Skip to main content

ନାଁ-ବଦଳ କମିସନ ଗଠନକୁ ନା

ରାଷ୍ଟ୍ରପତି ଭବନରେ ଥିବା ‘ମୁଗଲ ଗାର୍ଡନ’ର ନାମ ବଦଳାଇ ‘ଅମ୍ରିତ ଉଦ୍ୟାନ’ ହେବା ପରେ ନିକଟରେ ମହାରାଷ୍ଟ୍ରର ଦୁଇଟି ସହର ଔରଙ୍ଗାବାଦ ଓ ଓସମାନାବାଦର ନାମ ବଦଳାଇ ଯଥାକ୍ରମେ ଛତ୍ରପତି ସମ୍ଭାଜୀ ନଗର ଓ ଧାରାଶିବ କରିବାର ଘୋଷଣାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ସମ୍ମତି ପ୍ରଦାନ କରିଛି । ପୂର୍ବରୁ ଆଲାହାବାଦ ସହରର ନାମ ବଦଳାଇ ପ୍ରୟାଗରାଜ କରାହୋଇଛି । ଏହି କ୍ରମରେ ସାରା ଦେଶରେ କିଛି ରାସ୍ତା, ଛକ, ସହର, ରେଳ ଷ୍ଟେସନ (ମୁଗଲସରାଇ ଜଙ୍କସନ୍ ବଦଳରେ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ଜଙ୍କସନ୍), ବିମାନ ବନ୍ଦର, ସୌଧ, ଅନୁଷ୍ଠାନ ଆଦିର ନାମ ମଧ୍ୟ ପରିବର୍ତ୍ତନ କରାଯାଇସାରିଛି । ଏପରିକି ଫୈଜାବାଦ ଜିଲ୍ଲାର ନାମକୁ ବଦଳାଇ ଅଯୋଧ୍ୟା କରାହୋଇଛି । ଏହି କ୍ରମରେ ହାଇଦ୍ରାବାଦର ନାମ ଭାଗ୍ୟନଗର, ଅହମଦାବାଦର ନାମ କର୍ଣ୍ଣାବତୀ କରିବାକୁ ବି ଦାବି ହେଉଛି । ଏହି ନାମ ବଦଳ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲାଗି ଏକ ନାମବଦଳ କମିସନ (ରିନେମିଂ କମିସନ) ଗଠନ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେବା ଲାଗି ସୁପ୍ରିମକୋର୍ଟରେ ହୋଇଥିବା ଏକ ଜନସ୍ୱାର୍ଥ ମାମଲାକୁ ସର୍ବୋଚ୍ଚ ଅଦାଲତ ଫେବୃଆରି ୨୭, ୨୦୨୩ରେ ଖାରଜ କରିବା ସହ ଯେଉଁ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀମାନ ଦେଇଛନ୍ତି ତାହା ପ୍ରଣିଧାନଯୋଗ୍ୟ ।

