Skip to main content

ଚାଲ ଦିନଟିଏ ଇସ୍ତ୍ରୀ ନ କରି ଲୁଗା ପିନ୍ଧିବା

ସଭ୍ୟ ସମାଜରେ ଇସ୍ତ୍ରୀ ହୋଇଥିବା ପୋଷାକ ପିନ୍ଧିବା ସଭ୍ୟ ମଣିଷଙ୍କ ପରିଚୟ ରୂପେ ପରିଗଣିତ ହୋଇଥାଏ । ଏଣିକି ଇସ୍ତ୍ରୀ ହୋଇ ନଥିଲେ ସାନଠାରୁ ବଡ଼ ପର୍ଯ୍ୟନ୍ତ କେହି ସେହି ଲୁଗା ପିନ୍ଧିବାକୁ ରାଜି ହେଉଥିବା ଦେଖାଯାଉନାହିଁ । ଏପରିକି ସାମାନ୍ୟ ଲୋଚାକୋଚା ହୋଇଥିବା ଲୁଗାକୁ ବି କାଢ଼ି ପକାଇ ଦେଉଛନ୍ତି । କିନ୍ତୁ ଅନେକ ହୁଏତ ଅନୁଭବ କରି ନ ଥିବେ ଯେ ସମାଜରେ ଇସ୍ତ୍ରୀ ପୋଷାକ ପିନ୍ଧିବାର ପ୍ରବୃତ୍ତି ବଢ଼ିବା କାରଣରୁ ବାୟୁମଣ୍ଡଳ ଅଧିକ ପ୍ରଦୂଷିତ ହୋଇ ବୈଶ୍ୱିକ ଉତ୍ତପ୍ତୀକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛି । 

ଏ କଥା ନୁହେଁ ଯେ ଭାରତୀୟମାନେ ପ୍ରଥମରୁ ଇସ୍ତ୍ରୀକରା ପୋଷାକ ପିନ୍ଧିବାରେ ଅଭ୍ୟସ୍ତ ଥିଲେ । ଆଗରୁ ଭାରତୀୟମାନେ ସାର୍ଟ ପ୍ୟାଣ୍ଟ ପରି ସିଲେଇ ହୋଇଥିବା ପୋଷାକ ପିନ୍ଧୁ ନଥିଲେ । ସେତେବେଳେ ଭାରତୀୟ ପୁରୁଷମାନେ ପ୍ରାୟତଃ ଧୋତି, ଗାମୁଛା ଓ ମହିଳାମାନେ ଶାଢ଼ୀ ପିନ୍ଧୁଥିଲେ । ଲୋଚାକୋଚା ହେଲେ ବି ସେଗୁଡ଼ିକ ପିନ୍ଧିବାରେ ସେମାନଙ୍କର କୌଣସି କୁଣ୍ଠା ବା ଆପତ୍ତି ନ ଥିଲା । ଆଜି ବି ଗାଁଗଣ୍ଡାରେ ଲୋକେ ଲୋଚାକୋଚା ହୋଇଥିବା ଲୁଗା ପିନ୍ଧି ବେଶ୍ ସ୍ୱଚ୍ଛନ୍ଦରେ ଦୋକାନ ବଜାର, ବାହାର ଜାଗାକୁ ବୁଲିବାକୁ ଯାଇଥାନ୍ତି । ଅନେକ କ୍ଷେତ୍ରରେ ତ ଲୋଚାକୋଚା ପୋଷାକ ପିନ୍ଧିବା ଗର୍ବ ଓ ଆଭିଜାତ୍ୟର ବିଷୟ ଥିଲା । ସ୍ଥଳ ବିଶେଷରେ କିଛି ଭଲ ଲୁଗାକୁ ଠିକ୍ ରୂପେ ଚଉତାଇ ପେଡ଼ିରେ ରଖୁଥିଲେ ଯାହାକୁ ‘ପେଡ଼ି ସାଇତା’ ଲୁଗା କୁହାଯାଉଥିଲା । ଆଜି ମଧ୍ୟ ଗାଁମାନଙ୍କରେ ପେଡ଼ି ସାଇତା ଲୁଗାର ପ୍ରଚଳନ ଥିବା ଦେଖାଯାଏ । ଆଗ କାଳରେ ରେଶମ ଲୁଗାଗୁଡ଼ିକୁ ମଣ୍ଡ ଦିଆଯାଇ ଛାଟ କରି ଶୁଖାଇଦିଆଯାଉଥିଲା, ଯାହା ଶୁଖିଗଲା ପରେ ଟାଣ ହୋଇଯାଉଥିବାରୁ ପିନ୍ଧିବାରେ ଅସୁବିଧା ନଥିଲା । ତେଣୁ ଭାରତୀୟ ପୋଷାକ ପରିଚ୍ଛଦକୁ ଇସ୍ତ୍ରୀ କରିବାର ଆବଶ୍ୟକତା ଉପୁଜୁ ନଥିଲା । ତେଣୁ ‘ଇସ୍ତ୍ରୀ’ ଏକ ଭାରତୀୟ ଶବ୍ଦ ନୁହେଁ । ଭାରତୀୟ ଭାଷାଗୁଡ଼ିକରେ ‘ଇସ୍ତ୍ରୀ’ ଶବ୍ଦର ପ୍ରବେଶ ପଛରେ ଥିବା ଇତିହାସ ବି ବେଶ୍ ରୋଚକ । ପର୍ତ୍ତୁଗିଜ ନାବିକ ଭାସ୍କୋଡ଼ାଗାମା 1498 ମସିହାରେ ପ୍ରଥମେ ଭାରତର କାଲିକଟଠାରେ ଆସି ପହଞ୍ଚିଥିଲେ । ପର୍ତ୍ତୁଗିଜ ନାବିକମାନେ ସେମାନଙ୍କ ଲୋଚାକୋଚା ପୋଷାକରୁ ଅବାଞ୍ଛିତ ଭାଙ୍ଗଗୁଡ଼ିକୁ ଦୂର କରି ତାକୁ ଛାଟ କରିବା ପାଇଁ ଏକ ଉତ୍ତପ୍ତ ଲୁହା ପ୍ଲେଟର ବ୍ୟବହାର କରୁଥିଲେ । ଏହାକୁ ସେମାନେ ‘ଇସ୍ତିକାର’ ବୋଲି କହୁଥିଲେ, ଯାହାର ଆକ୍ଷରିକ ଅର୍ଥ ଛାଟ୍ (ଷ୍ଟ୍ରେଟନ୍) କରିବା । ସ୍ପେନୀୟ ଭାଷାରେ ଏହାକୁ ‘ଇସ୍ତିରାର’ ବୋଲି କୁହାଯାଉଥିଲା । ଭାରତୀୟମାନଙ୍କ ଦ୍ୱାରା ଏହା ଅପଭ୍ରଂଶ ହୋଇ ପ୍ରଥମେ ‘ଇସ୍ତରୀ’ ହେଲା, ଯାହା ସମୟକ୍ରମେ ‘ଇସ୍ତ୍ରୀ’ରେ ପରିଣତ ହୋଇଗଲା । ଅର୍ଥାତ୍ ଭାରତରେ ଇସ୍ତ୍ରୀର ପ୍ରଚଳନ ୟୁରୋପୀୟମାନଙ୍କ ଭାରତ ଆଗମନ ପରେ ହୋଇଛି । ତେଣୁ 550 ବର୍ଷ ପୂର୍ବରୁ ଭାରତରେ ଇସ୍ତ୍ରୀର ପ୍ରଚଳନ ଥିବା ଜଣା ପଡ଼େନାହିଁ ।

ଅଷ୍ଟାଦଶ ଶତାବ୍ଦୀର ମଧ୍ୟ ଭାଗରୁ ଭାରତ ସ୍ୱାଧୀନ ହେବା ପର୍ଯ୍ୟନ୍ତ ପ୍ରାୟ 200 ବର୍ଷ ଧରି ସାରା ଭାରତ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ବ୍ରିଟିଶ ଶାସନାଧୀନ ରହିଲା । ଏହି ସମୟରେ ପାଶ୍ଚାତ୍ୟ ପୋଷାକର ପ୍ରଭାବ ଭାରତୀୟ ପୋଷାକରେ ଦେଖିବାକୁ ମିଳିଲା । ଭାରତର ସମ୍ଭ୍ରାନ୍ତ ବର୍ଗ ଓ କାର୍ଯ୍ୟାଳୟଗୁଡ଼ିକରେ  କାର୍ଯ୍ୟରତ କର୍ମଚାରୀମାନେ ଇଂରେଜ ଲୋକଙ୍କ ସଂସ୍ପର୍ଶରେ ଅଧିକରୁ ଅଧିକ ଆସିବାକୁ ଲାଗିଲେ । ଇଂରେଜମାନଙ୍କ ପୋଷାକ ପରିଚ୍ଛଦ ଭାରତୀୟଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା, କାରଣ ସେଗୁଡ଼ିକ ପ୍ରାୟତଃ ସିଲେଇ ପୋଷାକ ଥିଲା । ସେଗୁଡ଼ିକୁ ଭଲ ଭାବେ ଇସ୍ତ୍ରୀ କରିବା ଦରକାର ପଡ଼ୁଥିଲା । ଇଂରେଜଙ୍କ ସଂସ୍ପର୍ଶରେ ଆସି ଭାରତୀୟମାନେ ବି ପ୍ୟାଣ୍ଟ୍, ସାର୍ଟ, ସୁଟ୍ ଆଦି ପିନ୍ଧିବା ଆରମ୍ଭ କରିଦେଲେ । ପାଶ୍ଚାତ୍ୟ ପ୍ରଭାବରେ ସମ୍ଭ୍ରାନ୍ତ ବର୍ଗ ଭାରତୀୟଙ୍କ ପୋଷାକରେ ‘ଅଚକନ୍’ ଓ ‘ଗଳାବନ୍ଦ କୋଟ୍’ର ପ୍ରଚଳନ ହେବାକୁ ଲାଗିଲା । କ୍ରମେ ପାଶ୍ଚାତ୍ୟ ପୋଷାକ ପିନ୍ଧିବା ଆଭିଜାତ୍ୟର ଚିହ୍ନ ରୂପେ ବିବେଚିତ ହେବାକୁ ଲାଗିଲା । ଏଥି ସହିତ ସେହି ପୋଷାକକୁ ଇସ୍ତ୍ରୀ କରି ପିନ୍ଧିବାର ପ୍ରଥା ମଧ୍ୟ କ୍ରମେ ସାଧାରଣ ହେବାକୁ ଲାଗିଲା । ଭଲ ଭାବେ ଇସ୍ତ୍ରୀ ହୋଇଥିବା ଲୁଗାଟିଏ ପିନ୍ଧି କର୍ମକ୍ଷେତ୍ର ଓ ବାହାରକୁ ଗଲେ ଅନ୍ୟମାନଙ୍କ ଉପରେ ତା’ର ଭଲ ଛାପଟିଏ ପଡ଼ିଲା ଓ ତାହା ବ୍ୟକ୍ତିତ୍ୱ ବିକାଶରେ ମଧ୍ୟ ସହାୟକ ହେଲା । କ୍ରମେ ଜମିଦାର ଶ୍ରେଣୀର ଭାରତୀୟମାନେ ସେମାନଙ୍କର ପାରମ୍ପରିକ ପୋଷାକରେ ମଧ୍ୟ ବିଶେଷ ଭାବେ ଇସ୍ତ୍ରୀ ମାଧ୍ୟମରେ ସେମାନଙ୍କ ଆଭିଜାତ୍ୟ ପ୍ରଦର୍ଶନ କରିବାକୁ ପଛାଇଲେ ନାହିଁ । ପିନ୍ଧୁଥିବା ପଞ୍ଜାବୀର ହାତ ଦୁଇଟିକୁ ଏକ ସ୍ୱତନ୍ତ୍ର ଭାବେ ଇସ୍ତ୍ରୀ କରାଗଲା, ଯାହାକୁ ‘ଗିଲଦିଆ ଇସ୍ତ୍ରୀ’ ବୋଲି କୁହାଯାଉଥିଲା ।    

ଇସ୍ତ୍ରୀର ପ୍ରଥମ ବ୍ୟବହାର ପ୍ରାୟ 2000 ବର୍ଷ ତଳେ ଚୀନରେ ହୋଇଥିବା ଜଣାପଡ଼େ । ପ୍ରଥମ ଅବସ୍ଥାରେ ଇସ୍ତ୍ରୀର ଢାଙ୍କୁଣି ଖୋଲି ତା ଭିତରେ ଜଳନ୍ତା କୋଇଲା ରଖାଯାଇ ଇସ୍ତ୍ରୀର ଲୁହା ପ୍ଲେଟଟିକୁ ଉତ୍ତପ୍ତ କରି ପୋଷାକକୁ ଇସ୍ତ୍ରୀ କରାଯାଉଥିଲା । ସପ୍ତଦଶ ଶତାବ୍ଦୀରେ ଇସ୍ତ୍ରୀରେ ଏକ ମୋଟା କାଷ୍ଟ ଆଇରନ୍ ପ୍ଲେଟର ବ୍ୟବହାର ହେବାକୁ ଲାଗିଲା ଯାହାକୁ ‘ସେଡଆଇରନ’ କୁହାଯାଉଥିଲା । ଏହା ଯଥେଷ୍ଟ ଓଜନିଆ ଥିଲା । ପରେ ପରେ ଏହା ସ୍ଥାନରେ ଅପେକ୍ଷାକୃତ ପତଳା ‘ଫ୍ଲାଟ୍ ଆଇରନ’ର ପ୍ରଚଳନ ହେବାକୁ ଲାଗିଲା । ତେବେ ଊନବିଂଶ ଶତାବ୍ଦୀ ବେଳକୁ ଇସ୍ତ୍ରୀର ଲୁହା ପ୍ଲେଟକୁ ଗରମ କରିବା ଲାଗି କିରୋସିନ, ଇଥାନୋଲ, ତିମିମାଛର ତେଲ, ପ୍ରାକୃତିକ ଗ୍ୟାସ, କାର୍ବାଇଡ, ଗ୍ୟାସୋଲିନ ଆଦି ଇନ୍ଧନର ମଧ୍ୟ ବ୍ୟବହାର ହେବାକୁ ଲାଗିଲା । 1882 ମସିହାରେ ବିଦ୍ୟୁତ ଶକ୍ତିର ଉପଯୋଗ କରି ଇସ୍ତ୍ରୀକୁ ଗରମ କରିବାରେ ପ୍ରଥମେ ଆମେରିକାର ବୈଜ୍ଞାନିକ ହେନରୀ ସିଲି ହ୍ୱାଇଟ ସଫଳତା ଅର୍ଜନ କରିଥିଲେ । ସେବେଠାରୁ ବିଦ୍ୟୁତ ଚାଳିତ ଇସ୍ତ୍ରୀରେ ଅନେକ ପରିବର୍ତ୍ତନ ଆସିସାରିଲାଣି। ଏଥିରେ କୋଇଲାର ସିଧାସଳଖ ବ୍ୟବହାର ହେଉ ନଥିଲେ ବି ତାପଜ ବିଦ୍ୟୁତ ଉତ୍ପାଦନ ପାଇଁ କୋଇଲାର ବ୍ୟବହାର ହେଉଥିବାରୁ ଏପ୍ରକାର ଇସ୍ତ୍ରୀର ବ୍ୟବହାର ମଧ୍ୟ ପରୋକ୍ଷରେ ଅଙ୍ଗାରକାମ୍ଳ ନିର୍ଗମନର କାରଣ ହୋଇ ବାୟୁମଣ୍ଡଳର କ୍ଷତିସାଧନ କରିଥାଏ । 

କୋଇଲାଠାରୁ ଆରମ୍ଭ କରି ବିଦ୍ୟୁତଶକ୍ତି ଦ୍ୱାରା ଚାଳିତ ଇସ୍ତ୍ରୀ ପର୍ଯ୍ୟନ୍ତ ସବୁଥିରେ ବ୍ୟବହୃତ ଇନ୍ଧନ ଯୋଗୁ ହେଉଥିବା ଶକ୍ତିର ଅପଚୟ ଅତିମାତ୍ରାରେ ଅଙ୍ଗାରକାମ୍ଳ ନିର୍ଗମନର କାରଣ ପାଲଟିଥାଏ । ଏହା ସିଧାସଳଖ ଜଳବାୟୁ ପରିବର୍ତ୍ତନକୁ ପ୍ରଭାବିତ କରିଥାଏ । ସିଏସଆଇଆର ସଂସ୍ଥାର ବୈଜ୍ଞାନିକଙ୍କ ଅନୁଯାୟୀ ଗୋଟିଏ ହଳ ପୋଷାକ ଇସ୍ତ୍ରୀ କଲେ ବାୟୁମଣ୍ଡଳକୁ 200 ଗ୍ରାମ ଅଙ୍ଗାରକାମ୍ଳ ନିର୍ଗମନ ହୋଇଥାଏ । ଅର୍ଥାତ୍ ଦିନଟିଏ ଯଦି ଇସ୍ତ୍ରୀ ନ କରି ପୋଷାକ ପିନ୍ଧାଯାଏ ତେବେ ବାୟୁମଣ୍ଡଳ ସେହି 200 ଗ୍ରାମ ଅଙ୍ଗାରକାମ୍ଳ ନିର୍ଗମନ ଜନିତ ପ୍ରଦୂଷଣରୁ ରକ୍ଷା ପାଇଥାଏ । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସିଏସଆଇଆର ଅଧୀନସ୍ଥ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ କମ୍ୟୁନିକେସନ ଆଣ୍ଡ ପଲିସି ରିସର୍ଚ୍ଚ ତରଫରୁ ‘ରିଙ୍କଲସ୍ ଅଚ୍ଛେ ହୈଁ’ (ଲୋଚାକୋଚା ପୋଷାକ ବି ଭଲ) ନାମକ ଏକ ଅଭିନବ ଅଭିଯାନ ଲାଗି ଆହ୍ୱାନ ଦିଆଯାଇଥିଲା । ଏହି ଅଭିଯାନରେ ସିଏସଆଇଆର ସଂସ୍ଥାରେ କାର୍ଯ୍ୟରତ ସମସ୍ତଙ୍କୁ ଅନୁରୋଧ କରାଗଲା ଯେ ସେମାନେ ପ୍ରତି ସୋମବାର ଦିନ ଇସ୍ତ୍ରୀ ହୋଇ ନ ଥିବା ପୋଷାକ ପିନ୍ଧି କାର୍ଯ୍ୟାଳୟକୁ ଆସିବେ । ସିଏସଆଇଆର ଦ୍ୱାରା କେବଳ ଏହି ଗୋଟିଏ ପଦକ୍ଷେପ କାର୍ଯ୍ୟକାରୀ ହେଲେ ପ୍ରତି ସୋମବାର ଦିନ 1,25,000 କିଲୋଗ୍ରାମ ଅଙ୍ଗାରକାମ୍ଳ ନିର୍ଗମନକୁ ପ୍ରତିହତ କରିହେବ । ଅବଶ୍ୟ ପରେ ଏହାକୁ କାର୍ଯ୍ୟକାରୀ କରିବା ଲାଗି ସିଏସଆଇଆର ତରଫରୁ କୌଣସି ଆଦେଶ ଜାରି ହୋଇନାହିଁ ବୋଲି ସ୍ପଷ୍ଟୀକରଣ ଦିଆଗଲା । ତେବେ ଏହାକୁ ଯଦି ଗୋଟିଏ ଆନ୍ଦୋଳନର ସ୍ୱରୂପ ଦିଆଯାଇ ଦେଶବ୍ୟାପି ଲାଗୁ କରାଯାଆନ୍ତା ତେବେ ଦେଶରେ ଅଙ୍ଗାରକାମ୍ଳ ନିର୍ଗମନ ଅତିମାତ୍ରାରେ  କମ ହୋଇ ଜଳବାୟୁ ଉତ୍ତାପ ହ୍ରାସ କରିବାରେ ଏହା ଏକ ବଡ଼ ଭୂମିକା ନିର୍ବାହ କରନ୍ତା ।

ଏହାକୁ କାର୍ଯ୍ୟକାରୀ କରିବା ଦିଗରେ କେତେଗୁଡ଼ିଏ ପଦକ୍ଷେପ ଗ୍ରହଣ କରିବା କଥା ଚିନ୍ତା କରାଯାଇପାରେ । ଉଭୟ ଘରୋଇ ଓ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀଙ୍କ ଲାଗି ସପ୍ତାହର ଅନ୍ତତଃ ଗୋଟିଏ ଦିନ ଇସ୍ତ୍ରୀ ହୋଇ ନ ଥିବା ପୋଷାକ ପିନ୍ଧି ଆସିବା ଅନିବାର୍ଯ୍ୟ କରାଯାଇପାରେ । ସ୍କୁଲଗୁଡ଼ିକରେ ପ୍ରତି ଶନିବାର ଦିନ ଛାତ୍ରଛାତ୍ରୀଙ୍କୁ ଏହିପରି ପୋଷାକ ପିନ୍ଧି ସ୍କୁଲକୁ ଆସିବାକୁ କୁହାଯାଇପାରେ । ସେ କ୍ଷେତ୍ରରେ ସେମାନେ ପ୍ୟାଣ୍ଟ ସାର୍ଟ ନ ପିନ୍ଧି ଆଞ୍ଚଳିକ ସଂସ୍କୃତି ଆଧାରରେ ପାରମ୍ପରିକ ହସ୍ତତନ୍ତ ପୋଷାକ (ଧୋତି, ଲୁଗା ଆଦି) ପିନ୍ଧିଲେ ଭଲ, କାରଣ ସେଗୁଡ଼ିକୁ ଇସ୍ତ୍ରୀ ନ କରି ମଧ୍ୟ ପିନ୍ଧି ହେବ । ତା’ଛଡ଼ା ଏ ଭଳି ପୋଷାକ ମଧ୍ୟ ପିଲାମାନଙ୍କୁ ସେମାନଙ୍କ ସଂସ୍କୃତି ସହ ଯୋଡ଼ି ରଖିବାର ସୁଯୋଗ ସୃଷ୍ଟି କରିବ । 

କୋଭିଡ ପରେ ପରେ ସାରା ବିଶ୍ୱରେ ଇସ୍ତ୍ରୀ ହୋଇ ନ ଥିବା ଲୋଚାକୋଚା ପୋଷାକ (କ୍ରିଜେସ୍ ଆଣ୍ଡ ରିଙ୍କଲସ୍) ପିନ୍ଧିବା କ୍ରମଶଃ ଆଧୁନିକ ଫ୍ୟାସନରେ ପରିଣତ ହେବାକୁ ବସିଲାଣି । ବିଶ୍ୱ ଫ୍ୟାସନ୍ ଦୁନିଆର ରାଜଧାନୀ କୁହାଯାଉଥିବା ପ୍ୟାରିସରେ ନିକଟ ଅତୀତରେ ହୋଇଥିବା ଅଧିକାଂଶ ଫ୍ୟାସନ୍ ସୋ’ରେ ପ୍ରମୁଖ ଫ୍ୟାସନ୍ ଡିଜାଇନରମାନେ ଏହିଭଳି ପୋଷାକ ଡିଜାଇନ୍ କରିବା ଉପରେ ଗୁରୁତ୍ୱ ଦେଉଥିବା ଦେଖାଯାଉଛି । ସେଗୁଡ଼ିକର ଗ୍ରହଣୀୟତା ଓ ବ୍ୟବହାର ବି ବଢ଼ୁଥିବାର ଲକ୍ଷ୍ୟ କରାଯାଉଛି । ଏ କ୍ଷେତ୍ରରେ ଆନ୍ତର୍ଜାତୀୟ ସ୍ତରରେ ଟ୍ରେଣ୍ଡ ନିର୍ଦ୍ଧାରଣ କରୁଥିବା ‘ପ୍ରଡ଼ା’ ବ୍ରାଣ୍ଡର ବିଭିନ୍ନ ପ୍ରକାର ଲୋଚାକୋଚା ପୋଷାକ (ରିଙ୍କଲଡ ଡ୍ରେସ)କୁ ବିବେଚନାକୁ ନିଆଯାଇପାରେ । ଭାରତର ଫ୍ୟାସନ୍ ଡିଜାଇନରମାନେ ମଧ୍ୟ ରିଙ୍କଲଡ୍ ଡ୍ରେସର ପ୍ରଭାବରୁ ମୁକ୍ତ ହୋଇପାରି ନଥିବାରୁ ଏଠାରେ ବି ଏ ପ୍ରକାର ପୋଷାକର ବହୁଳ ପ୍ରଚଳନ ହେବାକୁ ଲାଗିଲାଣି । ଫ୍ୟାସନ୍ କ୍ଷେତ୍ରରେ ଆସିଥିବା ଏହି ପରିବର୍ତ୍ତନ ବୈଶ୍ୱିକ ଉତ୍ତପ୍ତୀକରଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ହୋଇଥାଉ କି ନ ଥାଉ ଏହି ଧରଣର ପୋଷାକକୁ ଇସ୍ତ୍ରୀ କରିବା ଦରକାର ହେଉ ନ ଥିବାରୁ, ଏହା ପରୋକ୍ଷରେ ସେହି ଉଦ୍ଦେଶ୍ୟକୁ ସାଧନ କରୁଛି କହିଲେ ଭୁଲ୍ ହେବନାହିଁ ।

ଇତିମଧ୍ୟରେ ଇସ୍ତ୍ରୀର ବ୍ୟବହାରରୁ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବା ପାଇଁ ସୌର ଇସ୍ତ୍ରୀର ପ୍ରଚଳନ ହେବା ଆରମ୍ଭ ହୋଇଥିଲେ ବି ତାହା ସାଧାରଣ ଲୋକଙ୍କଠାରେ ଆଦୃତି ଲାଭ କରିପାରିନାହିଁ । ତେବେ ତାମିଲନାଡ଼ୁର ଏକ ସ୍କୁଲର 15 ବର୍ଷୀୟା ଛାତ୍ରୀ ବିନିଷା ଉମାଶଙ୍କର ଏକ ‘ସୌର ଚାଳିତ ଇସ୍ତ୍ରୀ ଠେଲାଗାଡ଼ି’ ପ୍ରସ୍ତୁତ କରି ଆନ୍ତର୍ଜାତୀୟ ସ୍ତରରେ ପରିବେଶବିଦମାନଙ୍କ ଦୃଷ୍ଟି ଆକର୍ଷଣ କରିବା ସଙ୍ଗେ ସଙ୍ଗେ ଓ ସେମାନଙ୍କ ପ୍ରଶଂସା ସାଉଁଟିଛନ୍ତି । ଏହି ଠେଲାଗାଡ଼ିର ଛାତରେ ସୌର ପ୍ୟାନେଲମାନ ଖଚିତ ହୋଇଥାଏ । ସୂର୍ଯ୍ୟକିରଣରୁ ଆହରଣ ହେଉଥିବା ଶକ୍ତି ଏକ ବ୍ୟାଟେରୀରେ ଗଚ୍ଛିତ ରହେ, ଯାହାକୁ ବ୍ୟବହାର କରି ଷ୍ଟିମ୍ ଆଇରନ୍ କରାଯାଇପାରୁଛି । ଏଥିରେ କୋଇଲାର ବ୍ୟବହାର ହେଉ ନ ଥିବାରୁ ପ୍ରଦୂଷଣ ହ୍ରାସ ସହ ଠେଲା ଇସ୍ତ୍ରୀବାଲାଙ୍କର ଭଲ ଦୁଇ ପଇସା ଲାଭ ହୋଇପାରିବ । ହୁଏତ ଭବିଷ୍ୟତରେ ଏହି ଧରଣର ସୌରଚାଳିତ ଇସ୍ତ୍ରୀ ଠେଲାଗାଡ଼ି ଆଦୃତି ଲାଭ କରି ଏଗୁଡ଼ିକ ବହୁଳ ଭାବେ ରାସ୍ତାଘାଟରେ ଦେଖିବାକୁ ମିଳିପାରେ ।

ଏମିତିରେ ଦେଖିବାକୁ ଗଲେ ‘ରିଙ୍କଲସ୍ ଅଚ୍ଛେହୈଁ’ ଭଳି ଇସ୍ତ୍ରୀ ନ କରି ପୋଷାକ ପିନ୍ଧିବାର ଅଭିଯାନଟି ଅତି ଛୋଟ ଓ ସାଧାରଣ ମନେ ହୋଇପାରେ । ତେବେ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରି ବୈଶ୍ୱିକ ଉତ୍ତପ୍ତୀକରଣକୁ ନିୟନ୍ତ୍ରଣାଧୀନ କରିବାରେ ଏହାର ଯେଉଁ ଭୂମିକା ନିର୍ବାହ କରିବାର ସାମର୍ଥ୍ୟ ଅଛି, ତାହା ଚକିତ କଲା ଭଳି । ତେଣୁ ଏଭଳି ଅଭିଯାନଟିକୁ ଆଗକୁ ନେବାର ଆବଶ୍ୟକତା ଥିବାରୁ ଚାଲନ୍ତୁ ସମସ୍ତେ ସପ୍ତାହରେ ଅନ୍ତତଃ ଦିନଟିଏ ଇସ୍ତ୍ରୀ ନ କରି ପୋଷାକ ପିନ୍ଧିବା ଓ ଅନ୍ୟମାନଙ୍କୁ ସେ ଦିଗରେ ପ୍ରବର୍ତ୍ତାଇବା ।


