Skip to main content

ସ୍ୱାଧୀନତାର ସ୍ୱାଦ ଚଖାଇଛି ସମ୍ୱିଧାନ

ଦେଶ ସ୍ୱାଧୀନ ହେବାର ଠିକ୍ ୨ ବର୍ଷ ୩ ମାସ ୧୧ ଦିନ ପରେ, ଅର୍ଥାତ୍ ନଭେମ୍ୱର ୨୬, ୧୯୪୯ରେ ସଦ୍ୟ ସ୍ୱାଧୀନ ହୋଇଥିବା ଏକ ବିଶାଳ ଦେଶକୁ ତା’ର ଅଧିବାସୀଙ୍କ ଆକାଂକ୍ଷା ଅନୁରୂପ ପରିଚାଳନା କରିବା ପାଇଁ ସମ୍ୱିଧାନ ପ୍ରଣୟନ ସଭା ଦ୍ୱାରା ପ୍ରଣୀତ ‘ଭାରତୀୟ ସମ୍ୱିଧାନ’ ଗୃହୀତ ହୋଇଥିଲା ଓ ଠିକ ଦୁଇ ମାସ ପରେ ଜାନୁଆରି ୨୬,୧୯୫୦ ରେ ତାହା କାର୍ଯ୍ୟକାରୀ ହେଲା । ସ୍ୱାଧୀନତା ପରେ ବି ଭାରତ ବ୍ରିଟେନର ଏକ ‘ଡୋମିନିଅନ’ ଭାବେ ‘ଭାରତ ସରକାର ଆଇନ, ୧୯୩୫’ ଅନୁଯାୟୀ ଶାସିତ ହେଉଥିଲା । ସେହି ଆଇନ ସ୍ଥାନରେ ‘ଭାରତୀୟ ସମ୍ୱିଧାନ’ ଗୃହୀତ ହେଲା ପରେ ଭାରତ ଆଉ ‘ଡୋମିନିଅନ’ ନ ରହି ଏକ ‘ଗଣତନ୍ତ୍ର’ (ରିପବ୍ଲିକ)ରେ ପରିଣତ ହେଲା ଓ ଦେଶ ପ୍ରକୃତ ଅର୍ଥରେ ସ୍ୱାଧୀନ ହୋଇଥିଲା । ତେଣୁ ଦେଶ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଥିବା ବେଳେ ଆମ ସମ୍ୱିଧାନ ମଧ୍ୟ ଆଉ ଅଳ୍ପ ଦିନ ପରେ ତେସ୍ତରି ବର୍ଷରେ ପାଦ ଥାପିବାକୁ ଯିବା ଦେଶର ସବୁ ନାଗରିକଙ୍କ ପାଇଁ ଆନନ୍ଦ ତଥା ଗର୍ବର ବିଷୟ । କାରଣ ଭାରତ ସହ ପ୍ରାୟ ଏକା ସମୟରେ ସ୍ୱାଧୀନତା ଲାଭ କରି ନିଜ ନିଜ ଦେଶ ପାଇଁ ସମ୍ୱିଧାନ ପ୍ରସ୍ତୁତ କରିଥିବା ଦେଶଗୁଡିକ ମଧ୍ୟରୁ ଅଧିକାଂଶଙ୍କର ସମ୍ୱିଧାନ ବଦଳି ସାରିଛି ।

ଭାରତୀୟ ସମ୍ୱିଧାନ ପ୍ରଣୟନ ହେବାର ବର୍ଷକ ପରେ ୧୯୫୧ରେ ପ୍ରଖ୍ୟାତ ବ୍ରିଟିଶ ସମ୍ୱିଧାନ ଆଇନ ବିଶାରଦ ସାର୍ ଆଇଭର ଜେନିଙ୍ଗସ ଭାରତୀୟ ସମ୍ୱିଧାନ ସମ୍ପର୍କରେ ଏକ କଟୂ ମନ୍ତବ୍ୟ ପ୍ରକାଶ କରି କହିଥିଲେ ଏହା ‘ଅତି ଦୀର୍ଘ, ଅତି ଅନମନୀୟ, ଅତି ବିରକ୍ତିକର ଭାବେ ଶବ୍ଦବହୁଳ (ଟୁ ଲଙ୍ଗ, ଟୁ ରିଜିଡ, ଟୁ ପ୍ରୋଲିକ୍ସ) ।  ତେଣୁ ଏହା ତିଷ୍ଠି ରହି ପାରିବ ନାହିଁ ।‘ ମଜାର କଥା ସେହି ଜେନିଙ୍ଗସଙ୍କୁ ୧୯୬୦ରେ ତତକାଳୀନ ସିଲୋନ ଏବର ଶ୍ରୀଲଙ୍କାର ସମ୍ୱିଧାନ ଲେଖିବାର ଦାୟିତ୍ୱ ଅର୍ପଣ କରାଯାଇଥିଲା । ତାଙ୍କ ଦ୍ୱାରା ଅତି ସତର୍କତା ଅବଲମ୍ୱନ ପୂର୍ବକ ଲିଖିତ ସମ୍ୱିଧାନଟି ମାତ୍ର ଛଅ ବର୍ଷ ତିଷ୍ଠି ରହି ପାରିଥିଲା ବେଳେ ଭାରତୀୟ ସମ୍ୱିଧାନ ଆଜି ବି ତିଷ୍ଠି ରହିଛି । ଆମେରିକାର ଇଲିନୟ ବିଶ୍ୱବିଦ୍ୟାଳୟର ପ୍ରଫେସର ଟମ ଜିନସବର୍ଗ ଓ ଅନ୍ୟମାନଙ୍କ ଦ୍ୱାରା ହୋଇଥିବା ‘ଲାଇଫସ୍ପାନ ଅଫ ରିଟିନ୍ କନଷ୍ଟିଚ୍ୟୁସନସ୍’ ଶୀର୍ଷକ ଏକ ଅଧ୍ୟୟନ ରିପୋର୍ଟରେ ୧୭୮୯ରୁ ୨୦୦୬ ମଧ୍ୟରେ ପ୍ରଣୀତ ୭୯୨ଟି ସମ୍ୱିଧାନ ସମ୍ପର୍କରେ ସୂଚନା ରହିଛି । ତନ୍ମଧ୍ୟରୁ ୫୧୮ଟି ବା ୬୫ ପ୍ରତିଶତ ସମ୍ୱିଧାନ ସମ୍ପୂର୍ଣ୍ଣ ବଦଳି ସାରିଛି । କାର୍ଯ୍ୟକାରୀ ଥିବା ୧୯୨ଟି ସମ୍ୱିଧାନ ମଧ୍ୟରୁ ୮୨ଟିକୁ ବାତିଲ ହେବା ଉଦ୍ଦେଶ୍ୟରେ ସ୍ଥଗିତ ରଖାଯାଇଛି । ସାରା ବିଶ୍ୱରେ ଗୋଟିଏ ସମ୍ୱିଧାନର ହାରାହାରି ବୟସ ମାତ୍ର ୧୭ ବର୍ଷ ହୋଇଥିଲା ବେଳେ ୮୦ ବର୍ଷରୁ ଅଧିକ ସମୟ ତିଷ୍ଠି ରହିଥିବା ସମ୍ୱିଧାନ ମାତ୍ର ୧୯ ପ୍ରତିଶତ । ଭାରତର ସୁଦୀର୍ଘ ସମ୍ୱିଧାନଟି ଦୀର୍ଘ ସମୟ ଧରି ତିଷ୍ଠି ରହି ଏହି ବିରଳ ଶ୍ରେଣୀରେ ସ୍ଥାନ ପାଇବା ସହ ବିବିଧତାରେ ଭରା ଏକ ବିଶାଳ ଦେଶକୁ ସଫଳତାର ସହ ପରିଚାଳନା କରିବାରେ ସହାୟକ ହେବା ସାରା ବିଶ୍ୱ ପାଇଁ ବିସ୍ମୟର ବିଷୟ ପାଲଟିଛି । ଏହାର ବଳିଷ୍ଠତା ଓ ସ୍ଥାୟୀତ୍ୱ ଏଥିରେ ଅନ୍ତର୍ନିହିତ ସୁରକ୍ଷା ବ୍ୟବସ୍ଥାଗୁଡିକ ଉପରେ ପର୍ଯ୍ୟବସିତ । ଗୋଟିଏ ଦଳ ଯେତେ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଠନ କରିଥିଲେ ବି ତାକୁ ସମ୍ୱିଧାନର ବିଧି ବ୍ୟବସ୍ଥାର ଚୌହଦୀ ଭିତରେ ରହି କାର୍ଯ୍ୟ କରିବାକୁ ହୋଇଥାଏ, ତା’ ବାହାରକୁ ଯାଇ ସ୍ୱେଚ୍ଛାଚାରୀ ହୋଇପାରି ନ ଥାଏ । ସଂସଦ ଚାହିଁଲେ ସମ୍ୱିଧାନରେ ସଂଶୋଧନ କରିପାରିବ, ହେଲେ ସମ୍ୱିଧାନକୁ ସମ୍ପୂର୍ଣ୍ଣ ବଦଳାଇ ଦେଇ ପାରିବନି । ଭାରତୀୟ ସମ୍ୱିଧାନ ସଂସଦ ଦ୍ୱାରା ପ୍ରଣୀତ ବା ଗୃହୀତ ନୁହେଁ । ଏହା ସମ୍ୱିଧାନ ପ୍ରଣୟନ ସଭା ଦ୍ୱାରା ପ୍ରଣୀତ ଓ ଗୃହୀତ ହୋଇଛି ଓ ସମ୍ୱିଧାନର ପ୍ରସ୍ତାବନା ଅନୁଯାୟୀ ‘ଆମେ ଭାରତବାସୀ’ ହିଁ ସମ୍ୱିଧାନଟିକୁ ଆମକୁ ଅର୍ପଣ କରିଛେ ।

ସମ୍ୱିଧାନ ପ୍ରଣୟନ ସଭାରେ ସୁବିସ୍ତୃତ ଆଲୋଚନା ପରେ ଡଃ ବି ଆର ଆମ୍ୱେଦକରଙ୍କ ଅଧ୍ୟକ୍ଷତାରେ ଗଠିତ ଖସଡା ସମିତି ଦ୍ୱାରା ଦୀର୍ଘ ୨ ବର୍ଷ ୧୧ ମାସ ୧୭ ଦିନ ଧରି ୧୪୧ଟି ସଭାରେ ହୋଇଥିବା ବିଚାର ବିମର୍ଶ ପରେ ଯେଉଁ ସମ୍ୱିଧାନଟି ପ୍ରସ୍ତୁତ ହେଲା, ସେଥିରେ ପ୍ରସ୍ତାବନା ସହ ୨୨ଟି ଭାଗରେ ୩୯୫ଟି ଅନୁଚ୍ଛେଦ ଓ ଆଠଟି ଅନୁସୂଚୀ ସ୍ଥାନିତ ହୋଇଥିଲା । ଗତ ୭୨ ବର୍ଷ ମଧ୍ୟରେ ସମ୍ୱିଧାନରେ ୧୦୫ ଥର ସଂଶୋଧନ ହୋଇଛି, ଯାହା ଫଳରେ ଏବେ ସମ୍ୱିଧାନରେ ପ୍ରସ୍ତାବନା ବ୍ୟତୀତ ୨୫ଟି ଭାଗରେ ୪୭୦ଟି ଅନୁଚ୍ଛେଦ, ୧୨ଟି ଅନୁସୂଚୀ ଓ ୫ଟି ପରିଶିଷ୍ଟ ସନ୍ନିବେଶିତ ହୋଇଛି । ପ୍ରାୟ ୨୩୦ ବର୍ଷର ଆମେରିକୀୟ ସମ୍ୱିଧାନ ମାତ୍ର ୨୭ ଥର ସଂଶୋଧିତ ହୋଇଥିଲା ବେଳେ ଭାରତୀୟ ସମ୍ୱିଧାନ ଏତେ ଅଧିକ ଥର ସଂଶୋଧିତ ହୋଇ ପାରିଥିବାରୁ ଏହା ଯେ ଅନମନୀୟ ନୁହେଁ, ତାହା ସୁସ୍ପଷ୍ଟ । ଭାରତୀୟ ସମ୍ୱିଧାନରେ ଆମେରିକୀୟ ସମ୍ୱିଧାନ ପରି ନ୍ୟାୟପାଳିକାର ଆଧିପତ୍ୟ ନାହିଁ କି ବ୍ରିଟିଶ ସମ୍ୱିଧାନ ପରି ସଂସଦର ଆଧିପତ୍ୟ ନାହିଁ । ସଂସଦ ନିକଟରେ ସମ୍ୱିଧାନ ସଂଶୋଧନ କରିବାର କ୍ଷମତା ନ୍ୟସ୍ତ ହୋଇଥିଲା ବେଳେ ନ୍ୟାୟପାଳିକା ନିକଟରେ ସମ୍ୱିଧାନର ମୌଳିକ ଢାଞ୍ଚାକୁ ଅକ୍ଷୁଣ୍ଣ ରଖିବା ପାଇଁ ନ୍ୟାୟିକ ସମୀକ୍ଷା ଅଧିକାର ନ୍ୟସ୍ତ ।

ଦେଶ ଓ ସମାଜର ଆବଶ୍ୟକତାନୁସାରେ ଲୋକଙ୍କ ଆକାଂକ୍ଷାକୁ ଦୃଷ୍ଟିରେ ରଖି ସମ୍ୱିଧାନଟିଏ ଏକ ଜୀବନ୍ତ ଦଲିଲ ପରି ନିରନ୍ତର ବିକଶିତ ହେବା ଉଚିତ । ଭାରତୀୟ ସମ୍ୱିଧାନ ଗତିଶୀଳ ହୋଇଥିବାରୁ ଗତ ୭୨ ବର୍ଷ ମଧ୍ୟରେ ହୋଇଥିବା ଶତାଧିକ ସଂଶୋଧନ ମାଧ୍ୟମରେ ସମ୍ୱିଧାନରେ ଅନେକ ପରିବର୍ତ୍ତନ ହୋଇଛି । ଏହି ସମସ୍ତ ସଂଶୋଧନର ପ୍ରଭାବ ସମ୍ୱିଧାନରେ ସନ୍ନିବେଶିତ ମୌଳିକ ଅଧିକାର, ଜାତୀୟ ନୀତିର ନିର୍ଦ୍ଦେଶମୂଳକ ସିଦ୍ଧାନ୍ତ (ଡିରେକ୍ଟିଭ ପ୍ରିନସିପଲସ୍ ଅଫ ଷ୍ଟେଟ ପଲିସି), ମୌଳିକ କର୍ତ୍ତବ୍ୟ, ରାଜ୍ୟ ପୁନର୍ଗଠନ, ସପ୍ତମ ଅନୁସୂଚୀରେ ଥିବା ଆଇନ ପ୍ରଣୟନ ତାଲିକା, ଜରୁରୀକାଳୀନ ପରିସ୍ଥିତି ଘୋଷଣା, ପ୍ରାଶାସନିକ ଟ୍ରିବ୍ୟୁନାଲ, ନିର୍ବାଚନ, ଭାଷା, ପ୍ରସ୍ତାବନା, ଭୋଟଦାନର ବୟସ ଇତ୍ୟାଦି ଉପରେ ପଡିଛି । ସମ୍ୱିଧାନର ଅନୁଚ୍ଛେଦ ୩୬୮ ଅନୁଯାୟୀ ସଂସଦକୁ ସମ୍ୱିଧାନ ସଂଶୋଧନ କରିବା କ୍ଷମତା ପ୍ରଦାନ କରାଯାଇଛି । ତେବେ ସଂସଦ ଦ୍ୱାରା ଏହି କ୍ଷମତାର ଅପବ୍ୟବହାରକୁ ରୋକିବା ଲାଗି