ଭାରତର ସ୍ୱାଧୀନତା ପରେ ଅନେକ ସ୍ଥାନର ନାମ ସ୍ଥାନୀୟ ଭାଷାରେ କୁହାଯାଉଥିବା ନାମ ଅନୁସାରେ ପରିବର୍ତ୍ତନ କରାଯାଇଛି । ସେହି ଅନୁସାରେ ବମ୍ୱେକୁ ମୁମ୍ୱାଇ, କାଲକାଟାକୁ କୋଲକାତା, ମାଡ୍ରାସକୁ ଚେନ୍ନାଇ, ବାଙ୍ଗାଲୋରକୁ ବେଙ୍ଗାଲୁରୁ, ତ୍ରିଭାନ୍ଦ୍ରମକୁ ତିରୁବନନ୍ତପୁରମ, କୋଚିନକୁ କୋଚି ଆଦି କରାଯାଇଥିଲା । ଏପରିକି ରାଜ୍ୟର ନାମ ବଦଳାଇ ଟ୍ରାଭାନକୋର-କୋଚିନକୁ କେରଳ, ମଧ୍ୟ ଭାରତକୁ ମଧ୍ୟ ପ୍ରଦେଶ, ମାଡ୍ରାସକୁ ତାମିଲନାଡ଼ୁ, ମୈସୁରକୁ କର୍ଣ୍ଣାଟକ, ଉତ୍ତରାଞ୍ଚଳକୁ ଉତ୍ତରାଖଣ୍ଡ କରାଯାଇଛି । ଏପରିକି ୨୦୧୧ରେ ଓଡ଼ିଶାର ଇଂରାଜୀରେ ବନାନ ଓରିଶାରୁ ଓଡ଼ିଶା କରାଗଲା । ତେବେ ମୁସଲମାନ ଶାସକଙ୍କ ଅମଳରୁ ପ୍ରଚଳିତ କୌଣସି ସ୍ଥାନର ନାମ ପରିବର୍ତ୍ତନ କରାଯାଇ ନଥିଲେ ବି ଏହାର ପ୍ରଥମ ପ୍ରୟୋଗ ହେଲା ୨୦୧୮ରେ ଆଲାହାବାଦର ନାମ ପରିବର୍ତ୍ତନ କରି ପ୍ରୟାଗରାଜ କରିବା ମାଧ୍ୟମରେ । ଏହାପରେ କିଛି ଦକ୍ଷିଣପନ୍ଥୀଙ୍କ ଦ୍ୱାରା ମୁସଲମାନ ଶାସକମାନଙ୍କୁ ଆକ୍ରମଣକାରୀ ଭାବେ ଅଭିହିତ କରି ସେମାନଙ୍କ ନାମରେ ଥିବା ବା ସେମାନଙ୍କ ଶାସନ ଅମଳରୁ ଚଳି ଆସୁଥିବା ଅନେକ ନାମ ପରିବର୍ତ୍ତନ କରିବାକୁ ଦାବି ବୃଦ୍ଧି ପାଇ ଆସୁଥିଲା । ନିର୍ବାଚନକୁ ଆଖି ଆଗରେ ରଖି ଜନସାଧାରଣଙ୍କ ଆବେଗର ଧ୍ରୁବୀକରଣ ପାଇଁ  କେତେକ ରାଜନୈତିକ ଦଳ ଏହାକୁ ଏକ ରାଜନୈତିକ ଅସ୍ତ୍ର ରୂପେ ବ୍ୟବହାର କରିବାକୁ ବି ପଛାଉନାହାନ୍ତି । ଏହି ପରିପ୍ରେକ୍ଷୀରେ ଆବେଦନକାରୀ ଆଡଭୋକେଟ ଅଶ୍ୱିନୀ କୁମାର ଉପାଧ୍ୟାୟଙ୍କ ଦ୍ୱାରା ସୁପ୍ରିମକୋର୍ଟରେ ଦାଏର ହୋଇଥିବା ଏକ ଜନସ୍ୱାର୍ଥ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ବେଶ୍ ଗୁରୁତ୍ୱ ବହନ କରେ । ମାମଲାଟିରେ ଅଦାଲତଙ୍କଠାରୁ ଯେଉଁ ତ୍ରାଣ (ରିଲିଫ) ପାଇବା ପାଇଁ ପ୍ରାର୍ଥନା କରାଯାଇଥିଲା ସେଗୁଡ଼ିକ ହେଲା- (୧) ଅତୀତରେ ବର୍ବର ବିଦେଶୀ ଆକ୍ରମଣକାରୀଙ୍କ ଦ୍ୱାରା ଅନେକ ପ୍ରାଚୀନ ଐତିହାସିକ, ସାଂସ୍କୃତିକ, ଧାର୍ମିକ ସ୍ଥାନର ନାମ ପରିବର୍ତ୍ତନ କରାଯାଇ ସେଗୁଡ଼ିକର ଭିନ୍ନ ନାମ ରଖାଯାଇଥିଲା, ଯାହା ଆଜି ଯାଏଁ ବଳବତ୍ତର ରହିଛି । ସେହି ସ୍ଥାନଗୁଡ଼ିକୁ ପୂର୍ବ ନାମ ଅନୁସାରେ ପୁନଃନାମିତ କରିବା ଲାଗି ବିଧିବଦ୍ଧ ଭାବେ କୌଣସି ଆନ୍ତରିକ ଉଦ୍ୟମ ହୋଇନାହିଁ । ତେଣୁ ସାର୍ବଭୌମତ୍ୱକୁ ରକ୍ଷା କରିବା ପାଇଁ ଓ ସମ୍ୱିଧାନର ଅନୁଚ୍ଛେଦ ୨୧, ୨୫ ଓ ୨୯ରେ ଥିବା ମର୍ୟ୍ୟାଦାର ଅଧିକାର, ଧର୍ମର ଅଧିକାର ଓ ସଂସ୍କୃତିର ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ସେହି ସ୍ଥାନଗୁଡ଼ିକର ପ୍ରକୃତ ନାମ ଖୋଜି ବାହାର କରିବା ସହ ସେଗୁଡ଼ିକୁ ପୂର୍ବ ନାମରେ ନାମିତ କରିବା ଲାଗି ଏକ ନାମବଦଳ କମିସନ (ରିନେମିଂ କମିସନ) ଗଠନ କରିବା ପାଇଁ ଗୃହ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେବା । (୨) ନହେଲେ ବର୍ବର ବିଦେଶୀ ଆକ୍ରମଣକାରୀଙ୍କ ଦ୍ୱାରା ପରିବର୍ତ୍ତନ କରାଯାଇଥିବା ସ୍ଥାନଗୁଡିକର ମୂଳ ନାମ ଗବେଷଣା ମାଧ୍ୟମରେ ଖୋଜି ବାହାର କରି ପ୍ରକାଶ କରିବା ଲାଗି ଅଦାଲତ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ଭେକ୍ଷଣ (ଏଏସଆଇ)କୁ ନିର୍ଦ୍ଦେଶ ଦେବା, କାରଣ ସମ୍ୱିଧାନର ଅନୁଚ୍ଛେଦ ୧୯ ଅନୁଯାୟୀ ‘ଜାଣିବାର ଅଧିକାର’ ଏକ ମୌଳିକ ଅଧିକାର ହୋଇଥିବାରୁ ନାଗରିକ ସେ ସବୁ ଜାଣିବା ନିତାନ୍ତ ଆବଶ୍ୟକ । (୩) କେନ୍ଦ୍ର ଓ ରାଜ୍ୟସରକାରଗୁଡ଼ିକ ସେମାନଙ୍କ ୱେବସାଇଟ ଓ ରେକର୍ଡପତ୍ରରେ ସଂଶୋଧନ କରି ମୂଳ ନାମକୁ ଲେଖିବା ପାଇଁ କୋର୍ଟ ସେମାନଙ୍କୁ ନିର୍ଦ୍ଦେଶ ଦେବା । 

