Skip to main content

ଗାନ୍ଧୀଜୀଙ୍କ ରାଜନୈତିକ ଗୁରୁ ଗୋଖଲେ

ଗାନ୍ଧୀଜୀଙ୍କ ଭାରତ ଆଗମନର ଯଥେଷ୍ଟ ପୂର୍ବରୁ ଭାରତୀୟ ରାଜନୀତିରେ ଗୋପାଳକୃଷ୍ଣ ଗୋଖଲେ ଜଣେ ବିଶାଳ ବ୍ୟକ୍ତିତ୍ୱ ଭାବେ ଉଭା ହୋଇ ସାରିଥିଲେ । ସ୍ୱାଧୀନତା ଆନ୍ଦୋଳନର ଦୁଇଟି ପ୍ରମୁଖ ଧାରା ମଧ୍ୟରୁ ଚରମ ପନ୍ଥାର ଚେହେରା ଲୋକମାନ୍ୟ ତିଲକ ହୋଇଥିବା ବେଳେ ନରମ ପନ୍ଥାର ଚେହେରା ଥିଲେ ଗୋଖଲେ । ଗାନ୍ଧୀଜୀ ମଧ୍ୟ ତାଙ୍କ ଦ୍ୱାରା ବେଶ ପ୍ରଭାବିତ ହୋଇଥିଲେ ଓ ତାଙ୍କୁ ନିଜ ରାଜନୈତିକ ଗୁରୁ ଭାବେ ଗ୍ରହଣ କରୁଥିଲେ ।

ଗାନ୍ଧୀଜୀ ୧୮୯୬ ମସିହାରେ ଭାରତକୁ ଆସିଥିବା ଅବସରରେ ବମ୍ବେ, ପୁନା, ମାନ୍ଦ୍ରାଜ, କଲିକତା ଓ ନାଗପୁର ଆଦି ସହରମାନଙ୍କୁ ଯାଇ ସେଠାରେ ରାଜନୈତିକ ନେତାମାନଙ୍କ ସହ ସାକ୍ଷାତ କରିବା ସହ ବିଭିନ୍ନ ସ୍ଥାନରେ ସାର୍ବଜନିକ ସଭା ମାଧ୍ୟମରେ ଦକ୍ଷିଣ ଆଫ୍ରିକାରେ ଥିବା ଭାରତୀୟଙ୍କ ନିର୍ଯାତନାର କରୁଣ କାହାଣୀ ଶୁଣାଉଥିଲେ । ଏହି କ୍ରମରେ ସେ ପୁନା ସହରକୁ ଆସିଥିଲେ ଓ ପୁନାସ୍ଥିତ ଫର୍ଗୁସନ କଲେଜ ପଡିଆରେ ଅକ୍ଟୋବର ୧୨, ୧୮୯୬ ଦିନ ତାଙ୍କର ପ୍ରଥମ ଥର ଲାଗି ଗୋଖଲେଙ୍କ ସହ ସାକ୍ଷାତ ହୋଇଥିଲା । ସେତେବେଳେ ଗୋଖଲେ ସେହି କଲେଜରେ ଗଣିତ ଅଧ୍ୟାପନା କରୁଥିବାରୁ ଗାନ୍ଧୀଜୀ ତାଙ୍କୁ ପ୍ରଫେସର ବୋଲି ସମ୍ବୋଧନ କରୁଥିଲେ । ଗୋଖଲେଙ୍କ ସହ ଏହି ପ୍ରଥମ ସାକ୍ଷାତ ଗାନ୍ଧୀଜୀଙ୍କ ଉପରେ ବେଶ ପ୍ରଭାବ ପକାଇଥିଲା । ଏ ସମ୍ପର୍କରେ ଗାନ୍ଧୀଜୀ ନିଜେ ଲେଖିଛନ୍ତି  ଯେ ସେ ଗୋଖଲେଙ୍କ ସହିତ ପ୍ରଥମ ଥର ଭେଟୁଥିଲେ ମଧ୍ୟ ତାଙ୍କୁ ଏମିତି ଲାଗୁଥିଲା ସତେ ଯେମିତି ସେ ତାଙ୍କର କୌଣସି ପୁରୁଣା ବନ୍ଧୁଙ୍କ ସହିତ ପୁଣି ଥରେ ସାକ୍ଷାତ କରୁଛନ୍ତି । ଏଥି ପୂର୍ବରୁ ସେ ଫିରୋଜ ସାହା ମେହେଟ୍ଟା ଓ ତିଳକଙ୍କ ପରି ବରିଷ୍ଠ ନେତାମାନଙ୍କ ସହ ବି ଭେଟି ସାରିଥିଲେ । ଗାନ୍ଧୀଜୀଙ୍କୁ ଫିରୋଜସାହା ହିମାଳୟ ପରି ଅଲଂଘନୀୟ ପ୍ରତୀତ ହୋଇଥିବା ବେଳେ ତିଳକଙ୍କୁ ମହାସାଗର ପରି ଅସୀମ ବୋଲି ମନେ ହୋଇଥିଲେ । ଅନ୍ୟ ପକ୍ଷରେ ଗୋଖଲେ ତାଙ୍କୁ ଗଙ୍ଗା ନଦୀ ଭଳି ଜଣା ପଡିଥିଲେ, ଯେଉଁ ପବିତ୍ର ନଦୀରେ ବୁଡଟିଏ ପକାଇ ହେବ ଆଉ ଡଙ୍ଗାରେ ବସି ହାତରେ ଆହୁଲା ଖଣ୍ଡିଏ ଧରି ତା ବକ୍ଷରେ ବିନା ଦ୍ୱିଧାରେ ଆନନ୍ଦରେ ବିଚରଣ କରି ହେବ । ବିଦ୍ୟାଳୟରେ ପଢିବା ପାଇଁ ଆସିଥିବା ଜଣେ ଛାତ୍ରକୁ ଜଣେ ଉତ୍ତମ ଶିକ୍ଷକ ଯେପରି ପରଖି ଥାଆନ୍ତି ଗୋଖଲେ ମଧ୍ୟ ଗାନ୍ଧୀଜୀଙ୍କୁ ଠିକ ସେହିପରି ପରଖି ଥିଲେ । ଗୋଖଲେଙ୍କ ସହିତ ଗାନ୍ଧୀଜୀଙ୍କର ଏହି ପ୍ରଥମ ସାକ୍ଷାତ ଏ ଭଳି ସମ୍ମୋହକ ଥିଲା ଯେ ତାହା ସାରା ଜୀବନ ଲାଗି ଗାନ୍ଧୀଜୀଙ୍କ ହୃଦୟରେ ଗୋଖଲେଙ୍କର ଏକ ସ୍ୱତନ୍ତ୍ର ଛାପ ଛାଡି ଦେଇଥିଲା । ଗୋଖଲେଙ୍କ ରାଜନୈତିକ ଜୀବନ ଗାନ୍ଧୀଜୀଙ୍କ ପାଇଁ ଆଦର୍ଶ ପାଲଟି ଯାଇଥିଲା । ଅନ୍ୟ ପକ୍ଷରେ ଯୁବ ଗାନ୍ଧୀଙ୍କ ନିଷ୍ଠା, ପ୍ରତିବଦ୍ଧତା, ସାଧୁତା ଓ ଭଦ୍ର ଆଚରଣ ଦ୍ୱାରା ଗୋଖଲେ ବି ତାଙ୍କ ପ୍ରତି ଆକର୍ଷିତ ହୋଇ ପଡିଥିଲେ ଓ ଭାରତୀୟ ସ୍ୱାଧୀନତାର ନେତୃତ୍ୱ ନେବା ପାଇଁ ତାଙ୍କ ନିକଟରେ ଥିବା ଅଜସ୍ର ସମ୍ଭାବନାକୁ ଦେଖି ପାରିଥିଲେ ।

