Skip to main content

ବେଦାନ୍ତ ବିଶ୍ୱବିଦ୍ୟାଳୟ ମାମଲାରେ ସରକାର ଭର୍ତ୍ସିତ

ସୁପ୍ରିମକୋର୍ଟଙ୍କ ଏପ୍ରିଲ ୧୨, ୨୦୨୩ରେ ପ୍ରକାଶିତ ରାୟ ପରେ ‘ଅନିଲ ଅଗ୍ରୱାଲ ଫାଉଣ୍ଡେସନ’ ଦ୍ୱାରା ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟର ସ୍ଥାପନା ଉପରେ ଆପାତତଃ ପୂର୍ଣ୍ଣ ବିରାମ ଲାଗିଗଲା । ନିୟମଗିରି ପରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି ଅଧିଗ୍ରହଣ ମାମଲାରେ ପରାଜୟ ସହ ଓଡ଼ିଶାରେ ଅନିଲ ଅଗ୍ରୱାଲଙ୍କ ବେଦାନ୍ତକୁ ଦ୍ୱିତୀୟ ଥର ଲାଗି ଏକ ବଡ଼ ଧରଣର ଆଇନଗତ ଝଟକା ଲାଗିଲା ବୋଲି କହିବା ଭୁଲ୍ ହେବନାହିଁ । କିନ୍ତୁ ବେଦାନ୍ତ ବିଶ୍ୱବିଦ୍ୟାଳୟ ମାମଲାରେ ରାଜ୍ୟ ସରକାର ଯେପରି ଜମି ଅଧିଗ୍ରହଣଠାରୁ ଆରମ୍ଭ କରି ଶେଷରେ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ପର୍ଯ୍ୟନ୍ତ ପ୍ରତିଟି ପଦକ୍ଷେପରେ ଏକ ଘରୋଇ ସଂସ୍ଥା ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ କଲେ ଓଡ଼ିଶାରେ ଅନ୍ତଃ ତା’ର ପଟାନ୍ତର ନାହିଁ ।

ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତି ରାଜ୍ୟ ସରକାରଙ୍କ ଅହେତୁକ ଅନୁକମ୍ପାକୁ ବୁଝିବାକୁ ହେଲେ ପ୍ରକଳ୍ପ ସଂକ୍ରାନ୍ତୀୟ ଘଟଣାକ୍ରମ ଓ ତତସଂଲଗ୍ନ ତାରିଖଗୁଡ଼ିକୁ ଗୁରୁତ୍ୱର ସହ ଅନୁଧ୍ୟାନ କରିବାକୁ ହେବ । ଓଡ଼ିଶାରେ ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ପ୍ରସ୍ତାବ ନେଇ ବେଦାନ୍ତ ରିସୋର୍ସେସ ଲିମିଟେଡ ଦ୍ୱାରା ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ସମ୍ମୁଖରେ ଏପ୍ରିଲ ୨୦୦୬ରେ ଏକ ଉପସ୍ଥାପନା (ପ୍ରେଜେଣ୍ଟେସନ) ପ୍ରସ୍ତୁତ କରାଯାଇଥିଲା । ଜୁନ ୧୫, ୨୦୦୬ରେ କମ୍ପାନୀ ଦ୍ୱାରା ପୁରୀ ଜିଲ୍ଲାର ନୂଆନଈସ୍ଥିତ ଭୁବନେଶ୍ୱର-ପୁରୀ-କୋଣାର୍କ ରାସ୍ତା ସଂଲଗ୍ନ ୧୫୦୦୦ ଏକର ଜମି ଚିହ୍ନଟ କରାଯାଇ ସେହି ଜମିକୁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଉଦ୍ଦେଶ୍ୟରେ ଯୋଗାଇଦେବା ଲାଗି ସରକାରଙ୍କୁ ଅନୁରୋଧ କରାଯାଇଥିଲା । ଅର୍ଥାତ୍ ସ୍ଥାନର ଉପାଦେୟତା ନିର୍ଦ୍ଧାରଣ କରି କମ୍ପାନୀ ଦ୍ୱାରା ଜମି ଚିହ୍ନଟ ହୋଇଥିଲା, ସରକାରଙ୍କ ଦ୍ୱାରା ନୁହେଁ । ଏହା ପରେ ସରକାର ଓ ବେଦାନ୍ତ ଫାଉଣ୍ଡେସନଙ୍କ ମଧ୍ୟରେ ଜୁଲାଇ ୧୯, ୨୦୦୬ରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା । କହିବା ବାହୁଲ୍ୟ ଯେ ଏଥିପୂର୍ବରୁ ବେଦାନ୍ତ ଫାଉଣ୍ଡେସନର ଶିକ୍ଷା କ୍ଷେତ୍ରରେ କୌଣସି ପୂର୍ବ ଅଭିଜ୍ଞତା ନଥିଲା । ଏମଓୟୁ ଅନୁଯାୟୀ ବେଦାନ୍ତ ଫାଉଣ୍ଡେସନ ୧୫୦୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ବିଶ୍ୱବିଦ୍ୟାଳୟ ସହ ଏକ ଆତ୍ମନିର୍ଭର ସହର ପ୍ରତିଷ୍ଠା କରିବାର ଥିଲା । ରାଜ୍ୟ ସରକାର ପ୍ରସ୍ତାବିତ ଅଞ୍ଚଳରେ ୮୦୦୦ ଏକର ଜମିର ଉପଲବ୍ଧତା ସମ୍ପର୍କରେ ଉଲ୍ଲେଖ କରିଥିଲେ । ପରବର୍ତ୍ତୀ ସମୟରେ ୬୯୧୭.୬୩ ଏକର ଜମିର ଅଧିଗ୍ରହଣ ସମ୍ପର୍କରେ ଅଧିସୂଚନା ଜାରି ହୋଇ ଜମି ଅଧିଗ୍ରହଣ କାର୍ୟ୍ୟ ଆରମ୍ଭ ହେଲା । ତେବେ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ବିରୋଧ କରି କିଛି ପ୍ରଭାବିତ ବ୍ୟକ୍ତି ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ସରକାରଙ୍କ ଅଧିଗ୍ରହଣ ସଂକ୍ରାନ୍ତୀୟ ଅଧିସୂଚନାଟିକୁ ‘କ୍ଷମତାର ଅବୈଧ ଓ ଦୁରାଗ୍ରହପୂର୍ଣ୍ଣ ଅପବ୍ୟବହାର’ ବୋଲି ଅଭିହିତ କରି ଓଡ଼ିଶା ହାଇକୋର୍ଟ ତାକୁ ୨୦୧୦ରେ ଖାରଜ କରିଦେଇଥିଲେ । ହାଇକୋର୍ଟଙ୍କ ରାୟ ବିରୋଧରେ ଅନିଲ ଅଗ୍ରୱାଲ ଫାଉଣ୍ଡେସନ ଓ ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ ଏମଓୟୁ ସ୍ୱାକ୍ଷର ସମୟରେ  ‘ବେଦାନ୍ତ ଫାଉଣ୍ଡେସନ’ ଏକ ତିନିଜଣିଆ ନିର୍ଦ୍ଦେଶକ ବିଶିଷ୍ଟ ଘରୋଇ (ପ୍ରାଇଭେଟ) କମ୍ପାନୀ ଥିଲା । ଜମି ଅଧିଗ୍ରହଣ ଆଇନ, ୧୮୯୪ର ଧାରା ୪୪-ବି ଅନୁଯାୟୀ ସରକାର କୌଣସି ଘରୋଇ କମ୍ପାନୀ ପାଇଁ ଜମି ଅଧିଗ୍ରହଣ କରିବା ଅବୈଧାନିକ ବୋଲି ଆଇନ ବିଭାଗ ଦ୍ୱାରା