ଅଗଷ୍ଟ ୫, ୨୦୧୯ରେ ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ହେବା ପରେ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପର ବୈଧତାକୁ ପ୍ରଶ୍ନ କରି ସୁପ୍ରିମକୋର୍ଟରେ ସଂଖ୍ୟାଧିକ ରିଟ ଆବେଦନ ଦାଖଲ ହୋଇଥିଲା । ଧାରା ୩୭୦ ଉଚ୍ଛେଦ ହେବା ପରେ କାଶ୍ମୀର ଉପତ୍ୟକାଞ୍ଚଳରେ କିପରି ପଥର ଫିଙ୍ଗା ଘଟଣା ୯୨ ପ୍ରତିଶତ କମିଛି, ଆତଙ୍କବାଦୀ ଘଟଣା ୪୫ ପ୍ରତିଶତ କମିଛି, ଉଭୟ ସାଧାରଣ ନାଗରିକ ଓ ସୁରକ୍ଷା କର୍ମୀଙ୍କ ଜୀବନ ହାନି ସଂଖ୍ୟା ହ୍ରାସ ପାଇଛି, ସିନେମା ହଲଗୁଡ଼ିକ ପୁଣି ଥରେ ଖୋଲା ହେଉଛି, ପର୍ଯ୍ୟଟନରେ ଆଶାତୀତ ବୃଦ୍ଧି ଘଟିଛି ଆଦି ଦର୍ଶାଇ ଶାନ୍ତି ଫେରାଇ ଆଣିବାରେ ସେହି ପଦକ୍ଷେପ ସଫଳତା ହାସଲ କରିଛି ବୋଲି ସରକାରଙ୍କ ତରଫରୁ ବିଭିନ୍ନ ସମୟରେ ଯୁକ୍ତି ଉପସ୍ଥାପିତ ହୋଇଆସିଛି । ତେବେ ସେଥିରୁ କି ସୁଫଳ ମିଳିଛି ବା ମିଳିନାହିଁ; ସେଥି ପ୍ରତି ଧ୍ୟାନ ନ ଦେଇ ସୁପ୍ରିମକୋର୍ଟର ୫ ଜଣିଆ ସାମ୍ୱିଧାନିକ ଖଣ୍ଡପୀଠ ଉଚ୍ଛେଦ ପ୍ରକ୍ରିୟାର ବୈଧତା ନିର୍ଦ୍ଧାରଣ ଉପରେ ଧ୍ୟାନ କେନ୍ଦ୍ରିତ କରି ଶେଷରେ ମୋଟାମୋଟି ଭାବେ ଧାରା ୩୭୦ ଉଚ୍ଛେଦର ବୈଧତା ଉପରେ ମୋହର ମାରିଛନ୍ତି, ଯାହା ସ୍ୱାଗତଯୋଗ୍ୟ । ତେବେ ୪୮୬ ପୃଷ୍ଠା ସମ୍ୱଳିତ ଏହି ରାୟରେ ସରକାରଙ୍କ କେତେକ ପଦକ୍ଷେପ ଅବୈଧ ବୋଲି ଦର୍ଶାଯାଇଛି, ଯାହା ମଧ୍ୟ ପ୍ରଣିଧାନଯୋଗ୍ୟ ।
ସାମ୍ୱିଧାନିକ ଖଣ୍ଡପୀଠ ଆଗରେ ଯେଉଁ ସବୁ ମୁଖ୍ୟ ପ୍ରସଙ୍ଗ ଥିଲା ତନ୍ମଧ୍ୟରୁ ଅଧିକାଂଶର ସ୍ପଷ୍ଟ ଉତ୍ତର ମିଳିପାରିଛି । ଧାରା ୩୭୦ ଏକ ଅସ୍ଥାୟୀ ବ୍ୟବସ୍ଥା ବୋଲି ଅଦାଲତ ସ୍ପଷ୍ଟ କରିବା ସହ ଏହା ଜାମ୍ମୁ-କାଶ୍ମୀରର ସାର୍ବଭୌମତ୍ୱ କଥା କହୁଥିଲା ସତ, କିନ୍ତୁ ଏହା ଦ୍ୱାରା ‘ଅସମତୁଲ ସଂଘବାଦ’ ବା ‘ଏସିମେଟ୍ରିକ ଫେଡ଼େରାଲିଜମ୍’ର ଏକ ଦୃଷ୍ଟାନ୍ତ ପ୍ରତିଷ୍ଠିତ ହୋଇଥିଲା, ଯେଉଁ ସଂଘୀୟ ବ୍ୟବସ୍ଥାରେ ଅଂଶଗ୍ରହଣକାରୀ ରାଜ୍ୟଗୁଡ଼ିକ ଅଲଗା ଅଲଗା କ୍ଷମତା ଓ ସ୍ୱାୟତ୍ତତା ଉପଭୋଗ କରିଥାଆନ୍ତି । ‘ଇନଷ୍ଟ୍ରୁମେଣ୍ଟ ଅଫ ଆକସେସନ’ ବା ରାଜ୍ୟ ମିଶ୍ରଣ ପ୍ରକ୍ରିୟାରେ ଭାରତରେ ସମ୍ମିଳିତ ହେବା ପରେ ଜାମ୍ମୁ-କାଶ୍ମୀରର ସ୍ୱତନ୍ତ୍ର ସାର୍ବଭୌମତ୍ୱ ଆଉ ରହି ନ ଥିଲା ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି ।
ସମ୍ୱିଧାନରେ କିଛି ଯୋଗ କରିବା ବା ସେଥିରୁ କିଛି ବାଦ ଦେବା ସମ୍ୱିଧାନ ସଂଶୋଧନର ଅଂଶବିଶେଷ ହୋଇଥିବାରୁ ଯେ କୌଣସି ସମ୍ୱିଧାନ ସଂଶୋଧନ କେବଳ ଧାରା ୩୬୮ରେ ପ୍ରଦତ୍ତ ପ୍ରାବଧାନ ଅନୁଯାୟୀ କରାଯାଇପାରିବ, ରାଷ୍ଟ୍ରପତିଙ୍କ ବିଜ୍ଞପ୍ତି ବା ଅନ୍ୟ କୋଣସି ଗଳା ବାଟ ମାଧ୍ୟମରେ ନୁହେଁ । ଧାରା ୩୭୦ର ଉପଧାରା ୩ ଅନୁଯାୟୀ ‘ଜାମ୍ମୁ-କାଶ୍ମୀର ସମ୍ୱିଧାନ ପ୍ରଣୟନ ସଭା’ର ପରାମର୍ଶ କ୍ରମେ ରାଷ୍ଟ୍ରପତିଙ୍କ ବିଜ୍ଞପ୍ତି ଜରିଆରେ ଧାରା ୩୭୦ର ଉଚ୍ଛେଦ ସମ୍ଭବ । ଅର୍ଥାତ୍ ଏ ଉଚ୍ଛେଦ ସଂକ୍ରାନ୍ତରେ ନିର୍ଣ୍ଣୟ ନେବା ପାଇଁ ‘ଜାମ୍ମୁ-କାଶ୍ମୀର ସମ୍ୱିଧାନ ପ୍ରଣୟନ ସଭା’କୁ ଅଧିକୃତ କରାଯାଇ ଯଥେଷ୍ଟ କ୍ଷମତା ପ୍ରଦାନ କରାଯାଇଥିଲା । ତେବେ ଜାନୁଆରୀ ୨୬, ୧୯୫୭ରେ ଜାମ୍ମୁ-କାଶ୍ମୀର ସମ୍ୱିଧାନ କାର୍ଯ୍ୟକାରୀ ହେବା ପରେ ‘ଜାମ୍ମୁ-କାଶ୍ମୀର ସମ୍ୱିଧାନ ପ୍ରଣୟନ ସଭା’କୁ ଭଙ୍ଗ କରିଦିଆଯାଇଥିଲା । ତେଣୁ ରାଷ୍ଟ୍ରପତି କାହା ପରାମର୍ଶରେ ଧାରା ୩୭୦ର ଉଚ୍ଛେଦ ପାଇଁ ବିଜ୍ଞପ୍ତି ଜାରି କରିପାରିବେ ସେ ନେଇ ସ୍ପଷ୍ଟତା ନଥିଲା । ଏପରି ସ୍ଥଳେ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ୱିଧାନ ଆଦେଶ ସଂଖ୍ୟା (ସିଓ) ୨୭୨ ମାଧ୍ୟମରେ ଧାରା ୩୬୭ରେ ଏକ ବାକ୍ୟାଂଶ ଯୋଗ କରାଗଲା, ଯଦ୍ଦ୍ୱାରା ‘ଜାମ୍ମୁ-କାଶ୍ମୀର