ଗୋଖଲେଙ୍କ ସହ ମିଶିବା ପରେ ଗାନ୍ଧୀଜୀଙ୍କର ତାଙ୍କ ଉପରେ ଏତେ ଅଧିକ ବିଶ୍ୱାସ ଜନ୍ମିଥିଲା ଯେ ସେ ପୁନାରୁ ଆସି ମାନ୍ଦ୍ରାଜରେ ପହଞ୍ଚିବା ମାତ୍ରେ ଅକ୍ଟୋବର ୧୮ ତାରିଖ ଦିନ ଗୋଖଲେଙ୍କ ନିକଟକୁ ଏକ ପତ୍ର ଲେଖିଥିଲେ । ସେହି ପତ୍ରରେ ସେ ଦକ୍ଷିଣ ଆଫ୍ରିକା ସମେତ ବିଶ୍ୱର ବିଭିନ୍ନ ସ୍ଥାନରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ସମସ୍ୟାକୁ ଭାରତରେ ଗମ୍ଭୀରତାର ସହ ବିଚାର ବିମର୍ଶ କରି ଉଚିତ ପଦକ୍ଷେପ ନେବା ଉଦ୍ଦେଶ୍ୟରେ ପ୍ରଭାବଶାଳୀ ବ୍ୟକ୍ତିଙ୍କର ଏକ ସଶକ୍ତ କମିଟି ଗଠନ ଉପରେ ଗୁରୁତ୍ୱ ଦେଇଥିଲେ । ଉଲ୍ଲେଖଯୋଗ୍ୟ, ସେତିକି ବେଳେ ଅଷ୍ଟ୍ରେଲିଆରେ ପ୍ରବାସୀଙ୍କ ସଂଖ୍ୟା ହ୍ରାସ କରିବା ଉଦ୍ଦେଶ୍ୟରେ ସେମାନଙ୍କ ପ୍ରବେଶ ଉପରେ କଟକଣା ଲଗାଇବା ପାଇଁ ଆଇନ ପ୍ରଣୟନ ହେବାର ଥାଏ । ଏ ଭଳି ନିଷ୍ପତ୍ତି ଓ ପଦକ୍ଷେପ ଭାରତୀୟଙ୍କ ହିତର ପରିପନ୍ଥୀ ହେବାର ଆଶଙ୍କା ଥିବାରୁ ଗାନ୍ଧୀଜୀ ଏ ନେଇ ଗୋଖଲେଙ୍କୁ ସଜାଗ କରି ଦେଇଥିଲେ ।
             
ଜାହାଜ ଯୋଗେ ଗାନ୍ଧୀଜୀ ୧୮୯୬ ମସିହା ଡିସେମ୍ବର ମାସରେ ଭାରତରୁ ଦକ୍ଷିଣ ଆଫ୍ରିକାକୁ ଫେରିବା ପରେ ଡର୍ବାନଠାରେ ତାଙ୍କ ଉପରେ ଯେଉଁ ସାମୂହିକ ମରଣାନ୍ତକ ଆକ୍ରମଣ ହୋଇଥିଲା ସେଥିରେ ଗୋଖଲେ ଅତ୍ୟଧିକ ବିଚଳିତ ଓ କ୍ଷୁବ୍ଧ ହୋଇଥିଲେ । ଭାରତୀୟ ଜାତୀୟ କଂଗ୍ରେସର ବ୍ରିଟିଶ କମିଟି ଦ୍ୱାରା ପ୍ରକାଶିତ ‘ଇଣ୍ଡିଆ’ ନାମକ ପତ୍ରିକାରେ ‘ଇଣ୍ଡିଆନସ ଇନ ସାଉଥ ଆଫ୍ରିକା’ ଲେଖାଟିଏ ଲେଖି ସେ ସମ୍ପୂର୍ଣ୍ଣ ଘଟଣାର କଡା ଶବ୍ଦରେ ନିନ୍ଦା କରିଥିଲେ । ଏହି ଲେଖାଟି ପଢି ଅନେକ ବ୍ରିଟିଶ ନାଗରିକ ଦକ୍ଷିଣ ଆଫ୍ରିକାର ବ୍ରିଟିଶ ପ୍ରଶାସକ ଓ ନାଗରିକଙ୍କ ଆଚରଣରେ ଲଜ୍ଜିତ ହୋଇଥିଲେ ।
      
ଦକ୍ଷିଣ ଆଫ୍ରିକାରେ ଥିବା ଭାରତୀୟଙ୍କ ପ୍ରସଙ୍ଗକୁ ଭାରତୀୟ ଜାତୀୟ କଂଗ୍ରେସର ୧୯୦୧ ମସିହାରେ କଲିକତାଠାରେ ଅନୁଷ୍ଠିତ ହେଉଥିବା ଅଧିବେଶନରେ ସଂକଳ୍ପ ଆକାରରେ ଉତ୍‌ଥାପନ କରିବାର ଲକ୍ଷ୍ୟ ନେଇ ଗାନ୍ଧୀଜୀ ପ୍ରଥମ ଥର ପାଇଁ କଂଗ୍ରେସର କୌଣସି ଅଧିବେଶନରେ ଯୋଗ ଦେଇଥିଲେ । ଡିସେମ୍ବର ୨୬ରୁ ୨୮ ତାରିଖ ଯାଏଁ ଚାଲିଥିବା ସେହି ଅଧିବେଶନରେ ସେ ତିନି ଦିନ ଯାକ ଉପସ୍ଥିତ ରହିଥିଲେ । କଂଗ୍ରେସର କାର୍ଯ୍ୟଶୈଳୀ ସମ୍ପର୍କରେ ସମ୍ପୂର୍ଣ୍ଣ ଅନଭିଜ୍ଞ ଗାନ୍ଧୀଜୀଙ୍କ ପାଇଁ ସମସ୍ୟା ଥିଲା ସଂକଳ୍ପଟିକୁ ସବଜେକ୍ଟ କମିଟିରେ କିଏ ଓ କିପରି ଉଠାଇବ । ସଂକଳ୍ପଟିର ଉପସ୍ଥାପନ ପାଇଁ ଫିରୋଜ ସାହା ମେହେଟ୍ଟା ପୂର୍ବରୁ ସମ୍ମତି ପ୍ରକାଶ କରିଥିଲେ ମଧ୍ୟ ତାହା ଉପସ୍ଥାପିତ ହେବା ପୂର୍ବରୁ ସେ ଯେତେବେଳେ ଘୋଷଣା କଲେ ଯେ ସବୁ ସଂକଳ୍ପ ଉପସ୍ଥାପିତ ହୋଇସାରିଛି, ସେତେବେଳେ ଗୋଖଲେ ହସ୍ତକ୍ଷେପ କରି କହିଲେ, ‘ନା, ଗାନ୍ଧୀଙ୍କ ଦକ୍ଷିଣ ଆଫ୍ରିକୀୟ ଭାରତୀୟଙ୍କ ସମସ୍ୟା ସମ୍ବନ୍ଧୀୟ ସଂକଳ୍ପଟି ଏ ଯାଏଁ ଉପସ୍ଥାପିତ ହୋଇନାହିଁ ଓ ସେଇଟିକୁ ମୁଁ ଦେଖିଛି ।’ ଏହା ପରେ ଗାନ୍ଧୀଙ୍କୁ ସେହି ସଂକଳ୍ପଟି ଉପସ୍ଥାପନ କରିବାକୁ ସୁଯୋଗ ଦିଆଗଲା ଓ ଗୋଖଲେ ସେଇଟିକୁ ସମର୍ଥନ କରିଥିବାରୁ ଆଉ ତା ଉପରେ କୌଣସି ଆଲୋଚନା ନ ହୋଇ ସର୍ବସମ୍ମତି କ୍ରମେ ଗୃହୀତ ହୋଇ ଯାଇଥିଲା । ଗାନ୍ଧୀଙ୍କ ପ୍ରତି ଗୋଖଲେଙ୍କର ଏହି ଅକୁଣ୍ଠ ସମର୍ଥନ ଗାନ୍ଧୀଙ୍କୁ ସେ ସମୟର ଆଗଧାଡିର ଭାରତୀୟ ନେତାମାନଙ୍କ ସମ୍ମାନର ଅଧିକାରୀ କରାଇବାରେ ସହାୟକ ହୋଇଥିଲା ।

କଂଗ୍ରେସ ଅଧିବେଶନ ସରିବା ପରେ ଗାନ୍ଧୀଜୀ କଲିକତାରେ ଆଉ କିଛି ଦିନ ରହି ସେଠାରେ ଚ୍ୟାମ୍ବର ଅଫ କମର୍ସ ଓ ଅନ୍ୟାନ୍ୟ ପ୍ରଭାବଶାଳୀ ଲୋକଙ୍କ ସହ ଦକ୍ଷିଣ ଆଫ୍ରିକାରେ ଭାରତୀୟଙ୍କ ସମସ୍ୟା ସମ୍ପର୍କରେ ବିଚାର ବିମର୍ଶ କରିବାକୁ ସ୍ଥିର କରି ସେଠାକାର ‘ଇଣ୍ଡିଆ କ୍ଲବ’ରେ ଅବସ୍ଥାନ କଲେ । ଏହା ଦେଖି ଗୋଖଲେ ଗାନ୍ଧୀଙ୍କୁ ତାଙ୍କ ବାସଭବନରେ ରହିବା ପାଇଁ ଆମନ୍ତ୍ରଣ ଜଣାଇଲେ ଓ ଗାନ୍ଧୀ ତାହା ସ୍ୱୀକାର କରିଥିଲେ ମଧ୍ୟ । ଏହିଠାରେ ହିଁ ଉଭୟେ ଦୀର୍ଘ ପ୍ରାୟ ଏକ ମାସ ଧରି ଏକ ସଙ୍ଗରେ ସମୟ ଅତିବାହିତ କରିଥିଲେ ଓ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଥିଲା । ସେତେବେଳେ ଗୋଖଲେ ରାଜ ବିଧାନ ପରିଷଦ (ଇମ୍ପେରିଆଲ ଲେଜିସଲେଟିଭ କାଉନସିଲ)ର ଜଣେ ସଦସ୍ୟ ହୋଇଥିବାରୁ ତାଙ୍କୁ ସାକ୍ଷାତ କରିବାକୁ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଆସୁଥିଲେ ଓ ସେ ସମସ୍ତଙ୍କୁ ଗାନ୍ଧୀଙ୍କ ସହ ପରିଚିତ କରାଇ ଦେବାରେ କୁଣ୍ଠା ପ୍ରକାଶ କରୁ ନଥିଲେ । ଏହିପରି ଭାବେ ଗାନ୍ଧୀଜୀ କଲିକତାର ପ୍ରାୟ ଅଧିକାଂଶ ପ୍ରତିଷ୍ଠିତ ବଙ୍ଗାଳୀ ପରିବାର ଓ ନେତାଙ୍କ ସହ ପରିଚିତ ହେବା ସହ ଅନେକଙ୍କ ସହ ଘନିଷ୍ଠ ସମ୍ପର୍କ ପ୍ରତିଷ୍ଠା କରି ପାରିଥିଲେ । ସେମାନଙ୍କ ମଧ୍ୟରେ ଥିଲେ ପ୍ରଫୁଲ୍ଲ ଚନ୍ଦ୍ର ରାୟ, ଭୁପେନ୍ଦ୍ର ନାଥ ବୋଷ, ଜାନକୀ ଘୋଷାଲ, ରବୀନ୍ଦ୍ରନାଥ ଠାକୁର ଓ ସେ ସମୟର ଆହୁରି ଅନେକ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ । କଲିକତାରେ ଗାନ୍ଧୀଜୀଙ୍କ ପ୍ରଥମ ସାର୍ବଜନିକ ସଭା ପ୍ରଫୁଲ୍ଲ ଚନ୍ଦ୍ର ରାୟଙ୍କ ଉଦ୍ୟମ ତଥା ଗୋଖଲେଙ୍କ ସମର୍ଥନରେ ଆଲବର୍ଟ ହଲଠାରେ ଜାନୁଆରୀ ୧୯, ୧୯୦୨ରେ ଅନୁଷ୍ଠିତ ହୋଇଥିଲା । ସେହି ସଭାରେ ଗାନ୍ଧୀଜୀଙ୍କ ଭାଷଣ କଲିକତାର ଜନମାନସ ଉପରେ ଗଭୀର ରେଖାପାତ କରିଥିଲା । ଉଲ୍ଲେଖଯୋଗ୍ୟ, ସେତେବେଳେ କଲିକତା ଦେଶର ରାଜଧାନୀ ହୋଇଥିବାରୁ ଗୋଖଲେଙ୍କ ମାଧ୍ୟମରେ ଗାନ୍ଧୀଙ୍କୁ ସେଠାରେ ଯେଉଁ ମଂଚଟି ଏତେ ସହଜରେ ମିଳି ପାରିଥିଲା, ତାହା ପରବର୍ତ୍ତୀ ସମୟରେ ତାଙ୍କୁ ବିଭିନ୍ନ ଭାବେ ସାହାଯ୍ୟ କରିଥିଲା । ଏହି ସମୟରେ ଜଣେ ମାଆ ପରି ଗୋଖଲେ ଗାନ୍ଧୀ କେମିତି କଥା ହେଲେ, କଣ ପିନ୍ଧିଲେ, କେମିତି ଚାଲିଲେ, କଣ ଖାଇଲେ ତା ଉପରେ ଦୃଷ୍ଟି ଦେଇ ତାଙ୍କୁ ତିଆରୁ ଥିଲେ । ଏହି ରହଣି କାଳରେ ଦକ୍ଷିଣ ଆଫ୍ରିକାରୁ ଫେରି ଆସି ଭାରତକୁ ନିଜ କର୍ମଭୂମିରେ ପରିଣତ କରିବା ସହ ଭାରତୀୟଙ୍କ ସେବା ପାଇଁ ଜୀବନ ଉତ୍ସର୍ଗ କରିବା ଲାଗି ଗୋଖଲେ ଗାନ୍ଧୀଙ୍କୁ ପ୍ରଥମେ ପ୍ରବର୍ତ୍ତାଇ ଥିଲେ । ଏପରିକି ଭାରତକୁ ଫେରି ଆସିଲା ପରେ ଗାନ୍ଧୀଜୀ ଯେପରି ତାଙ୍କ ଓକିଲାତି ବ୍ୟବସାୟ ଜାରି ରଖି ପାରନ୍ତି ସେ ଦିଗରେ ସହାୟତା କରିବା ପାଇଁ ଗୋଖଲେ ବମ୍ବେର କିଛି ପ୍ରତିଷ୍ଠିତ ଓକିଲଙ୍କ ନିକଟକୁ ଗାନ୍ଧୀଜୀଙ୍କୁ ସହକାରୀ ଓକିଲ ଭାବେ ଗ୍ରହଣ କରିବା ଲାଗି ସୁପାରିଶ ଚିଠିମାନ ମଧ୍ୟ ଲେଖିଥିଲେ । ମାତ୍ର ଦକ୍ଷିଣ ଆଫ୍ରିକାକୁ ଫେରିଲା ପରେ ଗାନ୍ଧୀଜୀ ଅନ୍ୟାନ୍ୟ ଅନେକ ନୂଆ ନୂଆ ଜଞ୍ଜାଳରେ ଏମିତି ଛନ୍ଦି ହୋଇ ପଡିଲେ ଯେ ଭାରତକୁ ଫେରିବା କଥା ଆଉ ତାଙ୍କ ମନକୁ ଆସି ନଥିଲା । ତେବେ ସେ ଗୋଖଲେଙ୍କୁ ଭାରତରେ ନିଜର ଜଣେ ସକ୍ଷମ ଓ ପ୍ରଭାବଶାଳୀ ଶୁଭ ଚିନ୍ତକ ଓ ପଥ ପ୍ରଦର୍ଶକ ଭାବେ ଗ୍ରହଣ କରି ନେଇଥିଲେ ।

ଭାରତରୁ ଆସି ଦକ୍ଷିଣ ଆଫ୍ରିକା ତଥା ଅନ୍ୟ ବ୍ରିଟିଶ ଉପନିବେଶମାନଙ୍କରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଶ୍ରମିକ (ଇଣ୍ଡେଞ୍ଚରଡ ଲେବର)ଙ୍କ ଶୋଷଣ ଓ ନିର୍ଯାତନାର କାହାଣୀମାନ ସମ୍ପର୍କରେ ଗୋଖଲେ ଅବଗତ ଥିଲେ । ୧୯୧୦ ମସିହାରେ ଗୋଖଲେ ଦକ୍ଷିଣ ଆଫ୍ରିକାରେ ‘ନାଟାଲ ଇଣ୍ଡେଞ୍ଚରଡ ଲେବର ବିଲ’ ପ୍ରସ୍ତୁତିର ପ୍ରସ୍ତାବ ରଖିଥିଲେ । ବସ୍ତୁତଃ, ଏହି ଆଇନ ପ୍ରଣୟନ ପରେ ସେତେବେଳ ଯାଏଁ ନିଷ୍କ୍ରିୟ ପ୍ରତିରୋଧ (ପାସିଭ ରେଜିଷ୍ଟାନ୍ସ) ଭିତରେ ସୀମିତ ଥିବା ଗାନ୍ଧୀଜୀଙ୍କ ସଂଘର୍ଷ ନିମନ୍ତେ ସତେ ଯେମିତି ଆଇନର ଛାଞ୍ଚ ଭିତରେ ଏକ ଶକ୍ତିଶାଳୀ ଆୟୁଧ ମିଳି ଯାଇଥିଲା ଓ ସେ ତାକୁ ବେଶ ସଫଳତାର ସହ ପ୍ରୟୋଗ କରିଥିଲେ ମଧ୍ୟ । କେବଳ ସେତିକି ନୁହେଁ, ଦକ୍ଷିଣ ଆଫ୍ରିକାରେ ଗାନ୍ଧୀଜୀଙ୍କ ସଂଘର୍ଷକୁ ସହଯୋଗ କରିବା ପାଇଁ ଗୋଖଲେ ଭାରତରୁ ପାଣ୍ଠି ସଂଗ୍ରହ କରି ତାଙ୍କ ନିକଟକୁ ପଠାଉଥିଲେ । ୧୯୧୨ ମସିହାରେ ଗାନ୍ଧୀଜୀଙ୍କ ଆମନ୍ତ୍ରଣ କ୍ରମେ ଗୋଖଲେ ଏକ ୨୨ ଦିନିଆ ଗସ୍ତରେ ଦକ୍ଷିଣ ଆଫ୍ରିକାକୁ ଯାଇଥିଲେ । ସେଠାରେ ସେ ପ୍ରଧାନମନ୍ତ୍ରୀ ଜେନେରାଲ ଲୁଇ ବୋଥା, ଅର୍ଥ ତଥା ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ଜେ ସି ସ୍ମଟସଙ୍କ ଭଳି ଆଫ୍ରିକୀୟ ନେତାଙ୍କ ସହ ସାକ୍ଷାତ କରି ସେଠାରେ ଥିବା ଭାରତୀୟଙ୍କ ସମସ୍ୟାର ନିଦାନ ପାଇଁ ସେମାନଙ୍କଠାରୁ ପ୍ରତିଶ୍ରୁତିମାନ ହାସଲ କରିବାକୁ ସକ୍ଷମ ହୋଇଥିଲେ । ପରିତାପର ବିଷୟ, ସେଗୁଡିକୁ ସେମାନେ ପାଳନ କରି ନଥିଲେ । ବିଶେଷ କରି ପ୍ରବାସୀ ନିୟନ୍ତ୍ରଣ ବିଲରେ ଆଶାନୁରୂପ ସୁଧାର ଆସି ପାରି ନଥିଲା କି ଭାରତୀୟଙ୍କ ବିରୁଦ୍ଧରେ ପ୍ରଚଳିତ ଭେଦଭାବପୂର୍ଣ୍ଣ ଆଇନଗୁଡିକ କୋହଳ ହୋଇ ନଥିଲା । ଅବଶ୍ୟ ପରେ ଗୋଖଲେଙ୍କ ପ୍ରତିନିଧି ଭାବେ ଆସିଥିବା ସି ଏଫ ଆଣ୍ଡ୍ରୁଜଙ୍କ ସକ୍ରିୟ ବିଚାର ବିମର୍ଶ ପରେ ଜାନୁଆରୀ ୨୫, ୧୯୧୪ରେ ଗାନ୍ଧୀ-ସ୍ମଟ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ଓ ଫଳସ୍ୱରୂପ ଜାରି ରହିଥିବା ‘ନିଷ୍କ୍ରିୟ ପ୍ରତିରୋଧ’କୁ ବାତିଲ କରି ଦିଆଯାଇଥିଲା । ଗାନ୍ଧୀଜୀ ସ୍ୱୟଂ ଏ ସମ୍ପର୍କରେ ସ୍ୱୀକାର କରିଛନ୍ତି ଯେ ଗୋଖଲେ ଏହି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ନଥିଲେ ହୁଏତ ଦକ୍ଷିଣ ଆଫ୍ରିକା ସମସ୍ୟାର କେବେହେଲେ ସମାଧାନ ହୋଇ ପାରି ନଥାନ୍ତା । ଗୋଖଲେଙ୍କ ପ୍ରତ୍ୟାବର୍ତ୍ତନ ସମୟରେ ତାଙ୍କୁ ବାଟେଇ ଦେବା ପାଇଁ ଗାନ୍ଧୀଜୀ ତାଙ୍କ ସଙ୍ଗେ ଜାଞ୍ଜିବର ପର୍ଯ୍ୟନ୍ତ ଆସିଥିଲେ । ବାଟରେ ଗୋଖଲେ ଗାନ୍ଧୀଜୀଙ୍କୁ ଭାରତକୁ ଫେରି ଆସିବା ପାଇଁ ପୁନର୍ବାର କହିବା ସଙ୍ଗେ ସଙ୍ଗେ ସେ ଦୀର୍ଘ ଦିନ ଧରି ଭାରତଠାରୁ ଦୂରରେ ରହିଥିବା ଯୋଗୁ ପ୍ରଥମେ, ଅନ୍ତତଃ ପକ୍ଷେ ବର୍ଷଟିଏ, ଭାରତକୁ ବୁଲି ଦେଖିବା ପାଇଁ ପରାମର୍ଶ ଦେଇଥିଲେ । ପ୍ରକୃତ ଅର୍ଥରେ ଭାରତକୁ ଚିହ୍ନିବା ପୂର୍ବରୁ ସେ ଯେପରି ଭାରତ ପ୍ରସଙ୍ଗରେ କୌଣସି ମତ ବ୍ୟକ୍ତ ନ କରନ୍ତି ସେ ବାବଦରେ ଗାନ୍ଧୀଜୀଙ୍କୁ ତାଗିଦ ମଧ୍ୟ କରି ଦେଇଥିଲେ । ଭାରତକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଗାନ୍ଧୀଜୀ ବି ଗୋଖଲେଙ୍କ ପ୍ରଦତ୍ତ ପ୍ରତିଟି ଶିକ୍ଷା ଓ ଶବ୍ଦକୁ ଅକ୍ଷରେ ଅକ୍ଷରେ ପାଳନ କରିଥିଲେ ।

ଗାନ୍ଧୀଜୀ ତାଙ୍କ ଭାରତ ଫେରିବା ନିଷ୍ପତ୍ତି ସମ୍ପର୍କରେ ଫେବୃଆରୀ ୨୭, ୧୯୧୪ରେ ଗୋଖଲେଙ୍କୁ ପତ୍ର ଯୋଗେ ଲେଖିଥିଲେ, “ମୁଁ ଅପ୍ରେଲ ମାସ  ଭାରତକୁ ଫେରିବା କଥା ଭାବୁଛି । ମୁଁ ଏଣିକି ପୂରାପୂରି ଆପଣଙ୍କ ଜିମାରେ । ମୁଁ ଆପଣଙ୍କ ଚରଣାଶ୍ରିତ ହୋଇ ଆବଶ୍ୟକ ଅନୁଭୂତି ହାସଲ କରିବାକୁ ଚାହୁଁଛି । ମୋ ଏବର ଲକ୍ଷ୍ୟ ହେଉଛି ମୁଁ ଆପଣଙ୍କ ପାଖରେ ଜଣେ ନର୍ସ ଓ ପରିଚାରକ ଭାବେ ରହିବି । ମୁଁ ଏପରି ଜଣକଠାରୁ ପ୍ରକୃତ ଅନୁଶାସନ ଲାଭ କରିବା ପାଇଁ ଆଶାୟୀ ଯାହାଙ୍କୁ ମୁଁ ଭଲ ପାଏ ଓ ତାଙ୍କଠାରୁ ଦିଗଦର୍ଶନ ପାଇଁ ଚାହିଁ ରହିଥାଏ ।” ଏଥିରୁ ସେତେବେଳକୁ ପ୍ରାୟ ଦୁଇ ଦଶନ୍ଧି ଧରି ବିଭିନ୍ନ ସଂଘର୍ଷର ନେତୃତ୍ୱ ନେଇ ସାରିଥିବା ଗାନ୍ଧୀଜୀ ଯେ କେତେ ଅହଙ୍କାର ରହିତ ଥିଲେ ତାହା ସହଜରେ ବୁଝିହୁଏ । ତା ଛଡା ଭାରତୀୟ ସ୍ୱାଧୀନତା ସଂଗ୍ରାମର ବିଭିନ୍ନ ଦିଗ ସମ୍ପର୍କରେ ଟିକିନିକି ଜାଣିବା ଲାଗି ଛାତ୍ର ସୁଲଭ ଆଗ୍ରହ ଥିଲା ତାଙ୍କ ନିକଟରେ । ଭାରତକୁ ଫେରି ଏଥିରେ ସକ୍ରିୟ ଅଂଶ ଗ୍ରହଣ କରିବା ଲାଗି ବଦ୍ଧ ପରିକର ଥିବା ଗାନ୍ଧୀଜୀଙ୍କ ପାଇଁ ଗୋଖଲେଙ୍କ ଭଳି ଜଣେ ପୁରୁଖା ରାଜନେତାଙ୍କର ଶିଷ୍ୟତ୍ୱ ଗ୍ରହଣ କରିବା ଏକ ଅପୂର୍ବ ସୁଯୋଗ ଓ ସୌଭାଗ୍ୟ ଥିଲା । ତେବେ ଗୋଖଲେ ଲଣ୍ଡନକୁ ଯାଉଥିବାରୁ ଗାନ୍ଧୀଜୀଙ୍କୁ ଲଣ୍ଡନ ହୋଇ ଭାରତକୁ ଫେରିବା ପାଇଁ କହିଥିଲେ ଓ ଗାନ୍ଧୀଜୀ ଜୁଲାଇ ୧୮ରେ ଇଂଲଣ୍ଡ ଅଭିମୁଖେ ଯାତ୍ରାରମ୍ଭ କରିଥିଲେ । ଗୋଖଲେ ଅସୁସ୍ଥତାର ଶିକାର ହୋଇ ଫ୍ରାନ୍ସର ବିସିଠାରେ ଚିକିତ୍ସିତ ହେଉଥିଲେ । ଇତି ମଧ୍ୟରେ ପ୍ରଥମ ବିଶ୍ୱ ଯୁଦ୍ଧ ଆରମ୍ଭ ହୋଇଯିବାରୁ ଗାନ୍ଧୀଜୀ ଲଣ୍ଡନରେ ଅଟକି ଗଲେ । ତେବେ ଉଭୟଙ୍କ ମଧ୍ୟରେ ସେପ୍ଟେମ୍ବର ୧୮, ୧୯୧୪ରେ ସାକ୍ଷାତ ହୋଇଥିଲା । ଏହାପରେ ଗାନ୍ଧୀଜୀ ଜାନୁଆରୀ ୯, ୧୯୧୫ରେ ଆପୋଲୋ ବନ୍ଦର, ବମ୍ବେରେ ପହଞ୍ଚିଲା ବେଳକୁ ଗୋଖଲେ ପୁନାରୁ ଆସି ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । କିନ୍ତୁ ଦୁର୍ଯୋଗ, ମାତ୍ର ୪୦ ଦିନ ପରେ ଫେବୃଆରୀ ୧୯, ୧୯୧୫ରେ ଗୋଖଲେଙ୍କର ଦେହାବସାନ ଘଟିଥିଲା । ତାଙ୍କ ପ୍ରତିଷ୍ଠିତ ଭାରତ ସେବକ ସମାଜରେ ଯୋଗ ଦେଇ ଗାନ୍ଧୀଜୀ ତାହାର ଦାୟିତ୍ୱ ଗ୍ରହଣ କରନ୍ତୁ ବୋଲି ଗୋଖଲେ ଚାହୁଁଥିଲେ ମଧ୍ୟ ପାରିପାଶ୍ୱିର୍କ ଅବସ୍ଥା ଚକ୍ର ତାହା କାର୍ଯ୍ୟକାରୀ କରାଇ ଦେଇ ନଥିଲା । ଫଳସ୍ୱରୂପ, ଗାନ୍ଧୀଜୀ ସାବରମତୀ ଆଶ୍ରମ ପ୍ରତିଷ୍ଠା କଥା ମନକୁ ଆଣିଥିଲେ । ଗାନ୍ଧୀଜୀଙ୍କୁ ଏ ଦିଗରେ ଆର୍ଥିକ ସହାୟତା ପ୍ରଦାନ କରିବା ସହ ତାଙ୍କ ବର୍ଷେ ଧରି ଭାରତଯାତ୍ରା ପାଇଁ ଗୋଖଲେ ଆବଶ୍ୟକୀୟ ଅର୍ଥ ବ୍ୟବସ୍ଥା କରି ଦେଇ ଯାଇଥିଲେ ।
              
