଠି ବ୍ୟବସାୟଟି ଧୂଳିସାତ ହୋଇ ଯାଇଥିଲେ ବି ସେଥିପାଇଁ ଗ୍ରାମବାସୀଙ୍କର କ୍ଷୋଭ ନ ଥିଲା । ଗାନ୍ଧୀଜୀଙ୍କୁ ପ୍ରଦାନ କରା ଯାଇଥିବା ଲାଠି ଉପହାରକୁ ମନେ ପକାଇବା ପାଇଁ ପ୍ରତି ବର୍ଷ ଘୋରଘାଟର ଗ୍ରାମବାସୀମାନେ ଏକ ଲାଠି ମହୋତ୍ସବର ଆୟୋଜନ କରି ଆସୁଛନ୍ତି ।
ଗାନ୍ଧୀଜୀ ଧରୁଥିବା ବାଡି ସହ ଓଡିଶାର ମଧ୍ୟ ଘନିଷ୍ଠ ସମ୍ପର୍କ ଥିଲା ବୋଲି ବିଶ୍ୱାସ କରାଯାଏ । ‘ଗାନ୍ଧୀ ଓ ଉତ୍କଳ’ ପୁସ୍ତକରେ ଗୋପବନ୍ଧୁ ଚୌଧୁରୀ ଗାନ୍ଧୀଙ୍କ ବାଡି ସହ ଓଡିଶାର ସମ୍ପର୍କକୁ ନିମ୍ନ ପ୍ରକାରେ ବର୍ଣ୍ଣନା କରିଛନ୍ତି : “ଡେଲାଙ୍ଗ ସମ୍ମିଳନୀ ଗୋଳମାଳରେ ଗାନ୍ଧୀ ତାଙ୍କ ବାଡି ଖଣ୍ଡି କେଉଁଠି ହଜାଇ ଦେଇଥିଲେ । ବାଡିଖଣ୍ଡି ସାଧାରଣ ସରୁ ବାଉଁଶ ଖଣ୍ଡେ ଥିଲା । ଦିନେ ହଠାତ୍ ଦେଖାଗଲା, ଦର୍ଶନ ଦେବା ପାଇଁ ଗଲାବେଳେ ବାଟରେ ଭଙ୍ଗା ବାଉଁଶଗଦାରୁ ବାଉଁଶ ଫାଳିଆ ଖଣ୍ଡେ ଓଟାରି ତାକୁ ଧରି ଚାଲିଛନ୍ତି । ଆଚାର୍ଯ୍ୟ ହରିହର ପାଖରେ ଥିଲେ । ଫେରିଲା ବେଳକୁ ଆଚାର୍ଯ୍ୟ ତାଙ୍କ ସରୁ ବାଉଁଶ ବାଡିଖଣ୍ଡି ଆଣି ଗାନ୍ଧୀଙ୍କୁ ବଢେଇ ଦେଲେ । ସମ୍ମିଳନୀ ଭିତରେ ସେ ଖଣ୍ଡି ବ୍ୟବହାର କରୁଥା’ନ୍ତି – ଯିବା ପୂର୍ବରୁ ଫେରାଇ ଦେବାକୁ ବସିବାରୁ ‘ସାଙ୍ଗରେ ନେଇଯା’ନ୍ତୁ’ ବୋଲି ଆଚାର୍ଯ୍ୟ ଅନୁରୋଧ କରିଥିଲେ । ଏ ତ ୧୯୩୮ର କଥା । ପରେ ଥରେ ଆଚାର୍ଯ୍ୟ ମହାଶୟ ୱାର୍ଦ୍ଧା ଯାଇଥିଲେ । ଗାନ୍ଧୀଙ୍କ ସଙ୍ଗେ ଦେଖା ହେବା ସଙ୍ଗେ ସଙ୍ଗେ ବାଡିଖଣ୍ଡି ଦରାଣ୍ଡି ପକାଇ ତାକୁ ଦେଖାଇ କହିଥିଲେ ‘ଏ ଖଣ୍ଡ ରଖିଛି’ – ୧୯୪୨ ଜୁଲାଇ ମାସରେ ଗୋଳମାଳର ଠିକ୍ ପୂର୍ବ ଚରଖା ସଂଘ ବୈଠକରେ ସେହି ବାଡି ବ୍ୟବହାର କରୁଥିବାର ଦେଖାଯାଇଥିଲା । ଲେଖକଙ୍କୁ ପାଖରେ ବସିଥିବାର ଦେଖି, ସେ ବାଡି ପକାଇ ବସି ପଡିଲା ବେଳକୁ କହିଥିଲେ, ‘ସେହି ବାଡି । ଅଛି ।