Skip to main content

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି ।

କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣରେ ରଖିହୁଏ । ମେ ୨୦୧୯ରେ ହ୍ୱାଟସଆପ କମ୍ପାନୀ ତା’ର କିଛି ବ୍ୟବହାରକାରୀଙ୍କ ଉପକରଣ ପେଗାସସ ସ୍ପାଏୱେୟାର ଆକ୍ରାନ୍ତ ହୋଇଥିବା ଅଭିଯୋଗ କଲା ପରେ ଭାରତ ସରକାର ନଭେମ୍ୱର ୨୦, ୨୦୧୯ରେ କିଛି ଭାରତୀୟଙ୍କ ଫୋନ ଏଭଳି ଆକ୍ରାନ୍ତ ହୋଇଥିବା ସଂସଦରେ ସ୍ୱୀକାର କରିଥିଲେ । ଏହା ପରେ ଜୁନ ୧୫, ୨୦୨୦ରେ ‘ସିଟିଜେନ ଲ୍ୟାବ ‘ଅନ୍ତର୍ଜାତିକ ମାନବାଧିକାର ସଙ୍ଗଠନ ‘ଆମନେଷ୍ଟି ଇଣ୍ଟରନ୍ୟାସନାଲ’ ସହ ମିଶି ସ୍ପାଏୱେୟାର ଆକ୍ରମଣ ସମ୍ପର୍କରେ ଅଧିକ ଜାଣିବା ପାଇଁ ଯେଉଁ ଅଭିଯାନ ଚଳାଇଥିଲେ ସେଥିରେ ୯ ଜଣ ଭାରତୀୟଙ୍କ ଫୋନ ପ୍ରଭାବିତ ହୋଇଥିବା ଜଣା ପଡିଥିଲା । ଭାରତର ‘ଦି ୱାୟାର’ ସମେତ ବିଶ୍ୱର ୧୭ଟି ଗଣମାଧ୍ୟମ ସଙ୍ଗଠନକୁ ନେଇ ଗଠିତ ଓ ପାରିସରେ ଅବସ୍ଥାପିତ ‘ଫରବିଡନ ଷ୍ଟୋରିଜ’ ନାମକ ଏନଜିଓ, ‘ଆମନେଷ୍ଟି ଇଣ୍ଟରନ୍ୟାସନାଲ’ ସହ ମିଶି ଜୁଲାଇ ୧୮, ୨୦୨୧ରେ ପେଗାସସ୍ ସ୍ପାଏୱେୟାର ଦ୍ୱାରା ୪୫ଟି ଦେଶର ପ୍ରାୟ ୫୦୦୦୦ ବ୍ୟକ୍ତି ପ୍ରଭାବିତ ହୋଇଥିବାର ଆଶଙ୍କା ବ୍ୟକ୍ତ କଲେ । ଏମାନଙ୍କ ଭିତରେ ରାଜନୈତିକ ବ୍ୟକ୍ତି, ଅଧିକାରୀ, ଅଦାଲତ କର୍ମଚାରୀ, ସାମ୍ୱାଦିକ, ଡାକ୍ତର, ଆଦି ବିଭିନ୍ନ ବର୍ଗର ପ୍ରାୟ ୩୦୦ ଜଣ ଭାରତୀୟ ଅଛନ୍ତି । ତୁରନ୍ତ ଫ୍ରାନ୍ସ, ହଙ୍ଗେରି, ଆଲଜିରିଆ, ମେକ୍ସିକୋ ଆଦି ଦେଶ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିବା ସହିତ ସତ ଜାଣିବାକୁ କିଛି ଦେଶ ଇସ୍ରାଏଲ ସହ କୂଟନୈତିକ ସ୍ତରରେ ପ୍ରୟାସ କଲେ । ଏ ସବୁ କରିବା ତ ଦୂରର କଥା ବରଂ ଭାରତରେ କେନ୍ଦ୍ର ସରକାରଙ୍କ ତରଫରୁ ସଂସଦରେ ବୁଲେଇ ବଙ୍କେଇ ଯେଉଁ ଉତ୍ତର ରଖାଗଲା ସେଥିରେ ସରକାର ଏହି ସ୍ପାଏୱେୟାର କିଣିଛନ୍ତି କି ନାହିଁ, ଏହା କୌଣସି ଭାରତୀୟ ନାଗରିକଙ୍କ ଉପରେ ପ୍ରୟୋଗ କରାଯାଇଛି କି ନାହିଁ ଆଦି ପ୍ରଶ୍ନର ସ୍ପଷ୍ଟ ଉତ୍ତର ମିଳିଲା ନାହିଁ । ଫଳରେ ସାଇବର ଆକ୍ରମଣକୁ ପ୍ରତିହତ କରିବା ପାଇଁ ସରକାରଙ୍କ ନିଷ୍କ୍ରିୟତା ସଂକ୍ରାନ୍ତରେ ଅଭିଯୋଗ କରି ପ୍ରଭାବିତ ବ୍ୟକ୍ତିବିଶେଷଙ୍କ ଦ୍ୱାରା ସୁପ୍ରିମକୋର୍ଟରେ ମାମଲାମାନ ଦାଏର ହେବାକୁ ଲାଗିଲା । ମାମଲାର ଶୁଣାଣି ଚାଲିଥିବା ବେଳେ ସରକାରଙ୍କ ତରଫରୁ ଦୀର୍ଘ ସମୟ ନିଆଯାଇ ବାରମ୍ୱାର ‘ସୀମିତ ସତ୍ୟପାଠ’ (ଲିମିଟେଡ ଆଫିଡେଭିଟ) ଦାଖଲ କରାଗଲା, ଯାହା ଅଦାଲତ କାର୍ଯ୍ୟ ଆଗେଇ ନେବାକୁ ଯଥେଷ୍ଟ ନ ଥିଲା । ସତ୍ୟପାଠରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଗଲେ ତାହା ‘ଜାତୀୟ ସୁରକ୍ଷା ଓ ପ୍ରତିରକ୍ଷାକୁ ବିପନ୍ନ କରିପାରେ’ ବୋଲି ସରକାରଙ୍କ ତରଫରୁ ଆଶଙ୍କା ବ୍ୟକ୍ତ କରାଯିବା ସହ ପ୍ରସଙ୍ଗଟିର ସାମଗ୍ରିକ ଅନୁଶୀଳନ ପାଇଁ ସରକାର ଏକ ବିଶେଷଜ୍ଞ କମିଟି ନିଯୁକ୍ତ କରିବାକୁ ପ୍ରସ୍ତୁତ ବୋଲି ଜଣାଇ ଦିଆଗଲା ।

ନ୍ୟାୟାଳୟଙ୍କ ସମ୍ମୁଖରେ ମୁଖ୍ୟ ବିଚାର୍ଯ୍ୟ ପ୍ରସଙ୍ଗଟି ଥିଲା, ବ୍ୟକ୍ତିର ଗୋପନୀୟତାର ଅଧିକାର ଓ ଜାତୀୟ ସୁରକ୍ଷା ମଧ୍ୟରୁ କେଉଁଟିର ଗୁରୁତ୍ୱ ଅଧିକ । ଅଦାଲତଙ୍କ ମତରେ ଆମେ ଏପରି ଏକ ସୂଚନା ବିପ୍ଳବ ସମୟରେ ବଞ୍ଚୁଛନ୍ତି ଯେତେବେଳେ ବ୍ୟକ୍ତିର ସମଗ୍ର ଜୀବନ କ୍ଲାଉଡରେ ବା ଡିଜିଟାଲ ଫାଇଲରେ ଲିପିବଦ୍ଧ ହୋଇରହୁଛି । ଏହା ଯେତିକି ଉପଯୋଗୀ ସେତିକି କ୍ଷତିକାରକ ମଧ୍ୟ, କାରଣ ଏହାର ଦୁରୁପଯୋଗ କରି ବ୍ୟକ୍ତିର ଘରୋଇ ପରିସର ଭିତରକୁ ସହଜରେ ଅନୁପ୍ରବେଶ କରି ହେବ । ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ଗୋପନୀୟତାର ସୁରକ୍ଷା ହେବା ଆବଶ୍ୟକ ବୋଲି କେ ଏସ ପୁତ୍ତସ୍ୱାମୀ ମାମଲା (୨୦୧୭)ରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିସାରିଛନ୍ତି । ତଦନୁଯାୟୀ, “ଗୋପନୀୟତା ଏକ ସମ୍ୱିଧାନ ସୁରକ୍ଷିତ ଅଧିକାର ଯାହା ମୂଳତଃ ସମ୍ୱିଧାନର ଧାରା ୨୧ରେ ସ୍ଥାନିତ ବଞ୍ଚିବାର ଓ ବ୍ୟକ୍ତି ସ୍ୱାଧୀନତାର ଗ୍ୟାରେଣ୍ଟିରୁ ଉଦ୍ଭବ ।“ ତେବେ ଗୋପନୀୟତାର ଅଧିକାର ନିରଙ୍କୁଶ ନୁହେଁ ଓ ଏଥି ପ୍ରତି କେତେକ ଉଚିତ ପ୍ରତିବନ୍ଧ ଲାଗୁ ହୋଇଥାଏ । ପ୍ରତିବନ୍ଧଗୁଡିକ ବି ସମ୍ୱିଧାନ ଅନୁମୋଦିତ ହେବା ବିଧେୟ । ରାଷ୍ଟ୍ର ପକ୍ଷରେ ଜାତୀୟ ସୁରକ୍ଷା ଯେତିକି ଗୁରୁତ୍ୱପୂର୍ଣ୍ଣ, ବ୍ୟକ୍ତିର ଜୀବନ ଓ ସ୍ୱାଧୀନତାକୁ ସୁରକ୍ଷିତ ରଖିବା ବି ସେତିକି ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଉଭୟ ମଧ୍ୟରେ ଉଚିତ ଭାରସାମ୍ୟ ରକ୍ଷା କରିବା ରାଷ୍ଟ୍ରର କର୍ତ୍ତବ୍ୟ । ଆଜିକାଲିର ଦୁନିଆରେ ହିଂସା ଓ ଆତଙ୍କର ମୁକାବିଲା କରିବା ପାଇଁ ଦେଶ ପକ୍ଷରେ ଗୋଇନ୍ଦାଗିରି କରିବା ଆବଶ୍ୟକ ହେଉଥିଲେ ବି ତାହା ବ୍ୟକ୍ତିର ଗୋପନୀୟତାର ଅଧିକାରରେ ଅନ୍ତରାୟ ସୃଷ୍ଟି କରିଥାଏ । ତେଣୁ ରାଷ୍ଟ୍ର କେବଳ ସେତିକିବେଳେ ଗୋଇନ୍ଦାଗିରି କରିବା ଉଚିତ ଯେତେବେଳେ ଜାତୀୟ ସୁରକ୍ଷା ବା ସ୍ୱାର୍ଥରେ ସେପରି କରିବା ନିହାତି ଅପରିହାର୍ଯ୍ୟ । ଏହା ଆନୁପାତିକ ଭାବେ ହେବା ସହ ପ୍ରମାଣ ଆଧାରିତ ହେବା ଆବଶ୍ୟକ । ଆଇନର ଶାସନ ଥିବା ଏକ ଗଣତାନ୍ତ୍ରିକ ଦେଶରେ ଯଥେଷ୍ଟ ଆଇନଗତ ସୁରକ୍ଷା ବଳୟ ନ ଥାଇ ବ୍ୟକ୍ତି ଉପରେ ବେଲଗାମ ଗୋଇନ୍ଦାଗିରିକୁ ପ୍ରଶ୍ରୟ ଦେଇ ହେବନାହିଁ । ଆଧୁନିକ ଗଣତନ୍ତ୍ରରେ ଗଣମାଧ୍ୟମର ସ୍ୱାଧୀନତାର ଗୁରୁତ୍ୱକୁ ରେଖାଙ୍କିତ କରି ସୁପ୍ରିମକୋର୍ଟ ତାଙ୍କ ଆଦେଶରେ ସାମ୍ୱାଦିକଙ୍କ ସୂଚନାର ଉତ୍ସକୁ ସୁରକ୍ଷା ପ୍ରଦାନ କରିବା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି । 

କେନ୍ଦ୍ର ସରକାର ନିଜ ତରଫରୁ ଏହି ମାମଲାର ଅନୁସନ୍ଧାନ କରିବା ପାଇଁ ଏକ କମିଟି ଗଠନର ପ୍ରସ୍ତାବ ଦେଇଥିଲେ ମଧ୍ୟ ଅଦାଲତ ତାକୁ ଖାରଜ କରିବା ସରକାରଙ୍କ ପ୍ରତି ଏକ ବଡ ଝଟକା ବୋଲି ମନେ କରାଯାଉଛି । ୨୦୧୯ରୁ ପେଗାସସ୍ ସ୍ପାଏୱେୟାର ବ୍ୟବହାର କରି ଦେଶର ନାଗରିକଙ୍କ ଫୋନ ହ୍ୟାକିଂ ହୋଇଥିଲେ ବି ସରକାରଙ୍କ ଦ୍ୱାରା ତାର ଅନୁସନ୍ଧାନ ପାଇଁ କୌଣସି ତତ୍ପରତା ପ୍ରକାଶ ନ କରିବା ଓ ସରକାର ନିଜେ ଏହି ସ୍ପାଏୱେୟାରର ପ୍ରୟୋଗ କରିଥିବାର ସନ୍ଦେହ ଉପୁଜୁଥିବାରୁ ସରକାରଙ୍କ ଦ୍ୱାରା ଗଠିତ କମିଟି ନିରପେକ୍ଷ ତଦନ୍ତ କରିବାକୁ ଅସମର୍ଥ ହେବ ବୋଲି ହୃଦୟଙ୍ଗମ କରି ଅଦାଲତ ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କରି ନ ଥିବା ସ୍ୱାଭାବିକ, “କାରଣ ନ୍ୟାୟ ହେବା ଯେତିକି ଜରୁରୀ ନ୍ୟାୟ ହେଉଥିବାର ପ୍ରତୀତ ହେବା ମଧ୍ୟ ସମ ପରିମାଣରେ ଆବଶ୍ୟକ” । ତେଣୁ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଆର ଭି ରବୀନ୍ଦ୍ରନଙ୍କ ତତ୍ତ୍ୱାବଧାନରେ ସୁପ୍ରିମକୋର୍ଟ ଏକ ତିନି ଜଣିଆ ବୈଷୟିକ କମିଟି ଗଠନ କରିଛନ୍ତି ଯେଉଁଥିରେ ସାଇବର ସୁରକ୍ଷା, ଡିଜିଟାଲ ଫୋରେନସିକ, ନେଟୱାର୍କ ହାର୍ଡୱେୟାର ଆଦିର ବିଶେଷଜ୍ଞମାନଙ୍କୁ ନିଆଯାଇଛି । ଏହି କମିଟି ଯେଉଁ ପ୍ରଶ୍ନଗୁଡିକର ଉତ୍ତର ଖୋଜି ବାହାର କରିବାକୁ ଚେଷ୍ଟା କରିବେ ସେଗୁଡିକ ହେଲା : ପେଗାସସ୍ ସଫ୍ଟୱେୟାରକୁ ବ୍ୟବହାର କରି