ଗୋଖଲେଙ୍କ ଜୀବନର ଏକ ଉପାଖ୍ୟାନ ସମ୍ପର୍କରେ ଗାନ୍ଧୀଜୀ ଲେଖିଛନ୍ତି ଯେ ଥରେ ଜଣେ ହିନ୍ଦୁ ଧର୍ମର ଉପାସକ ଗୋଖଲେଙ୍କୁ ସାକ୍ଷାତ କରି କହିଲେ, ‘ଆପଣ ତ ଜଣେ ଏତେ ବଡ ଲୋକ, କଂଗ୍ରେସ ନେତା ଇତ୍ୟାଦି । ଆପଣ ଘୋଷଣା କରି ଦେଉ ନାହାନ୍ତି ମୁସଲମାନଙ୍କ ଧର୍ମ ଅତି ଛୋଟ ଓ ଏହା ହିନ୍ଦୁ ଧର୍ମ ତୁଳନାରେ ନ୍ୟୂନ ବୋଲି ।’ ଗୋଖଲେଙ୍କ ଉତ୍ତର ଥିଲା, ‘ଏହା ଯଦି ମୋତେ ହିନ୍ଦୁ ଧର୍ମ ଶିକ୍ଷା ଦେଉଥାଏ ତେବେ ମୋର ହିନ୍ଦୁ ହୋଇ ରହିବାର ନାହିଁ ।’ ଗୋଖଲେ ଜଣେ ସଂସ୍କାରକ ଥିଲେ ଓ ଜାତି ବ୍ୟବସ୍ଥା ଉପରେ ବେଶି ଗୁରୁତ୍ୱ ଦେଉ ନଥିଲେ । ସେ ନିଜେ ଜଣେ କୂଳୀନ ବ୍ରାହ୍ମଣ ହୋଇଥିବାରୁ ପଇତା ପିନ୍ଧୁଥିଲେ । ଥରେ ପ୍ରସିଦ୍ଧ ଚିତ୍ର ନିର୍ମାତା ସତ୍ୟଜିତ ରାୟଙ୍କ ଜେଜେମାଆ ତଥା ତାଙ୍କର ଅନୁଯାୟୀ ସରଳା ରାୟ ତାଙ୍କୁ କହିଥିଲେ, ‘ଯଦି ସେ ନିଜକୁ ଜଣେ ସଂସ୍କାରକ ବୋଲି ମନେ କରୁଛନ୍ତି ତେବେ ନିଜେ କାହିଁକି ପଇତା ଧାରଣ କରୁଛନ୍ତି ?’ ତତକ୍ଷଣାତ କୌଣସି ଉତ୍ତର ଦେଇ ପାରି ନଥିବା ଗୋଖଲେଙ୍କ ଉପରେ ଏହି କଥାଟିର ବେଶ ପ୍ରଭାବ ପଡିଥିଲା ଓ କିଛି ଦିନ ପରେ ପିନ୍ଧିଥିବା ପଇତାଟିକୁ କାଟି ସେ ଏକ ଲଫାଫା ଯୋଗେ ସରଳା ରାୟଙ୍କ ନିକଟକୁ ପଠାଇ ଦେଇଥିଲେ । ସେ ବିଭିନ୍ନ କାମରେ ଅନେକ ଥର ବ୍ରିଟେନ ଓ ୟୁରୋପୀୟ ଦେଶମାନ ଗସ୍ତରେ ଯାଇଥିଲେ । ସେହି ସମୟର ସାମାଜିକ ମାନ୍ୟତା ଅନୁଯାୟୀ ବିଦେଶ ଫେରନ୍ତା ବ୍ରାହ୍ମଣମାନେ ଖ୍ରୀଷ୍ଟିଆନଙ୍କ ଦେଶରୁ ଫେରୁଥିବାରୁ ସେମାନଙ୍କ ଶୁଦ୍ଧିକରଣ ହେଉଥିଲା । ଏହାକୁ ଏକ ଅନ୍ଧ ବିଶ୍ୱାସ ବୋଲି ମନେ କରି ଗୋଖଲେ ଏହାକୁ କେବଳ ଯେ ଗ୍ରହଣ କରୁ ନଥିଲେ ତାହା ନୁହେଁ, ତାଙ୍କର କେବେହେଲେ ଶୁଦ୍ଧିକରଣ ହୋଇ ନଥିଲା । ମଣିଷ ମଣିଷ ମଧ୍ୟରେ ବାସସ୍ଥାନ ଓ ଧର୍ମକୁ ନେଇ କୌଣସି ବିଭେଦ ନାହିଁ ବୋଲି ସେ ବିଶ୍ୱାସ କରୁଥିଲେ । ଗୋଖଲେଙ୍କ ଧର୍ମ ଓ ଜାତିକୁ ନେଇ ଉନ୍ମୁକ୍ତ ମନୋଭାବର ଗାନ୍ଧୀଜୀଙ୍କ ଉପରେ ବେଶ ପ୍ରଭାବ ପଡିଥିଲା, ଯାହା ପରବର୍ତ୍ତୀ ସମୟରେ ଗାନ୍ଧୀଜୀଙ୍କ ଏ ନେଇ ଆଚରଣ ଓ ଉଚ୍ଚାରଣରେ ସ୍ପଷ୍ଟ ପ୍ରତିଫଳିତ ହୋଇଥିଲା ।

‘ନିଷ୍କ୍ରିୟ ପ୍ରତିରୋଧ’ (ପାସିଭ ରେଜିଷ୍ଟାନ୍ସ)ର ପ୍ରବକ୍ତା ଥିଲେ ଲୋକମାନ୍ୟ ତିଳକ, ଯାହାକୁ ଗାନ୍ଧୀଜୀ ବି ଦକ୍ଷିଣ ଆଫ୍ରିକାରେ ଏକ କୌଶଳଗତ ଅସ୍ତ୍ର ଭାବେ ପ୍ରୟୋଗରେ ଆଣିଥିଲେ । ତେବେ ନିଷ୍କ୍ରିୟ ପ୍ରତିରୋଧର ଘୋର ବିରୋଧୀ ଥିଲେ ଗୋଖଲେ । ଭାରତୀୟମାନେ ଅଧିକ ସଂଖ୍ୟାରେ ନିର୍ବାଚନରେ ଭାଗ ନେଇ ବିଧାନ ପ୍ରଣୟନ ସଭାଗୁଡିକୁ ଆସିବା ଉଚିତ ବୋଲି ତାଙ୍କର ମତ ଥିଲା । ଏଥି ସହିତ ନ୍ୟାୟ ବ୍ୟବସ୍ଥା ଓ ଶିକ୍ଷା ବ୍ୟବସ୍ଥା ଭିତରକୁ ମଧ୍ୟ ଅଧିକ ସଂଖ୍ୟକ ଭାରତୀୟ ପ୍ରବେଶ କରିବା ଉପରେ ସେ ଗୁରୁତ୍ୱ ଦେଉଥିଲେ । ଆଇନ ଓ ସମ୍ବିଧାନର ପରିସୀମା ଭିତରେ ରହି ସଂଘର୍ଷ ଜାରି ରଖିବା ଉଚିତ ବୋଲି ତାଙ୍କର ବିଶ୍ୱାସ ଥିଲା । ସେ ଜଣେ ନରମ ପନ୍ଥୀ ହୋଇଥିବାରୁ ବ୍ରିଟିଶ ସରକାରଙ୍କୁ ଯୁକ୍ତି ଓ ନୈତିକତା ମାଧ୍ୟମରେ ବୁଝାଇ ହେବ ବୋଲି ତାଙ୍କର ବିଶ୍ୱାସ ଥିଲା ଓ ତାକୁ ହିଁ ସେ ନିଜ ରାଜନୈତିକ ଦୃଷ୍ଟିକୋଣ ରୂପେ ଗ୍ରହଣ କରିଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ଗାନ୍ଧୀଜୀ ବି ଏହି ପନ୍ଥାକୁ ଶ୍ରେୟସ୍କର ମନେ କରି ବ୍ରିଟିଶ ସରକାରଙ୍କୁ ଯୁକ୍ତି ଓ ନୈତିକତାରେ ପ୍ରଭାବିତ କରି ହେବ ବୋଲି ମନେ କରୁଥିଲେ । ତେବେ ପରବର୍ତ୍ତୀ ସମୟରେ ତା ସହିତ ସେ ଗଣ ଭାବନା (ମାସ ଇମୋସନ)କୁ ତାଙ୍କ ରାଜନୈତିକ ଦୃଷ୍ଟିକୋଣର ଅଂଶ ବିଶେଷ କରିଥିଲେ, ଯାହା ସାଧାରଣ ଲୋକଙ୍କ ଦ୍ୱାରା ଗ୍ରହଣୀୟ ହୋଇ ପାରିଲା ଓ ସ୍ୱାଧୀନତା ସଂଗ୍ରାମକୁ ଶାଣିତ କରିବାରେ ଅଧିକ ସହାୟକ ହୋଇଥିଲା ।

ଗୋଖଲେଙ୍କ କାର୍ଯ୍ୟଶୈଳୀ ଓ କାର୍ଯ୍ୟ ସଂସ୍କୃତିର ଜଣେ ଉଚ୍ଚ ପ୍ରଶଂସକ ଥିଲେ ଗାନ୍ଧୀଜୀ, କାରଣ ସେ ମୁହୂର୍ତ୍ତେ ସମୟ ମଧ୍ୟ ଅପଚୟ କରୁ ନଥିଲେ । ଭାରତର ସ୍ୱାଧୀନତା ହାସଲ ତାଙ୍କର ଏକମାତ୍ର ଲକ୍ଷ୍ୟ ହୋଇଥିବାରୁ ଗୋଖଲେଙ୍କ ବନ୍ଧୁତା ଓ ସମ୍ପର୍କଠାରୁ ଆରମ୍ଭ କରି ସବୁ ଚେଷ୍ଟା ଓ ଧ୍ୟାନ ସେହି ଲକ୍ଷ୍ୟ ହାସଲ କରିବା ପାଇଁ ଉଦ୍ଦିଷ୍ଟ ଓ କେନ୍ଦ୍ରିତ ଥିଲା । ତେବେ ଗୋଖଲେଙ୍କ ଦୁଇଟି କଥା ଗାନ୍ଧୀଜୀଙ୍କୁ ଭଲ ଲାଗୁ ନଥିଲା ଓ ସେ ସମ୍ପର୍କରେ ସେ ତାଙ୍କ ସହ ଆଲୋଚନା କରିଥିଲେ ମଧ୍ୟ । ତନ୍ମଧ୍ୟରୁ ପ୍ରଥମଟି ଥିଲା, ଗୋଖଲେ ଯାତ୍ରା ସମୟରେ କେବଳ ଘୋଡାଗାଡି ଭଳି ଘରୋଇ ଯାନର ବ୍ୟବହାର କରୁଥିଲେ । ସେ ଆଦୌ ଟ୍ରାମକାର ଭଳି ସର୍ବସାଧାରଣ ପରିବହନରେ ଯାତାୟତ କରୁ ନଥିଲେ । ଏ ସଂକ୍ରାନ୍ତରେ ଗୋଖଲେଙ୍କ ଯୁକ୍ତି ଥିଲା ଯେ ସବୁ ସମୟରେ ତାଙ୍କ ଉପରେ ସାଧାରଣ ଲୋକଙ୍କ ଦୃଷ୍ଟି ଏତେ ଅଧିକ ଥାଏ ଯେ, ତାଙ୍କ ପକ୍ଷରେ ସର୍ବସାଧାରଣ ପରିବହନ ବ୍ୟବସ୍ଥାକୁ ବ୍ୟବହାର କରି ଗମନାଗମନ କରିବା ଆଦୌ ସମ୍ଭବପର ନୁହେଁ । ଆଉ ଦ୍ୱିତୀୟଟି, ଗୋଖଲେଙ୍କ ଶାରୀରିକ ବ୍ୟାୟାମ ପ୍ରତି ବିଶେଷ ଧ୍ୟାନ ନ ଦେବା । ସେହିପରି ଗୋଖଲେ ମଧ୍ୟ ଗାନ୍ଧୀଜୀଙ୍କ ପ୍ରାକୃତିକ ଚିକିତ୍ସା, ଅତିମାତ୍ରାରେ ମିତବ୍ୟୟିତା, ପଶ୍ଚିମୀ ସଭ୍ୟତା ପ୍ରତି ଅନାଗ୍ରହ, ରେଳରେ ତୃତୀୟ ଶ୍ରେଣୀରେ ଯାତ୍ରା ଭଳି କଥାଗୁଡିକୁ ସହଜରେ ଗ୍ରହଣ କରିପାରୁ ନଥିଲେ । ଏ ସବୁ ସତ୍ତ୍ଵେ ଶେଷ ପର୍ଯ୍ୟନ୍ତ ଉଭୟେ ଉଭୟଙ୍କ ନିକଟତର ହୋଇ ରହିଥିଲେ । 
      
ଗୋଖଲେଙ୍କୁ ଗାନ୍ଧୀଜୀ ସଦା ସର୍ବଦା ‘ପ୍ରଫେସର’ ବୋଲି ସମ୍ବୋଧନ କରୁଥିଲେ ମଧ୍ୟ ତାଙ୍କ ସମ୍ପର୍କରେ ଲେଖିଲା ବେଳେ ସେ ତାଙ୍କୁ ‘ମହାତ୍ମା ଗୋଖଲେ’ ବୋଲି ସମ୍ବୋଧନ କରୁଥିଲେ । ଗାନ୍ଧୀଜୀଙ୍କ ଭାଷାରେ ସ୍ଫଟିକ ପରି ସ୍ୱଚ୍ଛ, ମେଷଶାବକ ସଦୃଶ ନମ୍ର, ସିଂହ ପରି ସାହସୀ ଓ ରାଜନୀତି କ୍ଷେତ୍ରରେ ନିପୁଣ ପୁରୁଷ ଥିଲେ ଗୋଖଲେ । ବୟସରେ ଗୋଖଲେ ଗାନ୍ଧୀଜୀଙ୍କଠାରୁ ମାତ୍ର ୩ ବର୍ଷ ବଡ ଥିଲେ । ମାତ୍ର ୪୯ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ ବି ସେ ତାଙ୍କ କ୍ଷୁଦ୍ର ଜୀବନ କାଳ ମଧ୍ୟରେ ଅନେକ ଉପଲବ୍ଧିର ଅଧିକାରୀ ହୋଇ ସାରିଥିଲେ । ବମ୍ବେ ଲେଜିସଲେଟିଭ କାଉନସିଲର ସଦସ୍ୟ ହେବା ପରେ ସେ ଇମ୍ପେରିଆଲ ଲେଜିସଲେଟିଭ କାଉନସିଲର ସଦସ୍ୟ ହୋଇ ଜଣେ ବିଚକ୍ଷଣ ସାଂସଦ ଭାବେ ନିଜକୁ ପ୍ରତିଷ୍ଠିତ କରି ପାରିଥିଲେ । ମାତ୍ର ୩୯ ବର୍ଷ ବୟସରେ ୧୯୦୫ ମସିହାରେ ସେ ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ହୋଇଥିଲେ । ବସ୍ତୁତଃ ଗାନ୍ଧୀଜୀଙ୍କ ଭାରତ ଆଗମନ ବେଳକୁ ଗୋଖଲେ ଭାରତର ରାଜନୀତିରେ ବଟବୃକ୍ଷ ସଦୃଶ କାୟା ବିସ୍ତାର କରି ସାରିଥିଲେ । ରାଜନୈତିକ ବିଶ୍ଳେଷକଙ୍କ ମଧ୍ୟରୁ କେହି କେହି ମନେ କରନ୍ତି ଉଭୟ ଗାନ୍ଧୀଜୀ ଓ ଗୋଖଲେ ପ୍ରାୟ ସମବୟସୀ ହୋଇଥିବାରୁ ଓ ଗାନ୍ଧୀଜୀ ଗୋଖଲେଙ୍କୁ ନିଜ ରାଜନୈତିକ ଗୁରୁ ଭାବେ ଗ୍ରହଣ କରୁଥିବାରୁ ଯଦି ଗୋଖଲେ ଗାନ୍ଧୀଜୀଙ୍କ ପରି ଦୀର୍ଘଜୀବୀ ହୋଇଥାନ୍ତେ, ତେବେ ହୁଏତ ଗାନ୍ଧୀଜୀ ଚିରଦିନ ଲାଗି ତାଙ୍କ ଶିଷ୍ୟ ହୋଇ ରହି ଯାଇଥାନ୍ତେ ଓ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଗତିପଥ ଭିନ୍ନ ହୋଇ ଯାଇଥାନ୍ତା । ତେବେ ଇତିହାସ ଓ ରାଜନୀତିରେ ‘ଯଦି’ ବା ‘ହୁଏତ’ର କୌଣସି ସ୍ଥାନ ନଥିବାରୁ, ଗୋଖଲେଙ୍କ ଅତି ଅଳ୍ପ ବୟସରେ ତିରୋଧାନ ହେବା ଓ ପରବର୍ତ୍ତୀ ସମୟରେ ଗାନ୍ଧୀଜୀଙ୍କ ଭାରତୀୟ ସ୍ୱାଧୀନତା ସଂଗ୍ରାମର ସାରଥୀ ଭୂମିକାରେ ଅବତୀର୍ଣ୍ଣ ହେବା, ଯେପରି ବିଧି ନିର୍ଦ୍ଦିଷ୍ଟ ଥିଲା । 

Published in Odisha Reporter on 31.01.2020, 01.02.2020 and 03.02.2020

Comments

  1. Really a valuable article. Thank you for sharing. JayJagannath!

    ReplyDelete
  2. Very informative and true also
    Thanks for bringing lime light

    ReplyDelete

Post a Comment

Archive

Show more

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର...

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି...