କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ତିନିଟି କୃଷି ଆଇନକୁ ଆଲୋଚନା କରି ବିରୋଧ ପ୍ରସ୍ତାବ ପାରିତ କରିବା ପାଇଁ ଆହୂତ କେରଳ ବିଧାନ ସଭାର ବିଶେଷ ଜରୁରୀକାଳୀନ ଅଧିବେଶନକୁ ରାଜ୍ୟପାଳ ଅନୁମତି ପ୍ରଦାନ ନ କରିବା ପରେ ଏକ ନୂତନ ବିବାଦର ସୂତ୍ରପାତ ହେଲା । ଠିକ ଏତିକିବେଳେ ଡିସେମ୍ୱର ୨୫ରେ ପ୍ରଧାନମନ୍ତ୍ରୀ କୃଷକମାନଙ୍କୁ ଉଦବୋଧନ ଦେବା ଅବସରରେ କେରଳରେ କୌଣସି ଏପିଏମସି ବ୍ୟବସ୍ଥା ନ ଥିଲେ ବି ରାଜ୍ୟ ସରକାର ନୂତନ କୃଷି ଆଇନକୁ ବିରୋଧ କରିବା ଦୁଃଖଦାୟକ ବୋଲି କହିଥିଲେ । ଶାସକ ବିଜେପି ଦଳ ତରଫରୁ ବାରମ୍ୱାର ଆକ୍ଷେପ କରାଯାଉଛି ଯେ କେରଳରେ ଏପିଏମସି ବ୍ୟବସ୍ଥା ନ ଥିବାରୁ ସେଠାକାର ଚାଷୀ ଏମଏସପି ପାଇବାରୁ ବଞ୍ଚିତ ହେଉଥିବା ବେଳେ ନିଜ ଶାସିତ ରାଜ୍ୟରେ ତାହା କାର୍ଯ୍ୟକାରି ନ କରାଇ ବାମପନ୍ଥୀ ଦଳମାନେ ଦିଲ୍ଲୀରେ ଚାଷୀ ଆନ୍ଦୋଳନକୁ ସମର୍ଥନ କରିବା ସେମାନଙ୍କ ଦୋହରା ଚରିତ୍ରକୁ ଦର୍ଶାଉଛି । ଏହି ପରିପ୍ରେକ୍ଷୀରେ ସେଠାକାର ବାସ୍ତବ ସ୍ଥିତିକୁ ଜାଣିବାକୁ ହେଲେ କେରଳର କୃଷି ପରିଦୃଶ୍ୟ ଓ ବିକଳ୍ପ ବଜାର ବ୍ୟବସ୍ଥାକୁ ବୁଝିବା ଆବଶ୍ୟକ ।
ବର୍ତ୍ତମାନ ଦେଶରେ ବିହାର, କେରଳ, ମଣିପୁର, ଆଣ୍ଡାମାନ ଓ ନିକୋବର, ଦାମନ ଓ ଦିଉ, ଲାକ୍ଷାଦ୍ୱୀପ ଭଳି ଛଅଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏପିଏମସି ଆଇନ କାର୍ଯ୍ୟ କରୁନାହିଁ । ଏଥି ମଧ୍ୟରୁ ବିହାରରେ ଏପିଏମସିର ମଣ୍ଡି ବ୍ୟବସ୍ଥାକୁ ୨୦୦୬ ମସିହାରେ ଉଠାଇ ଦିଆ ଯାଇଥିବା ବେଳେ କେରଳରେ ତାହା ମୂଳରୁ ନାହିଁ । ଏପରିକି ୨୦୦୩ର ନମୁନା ଏପିଏମସି ଆଇନକୁ ବି କେରଳ ଗ୍ରହଣ କରି ନ ଥିଲା । ସେଠାରେ ଏପିଏମସିର ନିୟନ୍ତ୍ରିତ ବଜାର ବ୍ୟବସ୍ଥା କାର୍ଯ୍ୟ କରୁ ନ ଥିଲେ ବି ତାହା ଘରୋଇ କମ୍ପାନୀ ବା ବେପାରୀଙ୍କ ଲାଗି ଏକ ଅଣନିୟନ୍ତ୍ରିତ ଉନ୍ମୁକ୍ତ ବଜାର ଭାବେ ଉଭା ହୋଇନାହିଁ । ଏପିଏମସିର ମଣ୍ଡି ବ୍ୟବସ୍ଥା ନ ଥିବା ସତ୍ତ୍ୱେ ସେଠାକାର ଚାଷୀଙ୍କୁ ଅନ୍ୟ ରାଜ୍ୟର ଚାଷୀଙ୍କ ତୁଳନାରେ ସେମାନଙ୍କ ଉତ୍ପାଦ ପାଇଁ ଯଥେଷ୍ଟ ଅଧିକ ମୂଲ୍ୟ ମିଳିବାର କାରଣ ଉନ୍ମୁକ୍ତ ବଜାର ବ୍ୟବସ୍ଥାରେ ଘରୋଇ କମ୍ପାନୀ ବା ବ୍ୟବସାୟୀଙ୍କ କୃଷି ବଜାରରେ ପ୍ରବେଶ ପାଇଁ ନୁହେଁ । ବରଂ ଏଥିପାଇଁ ସେଠାକାର ରାଜ୍ୟ ସରକାରଙ୍କ ଚାଷୀ ଅନୁକୂଳ ନୀତି ହିଁ ଅନେକାଂଶରେ ଦାୟୀ ।
କେରଳର ମୁଖ୍ୟ ଫସଲଗୁଡିକ ହେଲା ଧାନ, ଟପିଓକା, ନଡିଆ, ରବର, ଗୋଲମରିଚ, ଗୁଆ, କଫି, ଚା, କଦଳୀ କାଜୁବାଦାମ । ଏଥି ମଧ୍ୟରୁ ଧାନକୁ ବାଦ ଦେଲେ ଅନ୍ୟଗୁଡିକ ଉଦ୍ୟାନ ଚାଷ ବା ଅର୍ଥକରୀ ଚାଷ ଶ୍ରେଣୀଭୁକ୍ତ । ସେଠାକାର କୃଷିଯୋଗ୍ୟ ଚାଷଜମିର ୮୨ ପ୍ରତିଶତ ଅଞ୍ଚଳରେ ରବର, କଫି, ନଡିଆ ଓ ବିଭିନ୍ନ ପ୍ରକାର ମସଲା ଭଳି ଅର୍ଥକରୀ ଫସଲ ଚାଷ ହୋଇଥାଏ । ଏଥି ମଧ୍ୟରୁ କେବଳ ନଡିଆକୁ ବାଦ ଦେଲେ ଅନ୍ୟ ଉତ୍ପାଦ ପାଇଁ ଏମଏସପି ଘୋଷିତ ହୋଇ ନ ଥାଏ, ଏବଂ ନଡିଆ (କୋପ୍ରା ଓ ଚୋପା ଛଡା ନଡିଆ)ର ସଂଗ୍ରହ ରାଜ୍ୟ ସଂସ୍ଥାଙ୍କ ଦ୍ୱାରା ହୋଇଥାଏ ଯାହାର କେନ୍ଦ୍ରୀୟ ନୋଡାଲ ସଂସ୍ଥା ଭାବେ ନାଫେଡ ଓ ଏନସିସିଏଫଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ ହୋଇଛି । ରବର, କଫି ଓ ମସଲା ଭଳି ଅର୍ଥକରୀ ଫସଲଗୁଡିକର ସଂଗ୍ରହ ଏପିଏମସି ମଣ୍ଡିରେ ହୋଇ ନ ଥାଏ । ଏଗୁଡିକର ବଜାର ବ୍ୟବସ୍ଥାର ଉନ୍ନତିକରଣ ପାଇଁ କେନ୍ଦ୍ର ଦ୍ୱାରା ରବର ବୋର୍ଡ, କଫି ବୋର୍ଡ, ମସଲା ବୋର୍ଡ ଆଦି ଗଠିତ ହୋଇଛି । ଏକ ଏକର ରବର ବଗିଚା ଥିବା ଚାଷୀଟିଏର ବାର୍ଷିକ ଆୟ ହାରାହାରି ୧ ଲକ୍ଷ ଟଙ୍କା ହୋଇଥିଲା ବେଳେ ସେଥିରୁ ତାର ଲାଭ ପ୍ରାୟ ୬୦ ହଜାର ଟଙ୍କା ହୋଇଥାଏ । ସେହିପରି କଫି ଚାଷରୁ ଏକର ପିଛା ବାର୍ଷିକ ପ୍ରାୟ ୭୫ ହଜାର ଟଙ୍କା ଲାଭ ହେଉଥିଲା ବେଳେ ମସଲାରୁ ହାରାହାରି ୫୦ ହଜାର ଟଙ୍କାରୁ ବେଶି ଲାଭ ହେଉଛି ଓ ସେଗୁଡିକର ବିକ୍ରିବଟାରେ ସେ ଭଳି ଅସୁବିଧା ନାହିଁ । ତେଣୁ କେରଳର ସେହି ଧରଣର ଅର୍ଥକରୀ ଫସଲ କରୁଥିବା ଚାଷୀଙ୍କୁ ଦେଶର ଅନ୍ୟ ଧାନ, ମୁଗ, ବିରି ଚାଷ କରୁଥିବା ଚାଷୀଙ୍କ ସହ ତୁଳନା କରିବା ଉଚିତ ନୁହେଁ, କାରଣ ଉଭୟଙ୍କ ସମସ୍ୟା ଭିନ୍ନ । ତେଣୁ କେରଳର ଚାଷୀ ଆନ୍ଦୋଳନରତ ନ ହେବାର କାରଣକୁ ନେଇ ଶାସକ ଦଳ ତରଫରୁ ବାରମ୍ୱାର ପଚରା ଯାଉଥିବା ପ୍ରଶ୍ନର ଉତ୍ତର ବି ଖୋଜାଯାଉ ।
ଧାନ କେରଳର ମୁଖ୍ୟ ଖାଦ୍ୟାନ୍ନ ଫସଲ ହୋଇଥିଲେ ବି ଉତ୍ପାଦିତ ଧାନର ପରିମାଣ ରାଜ୍ୟର ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ ହେଉ ନ ଥିବାରୁ ତାହା ବାହାର ରାଜ୍ୟରୁ ଆମଦାନି କରା ଯାଇଥାଏ । ସେଠାରେ ସମୁଦାୟ ଚାଷଯୋଗ୍ୟ ଚାଷଜମିର ମାତ୍ର ୮ ପ୍ରତିଶତରୁ ବି କମ ଜମିରେ ଧାନ ଚାଷ ହୋଇଥାଏ । ଅର୍ଥକରୀ ଫସଲ ପ୍ରତି ଆଗ୍ରହ ବଢୁଥିବାରୁ ଧାନ ଚାଷ ହେଉଥିବା ଜମିର ପରିମାଣ ୧୯୭୫-୭୬ ତୁଳନାରେ ପ୍ରାୟ ୭୫ ପ୍ରତିଶତ ହ୍ରାସ ପାଇ ୨୦୧୮-୧୯ରେ ୨ ଲକ୍ଷ ହେକ୍ଟରରେ ପହଞ୍ଚିଲାଣି । ଫଳରେ ଧାନ ଉତ୍ପାଦନ ପରିମାଣ ମଧ୍ୟ ହ୍ରାସ ପାଇ ୫.୭୮ ଲକ୍ଷ ଟନରେ ପହଞ୍ଚିଛି । ତେବେ ସେଥିରୁ ପ୍ରାୟ ୪.୭୫ ଲକ୍ଷ ଟନ ବା ୮୨ ପ୍ରତିଶତ ସରକାରୀ ଭାବେ ଏମଏସପିରେ ସଂଗୃହୀତ ହୋଇଥାଏ । ଅର୍ଥାତ୍, କେରଳରେ ଘରୋଇ ବ୍ୟବସାୟୀଙ୍କ ଦ୍ୱାରା ଅନ୍ତତଃ ଧାନ ସଂଗ୍ରହର କୌଣସି ଅବକାଶ ନାହିଁ । ଉଲ୍ଲେଖଯୋଗ୍ୟ, କେରଳରେ ଧାନର ମୋଟ ଉତ୍ପାଦନ ତୁଳନାରେ ସଂଗ୍ରହ ପ୍ରତିଶତ ଏତେ ବେଶି ଯେ ଓଡିଶା ସମେତ ଭାରତର ପ୍ରାୟ ସବୁ ରାଜ୍ୟଙ୍କଠାରୁ ବି ଏହା ଅଧିକ । କେବଳ ସେତିକି ନୁହେଁ, ସାରା ଭାରତରେ ଏମଏସପିରେ ବିକି ପାରୁଥିବା ଧାନ ଚାଷୀଙ୍କୁ କୁଇଣ୍ଟାଲ ପିଛା ୧୮୬୮ ଟଙ୍କା ମିଳୁଥିବା ବେଳେ ସେଠାରେ ଚାଷୀମାନଙ୍କଠାରୁ ଧାନ କୁଇଣ୍ଟାଲ ପିଛା ୨୬୩୦ ଟଙ୍କାରେ ସଂଗୃହୀତ ହେଉଛି । ଅର୍ଥାତ୍, ରାଜ୍ୟ ସରକାର କୁଇଣ୍ଟାଲ ପିଛା ୭୬୨ ଟଙ୍କା ବୋନସ ଆକାରରେ ଦେଉଛନ୍ତି । ଦେଶର ଅନ୍ୟ କୌଣସି ରାଜ୍ୟର ଧାନଚାଷୀ ଧାନର ଏହି ମୂଲ୍ୟ ପାଇ ନ ଥାଆନ୍ତି । ସେଠାରେ କୃଷି ଶ୍ରମିକଙ୍କ ମଜୁରି ଭାରତରେ ସର୍ବାଧିକ ହୋଇଥିବାରୁ କୁଇଣ୍ଟାଲ ପିଛା ଧାନ ଉତ୍ପାଦନ ଖର୍ଚ୍ଚ ମଧ୍ୟ ୧୫୧୧ ଟଙ୍କା ହୋଇଥାଏ ଯାହା ଭାରତରେ ଦ୍ୱିତୀୟ ସର୍ବାଧିକ । ତେଣୁ ଚାଷୀଙ୍କୁ ବୋନସ ଦେଇ ରାଜ୍ୟ ସରକାର ଚାଷୀଙ୍କ କ୍ଷତିକୁ ଭରଣା କରିବାକୁ ଚେଷ୍ଟା କରିଥାଆନ୍ତି । ଓଡିଶା ପରି କେରଳରେ ମଧ୍ୟ ଧାନ ସଂଗ୍ରହ ଦାୟିତ୍ୱ ନ୍ୟସ୍ତ ଥିବା ସେଠାକାର ଖାଦ୍ୟ ଯୋଗାଣ କର୍ପୋରେସନ (ସପ୍ଲାଏକୋ) କୃଷି ସମବାୟ ସମିତିଗୁଡିକ ଜରିଆରେ ଧାନ ସଂଗ୍ରହ କରୁଥିବାରୁ ଓ ରାଜ୍ୟରେ ସଂଗ୍ରହଯୋଗ୍ୟ ବଳକା ଅନ୍ୟ ଖାଦ୍ୟାନ୍ନ ଉତ୍ପନ୍ନ ହେଉ ନ ଥିବାରୁ ଖାଦ୍ୟାନ୍ନ କିଣା ବିକା ପାଇଁ ଉଦ୍ଦିଷ୍ଟ ଏପିଏମସି ମଣ୍ଡି ବ୍ୟବସ୍ଥାର ଆବଶ୍ୟକତା ଉପୁଜି ନ ଥାଏ ।
ସାରା ଦେଶର ଚାଷୀ ଖାଦ୍ୟାନ୍ନ ପାଇଁ ଘୋଷିତ ହେଉଥିବା ଏମଏସପିକୁ ଆଇନଗତ ମାନ୍ୟତା ପ୍ରଦାନ ପାଇଁ ଗୁହାରି କରୁଥିବା ବେଳେ କେରଳ ସରକାର ଆଉ ପାଦେ ଆଗକୁ ଯାଇ ଦେଶର ପ୍ରଥମ ଓ ଏକମାତ୍ର ରାଜ୍ୟ ଭାବେ ପନିପରିବା ଓ ଫଳମୂଳ ପାଇଁ ଏମଏସପି ଢାଞ୍ଚାରେ ସର୍ବନିମ୍ନ ମୂଲ୍ୟ (ବେସ ପ୍ରାଇସ) ପ୍ରଦାନ କରିବାକୁ ଏକ ଯୋଜନା କାର୍ଯ୍ୟକାରି କରୁଛନ୍ତି । ତଦନୁଯାୟୀ, ପ୍ରଥମ ଦଫାରେ ଘୋଷିତ ୧୬ ପ୍ରକାର ପନିପରିବା ଓ ଫଳମୂଳ ମଧ୍ୟରୁ କେଜି ପିଛା ଦର କଦଳୀ ୩୦ ଟଙ୍କା, ସପୁରି ୨୫ ଟଙ୍କା, ଭେଣ୍ଡି ୨୦ ଟଙ୍କା, ଟମାଟୋ ୮ ଟଙ୍କା, ପାଣି କଖାରୁ ୯ ଟଙ୍କା, କଲରା ୩୦ ଟଙ୍କା, କାକୁଡି ୮ ଟଙ୍କା, ଆଳୁ ୨୦ ଟଙ୍କା, ବିନ ୨୮ ଟଙ୍କା, ବିଟରୁଟ ୨୧ ଟଙ୍କା, ରସୁଣ ୧୩୯ ଟଙ୍କା ବନ୍ଧାକୋବି ୧୧ ଟଙ୍କା, ଟପିଓକା ୧୨ ଟଙ୍କା ଧାର୍ଯ୍ୟ ହୋଇଛି । ଯୋଜନା ଅନୁଯାୟୀ ବଜାର ଦର ତା’ଠାରୁ କମ ହେଲେ ସରକାର ଘୋଷିତ ସର୍ବନିମ୍ନ ମୂଲ୍ୟରେ ଚାଷୀଠାରୁ ସଂଗ୍ରହ କରିବେ । ଏହି ସର୍ବନିମ୍ନ ମୂଲ୍ୟ ଧାର୍ଯ୍ୟ କଲା ବେଳେ ପନିପରିବାର ଉତ୍ପାଦନ ଖର୍ଚ୍ଚ ସହ ୨୦ ପ୍ରତିଶତ ଅଧିକ ମିଶାଯାଇଛି । ପନିପରିବା ସଂଗ୍ରହ ଓ ବିତରଣ ଦାୟିତ୍ୱ ପଞ୍ଚାୟତଗୁଡିକ ଉପରେ ନ୍ୟସ୍ତ ହୋଇଛି । ଏଥିରେ ଶୀତଳ ଭଣ୍ଡାର, ଶୀତତାପ ନିୟନ୍ତ୍ରିତ ଯାନ ଜରିଆରେ ପରିବହନ ଆଦିକୁ ସୁନିଶ୍ଚିତ କରି ଯୋଗାଣ-ଶୃଙ୍ଖଳକୁ ବ୍ୟବସ୍ଥିତ କରାଯିବା ଉପରେ ଗୁରୁତ୍ୱ ଦିଆ ଯାଇଛି । ଏହି ଯୋଜନା ଦ୍ୱାରା ଚାଷୀଟିଏ ଚାଷ କରିବା ପୂର୍ବରୁ ତା’ ଉତ୍ପାଦ ପାଇଁ ଅମଳ ବେଳେ କି ଦର ମିଳିବ ଅନ୍ତତଃ ସେ ନେଇ ସୁନିଶ୍ଚିତ ହୋଇ ପାରୁଛି । ଫଳରେ ଘରୋଇ ବ୍ୟବସାୟୀ ଚାଷୀଙ୍କଠାରୁ ସଂଗ୍ରହ କରୁଥିଲେ ବି ସେମାନଙ୍କୁ ଶୋଷଣ କରିବାର ଅବକାଶ ପାଉ ନାହାନ୍ତି । ଏହି ଯୋଜନା ଫଳରେ ବାହାର ରାଜ୍ୟର ଶସ୍ତା ପନିପରିବା କେରଳ ରାଜ୍ୟକୁ ପ୍ରବେଶ କରିବାରେ ବାଧା ସୃଷ୍ଟି ହେବ, ଯଦ୍ଦ୍ୱାରା ନୂତନ କେନ୍ଦ୍ରୀୟ କୃଷି ଆଇନରେ ପ୍ରସ୍ତାବିତ ‘ଏକ ଦେଶ ଏକ ବଜାର’ ପରିକଳ୍ପନା ସାକାର ହୋଇ ନ ପାରେ । ସେଠାକାର ଖାଉଟିଙ୍କୁ ହୁଏତ ଶସ୍ତାରେ ସାମଗ୍ରୀ ମିଳି ନ ପାରେ ହେଲେ ଦରଦାମର ଅହେତୁକ ବୃଦ୍ଧିକୁ ବି ଏଡାଇ ହୋଇପାରେ । କେରଳର ଚାଷୀ ତା’ ଉତ୍ପାଦର ଉଚିତ ମୂଲ୍ୟ ପାଉଥିଲେ ବା ପାଇବା ନେଇ ରାଜ୍ୟ ସରକାର ତାକୁ ଭରସା ଦେବାକୁ ସମର୍ଥ ହେଉଥିଲେ ସେ କାହିଁକି ବା ତୁଚ୍ଛାଟାରେ ଆନ୍ଦୋଳନକୁ ଓହ୍ଲାଇବ ? ଦିଲ୍ଲୀରେ ଆନ୍ଦୋଳନରତ ଚାଷୀ ତ ସେହି ଏକା କଥା ହିଁ କହୁଛନ୍ତି । ଯଦି କେରଳରେ ରାଜ୍ୟ ସରକାର ବିନଷ୍ଟଯୋଗ୍ୟ (ପେରିସେବଲ୍) ପନିପରିବା, ଫଳମୂଳ ଭଳି ପଦାର୍ଥ ଲାଗି ଚାଷୀଙ୍କୁ ସର୍ବନିମ୍ନ ମୂଲ୍ୟ ପ୍ରଦାନର ଗ୍ୟାରେଣ୍ଟି ଦେଇ ପାରୁଛନ୍ତି, ତେବେ ଭଣ୍ଡାରଯୋଗ୍ୟ ଖାଦ୍ୟାନ୍ନ ପାଇଁ ଏମଏସପିକୁ ଆଇନଗତ କରିବାରେ ଅସୁବିଧା କେଉଁଠି ? କେରଳର ଉପରୋକ୍ତ ଯୋଜନାରେ ଏବେ ବି କିଛି ଅସମାହିତ ପ୍ରଶ୍ନ ଥିବାରୁ ତାହା ସଫଳ ହୋଇଛି ବୋଲି ଏତେ ଶୀଘ୍ର କହି ହେବ ନାହିଁ । ତେବେ ‘ବଜାର ଶକ୍ତି ଦର ସ୍ଥିର କରିବ’ ବୋଲି କହୁଥିବା ଅର୍ଥନୀତିଜ୍ଞମାନଙ୍କୁ ହୁଏତ ଏହି ପରୀକ୍ଷାକୁ ନିକଟରୁ ନିରୀକ୍ଷଣ କରି କିଛି ଶିକ୍ଷା ଗ୍ରହଣ କରିବାକୁ ପଡିପାରେ ।
ଏ କଥା ଠିକ ଯେ କେରଳରେ ଏପିଏମସି ଆଇନ କାର୍ଯ୍ୟକାରି ହେଉ ନ ଥିବାରୁ ସେଠାରେ କୃଷି ବଜାର ଓ କୃଷି ବଜାର ସମ୍ୱନ୍ଧୀୟ ଭିତ୍ତିଭୂମିର ଆଶାନୁରୂପ ବିକାଶ ହୋଇ ନ ଥିଲା ବେଳେ ବଜାର ସୂଚନା ଓ ବୁଦ୍ଧିମତ୍ତା (ମାର୍କେଟ ଇନଫରମେସନ ଓ ଇଣ୍ଟେଲିଜେନ୍ସ) ବ୍ୟବସ୍ଥା ଅତି ନିମ୍ନ ସ୍ତରରେ ରହିଛି । ଫଳରେ ଗ୍ରାମ୍ୟ ଗୋଦାମ ନିର୍ମାଣ ଭଳି ଯୋଜନାରେ ବିଶେଷ ଅଗ୍ରଗତି ହେଉ ନାହିଁ କି କୃଷି ବଜାରରେ ପୁଞ୍ଜି ବିନିଯୋଗ ପରିମାଣ ସେ ଭଳି ବୃଦ୍ଧି ପାଉ ନ ଥିବାରୁ ଏକତ୍ରିକରଣ, ଗ୍ରେଡିଂ, ପ୍ରକ୍ରିୟାକରଣ, ପ୍ୟାକିଂ, ପରିବହନ, ଗୁଣବତ୍ତା ପ୍ରମାଣନ, ଶୀତଳ ଭଣ୍ଡାର, ରପ୍ତାନି ଭଳି ଅମଳ ପରବର୍ତ୍ତୀ କାର୍ଯ୍ୟଗୁଡିକ ଗତି ଲାଭ କରି ପାରୁନାହିଁ । ଏହା ସତ୍ତ୍ୱେ ସେଠାରେ ଏକ ବିକଳ୍ପ ବଜାର ବ୍ୟବସ୍ଥାର ଅଭ୍ୟୁଦୟ ହୋଇଛି, ଯାହାକୁ ହୁଏତ ଆଦର୍ଶ ବ୍ୟବସ୍ଥା ଭାବେ ଗ୍ରହଣ କରାଯାଇ ନ ପାରେ, ହେଲେ ସେଠିକା ପରିସ୍ଥିତିରେ ତାହା ସୁଚାରୁ ରୂପେ କାର୍ଯ୍ୟ କରିବାରେ କୌଣସି ଅସୁବିଧା ହେଉନାହିଁ । କୃଷି ଉତ୍ପାଦ ବିକ୍ରିର ସୁବିଧା ପାଇଁ ରାଜ୍ୟର ତିରୁବନନ୍ତପୁରମ, କୋଝିକୋଡ, ଏର୍ଣ୍ଣାକୁଲମ, ୱାଏନାଡଠାରେ ଛଅଟି ପ୍ରମୁଖ ହୋଲସେଲ ବଜାର କାର୍ଯ୍ୟ କରୁଛି । ଏହି ସମସ୍ତ ବଜାର କେନ୍ଦ୍ରୀୟ ଇ-ନାମ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ହୋଇ ଦେଶର ଅନ୍ୟ ମଣ୍ଡି ସହ ଇଲେକ୍ଟ୍ରୋନିକ ବଜାର ବ୍ୟବସ୍ଥାରେ ସଂଯୁକ୍ତ । ଏପିଏମସିର ମଣ୍ଡି ବ୍ୟବସ୍ଥା ନ ଥିଲେ ବି ସେଠାରେ ଚାଷୀମାନଙ୍କଠାରୁ ସଂଗ୍ରହ କରିବା ପାଇଁ ଘରୋଇ କମ୍ପାନି ବା ବ୍ୟବସାୟୀମାନେ ବଡ ଭୂମିକା ନିର୍ବାହ କରି ନ ଥାଆନ୍ତି । ଅନ୍ୟ ପକ୍ଷରେ କ୍ଷୁଦ୍ର ଓ ନାମନାତ୍ର ଚାଷୀଙ୍କୁ ଶୋଷଣରୁ ମୁକ୍ତ ରଖିବା ପାଇଁ କେରଳ ରାଜ୍ୟ ସିଭିଲ ସପ୍ଲାଏଜ କର୍ପୋରେସନ (ସପ୍ଲାଏକୋ), ସମବାୟ ସମିତି, ପଞ୍ଚାୟତଗୁଡିକ ଦ୍ୱାରା ଧାନ, ପନିପରିବା ଓ ଫଳ ସଂଗ୍ରହ ଆପାତତଃ ବ୍ୟବସ୍ଥିତ ଭାବେ ହେଉଥିବାରୁ ଚାଷୀ ଅସନ୍ତୋଷ ଦେଖା ଦେଉନାହିଁ ।