ଆବେଦନକାରୀଙ୍କ ଅନୁସାରେ ଭଗବାନ କୃଷ୍ଣ ଓ ବଳରାମଙ୍କ ଆଶୀର୍ବାଦରେ ପାଣ୍ଡବମାନେ ଏକ ମରୁଭୂମି ଖାଣ୍ଡବପ୍ରସ୍ଥକୁ ପରିବର୍ତ୍ତନ କରି ଇନ୍ଦ୍ରପ୍ରସ୍ଥ (ଦିଲ୍ଲୀ)ର ସ୍ଥାପନା କରିଥିଲେ ବି ସେଠାରେ ଆଜି ଗୋଟିଏ ବି ରାସ୍ତା, ୱାର୍ଡ, ଗାଁ, ନିର୍ବାଚନମଣ୍ଡଳୀ ସେମାନଙ୍କ ବା ସେମାନଙ୍କ ପରିଜନଙ୍କ ନାମରେ ନ ହେବା ନାଗରିକଙ୍କୁ ଆହତ କରୁଛି । ଅନ୍ୟପକ୍ଷରେ ଦିଲ୍ଲୀ ରାସ୍ତାଗୁଡ଼ିକର ନାମ ବାବର ରୋଡ଼, ହୁମାୟୁନ ରୋଡ, ଆକବର ରୋଡ, ଜାହାଙ୍ଗିର ରୋଡ, ଶେରସାହ ରୋଡ଼ ଭଳି ବିଦେଶୀ ଆକ୍ରମଣକାରୀଙ୍କ ନାମରେ ରହିଥିଲେ ବି ସରକାର ସେଗୁଡ଼ିକୁ ବଦଳାଇବା ପାଇଁ କୌଣସି ପଦକ୍ଷେପ ନେଉ ନଥିବାରୁ ନାଗରିକଙ୍କ ବେଦନା ଅଧିକ ହେଉଛି । ତେଣୁ ଏକ ନାମ ବଦଳ କମିସନ ଗଠନ କରି ଏହି ନାମଗୁଡିକର ମୂଳ ନାମ ଖୋଜି ବାହାର କରି ସେଗୁଡ଼ିକୁ ବଦଳାଇବା ଲାଗି ଗୃହ ମନ୍ତ୍ରାଳୟକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନକାରୀଙ୍କ ଆବେଦନର ସାରମର୍ମ ଥିଲା ।

ମାମଲାଟିରେ ଆବେଦନକାରୀ ଯେଉଁ ଆଇନଗତ ପ୍ରଶ୍ନଗୁଡ଼ିକ ଉତ୍ଥାପନ କରିଥିଲେ ସେଗୁଡ଼ିକ ହେଲା- (୧) ପ୍ରାଚୀନ ଐତିହାସିକ, ସାଂସ୍କୃତିକ, ଧାର୍ମିକ ସ୍ଥାନଗୁଡ଼ିକର ନାମ ସ୍ଥାନରେ ବର୍ବର ଆକ୍ରମଣକାରୀଙ୍କ ପ୍ରଦତ୍ତ ନାମ ଜାରି ରହିବା ଦ୍ୱାରା ତାହା ସାର୍ବଭୌମତ୍ୱକୁ କ୍ଷୁଣ୍ଣ କରୁଛି କି ?, (୨) ଅନୁଚ୍ଛେଦ ୨୧ ଅନ୍ତର୍ଗତ ମର୍ୟ୍ୟାଦାର ଅଧିକାରକୁ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ସେହି ସ୍ଥାନଗୁଡ଼ିକର ମୂଳ ନାମର ପୁନଃସ୍ଥାପନା ପାଇଁ ଦାୟବଦ୍ଧ କି ? (୩) ଭାରତୀୟ ସମ୍ୱିଧାନର ପ୍ରସ୍ତାବନାରେ ରାଷ୍ଟ୍ରର ଏକତା ଓ ଅଖଣ୍ଡତା ହାସଲ ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଛି, ପ୍ରାଚୀନ ଐତିହାସିକ, ସାଂସ୍କୃତିକ, ଧାର୍ମିକ ସ୍ଥାନଗୁଡ଼ିକର ନାମର ପୁନଃସ୍ଥାପନା ସେଥି ସହ ସମ୍ପର୍କିତ କି ? (୪) କୌଣସି ଧର୍ମକୁ ମାନିବା, ପାଳନ କରିବା ଓ ପ୍ରଚାର କରିବାର ଅଧିକାର କ’ଣ ଧାର୍ମିକ ସ୍ଥାନର ନାମ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ କି, ଆଉ ତେଣୁ ଉପରୋକ୍ତ ଧର୍ମ ଅଧିକାରଗୁଡିକୁ ଅବାଧରେ ପାଳନ କରିବା ପାଇଁ ବିଦେଶୀ ଶାସନ ସମୟରେ ହୋଇଥିବା ନାମରେ ପରିବର୍ତ୍ତନଗୁଡ଼ିକୁ ବଦଳାଯିବା ଆବଶ୍ୟକ କି ?, (୫) ରାମାୟଣ ମହାଭାରତ ସମୟରେ ସ୍ଥାନଗୁଡ଼ିକର ଯେଉଁ ନାମ ଥିଲା ସେଗୁଡ଼ିକୁ ବିଦେଶୀ ଶାସନ ସମୟରେ ମନଇଚ୍ଛା ବେଆଇନ ଭାବେ ବଦଳା ଯାଇଥିଲା କି ଆଉ ଅନୁଚ୍ଛେଦ ୨୯ ଅନ୍ତର୍ଗତ ସଂସ୍କୃତି ସଂରକ୍ଷଣ ଅଧିକାରର ଗ୍ୟାରେଣ୍ଟି ପାଇଁ ସେଗୁଡ଼ିକୁ ପୁନଃସ୍ଥାପିତ କରାଯିବା ଆବଶ୍ୟକ କି ? (୬) ସେହି ସ୍ଥାନଗୁଡ଼ିକର ପୂର୍ବ ନାମର ପୁନଃସ୍ଥାପନା ଅନୁଚ୍ଛେଦ ୨୧ ଅନ୍ତର୍ଗତ ‘ପରିଚୟ ଅଧିକାର’ର ଗ୍ୟାରେଣ୍ଟିକୁ ସୁନିଶ୍ଚିତ କରିବ କି ? (୭) ଅନୁଚ୍ଛେଦ ୧୯ ଅନ୍ତର୍ଗତ ଜାଣିବାର ଅଧିକାରରେ ପ୍ରାଚୀନ ଐତିହାସିକ, ସାଂସ୍କୃତିକ, ଧାର୍ମିକ ସ୍ଥାନଗୁଡ଼ିକର ମୂଳ ନାମ ଜାଣିବାର ଅଧିକାର ଅନ୍ତର୍ଭୁକ୍ତ କି ?

ଜଷ୍ଟିସ କେ ଏମ ଯୋସେଫ ଓ ଜଷ୍ଟିସ ବି ଭି ନାଗରତ୍ନ ମାମଲାଟିକୁ ଖାରଜ କରିବା ସହିତ ମାମଲାଟିକୁ ପ୍ରତ୍ୟାହାର କରିନେବା ଲାଗି ଆବେଦନକାରୀଙ୍କ ଅନୁରୋଧକୁ ମଧ୍ୟ ଖାରଜ କରି ଏକ ଐତିହାସିକ ରାୟ ଦେବା ସହ ଆବେଦନକାରୀଙ୍କ ପ୍ରତି ଯେଉଁ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ କେତୋଟି ପ୍ରଦାନ କରିଛନ୍ତି ସେଗୁଡ଼ିକର ସୁଦୂରପ୍ରସାରୀ ପ୍ରଭାବ ପରିଲକ୍ଷିତ ହୋଇପାରେ ।

    “ହିନ୍ଦୁ ଧର୍ମ ଏକ ଜୀବନ ଧାରଣର ଶୈଳୀ; ସେଥିପାଇଁ ଏହା ସମସ୍ତଙ୍କୁ ନିଜ ଭିତରେ ସମାହିତ କରିପାରିଛି; ସେଥିପାଇଁ ଆମେ ଏକତ୍ର ବସବାସ କରିବାକୁ ସକ୍ଷମ ହୋଇଛନ୍ତି ।“

    “ହିନ୍ଦୁ ଧର୍ମରେ ବିଦ୍ୱେଷ ଲାଗି କୌଣସି ସ୍ଥାନ ନାହିଁ ।”

    “ଭାରତ ଏକ ଧର୍ମ ନିରପେକ୍ଷ ଦେଶ ଓ ଏହା ଏକ ଧର୍ମ ନିରପେକ୍ଷ ମଞ୍ଚ । ଆମକୁ ସମ୍ୱିଧାନ ଓ ସବୁ ବର୍ଗଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ହେବ ।”

    “ଦେଶକୁ ଅତୀତରେ ବନ୍ଦୀ କରି ରଖି ହେବନାହିଁ ଓ ବିପର୍ୟ୍ୟୟ ସୃଷ୍ଟି ଲାଗି ଅଦାଲତ ଏକ ଉପକରଣ ଭାବେ ବ୍ୟବହୃତ ହେବା ଉଚିତ ନୁହେଁ । ” 

    “କୌଣସି ରାଷ୍ଟ୍ରର ଇତିହାସ ତା’ର ବର୍ତ୍ତମାନ ଓ ଭବିଷ୍ୟତର ପିଢ଼ିକୁ ଏତେ ଅଧିକ ଉଦବେଳିତ କରିବା ଉଚିତ ନୁହେଁ ଯଦ୍ଦ୍ୱାରା ପରବର୍ତ୍ତୀ ପିଢ଼ିଗୁଡ଼ିକ ଅତୀତରେ ବନ୍ଦୀ ହୋଇରହିଯିବେ ।“ 

    “ତମେ ଅତୀତକୁ ଖୋଳ ନାହିଁ ଯାହା କେବଳ ଅସାମଞ୍ଜସ୍ୟ ସୃଷ୍ଟି କରିବ ।“ 

    “ତମେ ପ୍ରସଙ୍ଗକୁ ଜୀବନ୍ତ କରି ରଖିବାକୁ ଆଉ ଦେଶକୁ ଉତ୍ତପ୍ତ କରି ରଖିବାକୁ ଚାହଁ? ଗୋଟିଏ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପ୍ରତି ଅଙ୍ଗୁଳି ପ୍ରଦର୍ଶିତ ହେଉଛି; ତମେ ସମାଜର ଏକ ନିର୍ଦ୍ଦିଷ୍ଟ ବର୍ଗକୁ ତଳିଆ କରି ଦେଖାଇବାକୁ ଚାହୁଁଛ ।”

     “ଏ ସବୁ ଦ୍ୱାରା ତମେ କ’ଣ ହାସଲ କରିବାକୁ ଚାହୁଁଛ ... ଆମକୁ ଦେଶର ଅନେକ ସମସ୍ୟା ପ୍ରତି ଧ୍ୟାନ  ଦେବାର ଅଛି ଆଉ ତମେ ଚାହୁଁଛ ଯେ ଦେଶର ସ୍ଥାନ ଓ ରାସ୍ତାଗୁଡ଼ିକର ନାମବଦଳାଇବା ପାଇଁ ଗୃହ ମନ୍ତ୍ରାଳୟ ଗୋଟେ ନାମବଦଳ କମିସନ ଗଠନ କରୁ ବୋଲି ... ଏହା ଏକ ଐତିହାସିକ ତଥ୍ୟ ଯେ ଏହି ଦେଶ ଆକ୍ରମଣର ଶିକାର ହୋଇଥିଲା ... ” 

‘କେଶବାନନ୍ଦ ଭାରତୀ’ ଓ ‘ଏସ ଆର ବୋମାଇ’ ମାମଲା ଦୁଇଟିର ଅବତାରଣା କରି ଅଦାଲତ ରାୟ ଦେଇଛନ୍ତି ଯେ ଧର୍ମନିରପେକ୍ଷତା ସମ୍ୱିଧାନର ମୂଳ ଢ଼ାଞ୍ଚା ଓ ଆତ୍ମା ହୋଇଥିବାରୁ ତାହା ବଦଳାଇ ହେବନାହିଁ । ମୌଳବାଦର ଅଭ୍ୟୁଦୟ ଓ ରାଜନୀତିର ସାମ୍ପ୍ରଦାୟିକୀକରଣ ଧର୍ମନିରପେକ୍ଷତାର ବିରୋଧାଚରଣ କରିଥାଏ । ତାହା ବିଚ୍ଛିନ୍ନତାବାଦୀଙ୍କୁ ପ୍ରୋତ୍ସାହିତ କରିବା ସହ ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ଓ ସମ୍ୱିଧାନ ପ୍ରତି କ୍ଷତି ପହଞ୍ଚାଇଥାଏ । ‘କର୍ଣ୍ଣାଟକ ରାଜ୍ୟ ବନାମ ପ୍ରବୀଣ ଭାଇ ତୋଗାଡ଼ିଆ’ ମାମଲାରେ ସୁପ୍ରିମକୋର୍ଟ କହିଥିଲେ, “ଏହା ସର୍ବଜନ ବିଦିତ, ଏହି ଉପମହାଦେଶରେ ଅନେକ ଜାତି ଧର୍ମର ଲୋକ ଆସି ପହଞ୍ଚିଛନ୍ତି ଆଉ ସେମାନେ ସେମାନଙ୍କ ସହ ନିଜ ସଂସ୍କୃତି, ଭାଷା, ଧର୍ମ ଓ ପରମ୍ପରା ମଧ୍ୟ ଆଣି ‘ବିବିଧତାରେ ଏକତା’ ମାଧ୍ୟମରେ ଏକ ମହତ୍ ଓ ଆଦର୍ଶ ଜୀବନଶୈଳୀକୁ ଗ୍ରହଣ କରିନେଇଛନ୍ତି । ଯଦିଓ ପ୍ରାରମ୍ଭିକ ପର୍ୟ୍ୟାୟରେ ଏହି ବିବିଧତା ସମସ୍ୟା ସୃଷ୍ଟି କରିଛି, ତେବେ ମାନବୀୟ ଦୃଷ୍ଟିକୋଣ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବୁଝାମଣା ଆଧାରରେ ପ୍ରାୟତଃ ସେଗୁଡ଼ିକର ଦରକାରୀ ଓ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରାଯାଇପାରିଛି । ସେଇଥିପାଇଁ ଧର୍ମନିରପେକ୍ଷତା ମୌଳିକ ଆଇନ ଓ ଦେଶର ରାଜନୈତିକ ବ୍ୟବସ୍ଥାର ମୂଳ ଢାଞ୍ଚା ଭାବେ ସ୍ୱୀକୃତ ହୋଇପାରିଛି ।” ଏଥି ସହିତ ‘ଏମ ପି ଗୋପାଳକ୍ରିଷ୍ଣନ ବନାମ କେରଳ ରାଜ୍ୟ’ ମାମଲାରେ ମଧ୍ୟ ସୁପ୍ରିମକୋର୍ଟ ସ୍ପଷ୍ଟ କରିସାରିଛନ୍ତି ଯେ ସମ୍ୱିଧାନ ଅନୁଯାୟୀ ରାଷ୍ଟ୍ର କେବଳ ଯେ କୌଣସି ଧର୍ମ ପ୍ରତିଷ୍ଠାରୁ ପ୍ରତିବନ୍ଧିତ ରହିବ ତାହା ନୁହେଁ, ଏହା କୌଣସି ଧର୍ମ ସହ ଚିହ୍ନିତ ହେବନାହିଁ କି କୌଣସି ଧର୍ମ ପ୍ରତି ଅନୁରକ୍ତି ପ୍ରକାଶ କରିପାରିବ ନାହିଁ ।   

