ଦୁଇଟି କାପୁଚିନ ପ୍ରଜାତିର ମାଙ୍କଡଙ୍କ ଉପରେ ପ୍ରାଣୀ ବିଜ୍ଞାନୀ ସାରା ବ୍ରୋସନାନ ଓ ଫ୍ରାନ୍ସ ଡି ୱାଲ କରିଥିବା ଏକ ପରୀକ୍ଷାରୁ ବେଶ ମଜାଦାର ଫଳ ମିଳିଥିଲା । ଏହି ପ୍ରଜାତିର ମାଙ୍କଡମାନଙ୍କୁ କାକୁଡି ବା ଅଙ୍ଗୁର ଦେଲେ ସେମାନେ ତାହା ଆନନ୍ଦରେ ଖାଇଥାଆନ୍ତି, ତେବେ ଅଙ୍ଗୁର ପ୍ରତି ସେମାନଙ୍କର ଅଧିକ ଆକର୍ଷଣ ଥାଏ । ବର୍ଣ୍ଣିତ ପରୀକ୍ଷାରେ ଦୁଇଟି ମାଙ୍କଡଙ୍କୁ କିଛି ଟୋକନ ଦିଆଗଲା ଓ ପ୍ରତି ଥର ସେମାନେ ଗୋଟିଏ ଲେଖାଏଁ ଟୋକନ ଫେରାଇଲେ ତାଙ୍କୁ କିଛି ଖାଦ୍ୟ ଦିଆଯାଉଥିଲା । ପ୍ରଥମ ମାଙ୍କଡଟିକୁ ପ୍ରଥମ ଟୋକନ ବଦଳରେ କାକୁଡିଟିଏ ଦିଆଗଲା ଓ ସେ କାକୁଡିଟିକୁ ଆନନ୍ଦରେ ଖାଇଲା । ଏକା ଟୋକନ ବଦଳରେ ଆର ମାଙ୍କଡଟିକୁ ଅଙ୍ଗୁର ଦିଆଯାଉଥିବାର ସେ ଦେଖିପାରିଲା । ଦ୍ୱିତୀୟ ଥର ପ୍ରଥମ ମାଙ୍କଡଟିକୁ ଟୋକନ ବଦଳରେ ପୁଣି କାକୁଡି ଦିଆଯିବାରୁ ସେ ତାକୁ ଗ୍ରହଣ ନ କରି ବିରୋଧ କରିଥିଲା । ଏଥିରୁ ସ୍ପଷ୍ଟ ହେଲା ଯେ ମାଙ୍କଡମାନେ ମଧ୍ୟ ପକ୍ଷପାତିତାକୁ ଘୃଣା କରନ୍ତି ଓ ତାକୁ ବିରୋଧ ମଧ୍ୟ କରିଥାଆନ୍ତି । ମନସ୍ତତ୍ତ୍ୱବିଦମାନେ ଏହି ପ୍ରତିକ୍ରିୟାକୁ ‘ଅହିତକର ଅସମାନତାର ବିରୋଧ’ (ଡିସଆଡଭାଣ୍ଟେଜିଅସ୍-ଇନଇକୁଇଟି ଆଭର୍ସନ) ବୋଲି କହିଥାଆନ୍ତି । ତେଣୁ ମଣିଷମାନେ ପକ୍ଷପାତିତାର ଶିକାର ହେଲେ ସେମାନଙ୍କଠାରେ ଯେ କେତେ ଅଧିକ ପ୍ରତିକ୍ରିୟା ପ୍ରକାଶ ପାଇଥାଏ, ତାହା ସହଜରେ ଅନୁମେୟ । ସମାନ ସାମର୍ଥ୍ୟ ଓ ପ୍ରତିଭା ଥିବା ବ୍ୟକ୍ତିଙ୍କ ପ୍ରତି ଭିନ୍ନ ଭିନ୍ନ ଭାବେ ଆଚରଣ କରିବା ପକ୍ଷପାତିତା ପର୍ଯ୍ୟାୟବାଚୀ ହୋଇଥାଏ । ଭାରତର ଆଇନ କୌଣସି ପ୍ରକାର ପକ୍ଷପାତିତାକୁ ପ୍ରଶ୍ରୟ ଦେବା ସପକ୍ଷରେ ନ ଥିଲେ ମଧ୍ୟ ବାସ୍ତବତା ହେଉଛି ଅନେକ କ୍ଷେତ୍ରରେ ସାମାଜିକ ଚଳଣି ଓ ପ୍ରଚଳିତ ସାମାଜିକ ମୂଲ୍ୟବୋଧ ଆଇନକୁ ଅଣଦେଖା କରି ପକ୍ଷପାତପୂର୍ଣ୍ଣ ଆଚରଣ କରିବାକୁ ପ୍ରୋତ୍ସାହିତ କରିଥାଏ । ଏହା ଅର୍ଥନୈତିକ ପକ୍ଷପାତିତାରେ ପ୍ରତିଫଳିତ ହୋଇ ଦେଶର ଅର୍ଥନୀତିର ପ୍ରଭୁତ କ୍ଷତିସାଧନ କରୁଛି । ଅକ୍ସଫାମ ଇଣ୍ଡିଆ ସଂସ୍ଥା ଦ୍ୱାରା ନିକଟରେ ପ୍ରକାଶିତ ‘ଇଣ୍ଡିଆ ଡିସକ୍ରିମିନେସନ ରିପୋର୍ଟ ୨୦୨୨’ ଅନୁଯାୟୀ ଭାରତରେ ଜାତି, ଧର୍ମ, ଲିଙ୍ଗ ଆଦି ଆଧାରରେ ଶ୍ରମ ଓ ପୁଞ୍ଜି ବଜାରରେ ବ୍ୟାପକ ପକ୍ଷପାତିତା ଆଚରଣ କରାଯାଉଛି, ଯାହା ଚିନ୍ତାଜନକ ।
କର୍ମ ନିଯୁକ୍ତିର ପ୍ରତିଟି କ୍ଷେତ୍ରରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଲିଙ୍ଗଗତ ପକ୍ଷପାତିତା ଅତିମାତ୍ରାରେ ପରିଲକ୍ଷିତ ହେଉଛି । ଘରୋଇ ଦାୟିତ୍ୱ ପାଇଁ ହେଉ ଅବା ସାମାଜିକ ପ୍ରତିପତ୍ତି ପାଇଁ, ବହୁ ସଂଖ୍ୟାରେ ଅତି ଉଚ୍ଚଶିକ୍ଷିତ ମହିଳା ଶ୍ରମ ବଜାରରେ ଯୋଗ ଦେବାକୁ ଆଗ୍ରହ ନ ଦେଖାଇବା ଏହାର ଏକ ପରିପ୍ରକାଶ ମାତ୍ର । ସ୍ଥଳ ବିଶେଷରେ ମହିଳାମାନେ ପୁରୁଷଙ୍କ ତୁଳନାରେ ଅଧିକ ଶିକ୍ଷିତ ଓ ପ୍ରତିଭାସମ୍ପନ୍ନ ହୋଇଥିଲେ ବି ପୁରୁଷତାନ୍ତ୍ରିକ ମାନସିକତା ପାଇଁ ମହିଳାମାନଙ୍କୁ ନିଯୁକ୍ତି କ୍ଷେତ୍ରରୁ ଦୂରେଇ ରଖିବା ବା ସେମାନଙ୍କୁ ଉଚିତ ଗୁରୁତ୍ୱ ନ ଦେବାର ପ୍ରବୃତ୍ତି ହ୍ରାସ ପାଉନାହିଁ । କିଛି ନିଯୁକ୍ତିଦାତାଙ୍କ ଲିଙ୍ଗ ସମ୍ପର୍କିତ ପୂର୍ବାଗ୍ରହ ପାଇଁ ସେମାନେ ମହିଳାମାନଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ଆଗ୍ରହ ଦେଖାନ୍ତି ନାହିଁ । କିଛି ନିଯୁକ୍ତିଦାତାଙ୍କ ମତରେ କେତେକ କ୍ଷେତ୍ରରେ ବିଳମ୍ୱିତ ପ୍ରହରରେ କାର୍ୟ୍ୟ, ଦୂରଦୂରାନ୍ତର କାର୍ଯ୍ୟ ତଥା କାର୍ଯ୍ୟର ସର୍ତ୍ତାବଳୀ ଆଦି ମହିଳାମାନଙ୍କୁ ଶାରୀରିକ ଓ ସାମାଜିକ ଦୃଷ୍ଟିରୁ ସୁହାଉ ନ ଥିବାରୁ ନିଯୁକ୍ତି କ୍ଷେତ୍ରରେ ଅଗ୍ରାଧିକାର ମିଳିବାରେ ତାହା ଅନ୍ତରାୟ ସୃଷ୍ଟି କରିଥାଏ । ଏହା ସତ୍ତ୍ୱେ କିଛି ଶିକ୍ଷିତ ପ୍ରତିଭାସମ୍ପନ୍ନ ମହିଳା ସେମାନଙ୍କୁ କେବଳ ଯେ ପ୍ରତ୍ୟାଖ୍ୟାନ କରାଯାଉଛି ବୋଲି ଶ୍ରମଶକ୍ତିର ଅଂଶବିଶେଷ ହେଉନାହାନ୍ତି ତାହା ନୁହେଁ । ସେମାନେ ପାରିବାରିକ ଦାୟିତ୍ୱ, ବା ସାମାଜିକ ଚଳଣି, ସମ୍ପ୍ରଦାୟ ଓ ଜାତିଗତ ପଦାନୁକ୍ରମରେ ପ୍ରତିପତ୍ତି, ପାରିବାରିକ ପରମ୍ପରା ଆଦିକୁ ଆଳ କରି ଇଚ୍ଛାକୃତ ଭାବେ ଶ୍ରମଶକ୍ତିର ଅଂଶ ହେବାକୁ ପସନ୍ଦ କରି ନ ଥାଆନ୍ତି । ନିୟମିତ ଚାକିରୀ ଓ ଆତ୍ମନିଯୁକ୍ତି କ୍ଷେତ୍ରରେ ପୁରୁଷମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ନିୟୋଜିତ ହେଉଥିବା ବେଳେ ମହିଳାମାନଙ୍କ କ୍ଷେତ୍ରରେ ତାହା ମାତ୍ର ୧୯ ପ୍ରତିଶତ । ସହରାଞ୍ଚଳରେ ନିୟମିତ ଚାକିରୀରେ ଜଣେ ପୁରୁଷ ଓ ମହିଳାଙ୍କ ହାରାହାରି ଆୟ ଯଥାକ୍ରମେ ୧୯୭୭୯ ଓ ୧୫୫୭୮ ଟଙ୍କା ହେଉଥିବା ବେଳେ ଗ୍ରାମାଞ୍ଚଳରେ ତାହା ଯଥାକ୍ରମେ ୧୩୬୦୦ ଓ ୯୭୫୭ ଟଙ୍କା । ସହରାଞ୍ଚଳରେ ଆତ୍ମନିଯୁକ୍ତ ପୁରୁଷ ଓ ମହିଳାଙ୍କ ହାରାହାରି ଆୟ ୧୫,୯୯୬ ଓ ୬୬୨୬ ଟଙ୍କା ହୋଇଥିବା ବେଳେ ଗ୍ରାମାଞ୍ଚଳରେ ତାହା ଯଥାକ୍ରମେ ୯୩୪୮ ଓ ୪୩୮୩ ଟଙ୍କା । ଅର୍ଥାତ୍ ଜଣେ ଆତ୍ମନିଯୁକ୍ତ ମହିଳା ତୁଳନାରେ ଜଣେ ଆତ୍ମନିଯୁକ୍ତ ପୁରୁଷ ସହରାଞ୍ଚଳରେ ପ୍ରାୟ ଅଢେଇ ଗୁଣ ଅଧିକ ରୋଜଗାର କରୁଥିବା ବେଳେ ଗ୍ରାମାଞ୍ଚଳରେ ୨ ଗୁଣରୁ ଅଧିକ ରୋଜଗାର କରିଥାଆନ୍ତି । ସେହିପରି ସହରାଞ୍ଚଳର ପୁରୁଷ ଓ ମହିଳା ଠିକା ଶ୍ରମିକଙ୍କ ହାରାହାରି ଆୟ ଯଥାକ୍ରମେ ୯୦୧୭ ଓ ୫୭୦୯ ଟଙ୍କା ହୋଇଥିବା ବେଳେ ଗ୍ରାମାଞ୍ଚଳରେ ତାହା ଯଥାକ୍ରମେ ୭୪୬୩ ଓ ୪୬୦୪ ଟଙ୍କା । ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳର ମହିଳାମାନେ ଅଧିକ ପକ୍ଷପାତିତାର ଶିକାର ହେଉଥିବା ପରିଲକ୍ଷିତ ହେଉଛି । ପୁରୁଷ ଓ ମହିଳାମାନଙ୍କ ଆୟରେ ଯେଉଁ ବିଶାଳ ତାରତମ୍ୟ ଦେଖାଦେଉଛି ତାହା ବାସ୍ତବିକ ଉଦବେଗଜନକ । ଭାରତୀୟ ଶ୍ରମ ବଜାରରେ ଯେଉଁ ଲିଙ୍ଗଗତ ପକ୍ଷପାତିତା ରହିଛି ତାହା ମୂଳତଃ ଏକ ଢାଞ୍ଚାଗତ ବିକୃତି, ଯେଉଁଥିପାଇଁ ପୁରୁଷଙ୍କର ଆୟ ମହିଳାଙ୍କ ତୁଳନାରେ ଅଧିକ ହୋଇଥାଏ । ‘ୟୁଏନ ଉମେନ’ ତରଫରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ପାରିଶ୍ରମିକରେ ଅସମାନତା ଓ ଅବୈତନିକ ଘରୋଇ ସେବାଯତ୍ନ କାର୍ଯ୍ୟ ଚାପ ଯୋଗୁଁ ସାମଗ୍ରିକ ଭାବେ ଭାରତୀୟ ମହିଳାମାନେ ପୁରୁଷମାନଙ୍କ ରୋଜଗାରର ମାତ୍ର ଏକ ପଞ୍ଚମାଂଶ ରୋଜଗାର କରିପାରିଥାଆନ୍ତି । ନିଯୁକ୍ତି ଓ ରୋଜଗାର କ୍ଷେତ୍ରରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ପକ୍ଷପାତିତା ହ୍ରାସ କରିବା ଲାଗି ଯେ ପର୍ଯ୍ୟନ୍ତ ସରକାରୀ ନୀତି ଓ କାର୍ୟ୍ୟ ମହିଳାଙ୍କୁ କେନ୍ଦ୍ରରେ ରଖି ପ୍ରସ୍ତୁତ କରା ନ ଯାଇଛି ସେ ପର୍ୟ୍ୟନ୍ତ ଅଧିକ ସଂଖ୍ୟାରେ ମହିଳା ଶ୍ରମ ବଳରେ ଯୋଗ ଦେବାକୁ ଏକ ପ୍ରକାର ବିମୁଖ ହେବେ, ଯାହା ଅର୍ଥନୀତିର ସନ୍ତୁଳିତ ବିକାଶରେ ବାଧା ଉତ୍ପନ୍ନ କରିବ ।
ଅନୁସୂଚିତ ଜାତି ଓ ଜନଜାତିଙ୍କ ପ୍ରତି ଶ୍ରମ ବଜାରରେ ଏବେ ବି ପକ୍ଷପାତ ଆଚରଣ ବଳବତ୍ତର ରହିଛି । ତେବେ ରିପୋର୍ଟ ଅନୁଯାୟୀ ୨୦୦୪-୦୫ ତୁଳନାରେ ୨୦୧୯-୨୦ରେ ତାହା ଆଂଶିକ ହ୍ରାସ ପାଇଛି । ସହରାଞ୍ଚଳରେ ନିୟମିତ ଚାକିରୀ ଓ ଆତ୍ମନିଯୁକ୍ତି କ୍ଷେତ୍ରରେ ୩୭.୫ ପ୍ରତିଶତ ଅନୁସୂଚିତ ଜାତି ଓ ଜନଜାତିର ଲୋକ ନିଯୁକ୍ତି ପାଇଥିବା ବେଳେ ଅନ୍ୟ ବର୍ଗର ଲୋକଙ୍କ କ୍ଷେତ୍ରରେ ତାହା ୪୧.୩ ପ୍ରତିଶତ । ଗ୍ରାମାଞ୍ଚଳରେ ଏହି ପ୍ରତିଶତ ଯଥାକ୍ରମେ ୩୫.୨ ଓ ୪୧.୫ । ଅର୍ଥାତ୍ ଚାକିରୀ ପାଇବାରେ ଉଭୟଙ୍କ ମଧ୍ୟରେ ପକ୍ଷପାତିତା ନଗଣ୍ୟ । ତେବେ ଘରୋଇ କ୍ଷେତ୍ରରେ ନିଯୁକ୍ତି ପ୍ରଦାନ ବେଳେ ଅନୁସୂଚିତ ଜାତି ଓ ଜନଜାତିର ଲୋକଙ୍କ ପ୍ରତି ପକ୍ଷପାତିତା ହେଉଥିବା ବେଶ ସୁସ୍ପଷ୍ଟ । ଏହି ପକ୍ଷପାତିତାର ପ୍ରାୟ ୯୮ ପ୍ରତିଶତ ପ୍ରତିଭା ଆଧାରରେ ହେଉଥିବା ବେଳେ ୨ ପ୍ରତିଶତ ପରିଚୟ ଆଧାରରେ ହେଉଛି । ସହରାଞ୍ଚଳରେ ନିୟମିତ ଚାକିରୀରେ ଅନୁସୂଚିତ ଜାତି ଓ ଜନଜାତିର ଲୋକଙ୍କ ହାରାହାରି ଆୟ ୧୫୩୧୨ ଟଙ୍କା ଓ ଅଣ ଅନୁସୂଚିତ ଜାତି ଓ ଜନଜାତିର ଲୋକଙ୍କ ଆୟ ୨୦୩୪୬ ଟଙ୍କା ହେଉଥିବା ବେଳେ ଗ୍ରାମାଞ୍ଚଳରେ ତାହା ଯଥାକ୍ରମେ ୧୧୪୬୩ ଓ ୧୩୪୪୦ ଟଙ୍କା । ଅର୍ଥାତ୍ ସହରାଞ୍ଚଳରେ ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ହାରାହାରି ଆୟ ତୁଳନାରେ ଅନ୍ୟ ବର୍ଗର ଲୋକଙ୍କ ଆୟ ପ୍ରାୟ ଏକ-ତୃତୀୟାଂଶ ଅଧିକ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ସେହି ପାର୍ଥକ୍ୟ ମାତ୍ର ୧୯୭୭ ଟଙ୍କା । ସହରାଞ୍ଚଳରେ ଆତ୍ମନିଯୁକ୍ତ ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ହାରାହାରି ଆୟ ୧୦୫୩୩ ଟଙ୍କା ଓ ଅନ୍ୟ ବର୍ଗର ଲୋକଙ୍କ ଆୟ ୧୫୮୭୮ ଟଙ୍କା ହୋଇଥିବା ବେଳେ ଗ୍ରାମାଞ୍ଚଳରେ ତାହା ଯଥାକ୍ରମେ ୭୩୩୭ ଓ ୯୧୭୪ ଟଙ୍କା । ଆତ୍ମ ନିଯୁକ୍ତି କ୍ଷେତ୍ରରେ ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ଆୟ ଅପେକ୍ଷାକୃତ କମ ହେବାର ଏକ ବଡ କାରଣ ହେଉଛି ଗୁଣାତ୍ମକ ଦୃଷ୍ଟିରୁ ସେମାନେ କରୁଥିବା କାମ ଟିକେ ନିମ୍ନ ମାନର । ସେହିପରି ସହରାଞ୍ଚଳର ଅନୁସୂଚିତ ଜାତି ଓ ଜନଜାତି ଏବଂ ଅନ୍ୟ ବର୍ଗର ଠିକା ଶ୍ରମିକଙ୍କ ହାରାହାରି ଆୟ ଯଥାକ୍ରମେ ୮୦୦୪ ଓ ୮୬୨୬ ଟଙ୍କା ହୋଇଥିବା ବେଳେ ଗ୍ରାମାଞ୍ଚଳରେ ତାହା ଯଥାକ୍ରମେ ୬୭୩୬ ଓ ୬୪୬୪ ଟଙ୍କା । ଅର୍ଥାତ୍ ଠିକା ଶ୍ରମିକଙ୍କ କ୍ଷେତ୍ରରେ ଉଭୟଙ୍କ ମଧ୍ୟରେ ରୋଜଗାରରେ ବିଶେଷ ତାରତମ୍ୟ ନାହିଁ କହିଲେ ଚଳେ । ସରକାରଙ୍କ ଆରକ୍ଷଣ ନୀତି ଅନୁଯାୟୀ କ୍ରମାଗତ ଭାବେ ସେମାନଙ୍କ ଶିକ୍ଷା ଓ ଅନ୍ୟାନ୍ୟ ପ୍ରତିଭାର ବିକାଶ ହୋଇଚାଲିଛି । ସେମାନଙ୍କ ଏହି ଉପଲବ୍ଧି ସତ୍ତ୍ୱେ କେତେକ କ୍ଷେତ୍ରରେ ସେମାନଙ୍କ ପ୍ରତି ନିଯୁକ୍ତି ଓ ରୋଜଗାରରେ ପକ୍ଷପାତିତା ବୃଦ୍ଧି ପାଇବା ଚିନ୍ତାଜନକ । ଅନେକେ ଯୁକ୍ତି ଉପସ୍ଥାପନ କରନ୍ତି ଯେ ସେମାନଙ୍କୁ ଶିକ୍ଷିତ ଓ ଦକ୍ଷତାସମ୍ପନ୍ନ କରିଦେଲେ ସେମାନଙ୍କ ପାଇଁ ନିଯୁକ୍ତି କ୍ଷେତ୍ରରେ ଆଉ ଆରକ୍ଷଣର ଆବଶ୍ୟକତା ଉପୁଜିବ ନାହିଁ, ଯାହା କେତେକାଂଶରେ ଭୁଲ ପ୍ରମାଣିତ ହେଉଥିବାର ଲକ୍ଷ୍ୟ କରାଯାଉଛି । ଅର୍ଥାତ୍ ସେମାନଙ୍କ ପ୍ରତି ହେଉଥିବା ପକ୍ଷପାତିତା ସେମାନଙ୍କ ଶିକ୍ଷା ଓ ଦକ୍ଷତା ଅପେକ୍ଷା ସେମାନଙ୍କ ଜାତିଗତ ପରିଚୟ ପାଇଁ ଅଧିକ ହେଉଥିବାର ଜଣାପଡୁଛି ।
ମୁସଲମାନମାନେ ସେମାନଙ୍କ ଶିକ୍ଷା ଓ ଦକ୍ଷତା ଭିତ୍ତିରେ ନିଯୁକ୍ତି ସୁଯୋଗ ହାସଲ କରିବାରେ ଅପେକ୍ଷାକୃତ କମ ପକ୍ଷପାତିତାର ଶିକାର ହେଉଛନ୍ତି । ଏହାର ଏକ ବଡ କାରଣ ହେଉଛି ପରିବାର, ପରିଜନଙ୍କ ସହାୟତାରେ ସେମାନେ ଘରୋଇ ଓ ଶିଳ୍ପ ସେବା କ୍ଷେତ୍ରରେ ମରାମତି, ରକ୍ଷଣାବେକ୍ଷଣ ଭଳି କେତେକ ସ୍ୱଳ୍ପ ଆୟକାରୀ ଅଣକୃଷି କାର୍ଯ୍ୟରେ ଦକ୍ଷତା ଓ ପାରଦର୍ଶିତା ହାସଲ କରିପାରିଥାଆନ୍ତି । ସେମାନେ ପ୍ରାୟତଃ ସହରାଞ୍ଚଳମାନଙ୍କରେ କୌଣସି ଘରୋଇ ସଂସ୍ଥା ଦ୍ୱାରା ନିଯୁକ୍ତି ହାସଲ କରିଥାଆନ୍ତି, ଯେଉଁଠି ସେମାନଙ୍କୁ ସେମାନଙ୍କ ଧର୍ମ ସୂଚାଇବା ଅପରିହାର୍ଯ୍ୟ ହୋଇ ନଥାଏ । ସାଧାରଣତଃ ସେମାନଙ୍କୁ ଘର ତିଆରି କାମ, କାଠ କାମ, ଇଲେକ୍ଟ୍ରିସିଆନ ଭଳି ଅପେକ୍ଷାକୃତ କମ ଦକ୍ଷତାସମ୍ପନ୍ନ କାମରେ ନିଯୁକ୍ତି ମିଳିଥାଏ, ଯେଉଁଠି ସେମାନଙ୍କୁ ସିଧାସଳଖ ଅନ୍ୟ ଲୋକଙ୍କ ସଂସ୍ପର୍ଶରେ ଆସିବାକୁ ପଡୁ ନଥିବାରୁ ସେମାନଙ୍କ ପ୍ରତି ପକ୍ଷପାତିତାର ଆଶଙ୍କା ମଧ୍ୟ କମ ହୋଇଥାଏ । ସେମାନଙ୍କ ପ୍ରତି ପକ୍ଷପାତ କମ ହେବାର ଅନ୍ୟତମ କାରଣ ହେଉଛି ସେମାନଙ୍କ ମଧ୍ୟରୁ କମ ସଂଖ୍ୟକ ଲୋକ ଶ୍ରମ ବଜାରକୁ ନିଯୁକ୍ତି ସନ୍ଧାନରେ ଆସିଥାଆନ୍ତି । ଆଉ ଯେଉଁମାନେ ବି ଆସିଥାଆନ୍ତି ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଏତେ କମ ହୋଇଥାଏ ଯେ ସେମାନଙ୍କୁ ଭଲ ନିଯୁକ୍ତି ମିଳିବାର ସମ୍ଭାବନା କମ ଥାଏ । ଏ ପରି କ୍ଷେତ୍ରରେ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ମିଳୁଥିବା କମ ଦରମାର ନିଯୁକ୍ତିରେ ସେମାନଙ୍କୁ ସନ୍ତୁଷ୍ଟ ରହିବାକୁ ପଡିଥାଏ । ସାଧାରଣତଃ ସେମାନେ ସେମାନଙ୍କ ପାରିବାରିକ ବ୍ୟବସାୟରେ ଯୋଗ ଦେବାକୁ ଏକ ପ୍ରକାର ବାଧ୍ୟ ହୋଇ ଆତ୍ମନିଯୁକ୍ତ ହୋଇଥାଆନ୍ତି । ସହରାଞ୍ଚଳରେ ନିୟମିତ ଚାକିରୀରେ ମୁସଲମାନ ଓ ଅଣମୁସଲମାନଙ୍କ ହାରାହାରି ଆୟ ଯଥାକ୍ରମେ ୧୩୬୭୨ ଓ ୨୦୩୪୬ ଟଙ୍କା ହୋଇଥିବା ବେଳେ ଗ୍ରାମାଞ୍ଚଳରେ ତାହା ଯଥାକ୍ରମେ ୧୨୭୯୬ ଓ ୧୩୪୪୦ ଟଙ୍କା । ଅର୍ଥାତ୍ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଉଭୟଙ୍କ ଆୟ ମଧ୍ୟରେ ତାରତମ୍ୟ ଯଥେଷ୍ଟ କମ । ସହରାଞ୍ଚଳରେ ଆତ୍ମନିଯୁକ୍ତ ମୁସଲମାନ ଓ ଅଣମୁସଲମାନଙ୍କ ହାରାହାରି ଆୟ ଯଥାକ୍ରମେ ୧୧୪୨୧ ଓ ୧୫୮୭୮ ଟଙ୍କା ହୋଇଥିବା ବେଳେ ଗ୍ରାମାଞ୍ଚଳରେ ତାହା ଯଥାକ୍ରମେ ୮୩୫୭ ଓ ୯୧୭୪ ଟଙ୍କା । ସେହିପରି ସହରାଞ୍ଚଳର ମୁସଲମାନ ଓ ଅଣ ମୁସଲମାନ ଠିକା ଶ୍ରମିକଙ୍କ ହାରାହାରି ଆୟ ଯଥାକ୍ରମେ ୮୭୭୨ ଓ ୮୬୨୬, ଯାହା ଗ୍ରାମାଞ୍ଚଳରେ ଯଥାକ୍ରମେ ୭୪୦୫ ଓ ୬୭୩୬ ଟଙ୍କା । ଅର୍ଥାତ୍ ଠିକା ଶ୍ରମିକଙ୍କ କ୍ଷେତ୍ରରେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ମୁସଲମାନ ଠିକାଶ୍ରମିକମାନେ ଅନ୍ୟମାନଙ୍କ ତୁଳନାରେ ସାମାନ୍ୟ ଅଧିକ ରୋଜଗାର କରିଥାଆନ୍ତି ।
ଲିଙ୍ଗ, ଜାତି ଓ ଧର୍ମ ଆଧାରରେ ଅର୍ଥନୈତିକ ପକ୍ଷପାତିତା ଲାଗି ରହିବା ଭାରତୀୟ ଅର୍ଥନୀତି ପାଇଁ ଆଦୌ ଶୁଭଙ୍କର ନୁହେଁ । ଏହାଦ୍ୱାରା ଜନସଂଖ୍ୟାର ଏକ ବୃହତ୍ ଅଂଶ ଲାଭଜନକ ଭାବେ ଶ୍ରମବଳରେ ନିୟୋଜିତ ହୋଇପାରୁନାହାନ୍ତି । ତେଣୁ କାମ ଓ ସମାନ ପାରିଶ୍ରମିକ ମିଳିବାର ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ତରଫରୁ କଡାକଡି ଭାବେ ଆଇନର ପ୍ରଣୟନ ଓ ଅନୁପାଳନ ହେବା ଆବଶ୍ୟକ । ଅଧିକ ସଂଖ୍ୟାରେ ମହିଳାଙ୍କୁ ଶ୍ରମବଳ ପ୍ରତି ଆକୃଷ୍ଟ କରିବା ଲାଗି ସେମାନଙ୍କୁ ଆନୁଷଙ୍ଗିକ ପ୍ରୋତ୍ସାହନ ଯୋଗାଇ ଦେବା ଉଚିତ । ମହିଳାମାନଙ୍କ ଭାଗିଦାରୀ ବଢାଇବା ଲାଗି ସାମାଜିକ ଓ ପରିବାର ସ୍ତରରେ ମନୋବୃତ୍ତିରେ ପରିବର୍ତ୍ତନ ଲାଗି ସାମାଜିକ ଅନୁଷ୍ଠାନଗୁଡିକର ଏକ ବଡ ଭୂମିକା ରହିଛି । ଜାତି ଓ ଧର୍ମଭିତ୍ତିକ ପକ୍ଷପାତିତାକୁ ହ୍ରାସ କରିବା ଲାଗି ସାମାଜିକ ସୌହାର୍ଦ୍ଦ୍ୟ ରକ୍ଷା ହେବା ଅପରିହାର୍ଯ୍ୟ, ଯେଉଁଥିପାଇଁ ସରକାରଙ୍କୁ ବିଭିନ୍ନ କ୍ଷେତ୍ରରେ ଅନେକ ସକାରାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ପଡିବ ।