ମୌଳିକ ଢାଞ୍ଚା ସିଦ୍ଧାନ୍ତ ( ବ୍ୟାସିକ ଷ୍ଟ୍ରକଚର୍ ଡକଟ୍ରିନ୍) ନାମକ ନ୍ୟାୟିକ ନବପ୍ରବର୍ତ୍ତନ (ଇନୋଭେସନ) ହୋଇଛି । ୧୯୭୩ରେ ‘କେଶବାନନ୍ଦ ଭାରତୀ ମାମଲା’ରେ ସୁପ୍ରିମକୋର୍ଟ ରାୟ ଦେଇଥିଲେ ଯେ ସମ୍ୱିଧାନର ମୌଳିକ ଢାଞ୍ଚାକୁ ସଂସଦ ବଦଳାଇ ପାରିବ ନାହିଁ, କାରଣ ସେଗୁଡିକ ହିଁ ସମ୍ୱିଧାନର ମୂଳଦୁଆ ସଦୃଶ । ସେଗୁଡିକ ଅକ୍ଷତ ରହିବା ଉପରେ ସମ୍ୱିଧାନର ଆଦର୍ଶ ଓ ସ୍ଥାୟୀତ୍ୱ ନିର୍ଭର କରିଥାଏ । କେବଳ ଯେ ସଂସଦ ମାଧ୍ୟମରେ ସମ୍ୱିଧାନର ସଂଶୋଧନ ହୋଇଛି ତାହା ନୁହେଁ, ବିଭିନ୍ନ ମାମଲାରେ ସୁପ୍ରିମକୋର୍ଟଙ୍କ ନ୍ୟାୟିକ ବ୍ୟାଖ୍ୟା ମାଧ୍ୟମରେ ବି ସମ୍ୱିଧାନର ପୁନର୍ଲିଖନ ହୋଇଛି । ସୁପ୍ରିମକୋର୍ଟଙ୍କ ଏହି ନ୍ୟାୟିକ ବ୍ୟାଖ୍ୟାକୁ ପର୍ଯ୍ୟାଲୋଚନା କଲେ ତାହା ବିଭିନ୍ନ ପର୍ଯ୍ୟାୟ ଦେଇ ଗତି କରିଥିବାର ଜଣାଯାଏ । ପ୍ରାରମ୍ଭିକ ପର୍ଯ୍ୟାୟରେ ‘ଏ କେ ଗୋପାଳନ ମାମଲା’ ଆଦିରେ କୋର୍ଟ ସମ୍ୱିଧାନର ପ୍ରାବଧାନକୁ ଆକ୍ଷରିକ ଭାବେ ତର୍ଜମା କରିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ‘କେଶବାନନ୍ଦ ଭାରତୀ ମାମଲା’ ଆଦିରେ ସମ୍ୱିଧାନର ମୌଳିକ ଢାଞ୍ଚା ଉପରେ ଗୁରୁତ୍ୱ ଦେଇ ବ୍ୟାଖ୍ୟା କରିଥିବା ଦେଖାଯାଏ । ସୁପ୍ରିମକୋର୍ଟଙ୍କ ବ୍ୟାଖ୍ୟାର ପନ୍ଥା ସ୍ଥିର ନ ରହି ଗତିଶୀଳ ଥିଲା ପରି ଜଣା ପଡେ ।  

ଜାତି, ବର୍ଣ୍ଣ, ଧର୍ମ, ଭାଷା, ଲିଙ୍ଗ, ଅଞ୍ଚଳ ନିର୍ବିଶେଷରେ ସମାଜର ପ୍ରତିଟି ବର୍ଗର ଲୋକଙ୍କୁ ସମାନତା ପ୍ରଦାନ କରିବା ସହ ବିଭିନ୍ନ ମୌଳିକ ଅଧିକାର ସୁନିଶ୍ଚିତ କରି ସମ୍ୱିଧାନ ପ୍ରକୃତ ଅର୍ଥରେ ଦେଶବାସୀଙ୍କୁ ସ୍ୱାଧୀନତାର ସ୍ୱାଦ ଚଖାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଯେଉଁ ସମ୍ୱିଧାନ ଦେଶବାସୀଙ୍କୁ ସଶକ୍ତ କରିଛି ସେଥିପ୍ରତି ଆନୁଗତ୍ୟ ପ୍ରଦର୍ଶନ ପାଇଁ ନିଜ ମୌଳିକ ଅଧିକାର ସମ୍ପର୍କରେ ସଚେତନ ରହିବା ଯେତିକି ଆବଶ୍ୟକ, ସମ୍ୱିଧାନରେ ଉଲ୍ଲିଖିତ ମୌଳିକ କର୍ତ୍ତବ୍ୟର ସମ୍ପାଦନ ପାଇଁ ଯତ୍ନବାନ ହେବା ମଧ୍ୟ ସେତିକି ଜରୁରୀ । ଏପରିକି ସାମାଜିକ ଓ ଅର୍ଥନୈତିକ ଲକ୍ଷ୍ୟ ହାସଲ ପାଇଁ ମଧ୍ୟ ସାମ୍ୱିଧାନିକ ନୀତି ନିୟମର ଅନୁସରଣ କରିବାକୁ ସଙ୍କଳ୍ପବଦ୍ଧ ହେବା ଆବଶ୍ୟକ । ସମ୍ୱିଧାନ ଓ ସାମ୍ୱିଧାନିକ ବିଧି ବ୍ୟବସ୍ଥା ସୁରକ୍ଷିତ ରହିଲେ ଗଣତନ୍ତ୍ର ସୁରକ୍ଷିତ ରହିଥାଏ । ସେଥିପାଇଁ ପ୍ରଖ୍ୟାତ ବ୍ରିଟିଶ ରାଜନୈତିକ ଦାର୍ଶନିକ ଜନ ଷ୍ଟୁଆର୍ଟ ମିଲ ସତର୍କ କରାଇ ଦେଇଥିଲେ, “ଜଣେ ଯେତେ ମହାନ୍ ହୋଇଥିଲେ ବି ଦେଶବାସୀ ସେମାନଙ୍କ ସ୍ୱାଧୀନତାକୁ କେବେ ବି ତା’ ପାଦତଳେ ସମର୍ପଣ କରିବା ଉଚିତ ନୁହେଁ, ଅବା ତାକୁ ବିଶ୍ୱାସ କରି ଏପରି କ୍ଷମତାଶାଳୀ କରିଦେବା ଉଚିତ ନୁହେଁ ଯଦ୍ଦ୍ୱାରା ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଅନୁଷ୍ଠାନଗୁଡିକୁ ସେ ଧ୍ୱଂସ କରିବାକୁ ସକ୍ଷମ ହେବ ।“ ଭାରତରେ ଗଣତନ୍ତ୍ରର ସୁରକ୍ଷା ଓ ସମ୍ୱିଧାନର ସ୍ଥାୟୀତ୍ୱ ପାଇଁ ଏହି ଉକ୍ତିଟିର ସ୍ମରଣ ପୂର୍ବକ ଦେଶବାସୀଙ୍କୁ ନିରନ୍ତର ସତର୍କତା ଅବଲମ୍ୱନ କରିବାକୁ ହେବ ।


(Published in Sambad on October 04, 2021 )           


Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ମତୁଆଙ୍କୁ ସାମାଜିକ ବାସନ୍ଦ - ଧର୍ମ ବିଶ୍ୱାସ ପାଇଁ ଉତ୍ପୀଡନ

