Skip to main content

କ୍ରିକେଟରେ ଜାତିବାଦ

ଭଦ୍ରଲୋକଙ୍କ ଖେଳ ବୋଲି କୁହାଯାଉଥିବା କ୍ରିକେଟ ମୂଳରୁ ବର୍ଣ୍ଣବୈଷମ୍ୟବାଦ ଓ ପକ୍ଷପାତିତାର ଶିକାର ବୋଲି ଅଭିଯୋଗ ହୋଇଥାଏ । ଭାରତୀୟ କ୍ରିକେଟରେ ମଧ୍ୟ ପକ୍ଷପାତିତାର ରହିଛି ବୋଲି ଅନେକଙ୍କ ଧାରଣା । ସ୍ୱାଧୀନତା ପୂର୍ବରୁ ଏହା ରାଜା, ମହାରାଜା ଓ ବିତ୍ତଶାଳୀ ଉଚ୍ଚ ବର୍ଗର ନିୟନ୍ତ୍ରଣରେ ରହି ଆସିଥିଲା ଓ ତାହା ଏବେ ମଧ୍ୟ ସେମାନଙ୍କ ପ୍ରଭାବରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇପାରିନାହିଁ । ଭାରତୀୟ କ୍ରିକେଟର ଖେଳାଳି ଚୟନରେ ପଛୁଆ ବର୍ଗ, ବିଶେଷ କରି ଦଳିତ ଓ ଆଦିବାସୀଙ୍କୁ ଉପେକ୍ଷା କରାଯାଇଥାଏ ବୋଲି ଅଭିଯୋଗ ହୁଏ । ଭାରତର ସର୍ବାଧିକ ଲୋକପ୍ରିୟ କ୍ରୀଡ଼ାଟିର ଏହି ବିଭାବ ସମ୍ପର୍କରେ ଏକ ବିଶଦ ଆଲୋଚନା କରାଯିବା ମଧ୍ୟ ଆବଶ୍ୟକ ।

କୁହାଯାଏ କ୍ରିକେଟରେ ଜନ୍ମ, ଜାତି, ଧର୍ମ, ଶିକ୍ଷାଗତ ଯୋଗ୍ୟତା, ଆର୍ଥିକ ସ୍ଥିତି ଆଦିର କୌଣସି ସ୍ଥାନ ନାହିଁ, କାରଣ ଏଠି କେବଳ ପ୍ରତିଭାକୁ ସମ୍ମାନ ଦିଆଯାଇଥାଏ । ହେଲେ ୧୯୩୨ରୁ କ୍ରିକେଟ ଟେଷ୍ଟ ମ୍ୟାଚ ଖେଳି ଆସୁଥିବା ଭାରତରେ ଗତ ୯୦ ବର୍ଷରେ ଖେଳିଥିବା ୩୦୨ ଜଣ ଟେଷ୍ଟ ଖେଳାଳୀଙ୍କ ମଧ୍ୟରୁ ବ୍ରାହ୍ମଣଙ୍କ ସଂଖ୍ୟା ୫୦ ପ୍ରତିଶତରୁ ଅଧିକ । ଅବଶ୍ୟ ଏମାନଙ୍କ ମଧ୍ୟରେ କିଛି ଅସାଧାରଣ ଭାବେ ପ୍ରତିଭାବାନ ଖେଳାଳୀ ଅଛନ୍ତି । ଅନ୍ୟ ପକ୍ଷରେ ଏଯାବତ୍ ଦେଶ ପାଇଁ ଏକନାଥ ସୋଲକାର, କର୍ସନ ଘାବରି, ବିନୋଦ କାମ୍ୱଲିଙ୍କ ଭଳି ମାତ୍ର ୮ ଜଣ ଅନୁସୂଚିତ ଜାତିର ଖେଳାଳୀ ଖେଳିଥିବା ବେଳେ କୌଣସି ଆଦିବାସୀ ଖେଳାଳି ଖେଳିବାର ସୁଯୋଗ ପାଇନାହାନ୍ତି । ଦଳ ଭିତ୍ତିରେ ଖେଳାଯାଉଥିବା