Skip to main content

ରାଜାଙ୍କ ଆଖିରେ ଲୁହ

ରାଜାଙ୍କ ଉପରେ ଦୁନିଆ ଗପ । ହେଲେ କାହିଁ ରାଜାଙ୍କ କାନ୍ଦିବାର କାହାଣୀ ତ ବେଶି ଶୁଣାଯାଏ ନାହିଁ ! ରାଜାମାନେ କାନ୍ଦନ୍ତି ନାହିଁ, କାନ୍ଦି ପାରନ୍ତି ନାହିଁ । ରାଜାଙ୍କର ଅସୀମ ଶକ୍ତି ଆଉ ଲୁହ ଦୁର୍ବଳତାର ପ୍ରତୀକ । ତେଣୁ ରାଜାଙ୍କ ଆଖିରେ ଲୁହ କ’ଣ ଶୋଭାପାଆନ୍ତା ? ତା’ ଛଡା ରାଜା ଶକ୍ତିଶାଳୀ ହେଲେ ପ୍ରଜା ଆଶ୍ୱସ୍ତ ହୋଇଥାଏ । ଆଖିରେ ଲୁହ ନ ଥିଲେ ବି କଦବା କ୍ୱଚିତ ତାଙ୍କ ଆଖିରୁ ଲୁହ ଟୋପାଏ ଝରିଲେ ତାହା ଅମୂଲ୍ୟ ହୋଇଥାଏ । ରାଜା କାନ୍ଦିଲେ କାଳେ ତାଙ୍କ ଆଖିରୁ ପାଣି ନୁହେଁ ମୁକ୍ତା ଝରେ ବୋଲି କେତେକଙ୍କ ବିଶ୍ୱାସ । ସେଥିପାଇଁ  ବୋଧେ ଏକ ଅମୂଲ୍ୟ ବିରଳ ପଥରର ନାମ ‘କିଙ୍ଗସ ଟିଅରସ’ (ରାଜାଙ୍କ ଲୁହ) । ତା’ ମାନେ ରାଜା କ’ଣ ଆବେଗହୀନ ? ତାଙ୍କର ଆବେଗ ଅଛି, ସେ କାନ୍ଦନ୍ତି, କିନ୍ତୁ ଗୋପନରେ । କାରଣ ସର୍ବସାଧାରଣରେ ଲୁହ ଝରାଇବା ତାଙ୍କ ଲାଗି ନିଷେଧ । ଅଭିନେତା ଚାର୍ଲି ଚାପଲିନଙ୍କ ଏକ ପ୍ରସିଦ୍ଧ ଉକ୍ତି ‘ମୁଁ ବର୍ଷାରେ ଭିଜିବାକୁ ଭଲ ପାଏ କାରଣ କେହି ମୋ’ ଆଖିର ଲୁହକୁ ଦେଖିପାରନ୍ତି ନାହିଁ’ରେ ସାଧାରଣ ଲୋକଟିର ବି ସେହି ଲୁହ ଲୁଚାଇବାର ପ୍ରଚେଷ୍ଟାର କଥା କୁହାଯାଇଛି । ହେଲେ ଆଜିକାଲିକା ଗଣତାନ୍ତ୍ରିକ ଯୁଗର ଶାସକମାନେ ତ ବେଶ ସ୍ୱଚ୍ଛନ୍ଦରେ ସର୍ବସମକ୍ଷରେ ନିଜ ଆବେଗ ପ୍ରଦର୍ଶନ କରି ଲୁହ ଝରାଇ ପାରୁଛନ୍ତି । ତେବେ ପ୍ରଶ୍ନ ଉଠେ, ଏହା କ’ଣ ସେମାନଙ୍କ ପାଇଁ ଏକ ବାଧ୍ୟବାଧକତାରେ ପରିଣତ ହୋଇଛି ?

ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରୁ ବିଶ୍ୱର ଅନେକ ନେତା ସର୍ବସାଧାରଣରେ ଲୁହ ଗଡାଇବା ଦେଖାଯାଇଛି । କୁହାଯାଏ କୌଣସି ସଙ୍କଟର ସମ୍ମୁଖୀନ ହେଲେ ବା ନିଜ ଜନପ୍ରିୟତା ହ୍ରାସ ପାଉଥିବାର ଅନୁଭବ କଲେ ହିଟଲର ସମସ୍ତଙ୍କ ସାମନାରେ କାନ୍ଦୁଥିଲେ ଓ ଏହିପରି ସେ ୬ ଥର କରିଥିଲେ । ବ୍ରିଟିଶ ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲ ଏକାଧିକ ଥର ସର୍ବସମକ୍ଷରେ କାନ୍ଦିଥିବାର ନଜିର ରହିଛି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ବୁଶ (ଉଭୟ ସିନିଅର ଓ ଜୁନିଅର), ବିଲ କ୍ଲିଣ୍ଟନ, ଓବାମା ଇତ୍ୟାଦି ସମସ୍ତଙ୍କ ସାମନାରେ କାନ୍ଦିଛନ୍ତି । ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ମାର୍ଗାରେଟ ଥାଚର ଓ ଟେରିସା ମେ ନିଜ ନିଜ ପଦତ୍ୟାଗ କଲାବେଳେ ଲୁହକୁ ଅଟକାଇ ପାରି ନ ଥିଲେ । ସର୍ବସାଧାରଣରେ କାନ୍ଦିଥିବା ବିଶ୍ୱନେତାଙ୍କ ତାଲିକାରେ ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଦା ସିଲଭା, ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ବବ ହକ୍, ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ହମିଦ କରଜାଇଙ୍କ ସମେତ ଅନେକଙ୍କ ନାମ ରହିଛି ।  

ସର୍ବସାଧାରଣରେ ଆବେଗ ପ୍ରଦର୍ଶନ କରିବାରେ ଭାରତର ପ୍ରଧାନମନ୍ତ୍ରୀମାନେ ବି ପଛରେ ନାହାନ୍ତି । ଜାନୁଆରି ୨୭, ୧୯୬୩ରେ ସାଧରଣତନ୍ତ୍ର ଦିବସ ପାଳନ ଅବସରରେ ଦିଲ୍ଲୀର ନ୍ୟାସନାଲ ଷ୍ଟାଡିଅମଠାରେ ଆୟୋଜିତ ଉତ୍ସବରେ ଲତା ମଙ୍ଗେସକର ଗାଇଥିବା ‘ଏ ମେରେ ୱତନ କି ଲୋଗୋଁ’ ଗୀତଟି ଶୁଣି ଜବାହରଲାଲ ନେହରୁଙ୍କ ଆଖି ଅଶ୍ରୁପୂର୍ଣ୍ଣ ହୋଇ ଯାଇଥିଲା । ୧୯୬୬ରେ ଇଜିପ୍ଟର ରାଷ୍ଟ୍ରପତି ଜମାଲ ଅବଦେଲ ନାସିରଙ୍କ ଭାରତ ଗସ୍ତ ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସମସ୍ତଙ୍କ ସାମନାରେ ଆବେଗାଚ୍ଛନ୍ନ ହୋଇଥିଲେ । ଅପ୍ରେଲ ୧୭, ୧୯୯୯ରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ସରକାର