Published in Odisha Reporter on July 11, 2024


Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

2024ର ଭଲ ଗପ

  2024 ମସିହାର ଭଲ ଗପ ଏ ପର୍ଯ୍ୟନ୍ତ ପାଠକ ଓ ଲେଖକଙ୍କଠାରୁ ମିଳିଥିବା 2024 ମସିହାରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ପାଠକାଦୃତ ଗପର ସୂଚନା ଦିଆଯାଇଛି । ଗପଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କରିବେ । ଯେ କୌଣସି ପାଠକ, ସମ୍ପାଦକ ବା ଲେଖକ ତାଙ୍କୁ ଭଲ ଲାଗିଥିବା ଯେ କୌଣସି ଗପର ସୂଚନା ପ୍ରଦାନ କରିପାରିବେ । ଗପଗୁଡ଼ିକ ହସ୍ତଗତ ହେଲେ ସେଗୁଡ଼ିକ ମଧ୍ୟ ଏହି ତାଲିକା ଅନ୍ତର୍ଭୁକ୍ତ କରାଯିବ । ଲେଖକମାନେ ଚାହିଁଲେ ସେମାନଙ୍କ ଗପଟିକୁ ବଦଳାଇପାରିବେ । ଯୁବ କଥାକାରମାନେ ସେମାନଙ୍କ ଜନ୍ମ ତାରିଖ ଜଣାଇଲେ ସେମାନଙ୍କ ଗପକୁ ନିର୍ଦ୍ଦିଷ୍ଟ ବର୍ଗରେ ରଖାଯାଇପାରିବ । ଭୁଲ ବର୍ଗରେ ଥିଲେ ଜଣାଇବାକୁ ଅନୁରୋଧ । ଲେଖକଙ୍କ ନାମର ଆଦ୍ୟ ଅକ୍ଷର କ୍ରମରେ ଗପଗୁଡ଼ିକ ସଜ୍ଜିତ ହୋଇଛି । ସରଳ କୁମାର ଦାସ ୯୪୩୭୦ ୩୮୦୧୫ saral_das@yahoo.co.in (କ) ଜାନୁଆରୀ ୧ , ୧ ୯ ୮୦ ପରେ ଜନ୍ମ ଗ୍ରହଣ କରିଥିବା ଯୁବ କଥାକାରଙ୍କ ଗଳ୍ପ କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଞ୍ଜଳି ସାହୁ ଆଖି ସେପଟର ଛବି କଥା କଥା କବିତା କବିତା ପୂଜା ସଂଖ୍ୟା 2 ଆନନ୍ଦ କୁମାର ମାଇତି ଦାମ୍ପତ୍ୟ ଝଙ୍କାର ସେପ୍ଟେମ୍ୱର 3 ଗିରିଜା ଶଙ୍କର ମିଶ୍ର ପ୍ୟାଟରସନରେ ସନ୍ଧ୍ୟା କଥା ଡିସେମ୍ୱର 4 ଘନଶ୍ୟାମ ପଲେଇ ସମ୍ୱର୍ଦ୍ଧନା ପ୍ରଗତିବାଦୀ-ସୃଜନୀ 19 ମେ 5 ଚିନ୍ମୟୀ ଏସ ଦେବପ୍ରିୟା ଆଣ୍ଡ୍ରୟୁଙ୍କ ଡାଏରୀ ପ୍ରଜନ୍...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି...