ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସ୍ଥାପନା ସମୟରେ ଏହାର ସୀମାକୁ ଘେରାଇବା ଲାଗି ପ୍ରାଚୀର ନିର୍ମାଣ ହେଉଥାଏ । ସୀମାର ଗୋଟିଏ ସ୍ଥାନରେ ଥିବା ଏକ ବିଶାଳ ଦ୍ରୁମକୁ ନ କାଟିଲେ ପାଚେରୀ ସିଧା ହୋଇପାରିବ ନାହିଁ ବୋଲି ମନେ କରି ଦାୟିତ୍ୱରେ ଥିବା ଯନ୍ତ୍ରୀ ଗଛଟିକୁ କାଟିବାର ଯୋଜନା କରୁଥାନ୍ତି । ଏହି କଥା ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ମହାମନା ମଦନ ମୋହନ ମାଲବ୍ୟଙ୍କ କାନରେ ପଡ଼ିଲା । ସେ ତୁରନ୍ତ ସେଠାରେ ଉପସ୍ଥିତ ହୋଇ ପଚାରିଥିଲେ, “ପାଚେରୀଟି ସିଧା ହେବା କ’ଣ ନିହାତି ଜରୁରୀ ? ଟିକେ ବଙ୍କା ହୋଇଗଲେ କ୍ଷତି କ’ଣ ?” ତାଙ୍କର ସେହି ଗୋଟିଏ ପ୍ରଶ୍ନ ହୁଏତ ଏକ ବିଶାଳ ଦ୍ରୁମକୁ ଭୂପତିତ ହେବାରୁ ରକ୍ଷା କରିଦେଲା । କିନ୍ତୁ, ଆଜିକାଲି ବିକାଶ ନାମରେ ଅହରହ ହଜାର ହଜାର ଦ୍ରୁମ ନିର୍ବିଚାରରେ ଧରାଶାୟୀ ହେଉଛନ୍ତି, ଯହିଁରେ କେତେ ଯେ ପୁରୁଣା ଗଛ ନିଶ୍ଚିହ୍ନ ହେଉଛନ୍ତି, ତାହାର ହିସାବ କାହା ପାଖରେ ନଥାଏ । ଏ ପରିପ୍ରେକ୍ଷୀରେ ପ୍ରଶ୍ନ କଲେ ଗୋଟିଏ ନିର୍ଦ୍ଦିଷ୍ଟ ଉତ୍ତର ଶିଣିବାକୁ ମିଳିଥାଏ ଯେ, ଯେତିକି ଗଛ କଟା ହେଉଛି ସେହି ଅନୁସାରେ ନୂଆ ଗଛ ଲଗା ହେଉଛି । କିନ୍ତୁ, ପ୍ରକୃତରେ କେତେ ଗଛ ଲଗା ହେଲା ଓ ସେଥିରୁ କେତେ ବଞ୍ଚିଲା ଏବଂ ସେହି ଚାରାମାନ କେବେ ପୁରୁଣା ବୃକ୍ଷଗୁଡ଼ିକର ବୟସ ଧାରଣ କରି ଦମ୍ଭର ସହିତ ଛିଡ଼ା ହେବେ, ତାର ଉତ୍ତର କାହା ପାଖରେ ନ ଥାଏ । ଏହି ସନ୍ଦର୍ଭରେ ଐତିହ୍ୟ ବୃକ୍ଷର ସଂରକ୍ଷଣ ଚିନ୍ତା ଯଥେଷ୍ଟ ଗୁରୁତ୍ୱ ବହନ କରିଥାଏ ।
ସାଧାରଣତଃ ଐତିହ୍ୟ ବୋଇଲେ ପ୍ରାଚୀନ ସୌଧ, ଇମାରତ, ସ୍ଥାପତ୍ୟ ଆଦି କଥା ମନକୁ ଆସିଥାଏ । ତେବେ ଗାଁଠାରୁ ସହର ପର୍ଯ୍ୟନ୍ତ ଆମ ଜୀବନଧାରା ସହ ଓତଃପ୍ରୋତ ଭାବେ ଓତପ୍ରୋତ ଭାବେ ଜଡ଼ିତ ରହି ଆସିଥିବା ଜୀବନ୍ତ ପୁରୁଣା ବୃକ୍ଷଟିଏ ଯେ ଐତିହ୍ୟ ପର୍ଯ୍ୟାୟବାଚୀ ହୋଇପାରେ,ତାହା ଆମେ ଭାବି ପାରି ନ ଥାଉ । ଏବେ ଏଭଳି ପୁରୁଣା ବୃକ୍ଷଗୁଡ଼ିକୁ ‘ଐତିହ୍ୟ ବୃକ୍ଷ’ ଭାବେ ଗ୍ରହଣ କରାଗଲାଣି । ଐତିହ୍ୟ ବୃକ୍ଷ ଭାବେ ବିବେଚିତ ହେବା ଲାଗି ଗଛର ଉଭୟ ଭୌତିକ ଓ ଅଣଭୌତିକ ଗୁଣମାନଙ୍କୁ ବିଚାରକୁ ନିଆଯାଯାଏ । ଭୌତିକ ଗୁଣ ଭିତରେ ଅନ୍ତର୍ଭୁକ୍ତ ଗଛର ବୟସ, ଆକାର, ଆକୃତି ଏବଂ ସ୍ଥଳବିଶେଷରେ ତା'ର ଜାତି ଯଦି ତାହା ବିଲୁପ୍ତପ୍ରାୟ ହେବାକୁ ବସିଛି। ବୃକ୍ଷଟିର ଅଣଭୌତିକ ଗୁଣ ଭିତରେ ଯିବ ତାର ସାଂସ୍କୃତିକ ପ୍ରଭାବ ଓ ପରିଚୟ, ତା'ର ସୌନ୍ଦର୍ଯ୍ୟ, ତା'ର ଐତିହାସିକତା ବା କୌଣସି ଦନ୍ତକଥାର ଅଂଶରୂପେ ତାର ଅବଦାନ । ଏବେ ଦେଶର ବିଭିନ୍ନ ଅଞ୍ଚଳରେ ଥିବା ଅନେକ ଐତିହ୍ୟ ବୃକ୍ଷ ମଧ୍ୟରୁ ଏଠାରେ କେତେ ଗୋଟିର ଉଲ୍ଲେଖ କରାଯାଉ । ବିହାରର ବୋଧଗୟାସ୍ଥିତ ଯେଉଁ ବୋଧିଦ୍ରୁମ ମୂଳରେ ତପସ୍ୟା କରି ବୁଦ୍ଧଦେବ ନିର୍ବାଣ ଲାଭ କରିଥିଲେ ତାହା ଆଜି ମଧ୍ୟ ସେଠାରେ ବିରାଜମାନ ହୋଇ ବୌଦ୍ଧ ଧର୍ମାବଲମ୍ୱୀଙ୍କ ଲାଗି ଏକ ପ୍ରମୁଖ ତୀର୍ଥ ଓ ସାଧନାର କେନ୍ଦ୍ର ପାଲଟିଛି । ହ୍ରାଇଦ୍ରାବାଦର ଓସମାନିଆ ଜେନେରାଲ ହସପିଟାଲ ପ୍ରାଙ୍ଗଣରେ ଏମିତି ଏକ ତେନ୍ତୁଳିଗଛ ଅଛି ଯାହା ୧୯୦୮ ମସିହାରେ ସେଠାରେ ହୋଇଥିବା ଭୟଙ୍କର ବନ୍ୟା ସମୟରେ ୧୫୦ ଜଣଙ୍କର ଜୀବନ ରକ୍ଷା କରିଥିଲା । ସେହିପରି ଆକବରଙ୍କ ଦରବାରର ପ୍ରସିଦ୍ଧ ସଙ୍ଗୀତଜ୍ଞ ତାନସେନଙ୍କ ଗୋଆଲିଅରସ୍ଥିତ ସମାଧୀ ପୀଠରେ ଅଛି ଏକ ଅତି ପୁରୁଣା ତେନ୍ତୁଳି ଗଛ । ଲୋକଙ୍କର ବିଶ୍ୱାସ ଯେ ସେହି ଗଛର ପତ୍ର ଓ ବକଳରୁ ପ୍ରସ୍ତୁତ ଚା’ ପିଇଲେ ତାନସେନଙ୍କ ଗଳା ଭଳି ଗଳା ମିଠା ହୋଇଥାଏ । କହିବା ବାହୁଲ୍ୟ, ସେହି ଗଛରେ ଖୁବ କମ୍ ପତ୍ର ଦେଖିବାକୁ ମିଳେ । କୋଲକାତାର ବଟାନିକାଲ ଗାର୍ଡନରେ ପ୍ରାୟ ସାଢ଼େ ଚାରି ଏକର ଅଞ୍ଚଳକୁ ଅଧିକାର କରି ରହିଛି ଏକ ଅତି ପୁରୁଣା ବରଗଛ । ବେଙ୍ଗାଲୁରୁରେ ଏକ ଚାରି ଶହ ବର୍ଷ ପୁରୁଣା ବରଗଛ ଅଛି, ଯାହାର ନାମ ‘ଡୋଡା ଆଲାଦା ମାରା’ । ତାହା ମଧ୍ୟ ପ୍ରାୟ ୪ ଏକର ଅଞ୍ଚଳରେ ପରିବ୍ୟାପ୍ତ । ଏହି ବୃକ୍ଷ ଏକାଧିକ ଐତିହାସିକ ଯୁଦ୍ଧର ମୂକସାକ୍ଷୀ । ସେହିପରି ରାଜସ୍ଥାନର ଯୋଧପୁରସ୍ଥିତ ରାଜପ୍ରାସାଦରେ ଏକ ୫୫୦ ବର୍ଷ ପୁରୁଣା ବରଗଛ ରହିଛି । ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ଇଂଲଣ୍ଡର ସେଲେଡୋନିଆରୁ ଅଣା ହୋଇ ବେଙ୍ଗାଲୁରୁରେ ଲଗା ଯାଇଥିବା ଏକ ପାଇନ ଗଛ ଏବେ ମଧ୍ୟ ସଦର୍ପ ବିଦ୍ୟମାନ । ଡେରାଡୁନର ଘଣ୍ଟାଘର ନିକଟରେ ସରୋଜିନୀ ନାଇଡୁ ଲଗାଇଥିବା ଅଶ୍ୱତ୍ଥ ଗଛଟି ଏବେ ବି ରହିଛି । ପର୍ତ୍ତୁଗିଜ ଓ ଆବିସିନୀୟ ବଣିକଙ୍କ ଦ୍ୱାରା ଆଫ୍ରିକାରୁ ଅଣାଯାଇ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ଶହ ଶହ ବର୍ଷ ପୁରୁଣା ପ୍ରାୟ ୧୨୦ଟି ବିରଳ ପ୍ରଜାତିର ‘ବାଓବାବ୍’ ଗଛ ଆଜି ବି ଜୀବିତ । ଏହି ଜାତିର ୬ଟି ଗଛ ମୟୂରଭଞ୍ଜର ବାଙ୍ଗିରିପୋଷିଠାରେ ଥିଲା, ଯାହାକୁ ନିକଟରେ ରାଜପଥ ପ୍ରଶସ୍ତୀକରଣ ସମୟରେ କାଟିଦିଆଗଲା । ସେହି ଗଛ ସେଠାରେ କିଏ, କେବେ ଓ କାହିଁକି ଲଗାଇଥିଲେ, ତାହା ଅଜ୍ଞାତ ଥିଲେ ବି, ସନ୍ତକ ତ ଥିଲା ! ତାହା ମଧ୍ୟ ସତ୍ତା ହରାଇଲା ।
ଓଡ଼ିଶାରେ ଜଗନ୍ନାଥ ମନ୍ଦିରସ୍ଥିତ କଳ୍ପବଟ ବୃକ୍ଷଠାରୁ ଆରମ୍ଭ କରି ଜଗତସିଂହପୁରର ଗୋରଖନାଥ ପୀଠରେ ଥିବା ବିଶାଳକାୟ ବରଗଛ ସମେତ ଅନେକ ଐତିହ୍ୟ ବୃକ୍ଷ ରହିଛି । ପ୍ରାୟ ପ୍ରତି ଗାଁରେ ଏମିତି ଗୋଟିଏ ଦୁଇଟି ଝଙ୍କାଳିଆ ବରଗଛ ଥିବ, ଯାହା ମୂଳରେ ଠାକୁରାଣୀ ପୂଜା ପାଉଥିବେ । ବର ଅଶ୍ୱତ୍ଥ ଗଛଙ୍କ ବାହାଘର କରାଇବା ତ ଆମ ସଂସ୍କୃତିର ଅଂଶବିଶେଷ । ଧର୍ମ ସହ ସଂଶ୍ଳିଷ୍ଟ ରହି ଅନେକ ଐତିହ୍ୟ ବୃକ୍ଷ ସୁରକ୍ଷିତ ହୋଇ ରହିପାରିଛନ୍ତି । କିନ୍ତୁ, ପଥଚାରୀଙ୍କୁ ଛାୟାପ୍ରଦାନ କରୁଥିବା ଅତି ପୁରୁଣା ପଥପ୍ରାନ୍ତ ବୃକ୍ଷ ସଡ଼କ ପ୍ରଶସ୍ତୀକରଣ ବେଳେ ହାଣ ମୁହଁରେ ପଡ଼ିବାକୁ ବାଧ୍ୟ ହୋଇଛନ୍ତି । ବ୍ରିଟିଶ ଶାସନ କାଳରେ ଜୟୀ ରାଜଗୁରୁଙ୍କଠାରୁ ଆରମ୍ଭ କରି ଅନେକ ଦେଶ ଓ ଜାତିପ୍ରେମୀଙ୍କୁ ବିଭିନ୍ନ ବରଗଛରେ ଫାଶୀ ଦିଆଯାଇଥିଲା । ସେଗୁଡ଼ିକ ଆଜି ବି ‘ଫାଶୀଦିଆ ବରଗଛ’ ନାମରେ ପରିଚିତ । ମୟୂରଭଞ୍ଜର ଯଶିପୁର ଦେଇ ଶିମିଳିପାଳ ଭିତରକୁ ପ୍ରବେଶ କଲେ ପର୍ୟ୍ୟଟକମାନେ ଦୁଇଟି ବିଶାଳକାୟ ମହାଦ୍ରୁମ ଦେଖନ୍ତି । ଗୋଟିଏ ମହାବୃକ୍ଷ ଶାଳ, ଅନ୍ୟଟି ମହାବୃକ୍ଷ ଚମ୍ପା । ପ୍ରାୟ ୩୦୦ ବର୍ଷରୁ ଅଧିକ ପୁରୁଣା ମହାବୃକ୍ଷ ଶାଳ ନିକଟରେ ଏକ ଫଳକରେ ଉଲ୍ଲିଖିତ ଅଛି ଯେ ପ୍ରାୟ ୧୦୦ ବର୍ଷରୁ ଅଧିକ କାଳ ତଳେ ସେହି ବୃକ୍ଷରେ କୁରାଢ଼ି ଚୋଟ ପକାଇଥିବା ଦୁଇ ଜଣଙ୍କ ମୃତ୍ୟୁ ହେବା ପରେ ସେହି ବୃକ୍ଷ ଛେଦନ କରିବାକୁ ଆଉ କେହି ସାହସ କରିନାହାନ୍ତି । ସେତିକିବେଳେ ଶିମଳିପାଳ ଜଙ୍ଗଲ ଭିତରେ ଶହଶହ ସଂଖ୍ୟାରେ ଏହି ଭଳି ବିଶାଳ ଶାଳଗଛମାନ ଥିଲା, ଯାହା କିନ୍ତୁ ଅବଲୀଳା କ୍ରମେ ନିଶ୍ଚିହ୍ନ ହୋଇଯାଇଛି ।
ବୃକ୍ଷଗୁଡ଼ିକ ତ ଛାୟାପ୍ରଦାନ, ଉତ୍ତାପ ନିୟନ୍ତ୍ରଣ, ବିଷାକ୍ତ ଅଙ୍ଗାରକାମ୍ଳ ଗ୍ୟାସର ଶୋଷଣ ଓ ଅମ୍ଳଜାନ ପ୍ରଦାନ, ମୃତ୍ତିକା ସଂରକ୍ଷଣ, ଫଳପୁଷ୍ପର ଉତ୍ସ ହୋଇ ଅବିକଳ୍ପନୀୟ ଭାବେ ଉପଯୋଗୀ ଭୂମିକା ନିର୍ବାହ କରନ୍ତି, କିନ୍ତୁ ଐତିହ୍ୟ ବୃକ୍ଷଗୁଡ଼ିକ ସେମାନଙ୍କ ପ୍ରାଚୀନତା କାରଣରୁ ଏକ ଜୀବନ୍ତ ଶିଳ୍ପକୃତି ସାଜି ଗାଁ ଓ ସହରର ଅତୀତକୁ ବର୍ତ୍ତମାନ ସହ ଯୋଡ଼ିବାରେ ଏକ ସେତୁ ଭଳି କାର୍ଯ୍ୟ କରିବା ସଙ୍ଗେ ସଙ୍ଗେ ସ୍ଥାନୀୟ ସଂସ୍କୃତି ଓ ପରମ୍ପରା, ଜୀବନଧାରା ଓ ବିଶ୍ୱାସ ସହ ଯୋଡ଼ି ହୋଇଥିବାରୁ ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଥାଆନ୍ତି । କେବଳ ସେତିକି ନୁହେଁ, ଐତିହ୍ୟ ବୃକ୍ଷଗୁଡ଼ିକ ପୁରୁଣା ହୋଇଥିବାରୁ ଏହା ଉପରେ ନିର୍ଭରଶୀଳ ଅନେକ ପ୍ରକାର ଛତୁ, ପିମ୍ପୁଡ଼ିଜାତୀୟ ଜୀବ, କୀଟପତଙ୍ଗ, ପଶୁପକ୍ଷୀ ଓ ସରୀସୃପଙ୍କ ବାସସ୍ଥାନ ରୂପେ ଜୈବ ବିବିଧତାର ଏକ ଭଣ୍ଡାରରେ ପରିଣତ ହୁଅନ୍ତି, ଯାହା ଅନେକ ସୂକ୍ଷ୍ମ ପରିମଣ୍ଡଳ (ମାଇକ୍ରୋ ଇକୋସିଷ୍ଟମ)ର ସୁରକ୍ଷାକୁ ସୁନିଶ୍ଚିତ କରିଥାଏ । ନିକଟରେ ଇଂଲଣ୍ଡର ବର୍ମିଂହାମ ବିଶ୍ୱବିଦ୍ୟାଳୟର ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଗଛର ବକଳରେ ଲୁଚି ରହୁଥିବା ସୂକ୍ଷ୍ମଜୀବ (ମାଇକ୍ରୋବ)ମାନେ ବାୟୁମଣ୍ଡଳରୁ କ୍ଷଚିକାରକ ମିଥେନ ଗ୍ୟାସର ଶୋଷଣ କରିଥାନ୍ତି । ଗଛ ଯେତେ ପୁରୁଣା, ତା’ର ବକଳରେ ସେତେ ଅଧିକ ସଂଖ୍ୟକ ମାଇକ୍ରୋବ ଥାଆନ୍ତି । ଉଲ୍ଲେଖଯୋଗ୍ୟ ଯେ ବୈଶ୍ୱିକ ତାପମାନ ବୃଦ୍ଧିଜନିତ ଜଳବାୟୁ ପରିବର୍ତ୍ତନରେ ଅଙ୍ଗାରକାମ୍ଳ ତୁଳନାରେ ମିଥେନ ଗ୍ୟାସ ଅଧିକ କ୍ଷମତାସମ୍ପନ୍ନ ହୋଇ ବେଶୀ କ୍ଷତିସାଧନ କରିଥାଏ ଓ ଏହା ତାପମାନ ବୃଦ୍ଧିର ପ୍ରାୟ ୩୦ ପ୍ରତିଶତ କାରଣ ପାଲଟିଥାଏ । ଏହି ତଥ୍ୟ ଉନ୍ମୋଚିତ ହେବା ପରେ ଜଳବାୟୁ ସୁରକ୍ଷାରେ ଗଛଗୁଡିକର ଉପଯୋଗିତା ପୂର୍ବାପେକ୍ଷା ୧୦ ପ୍ରତିଶତ ବୃଦ୍ଧି ପାଇଥିବା ଆକଳନ କରାଯାଉଛି ।
ଆଇଆଇଟି ଧାରୱାଡ ପରିସରରେ ଥିବା ହଜାର ହଜାର ବୃକ୍ଷକୁ ନ କାଟି ସେଠାରେ ନିର୍ମାଣ କାର୍ଯ୍ୟ କରାଯାଇଥିଲା । ଫଳସ୍ୱରୂପ ସେଠାକାର ତାପମାନ ସ୍ଥାନୀୟ ଅଞ୍ଚଳର ତାପମାନଠାରୁ ପ୍ରାୟ ୨ ଡିଗ୍ରୀ ସେଲସିଅସ୍ କମ ରହୁଥିବା ଦେଖିବାକୁ ମିଳୁଛି । ତେଣୁ ଶିଳ୍ପ ବା ପ୍ରକଳ୍ପ ଉଦ୍ଦେଶ୍ୟରେ ପ୍ରଦାନ କରାଯାଉଥିବା ଜମିରେ ଗଛ ଥିଲେ, କେବଳ ଆବଶ୍ୟକତା ଭିତ୍ତିରେ ସର୍ବନିମ୍ନ ଛେଦନ ଲାଗି ଅନୁମତି ଦିଆଯିବା ବିଧେୟ । ରାସ୍ତା ପ୍ରଶସ୍ତୀକରଣ ବେଳେ ଯତସମ୍ଭବ ବୃକ୍ଷରାଜିର ସୁରକ୍ଷା ଉପରେ ଦୃଷ୍ଟି ଦିଆଯିବା ଉଚିତ । ଛେଦନ ଅନିବାର୍ଯ୍ୟ ହୋଇପଡ଼ୁଥିଲେ ଐତିହ୍ୟ ବୃକ୍ଷଗୁଡ଼ିକୁ ନ କାଟି ସେଗୁଡ଼ିକର ସ୍ଥାନାନ୍ତରଣ (ଟ୍ରାନସ୍ ଲୋକେସନ୍) କଥା ମଧ୍ୟ ଚିନ୍ତା କରାଯାଇପାରେ, ଯେଉଁଥିପାଇଁ ଏବେ ବୈଷୟିକ ଜ୍ଞାନକୌଶଳ ଉପଲବ୍ଧ ।
ମଣିଷଙ୍କ ପରି ପ୍ରକୃତିର ମଧ୍ୟ ନ୍ୟାୟିକ ଅଧିକାର ପାଇବା ଉଚିତ ବୋଲି କ୍ରମେ ସମସ୍ତେ ଏକମତ ହେବାକୁ ଲାଗିଲାଣି । ଏହି କ୍ରମରେ ବିଶ୍ୱରେ କିଛି ନଦୀର ଉଚିତ ସଂରକ୍ଷଣ ଲାଗି ସେଗୁଡ଼ିକୁ ‘ଆଇନଗତ ବ୍ୟକ୍ତି’ (ଲିଗାଲ ପର୍ସନ)ର ମାନ୍ୟତା ପ୍ରଦାନ କରାଗଲାଣି । ସେହିପରି ପ୍ରାଚୀନ ସ୍ଥାପତ୍ୟକୁ ପ୍ରଦାନ କରାଯାଉଥିବା ଆଇନଗତ ସୁରକ୍ଷା ଢାଞ୍ଚାରେ ଇଟାଲିର ବିଭିନ୍ନ ଅଞ୍ଚଳରେ ପରିବ୍ୟାପ୍ତ ୨୨୦୦୦ ଐତିହ୍ୟ ବୃକ୍ଷକୁ ସ୍ମାରକୀ ବୃକ୍ଷ (ମନୁମେଣ୍ଟାଲ ଟ୍ରି)ର ମାନ୍ୟତା ପ୍ରଦାନ କରାଯାଇଛି ଓ ସେଗୁଡ଼ିକର ସୁରକ୍ଷା ଲାଗି ଆଇନ ପ୍ରଣୟନ କରାଯାଇଛି । ଏଗୁଡ଼ିକୁ କ୍ଷତି ପହଞ୍ଚାଉଥିବା ବ୍ୟକ୍ତିଙ୍କୁ ୧ ଲକ୍ଷ ୟୁରୋ ବା ପ୍ରାୟ ୯୧ ଲକ୍ଷ ଟଙ୍କା ଯାଏଁ ଆର୍ଥିକ ଦଣ୍ଡର ପ୍ରାବଧାନ କରାଯାଇଛି । ଭାରତରେ ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଓ ଚଣ୍ଡୀଗଡ଼ରେ ମଧ୍ୟ ଐତିହ୍ୟ ବୃକ୍ଷ ସଂରକ୍ଷଣ ସଂକ୍ରାନ୍ତୀୟ ଆଇନ କାର୍ୟ୍ୟକାରୀ ହେଉଛି । ୧୯୯୬ ମସିହାରୁ ମହାରାଷ୍ଟ୍ରର ମ୍ୟୁନିସିପାଲିଟିଗୁଡ଼ିକ ଦ୍ୱାରା ପ୍ରତି ୫ ବର୍ଷରେ ଥରେ ଐତିହ୍ୟ ବୃକ୍ଷଗୁଡ଼ିକର ଗଣନା କରାଯାଉଛି ଓ ସେଗୁଡ଼ିକର ସୁରକ୍ଷା ପାଇଁ ବିଶେଷ ଧ୍ୟାନ ଦିଆଯାଉଛି । ସେହି ଧାରାରେ ପ୍ରାଚୀନ ବୃକ୍ଷଗୁଡ଼ିକର ସୁରକ୍ଷା ଲାଗି ଓଡ଼ିଶାରେ ମଧ୍ୟ ‘ଐତିହ୍ୟ ବୃକ୍ଷ ସଂରକ୍ଷଣ ଆଇନ’ ପ୍ରଣୟନ ହେବା ନିହାତି ଜରୁରୀ । ଏଥିଲାଗି ଏହି ବୃକ୍ଷଗୁଡ଼ିକର ଚିହ୍ନଟ ଓ ଗଣନା ଏକାନ୍ତ ଆବଶ୍ୟକ, ଯାହା ଶୀଘ୍ର କରାଯାଉ । ଏଥିପାଇଁ ପୌର ପରିଷଦ ଓ ପଞ୍ଚାୟତଗୁଡ଼ିକୁ ଦାୟିତ୍ୱ ନ୍ୟସ୍ତ କରାଯାଇପାରେ । ଗଣନା କାର୍ଯ୍ୟରେ ସ୍କୁଲ କଲେଜର ଛାତ୍ରଛାତ୍ରୀଙ୍କୁ ଅନ୍ତର୍ଭୁକ୍ତ କରିପାରିଲେ ସେମାନଙ୍କର ଗଛ ପ୍ରତି ମମତା ବଢ଼ିପାରନ୍ତା । ଐତିହ୍ୟ ବୃକ୍ଷଗୁଡ଼ିକୁ ‘ପୋଷ୍ୟ ବୃକ୍ଷ’ ଯୋଜନା ଅନ୍ତର୍ଭୁକ୍ତ କରି ସେଗୁଡ଼ିକର ତତ୍ତ୍ୱାବଧାନ ଲାଗି ଆଗ୍ରହୀ ବ୍ୟକ୍ତି ବା ଅନୁଷ୍ଠାନଙ୍କୁ ‘ପାଳକ ପିତା’ ଭାବେ ଦାୟିତ୍ୱ ଅର୍ପଣ କରାଯିବାର ପରମ୍ପରା ସୃଷ୍ଟି କରାଯାଇପାରେ ।
କେବଳ ଆଇନ ପ୍ରଣୟନ ଏଭଳି ଗଛଗୁଡ଼ିକର ସୁରକ୍ଷା ପାଇଁ ଯଥେଷ୍ଟ ନ ହେଲେ ବି ସେ ଦିଗରେ ଏହା ହେବ ପ୍ରଥମ ପଦକ୍ଷେପ । ତେବେ ଏଭଳି ବୃକ୍ଷର ସୁରକ୍ଷା କ୍ଷେତ୍ରରେ ସମାଜ ମଧ୍ୟ ଏକ ବଡ଼ ଭୂମିକା ନିର୍ବାହ କରିପାରେ । ବିଭିନ୍ନ ଅଞ୍ଚଳରେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ଗଛକୁ ରାକ୍ଷୀ ପିନ୍ଧାଇବାର ଏକ ସୁସ୍ଥ ପରମ୍ପରା ଆରମ୍ଭ ହୋଇଛି, ଯାହା ମଣିଷ ବୃକ୍ଷ ମଧ୍ୟରେ ବନ୍ଧନକୁ ନିବିଡ଼ କରିବାରେ ସହାୟକ ହେଉଛି । ଗଛକୁ ରାକ୍ଷୀ ପିନ୍ଧାଇଥିବା ଲୋକଟିଏ କେବେ ହେଲେ କୌଣସି ଗଛକୁ କ୍ଷତି ହେଲା ଭଳି କିଛି କରିପାରିବ ନାହିଁ । ଏଭଳି ପରମ୍ପରା ଅଧିକ ଅଞ୍ଚଳକୁ ପ୍ରସାରିତ ହେବା ଆବଶ୍ୟକ । ପୁରୁଣା ଗଛଗୁଡ଼ିକ ପ୍ରତି ସମ୍ୱେଦନଶୀଳ ବ୍ୟକ୍ତିଟିଏ ବୃଦ୍ଧ ପିତାମାତାଙ୍କୁ ଅଣଦେଖା କରିପାରିବନାହିଁ । ଭୁବନେଶ୍ୱରରେ ରାଜଧାନୀ ପ୍ରତିଷ୍ଠା ସମୟରେ ବିଭିନ୍ନ ସ୍ଥାନରୁ ବିଭିନ୍ନ ପ୍ରକାର ଗଛ ଅଣା ହୋଇ ଲଗାଯାଇଥିଲା । ତନ୍ମଧ୍ୟରୁ ବୟୋଜ୍ୟେଷ୍ଠ ଗଛଗୁଡ଼ିକୁ ଚିହ୍ନଟ କରିବା ଲାଗି ଆମ ନିକଟରେ ଆଗ୍ରହ ପ୍ରକାଶ ପାଏନାହିଁ । ଏହିପରି ଐତିହ୍ୟ ବୃକ୍ଷଗୁଡ଼ିକୁ ଚିହ୍ନଟ କରି ସେଗୁଡ଼ିକୁ ସମ୍ମାନ ପ୍ରଦର୍ଶନ କରାଗଲେ ସେଗୁଡ଼ିକର ସୁରକ୍ଷା ସୁନିଶ୍ଚିତ ହୋଇପାରନ୍ତା ।
Published in Sambad on August 06, 2024
ବହୁତ୍ ବଢିଆ ଲେଖା
ReplyDeleteଧନ୍ୟବାଦ
Deleteଅତି ସୁନ୍ଦର ଲେଖା 👌
ReplyDeleteଧନ୍ୟବାଦ
Deleteଅତି ସୁନ୍ଦର, ଯୁଗୋପଯୋଗି ସନ୍ଦର୍ଭ।
ReplyDeleteଧନ୍ୟବାଦ
Delete