ପ୍ରାୟ ଅନ୍ୟ ସବୁ ଖେଳରେ ଦଳିତ, ଆଦିବାସୀ ଖେଳାଳି ଅଧିକ ସଂଖ୍ୟାରେ ଖେଳୁଥିଲାବେଳେ କ୍ରିକେଟରେ ତାହା ନହେବା ହୁଏତ ଅନେକଙ୍କୁ ବିସ୍ମିତ କରିଥାଏ । ୨୦୦୮ରେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଖେଳା ଯାଇଥିବା ସିଡନି ଟେଷ୍ଟର ୧୧ ଜଣିଆ ଟିମରେ ୬ ଜଣ ବ୍ରାହ୍ମଣ ଥିଲେ । ସେମାନେ ହେଲେ ଗାଙ୍ଗୁଲି, ତେନ୍ଦୁଲକର, ଦ୍ରାବିଡ, ଲକ୍ଷ୍ମଣ. କୁମ୍ୱଲେ, ଈଶାନ୍ତ ଶର୍ମା । ସେତେବେଳେ ଅଷ୍ଟ୍ରେଲିଆ ଗଣମାଧ୍ୟମରେ ଏ ବିଷୟ ଚର୍ଚ୍ଚିତ ହୋଇଥିଲା । କେବଳ ଖେଳାଳି ନୁହନ୍ତି ସଂଖ୍ୟାଧିକ କୋଚ, ମ୍ୟାନେଜର, ଚୟନକର୍ତ୍ତା, ଘୋଷକ ଓ ପ୍ରଶାସକ ମଧ୍ୟ ବ୍ରାହ୍ମଣ । ସେହିପରି ଅକ୍ଟୋବର ୨୦୨୨ ପର୍ୟ୍ୟନ୍ତ ଭାରତର ପ୍ରତିନିଧିତ୍ୱ କରୁଥିବା ପୁରୁଷ ଖେଳାଳିଙ୍କୁ ପ୍ରତି ଟେଷ୍ଟ ମ୍ୟାଚ ଲାଗି ୧୫ ଲକ୍ଷ ଟଙ୍କା ମ୍ୟାଚ ଫି ଦିଆଯାଉଥିବା ବେଳେ ମହିଳା ଖେଳାଳିଙ୍କୁ ମାତ୍ର ୨.୫ ଲକ୍ଷ ଟଙ୍କା ଦିଆଯାଉଥିଲା । ଏହି ବୈଷମ୍ୟକୁ ଦୂର କରାଯାଇ ସମାନ ପାରିଶ୍ରମିକ ପ୍ରଦାନ ସହ ପକ୍ଷପାତିତା ଦୂର ହେବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ।

ଓଡ଼ିଶା ରଣଜୀ ଦଳରେ ମଧ୍ୟ ଅନୁସୂଚିତ ଜାତିର ଖେଳାଳୀଙ୍କ ସଂଖ୍ୟା ହାତଗଣତି । ଯେଉଁ ରାଜ୍ୟରେ ପ୍ରତି ଚାରି ଜଣରେ ଜଣେ ଆଦିବାସୀ ସମ୍ପ୍ରଦାୟର, ସେଠାରୁ ମଧ୍ୟ ଆଜି ଯାଏଁ ଜଣେ ହେଲେ ବି ଆଦିବାସୀ ଖେଳାଳି ରଣଜୀ ଦଳରେ ସ୍ଥାନ ପାଇନାହାନ୍ତି । ଉଲ୍ଲେଖଯୋଗ୍ୟ ଯେ ଇତିମଧ୍ୟରେ ଉତ୍ତର-ପୂର୍ବ ଭାରତର ଆଦିବାସୀ ବହୁଳ ଅରୁଣାଚଳ ପ୍ରଦେଶ, ମଣିପୁର, ମିଜୋରାମ, ମେଘାଳୟ, ନାଗାଲାଣ୍ଡ ଓ ସିକ୍କିମ ଭଳି ୬ଟି ରାଜ୍ୟ ଆଦିବାସୀ ଖେଳାଳିଙ୍କୁ ନେଇ ନିଜ ନିଜର ରଣଜୀ ଦଳ ତିଆରି କରିପାରିଛନ୍ତି । ତେଣୁ ଓଡ଼ିଶାର ଆଦିବାସୀମାନଙ୍କୁ ମଧ୍ୟ  କ୍ରିକେଟ ସହ ଯୋଡ଼ିବା ଲାଗି ବିଶେଷ ପ୍ରୟାସ କରାଯିବା ଉଚିତ । 

‘ପକ୍ଷପାତିତା’ ପ୍ରସଙ୍ଗ ଉଠିଲେ ତା’ର ଔଚିତ୍ୟ ପ୍ରତିପାଦନ ପାଇଁ ‘ପ୍ରତିଭା’ କଥା କୁହାଯାଇଥାଏ । ତେବେ କେବଳ ଖେଳାଳିଙ୍କ ଜନ୍ମଜାତ ନୈପୁଣ୍ୟ ପ୍ରତିଭାର ମାପକାଠି ହୋଇ ନ ପାରେ । ଏଥି ସହିତ ଉନ୍ନତ ପ୍ରଶିକ୍ଷଣ ତଥା ନୈପୁଣ୍ୟ ପ୍ରଦର୍ଶନ ପାଇଁ ସୁଯୋଗ ପ୍ରଦାନ ମଧ୍ୟ ଜଣେ ଖେଳାଳିକୁ ଉନ୍ନତ ପ୍ରଦର୍ଶନ କରିବାରେ ସହାୟକ ହୋଇଥାଏ । ସମ୍ଭ୍ରାନ୍ତ ପରିବାରଗୁଡ଼ିକ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରି ଉନ୍ନତ ପ୍ରଶିକ୍ଷଣ ପାଇଁ ସେମାନଙ୍କ ପିଲାମାନଙ୍କୁ ନାମକରା କ୍ରିକେଟ ଏକାଡ଼େମିଗୁଡ଼ିକୁ ପଠାନ୍ତି । ସମସ୍ତଙ୍କ ପକ୍ଷରେ ତାହା ସମ୍ଭବ ହେଉ ନଥିବାରୁ ପ୍ରଶିକ୍ଷଣ ଅଭାବରୁ ସେପରି ପିଲାଙ୍କର ପ୍ରତିଭା ବିକଶିତ ହୋଇ ପାରୁନାହିଁ । ସ୍ଥଳ ବିଶେଷରେ ଅସାଧାରଣ ପ୍ରତିଭା ଥିଲେ ମଧ୍ୟ ସେମାନଙ୍କ ପ୍ରତି ପକ୍ଷପାତିତା ହୋଇ ଉପଯୁକ୍ତ ସ୍ୱୀକୃତି ଓ ସୁଯୋଗ ଅଭାବରୁ ତାହା ବିକଶିତ ହୋଇପାରେ ନାହିଁ । ଉଦାହରଣ ସ୍ୱରୂପ ଦଳିତ ଖେଳାଳି ପାଲବନକର ବଲୁ ତାଙ୍କ ସମୟର ଜଣେ ଅସାଧାରଣ ସ୍ପିନ ବୋଲର ଥିଲେ । ଊନବିଂଶ ଶତାବ୍ଦୀର ଶେଷ ଦଶକରେ ତାଙ୍କ ପ୍ରତିଭା ପ୍ରଥମେ ପୁନେରେ ଥିବା ବ୍ରିଟିଶ ଖେଳାଳିମାନଙ୍କ ଦୃଷ୍ଟିରେ ପଡ଼ିବା ପରେ ତାଙ୍କୁ ଖେଳିବାର ସୁଯୋଗ ମିଳିଥିଲା । ତା’ପରେ ତାଙ୍କୁ ‘ହିନ୍ଦୁ କ୍ଲବ’ରେ ନିଆଯିବା କଥା ଉଠିବା ବେଳେ ଜାତିଗତ ଅସ୍ପୃଶ୍ୟତାକୁ ଦର୍ଶାଇ ବ୍ରାହ୍ମଣ ଖେଳାଳିମାନେ ତା’ର ବିରୋଧ କରିଥିଲେ । ତେବେ ତାଙ୍କ ଅସାମାନ୍ୟ ପ୍ରତିଭା ଯୋଗୁଁ ଶେଷରେ ତାଙ୍କୁ ଦଳରେ ନିଆଯାଇଥିଲା । ଏହା ସତ୍ତ୍ୱେ ତାଙ୍କୁ ଜାତିଗତ ବିଦ୍ୱେଷର ଶିକାର ହୋଇ ବିଭିନ୍ନ ଭାବେ ନିର୍ୟାତିତ ହେବାକୁ ହୋଇଥିଲା । ତାଙ୍କ ପ୍ରତିଭା ଯୋଗୁଁ ପଟିଆଲା ମହାରାଜାଙ୍କ ନେତୃତ୍ୱରେ ୧୯୧୧ରେ ଇଂଲଣ୍ଡ ଗସ୍ତରେ ଯାଇଥିବା ପ୍ରଥମ ଭାରତୀୟ କ୍ରିକେଟ ଦଳରେ ସେ ସ୍ଥାନ ପାଇଥିଲେ । ସେଠାରେ ସେ ୨୩ଟି ମ୍ୟାଚରେ ୧୧୪ଟି ୱିକେଟ ନେଇ ବ୍ରିଟିଶ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚିତ ହୋଇଥିଲେ । ତାଙ୍କର ଏହି ଉପଲବ୍ଧି ପାଇଁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପରେ ତାଙ୍କୁ ଉଚ୍ଛ୍ୱସିତ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଆଶା କରାଯାଉଥିଲା ଯେ ତାଙ୍କୁ ବମ୍ୱେସ୍ଥିତ ‘ହିନ୍ଦୁ କ୍ୱବ’ର କ୍ୟାପଟେନ ଭାବେ ନିଯୁକ୍ତ କରାଯିବ । ୧୯୧୦ରୁ ୧୯୨୦ ମଧ୍ୟରେ ତାଙ୍କ ନାମ ବାରମ୍ୱାର କ୍ୟାପଟେନ ପାଇଁ ଚର୍ଚ୍ଚା ହୋଇଥିଲେ ବି ତାଙ୍କୁ କ୍ୟାପଟେନ କରାଇ ଦିଆଯାଇ ନ ଥିଲା । ମୃତ୍ୟୁ ପରେ ବି ଏ ଭଳି ଜଣେ ପ୍ରତିଭାସମ୍ପନ୍ନ ଖେଳାଳିଙ୍କ ନାମରେ ଷ୍ଟାଡ଼ିଅମ, ଷ୍ଟାଣ୍ଡ ବା ଟୁର୍ଣ୍ଣାମେଣ୍ଟଟିଏ ହେବା ତ ଦୂରର କଥା ଗେଟଟିଏ ବି ନାହିଁ । ତାଙ୍କ ପ୍ରତିଭା ପ୍ରତି ଆଜି ଯାଏଁ ଉଚିତ ସମ୍ମାନ ପ୍ରଦର୍ଶିତ ହୋଇପାରିନାହିଁ । ସେହିପରି ୨୦୧୬ରେ ମୁମ୍ୱଇ ସ୍କୁଲ କ୍ରିକେଟରେ ଏକ ଗରିବ ପରିବାରରୁ ଆସିଥିବା ୧୫ ବର୍ଷୀୟ ପ୍ରଣବ ଧନୱାଡ଼େ ଗୋଟିଏ ମ୍ୟାଚରେ ୧୦୦୯ ରନ କରି ବିଶ୍ୱ ରେକର୍ଡ଼ କରିଥିଲେ । ଉପଯୁକ୍ତ ପ୍ରଶିକ୍ଷଣ ଓ ସୁଯୋଗ ଅଭାବରୁ ଗରିବ ପରିବାରର ସେଭଳି ପ୍ରତିଭାସମ୍ପନ୍ନ ଖେଳାଳିଜଣକ ଆଜି ବିସ୍ମରଣରେ ।   

