Skip to main content

ଏସଡିଜି ସୂଚକାଙ୍କ ତାଲିକାରେ ଓଡିଶା ପଛରେ କାହିଁକି ?

ନୀତି ଆୟୋଗ ଦ୍ୱାରା ଗତ ତିନି ବର୍ଷ ଧରି ଦେଶରେ ଏକ ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି)  ସୂଚକାଙ୍କ ତାଲିକା ପ୍ରସ୍ତୁତ ହୋଇ ଆସୁଛି ଓ ସେହି ଅନୁସାରେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଙ୍କର ପ୍ରଦର୍ଶନକୁ ଭିତ୍ତି କରି ସେମାନଙ୍କର ରାଙ୍କିଙ୍ଗ ପ୍ରସ୍ତୁତ ହେଉଛି । ୨୦୨୦-୨୧ ବର୍ଷ ପାଇଁ ପ୍ରସ୍ତୁତ ସୂଚକାଙ୍କ ତାଲିକାରେ ୨୮ଟି ରାଜ୍ୟ ମଧ୍ୟରେ ଓଡିଶା ୬୧ ନମ୍ୱର ପାଇ ୨୧ତମ ସ୍ଥାନରେ ରହିବା ପରେ ଓଡିଶାର ଏହି ନିମ୍ନ ପ୍ରଦର୍ଶନ ପାଇଁ ଆଲୋଚନା ହେଉଛି । ଏହି ତାଲିକାରେ ଓଡିଶା ତଳକୁ ଯେଉଁ ୭ଟି ରାଜ୍ୟ ରହିଛନ୍ତି ସେଗୁଡିକ ହେଲେ ବିହାର, ଝାରଖଣ୍ଡ, ଆସାମ, ଉତ୍ତରପ୍ରଦେଶ, ରାଜସ୍ଥାନ, ମେଘାଳୟ ଓ ଅରୁଣାଚଳ ପ୍ରଦେଶ । ଉଲ୍ଲେଖଯୋଗ୍ୟ ଯେ ୨୦୧୯-୨୦ ତାଲିକାରେ ଓଡିଶା ତଳକୁ ଥିବା ୧୦ଟି ରାଜ୍ୟ ମଧ୍ୟରୁ ଏ ବର୍ଷ ତାଲିକାରେ ଛତିଶଗଡ, ହରିଆଣା ଓ ନାଗାଲାଣ୍ଡ ରାଜ୍ୟ ଓଡିଶା ଉପରକୁ ଉଠି ଯାଇଥିବାରୁ ଓଡିଶାର ସ୍ଥାନ ତଳକୁ ଖସି ଆସିଛି । ତେବେ ଏହି ତାଲିକାଟିର ପ୍ରସ୍ତୁତି ପ୍ରକ୍ରିୟା ସହ  ଓଡିଶାର ପ୍ରଦର୍ଶନ କାହିଁକି ଆଶାନୁରୂପ ହୋଇ ପାରୁନାହିଁ ତାହା ବୁଝିବାର ଆବଶ୍ୟକତା ରହିଛି ।

ଜାତିସଙ୍ଘର ୧୯୩ଟି ସଭ୍ୟ ଦେଶଙ୍କ ଅନୁମୋଦନ କ୍ରମେ ଜାନୁଆରୀ ୧, ୨୦୧୬ଠାରୁ ଆଗାମୀ ୧୫ ବର୍ଷ ମଧ୍ୟରେ ୧୭ଟି ଲକ୍ଷ୍ୟ ଓ ୧୬୯ଟି ଉଦ୍ଦେଶ୍ୟ ହାସଲ କରିବା ଲାଗି ଏକ ନିରନ୍ତର ବିକାଶ ଲକ୍ଷ୍ୟ (ସସଟେନେବଲ ଡେଭଲପମେଣ୍ଟ ଗୋଲ) ଘୋଷିତ ହେଲା । ଭାରତ ମଧ୍ୟ ଏସଡିଜି ଲକ୍ଷ୍ୟ ହାସଲ ପାଇଁ ପ୍ରସ୍ତୁତ ଆଜେଣ୍ଡା ୨୦୩୦ର କାର୍ଯ୍ୟପନ୍ଥା ପ୍ରତି ସମ୍ପୂର୍ଣ୍ଣ କଟିବଦ୍ଧ । ଏଥିପାଇଁ ପ୍ରଚଳିତ ସରକାରୀ ଯୋଜନାଗୁଡିକୁ ନୀତି ଆୟୋଗ ଦ୍ୱାରା ଚିହ୍ନିତ କରା ଯାଇଛି । ତେବେ ଏହି ଲକ୍ଷ୍ୟ ହାସଲ ପାଇଁ ରାଜ୍ୟ ଓ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡିକର ସକ୍ରିୟ ଅଂଶଗ୍ରହଣ ଅପରିହାର୍ଯ୍ୟ ହୋଇଥିବାରୁ ସେଥି ପ୍ରତି ବିଶେଷ ଧ୍ୟାନ ଦିଆ ଯାଇ ପ୍ରତି ରାଜ୍ୟର ପ୍ରତିଟି ଲକ୍ଷ୍ୟ ହାସଲରେ ଅଗ୍ରଗତିକୁ ଲିପିବଦ୍ଧ କରିବା ପାଇଁ ତିନି ବର୍ଷ ଧରି ପ୍ରତି ବର୍ଷ ନୀତି ଆୟୋଗ ଦ୍ୱାରା ଏକ ଏସଡିଜି ସୂଚକାଙ୍କ ପୁସ୍ତିକା ପ୍ରକାଶ ପାଇ ଆସୁଛି । ୨୦୧୮ ଡିସେମ୍ୱର ମାସରେ ପ୍ରକାଶିତ ପ୍ରଥମ ପୁସ୍ତିକାଟିରେ ବେସ ଲାଇନ ତଥ୍ୟ ଆଧାରରେ ସୂଚକାଙ୍କ ପ୍ରସ୍ତୁତ ହୋଇଥିବା ବେଳେ ୨୦୧୯-୨୦ ଓ ୨୦୨୦-୨୧ ପାଇଁ ପ୍ରକାଶିତ ପୁସ୍ତିକାରେ ବାର୍ଷିକ ସୂଚକାଙ୍କ ସ୍ଥାନିତ । ବିଭିନ୍ନ ଲକ୍ଷ୍ୟ ହାସଲ କରିବା ଦିଗରେ ପ୍ରତିଟି ରାଜ୍ୟର ପ୍ରଦର୍ଶନ ଅନୁଯାୟୀ ସେମାନେ ପାଇଥିବା ଅଙ୍କ ଆଧାରରେ ସେଗୁଡିକୁ ଚାରିଟି ଶ୍ରେଣୀରେ ବିଭକ୍ତ କରା ଯାଇଥାଏ । ୦ରୁ ୪୯ ଅଙ୍କ ପାଇଥିବା ରାଜ୍ୟ ‘ଆକାଂକ୍ଷୀ’ (ଆସ୍ପିରାଣ୍ଟ), ୫୦ରୁ ୬୪ ଅଙ୍କ ପାଇଥିବା ରାଜ୍ୟ ‘ନିର୍ବାହକ’ ( ପରଫର୍ମର), ୬୫ରୁ ୯୯ ଅଙ୍କ ପାଇଥିବା ରାଜ୍ୟ ‘ଅଗ୍ରଣୀ’ (ଫ୍ରଣ୍ଟ ରନର) ଓ ୧୦୦ ଅଙ୍କ ପାଇଥିବା ରାଜ୍ୟ ‘ଅର୍ଜନକାରୀ’ (ଆଚିଭର) ଶ୍ରେଣୀଭୁକ୍ତ ହୋଇଥାଆନ୍ତି । ସମସ୍ତ ଲକ୍ଷ୍ୟରେ ମିଳିଥିବା ଅଙ୍କକୁ ଏକୀକୃତ କରି ଚୂଡାନ୍ତ ସୂଚକାଙ୍କ ତାଲିକାଟି ପ୍ରସ୍ତୁତ ହୋଇଥାଏ । ୨୦୧୮ରେ ସମୁଦାୟ ୧୭ଟି ଲକ୍ଷ୍ୟ ମଧ୍ୟରୁ ୧୩ଟି ଲକ୍ଷ୍ୟରେ ପ୍ରଦର୍ଶନକୁ ବିଚାରକୁ ନିଆ ଯାଇଥିବା ବେଳେ ପରବର୍ତ୍ତୀ ଦୁଇ ବର୍ଷ ଧରି ୧୫ଟି ଲକ୍ଷ୍ୟରେ ପ୍ରଦର୍ଶନକୁ ବିଚାରକୁ ନିଆଯାଇଛି । ଏସଡିଜିର ୧୪ ନମ୍ୱର ଲକ୍ଷ୍ୟ ମହାସାଗର, ସାଗରର ସଂରକ୍ଷଣ ଓ ସାମୁଦ୍ରିକ ସମ୍ୱଳର ବିକାଶ ସବୁ ରାଜ୍ୟ ପ୍ରତି ପ୍ରଯୁଜ୍ୟ ହୋଇ ନ ଥିବାରୁ ଓ ୧୭ ନମ୍ୱର ଲକ୍ଷ୍ୟ (ଭାଗିଦାରୀ) ରାଜ୍ୟ ସ୍ତରରେ ଉପଯୁକ୍ତ ତଥ୍ୟ ଅଭାବରୁ, ସେ ଦୁଇଟିକୁ ବିଚାରକୁ ନିଆଯାଇ ନାହିଁ ।  ୨୦୧୮ରେ ଜାତୀୟ ସ୍ତରରେ ପ୍ରଦର୍ଶନ ୫୭ ଅଙ୍କ ଥିବା ବେଳେ ତାହା ଏ ବର୍ଷ ୬୬କୁ ବୃଦ୍ଧି ପାଇଛି । ସେହି ସମୟ ମଧ୍ୟରେ ଓଡିଶାର ପ୍ରଦର୍ଶନ ୫୧ରୁ ବଢି ୬୧ରେ ପହଞ୍ଚିଥିଲେ ମଧ୍ୟ ତାହା ଏ ଯାଏଁ ଜାତୀୟ ପ୍ରଦର୍ଶନର ସମକକ୍ଷ ହୋଇ ପାରି ନାହିଁ । ଅର୍ଥାତ୍ ଓଡିଶା ଲଗାତର ଭାବେ ନିର୍ବାହକ ଶ୍ରେଣୀରେ ରହିଛି । ଏହି ତାଲିକାରେ ୫୨ ଅଙ୍କ ସହ ବିହାର ସବା ତଳେ ଥିବା ବେଳେ ୭୫ ଅଙ୍କ ସହ କେରଳ ସର୍ବୋଚ୍ଚ ସ୍ଥାନରେ ରହିଛି ।          

ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି)ର ୧୭ଟି ଲକ୍ଷ୍ୟ ମଧ୍ୟରୁ ଯେଉଁ ୬ଟି ଲକ୍ଷ୍ୟ ହାସଲ କରିବାରେ ଓଡିଶା ‘ଆକାଂକ୍ଷୀ’ ଶ୍ରେଣୀରେ ରହି ଅତି ପଛରେ ପଡିଛି ସେଗୁଡିକ ହେଲା ଲକ୍ଷ୍ୟ ୧ (ଦାରିଦ୍ର୍ୟମୁକ୍ତି), ଲକ୍ଷ୍ୟ ୨ (କ୍ଷୁଧାମୁକ୍ତି). ଲକ୍ଷ୍ୟ ୪ (ଗୁଣାତ୍ମକ ଶିକ୍ଷା), ଲକ୍ଷ୍ୟ ୫ (ଲିଙ୍ଗଗତ ସମାନତା), ଲକ୍ଷ୍ୟ ୮ (ଆର୍ଥିକ ଅଭିବୃଦ୍ଧି) ଓ ଲକ୍ଷ୍ୟ ୯ (ଉଦ୍ୟୋଗ, ନବ ଉନ୍ମେଷ ଓ ସୁବିଧା) । ଏସଡିଜିର ପ୍ରଥମ ଲକ୍ଷ୍ୟ ବିଶ୍ୱରୁ ଦାରିଦ୍ର୍ୟ ଦୂରୀକରଣ । ଏଥିପାଇଁ ବହୁବିଧ ଦାରିଦ୍ର୍ୟ ସୂଚକାଙ୍କ (ଏମପିଆଇ)କୁ ଆଧାର କରି ଦାରିଦ୍ର୍ୟ ଚିହ୍ନିତ କରା ଯାଇଥାଏ ଯେଉଁଥିରେ ଆୟ ଆଧାରିତ ଦାରିଦ୍ର୍ୟ ସହିତ ଅଣ-ଆୟ ଆଧାରିତ ଦାରିଦ୍ର୍ୟକୁ ମଧ୍ୟ ଗୁରୁତ୍ୱ ଦିଆ ଯାଇଥାଏ । ତଦନୁଯାୟୀ ଜଣେ ସର୍ବନିମ୍ନ ସ୍ୱାସ୍ଥ୍ୟ, ଶିକ୍ଷା, ବାସଗୃହ, ନିଯୁକ୍ତି ସୁଯୋଗ ଆଦି ପାଇବାରୁ ବଞ୍ଚିତ ହେଉଛି କି ନାହିଁ ତାହାକୁ ଭିତ୍ତି କରି ତାର ଦାରିଦ୍ର୍ୟର ନିର୍ଦ୍ଧାରଣ କରା ଯାଇଥାଏ । ଏହି ଲକ୍ଷ୍ୟ ହାସଲ କରିବାରେ ଓଡିଶା ୪୧ ଅଙ୍କ ପାଇ ତଳ ଆଡୁ ତୃତୀୟ ସ୍ଥାନରେ ରହିଛି । ଓଡିଶା ତଳକୁ ରହିଛନ୍ତି ଝାରଖଣ୍ଡ ଓ ବିହାର । କ୍ରମାଗତ ଭାବେ ଓଡିଶା କମ ଅଙ୍କ ପାଇବା (୨୦୧୮, ୨୦୧୯-୨୦ ଓ ୨୦୨୦-୨୧ରେ ଓଡିଶା ଏଥିରେ ଯଥାକ୍ରମେ ୫୯, ୪୭ ଓ ୪୧) ବାସ୍ତବିକ ଉଦବେଗଜନକ, କାରଣ ଏଥିରୁ ସ୍ଥିତିରେ ଉନ୍ନତି ନ ହୋଇ ଅବନତି ହେଉଥିବା ଜଣା ପଡୁଛି । ଏଠାରେ ୩୨.୫୯ ପ୍ରତିଶତ ଲୋକ ଜାତୀୟ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ବେଳେ ବହୁବିଧ ଦାରିଦ୍ର୍ୟ ସୂଚକାଙ୍କ ଆଧାରରେ ଦରିଦ୍ର ଲୋକଙ୍କ ପ୍ରତିଶତ ୩୫.୯୦ । ଏଥି ସହିତ ସାରା ଦେଶରେ ହାରାହାରି ୪ ପ୍ରତିଶତ ଲୋକ କଚ୍ଚା ଘରେ ରହୁଥିବା ବେଳେ ଓଡିଶାରେ ପ୍ରାୟ ୧୪ ପ୍ରତିଶତ ଲୋକ କଚ୍ଚା ଘରେ ରହନ୍ତି । ବାତ୍ୟା ସମୟରେ ଉପକୂଳବର୍ତ୍ତୀ ଅଞ୍ଚଳମାନଙ୍କରୁ ଲୋକଙ୍କୁ ସ୍ଥାନାନ୍ତରିତ କଲା ବେଳେ କେତେ ଲୋକ ଯେ ଏବେ ବି କଚ୍ଚା ଘରମାନଙ୍କରେ ରହୁଛନ୍ତି, ତା’ର ଏକ ଝଲକ ଦେଖିବାକୁ ମିଳିଥାଏ । ଏହା ହିଁ ଏଠିକାର ଉତ୍କଟ ଦାରିଦ୍ର୍ୟର ନିଦର୍ଶନ । ଆଶ୍ରୟହୀନତାର ସମସ୍ୟାରୁ ରାଜ୍ୟର ଦାରିଦ୍ର୍ୟ ଜଳଜଳ ହୋଇ ଦିଶୁଥିବାରୁ  ରାଜ୍ୟ ସରକାରଙ୍କ ତରଫରୁ ଗ୍ରାମାଞ୍ଚଳର ଲୋକଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ଯଦି ମିଶନ ମୋଡରେ କାମ ହୁଅନ୍ତା, ତେବେ ବହୁବିଧ ଦାରିଦ୍ର୍ୟ ସୂଚକାଙ୍କରେ ହୁଏତ ଓଡିଶାର ସ୍ଥିତି ତୁରନ୍ତ କିଛିଟା ସୁଧୁରି ପାରନ୍ତା ।

ଏସଡିଜିର ଦ୍ୱିତୀୟ ଲକ୍ଷ୍ୟଟିରେ କ୍ଷୁଧାମୁକ୍ତି ସହିତ ଖାଦ୍ୟ ନିରାପତ୍ତା ହାସଲ, ଖାଦ୍ୟପୁଷ୍ଟିରେ ଉନ୍ନତି ସାଧନ ଓ ନିରନ୍ତର କୃଷିକୁ ପ୍ରୋତ୍ସାହନ ଦେବା ଅନ୍ତର୍ଭୁକ୍ତ । ଏହି ଲକ୍ଷ୍ୟଟିରେ ବି ଓଡିଶାର ସ୍ଥିତି ପୂର୍ବାପେକ୍ଷା ଖରାପ ହୋଇଛି । ୨୦୧୮ରେ ଏଥିପାଇଁ ଓଡିଶାକୁ ୪୬ ଅଙ୍କ ମିଳିଥିଲା ବେଳେ ଏ ବର୍ଷ ତାହା ୪୨ରେ ପହଞ୍ଚିଛି । ରାଜ୍ୟଗୁଡିକର ପ୍ରଦର୍ଶନ ମାପିବା ପାଇଁ ଯେଉଁ ସୂଚକଗୁଡିକର ସାହାରା ନିଆ ଯାଇଛି ତନ୍ମଧ୍ୟରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ କେତେ ପ୍ରତିଶତ ଲାଭାର୍ଥୀ ସାମିଲ, ୫ ବର୍ଷରୁ କମ ବୟସର ଶିଶୁଙ୍କ ଅଳ୍ପ ଓଜନ, ବାଙ୍ଗରା ହେବା, ଗର୍ଭବତୀ ମହିଳାଙ୍କ ରକ୍ତହୀନତା ସୂଚକଗୁଡିକରେ ଓଡିଶା ଜାତୀୟ ପ୍ରଦର୍ଶନ ତୁଳନାରେ ଭଲ ସ୍ଥିତିରେ ଅଛି । ତେବେ କ୍ଷୁଧାମୁକ୍ତି ଲକ୍ଷ୍ୟ ହାସଲରେ ଅନେକ ରାଜ୍ୟଙ୍କ ପ୍ରଦର୍ଶନ ଶୋଚନୀୟ ହୋଇଥିବାରୁ ଜାତୀୟ ହାରାହାରି ଅଙ୍କ ମଧ୍ୟ ମାତ୍ର ୪୭ । ଏହି ଲକ୍ଷ୍ୟ ହାସଲ ପାଇଁ ନିର୍ଦ୍ଧାରିତ ଅନ୍ୟ ତିନିଟି ସୂଚକ, ୧୦ରୁ ୧୯ ବର୍ଷର କିଶୋରଙ୍କ ମଧ୍ୟରେ ରକ୍ତହୀନତା, ଧାନର ଏକର ପିଛା ଉତ୍ପାଦନ ଓ ମୁଣ୍ଡପିଛା ଶ୍ରମିକଙ୍କ ଅନୁପାତରେ କୃଷି ଉତ୍ପାଦର ମୋଟ ମାନ ସଂଯୁକ୍ତି (ଗ୍ରସ ଭାଲ୍ୟୁ ଆଡେଡ)ରେ ଓଡିଶାର ପ୍ରଦର୍ଶନ ଜାତୀୟ ହାରାହାରିଠାରୁ କମ ହୋଇଥିବାରୁ ସେଥି ପ୍ରତି ବିଶେଷ ଧ୍ୟାନ ଦିଆ ଯିବାର ଆବଶ୍ୟକତା ରହିଛି ।

ସବୁ ପିଲାଙ୍କୁ ସମାବେଶୀ ଗୁଣାତ୍ମକ ଶିକ୍ଷା ପ୍ରଦାନ ଏସଡିଜିର ଚତୁର୍ଥ ଲକ୍ଷ୍ୟ ଯେଉଁଥିରେ ଜାତୀୟ ହାରାହାରି ୫୭ ଅଙ୍କ ହୋଇଥିବା ବେଳେ ଓଡିଶା ୪୫ ଅଙ୍କ ପାଇ ତଳ ଆଡୁ ୬ଷ୍ଠ ସ୍ଥାନରେ ଅଛି । ୨୦୧୮ରେ ଓଡିଶା ୪୬ ଅଙ୍କ ପାଇଥିଲା । ଏହି ଲକ୍ଷ୍ୟରେ କେରଳ ସର୍ବାଧିକ ୮୦ ଅଙ୍କ ପାଇଛି । ଏହି ଲକ୍ଷ୍ୟ ହାସଲକୁ ମାପିବା ପାଇଁ ବ୍ୟବହୃତ ୧୧ଟି ସୂଚକ ମଧ୍ୟରୁ ୮ଟି ସୂଚକରେ ଓଡିଶା ଜାତୀୟ ହାରାହାରିଠାରୁ ପଛାଇ ରହିଥିବାରୁ, ଶିକ୍ଷା ବ୍ୟବସ୍ଥା ପ୍ରତି ସରକାରୀ ସ୍ତରରେ ଅଧିକ ବଜେଟ ଓ ଧ୍ୟାନ ଦିଆ ଯିବାର ଆବଶ୍ୟକତା ଅନୁଭୂତ ହେଉଛି । ଲିଙ୍ଗଗତ ସମାନତା ଓ ମହିଳା ସଶକ୍ତିକରଣ ଏସଡିଜିର ପଞ୍ଚମ ଲକ୍ଷ୍ୟ, ଯେଉଁଥିରେ ଓଡିଶା ୨୦୧୮ରେ ୪୩ ଅଙ୍କ ପାଇଥିବା ବେଳେ ଏବେ ତାହା ସାମାନ୍ୟ ବଢି ୪୬ରେ ପହଞ୍ଚିଛି । ଏ କ୍ଷେତ୍ରରେ ଅଧିକାଂଶ ରାଜ୍ୟଙ୍କ ପ୍ରଦର୍ଶନ ଭଲ ହୋଇ ନ ଥିବାରୁ ଜାତୀୟ ହାରାହାରି ମଧ୍ୟ ମାତ୍ର ୪୮ ଅଙ୍କ । ଲିଙ୍ଗ ଅନୁପାତରେ ଓଡିଶାର ସ୍ଥିତି ଜାତୀୟ ସ୍ଥିତିଠାରୁ ଭଲ ହୋଇଥିଲେ ବି ମହିଳାଙ୍କ ଉପରେ ହେଉଥିବା ଅପରାଧ ଜାତୀୟ ହାରଠାରୁ ଅଧିକ । ସେହିପରି ମାତ୍ର ୪.୦୬ ପ୍ରତିଶତ ଜମିର ମାଲିକାନା ମହିଳାଙ୍କ ନାମରେ ଥିବା ବେଳେ ଜାତୀୟ ସ୍ତରରେ ତାହା ୧୩.୯୬ । ଓଡିଶାରେ ମିଶନ ଶକ୍ତି ଏକ ସ୍ୱତନ୍ତ୍ର ବିଭାଗ ରୂପେ କାମ କରିବା ଆରମ୍ଭ କରିଥିବାରୁ ଏଠାରେ ମହିଳା ସଶକ୍ତିକରଣକୁ ଅଧିକ ଗୁରୁତ୍ୱ ଦିଆଯାଇ ସ୍ଥିତିରେ ଶୀଘ୍ର ପରିବର୍ତ୍ତନ ହେବ ବୋଲି ଆଶା କରାଯାଏ ।

ନିରନ୍ତର ଭାବେ ସମାବେଶୀ ଆର୍ଥିକ ଅଭିବୃଦ୍ଧି ହାସଲ କରିବା ସହ ଲୋକଙ୍କୁ ଉତ୍ପାଦନକ୍ଷମ ନିଯୁକ୍ତି ଓ ସୁସଭ୍ୟ କର୍ମ ସଂସ୍ଥାନ ଯୋଗାଇ ଦେବା ହେଉଛି ଏସଡିଜିର ଅଷ୍ଟମ ଲକ୍ଷ୍ୟ । ଏହି ଲକ୍ଷ୍ୟ ହାସଲ କରିବାକୁ ଯାଇ ଓଡିଶା ୨୦୧୮ର ୫୦ ଅଙ୍କରୁ ଏ ବର୍ଷ ୪୮ ଅଙ୍କକୁ ଖସି ଆସିଛି, ଯାହା ଜାତୀୟ ସ୍ତରଠାରୁ ୧୩ ଅଙ୍କ କମ । ଏ କ୍ଷେତ୍ରରେ ଓଡିଶା ପଛକୁ କେବଳ ଗୋଟିଏ ରାଜ୍ୟ ମଣିପୁର ରହିଥିବା ବେଳେ ହିମାଚଳ ପ୍ରଦେଶ ସର୍ବାଧିକ ୭୮ ଅଙ୍କ ସହ ସବା ଉପରେ ରହିଛି । ଓଡିଶାର ଜିଡିପି ଅଭିବୃଦ୍ଧି ହାର ଜାତୀୟ ହାରଠାରୁ ସାମାନ୍ୟ ଅଧିକ ହୋଇଥିଲେ ବି ବେକାରି ହାର ୭.୬ ପ୍ରତିଶତ ଯାହା ଜାତୀୟ ହାର ୬.୩ ତୁଳନାରେ ଅଧିକ । ଭିତ୍ତିଭୂମି ନିର୍ମାଣ, ସମାବେଶୀ ନିରନ୍ତର ଶିଳ୍ପୀକରଣ ତଥା ନବୋନ୍ମେଷର ପ୍ରୋତ୍ସାହନ ଏସଡିଜିର ନବମ ଲକ୍ଷ୍ୟ ହୋଇଥିବା ବେଳେ ଏ କ୍ଷେତ୍ରରେ ଓଡିଶାର ପ୍ରଦର୍ଶନ ପେଣ୍ଡୁଲମ ପରି ୨୦୧୮ରେ 3୨ ଅଙ୍କରୁ ୨୦୧୯-୨୦ରେ ୭୨ କୁ ବଢି ପୁଣି ଏ ବର୍ଷ ୪୬କୁ ଖସି ଆସିଛି । ଏ କ୍ଷେତ୍ରରେ ଓଡିଶାର ସ୍ଥାନ ମଝାମଝି ଥିଲା ବେଳେ ଜାତୀୟ ହାରାହାରି ୫୫ ଅଙ୍କରେ ରହିଛି । ଓଡିଶାରେ ସମୁଦାୟ ନିଯୁକ୍ତିର ମାତ୍ର ୮ ପ୍ରତିଶତ ଶିଳ୍ପ କ୍ଷେତ୍ରରେ ହୋଇଥିବା ବେଳେ ଏହା ଜାତୀୟ ସ୍ତରରେ ୧୨ ପ୍ରତିଶତ । ସେହିପରି ନବୋନ୍ମେଷ (ଇନୋଭେସନ) ସୂଚକାଙ୍କରେ ଓଡିଶା ୧୮.୯୪ ପାଇଥିବା ବେଳେ ଜାତୀୟ ସ୍ତରରେ ତାହା ୩୫.୫୯ । ଉଭୟ ମୋବାଇଲ ଫୋନ ଓ ଇଣ୍ଟରନେଟ ସଂଯୋଗ କ୍ଷେତ୍ରରେ ମଧ୍ୟ ଓଡିଶା ଜାତୀୟ ସ୍ତରରୁ ପଛରେ ପଡିଛି । ଏହି ଦିଗଗୁଡିକୁ ତୁରନ୍ତ ଲକ୍ଷ୍ୟ ଦେବାର ଆବଶ୍ୟକତା ରହିଛି । ଏତଦଭିନ୍ନ ଅନ୍ୟ ଲକ୍ଷ୍ୟ ହାସଲଗୁଡିକରେ ରାଜ୍ୟର ପ୍ରଦର୍ଶନ ଅପେକ୍ଷାକୃତ ଭଲ ଓ ତନ୍ମଧ୍ୟରୁ ଲକ୍ଷ୍ୟ ସଂଖ୍ୟା ୬ (ସ୍ୱଚ୍ଛ ଜଳ ଓ ପରିମଳ), ୭ (ପରିଷ୍କାର ଇନ୍ଧନ) ଓ ୧୧ (ସହର ଓ ଗୋଷ୍ଠୀଗୁଡିକୁ ବହନଯୋଗ୍ୟ କରିବା) କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ପରିଲକ୍ଷିତ ହୋଇଛି । ଅବଶ୍ୟ ଏ କ୍ଷେତ୍ରରେ ‘ସ୍ୱଚ୍ଛ ଭାରତ ମିଶନ’, ‘ଉଜ୍ଜ୍ୱଳା’ ଭଳି ବିଭିନ୍ନ ଜାତୀୟ କାର୍ଯ୍ୟକ୍ରମଗୁଡିକ ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି । ତେବେ ଜାତୀୟ ସ୍ତରଠାରୁ ତଳେ ଥିବା ଲକ୍ଷ୍ୟ ସଂଖ୍ୟା ୩ (ଉତ୍ତମ ସ୍ୱାସ୍ଥ୍ୟ), ୭, ୧୧ ଓ ୧୬ (ଶାନ୍ତି, ନ୍ୟାୟ ଓ ସଶକ୍ତ ଅନୁଷ୍ଠାନ)ର ପ୍ରଦର୍ଶନରେ ଆହୁରି ଉନ୍ନତି ଆଣିବା ପାଇଁ ଅଧିକ ଧ୍ୟାନ ଦିଆଯିବା ଆବଶ୍ୟକ ।        

ଦୀର୍ଘ ଦିନ ଧରି ‘ଓଡିଶା ଗୋଟିଏ ଗରିବ ରାଜ୍ୟ’, ‘ଓଡିଶା ଗୋଟିଏ ପଛୁଆ ରାଜ୍ୟ’, ‘ଓଡିଶା ଲୋକ ଭାରି ଗରିବ’ ଇତ୍ୟାଦି କଥା ଶୁଣି ଶୁଣି କ୍ଷୋଭ ହେଉଥିଲେ ବି ତାହା ଯେମିତି କ୍ରମଶଃ ଦେହସୁହା ହୋଇଗଲାଣି । ତେଣୁ ବ୍ୟକ୍ତିଗତ ଭାବେ କୌଣସି ଓଡିଆ ସର୍ବ ଭାରତୀୟ ବା ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ବା ସମ୍ମାନିତ ହେଲେ ଅବା ଉଚ୍ଚ ପଦରେ ଅଧିଷ୍ଠିତ ହେଲେ ଅଧିକାଂଶ ଓଡିଆ ମଧ୍ୟବିତ୍ତ ଅଲିମ୍ପିକ ପଦକ ବା ନୋବେଲ ପୁରସ୍କାର ପାଇଲା ଭଳି ବିହ୍ୱଳିତ ହୋଇ ପଡନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଏକ ନମ୍ୱର ବୋଲି ସାର୍ଟିଫିକେଟ ଦିଆଗଲେ, କି ଜଣେ ଓଡିଆ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ହୋଇଗଲେ ତାହା ଚର୍ଚ୍ଚାର ବିଷୟ ପାଲଟେ । ଟିକେ ଗହରେଇ ଦେଖିଲେ ଜଣା ପଡେ ଯେ ସାଧାରଣ ଓଡିଆଟିଏ ପାଇଁ ତାହା କୁଆ ପାଇଁ ପାଚିଲା ବେଲ ସଦୃଶ ଅର୍ଥହୀନ । ବ୍ୟକ୍ତିଗତ ଉତ୍କର୍ଷ ଓ ଉପଲବ୍ଧି ଅନ୍ୟମାନଙ୍କୁ ପ୍ରେରଣା ଯୋଗାଉଥିଲେ ବି ତାହା ସାଧାରଣ ଜନତାଙ୍କ ଦୈନନ୍ଦିନ ତେଲ ଲୁଣର ସଂସାରରେ ପରିବର୍ତ୍ତନ ଆଣି ପାରୁ ନ ଥିବାରୁ ସେମାନଙ୍କର ସେଥିରେ ରୁଚି ନ ଥାଏ । ଅନ୍ୟ ପକ୍ଷରେ ଓଡିଶାର ମୁଖ୍ୟମନ୍ତ୍ରୀ ଏକ ନମ୍ୱର ହୋଇ ଓଡିଶା ଏକ ନମ୍ୱର ହେଲେ ଆମେ ଯେତିକି ଆନନ୍ଦିତ ହୁଅନ୍ତେ ରାଜ୍ୟ ୨୧ ନମ୍ୱରରେ ରହିଲେ ସେତିକି ହୋଇ ପାରିବା କି ? ଅନେକେ ନିଜ ପିଠି ଥାପୁଡାଇ କହିଥାଆନ୍ତି, “ଆଗ ଅପେକ୍ଷା ଓଡିଶା ତ କେତେ ଆଗେଇଛି !” ଏସଡିଜି ସୂଚକାଙ୍କରୁ ବି ଠିକ ସେଇୟା ଜଣାପଡୁଛି । ହେଲେ ଇତିମଧ୍ୟରେ ଅନ୍ୟ ରାଜ୍ୟଗୁଡିକ ବି ଆହୁରି ଅଧିକ ଆଗେଇ ଯାଇଥିବାରୁ ଆମେ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇ ନ ପାରି ସେହି ପଛରେ ପଡି ରହିଛନ୍ତି । ଓଡିଶାକୁ ସୀମିତ ସମୟ ମଧ୍ୟରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବାକୁ ହେଲେ ନିଜ ପିଠି ନିଜେ ଥାପୁଡାଇବାରୁ ନିବୃତ୍ତ ହୋଇ ଆମ ପ୍ରଗତିର ବେଗକୁ ବଢାଇବାକୁ ହେବ । ବିକାଶ ଯେପରି ଏକ ପାଖିଆ ହୋଇ ନ ଯାଏ ସେଥିପାଇଁ ଆମ ପ୍ରାଥମିକତାକୁ ସ୍ଥିର କରି ସେହି ଅନୁସାରେ ଅଗ୍ରସର ହେବା ଆବଶ୍ୟକ । ତେଣୁ ଶାସନ ଓ ପ୍ରଶାସନରେ ଥିବା ବ୍ୟକ୍ତି ବିଶେଷ ବିଭିନ୍ନ କ୍ଷେତ୍ରରେ ନିଷ୍ଠାର ସହ ଆନ୍ତରିକ ଉଦ୍ୟମ କରିବେ ବୋଲି ଆଶା କରାଯାଏ । ଯେ ପର୍ଯ୍ୟନ୍ତ ରାଜ୍ୟର ବିକାଶ ପ୍ରକ୍ରିୟାରେ ସାଧାରଣ ଜନତାଙ୍କୁ ଅର୍ଥପୂର୍ଣ୍ଣ ଢଙ୍ଗରେ ସାମିଲ କରା ନ ଯାଇ ଏହା ସରକାରୀ କଳ ଭିତରେ ସୀମିତ ଥିବ, ରାଜ୍ୟର ପ୍ରଗତି ତ୍ୱରାନ୍ୱିତ ହେବା ସମ୍ଭାବନା କ୍ଷୀଣ ।


Published in Odisha Reporter on June 14, 2021 


Comments

  1. Nicely narrated with facts & figures.
    Thanks.

    ReplyDelete
  2. Very nice analytical article.
    The intellectuals who turn a blind eye to ground realities should ponder why under a long stable government, the pitiable situation still persists.
    It's time we call a spade a spade and take remedial measures to ameliorate the condition.
    Jatish Chandra rp

    ReplyDelete
  3. Very nice analytical article.
    The intellectuals who turn a blind eye to ground realities should ponder why under a long stable government, the pitiable situation still persists.
    It's time we call a spade a spade and take remedial measures to ameliorate the condition.
    Jatish Chandra rp

    ReplyDelete
  4. Nicely articulated. Excellent piece of description in odia .

    ReplyDelete
  5. Despite a stable govt with overwhelming majority, the performance of the state is dismal in poverty alleviation , health and educational infrastructure. Industrial performance is just pathetic. With bountiful resources, the state should have moved faster. Jemiti Raja, Semiti Praja. Leadership crisis is affecting the state.

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