ସମ୍ୱିଧାନ ପ୍ରଣୟନ ସଭା’ ସ୍ଥାନରେ ‘ଜାମ୍ମୁ-କାଶ୍ମୀର ବିଧାନସଭା’ ଓ ‘ଜାମ୍ମୁ-କାଶ୍ମୀର ସରକାର’ଙ୍କ ସ୍ଥାନରେ ‘ଜାମ୍ମୁ-କାଶ୍ମୀର ରାଜ୍ୟପାଳ’ କରିଦିଆଗଲା । ‘ଜାମ୍ମୁ-କାଶ୍ମୀର ସମ୍ୱିଧାନ ପ୍ରଣୟନ ସଭା’ ଭଙ୍ଗ ହୋଇସାରିଥିବାରୁ ଏହି ପରିବର୍ତ୍ତନକୁ ଆଧାର କରି ସମ୍ୱିଧାନ ଆଦେଶ ସଂଖ୍ୟା (ସିଓ) ୨୭୩ ଜରିଆରେ ଧାରା ୩୭୦(୩)ରେ ଥିବା ପ୍ରାବଧାନକୁ ଆଧାର କରି ଧାରା ୩୭୦କୁ ଅଚଳ କରିଦିଆଗଲା । ସମ୍ୱିଧାନର ଧାରା ୩୬୭ରେ ସମ୍ୱିଧାନରେ ବ୍ୟବହୃତ ବିଭିନ୍ନ ଶବ୍ଦର ଅର୍ଥ ବ୍ୟାଖ୍ୟା କରାଯାଇଥିବାରୁ ରାଷ୍ଟ୍ରପତିଙ୍କ ବିଜ୍ଞପ୍ତି ମାଧ୍ୟମରେ ସେଥିରେ ପରିବର୍ତ୍ତନ କରିବାକୁ ଅଦାଲତ ଅଗ୍ରାହ୍ୟ କରିଛନ୍ତି । ଧାରା ୩୬୮ ଅନୁଯାୟୀ ନ କରି ଗଳା ବାଟରେ ହୋଇଥିବା ଏହି ସମ୍ୱିଧାନ ସଂଶୋଧନ ଆଦୌ ଗ୍ରହଣୀୟ ନୁହେଁ , କାରଣ ଏଥିରେ ଭୟାନକ ପରିଣତି ଉତ୍ପନ୍ନ ହେବାର ଆଶଙ୍କା ଦେଖା ଦେଇପାରେ ବୋଲି ଅଦାଲତ ଚିନ୍ତିତ । ତେଣୁ ସମ୍ୱିଧାନ ଆଦେଶ ସଂଖ୍ୟା ୨୭୨ ଜରିଆରେ ଧାରା ୩୬୭ରେ କରାଯାଇଥିବା ସଂଶୋଧନକୁ ଅଦାଲତ ଅଗ୍ରାହ୍ୟ କରିଛନ୍ତି । ହେଲେ ଧାରା ୩୭୦କୁ ଉଚ୍ଛେଦ କରିବା ଲାଗି ରାଷ୍ଟ୍ରପତିଙ୍କୁ ସମ୍ୱିଧାନ ପ୍ରଣୟନ ସଭାର ପରାମର୍ଶର କୌଣସି ଆବଶ୍ୟକତା ନଥିଲା ବୋଲି ଦର୍ଶାଇ ସମ୍ୱିଧାନ ଆଦେଶ ସଂଖ୍ୟା ୨୭୩କୁ ଗ୍ରହଣ କରାଯାଇଛି ।
୨୦୧୯ରେ ଜାମ୍ମୁ-କାଶ୍ମୀର ରାଜ୍ୟକୁ ବିଭାଜିତ କରି ଜାମ୍ମୁ-କାଶ୍ମୀର ଏବଂ ଲଦାଖ ନାମକ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଗଠନ କରିବାର ନିଷ୍ପତ୍ତି ବିରୋଧରେ ଆବେଦନକାରୀମାନେ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ସମ୍ୱିଧାନର ଧାରା ୩ ଅନୁଯାୟୀ ରାଜ୍ୟ ପୁନର୍ଗଠନର ଅଂଶ ସ୍ୱରୂପ ଗୋଟିଏ ରାଜ୍ୟର କିଛି ଅଂଶକୁ ନେଇ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ଗଠନ କରାଯାଇପାରେ । ସେହିପରି ଗୋଟିଏ ରାଜ୍ୟକୁ ଭାଗ ଭାଗ କରି ଦୁଇ ବା ଅଧିକ ରାଜ୍ୟର ଗଠନ କରାଯାଇ ପାରିବ । କିନ୍ତୁ କୌଣସି ରାଜ୍ୟର ସତ୍ତାକୁ ସମ୍ପୂର୍ଣ୍ଣ ବିଲୋପ କରି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଗଠନ କରାଯାଇ ପାରିବ କି ନାହିଁ, ସେ ନେଇ ଧାରା ୩ରେ ସ୍ପଷ୍ଟ ଉଲ୍ଲେଖ ନାହିଁ । ‘ବାବୁଲାଲ ପରାଟେ ବନାମ ବମ୍ୱେ ରାଜ୍ୟ’ ମାମଲା (୧୯୫୯)ରେ ରାଜ୍ୟ ପୁନର୍ଗଠନ ପାଇଁ ରାଜ୍ୟ ବିଧାନସଭାର ମତ ସଂସଦ ଲାଗି ବାଧ୍ୟତାମୂଳକ ନୁହେଁ ବୋଲି ପ୍ରତିପାଦିତ ହୋଇସାରିଛି । ତେବେ କୌଣସି ରାଜ୍ୟ ରାଷ୍ଟ୍ରପତି ଶାସନାଧୀନ ଥିବା ବେଳେ ସମ୍ପୃକ୍ତ ରାଜ୍ୟର ଜନମତକୁ ସମ୍ପୂର୍ଣ୍ଣ ଉପେକ୍ଷା କରି ରାଜ୍ୟ ପୁନର୍ଗଠନ ପାଇଁ ଏ ଭଳି ଏକ ପଦକ୍ଷେପ ନିଆଗଲେ ତାହା ଭବିଷ୍ୟତରେ ସଂଘୀୟ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ଏକ ଆଶଙ୍କା ସୃଷ୍ଟି ହେବା ସ୍ୱାଭାବିକ । ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ ଗଠନକୁ ବୈଧ ବୋଲି କହିବାରେ ସର୍ବୋଚ୍ଚ ଅଦାଲତଙ୍କ ସ୍ପଷ୍ଟତା ପରିଲକ୍ଷିତ ହୋଇଥିଲା ବେଳେ ଜାମ୍ମୁ-କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ଗଠନ ପ୍ରସଙ୍ଗରେ ସେହି ସ୍ପଷ୍ଟତା ପରିଲକ୍ଷିତ ହୋଇନାହିଁ । ଜାମ୍ମୁ-କାଶ୍ମୀରକୁ ଖୁବ ଶୀଘ୍ର ରାଜ୍ୟ ମାନ୍ୟତା ଫେରାଇ ଦିଆଯିବ ବୋଲି ସଲିସିଟର ଜେନେରାଲ ଆଶ୍ୱାସନା ପ୍ରଦାନ କରିଥିବାରୁ ରାଜ୍ୟକୁ ଧାରା ୩ ଅନୁଯାୟୀ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯିବା ଅନୁମୋଦନଯୋଗ୍ୟ କି ନୁହେଁ ତାହା ନିର୍ଦ୍ଧାରଣ କରିବାର ଆବଶ୍ୟକତା ନାହିଁ ବୋଲି ଅଦାଲତ ଅନୁଭବ କରିଛନ୍ତି । ଏଠି ରାଜ୍ୟ ମାନ୍ୟତା ଫେରସ୍ତ ମିଳିବା ଅପେକ୍ଷା ଆଇନ ଦୃଷ୍ଟିରୁ ସେହି ପଦକ୍ଷେପଟି ଠିକ୍ ବା ଭୁଲ ତାହା ଜାଣିବା ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଏଡ଼ାଇ ନ ଯାଇ ସର୍ବୋଚ୍ଚ ଅଦାଲତ ଏ ପ୍ରସଙ୍ଗରେ ରାୟ ପ୍ରଦାନ କରିଥିଲେ ସ୍ଥିତି ସ୍ପଷ୍ଟ ହୋଇ ଭବିଷ୍ୟତରେ ଆଉ ଅନିଶ୍ଚିତତା ଦେଖା ଦେଇ ନ ଥାଆନ୍ତା ଓ ସଂଘୀୟ ବ୍ୟବସ୍ଥା ସୁଦୃଢ଼ ହୋଇଥାନ୍ତା ବୋଲି ମତ ପ୍ରକାଶ ପାଉଛି ।
ଖଣ୍ଡପୀଠରର ଏକମାତ୍ର କାଶ୍ମୀରୀ ବିଚାରପତି ବୟୋଜ୍ୟେଷ୍ଠ ଜଷ୍ଟିସ ସଞ୍ଜୟ କିଶନ କାଉଲ ଏକ ନିରପେକ୍ଷ ‘ସତ୍ୟ ଓ ସମାଧାନ ଆୟୋଗ’ (ଟ୍ରୁଥ ଆଣ୍ଡ ରିକନସିଲିଏସନ କମିସନ, ଟିଆରସି)ର ଗଠନ ଲାଗି ପରାମର୍ଶ ଦେଇଛନ୍ତି । ଆଗକୁ ଅଗ୍ରସର ହେବାକୁ ହେଲେ ପୁରୁଣା କ୍ଷତକୁ ଶୁଖାଇବାକୁ ହେବ । ଦୁର୍ଭାଗ୍ୟ ଯେ କାଶ୍ମୀରରେ ମାନସିକ ଆଘାତ ଜନିତ ବେଦନା ପିଢ଼ି ପରେ ପିଢ଼ିକୁ ସଂକ୍ରମିତ ହୋଇଚାଲିଥିବାରୁ ସେଥିରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ହେଲେ ଅତୀତରେ ରାଷ୍ଟ୍ର ଓ ଏହାର ସଂସ୍ଥାଗୁଡ଼ିକ ଦ୍ୱାରା ହୋଇଥିବା ମାନବିକ ଅଧିକାର ଉଲ୍ଲଂଘନକୁ ସ୍ୱୀକାର କରିବାକୁ ହେବ । ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱକୁ ଗୁରୁତ୍ୱ ଦେଇ ସତ କହିଲେ ସମାଧାନର ବାଟ ଫିଟିଥାଏ । ଏଭଳି ଆୟୋଗ ଗଠନ ପାଇଁ ପରାମର୍ଶ ଦେବା ଅଦାଲତଙ୍କ ଅଧିକାର କ୍ଷେତ୍ର ବାହାରେ ହୋଇଥିଲେ ବି ଅନ୍ତର୍ବର୍ତ୍ତୀକାଳୀନ ନ୍ୟାୟ ଓ ଏହାର ବିଭିନ୍ନ ଉପାଦାନ ପରିବର୍ତ୍ତନକାରୀ ସାମ୍ୱିଧାନିକତା (ଟ୍ରାନସଫର୍ମାଲ କନଷ୍ଟିଚ୍ୟୁସନାଲିଜମ)ର ପରିପ୍ରକାଶ ବୋଲି ଅଦାଲତ ମନେକରନ୍ତି । ସାରା ବିଶ୍ୱରେ ମାନବାଧିକାର ଉଲ୍ଲଂଘନରେ ସଂଶ୍ଳିଷ୍ଟ ପୁଲିସ, ସେନାବାହିନୀଙ୍କ ପରି ରାଷ୍ଟ୍ରୀୟ ଓ ଆତଙ୍କବାଦୀ ସଂଗଠନଙ୍କ ପରି ଅଣ-ରା୍ଷ୍ଟ୍ରୀୟ ଅଭିନେତାଙ୍କ ଦାୟିତ୍ୱ ନିର୍ଦ୍ଧାରଣ ଲାଗି ସାମ୍ୱିଧାନିକତାର କ୍ରମ ବିକାଶ ହୋଇଚାଲିଛି । ନେଲସନ ମାଣ୍ଡେଲା ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ଥିବା ବେଳେ ୧୯୯୫ରେ ବର୍ଣ୍ଣବୈଷମ୍ୟ ପ୍ରପୀଡ଼ିତଙ୍କ ସହାୟତା ଲାଗି ଏହିଭଳି ଏକ ଆୟୋଗ ଗଠନ କରିଥିଲେ । ସେହିପରି ଚିଲି, ଏଲ-ସାଲଭାଡ଼ର, କାନାଡା ଆଦି ଦେଶଗୁଡ଼ିକରେ ମଧ୍ୟ ଅନୁରୂପ ଭାବେ ଏହିଭଳି ଆୟୋଗମାନ ଗଠିତ ହୋଇଥିବାର ଦୃଷ୍ଟାନ୍ତ ରହିଛି ।
୧୯୮୦ ମସିହାରୁ ସେଠାରେ ହୋଇଥିବା ମାନବିକ ଅଧିକାର ଉଲ୍ଲଂଘନର ଘଟଣାଗୁଡ଼ିକୁ ଖୋଜି ବାହାର କରି ସେଗୁଡ଼ିକର ବିବରଣୀ ପ୍ରସ୍ତୁତ କରିବା ସହ ସେଗୁଡ଼ିକର ସମାଧାନ ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ ସଂକ୍ରାନ୍ତରେ ଜାମ୍ମୁ-କାଶ୍ମୀର ଲାଗି ପ୍ରସ୍ତାବିତ ଆୟୋଗ ଉଚିତ ପରାମର୍ଶ ଦେବ । ଆୟୋଗ ଗଠନ ପରେ ତାହା ଯେପରି ଏକ ଫୌଜଦାରୀ ଅଦାଲତରେ ପରିଣତ ହୋଇ ନ ଯାଏ ସେଥିପ୍ରତି ଧ୍ୟାନ ଦେବାକୁ ହେବ । ଅନ୍ୟ ପକ୍ଷରେ ଅତ୍ୟାଚାର ପୀଡ଼ିତମାନେ ଯେପରି ସେମାନଙ୍କ ହୃଦୟ ବିଦାରକ କାହାଣୀଗୁଡ଼ିକୁ ବିନା ଦ୍ୱିଧାରେ କହିପାରିବେ ସେଥିପାଇଁ ଏକ ମାନବୀୟ ବାତାବରଣ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି । ବିଚାର ଆଲୋଚନା ମାଧ୍ୟମରେ ଏଥିରେ ବିଭିନ୍ନ ପକ୍ଷର ମତକୁ ସମ୍ମିଳିତ କରିବାର ପ୍ରଚେଷ୍ଟା କରାଯିବ, ଯଦ୍ଦ୍ୱାରା ଏହା ସମାବେଶୀ ହୋଇପାରିବ । ଫଳରେ ପ୍ରତ୍ୟେକେ କ୍ଷମା ଆଚରଣ କରିବାକୁ ତତ୍ପର ହେବେ ଯାହା ପୁରୁଣା କ୍ଷତଗୁଡ଼ିକୁ ଶୀଘ୍ର ପୂରଣ କରିବାରେ ସହାୟକ ହେବ । ସବୁଠାରୁ ବଡ଼ କଥା ହେଲା ଏହା ଦ୍ୱାରା ସାମ୍ପ୍ରଦାୟିକ ପରିଚୟର ଊର୍ଦ୍ଧ୍ୱରେ ରହି କ୍ରମେ ସେମାନଙ୍କର ଏକ ସହଭାଗୀ ଜାତୀୟ ଚରିତ୍ର ବିକଶିତ ହୋଇପାରିବ । ତେଣୁ ଏକ ସମୟ ସୀମା ମଧ୍ୟରେ ଆୟୋଗର କାର୍ଯ୍ୟକୁ ସମାପ୍ତ କରିବା ଉପରେ ଜଷ୍ଟିସ କାଉଲ ଗୁରୁତ୍ୱ ଦେଇଛନ୍ତି ।
