Skip to main content

ମହାରାଷ୍ଟ୍ର ବିଧାନ ପରିଷଦ ସଦସ୍ୟ ମନୋନୟନ ବିବାଦ ଓ ରାଜ୍ୟପାଳ

ଉଦ୍ଧବ ଠାକରେଙ୍କ ମୁଖ୍ୟମନ୍ତ୍ରୀତ୍ୱ ହରାଇବା ଆଶଙ୍କାରେ ୨୦୧୯ ନଭେମ୍ବର ୨୮ରେ ଶପଥ ନେଇଥିବା ମହାରାଷ୍ଟ୍ର ବିକାଶ ଆଘାଡି ସରକାର ପ୍ରତି ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ସେଠାରେ ବିଧାନ ପରିଷଦ ପାଇଁ ନିର୍ବାଚନ ଘୋଷଣା ସହ ଆପାତତଃ ଟଳି ଯାଇଥିବା ପରି ମନେ ହେଉଛି । ତେବେ ଏଥି ପୂର୍ବରୁ ତରବରିଆ ଭାବେ ଦେବେନ୍ଦ୍ର ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ଶପଥ ପାଠ କରାଇ ବିବାଦ ଭିତରକୁ ଆସିଥିବା ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶୟାରୀଙ୍କ ଭୂମିକା ଏହି ପ୍ରକରଣରେ ମଧ୍ୟ ପୁଣି ଥରେ ବିବାଦ ଘେରକୁ ଆସିଛି । ରାଜ୍ୟପାଳଙ୍କ ଆଚରଣ ରାଜ୍ୟରେ ଏକ ରାଜନୈତିକ ସଙ୍କଟ ସୃଷ୍ଟି କରିବାର ଆଶଙ୍କା ସୃଷ୍ଟି କରିଥିବାରୁ ବିଧାନ ପରିଷଦ ପାଇଁ ସଦସ୍ୟ ମନୋନୟନ କ୍ଷେତ୍ରରେ ରାଜ୍ୟପାଳଙ୍କ କ୍ଷମତା ସମ୍ପର୍କରେ ତର୍ଜମା ହେବାର ଆବଶ୍ୟକତା ରହିଛି ।

ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲା ବେଳକୁ ସେ ମହାରାଷ୍ଟ୍ରର ବିଧାନସଭା ବା ବିଧାନ ପରିଷଦ ମଧ୍ୟରୁ କୌଣସିଟିର ସଦସ୍ୟ ନଥିଲେ । ନିୟମ ଅନୁସାରେ ଦାୟିତ୍ୱ ଗ୍ରହଣର ଛଅ ମାସ ମଧ୍ୟରେ, ଅର୍ଥାତ ୨୦୨୦, ମେ ୨୭ ସୁଦ୍ଧା ତାଙ୍କୁ ଯେ କୌଣସି ଗୋଟିଏ ସଦନର ସଦସ୍ୟ ହେବାକୁ ହେବ । ମହାରାଷ୍ଟ୍ର ବିଧାନ ପରିଷଦର ଖାଲି ପଡିଥିବା ୯ଟି ଆସନ ଲାଗି ହେବାକୁ ଥିବା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ସଦସ୍ୟତା ହାସଲ କରିବା ଲାଗି ଉଦ୍ଧବ ଠାକରେ ସ୍ଥିର କରିଥିଲେ । ହେଲେ କରୋନାଜନିତ ବିଶେଷ ପରିସ୍ଥିତିରେ ୨୦୨୦, ମାର୍ଚ୍ଚ ୨୬ରେ ଅନୁଷ୍ଠିତ ହେବାକୁ ଥିବା ଏହି ନିର୍ବାଚନଟିକୁ ନିର୍ବାଚନ କମିଶନଙ୍କ ଦ୍ୱାରା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଗଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ସଦସ୍ୟତା ଆହରଣ କରି ନ ପାରିଲେ ଉଦ୍ଧବଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଓହରି ଯିବାକୁୁ ହେବ, ଯାହା ଫଳରେ ମନ୍ତ୍ରୀମଣ୍ଡଳ ଭଙ୍ଗ ହୋଇ ରାଜ୍ୟରେ ଏକ ରାଜନୈତିକ ସଙ୍କଟ ଉତ୍ପନ୍ନ ହେବ । ତେଣୁ ରାଜ୍ୟ ମନ୍ତ୍ରୀମଣ୍ଡଳ ଏପ୍ରିଲ ୯ ତାରିଖ ଦିନ ଅନୁଷ୍ଠିତ ବୈଠକରେ ଉଦ୍ଧବଙ୍କୁ ବିଧାନ ପରିଷଦର ଖାଲିଥିବା ଦୁଇଟି ମନୋନୀତ ଆସନ ମଧ୍ୟରୁ ଗୋଟିକରେ ମନୋନୟନ କରିବା ଲାଗି ରାଜ୍ୟପାଳଙ୍କୁ ସୁପାରିଶ କଲେ । ସ୍ୱାର୍ଥ-ଦ୍ୱନ୍ଦ୍ୱ ଦୃଷ୍ଟିରୁ ଉଦ୍ଧବ ଏହି ବୈଠକରେ ନିଜେ ଉପସ୍ଥିତ ରହି ନଥିଲେ । ୭୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନ ପରିଷଦର ୧୨ ଜଣ ସଦସ୍ୟ ମନ୍ତ୍ରୀମଣ୍ଡଳର ସୁପାରିଶ କ୍ରମେ ରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ହୋଇଥାଆନ୍ତି । ସମ୍ବିଧାନର ଧାରା ୧୭୧ ଅନୁଯାୟୀ, ସାହିତ୍ୟ, ବିଜ୍ଞାନ, କଳା, ସମବାୟ ଆନ୍ଦୋଳନ ଓ ସମାଜ ସେବା କ୍ଷେତ୍ରରେ ବିଶେଷ ଜ୍ଞାନ ବା ଅଭିଜ୍ଞତା ସମ୍ପନ୍ନ ବ୍ୟକ୍ତି ବିଶେଷଙ୍କୁ ବିଧାନ ପରିଷଦର ସଦସ୍ୟ ଭାବେ ମନୋନୟନ କରା ଯାଇପାରିବ । ଉଦ୍ଧବ ଠାକରେ କଳା କ୍ଷେତ୍ରରେ ତାଙ୍କ ଉପଲବ୍ଧି ପାଇଁ ମନୋନୀତ ହେବାକୁ ଯୋଗ୍ୟ, କାରଣ ଜଣେ ଖ୍ୟାତି ସମ୍ପନ୍ନ ଓାଇଲଡ ଲାଇଫ ଫଟୋଗ୍ରାଫର ଭାବେ ତାଙ୍କର ସୁନାମ ରହିଛି । ତାଙ୍କ ଦ୍ୱାରା ଉଠାଯାଇଥିବା ମହାରାଷ୍ଟ୍ରର ଅନେକ ଦୁର୍ଗର ଫଟୋ ସମ୍ମାନଜନକ ଜାହାଙ୍ଗୀର ଆର୍ଟ ଗ୍ୟାଲେରିରେ ସ୍ଥାନ ପାଇଛି । ସେହିପରି ସେ ଉଠାଇଥିବା ଫଟୋ ସମ୍ବଳିତ ଚିତ୍ର ପୁସ୍ତକ ‘ମହାରାଷ୍ଟ୍ର ଦେଶ’ ଓ ‘ପାହଓା ବିଠଲ’ ମଧ୍ୟ ପ୍ରକାଶ ପାଇ ସାରିଛି । ଅବଶ୍ୟ ଏକ ରାଜନୈତିକ ଦଳର ଅଧ୍ୟକ୍ଷ ଭାବେ ସମାଜ ସେବା କ୍ଷେତ୍ରରେ ଉଦ୍ଧବଙ୍କର ଦୀର୍ଘ ଦିନର ଅଭିଜ୍ଞତାକୁ ମଧ୍ୟ ଗ୍ରହଣ କରା ଯାଇପାରେ, ଯାହା ତାଙ୍କ ମନୋନୟନ ଲାଗି ଆବଶ୍ୟକ ଯୋଗ୍ୟତାକୁ ପୂରଣ କରୁଛି । ଦୀର୍ଘ ଦିନ ଧରି ମନ୍ତ୍ରୀମଣ୍ଡଳର ସୁପାରିଶ ଉପରେ ରାଜ୍ୟପାଳ କୌଣସି ନିର୍ଣ୍ଣୟ ନ ନେବାରୁ ମନ୍ତ୍ରୀମଣ୍ଡଳ ଏପ୍ରିଲ ୨୭ରେ ଦ୍ୱିତୀୟ ଥର ପାଇଁ ଉଦ୍ଧବଙ୍କ ନାମ ରାଜ୍ୟପାଳଙ୍କୁ ସୁପାରିଶ କଲେ । ଏ ସବୁ ସତ୍ତ୍ଵେ ରାଜ୍ୟପାଳ ଉଦ୍ଧବଙ୍କ ମନୋନୟନ ନେଇ କୌଣସି ନିଷ୍ପତ୍ତି ନେଇ ନାହାନ୍ତି, ଯାହା ରାଜନୈତିକ ଅନିଶ୍ଚିତତାକୁ ଅଧିକ ବଢାଇଛି । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲା ପରେ ଉଦ୍ଧବ ଯେ ବିଧାନ ପରିଷଦକୁ ନିର୍ବାଚିତ ହେବାର ଆଦୌ ଅବକାଶ ପାଇ ନଥିଲେ, ତା ନୁହେଁ । ବିଧାନ ପରିଷଦର ଦୁଇ ଜଣ ସଦସ୍ୟ ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହେଲା ପରେ ଖାଲି ହୋଇଥିବା ଦୁଇଟି ବିଧାନ ପରିଷଦ ଆସନ ପୂରଣ କରିବା ଲାଗି ୨୦୨୦ ଜାନୁଆରୀରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେହି ଆସନ ଦୁଇଟିର ଅବଶିଷ୍ଟ କାର୍ଯ୍ୟକାଳ ଆଗାମୀ ୩ ବର୍ଷ ମଧ୍ୟରେ ପୂରି ଯାଉଥିବାରୁ ସମ୍ଭବତଃ, ଅତ୍ୟଧିକ ଆତ୍ମବିଶ୍ୱାସୀ ହୋଇ ଉଦ୍ଧବ ସେହି ନିର୍ବାଚନରେ ଭାଗ ନେବାକୁ ଉଚିତ ନ ମଣି ୨୦୨୦ ମାର୍ଚ୍ଚ ମାସ ୯ଟି ବିଧାନ ପରିଷଦ ଆସନ ଲାଗି ହେବାକୁ ଥିବା ନିର୍ବାଚନରେ ଅଂଶଗ୍ରହଣ କରିବାକୁ ମନସ୍ଥ କରିଥିଲେ ।
   
ଅତୀତରେ ରାଜ୍ୟସଭାର ସାଂସଦ ଭାବେ ମନୋନୀତ ହୋଇଥିବା ବ୍ୟକ୍ତି ବିଶେଷ ମନୋନୟନକୁ ଗ୍ରହଣ କରି ନ ଥିବାର ଉଦାହରଣ ରହିଛି । ଯେପରି ୨୦୧୬ରେ ରାଜ୍ୟସଭାକୁ ମନୋନୀତ ହୋଇଥିବା ଅଲ ଓାର୍ଲଡ ଗାୟତ୍ରୀ ପରିବାରର ମୁଖ୍ୟ ପ୍ରଣବ ପାଣ୍ଡ୍ୟା ରାଜ୍ୟସଭାର ସଦସ୍ୟତା ଗ୍ରହଣ କରିବାକୁ ମନା କରି ଦେଇଥିଲେ । ତେବେ ରାଜ୍ୟସଭା ପାଇଁ ସରକାରଙ୍କ ଦ୍ୱାରା ସୁପାରିଶ ହୋଇଥିବା ମନୋନୀତ ବ୍ୟକ୍ତି ବିଶେଷଙ୍କ ମନୋନୟନକୁ ରାଷ୍ଟ୍ରପତି ଅଗ୍ରାହ୍ୟ କରିଥିବାର ନଜିର ନାହିଁ । ସେହିପରି ଯେଉଁ ରାଜ୍ୟମାନଙ୍କରେ ବିଧାନ ପରିଷଦ ରହିଛି ସେଠାରେ ସଦସ୍ୟ ମନୋନୟନରେ ସରକାର କରିଥିବା ସୁପାରିଶକୁ ରାଜ୍ୟପାଳ ଗ୍ରହଣ କରି ନ ଥିବାର ଉଦାହରଣ ମଧ୍ୟ ନାହିଁ । ଅଧିକନ୍ତୁ, ଅତୀତରେ ମହାରାଷ୍ଟ୍ରରେ ଦତ୍ତା ମେଘେ ଓ ଦୟାନନ୍ଦ ମହାସ୍କେ ମନ୍ତ୍ରୀ ଭାବେ ଶପଥ ନେଲା ପରେ ରାଜ୍ୟପାଳଙ୍କ ଦ୍ୱାରା ବିଧାନ ପରିଷଦର ସଦସ୍ୟ ଭାବେ ମନୋନୀତ ହେବାର ନଜିର ଥିବାର ତଥ୍ୟ ମହାରାଷ୍ଟ୍ର ସରକାରଙ୍କ ତରଫରୁ ରାଜ୍ୟପାଳଙ୍କୁ ଦିଆ ଯାଇଥିବାରୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ବ୍ୟକ୍ତି ବିଶେଷ ଯେ ମନୋନୀତ ହୋଇ ପାରିବେ ନାହିଁ, ତାହା ବି ନୁହେଁ । ଆଜି ଯାଏଁ ରାଜ୍ୟସଭାର କୌଣସି ମନୋନୀତ ସଦସ୍ୟ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇନାହାନ୍ତି । ତେବେ ରାଜ୍ୟ ବିଧାନ ପରିଷଦର ମନୋନୀତ ସଦସ୍ୟ ଥାଇ ବିହାର ଓ ମହାରାଷ୍ଟ୍ରରେ ମନ୍ତ୍ରୀ ହୋଇଥିବାର ଉଦାହରଣମାନ ରହିଛି । ଏପରିକି ବିଧାନ ପରିଷଦର ମନୋନୀତ ସଦସ୍ୟ ଥାଇ ଦୁଇ ଜଣ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନିର୍ବାହ କରିଛନ୍ତି । ଏ ସମ୍ପର୍କରେ ପ୍ରଥମ ଉଦାହରଣଟି ତତକାଳୀନ ମାନ୍ଦ୍ରାଜ ରାଜ୍ୟର, ଯେଉଁଠାରେ ୧୯୫୨ ମସିହାରେ ସି ରାଜଗୋପାଳଚାରୀ (ରାଜାଜୀ) ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲା ପରେ ରାଜ୍ୟପାଳ ଶ୍ରୀ ପ୍ରକାଶ ତାଙ୍କୁ ବିଧାନ ପରିଷଦର ସଦସ୍ୟ ରୂପେ ମନୋନୟନ କରିଥିଲେ । ଏହି ମନୋନୟନ ମାଧ୍ୟମରେ ପରୋକ୍ଷରେ କ୍ଷମତା ଦଖଲକୁ ସ୍ୱାଭାବିକ ଭାବେ ଗ୍ରହଣ କରି ପାରି ନଥିବା ପ୍ରଧାନମନ୍ତ୍ରୀ ନେହରୁ, ରାଜାଜୀଙ୍କୁ କୌଣସି ଆସନରୁ ନିର୍ବାଚିତ ହୋଇ ଆସିବା ପାଇଁ ପରାମର୍ଶ ଦେଇଥିଲେ । ତେବେ ପ୍ରାୟ ଦୁଇ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ ରହିବା ସତ୍ତ୍ଵେ ରାଜାଜୀ ନେହରୁଙ୍କ ପରାମର୍ଶକୁ ଗ୍ରହଣ କରିବାକୁ ଉଚିତ ମନେ କରି ନଥିଲେ ଓ ଶେଷ ପର୍ଯ୍ୟନ୍ତ ବିଧାନ ପରିଷଦର ମନୋନୀତ ସଦସ୍ୟ ହୋଇ ରହିଥିଲେ । କୁହାଯାଏ, ଏହା ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ତିକ୍ତତାର ଅନ୍ୟତମ କାରଣ ଥିଲା । ଦ୍ୱିତୀୟ ଉଦାହରଣଟି ଉତ୍ତର ପ୍ରଦେଶର, ଯେଉଁଠାରେ ୧୯୬୦ରେ ଚନ୍ଦ୍ରଭାନୁ ଗୁପ୍ତା ରାଜ୍ୟର ତୃତୀୟ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସେ ବିଧାନ ପରିଷଦର ସଦସ୍ୟ ରୂପେ ରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ହୋଇଥିଲେ । ତାଙ୍କ ମନୋନୟନର ବୈଧତାକୁ ପ୍ରଶ୍ନ କରି ଏକ ମାମଲା ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ଯାଇଥିଲା । ଚନ୍ଦ୍ରଭାନୁ ଗୁପ୍ତା ଦୀର୍ଘ ଦିନ ଧରି ସକ୍ରିୟ ରାଜନୀତିରେ ଥାଇ ସମାଜ ସେବା କରି ଆସୁଥିବାରୁ ବିଧାନ ପରିଷଦର ମନୋନୀତ ସଦସ୍ୟ ହେବା ପାଇଁ ସେ ଯୋଗ୍ୟ ବୋଲି କୋର୍ଟ ରାୟ ଶୁଣାଇଥିଲେ । ତେଣୁ ଜଣେ ମନୋନୀତ ସଦସ୍ୟ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବା ଅନୈତିକ ମନେ ହେଉଥିଲେ ମଧ୍ୟ  ସାମ୍ବିଧାନିକ ଓ ଆଇନଗତ ଦୃଷ୍ଟିରୁ ତାହା ବୈଧ । ତେବେ ମନ୍ତ୍ରୀମଣ୍ଡଳ ଦ୍ୱାରା ଦୁଇ ଦୁଇ ଥର ସୁପାରିଶ ହେବା ସତ୍ତ୍ଵେ ଉଦ୍ଧବ ଠାକରେଙ୍କ ମନୋନୟନକୁ ରାଜ୍ୟପାଳ ଅଗ୍ରାହ୍ୟ କରି ନଥିଲେ ମଧ୍ୟ ଗ୍ରହଣ କରିବା ନେଇ ଟାଳଟୁଳ ନୀତି ଆପଣାଇଛନ୍ତି, ଯାହା ରାଜ୍ୟପାଳଙ୍କ ଏ ସମ୍ପର୍କରେ ସାମ୍ବିଧାନିକ କ୍ଷମତା ଉପରେ ପ୍ରଶ୍ନ ଉତଥାପନ କରୁଛି । ତେବେ ଏହା କଣ ରାଜ୍ୟପାଳଙ୍କ ବିବେକାନୁମୋଦିତ କ୍ଷମତା ଅନ୍ତର୍ଭୁକ୍ତ ହୋଇ ପାରିବ କି?

ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ନିକଟରେ ଥିବା ବିବେକାନୁମୋଦିତ କ୍ଷମତା ମଧ୍ୟରେ ତିନି ପ୍ରକାର ଭିଟୋ କ୍ଷମତା -  ପୂର୍ଣ୍ଣ (ଆବସଲ୍ୟୁଟ) ଭିଟୋ, ସନ୍ଦିଗ୍ଧ (ସସପେନସିଭ) ଭିଟୋ ଓ ପକେଟ ଭିଟୋ - ରହିଛି । ସନ୍ଦିଗ୍ଧ ଭିଟୋ କ୍ଷମତା ଅନୁସାରେ, ମନ୍ତ୍ରୀମଣ୍ଡଳ ଦ୍ୱାରା ଗୃହୀତ କୌଣସି ନିଷ୍ପତ୍ତିକୁ ସ୍ୱୀକୃତି ପ୍ରଦାନ ନ କରି ତାର ପୁନର୍ବିଚାର ପାଇଁ ସେ ମନ୍ତ୍ରୀମଣ୍ଡଳ ନିକଟକୁ ପଠାଇ ଦେଇ ପାରିବେ । ଅବଶ୍ୟ ପୁନର୍ବିଚାର ହୋଇ ଆସିଲା ପରେ ରାଜ୍ୟପାଳଙ୍କ ପକ୍ଷରେ ସ୍ୱୀକୃତି ପ୍ରଦାନ କରିବା ଏକ ପ୍ରକାର ବାଧ୍ୟବାଧକତା ହୋଇଥାଏ । ଅନ୍ୟ ପକ୍ଷରେ ପକେଟ ଭିଟୋ ପ୍ରୟୋଗ ମାଧ୍ୟମରେ, ରାଜ୍ୟପାଳଙ୍କ ସ୍ୱୀକୃତି ପାଇଁ ଉପସ୍ଥାପିତ ମନ୍ତ୍ରୀମଣ୍ଡଳର ନିଷ୍ପତ୍ତି ବା ସୁପାରିଶକୁ ପୁନର୍ବିଚାର ପାଇଁ ଫେରସ୍ତ ନ କରି ସେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ତା ସପକ୍ଷରେ ବା ବିପକ୍ଷରେ କୌଣସି ନିଷ୍ପତ୍ତି ଗ୍ରହଣ ନ କରି ପକାଇ ରଖିଥାନ୍ତି । ୧୯୮୬ରେ ତତକାଳୀନ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂହ ଏହି ପକେଟ ଭିଟୋର ପ୍ରୟୋଗ କରି ପୋଷ୍ଟ ଅଫିସ ବିଲ୍‌କୁ ଆଇନରେ ପରିଣତ ହେବାକୁ ଦେଇ ନଥିଲେ । ଉଦ୍ଧବଙ୍କ ମନୋନୟନ ନେଇ ରାଜ୍ୟପାଳ ନିଷ୍ପତ୍ତି ଗ୍ରହଣରେ ବିଳମ୍ବ କରିବାକୁ ଏହି ପକେଟ ଭିଟୋ କ୍ଷମତାର ପ୍ରୟୋଗ ସହ ତୁଳନା କରା ଯାଇପାରେ । ସେ ଚାହିଁଲେ ଏହି କ୍ଷମତାର ପ୍ରୟୋଗ କରି ଉଦ୍ଧବଙ୍କୁ ନିର୍ଦ୍ଧାରିତ ତାରିଖ ମଧ୍ୟରେ ବିଧାନ ପରିଷଦର ମନୋନୀତ ସଦସ୍ୟ ହେବାରୁ ବଞ୍ଚିତ କରି ଦେଇ ପାରନ୍ତି ଓ ରାଜ୍ୟ ଏକ ସାମ୍ବିଧାନିକ ସଙ୍କଟ ଭିତରକୁ ଠେଲି ହୋଇ ଯାଇପାରେ । ତେଣୁ ମନୋନୟନ ଭଳି ସରକାରଙ୍କ ସମସ୍ତ ସାଧାରଣ ଓ ରୁଟିନ ନିଷ୍ପତ୍ତି ଓ ସୁପାରିଶ, ଯେଉଁଗୁଡିକ ନୀତିଗତ ନିଷ୍ପତ୍ତି ନୁହେଁ, ସେଗୁଡିକୁ ରାଜ୍ୟପାଳଙ୍କ ପକେଟ ଭିଟୋ କ୍ଷମତା ବାହାରେ ରଖିବା ଉଚିତ । ତଦ୍ଦ୍ୱାରା, ସରକାରଙ୍କ ଏହି ଧରଣର ସୁପାରିଶ ଓ ନିଷ୍ପତ୍ତିଗୁଡିକ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ରାଜ୍ୟପାଳଙ୍କ ସ୍ୱୀକୃତି ହାସଲ କରି ପାରିବ ଓ ସାମ୍ବିଧାନିକ ସଙ୍କଟକୁ ଏଡାଇ ଦେଇ ହେବ ।

ସମ୍ବିଧାନ ବିଶେଷଜ୍ଞଙ୍କ ମତରେ ରାଜ୍ୟପାଳ କ୍ୟାବିନେଟର ପ୍ରସ୍ତାବ ମାନିବାକୁ ବାଧ୍ୟ । ତେବେ ମନ୍ତ୍ରୀମଣ୍ଡଳର ସେହି ନିର୍ଦ୍ଦିଷ୍ଟ ବୈଠକର ସାମ୍ବିଧାନିକତା ଉପରେ ସେ ପ୍ରଶ୍ନ ଉଠାଇ ପାରନ୍ତି । ଅନ୍ୟ ପକ୍ଷରେ ସେ ଉଦ୍ଧବ ଠାକରେଙ୍କୁ ମନୋନୀତ ସଦସ୍ୟ କରାଇ ନ ଦେବା ପାଇଁ ପକେଟ ଭିଟୋର ଆଶ୍ରୟ ନେଇ ପାରନ୍ତି । କାରଣ ତଦ୍ଦ୍ୱାରା ତାଙ୍କୁ କାହାରିକୁ କୌଣସି ଉତ୍ତର ବା ସଫେଇ ଦେବାକୁ ହେବ ନାହିଁ । ଶେଷ ତାରିଖ ପାଖେଇ ଆସୁଥିବାରୁ ରାଜ୍ୟପାଳଙ୍କ ଆଚରଣରୁ ତାଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ଏକ ଷଡଯନ୍ତ୍ର ହେଉଛି ବୋଲି ଉଦ୍ଧବଙ୍କ ହୃଦୟଙ୍ଗମ ହେଲା । ଦେଶର ସର୍ବାଧିକ କରୋନା ଆକ୍ରାନ୍ତ ମହାରାଷ୍ଟ୍ର ରାଜ୍ୟରେ ହୋଇଥିବାରୁ ସେଠାରେ ଶାସନରେ ଅସ୍ଥିରତା ଦେଖା ଦେଲେ କରୋନା ବିରୁଦ୍ଧରେ ଲଢେଇ ବାଧାପ୍ରାପ୍ତ ହୋଇ ରାଜ୍ୟବାସୀ ଅଧିକ କ୍ଷତିଗ୍ରସ୍ତ ହେବେ ବୋଲି ସେ ଫୋନ ଯୋଗେ ପ୍ରଧାନମନ୍ତ୍ରୀଙ୍କୁ ସୂଚୀତ କରିବା ସହ ସେ ଯେପରି ନିର୍ବିଘ୍ନରେ ବିଧାନ ପରିଷଦର ସଦସ୍ୟତା ହାସଲ କରି ପାରିବେ ସେ ନେଇ ହସ୍ତକ୍ଷେପ କରିବାକୁ ତାଙ୍କୁ ଅନୁରୋଧ କରିଥିଲେ ବୋଲି ଅନୁମାନ କରାଯାଏ । ଏଥି ସତ୍ତ୍ଵେ ରାଜ୍ୟପାଳ ଉଦ୍ଧବଙ୍କ ମନୋନୟନ ଉପରେ କୌଣସି ନିଷ୍ପତ୍ତି ନେଇ ନ ଥିଲେ ବି, ଇତି ମଧ୍ୟରେ ବିଧାନ ପରିଷଦ ପାଇଁ ସ୍ଥଗିତ ରହିଥିବା ନିର୍ବାଚନକୁ ତୁରନ୍ତ ସମାପନ କରିବା ଲାଗି ନିର୍ବାଚନ କମିଶନଙ୍କୁ ପତ୍ର ଲେଖିଲେ । ଫଳସ୍ୱରୂପ, ନିର୍ବାଚନ କମିଶନ ମଧ୍ୟ ସେଠାରେ ବିଧାନ ପରିଷଦର ୯ଟି ଆସନ ପାଇଁ ଲକ ଡାଉନ ଉଠିଲା ପରେ ମଇ ୨୧ରେ ନିର୍ବାଚନ କରିବାକୁ ବିଜ୍ଞପ୍ତି ଜାରି କଲେ । ଏବେ ଉଦ୍ଧବ ଠାକରେ ବିଧାନ ପରିଷଦକୁ ନିର୍ବାଚିତ ହୋଇ ଆସିବାର ବାଟ ପରିଷ୍କାର ହେବା ଓ ଆପାତତଃ ରାଜନୈତିକ ସଙ୍କଟଟି ଟଳିଲା ପରି ମନେ ହେଉଛି । ତେବେ ଲକଡାଉନ ସମୟ ବୃଦ୍ଧି ବା ଅନ୍ୟ କୌଣସି କାରଣରୁ ନିର୍ଦ୍ଧାରିତ ଦିବସରେ ନିର୍ବାଚନ ହୋଇ ନ ପାରିଲେ ଉଦ୍ଧବ ମୁଖ୍ୟମନ୍ତ୍ରୀ ପଦ ହରାଇବାର ଆଶଙ୍କାକୁ ଏଡାଇ ଦେଇ ହେବନାହିଁ ।
  
ମନ୍ତ୍ରୀମଣ୍ଡଳର ସୁପାରିଶକୁ ଅଣଦେଖା କରି ଉଦ୍ଧବ ଠାକରେଙ୍କୁ ମନୋନୀତ ସଦସ୍ୟ କରାଇ ନ ଦେବା, ନିରାକରଣ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଫୋନ କରିବା ଓ ତା ପରେ ରାଜ୍ୟପାଳ ନିର୍ବାଚନ କମିଶନଙ୍କ ନିକଟକୁ ପତ୍ର ଲେଖିବା ଓ କମିଶନ ଚଳଚଞ୍ଚଳ ହୋଇ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବା ଆଦି ଘଟଣା ଦୁଃଖଦ, କାରଣ ଏହାଦ୍ୱାରା ଆମ ସାମ୍ବିଧାନିକ ଓ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ସ୍ୱାଭାବିକ ଭାବେ ନୁହେଁ ବରଂ ଚାପରେ କାମ କରୁଥିବାର ଧାରଣା ସୃଷ୍ଟି ହେଉଛି । ଏ ସମଗ୍ର ପ୍ରକରଣରେ ରାଜ୍ୟପାଳଙ୍କ ଭୂମିକା ସନ୍ଦେହର ଊର୍ଦ୍ଧ୍ୱରେ ରହି ପାରୁନାହିଁ । ରାଜ୍ୟପାଳ ଏକ ସାମ୍ବିଧାନିକ ପଦବୀ ହୋଇଥିବାରୁ ତାଙ୍କର ଆଚରଣ ଜଣେ ଦଳୀୟ କର୍ମୀ ପରି ହେଲେ ରାଜ୍ୟ ଶାସନରେ ଅସ୍ଥିରତା ସୃଷ୍ଟି ହୁଏ ଓ ସେଥିପ୍ରତି ରାଜ୍ୟପାଳମାନେ ଯତ୍ନବାନ ହେବାର ଯଥେଷ୍ଟ ଆବଶ୍ୟକତା ରହିଛି ।

Published in Odisha Reporter on May 07, 2020 

Comments

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