Skip to main content

ଜନ ଲେନନ ଓ ଲୋକପ୍ରିୟ ଗୀତ ‘ଇମାଜିନ’

ପ୍ରସିଦ୍ଧ 'ବିଟଲସ୍' ରକ୍ ବ୍ୟାଣ୍ଡ ଭାଙ୍ଗି ଯିବା ପରେ ଏହାର ଅନ୍ୟତମ ପ୍ରମୁଖ ଗାୟକ ଜନ ଲେନନଙ୍କର ବ୍ୟକ୍ତିଗତ ଭାବେ 'ଇମାଜିନ' ନାମକ ଏକ ଗୀତ ୧୯୭୧ରେ ଆତ୍ମପ୍ରକାଶ କରି ସାରା ବିଶ୍ୱରେ ଚହଳ ପକାଇ ଦେଇଥିଲା । ବିଶ୍ୱ ଶାନ୍ତି ଓ ବିଶ୍ୱ ଭ୍ରାତୃତ୍ୱର କଥା କହୁଥିବା ଏହି ଗୀତଟି ଶ୍ରୋତାଙ୍କର ଏତେ ଆଦୃତି ଲାଭ କଲା ଯେ ତାହା ଆଉ କେବଳ ଗୋଟିଏ ଗୀତରେ ସୀମିତ ନ ରହି ଏକ ପ୍ରକାର ଏକ ଅନ୍ତର୍ଜାତୀୟ ସଙ୍ଗୀତ (International Anthem)ରେ ପରିଣତ ହୋଇଗଲା । ଏକ ଈର୍ଷା, ହିଂସା, ଦ୍ୱେଷରହିତ ଆଦର୍ଶ ବିଶ୍ୱର କଥା କହୁଥିବା ଏହି ଗୀତଟିକୁ ଏକ ପ୍ରେମ ସଙ୍ଗୀତ ବି କୁହା ଯାଇପାରେ । ୫୦ ବର୍ଷ ତଳେ ପ୍ରସ୍ତୁତ ହୋଇଥିବା ଏହି ଗୀତଟି ଏହି ଗୀତର ଗାୟକ ଜନ ଲେନନଙ୍କ ମୃତ୍ୟୁର ୪୧ ବର୍ଷ ପରେ ବି ବିଶ୍ୱର କୋଣ ଅନୁକୋଣରେ ଲକ୍ଷ ଲକ୍ଷ ଶ୍ରୋତାଙ୍କ ହୃଦୟକୁ ନିରବଚ୍ଛିନ୍ନ ଭାବେ ଉଦବେଳିତ କରି ଚାଲିଛି । ସେହି କାଳଜୟୀ ଗୀତ ‘ଇମାଜିନ’ର ପ୍ରସ୍ତୁତି ଓ ଏହାର ଗାୟକ ଜନ ଲେନନଙ୍କ ସଙ୍ଗୀତ ଯାତ୍ରା ସମ୍ପର୍କରେ ଅଧିକ ଜାଣିବାର ଅବକାଶ ରହିଛି ।   

