Skip to main content

ପାଣ୍ଡୋରା ପେପରସ୍ ତଥ୍ୟ ପ୍ରଘଟ - ପ୍ରତିକ୍ରିୟା କାହିଁ ?

ଇଣ୍ଟରନ୍ୟାସନାଲ କନସୋର୍ଟିଅମ ଅଫ ଇନଭେଷ୍ଟିଗେଟିଭ ଜର୍ଣ୍ଣାଲିଷ୍ଟସ (ଆଇସିଆଇଜେ) ଦ୍ୱାରା ଅକ୍ଟୋବର ୩, ୨୦୨୧ ରେ ‘ପାଣ୍ଡୋରା ପେପରସ’ ତଥ୍ୟ ପ୍ରଘଟ ହେବା ପରେ ସାରା ବିଶ୍ୱରେ ତାହା ଚର୍ଚ୍ଚିତ ହୋଇଥିଲେ ବି ଏ ଧରଣର ପ୍ରଘଟ କିଛି ନୂଆ ଘଟଣା ନୁହେଁ । ଏଥି ପୂର୍ବରୁ ୨୦୧୪ରେ ‘ଲକ୍ସଲିକସ୍’, ୨୦୧୬ରେ ‘ପାନାମା ପେପରସ୍’, ୨୦୧୭ରେ ‘ପାରାଡାଇଜ୍ ପେପରସ୍ ଲିକସ’ ଓ ୨୦୨୦ରେ ‘ଫିନସେନ ଫାଇଲସ ଲିକ୍’ ଆଦି ହୋଇସାରିଛି । ତେବେ ପାଣ୍ଡୋରା ପେପରସ୍ ମାମଲାରେ ସାରା ବିଶ୍ୱର ୩୩୬ ଜଣ ରାଜନେତା, ୧୩୦ ଜଣ ଫୋର୍ବସ ବିଲିଅନେୟାରଙ୍କ ସମେତ ଅନେକ ସେଲିବ୍ରିଟି, ରାଜ ପରିବାର, ଠକ, ନିଶା ବେପାରୀ, ଧାର୍ମିକ ସଙ୍ଗଠନର ନେତାଙ୍କ ନାମ ପ୍ରକାଶ ପାଇବା ଅନେକଙ୍କୁ ବିସ୍ମିତ କରିଛି ।

ପାଣ୍ଡୋରା ପେପରସ ଅନୁସନ୍ଧାନ ହେଉଛି ଏ ଯାବତ୍ ସର୍ବବୃହତ୍ ସାମ୍ୱାଦିକ ସହଯୋଗିତା ଆଧାରିତ ଏକ ଅନୁସନ୍ଧାନ ଯେଉଁଥିରେ ବିଶ୍ୱର ୧୧୭ଟି ଦେଶର ୧୫୦ଟି ମିଡିଆ ସଂସ୍ଥାର ୬୦୦ରୁ ଊର୍ଦ୍ଧ୍ୱ ସାମ୍ୱାଦିକ ଅଂଶଗ୍ରହଣ କରିଥିଲେ । ବିଶ୍ୱର ୧୪ଟି ସମୁଦ୍ରତଟାତିକ୍ରାନ୍ତ ସେବା ପ୍ରଦାନକାରୀ (ଅଫସୋର ସର୍ଭିସ ପ୍ରୋଭାଇଡର) କମ୍ପାନୀଙ୍କ ପ୍ରଘଟ ହୋଇଥିବା ଗୋପନୀୟ ତଥ୍ୟ ଭିତ୍ତିରେ ଏହି ପାଣ୍ଡୋରା ପେପରସ ପ୍ରସ୍ତୁତ ହୋଇଛି । ସଂଗୃହୀତ ତଥ୍ୟଗୁଡିକ ପ୍ରାୟତଃ ୧୯୯୬ରୁ ୨୦୨୦ ସମୟ ସୀମା ମଧ୍ୟର ଓ ୧.୧୯ କୋଟି ବିଭିନ୍ନ ପ୍ରକାର ଦସ୍ତାବିଜରୁ ସଂଗୃହୀତ ଏହି ତଥ୍ୟର ଆକାର ୨.୯୪ ଟେଟ୍ରାବାଇଟ । ଏଥିରେ ୨୭୦୦୦ରୁ ଊର୍ଦ୍ଧ୍ୱ କମ୍ପାନି ଓ ପ୍ରାୟ ୨୯୦୦୦ ଚୂଡାନ୍ତ ଲାଭକାରୀ ମାଲିକାନା (ଅଲଟିମେଟ ବେନିଫିସିଆଲ ଓନରସିପ) ସମ୍ପର୍କରେ ତଥ୍ୟ ରହିଛି । ଏଥିରେ ଶେଲ କମ୍ପାନି, ଟ୍ରଷ୍ଟ, ଫାଉଣ୍ଡେସନ ଆଦି ତିଆରିଠାରୁ ଆରମ୍ଭକରି, ରିଅଲ ଇଷ୍ଟେଟ, ଜେଟ, ଜୀବନବୀମା ଆଦିରେ ପୁଞ୍ଜିନିବେଶ, ବ୍ୟାଙ୍କ ଦେଣନେଣ, ଟିକସ ଫାଙ୍କି ଆଦି ଅନେକ ଗୋପନୀୟ ତଥ୍ୟ ସନ୍ନିବେଶିତ । ଏହି ସେବା ପ୍ରଦାନକାରୀ କମ୍ପାନିଗୁଡିକ ମୁଖ୍ୟତଃ ବିଭିନ୍ନ ଦେଶର ବିତ୍ତଶାଳୀ ବ୍ୟକ୍ତିବିଶେଷ ଓ କମ୍ପାନିଗୁଡିକୁ କମ ଟିକସ ଲାଗୁଥିବା ବା ଆଦୌ ଟିକସ ଲାଗୁ ନ ଥିବା ଦେଶଗୁଡିକରେ ନୂଆ ଶେଲ କମ୍ପାନି, ଟ୍ରଷ୍ଟ, ଫାଉଣ୍ଡେସନ ଓ ଅନ୍ୟାନ୍ୟ ସଂସ୍ଥା ଖୋଲିବାରେ ପେସାଦାର ସହାୟତା ପ୍ରଦାନ କରିଥାଆନ୍ତି । ଜନସାଧାରଣଙ୍କଠାରୁ ଓ ସ୍ଥଳ ବିଶେଷରେ ନିୟନ୍ତ୍ରକଙ୍କଠାରୁ ସମ୍ପୃକ୍ତ ବ୍ୟକ୍ତି ଓ କମ୍ପାନିଙ୍କ ପରିଚୟ ଲୁଚାଇବାରେ ଏମାନେ ସାହାଯ୍ୟ କରିଥାଆନ୍ତି । ଅନେକ ସମୟରେ ସର୍ବନିମ୍ନ ଆର୍ଥିକ ନିୟନ୍ତ୍ରଣ ଓ କଟକଣା ଥିବା ଦେଶମାନଙ୍କରେ ହିଁ ସେମାନେ ବ୍ୟାଙ୍କ ଆକାଉଣ୍ଟ ଖୋଲାଇଥାଆନ୍ତି । ଏହି ସେବା ପ୍ରଦାନକାରୀ କମ୍ପାନିଗୁଡିକ ଆଦୌ ନାମୀ କମ୍ପାନି ନୁହନ୍ତି ଓ ନ ହେବା ବି ସ୍ୱାଭାବିକ । ଏମାନଙ୍କ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନଟି ହେଉଛି ପାନାମାର ପ୍ରାକ୍ତନ ରାଷ୍ଟ୍ରଦୂତ ଜେମ ଆଲେମାନଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଆଲକୋଗାଲ’  ଯିଏ ବିଶ୍ୱର ହଜାର ହଜାର ଅସାଧୁ ବିତ୍ତଶାଳୀଙ୍କୁ ଟିକସ ଫାଙ୍କିବାରେ ସାହାଯ୍ୟ କରିଛି । ଏହି ସମସ୍ତ କମ୍ପାନି ବେଲିଜ, ବ୍ରିଟିଶ ଭର୍ଜିନ ଆଇଲାଣ୍ଡସ, ସାଇପ୍ରସ, ହଂକଂ, ପାନାମା, ସେସେଲଜ, ସ୍ୱିଜରଲାଣ୍ଡ ଓ ୟୁଏଇ ଭଳି ଛୋଟ ଛୋଟ ଓ ଟିକସ ସ୍ୱର୍ଗ କୁହା ଯାଉଥିବା ଦେଶମାନଙ୍କରୁ କାର୍ଯ୍ୟ କରୁଛନ୍ତି । ବିଭିନ୍ନ ଦେଶରେ ଏହିପରି ଶହ ଶହ କମ୍ପାନି ଅସାଧୁ ବିତ୍ତଶାଳୀ ବ୍ୟକ୍ତି ଓ କମ୍ପାନିଙ୍କ ଟିକସ ଫାଙ୍କିର ଅର୍ଥ ହେଉ ଅବା ବେଆଇନ ଭାବେ ରୋଜଗାର କରିଥିବା ଅର୍ଥକୁ ଅନ୍ୟ ଦେଶରେ ଲୁଚାଇବା ଦିଗରେ ସାହାଯ୍ୟ କରିଥାଆନ୍ତି । ‘ବେକର ମାକେଞ୍ଜି’ ନାମକ ଏକ ଆମେରିକୀୟ ଆଇନ ପ୍ରତିଷ୍ଠାନ ଏହି ଅଫସୋର କମ୍ପାନିଗୁଡିକର ଏକ ପ୍ରମୁଖ ଗ୍ରାହକ ବୋଲି ଜଣାପଡିଛି, ଯାହା ମାଧ୍ୟମରେ ପାଣ୍ଡୋରା ପେପରସରେ ନାମିତ କମ୍ପାନିଙ୍କ ଭିତରୁ ପ୍ରାୟ ୪୪୦ଟି କମ୍ପାନି ସ୍ଥାପିତ ହୋଇଥିଲା । ବ୍ୟାଙ୍କ ଓ ଆଇନ ପ୍ରତିଷ୍ଠାନଗୁଡିକ କିପରି ଏହି ଅଫସୋର ସେବା ପ୍ରଦାନକାରୀଙ୍କ ସହ ମିଶି ଗ୍ରାହକଙ୍କ ପାଇଁ ଅତି ଜଟିଳ କର୍ପୋରେଟ ଢାଞ୍ଚା ପ୍ରସ୍ତୁତ କରି ସରକାରଙ୍କୁ ଠକିବାର ଗଳା ବାଟ ଫିଟାଉଥିଲେ, ତାହା ଏହି ଅନୁସନ୍ଧାନରୁ ଜଣାପଡିଛି ।      

ଜଣେ ଯେତେବେଳେ ଅତି ମାତ୍ରାରେ ଧନୀ ହୋଇଯାଏ ଆଉ ସେହି ଧନକୁ ଅନ୍ୟମାନଙ୍କ ଆଖିରେ ନ ପଡିଲା ଭଳି ନୂଆ ଢଙ୍ଗରେ ଲୁଚାଇବାକୁ ଚାହେଁ, ସେତେବେଳେ ସେ ଏହି କାର୍ଯ୍ୟଟିକୁ ଏକୁଟିଆ କରି ପାରି ନ ଥାଏ । ତାକୁ ଏହି କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ପେସାଦାର ଦକ୍ଷତାସମ୍ପନ୍ନ କିଛି ବ୍ୟକ୍ତିଙ୍କର ଆବଶ୍ୟକତା ଉପୁଜିଥାଏ । ଆଉ ଏହି ଲୋକମାନଙ୍କ ଉପରେ ହିଁ ପ୍ରକୃତରେ ଆର୍ଥିକ ବ୍ୟବସ୍ଥାକୁ ସୁରକ୍ଷିତ ରଖିବା ଦାୟିତ୍ୱ ନ୍ୟସ୍ତ ଥିଲେ ବି ଏମାନଙ୍କ ମଧ୍ୟରୁ କିଛି ପେସାଦାର ପରାମର୍ଶଦାତା ଅସାଧୁ ବିତ୍ତଶାଳୀମାନଙ୍କୁ ଧନ ଲୁଚାଇବାର ଗଳା ବାଟଟିକୁ ବତାଇଥାଆନ୍ତି । ବ୍ରିଟିସ ଭର୍ଜିନ ଆଇଲାଣ୍ଡସଠାରୁ ସେସେଲଜ ଯାଏଁ ବିଭିନ୍ନ ଛୋଟ ଛୋଟ ଦେଶରେ, ଯେଉଁଠି ଟିକସ ଦର ଅତି କମ ବା ଶୂନ ଏବଂ ଯେଉଁଠି ମାଲିକାନାକୁ ଆଇନତଃ ଲୁଚାଇ ରଖି ହେବ, ସେମାନେ ସେହିଠାରେ ହିଁ ଏହିପରି ସେବା ପ୍ରଦାନକାରୀ କମ୍ପାନି ଖୋଲିଥାଆନ୍ତି । ଏପରିକି ଏହି ସବୁ କମ୍ପାନିଙ୍କ କୌଣସି କାର୍ଯ୍ୟାଳୟ ଓ କର୍ମଚାରୀ ପର୍ଯ୍ୟନ୍ତ ନ ଥାଆନ୍ତି । କେବଳ ଗୋଟିଏ ନିର୍ଦ୍ଦେଶକ ମଣ୍ଡଳୀ (ବୋର୍ଡ ଅଫ ଡିରେକ୍ଟର୍ସ) ଥାଆନ୍ତି ଯେଉଁମାନେ ସାଧାରଣତଃ ଅଫସୋର ଉପଦେଷ୍ଟାଙ୍କ ନିଜ କର୍ମଚାରୀ ହୋଇଥାଆନ୍ତି । ବସ୍ତୁତଃ ଏହି କମ୍ପାନିଗୁଡିକ କେବଳ କାଗଜ କଲମରେ ତିଷ୍ଠି ରହିଥାଆନ୍ତି ଓ ଏଗୁଡିକର ପ୍ରକୃତ ମାଲିକାନା ବି କାଗଜ କଲମରେ ତିଷ୍ଠି ରହିଥିବା ଅନ୍ୟ କମ୍ପାନିଙ୍କଠାରେ ଥିବାରୁ ସେଗୁଡିକୁ ଖୋଜି ବାହାର କରିବା କଠିନ ହୋଇଯାଏ ।   

ପାଣ୍ଡୋରା ପେପରସରେ ନାମ ପ୍ରକାଶ ପାଇଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ପ୍ରମୁଖ ରାଜନେତା ହେଉଛନ୍ତି ଚେକ୍ ରିପବ୍ଲିକର ପ୍ରଧାନମନ୍ତ୍ରୀ ଆନ୍ଦ୍ରେ ବାବିସ । ତାଙ୍କ ବିରୁଦ୍ଧରେ ଉପଲବ୍ଧ ତଥ୍ୟ ଅନୁଯାୟୀ ସେ ଏକାଧିକ ଅଫସୋର କମ୍ପାନୀଙ୍କ ମାଧ୍ୟମରେ ଦୁଇ କୋଟି ୟୁରୋ ପ୍ରେରଣ କରି ଦକ୍ଷିଣ ଫ୍ରାନସରେ ଏକ ଦୁର୍ଗ ( କ୍ୟାସଲସ) କିଣିଥିଲେ । ସେ କୌଣସି ବେଆଇନ କାର୍ଯ୍ୟ କରି ନାହାନ୍ତି ବୋଲି ସଫେଇ ଦେଲେ ବି ପାଣ୍ଡୋରା ପେପରସରେ ତାଙ୍କ ନାମ ପ୍ରକାଶିତ ହେବା ପରେ ତାଙ୍କର ପ୍ରଧାନମନ୍ତ୍ରୀ ଭାବେ ପୁନଃ ନିର୍ବାଚିତ ହେବାର ସମସ୍ତ ସମ୍ଭାବନା ମଉଳିଗଲା । ସେହିପରି କେନିଆର ରାଷ୍ଟ୍ରପତି ଉହୁରୁ କେନ୍ୟାଟା ଓ ତାଙ୍କ ପରିବାର ଜମି କାରବାର ଓ ଅନ୍ୟାନ୍ୟ ବ୍ୟବସାୟ ମାଧ୍ୟମରେ ରୋଜଗାର କରିଥିବା ୩ କୋଟି ଡଲାର ପାନାମା ଓ ବ୍ରିଟିସ ଭର୍ଜିନ ଆଇଲାଣ୍ଡସରେ ରଖିଥିବାର ଜଣାପଡେ ।

