କେନ୍ଦ୍ରରେ ପ୍ରତି ଥର ମନ୍ତ୍ରୀମଣ୍ଡଳ ଗଠନ ବା ବିସ୍ତାର ହେଲେ ଓଡିଶା ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଯାଏ ଏ ଥର ରାଜ୍ୟକୁ କେତେ ଜଣ ମନ୍ତ୍ରୀ ମିଳିବେ, କେତେ ଜଣ କ୍ୟାବିନେଟ ମନ୍ତ୍ରୀ, କେତେଜଣ ରାଷ୍ଟ୍ରମନ୍ତ୍ରୀ, ସେମାନଙ୍କୁ କି କି ବିଭାଗ ମିଳିପାରେ ଇତ୍ୟାଦି, ଯେମିତି କି ଏହି ବହୁ ପ୍ରତୀକ୍ଷିତ ଘଟଣା ସଂଘଟିତ ହେବା ପରେ ଓଡିଶାରେ ଏକ ବିରାଟ ପରିବର୍ତ୍ତନ ହେବାକୁ ଯାଉଛି । କିନ୍ତୁ ସେପରି କିଛି ହୁଏ ନାହିଁ ଓ ନ ହେବାଟା ବି ଲୋକଙ୍କ ଦେହସୁହା ହୋଇ ସାରିଲାଣି । ସ୍ୱାଧୀନତା ପୂର୍ବରୁ ଗଠିତ ମଧ୍ୟବର୍ତ୍ତୀକାଳୀନ ମନ୍ତ୍ରୀମଣ୍ଡଳଠାରୁ ଆରମ୍ଭ କରି ପ୍ରାୟ ୨୬ ଥର ମନ୍ତ୍ରୀମଣ୍ଡଳ ଗଠିତ ହୋଇ ସେଥିରେ ଅନେକ ଓଡିଆ ମନ୍ତ୍ରୀ ସ୍ଥାନ ପାଇଥିଲେ ବି ଆଜି ଯାଏଁ କୌଣସି ଜଣେ ହେଲେ ଓଡିଆଙ୍କୁ କୌଣସି ଗୋଟିଏ ବି ଅତି ଗୁରୁତ୍ୱପୂର୍ଣ୍ଣ ମନେ କରା ଯାଉଥିବା ମନ୍ତ୍ରାଳୟର ଦାୟିତ୍ୱ ନ ମିଳିବା ହୁଏତ ଏହାର ଏକ କାରଣ ହୋଇପାରେ । ଏପରିକି ବିଜୁ ପଟ୍ଟନାୟକ ଅଳ୍ପକେ ପ୍ରଧାନମନ୍ତ୍ରୀ ହେବାରୁ ବଞ୍ଚିତ ହୋଇଥିଲେ ବୋଲି କେହି କେହି ଦୁଃଖ ପ୍ରକାଶ କରିଥାଆନ୍ତି । ହେଲେ ବାସ୍ତବତା ହେଉଛି ପ୍ରଧାନମନ୍ତ୍ରୀ ତ ଦୂରର କଥା ତାଙ୍କୁ ବା ଅନ୍ୟ କେଉଁ ଓଡିଆକୁ ଆଜି ଯାଏଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଥିବା ପାଞ୍ଚଟି ମନ୍ତ୍ରାଳୟ – ଗୃହ, ଅର୍ଥ, ପ୍ରତିରକ୍ଷା, ବିଦେଶ ବ୍ୟାପାର ଓ ରେଳ ମଧ୍ୟରୁ ଗୋଟିଏ ହେଲେ ମନ୍ତ୍ରାଳୟର ଦାୟିତ୍ୱ ମିଳିନାହିଁ । ଅବଶ୍ୟ ରେଳ ପାଇଁ ସ୍ୱତନ୍ତ୍ର ବଜେଟ ଉପସ୍ଥାପନ ବ୍ୟବସ୍ଥା ଉଠିଯିବା ପରଠାରୁ ରେଳ ମନ୍ତ୍ରାଳୟ ମଧ୍ୟ ତା’ର ପୂର୍ବର ଗୁରୁତ୍ୱ ହରାଇ ଏକ ସାଧାରଣ ମନ୍ତ୍ରାଳୟରେ ପରିଣତ ହୋଇସାରିଛି । ପ୍ରଧାନମନ୍ତ୍ରୀଙ୍କ ପରେ ଉପରୋକ୍ତ ମନ୍ତ୍ରାଳୟ ଦାୟିତ୍ୱରେ ଥିବା ମନ୍ତ୍ରୀମାନଙ୍କୁ ଅଲିଖିତ ଭାବେ ସବୁଠାରୁ ବେଶି ଗୁରୁତ୍ୱ ମିଳୁଥିବାରୁ ଏ ଯାବତ୍ କୌଣସି ଓଡିଆଙ୍କୁ ସେହି ଦାୟିତ୍ୱ ନ ମିଳିବା ଦଳ ଓ ସରକାରରେ ସେମାନଙ୍କ ବାସ୍ତବ ସ୍ଥିତି ଓ ଗୁରୁତ୍ୱ କେତେ ତାହା ହିଁ ଦର୍ଶାଇଥାଏ ।
ଏ ଯାଏଁ ହୋଇଥିବା ଉପମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀମାନଙ୍କୁ ମିଶାଇ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ୩୩ ଜଣ ଓଡିଆ ସ୍ଥାନ ପାଇଛନ୍ତି । କଂଗ୍ରେସ ଶାସନ ସମୟରେ ଓଡିଆମାନଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସେଭଳି ଗୁରୁତ୍ୱ ମିଳିନାହିଁ । ଓଡିଶାରୁ ହୋଇଥିବା ସମୁଦାୟ ୧୦ ଜଣ କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରୁ କଂଗ୍ରେସ ଶାସନ ସମୟରେ ମାତ୍ର ୨ ଜଣ ହେବା ଓ ସେମାନଙ୍କ ମୋଟ କାର୍ଯ୍ୟକାଳ ଅଢେଇ ବର୍ଷରେ ସୀମିତ ରହିବା ତା’ର ସବୁଠାରୁ ବଡ ଉଦାହରଣ । ଅଣ-କଂଗ୍ରେସ ସରକାରମାନଙ୍କ ସମୟରେ କେନ୍ଦ୍ର କ୍ୟାବିନେଟରେ ଅଧିକ ସଂଖ୍ୟକ ଓଡିଆ କ୍ୟାବିନେଟ ମନ୍ତ୍ରୀ ସ୍ଥାନ ପାଇଛନ୍ତି । ବିଶ୍ୱନାଥ ପ୍ରତାପ ସିଂହଙ୍କ ମନ୍ତ୍ରୀମଣ୍ଡଳରେ ଓଡିଶାରୁ ସର୍ବାଧିକ ୫ ଜଣ ମନ୍ତ୍ରୀ ସ୍ଥାନ ପାଇଥିଲେ । ସ୍ୱାଧୀନତା ପୂର୍ବରୁ ସେପ୍ଟେମ୍ୱର ୨୨, ୧୯୪୬ରେ ନେହରୁଙ୍କ ପ୍ରଧାନମନ୍ତ୍ରୀତ୍ୱରେ ଗଠିତ ମଧ୍ୟବର୍ତ୍ତୀକାଳୀନ ମିଳିତ ମନ୍ତ୍ରୀମଣ୍ଡଳରେ ଜଣେ ହେଲେ ଓଡିଆ ସ୍ଥାନ ପାଇ ନ ଥିଲେ । ସ୍ୱାଧୀନତା ପ୍ରାପ୍ତି ପରେ ଅଗଷ୍ଟ ୧୫, ୧୯୪୭ରେ ଗଠିତ ନେହରୁଙ୍କ ପ୍ରଥମ ମନ୍ତ୍ରୀମଣ୍ଡଳର କ୍ୟାବିନେଟରେ ବି କୌଣସି ଓଡିଆ ସ୍ଥାନ ପାଇ ନ ଥିଲେ । ତେବେ ସେହି ମନ୍ତ୍ରୀମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ଥିବା ଶ୍ୟାମା ପ୍ରସାଦ ମୁଖାର୍ଜୀ ଅପ୍ରେଲ ୬, ୧୯୫୦ରେ ଇସ୍ତଫା ପ୍ରଦାନ କରିବା ପରେ ତାଙ୍କ ସ୍ଥାନରେ ଓଡିଶାର ମୁଖ୍ୟମନ୍ତ୍ରୀ ପଦରୁ ଅବ୍ୟାହତି ନେଇଥିବା ହରେକୃଷ୍ଟ ମହବଙ୍କୁ ମଇ ୧୩, ୧୯୫୦ରେ ଶିଳ୍ପ ଓ ଯୋଗାଣ ମନ୍ତ୍ରୀ ଭାବେ ନିଯୁକ୍ତି ମିଳିଲା । କେନ୍ଦ୍ରରେ ସେ ହିଁ ପ୍ରଥମ ଓଡିଆ କ୍ୟାବିନେଟ ମନ୍ତ୍ରୀ । ମନ୍ତ୍ରାଳୟ ପରିବର୍ତ୍ତନ ହୋଇ ତାଙ୍କୁ ଡିସେମ୍ୱର ୨୬, ୧୯୫୦ରୁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟର ଦାୟିତ୍ୱ ନେବାକୁ ହୋଇଥିଲା ଓ ସେ ସେହି ପଦରେ ମଇ ୧୩, ୧୯୫୨ ଯାଏଁ ରହିଥିଲେ । ତେବେ ବିଦେଶୀ ସାହାଯ୍ୟ ଓ ରାଜାରାଜୁଡାଙ୍କ ହାତପାଣ୍ଠି ଉଚ୍ଛେଦ ଆଦି ପ୍ରସଙ୍ଗରେ ନେହରୁଙ୍କ ସହ ମହତାବଙ୍କର ମତାନ୍ତର ଲାଗି ରହିଥିଲା । ମହତାବ ୧୯୫୨ ମହତାବଙ୍କ ପରେ ଦୀର୍ଘ ୨୫ ବର୍ଷ ଧରି ଆଉ କେଉଁ ଓଡିଆଙ୍କୁ କ୍ୟାବିନେଟ ମନ୍ତ୍ରୀ ହେବାର ସୁଯୋଗ ମିଳି ନ ଥିଲା । ଜରୁରୀକାଳୀନ ପରିସ୍ଥିତି ପରେ ମୋରାରଜୀ ଦେଶାଈଙ୍କ ପ୍ରଧାନମନ୍ତ୍ରୀତ୍ୱରେ ଗଠିତ ଜନତା ପାର୍ଟି ସରକାରରେ ବିଜୁ ପଟ୍ଟନାୟକ ମାର୍ଚ୍ଚ ୨୬, ୧୯୭୭ରେ ଇସ୍ପାତ ଓ ଖଣି ମନ୍ତ୍ରାଳୟର କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ । ବହୁ ଦଳକୁ ନେଇ ଗଠିତ ଜନତା ପାର୍ଟି ସରକାରରେ ଏତେ ସଂଖ୍ୟକ ବଡ ବଡ ନେତା ଥିଲେ ଯେ ତାଙ୍କୁ ଆଶାନୁରୂପ ଗୁରୁତ୍ୱ ମିଳି ପାରି ନ ଥିଲା । ମୋରାରଜୀ ଦେଶାଈଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଚାଲିଥିଲା ବେଳେ ସେ ଜୁଲାଇ ୧୫, ୧୯୭୯ରେ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିଲେ ଓ ତାଙ୍କ ସହ ଓଡିଶାର ୯ ଜଣ ଜନତା ପାର୍ଟି ସାଂସଦ ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିଲେ, ଯାହା ଜୁଲାଇ ୧୬ରେ ଦେଶାଈଙ୍କ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାର ଅନ୍ୟତମ କାରଣ ପାଲଟିଥିଲା । ତା’ପରେ ଗଠିତ ଚରଣ ସିଂହଙ୍କ ମନ୍ତ୍ରୀମଣ୍ଡଳରେ ବି ସେ ଜୁଲାଇ ୩୦, ୧୯୭୯ରେ କ୍ୟାବିନେଟ ମନ୍ତ୍ରୀ ହେବା ପରେ ତାଙ୍କୁ ଉପରୋକ୍ତ ମନ୍ତ୍ରାଳୟ ସହ କୋଇଲା ମନ୍ତ୍ରାଳୟର ଦାୟିତ୍ୱ ମିଳିଥିଲା । ଜନତା ପାର୍ଟିର ଅନେକ ନେତା ଚରଣ ସିଂହଙ୍କ ସହ ସାମିଲ ହୋଇ ନ ଥିବାରୁ ଏହି ମନ୍ତ୍ରୀମଣ୍ଡଳରେ ବିଜୁ ପଟ୍ଟନାୟକଙ୍କୁ ଅଧିକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ମିଳିବାର ସମ୍ଭାବନା ଥିଲେ ବି ମେଣ୍ଟ ରାଜନୀତି ସେଥିରେ ବାଧକ ସାଜିଥିଲା । ଚରଣ ସିଂହଙ୍କ ମନ୍ତ୍ରୀମଣ୍ଡଳ କ୍ଷଣସ୍ଥାୟୀ ଥିଲା ଓ ଏହାର ପତନ ସହିତ ବିଜୁ ପଟ୍ଟନାୟକ ବି ଜାନୁଆରୀ ୧୪, ୧୯୮୦ରେ ମନ୍ତ୍ରୀତ୍ୱ ହରାଇଥିଲେ । କ୍ୟାବିନେଟ ମନ୍ତ୍ରୀ ଭାବେ ତାଙ୍କ ସମୁଦାୟ କାର୍ଯ୍ୟକାଳ ଥିଲା ମାତ୍ର ୨ ବର୍ଷ ୯ ମାସ । ୧୯୮୯ରେ ବିଶ୍ୱନାଥ ପ୍ରତାପ ସିଂହ ପ୍ରଧାନମନ୍ତ୍ରୀ ହେବା ଆଗରୁ ତାଙ୍କ ନାମ ପ୍ରଧାନମନ୍ତ୍ରୀ ପାଇଁ ଚର୍ଚ୍ଚା ହୋଇଥିଲା ବୋଲି କୁହାଯାଏ । ସେତେବେଳେ ପ୍ରଧାନମନ୍ତ୍ରୀ ଦୌଡରେ ବିଶ୍ୱନାଥ ପ୍ରତାପ ସିଂହ ଓ ଚନ୍ଦ୍ରଶେଖର ମୁଖ୍ୟ ଦାବିଦାର ଥିଲେ । ଭି ପି ସିଂହଙ୍କୁ ପ୍ରଧାନମନ୍ତ୍ରୀ କରିବା ଲାଗି ଓଡିଶା ଭବନରେ ଯେଉଁ ରଣନୀତି ପ୍ରସ୍ତୁତ ହୋଇଥିଲା ସେଥିରେ ଅରୁଣ ନେହରୁଙ୍କ ସହ ବିଜୁ ପଟ୍ଟନାୟକଙ୍କର ଏକ ବଡ ଭୂମିକା ଥିଲା । ରଣନୀତି ଅନୁସାରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଦେବୀଲାଲଙ୍କ ସମେତ ବିଜୁ ପଟ୍ଟନାୟକ ଓ ଆଉ କେତେକଙ୍କ ନାମ ପ୍ରଚାର କରା ଯାଇଥିଲା, ଯଦିଓ ସେମାନେ ଦୌଡରେ ନ ଥିଲେ । ସେହିପରି ୧୯୯୬ରେ ଦେବେଗୌଡାଙ୍କୁ ପ୍ରଧାନମନ୍ତ୍ରୀ କରିବାରେ ବିଜୁ ପଟ୍ଟନାୟକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ପ୍ରାଶାସନିକ ଦକ୍ଷତା, ଶିଳ୍ପ ଓ ପ୍ରତିରକ୍ଷା ସଂକ୍ରାନ୍ତୀୟ ଅଭିଜ୍ଞତା ଓ ଜଣେ ଦୂରଦୃଷ୍ଟିସମ୍ପନ୍ନ ରାଜନେତା ହୋଇଥିବା ସତ୍ତ୍ୱେ ରାଜନୈତିକ ସମୀକରଣ ଓ ଅନ୍ୟାନ୍ୟ କାରଣରୁ ତାଙ୍କ ଦକ୍ଷତାକୁ କୌଣସି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟରେ ଉପଯୋଗ କରାଯାଇ ନ ପାରିବା ଅବିଶ୍ୱାସ୍ୟ ।
ମୋରାରଜୀ ଦେଶାଈଙ୍କ ମନ୍ତ୍ରୀମଣ୍ଡଳରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ରାଜ ନାରାୟଣ ଜୁଲାଇ ୧, ୧୯୭୮ରେ ଇସ୍ତଫା ଦେବା ପରେ ଦେଶାଈଙ୍କ ନିକଟରେ ଥିବା ସେହି ମନ୍ତ୍ରାଳୟର ଦାୟିତ୍ୱକୁ ସେ ଜାନୁଆରି ୨୫, ୧୯୭୯ରେ ରବି ରାୟଙ୍କ ଉପରେ ନ୍ୟସ୍ତ କରିଥିଲେ । ତାଙ୍କ ମନ୍ତ୍ରୀମଣ୍ଡଳରେ ଦ୍ୱିତୀୟ ଓଡିଆ କ୍ୟାବିନେଟ ମନ୍ତ୍ରୀ ରବି ରାୟ ରାଜ୍ୟସଭାର ସଦସ୍ୟ ଥାଇ ପ୍ରଥମ ଓଡିଆ ଭାବେ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ । ହେଲେ ଚରଣ ସିଂହଙ୍କ ଅନୁଗାମୀ ରାୟ ମୋରାରଜୀ ଦେଶାଈଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ ହେବା ପରେ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିଲେ ଓ ତାହା ଜୁଲାଇ ୧୫, ୧୯୭୯ରେ ଗୃହୀତ ହୋଇଥିଲା । ମୋରାରଜୀ ଦେଶାଈଙ୍କ ମନ୍ତ୍ରୀମଣ୍ଡଳର ପତନ ପରେ ଗଠିତ ଚରଣ ସିଂହଙ୍କ ମନ୍ତ୍ରୀମଣ୍ଡଳରେ ବି ତାଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବେ ଗ୍ରହଣ କରାଯାଇ ସେହି ଏକା ମନ୍ତ୍ରାଳୟର ଦାୟିତ୍ୱ ଅର୍ପଣ କରାଯାଇ ଥିଲା ଓ ସେଠାରେ ସେ ଜୁଲାଇ ୨୮, ୧୯୭୯ରୁ ଜାନୁଆରି ୧୪, ୧୯୮୦ ଯାଏଁ ଥିଲେ । କ୍ୟାବିନେଟ ମନ୍ତ୍ରୀ ଭାବେ ତାଙ୍କ ସମୁଦାୟ କାର୍ଯ୍ୟକାଳ ଥିଲା ମାତ୍ର ଗୋଟିଏ ବର୍ଷ । ପରବର୍ତ୍ତୀ କାଳରେ ଲୋକସଭାର ବାଚସ୍ପତି ଭାବେ ନିଜ ଛାପ ଛାଡିଥିବା ରବି ରାୟ କ୍ୟାବିନେଟ ମନ୍ତ୍ରୀ ଭାବେ ସ୍ୱଳ୍ପ ସମୟ ପାଇଥିବାରୁ ହୁଏତ ସେଭଳି ସଫଳତା ଅର୍ଜନ କରି ପାରି ନ ଥିଲେ । ମୋରାରଜୀ ଦେଶାଈ ମନ୍ତ୍ରୀମଣ୍ଡଳର ପତନ ଓ ଚରଣ ସିଂହ ମନ୍ତ୍ରୀମଣ୍ଡଳର ଗଠନରେ ଦୁଇ ଓଡିଆ କ୍ୟାବିନେଟ ମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ରବି ରାୟଙ୍କର ଭୂମିକା ଉଲ୍ଲେଖନୀୟ ।
ଜନତା ପାର୍ଟି ପ୍ରୟୋଗ ବିଫଳ ହେବା ପରେ ଇନ୍ଦିରା ଗାନ୍ଧୀ ୧୯୮୦ରେ ପୁନର୍ବାର କ୍ଷମତାକୁ ଫେରିଲେ । ତାଙ୍କ ପ୍ରଧାନମନ୍ତ୍ରୀତ୍ୱରେ ଗଠିତ ମନ୍ତ୍ରୀମଣ୍ଡଳରେ ଓଡିଶାରୁ ଜାନକୀ ବଲ୍ଲଭ ପଟ୍ଟନାୟକ କ୍ୟାବିନେଟ ମନ୍ତ୍ରୀ ଭାବେ ଜାନୁଆରି ୧୪, ୧୯୮୦ରେ ଶପଥ ଗ୍ରହଣ କରିଥିଲେ । ତାଙ୍କୁ ପର୍ଯ୍ୟଟନ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଦାୟିତ୍ୱ ମିଳିଥିଲା ଓ ଜାନୁଆରି ୧୬, ୧୯୮୦ରୁ ଶ୍ରମ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ମିଳିଲା । ତେବେ ଓଡିଶାର ମୁଖ୍ୟମନ୍ତ୍ରୀ ପଦଭାର ଗ୍ରହଣ କରିବା ଲାଗି ତାଙ୍କୁ ଜୁନ ୭, ୧୯୮୦, ମାତ୍ର ୫ ମାସ ପରେ ଇସ୍ତଫା ଦେବାକୁ ପଡିଥିଲା । ଅବଶ୍ୟ ଏଥି ପୂର୍ବରୁ ସେ ପ୍ରତିରକ୍ଷା ମନ୍ତ୍ରାଳୟରେ ଉପମନ୍ତ୍ରୀ ଭାବେ ଫେବୃଆରି ୫, ୧୯୭୩ରୁ ଡିସେମ୍ୱର ୨୩, ୧୯୭୬ ଯାଏଁ କାର୍ଯ୍ୟ କରିବା ପରେ ତାଙ୍କୁ ସେହି ମନ୍ତ୍ରାଳୟରେ ରାଷ୍ଟ୍ରମନ୍ତ୍ରୀ ଭାବେ ପଦୋନ୍ନତି ଦିଆ ଯାଇଥିଲା ଓ ସେ ମାର୍ଚ୍ଚ ୨୪, ୧୯୭୭ ଯାଏଁ ସେହି ଦାୟିତ୍ୱ ନିର୍ବାହ କରିଥିଲେ ।
୧୯୮୯ରେ ବିଶ୍ୱନାଥ ପ୍ରତାପ ସିଂହଙ୍କ ପ୍ରଧାନମନ୍ତ୍ରୀତ୍ୱରେ ଗଠିତ ମନ୍ତ୍ରୀମଣ୍ଡଳରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ । ସେ ସେହି ଦାୟିତ୍ୱରେ ଡିସେମ୍ୱର ୬, ୧୯୮୯ରୁ ଅପ୍ରେଲ ୨୩, ୧୯୯୦ ଯାଏଁ ରହିବା ପରେ ମାତ୍ର ୫ ମାସ ମଧ୍ୟରେ ତାଙ୍କୁ ସେହି ମନ୍ତ୍ରାଳୟରୁ ଅପସାରଣ କରା ଯାଇଥିଲା । ତା’ ବଦଳରେ ତାଙ୍କୁ ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟର ଦାୟିତ୍ୱ ଦିଆ ଯାଇଥିଲା ଯେଉଁଠାରେ ସେ ନଭେମ୍ୱର ୧୦, ୧୯୯୦ରେ ମନ୍ତ୍ରୀମଣ୍ଡଳର ପତନ ହେବା ଯାଏଁ ଥିଲେ । କ୍ୟାବିନେଟ ମନ୍ତ୍ରୀ ଭାବେ ତାଙ୍କର ସମୁଦାୟ କାର୍ଯ୍ୟକାଳ ମାତ୍ର ୧୧ ମାସ ହୋଇଥିଲା ଓ ସେ କେନ୍ଦ୍ରରେ ନିଜକୁ ଜଣେ ପ୍ରଭାବଶାଳୀ ମନ୍ତ୍ରୀ ଭାବେ ପ୍ରତିଷ୍ଠିତ କରାଇବାକୁ ସକ୍ଷମ ହୋଇ ନ ଥିଲେ ।
ଦେବେଗୌଡାଙ୍କ ମନ୍ତ୍ରୀମଣ୍ଡଳରେ ଜୁନ ୨୯, ୧୯୯୬ରେ ଶ୍ରୀକାନ୍ତ ଜେନା ସଂସଦୀୟ ବ୍ୟାପାର ତଥା ପର୍ଯ୍ୟଟନ ମନ୍ତ୍ରାଳୟର କ୍ୟାବିନେଟ ମନ୍ତ୍ରୀ ହୋଇ ମନ୍ତ୍ରୀମଣ୍ଡଳର ପତନ ପର୍ଯ୍ୟନ୍ତ ଅପ୍ରେଲ ୨୧, ୧୯୯୭ ଯାଏଁ ସେହି ମନ୍ତ୍ରାଳୟରେ ଥିଲେ । ତା’ପରେ ଗଠିତ ଆଇ କେ ଗୁଜରାଲଙ୍କ ମନ୍ତ୍ରୀମଣ୍ଡଳରେ ବି ସେ ପୁଣି ଥରେ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରି ମାର୍ଚ୍ଚ ୧୯, ୧୯୯୮ ଯାଏଁ ସେହି ସମାନ ମନ୍ତ୍ରାଳୟ ଦାୟିତ୍ୱରେ ଥିଲେ । କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଭାବେ ତାଙ୍କର ସମୁଦାୟ କାର୍ଯ୍ୟକାଳ ଥିଲା ୨୧ ମାସ ଓ ଏହି ସମୟରେ କେନ୍ଦ୍ର ରାଜନୀତିର ପରିଦୃଶ୍ୟରେ ତାଙ୍କ ଦୃଶ୍ୟମାନତା ବଢିବା ସହ ସେ କିଛି ମାତ୍ରାରେ ପ୍ରଭାବଶାଳୀ ହୋଇଥିଲା ପରି ଅନୁଭୂତ ହେଉଥିଲା । ଅବଶ୍ୟ ଏହା ପୂର୍ବରୁ ଭି ପି ସିଂହଙ୍କ ମନ୍ତ୍ରୀମଣ୍ଡଳରେ ଅପ୍ରେଲ ୨୩, ୧୯୯୦ରୁ ନଭେମ୍ୱର ୧୦, ୧୯୯୦ ଯାଏଁ ସେ ୭ ମାସ ଲାଗି କ୍ଷୁଦ୍ର ଶିଳ୍ପ, କୃଷି ଓ ଗ୍ରାମୋଦ୍ୟୋଗ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରି ସାରିଥିଲେ । ପୁନର୍ବାର ମନମୋହନ ସିଂହଙ୍କ ଦ୍ୱିତୀୟ ପାଳିର ସରକାରରେ ସେ ମଇ ୨୮, ୨୦୦୯ରୁ ମାର୍ଚ୍ଚ ୨୦, ୨୦୧୩ ଯାଏଁ ରସାୟନ ଓ ସାର ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିବା ପରେ ତାଙ୍କୁ ସେହି ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ସ୍ୱାଧୀନ ଦାୟିତ୍ୱ ମିଳିଥିଲା ଓ ସେ ମଇ ୨୬, ୨୦୧୪ ଯାଏଁ ସେହି ଦାୟିତ୍ୱରେ ଥିଲେ । ଜଣେ କ୍ୟାବିନେଟ ମନ୍ତ୍ରୀ ପରବର୍ତ୍ତୀ ସମୟରେ ରାଷ୍ଟ୍ରମନ୍ତ୍ରୀ ଭାବେ ନିଯୁକ୍ତି ପାଇବା ଭାରତର ସଂସଦୀୟ ଇତିହାସରେ ବିରଳ ।
ବିଜୁ ପଟ୍ଟନାୟକଙ୍କ ନିଧନ ପରେ ଓଡିଶାରେ ନବଗଠିତ ବିଜୁ ଜନତା ଦଳ ଏନଡିଏ ମେଣ୍ଟରେ ସାମିଲ ହୋଇଥିଲା । ବାଜପେୟୀଙ୍କ କ୍ୟାବିନେଟରେ ଏହି ଦଳର ପ୍ରତିନିଧିତ୍ୱ କରିଥିଲେ ଦଳର ନେତା ନବୀନ ପଟ୍ଟନାୟକ । ପିତା ବିଜୁ ପଟ୍ଟନାୟକଙ୍କ ପରି ତାଙ୍କୁ ମଧ୍ୟ ଇସ୍ପାତ ଓ ଖଣି ମନ୍ତ୍ରାଳୟର ଦାୟିତ୍ୱ ମିଳିଥିଲା ଓ ସେ ସେହି ମନ୍ତ୍ରାଳୟ ଦାୟିତ୍ୱରେ ମାର୍ଚ୍ଚ ୧୯, ୧୯୯୮ରୁ ଅକ୍ଟୋବର ୧୩, ୧୯୯୯ ଯାଏଁ ଥିଲେ । ଏନଡିଏ ସରକାର ପୁନର୍ବାର ନିର୍ବାଚିତ ହେବା ପରେ ତାଙ୍କୁ ବାଜପେୟୀଙ୍କ ତୃତୀୟ ପାଳି ସରକାରରେ କେବଳ ଖଣି ଓ ଖଣିଜ ସମ୍ପଦ ମନ୍ତ୍ରାଳୟର ଦାୟିତ୍ୱ ମିଳିଥିଲା ଓ ସେ ସେହି ଦାୟିତ୍ୱରେ ଅକ୍ଟୋବର ୧୩, ୧୯୯୯ରୁ ମାର୍ଚ୍ଚ ୪, ୨୦୦୦ ଯାଏଁ ଥିଲେ । ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ଲାଗି ତାଙ୍କୁ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବାକୁ ପଡିଥିଲା । କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଭାବେ ତାଙ୍କର ସମୁଦାୟ କାର୍ଯ୍ୟକାଳ ଥିଲା ପ୍ରାୟ ୨ ବର୍ଷ ।
ଓଡିଶାର ପ୍ରଥମ ଆଦିବାସୀ ଭାବେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ । କେନ୍ଦ୍ରରେ ପ୍ରଥମ କରି ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ସୃଷ୍ଟି କରାଗଲା ଓ ଜୁଏଲ ଓରାମ ସେହି ମନ୍ତ୍ରାଳୟର ଦାୟିତ୍ୱ ଅକ୍ଟୋବର ୧୩, ୧୯୯୯ରୁ ମଇ ୨୨, ୨୦୦୪ ଯାଏଁ ନିର୍ବାହ କରିଥିଲେ । ମୋଦି ସରକାରଙ୍କ ପ୍ରଥମ ପାଳିରେ ମଧ୍ୟ ଜୁଏଲ ଓରାମଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବେ ନିଯୁକ୍ତି ମିଳିଥିଲା ଓ ସେହି ଏକା ମନ୍ତ୍ରାଳୟର ଦାୟିତ୍ୱ ପୂର୍ଣ୍ଣ ୫ ବର୍ଷ (ମଇ ୨୬, ୨୦୧୪ରୁ ମଇ ୨୪, ୨୦୧୯) ଧରି ନିରବଚ୍ଛିନ୍ନ ଭାବେ ତୁଲାଇ ଥିଲେ । ଏହିପରି ସେ ସୁଦୀର୍ଘ ୯ ବର୍ଷ ୭ ମାସ କ୍ୟାବିନେଟ ମନ୍ତ୍ରୀ ଭାବେ ଗୋଟିଏ ମନ୍ତ୍ରାଳୟ ଦାୟିତ୍ୱରେ ଥିଲେ, ଯାହା ଯେ କୌଣସି ଓଡିଆ କ୍ୟାବିନେଟ ମନ୍ତ୍ରୀଙ୍କ ପକ୍ଷରେ ଏକ ରେକର୍ଡ ।
ନବୀନ ପଟ୍ଟନାୟକ କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ମାର୍ଚ୍ଚ ୪, ୨୦୦୦ରେ ଇସ୍ତଫା ଦେବା ପରେ ବିଜୁ ଜନତା ଦଳର ବରିଷ୍ଠ ସାଂସଦ ଅର୍ଜୁନ ଚରଣ ସେଠୀ ଜଳ ସମ୍ୱଳ ମନ୍ତ୍ରାଳୟର କ୍ୟାବିନେଟ ମନ୍ତ୍ରୀ ଭାବେ ସ୍ଥାନ ପାଇଲେ । ସେ ସେହି ପଦରେ ମଇ ୨୭, ୨୦୦୦ରୁ ମଇ ୨୨, ୨୦୦୪ ଯାଏଁ ପ୍ରାୟ ୪ ବର୍ଷ ରହିଥିଲେ । ଏ ଯାବତ୍ ସେ ହିଁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ଓଡିଶାର ଏକମାତ୍ର ଅନୁସୂଚିତ ଜାତିର କ୍ୟାବିନେଟ ମନ୍ତ୍ରୀ । ମୋଦିଙ୍କ ପ୍ରଥମ ପାଳି ମନ୍ତ୍ରୀମଣ୍ଡଳରେ ଧର୍ମେନ୍ଦ୍ର ପ୍ରଧାନ ମଇ ୨୬, ୨୦୧୪ରେ ପେଟ୍ରୋଲିଅମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ସ୍ୱାଧୀନ ଦାୟିତ୍ୱରେ ରହିଲେ । ତାଙ୍କୁ ସେପ୍ଟେମ୍ୱର ୩, ୨୦୧୭ରେ ସେହି ମନ୍ତ୍ରାଳୟର କ୍ୟାବିନେଟ ମନ୍ତ୍ରୀ ଭାବେ ପଦୋନ୍ନତି ମିଳିଲା । ଏଥି ସହିତ ତାଙ୍କୁ ଦକ୍ଷତା ବିକାଶ ଓ ଉଦ୍ୟୋଗିତା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ମଧ୍ୟ ମିଳିଥିଲା । ମୋଦିଙ୍କ ଦ୍ୱିତୀୟ ପାଳି ମନ୍ତ୍ରୀମଣ୍ଡଳରେ ତାଙ୍କୁ ପୁଣି କ୍ୟାବିନେଟ ମନ୍ତ୍ରୀ ଭାବେ ପେଟ୍ରୋଲିଅମ ଓ ପ୍ରାକୃତିକ ଗ୍ୟାସ ସହିତ ଇସ୍ପାତ ମନ୍ତ୍ରାଳୟର ଦାୟିତ୍ୱ ମିଳିଥିଲା, ଯାହାକୁ ସେ ମଇ ୩୦, ୨୦୧୯ରୁ ଜୁଲାଇ ୭, ୨୦୨୧ ଯାଏଁ ତୁଲାଇଥିଲେ । ତା’ପରେ ତାଙ୍କ ନିକଟରୁ ସେହି ଦୁଇଟି ମନ୍ତ୍ରାଳୟ ପ୍ରତ୍ୟାହାର କରି ନିଆଯାଇ ତାଙ୍କୁ ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟୋଗିତା ମନ୍ତ୍ରାଳୟର ଦାୟିତ୍ୱ ଅର୍ପଣ କରା ଯାଇଛି । ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ତାଙ୍କୁ ଅପେକ୍ଷାକୃତ ଅଧିକ ଗୁରୁତ୍ୱ ମିଳିଛି ସତ, ହେଲେ ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ ମନେ କରା ଯାଉଥିବା ମନ୍ତ୍ରାଳୟଗୁଡିକ ଏବେ ବି ତାଙ୍କ ପହଞ୍ଚ ବାହାରେ । ତାଙ୍କ କାର୍ଯ୍ୟକାଳରେ ପେଟ୍ରୋଲର ମୂଲ୍ୟ ଦେଶର ଅଧିକାଂଶ ରାଜ୍ୟରେ ୧୦୦ ଟଙ୍କାରୁ ଅଧିକ ହେବା ଓ ଡିଜେଲ ତଥା ଜାଳେଣି ଗ୍ୟାସ ଦର ହୁ ହୁ ହୋଇ ବଢିବା ଯୋଗୁ ସେ ସମାଲୋଚିତ ହୋଇଥିଲେ ।
ମହତାବଙ୍କ ପରେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ନିତ୍ୟାନନ୍ଦ କାନୁନଗୋ ନିରବଚ୍ଛିନ୍ନ ଭାବେ ସର୍ବାଧିକ ୧୦ ବର୍ଷ ୧୦ ମାସ ଧରି ବିଭିନ୍ନ ମନ୍ତ୍ରାଳୟ ଦାୟିତ୍ୱରେ ଥିଲେ । ଏହି ସମୟରେ ସେ ନେହରୁଙ୍କ ତିନିଟି ମନ୍ତ୍ରୀମଣ୍ଡଳରେ, ଗୁଲଜାରି ଲାଲ ନନ୍ଦା ତଥା ଲାଲବାହାଦୁର ଶାସ୍ତ୍ରୀଙ୍କ ମନ୍ତ୍ରୀମଣ୍ଡଳ, ଏହିପରି ତିନି ଜଣ ପ୍ରଧାନମନ୍ତ୍ରୀଙ୍କ ପାଞ୍ଚଟି ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିଲେ । ସେ ସେପ୍ଟେମ୍ୱର ୨୮, ୧୯୫୪ରୁ ଅଗଷ୍ଟ ୧୦, ୧୯୫୫ ଯାଏଁ ବାଣିଜ୍ୟ ଓ ଶିଳ୍ପ ବିଭାଗର ଉପମନ୍ତ୍ରୀ ଭାବେ କାର୍ଯ୍ୟ କରିବା ପରେ ତାଙ୍କୁ ଉପଭୋକ୍ତା ଶିଳ୍ପ ମନ୍ତ୍ରାଳୟରେ ରାଷ୍ଟ୍ରମନ୍ତ୍ରୀ ପଦଭାର ସମ୍ଭାଳିବାକୁ ପଡିଲା, ଯେଉଁଠାରେ ସେ ଅପ୍ରେଲ ୧୭, ୧୯୫୭ ଯାଏଁ ଥିଲେ । ତା’ପରେ ମାତ୍ର ୮ ଦିନ ପାଇଁ ସେ ବାଣିଜ୍ୟ ଓ ଶିଳ୍ପ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱରେ ରହିବା ପରେ ତାଙ୍କୁ ଅପ୍ରେଲ ୧୦, ୧୯୬୨ ଯାଏଁ ବାଣିଜ୍ୟ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିବାକୁ ହୋଇଥିଲା । ଏହାପରେ ସେ କ୍ରମାଗତ ଭାବେ ଜୁଲାଇ ୧୯, ୧୯୬୩ ଯାଏଁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ, ଜୁନ ୯, ୧୯୬୪ ଯାଏଁ ଶିଳ୍ପ ମନ୍ତ୍ରାଳୟ, ତା’ପରେ ୪ ଦିନ ପାଇଁ ସଂସ୍କୃତି ବ୍ୟାପାର ମନ୍ତ୍ରାଳୟ ଓ ଶେଷରେ ଜୁନ ୧୩, ୧୯୬୪ରୁ ଜୁଲାଇ ୩୧, ୧୯୬୫ ଯାଏଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱରେ ଥିଲେ । ନେହରୁଙ୍କ ବିଶ୍ୱାସଭାଜନ ହୋଇ ବେଶ ପ୍ରଭାବଶାଳୀ ହୋଇ ପାରିଥିଲେ ବି ସେ କ୍ୟାବିନେଟ ମନ୍ତ୍ରୀ ହୋଇ ପାରି ନ ଥିଲେ ।
ପୁରୀ ସାଂସଦ ବିବୁଧେନ୍ଦ୍ର ମିଶ୍ର ଇନ୍ଦିରାଗାନ୍ଧୀଙ୍କ ପ୍ରଥମ ମନ୍ତ୍ରୀମଣ୍ଡଳରେ ଜାନୁଆରୀ ୨୪, ୧୯୬୬ରୁ ମାର୍ଚ୍ଚ ୧୩, ୧୯୬୭ ପର୍ଯ୍ୟନ୍ତ ଶିଳ୍ପ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଥିଲେ । ଅବଶ୍ୟ ଏଥି ପୂର୍ବରୁ ସେ ଆଇନ ମନ୍ତ୍ରାଳୟର ଉପମନ୍ତ୍ରୀ ଭାବେ ମଇ ୮, ୧୯୬୨ରୁ ଜୁନ ୯, ୧୯୬୪ ଯାଏଁ, ଶିଳ୍ପ ମନ୍ତ୍ରାଳୟର ଉପମନ୍ତ୍ରୀ ଭାବେ ଜୁନ ୧୫ ୧୯୬୪ରୁ ଜୁନ ୨୦, ୧୯୬୪ ଯାଏଁ ଏବଂ ପରେ ଶିଳ୍ପ ଓ ଯୋଗାଣ ମନ୍ତ୍ରାଳୟର ଉପମନ୍ତ୍ରୀ ଭାବେ ଜାନୁଆରୀ ୨୪, ୧୯୬୬ ଯାଏଁ ଦାୟିତ୍ୱ ନିର୍ବାହ କରିଥିଲେ । ବ୍ରହ୍ମପୁର ସାଂସଦ ଜଗନ୍ନାଥ ରାଓ ଇନ୍ଦିରାଗାନ୍ଧୀଙ୍କ ପ୍ରଥମ ଓ ଦ୍ୱିତୀୟ ପାଳି ମନ୍ତ୍ରୀମଣ୍ଡଳରେ ଜାନୁଆରୀ ୨୪, ୧୯୬୬ରୁ ମାର୍ଚ୍ଚ ୧୮, ୧୯୭୧ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଶ୍ରମ, ନିଯୁକ୍ତି ଓ ପୁନର୍ବାସନ, ସଂସଦୀୟ ବ୍ୟାପାର, ଯୋଗାଯୋଗ, ନିର୍ମାଣ, ଆବାସ, ଯୋଗାଣ, ପେଟ୍ରୋଲିଅମ ଓ ରସାୟନ, ଖଣି ଓ ଧାତୁ ମନ୍ତ୍ରାଳୟଗୁଡିକର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ଏଥି ପୂର୍ବରୁ ସେ ମଇ ୮, ୧୯୬୨ରୁ ଜାନୁଆରି ୨୪, ୧୯୬୬ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ଅନେକ ମନ୍ତ୍ରାଳୟରେ ଉପମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରି ସାରିଥିଲେ ।
ଇନ୍ଦିରା ଗାନ୍ଧୀଙ୍କ ମନ୍ତ୍ରୀମଣ୍ଡଳରେ ରାଜ୍ୟସଭା ସାଂସଦ ନନ୍ଦିନୀ ଶତପଥୀ ଜୁନ ୨୬, ୧୯୭୦ରେ ବିଭାଗହୀନ ରାଷ୍ଟ୍ରମନ୍ତ୍ରୀ ପଦଭାର ଗ୍ରହଣ କରିବା ପରେ ମାର୍ଚ୍ଚ ୧୮, ୧୯୭୧ରୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଅବଶ୍ୟ ସେ ଜାନୁଆରୀ ୨୯, ୧୯୬୬ରୁ ରାଷ୍ଟ୍ରମନ୍ତ୍ରୀ ହେବା ଯାଏଁ ସୂଚନା ଓ ପ୍ରସାରଣ ତଥା ବିଭାଗହୀନ ଭାବେ ଉପମନ୍ତ୍ରୀ ଦାୟିତ୍ୱ ତୁଲାଇ ସାରିଥିଲେ । ସେ ବିଭାଗହୀନ ମନ୍ତ୍ରୀ ଥିଲା ବେଳେ ପ୍ରଧାନମନ୍ତ୍ରୀଙ୍କ ସହ ସଂଯୁକ୍ତ ଥିବାରୁ ବେଶ କ୍ଷମତାଶାଳୀ ହୋଇ ପାରିଥିଲେ । ସେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ଏକମାତ୍ର ଓଡିଆ ମହିଳା । ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବାକୁ ପଡିବାରୁ ତାଙ୍କୁ ଜୁନ ୧୪, ୧୯୭୨ରେ ଇସ୍ତଫା ଦେବାକୁ ହୋଇଥିଲା । ମୋରାରଜୀ ଦେଶାଈଙ୍କ ମନ୍ତ୍ରୀମଣ୍ଡଳରେ ବାଲେଶ୍ୱର ସାଂସଦ ସମରେନ୍ଦ୍ର କୁଣ୍ଡୁ ଅଗଷ୍ଟ ୧୪, ୧୯୭୭ରୁ ଜୁଲାଇ ୨୮, ୧୯୭୯ ଯାଏଁ ଗୁରତ୍ୱପୂର୍ଣ୍ଣ ବିଦେଶ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ।
ଇନ୍ଦିରା ଗାନ୍ଧୀଙ୍କ ଶେଷ ପାଳିର ମନ୍ତ୍ରୀମଣ୍ଡଳରେ ଆସ୍କା ସାଂସଦ ରାମଚନ୍ଦ୍ର ରଥ ସେପ୍ଟେମ୍ୱର ୧୧, ୧୯୮୨ରୁ ଅକ୍ଟୋବର ୩୧, ୧୯୮୪ ପର୍ଯ୍ୟନ୍ତ ସାର ଓ ରସାୟନ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ଢେଙ୍କାନାଳ ସଂସଦୀୟ ଆସନରୁ ଲୋକସଭାକୁ ୬ ଥର ଜିତିଥିବା କାମାକ୍ଷା ପ୍ରସାଦ ସିଂହଦେଓ ଜାନୁଆରୀ ୧୫, ୧୯୮୨ରେ ପ୍ରତିରକ୍ଷା ମନ୍ତ୍ରାଳୟରେ ଉପମନ୍ତ୍ରୀ ଦାୟିତ୍ୱ ସମ୍ଭାଳିବା ପରେ ଜାନୁଆରି ୨୯, ୧୯୮୩ରେ ସେହି ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ପଦଭାର ଗ୍ରହଣ କରି ଡିସେମ୍ୱର ୩୧, ୧୯୮୪ ପର୍ଯ୍ୟନ୍ତ ଦାୟିତ୍ୱରେ ଥିଲେ । ତା’ପରେ ତାଙ୍କୁ ମାର୍ଚ୍ଚ ୧୫, ୧୯୮୫ ଯାଏଁ କାର୍ମିକ ଓ ପ୍ରାଶାସନିକ ସଂସ୍କାର ଓ ସଂସ୍କୃତି ମନ୍ତ୍ରାଳୟ ଦାୟିତ୍ୱ ମିଳିବା ପରେ ସେଥି ସହ ସାଧାରଣ ଅଭିଯୋଗ ଓ ପେନସନ୍ ମନ୍ତ୍ରାଳୟର ଦାୟିତ୍ୱ ଯୋଗ କରି ସେପ୍ଟେମ୍ୱର ୨୫, ୧୯୮୫ ଯାଏଁ ଦାୟିତ୍ୱ ଦିଆ ଯାଇଥିଲା । ସେ ସେପ୍ଟେମ୍ୱର ୨୫, ୧୯୮୫ରୁ ଜାନୁଆରୀ ୨7, ୧୯୮୬ ଯାଏଁ ଖାଦ୍ୟ ଓ ସାଧାରଣ ଯୋଗାଣ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ସ୍ୱାଧୀନ ଦାୟିତ୍ୱରେ ଥିଲେ । ନରସିଂହ ରାଓଙ୍କ ମନ୍ତ୍ରୀମଣ୍ଡଳରେ ସେ ଜାନୁଆରି ୧୮, ୧୯୯୩ରୁ ସେପ୍ଟେମ୍ୱର ୧୫, ୧୯୯୫ ଯାଏଁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ସ୍ୱାଧୀନ ଦାୟିତ୍ୱରେ ରାଷ୍ଟ୍ରମନ୍ତ୍ରୀ ରହିବା ପରେ ଓ ମଇ ୧୬, ୧୯୯୬ ଯାଏଁ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରାଳୟର ସ୍ୱାଧୀନ ଦାୟିତ୍ୱରେ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ଏହିପରି ଭାବେ ସେ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଓ ନରସିଂହ ରାଓଙ୍କ ମନ୍ତ୍ରୀମଣ୍ଡଳରେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ । ଭୁବନେଶ୍ୱର ସାଂସଦ ଚିନ୍ତାମଣି ପାଣିଗ୍ରାହୀ ଅକ୍ଟୋବର ୨୨, ୧୯୮୬ରୁ ଜୁନ ୨୫, ୧୯୮୮ ଯାଏଁ ସ୍ୱରାଷ୍ଟ୍ର ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ତୁଲାଇବା ପରେ ଜୁଲାଇ ୪, ୧୯୮୯ ଯାଏଁ ବର୍ଷକ ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ । ରାଷ୍ଟ୍ରମନ୍ତ୍ରୀ ଭାବେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟର ଦାୟିତ୍ୱ ତୁଲାଇବାରେ ସେ ହେଉଛନ୍ତି ଏକମାତ୍ର ଓଡିଆ ।
କୋରାପୁଟ ଲୋକସଭା ଆସନରୁ ୯ ଥର ଜିତିଥିବା ଗିରିଧର ଗମାଙ୍ଗ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଓ ନରସିଂହ ରାଓ ଏହିପରି ତିନି ଜଣ ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରୀମଣ୍ଡଳରେ ଉପମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ଫେବୃଆରି ୧୫, ୧୯୮୮ରୁ ଜୁନ ୨୫, ୧୯୮୮ ଯାଏଁ ପର୍ଯ୍ୟଟନ, ତାପରେ ଜୁଲାଇ ୪, ୧୯୮୯ ଯାଏଁ ଯୋଗାଯୋଗ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ରୂପେ କାର୍ଯ୍ୟ କରିବା ପରେ ଡିସେମ୍ୱର ୨, ୧୯୮୯ ଯାଏଁ ସେହି ମନ୍ତ୍ରାଳୟର ସ୍ୱାଧୀନ ଦାୟିତ୍ୱର ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ । ଏହି ସମୟରେ ଓଡିଶାରେ ଟେଲି ଯୋଗାଯୋଗ କ୍ଷେତ୍ରରେ ବ୍ୟାପକ ବିସ୍ତାର ହୋଇଥିଲା । ନରସିଂହ ରାଓଙ୍କ ମନ୍ତ୍ରୀମଣ୍ଡଳରେ ସେ ପୂରା ୫ ବର୍ଷ (ଜୁନ ୨୧, ୧୯୯୧ରୁ ମଇ ୧୬, ୧୯୯୬) ଯାଏଁ ପର୍ଯ୍ୟାୟକ୍ରମେ ଖାଦ୍ୟ ପ୍ରକ୍ରିୟାକରଣ, ଯୋଜନା ଓ କାର୍ଯ୍ୟକ୍ରମ କ୍ରିୟାନ୍ୱୟନ, ଖଣି ମନ୍ତ୍ରାଳୟଗୁଡିକର ରାଷ୍ଟ୍ରମନ୍ତ୍ରୀ ଭାବେ ସ୍ୱାଧୀନ ଦାୟିତ୍ୱରେ କାର୍ଯ୍ୟ କରିଥିଲେ । ଏଥିପୂର୍ବରୁ ସେ ଜାନୁଆରି ୧୫, ୧୯୮୨ରୁ ଜାନୁଆରୀ ୨୯, ୧୯୮୩ ପୁନଶ୍ଚ ସେପ୍ଟେମ୍ୱର ୨୭, ୧୯୮୫ରୁ ଫେବୃଆରି ୧୫, ୧୯୮୮ ପର୍ଯ୍ୟନ୍ତ ଯୋଗାଣ ଓ ପୁନର୍ବାସନ, କଲ୍ୟାଣ, ଶ୍ରମ ମନ୍ତ୍ରାଳୟର ଉପମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।
ବିଶ୍ୱନାଥ ପ୍ରତାପ ସିଂହଙ୍କ ମନ୍ତ୍ରୀମଣ୍ଡଳରେ ଭଜମନ ବେହେରା ପେଟ୍ରୋଲିଅମ ଓ ରସାୟନ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ଅପ୍ରେଲ ୨୩, ୧୯୯୦ରୁ ନଭେମ୍ବର ୧୦, ୧୯୯୦ ମାତ୍ର ୭ ମାସ ଲାଗି କାର୍ଯ୍ୟ କଥିଲେ । ମୟୂରଭଞ୍ଜ ଲୋକସଭା ଆସନରୁ ଜିତିଥିବା ଆଇଏଏସ ଅଧିକାରୀରୁ ରାଜନେତା ସାଜିଥିବା ଭାଗେ ଗୋବର୍ଦ୍ଧନଙ୍କୁ ସେହି ମନ୍ତ୍ରୀମଣ୍ଡଳରେ ଯୋଜନା ଓ କାର୍ଯ୍ୟକ୍ରମ କ୍ରିୟାନ୍ୱୟନ ମନ୍ତ୍ରାଳୟରେ ରାଷ୍ଟ୍ରମନ୍ତ୍ରୀ ଭାବେ ଅପ୍ରେଲ ୨୩, ୧୯୯୦ରେ ଦାୟିତ୍ୱ ଅର୍ପଣ କରା ଯାଇଥିଲା । ଏତିକିବେଳେ ଜନତା ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ଲାଗିଥିବା କନ୍ଦଳ ଜୋର ହୋଇ ଚନ୍ଦ୍ରଶେଖରଙ୍କ ଗୋଷ୍ଠୀର ୬ ଜଣ ତାଙ୍କୁ ଦଳ ବଦଳାଇବା ଲାଗି ୫୦ ଲକ୍ଷ ଟଙ୍କା ଯାଚିଥିବାର ଅଭିଯୋଗ ସେ ଆଣିଥିଲେ, ଯାହା ସେ ସମୟରେ ଅନ୍ତର୍ଜାତିକ ଗଣମାଧ୍ୟମରେ ବି ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା । ନଭେମ୍ୱର ୧୦, ୧୯୯୦ ଯାଏଁ ମନ୍ତ୍ରୀ ରହିବା ପରେ ଦଳ ବଦଳାଇବାକୁ ଉତ୍କୋଚର ଅଭିଯୋଗ ଆଣିଥିବା ଭାଗେ ଗୋବର୍ଦ୍ଧନ ତା’ ପରେ ଗଠିତ ଚନ୍ଦ୍ରଶେଖରଙ୍କ ମନ୍ତ୍ରୀମଣ୍ଡଳରେ ବି ମାନବ ସମ୍ୱଳ ବିକାଶ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ନଭେମ୍ୱର ୨୧, ୧୯୯୦ରେ ଯୋଗ ଦେଇଥିଲେ । ତେବେ ଦଳବଦଳ ନିରୋଧ ଆଇନ ଅନୁଯାୟୀ ତାଙ୍କୁ ଲୋକସଭା ସଦସ୍ୟତା ହରାଇବାକୁ ପଡିଲା । ସେ ଫେବୃଆରି ୨୦, ୧୯୯୧ରେ ମନ୍ତ୍ରୀପଦରୁ ଇସ୍ତଫା ଦେଲେ । ଏ ଭଳି ମନ୍ତ୍ରୀତ୍ୱ ହରାଇଥିବା ସେ ଏକମାତ୍ର ଓଡିଆ । ଚନ୍ଦ୍ରଶେଖରଙ୍କ ମନ୍ତ୍ରୀମଣ୍ଡଳରେ କଳାହାଣ୍ଡି ସାଂସଦ ଭକ୍ତ ଚରଣ ଦାସ ନଭେମ୍ୱର ୨୧, ୧୯୯୦ରୁ ଜୁନ ୨୧, ୧୯୯୧ ପର୍ଯ୍ୟନ୍ତ ରେଳ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱରେ ଥିଲେ । ଏଥି ପୂର୍ବରୁ ସେ ଅପ୍ରେଲ ୨୩, ୧୯୯୦ରୁ ନଭେମ୍ୱର ୫, ୧୯୯୦ ଯାଏଁ ମାନବ ସମ୍ୱଳ ବିକାଶ ମନ୍ତ୍ରାଳୟରେ ଉପମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।
ନରସିଂହ ରାଓଙ୍କ ମନ୍ତ୍ରୀମଣ୍ଡଳରେ କାହ୍ନୁଚରଣ ଲେଙ୍କା ଜୁନ ୨୧, ୧୯୯୧ରୁ ଜାନୁଆରି ୧୮, ୧୯୯୩ ପର୍ଯ୍ୟନ୍ତ କୃଷି ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ରୂପେ କାର୍ଯ୍ୟ କରିବା ପରେ ତାଙ୍କୁ ରେଳ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ଅବକାଶ ମିଳିଥିଲା ଓ ସେଠାରେ ସେ ଅପ୍ରେଲ ୨, ୧୯୯୪ ଯାଏଁ ଦାୟିତ୍ୱ ନିର୍ବାହ କରିଥିଲେ । ରାଜ୍ୟସଭାର ସାଂସଦ ଭାବେ ତାଙ୍କ କାର୍ଯ୍ୟକାଳ ପୂରି ଯାଇଥିବାରୁ ସେ ଆଉ ମନ୍ତ୍ରୀ ଭାବେ ରହି ପାରି ନଥିଲେ । କେନ୍ଦ୍ରରେ ମନ୍ତ୍ରୀ ଭାବେ ତାଙ୍କର ସମୁଦାୟ କାର୍ଯ୍ୟକାଳ ୩ ବର୍ଷରୁ ବି କମ ଥିଲା । ସେହିପରି ସମ୍ୱଲପୁର ଲୋକସଭା ଆସନରୁ ୪ ଥର ଜିତିଥିବା ଡାକ୍ତର କୃପାସିନ୍ଧୁ ଭୋଇ ସେପ୍ଟେମ୍ୱର ୧୫, ୧୯୯୫ରୁ ମଇ ୧୬, ୧୯୯୬ ଯାଏଁ ମାନବ ସମ୍ୱଳ ବିକାଶ ମନ୍ତ୍ରାଳୟରେ ୮ ମାସ ଲାଗି ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ନିର୍ବାହ କରିଥିଲେ ।
ରାଜ୍ୟସଭା ସାଂସଦ ଦିଲ୍ଲୀପ କୁମାର ରାୟ ଜୁନ ୨୯, ୧୯୯୬ରୁ ମଇ ୨୭, ୨୦୦୦ ଯାଏଁ ମଝିରେ କେବଳ ୩ ମାସ ବାଦ ଦେଇ କ୍ରମାଗତ ୩ ବର୍ଷ ୮ ମାସ ଧରି ଦେବେଗୌଡା, ଗୁଜରାଲ ଓ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ଚାରି ଥର ରାଷ୍ଟ୍ରମନ୍ତ୍ରୀ ଭାବେ ସ୍ୱାଧୀନ ଦାୟିତ୍ୱ ନିର୍ବାହ କରିଥିଲେ । ପ୍ରଥମେ ମାତ୍ର ୭ ଦିନ ପାଇଁ ପଶୁପାଳନ ଓ ଗୋପାଳନ ମନ୍ତ୍ରୀ ଭାବେ ରହିବା ପରେ ଡିସେମ୍ୱର ୨୫, ୧୯୯୭ ପର୍ଯ୍ୟନ୍ତ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରାଳୟ ଦାୟିତ୍ୱରେ ଥିଲେ । ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ମାର୍ଚ୍ଚ ୨୦, ୧୯୯୮ରୁ ଅକ୍ଟୋବର ୧୩, ୧୯୯୯ ଯାଏଁ କୋଇଲା ମନ୍ତ୍ରାଳୟ ଦାୟିତ୍ୱରେ, ମଇ ୨୨, ୧୯୯୮ରୁ ଅକ୍ଟୋବର ୨୨, ୧୯୯୯ ଯାଏଁ ସଂସଦୀୟ ବ୍ୟାପାର ମନ୍ତ୍ରାଳୟ ଓ ଅକ୍ଟୋବର ୧୩, ୧୯୯୯ରୁ ମଇ ୨୭, ୨୦୦୦ ଯାଏଁ ଇସ୍ପାତ ମନ୍ତ୍ରାଳୟ ଦାୟିତ୍ୱରେ ଥିଲେ । ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ଦେଓଗଡ ସାଂସଦ ଡାକ୍ତର ଦେବେନ୍ଦ୍ର ପ୍ରଧାନ ମାର୍ଚ୍ଚ ୧୯, ୧୯୯୮ରୁ ମଇ ୨୭, ୨୦୦୦ ଯାଏଁ ସଡକ ପରିବହନ ଓ ତା’ପରେ ଜାନୁଆରି ୨୯, ୨୦୦୩ ଯାଏଁ କୃଷି ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ଅବସ୍ଥାପିତ ହୋଇଥିଲେ । ପୁରୀ ସାଂସଦ ବ୍ରଜ କିଶୋର ତ୍ରିପାଠୀ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ମଇ ୨୭, ୨୦୦୦ରୁ ମଇ ୨୨, ୨୦୦୪ ଯାଏଁ ଇସ୍ପାତ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ସ୍ୱାଧୀନ ଦାୟିତ୍ୱରେ ଥିଲେ ।
ବ୍ରହ୍ମପୁରର ସାଂସଦ ଚନ୍ଦ୍ରଶେଖର ସାହୁ ମନମୋହନ ସିଂହଙ୍କ ପ୍ରଥମ ପାଳିର ମନ୍ତ୍ରୀମଣ୍ଡଳରେ ଜାନୁଆରି ୨୯, ୨୦୦୬ରୁ ଅକ୍ଟୋବର ୨୪, ୨୦୦୬ ଯାଏଁ ଶ୍ରମ ଓ ନିଯୁକ୍ତି ଏବଂ ପରେ ମଇ ୨୨, ୨୦୦୯ ପର୍ଯ୍ୟନ୍ତ ଗ୍ରାମ୍ୟ ବିକାଶ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ମୋଦିଙ୍କ ଦ୍ୱିତୀୟ ପାଳି ମନ୍ତ୍ରୀମଣ୍ଡଳରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କୁ ଏମଏସଏମଇ ତଥା ପଶୁପାଳନ, ଗୋପାଳନ ଓ ମତ୍ସ୍ୟ ମନ୍ତ୍ରାଳୟର ରାଷ୍ଟମନ୍ତ୍ରୀ ଭାବେ ମଇ ୩୦, ୨୦୧୯ରୁ ଜୁଲାଇ ୭, ୨୦୨୧ ଯାଏଁ ଦାୟିତ୍ୱ ମିଳିଥିଲା । ହେଲେ ସେ ଦାୟିତ୍ୱ ଗ୍ରହଣ କଲା ବେଳେ ଯେଉଁ ଭଳି ଉତ୍ସାହ ଓ ଉଦ୍ଦୀପନା ଦେଖା ଦେଇଥିଲା, ତାକୁ ସେ ବଜାୟ ରଖି ନିଜକୁ ଜଣେ ସଫଳ ମନ୍ତ୍ରୀ ଭାବେ ପ୍ରତିପାଦିତ କରିବାକୁ ସକ୍ଷମ ହୋଇଥିଲା ପରି ମନେ ହୁଏ ନାହିଁ । ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ଜୁଲାଇ ୭, ୨୦୨୧ରୁ ଜଳ ଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ରୂପେ କାର୍ଯ୍ୟ କରୁଛନ୍ତି ।
ରାଜ୍ୟସଭା ସାଂସଦ ଚୈତନ୍ୟ ପ୍ରସାଦ ମାଝି ଇନ୍ଦିରା ଗାନ୍ଧୀଙ୍କ ମନ୍ତ୍ରୀମଣ୍ଡଳରେ ଅକ୍ଟୋବର ୧୭, ୧୯୭୪ରୁ ଜାନୁଆରି ୩, ୧୯୭୬ ପର୍ଯ୍ୟନ୍ତ ପେଟ୍ରୋଲିଅମ ଓ ରସାୟନ ମନ୍ତ୍ରାଳୟର ଉପମନ୍ତ୍ରୀ ରୂପେ କାର୍ଯ୍ୟ କରିବା ପରେ ତାଙ୍କୁ ମାର୍ଚ୍ଚ ୨୪, ୧୯୭୭ ଯାଏଁ ସାର ଓ ରସାୟନ ମନ୍ତ୍ରାଳୟର ଉପମନ୍ତ୍ରୀ ଭାବେ ଦାୟିତ୍ୱ ପ୍ରଦାନ କରା ଯାଇଥିଲା । ପୁରୀ ଲୋକସଭା ଆସନରୁ ୨ ଥର ଜିତିଥିବା ବ୍ରଜମୋହନ ମହାନ୍ତି ଅକ୍ଟୋବର ୧୯, ୧୯୮୦ରୁ ଜାନୁଆରୀ ୧୫, ୧୯୮୨ ଯାଏଁ ସାଧାରଣ ଯୋଗାଣ ମନ୍ତ୍ରାଳୟ ଓ ତା’ ପରେ ଜାନୁଆରୀ ୨୯, ୧୯୮୩ ଯାଏଁ ନିର୍ମାଣ ଓ ଆବାସ ମନ୍ତ୍ରାଳୟର ଉପମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ଫୁଲବାଣୀ ସାଂସଦ ନକୁଳ ନାୟକ ନଭେମ୍ୱର ୨୫, ୧୯୯୦ରୁ ଜୁନ ୨୧,୧୯୯୧ ଯାଏଁ ଚନ୍ଦ୍ରଶେଖରଙ୍କ ମନ୍ତ୍ରୀମଣ୍ଡଳରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସଂସଦୀୟ ସଚିବ ଭାବେ କାର୍ଯ୍ୟ କରିଥିଲେ ।
ରାଜସ୍ଥାନ ଯୋଧପୁର ଅଧିବାସୀ ପୂର୍ବତନ ଓଡିଶା କ୍ୟାଡର ଆଇଏଏସ ଅଧିକାରୀ ଅଶ୍ୱିନୀ ବୈଷ୍ଣବ ବିଜେଡି ସମର୍ଥନରେ ବିଜେପି ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ଅନେକେ ଅଶ୍ୱିନୀଙ୍କ ରେଳମନ୍ତ୍ରୀ ଭାବେ ନିଯୁକ୍ତିରେ ଜଣେ ଓଡିଆ ମନ୍ତ୍ରୀ ପଦ ପାଇଲା ପରି ବିହ୍ୱଳିତ ହେଉଛନ୍ତି । ତାଙ୍କୁ ଓଡିଶାରୁ ମନ୍ତ୍ରୀ ଭାବେ ଗ୍ରହଣ କରା ଯାଇପାରେ, ଓଡିଆ ମନ୍ତ୍ରୀ ଭାବେ ନୁହେଁ । ଓଡିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ଏସ ଆର ବୋମାଇ ଦେବେଗୌଡା ଓ ଗୁଜରାଲଙ୍କ ମନ୍ତ୍ରୀମଣ୍ଡଳରେ ମାନବ ସମ୍ୱଳ ବିକାଶ ମନ୍ତ୍ରୀ ହୋଇଥିଲେ । ତାଙ୍କୁ କ’ଣ କେବେ ପ୍ରଥମ ଓଡିଆ ଶିକ୍ଷାମନ୍ତ୍ରୀ ଭାବେ ଗ୍ରହଣ କରାଯାଏ ? ଧର୍ମେନ୍ଦ୍ର ପ୍ରଧାନ ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ଥାଇ ମନ୍ତ୍ରୀ ହୋଇଥିଲେ ବି ସେ ଓଡିଆ ମନ୍ତ୍ରୀ ଭାବେ ଗ୍ରହଣୀୟ ହୋଇଥାଆନ୍ତି । ସେ ବିହାର ଛାଡି ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ହେଲା ପରି ରାଜ୍ୟସଭାରେ ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ପୂରିଲେ ସେ ବି ହୁଏତ ଓଡିଶା ଛାଡି ଅନ୍ୟ କେଉଁଠୁ ସାଂସଦ ହୋଇପାରନ୍ତି । ସେତେବେଳେ ସେ ନା ଓଡିଶାରୁ ମନ୍ତ୍ରୀ ରହିବେ ନା ଓଡିଆ ମନ୍ତ୍ରୀ । ତେବେ ଦୀର୍ଘ ଦିନ ଧରି ଓଡିଶା ଅଶ୍ୱିନୀଙ୍କର କର୍ମଭୂମି ହୋଇଥିବାରୁ ତାଙ୍କଠାରୁ ଅନ୍ତତଃ ଓଡିଶା ଲାଗି କିଛିଟା ଅଧିକ ଆନ୍ତରିକତା ପ୍ରଦର୍ଶନ ଆଶା କରିବା ଭୁଲ ହେବ ନାହିଁ ।
କେନ୍ଦ୍ରରେ ସବୁ ଓଡିଆ ମନ୍ତ୍ରୀ, ସେମାନଙ୍କ ମନ୍ତ୍ରାଳୟ ଓ କାର୍ଯ୍ୟକାଳକୁ ଗୋଟିଏ ସ୍ଥାନରେ ଉପସ୍ଥାପିତ କରିବାର ଉଦ୍ଦେଶ୍ୟ ହେଉଛି ଓଡିଶା ରାଜନୀତିରେ ଅପେକ୍ଷାକୃତ ଡେଙ୍ଗା ଦେଖା ଯାଉଥିବା ଅନେକ ନେତାଙ୍କର ବାସ୍ତବରେ ଜାତୀୟ ରାଜନୀତିରେ ସ୍ଥିତି ଓ କାଟତି କ’ଣ, ତାହା ପରଖିବା । ୧୯୪୭ରେ ଦେଶ ସ୍ୱାଧୀନ ହେବା ପରେ ୭୪ ବର୍ଷ ମଧ୍ୟରୁ ଓଡିଆମାନେ ମାତ୍ର ୧୯ ବର୍ଷ ଲାଗି କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ପାଦନ କରିବାର ସୁଯୋଗ ପାଇଛନ୍ତି, ଅର୍ଥାତ୍ ଦୀର୍ଘ ୫୫ ବର୍ଷ ଧରି କ୍ୟାବିନେଟରେ ଓଡିଶାର କୌଣସି ପ୍ରତିନିଧିତ୍ୱ ନ ଥାଇ ଓଡିଆଙ୍କ ପ୍ରତି ଚରମ ଅବହେଳା ପ୍ରଦର୍ଶନ କରାଯାଇଛି । କେବଳ ସେତିକି ନୁହେଁ, ଯେଉଁ ଓଡିଆ କ୍ୟାବିନେଟ ମନ୍ତ୍ରୀମାନେ ଦାୟିତ୍ୱ ପାଇଛନ୍ତି ସେମାନଙ୍କ ସମସ୍ତଙ୍କ କାର୍ଯ୍ୟକାଳକୁ ମିଶାଇଲେ ୨୮ ବର୍ଷ ୬ ମାସ ହେବ । ୧୦ ଜଣ କ୍ୟାବିନେଟ ମନ୍ତ୍ରୀଙ୍କ ଭିତରୁ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ କାର୍ଯ୍ୟକାଳ ସର୍ବନିମ୍ନ ୫ ମାସ ହୋଇଥିବା ବେଳେ ଜୁଏଲ ଓରାମଙ୍କ କାର୍ଯ୍ୟକାଳ ସର୍ବାଧିକ ୯ ବର୍ଷ ୭ ମାସ । ୬ ଜଣଙ୍କ କାର୍ଯକାଳ ତ ୨ ବର୍ଷ ବା ତା’ ଠାରୁ କମ । ଏମାନଙ୍କ ମଧ୍ୟରୁ କେତେକଙ୍କୁ ଅଧିକ ସମୟ ପାଇଁ ସୁଯୋଗ ମିଳିଥିଲେ ହୁଏତ ସେମାନେ ନିଜ ଦକ୍ଷତା ପ୍ରତିପାଦିତ କରିବାକୁ ସମର୍ଥ ହୋଇଥାଆନ୍ତେ । ଅନ୍ୟ ପକ୍ଷରେ ଦୀର୍ଘ ଦିନ ସୁଯୋଗ ପାଇ ବି ଜୁଏଲ ଓରାମ ଜାତୀୟ ରାଜନୀତିରେ ନିଜ ଛାପ ଛାଡିବାକୁ ସେପରି ସଫଳ ହୋଇ ପାରି ନାହାନ୍ତି । ଅତୀତରେ ଏପରି କିଛି ଓଡିଆ ସାଂସଦ ଥିଲେ ଓ ଏବେ ମଧ୍ୟ ଅଛନ୍ତି ଯେଉଁମାନେ ଦକ୍ଷ ହୋଇଥିଲେ ବି ବିଭିନ୍ନ କାରଣରୁ କ୍ୟାବିନେଟରେ ସ୍ଥାନ ପାଇବାରୁ ବଞ୍ଚିତ ହୋଇଛନ୍ତି । ଓଡିଶାରୁ ଏ ପର୍ଯ୍ୟନ୍ତ କୌଣସି ମହିଳା କେନ୍ଦ୍ର ମନ୍ତ୍ରୀମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ହୋଇ ନାହାନ୍ତି । ଓଡିଶାରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇବା ପରେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ହୋଇଥିବା ତିନି ଜଣ ହେଲେ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଓ ନୀଳମଣି ରାଉତରାୟ । ଅନ୍ୟ ପକ୍ଷରେ କେନ୍ଦ୍ରରେ କ୍ୟାବିନେଟ ମନ୍ତ୍ରୀ ହୋଇ ମୁଖ୍ୟମନ୍ତ୍ରୀ ହୋଇଥିବା ଦୁଇ ଜଣ ହେଲେ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ନବୀନ ପଟ୍ଟନାୟକ । କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ହୋଇ ପରେ ମୁଖ୍ୟମନ୍ତ୍ରୀ ହୋଇଥିବା ୨ ଜଣ ହେଲେ ନନ୍ଦିନୀ ଶତପଥୀ ଓ ଗିରିଧର ଗମାଙ୍ଗ । ଏ ଯାଏଁ ହୋଇଥିବା ଓଡିଆ କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରୁ ଜୁଏଲ ଓରାମଙ୍କୁ ବାଦ ଦେଲେ ଅନ୍ୟ କେହି ପଶ୍ଚିମ ଓଡିଶାରୁ ନୁହନ୍ତି । କେନ୍ଦ୍ରରେ ଉପମନ୍ତ୍ରୀ ବା ରାଜ୍ୟ ମନ୍ତ୍ରୀ ନ ହୋଇ ସିଧା ସଳଖ କ୍ୟାବିନେଟ ମନ୍ତ୍ରୀ ହୋଇଥିବା ସାତ ଜଣ ଓଡିଆ ହେଉଛନ୍ତି, ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ରବି ରାୟ, ନୀଳମଣି ରାଉତରାୟ, ନବୀନ ପଟ୍ଟନାୟକ, ଜୁଏଲ ଓରାମ ଓ ଅର୍ଜୁନ ଚରଣ ସେଠୀ । କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରେ ମହତାବ ନିର୍ବାଚନ ନ ଲଢି ମନ୍ତ୍ରୀ ହୋଇଥିଲେ, କାରଣ ତାଙ୍କ ମନ୍ତ୍ରୀତ୍ୱ ସମୟରେ ଦେଶର ପ୍ରଥମ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇ ନ ଥିଲା । ରବି ରାୟ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ୟତୀତ ଅନ୍ୟମାନେ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇ କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି । ଏ ପର୍ଯ୍ୟନ୍ତ କ୍ୟାବିନେଟ ମନ୍ତ୍ରୀ ଥିବା ସାଂସଦମାନେ ମନ୍ତ୍ରୀତ୍ୱ କାଳରେ କେନ୍ଦ୍ରାପଡା (ବିଜୁ ପଟ୍ଟନାୟକ, ଶ୍ରୀକାନ୍ତ ଜେନା), କଟକ (ଜାନକୀ ବଲ୍ଲଭ ପଟ୍ଟନାୟକ), ପୁରୀ (ନୀଳମଣି ରାଉତରାୟ), ଆସ୍କା (ନବୀନ ପଟ୍ଟନାୟକ), ସୁନ୍ଦରଗଡ (ଜୁଏଲ ଓରାମ) ଓ ଭଦ୍ରକ (ଅର୍ଜୁନ ଚରଣ ସେଠୀ) ଲୋକସଭା ଆସନର ପ୍ରତିନିଧିତ୍ୱ କରୁଥିଲେ । ଏ ପର୍ଯ୍ୟନ୍ତ କୌଣସି ଓଡିଆ କ୍ୟାବିନେଟ ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ ଦିଆ ଯାଇ ନ ଥିବା ବା ବହିଷ୍କାର କରା ଯାଇ ନ ଥିବା ବେଳେ ବିଭିନ୍ନ କାରଣରୁ ଇସ୍ତଫା ଦେଇଥିବା ଚାରି ଜଣ କ୍ୟାବିନେଟ ମନ୍ତ୍ରୀ ହେଲେ ରବି ରାୟ, ବିଜୁ ପଟ୍ଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ ଓ ନବୀନ ପଟ୍ଟନାୟକ ।
ଓଡିଆ କ୍ୟାବିନେଟ ମନ୍ତ୍ରୀମାନଙ୍କ ମନ୍ତ୍ରାଳୟ, ପ୍ରଦର୍ଶନ ଆଦିକୁ ଲକ୍ଷ୍ୟ କଲେ ଜଣାଯାଏ ଯେ ସେମାନଙ୍କୁ କେବେ ବି ମନ୍ତ୍ରୀମଣ୍ଡଳରେ ଉପଯୁକ୍ତ ସ୍ଥାନ ଓ ଗୁରୁତ୍ୱ ପ୍ରଦାନ କରାଯାଇ ନାହିଁ । ଅତି ବେଶିରେ ସେମାନେ ପାର୍ଶ୍ୱ ଅଭିନେତା ଭଳି ଗୌଣ ଚରିତ୍ରମାନଙ୍କରେ ଅଭିନୟ କରି ଆସିଛନ୍ତି । ଓଡିଶାରେ ସାଂସଦଙ୍କ ସଂଖ୍ୟା ମାତ୍ର ୨୧ ହୋଇଥିବାରୁ ସଂଖ୍ୟା ବଳରେ କୌଣସି ରାଜନେତାଙ୍କୁ ଉପରୋକ୍ତ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ମିଳିବାର ସମ୍ଭାବନା କ୍ଷୀଣ । ତେବେ ସେ କ୍ଷେତ୍ରରେ ମନମୋହନ ସିଂହ, ଏସ ଜୟଶଙ୍କରଙ୍କ ପରି ଟେକ୍ନୋକ୍ରାଟଙ୍କୁ ଅର୍ଥ, ବିଦେଶ ମନ୍ତ୍ରାଳୟ ମିଳିଲା ଭଳି ଭବିଷ୍ୟତରେ ଓଡିଶାରୁ ସେହିଭଳି ଦକ୍ଷ ଓ ପ୍ରଭାବଶାଳୀ ଟେକ୍ନୋକ୍ରାଟ ବାହାରିଲେ ହୁଏତ କୌଣସି ଓଡିଆଙ୍କୁ ସେହି ମନ୍ତ୍ରାଳୟଗୁଡିକର ଦାୟିତ୍ୱ ମିଳି ଯାଇପାରେ । ଦେବେଗୌଡା ଓ ଗୁଜରାଲ ପ୍ରଧାନମନ୍ତ୍ରୀ ହେଲା ପରି, ମେଣ୍ଟ ରାଜନୀତିରେ ଆଞ୍ଚଳିକ ଦଳରେ ରାଜନୀତି କରୁଥିବା ରାଜନେତାମାନଙ୍କ ବେଳେବେଳେ ଅକସ୍ମାତ୍ ଅବସ୍ଥା ଚକ୍ରରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟରେ ଅବସ୍ଥାପିତ ହେବା ସମ୍ଭବ ହୋଇଥାଏ । ଦୀର୍ଘ ଦିନ ଧରି ଶାସନ କ୍ଷମତାରେ ଥିବା ଉଭୟ କଂଗ୍ରେସ ଓ ବିଜେପି ଭଳି ଜାତୀୟ ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରକଙ୍କ ସ୍ତରରେ କୌଣସି ଓଡିଆ ପହଞ୍ଚି ପାରି ନାହାନ୍ତି । ତେଣୁ କୌଣସି ମନ୍ତ୍ରୀ ପଦ ମିଳି ଗଲେ କେହି କେହି ନିଜକୁ ସୌଭାଗ୍ୟଶାଳୀ ମନେ କରିଥାଆନ୍ତି । ତେବେ ଜାତୀୟ ଦଳରେ ଥାଇ ରାଜନୀତି କରୁଥିବା ଓଡିଆ ରାଜନେତାମାନେ ଗୋଡାଣିଆ ନ ହୋଇ ନିଜ ରାଜନୈତିକ ବ୍ୟକ୍ତିତ୍ୱକୁ ବଳିଷ୍ଠ କରିବା ସହ ଦକ୍ଷତା ଓ ଉପଯୋଗିତାକୁ ପ୍ରତିପାଦିତ କରି ପାରିଲେ ହୁଏତ ଜାତୀୟ ରାଜନୀତିରେ ସେମାନଙ୍କ ଗୁରୁତ୍ୱ ବଢିବା ସହିତ ଭବିଷ୍ୟତରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ଭାବେ ସେମାନଙ୍କୁ ଦାୟିତ୍ୱ ମିଳିପାରନ୍ତା । ତା’ ଛଡା ଏଣିକି ତ ଅଧିକାଂଶ ନିଷ୍ପତ୍ତି ପିଏମଓ ସ୍ତରରେ ନିଆ ଯାଉଥିବା ଶୁଣା ଯାଉଛି । ତେଣୁ କିଏ ମନ୍ତ୍ରୀ ହେଲେ ବା ମନ୍ତ୍ରୀମଣ୍ଡଳରେ କେତେ ଜଣ ଓଡିଆ ସ୍ଥାନ ପାଇଲେ ଇତ୍ୟାଦି ବିଶେଷ ଅର୍ଥ ବହନ କରେ ନାହିଁ । ବରଂ ମନ୍ତ୍ରୀ ଜଣକର ଦକ୍ଷତା ଓ ସ୍ୱାଧୀନ ଭାବେ ନିଷ୍ପତ୍ତି ନେବାର କ୍ଷମତା ବା କାଟତି କେତେ ଅଧିକ ତା’ ଉପରେ ଅନେକ କିଛି ନିର୍ଭର କରିଥାଏ । ନ ହେଲେ ସେ ପାର୍ଟିର ମନ୍ତ୍ରୀ ହୋଇ ରହି ଯାଆନ୍ତି, ମାଟି ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇ ପାରନ୍ତି ନାହିଁ । କେହି କେହି ତ ନିଜକୁ ‘ଭାରତର ମନ୍ତ୍ରୀ’ ବୋଲି କହି ନା ଭାରତ ପାଇଁ କିଛି କରନ୍ତି ନା ନିଜ ରାଜ୍ୟ ପାଇଁ କିଛି କରି ପାରନ୍ତି । ଏଣିକି ପ୍ରଧାନମନ୍ତ୍ରୀଙ୍କ ନିକଟରେ ମନ୍ତ୍ରୀମାନଙ୍କ ଦ୍ୱାରା ରିପୋର୍ଟ କାର୍ଡ ପ୍ରସ୍ତୁତ ହେବା ଏକ ଚଳଣିରେ ପରିଣତ ହେଲାଣି । ସେହି ନ୍ୟାୟରେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ସବୁ ଓଡିଆ ମନ୍ତ୍ରୀ (ଜୀବିତ ଥିବା) ସେମାନଙ୍କ କାର୍ଯ୍ୟକାଳରେ ଓଡିଶା ପାଇଁ ନିର୍ଦ୍ଦିଷ୍ଟ ଭାବେ କ’ଣ କରିଥିଲେ, ତଦ୍ଦ୍ୱାରା ଓଡିଶାର କି ଲାଭ ହୋଇଥିଲା, ତା’ର ଏକ ବିବରଣୀ ରାଜ୍ୟବାସୀଙ୍କ ସମ୍ମୁଖରେ ଉପସ୍ଥାପନ କରନ୍ତୁ । ଏଥି ସହ ଏବର ମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ଦେଲା ବେଳେ ରାଜ୍ୟ ପାଇଁ କ’ଣ କରିଛନ୍ତି ତା’ର ବିବରଣୀ ରାଜ୍ୟବାସୀଙ୍କୁ ଦେବା ଅଭ୍ୟାସରେ ପରିଣତ କଲେ ରାଜ୍ୟ ପ୍ରତି ସେମାନଙ୍କ ଦାୟବଦ୍ଧତା ବଢିବା ସହିତ ଜନସାଧାରଣ ବାସ୍ତବରେ ଉପକୃତ ହୋଇ ପାରିବେ, ଏଥିରେ ସନ୍ଦେହ ନାହିଁ ।
----------------------------------------------------------------
ଆଲେଖ୍ୟରେ ସନ୍ନିବେଶିତ ଅଧିକାଂଶ ତଥ୍ୟ ଲୋକସଭା ସେକ୍ରେଟେରିଏଟ, ନୂଆଦିଲ୍ଲୀ ଦ୍ୱାରା 2016ରେ ପ୍ରକାଶିତ “Council of Ministers 1947-୨015 (From 15 August 1947 to 28 August 2015)” ପୁସ୍ତକରୁ ସଂଗୃହୀତ । ତେବେ ରବି ରାୟଙ୍କ ସମ୍ପର୍କରେ ପୁସ୍ତକର ପୃଷ୍ଠା ସଂଖ୍ୟା ୯୩ରେ ଉଲ୍ଲେଖ ରହିଛି ଯେ ସେ ୨୫.୦୧.୧୯୭୯ରୁ ୧୫.୦୭.୧୯୭୯ ପର୍ଯ୍ୟନ୍ତ ଶିକ୍ଷା ଓ ସମାଜ କଲ୍ୟାଣ ମନ୍ତ୍ରାଳୟର ଦାୟିତ୍ୱରେ ରହିବା ପରେ ୨୮.୭.୧୯୭୯ରୁ ୧୪.୦୧.୧୯୮୦ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଦାୟିତ୍ୱରେ ଥିଲେ । ତାଙ୍କ ଜୀବନୀ, ଶିକ୍ଷା ମନ୍ତ୍ରାଳୟ, ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ଅନ୍ୟ ଆନୁଷଙ୍ଗିକ ତଥ୍ୟ ଓ ଦସ୍ତାବିଜର ଅନୁଧ୍ୟାନରୁ ଜଣାପଡେ ଯେ ସେ ଉଲ୍ଲିଖିତ ସମୟରେ କେବଳ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦାୟିତ୍ୱରେ ଥିଲେ ।
(Published in Sambad Annual Issue 2021 on October 4, 2021)
Well researched article. Anyone would like greater nomination of his own state people in council of ministers. But...ideally a central minister job is to look after development of whole India.
ReplyDelete