୧୯୪୦ରେ ଇଂଲଣ୍ଡର ଲିଭରପୁଲଠାରେ ଜନ୍ମିତ ସୁପ୍ରସିଦ୍ଧ ଗାୟକ ଜନ ଉଇନଷ୍ଟନ ଲେନନ ଏକାଧାରରେ ଜଣେ  ଉଚ୍ଚକୋଟୀର ସଙ୍ଗୀତକାର, ଗୀତିକାର ମଧ୍ୟ ଥିଲେ । ପିଲାଦିନରୁ ସେ ସଙ୍ଗୀତ ପ୍ରତି ଆକୃଷ୍ଟ ହୋଇ ୧୯୫୬ରେ ନିଜର ବ୍ୟାଣ୍ଡ ‘କ୍ୱେରିମେନ’ ପ୍ରତିଷ୍ଠା କରିଥିଲେ, ଯାହା ୧୯୬୦ରେ ‘ବିଟଲସ୍’ ଗ୍ରୁପର ରୂପ ନେଇଥିଲା । ଜନ ଲେନନ ‘ବିଟଲସ୍’ ଗ୍ରୁପର କେବଳ ଜଣେ ପ୍ରତିଷ୍ଠାତା ସଦସ୍ୟ ଥିଲେ ତାହା ନୁହେଁ, ସେ ପ୍ରାଥମିକ ଅବସ୍ଥାରେ ଏହାର ନେତୃତ୍ୱ ନେବା ସହ ଜଣେ ଭଲ ଗାୟକ, ଗୀତିକାର, ରିଦମ ଗିଟାର ବାଦକ ଥିଲେ । ସିନ୍ଥିଆ ପାଓଲଙ୍କ ସହ ତାଙ୍କର ୧୯୬୨ରେ ବିବାହ ସମ୍ପନ୍ନ ହୋଇ ମାତ୍ର ୬ ବର୍ଷ ପରେ ୧୯୬୮ ରେ ବିଚ୍ଛେଦ ହୋଇଥିଲା । ‘ବିଟଲସ୍’ ଗ୍ରୁପ ଭାଙ୍ଗିଯିବା ପରେ ୧୯୬୯ରେ ସେ ତାଙ୍କ ଦ୍ୱିତୀୟ ପତ୍ନୀ ୟୋକୋ ଓନୋଙ୍କ ସହ ମିଶି ‘ପ୍ଲାଷ୍ଟିକ ଓନୋ ବ୍ୟାଣ୍ଡ’ ପ୍ରତିଷ୍ଠା କରିଥିଲେ । ତାଙ୍କର ଚର୍ଚ୍ଚିତ ଗୀତଗୁଡିକ ମଧ୍ୟରେ ‘ଗିଭ ପିସ ଏ ଚାନ୍ସ’, ‘ଇନଷ୍ଟାଣ୍ଟ କର୍ମାଲ’, ‘ହ୍ୟାପି ଏକ୍ସମାସ’, ‘ଇମାଜିନ୍’ ଆଦି ଅନ୍ୟତମ । ତାଙ୍କର ସବୁଠାରୁ ଅଧିକ ବିକ୍ରି ହୋଇଥିବା ଆଲବମ ‘ଡବଲ ଫାଣ୍ଟାସି’ ପାଇଁ ତାଙ୍କୁ ୧୯୮୧ରେ ଗ୍ରାମି ଆୱାର୍ଡ ମିଳିଥିଲା । ଜଣେ ଶାନ୍ତି କର୍ମୀ (ପିସ ଆକ୍ଟିଭିଷ୍ଟ) ଭାବେ ପରିଚିତ ଲେନନ ଭିଏତନାମ ଯୁଦ୍ଧରେ ଆମେରିକାର ଭୂମିକାକୁ ସମାଲୋଚନା କରିଥିବାରୁ ତାଙ୍କୁ ନିକ୍ସନ ପ୍ରଶାସନର ରୋଷର ଶିକାର ହେବାକୁ ପଡିଥିଲା । ୧୯୮୦ରେ ଜନ ଲେନନଙ୍କୁ ଯେତେବେଳେ ମାତ୍ର ୪୦ ବର୍ଷ ବୟସ, ‘ବିଟଲସ’ ଗ୍ରୁପର ଜଣେ ପ୍ରଶଂସକ ତାଙ୍କୁ ତାଙ୍କ ନିଉୟର୍କସ୍ଥିତ ବାସଭବନରେ ହତ୍ୟା କରିଥିଲେ ଓ ସଙ୍ଗୀତ ଆକାଶର ଏକ ଉଜ୍ଜ୍ୱଳ ଜ୍ୟୋତିଷ୍କ ହଠାତ୍ ଅନ୍ତର୍ହିତ ହୋଇଯାଇଥିଲା । ତାଙ୍କ ହତ୍ୟାର ଅନ୍ୟତମ କାରଣ ଥିଲା ତାଙ୍କର ‘ଇମାଜିନ’ ଗୀତ ଯେଉଁଥିରେ ସେ ଏକ ଧର୍ମବିହୀନ ସମାଜର କଥା କହିଥିଲେ ଏବଂ ଫଳସ୍ୱରୂପ ତାଙ୍କୁ ଏତେ ବଡ ମୂଲ୍ୟ ଦେବାକୁ ପଡିଥିଲା ।      

ଜନ ଲେନନଙ୍କ ସଫଳତା ପଛରେ ‘ବିଟଲସ୍’ ଗ୍ରୁପ ଓ ଏହାର ସହ କଳାକାରମାନଙ୍କର ଅବଦାନ ମଧ୍ୟ କିଛି କମ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଇଂଲଣ୍ଡର ଲିଭରପୁରଠାରେ ‘ବିଟଲସ’ ରକ ବ୍ୟାଣ୍ଡଟି ୧୯୬୦ରୁ ତିଆରି ହୋଇଥିଲେ ବି ବିଧିବଦ୍ଧ ଭାବେ ଏହା ଅଗଷ୍ଟ ୧୯୬୨ରେ ପ୍ରତିଷ୍ଠିତ ହୋଇଥିଲା । ଏ ଯାବତ୍ ବିଶ୍ୱର ସର୍ବାଧିକ ପ୍ରଭାବଶାଳୀ ରକ ବ୍ୟାଣ୍ଡ ଭାବେ ‘ବିଟଲସ’କୁ ଗ୍ରହଣ କରା ଯାଇଥାଏ । ଏହାର ପ୍ରମୁଖ ୪ ଜଣ କଳାକାର ଥିଲେ ଜନ ଲେନନ୍, ପଲ୍ ମାକାର୍ଟିନି, ଜର୍ଜ ହାରିସନ ଓ ରିଙ୍ଗୋ ଷ୍ଟାର । ସଙ୍ଗୀତ ଶିଳ୍ପରେ ଆଧୁନିକତା ଭରି ଦେଇ ତାକୁ ବିପ୍ଳବାତ୍ମକ କରିବା ସହ ଷାଠିଏ ଦଶକର ତରୁଣ ମାନସକୁ ଗଭୀର ଭାବେ ପ୍ରଭାବିତ କରି ପାରିଥିଲା ‘ବିଟଲସ୍’ । ମ୍ୟାନେଜର ବ୍ରିଆନ ଏପଷ୍ଟିନ ସେମାନଙ୍କୁ ଏକ ପେଷାଦାର ଗ୍ରୁପରେ ପରିଣତ କରିବାରେ ଏକ ବଡ ଭୂମିକା ନିର୍ବାହ କରିଥିଲେ । ୧୯୬୪ ସୁଦ୍ଧା ‘ବିଟଲସ୍’ ଗ୍ରୁପ ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ଅର୍ଜନ କରିବା ସହ ଏହାର ସବୁ କଳାକାର ଷ୍ଟାର ପାଲଟି ଯାଇଥିଲେ । ସେମାନଙ୍କ ନିଷ୍ଠା ଓ ମିଳିତ ପ୍ରୟାସ ଯୋଗୁ ପପ୍ ସଙ୍ଗୀତ ପ୍ରତି ଦର୍ଶକଙ୍କ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ହେବା ସଙ୍ଗେ ସଙ୍ଗେ ଏହାକୁ ଏକ ସ୍ୱତନ୍ତ୍ର କଳା ଶୈଳୀର ମାନ୍ୟତା ମିଳିବାରେ ସହାୟକ ହୋଇଥିଲା । ଏ ଭଳି ଏକ ସଫଳ ରକ ବ୍ୟାଣ୍ଡ ଶେଷରେ ଭାଙ୍ଗିଯିବା ଅପ୍ରତ୍ୟାଶିତ ହୋଇଥିଲେ ବି ଏହା ପଛରେ ଅନେକଗୁଡିଏ କାରଣ ଥିଲା । ତନ୍ମଧ୍ୟରୁ ପ୍ରମୁଖ ଥିଲା ‘ବିଟଲମାନିଆ’ । ବ୍ୟାଣ୍ଡର ଜନପ୍ରିୟତା ଇଂଲଣ୍ଡରୁ, ଆମେରିକା ହୋଇ ବିଶ୍ୱର ଅଧିକାଂଶ ଦେଶକୁ ବ୍ୟାପିଗଲା, ଯାହାକୁ ‘ବିଟଲମାନିଆ’ କୁହାଗଲା ଓ ଏହାର ପ୍ରଦର୍ଶନ ଦେଖିବାକୁ ଲକ୍ଷ ଲକ୍ଷ ଦର୍ଶକ ଆତୁରତାର ସହ ଅପେକ୍ଷା କରୁଥିଲେ । ୧୯୬୬ରେ ଜନ ଲେନନଙ୍କର ଏକ ବିବାଦୀୟ ମନ୍ତବ୍ୟ ‘ଗ୍ରୁପର ଲୋକପ୍ରିୟତା