‘ - ୧୯୪୪ରେ ଜେଲରୁ ବାହାରିଲା ପରେ ଆଚାର୍ଯ୍ୟଙ୍କ ସଙ୍ଗେ ସେବାଗ୍ରାମରେ ଦେଖା ହେଲା ବେଳେ ଆଗ ବଡ ଦୁଃଖ କରି କହିଥିଲେ, ‘ସେ ବାଡି ପାଞ୍ଚଗନିରେ ହଜାଇ ଦେଇଛି ।‘ ଆଚାର୍ଯ୍ୟ ମହାଶୟ ଆଉ ଖଣ୍ଡେ ସେମିତି ବାଡି, ସେମିତି ଘଷି ମାଜି ଚିକ୍କଣ କରି ଦେବାରୁ ଗାନ୍ଧୀ କହିଥିଲେ, ‘ଏ ବାଡି ହେଲା ସତ : ମାତ୍ର ଏ ବାଡି ସେ ବାଡି ନୁହଁ । - ପରେ ସେ ବାଡିର ମହତ୍ତ୍ୱ ଜଣେ ସହକର୍ମୀଙ୍କୁ ବୁଝାଇଥିଲେ, ଯେ ସେଥିରେ ସେ ସମୟରେ ଆଚାର୍ଯ୍ୟଙ୍କର ଯେ ପ୍ରେମଭାବନା ଓ ଯେ ତ୍ୟାଗପ୍ରବୃତ୍ତି ଥିଲା, ତାହାର ମଧୁର ସ୍ମୃତି ସେ ବାଡିରେ ଥିଲା । ଗାନ୍ଧୀ ଜିନିଷପତ୍ର ମଧ୍ୟ ଖୁବ୍ ଯତ୍ନରେ ରଖି ବ୍ୟବହାର କରିଥାନ୍ତି ।”
ଗାନ୍ଧୀଜୀ ୧୯୨୯ ମସିହାରେ ଏବର ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲା ଅନ୍ତର୍ଗତ ହସ୍ତତନ୍ତର ସହର ଚିରାଲାକୁ ଆସିଥିଲେ । ସେହି ସମୟରେ ସେ ଚିରାଲାଠାରୁ ୧୫ କିଲୋମିଟର ଦୂରରେ ଅବସ୍ଥିତ ଭେଟାପାଲେମ ଗାଁକୁ ଯାଇଥିଲେ । ସେଠାରେ ଭି ଭି ଏସ ଶ୍ରେଷ୍ଠୀ ନାମକ ଜଣେ ବଦାନ୍ୟ ବ୍ୟକ୍ତିଙ୍କ ଦ୍ୱାରା ୧୯୧୮ ମସିହାରୁ ସାରସ୍ୱତ ନିକେତନମ ଲାଇବ୍ରେରୀ ପ୍ରତିଷ୍ଠିତ ହୋଇଥିଲା । ଗାନ୍ଧୀଜୀଙ୍କ ଗସ୍ତ ଅବସରରେ ତାଙ୍କ ହସ୍ତରେ ସେହି ଲାଇବ୍ରେରୀର ଏକ ନୂଆ ଭବନର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଥିଲା । ଏହା ପରେ ଗାନ୍ଧୀଜୀ ଉପହାର ସ୍ୱରୂପ ସେ ଧରୁଥିବା ବାଡିଟିକୁ ଲାଇବ୍ରେରୀକୁ ପ୍ରଦାନ କରିଥିଲେ । ସେହି ବାଡିଟିକୁ ଗାନ୍ଧୀଜୀ ଦୀର୍ଘ ଦିନ ଧରି ବ୍ୟବହାର କରିଥିଲେ । ବାଡିଟି ଅତି ହାଲୁକା ହୋଇଥିବାରୁ ଗାନ୍ଧୀଜୀ ତାର ପ୍ରଶଂସା କରି କୁଆଡେ କହିଥିଲେ ଯେ ଚାଲିଲା ବେଳେ ଏଥିରେ ପୋକଟିଏ କି ଛୋଟ ଜନ୍ତୁଟିଏ ବି ଆଘାତପ୍ରାପ୍ତ ହେଉ ନ ଥିଲେ । ବାଡିଟି ଏବେ ମଧ୍ୟ ସେହି ଲାଇବ୍ରେରୀରେ ରହିଛି । ମଝିରେ ବାଡିଟିରେ ଫାଟ ଦେଖା ଦେଇଥିବାରୁ ତାକୁ ମରାମତି କରି ସଜାଡି ନିଆଯାଇଛି । ଗାନ୍ଧୀଜୀ ୧୯୩୬ ମସିହାରେ ପୁଣି ଥରେ ସେହି ଲାଇବ୍ରେରୀକୁ ଆସି ଦିନଟିଏ ରହିଥିଲେ । ୧୦୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କାମ କରି ଆସୁଥିବା ଏହି ଲାଇବ୍ରେରୀରେ ଲକ୍ଷାଧିକ ବହି, ବିରଳ ତାଳପତ୍ର ପୋଥି ଓ ଅନ୍ୟାନ୍ୟ ସାମଗ୍ରୀ ଗଚ୍ଛିତ ରହିଛି । ଏଠାରେ ‘ୟଙ୍ଗ ଇଣ୍ଡିଆ’, ‘ହରିଜନ’ ଆଦି ପତ୍ରିକାଠାରୁ ଆରମ୍ଭ କରି ଗାନ୍ଧୀ ସାହିତ୍ୟର ଅନେକ ବହି ଗଚ୍ଛିତ ରହିଛି । ଗାନ୍ଧୀଜୀଙ୍କୁ ଅନେକ ସ୍ଥାନରୁ ଓ ଅନେକ ଲୋକଙ୍କଠାରୁ ଉପହାର ଆକାରରେ ବାଡି ମିଳିଥିଲା । ସମ୍ଭବତଃ ଭେଟାପାଲେମସ୍ଥିତ ସାରସ୍ୱତ ନିକେତନମ ଲାଇବ୍ରେରୀ ହେଉଛି ଏକମାତ୍ର ସ୍ଥାନ ଯେଉଁଠି ଗାନ୍ଧୀଜୀ ଉପହାର ଆକାରରେ ପ୍ରଦାନ କରିଥିବା ବାଡିଟି ଆଜି ଯାଏଁ ଶୋଭା ପାଉଛି ।
ଗାନ୍ଧୀଜୀଙ୍କ ହତ୍ୟା ପରେ ତାଙ୍କ ଶିଷ୍ୟମାନେ ବିଭିନ୍ନ ସ୍ଥାନରୁ ତାଙ୍କ ବ୍ୟବହୃତ ସାମଗ୍ରୀମାନ ସଂଗ୍ରହ କରି ଭିନ୍ନ ଭିନ୍ନ ସଂଗ୍ରହାଳୟରେ ରଖିଲେ । ବାପୁଙ୍କ ଦାଣ୍ଡି ଯାତ୍ରା ସମୟରେ ବ୍ୟବହୃତ ବାଡିଟି ନୂଆଦିଲ୍ଲୀର ରାଜଘାଟସ୍ଥିତ ଜାତୀୟ ଗାନ୍ଧୀ ସଂଗ୍ରହାଳୟ ଓ ପାଠାଗାରରେ ରଖା ଯାଇଛି । ସେହିପରି ତାମିଲନାଡୁର ମଦୁରାଇ, ଯେଉଁଠାରେ ଗାନ୍ଧୀଜୀ ତାଙ୍କ ପୋଷାକ ପରିବର୍ତ୍ତନର ନିଷ୍ପତ୍ତି ନେଇଥିଲେ, ସେଠାରେ ଥିବା ଗାନ୍ଧୀ ସଂଗ୍ରହାଳୟରେ ବି ଗାନ୍ଧୀଜୀ ଧରୁଥିବା ଏକ ବାଡି ସ୍ଥାନ ପାଇଛି ।
ଭାରତୀୟ ସମାଜରେ ଲାଠିକୁ କ୍ଷମତା ଓ ନିୟନ୍ତ୍ରଣର ପ୍ରତୀକ ରୂପେ ଗ୍ରହଣ କରା ହୋଇ ଆସିଛି । ସାଧାରଣ ଜନତାଙ୍କ ଉପରେ ନିଜ କ୍ଷମତା ଓ ନିୟନ୍ତ୍ରଣ ଜାହିର କରିବା ଲାଗି ରାଜା ଓ ଜମିଦାରମାନେ ଲାଠିଆ ନିଯୁକ୍ତ କରୁଥିଲେ । ବାଡିକୁ ଗାନ୍ଧୀଜୀ ଶକ୍ତିର ପ୍ରତୀକ ଭାବେ ଗ୍ରହଣ କରୁଥିଲେ ବି କାହାକୁ ଆଘାତ ଦେବା ପାଇଁ ଏହାକୁ ଠେଙ୍ଗା ଭାବେ ବ୍ୟବହାର କରିବା ସପକ୍ଷରେ ନ ଥିଲେ । ବ୍ରିଟିଶ ପୁଲିସ ସେବାରେ ନିଯୁକ୍ତ ହେଉଥିବା ଅଧିକାଂଶ ଥିଲେ ଗ୍ରାମାଞ୍ଚଳର ଚାଷୀ ପରିବାରରୁ । ତେଣୁ ଊନବିଂଶ ଶତାବ୍ଦୀରୁ ବ୍ରିଟିଶ ପୁଲିସ ସେବାରେ ଲାଠିକୁ ଏକ ଅସ୍ତ୍ର ରୂପେ ଗ୍ରହଣ କରି କନେଷ୍ଟବଳମାନଙ୍କୁ ଲାଠି ଚାଳନାର ବିଶେଷ ତାଲିମ ପ୍ରଦାନ କରାଯାଉଥିଲା ଓ ଏହା ମାଧ୍ୟମରେ ଲୋକଙ୍କ ବିରୋଧକୁ ଦମନ କରିବାର ବିଧିବଦ୍ଧ ଭାବେ ସରକାରୀ ଉଦ୍ୟମ ଆରମ୍ଭ ହୋଇଗଲା । ସ୍ୱାଧୀନତା ଆନ୍ଦୋଳନ ସମୟରେ ଜନତାଙ୍କ ଉପରେ ଲାଠି ଚାଳନା ପାଇଁ ଶବ୍ଦକୋଷ ଭିତରକୁ ‘ଲାଠିଚ।ର୍ଜ’ ଭଳି ଶବ୍ଦ ପ୍ରବେଶ କରିବା ସହ ଏଇ ଲାଠି କ୍ରମଶଃ ବ୍ରିଟିଶ ଶାସନର ବର୍ବରତାର ପ୍ରତୀକ ସାଜିଲା । ଗାନ୍ଧୀଜୀ ଭାରତରେ ନିଜେ କେବେ ବ୍ରିଟିଶ ପୁଲିସଙ୍କ ଲାଠି ପ୍ରହାରର ଶିକାର ହୋଇ ନ ଥିଲେ ବି ଦାଣ୍ଡି ଯାତ୍ରାଠାରୁ ତାଙ୍କ ହାତର ବାଡିଟି ଅହିଂସାର ଅସ୍ତ୍ର ରୂପେ ବ୍ୟବହୃତ ହୋଇ ଯେପରି ଭାବେ ଆନ୍ଦୋଳନର ପ୍ରତୀକ ସାଜିଲା ଓ ଶେଷରେ ବ୍ରିଟିଶ ଶାସନର ଅନ୍ତ ହେଲା, ତାହା ଅବିଶ୍ୱାସ୍ୟ । ଆଉ କେବଳ ସେଇଥିପାଇଁ ତ ଗାନ୍ଧୀଜୀଙ୍କ ସହ ତାଙ୍କର ବାଡିଟିର ସ୍ଥାନ ମଧ୍ୟ ସ୍ୱତନ୍ତ୍ର ।
(ମାସିକ ପୌରୁଷ ପତ୍ରିକାର ଅକ୍ଟୋବର 2021 ସଂଖ୍ୟାରେ ପ୍ରକାଶିତ ।)
Comments
Post a Comment