ଜଣାଇ ଦିଆଯିବା ପରେ ସଂସ୍ଥାର ସ୍ଥିତିକୁ ଏକ ‘ପ୍ରାଇଭେଟ’ କମ୍ପାନୀରୁ ୭ ଜଣିଆ ନିର୍ଦ୍ଦେଶକବିଶିଷ୍ଟ ଏକ  ‘ପବ୍ଲିକ’ କମ୍ପାନୀରେ ପରିବର୍ତ୍ତିତ କରିବାର ଆବଶ୍ୟକତା ଉପୁଜିଲା । ତେଣୁ ‘ବେଦାନ୍ତ ଫାଉଣ୍ଡେସନ’ର ନାମ ପରିବର୍ତ୍ତନ କରି ଏହାକୁ  ‘ଅନିଲ ଅଗ୍ରୱାଲ ଫାଉଣ୍ଡେସନ’ କରାଯିବା ସହ ଏହାକୁ ଡ଼ିସେମ୍ୱର ୧୩, ୨୦୦୬ରେ ଏକ ‘ପବ୍ଲିକ୍’ କମ୍ପାନୀରେ ପରିବର୍ତ୍ତନ କରାଗଲା । ଉଲ୍ଲେଖଯୋଗ୍ୟ ଯେ, ଏହା ଏକ ‘ପବ୍ଲିକ୍’ କମ୍ପାନୀରେ ପରିବର୍ତ୍ତିତ ହେବାର ଯଥେଷ୍ଟ ପୂର୍ବରୁ ସରକାର ଏଥିପାଇଁ ବେଆଇନ ଭାବେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଦେଇଥିଲେ । ଏପରିକି ସେହି ତାରିଖ ସୁଦ୍ଧା ୟୁଜିସି ଆଇନ, ୧୯୫୬ ବା ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ ଅଧୀନରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ନାମକ କୌଣସି ବିଶ୍ୱବିଦ୍ୟାଳୟ ଅବସ୍ଥିତିରେ ବି ନଥିଲା । ରାଜ୍ୟ ବିଧାନସଭରେ ଏ ନେଇ ଏକ ବିଲ ପାରିତ ହୋଇଥିଲେ ବି ତାହା ରାଜ୍ୟପାଳଙ୍କ ଅନୁମୋଦନ ପାଇ ନଥିବାରୁ ଆଇନରେ ପରିଣତ ହୋଇନଥିଲା । 

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ପ୍ରସ୍ତାବିତ ପ୍ରକଳ୍ପରେ ଥିବା ଭୂଖଣ୍ଡ ଦେଇ ‘ନୂଆଖାଇ’ ଓ ‘ନାଳା’ ନାମକ ଦୁଇଟି ନଦୀ ପ୍ରବାହିତ ହେଉଥିଲେ ବି ସରକାର ପରିବେଶ ସଂକ୍ରାନ୍ତୀୟ ଦିଗଗୁଡ଼ିକ ପ୍ରତି ଅଣଦେଖା କରିଥିଲେ ବୋଲି ଅଦାଲତ କ୍ଷୋଭ ପ୍ରକାଶ କରିଛନ୍ତି । ହସ୍ତାନ୍ତରିତ ହେବାକୁ ଥିବା ଜମି ଦେଇ ନଦୀ ଦୁଇଟି ମଧ୍ୟ କମ୍ପାନୀ ନିୟନ୍ତ୍ରଣକୁ ଚାଲିଯାଉଥିବାରୁ ଏହା ‘ଡକ୍ଟ୍ରିନ ଅଫ ପବ୍ଲିକ ଟ୍ରଷ୍ଟ’ର ବିରୋଧାଚରଣ କରୁଛି । ଏହି ସିଦ୍ଧାନ୍ତ ଅନୁଯାୟୀ ନଦୀ, ଝରଣା, ସମୁଦ୍ରକୂଳ, ବାୟୁ, ଜଙ୍ଗଲ ଆଦି କିଛି ପ୍ରାକୃତିକ ସମ୍ୱଳ ସର୍ବସାଧାରଣଙ୍କ ବ୍ୟବହାର ଉଦ୍ଦେଶ୍ୟରେ ସଂରକ୍ଷିତ ହୋଇ ରହିବା ଆବଶ୍ୟକ । ତାହା ସୁନିଶ୍ଚିତ କରିବା ପାଇଁ ରାଜ୍ୟ କେବଳ ଏକ ଟ୍ରଷ୍ଟି ରୂପେ କାର୍ଯ୍ୟ କରିବ ଯାହା । ଅର୍ଥାତ୍ ଏହି ସମ୍ୱଳଗୁଡ଼ିକୁ କୌଣସି କ୍ଷେତ୍ରରେ ଘରୋଇ ମାଲିକାନାକୁ ହସ୍ତାନ୍ତରିତ କରିହେବନାହିଁ । ସେହିପରି ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟକୁ ଲାଗି ବାଲୁଖଣ୍ଡ ବଣ୍ୟଜନ୍ତୁ ଅଭୟାରଣ୍ୟ ଥିବାବେଳେ ଏହା ସମୁଦ୍ରକୂଳଠାରୁ ମାତ୍ର ୨ କିଲୋମିଟର ଦୂରରେ ଅବସ୍ଥିତ । ବିଶ୍ୱବିଦ୍ୟାଳୟ ପାଇଁ ଯେଉଁ ବଡ଼ ଧରଣର ନିର୍ମାଣ କାର୍ଯ୍ୟ କରାଯିବ ତଦ୍ଦ୍ୱାରା ପରିବେଶ କି ଭଳି ପ୍ରଭାବିତ ହେବ ସେ ନେଇ ରାଜ୍ୟ ସରକାର ଧ୍ୟାନ ଦେଇଥିବା ଭଳି ମନେ ହୁଏନାହିଁ । ସରକାର ଏକ ନିର୍ଦ୍ଦିଷ୍ଟ କମ୍ପାନୀ ପାଇଁ ଜମି ଅଧିଗ୍ରହଣ କରିବା ଲାଗି ତତ୍ପରତା ପ୍ରଦର୍ଶନ କରୁଥିବା ବେଳେ ଯେପରି ସମ୍ପୂର୍ଣ୍ଣ ଭାବେ ଭୁଲିଯାଇଥିଲେ ଯେ ଏହି ଧରଣର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ଲାଗି ହୁଏତ ଅନ୍ୟ କୌଣସି ସଂସ୍ଥା ମଧ୍ୟ ଆଗ୍ରହ ପ୍ରଦର୍ଶନ କରିପାରନ୍ତି । ତା’ଛଡ଼ା ବିଶ୍ୱବିଦ୍ୟାଳୟ ପାଇଁ ପ୍ରକୃତରେ କେତେ ଜମିର ଆବଶ୍ୟକତା ରହିଛି ସେ ସଂକ୍ରାନ୍ତରେ ମଧ୍ୟ ଅନୁଶୀଳନ କରାଯାଇ ନଥିଲା । ସେଥିପାଇଁ ପ୍ରାରମ୍ଭିକ ଅବସ୍ଥାରେ କମ୍ପାନୀ ୧୫୦୦୦ ଏକର ଚାହୁଁଥିବାବେଳେ ପରବର୍ତ୍ତୀ ସମୟରେ ତାକୁ ୮୦୦୦ ଏକରକୁ କମ କରିଦିଆଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ କେବଳ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ନିକଟରେ ବିଶ୍ୱର ସର୍ବାଧିକ ୮୧୦୦ ଏକର ସଂଲଗ୍ନ (କଣ୍ଟିଗୁଅସ୍) ଜମି ରହିଛି ।          

ଶେଷରେ ଫାଉଣ୍ଡେସନ ତରଫରୁ ଅଦାଲତଙ୍କୁ ସୂଚିତ କରାଯାଇଥିଲା ଯେ ଆଉ ଅଧିକ ଜମି ଅଧିଗ୍ରହଣ ନ କରି ଅଧିଗୃହୀତ ହୋଇଥିବା ୩୮୩୭ ଏକର ଜମିରେ ସେମାନେ ସନ୍ତୁଷ୍ଟ ରହିବେ । ଅର୍ଥାତ୍ ସଂସ୍ଥା ତରଫରୁ ପ୍ରଥମେ ପ୍ରସ୍ତାବିତ ୧୫୦୦୦ ଏକର ଜମି ଆବଶ୍ୟକତା ପଛରେ କୌଣସି ଯୌକ୍ତିକତା ସନ୍ନିହିତ ନଥିଲା । ବରଂ ଏହା ଏକ ଅତିରଞ୍ଜିତ ଚାହିଦା ଥିଲା