ଯୀଶୁଙ୍କଠାରୁ ଅଧିକ ହୋଇଯାଇଛି’ ପାଇଁ ଦଳକୁ ବିଭିନ୍ନ ସ୍ଥାନରେ ବିରୋଧ ଓ ହିଂସାର ସମ୍ମୁଖୀନ ହେବାକୁ ହେଲା । ତେଣୁ ବାଧ୍ୟ ହୋଇ ବ୍ୟାଣ୍ଡ ଟୁରରେ ନ ଯାଇ ଗତିବିଧିକୁ କେବଳ ଷ୍ଟୁଡିଓରେ ଗୀତ ରେକର୍ଡିଂ ମଧ୍ୟରେ ସୀମିତ ରଖିଲା । ଦଳକୁ ବାନ୍ଧି ରଖି ପାରୁଥିବା ମ୍ୟାନେଜର ବ୍ରିଆନ ଏପଷ୍ଟିନଙ୍କ ୧୯୬୭ରେ ମୃତ୍ୟୁ ମଧ୍ୟ ଦଳ ପାଇଁ ଚଡକ ପରି ହେଲା । ଦଳର ଚାରି କଳାକାର ହଠାତ୍ ଚାରି ଜଣ ବ୍ୟବସାୟୀ ପାଲଟିଗଲେ  ଓ ଦଳରେ ଏକ ଦୃଢ ମ୍ୟାନେଜରର ନେତୃତ୍ୱର ଅଭାବ ହିଁ ଦଳ ଭାଙ୍ଗିବାର ଏକ ବଡ କାରଣ ପାଲଟିଲା । ଦଳରେ ପଲ ମାକାର୍ଟିନିଙ୍କର ଅନ୍ୟମାନଙ୍କ ଉପରେ ଆଧିପତ୍ୟ ବିସ୍ତାର କରିବାର ପ୍ରବୃତ୍ତି, ଲେନନଙ୍କ ନିଶା ସେବନ, ବ୍ୟବସାୟଜନିତ ଅସୁବିଧା ଇତ୍ୟାଦି ମଧ୍ୟ ଦଳ ଭାଙ୍ଗିବାର କାରଣ ଥିଲା । ତେବେ ବିଟଲସର ପ୍ରଶଂସକମାନଙ୍କ ମଧ୍ୟରୁ କିଛି ଆଜି ଯାଏଁ ଦଳ ଭାଙ୍ଗିବା ପଛରେ ଜନ ଲେନନଙ୍କ ଜୀବନ ଭିତରକୁ ୟୋକୋ ଓନୋଙ୍କ ପ୍ରବେଶକୁ ଦାୟୀ କରିଥାଆନ୍ତି ଓ ତାଙ୍କୁ ‘ଡ୍ରାଗନ ଲେଡି’ର ଆଖ୍ୟା ଦେବାକୁ ବି ପଛାଇ ନ ଥାଆନ୍ତି । ଓନୋଙ୍କ ସଂସ୍ପର୍ଶରେ ଆସିବା ପରେ ଲେନନଙ୍କ ପ୍ରାଥମିକତା ସବୁ ବଦଳିଗଲା । ଷ୍ଟୁଡିଓ ପରିସରରେ ଓ ରେକର୍ଡିଂ ସମୟରେ ଲେନନଙ୍କ ସହ ଓନୋ ମଧ୍ୟ ଆସିବାକୁ ଲାଗିଲେ ଓ ତାଙ୍କ ଉପସ୍ଥିତିକୁ ଦଳର ଅନ୍ୟମାନେ ସହଜରେ ଗ୍ରହଣ କରି ପାରିଲେ ନାହିଁ  । ଏହା ସଦସ୍ୟଙ୍କ ମଧ୍ୟରେ ତିକ୍ତତା ବୃଦ୍ଧିର କାରଣ ପାଲଟିଥିଲା । ୭ ବର୍ଷ ଧରି ସଫଳତାର ସହ କାର୍ଯ୍ୟ କରିବା ପରେ ପରିଶେଷରେ ସେପ୍ଟେମ୍ୱର ୧୯୬୯ରେ ‘ବିଟଲସ୍’ ରକ ବ୍ୟାଣ୍ଡ ଭାଙ୍ଗି ଯାଇଥିଲା । ଏହା ଭାଙ୍ଗିଯିବା ପରେ ବିଶ୍ୱ ସଙ୍ଗୀତ ଇତିହାସରେ ଏକ ସୁବର୍ଣ୍ଣ ଅଧ୍ୟାୟର ପରିସମାପ୍ତି ଘଟିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ପରବର୍ତ୍ତୀ ସମୟରେ ଏହାର ଚାରି ଜଣ ଯାକ କଳାକାର ବ୍ୟକ୍ତିଗତ ଭାବେ ଗୀତ ପ୍ରସ୍ତୁତ କରି ନିଜ ଖ୍ୟାତିକୁ ଅତୁଟ ରଖି ପାରିଥିଲେ ।