ଏପିଏମସିର ମଣ୍ଡି ବ୍ୟବସ୍ଥାରେ ମଣ୍ଡିଗୁଡିକର ଅତ୍ୟଧିକ ନିୟନ୍ତ୍ରଣ ଯୋଗୁ କ୍ଷୁଦ୍ର ଚାଷୀଟିଏ ଶୋଷଣର ଶିକାର ହେଉଥିବାରୁ ତାକୁ ସେଥିରୁ ମୁକ୍ତ କରିବା ପାଇଁ କୃଷି ସଂସ୍କାର ସପକ୍ଷରେ ଯୁକ୍ତି କରା ଯାଇଥାଏ । ସେହି ସଂସ୍କାରର ଯେଉଁ ସ୍ୱରୂପଟିକୁ କୃଷି ଆଇନରେ ଉପସ୍ଥାପିତ କରା ହେଉଛି ସେଥିରେ ଚାଷୀଙ୍କୁ ଉନ୍ମୁକ୍ତ ବଜାର ସୁବିଧା ଉପଲବ୍ଧ କରାଇବା ପାଇଁ ସରକାରୀ ନିୟନ୍ତ୍ରଣମୁକ୍ତ ଭାବେ ଘରୋଇ କମ୍ପାନୀ ଓ ବ୍ୟବସାୟୀଙ୍କ କୃଷି ବଜାର ପ୍ରବେଶକୁ ସୁଗମ କରାଇବା ଦର୍ଶାଯାଉଛି । କେରଳରେ ଯେଉଁ ବିକଳ୍ପ ବଜାର ବ୍ୟବସ୍ଥାଟି ଅଛି ସେଥିରେ ଚାଷୀ ମଣ୍ଡି ନିୟନ୍ତ୍ରଣାଧୀନ ହୋଇ ନ ଥିଲେ ବି ବଜାର ବ୍ୟବସ୍ଥା ସରକାରଙ୍କ ନିୟମାଧୀନ ହୋଇ ରହିଛି, ଯଦ୍ଦ୍ୱାରା ଘରୋଇ କମ୍ପାନୀମାନେ ନିରଙ୍କୁଶ କାର୍ଯ୍ୟ ସଞ୍ଚାଳନରୁ ବଞ୍ଚିତ ହେଉଛନ୍ତି । ତେବେ କେରଳର ବସ୍ତୁସ୍ଥିତିକୁ ଅନୁଧ୍ୟାନ କଲେ ଏହି ବ୍ୟବସ୍ଥାରୁ ଓହରି ଆସିବା ରାଜ୍ୟ ସରକାରଙ୍କ ପକ୍ଷରେ କଠିନ ହେବ । କାରଣ ବାହାର ରାଜ୍ୟର କୃଷି ଉତ୍ପାଦର ଅବାଧ ପ୍ରବେଶକୁ ଅନୁମତି ଦେଲେ କେରଳରେ କୃଷି ଶ୍ରମିକଙ୍କ ବର୍ଦ୍ଧିତ ମଜୁରି କାରଣରୁ ସେଠାରେ କୃଷି ଉତ୍ପାଦନ ଖର୍ଚ୍ଚ ଅପେକ୍ଷାକୃତ ଅଧିକ ହୋଇ ଅନ୍ୟ ରାଜ୍ୟର କମ ମୂଲ୍ୟର ଉତ୍ପାଦ ସହ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହେବା କଷ୍ଟକର ହେବ । ସେ କ୍ଷେତ୍ରରେ ସରକାରଙ୍କୁ କୃଷି ଶ୍ରମିକଙ୍କ ମଜୁରିକୁ ହ୍ରାସ କରିବାକୁ ହେବ, ଯାହା ନୂଆ ଏକ ସମସ୍ୟାକୁ ଜନ୍ମ ଦେଉଥିବାରୁ ତାହା କରିବା ସରକାରଙ୍କ ପକ୍ଷରେ ଅସମ୍ଭବ ହୋଇପାରେ । ତେଣୁ ନୂତନ କୃଷି ଆଇନକୁ କେରଳ ସରକାର ବିରୋଧ କରିବା ସ୍ୱାଭାବିକ ।