ଯାହା ସଂସ୍ଥା ମନ୍ଦ ଉଦ୍ଦେଶ୍ୟରେ ଗ୍ରସ୍ତ ହୋଇ କରିଥିଲା ବୋଲି ଅଦାଲତ ଚିପ୍ପଣୀ ଦେଇଛନ୍ତି । ତେଣୁ ପ୍ରସ୍ତାବିତ ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ଅଧିଗୃହୀତ ହୋଇଥିଲେ ତାହା ଅନ୍ୟ କେଉଁ ଉଦ୍ଦେଶ୍ୟରେ ଏପରିକି ମାଇନିଂ ପାଇଁ ମଧ୍ୟ ଅପବ୍ୟବହାର ହୋଇପାରିଥାନ୍ତା ବୋଲି ଅଦାଲତ ଟିପ୍ପଣୀ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଏହି ଚାଷଜମି ୬୦୦୦ ଗରିବ ଚାଷୀ ପରିବାରଙ୍କ ପାଇଁ ରୋଜଗାରର ଏକମାତ୍ର ସାଧନ ହୋଇଥିବାରୁ ଏହାଦ୍ୱାରା ପ୍ରାୟ ୩୦୦୦୦ ଲୋକ ବିସ୍ଥାପିତ ହେବାର ଆଶଙ୍କା ଦେଖାଦେବ । କୌଣସି ପ୍ରକାର କ୍ଷତିପୂରଣ ମାଧ୍ୟମରେ ତାହା ଭରଣା କରିହେବନାହିଁ । 

ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ହୋଇଥିବା ଜମି ଅଧିଗ୍ରହଣ ପ୍ରକ୍ରିୟା ଜମି ଅଧିଗ୍ରହଣ ଆଇନ, ୧୮୯୪ର ଧାରା ୩୯,୪୦,୪୧ ତଥା ଜମି ଅଧିଗ୍ରହଣ ନିୟମ, ୧୯୬୩ର ନିୟମ ୩(୨) ଓ ୪ର ଉଲ୍ଲଙ୍ଘନ କରୁଥିବା ଦର୍ଶାଇ ସୁପ୍ରିମକୋର୍ଟ ଏ ସଂକ୍ରାନ୍ତରେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ପ୍ରଦତ୍ତ ରାୟକୁ କାଏମ ରଖିବା ସହ ଅନିଲ ଅଗ୍ରୱାଲ ଫାଉଣ୍ଡେସନ ଓ ଓଡ଼ିଶା ରାଜ୍ୟ ସରକାରଙ୍କ ଆବେଦନକୁ ଖାରଜ କରିଛନ୍ତି । ଏଥିସହ ଅନିଲ ଅଗ୍ରୱାଲ ଫାଉଣ୍ଡେସନକୁ କ୍ଷତିପୂରଣ ବାବଦରେ ୫ ଲକ୍ଷ ଟଙ୍କା ଜମା କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି, ଯାହା ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କୁ ହସ୍ତାନ୍ତରିତ ହେବ । ତେବେ ୨୦୧୦ରେ ଓଡ଼ିଶା ହାଇକୋର୍ଟ ମାମଲାଟିକୁ ଖାରଜ କରିବା ପରେ ରାଜ୍ୟ ସରକାର ଜନସାଧାରଣଙ୍କ ସ୍ୱାର୍ଥର ପ୍ରତିକୂଳରେ ଯାଇ ଏକ ଘରୋଇ କମ୍ପାନୀର ସ୍ୱାର୍ଥରକ୍ଷା ଲାଗି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ରାଜକୋଷରୁ କୋଟି କୋଟି ଟଙ୍କା ଅର୍ଥଶ୍ରାଦ୍ଧ କରିବା ବାସ୍ତବିକ କେତେ ଦୂର ସମୀଚୀନ ? 

ରାଜ୍ୟ ସରକାର ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟ ପାଇଁ ଅନେକ ସୁବିଧା ଯୋଗାଇଦେବାର ପ୍ରତିଶ୍ରୁତି ସହ ବିଭିନ୍ନ ନୀତି ନିୟମକୁ କୋହଳ କରିବାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ, ଯାହା ଅଦାଲତଙ୍କୁ ବିସ୍ମିତ କରିଛି । ଉଦାହରଣ ସ୍ୱରୂପ - (୧) ପ୍ରଶାସନ, ପ୍ରବେଶିକା, ଦରମା ଫି ନିର୍ଦ୍ଧାରଣ, ପାଠ୍ୟକ୍ରମ, ଫାକଲଟି ଚୟନରେ ବେଦାନ୍ତ ବିଶ୍ୱବିଦ୍ୟାଳୟକୁ ସମ୍ପୂର୍ଣ୍ଣ ସ୍ୱାୟତ୍ତତା ପ୍ରଦାନ, (୨) ରାଜ୍ୟ ସରକାରଙ୍କ ଆରକ୍ଷଣ ସମ୍ୱନ୍ଧୀୟ ଆଇନରୁ ରିହାତି, (୩) ୟୁଜିସି, ଏଆଇସିଟିଇ ଭଳି ନିୟନ୍ତ୍ରଣକାରୀ ସଂସ୍ଥାଙ୍କ ନିକଟରୁ ଅନୁମତି ପ୍ରାପ୍ତି ଲାଗି ସମସ୍ତ ପ୍ରକାର ସହଯୋଗ ପ୍ରଦାନ, (୪) ଭୁବନେଶ୍ୱରରୁ ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟ ପର୍ୟ୍ୟନ୍ତ ଚାରି ଲେନ ବିଶିଷ୍ଟ ସଡ଼କ ନିର୍ମାଣ ପାଇଁ ସରକାର ରାଜି ହେବା, (୫) ବିଶ୍ୱବିଦ୍ୟାଳୟ ସୀମାର ୫ କିଲୋମିଟର ବ୍ୟାସାର୍ଦ୍ଧ ପରିମିତ ଅଞ୍ଚଳ ମଧ୍ୟରେ ଜମିର ବ୍ୟବହାର ଓ ଜୋନିଂ ପ୍ଲାନ କରିବା ପୂର୍ବରୁ ବେଦାନ୍ତ ସହ ପରାମର୍ଶ କରିବାକୁ ଚୁକ୍ତିପତ୍ରରେ ରାଜି ହେବା, (୬) ଏମଓୟୁ ସ୍ୱାକ୍ଷର ହେବା ତାରିଖରୁ ଶିକ୍ଷଣ ସାମଗ୍ରୀ, ଗବେଷଣା ଓ ଅନୁସନ୍ଧାନ ସାମଗ୍ରୀ, ଲାବ୍ ସରଞ୍ଜାମ, ନିର୍ମାଣ ସାମଗ୍ରୀ ଇତ୍ୟାଦି ଉପରେ ଲାଗୁଥିବା  ଭାଟ, ୱାର୍କ କଣ୍ଟ୍ରାକ୍ଟ ଟିକସ, ,ଷ୍ଟାମ୍ପ ଡ୍ୟୁଟି, ପ୍ରବେଶ କର ଭଳି ରାଜ୍ୟ ସରକାରଙ୍କ ସମସ୍ତ ପ୍ରକାର ଲେଭି, ଟିକସ, ଡ୍ୟୁଟିକୁ ଛାଡ଼ କରିବା ଲାଗି ପ୍ରତିଶ୍ରୁତି ପ୍ରଦାନ, (୭) ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ରୁ ଏନଓସି ଏବଂ କେନ୍ଦ୍ର ସରକାରଙ୍କ ନିକଟରୁ ବିଭିନ୍ନ ଅନୁମତି ହାସଲରେ ସମସ୍ତ ପ୍ରକାର ସାହାଯ୍ୟର ପ୍ରତିଶ୍ରୁତି, (୮) ପ୍ରକଳ୍ପ ପାଇଁ ଆବଶ୍ୟକ ହେଉଥିବା ପରିବେଶ ସଂକ୍ରାନ୍ତୀୟ ଇଆଇଏ ଓ ଇଏମପି ହାସଲ କରିବା ପାଇଁ ସହଯୋଗର ପ୍ରତିଶ୍ରୁତି, (୯) ପର୍ୟ୍ୟାପ୍ତ ପରିମାଣରେ ଜଳ ଓ ବିଦ୍ୟୁତ ଶକ୍ତି ଯୋଗାଇଦେବା ଲାଗି ପ୍ରତିଶ୍ରୁତି ।