କେବଳ ଯେ ଭାରତୀୟ କ୍ରିକେଟରେ ପକ୍ଷପାତିତାର ଅଭିଯୋଗ ହୋଇଥାଏ, ତାହା ନୁହେଁ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଆଦି କ୍ରିକେଟ ଖେଳୁଥିବା ବିଭିନ୍ନ ଦେଶରେ ବି ଏହି ଅଭିଯୋଗ ଶୁଣିବାକୁ ମିଳେ । ତେବେ ସେହି ଦେଶଗୁଡ଼ିକରେ ଏପରି ଢ଼ାଞ୍ଚାଗତ ସମସ୍ୟାକୁ ସୁଧାରିବା ଲାଗି ପ୍ରୟାସ କରାଯାଉଥିବା ବେଳେ ନିର୍ଦ୍ଦିଷ୍ଟ ଅଭିଯୋଗର ସମାଧାନ ପାଇଁ ସରକାର ପର୍ଯ୍ୟନ୍ତ ହସ୍ତକ୍ଷେପ କରିଥାଆନ୍ତି । ଇଂଲଣ୍ଡରେ ଶ୍ୱେତାଙ୍ଗ କ୍ରିକେଟ ଖେଳାଳିମାନେ ବିଶେଷାଧିକାର ଉପଭୋଗ କରୁଥିଲା ବେଳେ ଅନ୍ୟ ଖେଳାଳିଙ୍କ ପ୍ରତି ଭେଦଭାବ ହେବାର ଅନେକ ଦୃଷ୍ଟାନ୍ତ ରହିଛି । ସେଠାରେ ୟର୍କସାୟାର ପାଇଁ ଖେଳିଥିବା ଅଜିମ ତୌଫିକ ବର୍ଣ୍ଣବୈଷମ୍ୟର ଶିକାର ହୋଇଥିବାର ଗୁରୁତର ଅଭିଯୋଗ ଆଣିବା ପରେ ଏକ ସଂସଦୀୟ କମିଟି ଦ୍ୱାରା ତଦନ୍ତ କରାଯାଇଥିଲା । ସେହି ଘଟଣା ପାଇଁ ଇଂଲଣ୍ଡ ଓ ୱେଲସ କ୍ରିକେଟ ବୋର୍ଡକୁ କ୍ଷମାପ୍ରାର୍ଥନା କରିବାକୁ ପଡ଼ିଥିଲା । ବର୍ମିଂହାମ ସିଟି ବିଶ୍ୱବିଦ୍ୟାଳୟ ଦ୍ୱାରା ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ ବ୍ରିଟେନରେ ଦକ୍ଷିଣ ଏସୀୟ ବ୍ରିଟିଶ ଖେଳାଳୀଙ୍କ ତୁଳନାରେ ଶ୍ୱେତାଙ୍ଗ ବ୍ରିଟିଶ ଖେଳାଳିଙ୍କ ପେଷାଦାର କ୍ରିକେଟ ଖେଳାଳି ହେବାର ସମ୍ଭାବନା ୩ ଗୁଣ ଅଧିକ । ସେହିପରି ସରକାରୀ ସ୍କୁଲରେ ପଢ଼ିଥିବା ଦକ୍ଷିଣ ଏସୀୟ ବ୍ରିଟିଶ ଖେଳାଳିଙ୍କ ତୁଳନାରେ ଘରୋଇ ଶିକ୍ଷାନୁଷ୍ଠାନରେ ପଢ଼ିଥିବା ଶ୍ୱେତ ବ୍ରିଟିଶ ଖେଳାଳିଙ୍କ ପେଷାଦାର ଖେଳାଳିରେ ପରିଣତ ହେବାର ସମ୍ଭାବନା ୩୪ ଗୁଣ ଅଧିକ ।

ବର୍ଣ୍ଣବୈଷମ୍ୟ ନୀତି ଯୋଗୁଁ ଦକ୍ଷିଣ ଆଫ୍ରିକାରେ ଦୀର୍ଘ ଦିନ ଧରି କୃଷ୍ଣକାୟ ଓ ଅଣଶ୍ୱେତାଙ୍ଗ କ୍ରିକେଟ ଖେଳାଳିଙ୍କୁ ଜାତୀୟ ଦଳରେ ଖେଳିବାର ସୁଯୋଗ ମିଳୁ ନଥିଲା । ସେଠାରେ ନୀତିରେ ପରିବର୍ତ୍ତନ ଯୋଗୁଁ ଦେଶ ପାଇଁ ପ୍ରଥମ କୃଷ୍ଣକାୟ ଭାବେ ମଖାୟା ଏନଟିନି ୧୯୯୮ରେ ଖେଳିଥିଲେ। ସେ ୧୧ ବର୍ଷ ଖେଳି ୩୯୦ଟି ଟେଷ୍ଟ ଉଇକେଟ ନେବା ସହ ଦେଶର ତୃତୀୟ ସଫଳତମ ବୋଲର ହୋଇ ପାରିଥିଲେ । ସେଠାରେ ଖେଳାଳି ଚୟନରେ ଆରକ୍ଷଣ ବ୍ୟବସ୍ଥାର ପ୍ରଚଳନ ହୋଇଛି, ଯଦନୁଯାୟୀ କ୍ରିକେଟ ବୋର୍ଡ଼ ଆୟୋଜିତ ଟୁର୍ଣ୍ଣାମେଣ୍ଟଗୁଡ଼ିକର ପ୍ରତିଟି ଦଳରେ ଅନ୍ତତଃ ପକ୍ଷେ ୬ ଜଣ ଅଣଶ୍ୱେତାଙ୍ଗ ଖେଳାଳି ରହିବେ, ତନ୍ମଧ୍ୟରୁ ୨ ଜଣ କୃଷ୍ଣକାୟ ହେବା ବାଧ୍ୟତାମୂଳକ । ଖେଳରେ ଆରକ୍ଷଣ ବ୍ୟବସ୍ଥା ପ୍ରତିଭାକୁ ଉପେକ୍ଷା କରୁଥିବାରୁ ଏହା ଏକ ବିବଦମାନ ପ୍ରସଙ୍ଗ ହୋଇପାରେ । ତେବେ ସେଠାକାର କ୍ରିକେଟ ବୋର୍ଡ଼ ତରଫରୁ ସ୍କୁଲ ସ୍ତରରୁ ପ୍ରତିଭା ଚିହ୍ନଟ କରି ସେମାନଙ୍କ ପ୍ରତିଭାର ବିକାଶ ପାଇଁ କରାଯାଉଥିବା ବିଶେଷ ପ୍ରୟାସ ଭାରତ ପାଇଁ ଅନୁକରଣୀୟ ହେବା ଉଚିତ ।         

  ପାଲବନକର ବଲୁଙ୍କ ଅସାମାନ୍ୟ କୃତିତ୍ୱ ଯୋଗୁଁ ସେ ବାବାସାହେବ ଆମ୍ୱେଦକରଙ୍କ ନିକଟରେ ଜଣେ ‘ନାୟକ’ ହୋଇପାରିଥିଲେ । ତାଙ୍କ ଅନୁସାରେ, “ବଲୁ ଏକ ସମ୍ଭାବନାମୟ ଭବିଷ୍ୟତର ପ୍ରତିନିଧିତ୍ୱ କରୁଥିଲେ ଯେଉଁଠି ଜାତିଗତ ଭେଦଭାବ ସାମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ବାଧକ ସାଜିବ ନାହିଁ ।