ନିକଟରେ ମାଲକାନଗିରି ଜିଲ୍ଲାରେ କିଛି ଲୋକଙ୍କ ଭିନ୍ନ ଧର୍ମ ବିଶ୍ୱାସ ପାଇଁ ସେହି ଧର୍ମର କିଛି ଉଚ୍ଚ ଜାତିର ଲୋକଙ୍କ ଦ୍ୱାରା ସେମାନେ ଯେଉଁ ଭଳି ଉତ୍ପୀଡନର ଶିକାର ହେଲେ, ତାହା ମୁଖ୍ୟଧାରାର ଗଣମାଧ୍ୟମ ପାଇଁ ଏକ ଉଲ୍ଲେଖଯୋଗ୍ୟ ବା ଦର୍ଶନଯୋଗ୍ୟ ଖବର ହୋଇ ନ ଥିଲେ ବି ଲୋକଙ୍କ ଧର୍ମ ବିଶ୍ୱାସ ଉପରେ ବିଭିନ୍ନ ସମୟରେ ହେଉଥିବା ଆକ୍ରମଣ କେତେ ଦୂର ଗ୍ରହଣୀୟ ସେ ନେଇ ଏକ ମୌଳିକ ପ୍ରଶ୍ନ ଉତ୍ଥାପନ କରୁଛି । ଏହି ଘଟଣା ଏକ ଉପାନ୍ତ ଅଞ୍ଚଳରେ ସଂଘଟିତ ହୋଇ ସେଥିରେ ମୁଷ୍ଟିମେୟ ଲୋକ ପ୍ରଭାବିତ ହୋଇଥିଲେ ବି ତାହା ଏକ ବୃହତ୍ତର ପ୍ରସଙ୍ଗକୁ ମଝି ମଞ୍ଚରେ ଆଣି ଥୋଇ ଦେଇଛି । ପ୍ରସଙ୍ଗଟିର ଉଚିତ ଅନୁଶୀଳନ ଲାଗି ଘଟଣା ସମ୍ପର୍କରେ ମାଲକାନଗିରିର ଆଦିବାସୀ ସଂଘ ଓ ହେତୁବାଦୀ ଓ ମାନବବାଦୀ ସଙ୍ଗଠନ ଦ୍ୱାରା ନିୟୋଜିତ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ପ୍ରଦାନ କରିଥିବା ବିବରଣୀ ପ୍ରଣିଧାନ ଯୋଗ୍ୟ । ବିବରଣୀ ଅନୁସାରେ ମାଲକାନଗିରିର ଦଣ୍ଡକାରଣ୍ୟ ପ୍ରକଳ୍ପ ଅଧୀନସ୍ଥ ଏମ.ଭି.୭୬ ଗାଁରେ କିଛି ମତୁଆ ସମ୍ପ୍ରଦାୟର ଦଳିତ ପରିବାର ବସବାସ କରି ଆସୁଛନ୍ତି । ଏମାନେ ହିନ୍ଦୁ ଧର୍ମାବଲମ୍ୱୀ ହୋଇଥିଲେ ବି ଏମାନଙ୍କ ଧର୍ମ ବିଶ୍ୱାସ, ପୂଜା ପଦ୍ଧତି, ରୀତିନୀତି ହିନ୍ଦୁ ଧର୍ମର ମୁଖ୍ୟଧାରାର ବ୍ରାହ୍ମଣବାଦୀ ଧର୍ମ ବିଶ୍ୱାସ, ପୂଜା ପଦ୍ଧତି ଇତ୍ୟାଦିଠାରୁ ସମ୍ପୂର୍ଣ୍ଣ ଭିନ୍ନ । ମତୁଆ ସମ୍ପ୍ରଦାୟର ଧର୍ମ ବିଶ୍ୱାସକୁ ଖାରଜ କରି ସେଠାକାର ଉଚ୍ଚ ଜାତିର ଲୋ