ଏମିତି ଏକ ସମୟରେ ‘ଇମାଜିନ’ ଗୀତଟି ତିଆରି ହୋଇଥିଲା ଯେତେବେଳେ ଜନ ଲେନନଙ୍କ କ୍ୟାରିଅର ଅନିଶ୍ଚିତତା ଭିତର ଦେଇ ଗତି କରୁଥାଏ । ବିଟଲସ ଗ୍ରୁପ ଭାଙ୍ଗିବାର ମାତ୍ର ବର୍ଷେ ହୋଇଥାଏ । ଗ୍ରୁପର ଅନ୍ୟତମ ସଦସ୍ୟ ପଲ ମାକାର୍ଟନି ଗ୍ରୁପର ଚୁକ୍ତିଭିତ୍ତିକ ଭାଗିଦାରୀକୁ ଭଙ୍ଗ କରିବାକୁ ଏକ ମାମଲା ରୁଜ୍ଜୁ କରିଥାଆନ୍ତି । ଏତିକିବେଳେ ପତ୍ନୀ ୟୋନୋଙ୍କ ଜନ୍ମଦିନରେ ତାଙ୍କୁ ଏକ ନୂଆ ପିଆନୋ ଉପହାର ଦେଲେ ଲେନନ । ସେହି ପିଆନୋରେ ବନ୍ଧା ହୋଇଗଲା ‘ଇମାଜିନ’ର କାଳଜୟୀ ସ୍ୱର । ‘ଇମାଜିନ’ ଗୀତଟିର ପ୍ରଯୋଜକ ଥିଲେ ସ୍ୱୟଂ ଜନ୍ ଲେନନ, ତାଙ୍କ ପତ୍ନୀ ୟୋକୋ ଓନୋ ଏବଂ ବନ୍ଧୁ ହାର୍ଭେ ଫିଲିପ ସ୍ପେକ୍ଟର । ସ୍ପେକ୍ଟର ଆମେରିକାର ଜଣେ ସୁପ୍ରସିଦ୍ଧ ରେକର୍ଡ ପ୍ରଯୋଜକ, ସଙ୍ଗୀତଜ୍ଞ ଓ ଓ ସଙ୍ଗୀତକାର ଥିଲେ । ଗୀତଟିର ପ୍ରାଥମିକ ରେକର୍ଡିଂ ମଇ ୧୯୭୧ରେ ଇଂଲଣ୍ଡର ଟିଟିନହର୍ଷ୍ଟ ପାର୍କସ୍ଥିତ ଲେନନଙ୍କ ଆସ୍କଟ ହୋମ ଷ୍ଟୁଡିଓରେ ହୋଇଥିଲା । ତେବେ ଏହାର ଓଭର ଡବିଂ ନିଉୟର୍କର ‘ରେକର୍ଡ ପ୍ଲାଣ୍ଟ’ଠାରେ ହୋଇଥିଲା ଓ ଗୀତଟିର ପୂରା ରେକର୍ଡିଂ ମଇ ୨୭ରୁ ଆରମ୍ଭ ଜୁଲାଇ ୪, ୧୯୭୧ ଅର୍ଥାତ୍ ମାତ୍ର ୪୦ ଦିନ ମଧ୍ୟରେ ସରିଥିଲା । ଗୀତଟିର ଚୂଡାନ୍ତ ସଂସ୍କରଣରେ ଲେନନଙ୍କ କଣ୍ଠସ୍ୱର ଥିଲା ବେଳେ ବିଭିନ୍ନ ବାଦ୍ୟଯନ୍ତ୍ରରେ ଥିଲେ ପିଆନୋରେ ଲେନନ, ବାସ ଗିଟାରରେ କ୍ଲସ ଭୁରମାନ, ଡ୍ରମସରେ ଆଲାନ ହ୍ୱାଇଟ ଏବଂ ଷ୍ଟ୍ରିଙ୍ଗସରେ ଫ୍ଲକ୍ସ ଫିଡଲରସ୍ । ଗୀତଟି ସେହି ବର୍ଷ ଅକ୍ଟୋବର ୮ରେ ଆମେରିକାରେ କମ ଟ୍ରାକ ବିଶିଷ୍ଟ ଗୋଟିକିଆ (ସିଙ୍ଗଲ୍)  ଗୀତ (ଆଲବମ ବା ଏଲ ପି ନୁହେଁ) ଭାବେ ମୁକ୍ତିଲାଭ କରିବା ମାତ୍ରେ ଜନପ୍ରିୟ ହେବାକୁ ଲାଗିଲା । ଚାହୁଁ ଚାହୁଁ ଏହା ସେଠାରେ ‘ବିଲବୋର୍ଡ’ ପତ୍ରିକା ଦ୍ୱାରା ଲୋକପ୍ରିୟ ଗୀତଗୁଡିକର ପ୍ରତି ସପ୍ତାହରେ ପ୍ରସ୍ତୁତ ହେଉଥିବା ଚାର୍ଟ ‘ହଟ ୧୦୦’ରେ ତୃତୀୟ ସ୍ଥାନକୁ ଉନ୍ନୀତ ହେଲା । ତେବେ ଗୀତଟି ଇଂଲଣ୍ଡରେ ମୁକ୍ତିଲାଭ କଲା ବେଳକୁ ଆହୁରି ଚାରି ବର୍ଷ ଲାଗିଗଲା । ସେଠାରେ ମଧ୍ୟ ଏହା ଏତେ ଲୋକପ୍ରିୟ ହେଲା ଯେ ସେହି ବର୍ଷ ‘ୟୁକେ ସିଙ୍ଗଲସ ଚାର୍ଟ’ରେ ତାହା ଷଷ୍ଠ ସ୍ଥାନରେ ପହଞ୍ଚିଗଲା । ଡିସେମ୍ୱର ୮, ୧୯୮୦ରେ ଜନ ଲେନନଙ୍କ ହତ୍ୟା ହେଲା ପରେ ଗୀତଟି ଅଧିକ ଲୋକପ୍ରିୟ ହୋଇ ୧୯୮୧ରେ ଲଗାତାର ଚାରି ସପ୍ତାହ ଧରି ସେହି ଚାର୍ଟର ଶୀର୍ଷରେ ରହିଥିଲା । ଆଜି ମଧ୍ୟ ଏହି ଗୀତର ଲୋକପ୍ରିୟତା ଏପରି ଅତୁଟ ରହିଛି ଯେ କେବଳ ବ୍ରିଟେନରେ ୨୦୧୩ ସୁଦ୍ଧା ଗୀତଟିର ୧୬ ଲକ୍ଷରୁ ଅଧିକ କପି ବିକ୍ରି ହୋଇ ସାରିଛି । ଲଣ୍ଡନଠାରେ ୨୦୧୨ରେ ଅନୁଷ୍ଠିତ ହୋଇଥିବା ଅଲିମ୍ପିକ ଖେଳରେ ବି ଏହି ଗୀତଟିକୁ ପରିବେଷଣ କରା ଯାଇଥିଲା ଏବଂ ଠିକ ତା’ ପରେ ପରେ ଗୀତଟି ପୁଣି ସେଠାକାର ଶ୍ରେଷ୍ଠ ୪୦ଟି ଗୀତର ତାଲିକାରେ ସ୍ଥାନ ପାଇଥିଲା ।

‘ଇମାଜିନ’ ଗୀତଟିର ରଚନାକୁ ନେଇ ଅନେକ ରୋଚକ ତଥ୍ୟ ରହିଛି । ଦୀର୍ଘ ଦିନ ଧରି ଜନ ଲେନନଙ୍କୁ ଏହି ଗୀତଟିର ଗୀତିକାରର ଶ୍ରେୟ ଦିଆ ହୋଇ ଆସୁଥିଲା । ତେବେ ୧୯୮୦ରେ ଲେନନ ତାଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ ଏକ ସାକ୍ଷାତକାରରେ ସ୍ୱୀକାର କରିଥିଲେ ଯେ ଗୀତଟିର ରଚନାରେ ଓନୋଙ୍କର ମଧ୍ୟ ଅବଦାନ ରହିଛି । ତେଣୁ ଦୀର୍ଘ ଦିନ ପରେ ଉଭୟ ଜନ ଉଇନଷ୍ଟନ ଲେନନ ଓ ୟୋକୋ ଓନୋଙ୍କୁ ନ୍ୟାସନାଲ ମ୍ୟୁଜିକ ପବ୍ଲିଶର୍ସ ଆସୋସିଏସନ ଦ୍ୱାରା ଜୁନ ୧୪, ୨୦୧୭ରୁ ଏହି ଗୀତର ଯୁଗ୍ମ ରଚୟିତା ଭାବେ ଘୋଷଣା କରାଗଲା । ୧୯୩୩ରେ ଜନ୍ମଲାଭ କରିଥିବା ମଲଟିମିଡିଆ ଜାପାନୀ କଳାକାର ୟୋକୋ ଓନୋ ଏକାଧାରରେ ଜଣେ ଗାୟକ, ସଙ୍ଗୀତକାର, ଫିଲ୍ମନିର୍ମାତା, ଚିତ୍ରକର ଓ ଶାନ୍ତି କର୍ମୀ ଥିଲେ । ୧୯୬୬ରେ ଲଣ୍ଡନର ଇଣ୍ଡିକା ଗ୍ୟାଲେରିରେ ଓନୋଙ୍କ ସହ ଲେନନଙ୍କର ପ୍ରଥମ ସାକ୍ଷାତ ହୋଇଥିଲା ତାଙ୍କର ଚିତ୍ରର ଏକ ପ୍ରଦର୍ଶନୀର ପ୍ରିଭିଉ ଅବସରରେ । ସେଠାରେ ଲେନନ ଓନୋଙ୍କର ଏକ ଚିତ୍ର ‘ହାମର’ରେ କଣ୍ଟାଟିଏ ମାରିବାକୁ ଚାହିଁବାରୁ ଓନୋ ରାଜି ହୋଇ ନ ଥିଲେ । ତେବେ ସେ ସେଥିପାଇଁ 5 ସିଲିଂ ଦେଲେ ସେ କଣ୍ଟା ମାରି ପାରିବେ ବୋଲି କହିଥିଲେ । ଲେନନ ତୁରନ୍ତ ତାଙ୍କୁ ଆଉ ଏକ ପ୍ରସ୍ତାବ ଦେଇ କହିଲେ ମନେକର (ଇମାଜିନ) ମୁଁ ତମକୁ ମିଛିମିଛିକା ୫ ସିଲିଂ ଦେଲି ଓ ମିଛିମିଛିକା କଣ୍ଟାଟିଏ ମାରିଲି । ଉଭୟଙ୍କ ମଧ୍ୟରେ ତା’ ପରର କଥୋପକଥନ ‘ଇମାଜିନ’ ଶବ୍ଦକୁ ଆଧାର କରି ହେବାକୁ ଲାଗିଲା ଓ ଉଭୟ ହସି ଉଠିଲେ । କ୍ରମେ ଉଭୟ ଉଭୟଙ୍କ ପ୍ରତି ଆକୃଷ୍ଟ ହେଲେ ଓ ପରବର୍ତ୍ତୀ ସମୟରେ ତାହା ବିବାହର ରୂପ ନେଇଥିଲା । ଓନୋଙ୍କ ୧୯୬୪ରେ ପ୍ରକାଶିତ ଏକ କବିତା ପୁସ୍ତକ ‘ଗ୍ରେପଫ୍ରୁଟ’ର ଅନେକ କବିତାରେ ସେ ‘ଇମାଜିନ’ ଶବ୍ଦଟିର ପ୍ରୟୋଗ କରିଥିଲେ । ସେହି ଶବ୍ଦ ଏବଂ ସଂକଳ୍ପନା ଲେନନଙ୍କୁ ‘ଇମାଜିନ’ ଶବ୍ଦକୁ ବ୍ୟବହାର କରି ଗୀତଟିକୁ ସଂରଚନା କରିବା ପାଇଁ ଅନୁପ୍ରେରିତ କରିଥିଲା । ସେ ତାଙ୍କ ଅନ୍ୟ କେତେକ ଗୀତରେ ମଧ୍ୟ ‘ଇମାଜିନ’ ଶବ୍ଦର ବ୍ୟବହାର କରିଛନ୍ତି । ଆମେରିକୀୟ ଅଭିନେତା ଡିକ ଗ୍ରେଗରି ଦେଇଥିବା ଏକ ଖ୍ରୀଷ୍ଟିଆନ ପ୍ରାର୍ଥନା ବହିରେ ଥିବା ‘ସକାରାତ୍ମକ ପ୍ରାର୍ଥନା’ (ପଜିଟିଭ ପ୍ରେୟାର)ର ସଂକଳ୍ପନା ଦ୍ୱାରା ପ୍ରଭାବିତ ହୋଇ ଲେନନ ଗୀତଟିରେ ‘ନାହିଁ ଧର୍ମ ବୋଲି କିଛି’ ଶବ୍ଦଗୁଡିକର ବ୍ୟବହାର କରିଥିଲେ । ସେହି ଗୀତଟିର ଓଡିଆ ଅନୁବାଦ କିଛିଟା ନିମ୍ନ ପ୍ରକାରେ :          


ମନେ କର  

ମୂଳ ଇଂରାଜୀ ଗୀତ : ଇମାଜିନ

ଗୀତିକାର : ଜନ ଉଇନଷ୍ଟନ ଲେନନ ଓ ୟୋକୋ ଓନୋ

ଅନୁବାଦ : ସରଳ କୁମାର ଦାସ


ମନେ କର ନାହିଁ ସ୍ୱର୍ଗ ବୋଲି କିଛି 

ଭାରି ସହଜ ଯଦି ତମେ ଚାହଁ

ତଳେ ନାହିଁ ନର୍କ ବୋଲି କିଛି

ଉପରେ ଆମ ଖାଲି ଆକାଶ


ମନେ କର ସବୁ ଲୋକ

ବଞ୍ଚିଛନ୍ତି ଖାଲି ଆଜି ଲାଗି 

ଉହୁ – ଉହୁ


ମନେ କର ନାହିଁ ଦେଶ ବୋଲି କିଛି 

ମନେ କରିବା ନୁହେଁ ଜମା କଷ୍ଟ

ନାହିଁ କାରଣ ହତ୍ୟା କି ମୃତ୍ୟୁ ଲାଗି 

ଏମିତି କି ନାହିଁ ଧର୍ମ ବୋଲି କିଛି


ମନେ କର ସବୁ ଲୋକ

ବଞ୍ଚିଛନ୍ତି ଶାନ୍ତିରେ

ଉହୁ – ଉହୁ


ହୁଏତ ମୁଁ ସ୍ୱପ୍ନ ଦେଖୁଛି

ହେଲେ ଖାଲି ମୁଁ ଏକୁଟିଆ ନୁହଁ

ସ୍ୱପ୍ନ ଦେଖିବ ଦିନେ ତମେ ବି

ଆଉ ପୃଥିବୀ ହେବ ଏକ


ମନେ କର ନାହିଁ ସମ୍ପତ୍ତି ବୋଲି କିଛି

ପାରିବ କି ମନେ କରି

ଲୋଭ ନାହିଁ କି ନାହିଁ ଭୋକ

ମଣିଷର ବନ୍ଧନ ଖାଲି ଭ୍ରାତୃତ୍ୱର


ମନେ କର ସବୁ ଲୋକ

ମିଳିମିଶି ଚଳୁଛନ୍ତି ବିଶ୍ୱରେ

ଉହୁ – ଉହୁ


ହୁଏତ ମୁଁ ସ୍ୱପ୍ନ ଦେଖୁଛି

ହେଲେ ଖାଲି ମୁଁ ଏକୁଟିଆ ନୁହଁ

ସ୍ୱପ୍ନ ଦେଖିବ ଦିନେ ତମେ ବି

ଆଉ ପୃଥିବୀ ରହିଥିବ ହୋଇ ଏକ

କେବଳ ଶ୍ରୋତା ବା ଦର୍ଶକଙ୍କ ମଧ୍ୟରେ ନୁହେଁ ବରଂ ଗୀତଟି ଅନେକ ଗାୟକ ଗାୟିକାଙ୍କ ମଧ୍ୟରେ ଏତେ ଆଦୃତି ଲାଭ କରିଛି ଯେ ପ୍ରାୟ 200ରୁ ଊର୍ଦ୍ଧ୍ୱ ପ୍ରତିଷ୍ଠିତ କଳାକାର ଏହି ଗୀତଟିକୁ ଗାଇ ପ୍ରଦର୍ଶନ କରିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ନିଲ୍ ୟଙ୍ଗ, ଖ୍ରୀସ କର୍ଣ୍ଣେଲ, ଇଭା କାସିଡି, ମାଡୋନା, ଲେଡି ଗାଗା, ଡାଏନା ରସ, ଏଲଟନ ଜନ ପ୍ରମୁଖ । ଆମେରିକାର ଅଗ୍ରଣୀ ସଂସ୍ଥା ବ୍ରଡକାଷ୍ଟ ମ୍ୟୁଜିକ ଇଙ୍କ (ବିଏମଆଇ) ଦ୍ୱାରା ପ୍ରସ୍ତୁତ ବିଂଶ ଶତାବ୍ଦୀର ସର୍ବଶ୍ରେଷ୍ଠ ୧୦୦ଟି ପ୍ରଦର୍ଶିତ ଗୀତ (ପରଫର୍ମଡ ସଙ୍ଗ) ତାଲିକାରେ ଏହି ଗୀତଟି ସ୍ଥାନ ପାଇଛି । ରେକର୍ଡିଂ ଇଣ୍ଡଷ୍ଟ୍ରି ଆସୋସିଏସନ ଅଫ ଆମେରିକା (ରିଆ) ଦ୍ୱାରା ପ୍ରସ୍ତୁତ ବିଂଶ ଶତାବ୍ଦୀର ଶ୍ରେଷ୍ଠ ୩୬୫ଟି ଗୀତର ତାଲିକାରେ ଏହାକୁ 30ତମ ସ୍ଥାନ ମିଳିଛି । ଜେଫ୍ରି ଜୁଲିଆନୋଙ୍କ ପୁସ୍ତକ ‘ଲେନନ ଇନ ଆମେରିକା’ରେ ଲେନନ ‘ଇମାଜିନ’ ଗୀତ ସମ୍ପର୍କରେ ନିଜସ୍ୱ ମତ ରଖି କହିଛନ୍ତି, “ଏହା ଧର୍ମ ବିରୋଧୀ, ଜାତୀୟତାବାଦ ବିରୋଧୀ, ଗତାନୁଗତିକତା ବିରୋଧୀ, ପୁଞ୍ଜିବାଦ ବ୍ୟବସ୍ଥା ବିରୋଧୀ ... କିନ୍ତୁ ଶର୍କରା ଲେପିତ ହୋଇଥିବାରୁ ଏହା ଗ୍ରହଣୀୟ ହୋଇଯାଇଛି ।“ ‘ଇମାଜିନ’ ଗୀତକୁ ନେଇ ଭିନ୍ନ ଭିନ୍ନ ଗୋଷ୍ଠୀଙ୍କର ଭିନ୍ନ ଭିନ୍ନ ମତ ରହିଛି । ଅନେକେ ଏହାକୁ ଶାନ୍ତିର ସଙ୍ଗୀତ (Anthem) ରୂପେ ଗ୍ରହଣ କରନ୍ତି । କିନ୍ତୁ ଏହାର ସମାଲୋଚକମାନେ ବି ଗୀତଟି ସମ୍ପର୍କରେ କଟୂ ମନ୍ତବ୍ୟ ଦେବାକୁ ପଛାଇ ନାହାନ୍ତି । ଗୀତଟି ମୁକ୍ତିଲାଭ କଲା ପରେ ୧୯୭୧ରେ ‘ରୋଲିଙ୍ଗ ଷ୍ଟୋନ’ ପତ୍ରିକାର ସମୀକ୍ଷକ ବେନ ଗେରସନ ଲେଖିଥିଲେ, “ଗାୟନ କୌଶଳବିହୀନ ଚିରାଚରିତ ହୋଇଥିବା ବେଳେ ସ୍ୱରରେ ସେ ଭଳି କୌଣସି ସ୍ୱାତନ୍ତ୍ର୍ୟ ନାହିଁ ।“ ହେଲେ ସେହି ଗୀତର ଭାବ, ସ୍ୱର, ଗାୟନ ଶୈଳୀ ଏତେ ବେଶି ହୃହୟସ୍ପର୍ଶୀ ଯେ ୫୦ ବର୍ଷ ପରେ ବି ତାହା ଏକ କାଳଜୟୀ ଗୀତ ହୋଇ ବିଶ୍ୱର କୋଣ ଅନୁକୋଣରେ ଥିବା ଶ୍ରୋତାଙ୍କୁ ମୋହାଚ୍ଛନ୍ନ କରି ବାନ୍ଧି ରଖିବାକୁ ସକ୍ଷମ ହୋଇଛି ।


(Published in July-December 2021 issue of Samadhwani)


Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