କେନ୍ଦ୍ର ସରକାର ଘୋଷଣା କରୁଥିବା ୨୩ ପ୍ରକାର ଫସଲ ଉପରେ ଏମଏସପି ମଧ୍ୟରୁ କେରଳରେ କେବଳ ଧାନ ଓ ନଡିଆକୁ ବାଦ ଦେଲେ ଅନ୍ୟ ଫସଲଗୁଡିକ ସେ ଭଳି ଚାଷ ହେଉ ନ ଥିବାରୁ ସେଗୁଡିକର ଏମଏସପି କେରଳ ପାଇଁ ଏକ ପ୍ରକାର ଅର୍ଥହୀନ । ତେଣୁ କେରଳ ପାଇଁ ଉଭୟ ଏମଏସପି ଓ ଏମଏସପିରେ ସଂଗ୍ରହ ପାଇଁ ବ୍ୟବହୃତ ଏପିଏମସି ମଣ୍ଡି ବ୍ୟବସ୍ଥା ଅର୍ଥହୀନ ହୋଇଥିବାରୁ ସେଠାକାର ଚାଷୀ ଆନ୍ଦୋଳନରେ ଓହ୍ଲାଇ ନାହିଁ । ଅନ୍ୟ ପକ୍ଷରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଆଇନ ସଂଘୀୟ ବ୍ୟବସ୍ଥାର ବିରୁଦ୍ଧାଚରଣ କରି ରାଜ୍ୟର କାର୍ଯ୍ୟକ୍ଷେତ୍ର ଭିତରକୁ ଅତିକ୍ରମଣ ବୋଲି ଦର୍ଶାଇ ରାଜ୍ୟ ସରକାର ତାହାର ବିରୋଧ କରୁଛନ୍ତି । ପ୍ରତିଟି ରାଜ୍ୟର କୃଷି ସମସ୍ୟା ଓ କୃଷି ପରିଦୃଶ୍ୟ ଅନ୍ୟ ରାଜ୍ୟଠାରୁ ଭିନ୍ନ ହୋଇଥିବାରୁ ତା’ର ଉଚିତ ପରିଚାଳନା ପାଇଁ ସମ୍ୱିଧାନରେ କୃଷିକୁ ରାଜ୍ୟ ତାଲିକାରେ ରଖା ଯାଇଛି । ସମଗ୍ର ଦେଶ ପାଇଁ ଗୋଟିଏ ବଜାର ବ୍ୟବସ୍ଥା କଥା ଶୁଣିବାକୁ ଭଲ ଲାଗୁଥିଲେ ବି ତାହା ଏହି ବିବିଧତା ଯୋଗୁ କାର୍ଯ୍ୟକାରି କରିବା କଠିନ । ପଞ୍ଜାବର କୃଷି ସମସ୍ୟା ଯାହା ଓଡିଶା ବା କେରଳର ସମସ୍ୟା ଠିକ ସେଇଆ ନୁହେଁ । ଉଦାହରଣ ସ୍ୱରୂପ, ପ୍ରଚଳିତ ଏପିଏମସି ମଣ୍ଡି ବ୍ୟବସ୍ଥା ପଞ୍ଜାବ, ହରିଆଣା ରାଜ୍ୟଦ୍ୱୟଙ୍କ ରାଜସ୍ୱର ଏକ ବଡ ଉତ୍ସ, ଯାହା ଅନ୍ୟାନ୍ୟ ଅନେକ ରାଜ୍ୟ ପାଇଁ ପ୍ରଯୁଜ୍ୟ ନୁହେଁ । ତେଣୁ ‘ସମସ୍ତଙ୍କ ପାଇଁ ଗୋଟିଏ ମାପର ଜୋତା’ କଥା ଚିନ୍ତା କରି ରାଜ୍ୟଗୁଡିକୁ ବିଶ୍ୱାସକୁ ନ ନେଇ ସେମାନଙ୍କ ଉପରେ ଗୋଟିଏ ପ୍ରକାର କେନ୍ଦ୍ରୀୟ ଆଇନ ଲଦି ଦେଲେ ତାହା ଗ୍ରହଣୀୟ ନ ହୋଇ ବିରୋଧର ସମ୍ମୁଖୀନ ହେବା ବିଚିତ୍ର ନୁହେଁ । ଚାଷୀ ଉଚିତ ମୂଲ୍ୟ ପାଇ ଉପକୃତ ହେବା ଅସଲ ଉଦ୍ଦେଶ୍ୟ ହୋଇଥିବାରୁ ଭିନ୍ନ ଭିନ୍ନ ମାର୍ଗରେ ଯଦି ତାହା ହୋଇପାରୁଛି ତେବେ ଏକ ନିର୍ଦ୍ଦିଷ୍ଟ ବ୍ୟବସ୍ଥାକୁ କୌଣସି ରାଜ୍ୟର ଅସହମତିରେ ତା’ ଉପରେ ଲଦି ଦେବା ସମୀଚୀନ କି ?
Published in Samadrushti in its January 01-15, 2021 issue.
Comments
Post a Comment