ଆସ୍ଥା ଭୋଟରେ ପରାଜିତ ହେବା ପରେ ବାଜପେୟୀ ଉପସ୍ଥିତ ସହଯୋଗୀମାନଙ୍କୁ କହିଥିଲେ, “ଆମେ କେବଳ ଗୋଟିଏ ଭୋଟରେ ହାରିଗଲେ, କେବଳ ଗୋଟିଏ ଭୋଟ” । ଏହା କହି ସେ ଭାଙ୍ଗି ପଡିଥିଲେ ଓ ତାଙ୍କ ଆଖିରୁ ଲୁହ ବୋହି ଚାଲିଥିଲା । ତେବେ ସମ୍ଭବତଃ ସର୍ବସମକ୍ଷରେ ସର୍ବାଧିକ ଥର କାନ୍ଦିଥିବା ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ମୋଦୀ ଅଗ୍ରଗଣ୍ୟ । ତାଙ୍କୁ ଅନ୍ତତଃ ୯ ଥର କାନ୍ଦିବାର ଦେଖାଯାଇଛି । ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲା ବେଳେ ତାଙ୍କୁ ଜାନୁଆରି ୧୪, ୨୦୦୪ରେ ଭୁଜଠାରେ ପ୍ରଥମ ଥର ଲାଗି କାନ୍ଦିବାର ଦେଖା ଯାଇଥିଲା । ୨୦୦୧ରେ କଚ୍ଛ ଅଞ୍ଚଳର ଲୋକେ ଯେଉଁଭଳି ଭାବେ ଭୂମିକମ୍ପ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିଲେ, ତାହା ମନେ ପକାଇ ତାଙ୍କ ଆଖିରୁ ଲୁହ ଗଡି ଚାଲିଥିଲା । ମେ ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ଦଳର ଅପୂର୍ବ ସଫଳତା ପରେ ମୋଦି ନେତା ନିର୍ବାଚିତ ହେବା ଅବସରରେ ସେ ଦଳ ପ୍ରତି ଏକ କୃପା କରିଛନ୍ତି ବୋଲି ବୟୋଜ୍ୟେଷ୍ଠ ନେତା ଆଡଭାନି କହିବାରୁ ପ୍ରତ୍ୟୁତ୍ତରରେ ମୋଦୀ କହିଥିଲେ ଯେ ବିଜେପିକୁ ସେ ମାଆ ଭଳି ମନେ କରୁଥିବାରୁ ପୁଅ କ’ଣ କେବେ ମାଆ ପ୍ରତି କୃପା ପ୍ରଦର୍ଶନ କରିପାରେ ? ଏହା କହି ତାଙ୍କ ଆଖି ଅଶ୍ରୁଳ ହୋଇଥିଲା । ସେପ୍ଟେମ୍ୱର ୨୦୧୫ରେ ମୋଦୀଙ୍କ ପାରିବାରିକ ପୃଷ୍ଠଭୂମି ସମ୍ପର୍କରେ ଫେସବୁକର ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ ଅତି ଦରିଦ୍ର ପରିବାରରୁ ଆସିଥିବା କଥା କହି ତାଙ୍କ ଆଖି ଲୁହ ଛଳ ଛଳ ହୋଇ ଯାଇଥିଲା । ଅଗଷ୍ଟ ୨୦୧୬ରେ ସ୍ୱାମୀନାରାୟଣ ସଂସ୍ଥା (ବିଏପିଏସ)ର ଗୁରୁ ପ୍ରମୁଖ ସ୍ୱାମୀଙ୍କ ନିଧନ ପରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଅବସରରେ ଏକ ଘଟଣାର ସଂସ୍ମରଣରେ ତାଙ୍କ ଆଖି ଓଦା ହୋଇଯାଇଥିଲା । ନଭେମ୍ୱର ୨୦୧୬ରେ ଗୋଆଠାରେ ସେ ବିମୁଦ୍ରାକରଣ ପରେ ଦେଶବାସୀ ଯେଉଁ ଦୁଃଖକଷ୍ଟର ସମ୍ମୁଖୀନ ହେଉଛନ୍ତି ତାକୁ ଧୈର୍ଯ୍ୟର ସହ ମୁକାବିଲା କରିବା ସହ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ଲାଗି ତାଙ୍କୁ ୫୦ ଦିନର ସମୟ ଦେବା ଲାଗି ଅନୁରୋଧ କରିବା ଅବସରରେ ଆବେଗାଚ୍ଛନ୍ନ ହୋଇ ତାଙ୍କ ଆଖିକୁ ଲୁହ ଜକେଇ ଆସିଥିଲା । ଡିସେମ୍ୱର ୨୦୧୭ରେ ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ବିଜୟୀ ହେବା ପରେ ସେ ଦଳର ସାଂସଦମାନଙ୍କୁ ସଂସଦ ଭବନରେ ଉଦବୋଧନ ଦେବା ଅବସରରେ ଗୁଜରାଟ ବିଜୟ କିପରି କଠିନ ଥିଲା, ପ୍ରତିଥର ଗୁଜରାଟ ଜିତିଲା ପରେ ବାଜପେୟୀ କିପରି ତାଙ୍କ ପିଠି ଥାପୁଡେଇ ଦେଉଥିଲେ ଇତ୍ୟାଦି ବିଷୟ ମନେ ପକାଇ ତିନି ଥର କାନ୍ଦିଥିଲେ । ଅକ୍ଟୋବର ୨୧, ୨୦୧୮ରେ ଜାତୀୟ ପୁଲିସ ସ୍ମାରକ ଓ ମ୍ୟୁଜିଅମର ଉଦଘାଟନ ଅବସରରେ ପୁଲିସ ଭାଇମାନଙ୍କ ସେବା ଓ ବଳିଦାନର କଥା ମନେ ପକାଇ ତାଙ୍କ କଣ୍ଠରୁଦ୍ଧ ହୋଇଯାଇଥିଲା । ପ୍ରଧାନମନ୍ତ୍ରୀ ଜନଔଷଧୀ ଯୋଜନାର ଲାଭାର୍ଥୀ ଜଣେ ମହିଳା ମାର୍ଚ୍ଚ ୮, ୨୦୨୦ରେ ମୋଦୀଙ୍କୁ ଈଶ୍ୱରଙ୍କ ସହ ତୁଳନା କରିବାରୁ ସେ ବାଷ୍ପାକୁଳ ହୋଇ ଯାଇଥିଲେ । ଫେବୃଆରି ୨୦୨୧ରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କର ରାଜ୍ୟସଭାର କାର୍ଯ୍ୟକାଳ ସମାପ୍ତିରେ ତାଙ୍କୁ ବିଦାୟକାଳୀନ ସମ୍ୱର୍ଦ୍ଧନା ଦେବା ଅବସରରେ ଭାଷଣ ଦେଇ ଆଜାଦ ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ଥିବା ସମୟର କଥା ମନେ ପକାଇ ମୋଦୀ ଘନ ଘନ ପାଣି ପିଇବା ସହିତ କାନ୍ଦି ପକାଇଥିଲେ । ତେବେ ତାଙ୍କ ଅଶ୍ରୁ ବିସର୍ଜନର ସଦ୍ୟତମ ଉଦାହରଣ ହେଉଛି ବାରାଣାସୀର ଡାକ୍ତର ତଥା ସ୍ୱାସ୍ଥ୍ୟକର୍ମୀମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହେବା ଅବସରରେ ମଇ ୨୧, ୨୦୨୧ରେ କୋଭିଡ ଅନେକ ଲୋକଙ୍କୁ ଆମଠାରୁ ଛଡାଇ ନେଇଛି ବୋଲି କହି କାନ୍ଦି ପକାଇବା । ତେବେ ପୂର୍ବର କାନ୍ଦଗୁଡିକ ଲାଗି ସେ ସମାଲୋଚିତ ହୋଇ ନ ଥିବା ବେଳେ ଏବେ କୋଭିଡରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିବାରୁ ତାଙ୍କ ସଦ୍ୟତମ କାନ୍ଦ ପାଇଁ ତାଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ହୋଇଛି । ତାଙ୍କ ନିନ୍ଦୁକମାନେ ଏହାକୁ ’ନାଟକ’, ‘କୁମ୍ଭୀରକାନ୍ଦଣା’ ବୋଲି ଅଭିହିତ କରିବାକୁ ପଛାଇଲେ ନାହିଁ । କୁମ୍ଭୀରର ଆଖିରୁ ଲୁହ ବାହାରୁଥିଲେ ବି ସେହି ଲୁହର ଆବେଗ ସହ କୌଣସି ସମ୍ପର୍କ ନ ଥାଏ । ପାଣିରୁ ଉଠି ଆସି ସ୍ଥଳ ଭାଗରେ ଦୀର୍ଘ ସମୟ ରହିଲେ ଆଖିକୁ ଓଦା କରିବା ପାଇଁ ତା’ ଆଖିରୁ ପାଣି ବାହାରିଥାଏ । ସେହିପରି କିଛି ଖାଇଲା ବେଳେ କୁମ୍ଭୀର କେବଳ ଉପର ମାଢିଟି ବ୍ୟବହାର କରୁଥିବାରୁ ତା’ ଆଖିରୁ ପାଣି ବାହାରିଥାଏ, ଯାହା କୁମ୍ଭୀର କାନ୍ଦିଲା ପରି ଜଣା ପଡେ । ଏହା ‘ମିଛ ଲୁହ’ ହୋଇଥିଲେ ବି ଏକ ଭୟଙ୍କର ଜୀବ ଆବେଗପୂର୍ଣ୍ଣ ଥିବାର ଭ୍ରମ ସୃଷ୍ଟି କରିଥାଏ । ନିକଟରେ ସି ଭୋଟର ଦ୍ୱାରା ହୋଇଥିବା ସର୍ଭେ ଅନୁଯାୟୀ ମୋଦୀଙ୍କ ଜନପ୍ରିୟତାର ହାର ଗତ ବର୍ଷର ୬୫ ପ୍ରତିଶତ ତୁଳନାରେ କୋଭିଡ ସଂକ୍ରମଣର ଦ୍ୱିତୀୟ ଲହରୀ ସମୟରେ ହ୍ରାସ ପାଇ ୩୭ ପ୍ରତିଶତରେ ପହଞ୍ଚିବା ଉଦବେଗଜନକ । ସେହିପରି ଆମେରିକୀୟ ସଂସ୍ଥା ମର୍ଣ୍ଣିଂ କନସଲଟର ସର୍ଭେ ଅନୁଯାୟୀ ମୋଦୀଙ୍କ ଅନୁମୋଦନ ରେଟିଂ ପ୍ରାୟ ୨୨ ଅଙ୍କ ତଳକୁ ଖସିଛି । କିଛି ବିଶେଷଜ୍ଞଙ୍କ ମତରେ ମୋଦୀଙ୍କ କ୍ରମ କ୍ଷୟିଷ୍ଣୁ ଜନପ୍ରିୟତାକୁ ଊର୍ଦ୍ଧ୍ୱମୁଖୀ କରିବାର ପ୍ରୟାସରେ ତାଙ୍କୁ କାନ୍ଦିବାକୁ ପଡିଲା । ଏପରିକି ମୋଦୀ ଖୁବ ଶୀଘ୍ର ଟେଲିଭିଜନରେ କାନ୍ଦିବାକୁ ଯାଉଛନ୍ତି ବୋଲି ଆପ ଦଳର ନେତା ସଞ୍ଜୟ ସିଂହ ଅପ୍ରେଲ ୧୭ରେ ଭବିଷ୍ୟବାଣୀ କରି ସାରିଥିଲେ । କାନ୍ଦିବାର ପୂର୍ବ ପ୍ରସ୍ତୁତି ଥିବାରୁ ସେ ମୁହଁରେ ମାସ୍କ ପିନ୍ଧି ନ ଥିଲେ ବୋଲି ତାଙ୍କ ନିନ୍ଦୁକମାନେ କହିଲେ । ତାଙ୍କ କାନ୍ଦର ଦୁଇ ପ୍ରକାର ଅର୍ଥ କରାଯାଉଛି । ହୁଏତ କୋଭିଡରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିବାରୁ ସେମାନଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରି ତାଙ୍କ ଆଖିରୁ ଲୁହ ଝରି ଥାଇପାରେ । ଅଥବା ସେମାନଙ୍କୁ ବଞ୍ଚାଇ ନ ପାରିବାର ସରକାରୀ ବିଫଳତାକୁ ସ୍ୱୀକାର କରି ସେ ଭାଙ୍ଗି ପଡି ଥାଇପାରନ୍ତି । ତେଣୁ ଲୁହ ଗଡାଇବା ମାତ୍ରେ ସେ ଯଦି କୋଭିଡ ମୁକାବିଲା ପାଇଁ ନିର୍ଦ୍ଦିଷ୍ଟ କିଛି ପଦକ୍ଷେପର ଘୋଷଣା କରିଥାଆନ୍ତେ ତେବେ ଲୋକେ ଆଉ ତାକୁ କୁମ୍ଭୀରକାନ୍ଦଣା କହିବାର ସୁଯୋଗ ପାଇ ନ ଥାଆନ୍ତେ ।                    

ନିକଟରେ କୁଇନସଲାଣ୍ଡ ବିଶ୍ୱବିଦ୍ୟାଳୟର ମନସ୍ତତ୍ତ୍ୱ ବିଭାଗର ଗବେଷକ ଲିଆ ସରମନ ଓ ତାଙ୍କ ସହଯୋଗୀମାନଙ୍କ ଦ୍ୱାରା ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ କାନ୍ଦିଲା ପରେ ମନ ହାଲୁକା ହୋଇ ଯାଇଥାଏ ବୋଲି ଥିବା ଧାରଣା ଭୁଲ । ବରଂ ତଦ୍ଦ୍ୱାରା ମାନସିକ ସ୍ଥିତି ଅଧିକ ଖରାପ ହୋଇଥାଏ । ଏହା ଗୁରୁତ୍ୱପୂର୍ଣ୍ଣ କାରଣ ଏ ପର୍ଯ୍ୟନ୍ତ ବ୍ରିଟିଶ ମାନସିକ ରୋଗ ବିଶେଷଜ୍ଞ ହେନରି ମଡସ୍ଲିଙ୍କ ମତକୁ ଗୁରୁତ୍ୱ ଦିଆ ଯାଉଥିଲା ଯାହା କହିଥାଏ ‘ଦୁଃଖ ଲୁହ ହୋଇ ବୋହି ନ ଗଲେ ତାହା ଶୀଘ୍ର ଅନ୍ୟ ଅଙ୍ଗପ୍ରତ୍ୟଙ୍ଗକୁ କାନ୍ଦିବାକୁ ବାଧ୍ୟ କରିଥାଏ’ । ଅଧ୍ୟୟନ ଅନୁଯାୟୀ ସର୍ବସାଧାରଣରେ କାନ୍ଦିବାର ପ୍ରଭାବ ଜଟିଳ ଓ ଲିଙ୍ଗ ଅନୁସାରେ ଭିନ୍ନ ହୋଇଥାଏ । କ୍ରନ୍ଦନକାରୀ କମ ଦକ୍ଷ ଓ ଦୁର୍ବଳ ବୋଲି ମନେ କରା ହେଉଥିଲେ ବି ପ୍ରକୃତରେ ସେମାନେ ସେପରି ନୁହନ୍ତି । ତେବେ କାନ୍ଦୁରା ମୁହଁକୁ ଦେଖିଲେ ସେ ଅସହାୟ ଓ ଦୁର୍ବଳ ପରି ପ୍ରତୀତ ହୋଇ ସମର୍ଥନ ଓ ସହାୟତା ଖୋଜୁଛି ବୋଲି ମନେ ହେଉଥିବାରୁ ଅନ୍ୟମାନେ ଦୟା ପରବଶ ହୋଇ ତାହା କରିବାକୁ ଆଗେଇ ଆସିଥାଆନ୍ତି । ଆଗ ଅପେକ୍ଷା ଏବେ ସର୍ବସମକ୍ଷରେ ଲୁହ ଗଡାଇବା କ୍ରମଶଃ ନେତାମାନଙ୍କ ଅଭ୍ୟାସରେ ପରିଣତ ହେବାକୁ ବସିଲାଣି । ଶିଶୁଟିଏ କାନ୍ଦିଲେ ତା’ ପ୍ରତି ଯେପରି ଧ୍ୟାନ ଆକର୍ଷିତ ହୋଇଥାଏ, ସେମାନଙ୍କ ବିଶ୍ୱାସ ଯେ ସମାନ ଆଚରଣ ସେମାନଙ୍କୁ ଜନତାଙ୍କ ସହାନୁଭୂତି ହାସଲ କରିବାରେ ସାହାଯ୍ୟ କରେ । ଅବଶ୍ୟ ସବୁ ସମୟରେ ତାହା କାମ ଦେଇ ନ ଥାଏ । ବ୍ରିଟେନରେ ରାଜନେତାମାନେ ସର୍ବସମ୍ମୁଖରେ ଏତେ ବେଶି ଲୁହ ପ୍ରଦର୍ଶନ କରି ସାରିଲେଣି ଯେ ସେଠାକାର ଲୋକେ କ୍ରମଶଃ ସେଥିରେ ଅଭ୍ୟସ୍ତ ହେବାକୁ ଲାଗିଲେଣି । ‘ସତ ଲୁହ’ ଆଉ ‘ମିଛ ଲୁହ’ ଭିତରେ ସେମାନେ ଫରକ କରିବା ଶିଖି ଯାଇଥିବାରୁ କ୍ରନ୍ଦନକାରୀମାନେ ସମବେଦନା ଅପେକ୍ଷା ବେଶି ସମାଲୋଚନାର ପାତ୍ର ହେବାକୁ ଲାଗିଲେଣି । ୨୦୧୬ ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ଥିବା ହିଲାରୀ କ୍ଲିଣ୍ଟନ ପ୍ରଚାର ବେଳେ କାନ୍ଦିବା ଦ୍ୱାରା ତାଙ୍କ ସମାଲୋଚକମାନଙ୍କୁ କହିବାକୁ ସୁଯୋଗ ମିଳିଲା ଯେ ତାଙ୍କ ନିକଟରେ ଆବଶ୍ୟକ ମାନସିକ ଦୃଢତା ନ ଥିବାରୁ ସେ ରାଷ୍ଟ୍ରପତି ପଦ ଭାର ସମ୍ଭାଳିବା ପାଇଁ ଅଯୋଗ୍ୟ ।  

କୃଷକ ଆନ୍ଦୋଳନର ନେତା ରାକେଶ ସିଂ ଟିକାଏତଙ୍କ ଆଖିରୁ ଝରିଥିବା ଦୁଇ ଟୋପା ଲୁହ ଦୁର୍ବଳ ହୋଇ ଭୁଶୁଡି ପଡୁଥିବା ଆନ୍ଦୋଳନଟିକୁ ପୁଣି ଥରେ ଜୀବନ୍ତ କରି ଦେଇ ପାରିଲା । କୃଷକମାନେ ତାଙ୍କ ଲୁହରେ ହୁଏତ ନିଷ୍କପଟତା ଦେଖି ପାରିଥିଲେ । ନିଶ୍ଚିତ ଭାବେ ଉଚିତ ସମୟରେ ଓ ଠିକ ଜାଗାରେ ଗଡିଥିବା ଲୁହ ଟୋପାଏ ଲୋକଙ୍କ ହୃଦୟକୁ ତରଳାଇବା ପାଇଁ ଯଥେଷ୍ଟ ହୋଇଥାଏ । ତେବେ ଆବେଗ ପ୍ରଦର୍ଶନ କରି ହୁଏତ ସହାନୁଭୂତି ସାଉଁଟା ଯାଇପାରେ, ହେଲେ ତାହା ବ୍ୟକ୍ତିତ୍ୱର ଦୁର୍ବଳ ଦିଗଟିକୁ ବି ଆଗରେ ଆଣି ଥୋଇଥାଏ, ଯାହା ପରୋକ୍ଷରେ ପ୍ରତିକୂଳ ସାବ୍ୟସ୍ତ ହୋଇପାରେ । ପ୍ରଧାନମନ୍ତ୍ରୀ ମୋଦୀଙ୍କଠାରୁ ଦେଶ ଦୃଢ ନିଶ୍ଚୟର ସହ ସୁଶାସନର ପ୍ରତ୍ୟାଶା ରଖେ, ଆବେଗ ପ୍ରଦର୍ଶନର ନୁହେଁ । କାରଣ ଦେଶର ସର୍ବୋଚ୍ଚ ନେତା ଅସହାୟ ଓ ଦୁର୍ବଳ ପ୍ରତୀତ ହେଲେ ଦେଶ ଦୁର୍ବଳ ହୋଇଥାଏ ଓ ଦେଶବାସୀ ମଧ୍ୟ ପରୋକ୍ଷରେ ସଂକ୍ରମିତ ହୋଇ ଦୁର୍ବଳ ଅନୁଭବ କରିଥାଆନ୍ତି । ସେହି ପରିପ୍ରେକ୍ଷୀରେ କହିବା ଉଚିତ ହେବ ଯେ ମୋଦୀଙ୍କ ଘନ ଘନ ଲୁହ ଗଡାଇବା ତାଙ୍କ ଦୁର୍ବଳତା ବୋଲି ଲୋକେ ଧରି ନ ନିଅନ୍ତୁ ।  


Published in Sambad on June 01, 2021

 

Comments

  1. ଏମିତି ତଥ୍ୟ ଭିତ୍ତିକ ଲେଖା ଆଜିକାଲି ବହୁତ କମ ପଢ଼ିବାକୁ ମିଳୁଛି। ଆପଣଙ୍କୁ ହୃଦୟରୁ ଧନ୍ୟବାଦ। ଆହୁରି ନୂଆ ନୂଆ ବିଷୟବସ୍ତୁ ଉପରେ ଏମିତି ଲେଖିଚାଲନ୍ତୁ। 🙏

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