ଭାରତୀୟ ନାଗରିକଙ୍କ ଫୋନ ଓ ଅନ୍ୟ ଉପକରଣରେ ଥିବା ତଥ୍ୟ ହାସଲ କରିବା, ବିଭିନ୍ନ କଥୋପକଥନ ଶୁଣିବା, ସୂଚନା ଅବରୋଧ ଆଦି କରିବାକୁ ଉଦ୍ୟମ କରାଯାଇଛି କି ?, ଏ ଭଳି ସ୍ପାଏୱେୟାର ଆକ୍ରମଣ ଦ୍ୱାରା ପ୍ରଭାବିତ ବ୍ୟକ୍ତିବିଶେଷଙ୍କ ସମ୍ପୂର୍ଣ୍ଣ ବିବରଣୀ, ପେଗାସସ୍ ସ୍ପାଏୱେୟାରକୁ ବ୍ୟବହାର କରି ହୋଇଥିବା ଭାରତୀୟ ନାଗରିକଙ୍କ ହ୍ୱାଟସଆପ ହ୍ୟାକିଂ ସଂକ୍ରାନ୍ତରେ ୨୦୧୯ରେ ପ୍ରଥମ ଖବର ପ୍ରକାଶ ପାଇବା ପରଠାରୁ ଭାରତ ସରକାରଙ୍କ ଦ୍ୱାରା କି କି ପଦକ୍ଷେପ ଗ୍ରହଣ କରାଯାଇଛି?, ଭାରତୀୟ ନାଗରିକଙ୍କ ଉପରେ ବ୍ୟବହାର କରିବା ପାଇଁ କେନ୍ଦ୍ର ସରକାର ବା ରାଜ୍ୟ ସରକାର ବା ସରକାରୀ ସଂସ୍ଥା ପେଗାସସ ସ୍ପାଏୱେୟାର ହାସଲ କରିଛନ୍ତି କି ?, କୌଣସି ସରକାରୀ ସଂସ୍ଥା ପେଗାସସ୍ ସ୍ପାଏୱେୟାରକୁ ନାଗରିକଙ୍କ ଉପରେ ଉପଯୋଗ କରିଥିଲେ ତାହା କେଉଁ ଆଇନ, ନିୟମ, ମାର୍ଗ ନିର୍ଦ୍ଦେଶିକା, ପ୍ରୋଟୋକଲ ବା ବୈଧ ପ୍ରକ୍ରିୟା ଦ୍ୱାରା କରାଯାଇଛି, ବେସରକାରୀ ଭାବେ ନାଗରିକଙ୍କ ଉପରେ ଏ ଭଳି ସ୍ପାଏୱେୟାର ବ୍ୟବହାର ହୋଇଥିଲେ ସେଭଳି ଉପଯୋଗ ଅନୁମୋଦିତ କି ?, ଏହା ଛଡା ପ୍ରସଙ୍ଗ ସହ ସମ୍ପୃକ୍ତ ବା ଆନୁଷଙ୍ଗିକ ଯେ କୌଣସି ବିଷୟ । ଏତଦଭିନ୍ନ ଗୋଇନ୍ଦାଗିରି (ସର୍ଭେଲାନ୍ସ) ଓ ଗୋପନୀୟତାର ଅଧିକାରକୁ ଆହୁରି ସଶକ୍ତ କରିବା ଲାଗି ନୂଆ ଆଇନ ଓ ପଦ୍ଧତିର ପ୍ରଣୟନ ବା ପ୍ରଚଳିତ ଆଇନରେ ସଂଶୋଧନ, ରାଷ୍ଟ୍ର ଓ ରାଷ୍ଟ୍ରର ସମ୍ପତ୍ତିଗୁଡିକର ସାଇବର ସୁରକ୍ଷାକୁ ଉନ୍ନତ ଓ ସଶକ୍ତ କରିବା, କେବଳ ଆଇନ ଅନୁମୋଦିତ ପ୍ରକ୍ରିୟାକୁ ବାଦ ଦେଇ, ସରକାରୀ ଓ ଘରୋଇ ସଂସ୍ଥାଙ୍କ ଦ୍ୱାରା ଏଭଳି ସ୍ପାଏୱେୟାର ଦ୍ୱାରା ନାଗରିକଙ୍କ ଗୋପନୀୟତା ଅଧିକାର ପ୍ରତି ହେଉଥିବା ସମସ୍ତ ଆକ୍ରମଣକୁ ପ୍ରତିହତ କରିବା, ଅବୈଧ ଭାବେ ଗୋଇନ୍ଦାଗିରି ହେଉଥିବାର ସନ୍ଦେହ ହେଲେ ନାଗରିକମାନେ କିପରି ଅଭିଯୋଗ ଦାଖଲ କରିବେ, ଏକ ପ୍ରମୁଖ ସ୍ୱାଧୀନ ସଂସ୍ଥା ପ୍ରତିଷ୍ଠା କରି ସାଇବର ସୁରକ୍ଷାର ଦୁର୍ବଳତାର ଅନୁସନ୍ଧାନ, ସାଇବର ଆକ୍ରମଣ ଆଶଙ୍କାର ମୂଲ୍ୟାୟନ ଏବଂ ଦେଶରେ ହେଉଥିବା ସାଇବର ଆକ୍ରମଣର ଅନୁସନ୍ଧାନ କରିବା, ସଂସଦ ଦ୍ୱାରା ଏ ସଂକ୍ରାନ୍ତରେ ଉଚିତ ଆଇନ ପ୍ରଣୟନ ହେବା ଯାଏଁ ନାଗରିକଙ୍କ ଅଧିକାରକୁ ସୁରକ୍ଷା ପ୍ରଦାନ କରିବା ପାଇଁ ଅଦାଲତଙ୍କ ଦ୍ୱାରା କି ପ୍ରକାର କାମଚଳା ପଦକ୍ଷେପ ଗ୍ରହଣ କରାଯିବା ଉଚିତ ହେବ, ତାହା ଉପରେ କମିଟି ସୁପାରିଶ ପ୍ରଦାନ କରିବ । ଏହି କମିଟି ବିଶେଷ ଭାବେ କ୍ଷମତାସମ୍ପନ୍ନ ହୋଇଥିବାରୁ ଆବଶ୍ୟକ ସ୍ଥଳେ ବିଭିନ୍ନ ବ୍ୟକ୍ତିବିଶେଷଙ୍କଠାରୁ ଆରମ୍ଭ କରି ଜାତୀୟ ସୁରକ୍ଷା ଉପଦେଷ୍ଟାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଏହା ନିକଟରେ ହାଜର ହୋଇ ବିବୃତି ରଖିବା ଲାଗି ଡକା ଯାଇପାରିବ ।

ସୁପ୍ରିମକୋର୍ଟଙ୍କ କଡା ଟିପ୍ପଣୀ ଯୋଗୁ କେନ୍ଦ୍ର ସରକାରଙ୍କୁ ଯେଉଁଭଳି ଭର୍ତ୍ସିତ ହେବାକୁ ହୋଇଛି, ସମ୍ଭବତଃ ନିକଟ ଅତୀତରେ ସେଭଳି ଘଟି ନାହିଁ । ଆଦେଶର ପାରା ୪୫ରେ ଉଲ୍ଲିଖିତ ହୋଇଛି ଯେ ଗତ ଦୁଇ ବର୍ଷ ମଧ୍ୟରେ ସରକାରଙ୍କ ତରଫରୁ ନିଆ ଯାଇଥିବା ପଦକ୍ଷେପର ତଥ୍ୟ ଉପସ୍ଥାପନ କରି ନିଜ ପକ୍ଷ ସ୍ପଷ୍ଟ କରିବାକୁ କେନ୍ଦ୍ର ସରକାରଙ୍କୁ ଯଥେଷ୍ଟ ସୁଯୋଗ ଦିଆ ଯାଇଥିଲେ ବି ସରକାର କେବଳ ସୀମିତ ସତ୍ୟପାଠ ଦାଖଲ କରିଛନ୍ତି ଯାହା ତାଙ୍କ ପକ୍ଷ ବା ପ୍ରସଙ୍ଗଟିରେ ସ୍ପଷ୍ଟତା ଆଣିବାରେ ସହାୟକ ହୋଇନାହିଁ । ନାଗରିକଙ୍କ ମୌଳିକ ଅଧିକାର ସଂଶ୍ଳିଷ୍ଟ ଏକ ମାମଲାରେ ସରକାରଙ୍କ ଏ ଭଳି ଆଚରଣ ଆଦୌ ଗ୍ରହଣୀୟ ନୁହେଁ । ରାମ ଜେଠମାଲାନି ମାମଲା (୨୦୧୧) ଅନୁଯାୟୀ ନାଗରିକଙ୍କ ମୌଳିକ ଅଧିକାରର ସୁରକ୍ଷା ମୂଳତଃ ରାଷ୍ଟ୍ରର କର୍ତ୍ତବ୍ୟ ହୋଇଥିବାରୁ ଏଥି ପ୍ରତି ବିପଦ ଦେଖା ଦେଲେ କେନ୍ଦ୍ର ସରକାର ପ୍ରତିକୂଳ ମନୋଭାବ ପୋଷଣ କରିବା ଅନୁଚିତ । ଅଧିକନ୍ତୁ, ଜାତୀୟ ସୁରକ୍ଷା ପ୍ରସଙ୍ଗଗୁଡିକରେ ନ୍ୟାୟାଳୟ ସାଧାରଣତଃ ନ୍ୟାୟିକ ସମୀକ୍ଷାରୁ ଦୂରେଇ ରହୁଥିଲେ ବି ଜାତୀୟ ସୁରକ୍ଷାର ଆଳ ଦେଖାଇ ଓ କେବଳ ସେହି କଥାର ଉଚ୍ଚାରଣପୂର୍ବକ ସବୁବେଳେ ଆଉ ଅକାରଣେ ନ୍ୟାୟିକ ସମୀକ୍ଷାରୁ ବର୍ତ୍ତି ହେବନାହିଁ । ଜାତୀୟ ସୁରକ୍ଷା ପ୍ରସଙ୍ଗରେ ସାମ୍ୱିଧାନିକ ଓ ଆଇନଗତ ଭାବେ ଛାଡ ପାଇବାର ଥିଲେ ସରକାରଙ୍କୁ ତାହା ନ୍ୟାୟାଳୟରେ ପ୍ରମାଣ କରିବାକୁ ହେବ ।   

ଜର୍ଜ ଅରୱେଲଙ୍କ ‘୧୯୮୪’ ପୁସ୍ତକର ଯେଉଁ ପ୍ରସିଦ୍ଧ ବାକ୍ୟଟିକୁ ଉଦ୍ଧାର କରି ସୁପ୍ରିମକୋର୍ଟଙ୍କ ଆଦେଶର ଆରମ୍ଭ ହୋଇଛି ତାହା ହେଲା, “ତୁମେ ଯଦି କୌଣସି କଥାକୁ ଗୋପନ ରଖିବାକୁ ଚାହଁ, ତେବେ ତାକୁ ତୁମ ନିଜଠାରୁ ବି ଗୋପନ ରଖିବାକୁ ହେବ ।“ ପେଗାସସ୍ ମାମଲାରେ ଜାତୀୟ ସୁରକ୍ଷାର ଦ୍ୱାହି ଦେଇ ଏ ଯାଏଁ ତଥ୍ୟକୁ ସମ୍ପୂର୍ଣ୍ଣ ଗୋପନ ରଖିବାକୁ ସମର୍ଥ ହୋଇଆସିଥିବା କେନ୍ଦ୍ର ସରକାରଙ୍କ ପକ୍ଷରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟିଠାରୁ ସେହି ତଥ୍ୟ ଗୋପନ ରଖିବା ଆଉ ସମ୍ଭବ ହୋଇ ନ ପାରେ । ସେ କ୍ଷେତ୍ରରେ ଆଗାମୀ ଦିନରେ ହୁଏତ ପେଗାସସ୍ ମାମଲା କେନ୍ଦ୍ର ସରକାରଙ୍କ ତଣ୍ଟିରେ ଏକ କଣ୍ଟା ସଦୃଶ ଚିନ୍ତାର କାରଣ ହୋଇପାରେ ।


Published in Sambad on November 02, 2021. 

 

Comments

Archive

Show more

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