ଭାରତୀୟ ସମ୍ୱିଧାନର ଅନୁଚ୍ଛେଦ ୧୪ରୁ ୧୮ ଯାଏଁ ଉଲ୍ଲିଖିତ ସମାନତାର ଅଧିକାର ପ୍ରତ୍ୟେକ ନାଗରିକଙ୍କ ମୌଳିକ ଅଧିକାର ଅଟେ । ହେଲେ ଉଦବେଗର ବିଷୟ ଯେ ଦେଶ ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଏକ ସମତାସମ୍ପନ୍ନ ଦେଶ ଗଠନ ଲାଗି ସମ୍ୱିଧାନର ଏହି ବୃହତ୍ ଲକ୍ଷ୍ୟ ହାସଲ ହୋଇପାରିନାହିଁ । ଜନସଂଖ୍ୟାର ଏକ ବୃହତ୍ ଅଂଶ ଅର୍ଥନୈତିକ ପକ୍ଷପାତିତାର ଶିକାର ହୋଇଆସୁଛନ୍ତି । ସେମାନେ ଶ୍ରମ ବଜାରରେ ସମାନ ସୁଯୋଗ ପାଉନାହାନ୍ତି, ଏପରିକି ସମାନ ବ୍ୟବହାର ମଧ୍ୟ ନ ପାଇ ପକ୍ଷପାତପୂର୍ଣ୍ଣ ଆଚରଣର ଶିକାର ହେଉଛନ୍ତି । ଗତ ଦେଢ ଦଶନ୍ଧି ମଧ୍ୟରେ ଭାରତରେ ଅର୍ଥନୈତିକ ପକ୍ଷପାତିତାର ହାର ହ୍ରାସ ପାଇଥିଲେ ମଧ୍ୟ ତାହା ଯଥେଷ୍ଟ ନୁହେଁ । ଫଳରେ ଈପସିତ ବେଗରେ ଅର୍ଥନୀତି ଆଗକୁ ବଢି ପାରୁନାହିଁ ଓ ତା’ର ଗତି ମନ୍ଥର ହେବାକୁ ବାଧ୍ୟ ହେଉଛି । ଭାରତର ଅର୍ଥନୀତିର ଆକାର ବିଶ୍ୱର ପଞ୍ଚମ ବୃହତ୍ ହୋଇଛି ସତ । ହେଲେ ଯେ ପର୍ଯ୍ୟନ୍ତ ଦେଶର ୫୦ ପ୍ରତିଶତରୁ ଅଧିକ ନାଗରିକ ଦେଶର ଶ୍ରମଶକ୍ତିରେ ଅଂଶଗ୍ରହଣ କରୁ ନଥିବେ ଅଥବା ଅଂଶଗ୍ରହଣ କରି ମଧ୍ୟ ଅର୍ଥନୈତିକ ପକ୍ଷପାତିତାର ଶିକାର ହେଉଥିବେ ଦେଶର ଅର୍ଥନୀତିର ଆକାର ବୃଦ୍ଧି ପାଇଲେ ବି ସେମାନେ ପ୍ରକୃତ ଅର୍ଥରେ ତା’ର ସୁଫଳ ପାଇବାରୁ ବଞ୍ଚିତ ହେଉଥିବେ । ତେଣୁ ଲିଙ୍ଗ, ଜାତି ଓ ଧର୍ମ ଆଧାରିତ ଅର୍ଥନୈତିକ ପକ୍ଷପାତିତାର ମୂଳୋତ୍ପାଟନ କରି ଏକ ପକ୍ଷପାତମୁକ୍ତ ଭାରତ ଗଠନ କରିବା ଲାଗି ସରକାରୀ ଓ ସାମାଜିକ ସ୍ତରରେ ଆନ୍ତରିକ ଉଦ୍ୟମ ହେବା ବିଧେୟ ।
Published in Sambad on October 04, 2022
Comments
Post a Comment