Skip to main content

ସଫଳ ହେବ କି ବିଜେପି ବିରୋଧରେ ଟିଏମସିର ବିସ୍ତାର ଯୋଜନା ?

ଜଣେ ମହିଳା ହୋଇ ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ନିର୍ବାଚନୀ ମ୍ୟାସିନ କୁହାଯାଉଥିବା ମୋଦୀ-ସାହାଙ୍କ ଅପରାଜେୟ ଯୋଡିକୁ ମାତ୍ ଦେଇ ବିଜେପିର ନିର୍ବାଚନୀ ଅଶ୍ୱମେଧର ଅଶ୍ୱକୁ ଆଗେଇବାକୁ ନ ଦେଇ ଦଳର ପୂର୍ବୋଦୟର ସ୍ୱପ୍ନକୁ ଆପାତତଃ ଧୂଳିସାତ କରିଥିବା ଯୋଗୁ ଜାତୀୟ ରାଜନୀତିରେ ମମତା ବାନାର୍ଜୀଙ୍କ ଉଚ୍ଚତା ହଠାତ୍ ଅଧିକ ହୋଇଯାଇଛି । ଏଥି ସହିତ ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ପ୍ରତିହତ କରିବାରେ ସେ ଯେ ଏକ ବଡ ଭୂମିକା ନିର୍ବାହ କରି ପାରିବେ ତାହା ଅନେକଙ୍କ ବିଶ୍ୱାସ । ଟିଏମସିର ଏହି ଅପୂର୍ବ ନିର୍ବାଚନୀ ସଫଳତା ମଧ୍ୟ ମମତାଙ୍କଠାରେ ଯଥେଷ୍ଟ ଆତ୍ମବିଶ୍ୱାସ ଜନ୍ମାଇଛି, ଯାହା ଜାତୀୟ ସ୍ତରରେ ଦଳର ବିସ୍ତାର ପାଇଁ ତାଙ୍କୁ ଅନୁପ୍ରେରିତ କରିଛି । ପଶ୍ଚିମବଙ୍ଗରେ ନିର୍ବାଚନ ସରିବା ପରେ ସେଠାରେ ପ୍ରତ୍ୟହ ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀ ମାଇକରେ ପ୍ରଚାର କରି, ଅନଶନ କରି, ଲଣ୍ଡା ହୋଇ ତୃଣମୂଳ କଂଗ୍ରେସରେ ମିଶିବାର ଖବର ମିଳୁଛି । ଏହାର କାରଣ ନିର୍ବାଚନୀ ପରବର୍ତ୍ତୀ ହିଂସା ହୋଇପାରେ ବା ନିଜ ଅନିଶ୍ଚିତ ରାଜନୈତିକ ଭବିଷ୍ୟତ ନେଇ ଆଶଙ୍କା ହୋଇପାରେ । ବିଜେପିର ରାଷ୍ଟ୍ରୀୟ ଉପ ସଭାପତି ମୁକୁଳ ରାୟଙ୍କ ତୃଣମୂଳରେ ଯୋଗଦାନ ପରେ ଏହି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇ ସେଠାରେ ବିଜେପି ଦୁର୍ବଳ ହେଉଥିବାର ସୂଚନା ମିଳୁଛି । ବିଜେପିକୁ ପଶ୍ଚିମବଙ୍ଗରେ ଦୁର୍ବଳ କରିବା ସହ ଅନ୍ୟତ୍ର ତାକୁ ପ୍ରତିରକ୍ଷାତ୍ମକ କରି ପାରିଲେ ବିଜେପି ଆଉ କେବେ ପଶ୍ଚିମବଙ୍ଗ ବିଜୟର ସ୍ୱପ୍ନ ଦେଖିବ ନାହିଁ ବୋଲି ଦଳର ବିଶ୍ୱାସ । ତେବେ ପ୍ରଶ୍ନ ହେଉଛି, ଟିଏମସିର ପ୍ରସ୍ତାବିତ ବିସ୍ତାର ଯୋଜନା କଣ ଆଗାମୀ ନିର୍ବାଚନରେ ବିଜେପିକୁ ପରାହତ କରିବାକୁ ସକ୍ଷମ ହେବ ।

ବର୍ତ୍ତମାନ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଯେଉଁ ୬ଟି ରାଜନୈତିକ ଦଳ ଜାତୀୟ ଦଳର ମାନ୍ୟତା ପାଇଛନ୍ତି ସେଗୁଡିକ ମଧ୍ୟରେ ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ (ଏଆଇଟିଏମସି) ଅନ୍ୟତମ । ୨୦୧୪ ମସିହା ନିର୍ବାଚନରେ ତୃଣମୂଳ କଂଗ୍ରେସ ଦଳ ପଶ୍ଚିମବଙ୍ଗ, ଅରୁଣାଚଳ ପ୍ରଦେଶ, ମଣିପୁର, ତ୍ରିପୁରା, ଝାରଖଣ୍ଡ ଭଳି ୫ଟି ରାଜ୍ୟରେ ୬ ପ୍ରତିଶତରୁ ଅଧିକ ଭୋଟ ପାଇଥିବାରୁ ଓ ପଶ୍ଚିମବଙ୍ଗ, ତ୍ରିପୁରା, ଅରୁଣାଚଳ ପ୍ରଦେଶ ଓ ମଣିପୁର ଭଳି 4ଟି ରାଜ୍ୟରେ ରାଜ୍ୟ ଦଳର ମାନ୍ୟତା ପାଇଥିବାରୁ ତାକୁ ୨୦୧୬ ମସିହାରେ ଜାତୀୟ ଦଳର ମାନ୍ୟତା ପ୍ରଦାନ କରା ଯାଇଥିଲା । ତେବେ ଏହି ରାଜ୍ୟଗୁଡିକରେ ଦୁର୍ବଳ ସଂଗଠନ ଯୋଗୁ ୨୦୧୯ ନିର୍ବାଚନରେ ଟିଏମସି ଦଳ ପୂର୍ବ ପ୍ରଦର୍ଶନକୁ ଦୋହରାଇ ପାରି ନ ଥିଲା । ଏକ ଜାତୀୟ ଦଳ ଭାବେ ପୁନଃ ଆବିର୍ଭାବ ହେବାର ସ୍ୱପ୍ନକୁ ଦଳ ଏକ ପ୍ରକାର ତ୍ୟାଗ କରି ସାରିଥିଲା, ଯାହା ପଶ୍ଚିମବଙ୍ଗରେ ମିଳିଥିବା ଅପୂର୍ବ ସଫଳତା ପରେ ପୁନରୁଜ୍ଜୀବିତ ହୋଇଛି । ଅବଶ୍ୟ ଏ କ୍ଷେତ୍ରରେ ମମତା ବାନାର୍ଜୀଙ୍କ ବିଭିନ୍ନ ବିରୋଧୀ ଦଳ ନେତାଙ୍କ ସହ ଥିବା ଉତ୍ତମ ସମ୍ପର୍କ ସହାୟକ ହେବ ବୋଲି ଦଳର ବିଶ୍ୱାସ । ଉତ୍ତର-ପୂର୍ବ ଭାରତ ବ୍ୟତୀତ ଉତ୍ତରପ୍ରଦେଶ, ବିହାର, ଝାରଖଣ୍ଡ, କେରଳ, ଓଡିଶା ଆଦି କେତେକ ରାଜ୍ୟରେ ଦଳର ସଂଗଠନ ରହିଛି ଓ ତନ୍ମଧ୍ୟରୁ କେତେକ ରାଜ୍ୟରେ ଦଳ ଅତୀତରେ ନିର୍ବାଚନ ଲଢି ସାରିଛି ।      

ବିଜେପିକୁ ୨୦୨୪ ସାଧାରଣ ନିର୍ବାଚନରେ ମାତ୍ ଦେବା ଲାଗି ମମତା ବାନାର୍ଜୀ ଦୁଇଟି ସ୍ତରରେ ଉଦ୍ୟମ କରୁଥିଲା ପରି ମନେ ହୁଏ । ପ୍ରଥମ, ତୃଣମୂଳ କଂଗ୍ରେସ ଦଳର ଅନ୍ୟ ରାଜ୍ୟକୁ ବିସ୍ତାର ମାଧ୍ୟମରେ ଓ ଦ୍ୱିତୀୟ, ଟିଏମସି ଶକ୍ତିଶାଳୀ ନ ଥିବା ରାଜ୍ୟଗୁଡିକରେ ବିରୋଧୀ ଦଳଗୁଡିକ ମଧ୍ୟରେ ସମନ୍ୱୟ ରକ୍ଷା କରି ସେମାନଙ୍କୁ ବିଜେପି ବିପକ୍ଷରେ ଗୋଟିଏ ମଞ୍ଚକୁ ଆଣିବା ମାଧ୍ୟମରେ । ବିଭିନ୍ନ ରାଜ୍ୟରେ ବଙ୍ଗଭାଷୀ ଅଧ୍ୟୁଷିତ ଆସନଗୁଡିକୁ ଦୃଷ୍ଟିରେ ରଖି ଟିଏମସି ତା’ର ବିସ୍ତାର ଯୋଜନା ପ୍ରସ୍ତୁତ କରୁଛି । ଏହି କ୍ରମରେ ସର୍ବାଧିକ ବଙ୍ଗଭାଷୀ ଥିବା ତ୍ରିପୁରା ରାଜ୍ୟରେ ବିସ୍ତାର ଉପରେ ଦଳ ସର୍ବାଧିକ ଗୁରୁତ୍ୱ ଦେଉଛି । ଏହି ଲକ୍ଷ୍ୟ ହାସଲ ପାଇଁ ଅଭିଷେକ ବାନାର୍ଜୀଙ୍କୁ ଦଳର ସର୍ବ ଭାରତୀୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ଏହି ପଦରେ ନିଯୁକ୍ତି ପରେ ଟିଏମସିର ସର୍ବ ଭାରତୀୟ ବିସ୍ତାର ପାଇଁ ଦଳ ଯୋଜନାବଦ୍ଧ ଢଙ୍ଗରେ ଆଗେଇବେ ବୋଲି କହିଥିଲେ । ତଦନୁଯାୟୀ ଦଳ କେବଳ ଅଳ୍ପ କେତାଟି ଆସନ ପାଇବା ପାଇଁ ନିର୍ବାଚନ ନ ଲଢି ସରକାର ଗଠନ କରିବାକୁ ଲଢିବ ବୋଲି ସ୍ପଷ୍ଟ କରିଥିଲେ । ଏହି ବିସ୍ତାର ପାଇଁ ଟିଏମସିରେ ମୁକୁଳ ରାୟଙ୍କ ଆବଶ୍ୟକତା ଅନୁଭୂତ ହେବାରୁ ବିଜେପିର ଏହି ରାଷ୍ଟ୍ରୀୟ ଉପ ସଭାପତିଙ୍କୁ ବିଜେପି ତ୍ୟାଗ କରାଇ ଟିଏମସିରେ ଯୋଗ ଦେବା ପାଇଁ ପ୍ରରୋଚିତ କରି ସଫଳ ହୋଇଥିଲେ ଅଭିଷେକ ।

ଟିଏମସି ଛାଡି ୨୦୧୭ ମସିହାରେ ମୁକୁଳ ରାୟ ବିଜେପିରେ ଯୋଗ ଦେଇଥିଲେ । ବସ୍ତୁତଃ, ବିଜେପିରେ ତାଙ୍କ ଯୋଗଦାନ ପରେ ପଶ୍ଚିମବଙ୍ଗରେ ବିଜେପି ଶକ୍ତିଶାଳୀ ହୋଇ ପାରିଥିଲା । ତେବେ ଏଥି ସହିତ ଟିଏମସି ଦଳର ସର୍ବ ଭାରତୀୟ ଉପସ୍ଥିତି ହ୍ରାସ ପାଇ ତାହା କେବଳ ପଶ୍ଚିମବଙ୍ଗ ମଧ୍ୟରେ ସୀମିତ ହୋଇ ଯାଇଥିଲା । ପଶ୍ଚିମବଙ୍ଗରେ ୨୦୧୬ ମସିହା ବିଧାନସଭା ନିର୍ବାଚନ ବେଳେ କଂଗ୍ରେସ ଦଳ ବାମପନ୍ଥୀ ଦଳଙ୍କ ସହ ମେଣ୍ଟ କରିଥିବାର ସୁଯୋଗ ନେଇ ମୁକୁଳ ରାୟ ତ୍ରିପୁରାର ୬ ଜଣ କଂଗ୍ରେସ ବିଧାୟକଙ୍କୁ ଟିଏମସିକୁ ଆଣି ପାରିଥିଲେ । ମୁକୁଳ ରାୟ ବିଜେପିରେ ଯୋଗ ଦେବା ପରେ ସେହି ବିଧାୟକମାନେ ବି ବିଜେପିରେ ଯୋଗ ଦେଇଥିଲେ ଓ ୨୦୧୮ରେ ହୋଇଥିବା ନିର୍ବାଚନରେ ବିଜେପି ଟିକେଟରେ ଲଢି ଜିତିଥିଲେ । ଏମାନଙ୍କ ମଧ୍ୟରୁ ସୁଦୀପ ରାୟ ବର୍ମନ ସ୍ୱାସ୍ଥ୍ୟ ମନ୍ତ୍ରୀ ହୋଇଥିଲେ ବି ୨୦୧୯ରେ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ ଦିଆ ଯିବା ପରେ ସେ ଓ ତାଙ୍କ ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ବିରୋଧ କରି ଆସୁଛନ୍ତି । ତ୍ରିପୁରାରେ ବିଜେପିର ଶକ୍ତି ବୃଦ୍ଧିରେ ବି ମୁକୁଳ ରାୟଙ୍କର ଭଲ ଅବଦାନ ଥିଲା । ବର୍ତ୍ତମାନ ସେଠାରେ ବିଜେପି ସ୍ଥାନୀୟ ଆଇପିଏଫଟି ସହ ମିଶି ସରକାର ଗଠନ କରିଛି ଯେଉଁଥିରେ ବିଜେପିର ୩୬ ଜଣ ବିଧାୟକ ଥିଲା ବେଳେ ଆଇପିଏଫଟିର ୮ ଜଣ ଅଛନ୍ତି । ତ୍ରିପୁରାରେ ବିଜେପିର ଅସନ୍ତୁଷ୍ଟ ଗୋଷ୍ଠୀର ନେଜୃତ୍ୱ ନେଉଛନ୍ତି ସୁଦୀପ ରାୟ ବର୍ମନ ଓ ତାଙ୍କ ପଛରେ ୧୫ ଜଣ ବିଧାୟକଙ୍କ ସମର୍ଥନ ରହିଛି ବୋଲି ସେ ଦାବି କରୁଛନ୍ତି । ସୁଦୀପଙ୍କର ମୁକୁଳଙ୍କ ପ୍ରତି ଆନୁଗତ୍ୟ ଥିବାରୁ ଟିଏମସି ଯଦି ଏହି ଅସନ୍ତୁଷ୍ଟ ଗୋଷ୍ଠୀଟିକୁ ନିଜ ପକ୍ଷକୁ ଆଣି ପାରିବ ତେବେ ସେଠାରେ ବିଜେପି ସରକାର ସଂଖ୍ୟାଗରିଷ୍ଠତା ହରାଇବାର ଆଶଙ୍କା ଦେଖା ଦେଇପାରେ, କାରଣ ଅପ୍ରେଲ ୨୦୨୧ରେ ଅନୁଷ୍ଠିତ ହୋଇଥିବା ତ୍ରିପୁରା ଆଦିବାସୀ ଅଞ୍ଚଳ ସ୍ୱୟଂଶାସିତ ଜିଲ୍ଲା କାଉନସିଲ ନିର୍ବାଚନରେ ଆଇପିଏଫଟିର ଶୋଚନୀୟ ପ୍ରଦର୍ଶନ ପରେ ଉଭୟ ବିଜେପି ଓ ଆଇପିଏଫଟି ଦଳ ମଧ୍ୟରେ ସମ୍ପର୍କ ଆଉ ସେତେଟା ସୌହାର୍ଦ୍ଦ୍ୟପୂର୍ଣ୍ଣ ରହିନାହିଁ । ଏହି ନିର୍ବାଚନରେ ତିପ୍ରା ମୋଥା ଦଳର ଉଲ୍ଲେଖନୀୟ ସଫଳତା ପରେ ରାଜ୍ୟ ରାଜନୀତିରେ ଏହାର ନେତା ପ୍ରଦ୍ୟୋତ ଦେବ ବର୍ମନଙ୍କ, ଯେ କି ପୂର୍ବତନ ରାଜ୍ୟ କଂଗ୍ରେସ ସଭାପତି ଥିଲେ, ଗୁରୁତ୍ୱ ଯଥେଷ୍ଟ ବଢିଛି ।  ତ୍ରିପୁରାରେ ବଙ୍ଗଭାଷୀଙ୍କ ସଂଖ୍ୟା ଅଧିକ ହୋଇଥିବାରୁ ସେଠାରେ ନିଜ ଶକ୍ତି ବଢାଇବାକୁ ଟିଏମସି ପ୍ରାଥମିକତା ଦେଇ କାମ ଆରମ୍ଭ କରି ସାରିଲାଣି । ଏଥିପାଇଁ ମୁକୁଳ ରାୟଙ୍କୁ ବିଶେଷ ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି ବୋଲି ଶୁଣାଯାଏ । ଇତିମଧ୍ୟରେ ତ୍ରିପୁରା ପାଇଁ ଦଳ ପକ୍ଷରୁ ‘ଖେଲା ହବେ, ତ୍ରିପୁରା ତେ ଖେଲା ହବେ’ ନାମକ ଏକ ନୂଆ ପ୍ରଚାର ଭିଡିଓ ରିଲିଜ ହୋଇଛି । ପ୍ରଦ୍ୟୋତ ଦେବ ବର୍ମନଙ୍କ ସହ ସମନ୍ୱୟ ରକ୍ଷା କରି ଦଳ ତ୍ରିପୁରାରେ ବିଜେପିକୁ କ୍ଷମତାଚ୍ୟୁତ କରିବାକୁ ଆଶାୟୀ । ଏଥି ସହିତ ଉତ୍ତର-ପୂର୍ବାଞ୍ଚଳରେ ଦଳର ସଂଗଠନ ଥିବା ଅରୁଣାଚଳ ପ୍ରଦେଶ, ମଣିପୁର, ଆସାମ ଆଦି ରାଜ୍ୟଗୁଡିକରେ ମଧ୍ୟ ସଂଗଠନକୁ ମଜବୁତ କରିବାକୁ ଉଦ୍ୟମ ହୋଇପାରେ । ଉଲ୍ଲେଖଯୋଗ୍ୟ ଏ ସବୁ ରାଜ୍ୟରେ ଦଳ ପୂର୍ବରୁ ନିର୍ବାଚନ ଲଢି ବିଧାନସଭାକୁ ବିଧାୟକ ପଠାଇସାରିଛି ।         

ପଶ୍ଚିମବଙ୍ଗର ୨୦୨୧ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ଦଳର ସଫଳତା ପଛରେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର (ପିକେ) ଓ ତାଙ୍କ ଇଣ୍ଡିଆନ ପଲିଟିକାଲ ଆକସନ କମିଟି (ଆଇ-ପାକ) ସଂସ୍ଥାର ଅବଦାନ ଅନସ୍ୱୀକାର୍ଯ୍ୟ । ଆଗାମୀ ଦିନଗୁଡିକରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନରେ ସେହି ପିକେ ମ୍ୟାଜିକର ଲାଭ ଉଠାଇବା ପାଇଁ ତୃଣମୂଳ କଂଗ୍ରେସ ୨୦୨୬ ପର୍ଯ୍ୟନ୍ତ ପୁଣି ପାଞ୍ଚ ବର୍ଷ ଲାଗି ଆଇ-ପାକ ସଂସ୍ଥା ସହ ଅନୁବନ୍ଧିତ ହୋଇଛି । ଅବଶ୍ୟ ପିକେ ଆଇ-ପାକରୁ ଓହରି ଯାଇଥିବାରୁ ସେ ସଂସ୍ଥାର ଦୈନନ୍ଦିନ କାର୍ଯ୍ୟରେ ସାମିଲ ନ ରହିଲେ ବି ସଂସ୍ଥାର ଚାଳିକା ଶକ୍ତି ରୂପେ କାମ କରିବେ ବୋଲି ଜଣା ପଡୁଛି । ଏହି ସମୟ ମଧ୍ୟରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ ଥିବା ପଞ୍ଚାୟତ ଓ ସ୍ୱାୟତ୍ତଶାସନ ସଂସ୍ଥାଗୁଡିକର ନିର୍ବାଚନରୁ ଆରମ୍ଭ କରି ୨୦୨୪ର ଲୋକସଭା ନିର୍ବାଚନ ଓ ୨୦୨୬ର ବିଧାନସଭା ନିର୍ବାଚନ ଯାଏଁ ଆଇ-ପାକ ସହ ଚୁକ୍ତି ବଳବତ୍ତର ରହିବ । ଟିଏମସିର ବିସ୍ତାର ଯୋଜନାରେ ପିକେ ଏକ ବଡ ଭୂମିକା ନିର୍ବାହ କରିବାକୁ ଯାଉଥିବାର ସୂଚନା ମିଳି ସାରିଥିଲା ନିର୍ବାଚନ ପରେ ତାଙ୍କୁ ଦଳ ତରଫରୁ ଦିଆ ଯାଉଥିବା ଗୁରୁତ୍ୱ ଓ ସମ୍ମାନରୁ । ପିକେଙ୍କ ଆଇ-ପାକ୍ ସଂସ୍ଥା ସାରା ଭାରତରେ ବିଭିନ୍ନ ଦଳର ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିବାରେ ନିୟୋଜିତ ହୋଇ ସାରିଛି । ସେହି ସୂତ୍ରରେ ପିକେଙ୍କ ସମ୍ପର୍କ ବିରୋଧୀ ଦଳରେ ଥିବା ବିଭିନ୍ନ ନେତା ଯଥା ପଞ୍ଜାବରେ ଅମରିନ୍ଦର ସିଂହ, ଆମ ଆଦମୀ ପାର୍ଚିର କେଜରିୱାଲ, ୱାଇଏସଆର କଂଗ୍ରେସର ଜଗନ ମୋହନ ରେଡ୍ଡି, ଡିଏମକେର ଷ୍ଟାଲିନ ଆଦିଙ୍କ ସହ ଘନିଷ୍ଠ । ସେ ୨୦୧୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ପାଇଁ କାର୍ଯ୍ୟ କରି ସାରିଥିବାରୁ ଉଭୟ ରାହୁଳ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସହ ମଧ୍ୟ ତାଙ୍କ ସମ୍ପର୍କ କିଛି ମନ୍ଦ ନୁହେଁ । ସେ ବିଜେପି ପାଇଁ ମଧ୍ୟ ୨୦୧୪ ସାଧାରଣ ନିର୍ବାଚନରେ ରଣନୀତି ପ୍ରସ୍ତୁତ କରିଥିଲେ । ଅମିତ ସାହାଙ୍କ ସହ ତାଙ୍କ ସମୀକରଣ ସ୍ୱଚ୍ଛନ୍ଦ ନ ରହିବାରୁ ତାଙ୍କୁ ବିଜେପି ସହ ସମ୍ପର୍କ ଚ୍ଛିନ୍ନ କରିବାକୁ ପଡିଥିଲା ବୋଲି କୁହାଯାଏ । ଜାତିବାଦରେ ବିଶ୍ୱାସ କରୁ ନ ଥିଲେ ବି ଚାଣକ୍ୟଙ୍କ ପରି ମଗଧର ଏହି ଚୂଟିହୀନ ବ୍ରାହ୍ମଣ ତାଙ୍କ ଅପମାନର ପ୍ରତିଶୋଧ ନେବାକୁ ସତେ ଯେମିତି ଆତୁର । ବିଜେପି ସହ ଅତି ନିକଟରୁ କାର୍ଯ୍ୟ କରିଥିବାରୁ ସେ ସେହି ଦଳର ଶକ୍ତି ଓ ଦୁର୍ବଳତା ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ । ବିଜେପିକୁ ନିର୍ବାଚନରେ ପ୍ରତିହତ କରିବା ଆଦୌ କଷ୍ଟସାଧ୍ୟ ନୁହେଁ ବୋଲି ତାଙ୍କର ବିଶ୍ୱାସ ଓ ତାହା ସେ ପଞ୍ଜାବ, ଦିଲ୍ଲୀ, ପଶ୍ଚିମବଙ୍ଗ ଆଦି ରାଜ୍ୟରେ ନିର୍ବାଚନ ଜିତି ପ୍ରମାଣ କରି ସାରିଛନ୍ତି । ଜାତୀୟ ସ୍ତରରେ ତାହା କରିବାକୁ ହେଲେ ବିରୋଧୀ ଦଳଗୁଡିକୁ ଗୋଟିଏ ମଞ୍ଚକୁ ଆଣିବାକୁ ହେବ । କୌଣସି ଦଳରେ ନ ଥିବା ପିକେଙ୍କ ବିଭିନ୍ନ ରାଜନେତାଙ୍କ ସହ ସମ୍ପର୍କକୁ ପୁଞ୍ଜି କରି ବିରୋଧୀ ଦଳଗୁଡିକୁ ଯୋଡିବା ପାଇଁ ପିକେଙ୍କୁ ଯଥାସମ୍ଭବ ଅଠା ଭଳି ଉପଯୋଗ କରା ଯାଇପାରିବ ବୋଲି ମମତାଙ୍କ ବିଶ୍ୱାସ । ସମ୍ଭବତଃ, ସମ୍ପ୍ରତି ଭାରତୀୟ ରାଜନୀତିରେ ଏହି କାର୍ଯ୍ୟଟି ପିକେ ବେଶ ଭଲ ଭାବେ କରି ପାରିଲା ଭଳି ମନେ ହୁଏ । ଏହି ପରିପ୍ରେକ୍ଷୀରେ ପିକେଙ୍କ ଏନସିପି ନେତା ଶରଦ ପାୱାରଙ୍କ ସହ ଲାଗ ଲାଗ ଦୁଇ ଥର ସାକ୍ଷାତ ଆଲୋଚନା ପରେ ଶରଦ ପାୱାର କଂଗ୍ରେସ ଭିନ୍ନ ଅନ୍ୟ ବିରୋଧୀ ଦଳ ନେତାମାନଙ୍କୁ ଡାକି ବୈଠକର ଆୟୋଜନ କରିବାକୁ ବେଶ ଗୁରୁତ୍ୱ ପ୍ରଦାନ କରାଯାଉଛି । ଏହା ଏକ ବିଜେପି ବିରୋଧୀ ତୃତୀୟ ଫ୍ରଣ୍ଟ ଗଠନର ଇଙ୍ଗିତ ଦେଉଛି । ଏ ସବୁ ସତ୍ତ୍ୱେ କଂଗ୍ରେସ ଦଳ ୨୦୧୯ ସାଧାରଣ ନିର୍ବାଚନରେ ୫୨ଟି ଆସନରେ ଜିତିଥିବା ଓ ପ୍ରାୟ ୧୬୦ଟି ଆସନରେ ଦ୍ୱିତୀୟ ସ୍ଥାନରେ ରହିଥିବାରୁ ସେହି ଦଳ ସହ ସମନ୍ୱୟ ରକ୍ଷା ନ କରି ବିଜେପିକୁ ପ୍ରତିହତ କରିବା ମେଣ୍ଟ ପକ୍ଷରେ ହୁଏତ ସମ୍ଭବ ହୋଇ ନ ପାରେ । ତା’ ଛଡା ଉଭୟ ଶରଦ ପାୱାର ଓ ମମତା ବାନାର୍ଜୀଙ୍କ କଂଗ୍ରେସ ପୃଷ୍ଠଭୂମିରୁ ଆସିଥିବାରୁ କଂଗ୍ରେସ ସହ ସମନ୍ୱୟ ରକ୍ଷା କରିବାକୁ ଚେଷ୍ଟା କରିପାରନ୍ତି । ଭବିଷ୍ୟତରେ ଜାତୀୟ ସ୍ତରରେ ଅନ୍ୟ ଦଳର ନେତାମାନଙ୍କ ସହ ଯୋଗାଯୋଗ ରକ୍ଷା କରିବା ପାଇଁ ମମତା ବାନାର୍ଜୀ ପିକେଙ୍କୁ ଉପଯୋଗ କରି ପାରନ୍ତି । ଅବଶ୍ୟ ଏ ଦିଗରେ ଟିଏମସିର ଜାତୀୟ ଉପ ସଭାପତି ତଥା ପୂର୍ବତନ ବରିଷ୍ଠ ବିଜେପି ନେତା ଯଶୱନ୍ତ ସିନ୍ହାଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିବ । 

ପଶ୍ଚିମବଙ୍ଗ ନିର୍ବାଚନ ବେଳେ ଶରଦ ପାୱାର ମମତା ବାନାର୍ଜୀଙ୍କୁ ଖୋଲାଖୋଲି ସମର୍ଥନ ଜଣାଇଥିଲେ । ସେହିପରି ମମତାଙ୍କ ସପକ୍ଷରେ ବାହାରିଥିବା ଅନ୍ୟାନ୍ୟ ଦଳ ଓ ନେତାମାନେ ଥିଲେ ଶିବସେନା, ଆମ ଆଦମୀ ପାର୍ଟିର ଅରବିନ୍ଦ କେଜରିୱାଲ, ଆରଜେଡିର ତେଜସ୍ୱୀ ଯାଦବ, ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ, ଜେଏମଏମର ହେମନ୍ତ ସୋରେନ, ନ୍ୟାସନାଲ କନଫରେନ୍ସର ଓମର ଅବଦୁଲ୍ଲା ଇତ୍ୟାଦି । ଦଳ ଦିଲ୍ଲୀ, ବିହାର, ଉତ୍ତର ପ୍ରଦେଶ ଓ ଝାରଖଣ୍ଡରେ ବିସ୍ତାର ଯୋଜନାକୁ ରୂପାୟିତ କରିବାକୁ ଅଗ୍ରସର ହେଲେ ଏମାନଙ୍କ ମଧ୍ୟରୁ ଆପ୍, ଆରଜେଡି, ଏସପି ଓ ଜେଏମଏମ ସହ ସ୍ୱାର୍ଥଦ୍ୱନ୍ଦ୍ୱ ହୋଇପାରେ । ବିଜେପିକୁ ରୋକିବା ମମତାଙ୍କର ମୂଳ ଲକ୍ଷ୍ୟ ହୋଇଥିବାରୁ ଯେଉଁଠାରେ ଦଳର ବିସ୍ତାର ବିଜେପିକୁ ଦୁର୍ବଳ କରିବାର ସମ୍ଭାବନା ଅଧିକ ଥିବ କେବଳ ସେହି ସ୍ଥାନମାନଙ୍କରେ ଦଳୀୟ ବିସ୍ତାରକୁ ତ୍ୱରାନ୍ୱିତ କରା ଯାଇପାରେ । ତେଣୁ ତାଙ୍କ ବିସ୍ତାର ଯୋଜନାର ବିଜେପି ଉପରେ କିଛିଟା ପ୍ରଭାବ ଉତ୍ତର-ପୂର୍ବ ଭାରତରେ ଅନୁଭୂତ ହୋଇପାରେ । ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ବିଜେପି ବିରୁଦ୍ଧରେ ଟିଏମସି ‘ବହିରାଗତ’ ପ୍ରସଙ୍ଗଟିକୁ ଗୁରୁତ୍ୱର ସହ ଉଠାଇଥିବାରୁ ତାହା ହିଁ ଦଳ ପାଇଁ ଅନ୍ୟ ରାଜ୍ୟରେ ବିସ୍ତାର କ୍ଷେତ୍ରରେ ଆହ୍ୱାନ ସୃଷ୍ଟି କରିପାରେ । ଟିଏମସି ଦଳର ସାଂଗଠନିକ ବିସ୍ତାର ଓ ରଣନୀତି ବିଜେପିର ଅନ୍ୟ ରାଜ୍ୟଗୁଡିକରେ ଅଗ୍ରଗତିକୁ ପ୍ରତିହତ କରିବାରେ କେତେ ଦୂର ଫଳପ୍ରଦ ହେବ, ତାହା ସମୟ କହିବ ।

 

Published in Odisha Reporter on June 23, 2021

Comments

  1. After winning majority BJP is becoming an autocratic while taking some important national issues.Existence of Regional parties in Federal structure is very useful to stop the dictator attitude of majority party. Maintaing good relationship with Regional Parties is also need of the hour.
    You have covered the present political scenario and the call of opposition to form a third front to check the BJP.
    Nice article.Thanks for such article.

    ReplyDelete
  2. ବିଜେପି ପରିପ୍ରେକ୍ଷୀରେ ତୃଣମୂଳ କଂଗ୍ରେସର ବିସ୍ତାର ଯୋଜନା ଉପରେ ଆପଣଙ୍କ ଲେଖାଟି ଏକ ପୂର୍ଣ୍ଣାଙ୍ଗ ବିଶ୍ଳେଷଣ ।
    ଭଲ ଲାଗିଲା ।

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