“ ବଲୁଙ୍କ ସାନ ଭାଇ ବିଠଲ ପାଲବନକର ୧୯୨୮ରେ ହିନ୍ଦୁ କ୍ଲବର ପ୍ରଥମ ଦଳିତ କ୍ୟାପଟେନ ହୋଇ ଏକ ଚତୁର୍ଦଳୀୟ ଚୁର୍ଣ୍ଣାମେଣ୍ଟରେ ତାଙ୍କ ଦଳକୁ ବିଜୟୀ କରାଇ ଏକ ଅବିଶ୍ୱସନୀୟ ଉପଲବ୍ଧି ହାସଲ କରିପାରିଥିଲେ । ଜଣେ ଦଳିତ ଅଧିନାୟକ ଭାବେ ସ୍ୱୀକାର୍ୟ୍ୟ ହେବା ଦ୍ୱାରା ଦେଶରେ ଜାତିଗତ ଭେଦଭାବକୁ ଦୂର କରିବାରେ କ୍ରିକେଟ ଯେ ଏକ ମହାନ ସମତାସାଧକ (ଲେଭଲର) ହୋଇପାରିବ, ଏ ବିଶ୍ୱାସ ଅନେକଙ୍କ ମନରେ ଜନ୍ମିଥିଲା । ଉଲ୍ଲେଖଯୋଗ୍ୟ ଯେ ସେତେବେଳେ ଗାନ୍ଧୀଜୀ ତାଙ୍କର ଅସ୍ପୃଶ୍ୟତା ବିରୋଧୀ ଆନ୍ଦୋଳନ ଆରମ୍ଭ କରି ନଥିଲେ । ଭାରତରେ ଆଧିକାରିକ ଭାବେ ଖେଳ ଆରମ୍ଭ ହେଲା ପରେ କ୍ରିକେଟର ପ୍ରଶାସକମାନେ କ୍ରମେ କ୍ରିକେଟର ଜାତିବାଦ ଦୂର କରିବାର ସାମର୍ଥ୍ୟଟିକୁ ଯେପରି ଭୁଲିଗଲେ । ଦେଶରୁ ଜାତିପ୍ରଥା ଉଚ୍ଛେଦ ହୋଇ ତାହା ବେଆଇନ ହୋଇଥିଲେ ବି ଉଚ୍ଚ ଜାତିଙ୍କ ମଧ୍ୟରେ ସ୍ୱଜାତି ପ୍ରତି ଥିବା ଆକର୍ଷଣ ଦୁର୍ବଳ ହୋଇନାହିଁ । ‘ପିଉ’ ରିସର୍ଚ୍ଚ ଦ୍ୱାରା ୨୦୨୧ରେ ହୋଇଥିବା ଏକ ସର୍ଭେ ଅନୁଯାୟୀ ହାରାହାରି ୨୪ ପ୍ରତିଶତ ଭାରତୀୟଙ୍କର ଘନିଷ୍ଠ ବନ୍ଧୁମାନେ କେବଳ ସେମାନଙ୍କ ଜାତିର ହୋଇଥିଲା ବେଳେ ୪୬ ପ୍ରତିଶତ ଭାରତୀୟଙ୍କ ଅଧିକାଂଶ ଘନିଷ୍ଠ ବନ୍ଧୁ ନିଜ ଜାତିର ହୋଇଥାନ୍ତି। ଅର୍ଥାତ୍, ବିଭିନ୍ନ ଜାତିର ଲୋକଙ୍କ ମଧ୍ୟରେ ମିଳାମିଶା ବୃଦ୍ଧି ନ ପାଇଲେ ଜାତିପ୍ରଥା ଦୁର୍ବଳ ହୋଇନଥାଏ । ଏହାର ପରୀକ୍ଷା ପାଇଁ ୨୦୧୭ରେ ଉତ୍ତରପ୍ରଦେଶର ପଞ୍ଚାୟତ ସ୍ତରରେ ୮ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇ ୧୨୬୧ଜଣ ଖେଳାଳିଙ୍କ ଆଚରଣକୁ ଅନୁଧ୍ୟାନ ଓ ଅଧ୍ୟୟନ କରାଯାଇଥିଲା । ଜଣାପଡ଼ିଲା ଯେ ଟୁର୍ଣ୍ଣାମେଣ୍ଟ ସରିବା ପରେ ମଧ୍ୟ ବିଭିନ୍ନ ଜାତିର ଖେଳାଳିଙ୍କୁ ନେଇ ଗଠିତ ଦଳଗୁଡ଼ିକର ଖେଳାଳିଙ୍କ ମଧ୍ୟରେ ମିଳାମିଶା ଜାରି ରହିଥିଲା ଓ ଜାତିଗତ ଭେଦଭାବ ଯଥେଷ୍ଟ ହ୍ରାସ ପାଇଥିଲା । ଅନ୍ୟ ପକ୍ଷରେ ଏକା ଜାତିର ଖେଳାଳିଙ୍କୁ ନେଇ ଗଠିତ ଦଳଗୁଡିକର ଖେଳାଳିମାନେ ଟୁର୍ଣ୍ଣାମେଣ୍ଟ ସରିବା ପରେ ଅନ୍ୟ ଜାତିର ଖେଳାଳିଙ୍କ ସହ ସେଭଳି ମିଶି ପାରୁ ନଥିଲେ । ଭାରତୀୟଙ୍କ ମଧ୍ୟରେ  କ୍ରିକେଟ ଖେଳର ଲୋକପ୍ରିୟତା ଯଥେଷ୍ଟ ଅଧିକ ହୋଇଥିବାରୁ ଏହା ମାଧ୍ୟମରେ ବିଭିନ୍ନ ଜାତିର ଲୋକଙ୍କ ମଧ୍ୟରେ ମିଳାମିଶା ବୃଦ୍ଧି କରି ଜାତିପ୍ରଥାର କୁପ୍ରଭାବକୁ ହ୍ରାସ କରିବା ଦିଗରେ ଏହାକୁ ଏକ ଅସ୍ତ୍ର ରୂପେ ବ୍ୟବହାର କରାଯାଇପାରେ ।

ଏ କଥା ଠିକ୍ ଯେ କୌଣସି କ୍ରୀଡ଼ାରେ ଖେଳାଳି ଚୟନ ଆରକ୍ଷଣ ଆଧାରରେ ନୁହେଁ ବରଂ ଖେଳାଳିଙ୍କ ଦକ୍ଷତା ଓ ନୈପୁଣ୍ୟ ଆଧାରରେ ହେବା ବିଧେୟ । ଜାତି, ଧର୍ମ, ବର୍ଣ୍ଣ ଆଧାରରେ କୌଣସି ପ୍ରତିଭାବାନ ଖେଳାଳି ଚୟନରୁ ବଞ୍ଚିତ ହେବା ଉଚିତ ନୁହେଁ ।  ତେବେ କେବଳ ଚୟନ ନୁହେଁ, ପ୍ରଶିକ୍ଷଣ ସନ୍ଦର୍ଭରେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦିଆଯିବା ଦରକାର, ଯେପରିକି ଖେଳିବାକୁ ଚାହୁଁଥିବା ଦରିଦ୍ର ପରିବାରର ପିଲାଏ ମଧ୍ୟ ତାହାର ସୁଯୋଗ ଲାଭ କରନ୍ତି । ସଂପ୍ରତି କ୍ରିକେଟ ଖେଳ ପ୍ରତି ଆକର୍ଷଣ ଆଶାତୀତ ଭାବେ ବୃଦ୍ଧି ପାଇଛି । ତେଣୁ ତରୁଣମାନଙ୍କ ମଧ୍ୟରେ କ୍ରିକେଟ ଖେଳାଳି ହେବାର ଆଗ୍ରହ ବି ବଢ଼ିଛି । ଏଭଳି ସ୍ଥଳେ ଜାତିବାଦ ବା ଆର୍ଥିକ ବୈଷମ୍ୟ କାରଣରୁ ପ୍ରତିଭାବାନ ଏବଂ ଅଧ୍ୟବସାୟୀ ତରୁଣମାନେ ପେସାଦାର କ୍ରିକେଟ ଖେଳାଳି ହେବାରୁ ବଞ୍ଚିତ ନ ହୁଅନ୍ତୁ । 


Published in Sambad on January 24, 2023

 

Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର...

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି...