Skip to main content

ଅଶାନ୍ତ ମାଳି ପର୍ବତ

ହଠାତ୍ ଅଶାନ୍ତ ହୋଇପଡିଲା ମାଳିପର୍ବତ । କୋରାପୁଟ ଜିଲ୍ଲାର ଅନ୍ୟତମ ବକ୍ସାଇଟ ଖଣି ମାଳିପର୍ବତକୁ ହିନ୍ଦାଲକୋ କମ୍ପାନିକୁ ପଟ୍ଟା ଦେବା ଉଦ୍ଦେଶ୍ୟରେ ପରିବେଶ ମଞ୍ଜୁରୀ ପ୍ରଦାନ ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ କଙ୍କଡାଆମ୍ୱଠାରେ ସେପ୍ଟେମ୍ୱର ୨୨, ୨୦୨୧ ରେ ଜନଶୁଣାଣି ହେଉଥିଲା । ତେବେ କମ୍ପାନି ଚାପରେ ଶୁଣାଣି ପ୍ରକ୍ରିୟାରେ ସ୍ୱଚ୍ଛତା ରକ୍ଷା କରାଯାଇ ନ ଥିବାର ଅଭିଯୋଗ କରି ହଜାର ହଜାର ସଂଖ୍ୟାରେ ସ୍ଥାନୀୟ ଅଧିବାସୀଙ୍କ ପ୍ରବଳ ବିରୋଧ ଯୋଗୁ ଅଳ୍ପ ସମୟ ମଧ୍ୟରେ ତାହା ରଣକ୍ଷେତ୍ରରେ ପରିଣତ ହୋଇ ଜନଶୁଣାଣି ବନ୍ଦ ହୋଇଗଲା । ଏହା ପରେ ପୁଲିସ ଦ୍ୱାରା ବ୍ୟାପକ ଗିରଫଦାରି ହୋଇ ସମଗ୍ର ଅଞ୍ଚଳଟି ଅଶାନ୍ତ ହୋଇ ପଡିଛି । ତେଣୁ ଏହାର କାରଣ ବୁଝି ଉତ୍ତେଜନା ହ୍ରାସ ଲାଗି ପ୍ରୟାସର ଆବଶ୍ୟକତା ରହିଛି ।

ଭାରତର ଅଧାରୁ ବେଶି ବକ୍ସାଇଟ ଓଡିଶାରେ ଗଚ୍ଛିତ । କୋରାପୁଟ ଜିଲ୍ଲାର ପଞ୍ଚପୁଟମାଳି, ପଟ୍ଟାଙ୍ଗୀ, ମାଳିପର୍ବତ, ବଳଦା, କୋଡିଙ୍ଗାମାଳି, ହାତୀମାଳି, କାକରିମାଳି, ଚିନ୍ତମଗୁଣ୍ଡି, କର୍ନାପାଡିକୋଣ୍ଡା, ମେଦାମଗୁଣ୍ଡି ଆଦି ସ୍ଥାନମାନଙ୍କରେ ବକ୍ସାଇଟ ଖଣି ରହିଛି । ଏଥିମଧ୍ୟରୁ ଭାରତର ସର୍ବବୃହତ୍ ଖଣି ପଞ୍ଚପୁଟମାଳିରୁ ନାଲକୋ ଗତ ଚାରି ଦଶନ୍ଧି ଧରି ବକ୍ସାଇଟ ଉତ୍ତୋଳନ କରି ଆସୁଛି । ପ୍ରାୟ ୧୮ ବର୍ଷ ତଳେ ହିନ୍ଦାଲକୋକୁ ଆନୁମାନିକ ୯୮ ଲକ୍ଷ ଟନ ବକ୍ସାଇଟ ଥିବା ମାଳିପର୍ବତକୁ ଲିଜ୍ ଦେବା ପାଇଁ ସ୍ଥିର ହେବା ପରେ ନଭେମ୍ୱର ୧୪, ୨୦୦୭ରୁ ୨୦ ବର୍ଷ ଲାଗି ଖଣି ପଟ୍ଟା ପ୍ରଦାନ କରା ଯାଇଥିଲା । ପେସା ଆଇନ, ୧୯୯୬ ଅନୁଯାୟୀ ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳଟି ଭାରତୀୟ ସମ୍ୱିଧାନର ଅନୁସୂଚି-୫ ଅଞ୍ଚଳରେ ଆସୁଥିବାରୁ ଗ୍ରାମସଭା ଜରିଆରେ ଗ୍ରାମବାସୀଙ୍କ ସମ୍ମତି ହାସଲ କରିବା କଥା, ଯାହାକୁ ସେତେବେଳେ ଅଣଦେଖା କରାଯାଇଥିବାର ଅଭିଯୋଗ ହୁଏ । ସେଠାରେ ଖଣିକୁ ବିରୋଧ କରି ଉତ୍ତେଜନା ଲାଗି ରହିବା କିଛି ନୂଆ କଥା ନୁହେଁ । ଏହି ଖଣି ଦ୍ୱାରା ପ୍ରଭାବିତ ସୋରିଷପଦର, ଖୁଣ୍ଟି, ଦଳେଇଗୁଡା, ପଖଝୋଲା ପଞ୍ଚାୟତର ୪୪ଟି ଗାଁର ପ୍ରାୟ ୨୫୦୦ ପରିବାର ‘ମାଳି ପର୍ବତ ସୁରକ୍ଷା ସମିତି’ ନାମକ ଏକ ସଙ୍ଗଠନ ଜରିଆରେ ମୂଳରୁ ଏହାକୁ ବିରୋଧ କରି ଆସୁଛନ୍ତି । ବକ୍ସାଇଟ ଉତ୍ତୋଳନ ହେଲେ ମାଳିପର୍ବତରୁ ବାହାରି କୋଲାବ ନଦୀରେ ମିଶିଥିବା ୩୨ଟି ଝରଣା ଓ ୪ଟି ନାଳ ଶୁଖିଯିବ ; ଯାହା ଫଳରେ ହଜାର ହଜାର ପରିବାର ପାଣି ଅଭାବରେ ଚାଷ କରି ନ ପାରି ସେମାନଙ୍କ ଜୀବିକା ହରାଇବେ ବୋଲି ସେମାନଙ୍କ ଆଶଙ୍କା, ଯାହା ନିରାଧାର ନୁହେଁ । କାରଣ ବକ୍ସାଇଟର ଜଳଧାରଣ କ୍ଷମତା ଥିବାରୁ, ଏହା ଉତ୍ତୋଳିତ ହେଲେ ସେଠାରେ ପାଣି ରହି ନ ଥାଏ ବୋଲି ପରିବେଶବିଦମାନଙ୍କ ମତ । ଏହାଛଡା ଅନତିଦୂରରେ ଥିବା ପଞ୍ଚପୁଟମାଳି ଖଣି କାର୍ଯ୍ୟକାରୀ ହେଲା ପରେ ତା’ର ପରିବେଶ ଉପରେ ପ୍ରଭାବ ପଡି କିପରି ଅନେକ ଝରଣା ନିଶ୍ଚିହ୍ନ ହୋଇ ଯାଇଛନ୍ତି, ତାହା ସେମାନେ ଅଙ୍ଗେ ନିଭେଇଛନ୍ତି । ସେମାନଙ୍କ ଚାଷଜମି ଯଥେଷ୍ଟ ଉର୍ବର ଯେଉଁଠି ଭଲ ପନିପରିବା ମଧ୍ୟ ଚାଷ ହୁଏ । ପାଖ ଜଙ୍ଗଲରୁ ମିଳୁଥିବା ବିଭିନ୍ନ ପ୍ରକାର ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ସେଥିରୁ ବି ସେମାନେ କିଛି ରୋଜଗାର କରିଥାଆନ୍ତି । ସେଠାରେ ଲାଭକାରୀ ବାଉଁଶ ଚାଷ ଲାଗି ଯଥେଷ୍ଟ ସମ୍ଭାବନା ଥିବାରୁ ସରକାରଙ୍କ ତରଫରୁ ସେଥିପ୍ରତି ଗୁରୁତ୍ୱ ପ୍ରଦାନ କରାଯିବା ସହ ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟର ବଜାର ପ୍ରତି ଧ୍ୟାନ ଦିଆଗଲେ ଲୋକଙ୍କ ଆୟ ବୃଦ୍ଧି ପାଇପାରନ୍ତା ବୋଲି ଲୋକଙ୍କର ବିଶ୍ୱାସ । କମ୍ପାନି ଦ୍ୱାରା ୨୦୦୮-୦୯ରେ ମାଇନିଂ କାର୍ଯ୍ୟ ଆରମ୍ଭ ହୋଇ ୨୦୧୩-୧୪ ସୁଦ୍ଧା ସମୁଦାୟ ମାତ୍ର ୬୭,୬୧୪ ଟନ ବକ୍ସାଇଟ ଉତ୍ତୋଳିତ ହୋଇଥିଲା । ଅବଶ୍ୟ ସ୍ଥାନୀୟ ଅଧିବାସୀଙ୍କ ତୀବ୍ର ବିରୋଧ ଯୋଗୁ କମ୍ପାନୀ ସେଠାରେ ସ୍ୱାଭାବିକ ଭାବେ ଖଣି ଉତ୍ତୋଳନ କରିବାକୁ ଅସମର୍ଥ ହୋଇ ୨୦୦୯-୧୦ ଓ ୨୦୧୨-୧୩ରେ ମାଇନିଂ କାର୍ଯ୍ୟ ବନ୍ଦ ରଖିବା ସହ ୨୦୧୪ ପରେ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ବାଧ୍ୟ ହୋଇଥିଲା । ତେବେ ମାର୍ଚ୍ଚ ୪, ୨୦୨୦ରେ କେନ୍ଦ୍ର ଖଣି ମନ୍ତ୍ରୀ ଲୋକସଭାରେ ଏହାକୁ ଏକ ଚଳନ୍ତି ଖଣି ବୋଲି ଦର୍ଶାଇଛନ୍ତି । ବାର୍ଷିକ ୬ ଲକ୍ଷ ଟନ ଉତ୍ପାଦନ ପାଇଁ ପଟ୍ଟା ପାଇ କମ୍ପାନି ଏତେ କମ ପରିମାଣର ବକ୍ସାଇଟ ଉତ୍ତୋଳନ କରିବା, ତା’ର ବିଫଳତାକୁ ଦର୍ଶାଉଛି । ଅନ୍ୟ ପକ୍ଷରେ ପ୍ରଭାବିତ ଅଞ୍ଚଳର ହଜାର ହଜାର ଲୋକ ମାଇନିଂକୁ ବିରୋଧ କରି ଜାନୁଆରି ୧୦, ୨୦୧୪ରେ ଧାରଣା ପ୍ରଦର୍ଶନ କରିବା ସହ ଜାନୁଆରି ୧୮, ୨୦୧୭ରେ ପ୍ରାୟ ୪୦୦୦ ଆଦିବାସୀଙ୍କର ଏକ ଶୋଭାଯାତ୍ରା ବାହାର କରିଥିଲେ ।       

ହିନ୍ଦାଲକୋର ସହାୟକ କମ୍ପାନୀ ରାୟଗଡା ଜିଲ୍ଲାସ୍ଥିତ ଉତ୍କଳ ଆଲୁମିନା ରିଫାନେରିର ବାଫଳିମାଳିଠାରେ ନିଜସ୍ୱ ଖଣି ଅଛି । ତେଣୁ ମାଳି ପର୍ବତରୁ ବକ୍ସାଇଟ ସେଠାକୁ ପଠା ନ ଯାଇ ହିନ୍ଦାଲକୋର ଉତ୍ତର ପ୍ରଦେଶସ୍ଥିତ ରେଣୁକୁଟ ରିଫାଇନେରିକୁ ପଠା ଯାଉଥିଲା । ଏବର ପ୍ରସ୍ତାବ ଅନୁଯାୟୀ ମାଳିପର୍ବତର ୨୬୮.୧୧ ହେକ୍ଟର ପରିମିତ ଅଞ୍ଚଳରୁ ଉତ୍ତୋଳିତ ବକ୍ସାଇଟ କମ୍ପାନୀର ରେଣୁକୁଟ (ଉତ୍ତର ପ୍ରଦେଶ), ମୁରି (ଝାରଖଣ୍ଡ) ଓ ବେଲଗାଓଁ (କର୍ଣ୍ଣାଟକ)ରେ ଥିବା ରିଫାଇନେରିଗୁଡିକରେ ବ୍ୟବହୃତ ହେବା ସହିତ ଏହାର ସହାୟକ କମ୍ପାନୀ ଉତ୍କଳ ଆଲୁମିନା କାରଖାନାକୁ ଯୋଗାଇ ଦିଆଯିବ । ତେବେ ରାୟଗଡାର କଂସାରିଗୁଡାଠାରେ ହିନ୍ଦାଲକୋର ପ୍ରସ୍ତାବିତ ରିଫାଇନେରି ପାଇଁ ଆବଶ୍ୟକ ବକ୍ସାଇଟ ଏହି ଖଣିରୁ ଦିଆଯିବ ନାହିଁ । ଏହି ଖଣି କାର୍ଯ୍ୟକାରୀ ହେଲେ ଏଥିରେ ମାତ୍ର ୧୮୦ ଜଣ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ତେବେ କିଛି ବର୍ଷ ପାଇଁ ମୁଷ୍ଟିମେୟ ଲୋକଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି କରି ହଜାର ହଜାର ଆଦିବାସୀଙ୍କର ଜୀବନ ଜୀବିକାକୁ ବିପର୍ଯ୍ୟସ୍ତ କରିବା ଯୁକ୍ତିସଙ୍ଗତ କି ? ଇତି ମଧ୍ୟରେ ରାଜ୍ୟ ସରକାର କମ୍ପାନୀକୁ ବାର୍ଷିକ ୬ ଲକ୍ଷ ଟନ ବକ୍ସାଇଟ ଉତ୍ତୋଳନ ପାଇଁ ଦେଇଥିବା ଲିଜକୁ ୫୦ ବର୍ଷ ଯାଏଁ ବଢାଇ ଦେଇଛନ୍ତି । ସେ କ୍ଷେତ୍ରରେ ସେଠାରେ ଆଉ ଅଧିକ ବକ୍ସାଇଟ ନ ମିଳିଲେ ଗଚ୍ଛିତ ୯୮ ଲକ୍ଷ ଟନ ୧୬ ବର୍ଷ ମଧ୍ୟରେ ସରିଯିବ । ତେଣୁ ୫୦ ବର୍ଷ ଲାଗି ଲିଜ୍ ଦେବାର ଉଦ୍ଦେଶ୍ୟ ସ୍ପଷ୍ଟ ହେଉନାହିଁ । ଅତୀତରେ କମ୍ପାନୀ ଏହି ଖଣିରୁ ଉତ୍ତୋଳନ କରିଥିବା ବକ୍ସାଇଟରୁ ଓଡିଶା ସରକାର ରୟାଲଟି ବାବଦକୁ ଏକ କୋଟି ଟଙ୍କା ମଧ୍ୟ ପାଇ ନ ଥିଲେ । ମାଳି ପର୍ବତରେ ଗଚ୍ଛିତ ୯୮ ଲକ୍ଷ ଟନ ବକ୍ସାଇଟକୁ ଉତ୍ତୋଳନ କଲେ ରାଜ୍ୟ ସରକାର ରୟାଲଟି ବାବଦକୁ (୨୦୧୮ ଦରରେ) ସର୍ବାଧିକ ୧୫୦ କୋଟି ଟଙ୍କା ରାଜସ୍ୱ ପାଇପାରନ୍ତି, ଅର୍ଥାତ୍ ବର୍ଷକୁ ମାତ୍ର ୯-୧୦ କୋଟି ଟଙ୍କା । ତେଣୁ ମାଳି ପର୍ବତ ଲିଜ ପ୍ରଦାନ କରି ରାଜ୍ୟ ସରକାରଙ୍କୁ ଆକର୍ଷଣୀୟ ରାଜସ୍ୱ ମିଳିବା ସମ୍ଭାବନା କ୍ଷୀଣ ।    

ଏବେ ଦେଖିବା କୋରାପୁଟର କୋଡିଙ୍ଗାମାଳିରେ ଥିବା ବକ୍ସାଇଟ ଖଣି କଥା । ଏହି ଖଣିରୁ ଯେତେବେଳେ ଓଡିଶା ମାଇନିଂ କର୍ପୋରେସନ (ଓଏମସି) ଦ୍ୱାରା ୨୦୧୮ରେ ବକ୍ସାଇଟ ଉତ୍ତୋଳନ ଆରମ୍ଭ ହେଲା ଏହାର ୩୦ ପ୍ରତିଶତ ସ୍ୱଳ୍ପ ମିଆଦି ନିଲାମ ମାଧ୍ୟମରେ ଓ ଅବଶିଷ୍ଟ ୭୦ ପ୍ରତିଶତ ଦୀର୍ଘ ମିଆଦି ଚୁକ୍ତି ମାଧ୍ୟମରେ ବିକ୍ରି କରିବାକୁ ସ୍ଥିର ହେଲା । ଓଡିଶାରେ କାରଖାନା ଥାଇ ନିଜସ୍ୱ ଖଣି ନ ଥିବା କମ୍ପାନୀ ଦୀର୍ଘ ମିଆଦି ଚୁକ୍ତି ପ୍ରକ୍ରିୟାରେ ଭାଗ ନେଇ ପାରିବାର ପ୍ରାବଧାନ ଥିବାରୁ କେବଳ ବେଦାନ୍ତ ହିଁ ସେହି ଧରଣର ଏକମାତ୍ର କମ୍ପାନୀ ଭାବେ ସେଥିରେ ଭାଗ ନେଇ ପାରିଲା । ଅବଶ୍ୟ ହିନ୍ଦାଲକୋର ପ୍ରସ୍ତାବିତ କଂସାରିଗୁଡା ରିଫାଇନେରି କାର୍ଯ୍ୟକ୍ଷମ ହେଲେ ବକ୍ସାଇଟ ପାଇଁ କୋଡିଙ୍ଗାମାଳି ଖଣି ଉପରେ ନିର୍ଭର କରିପାରେ । ଅନ୍ୟ ପକ୍ଷରେ ୨୦୧୮ରେ ସ୍ୱଳ୍ପ ମିଆଦି ନିଲାମ ପ୍ରକ୍ରିୟାରେ ଭାଗ ନେଇ ଓଏମସିଠାରୁ ହିନ୍ଦାଲକୋ ଓ ବେଦାନ୍ତ ବକ୍ସାଇଟ ଟନ ପିଛା ୪୬୨ ଟଙ୍କା ଦରରେ କିଣିଥିଲା ବେଳେ ଆନ୍ଧ୍ର ପ୍ରଦେଶର ଆନରୋକ କମ୍ପାନୀ ୪୭୨ ଟଙ୍କା ଦରରେ କିଣିଥିଲା । ଓଏମସି ଧାର୍ଯ୍ୟ କରିଥିବା ସର୍ବନିମ୍ନ ଦର (ଫ୍ଲୋର ପ୍ରାଇସ)ରେ ହିଁ ଉଭୟ ହିନ୍ଦାଲକୋ ଓ ବେଦାନ୍ତ ନିଲାମ ଡାକିଥିଲେ । ସ୍ୱଳ୍କ ମିଆଦି ନିଲାମ ପ୍ରକ୍ରିୟା ଅନୁଯାୟୀ ନିର୍ଦ୍ଧାରିତ ଦର ହାରାହାରି ଟନ ପିଛା ୪୬୫ ଟଙ୍କାରେ ଅବଶିଷ୍ଟ ୭୦ ପ୍ରତିଶତ ବକ୍ସାଇଟ ବେଦାନ୍ତକୁ ଦୀର୍ଘ ମିଆଦି ଚୁକ୍ତିରେ ଦିଆଯାଇଥିଲା । ଓଏମସି ପାଇଁ ମାଇନିଂ ଖର୍ଚ୍ଚ ଟନ ପିଛା ହାରାହାରି ୩୦୦ ଟଙ୍କା ପଡିଥିଲା । ରାଜ୍ୟ ସରକାରଙ୍କ ଅନୁସାରେ ୨୦୧୯-୨୦ରେ ସେହି କୋଡିଙ୍ଗାମାଳିରୁ ଓଏମସି ବକ୍ସାଇଟ ଟନ ପ୍ରତି ୭୦୦ ଟଙ୍କାରେ ବିକ୍ରି କରିଥିଲା । ଓଡିଶା ହାଇକୋର୍ଟଙ୍କ ଅକ୍ଟୋବର ୮, ୨୦୨୦ର ନିର୍ଦ୍ଦେଶାନୁସାରେ କୋଡିଙ୍ଗାମାଳି ବକ୍ସାଇଟର ହାରାହାରି ଟନ ପ୍ରତି ଦର ୧୦୦୦ ଟଙ୍କା ଧାର୍ଯ୍ୟ ହେଲା । ମାଳିପର୍ବତରେ ଟନ ପିଛା ୩୫୦ ଟଙ୍କା (ମାଇନିଂ ଖର୍ଚ୍ଚ)ରେ ବକ୍ସାଇଟ ଉପଲବ୍ଧ ହେଉଥିବାରୁ ନିଲାମ ଦର ତୁଳନାରେ ହିନ୍ଦାଲକୋର ଟନ ପିଛା ପ୍ରାୟ ୬୫୦ ଟଙ୍କା ଲାଭ ହୋଇପାରେ । କମ୍ପାନୀକୁ ଲିଜ୍ ଦେଇ ରାଜ୍ୟ କେବଳ ରୟାଲଟି ଆକାରରେ କିଛି ରାଜସ୍ୱ ପାଇବ ଯାହା । ହିନ୍ଦାଲକୋକୁ ଖଣି ପଟ୍ଟା ନ ଦେଇ ଓଏମସି ମାଧ୍ୟମରେ ଉତ୍ତୋଳନ କରି ବକ୍ସାଇଟ ନିଲାମ କରାଗଲେ ରାଜ୍ୟ ରାଜକୋଷକୁ ରୟାଲଟି ସହ ଅତିରିକ୍ତ ପ୍ରାୟ ୬୫୦ କୋଟି ଟଙ୍କାର ରାଜସ୍ୱ ମିଳିପାରନ୍ତା । ଏଠାରେ ପ୍ରଶ୍ନ, ଓଡିଶାରେ କାରଖାନା ନ ଥିବାରୁ କୋଡିଙ୍ଗାମାଳିରେ ଦୀର୍ଘ ମିଆଦି ଚୁକ୍ତି ପ୍ରକ୍ରିୟାରେ ଅଂଶ ଗ୍ରହଣ କରିବାକୁ ଅସମର୍ଥ ଏକ କମ୍ପାନିକୁ କିପରି ସମ୍ପୂର୍ଣ୍ଣ ଏକ ଖଣିର ଲିଜ୍ ଦିଆ ଯାଇପାରିଲା ?

କୌଣସି କମ୍ପାନିକୁ ନିଜସ୍ୱ ଖଣି ଭାବେ ଦିଆଯାଇ ନ ଥିବା ମାଳି ପର୍ବତ ପରି ଖଣିଗୁଡିକୁ ବାହାରର କମ୍ପାନିଙ୍କୁ ଲିଜ୍ ନ ଦେଇ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଓଏମସି ବା ସ୍ଥାନୀୟ ପ୍ରଭାବିତ ଅଞ୍ଚଳର ଅଧିବାସୀଙ୍କୁ ଦିଆଯିବା କଥା ବିଚାର କରା ଯାଇପାରେ । ତଦ୍ଦ୍ୱାରା କମ୍ପାନିମାନେ ସେମାନଙ୍କ ଖଣିଜ ପଦାର୍ଥ ଆବଶ୍ୟକତା ପାଇଁ କୋଡିଙ୍ଗାମାଳି ପରି ନିଲାମ ଡାକିବେ, ଯେଉଁଥିରେ ରାଜ୍ୟ ସରକାରଙ୍କ ରାଜସ୍ୱ ବୃଦ୍ଧି ସହ ସ୍ଥାନୀୟ ଅଧିବାସୀମାନେ ପରିବେଶ ସନ୍ତୁଳିତ ମାଇନିଂ ସୁନିଶ୍ଚିତ କରି ସେହି ସମ୍ପଦରୁ ଲାଭବାନ ହୋଇପାରନ୍ତେ । 

ମାଳିପର୍ବତରେ ବକ୍ସାଇଟ ଉତ୍ତୋଳନ ହେଲେ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପଡିପାରେ । ଏଣିକି ଖଣିରେ ଅତ୍ୟଧିକ ଯାନ୍ତ୍ରିକୀକରଣ ଯୋଗୁ ଖୁବ ବେଶି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ନ ଥିବା ବେଳେ ସ୍ଥାନୀୟ ଅଧିବାସୀଙ୍କ ଜୀବନ ଓ ଜୀବିକା ବିପନ୍ନ ହେବାର ଆଶଙ୍କା ଦେଖା ଦେଇଛି । ରାଜସ୍ୱ ଦୃଷ୍ଟିରୁ ବି ରାଜ୍ୟ ରାଜକୋଷ ବିଶେଷ ଲାଭବାନ ହୋଇ ନ ପାରେ । ଅଧିକନ୍ତୁ, ବକ୍ସାଇଟ ପାଇଁ କମ୍ପାନିର କୌଣସି ଜରୁରୀକାଳୀନ ଆବଶ୍ୟକତା ଥିଲା ପରି ମନେ ହୁଏନାହିଁ, ଆଉ ଥିଲେ ବି ତାହା କୋଡିଙ୍ଗାମାଳି ପରି ନିଲାମ ମାଧ୍ୟମରେ ପୂରଣ କରି ହେବ । ଏ ସବୁ ଦୃଷ୍ଟିରୁ ମାଳିପର୍ବତ ଲିଜ୍ ନବୀକରଣର ଗରଜର ଯୌକ୍ତିକତା ବୁଝି ହେଉନାହିଁ । ଏତଦଭିନ୍ନ ଲିଜର ସର୍ତ୍ତାବଳୀକୁ ଉଲ୍ଲଂଘନ କରିଥିବାରୁ ଖଣି ଆଇନ ଅନୁଯାୟୀ ଲିଜ୍ ବାତିଲ ହୋଇ ତା’ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରିବର୍ତ୍ତେ ଲିଜର ନବୀକରଣ କରାଯାଇ କମ୍ପାନୀକୁ ପୁରସ୍କୃତ କରାଯିବା କେତେ ଦୂର ସମୀଚୀନ ? ଏହାଦ୍ୱାରା ସ୍ଥାନୀୟ ଅଧିବାସୀ ଓ ରାଜ୍ୟ ରାଜକୋଷ ବିଶେଷ ଲାଭାନ୍ୱିତ ହେବାର ସମ୍ଭାବନା ନାହିଁ । ବରଂ ପରିବେଶ ଅଶାନ୍ତ ହେଉଥିବାରୁ ସରକାର ଲିଜ୍ ନବୀକରଣ ନିଷ୍ପତ୍ତିର ପୁନର୍ବିଚାର କରିପାରନ୍ତି । ଏ ସବୁ ଖଣି ଅସରନ୍ତି ନୁହେଁ କି ଏଥିରେ ଗଚ୍ଛିତ ବକ୍ସାଇଟ ପଚିଯିବା ଜିନିଷ ନୁହେଁ । ଏଗୁଡିକ ଆଗାମୀ ବଂଶଧରଙ୍କର ଆମ ଉପରେ କରଜ ବୋଲି ବିବେଚନା କରି ନିଷ୍ପତ୍ତି ନେବା ଆବଶ୍ୟକ । ବକ୍ସାଇଟ ଦର ପ୍ରତି ବର୍ଷ ବୃଦ୍ଧି ପାଉଛି । ଇତିମଧ୍ୟରେ ଆଫ୍ରିକାର ଗିନିରୁ ଭାରତକୁ ଆମଦାନି ହେଉଥିବା ବକ୍ସାଇଟର ମୂଲ୍ୟ ଯଥେଷ୍ଟ ବଢିଥିବାରୁ ଭାରତରେ ମଧ୍ୟ ତା’ର ପ୍ରଭାବ ଅନୁଭୂତ ହୋଇପାରେ । ତେଣୁ ବ୍ୟଗ୍ର ହୋଇ କୌଣସି କମ୍ପାନିକୁ ଦୀର୍ଘ ମିଆଦି ଖଣି ଲିଜ୍ ଦେବା ରାଜ୍ୟ ସ୍ୱାର୍ଥରେ ଆଦୌ ନୁହେଁ । ଅତୀତରେ ନିୟମଗିରିରେ ଜନଶୁଣାଣିରେ ଅନିୟମିତତା ପାଇଁ ରାଜ୍ୟ ସରକାର ଅଡୁଆରେ ପଡିଥିବାରୁ ଯେ କୌଣସି ସ୍ଥାନରେ, ବିଶେଷ କରି ଆଦିବାସୀ ଅଧ୍ୟୁଷିତ ପେସା ଆଇନ ଲାଗୁ ହେଉଥିବା ଅନୁସୂଚି-5 ଅଞ୍ଚଳରେ, ଜନଶୁଣାଣି କଲାବେଳେ ସତର୍କତା ଅବଲମ୍ୱନ ପୂର୍ବକ ଶୁଣାଣି ପ୍ରକ୍ରିୟାରେ ସ୍ୱଚ୍ଛତା ରକ୍ଷା କଲେ ମାଳି ପର୍ବତ ପରି ଅଶାନ୍ତିକୁ ଏଡାଇ ଦିଆଯାଇପାରନ୍ତା ।


(Published in Sambad on October 05, 2021)

 

Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ମତୁଆଙ୍କୁ ସାମାଜିକ ବାସନ୍ଦ - ଧର୍ମ ବିଶ୍ୱାସ ପାଇଁ ଉତ୍ପୀଡନ

ନିକଟରେ ମାଲକାନଗିରି ଜିଲ୍ଲାରେ କିଛି ଲୋକଙ୍କ ଭିନ୍ନ ଧର୍ମ ବିଶ୍ୱାସ ପାଇଁ ସେହି ଧର୍ମର କିଛି ଉଚ୍ଚ ଜାତିର ଲୋକଙ୍କ ଦ୍ୱାରା ସେମାନେ ଯେଉଁ ଭଳି ଉତ୍ପୀଡନର ଶିକାର ହେଲେ, ତାହା ମୁଖ୍ୟଧାରାର ଗଣମାଧ୍ୟମ ପାଇଁ ଏକ ଉଲ୍ଲେଖଯୋଗ୍ୟ ବା ଦର୍ଶନଯୋଗ୍ୟ ଖବର ହୋଇ ନ ଥିଲେ ବି ଲୋକଙ୍କ ଧର୍ମ ବିଶ୍ୱାସ ଉପରେ ବିଭିନ୍ନ ସମୟରେ ହେଉଥିବା ଆକ୍ରମଣ କେତେ ଦୂର ଗ୍ରହଣୀୟ ସେ ନେଇ ଏକ ମୌଳିକ ପ୍ରଶ୍ନ ଉତ୍ଥାପନ କରୁଛି । ଏହି ଘଟଣା ଏକ ଉପାନ୍ତ ଅଞ୍ଚଳରେ ସଂଘଟିତ ହୋଇ ସେଥିରେ ମୁଷ୍ଟିମେୟ ଲୋକ ପ୍ରଭାବିତ ହୋଇଥିଲେ ବି ତାହା ଏକ ବୃହତ୍ତର ପ୍ରସଙ୍ଗକୁ ମଝି ମଞ୍ଚରେ ଆଣି ଥୋଇ ଦେଇଛି । ପ୍ରସଙ୍ଗଟିର ଉଚିତ ଅନୁଶୀଳନ ଲାଗି ଘଟଣା ସମ୍ପର୍କରେ ମାଲକାନଗିରିର ଆଦିବାସୀ ସଂଘ ଓ ହେତୁବାଦୀ ଓ ମାନବବାଦୀ ସଙ୍ଗଠନ ଦ୍ୱାରା ନିୟୋଜିତ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ପ୍ରଦାନ କରିଥିବା ବିବରଣୀ ପ୍ରଣିଧାନ ଯୋଗ୍ୟ । ବିବରଣୀ ଅନୁସାରେ ମାଲକାନଗିରିର ଦଣ୍ଡକାରଣ୍ୟ ପ୍ରକଳ୍ପ ଅଧୀନସ୍ଥ ଏମ.ଭି.୭୬ ଗାଁରେ କିଛି ମତୁଆ ସମ୍ପ୍ରଦାୟର ଦଳିତ ପରିବାର ବସବାସ କରି ଆସୁଛନ୍ତି । ଏମାନେ ହିନ୍ଦୁ ଧର୍ମାବଲମ୍ୱୀ ହୋଇଥିଲେ ବି ଏମାନଙ୍କ ଧର୍ମ ବିଶ୍ୱାସ, ପୂଜା ପଦ୍ଧତି, ରୀତିନୀତି ହିନ୍ଦୁ ଧର୍ମର ମୁଖ୍ୟଧାରାର ବ୍ରାହ୍ମଣବାଦୀ ଧର୍ମ ବିଶ୍ୱାସ, ପୂଜା ପଦ୍ଧତି ଇତ୍ୟାଦିଠାରୁ ସମ୍ପୂର୍ଣ୍ଣ ଭିନ୍ନ । ମତୁଆ ସମ୍ପ୍ରଦାୟର ଧର୍ମ ବିଶ୍ୱାସକୁ ଖାରଜ କରି ସେଠାକାର ଉଚ୍ଚ ଜାତିର ଲୋ