ଭ୍ରାତୃତ୍ୱର ଅବଧାରଣାକୁ ରେଖାଙ୍କିତ କରି କିପରି ସମାଜର ବିଭିନ୍ନ ବର୍ଗ ମଧ୍ୟରେ ସମ୍ୱନ୍ଧ ଭଲ ରହିଲେ ତାହା ପ୍ରକୃତ ସଦ୍ଭାବ ପ୍ରତିଷ୍ଠା କରି ରାଷ୍ଟ୍ରୀୟତାର ଭାବନା ଉଦ୍ରେକ କରିଥାଏ ସେ ସମ୍ପର୍କରେ ଅଦାଲତ କହିଛନ୍ତି, “ଭ୍ରାତୃତ୍ୱର ସୁବର୍ଣ୍ଣ ସିଦ୍ଧାନ୍ତ ଯାହା ପ୍ରସ୍ତାବନାରେ ଉଲ୍ଲିଖିତ ହୋଇ ରହିଛି, ତାହା ସବୁଠାରୁ ବେଶି ଗୁରୁତ୍ୱପୂର୍ଣ୍ଣ ଓ ତାହା ଯୁକ୍ତିଯୁକ୍ତ ଭାବେ ପ୍ରସ୍ତାବନାରେ ସ୍ଥାନିତ ହୋଇ ପ୍ରତ୍ୟେକ ହିତଧାରକଙ୍କୁ ଅହରହ ମନେ ପକାଇ ଦେଉଛି ଯେ ରାଷ୍ଟ୍ରର ବୃହତ୍ତର ହିତରେ ବିଭିନ୍ନ ବର୍ଗ ମଧ୍ୟରେ ସଦ୍ଭାବ ରକ୍ଷା ସଂପ୍ରୀତି ଓ ଭ୍ରାତୃତ୍ୱ ମାଧ୍ୟମରେ ହିଁ କେବଳ ବାସ୍ତବ ରାଷ୍ଟ୍ରୀୟତାର ଅବଧାରଣା ଆଡ଼କୁ ଆଗେଇହେବ। ”   

ମାମଲାଟି ଖାରଜ ହେବା ପଛର କାରଣ ବି ବେଶ୍ ଗୁରୁତ୍ୱପୂର୍ଣ୍ଣ । ଉଲ୍ଲେଖଯୋଗ୍ୟ ଯେ ଆବେଦନକାରୀ ଐତିହାସିକ ସ୍ଥାନଗୁଡ଼ିକର ନାମ ବଦଳା ନ ଯାଇ ବିଦେଶୀ ଆକ୍ରମଣକାରୀଙ୍କ ପ୍ରଦତ୍ତ ନାମ ଅନୁସାରେ ଏଯାଏଁ ରହିବା ଦ୍ୱାରା ବିଭିନ୍ନ ଅନୁଚ୍ଛେଦରେ ପ୍ରଦତ୍ତ ତାଙ୍କର ମୌଳିକ ଅଧିକାରର ହନନ ହେଉଛି ବୋଲି ଦର୍ଶାଇଥିଲେ । ଏ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ ହେଉଛି, “ତେଣୁ ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେଲୁ ଯେ ଯେଉଁ ତ୍ରାଣ ପାଇବା ପାଇଁ ପ୍ରାର୍ଥନା କରାହୋଇଛି ଅଦାଲତ ତାହା ମଞ୍ଜୁର କରିବା ଉଚିତ ନୁହେଁ କାରଣ ଅନୁଚ୍ଛେଦ ୩୨ ଅନୁଯାୟୀ ମୌଳିକ ଅଧିକାରର ସଂରକ୍ଷକ ଭାବେ ଯେଉଁ ମୂଲ୍ୟବୋଧଗୁଡ଼ିକୁ ଅଦାଲତ ନିଶ୍ଚିତ ଭାବେ ସର୍ବାଗ୍ରେ ରଖିବା ଆବଶ୍ୟକ ସେ ଦିଗରେ ପ୍ରସ୍ତାବନା (ପ୍ରିଆମ୍ୱଲ୍) ଆମକୁ ପରିଷ୍କାର ଆଲୋକ ପ୍ରଦର୍ଶନ କରୁଛି ।” ଅର୍ଥାତ୍ ପ୍ରସ୍ତାବନାରେ ବର୍ଣ୍ଣିତ ଧର୍ମ ନିରପେକ୍ଷତା ଓ ଭ୍ରାତୃତ୍ୱର ରକ୍ଷା ସମ୍ୱିଧାନର ମୂଳ ଢାଞ୍ଚା ହୋଇଥିବାରୁ ମୌଳିକ ଅଧିକାରର ସୁରକ୍ଷା ବାହାନାରେ ସମ୍ୱିଧାନର ମୂଳ ଢାଞ୍ଚାକୁ ବଦଳାଇ ହେବନି । ଠିକ୍ ସେହିପରି ଅନୁଚ୍ଛେଦ ୧୪ ଅନୁଯାୟୀ ରାଷ୍ଟ୍ରର କାର୍ୟ୍ୟରେ ନିରପେକ୍ଷତାର ଗ୍ୟାରେଣ୍ଟି ପ୍ରଦାନ କରାଯାଇଛି । ସୁପ୍ରିମକୋର୍ଟଙ୍କ ଅନୁଯାୟୀ, “ଭାରତ ଆଇନର ଶାସନ, ଧର୍ମ ନିରପେକ୍ଷତା, ସାମ୍ୱିଧାନିକତା ପ୍ରତି କଟିବଦ୍ଧ, ଯହିଁରେ ଅନୁଚ୍ଛେଦ ୧୪ ରାଷ୍ଟ୍ର କାର୍ୟ୍ୟରେ ଉଭୟ ସମାନତା ଓ ନିରପେକ୍ଷତାର ଭବ୍ୟ ଗ୍ୟାରେଣ୍ଟି ଭାବେ ଉଭା ହୋଇଛି । ମାମଲାଟି ଖାରଜ ହେବା ସହିତ ଆବେଦନକାରୀ ଉତ୍ଥାପନ କରିଥିବା ସମସ୍ତ ଆଇନଗତ ପ୍ରଶ୍ନ ମଧ୍ୟ ଖାରଜ ହୋଇଯାଇଥିଲା ।

ଶୁଣାଣି ସମୟରେ ଅଦାଲତଙ୍କ ଆଭିମୁଖ୍ୟକୁ ଲକ୍ଷ୍ୟ କରି ଆବେଦନକାରୀ ମାମଲାଟିକୁ ପ୍ରତ୍ୟାହାର କରି ନେବାଲାଗି ଏକାଧିକ ଥର ଅନୁରୋଧ କରିଥିଲେ । ମାମଲାଟି ପ୍ରତ୍ୟାହୃତ ହୋଇଯାଇଥିଲେ ଅଦାଲତ ତାଙ୍କ ଆଦେଶରେ କୌଣସି ପ୍ରତିକୂଳ ମନ୍ତବ୍ୟ ଦେବାର ଅବକାଶ ପାଇ ନଥାନ୍ତେ ଓ ସରକାରୀ ସ୍ତରରେ ସେହି କାର୍ୟ୍ୟଟି କରାଇ ନେବାରେ ବାଧା ଉତ୍ପନ୍ନ ହୋଇନଥାନ୍ତା । କିନ୍ତୁ ସମ୍ଭବତଃ ଅଦାଲତ ଆବେଦନକାରୀଙ୍କ ମତଲବକୁ ଅନୁଧ୍ୟାନ କରି ମାମଲାଟିକୁ ପ୍ରତ୍ୟାହାର କରିବାକୁ ନ ଦେଇ ପ୍ରତିକୂଳ ରାୟ ଶୁଣାଇଥିଲେ । 

ସୁପ୍ରିମକୋର୍ଟଙ୍କ ଦ୍ୱାର ବନ୍ଦ ହେବା ପରେ ନାମ ବଦଳ କମିସନ ପ୍ରତିଷ୍ଠା କରିବା ପାଇଁ ଆବେଦନକାରୀ ଏବେ ଗୃହ ମନ୍ତ୍ରାଳୟର ଦ୍ୱାରସ୍ଥ ହେବାରେ କୌଣସି ବାଧା ନାହିଁ । ପ୍ରଥମରୁ ଅଦାଲତର ଦ୍ୱାରସ୍ଥ ନ ହୋଇ ବି ସେ ଗୃହ ମନ୍ତ୍ରାଳୟକୁ ଅନୁରୋଧ କରିପାରିଥାନ୍ତେ । ତେବେ ସେ ଏଥିପାଇଁ ପ୍ରଥମେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବାକୁ କାହିଁକି ଉଚିତ ମଣିଲେ ତାହା ତର୍ଜମା କରାଯାଉ । ତାଙ୍କ ଆବେଦନକୁ ଗ୍ରହଣ କରି ସୁପ୍ରିମକୋର୍ଟ ଯଦି ନାମବଦଳ କମିସନ ଗଠନ କରିବାକୁ କେନ୍ଦ୍ର ସରକାରଙ୍କୁ ଆଦେଶ ଦେଇଥାନ୍ତେ ତେବେ ସରକାରଙ୍କୁ ତାହା କରିବାକୁ ହୋଇଥାନ୍ତା । ଅନ୍ତତଃ ମାମଲାଟିକୁ ଖାରଜ ନକରି ସେ ଏଥିପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରସ୍ଥ ହୁଅନ୍ତୁ ବୋଲି ଆବେଦନକାରୀଙ୍କ ଅନୁରୋଧକୁ ଅଦାଲତ ଗ୍ରହଣ କରିଥିଲେ ସେ ଉଠାଇଥିବା ପ୍ରସଙ୍ଗ ପ୍ରତି ଅଦାଲତଙ୍କ ସହାନୁଭୂତି ଅଛି ବୋଲି ଧାରଣାଟିଏ ସୃଷ୍ଟି ହୋଇଥାଆନ୍ତା । ଏ ଉଭୟ କ୍ଷେତ୍ରରେ ସର୍ବୋଚ୍ଚ ଅଦାଲତଙ୍କ ଆଦେଶ ଅନୁପାଳନ ପାଇଁ କେନ୍ଦ୍ର ସରକାର ନାମ ବଦଳ କମିସନ ପ୍ରତିଷ୍ଠା କରିବାରେ ଅସୁବିଧା ହୋଇନଥାନ୍ତା । ସର୍ବୋଚ୍ଚ ଅଦାଲତଙ୍କୁ ଏକ ଉପକରଣ ଭାବେ ଉପଯୋଗ କରିବାର ଆବେଦନକାରୀଙ୍କ ଉଦ୍ଦେଶ୍ୟକୁ ସୁପ୍ରିମକୋର୍ଟ ପଢ଼ିପାରି ତାହା କରାଇ ଦେଇନଥିଲେ । ତେଣୁ ଆବେଦନକାରୀଙ୍କ ଆଶାନୁରୂପ ଅଦାଲତଙ୍କ ରାୟ ଆସିନଥିବାରୁ ତାହା ନାମବଦଳ କମିସନ ଗଠନ ପ୍ରକ୍ରିୟାରେ ପ୍ରତିବନ୍ଧକ ସାଜିପାରେ । ଆବେଦନକାରୀ ଏବେ ଗୃହ ମନ୍ତ୍ରାଳୟର ଦ୍ୱାରସ୍ଥ ହେଲେ କମିସନ ପ୍ରତିଷ୍ଠା ପୂର୍ବରୁ ସରକାରଙ୍କୁ ସୁପ୍ରିମକୋର୍ଟ ତାଙ୍କ ରାୟରେ ଉଠାଇଥିବା ପ୍ରଶ୍ନ ଓ ଦେଇଥିବା ମନ୍ତବ୍ୟଗୁଡ଼ିକୁ ଧ୍ୟାନରେ ରଖିବାକୁ ହେବ । ଯଦ୍ଦ୍ୱାରା ସେପରି ନିଷ୍ପତ୍ତିଟିଏ ନେବା କଷ୍ଟକର ହୋଇପାରେ । ଗତ କିଛି ଦିନ ଧରି ବିଭିନ୍ନ ସ୍ଥାନର ନାମ ଯେଉଁଭଳି ବେଧଡ଼କ ଭାବେ ବଦଳା ଯାଉଥିବାର ପରିଲକ୍ଷିତ ହେଉଥିଲା. ତାହା ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଧିମେଇ ଯାଇପାରେ । ଏହା ସତ୍ତ୍ୱେ ଧାର୍ମିକ ଆଧାରରେ ନାମ ବଦଳ ନିଷ୍ପତ୍ତି ନିଆଗଲେ ତା’ ବିରୋଧରେ ମାମଲା ଅଦାଲତରେ ପହଞ୍ଚିଯିବାର ଆଶଙ୍କା ବଢ଼ିଯାଇପାରେ । ଏହି ମାମଲାଟିରେ ସୁପ୍ରିମକୋର୍ଟଙ୍କ ରାୟ ଏଇଥିପାଇଁ ଅଧିକ ଗୁରୁତ୍ୱ ବହନ କରୁଛି ଯେ ‘କେଶବାନନ୍ଦ ଭାରତୀ’ ମାମଲା ପରେ ସୁପ୍ରିମକୋର୍ଟ ପୁଣି ଥରେ ସମ୍ୱିଧାନର ‘ମୂଳ ଢାଞ୍ଚା’ର ସୁରକ୍ଷା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ଏବଂ ‘ଧର୍ମନିରପେକ୍ଷତା’ ଓ ‘ଭ୍ରାତୃତ୍ୱ ରକ୍ଷା’ ସମ୍ୱିଧାନର ମୂଳ ଢାଞ୍ଚାର ଅଂଶବିଶେଷ ବୋଲି ରେଖାଙ୍କିତ କରି କୌଣସି ପରିସ୍ଥିତିରେ ସେଥିପ୍ରତି ଆଘାତ ହେଲା ଭଳି କିଛି କରିହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।


Published in Samadrushti in March 16-31, 2023 issue 

 

Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