ଇସ୍ରାଏଲ ଦ୍ୱାରା ହମାସ ଉପରେ ଦୀର୍ଘ ଦିନ ଧରି ଚାଲିଥିବା ନୃଶଂସ ଓ ବର୍ବରୋଚିତ ଆକ୍ରମଣର ପ୍ରତିବାଦରେ ମେ 2024ରେ ଆମେରିକାର ବିଭିନ୍ନ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ହୋଇଥିବା ଛାତ୍ର ବିକ୍ଷୋଭରେ ପ୍ରାୟ 2000 ଛାତ୍ରଙ୍କୁ ଅଟକ ରଖାଯାଇଥିଲା । ଇସ୍ରାଏଲକୁ ସମର୍ଥନ କରି ଲାଭାନ୍ୱିତ ହେଉଥିବା କମ୍ପାନିଗୁଡ଼ିକରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ପୁଞ୍ଜି ପ୍ରତ୍ୟାହାର କରନ୍ତୁ ବୋଲି ଛାତ୍ରମାନେ ଚାପ ପ୍ରୟୋଗ କରୁଥିଲେ ।
ଏଭଳି ସ୍ଥିତିରେ କେହି କେହି ପ୍ରଶ୍ନ କରିପାରନ୍ତି ଯେ ସେଠାକୁ ପଢ଼ିବାକୁ ଯାଇଥିବା
ପିଲାଏ ଇସ୍ରାଏଲ ହମାସରେ ସହିତ କ’ଣ କରୁଛି ସେ ନେଇ ମୁଣ୍ଡ ଖେଳାଉଛନ୍ତି
କାହିଁକି
?
କେବଳ କ୍ୟାମ୍ପସ୍ ବା ଶୈକ୍ଷିକ ପ୍ରସଙ୍ଗରେ ନୁହେଁ, ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ପ୍ରସଙ୍ଗରେ ବିଭିନ୍ନ ସମୟରେ ଆମେରିକାର ଛାତ୍ର ସମାଜ ଦୃଢ଼ ମତ ବ୍ୟକ୍ତ କରି ସରକାରଙ୍କ ଉପରେ ଚାପ ପ୍ରୟୋଗ କରିଥିବାର ସୁଦୀର୍ଘ ଇତିହାସ ରହିଛି । ଗତ ଶତାବ୍ଦୀର ଷଷ୍ଠ ଦଶକରେ ଛାତ୍ର ସମାଜର ପ୍ରବଳ ବିରୋଧ ଯୋଗୁଁ ଆମେରିକା ଭିଏତନାମ ଯୁଦ୍ଧରୁ ଓହରିବାକୁ ଏକପ୍ରକାର ବାଧ୍ୟ ହୋଇଥିଲା । ତେବେ କମ୍ୱୋଡ଼ିଆ ଆକ୍ରମଣକୁ ବିରୋଧ କରି 1970 ମସିହାରେ ହୋଇଥିବା ଛାତ୍ର ବିକ୍ଷୋଭ ଦେଶର 400ରୁ ଊର୍ଦ୍ଧ୍ୱ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟକୁ ବ୍ୟାପି ଯାଇଥିଲା । ସେହିପରି 1985 ମସିହାରେ ଦକ୍ଷିଣ ଆଫ୍ରିକାର ବର୍ଣ୍ଣ ବୈଷମ୍ୟ ନୀତିକୁ ବିରୋଧ କରି ହୋଇଥିବା ଛାତ୍ର ଆନ୍ଦୋଳନର ଫଳସ୍ୱରୂପ ଆମେରିକୀୟ କଂଗ୍ରେସ ଏକ ବର୍ଣ୍ଣ ବୈଷମ୍ୟ ବିରୋଧୀ ଆଇନ ପ୍ରଣୟନ କଲେ ଯଦ୍ଦ୍ୱାରା ଆମେରିକା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବାଣିଜ୍ୟ ଉପରେ କଟକଣା ଲାଗିଲା । ଏହାର ଅର୍ଥ, ବଯେଉଁଠି ବି ହୋଇଥାଉ ନା କାହିଁକି ନିଷ୍ପେଷଣ, ଦମନ ଓ ଅତ୍ୟାଚାରର ଶିକାର ହେଉଥିବା ଲୋକଙ୍କ ସପକ୍ଷରେ ସ୍ୱର ଉତ୍ତୋଳନ କରିବାକୁ ଆମେରିକୀୟ ଛାତ୍ର ସମାଜ କୁଣ୍ଠାବୋଧ କରନ୍ତି ନାହିଁ । କାରଣ 1964 ମସିହାର ‘ବର୍କଲେ ଫ୍ରି ସ୍ପିଚ୍ ମୁଭମେଣ୍ଟ୍’ ପରଠାରୁ ଆମେରିକାର କ୍ୟାମ୍ପସଗୁଡ଼ିକରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଓ ସେହି କ୍ରମରେ ଅଭିବ୍ୟକ୍ତିର ସ୍ୱତନ୍ତ୍ରତାର ଏକ ସୁସ୍ଥ ପରମ୍ପରା ଓ ବାତାବରଣ ବିଦ୍ୟମାନ । ତେଣୁ ଛାତ୍ରମାନେ ନିର୍ଭୀକ ଭାବେ ନିଜ ନିଜର ଭିନ୍ନ ମତ ବ୍ୟକ୍ତ କରିବା ସହ ବ୍ୟବସ୍ଥାକୁ ପ୍ରଶ୍ନ ପଚାରିବାର ସାହସ ରଖନ୍ତି । ଅସହମତି ଓ ପ୍ରତିବାଦ କରିବାର ଅଧିକାର ଏକ ସୁସ୍ଥ ଗଣତନ୍ତ୍ରର ପରିଚାୟକ । ପାରମ୍ପରିକ ଭାବେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ କେବଳ ଅଧ୍ୟୟନ ପାଇଁ ନୁହେଁ ବରଂ ମୁକ୍ତ ଚିନ୍ତନ ତଥା ବୌଦ୍ଧିକ ମତ ଆଦାନପ୍ରଦାନର କେନ୍ଦ୍ରସ୍ଥଳୀ ହୋଇ ଏଭଳି ଅଧିକାରକୁ ସୁରକ୍ଷା ପ୍ରଦାନ କରିବାକୁ
ଅଭିପ୍ରେତ ହୋଇଥାଏ । କିନ୍ତୁ ଗତ କିଛି ବର୍ଷ ଧରି କ୍ୟାମ୍ପସଗୁଡ଼ିକରେ ହେଉଥିବା ପ୍ରତିବାଦକୁ ପୁଲିସ ଦ୍ୱାରା ବଳପ୍ରଯୋଗ କରି ଦମନ କରିବାର ଚେଷ୍ଟା କରାଯାଉଥିବାର ଲକ୍ଷ୍ୟ କରାଯାଉଛି, ଯାହା ଉଦବେଗଜନକ ।