ସୁପ୍ରିମକୋର୍ଟଙ୍କ ରାୟକୁ ଜାମ୍ମୁ ଅଞ୍ଚଳରେ ଯେଉଁଭଳି ଉଲ୍ଲାସର ସହିତ ସ୍ୱାଗତ କରାଯାଇଛି କାଶ୍ମୀର ଉପତ୍ୟକାଞ୍ଚଳରେ ରାୟକୁ ନେଇ ସେଭଳି ଉଦ୍ଦୀପନା ପରିଲକ୍ଷିତ ହୋଇନାହିଁ । ସେମାନଙ୍କୁ ନ୍ୟାୟରୁ ବଞ୍ଚିତ ହେଲା ଭଳି ଲାଗିବା କିଛି ଅସ୍ୱାଭାବିକ ନୁହେଁ । ଅର୍ଥାତ୍ ଅଦାଲତ ସିନା ଆଇନକୁ ତର୍ଜମା କରି ନ୍ୟାୟ ପ୍ରଦାନ କରିପାରିବ ଦୁଇ ସମ୍ପ୍ରଦାୟଙ୍କ ହୃଦୟରେ ଥିବା ଦୀର୍ଘ ଦିନର କ୍ଷତକୁ ପୂରଣ କରିବ ବା କିପରି ? ସୁପ୍ରିମକୋର୍ଟଙ୍କ ଆଦେଶ କ୍ରମେ ଜାମ୍ମୁ-କାଶ୍ମୀରକୁ ଖୁବ ଶୀଘ୍ର ରାଜ୍ୟ ମାନ୍ୟତା ଫେରସ୍ତ ମିଳିବ ଓ ସେଠାରେ ସେପ୍ଟେମ୍ୱର ୩୦, ୨୦୨୪ ପୂର୍ବରୁ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସେଠାରେ ଉଭୟ ସମ୍ପ୍ରଦାୟର ପରସ୍ପର ପ୍ରତି ରହିଥିବା ଅବିଶ୍ୱାସର ବାତାବରଣକୁ ଦୂର କରିବା । ଏଥି ଲାଗି ପ୍ରଚେଷ୍ଟା ହେବା ଆବଶ୍ୟକ, ଯଦ୍ଦ୍ୱାରା ସେମାନେ ପ୍ରକୃତ ଅର୍ଥରେ ଯଥାଶୀଘ୍ର ପରସ୍ପରର ନିକଟତର ହୋଇପାରିବେ । ତେଣୁ ସୁପ୍ରିମକୋର୍ଟଙ୍କ ଆଦେଶର ଅନୁପାଳନ କରି ସରକାର ତୁରନ୍ତ ଏକ ନିରପେକ୍ଷ ‘ସତ୍ୟ ଓ ସମାଧାନ ଆୟୋଗ’ ଗଠନ ଲାଗି ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । ସୁପ୍ରିମକୋର୍ଟଙ୍କ ରାୟରେ କିଏ ଜିତିଲା ବା କାହାର ହାର ହେଲା, ତାକୁ ଗୁରୁତ୍ୱ ଦିଆଯିବା ଅନୁଚିତ । କାରଣ ସେ ନେଇ ଆଲୋଚନା ଓ ପ୍ରଚାର କରାଗଲେ ଘାଆ ଶୁଖିବା ବଦଳରେ ଅଧିକ ରକ୍ତକ୍ଷରୀ ହେବ, ଯାହା ରାଷ୍ଟ୍ରର ଭବିଷ୍ୟତ ଲାଗି ମଙ୍ଗଳକର ହୋଇ ନ ପାରେ !
Published in Sambad on December 14, 2023
Very nice article.
ReplyDelete