ସୁପ୍ରିମକୋର୍ଟ ତାଙ୍କ ରାୟରେ କଡ଼ା ଟିପ୍ପଣୀ କରିଛନ୍ତି, “ଗୋଟିଏ ଟ୍ରଷ୍ଟ / କମ୍ପାନୀ ସପକ୍ଷରେ ସରକାର ଏପରି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିବା ଆଦୌ ପ୍ରଶଂସନୀୟ ନୁହେଁ । ଏହିପରି, ସମଗ୍ର ଅଧିଗ୍ରହଣ ପ୍ରକ୍ରିୟା ଓ ସୁବିଧା ପ୍ରଦାନ, ଯାହା ସବୁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ହୋଇଥିଲା, ପକ୍ଷପାତ ଦ୍ୱାରା ଦୂଷିତ ହେବା ସହ ଭାରତୀୟ ସମ୍ୱିଧାନର ଧାରା ୧୪ (ସମାନତାର ଅଧିକାର)ର ବିରୋଧାଚରଣ କରୁଛି ।“ “... ସମଗ୍ର ଅଧିଗ୍ରହଣ ପ୍ରକ୍ରିୟା, ଯାହା ୧୮୯୪ର ଆଇନରେ ଥିବା ବୈଧାନିକ ସର୍ତ୍ତ ଓ ୧୯୬୩ର ନିୟମର ଅନୁପାଳନ ନ ହୋଇ ପ୍ରଦୂଷିତ ହୋଇଛି ଓ ଅନୈତିକତା ଏବଂ ପକ୍ଷପାତିତାରେ କଳୁଷିତ ହୋଇଛି, ତହିଁର ପ୍ରାସଙ୍ଗିକ ଦିଗଗୁଡ଼ିକ ପ୍ରତି ଧୀ ଶକ୍ତିର ପ୍ରୟୋଗ କରାଯାଇ ନଥିବାର ଏହା ହେଉଛି ଏକ ସ୍ପଷ୍ଟ ମାମଲା ।” ସମ୍ଭବତଃ ଓଡ଼ିଶା ସରକାର ଏଥି ପୂର୍ବରୁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଏତେ କଡ଼ା ଶବ୍ଦରେ କେବେ ହେଲେ ଭର୍ତ୍ସିତ ହୋଇନଥିଲେ । ସାଧାରଣତଃ ଜମି ଅଧିଗ୍ରହଣ ସମୟରେ ରାଜ୍ୟ ଓ କେନ୍ଦ୍ର ସରକାର ଜନହିତ ଓ ରାଜ୍ୟ ବା ଦେଶ ସ୍ୱାର୍ଥରେ ତାହା କରାଯାଉଛି ବୋଲି କହିଥାଆନ୍ତି । କିନ୍ତୁ ଜନହିତ ବା ରାଜ୍ୟସ୍ୱାର୍ଥରେ ନହୋଇ ବି କେବଳ ଗୋଟିଏ ଘରୋଇ ସଂସ୍ଥାର ସ୍ୱାର୍ଥସିଦ୍ଧି ଲାଗି ସରକାର ଜମି ଅଧିଗ୍ରହଣ କରିବାକୁ କେଉଁ ସ୍ତରକୁ ଯାଇପାରନ୍ତି ଉପରୋକ୍ତ ମାମଲାଟି ତହିଁର ଏକ ଜ୍ୱଳନ୍ତ ଉଦାହରଣ । ରାଜ୍ୟରେ ପୁଞ୍ଜି ବିନିଯୋଗକୁ ବୃଦ୍ଧି କରିବା ଲାଗି ଶିଳ୍ପପ୍ରତିଷ୍ଠାକୁ ସୁଗମ କରିବା ଆଳରେ ପୁଞ୍ଜିପତି ଓ ଶିଳ୍ପପତିମାନଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରୟାସ ହେଉଛି ଓ ହେବା ଆବଶ୍ୟକ ମଧ୍ୟ । ତେବେ ବିତ୍ତଶାଳୀ ପୁ଼ଞ୍ଜିପତିଟିଏ ମିଳିଗଲେ ନିଜକୁ କୃତକୃତ ମନେ କରି ରାଜ୍ୟର ସ୍ୱାଭିମାନକୁ ଜଳାଞ୍ଜଳି ଦେଇ ସରକାରୀ ତନ୍ତ୍ର ସ୍ୱାଗତ ପାଇଁ ‘ନମସ୍କାର’ ବଦଳରେ ‘ଦଣ୍ଡବତ ମୁଦ୍ରାରେ ଭୂପତିତ ହେବା’ ଯୁକ୍ତିଯୁକ୍ତ କି ?  ଅନେକ କ୍ଷେତ୍ରରେ ତ ଏହିପରି କିଛି ଶିଳ୍ପପତି ଆବଶ୍ୟକତାଠାରୁ ଅଧିକ ପରିମାଣର ଜମି ହାତେଇଥିବାର ଅଭିଯୋଗମାନ ଶୁଣିବାକୁ ମିଳିଥାଏ । ଆଶା କରାଯାଏ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଭବିଷ୍ୟତରେ ଅନ୍ତତଃ କୌଣସି କମ୍ପାନୀ ପାଇଁ ଜମି ଅଧିଗ୍ରହଣ ବେଳେ ସରକାର ଅହେତୁକ ଅନୁକମ୍ପା ପ୍ରଦର୍ଶନ ନକରି ଯଥୋଚିତ ଅଧ୍ୟବସାୟ (ଡ୍ୟୁ ଡିଲିଜେନ୍ସ)ର ଅନୁପାଳନ ପ୍ରତି ଗୁରୁତ୍ୱ ଦେବେ । ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ଲାଗି ଉପଲବ୍ଧ ସୀମିତ ପରିମାଣର ମୂଲ୍ୟବାନ ଜମି ଯେପରି ସରକାରଙ୍କ କତିପୟ ଅସାଧୁ ଅଧିକାରୀଙ୍କ ସହାୟତାରେ ଅଯଥାରେ ମୁଷ୍ଟିମେୟ ପୁଞ୍ଜିପତି ଓ ଶିଳ୍ପପତିଙ୍କ ଦଖଲକୁ ଚାଲି ନଯାଏ ସେଥିପ୍ରତି ନାଗରିକ ସମାଜ ମଧ୍ୟ ସତର୍କ ରହିବା ଆବଶ୍ୟକ । ଭବିଷ୍ୟତରେ କୌଣସି ପ୍ରକଳ୍ପ ଲାଗି ଘରୋଇ ସଂସ୍ଥା ବା କମ୍ପାନୀଙ୍କ ପାଇଁ ଜମି ଅଧିଗ୍ରହଣ ବା ଜମି ଆବଣ୍ଟନ କରାଯିବା ପୂର୍ବରୁ ନାଗରିକ ସମାଜର ସମ୍ପୃକ୍ତିରେ ‘ସାମାଜିକ ନିରୀକ୍ଷଣ’ (ସୋସିଆଲ ଅଡ଼ିଟ) ବ୍ୟବସ୍ଥାକୁ ଅନିବାର୍ଯ୍ୟ କରାଯିବା ଆବଶ୍ୟକ । ପୁରୀ ଓ ଗୋପ ତହସିଲର ୨୨ଟି ମୌଜାର ୬୦୦୦ ଚାଷୀଙ୍କ ନିକଟରୁ ଅଧିଗୃହୀତ ଜମି ତୁରନ୍ତ ସମ୍ପୃକ୍ତ ଜମିମାଲିକମାନଙ୍କୁ ଫେରସ୍ତ କରିବା ଲାଗି ପ୍ରାଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇବା ବିଧେୟ । ଏଥିସହ ଅନିଲ ଅଗ୍ରୱାଲ ଫାଉଣ୍ଡେସନକୁ ହସ୍ତାନ୍ତରିତ ୪୯୫ ଏକର ସରକାରୀ ଜମି ମଧ୍ୟ ତୁରନ୍ତ ପ୍ରତ୍ୟାହୃତ ହେବା ଆବଶ୍ୟକ । ସୁପ୍ରିମକୋର୍ଟଙ୍କ ଏହି ରାୟ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ପ୍ରତି ଆଞ୍ଚ ଆଣିବାର ଆଶଙ୍କା ଥିଲେ ବି ଓଡ଼ିଶାର ରାଜନୀତି ଏହାଦ୍ୱାରା କିପରି ପ୍ରଭାବିତ ହେବ ତାହା କହିବା ଏବେଠାରୁ କଷ୍ଟକର, କାରଣ ବେଦାନ୍ତ ବିଶ୍ୱବିଦ୍ୟାଳୟ ଲାଗି ଜମି ଅଧିଗ୍ରହଣ ମାମଲାରେ ତିନି ପ୍ରମୁଖ ଦଳର କିଛି ନେତା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ସଂଶ୍ଳିଷ୍ଟ । 

Published in Odisha Reporter on April 14, 2023

 

Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