ରାଜ୍ୟ ଓ ଦେଶଗଠନରେ ଏକ ପ୍ରାଣବନ୍ତ ଛାତ୍ର ସମାଜ ବଡ଼ ଭୂମିକା ନିର୍ବାହ କରିଥାଏ । ଦେଶ ସ୍ୱାଧୀନତା ପରେ ଭାରତ ବର୍ଷରେ ଯେଉଁ ସବୁ ଛାତ୍ର ଆନ୍ଦୋଳନ ମୁଣ୍ଡ ଟେକିଛି ତା’ ପଛରେ ସଂଗଠିତ ଛାତ୍ର ସମାଜର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହି ପ୍ରସଙ୍ଗରେ ଜୟପ୍ରକାଶ ନାରାୟଣଙ୍କ ଆନ୍ଦୋଳନରେ ଗୁଜରାଟ ଛାତ୍ରମାନଙ୍କର ‘ନବ ନିର୍ମାଣ ସମିତି’ ଓ ଆସାମ ଆନ୍ଦୋଳନରେ ‘ଅଲ୍ ଆସାମ ଷ୍ଟୁଡେଣ୍ଟସ ୟୁନିଅନ୍’ର ଭୂମିକାର ବିଶେଷ ଉଲ୍ଲେଖ କରାଯାଇପାରେ । ଏହି ଆନ୍ଦୋଳନଗୁଡ଼ିକ ଶୈକ୍ଷିକ ପ୍ରସଙ୍ଗକୁ
ଅତିକ୍ରମ କରି ରାଜ୍ୟ ଓ ଦେଶର ବୃହତ୍ତର ସ୍ୱାର୍ଥର ସୁରକ୍ଷା ଲାଗି ବାହାରିପଡ଼ିଥିଲେ । ଏଥିରେ ସାମିଲ ଅନେକ ଛାତ୍ରନେତା ପରବର୍ତ୍ତୀ ସମୟରେ ରାଜ୍ୟ ଓ ଜାତୀୟ ସ୍ତରରେ ତୁଙ୍ଗ ନେତୃତ୍ୱ ନେଇଛନ୍ତି ।
ଏକଦା ଓଡ଼ିଶାରେ ଯେ ଏକ ପ୍ରାଣବନ୍ତ ଛାତ୍ର ସମାଜ ଥିଲା, 1964, 1969 ଓ 1980 ମସିହାରେ ସଂଘଟିତ ଛାତ୍ର ଆନ୍ଦୋଳନ ତିନିଟିରୁ ତା’ର ପ୍ରମାଣ ମିଳିଥାଏ । ଛାତ୍ର ଆନ୍ଦୋଳନର ପ୍ରଥମ ଆବଶ୍ୟକତା ହେଉଛି ଏକ ସଂଗଠିତ ଛାତ୍ର ସମାଜ, ଯାହା ବିଭିନ୍ନ କଲେଜ ସଂସଦରେ ନିର୍ବାଚନ ମାଧ୍ୟମରେ ସୁନିଶ୍ଚିତ ହୋଇଥାଏ । 1964 ମସିହାରେ 53 ଦିନ ଧରି ଚାଲିଥିବା ଛାତ୍ର ଆନ୍ଦୋଳନ ଏତେ ସୁସଂଗଠିତ ଥିଲା ଯେ ଏହା ସାରା ରାଜ୍ୟକୁ ବ୍ୟାପି ଯାଇଥିଲା ଓ ଶେଷରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବୀରେନ ମିତ୍ରଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା । ଛାତ୍ର ଆନ୍ଦୋଳନ ଯୋଗୁ ଗୋଟିଏ ରାଜ୍ୟରେ ମନ୍ତ୍ରୀମଣ୍ଡଳ ପତନର ଏହା ଥିଲା ସାରା ଭାରତରେ ପ୍ରଥମ ଘଟଣା । 1969ରେ ଅନୁଷ୍ଠିତ ଛାତ୍ର ଆନ୍ଦୋଳନ ମଧ୍ୟ ସାରା ରାଜ୍ୟକୁ ବ୍ୟାପିଯାଇଥିଲା । ସେହିପରି ସୁରେଶ ପୂଜାରୀଙ୍କ ନେତୃତ୍ୱରେ ଓଡ଼ିଶା ଛାତ୍ର କ୍ରିୟାନୁଷ୍ଠାନ କମିଟି ଦ୍ୱାରା 1980ରେ ହୋଇଥିବା ଛାତ୍ର ଆନ୍ଦୋଳନ ପଶ୍ଚିମ ଓଡ଼ିଶାରେ ଆରମ୍ଭ ହୋଇଥିଲେ ବି କ୍ରମେ ଏହା ରାଜ୍ୟର ବିଭିନ୍ନ ସ୍ଥାନକୁ ସମ୍ପ୍ରସାରିତ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଏହି ତିନିଟିଯାକ ଆନ୍ଦୋଳନ ଅଣଶୈକ୍ଷିକ କାରଣ ପାଇଁ ସଂଘଟିତ ହୋଇଥିଲା ।
ଏହି ଆନ୍ଦୋଳନଗୁଡ଼ିକରେ ଭାଗ ନେଇଥିବା ଛାତ୍ରନେତାଙ୍କ ମଧ୍ୟରୁ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ତ୍ରିଲୋଚନ କାନୁନଗୋ, ଦାମୋଦର ରାଉତ, ସୂର୍ଯ୍ୟନାରାୟଣ ପାତ୍ର, ଅରୁଣ ଦେ, ପଞ୍ଚାନନ କାନୁନଗୋ, ସୁରେଶ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଜନାର୍ଦ୍ଦନ ପତି, ଦେବୀ ପ୍ରସାଦ ମିଶ୍ର, ନବ କିଶୋର ଦାସ, କିଶୋର ମହାନ୍ତି, ଅମର ଶତପଥୀ, ରାଧାରାଣୀ ପଣ୍ଡା, ଉତ୍କଳ କେଶରୀ ପରିଡ଼ା, ଭବାନୀ ହୋତା ଆଦି ଅନେକ ନେତା ପ୍ରତ୍ୟକ୍ଷ ଭାବେ ଓଡ଼ିଶା ରାଜନୀତିରେ ଅଗ୍ରଣୀ ଭୂମିକା ନିର୍ବାହ କରିଛନ୍ତି । ଏତଦଭିନ୍ନ ଜରୁରୀକାଳୀନ ପରିସ୍ଥିତି ଓ ଅନ୍ୟ ସମୟରେ ଛାତ୍ର ରାଜନୀତିରୁ ବାହାରି ରାଜ୍ୟ ରାଜନୀତିରେ ନେତୃତ୍ୱ ନେଇଥିବାର ଅନେକ ଉଦାହରଣ ଦେଖିବାକୁ ମିଳେ । ସେହିପରି ଛାତ୍ର ରାଜନୀତିରୁ ବାହାରିଥିବା ଅନେକେ ପରବର୍ତ୍ତୀ ସମୟରେ ବିଭିନ୍ନ ସାମାଜିକ, ସାଂସ୍କୃତିକ, ସାହିତ୍ୟିକ ଅନୁଷ୍ଠାନ ଆଦି ଓ ରାଜନୈତିକ ସଂଗଠନରେ ନେତୃତ୍ୱ ନେଇଥିବାର ଦୃଷ୍ଟାନ୍ତ ରହିଛି । ସୁତରାଂ, ବିଭିନ୍ନ ସମୟରେ ଓଡ଼ିଶାରେ ଶିକ୍ଷାନୁଷ୍ଠାନଗୁଡ଼ିକ ଯେ ନେତାମାନଙ୍କର ଏନ୍ତୁଡ଼ିଶାଳରେ ପରିଣତ ହୋଇଛି, ସେଥିରେ ଦ୍ୱିରୁକ୍ତି ନାହିଁ ।
କିଛି ବର୍ଷ ଧରି ଓଡ଼ିଶାର କଲେଜଗୁଡ଼ିକରେ ନିର୍ବାଚନ ନ ହେବା ଯୋଗୁଁ ଛାତ୍ର ରାଜନୀତିରୁ ପ୍ରତ୍ୟକ୍ଷ ରାଜନୀତି ଓ ଅନ୍ୟାନ୍ୟ କ୍ଷେତ୍ରରେ ନେତୃତ୍ୱ ନେବାକୁ ଆଗେଇ ଆସୁଥିବା ଛାତ୍ରଙ୍କ ସଂଖ୍ୟା ହ୍ରାସ ପାଉଥିବା ପରିଲକ୍ଷିତ ହେଉଛି । ଫଳରେ ନେତାମାନଙ୍କ ପୁଅ, ଝିଅ ଓ ପରିବାରର ଲୋକେ କ୍ରମଶଃ ନେତା ଭାବେ ଆବିର୍ଭୁତ ହେଉଛନ୍ତି, ଯାହା ପୂର୍ବରୁ ଓଡ଼ିଶାରେ ଅନ୍ତତଃ ଏତେଟା ଦେଖାଯାଉ ନଥିବା ବଂଶବାଦକୁ ପରୋକ୍ଷରେ ପ୍ରଶ୍ରୟ ଦେଉଥିବାର ଅନୁଭୂତ ହେଉଛି । ଉଦବେଗଜନକ ଯେ ଓଡ଼ିଶାରେ 18-19 ବର୍ଷ ବୟସ ବର୍ଗରେ ଭୋଟର ହେବାକୁ ଯୋଗ୍ୟ ଯୁବକ ଯୁବତୀଙ୍କ ମଧ୍ୟରୁ ଏଥର ମାତ୍ର 49 ପ୍ରତିଶତ ଭୋଟର ଭାବେ ନିଜକୁ ପଞ୍ଜିକୃତ କରିଛନ୍ତି ଓ ସେମାନଙ୍କ ମଧ୍ୟରୁ ଖୁବ୍ କମ୍ ଭୋଟ ଦେଇଛନ୍ତି । ଏହା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ । ସେମାନଙ୍କର ଏହି ବୀତସ୍ପୃହତାର ଅନ୍ୟତମ କାରଣ ହେଉଛି, ‘ରାଜନୀତି ଗୋଟାଏ ଭଲ କ୍ଷେତ୍ର ନୁହେଁ ଓ ରାଜନୀତିଠାରୁ ଦୂରେଇ ରହିବା ଉଚିତ’ ବୋଲି ଧାରଣାଟିଏ ଆରମ୍ଭରୁ ଛାତ୍ରମାନଙ୍କ ମନରେ ଭରି ଦିଆଯାଉଛି । ଫଳରେ ଅଧିକାଂଶ ଛାତ୍ରଛାତ୍ରୀ ସଂସଦ ନିର୍ବାଚନରେ ବି କୌଣସି ରୁଚି ରଖନ୍ତି ନାହିଁ । ଅଧିକନ୍ତୁ କଲେଜରେ ନିର୍ବାଚନ ନ ହେବା ଯୋଗୁଁ ନିର୍ବାଚନ ନେଇ ସେମାନଙ୍କଠାରେ କୌଣସି ଉତ୍ସାହ ଦେଖିବାକୁ ମିଳୁନାହିଁ । ସେମାନେ ନିୟମିତ ଭାବେ କଲେଜ ନିର୍ବାଚନରେ ଭୋଟଦାନ କରୁଥିଲେ ଭୋଟଦାନ ସେମାନଙ୍କ ଅଭ୍ୟାସରେ ପରିଣତ ହୁଅନ୍ତା ଓ ସାଧାରଣ ନିର୍ବାଚନରେ ଭୋଟଦାନ କରିବା ପାଇଁ ସେମାନେ ସ୍ୱତଃସ୍ଫୁର୍ତ୍ତ ଭାବେ ଆଗେଇ ଆସନ୍ତେ ।
ଏହା ସତ ଯେ ପୂର୍ବାପେକ୍ଷା ଏଣିକି ଛାତ୍ର ସଂସଦ ନିର୍ବାଚନଗୁଡ଼ିକରେ ଅର୍ଥ ଓ ବାହୁବଳର ବ୍ୟାପକ ଅପପ୍ରୟୋଗ ହେଉଛି, ଯାହା ଆଦୌ ସ୍ପୃହଣୀୟ ନୁହେଁ । ତେବେ 50 ବର୍ଷ ତଳେ ସରପଞ୍ଚ ନିର୍ବାଚନ ହେଉ ବା ଏମଏଲଏ କି ଏମପି ନିର୍ବାଚନରେ ଯେଉଁ ପରିମାଣରେ ଅର୍ଥ ବ୍ୟୟ ହେଉଥିଲା, ଏବେ ତାହା ଯାଇ କେଉଁଠି ପହଞ୍ଚିଲାଣି, ସମସ୍ତଙ୍କୁ ଜଣା । ସେହିପରି ଏହି ନିର୍ବାଚନଗୁଡ଼ିକରେ ରାଜନୈତିକ ହିଂସା, ପ୍ରାଣହାନିର ଖବର ମଧ୍ୟ କ୍ରମଶଃ ସାଧାରଣ ହେବାକୁ ଲାଗିଲାଣି । ଅର୍ଥ ଓ ବାହୁବଳର ବ୍ୟାପକ ଅପପ୍ରୟୋଗକୁ କାରଣ ଦର୍ଶାଇ ପଞ୍ଚାୟତ ବା ସାଧାରଣ ନିର୍ବାଚନକୁ ବନ୍ଦ କରିବା କଥା କ’ଣ କେବେ ହେଲେ
ବନ୍ଦ କରି ଦିଆଯାଇପାରିବ କି ? ତେଣୁ ସେହି ଏକା କାରଣରୁ ଛାତ୍ରସଂସଦ ନିର୍ବାଚନକୁ ବାତିଲ କରିବା ମଧ୍ୟ ଉଚିତ ନୁହେଁ । ଏହା ଛଡ଼ା ସମାଜର ବିଭିନ୍ନ କ୍ଷେତ୍ରରେ ଯେଉଁ ଅବକ୍ଷୟମାନ ଦେଖାଦେଉଛି, ତାର ପ୍ରତିଫଳନ ଛାତ୍ର ସମାଜର କାର୍ଯ୍ୟକଳାପରେ ପରିଦୃଷ୍ଟ ହେଉଛି । ପୂର୍ବେ ଛାତ୍ର ସଂସଦ ନିର୍ବାଚନ ବା ଅନ୍ୟାନ୍ୟ କାର୍ଯ୍ୟରେ ରାଜନୈତିକ ଦଳଗୁଡ଼ିକର ପ୍ରତ୍ୟକ୍ଷ ହସ୍ତକ୍ଷେପ ରହୁ ନଥିବା ବେଳେ ଗତ କିଛି ଦଶନ୍ଧି ଧରି ତାହା କ୍ରମଶଃ ବୃଦ୍ଧି ପାଇ ଚାଲିଛି, ଯାହା ଦୁର୍ଭାଗ୍ୟଜନକ । ତେବେ ପୂର୍ବେ ମଧ୍ୟ ଛାତ୍ର ଆନ୍ଦୋଳନଗୁଡ଼ିକରେ ରାଜନୈତିକ ଦଳଗୁଡ଼ିକର ପରୋକ୍ଷ ସମ୍ପୃକ୍ତି ରହୁଥିଲା, ଯାହା ବିଭିନ୍ନ ତଦନ୍ତ ରିପୋର୍ଟରୁ ଉନ୍ମୋଚିତ ହୋଇଛି । ଅନେକଙ୍କ ମତରେ ନିର୍ବାଚନଜନିତ ଅଶାନ୍ତି ଯୋଗୁଁ କ୍ୟମ୍ପସରେ ଶୈକ୍ଷିକ ବାତାବରଣ ନଷ୍ଟ ହୋଇଥାଏ । ମାତ୍ର, ଜେଏନୟୁ ପରି ଶିକ୍ଷାନୁଷ୍ଠାନରେ ପ୍ରତିବର୍ଷ ନିର୍ବାଚନ ହେଉଥିବା ସତ୍ତ୍ୱେ ସେହି ଅନୁଷ୍ଠାନ ନିରନ୍ତର ଭାବେ ଶୈକ୍ଷିକ ଉତ୍କର୍ଷ ହାସଲ କରିବାକୁ ସମର୍ଥ ହେଉଛି ।
1964ର ଛାତ୍ର ଆନ୍ଦୋଳନ ପରେ ରାଜ୍ୟରୁ ଛାତ୍ର ସଂସଦ ବ୍ୟବସ୍ଥାର ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ସ୍ୱର ଉଠିଥିଲା । ତେବେ ଏହାର ତଦନ୍ତ ପାଇଁ ଗଠିତ ଜଷ୍ଟିସ୍ ବର୍ମନ କମିସନ୍ ତାଙ୍କ ରିପୋର୍ଟରେ ଏହି ପ୍ରସ୍ତାବକୁ ନାକଚ କରିବା ସହିତ କିଛି ସଂସ୍କାର ସହ ଛାତ୍ର ସଂସଦଗୁଡ଼ିକର ପୁନର୍ବିନ୍ୟାସ ଉପରେ ଗୁରୁତ୍ୱ ଦେଇଥିଲେ । ମାନବ ସମ୍ୱଳ ବିକାଶ ମନ୍ତ୍ରାଳୟ ଦ୍ୱାରା ଗଠିତ ଲିଙ୍ଗଡୋ କମିଟି ମଧ୍ୟ 2006 ମସିହାରେ ଦେଇଥିବା ରିପୋର୍ଟରେ ଦେଶର ଶିକ୍ଷାନୁଷ୍ଠାନଗୁଡ଼ିକ ଛାତ୍ର ସଂସଦର ନିର୍ବାଚନ ନିଶ୍ଚିତ ରୂପେ କରିବେ ବୋଲି ଉଲ୍ଲେଖ କରିଥିଲେ । ଯେଉଁ ଶିକ୍ଷାନୁଷ୍ଠାନଗୁଡ଼ିକରେ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ କରିବା ସମ୍ଭବ ହେଉନାହିଁ ସେଠାରେ ମନୋନୟନ ଭିତ୍ତିରେ ଛାତ୍ର ସଂସଦ ଗଠନ କରାଯାଇପାରେ, ତେବେ ମନୋନୟନର ଆଧାର କେବଳ ଶୈକ୍ଷିକ ମେଧା ହୋଇ ନପାରେ ବୋଲି ଉଲ୍ଲେଖ ଥିଲା । ମନୋନୟନ ବ୍ୟବସ୍ଥାକୁ କେବଳ ସାମୟିକ ଭାବେ ଗ୍ରହଣ କରାଯାଇ 5 ବର୍ଷ ମଧ୍ୟରେ ନିର୍ବାଚନ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହି ଛାତ୍ର ପ୍ରତିନିଧିତ୍ୱ ପ୍ରକ୍ରିୟା କେତେ ସଫଳତାର ସହ କାର୍ଯ୍ୟ କରୁଛି ତାହା ଜାଣିବା ପାଇଁ ସମୟାନ୍ତରରେ ସମୀକ୍ଷା କରାଯିବା କଥା ଉଲ୍ଲେଖ ଥିଲା । ଅର୍ଥାତ୍ ଛାତ୍ର ସଂସଦ ନିର୍ବାଚନ ବ୍ୟବସ୍ଥା ଉଚ୍ଛେଦ ନୁହେଁ, ବରଂ ଛାତ୍ର ପ୍ରତିନିଧିତ୍ୱକୁ ସୁନିଶ୍ଚିତ କରିବା ପାଇଁ କମିଟି ସଂସଦ ନିର୍ବାଚନର ଅପରିହାର୍ଯ୍ୟତା ଉପରେ ଗୁରୁତ୍ୱ ଦେଇଥିଲେ । ଏହା ସତ୍ତ୍ୱେ ଓଡ଼ିଶା ସମେତ ଯେଉଁ ସବୁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେଉନାହିଁ ତାହା ଲିଙ୍ଗଡୋ କମିଟି ରିପୋର୍ଟର ବିରୋଧାଚରଣ କରୁନାହିଁ କି ? ଛାତ୍ର ସଂସଦ ନିର୍ବାଚନ କରାଇବା ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ପାଇଁ ଏକ ଆହ୍ୱାନ ହୋଇପାରେ, ତେବେ ଏହା ଅପରିହାର୍ଯ୍ୟ ହୋଇଥିବାରୁ ଏହି ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ିବ । ସାଧାରଣ ନିର୍ବାଚନରେ ଭୋଟଦାନର ବୟସକୁ 18 ବର୍ଷ କରାଯାଇ ସାରିଥିବାବେଳେ କଲେଜରେ ନିର୍ବାଚନ ନ କରାଇ ଛାତ୍ରଛାତ୍ରୀମାନଙ୍କୁ ରାଜନୈତିକ ସମ୍ପୃକ୍ତିରୁ ଦୂରେଇ ରଖାଯାଉଛି ବୋଲି ଭାବିବା ନିର୍ବୋଧତା । ତା ସହିତ ଏହା ସେମାନଙ୍କୁ ମତଦାନ ଅଧିକାର ସାବ୍ୟସ୍ତ କରିବାରୁ ବଞ୍ଚିତ କରିବା ସହିତ ସମାନ । ଶିକ୍ଷାନୁଷ୍ଠାନଗୁଡ଼ିକରେ ରାଜନୈତିକ ଦଳ ତଥା ଅଣଛାତ୍ରଙ୍କ ପ୍ରବେଶ ଓ ପ୍ରଭାବକୁ ପ୍ରତିହତ କରି, ଅର୍ଥ ଓ ବାହୁ ବଳର ଅପପ୍ରୟୋଗକୁ ହ୍ରାସ କରି, ଏକ ନିର୍ଭୟ ଓ ହିଂସାମୁକ୍ତ ପରିବେଶରେ ମୁକ୍ତ ଓ ଅବାଧ ନିର୍ବାଚନ କରିବା ନେଇ ଆନ୍ତରିକ ପ୍ରୟାସ ହେବା ଆବଶ୍ୟକ ।
‘ମୋର କ’ଣ ଯାଏ ଆସେ’ ମାନସିକତାରେ ଗ୍ରସ୍ତ ଅଧିକାଂଶ ଛାତ୍ର ନିଜ କ୍ୟାରିଅରଓ ଭବିଷ୍ୟତ ନେଇ ଏତେ ଆତ୍ମକୈନ୍ଦ୍ରକ ହୋଇପଡ଼ୁଛନ୍ତି ଯେ ନିଜ ବିଶେଷ ରୁଚି ଭିନ୍ନ ସେମାନେ ଆଖପାଖରେ ଘଟୁଥିବା ଅନ୍ୟାୟ, ଅତ୍ୟାଚାର ପ୍ରତି ପ୍ରାୟତଃ ଉଦାସୀନ ରହୁଛନ୍ତି । ଏକ ସୁସ୍ଥ ଗଣତନ୍ତ୍ର ସମ୍ପନ୍ନ ବିକଶିତ ଦେଶ ଗଠନ ଲାଗି ନିଷ୍କ୍ରିୟ ଓ ଉଦାସୀନ ନୁହେଁ ବରଂ ଏକ ପ୍ରାଣବନ୍ତ ଛାତ୍ର ସମାଜ ଆବଶ୍ୟକ, ଯାହା କେବଳ ସରକାରଙ୍କ ତ୍ରୁଟି ବିରୋଧରେ ନୁହେଁ, ସାମାଜିକ କଳୁଷ ବିରୋଧରେ ସ୍ୱର ଉତ୍ତୋଳନ କରିବାର ସାମର୍ଥ୍ୟ ରଖୁଥିବ ।
Published in Sambad on July 09, 2024
Comments
Post a Comment