ପାଣ୍ଡୋରା ପେପରସରେ ୩୮୦ ଜଣ ଭାରତୀୟଙ୍କ ନାମ ଥିବାର ଜଣାପଡିଛି । ସେମାନଙ୍କ ଭିତରୁ ଇତିମଧ୍ୟରେ ୬୦ ଜଣ ବ୍ୟକ୍ତି ଓ କମ୍ପାନିଙ୍କ ଦସ୍ତାବିଜ ଯାଞ୍ଚ ହୋଇସାରିଛି । ଯେଉଁ ପ୍ରମୁଖ ଭାରତୀୟଙ୍କ ନାମ ଏହି ପାଣ୍ଡୋରା ପେପରସର ଗୁପ୍ତ ତଥ୍ୟରୁ ଜଣା ପଡିଛି ସେମାନଙ୍କ ମଧ୍ୟରେ ଅଛନ୍ତି, ସଚିନ ତେନ୍ଦୁଲକର, ଅନୀଲ ଆମ୍ୱାନୀ, ଜାକି ସ୍ରୋଫ, କିରଣ ସ ମଜୁମଦାରଙ୍କ ସ୍ୱାମୀ ଜନ ସ ଇତ୍ୟାଦି । ବ୍ରିଟିସ ଭର୍ଜିନ ଆଇଲାଣ୍ଡସରେ ‘ସାସ ଇଣ୍ଟରନ୍ୟାସନାଲ ଲିମିଟେଡ’ କମ୍ପାନୀର ମାଲିକାନା ସଚିନ ତେନ୍ଦୁଲକର, ତାଙ୍କ ପତ୍ନୀ ଅଞ୍ଜଳି ତେନ୍ଦୁଲକର ଓ ତାଙ୍କ ଶ୍ୱଶୁର ଆନନ୍ଦ ମେହେଟ୍ଟାଙ୍କ ନିକଟରେ ଥିଲା ବୋଲି ଜଣା ପଡିଛି । ତେବେ ୨୦୧୬ରେ ପାନାମା ପେପରସ ଲିକ ମାମଲା ଜଣା ପଡିବା ପରେ ସେହି କମ୍ପାନିଟିକୁ ବନ୍ଦ କରି ଦିଆଯାଇଥିଲା ବୋଲି ସୂଚନା ମିଳେ । ସେତେବେଳେ ତେନ୍ଦୁଲକର ରାଜ୍ୟସଭାର ମନୋନୀତ ସାଂସଦ ଥିଲେ । ସେହିପରି ଜର୍ସି, ବ୍ରିଟିସ ଭର୍ଜିନ ଆଇଲାଣ୍ଡସ, ସାଇପ୍ରସ ଆଦି ସ୍ଥାନମାନଙ୍କରେ ଅନୀଲ ଆମ୍ୱାନୀ ଓ ତାଙ୍କ ସହଯୋଗୀମାନେ ପ୍ରାୟ ୧୮ଟି କମ୍ପାନି ଖୋଲିଥିଲେ । ଗତ ତିନି ବର୍ଷ ମଧ୍ୟରେ ସେଗୁଡିକ ମାଧ୍ୟମରେ ପ୍ରାୟ ୧୩୦ କୋଟି ଡଲାର ଋଣ ନିଆଯାଇ ବିଭିନ୍ନ ସ୍ଥାନରେ ନିବେଶ ହୋଇଥିବାର ଜଣାପଡିଛି । ଅଭିନେତା ଜାକି ସ୍ରୋଫଙ୍କ ଶାଶୁ କଡିଆ ଦତ୍ତଙ୍କ ଦ୍ୱାରା ନିଉଜିଲାଣ୍ଡରେ ପ୍ରତିଷ୍ଠିତ ଏକ ମିଡିଆ ଟ୍ରଷ୍ଟରେ ଜାକି ସ୍ରୋଫଙ୍କ ନିବେଶ ଥିବାର ସୂଚନା ନିଳେ । ଦେଶ ଛାଡି ପଳାତକ ସାଜିଥିବା ନୀରବ ମୋଦିଙ୍କ ଭଉଣୀ ପୂର୍ବୀ ମୋଦି, କୁଖ୍ୟାତ କର୍ପୋରେଟ ଲବିଷ୍ଟ ନୀରା ରାଡିଆ, ଗୌତମ ଆଦାନୀଙ୍କ ଭାଇ ବିନୋଦ ଆଦାନୀ, ଶିଳ୍ପପତି କିରଣ ସ’ ମଜୁମଦାରଙ୍କ ସ୍ୱାମୀ ଜନ ସ’, କୁଖ୍ୟାତ ଅପରାଧୀ ଇକବାଲ ମିର୍ଚିର ଶାଳକ ଆକବର ଆସିଫ, ଆଦି ଅନେକଙ୍କ ନାମ ଏହି ତାଲିକାରେ ପ୍ରକାଶ ପାଇଛି । ଏହି ବ୍ୟକ୍ତି ଓ ସେମାନଙ୍କ ଦ୍ୱାରା ସ୍ଥାପିତ କମ୍ପାନିଗୁଡିକର ନାମ ପ୍ରକାଶ ପାଇବାର ଅର୍ଥ ନୁହେଁ ଯେ ସବୁ କମ୍ପାନି ମନ୍ଦ ଉଦ୍ଦେଶ୍ୟ ରଖି ସ୍ଥାପିତ ହୋଇଥିଲା । ଏଥି ମଧ୍ୟରୁ କିଛି କମ୍ପାନି ହୁଏତ ନିୟମିତ ବ୍ୟବସାୟ ଉଦ୍ଦେଶ୍ୟରେ ପ୍ରତିଷ୍ଠା ହୋଇ ଥାଇପାରେ ଓ ତନ୍ମଧ୍ୟରୁ କିଛି କମ୍ପାନିଙ୍କ ସମ୍ପର୍କରେ ହୁଏତ ସରକାରୀ ନିୟନ୍ତ୍ରକଙ୍କ ନିକଟରେ ପୂର୍ବରୁ ତଥ୍ୟ ଉପଲବ୍ଧ ଥାଇପାରେ । ପ୍ରକୃତ ପକ୍ଷେ ପାଣ୍ଡୋରା ପେପରସ ତଥ୍ୟ ପ୍ରଘଟ ହେବା ପରେ ସରକାରଙ୍କ ନିକଟରେ ପୂର୍ବରୁ କିଛି ମାମଲାର ତଥ୍ୟ ଥିଲା ବୋଲି ଜଣାପଡିଛି । ତେଣୁ ସତ୍ୟର ନିକଟବର୍ତ୍ତୀ ହେବା ପାଇଁ ସରକାରୀ ତଦନ୍ତକାରୀ ସଂସ୍ଥାଙ୍କ ଦ୍ୱାରା ପାଣ୍ଡୋରା ପେପରସରେ ନାମିତ ପ୍ରତ୍ୟେକଙ୍କର ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ ହେବା ନିହାତି ଆବଶ୍ୟକ ।

ପାଣ୍ଡୋରା ପେପରସ ତଥ୍ୟ ପ୍ରଘଟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି ଏହା ବେଆଇନ ହୋଇ ନ ଥିବାରୁ ଅଧିକାଂଶ ଗ୍ରାହକଙ୍କୁ ଏଥିରୁ ନିବୃତ୍ତ କରା ଯାଇ ପାରିବନାହିଁ । କାରଣ ବୈଧତା ହିଁ ଏ ପ୍ରକାର ଗତିବିଧିର ଏକମାତ୍ର ଆଧାର । କିଛି ଦେଶ ନିବେଶ ଆକୃଷ୍ଟ କରିବାକୁ ଏ ପ୍ରକାର ଗତିବିଧିକୁ ପ୍ରଶ୍ରୟ ଦେଇ ସ୍ଥଳ ବିଶେଷରେ ଆଇନକୁ ଇଚ୍ଛାକୃତ ଭାବେ କୋହଳ କରୁଥିବା ବେଳେ ପେସାଦାର ପରାମର୍ଶଦାତାମାନେ ଆଇନକୁ ମାନିବା ଅପେକ୍ଷା ଆଇନର ଗଳା ବାଟ ଖୋଜି କିପରି ଗ୍ରାହକମାନଙ୍କୁ ଲାଭ ପହଞ୍ଚାଇ ହେବ ସେହି ପରାମର୍ଶ ଦେଉଛନ୍ତି । ଫଳରେ ଏ ଧରଣର ଗତିବିଧି ଉପରେ ରୋକ ଲଗାଇବା କଠିନ ହୋଇ ପଡୁଛି । ତଥାପି ଏହା ବିରୁଦ୍ଧରେ ନିରନ୍ତର ସରକାରୀ କାର୍ଯ୍ୟାନୁଷ୍ଠାନ ଜାରି ରହିଲେ ତଦ୍ଦ୍ୱାରା ଦୀର୍ଘମିଆଦି ସୁଫଳ ମିଳିପାରନ୍ତା ।    

ଏଥି ପୂର୍ବରୁ ୨୦୧୬ରେ ପାନାମା ପେପରସ ଲିକ ମାମଲାରେ ମଧ୍ୟ ପ୍ରାୟ ୫୦୦ ଭାରତୀୟଙ୍କ ନାମ ଶୁଣିବାକୁ ମିଳିଥିଲା । ସେମାନଙ୍କ ମଧ୍ୟରେ ଥିଲେ ଅମିତାଭ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ, ଅଜୟ ଦେବଗନ, ଶିଶିର କୁମାର ବାଜୋରିଆ, ଡିଏଲଏଫ କମ୍ପାନୀର କେ ପି ସିଂହ, ବିଜେପିର ପୂର୍ବତନ ରାଜ୍ୟସଭା ସାଂସଦ ରବୀନ୍ଦ୍ର କୁମାର ସିନହା, ଅନୁରାଗ କେଜରିୱାଲ ପ୍ରମୁଖ । ସେହି ପ୍ରଘଟ ପରେ ତା’ର ତଦନ୍ତ ଭାର କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଏକ ମଲଟି ଏଜେନସି ଗ୍ରୁପ ଉପରେ ନ୍ୟସ୍ତ ହୋଇଥିଲା । ପାନାମା ପେପରସ ଲିକ ମାମଲାରେ ପ୍ରାୟ ୨୦,୦୭୮ କୋଟି ଟଙ୍କାର ଅଘୋଷିତ ଆୟ ଠାବ ହୋଇଛି ବୋଲି ପ୍ରାୟ ୫ ବର୍ଷ ପରେ ଜୁଲାଇ ୨୬, ୨୦୨୧ରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ସଂସଦକୁ ଜଣାଇଥିଲେ । ତେବେ ପାନାମା ପେପରସ ଲିକ ମାମଲାରେ ଯେପରି ଆଇସଲାଣ୍ଡର ପ୍ରଧାନମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ପଡିଥିଲା ଓ ପାକିସ୍ତାନରେ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ କ୍ଷମତା ହରାଇବାକୁ ପଡିଥିଲା, କାହିଁ ସେପରି ଆଖିଦୃଶିଆ ଦଣ୍ଡବିଧାନ ତ ଭାରତରେ ହେବାର ଦେଖାଗଲା ନାହିଁ । ଫଳରେ ଜନସାଧାରଣ ବି କ୍ରମଶଃ ସେ ସମ୍ପର୍କରେ ଭୁଲି ଯିବାକୁ ବସିଲେଣି । ପାଣ୍ଡୋରା ପେପରସ ପ୍ରଘଟ ହେବା ପରେ ଦେଶରେ ସେ ନେଇ ଯେପରି ପ୍ରତିକ୍ରିୟା ପ୍ରକାଶ ପାଇବା କଥା ଓ ଗଣମାଧ୍ୟମରେ ସେହି ପ୍ରସଙ୍ଗକୁ ଗୁରୁତ୍ୱ ଦେଇ ଯେଉଁ ଭଳି ଆଲୋଚନା ହେବା କଥା, ତାହା ଦେଖିବାକୁ ମିଳିଲା ନାହିଁ । ଏଥିରେ ପ୍ରଭାବଶାଳୀ ଲୋକଙ୍କ ସମ୍ପୃକ୍ତିର କଥା ସାମନାକୁ ଆସୁଥିବାରୁ ତାହାକୁ ପାନାମା ପେପରସ ମାମଲା ପରି ଚପାଇ ଦେବାର ଉଦ୍ୟମ ହୋଇପାରେ ବୋଲି ଜନସାଧାରଣଙ୍କ ମନରେ ସନ୍ଦେହ ସୃଷ୍ଟି ହେବା ଅସ୍ୱାଭାବିକ ନୁହେଁ । ଏହି ଧରଣର ଅଫସୋର କମ୍ପାନୀ ସମ୍ପୃକ୍ତି ଥାଇ ହେଉଥିବା କାରବାରରେ ଦେଶକୁ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ହରାଇବାକୁ ହୋଇଥାଏ । ତେଣୁ ଦେଶସ୍ୱାର୍ଥକୁ ଆଗରେ ରଖି ପାଣ୍ଡୋରା ପେପରସରେ ନାମିତ ବ୍ୟକ୍ତିଙ୍କ ମଧ୍ୟରୁ ଆର୍ଥିକ ଅପରାଧୀମାନଙ୍କୁ ଚିହ୍ନଟ କରି ସମୟବଦ୍ଧ ଭାବେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯାଇ ପାରିଲେ ସେହି ଧରଣର ଅସାଧୁ ବ୍ୟକ୍ତିଙ୍କ ମଧ୍ୟରେ ଭୀତି ସଞ୍ଚାର ହେବା ସହ ଜନସାଧାରଣଙ୍କର ତଦନ୍ତ ପ୍ରକ୍ରିୟା ଓ ଆଇନ ବ୍ୟବସ୍ଥା ଉପରେ ଆସ୍ଥା ସୁଦୃଢ ହୋଇପାରନ୍ତା ।


(Published in Odisha Reporter on October 22, 2021)                


Comments

  1. ତଥ୍ଯ ଆଧାରିତ ଲେଖା ପାଇଁ ଅଜସ୍ର ଧନ୍ୟବାଦ

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